ଲଣ୍ଠନ

ଖୋଜି ପାଉନି ମୋ ରୂପ, ବୟସ ଓ ଅସ୍ତିତ୍ୱ
ଇତିହାସର କେଉଁ ପୃଷ୍ଠାରେ,
ଘନ ଅନ୍ଧାରର ଆଲୁଅ ମୁଣ୍ଡାଏଁ
ଜଳି ଉଠେ ସୂର୍ଯ୍ୟ ଡୁବିଲା ପରେ
ଚାଖଣ୍ଡେ ରେଶମ ଡୋରି ଓ ଦୁଇ ବୁନ୍ଦା ଜାଳେଣିରେ,
କାହା କୁଡ଼ିଆ ଘରେ, ନଈ ପଠାରେ
ଆଉ କେବେ ରାଜ ଉଆସରେ !
ଆଜି ମୁଁ ଅତୀତର କିୟଦଂଶ
ଆଧୁନିକତାର ପ୍ରଲେପରେ,
ତଥାପି ବଂଚିଛି ମୁଁ
ରାଧୁ ମଉସାର ଛପର ଘରେ
ବିକାଶର 75ଟା ଫର୍ଦ ପରେ !
ମୁଁ ଥିଲି ବିପର୍ଯୟର ଅନ୍ଧାରି ଇଲାକାରେ
ନୀରବତାର ଗୁଂଜରଣରେ
ଅଭାବୀର ଟ୍ରେଜେରିରେ
ଅଧ ଭଙ୍ଗା ପୃଥିବୀର ଶେଷ ଆଶା ଓ ସନ୍ତକ ହୋଇ !
ଜାନି ଯୌତୁକର ଶ୍ରେଷ୍ଠ ଉପହାର
ହେଜୁଥିଲି ବିଦାୟୀ ବୋହୁର ଡରୁଆ ରାତିକୁ !
ସେଦିନ ଥିଲି ଗାନ୍ଧୀଙ୍କ ସତ୍ୟାଗ୍ରହରେ
ଆଉ ଗୋପବନ୍ଧୁଙ୍କ କାରାଗାରରେ !
ମୁଁ ଥିଲି ଭାସ୍କୋଡାଗାମାଙ୍କ ଜଳପଥରେ
ଆଉ ଜ୍ୱାଳାମୁଖୀ ପଦ୍ମାବତୀଙ୍କ ନିର୍ଯାସରେ,
ପଢ଼ିନିଅ ମୋ ଅତୀତକୁ
ଇତିହାସର ଏ ବିଶେଷ ଅଧ୍ୟାୟରେ !
ଛାଡ, ସେ ପୁରୁଣା ପୃଷ୍ଠାକୁ
ସେଦିନ ଜଳୁଥିଲି ଦେହଜୀବୀଙ୍କ ଅନ୍ଧାରି ଘରେ,
ଆଜିବି ଜଳୁଛି କାମାନ୍ଧଙ୍କ ନଜରୀଆରେ
ବିନା ଅନ୍ଧାର ଆଉ ବିନା ଜାଳେଣିରେ
ହୁତୁ ହୁତୁ ହୋଇ
ଏକ ନୂଆ ରୂପରେ !
ଆଉ ତା ସାଥେ ଜଳି ଚାଲିଛି
ରାଧୁ ମଉସାଙ୍କ ପରି ଏନେକଙ୍କ ଛିଣ୍ଡା ଘରେ
ବିକାଶର ମୁକ ସାକ୍ଷୀ ହୋଇ !


ଅଧ୍ୟାପକ, ପି ଏନ ଏସ ସ୍କୁଲ ଅଫ ଇଞ୍ଜିନିଅରିଙ୍ଗ ଏଣ୍ଡ ଟେକ୍ନୋଲୋଜି

କେନ୍ଦ୍ରାପଡ଼ା, ଫୋନ – 8337958339