ମୂଳ ଲେଖା : ଏଟଗାର କେରେଟ || ଅନୁବାଦ : ଜ୍ୟୋତି ନନ୍ଦ
ଏଇ କାହାଣୀଟି କହିବାକୁ ଗଲେ ଏଇ ବହିର ସବୁଠାରୁ ଭଲ କାହାଣୀ। ଖାଲି ସେତିକି ନୁହଁ ଏଇଟି ପୃଥିବୀର ସବୁଠୁ ଭଲ କାହାଣୀ। ଆଉ ସବୁଠୁ ବଡକଥା ହେଉଛି ଆମେ ମାନେ ଅସଲରେ ସେଇ ଲୋକ ନୁହଁ ଯିଏ କି ଏଇ ଭଳି ଗୋଟିଏ ଉପସଂହାରରେ ଆସି ପହଞ୍ଚିପାରିଛି। ଏଇ ଭଳି ଉପସଂହାରରେ ଯେଉଁମାନେ ପହଞ୍ଚିଥିଲେ ସେମାନେ ହେଉଛନ୍ତି କୌଣସି ଗୋଷ୍ଠୀ ସହିତ ସଂପୃକ୍ତ ନଥିବା ଗୋଟିଏ ସର୍ବଜନସମ୍ମତ ବିଶେଷଜ୍ଞ ଦଳ,ଯେଉଁମାନେ -ପରୀକ୍ଷାଗାରର ସମସ୍ତ ମାନଙ୍କର ନିର୍ଦ୍ଦିଷ୍ଟ ଆଧାରରେ -ବିଶ୍ୱ ସାହିତ୍ୟରୁ ସଂଗୃହୀତ ପ୍ରତିନିଧିଶ୍ରେଣୀୟ ନମୁନାଗୁଚିକ ସହିତ ଏହି କାହାଣୀଟିର ପରିମାପ କରିଥିଲେ । ଏହି କାହାଣୀ ହେଉଛି ଗୋଟିଏ ସ୍ୱତନ୍ତ୍ର ଇସ୍ରାଏଲୀ ଉଦ୍ଭାବନ । ଏବଂ ମୁଁ ଦାବୀ କରି କହିପାରେ ଯେ ଆପଣମାନେ ନିଜେ ନିଜକୁ ପଚାରୁଛନ୍ତି,ଏହା କେମିତି କଥା ଯେ ଆମେ (ଗୋଟିଏ ଛୋଟିଏ ଇସ୍ରାଏଲୀ ଦେଶର ଲୋକ) ଏହାକୁ ଲେଖିପାରିଛୁ,ଆମେରିକୀୟ ମାନେ ନୁହଁ କାହିଁକି ? ଯାହା ଆପଣମାନଙ୍କର ଜାଣିରଖିବା ଉଚିତ ଯେ ଆମେରିକୀୟମାନେ ପରସ୍ପରକୁ ଏଇ ସମାନ କଥା ପଚାରୁଛନ୍ତି । ଏବଂ କେତେଗୁଡିଏ ପ୍ରଖ୍ୟାତ ଆମେରିକୀୟ ପ୍ରକାଶନୀ ସଂସ୍ଥା ହୁଏତ ନିଜ ନିଜର ଚାକିରୀକୁ ହରାଇପାରନ୍ତି କାରଣ ଏ ସଂକ୍ରାନ୍ତରେ ଯାହା ଉଲ୍ଲେଖଯୋଗ୍ୟ ହେବ ସେଇଭଳି କିଛି ଏହି ସଂକ୍ରାନ୍ତରେ ଉତ୍ତର ସେମାନଙ୍କ ପାଖରେ ଏଯାବତ ପ୍ରସ୍ତୁତ ହୋଇ ନାହିଁ।
ଠିକ୍ ଯେମିତି ଆମର ସୈନ୍ୟବାହିନୀ ପୃଥିବୀର ଶ୍ରେଷ୍ଠ-ସମାନ ,ଯେମିତି ଏଇ କାହାଣୀ। ଆମେ ଏଇଲେ ଏମିତି ଗୋଟିଏ କଥାରମ୍ଭ ବିଷୟରେ କଥା ହେବା ଯାହା ଏପରି ଏକ ନବପ୍ରବର୍ତ୍ତକ ଯେ ତାହାକୁ ରେଜେଷ୍ଟ୍ରିକୃତ ସ୍ୱତ୍ତ୍ୱାଧୀକାର ଆକାରରେ ସଂରକ୍ଷିତ କରି ରଖା ଯାଇଅଛି। ଏଇ ସ୍ୱତ୍ତ୍ୱାଧୀକାରଟି ରେଜିଷ୍ଟ୍ରି କରି ରଖାଯାଇଛି କେଉଁଠି ? ଏଇଟି ହେଉଛି ବଡ କଥା,ଏହା ଏଇ କାହାଣୀ ର ଆପଣାର ଭିତରେ ରେଜିଷ୍ଟ୍ରି କରି ରଖାଯାଇଛି । ଏଇ କାହାଣୀର ଭିତରେ ଆପଣାକୁ ରଙ୍ଗରସ କରିବା ଭଳି କିଛି ନାହିଁ,କିଛି କଳାକୌଶଳ ନାହିଁ,ଆବେଗପର ଫରକ କିଛି ନାହିଁ । ଗୋଟିଏ ଗଣ୍ଡିକୁ ଜାଲ କରି ଏହାର ନିର୍ମାଣ,ଗଭୀର ଅନ୍ତର୍ଦୃଷ୍ଟି ଆଉ ଆଲୁମିନିଅମ୍ ର ଇଏ ଏକ ମିଶ୍ରଧାତୁ। ଏହାକୁ କଳଙ୍କି ଧରିବ ନାହିଁ,ଏହା ଫାଟିଫୁଟି ଯିବ ନାହିଁ,ହେଲେ ଏହା ବିସ୍ମୟ ଉଦ୍ରେକ କରିବ। ଏହା ସମକାଳରେ ଉଗ୍ର ଏବଂ କାଳାନ୍ତରିତ ସାହିତ୍ୟିକତା। ଇତିହାସ କୁ ଏହାର ମୂଲ୍ୟାଙ୍କନ କରିବା ପାଇଁ ଛାଡି ଦିଆଯାଉ !ଏବଂ କହିବା କଥା ହେଉଛି ,ଅନେକ ସୂକ୍ଷ୍ମ ଲୋକକଥା ଦୃଷ୍ଟିରୁ,ଏପରି ରାୟ ଜାହିର କରାଯାଇଛି-ଆମର କାହାଣୀ ହେଉଛି ତୁରୁପର ପତା।
“ଏଇ କାହାଣୀରେ ବିଶେଷତ୍ୱ କହିଲେ କ’ଣ ?” ଲୋକେ ନିରୀହ ଭାବରେ ଅଥବା ଅଜ୍ଞତାର କାରଣରୁ ନିଜ ନିଜକୁ ଏମିତି ପଚାରିବସନ୍ତି ( କିଏ ଏମିତିକା ପ୍ରଶ୍ନ ପଚାରୁଛି ତାହା ଉପରେ ଏହି ନିର୍ଭର କରୁଛି ।) ” ଏଥିରେ ଏମିତି କ’ଣ ଅଛି ଯାହା ଚେକଭ୍ କି କାଫକାଙ୍କ ଗପରେ ନାହିଁ ବା ମୁଁ-ଜାଣେ ନାହିଁ-କିଏ ସେ ? ” ଏହି ପ୍ରଶ୍ନର ଉତ୍ତର ହେଉଛି ଦୀର୍ଘ ଏବଂ ଜଟିଳ । କାହାଣୀର ନିଜ ଅପେକ୍ଷା ଅଧିକ ଦୀର୍ଘ ,କମ୍ ଜଟିଳ। କାରଣ ଏଇଠି ଏଇ କାହାଣୀ ଠାରୁ ଅଧିକ ଜଟିଳ ଆଉ କିଛି ନାହିଁ । ସେ ଯାହା ହେଉ,ଆମେ ଏହାର ଉତ୍ତର ଉଦାହାରଣ ରେ ଦେବାର ଚେଷ୍ଟା କରିବା। ଚେକଭ ଆଉ କାଫକାଙ୍କ ରଚନାକୁ ପୃଷ୍ଟଭୂମୀରେ ରଖି ,ଏଇ କାହାଣୀର ଉପସଂହାରରେ ,ଜଣେ ଭାଗ୍ୟବାନ ବିଜେତା-ସମସ୍ତ ସଠିକ ପାଠକମାନଙ୍କ ମଧ୍ୟରୁ ମିଶାମିଶି ଭାବରେ ନିର୍ବାଚିତ- ଗୋଟିଏ ମେଟାଲିକ୍-ଗ୍ରେ-ଫିନିଶ୍ ର ବ୍ରାଣ୍ଡ ନିଉ ମାଜଦା ଲାଣ୍ଟିସ୍ ଲାଭ କରିବ। ଆଉ ଯେଉଁ ପାଠକମାନେ ସଠିକ ଉତ୍ତର ଦେଇପାରିନାହାଁନ୍ତି ସେମାନଙ୍କ ମଧ୍ୟରୁ ସ୍ୱତନ୍ତ୍ର କେହି ଜଣେ ନିର୍ବାଚିତ ହେବେ,ତାଙ୍କୁ ବି ଅଲଗା ଗୋଟିଏ କାର୍ ପ୍ରଦାନ କରାଯିବ,ତାହାର ମୂଲ୍ୟ ଯଦିଓ କମ୍,ହେଲେ ତାହାର ଧାତବ ଧୂସରତା ର ରଙ୍ଗ ସେମିତି ସେତେ ଅନୁଜ୍ଜଳ ନୁହଁ ଯେ ଜଣେ ନିଜର ମନ ଊଣା କରିବସିବ। କାରଣ ଏଇ କାହାଣୀ ଟି ଏଠାରେ ଅନ୍ୟ ଉପରେ ନିଜର ବରିଷ୍ଠତା ଦେଖାଇବାକୁ ଉପସ୍ଥିତ ହୋଇନାହିଁ। ଆପଣମାନଙ୍କର ମନକୁ ଭଲ କରିଦେବା ପାଇଁ ସେ ଏଇଠି ଅଛି। ସେ କେଉଁ କଥାଟି ଆପଣମାନଙ୍କ ଘରେ ଡିନର୍-ମ୍ୟାଟ୍ ଉପରେ ଛାପା ହୋଇ ରହିଛି । ” ଆପେ ଆପେ ଖୁସି ହେଲ-ସେଇ କଥା ତମ ସାଙ୍ଗମାନଙ୍କୁ କୁହ। ଆପେ ଆପେ ଖୁସି ହୋଇନ-ଆମକୁ କୁହ !” ଅଥବା,ଏଇଠି ଏଇ କ୍ଷେତ୍ରରେ -କାହାଣୀକୁ ରିପୋର୍ଟ କର। କାରଣ ଏଇ କାହାଣୀ କେବଳ କହିବ ନାହିଁ,ଏହା ମଧ୍ୟ ଶୁଣେ। ଏହାର କାନ,ଯାହା ସେମାନେ କହନ୍ତି ,ସର୍ବସାଧାରଣଙ୍କ ପ୍ରତିଟି ହୃଦୟର ତନ୍ତ୍ରୀ ସହିତ ବନ୍ଧା। ଆଉ ଯେତେବେଳେ ସର୍ବସାଧାରଣ ଙ୍କ ନିକଟରେ ପର୍ଯ୍ୟାପ୍ତ ହୋଇଯିବ ଆଉ ସେମାନେ ଅନ୍ୟ କାହାକୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଡାକିବେ,ଏଇ କାହାଣୀ ତାହାର ପାଦ ଦୁଇଟିକୁ କେବେହେଲେ ଟାଣି ଟାଣି ନେବ ନାହିଁ ଅଥବା ପୂଜାବେଦୀର କଡକୁ ଜାବୁଡି ଧରିବ ନାହିଁ । ଏହା ,ଅତି ସରଳରେ କହିଲେ,ଅଟକି ଯିବ।