ଶ୍ରମ ଭଳି ଗମ୍ଭୀର କଥାରେ କାବ୍ୟ କି ପ୍ରେମ ଘଟଣା ଦିଶେନାହିଁ। ଅଥଚ କବି ଅବା ପ୍ରେମାସକ୍ତ ମାନେ ବେଶ୍ ଭଲଭାବରେ ଜାଣନ୍ତି ସେମାନଙ୍କୁ କେତେକେତେ ଶ୍ରମ କରିବାକୁ ପଡିଥାଏ । ନିଜ ପ୍ରେମକୁ ସଫଳ କରିବାପାଇଁ ଆମେ ନିଜକୁ ଗୌରୀକେଦାର ଭଳି ବଳିଦାନ ଦେବାଠୁ ଆରମ୍ଭ କରି ପ୍ରେମାସ୍ପଦାର ଘରପାଖ କେତେକେତେ ଅମାବାସ୍ୟାର ଭରାନଈରେ ପହଁରିବା ଆଉ ରାତି ଅଧର କଳା କିଟିକିଟି ଶ୍ମଶାନରେ ବଶୀକରଣ ମନ୍ତ୍ର ପଢିବା ଯାଏଁ ଭଳିକିଭଳି ବିଚିତ୍ର ଶ୍ରମର କଥାକୁ କାବ୍ୟରୂପରେ ଅମର କରି ରଖିଛୁ। ଅନ୍ୟଭାବରେ କହିଲେ ଆମର ସବୁ ସାହିତ୍ୟ ହେଉଛି ଏହି ଜାତୀୟ ଶ୍ରମର ଏକ ବିପୁଳ ଭଣ୍ଡାର।
ମଇ ମାସ ପହିଲାକୁ ତେଣୁ ଶ୍ରମିକମାନଙ୍କ ସହ ପ୍ରେମିକମାନେ ଏକାଠି ଆନ୍ତର୍ଜାତିକ ଦିବସ ପାଳିଲେ କ୍ଷତି ନାହିଁ।
ଶ୍ରମ ହେଉଛି ଉଡାଣ ଭଳି ଏକ ଧାରାବାହିକ ପ୍ରକ୍ରିୟା ମାତ୍ର। ଗୋଟିଏ ଚଢେଇ ଫୁଉରକିନି ଉଡିବା ମାତ୍ରକେ ଆଉ ଗୋଟିଏ ତାହାକୁ ଅନୁକରଣ କରି ନିର୍ବିବାଦରେ ନିଶ୍ଚିନ୍ତରେ ନିଜ ଡେଣାକୁ ପ୍ରସ୍ତୁତ କରି ତୟାର। ଆକାଶ ତ ଏକ ବିସ୍ତୃତ କାର୍ଯ୍ୟକ୍ଷେତ୍ର। ତାହାପରେ ଆଉ ଗୋଟିଏ। ଆଉ ଗୋଟିଏ। ଏଇମିତି ଅନୁକରଣ ଆଉ ଉଡାଣରେ ସଂକ୍ଷେପରେ ରହିଥାଏ ଆମର ଶ୍ରମ ଆଉ ଆମର ପ୍ରେମ ବି।
ଏହା ଭିତରେ ଯେତିକି ଯନ୍ତ୍ରଣା ଆଉ ଦୁଃଖର କଥା ରହିଛି,ସେଇସବୁ ସ୍ଥଗିତ ରହୁ ଘଡିଏ ।
“ସେଇ କ୍ଷଣୁ ପ୍ରେମ
କରୁଥାଇ ରାଜୁତି ନିରଙ୍କୁଶ ରାଜୁତି ସେ
ଆତ୍ମାରେ ମୋହର ।”
ଏଇ ପ୍ରସିଦ୍ଧ ଧାଡିଟି ଜଣେ ପ୍ରେମିକର ବିରଚିତ।ସେ ବିଶ୍ୱସାହିତ୍ୟର ଜଣେ ଆଦ୍ୟକବି ଓ ସମାନ ରୂପରେ ଜଣେ ଆଦ୍ୟ ପ୍ରେମିକ ଭାବରେ ଆମ ନିକଟରେ ବିଶେଷ ଖ୍ୟାତ। ସେ ହେଉଛନ୍ତି ଉତ୍ତର-ମଧ୍ୟଯୁଗୀୟ ଇତାଲୀୟ କବି ତଥା “ଡିଭାଇନ୍ କମେଡି” ର ରଚୟିତା ଦାନ୍ତେ। ଦାନ୍ତେ ତାଙ୍କର ପ୍ରିୟତମା ବିୟାତ୍ରିଚ୍ କୁ ପ୍ରଥମ ଭେଟିବାର ସ୍ମୃତିକୁ ଅମର ରଖିଯାଇଛନ୍ତି ଉପର ଊଦ୍ଧୃତ ଧାଡିଟିରେ। ବିୟାତ୍ରିଚ୍ ଙ୍କ ବାପା ସେଦିନ ଫ୍ଲୋରେନ୍ସ ସହରରେ ଗୋଟିଏ ଭୋଜି ଦେଉଥିଲେ ଯେଉଁଠି ପ୍ରାୟ ଅଶିହଜାର ଲୋକ ଆମନ୍ତ୍ରିତ ଥିଲେ । ବାରଶହ ଚଉସ୍ତରୀ ଖ୍ରୀଷ୍ଟାବ୍ଦର ସେହି ବିଶେଷ ଦିନ ବିୟାତ୍ରିଚ୍ ପିନ୍ଧିଥିଲେ ଗାଢ ଲାଲରଂଗର ପୋଷାକ। ଦାନ୍ତେଙ୍କ ଠାରୁ ବୟସରେ ଅଳ୍ପ କେତେମାସ ସାନ ବିୟାତ୍ରିଚ୍।
ପ୍ରେମର ରାଜୁତି ଆରମ୍ଭ ହୋଇଗଲା ନିଃଶବ୍ଦରେ। ଉଭୟଙ୍କ ଭିତରେ ପଦଟିଏ କଥାବାର୍ତ୍ତା ନାହିଁ। ଏଇମିତି ବିତିଗଲା ଦୀର୍ଘକାଳ, ଅର୍ଥାତ୍ ନଅବର୍ଷ ସମୟ।
ତ୍ରୟୋଦଶ ଶତାବ୍ଦୀରେ ଇତାଲୀୟ ସମାଜରେ ସଂଭ୍ରାନ୍ତ ବର୍ଗରେ ବୈବାହିକ ସଂପର୍କ ଗୁଡିକ ରାଜନୈତିକ ଆବଶ୍ୟକତା ଓ ପରିବାରର ମୁଖ୍ୟଙ୍କ ଇଚ୍ଛାଧୀନ ବିଷୟ ଥିଲା,ଯେଉଁଠି ପ୍ରେମ ସଂପର୍କ ଏକପ୍ରକାର ଅବାସ୍ତବ କଥା। ତେଣୁ ଯୁବକଯୁବତୀର ପ୍ରେମ,ତାହାର ଉପସ୍ଥିତି ମୂଳତଃ କାବ୍ୟକବିତାରେ । ଦାନ୍ତେ ଓ ବିୟାତ୍ରିଚ୍ ଙ୍କ ଏହି କାବ୍ୟକବିତାର ନଅବର୍ଷ ର ପ୍ରେମକାଳରେ ଦାନ୍ତେଙ୍କର ଆଉ ଜଣକ ସହ ବିବାହ ଉଦ୍ଦେଶ୍ୟରେ ବାଗଦାନ ସଂପନ୍ନ ହୋଇଗଲା। ପରେ ଦାନ୍ତେ ଆଉ ବିୟାତ୍ରିଚ୍ ସେମାନଙ୍କର ବିଧିନିର୍ଦ୍ଦିଷ୍ଟ ପାତ୍ରପାତ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ତିନିବର୍ଷ ପରେ ବିୟାତ୍ରିଚ୍ ଙ୍କର ଦେହାବସାନ ଘଟିଥିଲା।
ଦାନ୍ତେଙ୍କ କାବ୍ୟରେ ମରଣୋପରାନ୍ତ ବିୟାତ୍ରିଚ୍ ତେଣୁ ଚିରସ୍ଥାୟୀ ହୋଇ ରହିଗଲେ। ଶେଷ ଯାଏଁ ଦାନ୍ତେଙ୍କ ସ୍ମୃତିର ସଜଳ ଆଲେଖ୍ୟ ବିୟାତ୍ରିଚ୍, କେବଳ ବିୟାତ୍ରିଚ୍। ନିଜର ପଞ୍ଚାବନ ବର୍ଷ ବୟସରେ ସମାପ୍ତ ପ୍ରସିଦ୍ଧ କାବ୍ୟ “ଡିଭାଇନ୍ କମେଡି” ରେ ଯେଉଁ ସ୍ୱର୍ଗଯାତ୍ରାର କଥା ରହିଛି ,ସେଥିରେ ଦାନ୍ତେଙ୍କର ଯେଉଁ ସଂଗିନୀଟି ସବୁବେଳେ ବିଦ୍ୟମାନ, ତାହାର ନାଆଁ ବିୟାତ୍ରିଚ୍।
ସେତେବେଳକୁ ଶ୍ରମଦିବସ ତ ମଇ ପ୍ରଥମରେ ପାଳନ ହେଉନଥାଏ । ମାତ୍ର ନଅ ବର୍ଷ ବୟସରେ ପ୍ରଥମଥର ନିଜର ପ୍ରେମାସ୍ପଦାକୁ ଦେଖିବା ଆଉ ଠିକ୍ ଏହାର ନଅ ବର୍ଷ ପରେ ଦିନେ ହଠାତ୍ ରାସ୍ତାରେ ତାହାସହ ପ୍ରଥମେ କଥା ହେବା ଏହି ଦୁଇଟିଯାକ ଘଟଣା ଭିତରେ ନିର୍ମାଣ ହୋଇଛି ଦାନ୍ତେ ଆଉ ବିୟାତ୍ରିଚ୍ ଙ୍କ ଅଲୌକିକ ପ୍ରେମ। ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଏହି ଦୁଇଟିଯାକ ଘଟଣାର ତାରିଖ ସମାନ,ମଇ ମାସ ପ୍ରଥମ।
ଶ୍ରମ ଦିବସର ଏଇ ପ୍ରେମ କଥାଟି ର ଉପସଂହାର ପୂର୍ବରୁ ସବୁ ପ୍ରେମ ଆଉ ଶ୍ରମର ଉହାଡରେ ରହିଥିବା ଅଲୋଡା ଦୁଃଖର କଥା,ଯିଏ କାବ୍ୟଜଗତରେ ସଂପୂର୍ଣ୍ଣ ଉପେକ୍ଷିତା,ସେ ଚୁଲ୍ଲିମୁଣ୍ଡର ଶ୍ରମିକ ହୋଇ ରହିଯାଏ ସାରାଜୀବନ,ଯାହାର ପୂରା ନାଆଁ ଦାନ୍ତେ ଙ୍କ ପାରିବାରିକ ଜୀବନରେ ହେଉଛି,ଜେମା ଦୋନାତି।
ଜେମା ଦୋନାତି ଭଳି ଦୁଃଖମାନେ ପୃଥିବୀ ପ୍ରସିଦ୍ଧ ହୁଅନ୍ତି ନାହିଁ। ହୁଅନ୍ତି ନାହିଁ।