ଫ୍ରିଡା କାହଲୋ

ଆଉ କ’ଣ

ତମର ଆବଶ୍ୟକତା ବା ଏମିତି

ଲୋଡା ପଡିବ,ପାଦ,

ଡାହାଣ ପାଦ,

ଯେତେବେଳେ ମୋର ଉଡିଯିବା ପାଇଁ

ଅଦୃଶ୍ୟକୁ

ପାଖରେ ମହଯୁଦ୍ ହୋଇ ଗଲାଣି

ହଳେ ଡେଣା,

ମୋ ପାଖରେ ମ।

ପ୍ରେମ ହେଉଛି କଳା

ଆଉ କଳା ହେଉଛି ପ୍ରେମ ଯେତେବେଳେ

ଏମିତି ଏକ ପ୍ରେମିକରେ ହକ୍ ନିଧାର୍ଯ୍ୟ

ମୋହର

ଯେଉଁ ପ୍ରେମିକ ଜଣକ ନେଇଯିବ

ମୋ ଠାରୁ ମୋର ସବୁତକ ମିଛ ଆଉ

ମୋ ପରିଚିତ ଶେଜ ନିକଟରେ

ପହଂଚିଲା ବେଳକୁ ସେ

ମୋ ଦେହ ରେ ବତିଶ ଟି ଅପରେସନ୍ ନିୟମିତ ଛୁଂଚିଫୋଡା

ଡାହାଣ ପାଦ ର ଗାଙ୍ଗରିନ୍,କଟା ସରିଥିବ ପାଦ ଆଣ୍ଠୁ ତଳକୁ

ତାହାର ହାତରେ ରହିଥିବ କିନ୍ତୁ ସେତେବେଳେ

ଆଶା,କଫି ଆଉ କବିତାର

ଝଲମଲ ଧାଡିମାନ ମୋ ପାଇଁ।

ଦିନସାରା ରହିଥିଲା ସତରେ

ଏତିକି ବୋଝ ମୋ କାନ୍ଧରେ

ସେତିକି ସେମିତି ବୋହିନେବି ବୋଲି

ଦିନଶେଷ ଆସିଲେ

ଭରସାର କଳନା ନଥିଲା,

ସେଇଥିପାଇଁ ମୁଁ ନିଜକୁ ଆଙ୍କିବସେ

ମୁଁ ଛବି,କାନଭାସ୍ ମୁଁ  ଆଉ ମୁଁ ସବୁତକ ରଂଗ

ସ୍ତୁତିରେ ମୋ ପ୍ରୟୋଜନ ନାହିଁ

ତୀରବିଦ୍ଧ ମୃଗୁଣୀରେ  ଦିନକାଳ

ଦର୍ପଣ ସାଜିଛି।

ଏକେଲା ମୁଁ ଖୁବ୍ ଏକେଲା

ଡାହାଣ ପାଦକୁ ସିନା ଲୁଚାଇ ଦେବି

ରଂଗ ବେରଂଗ ର ସ୍କଟ୍ ତଳେ

ଜଣେ ସୁନ୍ଦରୀ  ପଙ୍ଗୁ ନାରୀର

ନିୟମିତ  ସ୍ୱାଭାବିକ ଗତି

ବିପ୍ଳବ ମୋ ଦୀର୍ଘଜୀବି  ହେଉ

ନାକ ତଳେ ଥାଉ ମୋର

ଧାରେ କଳା ନିଶ।

ମେରୁଦଣ୍ଡ କୁ ବାଧିବ ନାହିଁ

ଶୋଇବାରେ ସହଜ ହେବ ବୋଲି

ଡାକ୍ତରଙ୍କ କଥା ଅନୁସାରେ

ଯେଉଁ ସେମିଜ ମାନ ମୋତେ ପିନ୍ଧିବାକୁ ହୁଏ

ସେଥିରେ ଆଙ୍କି ରଖିଛି

ସାମ୍ୟବାଦ ର ଦା ଓ ହାତୁଡି

ବୃକ୍ଷ ଲତା ଆଉ ତାହାର ଗହଳିରେ

ମୋର ଗର୍ଭସ୍ଥ ଭ୍ରୁଣ

ସମସ୍ତେ ଦେଖିବେ

ଯାହା ଅନନ୍ତ କାଳ ଯାଏ ବିହାର କରୁଥିବ

ଆନନ୍ଦରେ,ଖୁବ୍ ଆନନ୍ଦରେ

ମୋ ଭଳି ।

ଏଥର ଯିବି,

ଆଉ ପାଦ ଲୋଡା ନାହିଁ

ଡେଣାମାନେ ମୋର ସଜ ହୋଇ ସାରିଛନ୍ତି

ଉଡାଣକୁ ଯିବେ

ଯିବା ବେଳ ମୋର ଆନନ୍ଦର ହେଉ

ଏମିତି ଆନନ୍ଦ ଯାହାର

ପୁନରାବୃତ୍ତି କେହି

କେବେ ଚାହିଁ ନାହିଁ।

°°°°°

ଏଠାରେ ଯେଉଁ ସ୍ପଷ୍ଟୀକରଣ ରହୁଛି ତାହା ଉପରଲିଖିତ ପଦ୍ୟର ନୁହଁ। ଜଣେ କଳାକାର ର ଜୀବନୀରୁ କିଛି ବଖାଣ ଏଠାରେ କରାଯାଉଛି।ସେହି କଳାକାର ର ନାଆଁ ଫ୍ରିଡା କାହଲୋ। ପଦ୍ୟରେ ଅନୁପ୍ରେରଣା ସେହି ଚର୍ଚ୍ଚିତ ଚରିତ୍ର।

ମେକ୍ସିକାନ୍ କଳାରେ ନବଯୁଗ ଆଣିଥିବା  କଳାକାର ମାନଙ୍କ ମଧ୍ୟରେ ଅନ୍ୟତମ  ହେଉଛନ୍ତି ଫ୍ରିଡା କାହଲୋ।ଏଇ କଳାକାର ର ଜୀବନ କିନ୍ତୁ ଅତ୍ୟନ୍ତ କରୁଣ।ପିଲା ଦିନରୁ ତାଙ୍କର ଡାହାଣ ପାଦରେ ସମସ୍ୟା ଥିଲା।କ୍ରମଶଃ ତାହା ପୋଲିଓ ରେ ପରିଣତ ହୋଇଗଲା।ତାଙ୍କୁ ଯେତେବେଳେ ଅଠର ବର୍ଷ ସେତେବେଳେ ତାଙ୍କର ସ୍କୁଲ୍ ବସ୍ ଏକ ଭୟାବହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଯେଉଁଥିରେ ଫ୍ରିଡାଙ୍କର ଅନେକ ବାନ୍ଧବୀ ମୃତ୍ୟୁ ବରଣ କରିଥିଲେ।ସେହି ଦୁର୍ଘଟଣାରେ ଫ୍ରିଡାଙ୍କର  ମେରୁଦଣ୍ଡ ଓ ଗର୍ଭାଶୟ ଗଭୀର ଭାବରେ କ୍ଷତି ଗ୍ରସ୍ତ ହୋଇଥିଲା।ତିନି ଚାରି ମାସ ପରେ ସେ ହାସପାତାଲ ରୁ ଫେରିଲେ ମେରୁଦଣ୍ଡ ଆଘାତ କାରଣରୁ ତାଙ୍କୁ ଶେଜ ଓ ହ୍ୱିଲ୍ ଚେୟାର୍ ରେ ଅବଶିଷ୍ଟ ଜୀବନ କାଟିବାକୁ ହେଲା।ସବୁବେଳେ ତାଙ୍କୁ ଡାକ୍ତରୀ ଚିକିତ୍ସାରେ ରହିବାକୁ ପଡିଥିଲା।ତାଙ୍କ ଶରୀରରେ ବତିଶ ଟି ଅସ୍ତ୍ରୋପଚାର  ହୋଇଥିଲା। ଏପରିକି ତାଙ୍କର ଡାହାଣ ପାଦକୁ ଅଂଟା ତଳଠାରୁ ଗାଙ୍ଗରିନ୍ ହେବା ଯୋଗୁ ଆଂପୁଟେସନ୍ କରାଯାଇଥିଲା। ସେତେବେଳେ ତାଙ୍କର ଏଇ ବକ୍ତବ୍ୟ, “ପାଦ ମାନଙ୍କର ଆବଶ୍ୟକତା କ’ଣ,ଯେତେବେଳେ ଡେଣାମାନେ ପ୍ରସ୍ତୁତ” ଅତ୍ୟନ୍ତ ପ୍ରଭାବୀ ଥିଲା।କହିବାକୁ ଗଲେ ଯନ୍ତ୍ରଣାର ଏକ ମୂର୍ତ୍ତିମନ୍ତ କାନଭାସ୍, ଫ୍ରିଡା କାହଲୋ ଙ୍କର ଏଇ ଭଳି ଅବସ୍ଥାରେ ପ୍ରେମ ଓ ବିବାହ ଅତ୍ୟନ୍ତ ଚର୍ଚ୍ଚିତ କଥା ଥିଲା ସେତେବେଳେ।ସେ ମେକ୍ସିକାନ୍ କଳା ଜଗତର ଅନ୍ୟତମ କିମ୍ବଦନ୍ତୀ ଶିଳ୍ପୀ ଡିଆଗୋ ରିଭେରାଙ୍କୁ ଉଭୟ ପରିବାର ର ତୁମୁଳ ପ୍ରତିବାଦ ମଧ୍ୟରେ ବିବାହ କରିଥିଲେ।

ଫ୍ରିଡା ଙ୍କ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କର ମାର୍କସବାଦ ରେ ଆସକ୍ତି।ନିଜର ବ୍ୟକ୍ତିଗତ ଯନ୍ତ୍ରଣାକୁ ସେ ବିପ୍ଳବ ଆଉ ଚିତ୍ର ମାଧ୍ୟମରେ ଏଡାଇପାରିଛନ୍ତି ବୋଲି ସେ ବାରଂବାର କହିଛନ୍ତି। ନିଜର ଜନ୍ମ ତାରିଖ ୭ ଜୁଲାଇ ୧୯୦୭ ହୋଇଥିଲେ ହେଁ ସେ ନିଜର ଜନ୍ମଦିନ କୁ ୧୦ ଜୁଲାଇ ୧୯୧୦ ବୋଲି କହୁଥିଲେ କାରଣ ୧୦ ଜୁଲାଇ ହେଉଛି ମେକ୍ସିକୋ-ବିପ୍ଳବର ପ୍ରତିଷ୍ଠା ଦିବସ।ତେଣୁ ସେ ସର୍ବଦା କହିବାକୁ ଚାହୁଁଥିଲେ ଯେ,ହେଉଛନ୍ତି ବିପ୍ଳବ ର ସଂତାନ।”ମଣିଷଜାତିର ସ୍ୱାସ୍ଥ୍ୟ ମାର୍କସବାଦ ଦ୍ୱାରା ହିଁ ସୁରକ୍ଷିତ” ଶୀର୍ଷକରେ ତାଙ୍କର ଗୋଟିଏ ଚର୍ଚ୍ଚିତ ଚିତ୍ର ରହିଛି।ଏକଦା ଫ୍ରିଡା ଙ୍କର ପ୍ରଖ୍ୟାତ ସାମ୍ୟବାଦୀ ନେତା ଲିଓନ୍ ଟ୍ରଟସ୍କିଙ୍କ ସହିତ ପ୍ରେମ ସଂପର୍କ ଥିଲା।ଏଇ ସବୁରୁ ତାଙ୍କର ବୈଚାରିକ ପୃଷ୍ଟଭୂମୀଟି ଭଲଭାବରେ ବୁଝାଯାଇ ପାରିବ।

ସେ ଯାହାହେଉ ନିଜର ସମସ୍ତ ଯନ୍ତ୍ରଣାକୁ କଳାତ୍ମକ ଆନନ୍ଦରେ ବିକଶିତ କରିପାରିବା କାରଣରୁ ଫ୍ରିଡା ଏକ ଚରିତ୍ର ହିସାବରେ ଅପୂର୍ବ। ଫ୍ରିଡା କାହଲୋ ଙ୍କ ଜୀବନୀ ସଂପର୍କରେ ଖୁବ୍ ସୁନ୍ଦର ଓ ତଥ୍ୟ ପୂର୍ଣ୍ଣ  ଆଲେଖ୍ୟ  ଲେଖିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କବି ଶ୍ରଦ୍ଧେୟ ରମାକାନ୍ତ ସାମନ୍ତରାୟ।”ଚିତ୍ର ଜୀବନ” ନାଆଁରେ ଶ୍ରୀ ସାମନ୍ତରାୟ ଫ୍ରିଡା ଙ୍କ ସମେତ ଅନେକ ବିଶ୍ୱବିଖ୍ୟାତ ଚିତ୍ରକରଙ୍କ ଜୀବନୀ ଆଉ କଳାକୁ କାହାଣୀ ଶୈଳୀରେ ଉପସ୍ଥାପନ କରିଛନ୍ତି। ଓଡିଆ ଭାଷାରେ ଏଇ ଭଳି ବହି ଲେଖା ହେବା ଅତ୍ୟନ୍ତ ଆନନ୍ଦର କଥା। ଆପଣମାନେ ଜାଣନ୍ତି ଶିଳ୍ପୀ ମାନଙ୍କର ଜୀବନ ସବୁବେଳେ ଘଟଣାବହୁଳ ଜୀବନ।ଆଉ ସେଇଥିପାଇଁ ସେମାନଙ୍କ ପ୍ରତି ଆମ ଭଳି ଶଗଡଗୁଳାରେ ଅଭ୍ୟସ୍ତ ଯାତାୟାତକାରୀଙ୍କର ସବୁବେଳେ ଅହେତୁକ କୌତୁହଳ।

ଏହି ପଦ୍ୟରେ ଫ୍ରିଡା ଙ୍କ ଜୀବନୀ,ବକ୍ତବ୍ୟ ଓ ତାଙ୍କର କିଛି ଚିତ୍ରର ଉଲ୍ଲେଖ ରହିଛି।ଏମିତି ରେ ଦେଖିଲେ ଫ୍ରିଡା ଙ୍କ ବିଷୟରେ ଆଦୌ କିଛି ନଜାଣିଥିଲେ ବି ଏକ ଭିନ୍ନ ଚରିତ୍ର ହିସାବରେ ଏଇ ପଦ୍ୟରେ ଜଣଙ୍କୁ ବୁଝିହେବ ବୋଲି ଏଇ ପଦ୍ୟକାର ଆଶା ରଖିଛି।ବୁଝି ନହେଉଥିବାର ସମସ୍ତ ଅକ୍ଷମତା କେବଳ ଉପସ୍ଥିତ ପଦ୍ୟକାରର।

ଫ୍ରିଡା କାହଲୋ ଙ୍କର ଆଜିର ତାରିଖ ଅର୍ଥାତ୍ ୧୩ ଜୁଲାଇ ୧୯୫୪ ଦିନ ମାତ୍ର ସତଚାଳିଶ ବର୍ଷ ବୟସରେ ମର୍ଫିନ୍ ଓଭରଡୋଜ୍ ରେ ମୃତ୍ୟୁ ଘଟିଥିଲା।ଯନ୍ତ୍ରଣାକୁ ସ୍ୱାଭାବିକତା ବୋଲି ଧରି ଆସିଥିବା ଚଳଚଂଚଳ ଚିରକିଶୋରୀ ଶେଷରେ ଆତ୍ମହନନକୁ ବାଛି ନେଇଥିଲା।

ଆଜିର ଦିବସରେ ସ୍ମୃତିପୁଷ୍ପ ଫ୍ରିଡାଙ୍କୁ।

କାହାର ଜୟ ହେଲା ଶେଷରେ ? ଯନ୍ତ୍ରଣାର ?

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →