ବିଧବା

ମୂଳ ଲେଖା : ଜନ ଅପଡାଇକ || ଅନୁବାଦ : ଜ୍ୟୋତି ନନ୍ଦ

ପ୍ରଶ୍ନ: ଜାଗାଟିକୁ ଭାରି ସୁନ୍ଦର କରି ସଜାଇ ରଖିଛନ୍ତି ।

ଉତ୍ତର: ରଖିବାକୁ ଚେଷ୍ଟା କରେ ଆଉ କ’ଣ ! ତେବେ ଏସବୁକୁ ଧରି ରଖିବା କଠିନ,

ଭଲଭାବରେ କଠିନ।

ପ୍ରଶ୍ନ:କେତେ ବର୍ଷ ହେଲା ତାହେଲେ ?

ଉତ୍ତର: ସାତ। ସେପ୍ଟେମ୍ବରକୁ ସାତ ହେବ। ଏଇ ଚେୟାରଟିରେ ସେ ବସିଥିଲା,ଠିକ୍ ଯେଉଁଠି ତମେ ଏଇଲେ ବସିଛ, ଆଉ ତାହାର ପନ୍ଦର ମିନିଟ ଯାଇଛି କି ନାହିଁ ସେ ଆଉ ନାହିଁ। ଗୋଟିଏ ଛୋଟ ଦୀର୍ଘଶ୍ୱାସ ଆଉ ସେ ଚାଲିଯାଏ।

ପ୍ରଶ୍ନ: ଯେତିକି ଶୁଣିଲି ଲାଗୁଛି ତାଙ୍କର ଚାଲିଯିବାର ବାଟଟା କଷ୍ଟକର ନଥିଲା । କୌଣସି ନା କୌଣସି ସମୟରେ ଆମ ସମସ୍ତଙ୍କୁ ତ ଯିବାକୁ ହେବ।

ଉତ୍ତର: ସଭିଏଁ ଏମିତି କହନ୍ତି। ଧର୍ମଯାଜକ,

କବରଖୋଦାଳୀ ।ମୋର ବି କୃତଜ୍ଞ ରହିବା ଉଚିତ।ତେବେ ତାହାର ଚାଲିଯିବାଟା ଟିକିଏ କମ୍ ଆକସ୍ମିକ ହୋଇଥିଲେ ହୁଏତ ଧକ୍କାଟା ଏତେ ତୀବ୍ର ହୁଅନ୍ତା ନାହିଁ।ସେତେବେଳେ ଏପରି ମନେ ହୋଇଛି ଯେମିତି ସେ ଚାଲିଯିବାକୁ ଚାହୁଁଥିଲା। ଯେମିତି ସେ ଚାଲି ଗଲା ସେଇଟିକୁ ନିଜ ଆଖିରେ ଦେଖିଛି ବୋଲି ଏମିତି କହୁଛି।

ପ୍ରଶ୍ନ : ମୋର ଏଇ ବିଷୟକୁ ନେଇ ସନ୍ଦେହ ଅଛି।ତେବେ ମୋର ଆଗ୍ରହ ଆପଣଙ୍କୁ ନେଇ। ଏଇଟି ପ୍ରାୟ କେତେ ବର୍ଷ ଧରି । ଆପଣଙ୍କୁ କାହିଁକି ଯେମିତି ଆଶ୍ଚର୍ଯ୍ୟଜନକ ଭାବରେ ସୁସ୍ଥ ଦେଖାଯାଏ।

ଉତ୍ତର : ଏହା ପିଲ୍ ଖାଇବା ବନ୍ଦ କରିବା ପରଠାରୁ ଅସଲରେ। ଏଠିକାର ଡାକ୍ତରମାନେ କେବଳ ପିଲ୍ ନେବାର ପରାମର୍ଶ ଦିଅନ୍ତି,ଅନ୍ତତଃ ମୋର ଯାହା ମନେ ହୁଏ,ଆମମାନଙ୍କୁ ମାରିଦେବା ପାଇଁ ସେମାନେ ଏପରି କରିଥାନ୍ତି। ଆଗରୁ ମୋର ମଥା ଘୁରାଉଥିଲା,ଗୋଟିଏ ପାଦ ର ତୁଳନାରେ ଆରଟି ଫୁଲି ବଡ ଦିଶୁଥିଲା,ହାତରେ ଯେମିତି କଣ୍ଟାଟିଏ ଫୋଡି ହେଉଛି ସେଇଭଳି ମନେ ହେଉଥିଲା…ଏଇଲେ ସେ ସବୁ ନାହିଁ ,ପିଲ୍ ନେବା ବନ୍ଦ କରିବା ପର ଠାରୁ ।

ପ୍ରଶ୍ନ: ଆଉ ଆପଣଙ୍କର … ମାନେ ମାନସିକ ଅବସ୍ଥା କେମିତି ଚାଲୁଛି ?

ଉତ୍ତର : ଯଦି ତମେ ମନେ କର ଯେ ମୋର ସବୁ ବୁଦ୍ଧି ହଜିଯାଇଛି ତାହେଲେ ସେଇଟା ତମର ବିଚାର ।ମୁଁ ଭୁଲି ଯାଉଛି,କିନ୍ତୁ ଅସଲରେ ମୁଁ ତ ସବୁବେଳେ ସେମିତିକା ଥିଲି । ମୁଁ ଜାଣେ , ଯଦି ମୁଁ ରୁମ୍ ର ଠିକ୍ ମଝିରେ ଅନେକକ୍ଷଣ ଠିଆ ହୋଇ ରହିବି,ତାହେଲେ ସେଇଟା ଚାଲି ଆସିବ । ଘୁମେଇ ପଡିବା ଭଳି ସେଇଟା। ଆରମ୍ଭରୁ ଡର ମାଡୁଥିଲା । ତେବେ ଏଇଲେ ଯଦି ମୁଁ ଭୋର୍ ତିନିଟାରେ ଉଠି ପଡେ,ମୁଁ ମାନି ନିଏ ମୋ ଶରୀର ମୋ ଠାରୁ ଚାହୁଁଛି କ’ଣ । ନିଜର ଦେହର ଉପରେ ବିଶ୍ୱାସ ରଖ ।

ପ୍ରଶ୍ନ : ମାନସିକ ଅବସ୍ଥା କହିଲେ ମୁଁ ଅସଲରେ ଆହୁରି ଦୁଃଖ,ଏକାକୀତ୍ୱ,ଆତ୍ମପରିଚୟର ବ୍ୟାପାର ବୋଲି ବୁଝିଥିଲି। ଯେହେତୁ ଆପଣ ନିଜର… ସ୍ୱାମୀକୁ ହରାଇଛନ୍ତି।

ଉତ୍ତର : ଅସଲରେ ପ୍ରଥମେ ହିଁ ଏଇ ଜାଗାଟା। ନା,ଏଇ ଅପଛାୟାଗୁଡିକ । ତାହାପରେ ଏଇ ଜାଗା।

ପ୍ରଶ୍ନ: ଭୂତ ?

ଉତ୍ତର: ହଁ ,ଏଇଠେ ,ସବୁ ବେଳେ। ମୋ ସହ କଥା ହୁଅନ୍ତି,ଗୋଟିଏ ଗୋଡ ଉପରେ ଆର ଗୋଡକୁ ଥୋଇବାର ଅଳି କରନ୍ତି ,ପୁଣି ଆତଙ୍କିତ ହୋଇ ମନା କରନ୍ତି । ସେମାନେ ଦରଜାର ଛିଟିକିଣି କୁ ଧରି କାହିଁକି ଯେମିତି ଝଣଝଣ କରୁଥାନ୍ତି ରାତିବେଳାରେ। ଠିକ୍ ଏଇଲେ ଯେଉଁଠି ତମେ ବସିଛି,ଏଇ ଚେୟାର୍ ରେ ଝୁଲୁଥିବାର ଦେଖିଛି ଅନେକ ବାର ।

ପ୍ରଶ୍ନ : ମୋର ମନେ ହୁଏ ଅନ୍ୟ କୌଣସି ଚେୟାର୍ ରେ ବସିବା ଉଚିତ୍।

ଉତ୍ତର : ଆରେ ନା,ଦରକାର ନାହିଁ । ଏଇ ଚେୟାର୍ ରେ ବସି ଥା। ସଭିଏଁ ଏପରି କରନ୍ତି।

ପ୍ରଶ୍ନ : ଭୂତ ଆଉ ଜାଗା ର ପରେ ଆପଣଙ୍କର କହିବାର ଆଉ କ’ଣ ଅଛି ?

ଉତ୍ତର : ଚମତ୍କାର କିଛି ଜିନିଷ। ବିଚିତ୍ର। ଏହାର ଆଗରୁ ମୁଁ କେବେ ଆକାଶକୁ ସେମିତି ଖିଆଲ କରି ଦେଖିନି । ଏଇ ପୃଥିବୀରେ ମୋର ବୟସ ସତୁରୀ ହେଲା,ଆଉ ମୁଁ ଆକାଶ ଆଡକୁ ଭଲ କରି ଚାହିଁନାହିଁ । ଏଇ ତ ସେଦିନ କିଛି ମେଘମାଳାକୁ ଖିଆଲ କରି ଦେଖିଥିଲି,ତଳ ଆଡକୁ ସେମାନେ ନିଜେ ଧରାଧରି ହୋଇ ରହିଛନ୍ତି,ଠିକ୍ ପାହାଡ ଭଳି ଉପର ତଳ କରି ରଖା,ଅଥବା ଓଦା ହୋଇଯାଇଥିବା କୌଣସି ହାତଲେଖା ଭଳି। ସେସବୁ ଦେଖିବାକୁ ଭାରି ଅଦ୍ଭୁତ ଥିଲା,ଠିକ୍ ସେମାନଙ୍କର ନିଜ ନିଜ ଭଳି। ସେମାନଙ୍କର ସବୁକିଛି ବତାସ ନିକଟରୁ ଧାର କରାଯାଇଥିବା ଶବ୍ଦରେ ଏଗୁଡିକ ଶୁଣିବାକୁ ବେଶ୍ ଅଦ୍ଭୁତ ଲାଗେ।

ପ୍ରଶ୍ନ : ତାହେଲେ ଆପଣ କହିବାକୁ ଚାହୁଁଛନ୍ତି ସ୍ଵାମୀଙ୍କ ମୃତ୍ୟୁ ପରେ ଆପଣଙ୍କ ଜୀବନ ଆଧ୍ୟାତ୍ମିକତା ଆଡକୁ ଗତି କରିଛି ।

ଉତ୍ତର : ବାସ୍ତବତା ଆଡକୁ,ଆଧ୍ୟାତ୍ମିକତା ଆଡକୁ ନୁହଁ । ଇନକମ୍ ଟାକ୍ସର କଥାକୁ ଧର,ଫେଡେରାଲ୍ ଆଉ ଷ୍ଟେଟ୍ ,ଏଇ ଦୁଇଟିଯାକ କାମ ମୁଁ ନିଜେ କରେ । ମୁଁ ଅସଲରେ ଜାଣି ନଥିଲି ଯେ ମୋ ଭିତରେ ସଂଖ୍ୟାକୁ ନେଇ କାମ କରିବାରେ କେତେ ଆନନ୍ଦ ଲୁଚି ରହିଥିଲା। ଆଉ ଲୋକବାକ ମାନେ।ମୋର ବନ୍ଧୁ ବାନ୍ଧବ ଅଛନ୍ତି ,ପ୍ରାୟ ସବୁ ବୟସର । ଅନେକ ସମୟ ଏମିତି କରି ରଖିଥାଏ ଯାହାଫଳରେ ମୋ ଫୋନ୍ କୁ କୌଣସି କଲ୍ ଯେମିତି ନଆସେ । ଜାଗା ବିଷୟରେ ମୁଁ ତମକୁ ଅସଲରେ ଏଇଟା କହୁଥିଲି,ଏପରି ଗୋଟିଏ ଜାଗା ମୁଁ ନିଜପାଇଁ ତିଆରି କରିନେଇ ପାରିବି,ଯେଉଁଠିକୁ କିଏ ତାହାର ନିଜର ଜାଗାକୁ ଠେଲି ଠେଲି ଆଣି ପାରିବ ନାହିଁ,ଭୋର ଚାରିଟାରେ ମଟରଗଛର ଅଗଛାମାନଙ୍କୁ ସଫା କରିଲେ କି ଗୀତ ଗାଇଲେ କେହି  କହି ପାରିବନି ତମର ମଥା ଖରାପ।

ପ୍ରଶ୍ନ : ଆପଣ କ’ଣ ଗୀତ ଗାଆନ୍ତି ?

ଉତ୍ତର: ମୁଁ ନିଶ୍ଚିତ ,ନା।

ପ୍ରଶ୍ନ : ସତ କହିଲେ ମୁଁ ଆପଣଙ୍କର କୌଣସି ପ୍ରସଙ୍ଗରେ ନାକ ଭର୍ତ୍ତି କରିବାକୁ ଚାହେଁନା।

ଉତ୍ତର: ତାହାଲେ ନାକ ଭର୍ତ୍ତି କରନାହିଁ ।

ପ୍ରବୀଣ କାହାର ଇଣ୍ଟରଭିଉ ନେବାକୁ ଗଲେ ମିଜାଜର ଏପରି ପରିବର୍ତ୍ତନରେ, କଥୋପକଥନରେ ପ୍ରବେଶ କରୁଥିବା ଆକସ୍ମିକ ସଂବାଦ ନିମନ୍ତେ ପ୍ରସ୍ତୁତ ରହିବାକୁ ହେବ। ମନୁଷ୍ୟ ଉପାଦାନକୁ ଦୀର୍ଘାୟୁର ସାମାନ୍ୟ ଘଷା ଦେଲେ ସେଇଟି ଦେଖିବାକୁ ଏପରି ଗୋଟିଏ ବହି ଭଳି ହୋଇଯିବ ଯାହାର ପୃଷ୍ଠାଗୁଡିକ ତାହାର ସୂକ୍ଷ୍ମତାର ନିମନ୍ତେ ପରବର୍ତ୍ତି ପୃଷ୍ଠାର ବାକ୍ୟଗୁଡିକୁ ଆଗରୁ ପ୍ରକାଶ କରି ଦେଇଥାଏ , ଅଥବା ସେମାନଙ୍କର ସାମ୍ନାସାମ୍ନି ରଖିଲେ ନିଜନିଜର ଦୀର୍ଘ ସାନ୍ନିଧ୍ୟ ଗୋଟିକୁ ଅପରର ନିକଟରେ କାଳିମଖା ଆଇନା ଭଳି ମନେ ହୁଏ । ସାମଗ୍ରିକ ସତ୍ତାକୁ ତୋଳି ଧରିବାର ସବୁଠାରୁ ସ୍ୱାଭାବିକ ମାଧ୍ୟମ ହେଉଛି ପାରାନୋଇଆ,ବିଭ୍ରମ। ଅସ୍ଥିରତା ଦେବଦୂତ ହେବାର ପୂର୍ବଶର୍ତ । ବିଧବାର ଚେହେରାଟା ଇଣ୍ଟରଭିଉ ଦେବାର ପରେ ପଥର ଭଳି ଶକ୍ତ ଆଉ ସରୁ ହୋଇ ଉଠିଛି,ଯାହା କିଛିକ୍ଷଣ ଆଗରୁ ଅସ୍ୱାଭାବିକ ଭାବରେ ଶାନ୍ତ ଥିଲା। କ୍ଷତର ସାମ୍ନାରେ ସମସ୍ତଙ୍କୁ ଆସିବାକୁ ହୁଏ ।

ପ୍ରଶ୍ନ : କିନ୍ତୁ ମାଡାମ୍,ମୁଁ ଅସଲରେ ନାକ ଭର୍ତ୍ତି କରିବା ଭଳି କିଛି କହିବାକୁ ଚାହିଁନି – ମୁଁ କହିବାକୁ ଚାହିଁଛି ଅସଲରେ ଆମେମାନେ ଯାହା କରୁ, ଆପଣଙ୍କ ସାକ୍ଷ୍ୟ ଏତେ ପରିମାଣରେ ସ୍ପଷ୍ଟ, ଏପରିଭାବରେ ସ୍ପଷ୍ଟ,ଏପରିଭାବରେ ଯେ ଆମେମାନେ ସବୁଠାରୁ ଦୂରର ଶ୍ରୋତାକୁ ପାଖକୁ ନେଇ ଆସିବାକୁ ଚାହୁଁ… ହୁଁ, ବିଧବାମାନଙ୍କ ଯୁଗରେ ଏଇଟିର ବିଶାଳ ଗୁରୁତ୍ୱ ସେମାନଙ୍କୁ ଜଣାଇଦେବାକୁ ଚାହୁଁ ଯେଉଁ ମାନେ ନିଜକୁ ଏକେଲା ଭାବୁଛନ୍ତି ।

ଉତ୍ତର : ତମେ ଏକା ନୁହଁ। ଏକା ନୁହଁ । ନା।

John Hoyer Updike (March 18, 1932 – January 27, 2009) was an American novelist, poet, short-story writer, art critic, and literary critic.

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →