ମୂଳ ଲେଖା : ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ || ଅନୁବାଦ : ଜ୍ୟୋତି ନନ୍ଦ
ଏବ୍ରୋର ଉପତ୍ୟକା ନିକଟରେ ସାଦା ପାହାଡ ଗୁଡିକ ଧାଡିବାନ୍ଧି ଛିଡା ହୋଇଛନ୍ତି।ଏଇ ପଟରେ କୌଣସି ଛାଇ ନାହିଁ,ଗଛ ନାହିଁ, ଅଛି ଦୀର୍ଘ ରେଳଲାଇନ୍ ଆଉ ରେଳଲାଇନ୍ ମଝିରେ ଅଛି ଷ୍ଟେସନ୍।ସେଇଠି ଯାହା ପଡିବ ଗୋଟିଏ କୋଠାଘର ଆଉ ତାହାର ପରଦାର ଟିକିଏ ଉଷୁମ ଛାଇ।ବାଉଁଶର ବତାରେ ତିଆରି,ବାର୍ ର ଝରକା ଖୋଲା,ପର୍ଦା ଟଙ୍ଗା ହୋଇଛି ଯେମିତି ମାଛିଟିଏ ପଶି ପାରିବନାହିଁ।ଆମେରିକାନ୍ ଲୋକଟି ତାହାର ସାଥିରେ ଥିବା ମହିଳାକୁ ନେଇ କୋଠାଘରର ବାହାରେ ଛାଇ ତଳେ ଗୋଟିଏ ଟେବୁଲ୍ ରେ ବସିଛି।ପ୍ରଚଣ୍ଡ ଗରମ ପଡିଛି,ବାର୍ସିଲୋନାରୁ ଟ୍ରେନ୍ ଆସିବାକୁ ଆଉ ଚାଳିଶମିନିଟ୍ ସମୟ ଲାଗିବ।ଟ୍ରେନ୍ ଆସିଲେ ଏଇ ଜଂକସନ୍ ରେ ଗୋଟିଏ କି ଦୁଇ ମିନିଟ୍ ସମୟ ରହିବ ଆଉ ତାହାପରେ ଛାଡିବ ସିଧା ମାଦ୍ରିଦ୍ ।
“କ’ଣ ଖାଇବା ?”ଝିଅଟି ପଚାରେ।ମୁଣ୍ଡରୁ ଟୋପିଟିକୁ ଖୋଲି ଟେବୁଲ୍ ଉପରେ ରଖେ ସେ।
“ଭାରି ଗରମ”ଲୋକଟି କହିଲା।
“ଚାଲ,ବିଅର୍ ପିଇବା।”
“ଡସ୍ ଶ୍ୟାର୍ଭେସ୍”,ଲୋକଟି ପର୍ଦାର ଆରପଟକୁ ଡାକେ।
“ଲାର୍ଜ ?”ଦରଜା ପାଖରୁ ଜଣେ ମହିଳା ପଚାରିଲା।
“ହଁ,ଦୁଇଟା ଲାର୍ଜ।”
ଦୁଇଗ୍ଲାସ୍ ବିଅର୍ ଆଉ ଦୁଇଟି ଫେଲ୍ଟପ୍ୟାଡ୍ ନେଇ ଆସିଲା ମହିଳା ଜଣକ।ପ୍ୟାଡ୍ ଦୁଇଟିକୁ ଟେବୁଲ୍ ଉପରେ ରଖି ତାହା ଉପରେ ବିଅର୍ ଗ୍ଲାସ୍ ଦୁଇଟିକୁ ରଖିଲା ସେ।ଗୋଟିଏ ନଜରରେ ଦେଖିନେଲା ସେଇ ଲୋକଟିକୁ ଆଉ ତାହା ସାଥିରେ ଥିବା ଝିଅଟିକୁ।ଝିଅଟି ସେତେବେଳକୁ ଦୂରର ଧାଡିଧାଡି ପାହାଡକୁ ଚାହିଁ ରହିଥାଏ।ସୂର୍ଯ୍ୟର ଆଲୁଅରେ ପାହାଡଗୁଡିକ ସାଦା ଆଉ ପୂରା ଇଲାକାଟା ଲାଗୁଥାଏ ଧୂସର ବାଦାମୀ ଆଉ ରୁକ୍ଷ।
“ଏଗୁଡିକ ଦେଖିବାକୁ ଧଳା ହାତୀ ଭଳି”ଝିଅଟି କହିଲା।
“ମୁଁ କେବେ ଜୀବନରେ ଧଳା ହାତୀ ଦେଖିନାହିଁ।”ବିଅର୍ ଗ୍ଲାସ୍ ରେ ଓଠଛୁଆଁଉ ଛୁଆଁଉ କହିଲା ଲୋକ ଜଣକ।
“ନା,ତମେ ଦେଖି ପାରିବନି।”
” ଦେଖିତ ପାରିବି” ଲୋକଟି କହିଲା।”ତୁମେ ଦେଖିପାରିବନି ବୋଲି କହିଲେ ତ ଆଉ ହେବନାହିଁ।”
ଝିଅଟି ପର୍ଦାକୁ ଦେଖେ।”ଏଇ ପର୍ଦା ଉପରେ ଏମାନେ କ’ଣ କିଛି ଆଙ୍କିଛନ୍ତି।”ସେ କହିଲା।”ଏହାର ମାନେ କ’ଣ ?”
“ଆନିସ୍ ଦେଲ୍ ତରୋ, ଗୋଟିଏ ପ୍ରକାରର ଦେଶୀ ମଦ।”
“ଆମେ ଚାଖିଲେ ହୁଅନ୍ତା।ନା ,କ’ଣ କହୁଛ ?”
ଲୋକଟି ପର୍ଦାର ଏପଟୁ “ଟିକିଏ ଶୁଣିବ”ବୋଲି ଇଶାରା କରେ।ବାର୍ ଭିତରୁ ସେଇ ଆଗର ମହିଳାଜଣକ ବାହାରି ଆସେ।
“ଆଜ୍ଞା ?”
“ଦିଇଟା ଆନିସ୍ ଦେଲ୍ ତରୋ ଦେବ।”
“ପାଣି ମିଶାଇ ?”
“ତୁମେ କ’ଣ ପାଣି ସହ ନବ ?”
“ମୁଁ ଜାଣିନି “ଝିଅଟି କହିଲା।”ପାଣି ସହ ନା ନିଟ୍,କେଉଁଟା ଭଲ ?”
“ପାଣି ସହ ଦେବି ?” ପଚାରିଲା ମହିଳା ଜଣକ।
“ହଁ ,ପାଣି ସହ।”
“ଆରେ ଏହାର ଟେଷ୍ଟ ତ ଯଷ୍ଟିମଧୁ ପରିକା” ଗ୍ଲାସ୍ ଟା ଥଳକୁ ରଖୁରଖୁ କହିଲା ଝିଅ।
“ହଁ,ସବୁ ଏକାପରିକା ।”
“ହଁ “ଝିଅଟି କହିଲା,”ସବୁ ଯଷ୍ଟିମଧୁ ପରି ଲାଗେ।ବିଶେଷ କରି ତମେ ଯେଉଁ ଜିନିଷକୁ ଏତେ ଅପେକ୍ଷା କରି ଥିଲ,ଯେମିତି ଆବସିନ୍ଥେ।”
“ଓହ୍,ସେ କଥା ବାଦ୍ ଦିଅ।”
“ତମେ ଆରମ୍ଭ କରିଛ।”ଝିଅ କହିଲା।”ମୋତେ ତ ଭଲ ଲାଗୁଥିଲା। ଭଲରେ ସମୟ କଟୁଥିଲା।”
“ବେଶ୍ ,ଆଉଥରେ ଭଲ ସମୟ ବିତାଇବାର ଚେଷ୍ଟା କରାଯାଉ।”
“ଠିକ୍ ଅଛି।ମୁଁ ସେଇ ଚେଷ୍ଟାହିଁ କରୁଛି।ମୁଁ କହୁଥିଲି କି,ଏଇ ପାହାଡଗୁଡିକ ଦେଖିବାକୁ ଧଳା ହାତୀ ଭଳି। ଖୁବ୍ ଉଜ୍ଜଳ ନୁହଁ ?”
“ହଁ,ଭାରି ଉଜ୍ଜଳ।”
“ମୁଁ ଏଇ ନୂଆ ଡ୍ରିଙ୍କସ୍ ଟାକୁ ଚାଖି ଦେଖେ।ଆମେ ସେଇ କାମ ଖାଲି କରୁ,ଚାରିଆଡକୁ ଘୁରିଘୁରି ଦେଖୁ ଆଉ ନୂଆ ଡ୍ରିଙ୍କସ୍ ଟ୍ରାଇ କରୁ? ନୁହଁ ?”
“ମନେ ହୁଏ।”
ଝିଅଟି ମାଳମାଳ ପାହାଡକୁ ଦେଖୁଥାଏ।
“ଏଇ ପାହାଡଗୁଡିକ ଭାରି ଆଦରର।”ସେ କହେ।”ଏଗୁଡିକ ଅସଲରେ ଧଳାହାତୀ ପରି ଦିଶୁନି ? ଗଛ ଗହଳୀର ଫାଙ୍କରେ ମୁଁ ପାହାଡର ଦେହର ରଂଗ ଏମିତି ବୋଲି ଭାବୁଥିଲି।ଆଚ୍ଛା ଆଉ ଗୋଟାଏ ଡ୍ରିଙ୍କସ୍ ନବା ?”
“ହଉ”
ଦମକାଏ ଗରମ ପବନ ଆସି ପରଦାଟିକୁ ଉଡେଇନେବାକୁ ଚାହେଁ,ଟେବୁଲ୍ ଆଡକୁ ଘୁଞ୍ଚି ଆସେ ପରଦାଟି।
“ବିଅର୍ ଟା ବେଶ୍ ଭଲ।ଭଲ କିକ୍।” ଲୋକଟି କହେ।
“ଖୁବ୍ ଭଲ।” ଝିଅଟି କହିଲା।
“ଏଇଟି ଦେଖିବାକୁ ଗଲେ ଖୁବ୍ ସହଜ ଗୋଟେ ଅପରେସନ୍,ଜିଗ୍।”ଲୋକଟି କହେ।”ମାନେ ,ଏଇଟିକୁ କେହି ଅପରେସନ୍ ବୋଲି ମନେକରନ୍ତି ନାହିଁ।”
ଝିଅଟି ମୁଣ୍ଡ ତଳକୁ କରି ପାଦତଳକୁ ଦେଖୁଥାଏ।ଟେବୁଲ୍ ର ପାଦଗୁଡିକ ଯେଉଁଠି ମାଟିକୁ ଛୁଇଁଛି ସେଇଠେ ତାହାର ଦୃଷ୍ଟି ଏଇଲେ।
“ମୁଁ ଜାଣେ,ତମେ କିଛି ମନେକରିବନି ଜିଗ୍।ଏଇଟା ସେମିତି କିଛି ନୁହଁ।ତାଜା ହାୱା ଭର୍ତ୍ତି କରିଲା ଭଳି ସ୍ୱସ୍ତିଦାୟକ ବ୍ୟାପାର।”
ଝିଅ କିଛି କହୁନଥାଏ।
“ମୁଁ ତମ ସାଙ୍ଗରେ ଯିବି,ପୂରା ତମର ପାଖରେ ଥିବି,ତମର ଏକଦମ୍ ପାଖରେ।ସେମାନେ କେବଳ ପବନଟା ଇଞ୍ଜେକ୍ଟ କରିବେ,ତାହାପରେ ହିଁ ସବୁ ଏକଦମ୍ ସ୍ୱାଭାବିକ।ଆଗଭଳି।”
“ତାହାପରେ ଆମେ କ’ଣ କରିବା ?”
“ତାହାପରେ ଆମେ ଦିଜଣ ଭଲରେ ରହିବା।ଖୁବ୍ ଭଲ।ଆଗେ ଯେମିତି ଥିଲେ।”
“କାହିଁକି ଏପରି ତମର ମନେ ହେଉଛି ?”
“ଏଇ ଗୋଟିଏ କଥା ଆମକୁ ବିରକ୍ତ କରୁଛି।ଏଇ ଗୋଟିଏ ମାତ୍ର ଜିନିଷ ଆମର ସୁଖ ନେଇଯାଇଛି,ଜିଗ୍।”
ଝିଅଟି ପରଦା ଭିତର ଦେଇ ଆରପଟକୁ ଚାହେଁ,ହାତ ବଢାଇ ପରଦାର ଦୁଇଟି ସୂତା ଧରେ।
“ତୁମେ ଭାବୁଛ ,ଏହାପରେ ଆମେ ସ୍ୱାଭାବିକ ରହିବା।ସୁଖରେ ରହିବା।”
“ମୁଁ ଜାଣେ,ରହିବା।ତମର ଭୟ କରିବାର କିଛି ନାହିଁ।ମୁଁ ଏମିତି ଅନେକ କେଶ୍ ଜାଣେ ଯେଉଁମାନେ ଆଗରୁ ଏହା କରିଛନ୍ତି।”
“ସେଇଥିପାଇଁ ମୋତେ ତାହା କରିବାକୁ ହେଉଛି।”ଝିଅଟି କହିଲା।
“ଆଉ ସେମାନେ ସମସ୍ତେ କ’ଣ ସୁଖରେ ରହିଥିଲେ,ତାହାପରେ?”
“ଖୁବ୍।”ଲୋକଟି କହିଲା।”ତୁମ ଯଦି ନଚାହୁଁଛ ତେବେ ଥାଉ।ତମେ ଚାହୁଁନ ମାନେ ମୁଁ ବି ଚାହୁଁନି।କିନ୍ତୁ ମୁଁ ଭଲଭାବରେ ଜାଣେ,ଏଇଟା ଖୁବ୍ ସାଧାରଣ କଥା ଏବେ।”
“ଆଉ ତମେତ ଏଇଆ ଯେ ଚାହୁଁଛ?”
“ମୋର ମନେ ହେଉଛି,ଏଇଟା କରିନେବା ସବୁଠୁ ଭଲ ବୁଦ୍ଧିର କଥା।କିନ୍ତୁ ମୁଁ ତମର ଇଚ୍ଛାର ବିରୁଦ୍ଧରେ କିଛି କରିବାକୁ ଚାହେଁନା।”
“ଆଉ ମୁଁ ଯଦି ଏଇଟି କରେ ତାହାପରେ ସବୁ କ’ଣ ଆଗଭଳି ସ୍ୱାଭାବିକ ହୋଇଯିବ ? ତମେ ମତେ ଭଲପାଇବ ?”
“ମୁଁ ଏବେବି ତମକୁ ଭଲପାଏ।ତମେ ଜାଣ,ମୁଁ ତମକୁ ଭଲପାଏ।”
“ଜାଣେ।କିନ୍ତୁ ମୁଁ ଯଦି ଏଇଟା କରେ ଆଉ ସବୁ ସ୍ୱାଭାବିକ ହୋଇଗଲା ପରେ ଯଦି କହେ,କିଛି କିଛି ଜିନିଷ ଦେଖିବାକୁ ଧଳାହାତୀ ପରିକା,ତମେ କ’ଣ ତାହା ପସନ୍ଦ କରିବ ?”
“ଖୁବ୍ ପସନ୍ଦ କରିବି।ମୁଁ ଏବେ ବି ପସନ୍ଦ କରୁଛି,କିନ୍ତୁ ଏ ବିଷୟରେ ଅଧିକ କିଛି ଭାବୁନାହିଁ।ତମେ ଜାଣ ଦୁଶ୍ଚିନ୍ତା ଥିବା ବେଳେ ମୁଁ କେମିତି ହୋଇଯାଏ।”
“ମୁଁ ଯଦି ଏଇଟା କରେ ତେବେ ତମେ ଆଉ କେବେ ଦୁଃଶ୍ଚିନ୍ତା କରିବନି ?”
“ମୁଁ ଏଇ ବିଷୟରେ ଅନ୍ତତଃ ଦୁଶ୍ଚିନ୍ତା କରିବି ନାହିଁ,କାରଣ ଏଇଟା ଗୋଟାଏ ଅତି ସହଜ କାମ।”
“ଆଛା,ମୁଁ କରିବି।କାରଣ,ମୁଁ ମୋ ପାଇଁ କିଛି ପରବାୟ କରେନାହିଁ।”
“ବେଶ୍,କିନ୍ତୁ ମୁଁ ତମ ବିଷୟରେ ବେପରୁଆ ହୋଇପାରିବିନାହିଁ।”
“ହଁ,ମୁଁ ମୋ ପ୍ରତି ବେପରୁଆ।ଏବଂ ମୁଁ ଏଇଟା କରିନେବି,ତାହାପରେ କ’ଣ ସବୁ ଠିକଠାକ୍ ହୋଇଯିବ ?”
“ଏମିତି ଯଦି ଭାବୁଛ ,ତେବେ ମୁଁ ଚାହେଁ ନାହିଁ ତମେ ତାହା କର।”
ଝିଅଟି ଉଠି ଛିଡା ହୁଏ।ଷ୍ଟେସନ୍ ର ଆରପଟଯାଏଁ ଚାଲିଚାଲିଯାଏ ।ସେଇଠୁ ଟିକିଏ ଦୂରରେ ଆରପଟେ,ଏବ୍ରୋନଦୀର କୂଳ,ଗୋଟିଏ ସବୁଜ ପଡିଆ,ଗଛ।ତାହାଠୁ ଦୂରରେ ନଈ ଆରପଟେ ଏଇତ ଛିଡା ହୋଇଛି ମାଳମାଳ ପର୍ବତଗୁଡିକ।ମେଘର ଛାଇ ସବୁଜ ପଡିଆ ଉପରେ ଛାଇ ପକାଇ ଚାଲିଯାଉଛି ,ଆଉ ଝିଅଟି ଗଛପତ୍ରର ଫାଙ୍କରେ ଚାହିଁରହୁଛି ନଈଟିକୁ।
“ଏଇ ସବୁକିଛି ଆମର ହୋଇ ପାରନ୍ତା।”ସେ କହେ।”ସବୁକିଛି ଆମର ହୋଇ ପାରନ୍ତା।ଆମେ ଦିନ ପରେ ଦିନ ତାହାକୁ ଆହୁରି ଅସମ୍ଭବ ଆଡକୁ ଠେଲି ଦେଉଛୁ।”
“କ’ଣ କହିଲ ?”
“କହୁଥିଲି,ଏଇ ସବୁକିଛି ଆମର ହୋଇପାରନ୍ତା।”
“ଏବେବି ସବୁ ଆମର ହୋଇ ପାରିବ।”
“ନା,ହୋଇ ପାରିବ ନାହିଁ।”
“ପୂରା ପୃଥିବୀଟି ଆମର ହୋଇ ପାରିବ।”
“ନା,ନୁହଁ।”
“ଆମେ ଚାହିଁଲେ ଯେ କୌଣସି ଜାଗାକୁ ଯାଇ ପାରିବା।”
“ନା,ଆମେ ପାରିବା ନାହିଁ।ଏବେ ଏ ପୃଥିବୀ ଆମର ହୋଇ ଆଉ ନାହିଁ।”
“ଏଇଟି ଆମର।”
“ନା,ଆମର ନୁହଁ।ଥରେ ଯଦି ମଣିଷ ଏଇଟିକୁ ନେଇ ଯାଏ ତାହା ଆଉ ଫେରସ୍ତ ମିଳିବନି।”
“କିନ୍ତୁ ସେମାନେ ତ ଏଯାଏଁ ଏହା ନେଇନାହାଁନ୍ତି।”
“ବେଶ୍ ,ଅପେକ୍ଷା କରି ଦେଖାଯାଉ ନେଉଛନ୍ତି କି ନାହିଁ।”
“ଆସ ,ଛାଇତଳକୁ ଆସ “ଲୋକଟି କହିଲା।”ତୁମେ ଏମିତି ଜମାରୁ ଭାବିବନି।”
“ମୁଁ କିଛି ଭାବୁନାହିଁ।”
“ମୁଁ କେବଳ ଘଟଣାଗୁଡିକ ଜାଣେ।”
“ମୁଁ ଚାହେଁନାହିଁ ତୁମେ ଏମିତି କିଛି କର ଯାହା ତୁମେ ନିଜଆଡୁ କରିବାକୁ ଚାହୁଁନାହଁ।”
“ମୋ ପାଇଁ ତାହା ତ ଖରାପ କିଛି ନୁହଁ।” ସେ କହିଲା।
“ମୁଁ ଜାଣେ ।ଆଚ୍ଛା ,ଆଉ ଗ୍ଲାସ୍ ଟେ ବିଅର୍ ହବ ?”
“ହଉ।କିନ୍ତୁ ତମକୁ ନିଜ ଭିତରୁ ଉପଲବ୍ଧି କରିବାକୁ ହେବ-“
“ମୁଁ ବୁଝିଛି”ଝିଅଟି କହିଲା।”ଆମେ କ’ଣ କିଛି ସମୟପାଇଁ ଚୁପ୍ ହୋଇ ରହିପାରିବା ନାହିଁ ?”
ସେମାନେ ଦିଜଣ ପୁଣି ଆସି ସେଇ ଟେବୁଲ୍ ରେ ବସିଲେ।ଝିଅଟି ପୁଣି ଏଇ ଦୂରର ଧାଡି ଧାଡି ପାହାଡ ଆଡକୁ ଚାହୁଁଥିଲା,ଯେଉଁ ପଟର ଉପତ୍ୟକା ଥିଲା ଖୁବ୍ ଶୁଷ୍କ।ଲୋକଟି ଥରେ ତା’ଆଡକୁ ତ ଥରେ ଟେବୁଲକୁ ଚାହୁଁଥିଲା।
“ତମକୁ ଭଲଭାବରେ ଉପଲବ୍ଧି କରିବାକୁ ହେବ “ସେ କହିଲା।”ଯେ ମୁଁ ଏଇଟି ଚାହୁଁନାହିଁ ,ଯଦି ତମେ ନଚାହଁ।”
ଆଉ ତମ ପାଖରେ ଯଦି ଏହା ଅଲଗାକିଛି ବୋଲି ମନେ ନହୁଏ ତେବେ ମୁଁ ଏଇ କଥାକୁ ମାନି ନେବାକୁ ଚାହିଁବି।”
“ତମ ପାଖରେ ଏହା କ’ଣ ଅଲଗା କିଛି ବୋଲି ମନେ ହେଉନାହିଁ ? ଯାହା ଆମେ ଏକାଠି ମାନିନେଇ ପାରିବା।”
“ଅବଶ୍ୟ ପାରିବା।କିନ୍ତୁ ମୁଁ ତମ ଛଡା ଆଉ କାହାକୁ ଚାହେଁନାହିଁ ଆପାତତଃ। ଆଉ କେହି ନୁହଁ।ଏବଂ ମୁଁ ଜାଣେ ତାହା କେତେ ସହଜ।”
“ହଁ ତମେ ଜାଣ ତାହା କେତେ ସହଜ।”
“ତମପାଇଁ କହିବାଟା ଠିକ୍,କିନ୍ତୁ ମୁଁ ଅସଲରେ ହିଁ ଜାଣେ।”
“ତମେ ମୋପାଇଁ ଗୋଟିଏ କାମ କରି ଦବ ?”
“ତମପାଇଁ ସବୁ କିଛି କରି ପାରିବି।”
“ତମେ କ’ଣ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଚୁପ୍ ରହିପାରିବ କିଛି ସମୟ ?”
ଲୋକଟି କିଛି କହିଲା ନାହିଁ।ଷ୍ଟେସନର କାନ୍ଥକୁ ଲାଗି ରଖାହୋଇଥିବା ନିଜର ବ୍ୟାଗପତ୍ର ଆଡକୁ ଚାହିଁ ରହିଥାଏ ସେ।
ବ୍ୟାଗଗୁଡିକରେ ଅନେକ ଷ୍ଟିକର୍ ଲାଗିଛି ସେଇସବୁ ହୋଟେଲ୍ ର ,ଯେଉଁଠି ସେମାନେ ରାତିମାନ ରହିଛନ୍ତି ଆଗରୁ।
“କିନ୍ତୁ ମୁଁ ଚାହେଁନା,ତମେ-“ଲୋକଟି କହିଲା।”ମୁଁ ଏକଥାକୁ ଜମା ଖାତିର କରିନାହିଁ।”
“ମୁଁ ପାଟିକରି କାନ୍ଦିବି”ଝିଅଟି କହିଲା।
ଦିଗ୍ଲାସ୍ ବିଅର୍ ନେଇକି ଆସିଲା ବାର୍ ର ସ୍ତ୍ରୀଲୋକ ଜଣକ,ଟେବୁଲ୍ ଉପରେ ଥିବା ସନ୍ତସନ୍ତିଆ ଫେଲ୍ଟପ୍ୟାଡ୍ ଉପରେ ରଖିଲା।
“ଟ୍ରେନ୍ ଏଇ ପାଞ୍ଚ ମିନିଟ୍ ଭିତରେ ଆସିଯିବ।”କହିଲା ସେହି ମହିଳାଟି।
“କ’ଣ କହିଲା ସେ ?”ଝିଅ ପଚାରେ।
“କହିଲା,ଟ୍ରେନ୍ ଆଉ ପାଞ୍ଚ ମିନିଟ୍ ଭିତରେ ଆସିଯିବ।”
ଝିଅଟି ବାର୍ ର ସେହି ସ୍ତ୍ରୀଲୋକଟିର ଆଡକୁ ଚାହିଁ ଏକ ଉଜ୍ଜଳ ହସରେ ଧନ୍ୟବାଦ ଦେଲା।
“ମୁଁ ବରଂ ବ୍ୟାଗଗୁଡିକ ଷ୍ଟେସନର ଆରପଟେ ରଖିଦେଇ ଆସେ।ସୁବିଧା ହବ।” ଲୋକଟି କହେ।ଝିଅଟି ତାହା ଆଡକୁ ଚାହିଁ ଟିକିଏ ହସେ।
“ଠିକ୍ ଅଛି।ରଖିକି ଆସ।ଆସିଲେ ଏକାସାଙ୍ଗରେ ବିଅର୍ ଶେଷ କରାଯାଇପାରିବ।”
ଲୋକଟି ଦୁଇଟି ଭାରି ଓଜନିଆ ବ୍ୟାଗ ସହ ରେଳଲାଇନ୍ ପାର ହୋଇ ଷ୍ଟେସନର ଆରପଟକୁ ଯାଏ।ଲାଇନରେ ଠିଆହୋଇ ଦୂରକୁ ଦେଖେ,କିନ୍ତୁ କୌଣସି ଟ୍ରେନ୍ ର ଦେଖା ମିଳେ ନାହିଁ।ବାର୍ ନିକଟକୁ ଫେରି ଆସି ଯେଉଁଠି ଲୋକମାନେ ଟ୍ରେନ୍ କୁ ଅପେକ୍ଷା କରୁକରୁ ଏବେ ଡ୍ରିଙ୍କ୍ କରୁଛନ୍ତି ସେତେବେଳେ।ସେ ବାର୍ ରୁ ଗୋଟାଏ ଆନିସ୍ ମଗାଇ ପିଇଲା ଆଉ ଚାହିଁଲା ସେଇଠେ ବସିଥିବା ଲୋକମାନଙ୍କୁ।ସେହି ଲୋକମାନେ ସବୁ ଟ୍ରେନ୍ ରେ ଯିବାପାଇଁ ଅପେକ୍ଷା କରି ବସିଛନ୍ତି।ତାହାପରେ ପର୍ଦା ଦେଇ ସେ ନିଜ ଟେବୁଲ୍ ଆଡକୁ ଆଗେଇ ଯାଏ।ଝିଅଟି ସେହି ଟେବୁଲ୍ ରେ ବସିଛି।ଦେଖିଲା ମାତ୍ରକେ ହସିଦିଏ।
“ଏବେ ଭଲ ଲାଗୁଛି ?”ସେ ପଚାରେ।
“ହଁ ଖୁବ୍ ଭଲ।”ଝିଅଟି କହେ।”ମୋର କିଛି ଅସୁବିଧା ନାହିଁ।ଭଲ ଲାଗୁଛି।”
•••••
ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ ଙ୍କ ବିଶ୍ୱ ବିଖ୍ୟାତ କାହାଣୀ “ହିଲସ୍ ଆର୍ ଲାଇକ୍ ହ୍ୱାଇଟ୍ ଏଲିଫାଣ୍ଟ “ର ଏହା ଏକ ଅନୁସୃଜନ। ପୃଥିବୀ ରେ ଗଳ୍ପକଳାର ଶିକ୍ଷାଦାନ କାର୍ଯ୍ୟକ୍ରମରେ ଏଇ ଗଳ୍ପଟିକୁ ଏକ ବିଶେଷ ଉପକରଣ ହିସାବରେ ଅନୁଶୀଳନ କରାଯାଇଥାଏ।
ହେମିଙ୍ଗଓୟେଙ୍କ କାହାଣୀକୁ “ଆଇସବର୍ଗ ଥିଓରୀ”ର ଗୋଟିଏ ଗୋଟିଏ ପ୍ରକୃଷ୍ଟ ଉଦାହାରଣ ବୋଲି ଗ୍ରହଣ କରାଯାଇଥାଏ।ଯେମିତି ଗୋଟିଏ ଆଇସବର୍ଗର ଅଗ୍ରଭାଗଟିକୁ ଆମେ ଦେଖିଥାଉ ଆଉ ଆମେ କେବଳ ସେହି ଦୃଶ୍ୟମାନ ଆଇସବର୍ଗର ଅଗ୍ରଭାଗରେ ସଂତୁଷ୍ଟ ହୋଇ ରହି ନଥାଉ ।ଆମେ ତାହାର ପଛରେ ଲୁଚିଥିବା ବିଶାଳତାର କାଳ୍ପନିକ ଅବସ୍ଥା ସହ ବି ରହିଥାଉ।ଅତି ସରଳରେ କହିଲେ ହେମିଙ୍ଗଓୟେ ଙ୍କ କାହାଣୀ ଯେତିକି କହେ ତାହାଠାରୁ ଅଧିକ ଦେଖାଏ।ସେଇଥି ପାଇଁ ହେମିଙ୍ଗଓୟେ ଙ୍କର କାହାଣୀର ସରଳ ସୂତ୍ରଟି ତାଙ୍କର ଭାଷାରେ ମାତ୍ର ଦୁଇଟି ଶବ୍ଦରେ,”କୁହନାହିଁ,ଦେଖାଅ।”
ଦୁଇଟି ଧାଡି ମଝିରେ ଏକ ବିଚିତ୍ର ଶୂନ୍ୟସ୍ଥାନ ପ୍ରସ୍ତୁତ କରିବା ଆଉ ସେଇ ଶୂନ୍ୟସ୍ଥାନକୁ ପାଠକ ମୋହିତ ହୋଇ ଆସିବା ଆଉ ପାଠକ ସେଇଠେ ନିଜର ବିଚାରର ପଟ୍ଟଚିତ୍ରର ସ୍ୱତଃସ୍ଫୃର୍ତ୍ତ ଚିତ୍ରାଙ୍କନ କରିବା ଏକ ସଫଳ କାହାଣୀକାର ର ପରିଚୟ।ଯାହାକୁ ସରଳରେ କୁହାଯିବ ଇଂରେଜୀରେ,ରିଡିଙ୍ଗ୍ ବିଟୱିନ୍ ଦି ଲାଇନସ୍।ଯଦି କିଏ ପାଠକ କାଳେ ମୁଁ ଏମିତି ଲେଖିଲେ ବୁଝିପାରିବନାହିଁ ବୋଲି କହୁଥାଏ ତାହାହେଲେ ତାହାର ନିଜର ବୈଚାରିକ ଦୃଢତାରେ ଅନେକ ପ୍ରଶ୍ନ ଚିହ୍ନ ରହିଛି।ପାଠକ ଢେର୍ ବୁଝନ୍ତି ଆଉ ବୁଝିବା ପାଇଁ ସେମାନେ ମୁକ୍ତ ଆଉ ଆରପଟେ ଲେଖକଟି ନିଜଲେଖାରେ ଏକ ପିଞ୍ଜରାବଦ୍ଧ ବାଘ।ଯାହାର ହେଣ୍ଟାଳ ଟିଏ ଥାଏ ନିଜର ପରିଚିତି ପାଇଁ।
ହେମିଙ୍ଗଓୟେ ଙ୍କ ଏହି ଗପଟିରେ ଦୁଇଟି ଅସମ ବୟସର ଚରିତ୍ର କ’ଣ ଗୋଟିଏ ଘଟଣା ଉପରେ ଚର୍ଚ୍ଚା କରୁଛନ୍ତି ଟ୍ରେନ୍ କୁ ଅପେକ୍ଷା କରି ରହିବା ବେଳେ,ମଦ୍ୟପାନ କରୁକରୁ।
ଯେଉଁ ଘଟଣା ସଂପର୍କରେ ସେମାନେ ଚର୍ଚ୍ଚା କରୁଛନ୍ତି ସେଥିପ୍ରତି ଦୁଇଜଣଙ୍କର ଦୃଷ୍ଟିଭଂଗୀ ଭିନ୍ନଭିନ୍ନ ।ଝିଅଟି ଟିକିଏ ଡରିଯାଇଛି।ତାହାର କ୍ରୋଧ,ଏବଂ ଘଟଣାଟିକୁ ସହିନେବାର ବାଧ୍ୟବାଧକତା କୁ ପ୍ରକାଶ କରିଛି। ଅନ୍ୟପକ୍ଷରେ ଲୋକଟି ଯେମିତି ଏଇ ଘଟଣାକୁ ଅତି ସହଜ ସରଳ ଭାବରେ ଘଟିଯାଉ ବୋଲି ଏକ ପ୍ରକାରେ ଉତ୍ସାହିତ କରୁଛି ଝିଅଟିକୁ।ଏଇ ଘଟଣାଟି ଘଟିଗଲେ ସେମାନଙ୍କର ସଂପର୍କ ସବୁ ଆଗଭଳି ସ୍ୱାଭାବିକ ଓ ସୁନ୍ଦର ହୋଇପାରିବ ବୋଲି କିଞ୍ଚିତ ପାପବୋଧର ଭାଷାରେ କଥା କହୁଛି ଲୋକଟି।
ଗୋଟିଏ ଅଧିକ ବୟସର ଲୋକ ଆଉ ଗୋଟିଏ କମ୍ ବୟସର ଝିଅ,ଏଇ ଦୁଇଟି ଚରିତ୍ରର କଥାବାର୍ତ୍ତା ହିଁ ଏହି ହେମିଙ୍ଗଓୟେ କାହାଣୀର ସ୍ଥାପତ୍ୟ। ସେହି ଦୁଇ ଚରିତ୍ରଙ୍କର ମାଦ୍ରିଦ୍ ଯାତ୍ରା ପୂର୍ବର ଏଇ କାହାଣୀ।ମାଦ୍ରିଦ୍ ରେ ସେମାନେ କଥାବାର୍ତ୍ତା କରୁଥିବା ଘଟଣାଟି ହୁଏତ ଘଟିପାରେ।ଘଟଣା ଟି କ’ଣ ସେଇ ଗୋଟିଏ ଶବ୍ଦକୁ ଉହାଡରେ ରଖି ପାପା ଏଇ କାହାଣୀଟି ନିର୍ମାଣ କରିଛନ୍ତି।ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ ସାହିତ୍ୟ ଜଗତରେ “ପାପା”ନାମରେ ପରିଚିତ।
ଯଦି ସେ ସେହି ଘଟଣାର ବର୍ଣ୍ଣନା ବା ସେଇ ଘଟଣାକୁ ଚିହ୍ନିତ କରିବା ଶବ୍ଦଟିର ପ୍ରୟୋଗ କରିଥାନ୍ତେ ତେବେ ଏହି କାହାଣୀଟି ସେହିଭଳି ବିଶ୍ୱ ମାନ୍ୟତା ପାଇ ନଥାନ୍ତା ବୋଲି ଅନେକ ସମାଲୋଚକଙ୍କ ବିଚାର।
ପ୍ରତି କାହାଣୀକାର ହେଉଛି ଜଣେ ଯାଦୁକର ଯିଏ ଜାଣେ କାହାଣୀର ଯାଦୁବିଦ୍ୟାଟି ଦେଖାଇବାକୁ ହେଲେ ଦର୍ଶକକୁ କେତିକି ଦେଖାଇବାକୁ ପଡିବ ଆଉ କେତିକି ରଖିବାକୁ ହେବ ଅଂଧାରରେ।
ଉହାଡରେ ଥିବା ଘଟଣାର ପରିଚିତ ଶବ୍ଦଟି ହେଉଛି,ଗର୍ଭପାତ।
•••••