” ରଙ୍ଗିଲା ଅଟୋ ବାଲା ” ତାକୁ ନେଇ ମୋ ମନ ମନକୁ ମିଠା ଲାଗିଲା ପରି ନାଁଟେ ମୁଁ ତାର ଦେଲି ମୋ ଭବନା ଖିଅରେ ଡେଣା ଖଞ୍ଜି ।ଦିଲ୍ ଖୁସ୍ ପିଲାଟି । ପକ୍କା ଦିଲଦାର୍ । ସପ୍ତରଙ୍ଗୀ ଇନ୍ଦ୍ରଧନୁଶିଆ ରଙ୍ଗର ଝାଲର ସବୁଆଡେ ଝଲସୁଥାଏ …. ଅଟୋ ଚାରିପଟ । ଅଟୋ ସାରା ଦର୍ପଣ କାମର ହାସ୍ତଶିଳ୍ପ । ଭିତର ପଟୁଆ ଅଟୋ ଉପର ଛାତରେ ହରେକ ରଙ୍ଗର ଲିଚୁ ମାଳ ଧପଧପ କରୁଥାଏ । ଅଳ୍ପ ବୟସର କିଶୋରଟିଏ ରଙ୍ଗିଲା ଆମର । ତା ନିଜ ଧୁନ୍ ରେ ମସ୍ତ ।ଆଗପଛ ହେଇ ଆମେ ଖଞ୍ଜି ଖାଞ୍ଜି ହେଇ ବସିପଡିଲୁ ।ଗାଡି ଗଡିଚାଲିଲା । ହସିଦଉଥାଏ ସିଏ ତାର ମଝିରେ ମଝିରେ ଆଖି ରେ ଚମକ ଆଉ ଓଠରେ କାହାକୁ ମନେ ପକେଇ ।
ରାସ୍ତା …. ଏକ ଅସରନ୍ତି ସ୍ବପ୍ନ …. ଏ ଆମନ୍ତ୍ରଣ … ଏକ ଆକର୍ଷଣ । ରାସ୍ତା ସିଏ ଖାଲି ଆଗକୁ ବଢିବା ଶିଖାଏ । ରାସ୍ତା ଆମକୁ କହେ ,” ଦେଖ ମତେ ମୁଁ ଥକି ଯାଏନି, ସରିଯାଏନି, ହାରିଯାଏନି । ସେଇ ମୋର ଜିତ୍ ।
ଦେଖ ଯୋଉଠି ବାଟ ନାହିଁ, ଯୋଉଠି ପୃଥିବୀ ର ଶେଷ ସେଠୁ ବି ମୁଁ ଗାରେଇଦିଏ ମୋ ସ୍ବତନ୍ତ୍ର ହସ୍ତାକ୍ଷର । ସେଠି ବି ମୁଁ ତୋଳିଦିଏ ଆଶା । କୋଉ ଅପନ୍ତରା ସରା ଅସରା ପରେ ଯେତେବେଳେ ତୋ ପାଦ ଅଟକି ଯାଏ । ମତେ ଖୋଜେ ତୋ ଆଖି …. ତୁ ଲକ୍ଷ୍ୟ କର ମୁଁ ସେଇଠି ଥାଏ ପାଦଚଲା ବାଟଟିଏ ହୋଇ ପୃଥିବୀ ର ଛାତିରେ । ମୁଁ ହାରିବାକୁ ଦିଏନି ।ଚାଲ ମୋ ସହ । ଧରେ ମୋ ହାତ । ଭରସା କର । ତତେ ତୁ ବାଟ ନିଶ୍ଚିତ ମିଳିବ । ମୁଁ ରାସ୍ତା । ମୋର ସାକ୍ଷର ସବୁଠି ।
ରାସ୍ତା ସାରା ଏଠି ସେଠି ଅନାବନା ବୁଦୁବୁଦୁକିଆ କଣ୍ଟା ଝଟା ର ଅନୁଚ୍ଚ ଜଙ୍ଗଲ । ବାଲି ର ପିଠି ଉପରେ ଲେସା ଲେସା ସବୁଜ ବଣ । ବବୁଲ ଗଛ, ଚିନାବାଦାମ, ପିସ୍ତା ବାଦାମ ପରି ଦିଶୁଥିବା କିଛି ଗଛ । କିଏ କଣ ଚିହ୍ନିଦେଇପାରେ ସାରା ପୃଥିବୀର ସବୁ ଗଛ ଜୀବ ଙ୍କୁ । ଈଶ୍ବର ତ ପ୍ରତି ମୂହୁର୍ତ୍ତ ରେ ତିଆରୁଛନ୍ତି ନୂଆ ଜୀବ । ଲଗାତାର ନୂଆପଣକୁ ଶିଖିବା ଜାଣିବାର ଆୟୁଷ, ଆଗ୍ରହ କେତେ ଜଣଙ୍କ ପାଖରେ ଯେ । ରାସ୍ତା ସାରା ମୟୁର ଦଳ । ନିର୍ଭୟ, ବେଧଡକ୍ । ରାସ୍ତା ତାର ସମୟ ସହ ଚାଲୁଥାଏ ।
ରଙ୍ଗିଲା ଆମର ଗୁଣୁଗୁଣୁ କରି ଗାଉଥାଏ ” ରଙ୍ଗିଲା ଭାରୋ ଢୋଲଣା ଢୋଲଣା ” ସ୍ବରରେ କିଛି ଆଞ୍ଚଳିକ ଗୀତ । ମୋର ଗୀତ ଭାରି ପ୍ରିୟ । ମୋର ମନ ହେଉଥାଏ ଶୁଣନ୍ତି, ଶିଖନ୍ତି ଗୀତ ଟି । ସିଏ କିନ୍ତୁ ମସ୍ତ ନିଜ ବଳୟରେ । ମୁଗ୍ଧ ଦିଶୁଥାଏ ତାର ମୁହଁ । ରାସ୍ତା ରେ ଉଚ୍ଚ ନୀଚ, ଖାଲ ଢିପ, ସବୁ ବହୁତ କମ ଥାଏ । ପିଛ୍ଛଳ ପିଚୁ ଲମ୍ବ ରାସ୍ତା ଏକଲୟରେ କେଉଁ ଆଡକୁ ଗୋଟିଏ ଲମ୍ବିଥାନ୍ତି ଯେ ଲମ୍ବିଥାନ୍ତି । ସିଏ ତାର ଏ ସବୁ ସହ ତାଳ ଦେଇ ଗାଇଚାଲିଥାଏ ତାର ମନହରା ଗୀତ । ମଝିରେ ମଝିରେ ତା ଆଖି ର ଉଜ୍ବଳତା ବଢିଯାଉଥାଏ ତ ଯାହା ସ୍ମୃତି କୁ ଧରିରଖି, କଳ୍ପନାରେ ଆଣି ସିଏ ପୁଲକିତ ହେଉଥାଏ ତାର ରଙ୍ଗ ରଙ୍ଗିଲାର ଓଠକୁ ଛୁଇଁ ଦେଉଥାଏ ଗୀତର ସ୍ବର ସହ ।ଲାଜୁଆ ଲାଜୁଆ ଚେହେରା ର ଆଦ୍ଯ ରଙ୍ଗ ଚଢିଆସୁଥାଏ ସୁନେଲି ହେଇ ତା’ ମୁହଁ ସାରା । ସୁନ୍ଦର ଦିଶୁଥାଏ। ମୋର ଇଛ୍ଛା ଥାଏ ସେ ଗୀତଟି କଣ ଶିଖିବାକୁ ଆଉ ବୁଝିବାକୁ । ହେଲେ ପଚାରିପାରୁ ନଥାଏ ।
ମତେ ବି ଗୀତ ବୁଣିବାର ଇଛ୍ଛା ଘାରିଲା । ମୁଁ ସାଇଁ ସାଇଁ ପବନ ସହ ତାଳ ଦେଇ ସୁର ଗଢିଲି । ମୁଁ ଏମିତି ଗାଏ । ଯୋଉଠି ଗାଇବାର ଇଛ୍ଛା ତିଆରି ହୁଏ ,ସେଇଠି ହି ଗଢିଦିଏ ଗୀତ, ସୁର, ତାଳ ,ଲୟ ….. ମନ ତାର ସହ ସମାନ୍ତରାଳରେ ଛନ୍ଦି । ଅଭ୍ଯନ୍ତରିଣ ଅନୁରାଗ ଭରା ଅନୁରଣନ କୁ ଛୁଇଁ ଛୁଇଁ ଭାବଭରା ଶବ୍ଦ ମାନେ ଧରା ଦିଅନ୍ତି ଯେମିତି ଲୁଚିଯାନ୍ତି ବି ସେମିତି । ମିଳେଇଯାନ୍ତି ମନକୁ ଗୋଟେ ଖୁସି ଦେଇ । ଶହେ ଥର ଭାବେ ,” ଆହାଃ କେତେ ସୁନ୍ଦର ତିଆରିହେଇଛ ରେ ତୁମେ ମାନେ ! ରୁହ ଟିକେ ମୋ ସହ ନା ,ବାସ୍ ଟିକେ ।ଏଇ ଆଣି ଆସେ କାଗଜ,କଲମ ଟିଏ । ଟିପିଦେଇ ସବଦିନକୁ ଜୀବନ୍ତ କରିଦେବି ତୁମକୁ ” ।
ଶବ୍ଦ ମାନେ ହସୁଥାନ୍ତି ମୋ ଆସ୍ପର୍ଧା ଦେଖି । ଦୟାଶୀଳ ଆଖି ରେ ମତେ ଥରୁଟେ ଚାହିଁ ହଜିଯାନ୍ତି । କହିଯାନ୍ତି, ” ଆମର ମନ ଯେତେବେଳେ ଆମେ ସେତେବେଳେ ହି ଧରାଦେଉ ତୁମ କଲମରେ । ସେଇଟି ସଂପୂର୍ଣ୍ଣ ଆମ ଇଛ୍ଛା । ଅପେକ୍ଷା ତ କର ……. ” ।
ରାସ୍ତା ଚାଲିଥାଏ । ମଝିରେ ମଝିରେ ଗୋଟିକିଆ ଢାବା, ଛୋଟକାଟିଆ ଜଳଖିଆ ଦୋକାନ,ମଧ୍ୟମ ଧରଣର ଟିଣ,ଆଜବେଷ୍ଟସ ଦୋକାନ ଗୋଟେ ଗୋଟେ ଦିଶୁଥାଏ, ଯାହାର ଆଗରେ ବିସଲେରି କି କିନଲେ କିନଲେ ବୋଲତରେ କମଳା ଗାଡିତେଲ ଭରା ହୋଇ ରଖାଯାଇଥାଏ ଧାଡି କି ଧାଡି । ଏମିତି ନିଛାଟିଆ ରେ ଏକୁଟିଆ ଦୋକାନ ଦେଖିଲେ ମୋ ମୁଣ୍ଡ କୁ କେତେ ବିଚିତ୍ର କଥା ଢୁକେ, ତହିଁ ମଧ୍ୟ ରୁ ଗୋଟିଏ ଏହି କି ଯେ ଏମାନେ ପ୍ରତିଦିନ ପୋଡିପୋଟଳି, ହାଣ୍ଡି,କଡେଇ ,ଡେକଚି ଧରି ,ବେପାରର ଆବଶ୍ୟକତା ଅନୁସାରେ ଯାହା ଯେତିକି ଦରକାର ସବୁ ଧରି ଏତେ ବାଟ ଏ ଅପନ୍ତରାକୁ ଆସନ୍ତି ପୁଣି ସଂଜ ଗଢିଲେ ଫେରିଯାନ୍ତି । ତା ପରଦିନ ସୂର୍ଯ୍ୟ ଉଇଁବା ସହ ସେଇ ସମାନ ଏକ ପଥ ଅତିକ୍ରାନ୍ତ କରିବାର ନିଷ୍ଠା । ଥକିପଡନ୍ତି କି ଏମାନେ ବି ?ଗପ ସବୁକୁ ଧରି ରଖନ୍ତି କି ଏମାନେ ସବୁ ? ନା ଓହ୍ଲାଇ ଫିଙ୍ଗିଦିଅନ୍ତି ବାସିମୋଜା ପରି ସଫାବାଲଟିରେ ? ଧର କେତେବେଳେ ସରିଯିବ କିଛି ମାନେ ଗୁଡେ କିଲୋମିଟର ଅତିକ୍ରାନ୍ତ କଲେ ଯାଇ କିଛି ଦିଶିବାର ସମ୍ଭାବନା ।
ରଙ୍ଗିଲା ଆମର ଝୁମା ଝୁମା ଧୁନ୍ ରେ ଥାଏ । ମତେ ତାକୁ ଦେଖିଲେ ଖୁସି ଲାଗୁଥାଏ । ସିଏ ମତେ ଆଶ୍ଚର୍ଯ୍ୟ କରି ପଚାରିଲା, ” ଗାଣା ବଜାଉ ଦିଦି ” ମୋ ମନ କଥା କେମିତି ମାପିଦେଲା ଇଏ । ହେଇପାରେ ପ୍ରକୃତରେ ମନ ସବୁର ଶକ୍ତିଶାଳୀ ତରଙ୍ଗ ଗୋଟିଏ ମନରୁ ଆଉ ଗୋଟିଏ ମନକୁ ନିର୍ଦ୍ବନ୍ଦେ ଆତଯାତ କରୁଥାନ୍ତି । ସେଥିଲାଗି ତ, ମୁଁ ଖାଲି ମନ ସହ ହସିଦେଲି ଟିକେ ଆଉ ସିଏ ବୁଝିଗଲା ।
ଏବେ ପବନ ସହ ଗୁଜୁରାତି ଲୋକଗୀତରୁ ଗୋଟିଏ ସୁର ଭାସିଆସୁଥାଏ କୁନି ଟେପରେକର୍ଡର୍ ଯନ୍ତ୍ର ରୁ ।” ପଧାରୋ ମେରେ ଦେଶ୍…… ” ଏମିତି କିଛି ଆଞ୍ଚଳିକ ସଂଗୀତ ଓ ଯନ୍ତ୍ରପାତି ସହ ।
ମୋର ଗୀତ ପ୍ରିୟ । ଲାଗେ ରାସ୍ତା ଜଣାପଡେନି । ହେଲେ ଗୁରୁଜନ ମାନେ ଥିବାରୁ ଟିକେ ଦୋ ଦୋ ପାଞ୍ଚ ରେ ରହୁଥାଏ ।କାଳେ କିଛି …..
ରଙ୍ଗିଲା ଆମର ମଝିରେ ମଝିରେ ପିଲେ ବ୍ଯସ୍ତ ହବା ଦେଖି ବଡ ଭାଇ ଟେ ପରି କହୁଥାଏ, ” ଏ ଥୋଡା ଦୂର ହେ ଭାୟା । ବସ୍ ଅବ ଅର୍ ଥୋଡା ।
ହମ ତୋ ରୋଜ ଦୁଇଚାର୍ ବାର୍ ଆତେ ଯାତେ ରେହେତେ ହେଁ ।”
” ରୋଜ୍ ।ଚାର୍ ବାର୍ ।? ” ମୋର ଆଶ୍ଚର୍ଯ୍ୟ ମିଶା କୌତୁହଳ କୁ ସିଏ ହାଲୁକା ମଜାଳିଆ ଢଙ୍ଗରେ ତୁଟେଇଲା ମନଖୋଲା ରଜାହସଟେ ସହ ….
” ପାପୀପେଟକା ସବାଲ ହେ ….ଦିଦି ।”
ଏତେ ବଡ ଖୋଲାମେଲା ବାଟରେ ତା ହସ ଆଉ ଗାଡି ଉଡିବାର ସାଏଁ ଶବ୍ଦ ଏକ ମାୟାବୀ ପ୍ରହେଳିକାମୟ ଅସ୍ଥିରତା ସୃଷ୍ଟି କରୁଥିଲା ଆମେ ଯାହା ଅଳ୍ପ ଖୁପୁରୁ ଖାପୁରୁ ହଉଥିଲୁ, ପଛ ସିଟ୍ ରେ ମୋ ଶାଶୁ ଶଶୁର, ଇୟେ ଆଉ ପିଲେ ପାଖାପାଖି ଘୁମନ୍ତ ଅବସ୍ଥା ରେ ଝୁଲନ୍ତ ଅଟୋ ର ମଜା ନେଇ ନେଇ । ମୁଁ ଆଉ ମୋ ବାପା ତ ପ୍ରିୟ ବନ୍ଧୁ । ଆମେ ତ ନିଜ ନିଜକୁ ଖାଲି ଚାହିଁବାରୁ ହି ବୁଝିପାରୁ କଣ କହିବାକୁ ମନ ଚାହୁଁଛି । ଆମେ ଦିହେଁ ଆଗ ସିଟ୍ ରେ ବସିଥାଉ । ବାପା ତାଙ୍କର ଚାରି ପାଞ୍ଚ ବର୍ଷ ର କୁନି ଝିଅ କୁ ଦେଖେଇଲା ପରି ବାଟସାରା ମତେ କେତେ କଣ ଦେଖେଇ ଦେଖେଇ ନେଉଥାନ୍ତି ।
ଗୋଟେ ମୋଡଣୀ ପାଖରେ ଛାଇଛାଇଆ ଓ ଥଣ୍ଡା ଲାଗିଲା ପବନ । ହଠାତ୍ ଡହଡହ ଗରମ ମଝିରୁ ଏ ମିଠା ତରଳ ଅନୁଭବ ରେ ମୁଁ ଭିଜୁ ହି ଥିଲି ମନେ ମନେ କି ରଙ୍ଗିଲା ଆମର କହିଲା ,” ଏଇଟି ଅଛି ଗୋପୀ ପୋଖରୀ ” ଏଠିକାର ମାଟିକୁ କହୁ ଆମେ ଗୋପୀ ଚନ୍ଦନ । ଏଇଠି ଶେଷଥର ପାଇଁ ରାସଲୀଳା ହେଇଥିଲା । ତାର ପ୍ରାଣର ମନ ମୋହନ, ଚିତ୍ତ ଚୋରକୁ ଦେଖିବାକୁ କାହିଁ କେତେ ପଥ ଅତିକ୍ରମି ଆସିଥିଲେ ଗୋପୀ ମାନେ ବ୍ରଜମଣ୍ଡଳରୁ ଦ୍ବାରକା । ଭକ୍ତି, ପ୍ରେମ, ଅନୁରାଗ ର ରଙ୍ଗ ଏମିତି ଫଗୁ ବୋଳିଲା ଯେ ବହିଗଲେ ସମସ୍ତେ । ପାର୍ଥୀବ ଶରୀର ସବୁ ଜଳଧାରରେ ପରିଣତ ହେଲେ । ମିଶିଗଲେ ମାଟିରେ ମାଟି ହେଇ । ମୁଠା ମୁଠା ମାଟି ମହାପ୍ରଭୁଙ୍କ ମହିମା ନେଇ ମହମହ ବାସିଲା । ଗୋପୀମୟ ହେଲା ଭୁବନ ମଣ୍ଡଳ । ପ୍ରେମଶକ୍ତି ର ମହନିୟତା ଗୋପୀ ମାନଙ୍କୁ କଲା ପ୍ରାତଃ ବନ୍ଦନୀୟା , ଚିର ନମସ୍ଯା, ପ୍ରେରଣା ଯୁଗଯୁଗକୁ କୃଷ୍ଣ ଭାବକୁ ।
ମୋ ମନ ହଜି ହଜି ଯାଉଥିଲା ରଙ୍ଗିଲା ର ଭାବବିହ୍ବଳ ବର୍ଣ୍ଣନା ରେ । ରାଧାଭାବ ଟିଏ ଆବୋରି ବସୁଥିଲା । ରୋମମୂଳ ଟାଙ୍କୁରି ଉଠୁଥିଲେ । ମୁଁ ଚକ୍ଷୁ ମୁଦ୍ରିତ କରି ଗୋପୀ ପାଲଟୁ ହି ଥିଲି କି ପଛରୁ ଶଶୁର ବାପା ଆମର କହିଲେ, ” କଣ ଅଛି ସେଇଠି? କଣ ଖାଲି ପୋଖରୀଟେ ତ ? ଓହ୍ଲାଇବା? ଯିବା ଖାଲି ପୋଖରୀଟେ ଦେଖିବାକୁ? “
ମୁଁ ଝିଙ୍କିହେଇ ଫେରିଲି କଳ୍ପନା ରୁ । ରଙ୍ଗିଲା କହୁଥାଏ,” ଆପକି ମର୍ଜି । ତେବେ ସେଠି କୁନି ମନ୍ଦିର ଟିଏ ବି ଅଛି। ଗୋପୀ ମନ୍ଦିର ” ।
ଆଉଥରେ ସମସ୍ତେ ଓହ୍ଲା ଚଢା କରିବାର ଅନିଛ୍ଛା ପ୍ରକଟ କରିବା ହେତୁ ଆଉ ପାଖକୁ ଯାଇ ହେଲାନି । ରାସ୍ତା ପୁଣି ବାଟ ଦେଖେଇଲା ଆଉ ଗାଡି ….. ସିଏ ତ ଗଡିଚାଲିଲା ରଙ୍ଗରଙ୍ଗିଆ ଜରିଝାଲର ସବୁ ହଲେଇ ଉଡେଇ ନଚେଇ ।
……
କ୍ରମଶଃ… … …