ଭ୍ରମଣ କାହାଣୀ ୧୩ (ଦ୍ୱାରକା)

ମହାପ୍ରଭୁ ସୋମନାଥଙ୍କର ସୁନ୍ଦର ଦର୍ଶନ ହେଲା । ମନ୍ଦିର ଏତେ ଗହଳି ବି ନଥିଲା ।ଆମ ପଟର ଶିବ ମନ୍ଦିର ପରି ଏଠି ଜଳାଭିଷେକ ଆଦିର ବ୍ଯବସ୍ଥା କାଇଁ ଦେଖିଲିନି । ଭିତରେ ପ୍ରଭୁଙ୍କ ସାଜସଜ୍ଜା ଖୁବ୍ ସୁନ୍ଦର ଥିଲା । ପାର୍ଶ ବେଢା ପରିକ୍ରମା ସମୟ ରେ ଆମ ମନ୍ଦିର ମାନଙ୍କରେ ଯେମିତି ଅର୍ଦ୍ଧ ପରିକ୍ରମା କରି ପାଦୁକ କୁଣ୍ଡ ପାଖରୁ ଦେବୀ ମାହେଶ୍ବରୀ ଙ୍କୁ ଓଳିଗି ହେଇ ଲେଉଟୁ, ଏଠି ବି ସେମିତି ହି । ଆମର ପୁରୀର ଲୋକନାଥ ମହାପ୍ରୁ ଙ୍କର ପାଦୁକ ନଳାରୁ ପାଦୁକ ପାଇଲେ ମହା ପାତକ ନାଶ ହୁଏ ,କୁଷ୍ଠ ବ୍ଯାଧି ପରି ବ୍ଯାଧି ମଧ୍ୟ କାଳେ ଦୂରୀଭୂତ ହୁଏ ବୋଲି ଜନମଣ୍ଡଳେ ବିଦିତ । ଏଠାରେ ତମ୍ବାର ଛୋଟିଆ ପାତ୍ରଟିଏରେ ଛୋଟିଆ ଡଙ୍କିପରି ଚାମଚଟିଏ ପଡିଥାଏ । ନିଜେ ଆଣନ୍ତୁ ଅବା ସେଠାରେ ଉପସ୍ଥିତ ପୂଜକ ମହାଶୟ ଆପଣଙ୍କ ପାପୁଲିରେ ଦିଅନ୍ତୁ ଜ୍ଯୋତି ଲିଙ୍ଗ ଙ୍କର ଅମୃତ ପ୍ରାପ୍ତି ର ପ୍ରଶାନ୍ତି ଆପଣ ନିଶ୍ଚିତ ପ୍ରାପ୍ତ ହେବେ ।

ବାହାର ବେଡାରେ ଖୁବ୍ ପବନ । ସାଗରକୂଳିଆ । ଉଡୁଥାଏ ଫରଫର ଶାଢୀ କାନି ।ସାଙ୍ଗରେ ଶାଶୁଶଶୁର ଅଛନ୍ତି ବୋଲି ତାର ବା ବୁଦ୍ଧି କାଇଁ । ଶୃଙ୍ଖଳାରେ ଜାବୁଡି ଧରିଥାଏ ହାତ ଶାଢିକାନିକୁ । ପିଲେ ଠେକୁଆ ଚଢେଇ ଶାବକ ପରି ଏଠି ସେଠି ଚେହେକି କୁଦୁଥାନ୍ତି । ସୁବର୍ଣ୍ଣ ର କାନ୍ଥ, ଖମ୍ବ ସବୁକୁ ନିରେଖି ସତ ଆଉ କେତେ କ୍ଯାରେଟର ବୋଲି ପରଖୁଥାନ୍ତି କିଛି ବୟସ୍କ ଚକ୍ଷୁ । ମୁଁ ସେହି ଅଧା ଭଙ୍ଗା ଦେବୀ ମଣ୍ଡପର ଦେବୀ ଓ ତାର କିମ୍ବଦନ୍ତୀ ର ଇତିହାସ ଜାଣିବାର ଆଗ୍ରହ ସମ୍ବରଣ କରି ଚାହୁଁଥାଏ କାଳେ କିଏ କହନ୍ତେ ହେଲେ ହେଇଥିଲା କଣ ,ଏଠି ଥିଲେ କିଏ ଓ କିପରି ଦିଶୁଥିଲେ । ମୁଁ ମୋର କଳ୍ପନା ଅନୁସାରେ ଅନୁଭବୁଥିଲି ମଣ୍ଡପ ଉପରର ବର୍ତ୍ତମାନ ର ଅଦୃଶ୍ୟ ଦେବୀଙ୍କୁ, ମନ୍ଦିର ର ଗଢଣକୁ, ଉପସ୍ଥିତି କୁ । ଆଉ ଗୋଟିଏ ଗୋଟିଏ ଉଠି ଯାଉଥିଲି ପାହାଚ ।କେତେବେଳେ ଯାଇ ମଝି ମଣ୍ଡପରେ ପହଞ୍ଚି ସାରିଛି କଳ୍ପନା ବଳୟ ଦେଇ ।ପୁଅ ମୋର ଯାଇ ଦେବୀଙ୍କ ନିମନ୍ତେ ଉଦ୍ଧିଷ୍ଟ ସିଂହାସନର କିୟଦଅଂଶ ବଳକା ପସ୍ତର ଖଣ୍ଡ ରେ ବସିଯାନ୍ତେଣ ମୋର ଚେତା ପଶିଲା ।” ହାଁ ହାଁ ଏହା ଦେବୀ ଆସ୍ଥାନ ବାପା । ଏଠି ମାଆ ବସନ୍ତି ।ଆ ଓହ୍ଲାଇ ଆ ନମ କରି ।” ସୁପୁତ୍ର ମୋର ସାଦରେ ଓହ୍ଲାଇ ଆସି କୁନି କୋମଳ ହସ୍ତଯୁଗଳ ଯୋଡି ମଥାନତ କଲା ଦେବୀଦର୍ଶନ ପାଇଲା ପରି । ଏବଂ ତୁରନ୍ତ ଅପସାରିତ ହେଲା ତା ପୂର୍ବ ଖେଳ ଉଦ୍ଯାନକୁ । ସୂର୍ଯ୍ୟ ନୋଇଁଆସୁଥିଲେ ତାଙ୍କ ଅସ୍ତଗାମୀ ଲାଲି ପାଟଟିକୁ ସଯତ୍ନେ ଗୁଡେଇ ।ସବୁଆଡ ନାରଙ୍ଗୀ ରଙ୍ଗ ଇଡି ହେଇଯାଇଥିଲା ଯେମିତି । ଆମେ ଧିରେ ଧିରେ ବାହ୍ଯ ଫାଟକ ଆଡକୁ ପଦପାତ କରୁଥିଲୁ ।ମଝି ଅଗଣାରେ ଜଣେ ଆମକୁ ଠିକଣା ବତେଇଦେଲେ ସୋମନାଥ ପ୍ରଭୁଙ୍କର ଲଡୁଭୋଗ ଘରକୁ ନେବା ଲାଗି ।ଇଏ ଯାଏ ପାଞ୍ଚଟି ଲଡୁ ସେଇ ଦୁଇବଖରିଆ ଘରୁ ଆଣି ଆସିଲେ । ଏତେ ବାଟରୁ ଫେରି ଘରେ ଥିବା ଅନ୍ଯ ସମସ୍ତିଙ୍କୁ ପ୍ରସାଦ ଟିକେ ଟିକେ ଦେବା କଥା ହି ତ । ପିଲେ ଲଡୁ ଦେଖି ଖୁସି । ଏତେ ବେଳୁ ବୁଲୁଛନ୍ତି ବି ତ ,ଭୋକ ଭୋକ ଲାଗିବା ସ୍ବଭାବିକ ।ସେଇ ପାର୍କରେ ପତ୍ର ଧରି ବସିଗଲେ ଓ ଖାଉ ଖାଉ ଚାରୋଟି ଶେଷ କରିଦେଲେ ।ଆଉ ଗୋଟିକରୁ କେତେ ଏପଟ ସେପଟ କରି ହେବ ଅବା । ତେଣୁ ଇଏ ଆଉ କିଛି ପ୍ରସାଦ ଆଣିବା ଉଦ୍ଦେଶ୍ୟରେ ସେଇ ବଣ୍ଟନ କେନ୍ଦ୍ର ପଟକୁ ଗଲେ ଓ ଦେଖିଲେ ଦୋକାନ ବନ୍ଦ କରି ଯାଇସାରିଲିଣି ଭଦ୍ରବ୍ଯକ୍ତି । ଏବେ କଣ କରାଯାଏ ।ପୁଅ ସେତ ବେଳକୁ ” ଆଉ ଗୋଟେ ଲଡୁ ଦେ ବୋଉ । ଅଛି କି ?” ।କହିଲାଣି ଓ ଆଉ ଦିଟି ପରିବାର ଆମର ଭୋଗଖିଆ ଦେଖି ଆମଠୁ ଠିକଣା ନେଇ ସେଇ ଭୋଗବଣ୍ଟା ଘରଟି ବନ୍ଦ ଥିବା ଦେଖି ଫେରିଗଲେଣି। ଇଏ ଆସି କହିଲେ ,” ନା ଆଉ ନାହିଁ ” । ଜିଦ୍ ରେ କାନ୍ଦିବା ଆରମ୍ଭ କଲା ” ଦେ ମତେ ଆଉ ଗୋଟେ ଲଡୁ “। ଅଝଟ ଲଗେଇଲା । ଯୋଗକୁ ମନ୍ଦିର କର୍ମଚାରୀ ଜଣେ ସେଇପଟେ ଯାଉଥିଲେ ଆଉ ଇଆର ବିକଳ କାନ୍ଦରେ ତାଙ୍କ ମନ ଦ୍ରବିଭୂତ ହେଲା ଆଉ ସିଏ ଚାଲି ଖୋଲେଇ ଆଉ ତିନୋଟି ଲଡୁ ଦେଲେ । ମନ କି ଖୁସି ତାର ,ଆଉ କହି ହବନି ।ଇଏ ପଇସା ଦେଇ ଆସିବା ବେଳକୁ ବାଣ୍ଟି ଖାଇବାର ପାଇବାର ଉପକାରିତା ଉପରେ ବୁଝଉଥାଏ ମୁଁ ପୁଅକୁ । ସିଏ ଖୁସି ଖୁସି ଗୋଟେ ଲଡୁକୁ ସମସ୍ତଙ୍କୁ ବାଣ୍ଟିଲା ଆଉ ନିଜେ ଟିକେ ଖାଇ ସନ୍ତୁଷ୍ଟ ଆଉ ଖୁସି ବି ହେଲା।ପୁରା ସଂଧ୍ୟା ଅନ୍ଧାର ହୋଇସାରିଥାଏ । ବାହାରେ କୁନି ବଜାରଟିରେ ହରେକ ରକମ ଆକର୍ଷଣୀୟ ଟିକି ଟିକି ଚିଜ ମିଳୁଥାଏ । ସେଇଠୁ କିଛି କିଛି କିଣିଲୁ । ଦାମ୍ ବହୁତ କମ ଥାଏ । ଦଶ ,କୋଡିଏ ରୁ ପଚାଶ ଟଙ୍କାରେ ଗୋଟିଏ ଚିଜ ମିଳୁଥାଏ । ସାଧାରଣତଃ ଗରିବ ପରିଦୃଶ ପିଲେ ପସରା ମେଲିଥାନ୍ତି ।


ଫେରିଆସିଲୁ ଧର୍ମଶାଳାକୁ ।ଡେରୀ ହୋଇସାରିଥାଏ । ଖାଦ୍ଯ ଶେଷ । ସମୟ ସାତ ପରେ ମିଳେନା ରାତି ଖାଇବା । ତେବେ ଆମ ପାଇଁ ସହୃଦୟ ପରିଚାଳକ ବଢାଭାତ ( ଖେଚଡି ପରି ଏକ ବ୍ଯଞନ) ତିଆରି କରେଇନେଲେ ଓ ସାଙ୍ଗରେ ଦହିକାକୁଡି ରାଇତା । ରାତିରେ ଦହି ଖାଇଲେ କଫ ହୁଏ ଓ ଲକ୍ଷ୍ମୀ ପୁରାଣରେ ଦଧିଅନ୍ନ ରାତିରେ ଖାଇବା ନିଷେଧ ନେଇ ଆମେ ସିନା ଓଡିଶା ଲୋକେ ବାରଣ କରୁ କିନ୍ତୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଲୋକେ ରାତିରେ ବି ଦହି ଖାନ୍ତି ।ହୋଇପାରେ ଆମର ଚଳନୀ ଆମର ଭୌଗଳିକ ତଥା ଶାରିରୀକ, ପାଣିପବନ ଆଦି ଆଦି ନେଇ ଆମ ଦେହ କୁ ରାତିଆ ଦହିଟି ସୁହାଏନାହିଁ, ସେଥିଲାଗି ଆମ ପୂର୍ବ ପୁରୁଷ ମାନେ ମନା କରି ରଖିଛନ୍ତି ।ଭାରତରେ ତ ଏଇ କଥା ନେଇ ହଜାରେ ଯାଗାରେ ହଜାରେ ପ୍ରକାରେ ଖାଇବା, ପିନ୍ଧିବା ନା ।


ପାଖ ଅନ୍ଯ ଏକ ଦୋକାନରୁ ରୁଟି ,ତରକାରୀ କିଣି ଅଣାଗଲା । ସବୁ ମିଶେଇ ସମସ୍ତେ ବାଣ୍ଟିକୁଣ୍ଟି ଖାଇଦେଲୁ ପେଟେ ପେଟେ । ଦୋ ତାଲା ଉପର ଲମ୍ବା ଚଉତରା ପରି ବାରଣ୍ଡାରୁ ଶାନ୍ତ ଅଳ୍ପ ଫେନିଳ ସମୁଦ୍ର ରାତିର ପିଠିରେ ଲାଉ ହେଲା ପରି ଦିଶୁଥିଲା । ଉପନୟନ ସଂସ୍କୃତି ର ବ୍ରତ ଟିଏ ପରା ଧବଳ ଫେନିଳ ଅଳ୍ପ ସରୁ ଧାର ନୀଳ ଗାଢତର ପୃଥିବୀ ବକ୍ଷ ଓ ଉଦରକୁ ଆବୋରି ଥିଲା ।


ସକାଳ ସହ ଆମର ଏହମଦାବାଦ ଯାତ୍ରା ଆରମ୍ଭ ହେଲା ।ଆରବ ସାଗର ଓ ସୋମନାଥ ମହାଶମ୍ଭୁଙ୍କ ଉଦ୍ଦେଶ୍ୟ ରେ କରପତ୍ର ଯୋଡି ଆମେ ବସ ଧରିଲୁ ।
__
ଏହମଦାବାଦ


ଆମ ଦେଶର ସବୁ ସହର, ଗ୍ରାମ, ପ୍ରାନ୍ତ ଅନନ୍ଯ । ସବୁଠି ଥାଏ ଅଦ୍ବିତୀୟ ସଂଯୋଗ ଗଳ୍ପ, ଇତିହାସ, କିମ୍ବଦନ୍ତୀ ସବୁକୁ ସାଇତି ରଖିବାର ବାସ୍ନା । ଏ ସହର ଆମ କଟକପୁରୀ ସହର ଠାରୁ ଟିକେ ବଡ ଦିଶୁଥିଲା ଆକାରରେ । ରାସ୍ତା ଚଉଡା, ସଫା ଥିଲା । ଦୁଇପାଖରେ ଗଛ ଭରା ଭରା । ସବୁଜ,ହଳଦୀ ଓ ରକ୍ତିମ କୋମଳତାରେ ଭରା ଫୁଲପତ୍ରରାଜି । ମଝିରେ ମଝିରେ ମନ୍ଦିର ।ବାଟ ଯାକ କୋଠାମାଳ …. ସହରର ପରିଭାଷା । ଅଟକିଲୁ ଗୋଟିଏ ହୋଟେଲ ସାମ୍ନାରେ । ତିନିଜଣିଆ ମଣିଷ ବୋହିପାରୁଥିବା ଜାଫ୍ରିଲଗା ଲିଫ୍ଟ ଟିରେ ଗଲୁ ଉପର ମହଲାକୁ । ଏତେ ସରୁ ଅଳ୍ପ ଜାଗାରେ ଘରସଜ୍ଜା ଓ ଆସବାବପତ୍ର ଖଞ୍ଜା ସହ କୁନି ଆକ୍ବାରିଅମ ଟିରେ ଖେଳୁଥିବା ରଙ୍ଗ ବିରଙ୍ଗ ଜାତିଜାତିକା ମାଛ ଧଡ୍ କି ଆମ ସମସ୍ତଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଗଲା । ବଖରା ଦୁଇଟି ନେଲୁ । ପରିଷ୍କାର ଏବଂ ସୁଚାରୁ ରୂପେ ସଜାହୋଇଥିବା ବଖରା । ନିତ୍ଯକର୍ମ ସାରିବା ଭିତରେ ଖିର, ଚା’ ଆଣିବାର ପ୍ରସ୍ତାବ ରଖୁଥିଲା ପରିଚାରକ ପିଲାଟି । ଯେହେତୁ ଚା’ ଅଭ୍ଯାସ ରୁ ଆମେ ଦୁଇଟିଯାକ ପରିବାର ମୁକ୍ତ ତେଣୁ କେବଳ ଗୋବିନ୍ଦ କୃଷ୍ଣ ଲଲ୍ଲା ଓ ପିଲାଙ୍କ ପାଇଁ ଖିର ବରାଦ କଲୁ । ତଳେ ଏକ ହୋଟେଲ ଥିଲା ଯାହାର ଅଭ୍ଯନ୍ତରିଣ ସାଜସଜ୍ଜା ମତେ ଖାସ୍ କରି ବହୁତ ଭଲ ଲାଗିଲା ,ସେଇଠି ଇଟଲି, ଢୋକଲା, ପୁରୀ ଏମିତି ଯିଏ ଯାହାର ପସନ୍ଦ ନେଇ ଖାଇଲେ ।


ବାହାର ଠେଲା ସବୁର ଖାଇବା ସାଧାରଣତଃ ଭାରତର ସ୍ବାତନ୍ତ୍ର୍ଯ ।ମତେ ଲାଗେ ଏତେ ପ୍ରକାର ଆଉ ଏତେ ସୁଆଦିଆ ରାସ୍ତା କଡ ଖାଇବା କେବଳ ଓ କେବଳ ଆମ ଦେଶରେ ହି ମିଳେ ।ଥରେ ଖାଇଥିବ ମାନେ ଶହେ ଥର ମନ ଟାଣିବ ହି ଟାଣିବ । ଘରେ ଯେତେ ବୁଝାନ୍ତୁ ଏଇଟା, ସେଇଟା କହିକି ।ପାଦ ଯାଇ ସେଇଠି । ଏଠି ବି ନିଶ୍ଚିତ କିଛି ସ୍ବତନ୍ତ୍ର ଥିବ ଖୋଜିଲି ।ପୁରା ସକାଳ ପହରଟିରେ ବି ଦିଶିଲା ଧୂଆଁ ଉଠୁଥିବା ଠେଲା ଖୋଲା ଦୋକାନ ଟିଏ ,ଯିଏ ବିକୁଥିଲା ଚା’ ସହ ପାଉରୁଟି ର ସାଣ୍ଡ୍ଉଇଚ । ବଡ ବଡ ଧଳା ପାଉରୁଟିର ଚାରିପଟ ମାଟିଆ ଅଂଶ କାଟିଦେଇ କାକୁଡି, ଗାଜର, ଟମାଟୋ,ବନ୍ଧାକୋବିଗୁଣ୍ଡ ଓ ଆହୁରି କଣ କଣ ସବୁ ବିଭିନ୍ନ ମସଲା ଦେଇ ସଭାଉପରେ ମୁଣ୍ଡା ଘିଅହଳଦୀ ରଙ୍ଗର (ଚିଜ୍) ଛେନାମୁଣ୍ଡାକୁ ଘସିପକାଇ ଏକ ପ୍ରକାରିଆ ଯନ୍ତ୍ର ରେ ରଖିଦେଉଥାଏ । ଗୋଟା ଅଶି ଟଙ୍କା ।ମତେ କାଇଁ ବାଗ ଲାଗିଲାନି ତାର ରୂପରଙ୍ଗ ନା ଦି ଖଣ୍ଡ ପାଉଁରୁଟିର ଆକାଶ ଛୁଆଁ ଦାମ ।ନା ହି ସେ ଲୋକଟିର ଗ୍ରାହକଙ୍କ ପ୍ରତି କୌଣସି ବ୍ଯବହାରିକ ଆଗ୍ରହ । ତେଣୁ ସେଠୁ ଫେରିଆସିଲି ।
ଗାଡି ପ୍ରସ୍ତୁତ ଥିଲା । ସଂଧ୍ୟା ରେ ଥିଲା ଆମର ଫେରନ୍ତା ଟ୍ରେନ୍ ବାଙ୍ଗାଲୋର କୁ । ତେଣୁ ଏଇ ଦିନଟି ଭିତରେ ଯାହା ବୁଲି ହବ ଯେତିକି ଦେଖି ହବ ସିଏ ପୁଣି ପାଖାପାଖି ।ଯଦିଓ ନୂଆ ଜାଗା ଦେଖିବା ବୁଝିବାର ଆଗ୍ରହ କାହିଁ ରେ କଣ ତଥାପି ସମୟ ତ ପୁଣି ତାର ମାଲିକାନା ଚଲାଏ ନା ।
ଗାଡିଚାଳକ ତଥା ଗାଇଡ ର କହିବା ଅନୁସାରେ ପାଖ କହିଲେ ଆଜି ପାଇଁ କେବଳ ସାବରମତୀ ଆଶ୍ରମ । ବାକି ସବୁ ପାଇଁ ଆଉ ଦିନଟେ ନ ହେଲେ ବି ପଞ୍ଚସ୍ତରୀ ଭାଗ ଦିନ ତ ଲୋଡା ।


“ଦେଦି ହାମେ ଆଜାଦ ବିନା ଖଡଗ ବିନା ଧାର ,
ସାବରମତୀ କେ ସନ୍ଥ ତୁନେ କରଦିଆ କମାଲ ।।
ରଘୁପତି ରାଘବ ରାଜା ରାମ ।”


କ୍ରମଶଃ …..