ଭ୍ରମଣ କାହାଣୀ ୧୨ (ଦ୍ୱାରକା)

ସୋମନାଥ ମହାଦେବ

ବାହାରିଲୁ ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ ନିମନ୍ତେ । ଯାହା ବିଷୟ ରେ ଆମେ ଅଳ୍ପ ବହୁତେ ସମସ୍ତେ ଜାଣୁ । ଆମେ ରହୁଥିବା ଥାନଠୁ ଦଶ ମିନିଟର ରାସ୍ତା ଥିଲା ମନ୍ଦିର ।ନୂତନ ମନ୍ଦିର ର ସାମ୍ନାରେ ହି ପୁରାତନ ମନ୍ଦିର ।ଶିବଶମ୍ଭୁଙ୍କ ପ୍ରତି ଭାରତର ସବୁ ମଣିଷ ଙ୍କ ହୃଦୟ ରେ ଅଜସ୍ର ଭକ୍ତି । ଆଶୁତୋଷ ଭଗବାନ ଶଙ୍କର ଏକସଙ୍ଗେ ଶାନ୍ତ, ରୌଦ୍ର,ଆଦର୍ଶ ପରିବାର, ନିଷ୍ଠାପର ଭକ୍ତି, ତପ, ଜପ, ନୃତ୍ୟ, କେଉଁ ଥିରେ ଅବା ନୁହେଁ । ଅକର୍ମ କର୍ମ ଦାୟକ ମହେଶ୍ୱର ।ଏହି ସ୍ଥାନର ନାମ ” ଦେବପାଟଣା ” ଥିଲା ଆଗରୁ ।ପୁରାତନ ନାମ ବର୍ତ୍ତମାନ ଆଉ ବ୍ଯବହାରରେ ନାହିଁ । ଏବେ” ସୋମନାଥ “ହି କୁହାଯାଉଛି ।ଆମେ ଶୁଣିଛୁ ଏହି ମନ୍ଦିର ଆମ ଦେଶର ସବୁଠାରୁ ଭବ୍ଯ ମନ୍ଦିର ଥିଲା ଦିନେ । ଏହାର ପ୍ରାଚୁର୍ଯ୍ୟରେ ଇର୍ଷାନ୍ବିତ ଥିଲେ ସହସ୍ର ଚକ୍ଷୁ । ଲୁଟିବାର ମସୁଧା ସହସ୍ର ଥର ହେଉଥିଲା । ଲୁଟାଯାଉଥିଲା । ପୁଣି ଭରିଯାଉଥିଲା ମନ୍ଦିର ସମ୍ପଦା ଲକ୍ଷ୍ମୀ ରେ । ପୁଣି ଲୁଟି ନେଉଥିଲେ ଦୁର୍ବୃତ୍ତ । ଏ ମଧ୍ୟ ରେ ଭାଙ୍ଗିଯାଉଥିଲା ମନ୍ଦିର ର ଐଶ୍ଚର୍ଯ୍ଯ । ଇତିହାସ କହେ ପାଖାପାଖି ଦୁଇହଜାର ବର୍ଷ ର ତଳର ମନ୍ଦିର । ୬୪୯ A.D ପୂର୍ବେ ପଲ୍ଲବିନି ର ରଜା ମୈତ୍ରୀ ଏହି ମନ୍ଦିର ର ପୁନରୁଦ୍ଧାର କରାଇଥିଲେ । ୭୨୫ AD ବେଳେ ସିନ୍ଧ୍ ର ଶାସକ ମାନେ ଆକ୍ରମଣ କରି ଭାଙ୍ଗି ଦେଇଥିଲେ । ଏହାର ଇତିହାସ ଖୁବ୍ ବିବାଦମାନ । ଭାରତର ବାର ଗୋଟି ବିଖ୍ୟାତ ପ୍ରତ୍ଯକ୍ଷ ଶୈବପୀଠ ବା ଜ୍ଯୋତିଲିଙ୍ଗ ମଧ୍ୟ ରୁ ମହାଦେବ ସୋମନାଥଙ୍କୁ ପ୍ରଥମ ଜ୍ଯୋତିର୍ଲିଙ୍ଗ ମାନ୍ଯତା ରହିଛନ୍ତି  । ଏହି ମନ୍ଦିର ଉପରେ ବହୁ ଗବେଷଣା ହୋଇଛି । ଔପନିବେଶିକ, ଐତିହାସିକ, ଓ ପୁରାତନବିତ୍ ମାନେ ଅଧ୍ୟୟନ କରୁଥାନ୍ତି ଏହାର ପୁଙ୍ଖାନୁପୁଙ୍ଖ ଫର୍ଦ୍ଦ ସବୁକୁ ସମୟ ସହ । ହିନ୍ଦୁ ମାନଙ୍କର ” ମାରୁ ଗୁର୍ଜର ” ବାସ୍ତୁକଳା ଶୈଳୀ ରେ ପୁନଃ ନିର୍ମାଣ ହୋଇଛି ମନ୍ଦିରର। ଶିଳାଲେଖ କହେ ଜଣେ ପ୍ରତିହାରି ରଜା ନାଗଭଟ୍ଟ ଦ୍ବିତୀୟ ଯିଏ ସୋମନାଥଙ୍କ ସମେତ ଅନ୍ଯ ସୌରାଷ୍ଟ୍ର ସ୍ଥଳୀ, ତୀର୍ଥ ମାନ ଭ୍ରମଣ କରି ପୂଜା କରୁଥିଲେ । ଏହିପରି ସାହିତ୍ୟିକ ଓ ତୀର୍ଥଯାତ୍ରୀ ସାକ୍ଷୀ ମାନଙ୍କ ଠୁ ପ୍ରମାଣ ମିଳେ ଯେ ଦଶମ ଶତାବ୍ଦୀ ଯାଏ ଏହା ଏକ ପ୍ରତିଷ୍ଠିତ ତୀର୍ଥ ଥିଲା ।

ପୁରାଣ କହେ ( ମହାଭାରତର ବନପର୍ବ ଖଣ୍ଡରେ ଉଲ୍ଲେଖ) ସୋମ ଅର୍ଥ ଚନ୍ଦ୍ରମାଦେବ । ଚନ୍ଦ୍ରଦେବ ଭୋଗୁଥିବା ଶ୍ରୀଗଣପତିଙ୍କର ଅଭିଶାପ ଜନିତ ତେଜ କ୍ଷୟ ରୋଗ ଏହି ବୈଭକ ସ୍ଥାନ ପ୍ରଭାସ କ୍ଷେତ୍ରର ତ୍ରୀବେଣୀ ( କପିଳା ନଦୀ, ହରିଣୀ ନଦୀ ଓ ଭୂଗର୍ଭସ୍ଥ  ସରସ୍ବତୀ ନଦୀ ର ପବିତ୍ର ସଙ୍ଗମ ) ଜଳରେ ସ୍ନାନ ଓ ଏହିଠାରେ ତପଃ କାରଣେ ହୃତ ଜ୍ଯୋତି ଫେରିପାଇଥିଲେ । ପଞ୍ଚଦଶ ଶତାବ୍ଦୀର ପ୍ରସିଦ୍ଧ କବିବର ନବରତ୍ନ ମଧ୍ୟ ରୁ ଅନ୍ଯତମ କାଳିଦାସ ଙ୍କ ରଚିତ ” ରଘୁବଂଶ” ରେ ମଧ୍ୟ ଶ୍ରୀ ସୋମନାଥେଶ୍ବର ଙ୍କର ନାମ ବର୍ଣ୍ଣିତ ହୋଇଅଛି ।

ବର୍ତ୍ତମାନର ମନ୍ଦିର ଖୁବ୍ ଭବ୍ଯ ।ବିରାଟ ପ୍ରାଙ୍ଗଣ । ସମସ୍ତ ଆଧୁନିକିକରଣ ରେ ସଜା । ସଂଧ୍ୟା ରେ ବିଶେଷ ଭାବେ ବିଭିନ୍ନ ବର୍ଣ୍ଣ ର ଆଲୋକ ଆଭାରେ ଭୁଷିତା ମନ୍ଦିର ର ବାହ୍ଯ ପାର୍ଶ୍ବ ଦର୍ଶନେ ବହୁ ଜନସମାଗମ ଫାଟକଠାରୁ ଯେ ଅଗଣା ଯାଏ । ମନ୍ଦିର ଭିତର ଚିକ୍କଣ ଗ୍ରାନାଇଟ ଓ ମାର୍ବଲ ପଥରରେ ତିଆରି । ରାଜ ପ୍ରସାଦର ଭ୍ରମ ତିଆରୁଥିବା ବଳୟ ।ବେଢାରେ ହନୁମନ୍ତ ଓ ଅନ୍ଯାନ୍ୟ ପାର୍ଶ୍ବ ଦେବଦେବୀ ଙ୍କ ସହ ଏକ ସଂଗୃହିତ କଳା, ଭାସ୍କର୍ଯ୍ୟ ମୟ ମ୍ଯୁଜିୟମ ,ଯେଉଁଠି ରହିଛି ଅନେକ କଥାଚିତ୍ର ର ପ୍ରତିମା ଗଳ୍ପ ଶିବଶମ୍ଭୁଙ୍କ ବିଷୟ ରେ । ଚାରିପଟ ଉନ୍ମୁକ୍ତ । ସବୁଜ ଗାଲିଚା ଓ ଅର୍ନାମେଣ୍ଟାଲ ଗଛ ସବୁ ର ମେଳ ଏକ ସୁନ୍ଦର ଉଦ୍ଯାନର ଭ୍ରମ ତିଆରୁଥାଏ । ସଂଗ୍ରହାଳୟର ଠିକ୍ ସାମ୍ନାକୁ ଏକ ଅଧାଭଙ୍ଗା ଚଉପାଢୀ ଯାହା ଉପରକୁ ଚଢିବାକୁ କିଛି ସଂଖ୍ୟକ ପାହାଚ ।ଏହି ମଣ୍ଡପଟି କାଳେ ମହାଦେବୀ ଙ୍କୁ ସମର୍ପିତ । ଦିନଥିଲା ଏହା ମଧ୍ୟ ଏ ଦିବ୍ଯ ସୁନ୍ଦର ମନ୍ଦିର ରୂପେ ଉଭା ହୋଇଥିଲେ । ଦୁର୍ବୃତ୍ତ ମାନେ ସହିପାରିଲେନି ଆଉ ଭାଙ୍ଗି ରୁଜି କେବଳ ବଳକାଂଶ ମଣ୍ଡପ ଟି ଛାଡିଦେଇଗଲେ ।ଏହା ମୁଖ୍ଯମନ୍ଦିର ର ପଛପାଖ ଯାହାର କାନ୍ଥ ରେ ରହିଛନ୍ତି ଛୋଟିଆ ଆଠ ଦଶଟି ଇଟା ଆକାରର ବାତାୟନ ।ଏହା ପୂର୍ବମୁଖା ।ତେଣୁ ଯେବେ ପ୍ରଥମ ସୂର୍ଯ୍ୟ କିରଣ ପୃଥିବୀ ଛୁଏଁ ସେବେ ତାହା ଏହି ଜାଲଣା ସବୁ ଦେଇ ଢାଳିହୁଏ ନୈବେଦ୍ଯ ରୂପେ ମହାଶମ୍ଭୁଙ୍କ ମସ୍ତକ ଉପରେ । ସୂର୍ଯ୍ୟ ଦେବଙ୍କ ବନ୍ଦନା ଓ ଅର୍ଘ୍ଯ ନିବେଦନର ଏହା ଏକ ଭକ୍ତି ମୟ ପନ୍ଥା । ଉପରେ ଲହରୁଥାଏ ତ୍ରୀଶୂଳ ଓ କୁମ୍ଭ କଳସ ବନ୍ଧା ପତାକା ।ଏହି କୁମ୍ଭର ଏକ କିମ୍ବଦନ୍ତୀ ରହିଛି ।ଯଦିଓ ସେଦିନ ସେଠାରେ ଥିବା ବିଜ୍ଞ ପଥଚାରୀ ଙ୍କ ଠାରୁ ଶ୍ରବଣାଗତ ହୋଇଥିଲା ତଥାପି ଏ ଚଞ୍ଚଳ ମନ ପାଶୋରି ଯାଇଛି । ମନେ ପଡେ ତ ନିଶ୍ଚିତ କହିବି ଆଗକୁ । ହଁ ,ସେଇ ପାଖରେ ହି ପିଇବା ପାଣି ବ୍ଯବସ୍ଥା ରହିଛି ଓ ବସିବା ପାଇଁ ଧାଡି ଧାଡି ସିମେଣ୍ଟ  ବେଞ୍ଚ । ପର୍ଯ୍ୟଟକ ମାନେ ବସିରହିଥାନ୍ତି ଚିତ୍ର ପରି …. ସମୁଦ୍ର ମୁହାଁ । ସମୁଦ୍ର ତାର ଶାନ୍ତ ଥାଏ । ଆମ ପୁରୀ ପରି ନାଚିଯାଉନଥାଏ । ତାକୁ ଅସାଡ କଥା ରଖିଥାନ୍ତି ବିରାଟ କଳାକଳା ପଥର ଖଣ୍ଡ ମାନ ।ପାଣି ଗଭୀର ଦିଶୁଥାଏ । ନୀଳ ଓ ଗାଢସବୁଜ ମିଶା ଜଳସ୍ତର ଉପରେ ରୂପାଗୁଣ୍ଡ ପରି ବିଛେଇ ହେଇପଡିଥାଏ ସୂର୍ଯ୍ୟ କିରଣ । ଲାଗୁଥାଏ ଯେମିତି ଏକ ଝିଲମିଲ୍ ଚଦର ।ମୀନକେଳି କରୁଥିବା ସହସ୍ର ଜଳଜୀବଙ୍କ ସୁରକ୍ଷା ରେ ଢାଙ୍କିରଖିଛି ପୃଥିବୀ । ଅଦ୍ଭୁତ ଆକର୍ଷଣୀୟ  ଦୃଶ୍ୟ । ସମୁଦ୍ର ସବୁବେଳେ ସବୁ ରୂପରେ ଆକର୍ଷଣୀୟ ହି ।ମନ ଜିଣିବା ପାଠ ତାଙ୍କୁ କୁହୁକଗଣା ପରି ଜଣା ।

ଫେରିବା ମୁଖ୍ୟ କଥାକୁ ।ଏତେ ବଡ ପ୍ରାଙ୍ଗଣରେ ଖୁବ୍ ଶୃଙ୍ଖଳିତ ଦର୍ଶନ ବ୍ଯବସ୍ଥା । ସୁରକ୍ଷା କର୍ମୀ ମାନେ ସତର୍କ ଏବଂ ଖୁବ୍ ସାବଧାନ ।ବ୍ଯାଗ ଓ ମଣିଷ ମାନଙ୍କୁ ଜାନ୍ଚପରତାଳ ପରେ ଗୋଟିଏ ଗୋଟିଏ କରି ଛାଡୁଥାନ୍ତି ମନ୍ଦିର ଗର୍ଭଗୃହକୁ ।ଲାଗେ ମଣିଷ ବିଶ୍ବାସ ନେଇ ଦେବ ଦର୍ଶନେ ଆସିଥାଏ ବିଶ୍ବାସ ସାଉଁଟିବାକୁ । ଏ ଚେକିଂ ପୁଣି କୋଉ ଅବିଶ୍ବାସ କୁ ଆଧାର କରି ।ତେବେ ଘଟୁଥିବା କିଛି ସାଂପ୍ରତିକ ଘଟଣା ପୁଣି ଚେତେଇଦିଏ । ଏହି ମଣିଷ ଯେ କେତେ ବେଶରେ ଆସେ ଯାଏ । ବିଶ୍ବାସ କୁ ଭାଙ୍ଗିବାର କୁଚକ୍ର ପାଞ୍ଚେ । ଜଗିବାକୁ ତ ହବ ହି । ହେଉ ପଛେ ମନ୍ଦିର ।

ଯେତେ ଯେତେ ଧାଡି ଆଗଉ ଥାଏ ଜ୍ଯୋତି ର୍ଲିଙ୍ଗ ମହାଦେବଙ୍କର ପ୍ରତ୍ୟକ୍ଷ ଦର୍ଶନ ଲାଳସା ଉତ୍କଣ୍ଠା ଭରୁଥାଏ । ମହାମୃତ୍ଯୁଞୟ ଜପି ଜପି ଆଗକୁ ଚାଲୁଥାଉ ଆମେ ସମସ୍ତେ ।ଦିଅଁ ଙ୍କ ର ସିନ୍ଧୁକ, ପାଲିଙ୍କି, ପଲଙ୍କ ଆଉ ଆଉ କେତେ କଣ ସବୁ ଖଞ୍ଜାପଟା ଦୁଇପଟକୁ ରଖା ହୋଇଥାନ୍ତି । କାଠର ଏକ ପୋଲ ପରି ଦେଉଳ ଭିତରକୁ ଲମ୍ବ ହୋଇ ପଡିଥାଏ । ପଟା ସବୁକୁ ଧବଳରଙ୍ଗା କରାଯାଇଥାଏ ଓ ସେଇମାନେ ବାଟେଇ ନେଉଥାନ୍ତି ଈଶ୍ବର ସାନିଧ୍ଯ ପଥକୁ ପରିଷ୍କାର କରି ଆଗକୁ ଆଗକୁ । ଚର୍ମଆଖି ,ମାନସ ଚକ୍ଷୁ,ହୃଦୟ, ଅନ୍ତର,ପ୍ରାଣ,ଚେତନ ସମସ୍ତେ ଏକ ସଙ୍ଗେ ପ୍ରସ୍ତୁତ ହେଉଥାନ୍ତି ଦେବାଧିଦେବ ମହାଦେବ ଙ୍କୁ ପ୍ରତ୍ଯକ୍ଷ ଦର୍ଶନ ପୂର୍ବକ ଶାନ୍ତି ପାଇବାକୁ । ଆଗକୁ ଆଗକୁ ଯେତେ ଯାଉଥାଉ ସେତେ ବିନମ୍ର ଲାଗୁଥାଏ । ବିରାଟ ଶିବଲିଙ୍ଗ । ବେଶ ଲାଗି ହୋଇଥାନ୍ତି ଫୁଲଫଳରେ । ବିଭୂତିଭୂଷଣ ଶମ୍ବୁ ଅନନ୍ଯ ଦର୍ଶନ ଦେଉଥାନ୍ତି । ପୁଲକିତ ମୂହୁର୍ତ୍ତ । ଆନନ୍ଦମୟ ଶାନ୍ତି ।ମନ୍ଦିର ଗର୍ଭ ର ସାଜସଜ୍ଜା ଅତିବ ରୁଚିପୂର୍ଣ୍ଣ । ଦେବୀ ଗଙ୍ଗା ଓ ମହାଦେବୀ ପାର୍ବତୀ ସ୍ବୟଂ ମହାଦେବଙ୍କର ଅର୍ଚ୍ଚନା ଭଙ୍ଗୀରେ ଦଣ୍ଡାୟମାନ । ଶଙ୍ଖମର୍ମର ପ୍ରତିମା ।କେଉଁ ଏକ ବ୍ଯବସାୟିକ ଟିଭି ଚ୍ଯାନେଲ ବାଲା ଜଣେ ନିଜର ଠେଙ୍ଗାପରି ଦଣ୍ଡାୟମାନ ସୁଦୃଶ୍ଯ କ୍ଯାମେରା ଟି ଧରି ପ୍ରଭୁଙ୍କ ସାମ୍ନାରେ ଅବିଚଳିତ ଠିଆ ହୋଇଥାନ୍ତି ଯାହାଙ୍କର ସାଧାରଣତମ ଦାୟିତ୍ୱବୋଧ ବା ଭଦ୍ରାମୀ ନଥାଏ ଯେ ଭକ୍ତ ମାନେ କାହିଁ କେତେ ଦୂର ବିଦେଶରୁ କେବଳ ଦର୍ଶନପ୍ରାର୍ଥୀ ରୂପେ ନିଜ ନିଜର ଶୁଣାଣି ଗଣ୍ଠିଳି ଧରି ଧାଡିରେ ଅଛନ୍ତି, ଅତଃ ସିଏ ଟିକିଏ ଘୁଞ୍ଚି ଏକ ପାଖକୁ ଠିଆ ହୁଅନ୍ତେ ।ମାତ୍ର ତାଙ୍କ ବ୍ଯବହାର ରେ କିଂଚିତମାତ୍ର ଏତାଦୃଶ ପରିବର୍ତ୍ତନ ବା ସଂକୋଚ ପରିଦର୍ଶିତ ହେଉନଥିଲା ।ସମସ୍ତ ଧାଡିଗତ ଭକ୍ତ ବୃନ୍ଦ ଙ୍କର ଅଶାନ୍ତି ହେବା ସ୍ବଭାବିକ । ଏଇ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମୋର ତିନି ବର୍ଷ ର ଶିଶୁପୁତ୍ର ଲଗା ଯାଇଥିବା କାଠ ବ୍ଯାରିକେଟ ଟିକୁ ଗଳିଯାଇ ସେଇ କ୍ଯାମେରା ଧାରି ମହାଶୟ ଙ୍କର ପାଖରେ ପହଞ୍ଚି ସାରିଥିଲା ଓ ତାଙ୍କୁ ତାର ସାଧ୍ଯ ମତେ ଠାରି ଓ ଦରୋଟି ଶବ୍ଦ ଲଗେଇ ବୁଝେଇବାକୁ ଲାଗିଲା ଯେ “ଏଠାରୁ ଅପହୃତ ହୁଅନ୍ତୁ ।ଦର୍ଶନେ ବାଧା ଉପଜ କରନ୍ତ ନାହିଁ ।”  ତାକୁ ଏତେ ଭିତରେ ଦେଖି ବ୍ଯସ୍ତ ହୋଇପଡିଥିବା ମୋର ସ୍ବାମୀ ଙ୍କୁ ମୁଁ ଶାନ୍ତ ରହିବାକୁ ଠାରିଲି । ବେଳେ ବେଳେ ଈଶ୍ବର ନିଜେ ପ୍ରକଟ ହୋଇ କଥା କହିଥାନ୍ତି ଶିଶୁ ଟିଏ ହୋଇ ।କହୁ କଣ କହିବାକୁ ଚାହୁଁଛି ।ଲୋକଟି କିଛି ପ୍ରତିକ୍ରିୟା ନ ରଖି ତାର କ୍ଯାମେରା ଆଖି ରେ ଆଖି ପୁରେଇ ଥାଏ ।ମୋ ପୁଅ ତାର ଆଣ୍ଠୁ ତଳ ଯାଏ ଉଚ୍ଚ ହୋଇଥିବାରୁ ତାର ଗୋଡ ପ୍ଯାଣ୍ଟ ଧରି ଝିଙ୍କୁଥାଏ । ଏତେ ଗହଳିରେ ନିର୍ବିଚଳ ଲୋକଟି ଏକ ମୂର୍ତ୍ତି ପରି ବ୍ଯବହାର କରୁଥାଏ । ଏ ଦୃଶ୍ୟ କୁ ସେଠାରେ ଥିବା ସମସ୍ତେ ଦେଖୁଥାନ୍ତି ।ପୋଲିସ ରକ୍ଷୀ ଜଣେ ଉଠିଆସି ପୁଅକୁ ମୋର ଧରି ହୀନ୍ଦି ରେ ପଚାରିଲେ,” କଣ ହେଲା? “ସିଏ ହାତ ରେ ଠାରି ଜଣାଇଲା ଯେ ସମସ୍ତଙ୍କୁ ଦର୍ଶନ ରେ ବ୍ଯାଘାତ ଘଟୁଛି ଏଇ ଭଦ୍ର ବ୍ଯକ୍ତି ଜଣକ ପାଇଁ ।ଆଉ ତା ପରି ଏତେ ସାନ ପିଲାକୁ ତ ବିଲକୁଲ ଦିଶୁନି ।” ପୋଲିସ ଜଣକ ତାର ଠାର ବୁଝିପାରି ତୁରନ୍ତ ସେଇ କ୍ଯାମେରା ଧାରୀ ମୂର୍ତ୍ତି ମହାଶୟ ଙ୍କୁ ଏକ କୋଣକୁ ଉଠିଆସିବାକୁ ଇଶାରା ଦେଲେ ଓ ଗହଳିକୁ ଆଖି ବୁଲେଇଲେ ଇଏ କାହାର ପୁଅ ବୋଲି ।ଯଦିଓ ଦର୍ଶନାର୍ଥୀ  ଲାଇନ ଆଗକୁ ବଢୁଥିଲେ, ମୁଁ ଗୋଟିଏ କୋଣକୁ ଲାଖି ଠିଆହୋଇଥିଲି ଜିଦ୍ କରି ଯେ” ମତେ ପୂର୍ଣ୍ଣ ଦର୍ଶନ ନ ଦେବା ଯାଏ ମୁଁ ଏଠୁ ନ ହଲେ ମହେଶ୍ୱର ।” ବର୍ତ୍ତମାନ ଶଙ୍କର ଭଗବାନ ଙ୍କର ସଂପୂର୍ଣ୍ଣ ଦର୍ଶନରେ ମୋ ନୟନ ଯୁଗଳ ଭାବବିହ୍ବଳ ହେଲା । ମୋ ପୁଅ ମୋ ପାଖକୁ ଫେରିଆସିଲା ଆଉ ମତେ କୋଳେଇଧରିଲା ।ମୁଁ ତାକୁ ଟେକିଧରିଲି ଓ ସିଏ ପ୍ରଭୁ ଙ୍କୁ ଚାହିଁ ଦୁଇହସ୍ତ ତୋଳି ଚକୁମୁଦ୍ରିତେ ନମନ କଲା । ଆଃ । ଅପୂର୍ବ ।

କ୍ରମଶଃ …..