ହୃଦୟ ପ୍ରଦୀପ

ମୂଳ ରଚନା : ବାନୁ ମୁଶତାକ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ

ଅଧା ଆଉଜା କବାଟ ଆଡକୁ ମେହରୁନ ପାଦ ବଢେଇଛି କି ନାହିଁ,ହୁଏତ ଭିତରକୁ ଗୋଟିଏ ପାଦ ପକାଇଛି ତ , ତାହାର ଅବ୍ବୁ ଯିଏ କି ସେଇଠି ଗୋଟିଏ ଦିଭାନ ଖଟର ଉପରେ ଶୋଇ ରହିଥିଲା ,ଆଉ ତାହାର ବଡ ଭାଇ ଯିଏକି ଆବ୍ବୁ ସହିତ କ’ଣ କିଛି ଭାରି ଆସ୍ତେ ଲୁଚାଇବସିବା ଭଳି କଥା ହେଉଥିଲା, ଉଭୟେ ସେ ଆସିବାର ଦେଖି ହଠାତ୍ ଚୁପ୍ ହୋଇଗଲେ ଆଉ ତା’ ଆଡକୁ ଚାହିଁ ରହିଲେ । ଠିକ୍ ସେତିକି ବେଳେ ତାହାର ଝିଆରୀ ରାବିଆ ଘର ଭିତରୁ ତା’ ଆଡକୁ ଦୌଡି ଆସେ ଆଉ ଘୋଷଣା କରିବା ଭଳି ବଡ ପାଟିରେ କହେ, ” ମେହରୁନ ଫୁପା ଆସିଛି, ମେହରୁନ୍ ଫୁପା ଆସିଛି ,” ଅମାନ , ତାହାର ବଡ ମଝିଆ ଭାଇ ଆଉ ରାବିଆର ଆବ୍ବୁ,ତାହାର ଘର ଭିତରୁ ପାଟି ଶୁଣି ବାହାରି ଆସେ, ତାହାର ଗାଲରେ ଖିଅର ହେବାର ସାବୁନ ଫେଣ ଲାଗି ରହିଛି,ହାତରେ ସେ ତଥାପି ଧରିଛି ଖିଅରର ବ୍ରସ୍ , ଆସିକି ସେ ବୈଠକ ଖାନାରେ ତା’ ଆଡକୁ ଚାହିଁ ଛିଡା ହୋଇ ରହେ, ସେ ତାହାର ଆଖିକୁ ଏଇଲେ ବିଶ୍ୱାସ କରିପାରୁ ନାହିଁ । ମେହରୁନ୍ ର ବଡ ଭାଉଜ ଯିଏ ଦୋଳି ଖେଳିବା ଭଳି ଗଳାରେ ପିଲାଙ୍କୁ ବସିକି କୋରାନଶରୀଫ ଶିଖାଏ ସେ ବି ବୈଠକଖାନାକୁ ଚାଲି ଆସିଥିଲା ଆଉ ତାହାକୁ ବି ଚାହିଁ ରହିଥିଲା,ଲକ୍ଷ୍ୟ କରିପାରୁନଥିଲା ଯେ ତାହାର ଶାଢୀର ଅଞ୍ଚଳ ଟି ତାହାର ମଥାର ଉପରୁ ସେତିକିବେଳେ ଟିକିଏ ଖସି ଯାଇଛି । ତାହାର ଅମ୍ମି ନିଜର ହାଡ ସରସର ହାତରେ ରହିଛି ତସବିହ୍ (ଜପାମାଳ) ର ଗୋଟି ,ନିଜେ ଯେମିତି ସେ ଚମକି ପଡିଛି ଏଥିରେ , ସେ ବି ଆସିକି ଛିଡା ହୋଇଯାଏ, ସେ ଯେମିତି ଏଇଲେ ପଚାରିବସିବ, ” ଏ କଥା କ’ଣ ସତ ? ସେ କ’ଣ ଆସିଛି ?” ତାହାର ସାନ ଭଉଣୀ ରେହେନା ଆଉ ସାବିହା ବୈଠକ ଖାନାର କବାଟ ପଛରେ ରହି ଉଙ୍କି ମାରି ଦେଖୁଛନ୍ତି,ସେକଥାକୁ ତାଙ୍କର ଖାତିର ନାହିଁ ଯେ ଭିତରେ ସେମାନେ ତାୱା ଉପରେ ଯେଉଁ ରୁଟିକୁ ସେକି ବସିଥିଲେ ତାହା ଏହା ଭିତରେ ପୋଡି ସାରିବଣି । ଆଲ୍ଲାଙ୍କୁ ଧନ୍ୟବାଦ ତାହାର ସାନ ଭାଇ ଆତିଫ ଏତିକିବେଳେ ଘରେ ନାହିଁ ।

ସାରା ଘରଟି ଘଡିକ ପାଇଁ ନିଶ୍ଚଳ ହୋଇଯାଏ। ତା’ ପାଇଁ ଏପରି ଦୃଶ୍ୟ ସଂପୂର୍ଣ୍ଣ ଅପରିଚିତ । ତାହାର ମାଆ ଯିଏ ତାହାକୁ ନିଜର ଗର୍ଭରେ ନଅମାସ କାଳ ପାଳିପୋଷି ବଢାଇଥିଲା ସେ ବି ଏଇଲେ ପାଟି ଖୋଲି କହୁନାହି, ” ଆରେ ତୁ ତ ଆସିଛୁ ! ଆ ,ମାଆ,ଭିତରକୁ ଆ “, ଆଉ ତା’ର ଆବ୍ବୁ ଯାହାର ଫୁଙ୍ଗୁଳା ଛାତିଟି ଉପରେ ତାହାର କୁନି ପାଦରେ ସେ କେତେ ଯେ ନାଚ ନ ନାଚିଛି, ତାହାର ମୁହଁରେ ବି ତାହାକୁ ସ୍ୱାଗତ କରିବା ଭଳି ହସ ଟିକିଏ ଦିଶୁନାହିଁ,ଏପରିକି ତାହାର ବଡ ଭାଇ ଯିଏ ସବୁବେଳେ ମେହେରୁନ୍ କୁ “ମୋ ପରୀ,ମୋ ନୂର ” ବୋଲି କହୁଥିଲା , ଏପରିକି ଅମାନ, ଯିଏ ସବୁବେଳେ ବାଧ୍ୟ କରୁଥିଲା ଯେ, ତାହାକୁ ଆଗ କଲେଜକୁ ପଠାଯାଉ,ସେ ବି ତାହାକୁ ସ୍ୱାଗତ କରିବା ପାଇଁ ସେଇଠି ନାହିଁ । ସେମାନଙ୍କର ବିବିମାନେ ତାହାକୁ ଏବେ ଏପରି ଭାବରେ ଚାହିଁଛନ୍ତି ଯେମିତି ସେ ଆଉ କେଉଁ ଏକ ଗ୍ରହରୁ କାହାକୁ ଦେଖୁଛନ୍ତି ।

ମେହରୁନ୍ ର ହୃଦୟ ଭାଙ୍ଗିଯାଏ । କୋଳରେ କାଖରେ ନଅମାସର ଟିକି ଝିଅଟିଏ ଥିଲାବେଳେ ସେ ରାହା ଧରି କାନ୍ଦିଲା ମାତ୍ରକେ ସଭିଏଁ ନିଜ ନିଜର ଶୋଇବା ଶେଜରୁ ଦିନେ ଉଠିଆସୁଥିଲେ। ତାହାର ବଡ ଭାଇ ତାହାକୁ ଆଗ ପଚାରିଥିଲା, ” ଇନାୟତ କେଉଁଠି ?”

ଯେମିତି କିଛି ଗୋଟାଏ ଅପରାଧ କରି ପକାଇଛି ସେଇଭଳି ସେ ନିଜର ମଥାକୁ ତଳକୁ କରେ ଆଉ ଉତ୍ତର ଦିଏ, ” ସେ ସହରରେ ନାହିଁ।”

“ତାହେଲେ ତୁ କାହା ସାଙ୍ଗରେ ଆସିଛୁ ?”

“ମୁଁ ଏକା ଆସିଛି ।”

“ଏକା ?” ସମସ୍ତଙ୍କ ପାଟିରୁ ଏକାଠି ଏପରି ଶବ୍ଦଟିଏ ବାହାରି ଆସେ,ସେ ସେତେବେଳ ଯାଏଁ ସେଇଠି ବୈଠକଖାନା ର କବାଟ ପାଖରେ ଛିଡା ହୋଇ ରହିଥିଲା ।

” ଫାରୁକ୍ ,ତା’କୁ ଭିତରକୁ ନେ “। ବଡ ଭାଇର ଏପରି ନିର୍ଦ୍ଦେଶ ଜାରି ହେବା ପରେ ହିଁ ମେହରୁନ୍ ଭିତରକୁ ଯାଏ, ତାହାର ଚାଲିଟି ସେତେବେଳେ ଭାରି ଗମ୍ଭୀର ଆଉ ଭାରି ଅସହଜ। ମନେ ହେଉଥିଲା ଏଇଟି ଯେମିତି ଗୋଟିଏ କୋର୍ଟରୁମ୍। ତାହାର ଛୁଆଟି କାନ୍ଦିବାକୁ ଲାଗେ ଆଉ ସେ ନିଜର ବୁର୍ଖାକୁ ନଖୋଲି ନିକାବ ( ଯେଉଁ ବସ୍ତ୍ରରେ ମୁସଲିମ୍ ମହିଳାମାନେ ନିଜର ମଥା ଆଉ ମୁହଁକୁ ଆବୃତ୍ତ କରି ରଖିଥାନ୍ତି ) କୁ ଉପରକୁ କରେ, ଆବ୍ବୁର ଖଟର ଦାଢରେ ଆସି ବସିଯାଏ ଆଉ ଛୁଆର ପାଟିରେ ଥନ ଦିଏ । ସେ ନିଜର ମୁହଁକୁ ଏଯାଏଁ ଧୋଇନାହିଁ । ଛୁଆଟି ଥନଟିକୁ ଶୋଷିଚାଲିଥିବା ବେଳେ ତାହାର ପେଟ ଜଳିବାକୁ ଲାଗେ। ଗଲା ରାତିଠୁ ତାହାର ପେଟରେ କଣିକାଏ ହେବ ଦାନା ପଡିନାହିଁ । ଅମ୍ମିକୁ ଛାଡିଦେଲେ କେହି ଜଣେ ହେଲେ ତାହାର ଏଇ ସାକ୍ଷାତର ବେଳାରେ ସେଇଠି ଆଉ ନାହାଁନ୍ତି ।

“ମେହେର,ଆସିବା ବେଳେ ତୁ କ’ଣ ଘରେ ସମସ୍ତଙ୍କୁ କହି କି ଆସିଛୁ ?”

“ନା “

“କାହିଁକି ? ଘର ଛାଢିବା ଆଗରୁ ଅନ୍ୟମାନଙ୍କୁ କାହିଁକି କହିନୁ ? ତୁ ଆଗରୁ ଠିକ୍ କରି ଆସିଛୁ ଯେ ଆମର ସବୁ ମାନ ସମ୍ମାନକୁ ତଳେ ନିଶ୍ଚେ ପକାଇଦେବୁ !”

“କାହାକୁ କହିଥାନ୍ତି ? ସେଇଠି ଥିଲା କିଏ ? ସପ୍ତାହେ ହେବ ସେ ଘରକୁ ଆସିନି-ଏପରିକି ସେ ମୋତେ କହିନି ଯେ ସେ କୁଆଡେ ଯାଇଛି । ମୁଁ ତ ତମକୁ ସବୁକଥା ଚିଠିରେ ଲେଖିଥିଲି,ହେଲେ ତମେ କିଛି ଉତ୍ତର ଦେଲନି, ମୁଁ ମଲି କି ଗଲି ସେଥିରେ ତମର ଯେମିତି କିଛି ଦାୟ ନାହିଁ ।”

“ତୁ ଚିଠିରେ ଲେଖିଥିଲୁ ତୋର ସ୍ୱାମୀ କେଉଁ ଗୋଟେ ନର୍ସ ସହ କୁଆଡେ ପଳାଇ ଯାଇଛି । ଆଉ ତୁ ଚାହୁଁଥିଲୁ ଆମେ ସମସ୍ତେ ସେଇକଥାକୁ ବିଶ୍ୱାସ କରିବୁ ?”

“ତମର ଯଦି ମୋ କଥାରେ ବିଶ୍ୱାସ ନଥିଲା,ତେବେ ତମର ଆସିବାର ଥିଲା,ଘଟଣାଟି କ’ଣ ତାହା ବୁଝିବାର ଥିଲା । ଅନେକ ଲୋକ ସେ ଦିଜଣକୁ ଏକାଠି ଦେଖିଛନ୍ତି।”

” ଆଉ ଆସିକି ତା’କୁ ଦେଖିବା ପରେ ଆମର କ’ଣ କରିବାର ଅଛି ? ଧର ,ଆମେ ତା’କୁ ଧରିଲୁ ଆଉ ଏ ବିଷୟରେ ତା’କୁ ପଚାରିଲୁ ଆଉ ସେ ଯଦି ମାନିଯାଇ କହିବ ,ହଁ, ଏବୁ ଅକ୍ଷରେ ଅକ୍ଷରେ ସତ – ଆମେ ତାହାପରେ ଆଉ କ’ଣ କରିପାରିବୁ ? ଆମେ କ’ଣ ଯାଇ ମସଜିଦ୍ ଆଗରେ ଗୋଟିଏ ନାଲିଶ୍ କରିବୁ ? ସେ କହିବ, ହଁ ମୁଁ ଗୋଟିଏ ଭୁଲ୍ କରିଛି , ତା’କୁ ଇସଲାମ୍ କବୁଲ କରିବା ପାଇଁ ମୁଁ କହିଛି ଆଉ ତା’ପରେ ତା’ ସହିତ ନିକାହ କରିଛି। ସେମିତି ହୋଇଥିବ ମାନେ ତ ସେ ତୋ’ର ସଂପର୍କରେ ଗୋଟିଏ ସଭାତି ( କନ୍ନଡ ଭାଷାରେ ସଉତୁଣୀ) ହୋଇଗଲା। ଧର, ଆମେ ତା’କୁ ଢେର୍ ଗାଳିଗୁଲଜ କଲୁ,ତା’ପରେ ଆମେ କ’ଣ ଆଉ କରିବୁ ଯେତେବେଳେ ସେ କହିଦେବ, ମୁଁ ମେହେରୁନ୍ ବୋଲି ଏଇ ମହିଳାକୁ ଆଉ ପାଖରେ ରଖିବାକୁ ଚାହୁଁନାହିଁ, ମୁଁ ତା’କୁ ତଲାକ୍ ଦେଉଛି !”

ଏହା ଭିତରେ ମେହେରୁନ ଜୋର୍ ରେ କାନ୍ଦିବାକୁ ଲାଗେ, ଛୁଆଟିର ମୁହଁକୁ ଗୋଟିଏ ଥନରୁ ଆରଟିକୁ ବଦଳ କରି ଦେଇଥାଏ । ବୁର୍ଖାର ତଳୁ ସେରାଗୁ ( କନ୍ନଡ ଭାଷାରେ ଶାଢୀର ଧଡି) ରେ ନିଜର ଆଖି ଆଉ ନାକକୁ ପୋଛିଦିଏ । ଘଡିକର ନିଶ୍ଚଳତା ଘୋଟିଯାଏ ।

“ତାହାର ତେବେ ଅର୍ଥ ହେଉଛି ଯେ,ତମେମାନେ କିଛି କରିପାରିବା ଅବସ୍ଥାରେ ନାହଁ, ମୁଁ ସତ କହୁଛି ତ ?”କେହି କିଛି ଉତ୍ତର ଦିଅନ୍ତି ନାହିଁ । ସେ କହିଚାଲୁ ଥାଏ । ” ମୁଁ ତମର ଗୋଡ ତଳେ ପଡିଲି,କହିଥିଲି ମୁଁ ଏଇଲେ ବାହା ହେବାକୁ ଚାହୁଁନି ,ତମେମାନେ କ’ଣ ଶୁଣିଲ ?” ମୁଁ କହିଥିଲି,ମୁଁ ବୁର୍ଖା ପିନ୍ଧି କଲେଜକୁ ଯିବି । କେତେ କାକୁତି କଲି ମୋ ପଢାକୁ ଅଧାରୁ ବନ୍ଦ କରନି। କେହି ମୋ କଥା ଶୁଣିନି । ମୋ ସାଙ୍ଗରେ ପଢୁଥିବା ଅନେକ ଝିଅ ଏଯାଏଁ ବାହା ହୋଇ ନାହାଁନ୍ତି ଆଉ ଏତିକି ବେଳକୁ ମୁଁ ଅଧାବୟସୀ ପାଲଟି ଗଲିଣି। ମୋ ଉପରେ ପାଞ୍ଚ ପାଞ୍ଚଟା ପିଲାଙ୍କ ବୋଝ । ସେମାନଙ୍କର ବାପ ର ଚାରିଆଡେ ମୁହଁମାରିବାରେ ସଉକ, ଆଉ ଏଣେ ମୋର ଜୀବନ କହିଲେ ଶୁନ୍ । ଯେତେବେଳେ ଜଣେ ପୁରୁଷ ଏପରି ହାରାମ (ପାପ) କାମ କରୁଛି , ତମ ଭିତରେ ଜଣେ କିଏ କିଛି ବି କହିବାକୁ ସାହସ ପାଉନି, ଆରେ ତୁ ଏପରି କାହିଁକି କରୁଛୁ ? ସୁଧୁରି ଯା। “

“ହେଲା, ହେଲା ,ମେହେର , ଯଥେଷ୍ଟ ହେଲା ।” ତାହାର ଅମ୍ମି ଆଖି ଦୁଇଟିକୁ ବୁଜି ପକାଏ ଆଉ ମଥା ତଳକୁ କରେ ।

“ହଁ ଆମ୍ମି ,ମୋ ପାଇଁ ବି ଯଥେଷ୍ଟ ହୋଇଛି । ଆଗ ଲୋକେ ସବୁ ସେମାନଙ୍କ ଭିତରେ ଗୁଣୁଗୁଣୁ କରୁଥିଲେ, ଆଉ ତାହାପରେ ଯେଉଁମାନେ ସେ ଦିଜଣଙ୍କୁ ଥେଟର୍ ରେ ଏକାଠି ଦେଖିଥିଲେ, ହୋଟେଲ୍ କୁ ଏକାଠି ଯିବାର ଦେଖିଥିଲେ ଆସି କି ମୋ ଆଗରେ ସିଧା ସବୁ କଥା କହିଛନ୍ତି। ଆଉ ତଥାପି ତା’ର ଏତିକି ସାହସ ଯେ ତାହା ପରେ ବି ସେ ତାହାର ଘରକୁ ଯିବା ଆସିବା ଜାରି ରଖିଥିଲା। ଆଉ ତାହାପରେ ଯେତେବେଳେ ସଭିଏଁ ତାହାକୁ ମିଶିକି ଗାଳିମନ୍ଦ କରିଥିଲେ ସେ ବେଙ୍ଗାଲୁରୁ ପଳାଇଗଲା,ହଜାର ହଜାର ଟଙ୍କା ଉଡେଇଲା, ଆଉ ସେ ଟୋକୀକୁ ଏଇଠୁ ବଦଳୀ କରି ସେଠିକି ନେଇଗଲା। ଏବେ ଗଲା ଆଠ ଦିନ ହେଲା ସେ ତା’ ସାଙ୍ଗରେ ସେଇଠି ରହୁଚି । ମୁଁ ଆଉ କେତେଦିନ ଏହାକୁ ବରଦାସ୍ତ କରିଥାନ୍ତି ? ମୁଁ ଏବେ ଚଳିବି କେମିତି ?”

“ସବୁର କର୍ ବେଟି, ସବୁର୍ କର୍ । ତୁ ତୋ ପ୍ୟାର ବଳରେ ନିଶ୍ଚେ ତା’କୁ ଠିକ୍ ବାଟକୁ ଆଣିପାରିବୁ।”

“ଆମ୍ମି, ତୁ କ’ଣ ଭାବୁଚୁ ମୋର ହୃଦୟ ବୋଲି କିଛି ନାହିଁ ? ମୋ ପାଖରେ ଭାବ ବୋଲି କିଛି ଚିଜ ନାହି ? ମୋ ସ୍ୱାମୀ ଯିଏ ଏଇଭଳି ମୋତେ ଛାଡିକି ପଳେଇଯାଇଛି ତା’ ପ୍ରତି ମୋର କୌଣସି ସମ୍ମାନ ନାହିଁ । ମୋର ସାରା ଦେହ ଘୃଣାରେ ଶିରିଶିରି ହୋଇଯାଉଛି ଯେତେବେଳେ ମୁଁ ତାହାକୁ ଦେଖୁଚି। ତା’କୁ ପ୍ୟାର୍ କରିବା ତ କାହିଁ ଦୂରର କଥା । ସେ ମୋତେ ତଲାକ୍ ଦବା ଟା କଥା ନୁହଁ , ମୁଁ ତାହାଠୁ ଏଇଟା ଆଦାୟ କରିନେବି। ମୁଁ ସେଇ ଘରଟାରେ ଆଉ ମୋ ପାଦ ପକାଇବି ନାହିଁ। “

“ମେହେର୍ ,ଇଏ ତୁ କ’ଣ କହୁଚୁ ? ବହୁତ ହୋଇଗଲା। ସେ ହେଉଛି ପୁରୁଷ ପୁଅ, ଆଉ ଯଦିବା ତାହାର ପାଦ କେବେ କେଉଁଠି କାଦୁଅକୁ ମାଡିଦେଇଛି ,ଯେଉଁଠି ପାଣି ରହିଛି ସେଇଠେ ତ ସେ ତା’ର ପାଦକୁ ଧୋଇଧାଇ ହେବ ଆଉ ଭିତରକୁ ଆସିବ। ମଇଳା ବୋଲି କିଛି ତା’ ପାଦରେ ଲାଗିକି ଆଉ ନଥିବ ସେତିକିବେଳେ ।”

ସେ କିଛି ଉତ୍ତର ଦେବା ଆଗରୁ ଅମାନ୍ ସେଠିକୁ ପଶି ଆସେ। “ଦେଖ, ଦେଖ, ଆମ ସମସ୍ତଙ୍କର ସାମ୍ନାରେ ସେ କେମିତିକା ବ୍ୟବହାର କରୁଚି ! ସେ ତା’ ଆଗରେ ବି ଠିକ୍ ସେମିତି କିଛି ନିଶ୍ଚେ କହିଥିବ। ଆଉ ସେଇଥିପାଇଁ ସେ ଖୁବ୍ ରାଗିଯାଇଛି ଆଉ ପଳାଇଯାଇଛି ।” ସେ ତାହାପରେ ଟିକିଏ ଅଟକି ଯାଏ ଆଉ ତାହାର ଗଳାକୁ ଟିକିଏ ନରମ କରି କହେ। “ଯଦି ଏଇ ଘରର ବୋହୁମାନେ ଏମିତିକା କଥାକୁ ଶିଖିବସନ୍ତି , ତାହେଲେ ସେଇଟା ଗୋଟେ ବହୁତ ବଡ କଥା ହେବ,ହେବନି ?” ମେହରୁନ୍ ର ଦୁଃଖ ହଠାତ୍ କ୍ରୋଧ ପାଲଟିଯାଏ ଆଉ ତାହାପରେ ତାହା ହତାଶାରେ ସ୍ଥାୟୀ ହୋଇଯାଏ।

“ତୁ ଭଲଭାବରେ ତୋ ଯୁକ୍ତି ରଖିଛୁ, ଆମ୍ମା। ଆଲ୍ଲା ତୋତେ ସଲାମତ ରଖନ୍ତୁ। ଏକଥା ପୁରାପୁରି ସତ : ମୁଁ ହେଉଛି ଖରାପ। ମୋର ଖରାପ ପ୍ରକୃତିରୁ ମୁଁ ସବୁ କିଛି ଶିଖିଛି । ମୁଁ ବାହାରକୁ ବିନା ବୁର୍ଖାରେ ଯାଏନାହିଁ । ସେ କହିଛି ,ବୁର୍ଖା ଛାଡ୍, ଶାଢୀକୁ ନାହିର ତଳକୁ ପିନ୍ଧ୍ ଆଉ ତାହାରି ହାତକୁ ନିଜର ହାତ ସହ ଛନ୍ଦି ରାସ୍ତାରେ ବୁଲିବାକୁ ବାହାରି ପଡ୍। ହେଲେ ତମେମାନେ ତ ମୋତେ ଆରମ୍ଭରୁ ଗୋଟିଏ ବୁର୍ଖାର ଭିତରେ ଢାଙ୍କି ଦେଇଛ ଆଉ ତମେମାନେ ମୋତେ ଏମିତି ବଡ କରିଛ ଯେ,ମଥାରୁ ମୋର ସେରାଗୁ ଟିକିଏ ବୋଲି ଯେମିତି ତଳକୁ ଖସି ନଯାଏ , ନୁହଁ ? ଏହାକୁ ମଥାରୁ କାଢି ଦେଲେ ମୋତେ ଲଙ୍ଗଳା ଲଙ୍ଗଳା ଲାଗେ , ଏବେ ବି। ତମେ ମାନେ ମୋ ଭିତରେ ଆଲ୍ଲାହ ଙ୍କ ପ୍ରତି ଭୟ ପୂରାଇ ଦେଇଛ। ସେ ଯାହା ଯାହା କହିଛି ସେଥିରେ ମୁଁ ରାଜି ହୋଇ ନାହିଁ , ଆଉ ସେଇଥିପାଇଁ ସେ ଆଉ ଜଣକୁ ଧରିଛି ଯିଏ ତାହାରି କଥାରେ ସବୁବେଳେ ଉଠବସ ହେବ। ଆଉ ଏଇଲେ ତମେ ସମସ୍ତେ ଡରୁଛ ଯେ କାଳେ ସେ ଯଦି ମୋତେ ଛାଡିଦେବ ତାହେଲେ ମୁଁ ତମମାନଙ୍କ ଉପରେ ବୋଝ ହୋଇଯିବି । ସେଇଥି ପାଇଁ ତମେମାନେ ସବୁକଥାକୁ ସହିଯିବା ଉପରେ ଜୋର୍ ଦେଉଛ । ହେଲେ ଏହା ଆଉ ସମ୍ଭବ ନୁହଁ। ଜହାନ୍ନମରେ ଦିକି ଦିକି ହୋଇ ଜଳିବା ଅପେକ୍ଷା ,ମୁଁ ମୋର ପିଲାମାନଙ୍କୁ ସାଥିରେ ନେଇଯିବି ଆଉ କେଉଁଠି ନା କେଉଁଠି କୁଲି କାମ କରିବି। ମୁଁ ତମମାନଙ୍କ ଉପରେ ଜମାରୁ ବୋଝ ହେବି ନାହିଁ , କେବେବି ନୁହଁ ।”

” ଫଳଟିଏ ଫଳିଲେ ତାହା କ’ଣ ଗୋଟିଏ ଲତାଗଛର ବୋଝ,କହ ମେହେର୍ ? ଅଯଥା କଥା କହନା।” ତାହାର ଆମ୍ମା ପ୍ରତିବାଦ କରେ।

“ଆମ୍ମା,ତା’କୁ ଭିତରକୁ ନେ,ଆଗ ତା’କୁ କ’ଣ ଦିଇଟା ଖାଇବାକୁ ଦେ”, ଗମ୍ଭୀର ଭାବରେ କହିଥିଲା ତା’ର ବଡ ଭାଇ। “ଆମକୁ ଏଇଲେ ଦଶମିନିଟ ଭିତରେ ଚିକମାଗାଲୁର୍ କୁ ଯିବାକୁ ହେବ। ଯଦି ବସ ମିଳିବ,ତେବେ ବସ୍ ରେ ଯିବୁ ,ନହେଲେ ତ ଗୋଟାଏ ଟାକ୍ସି ଧରିବୁ। ଆମକୁ ଏହାର ଗୀତରେ ଆଉ ନାଚିବାର ନାହିଁ ।”

“ମୁଁ ତମ ଘରେ ଟୋପାଏ ଜଳ ବି ତୁଣ୍ଡରେ ଦେବିନି । ଆଉ ଚିକମାଗାଲୁର୍ କୁ ଯିବା କଥା,ତାହା ବି କରିବିନି। ଯଦି ତମେ ମାନେ ଜୋର୍ ଜବରଦସ୍ତି ମୋତେ ସେଠିକି ନେବା ପାଇଁ ଚେଷ୍ଟା କର,ସତ କହୁଚି ମୁଁ ମୋ ଦେହରେ ନିଜେ ନିଆଁ ଲଗାଇଦେବି !”

“ଏଇଟା ବହୁତ ବେଶି ହୋଇଯାଉଛି, ମେହେର୍। ଯିଏ ମରିବାକୁ ଯାଉଥାଏ ସେ ଏଇ କଥାକୁ ଡାକି ବଜାଇ କହେନା। ଏଇ ଘର ଲୋକଙ୍କର ସମ୍ମାନ ପ୍ରତି ଯଦି ତୋର କିଛି ଦାୟୀତ୍ୱ ରହିଛି ବୋଲି ଭାବିଥାନ୍ତୁ ତେବେ ଏଠିକି ଆସିବା ବଦଳରେ ତୁ ସେଇଠି ଆଗ ସେଇ କାମଟି କରି ସାରିଥାନ୍ତୁ। ଯେଉଁ ଘରକୁ ତୋର ଡୋଲି ଯାଇଛି ସେଇଠୁ ଶେଷରେ ତୋର ଧୋଲା( ଶବଦେହ) ହିଁ ବାହାରିବ । ସେଇଟି ହେଉଛି କୌଣସି ସତ୍ ନାରୀ ର ଜୀବନ। ତୋର ଗୋଟିଏ ଝିଅ ତ ଆସି ହାଇସ୍କୁଲ୍ ରେ ପଢିଲାଣି ; ତୋର ଦି ଦିଇଟା ସାନ ଭଉଣୀ ଏଇଲେ ବାହା ହେବାର ବୟସରେ ଅଛନ୍ତି । ଗୋଟିଏ ପାହୁଣ୍ଡର ଭୁଲ୍ ଆଉ ତମ ମାନଙ୍କ ଭବିଷ୍ୟତର ତାହା କଣ୍ଟା । ତୁ କହୁଛୁ ଯେ ଆମେ ସବୁ ତୋର ପିଲାଳିଆମିର କଥାକୁ ଯେମିତି ଶୁଣୁ ଆଉ ଏଇଠୁ ଯାଇ ତୋ ସ୍ୱାମୀ ସହିତ ସିଧା ହାତାହାତି କରୁ ,ହେଲେ ଆମର ବି ବିବି ଅଛି ଆଉ ପିଲାଏ ଅଛନ୍ତି । ” ଏତିକି କହି ଅମାନ୍ ତା’ର ଭାଇମାନଙ୍କ ପାଖକୁ ଅଳ୍ପ ସମୟ ପାଇଁ ଯାଏ ଆଉ ଫେରିଆସେ ମେହେରୁନ୍ ର ପାଖକୁ,ତାହାକୁ କିଛି ବୁଝାଇବା ପାଇଁ। ବଡଭାଇ କହିଲା, ” ଅମାନ୍ ,ଯା ଚଞ୍ଚଳ ଗୋଟିଏ ଟାକ୍ସି ଡାକି କି ଆଣ୍ ,ଆଉ ତୁ ମେହେର୍,ଯଦି ତୋର ପିଲାଏ କି ପାଖ ପଡୋଶୀ ଏକଥା ପଚାରନ୍ତି ,ସେମାନଙ୍କୁ କହିଦବୁ ଯେ ତୁ ଏଇ କଅଁଳା ଛୁଆକୁ ନେଇ ହସପିଟାଲ୍ କୁ ଡାକ୍ତର ଦେଖାଇବାକୁ ଯାଇଥିଲୁ, ସେମିତି କିଛି କହିବୁ । ହଁ, ତୁ କେତେଟା ବେଳେ ଏଇଠିକୁ ଆସି ପହଞ୍ଚିଲୁ ? “

ମେହେରୁନ୍ କିଛି କହିଲା ନାହିଁ ।

“ଏବେ ନଅଟା ତିରିଶ”, ଅମାନ୍ କହିଲା । “ସେ ଏଠିକି ଆସିଲା ବେଳକୁ ନଅଟା ବାଜିଥିବ । ଆସିବା ପାଇଁ ତିନି ଘଣ୍ଟା ନିଶ୍ଚେ ଲାଗିଥିବ। ତେଣୁ ସେ ସକାଳ ଛଅଟାରୁ ଘର ଛାଡିଛି । ଆମେ ଯଦି ଏଇଲେ ବାହାରିବା ସେଇଠି ପହଞ୍ଚୁ ପହଞ୍ଚୁ ବାରଟା ତିରିଶ ହୋଇଯିବ।

ମେହେରୁନ୍ ଯେଉଁଠି ବସିଥିଲା ସେଇଠୁ ଇଞ୍ଚେ ଆଉ କୁଆଡକୁ ଘୁଞ୍ଚିଯାଇନାହିଁ । ତାହାର ଆମ୍ମା ଆଉ ତାହାର ସାନ ଭଉଣୀମାନେ ଥରକୁ ଥର ପାଟିରେ ଦିଇଟା କ’ଣ ଦେବା ପାଇଁ ଆସି ଅନୁନୟ କରିଚାଲିଛନ୍ତି ,ହେଲେ ସେ ପାଟିରେ ଦାନାର କଣାଟିଏ କି ଟୋପେ ପାଣି ଦେଉନାହିଁ । ଯେତେବେଳେ ଟାକ୍ସିଟା ଆସେ,ସେ କାହାକୁ ପଦଟିଏ କିଛି କହି ନଥିଲା। ବାହାରକୁ ଆସିଥିଲା,ଛାତିରେ ଭିଡିଧରିଥିଲା ତାହାର ସେଇ କଅଁଳା ପିଲାଟିକୁ ,ତାହାର ପଛେ ପଛେ ତାହାର ବଡଭାଇ ମାନେ ଥିଲେ,ସେ ଫେରିଯିବା ବେଳକୁ କାହାକୁ ଖୁଦା ହାଫିଜ ଜଣାଇ ନାହିଁ । କେବଳ ବାହାରକୁ ଆସିବା ବେଳେ ଶେଷ କେଇ ପାହୁଣ୍ଡ ଆଗରୁ ସେ ପଛକୁ ଥରେ ବୁଲି ଦେଖିଥିଲା ସେଇ ଘରଟିକୁ,ଯେଉଁଠି ସେ ଦିନେ ଜନ୍ମ ହୋଇଥିଲା ଆଉ ବଢିଥିଲା। ତାହାର ଆଖି ଲୁହରେ ଛଳଛଳ ହୋଇଗଲା। ତାହାର ଆବ୍ବୁ ଛାତିଟି ଉପରେ ନିଜର ହାତଟି ପକାଇଥାନ୍ତି ଆଉ କାଶୁଥାନ୍ତି । ଆମ୍ମା ସକସକ ହୋଇ କାନ୍ଦୁଥାଏ , ଥରେ ନିଜର ଝିଅ ଆଡକୁ ଚାହୁଁଥାଏ ,ପୁଣି ଚାହୁଁଥାଏ ଶେଜରେ ଶୋଇଥିବା ତା’ର ରୋଗିଣା ପତିକୁ , ତାହାକୁ ଏବେ ସେ ଶେଜରେ ଶୁଆଇ ଦେଇଛି, ବିଞ୍ଚଣା କରୁଛି,ତା’ ଉପରେ ପାଣି ଛାଟୁଛି ଆଉ ନିଜକୁ ନିଜେ କହୁଛି,” ହାୟ ଆଲ୍ଲା,ମୁଁ ଯଦି ଟିକିଏ କିଛି ପୂଣ୍ୟ କରିଥାଏ , ଯଦି ମୋର ସାରା ଜୀବନର ଟିକିଏ ବୋଲି କିଛି ମୂଲ୍ୟ ରହିଛି ,ମୋ ଝିଅର ସଂସାର ବର୍ତ୍ତିଯାଉ ।”

ଅମାନ କାର୍ ର କବାଟଟି ଖୋଲି ଦେଲା,ଆଖିର ଇଶାରାରେ ମେହେରୁନ୍ କୁ ଜଣାଇଦେଲା ଯେ ଏବେ ତାହାର ଚୁପଚାପ ଯାଇ ଗାଡିର ଭିତରେ ବସିଯିବାର ସମୟ ,ମେହେରୁନ୍ ର ତାତିଲା ନିଃଶ୍ୱାସରୁ ଜଣା ପଡୁଥାଏ ଯେ,ତାହାର ଭିତରକୁ ଯିବାର ଟିକିଏ ବୋଲି ଇଚ୍ଛା ନାହିଁ। ଆଗରୁ ଅନେକ ସମୟରେ ସେ ତାହାର ଭାଇମାନଙ୍କୁ ନେଇ ଭାରି ଗର୍ବ କରିଛି। ଯେତେବେଳେ ସେ ତାହାର ଶୋହର ଇନାୟତ ଉପରେ ରାଗିଯାଏ ସେତେବେଳେ ସେ କହିଥାଏ,” ମୋ ଭାଇମାନେ ଶେର-ଇ-ବବ୍ବର,ଆଉ ତୁ ଯଦି ଏମିତିକା ନାଟକ କରିବୁ ତେବେ ସେମାନେ ତୋତେ ଟୁକୁଡା ଟୁକୁଡା କରିଦେବେ ରେ ବଜ୍ଜାତ୍ !” ହେଲେ ତା’ର ସେଇ ଗର୍ବ ଆଜି ଧୂଳିସାତ ହୋଇଯାଇଛି। ତାହାର ଭାଇମାନଙ୍କ କଥା ତାହାର କାନରେ ଭଁ ଭଁ କରେ। ” ତୋର ଯଦି ଆମର ସମ୍ମାନ କୁ ରକ୍ଷା କରିବା ପାଇଁ ସାମାନ୍ୟ ଆଗ୍ରହ ରହିଛି ,ତେବେ ତୁ ଆଗ ନିଜର ଦେହରେ ନିଆଁ ଲଗାଇ ସେଇଠି ମରିଯା, ଏଠିକୁ ଜମା ଆସ ନା !”

କାର୍ ର ଭିତରକୁ ପଶିଯିବା ପରେ ସେ ଆଉ ତାହାର ପୁରୁଣା ଘର ଆଡକୁ ମୁହଁ ବୁଲାଇ ଦେଖିନି- ତାହାର ଆମ୍ମାକୁ କି ତାହାର ଭଉଣୀ ମାନଙ୍କୁ ଆଉ ଦେଖିନି,ସେମାନେ କିନ୍ତୁ ତା’କୁ ପରଦା ପଛରେ ରହି ଉଙ୍କିମାରି ଦେଖୁଛନ୍ତି,ହୁଏତ ତାହାର ଭାଉଜମାନେ ସେତେବେଳେ ଭିତରେ ଘରକାମରେ ବ୍ୟସ୍ତ ରହିଛନ୍ତି। ସେ ଯାହାହେଉ ଲୁହଧାର ତାହାର ଓଢଣା ତଳଦେଇ ତଳକୁ ଗଡି ଆସୁଛି । ସେ ନିଜର ଓଠକୁ କାମୁଡି ଧରି ନିଜର କାନ୍ଦଣାକୁ ଚାପି ଧରିଛି।

କାର୍ ଟି ଦ୍ରୁତ ବେଗରେ ଯାଉଥାଏ। ପଦଟିଏ ହେଲେ କେହି କିଛି କହୁ ନାହିଁ। ଅମାନ ସାମ୍ନା ସିଟ୍ ରେ ଡ୍ରାଇଭରକୁ ଲାଗି କି ବସିଛି,ଟାକ୍ସିର ସେଇ ଡ୍ରାଇଭରଜଣକ ତାଙ୍କ ମହଲ୍ଲା ର ପିଲା। ତାହାରି ସାମ୍ନାରେ କ’ଣ ଘରର ଗୁମର ସବୁକୁ ଖୋଲାମେଲା ଭାବରେ ଚର୍ଚ୍ଚା କରିହେବ ? ତେଣୁ ସେମାନଙ୍କର ଏଇ ଯାତ୍ରା ନୀରବରେ ଶେଷ ହେବା ଏକପ୍ରକାର ଥୟ । ଷୋହଳବର୍ଷର ଲମ୍ବା ସମୟ ଧରି ମେହେରୁନ୍ ସାଜିଛି ଇନାୟତର ପ୍ରେମ ଆଉ କାମନାର ପଶାଖେଳର ଗୋଟିଏ ଗୋଟି। ଆଉ ଏଇ ଷୋହଳବର୍ଷର ସମୟର ପରେ ହିଁ ସେ ତାହାର ନାରୀତ୍ୱକୁ ଅସମ୍ମାନୀତ କରିଛି । ” ତୁ ଜୀବନସାରା ସେଇଠି ଗୋଟିଏ ଶବ ପରି ପଡିରହିବୁ ! କେଉଁ ସୁଖ ସେଥିରୁ ମୋତେ ମିଳୁଥିଲା ?” ସେ ତାହାକୁ ଉଲୁଗୁଣା ଦେଇ କହେ। ” ମୁଁ ତୋତେ କ’ଣ ନଦେଇଛି ? ଖାଇବାରେ କି ପିନ୍ଧିବାରେ କ’ଣ ଊଣା କରିଛି ? ମୋତେ କିଏ ସେ ଅଟକାଇ ରଖିବ ? ବାସ୍, ଯେଉଁ ଖାତୁନଟି ମୋତେ ସୁଖ ଦେଉଛି ମୁଁ ତାହାରି ସହ ରହିଛି !”

ସେ ବାହାରର ଗଛପତ୍ର କି ରାସ୍ତା କି ବଦଳି ଚାଲିଥିବା ଦୃଶ୍ୟକୁ ଦେଖୁନଥାଏ । ଯେତେବେଳେ କାର୍ ଟି ହଠାତ୍ ଅଟକି ଗଲା ଆଉ ସେ ଆଗ୍ରହଶୂନ୍ୟ ଭାବରେ ଦେଖିପାରିଲା ଯେ ସେଇଟି ହେଉଛି ସେଇ ଘର ଯାହାକୁ ସେମାନେ ତାହାର ନିଜ ଘର ବୋଲି କହିଥାନ୍ତି। ଗୋଟିଏ କିଶୋରୀ ମୁହଁଟି ଯାହାର ଶେତା ପଡି ଆସିଛି କାର୍ ର ସାମ୍ନା ସିଟ୍ ପାଖକୁ ଦୌଡି ଆସେ ,କହେ, “ଆମ୍ମି ! ଶେଷରେ ତୁ ଫେରି ଆସିଲୁ! ମୋତେ ଭାରି ବ୍ୟସ୍ତ ଲାଗୁଥିଲା।” ସେ ତା’ ଆମ୍ମିର କୋଳରୁ ସେଇ କଅଁଳା ପିଲାଟିକୁ ଉଠାଇ ନିଏ ,ଛାତିରେ ରଙ୍କନିଧି ଭଳି ଜାବୁଡି ଧରେ ଆଉ ଯେମିତି ଆସିଥିଲା ସେମିତି ଦୌଡି ଯାଏ ଭିତରକୁ।

ମେହେରୁନ୍ ଆସ୍ତେ ଆସ୍ତେ ସେଇ ଘରର ପାହାଚ ଚଢେ। ଘରଟା ଶୁନଶାନ । ଅନ୍ୟ ପିଲାଏ ଏବେ ସ୍କୁଲ୍ ରେ ଅଛନ୍ତି ଆଉ ତା’ର ଷୋହଳ ବର୍ଷ ବୟସର ଝିଅ ଏଇ ସଲମା , ଯିଏ ତାହାର ଅମ୍ମିର କଷ୍ଟ ସହ ନିଜର କଷ୍ଟକୁ ବି ଏକାଠି ଭୋଗି ଚାଲିଛି , ସେ ସେଦିନ ଥିଲା ଘରର ସବୁଠାରୁ
ବଡ। ସଲମା ସେଦିନ ନିଜର ଭାଇଭଉଣୀଙ୍କୁ ଗାଧୋଇ ପାଧୋଇ ମୁଣ୍ଡକୁ କୁଣ୍ଡାଇ ଖାଇବାକୁ ଦେଇ ସମସ୍ତଙ୍କୁ ସେମାନଙ୍କର ପାଠଶାଳାକୁ ପଠାଇଦେଇଛି, ଆଗ୍ରହର ସହିତ ଅପେକ୍ଷା କରିଛି ତାହାର ଆମ୍ମି ବାହାରୁ ଫେରିଆସିବ କେତେବେଳେ ! ମାମୁଁଜାନ ମାନଙ୍କୁ ଅମ୍ମିର ସହିତ ଏକାଠି ଆସିବାର ଦେଖି ସେ ଶାନ୍ତିର ନିଃଶ୍ୱାସ ମାରେ। ସେ ଏବେ ତାହାର ମାମୁଁଜାନ ମାନଙ୍କୁ ଭେଟିବାକୁ ଆଗ୍ରହୀ। ସେମାନେ ସମସ୍ତେ ଏକାଠି ମିଶି ସେଇ ଖାତୁନର ଚୁଟିକୁ ଧରି ଟାଣି ଟାଣି ତା’କୁ ଘରୁ ବାହାର କରିଦେବେ,ସେ ଭାବିବସେ। ଗୋଟିଏ ବୋଲି ପାଦ ତଳେ ପଡୁନଥିବା ହରିଣୀଟିଏ ଭଳି ପରି ଦୌଡି ଦୌଡି ଯାଏ, ଫେରିବା ବେଳକୁ ସେମାନଙ୍କ ପାଇଁ ତାହାର ହାତରେ ହାତରେ ଥାଏ ପ୍ଲେଟ୍ ରେ ବିସ୍କୁଟ୍ ଆଉ କପ୍ ରେ ଗରମାଗରମ ଚା’।

ମେହେରୁନ୍ ଘରେ ତାହାର ନିଜର ରୁମ୍ ରେ ପଡିରହିଥିଲା। ସଲମା ଭିତରକୁ ଆସେ ,ତାହାର ଆମ୍ମିର ମୁହଁରୁ ଲୁହଦାଗ ସବୁକୁ ଟିକିନିଖି କରି ପୋଛି ଦିଏ,ପେଟ ପୂରିବା ଯାଏଁ ଖୁଆଇ ଦିଏ ,ପରେ ଯେତେବେଳେ ସେ ଘରଭିତରୁ ଅଇଁଠା ପ୍ଲେଟ୍ ସବୁକୁ ଉଠାଇନେବାକୁ ଆସିଥିଲା ସେତେବେଳେ ସେ ଶୁଣିବାକୁ ପାଏ ଗୋଟିଏ ନିହାତି ପରିଚିତ ଗଳା।

ସେ ଶୋଇବା ଘରକୁ ଦୌଡି ଗଲା । “ଅମ୍ମି,ଅମ୍ମି, ଆବ୍ବୁ ଆସିଛି ।” ମେହେରୁନ୍ ବାହାନା କରେ ଯେମିତି ଏସବୁର ସେ କିଛି ଶୁଣିନାହିଁ ଆଉ ନିଜର ଘୋଡେଇହୋଇଥିବା କମ୍ବଳଖଣ୍ଡିକର ଅଧିକ ଗହୀରକୁ ସେ ପଶିଯାଉଥାଏ। ତାହାର ମଥାର ଶିରାଗୁଡିକ ଫୁଲିବାରେ ଲାଗନ୍ତି ଯେତେବେଳେ ସେ ଶୁଣିପାରେ ଯେ ସଲମା ବୈଠକଖାନା ଆଡକୁ ଯାଉଛି । ତାହାର ମାମୁଁଜାନ ମାନେ ବାହାରେ ଅଛନ୍ତି ଆଉ ସଲମା ଶୁଣିପାରେ ସେମାନେ ସେଇଠି ବାହାରେ କଥା ହେଉଛନ୍ତି । ସେଇଠି ଗପସପ ଚାଲିଛି,ହସଖୁସି ଚାଲିଛି,ଦୁଆସଲାମ ଚାଲିଛି।

“ଆରେ ଭାୟା ! କେତେବେଳେ ଆସିବା ହେଲା ?” ଇନାୟତ ପଚାରେ।

“ଆମେ ଏବେ ତ ପହଞ୍ଚିଲୁ। ଆଉ ତମର ହାଲଚାଲ୍ କ’ଣ ?”

” ଆଲ୍ଲାଙ୍କ ଦୟାରୁ ଭଲରେ ଅଛି । ଆଉ ଆପଣମାନଙ୍କ ଦୁଆ ।”

ଅମାନ୍ ର ଗଳା ଶୁଭେ, ” କୁଆଡେ ଯାଇଥିଲ ,ଇନାୟତ ଭାଇ ?”

“ଏଇ ଟିକିଏ ବାହାରକୁ। କିଛି କାମ , ଏମିତି ଟୁକୁରୁ ଟାକରା କିଛି ଏଇଠି ସେଇଠି- ତମେ ତ ଜାଣିଛ,ଆମକୁ ଘରେ ବସି ରହିଲେ ଚଳିବ ନାହିଁ। ସଲମା,ଆରେ ବେଟି ସଲମା ..” ଇନାୟତ ଡାକ ପକାଏ । ” ଆରେ ତୋ ଅମ୍ମି ଗଲା କୁଆଡେ? ଦେଖ ତ କିଏ ଆମ ଘରକୁ ଆଜି ଆସିଛନ୍ତି ? ତୋ ଅମ୍ମିକୁ ଯାଇ କହ ସେ ବାହାରକୁ ଆସୁ।”

ଘରର ଭିତର ପଟୁ କିଛି ଶବ୍ଦ ନାହିଁ ।” ଆଶ୍ଚର୍ଯ୍ୟ, କୁଆଡେ ଗଲା ସେ” ଇନାୟତ କହେ। ” ପିଲାଟା ସହ ସେ ଭିତରେ ଥିବ । ମୁଁ ଯାଇ ତା’କୁ ଡାକି ଆଣୁଛି,ରୁହନ୍ତୁ ” । ସେ ଭିତରକୁ ଆସେ ଆଉ ସଲମାକୁ ଦେଖେ। ତାହାକୁ ଚାପା ଗଳାରେ ପଚାରେ , ” ଏମାନେ ସବୁ କେତେବେଳେ ଆସିଛନ୍ତି ? ତୋ ଅମ୍ମି କେଉଁଠି ?” ସନ୍ଦେହର ଅଡୁଆ ସୂତାର ବଣ୍ଡିଲଟିଏ ତାହାର ଖିଅଟିକୁ ଖୋଜିବାକୁ ଲାଗେ ତାହାର ହୃଦୟ ବଖରାରେ।

“ମାମୁଁଜାନ ମାନେ ଏଇ ତ ଆସିଛନ୍ତି। ଅମ୍ମି ଶୋଇ ପଡିଛି ” ସଲମା ଚତୁରତାର ସହିତ ଉତ୍ତର ଦିଏ ।

ଗୋଟିଏ ଦୀର୍ଘଶ୍ୱାସ ଇନାୟତର ନାକପୁଡାରୁ ବାହାରି ଯାଏ ।

“ଏଯାଏଁ ସେ ଉଠିନି ? ତାହାର କ’ଣ ହୋଇଛି ? ” ଶୋଇବାଘରର କବାଟ ପାଖକୁ ଆସେ ସେ । ମେହେରୁନ୍ ଯେମିତି କୁଣ୍ଡଳୀମାରି ଏବେ ଶୋଇଛି ସେଇ କଥାକୁ ଦେଖି ତାହାକୁ ଭାରି ବିରକ୍ତ ଲାଗେ । ନିଜକୁ ମହତ୍ୱପୂର୍ଣ୍ଣ ବୋଲି କହିବା ପଛରେ ମେହେରୁନ୍ ର ଦାବୀ ତ କେବଳ ଗୋଟିଏ,ସେ ତାହାର ପିଲାମାନଙ୍କର ଅମ୍ମି। ଯଦିଓ ସେ ସେମାନଙ୍କୁ ଯଥେଷ୍ଟ ଚାହେଁ,ହେଲେ ତାହାର ପାଦ ଦୁଇଟି ଭିତରକୁ ଯିବାପାଇଁ ସେତେବେଳେ ନାରାଜ ଥିଲେ।

ମେହେରୁନ୍ କଳ୍ପନା କରିନେଉଥାଏ ଯେ,ସେ ଅବିକା ନିଶ୍ଚୟ କବାଟ ପାଖରେ ଛିଡା ହୋଇ ରହିଛି । ତାହାର ପୋଷାକ ପତ୍ର, ସିଗାରେଟ୍ ର ଗନ୍ଧ, ତାହାର ଝାଳୁଆ ଗନ୍ଧ,ତାହାର ବୟସ ଭାରାରେ ଅବନତ ଦେହ, ତାହାର ଗୋଲ୍ ଗୋଲ୍ ଆଖି । ସେଇ ଲୋକଟା ଯିଏ ତାହାର ସ୍ନାୟୁର ପ୍ରତ୍ୟେକଟି ତନ୍ତ୍ରୀରେ ତାହାର ଚିହ୍ନ ଛାଡିଯାଇଛି ସେ ଏଇଲେ ତାହାକୁ କେମିତି ଅଜଣା ଲାଗୁଛି । ସେ କମ୍ବଳ ଭିତରେ ନିଜକୁ ପୂରାପୁରି ଢାଙ୍କି ହୋଇ ,ସେଇ ଲୋକଟାର ପରବର୍ତ୍ତି ଶବ୍ଦସବୁକୁ ଶୁଣିବାକୁ ଲାଗେ।

“ସଲମା,ଆ, ଏଠିକି ଆ । ତା’କୁ କହ, ସେ ଯେମିତି ଏଇ ସବୁ ନାଟକକୁ ତୁରନ୍ତ ବନ୍ଦ କରେ । ଯଦି ସେ ତା’ର ଭାଇମାନଙ୍କୁ ଏଠିକୁ ଡାକିଛି ,ସେମାନେ ମୋତେ ଉପଦେଶ ଦେଇବସିବେ, ତେବେ ଜାଣ୍ , ସେ ନିଜେ ନିଜର ବେକରେ ଫାଶ ବାନ୍ଧୁଛି । ଗୋଟିଏ ନିଶ୍ୱାସରେ -ଏକ,ଦୁଇ,ତିନି- ଏମିତି ତିନି ଥର , ମୁଁ ତାହା କହିପାରିବି ଆଉ ଏସବୁକୁ ସିଧା ଥରକରେ ଫିନିଶ କରିଦେଇ ପାରିବି, ତା’କୁ କହିଦେ । ଆଉ ତାହାକୁ କହିଦେ ଯେ ସେ ନିଜେ ତଲାକସୁଦା ହୋଇଗଲା ପରେ ,ନିଜ ଆଖିରେ ଦେଖିବ ,କେମିତି ସେ ତା’ର ସାନ ଭଉଣୀ ମାନଙ୍କୁ ଆଉ ତାହାର ନିଜ ଝିଅମାନଙ୍କୁ ବାହା କରିଦେବାରେ କେତିକି ସାହାଯ୍ୟ କରୁଛି ! ତାହାକୁ ଏସବୁ କହିଦେ .. ସେ ନିଜେ ମେହମାନମାନଙ୍କ ଆଗରେ ପରିବାରର ସମ୍ମାନକୁ ନଷ୍ଟ କରିଦେବାକୁ ବସିଛି । କହ, ତୋ ଅମ୍ମିକୁ କହ । ସେ ତା’ର ଭାଇମାନଙ୍କୁ ଯାଇ ଆଗ ଆଦରଚର୍ଚ୍ଚା କରୁ। ପଚାରୁ ସେମାନଙ୍କର ଚିକେନ୍ ଲୋଡା ନା ମଟନ୍ ? ,କହ ତା’କୁ ,ସେ ଯେମିତି ଦ୍ୱିପ୍ରହରର ରୋଷେଇକାମ ଶିଘ୍ର ଶିଘ୍ର ଆରମ୍ଭ କରେ ।” ସଲମା ସେଇଠି ପାଖରେ ନଥିଲା,ସେ କିନ୍ତୁ ଏମିତି ସବୁ କଥା କହିଦେଇଥିଲା, କାଳ୍ପନିକ ସଲମା ଯେମିତି ସେଇଠି ଏସବୁ ଶୁଣିଛି ।

ଇନାୟତ ଆଉ ତାହାର ଶଳାମାନେ କଥାବାର୍ତ୍ତା ହେଉଛନ୍ତି ଯେମିତି ପୃଥିବୀରେ କେଉଁଠି କିଛି ଭୁଲ୍ନା ନହିଁ। ସେମାନେ କଫିର ଦାମ୍ ଉପରେ କଥା ହେଉଛନ୍ତି,କାଶ୍ମୀରର ଇଲେକ୍ସନ ବିଷୟରେ କଥା ହେଉଛନ୍ତି,ନିକଟବର୍ତ୍ତି ଇଲାକାରେ ଗୋଟିଏ ବୟସ୍କ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ଘଟଣାର ତଦନ୍ତ ଉପରେ କଥା ହେଉଛନ୍ତି, ମହଲ୍ଲାର ଗୋଟିଏ ମୁସଲିମ୍ ଝିଅ ଗୋଟିଏ ହିନ୍ଦୁ ପୁଅକୁ କେମିତି ବାଜାବାଣ ରୋଷଣୀ ସହିତ ବାହା ହୋଇ ପଡିଛି ସେଇ କଥାର ଚର୍ଚ୍ଚା କରୁଛନ୍ତି, ସେମାନଙ୍କର କଥାରେ ରହିଛି ଏକଥା, ସେକଥା,ସେଇଭଳି ସବୁକଥା । ପ୍ରେସର୍ କୁକର ସିଟି ମାରିବା ଯାଏଁ ସେମାନଙ୍କର ଗପସପ ଚାଲିଥିଲା ଆଉ ପ୍ରେସର କୁକର ର ଢାଙ୍କୁଣୀ ଖୋଲିବା ମାତ୍ରେ ମସଲାର ବାସ୍ନା ଚାରିଆଡ ଖେଳି ବୁଲିଲା,ଚିକେନ୍ ହୋଇଛି , ମେହେରୁନ୍ ରୋଷେଇ କରିଛି ବୋଲି ରୋଷେଇକାମ ଏବେ ଏତେ କମ୍ ସମୟରେ ଶେଷ ,ସଲମା ସମସ୍ତଙ୍କୁ ଖାଇବା ପାଇଁ ବାଢି ଦିଏ । ମେହେରୁନ୍ କିନ୍ତୁ ସେଠିକି ଥରଟିଏ ଆସିଥିଲା, ଘଡିକ ପାଇଁ।

ଖାଇବାଟା ମସ୍ତ ଥିଲା, ପାନରେ ସମସ୍ତଙ୍କର ମୁହଁ ଭର୍ତ୍ତି ,ମେହେରୁନ୍ ର ଭାଇମାନେ ଫେରିଯିବାପାଇଁ ଉଠିବାକୁ ଲାଗିଲେ। ଯିବା ପୂର୍ବରୁ ଅମାନ ଭିତରକୁ ଆସିଥିଲା, ଆସି ରୋଷେଇଘର ର କବାଟ ପାଖରେ ଛିଡା ହୋଇଥିଲା । “ଟିକିଏ ଚାଲାକ୍ ହ ଆଉ ଏଇ ଘଟଣାକୁ ଏଇଠି ଶେଷ କର୍ !” ସେ କହିଥିଲା। ” ମୁଁ ଆସିବି,ଆର ସପ୍ତାହରେ ଆସିବି । ସେ ଠିକ୍ ଏମିତି କିଛଦିନ ବ୍ୟବହାର କରିବ ଆଉ ତାହାପରେ ଦେଖିବୁ ସେ ଆପେ ଆପେ ଏଠିକି ଫେରିଆସିଛି । ତୋତେ ସବୁ ଦାୟିତ୍ୱ ନେବାକୁ ତ ପଡିବ। ମହିଳାମାନେ କେତେ କେତେ ସମସ୍ୟା ଭୋଗିଥାନ୍ତି , ସ୍ୱାମୀଟି ଘୋଡାମଦୁଆ,ଶାଶୁ ସେମାନଙ୍କୁ ପିଟାପିଟି କରୁଛି। ସେଦୃଷ୍ଟିରୁ ତ ତୋ’ ଅବସ୍ଥା ଢେର୍ ଭଲ। ସେ ତ ଅନେକ ପରିମାଣରେ ଦାୟିତ୍ୱବାନ,କଥା ସେତିକିରେ ଥାଉ । ତୁ ହିଁ କେବଳ ଏକମାତ୍ର ଲୋକ ଯିଏ କି ସବୁ କଥାକୁ ସମ୍ଭାଳିନେଇ ପାରିବ।” ମେହେରୁନ୍ ର ଭାଇମାନେ ଚାଲିଯାଆନ୍ତି , କାର୍ ଟି ଯେମିତି ଫେରିବା ପାଇଁ ଷ୍ଟାର୍ଟ ଧରିଛି ଇନାୟତ ବି ସେମିତି ଉଡିଯାଇଥାଏ ଠିକ୍ ସେଇଠୁ ।

ସଲମା ତାହାର ଅମ୍ମିକୁ ଚାହିଁରହେ । ତାହାର ମାମୁଁଜାନ ମାନେ ତାହାକୁ କୌଣସି ସାନ୍ତ୍ୱନା ଦେଇନାହାଁନ୍ତି କି ତାହାକୁ କୌଣସି ପ୍ରକାରେ କିଛି ସାହାଯ୍ୟ କରି ନାହାଁନ୍ତି । ସେ ତାହାର ଅମ୍ମିର ବେଦନାକୁ ନିଜର ଭିତରେ ଅନୁଭବ କରେ। ଆବ୍ବୁ ଚାଲିଯିବାର ଦେଖି ତା’ର ଆଖିରେ ନଈବଢି। ସାରା ଘରଟିରେ ଦୁଃଖର କଳାପରଦା ନଇଁ ଆସେ ଆଉ ତାହାର ଭାଇ ଭଉଣୀମାନେ ଯେତେବେଳେ ସ୍କୁଲରୁ ଫେରିଆସନ୍ତି ସେମାନେ ବି ଦୁଃଖର ସେଇ କଳାପରଦାକୁ ଟିକିଏ ଉପରକୁ ଉଠାଇନେବାକୁ ସମର୍ଥ ହୁଅନ୍ତି ନାହିଁ । ପ୍ରତ୍ୟେକଙ୍କର ନିଜ ନିଜର କାମ , ନିଜନିଜର ବୋଝ ରହିଛି।

ସଂଜ ହେବାରୁ ଆଲୁଅ ମ୍ଳାନ ହୋଇ ଆସିଲେ,ଘର ସାରା ବତୀ ଜଳିବାକୁ ଆରମ୍ଭ କରେ। ମେହରୁନ୍ ର ହୃଦୟରେ ଥିବା ବତୀଟି କିନ୍ତୁ ଅନେକ ଦିନରୁ ଲିଭି ସାରିଛି । ସେ ଏବେ କାହା ପାଇଁ ବଞ୍ଚିରହିବ ? ବଂଚିବାରେ ଆଉ ଅର୍ଥ କ’ଣ ? କାନ୍ଥ, ଛାତ, ଥାଳି ଗିନା, ଚୁଲ୍ଲୀ, ଶେଜ ,ସୁରେଇ ଆଉ ଅଗଣାର ଗୋଲାପ ବୁଦା – କେହି ତାହାର ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ । ତାହାର ଚାରିପାଖରେ ଯେଉଁ ଫାଙ୍କା ଆଖି ହଳକ ଘୁରିବୁଲୁଥିଲା ତାହାକୁ ନିଜର ନଜରକୁ ନେଉ ନଥାଏ ସେ। ଏଇଲେ ତ ସେ ତାହାକୁ ପହରା ଦେଉଛି। ସଲମା ତାହାର ବହିର ସନ୍ଧିରେ ବୁଡି ଯିବାକୁ ଚାହୁଁଥିଲା ; ତାହାର ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ ର ପରୀକ୍ଷା ଦେବାର ଅଛି । ହେଲେ କେଉଁଠୁ ଗୋଟିଏ ଅଜଣା ଆତଙ୍କ ତାହାକୁ ତାହାର ଅମ୍ମି ର ଉପରେ ନିରନ୍ତର ନଜର ରଖିବା ପାଇଁ ବାଧ୍ୟ କରୁଛି। ସେ ତେଣୁ ଆଖପାଖ ଜାଗାକୁ ଛାଡି ଆଉ କୁଆଡକୁ ସେଇଠୁ ଯାଇ ପାରୁନି।

ରାତିର ପ୍ରଶାନ୍ତି ଭିତରେ,ମେହେରୁନ୍ ଅନ୍ଧାରକୁ ତରାଟି ଚାହେଁ । ଯାହାର ଜୀବନ ଭଳି ଠିକ୍ ଏଇ ଅନ୍ଧାର । ପିଲାଏ ଶୋଇପଡିଲେଣି । କେବଳ ଚେତା ଅଛି ସାଲମା,ଡ୍ରଇଂ ରୁମରେ ବସି ପାଠ ପଢୁଛି,ହେଲେ ଅମ୍ମି ଶୋଇଥିବା ବଖରା ଉପରେ ସବୁବେଳେ ତାହାର ନିଘା ।

ମେହେରୁନ୍ ର ଆଖିରୁ ନିଦ ଉଭେଇ ଯାଇଛି। ସେ ଆଶ୍ଚର୍ଯ୍ୟ ହୁଏ , ବାପଘରେ ଥିଲେ ତାହାର ଯୁଦ୍ଧଟି କ’ଣ ସହଜ ହୋଇଥାନ୍ତା ? ବି.କମ୍ ର ଦ୍ୱିତୀୟ ବର୍ଷ ଶେଷ ହେବା ଆଗରୁ ଇନାୟତ ସହିତ ତାହାର ନିକାହ ହୋଇଥିଲା। କେତେ ସେ କାନ୍ଦିଛି, କେତେ ଅନୁନୟ ବିନୟ କରିଛି ସେ ପରୀକ୍ଷା ଦେବ, ହେଲେ ଘରଲୋକେ ସେଥିରେ ଜଣେ କେହି କାନ ଦେଇ ନାହାଁନ୍ତି । ନିକାହ ସରିବାର ସପ୍ତାହେ ବା ଆଉ ଟିକିଏ ପରେ ସେ ଦୋଦୋପାଞ୍ଚ ହୋଇ ତାହାର ସ୍ୱାମୀକୁ ଏକଥା କହିଥିଲା। ସେ ଏଥିରେ ବହେ ହସିଥିଲା ,ତାହାକୁ କହିଥିଲା “ସୁନା” ,”ଡାର୍ଲିଂଗ”, “ମୋ ହୃଦୟ”। “ଦେଖ, ତମେ ଯଦି ଏଇଠି ନରହିବ” ସେ ତାହାକୁ କହିଥିଲା,” ମୋର ନିଃଶ୍ୱାସ କ’ଣ ଅଟକି ଯିବନି ?” ମେହେରୁନ୍ ତାହାକୁ ବିଶ୍ୱାସ କରିଥିଲା , ଯଦି ସେ ତାହାର ସାଥିରେ ନରହେ,ହୁଏତ ତାହାର କ’ଣ କିଛି..। ସେ ସେତେବେଳେ ସନ୍ତୋଷରେ ଝଲମଲ ହେଉଥିଲା। ସେ ତାହାର ସବୁ ଇଚ୍ଛାକୁ ତାହାର ସାଧ୍ୟମତେ ପୂରଣ କରିବାକୁ ଲାଗିଥିଲା। ସେ ଥିଲା ସେଦିନ ଗୋଟିଏ ଦୀପାଳୀ ଯାହା ଇନାୟତର ହୃଦୟକୁ ଆଲୋକିତ କରୁଥିଲା।

ଯେବେ ବର୍ଷକ ତଳେ ତାହାର ଶାଶୁ ଆଉ ଶ୍ୱଶୁର ଉଭୟଙ୍କର ଦେହାନ୍ତ ହୁଏ ସେତେବେଳେ ଯାଇ ଶେଷରେ ତାହାର ସ୍ୱାମୀ ପୂରାପୁରି ତାହାର ହୋଇଥିଲା । ତାହାର ନଣନ୍ଦ ମାନେ ବାହାଚୁଡା ହୋଇ ନିଜର ଶାଶୁଘରକୁ ଚାଲିଯାଇଥିଲେ ଆଉ ଦିଅର ଦେଢଶୁର ମାନେ ନିଜ ନିଜର ଧନ୍ଦାରେ ବ୍ୟସ୍ତ । ସେଇ ପୁରୁଣା ସ୍ୱପ୍ନ,ନିଜର ମନଲାଖି ଖଣ୍ଡିଏ ଘର ,ଅବଶେଷରେ ପୂରଣ ହୋଇଯାଇଥିଲା। କିନ୍ତୁ ଏଇଲେ ଯେତେବେଳେ ମୁହଁରେ ତା’ର ଗାର ପଡିବାକୁ ଆରମ୍ଭ କଲାଣି,ହାତ ଶିରାଳ ପାଲଟି ଯାଉଛି ଆଉ ଆଖିତଳରେ ଗାଢ କଳା ଦାଗ ,ଗୋଇଠି ରେ ଚମ ଫଟା , ନଖସନ୍ଧିରେ ମଳି ଆଉ ମଥାର ଚୂଳ ପତଳା ପଡିଆସିଲାଣି -ଆଉ ଏଇ ସବୁକୁ ସେ ଦେଖିପାରିନାହିଁ । ହୁଏତ ଇନାୟତ ବି ଏହିସବୁକୁ ଦେଖିପାରି ନଥାଏ । ତାହାର ସେଦିନର ସେଇ ଆପେଣ୍ଡିସାଇଟସ ର ଅପରେସନ ହୋଇ ନଥିଲେ ,ସେଇ ନର୍ସଟି,ପ୍ରାଇଭେଟ୍ ହସପିଟାଲ୍ ରେ କମ୍ ଦରମାରେ ଗଧ ଖଟଣୀ ,ଆଖିରେ ଯାହାର ଭରି ରହିଛି ହଜାରେ ସ୍ୱପ୍ନ ଯିଏକି ମୃଦୁମନ୍ଦ ଚାଲିରେ ଅଥବା ପବନରେ ଭାସି ଆସିଥିଲା,କେମିତି କେହି କହିପାରିବ ନାହିଁ , ତାହାର ଉଜ୍ଜଳ ଦେହରଂଗ ଆଉ ମହୁରଂଗର ଆଖି ଯାହା ଜଣକୁ ଟାଣି ନେଇଯିବ ଭଉଁରୀର ଅତଳକୁ,ବୟସ ତାହାର ତିରିଶର ତଳକୁ ଖସି ଯାଇଛି , ଆଉ ସେ ସବୁକିଛି କରିବାକୁ ପ୍ରସ୍ତୁତ, ସବୁକିଛି କହିଲେ ସବୁ କିଛି, ଯାହା ତାହାର ନିଜ ଭବିଷ୍ୟତକୁ ସଜାଡି ନେଇ ପାରିବ, ନିଜର ସ୍ୱପ୍ନ କୁ ସଂତୁଷ୍ଟ କରିଦେବ ।

ଇନାୟତ ସେଇ ନର୍ସକୁ “ସିଷ୍ଟର” ବୋଲି ସମ୍ବୋଧନ କରି ନାହିଁ । ହସପିଟାଲ୍ ରେ ବିତାଇଥିବା ସେଇ ସବୁ ଦିନମାନର ପ୍ରଥମ ଦିନରୁ ହିଁ ସେ ତାହାକୁ ତା’ ବଦଳରେ ତାହାର ନାଆଁ ଧରି ଡାକିଛି ।

ଆଉ ତାହାପରେ ସେ ସେଇ ଜରାୟୁକୁ ଅସମ୍ମାନ କରିଛି ଯାହା ତାହାର ଏତେଗୁଡିଏ ପିଲାଙ୍କୁ ଜନ୍ମ ଦେଇଥିଲା । ସେ ମେହେରୁନ୍ ର ବଦହଜମିର ପେଟକୁ ଢେର୍ ସମାଲୋଚନା କରିଛି, ନଇଁ ଯାଇଥିବା ତାହାର ଶୁଖିଲା ଥନ ଯାହା ତାହାର ପିଲାଙ୍କୁ ଏକଦା ଖାଦ୍ୟ ଯୋଗାଇଥିଲା, ତାହାକୁ ନେଇ ଢେର୍ ମସ୍କରା କରିଛି । ସେ ତାହାର ଆତ୍ମାକୁ ବି ବିବାକ ଲଙ୍ଗଳା କରି ଦେଇଛି। ଦିନେ ସେ କହିଥିଲା, “ତୁ ମୋ ଅମ୍ମି ଭଳି ଦିଶୁଚୁ ” ଆଉ ଏଇ ଭଳି କଥା ତାହାକୁ ଜିଅନ୍ତା ଜହାନ୍ନମକୁ ଯେମିତି ପଠେଇଦେଇଥିଲା । ସେ ଏମିତି କହିବାର କିଛି ମାସର ଭିତରେ ମେହେରୁନ୍ ଗୁଣ୍ଡାଟିଏ ଭାତ ପାଟିକୁ ନେଲା ବେଳେ ତାହାକୁ ଲାଗୁଥିଲା,ଏହା ଯେମିତି ଗୋଟିଏ ପାପ। ତା’କୁ ଲାଗୁଥିଲା ସେ ନିଜର ଘରେ ଅଜଣା ଭଳି ବସବାସ କରିବାଟା ତାହାକୁ କ୍ରମଶଃ ଅଭିଯୁକ୍ତ କରି ଚାଲିଛି, ଅପମାନର ନିଆଁ ତାହାକୁ ପାଉଁଶ କରି ଦେଉଛି ଆଉ ସେଇଥି ପାଇଁ ତ ସେ ନିଜର ବାପଘରର ସାହାଯ୍ୟ ଚାହିଁଥିଲା।

ରାତି ଆହୁରି ଗାଢ ହୋଇ ଆସୁଥାଏ,ମେହେରୁନ୍ ର ଆନ୍ଦୋଳିତ ହୃଦୟ କ୍ରମଶଃ ଅଧିକରୁ ଅଧିକ ପଥର ହେବାକୁ ଲାଗେ। ସେ ନିଜକୁ କେବେ ଏମିତି ଏକେଲା ଭାବି ନାହିଁ । ତାହାର ଏବେ କାମନା କହିଲେ କିଛି ନାହିଁ ,ସେ ଊଠି ଶେଜରେ ବସେ । ତାହାକୁ ପଚାରିବାକୁ ଏଇଲେ କେହି ଜଣେ ନାହିଁ । କେହିଜଣେ ତାହାକୁ ଚିମୁଟି ଦେବାକୁ ନାହିଁ, ଆଲିଙ୍ଗନ କରିବାକୁ ନାହିଁ, ଚୁମାଟିଏ ଦେବାକୁ ନାହିଁ । ଯେଉଁ ଲୋକଟି ଦିନେ ଏଇ ସବୁ କାମ କରୁଥିଲା, ସେ ଏଇଲେ ଅନ୍ୟର । ତାହାକୁ ଲାଗୁଛି ଜୀବନରେ ଶେଷ ବୋଲି କିଛି ନାହିଁ । ପଛରୁ ଯେଉଁ ପାଟିତୁଣ୍ଡ ଶୁଭୁଛି ତାହା ଆଉ ତାହାକୁ ଆଲୋଡିତ କରୁନାହିଁ । ସେ ଜାଣିଗଲା ଯେ ଗୋଟିଏ ଫ୍ରେମବନ୍ଧା ଫଟୋ ତଳକୁ ଖସିପଡିଛି, ତଳେ ଚାରିଆଡେ ଭଙ୍ଗା ଆଉ ଚୂନା କାଚ, ଆଉ ସେଇ ଫ୍ରେମ୍ ଟି ଖଣ୍ଡ ଖଣ୍ଡ ହୋଇଯାଇଛି ଆଉ ସେଥିରୁ ବାହାରି ଆସି ଚଟାଣ ରେ ପଡିଛି ସେଇ ଫଟୋଗ୍ରାଫ ଖଣ୍ଡିକ। ହେଲେ ତା’ ଭିତରେ ଘରକୁ ସଜାଡି ଦେବାର ଆକାଂକ୍ଷା ଆଉ ଏଇ ଭଙ୍ଗାରୁଜାକୁ ଓଳାଇଦେବାର ଆଗ୍ରହ ଆଉ ରହି ନାହିଁ । ସେ ଆସ୍ତେ ଆସ୍ତେ ଶେଜରୁ ଉଠେ । ଅନେକ ସମୟ ଧରି ଚାହିଁ ରହେ ତାହାର ଏଇ କଅଁଳା ପିଲାକୁ ତାହାପରେ କବାଟ ଆଡକୁ ଆଗେଇ ଯାଏ । ତାହାର ସାନ ସାନ ପିଲାଏ ନିଦରେ ଶୋଇଛନ୍ତି ଭାରି ଆନନ୍ଦରେ।

ବୈଠକଖାନାରେ ଯାଇ ସେ ପହଞ୍ଚିଲା ବେଳେ ସେଇଠେ ସେ ଦେଖେ ସଲମାକୁ, ସଲମା ସେଇଠି ବସି ପାଠ ପଢୁଥିଲା,ଏବେ ଶୋଇ ପଢିଛି, ଟେବୁଲ୍ ଉପରେ ଭରା ଦେଇ ରହିଛି ତାହାର ମଥାଟି । ସେ ସେଇଠି ଛିଡା ହୋଇ ରହିଲା, ତାହାର ଏଇମାତ୍ର ନିଦେଇ ଯାଇଥିବା ଝିଅଟିର ପାଖରେ, ଆଉ ସେ ତାହାକୁ ଉଠେଇବାକୁ ଲାଗେ। ସେ ଧରିନେଇଥିଲା ଯେ ତାହାର ସମସ୍ତ ଆବେଗ ଏଇଲେ ମୃତ,ମାତ୍ର ସଲମାକୁ ନିଦରେ ଶୋଇଥିବା ଭଳି ଦେଖୁଥିବା ବେଳଟି ତାହାକୁ କେମିତି ଚୁନଚୁନା କରିଦେଉଥିଲା । ଝିଅର ମଥାରେ ହାତ ରଖିବା ଭଳି ଦୁର୍ବାର ଇଚ୍ଛାଟିକୁ ସେ ଯଥାସମ୍ଭବ ସଂଜତ କରି ରଖିଥିଲା ଆଉ ମନେ ମନେ ତାହାକୁ କହିଥିଲା, ” ତୁ ଏଇ ପିଲାମାନଙ୍କର ଅମ୍ମି ହେବୁ,ଝିଅଟି ମୋର ।”

ତାହାର ପାଦ ତାହାକୁ ଆଗକୁ ନେବାକୁ ଲାଗେ। ସେ କବାଟକୁ ଖୋଲେ ଆଉ ଆସି ସାମ୍ନା ଅଗଣାରେ ପାଦ ଦିଏ । ଯେଉଁ ଚାରାଗଛ ଗୁଡିକୁ ସେ ଅନେକ ଦିନ ଧରି ପାଣି ଦେଇ ଆସୁଥିଲା ,ଲାଗୁଥିଲା ସେଗୁଡିକ ଯେମିତି ଏଇଲେ ଲୁହ ଗଡାଉଛନ୍ତି । ଲାଗୁଥିଲା ସେମାନେ ଯେମିତି ସେ ଯେଉଁ ନିଷ୍ପତ୍ତି ନେଇସାରିଛି ତାହାକୁ ନିଜନିଜର ସମର୍ଥନ ଜଣାଉଛନ୍ତି । ତାହାପରେ ସେ ଭିତରକୁ ଆସେ ,ଭିତରୁ କବାଟକୁ କିଳିଦିଏ,ରୋଷେଇ ଘରକୁ ଯାଏ, ସେଇଠୁ କିରୋସିନ୍ ଟିଣକୁ ଧରି କି ଆସେ ଆଉ ଘର ସାରା ଟିକିଏ ବୁଲିବାକୁ ଲାଗେ, ସେ ଠିକ୍ କରିପାରୁନଥାଏ ଠିକ୍ କେଉଁ ସ୍ଥାନରେ ସେ ନିଜର ଉପରେ କିରୋସିନ୍ ଢାଳିବାକୁ ଯିବ। ବୈଠକଖାନାକୁ ଯିବା ଆଗରୁ ସେ ନିଜର ଘୁମନ୍ତ ପିଲାଙ୍କୁ ଦେଖିବା ପାଇଁ ଟିକିଏ ଅଟକି ଯାଏ।

ସଲମା ଆଡକୁ ସେ ଚାହିଁ ନାହିଁ ।

ସେ ତରତର ହୋଇ ରୋଷେଇ ଘରକୁ ଚାଲିଯାଏ, ଦିଆସିଲ ଡବାକୁ ଉଠାଇ ଆଣେ , ଡାହାଣ ହାତରେ ସେଇ ଡବାଟିକୁ ଖୁବ୍ ଜୋର୍ ରେ ଧରିଥାଏ ସେ। ତାହାପରେ ଅତି ଆସ୍ତେ ସାମ୍ନା କବାଟର ଶିକୁଳୀଟିକୁ ଖୋଲେ ଆଉ ପୁଣିଥରେ ଆସେ ଅଗଣାକୁ। ସେ ବାହାରର ଅନ୍ଧାରକୁ ତରାଟି ଦେଖେ, ଏବଂ ଯେତେବେଳେ ସେ ନିଜର ଦେହର ଉପରେ କିରୋସିନ ଟିଣଟି ଢାଳିବାକୁ ଯାଏ ସେତେବେଳେ ସେ ନିଜର ଭାବନାରେ ନିଶ୍ଚିତ ଥାଏ ଯେ ଏଇ ପୃଥିବୀରେ ତା’ପାଇଁ କେହି ଜଣେ ନାହାଁନ୍ତି , କେହି ଜଣେ ତାହାକୁ ଚାହାଁନ୍ତି ନାହିଁ । ସେ ସେତେବେଳେ ଏମିତି ଏକ ଶକ୍ତିର ପ୍ରଭାବରେ ରହିଥାଏ ଯାହାକୁ କେହି ନିଜର ନିୟନ୍ତ୍ରଣକୁ ଆଣି ପାରିବ ନାହିଁ । ସେ ଚାରିଆଡକୁ ଦେଖେ, କେଉଁଠୁ ଆସୁଥିବା କିଛି ଶବ୍ଦ ତାହାକୁ ଛୁଇଁଯାଏ ନାହିଁ, ସେ କାହାର ଛୁଆଁ ଅନୁଭବ କରେନାହିଁ , ତା’ ପାଖରେ କୌଣସି ସ୍ମୃତି ନାହିଁ , କୌଣସି ସଂପର୍କ ତାହାକୁ ଭେଦ କରିଯାଉନାହିଁ। ସେ ତାହାର ଚେତନାର ବାହାରେ ଥିବା ଏମିତି ଏକ ଇଲାକାରେ ରହିଛି।

ମାତ୍ର ସବୁକିଛି ଘରର ଭିତରେ ଘଟୁଥିଲା, ସେଇଠି କଅଁଳା ପିଲାଟିକୁ ଭୋକ ଲାଗେ ଆଉ ତାହାର ରାହାଧରି କାନ୍ଦିବା ଶବ୍ଦରେ ସଲମାର ନିଦ ହଠାତ୍ ଚାଇଁକରି ଭାଙ୍ଗିଯାଏ,ଗୋଟିଏ ଝଟକାରେ ସେ ନିଦରୁ ଉଠି ଦୌଡି ଯାଇ ପିଲାଟାକୁ ନିଜର ଛାତିକୁ ଆଉଜାଇ ଆଣେ ,ଆଉ ପାଟି କରି ଡାକ ଦିଏ, “ଅମ୍ମି, ଅମ୍ମି ..”, ଅମ୍ମିକୁ ଆଖପାଖରେ ଦେଖି ନପାରି ସେ ଦୌଡିଯାଏ ସେଇ ଘରଟିର ଭିତରକୁ ଯେଉଁଠି ତାହାର ଅନ୍ୟ ଭାଇଭଉଣୀମାନେ ଶୋଇପଡିଥାନ୍ତି, ଆଉ ତାହାପରେ ଘରସାରା ତାହାର ଅମ୍ମିକୁ ଖୋଜିବସେ ,ବାହାରର କବାଟ ଖୋଲା ଥିବାର ଦେଖି ସେ ଅଗଣା ଆଡକୁ ଦୌଡିଯାଏ ,ଅସ୍ପଷ୍ଟ ଭାବରେ ଅନ୍ଧାରରେ ସେ ଦେଖିପାରେ ତାହାର ଅମ୍ମିର ଅବୟବ, ନାକରେ ତା’ର ବାଜେ କିରୋସିନର ଗନ୍ଧ। ବିନା କିଛି ଚିନ୍ତାକରି ସେ ଆଗକୁ ଦୌଡିଯାଏ , ଛାତିରେ ତା’ର ରହିଥାଏ ସେମିତି ସେଇ କଅଁଳା ପିଲାଟି,ଦୌଡି ଯାଇ ସେ ତାହାର ଅମ୍ମିକୁ ଆଗ ଗୋଟିଏ ହାତରେ ଜାବୁଡି ଧରେ, ଯେତେ ଶକ୍ତି ଅଛି ସେଥିରେ ଜାବୁଡି ଧରେ । ତାହାର ଅମ୍ମି,ହାତରେ ତାହାର ଦିଆସିଲ୍ ଡବା, ତାହାକୁ ଏପରି ଜାବୁଡି ଧରିଥିବା ତାହାର ଝିଅଟିକୁ ସେ ନିହାତି ନିଷ୍ପୃହ ଭାବରେ ଚାହେଁ, ସେ ହୁଏତ ସେତିକିବେଳେ ଆଉ କାହାର ଅପେକ୍ଷାରେ ରହିଥିଲା। ସଲମା ପିଲାଟିକୁ ତଳେ ଶୁଆଇଦେଲା ଆଉ ପାଟିକରି କାନ୍ଦିବାକୁ ଲାଗିଲା , “ଅମ୍ମି, ଅମ୍ମି ! ଆମକୁ ଛାଡି ଯାଆନା ଯାଆନା ରେ..।” ସେତେବେଳେ ତାହାର ଗୋଡ ଦୁଇଟିକୁ ଜାବୁଡି ଧରିଥିଲା ସେ ।

ସଲମା କଇଁକଇଁ ହୋଇ କାନ୍ଦୁଥିଲା ଆଉ ତଳେ ଭୂଇଁ ରେ କାନ୍ଦୁଥିଲା ସେଇ କଅଁଳା ପିଲାଟି । ମେହେରୁନ୍ ସେମାନଙ୍କୁ ଦେଖେ , ଏଇ ଯେଉଁ ଅଦ୍ଭୁତ ଶକ୍ତିର ଫାଶରେ ସେ ପଡିଯାଉଛି ସେଥିରୁ ସେ ନିଜକୁ ମୁକୁଳାଇବାକୁ ଲଢୁଥାଏ ଏବଂ ସେତିକି ବେଳେ ଧରିଥିବା ଡିଆସିଲ୍ ଡବାଟି ତାହାର ହାତରୁ ତଳକୁ ଖସି ପଡିଥିଲା । ସଲମା ତଥାପି ତାହାର ଗୋଡଦୁଇଟିକୁ ଧରି ରଖିଥାଏ । “ଅମ୍ମି “, ସେ କହୁଥିଲା, ” ଯେହେତୁ ତୁ ଜଣେ ଲୋକକୁ ହଜାଇ ଦେଇଛୁ , ତୁ ତାହେଲେ ଆମ ସମସ୍ତଙ୍କୁ ସେଇ ଖାତୁନ୍ ର ଦୟା ରେ ରହିବା ପାଇଁ ଫୋପାଡି ଦେଉଛୁ ତ ? ତୁ ଆବ୍ବୁ ପାଇଁ ପ୍ରାଣଘାତୀ ହେବାକୁ ଯାଉଛୁ , ଆମମାନଙ୍କ ପାଇଁ ତୋର କ’ଣ ବଞ୍ଚିରହିବା ହବନି ? ତୁ ଆମକୁ କେମିତି ୟତିମ୍ (ଅନାଥ) କରିଦେଇ ପାରିବୁ , ଅମ୍ମି ରେ..” ତାହାର ଏପରି କଥା ନୁହଁ ତାହାର ଛୁଆଁଟି ମେହେରୁନ୍ ର ଉପରେ ଗାଢ ପ୍ରଭାବ ପକାଏ ।

କାନ୍ଦୁଥିବା କଅଁଳା ପିଲାଟିକୁ ସେ ତଳୁ ଉଠାଇ ନିଏ, ଆଉ ସଲମାକୁ ନିଜର ଛାତି ଉପରକୁ ଆଉଜାଇନିଏ ସେ ଆଉ ତାହାକୁ ଲାଗେ ଯେମିତି ତାହାର ଉପରୁ ଗୋଟାଏ ବିରାଟ ବୋଝ ଅପସରି ଯାଇଛି । ଯେମିତି ଅସଲରେ ଜୀବନରେ କେହି ବନ୍ଧୁ ଜଣେ ତା’ହାକୁ ବୁଝିପାରିଛି,ତାହାକୁ ସାନ୍ତ୍ୱନା ଦେଇଛି , ମେହେରୁନ୍ ଆଖି ଦୁଇଟି ଲୁହରେ ଛଳଛଳ ହୋଇଗଲା , ଆଉ ଗାଢରଂଗର ରାତିଟି ଟିକିଏ ଫର୍ଚ୍ଚା ହୋଇ ଆସିବା ବେଳକୁ ସେ କେବଳ ଏତିକି କହିପାରିଥିଲା : “ମୋତେ ମାଫ୍ କର,ମୋ ଜାନ୍ ! “

°°°°°

କାହାଣୀରେ ବସ୍ତୁତଃ ଏଇପରି ହୃଦୟଟି ଗୋଟିଏ ପ୍ରଜ୍ଜଳିତ ପ୍ରଦୀପ ହୋଇଯାଏ।

ବଞ୍ଚିବା ସପକ୍ଷରେ,ସହଭାଗ ଆଉ ଏକ ଆତ୍ମୀୟପଣର ଏକ ବଳିଷ୍ଠ ଯୁକ୍ତି ଆବଶ୍ୟକ। ସେଇଥିପାଇଁ ଆମମାନଙ୍କ ଯାପିତ ଜୀବନରେ ସବୁବେଳେ ଲୋଡା ସଂପୃକ୍ତ କାହାଣୀର ଚରିତ୍ର “ସଲମା” ଭଳି ଏକ ଉଜ୍ଜଳ ପାକଦଣ୍ଡୀ।

କାହାଣୀ ଉପରେ ଆଉ ଅଧିକ ବିଶ୍ଳେଷଣ କରୁନାହିଁ।

ସଂପ୍ରତି ୨୦୨୫ ମସିହା ପାଇଁ “ଇଣ୍ଟରନେସନାଲ୍ ବୁକର ପୁରସ୍କାର “ରେ ସମ୍ମାନୀତ ପ୍ରଖ୍ୟାତ କନ୍ନଡ ଭାଷାର ତଥା ଭାରତୀୟ ଲେଖିକା ଶ୍ରୀଯୁକ୍ତା ବାନୁ ମୁଶତାକଙ୍କର ଗଳ୍ପ ସଂକଳନ “ହାର୍ଟ ଲାମ୍ପ” ର ଶୀର୍ଷକ ଗଳ୍ପଟିର ଅନୁସୃଜନ ଏଇଠି ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *