ଫ୍ରାନଜ କାଫକାଙ୍କ ପାଞ୍ଚଟି ଛୋଟ ଗପ

ଟ୍ରାମର ଶେଷ ବଗିରେ

ଟ୍ରାମର ଶେଷ ବଗିରେ ମୁଁ ଏବେ ଛିଡା ଏବଂ ସମ୍ପୂର୍ଣ ଅନିଶ୍ଚିତ ପୃଥିବୀ ଉପରେ ମୋ ପାଦଙ୍କର ସ୍ଥିତିକୁ ନେଇ; ଏ ସହରରେ, ମୋ ପରିବାର ବର୍ଗଙ୍କ ମଧ୍ୟରେ ମୋ ସ୍ଥିତି ଉପସ୍ଥିତି ବିଷୟରେ | କୌଣସି ନିର୍ଦ୍ଧିଷ୍ଟ ଦିଗରେ ମୁଁ ଯାଉଥାଇପାରେ, ଏ ଭଳି ସାଧାରଣ କଥା ମଧ୍ୟ ନିଶ୍ଚିତତା ସହ କହି ପାରିବା ମୋ ଲାଗି ସମ୍ଭବ ନଥାଏ | ଏହି ଶେଷ ବଗି ଦ୍ୱାର ପାଖେ ଛାତର ରଡ଼ରୁ ଝୁଲୁଥିବା ସ୍ଟ୍ରାପ୍କୁ ଧରି ମୁଁ ଛିଡା ହୋଇଥିବା, ମତେ ନେଇ ଟ୍ରାମ ଚାଲିଥିବା, ଟ୍ରାମକୁ ତା ପୋଇ ଉପରେ ଦୌଡିବା ଲାଗି ଲୋକମାନେ ବାଟ ଛାଡ଼ି ଦେଉଥିବା, ଅନ୍ୟମାନେ ଧୀର ଓ ନିରବ ସେମାନଙ୍କ  ବାଟ ଚାଲୁଥିବା କିମ୍ବା ଦୋକନକଂ ସାଜସଜ୍ଜାଙ୍କୁ ଚାହିଁ ଛିଡା ରହିଥିବା, କୌଣସି ବିଷୟରେ ବି କିଛି ବି ମନ୍ତବ୍ୟ, ସ୍ୱାଭାବିକ ମୋ ଲାଗି ସମ୍ଭବ ନଥିବା | ସ୍ୱାଭାବିକ ମଧ୍ୟ ସେହି ଭଳି କିଛି କେହି ମଧ୍ୟ କେବେ ଆଶା କରୁ ହିଁ ନଥିବା; ତେଣୁ ସମ୍ପୂର୍ଣ ଅପ୍ରାସଙ୍ଗିକ ଏହି ସବୁ କଥା ମୁଁ ଏବେ ଭାବୁ ଥିବା |

ଧୀରେ ଧୀରେ ଗୋଟିଏ ଷ୍ଟପ୍ ରେ ଟ୍ରାମ ପହଞ୍ଚେ ଓ ଡୋରତଳ ଷ୍ଟେପ୍ ଉପରେ ପାଦଟିଏ ଥାପି ଝିଅଟିଏ ଚଢିବା ଲାଗି ଉଦ୍ୟତ | ମତେ ସେ ଏଭଳି ଆପଣାର ମନେହୁଏ ସତେ ଯେପରି ମୁଁ ତା ଶରୀର ମୋ ହାତର ସ୍ପର୍ଶରେ ଚିନହୀ ଥାଏ | 

ଝିଅଟିର ସମ୍ପୂର୍ଣ ପରିଧାନ କଳା ରଙ୍ଗର, ସିଧା ସିଧା ଲମ୍ବିଯାଇଥିବା ସ୍କର୍ଟର ଫୋଲଡ଼ ସବୁ ପୁରାପୁରି ସ୍ଥିର, ବ୍ଲାଉଜ ଟିକିଏ ଅଧିକା ଟାଇଟ ଓ ବ୍ଲାଉଜର କୋଲାର ସୂକ୍ଷ୍ମତାର ସହ ବୁଣା ସଫେଦ ରଙ୍ଗର ଝାଲେରୀ | ତାର ବାଁ ହାତ ଟ୍ରାମର ଡୋର-ରଡ଼କୁ ଧରିଥିବା ବେଳେ ଡାହାଣ ହାତରେ ଛତାଟିଏ | ଝିଅଟିର ହାଲ୍କା ତମ୍ବା ବର୍ଣ୍ଣର ମୁହଁରେ ନାକଟି ଦୁଇପଟକୁ ସାମାନ୍ୟ ଦବିଯାଇଥାଏ | ଲମ୍ବା ବହଳ କେଶ, କପାଳର ଡାହାଣ ପାଖରେ ଛୋଟ ଛୋଟ  ଲତା-ତନ୍ତୁ ଭଳି କେତୋଟି ଝୁଲନ୍ତା ଖିଅ | ମୁଁ ଝିଅଟିର ବହୁତ ପାଖରେ ଥିବାରୁ  ସ୍ପଷ୍ଟ ଦେଖି ପାରୁଥିଲି ତାର ସୁନ୍ଦର ଭାବେ ଆବର୍ତ୍ତିତ ଡାହାଣ କାନ, ଏପରିକି କାନମୁଣ୍ଡା ଉପରେ କାନର ହାଲ୍କା ଛାଇ |

ସେଇ ମୁହୁର୍ତରେ ମୁଁ ନିଜକୁ ପଚାରୁଥିଲି : ଝିଅଟି ନିଜକୁ ନେଇ କିପରି ବା ଆଚମ୍ବିତ ନହୋଇ ରହି ପାରୁଥାଏ; କିପରି ବା ନିଜକୁ ନେଇ ସେ ତାର ଵିସ୍ମିତତା ପ୍ରକାଶ ନକରି ଓଠକୁ ଓଠରେ ଚାପି ଚୁପ ରହିଯାଇ ପାରେ !

ସାହି ରାସ୍ତାକୁ ଖୋଲୁଥିବା ଝରକା

ଯେ କେହି ନିଃସଙ୍ଗତାର ଜୀବନ ବଞ୍ଚିଛି କିନ୍ତୁ କେବେ କେମିତି ଋତୁକଂର ଭିନ୍ନତାରେ ଓ  ଦିନମାନଙ୍କର ବଦଳୁଥିବା ବେଳ ଅବେଳରେ, କିମ୍ବା ନିଜର ଦୈନନ୍ଦିନ ଚଳଣିରେ ପରିବର୍ତ୍ତନକୁଂ ନେଇ, ହଠାତ ଖୋଜି ହୋଇଥାଏ କାହାର ସାନିଧ୍ୟ ଯାହା ସହ କିଛିଟା ମୁହୂର୍ତ୍ତ ସେ ସଟେଇ ହୋଇ କଟେଇ ଦେଇ ପାରେ; ଅବଶ୍ୟ ସେ ସାହି ପଟକୁ ଖୋଲୁଥିବା ଝରକା ଠାରୁ ବେଶୀ ସମୟ ଦୂରେଇ ରହି ପାରେନାହିଁ | ଯଦି ବି ସେ ନିହାତି ଅବସନ୍ନ ଅଥବା କିଛି ବି ଚାହୁଁ ନଥିବା ଏକ ମାନସିକତାରେ ସେହି ଝରକା ପାଖରେ ପହଞ୍ଚେ, ତା ଦୃଷ୍ଟି ସାହିର ଲୋକବାକ ଠାରେ ନୁହେଁ ଆକାଶ ଦିଗରେ ହିଁ ଥାଏ କିନ୍ତୁ ଶୀଘ୍ର ତା ଦୃଷ୍ଟି ସାହି ଉପରକୁ ଓ଼ଲ୍ଳେହି ହିଁ ଆସେ ଯଦିଚ ବା ସେ ସବୁ ଦୃଶ୍ୟ ପ୍ରତି ତା ମନ ହିଁ ନଥାଏ ଏବଂ ସେଥି ଯୋଗୁଁ ସେ ତା ମୁଣ୍ଡକୁ ବେକ ଉପରେ ପଛକୁ ଓଟାରି ରଖିଥାଏ, ସବୁ ସତ୍ୱେ କିନ୍ତୁ ସାହି ରାସ୍ତାରେ ଗୋଟେ ପରେ ଗୋଟେ ଗାଡି ମାନକୁ ଟାଣି ନେଉଥିବା ଘୋଡାମାନେ ସେମାନଙ୍କ ବିତ୍ପାତିଆ ଶବ୍ଦରେ ତା ମନକୁ ତଳକୁ ହିଁ ଟାଣୁଥିବେ ଏବଂ ସେଥି ସହ ତାକୁ ଟାଣିନେଇ ସାମିଲ କରି ଚାଲିଥିବେ ସଂସାରର ନିରନ୍ତର ସଂଗତି ଓ ଅସଙ୍ଗତି ମାନଙ୍କ  ମଧ୍ୟରେ ……

ସାଂଚୋ ପାଞ୍ଜାକୁ ନେଇ ସତ କଥାଟି ହେଲା

ଏହି ବିଷୟରେ କିଛି ବି ବଡେଇ ନକରି ସାଂଚୋ ପାଞ୍ଜା ବିଗତ ବର୍ଷ ବର୍ଷ ଧରି ନିଜକୁ ନେଇ ଅନେକ ଅନେକ କଳ୍ପନା ପ୍ରସୂତ ଦୁଃସାହସିକ ଯାତ୍ରା ଓ ବୀରତ୍ୱପୂର୍ଣ କାହାଣୀ ମାନଙ୍କରେ   ନିଜ ସଞ୍ଜବେଳ ଓ ରାତ୍ରିକାଳ ପରିପୂର୍ଣ କରିବାରେ ନିହାତି ସଫଳ | ଏହା ଦ୍ୱାରା ସେ ନିଜର ‘ଡେଇମନ’  (ସ୍ଵ-ଅନ୍ତର୍ଗତ ଅଲୌକିକ ପ୍ରଭାବ) ଠାରୁ ନିଜକୁ ଦୂରେଇ ରଖି ପାରିବାରେ ମଧ୍ୟ ସମ୍ପୂର୍ଣ ସଫଳ | ସେହି ସବୁ କାହାଣୀଙ୍କୁ ହିଁ ପରବର୍ତ୍ତି ସମୟରେ ସେ  ‘ଡ଼ନ କ୍ୱିଜଟ’ ବୋଲି ନାମିତ କଲେ  ଏବଂ ସେଥି ସହ ତାକଂ ଡେଇମନ ମଧ୍ୟ ଏବେ ସମ୍ପୂର୍ଣ ନିଶଙ୍କିତ ଅଗଣିତ ଚରମ ପାଗଳାମୀପୂର୍ଣ ଦୁସାହସିକତା ପ୍ରଦର୍ଶନ କରିଚାଲେ | କିନ୍ତୁ ଯେହେତୁ ଡନ କ୍ୱିଜଟର ଏତେ ସବୁ ବୀରତ୍ୱ ପ୍ରଦର୍ଶନ କରିବା ପଛରେ ନିଜର କୌଣସି ଉଦ୍ଦେଶ୍ୟ ନଥିଲା ଏବଂ  ସାଂଚୋ ପାଞ୍ଜା ହିଁ ସେ ସବୁର କାରଣ ଓ ଉଦ୍ଦେଶ୍ୟ ହୋଇଥିବା ଏକ ମାତ୍ର ସମ୍ଭାବନା ଥିଲା, ତେଣୁ ସେ ସବୁ ଦ୍ୱାରା କାହାର କିଛି ବି କ୍ଷତି ହେବାର ସମ୍ଭାବନା କେବେ ହିଁ ନଥାଇ ପାରେ | ଅତଏବ ନିଜ ମନ ଓ ସ୍ୱାଧୀନତାର ଏକମାତ୍ର ଅଧିକାରୀ ସାଂଚୋ ପାଞ୍ଜା ନିହାତି ଜଣେ ଦାର୍ଶନିକର ଦୃଷ୍ଟିଭଙ୍ଗୀ ନେଇ ଡ଼ନ କ୍ୱିଜଟର ସମସ୍ତ ବୀରତ୍ୱପୂର୍ଣ ଧର୍ମଯୁଦ୍ଧକଂର ଅନୁଧାବନ କରିଚାଲନ୍ତି ଜଣେ ଉତ୍ତରଦାୟୀର ଅନୁଭୂତି ଜନିତ ତାଡନାରେ ଏବଂ ଦିନ ପରେ ଦିନ ପ୍ରତ୍ୟେକ ଦିନର ଶେଷରେ ସେ ସବୁ ଦ୍ୱାରା ଅତୀବ ଉତ୍କୃଷ୍ଟ ତଥା ଜ୍ଞାନବର୍ଦ୍ଧକ ମନୋରଞ୍ଜନ ତାଙ୍କ ଲାଗି ପ୍ରାପ୍ୟ ହୋଇ ଚାଲିଥାଏ | 

ପ୍ରମିଥିଅସ

ପ୍ରମିଥିଅସକୁଂ ନେଇ ଚାରୋଟି କିମ୍ବଦନ୍ତୀ ଥାଇପାରେ |

ପ୍ରଥମଟି ପ୍ରକାରେ ଦେବତାମାନଙ୍କୁ ପ୍ରତାରିତ କରି ସେମାନଙ୍କ କେତେକ  ଗୁପ୍ତଶକ୍ତି ମଣିଷମାନଙ୍କ ଲାଗି ଉନ୍ମୁକ୍ତ କରିଦେଇଥିବା ଅପରାଧ ଲାଗି କକେସସ ପର୍ବତମାଳାର କୌଣସି ଏକ ପଥର ଦେହରେ ତାଙ୍କୁ ସବୁଦିନ ଲାଗି ନିବଦ୍ଧ କରାଯିବାସହ ତାଙ୍କର ଯକୃତକୁ ଓପାଡି ଖାଇବା ଲାଗି ଶାଗୁଣାମାନେ ପ୍ରେରିତ ଏବଂ ଏହା ଅହରହ ଚାଲୁରହିବାକୁ ବାଧ୍ୟ | 

ଦ୍ଵିତୀୟ କିମ୍ବଦନ୍ତୀ ହେଲା, ଶାଗୁଣାମାନଙ୍କ ଥଣ୍ଟକଂ ଅହରହ ଆଘାତ ଜନିତ ଯନ୍ତ୍ରଣାରେ ଡହଳ ବିକଳ ପ୍ରମିଥିଅସ ତାଙ୍କ ଶରୀରକୁ ନିବଦ୍ଧ କରାଯାଇଥିବା ପଥର ଦେହରେ ତାଙ୍କର ସବୁ ଶକ୍ତି ପ୍ରୟୋଗରେ ନିଜକୁ ସଟେଇ ସଟେଇ ଦିନେ ସେହି ପଥର ସହ ହୋଇଯାଆନ୍ତି ସେ ଏକାକାର |

ତୃତୀୟଟି ହେଲା, ଦେବତାମାନଙ୍କ ପ୍ରତି ତାଙ୍କର ପ୍ରତାରଣା, ହଜାର ହଜାର ବର୍ଷର ଚଳମାନତା ମଧ୍ୟରେ ସମସ୍ତେ ଭୁଲିଯାଇଥାନ୍ତି, ଦେବତାମାନେ, ଶାଗୁଣାମାନେ ବି ଓ ନିଜେ ପ୍ରମିଥିଅସ ମଧ୍ୟ |

ଚତୁର୍ଥ କିମ୍ବଦନ୍ତୀଟି ପ୍ରକାରେ – ଘଟଣାଟିର ଅର୍ଥହୀନତାରେ ସମସ୍ତେ ବିରକ୍ତ ଓ କ୍ଲାନ୍ତ | ଦେବତାମାନେ ବିରକ୍ତ ଓ କ୍ଲାନ୍ତ, ଶାଗୁଣାମାନେ ବି, ଏପରି କି ଶାଗୁଣାମାଙ୍କ ଥଣ୍ଟ ଆଘାତରେ ପ୍ରମିଥିଅସ ଶରୀରରେ ସୃଷ୍ଟ କ୍ଷତ ମଧ୍ୟ ବିରକ୍ତି ଓ କ୍ଲାନ୍ତିରେ ଭରି ଭରି ଆସିଥିବା ସ୍ୱାଭାବିକ |

ଶେଷରେ ଯାହା ରହିଯାଏ ତାହା ହେଲା ଦୁର୍ବୋଧ୍ୟ ପଥରର ଦେହ | ପ୍ରମିଥିଆସ-କିମ୍ବଦନ୍ତୀ ଏହି ଦୂର୍ବେଧ୍ୟତାକୁ ସରଳ ଓ ପ୍ରାଞ୍ଜଳ କରିବା ଉଦ୍ଧେଶ୍ୟରେ ହିଁ ଚେଷ୍ଟିତ | କିନ୍ତୁ ଯାହା ବ୍ୟାଖ୍ୟାତୀତ ତାହା ପ୍ରାଞ୍ଜଳ କରିବା ଅଭିପ୍ରାୟ ନେଇ ଏହି କିମ୍ବଦନ୍ତୀ ସତ୍ୟର ଗଭୀରତାରୁ ଅନେକ ସ୍ତର ଉନ୍ମୁକ୍ତ କରିବା ମଧ୍ୟରେ ନିଜେ ହୋଇଯାଏ ଦୁର୍ବୋଧ୍ୟକଂ ମଧ୍ୟେ ଅତ୍ୟନ୍ତ ଦୁର୍ବୋଧ୍ୟ |

ବୃକ୍ଷମାନେ

ଆମେ ସବୁ ସତରେ ବରଫ ପଡୁଥିବାବେଳେ ଯେଉଁଭଳି ବୃକ୍ଷକଂର ଗଣ୍ଡିମାନେ | ସେମାନେ ଏଭଳି ମସୃଣ ଓ ହାଲ୍କା ଦେଖାଯାନ୍ତି ଯେ ସାମାନ୍ୟ ଠେଲି ଦେବା ହିଁ ଯଥେଷ୍ଟ ହେବ ସେମାନଙ୍କ ତଳେ ପଡି ଗଡି ଯିବା ଲାଗି | କିନ୍ତୁ ସେଭଳି ଅବଶ୍ୟ ସମ୍ଭବ ହୁଏନା ଯେହେତୁ ଭୂଇଁ ଭିତରକୁ ସେମାନଙ୍କ ଅନୁରକ୍ତି ଦୃଢ ଓ ଗଭୀର | ଅଥଚ ଚିନ୍ତା କରି ବସିଲେ, ତାହା ମଧ୍ୟ ହୋଇପାରେ ସେମାନଙ୍କ ବାହ୍ୟ ରୂପ ମାତ୍ର |