ଆଜି ବହୁତ ଭିଡ ହେଇଥାଏ ।
ନୂଆ ଜାଗା । ସେପଟୁ ଶୁଣିକି ଆସିଥାଉ ଏଇଠି ଅଛନ୍ତି କାଳେ ପ୍ରକୃତ କୃଷ୍ଣ ।ଏ ମନ ବି ଏତେ ମୂଢ ଯେ ଥରେ ଭାବିପାରିଲା କି ଯେ ” କୃଷ୍ଣ ” ତ କେବଳ ” କୃଷ୍ଣ ” …. ପ୍ରକୃତ ,ଅପ୍ରକୃତ ପୁଣି କଣ ।ମଣିଷ ର ଟିଣ ମୁଣ୍ଡ ଖୋଜିଲା ଆଜିଯାଏ ଶୁଣିଥିବା ବର୍ଣ୍ଣନା ବିଭୋରି ହୋଇଥିବା ସେଇ ଶ୍ଯାମଳ କୃଷ୍ଣ ଟି କେମିତି ଦେଖାଯାଏ ପ୍ରକୃତରେ ।ସେଇ ଇଛ୍ଛା ଟିକକ ଟାଣି ନେଉଥାଏ ଗହଳି କୁ ଅଦୃଶ୍ୟ କରେଇ ଚେତନରୁ ।ବାସ୍ ଆଗକୁ ଯିବାର ଅଛି, ଦର୍ଶନ କରିବାର ହି ଅଛି ।ସମସ୍ତେ ବୋଧେ ଏକା ପରି ଭାବୁଥାନ୍ତି ।କାରଣ ସମସ୍ତେ ସମସ୍ତଙ୍କୁ ପେଲି ଚାଲିଥାନ୍ତି ।ଧକ୍କା ପେଲା ଭିତରେ ପିଲେ ଓ ବୟସ୍କ ଚେପା ହେଇଯାଉଥାନ୍ତି ।ଥାଳି ମାରିଦେଲେ ଥାଳି ଚାଲିଯିବା ପରି ଗହଳି ।ଏ ନାଟୁଆ ନାଗର ସବୁଠି ନାଟ ଲଗେଇଥାଏ ।ଗହଳି ତାକୁ ପ୍ରିୟ ।
” ଆଗେ ଚାଲେ ବଳଭଦ୍ର, ମଧ୍ୟେ ଚାନ୍ଦ ମୁହିଁ ରେ
ପଛରେ ଆସେ କାଳିଆ ଗହଳି ଲଗାଇ ରେ ।”
ମନେ ପଡୁଥିଲେ ସାଲବେଗ ।
ଆକର୍ଷଣ କରେ ବୋଲି ହି ତ ସିଏ କୃଷ୍ଣ ।ଯୁଗେ ଯୁଗେ ସବୁରି ହୃଦୟ ର ଆକର୍ଷଣ ।
ମହଲ ପରି ଘର , ଶଙ୍ଖମରମର ପଥରରେ ତୋଳା ।ଚାରିକୋଣିଆ କରି ରସିଦଉଡି ଘେରଉ ହେଇଥାଏ ।ଗହଳିକୁ ସମ୍ଭାଳି ବାକୁ ଚେଷ୍ଟା ରେ ଥାନ୍ତି ମନ୍ଦିର କାର୍ଯ୍ୟକାରୀ କର୍ମଚାରୀଗଣ ।ହେଲେ ତୁରନ୍ତ ହାଜିରା ପକେଇ ଦେଇ ” ହାଲୋ ସାହେବ୍ ” କହିଦେଇ ପାର୍ ହେବାର ଜଲଦି ଥାଏ ସବୁଠି ।ନିଜର ମାଗୁଣି ତକ ର ତାଲିକା ବାଢି ଦେଇ ଚାଲିଯିବା ।ମତେ ଲାଗୁଥାଏ, ଏତେ ଲୋକଙ୍କ ଏତେ କଥା ,ହଁ ଆଉ ସବୁଠୁ ବେଶୀ ଏତେ ମାଗୁଣି ତାଲିକା, ଏତେ ଅଭିଯୋଗ ମହାପ୍ରଭୁ କେମିତି ଏକୁଟିଆ ସମ୍ଭାଳୁଥିବେ କେଜାଣି? ବାତୁଳ ମନ ପାଶୋରି ଯାଏ ଯେ ସିଏ ସ୍ବୟଂ ମହାପ୍ରଭୁ ।ତାଙ୍କ ପାଇଁ କଣ ଅବା ଅସମ୍ଭବ ।ରସି ଘେରା ଭିତର ଖାଲି ଥାଏ ଆଠ ଦଶଟି କମକୂଟ କାମ ଥିବା ଖମ୍ବ ମଝିରେ ।ସାନ ସାନ ପିଲେ ଗହଳିରୁ ଗଳି ଯାଇ ସେଇଠି ଖେଳୁଥାନ୍ତି ।ମୁଁ ମୋର ଶାଶୁ ଆଉ ଦି ପିଲାଙ୍କୁ ତାରି ଭିତରକୁ ପୁରେଇଦେଲି ।ଏବେ ମୋ ମନ ନିଶ୍ଚିତ ହେଲା ଯେ ଏମାନେ ଭଲରେ ଅଛନ୍ତି ।ତେଣୁ ମୁଁ ମନ ଭରି ପ୍ରାର୍ଥନା କରିପାରିବି ।କାଳିଆ ସହ ସୁଖଦୁଃଖ ହେଇପାରିବି ।କହେ ତ ତାକୁ ସବୁବେଳେ ଏଇ କଥା ହି ,ମୋ ସହ ସମ୍ବନ୍ଧିତ ଯାହା କିଛି ବି ତୁ ଦେଇଛୁ, ଯିଏ ସବୁ ଥିଲେ, ଅଛନ୍ତି ଓ ଯୋଡି ହବାର ଅଛନ୍ତି ସମସ୍ତେ ଭଲରେ ଥାନ୍ତୁ, ସୁସ୍ଥ, ନିରୋଗ ସହ ହସ ହସ ଖୁସି ରେ ଥାନ୍ତୁ ।ତେବେ ମୁଁ ଆଉ ସେମାନଙ୍କୁ ନେଇ ଚିନ୍ତା ରେ ପଡିବିନି ଏବଂ ମୋର ଏକାନ୍ତ ଆନ୍ତରିକ ଅଭିପ୍ସା ଅନୁଯାୟୀ ତୋତେ ହି ଭାବି ପାରିବି, ଭଜି ଜପି ପାରିବି ।ବନ୍ଧନ ରେ ପଡିବିନି ।ମୁକ୍ତ ହେବି ।
ଏଥର ମତେ ଅଳପ ଅଳପାଦିଶୁଥାନ୍ତି ମଣିମା ।ମୁଁ ଗାଲେଇକି ଠିଆହେଲି ପାଦ ଦମ୍ଭ କରି ଗୋଟେ ଠି ,ଯୋଉଠୁ ପ୍ରଭୁ ଦିଶୁଥିଲେ ପୁରା ପରିଷ୍କାର । ଲୋକ ଲହରିରେ ବହି ଗଲିନି ସେଇ ତାଙ୍କ କୃପା ଇଛ୍ଛା ସିନା ।ମନ ପୁରେଇ ଦର୍ଶନ କଲି ।କଥା ହେଲି । ଗପ କଲି।ସବୁ କହିଲି । କେତେ ସମୟ ବିତିଯାଇଛି ୟା ଭିତରେ ଜାଣେନି । ମୋ ଭାଇ ଆସି ପଛରୁ କହିଲା, ” ଚାଲେ ।ଖୋଜିଲେଣି ସେପଟେ ।” ମନ ନଥାଇ ବି ଫେରିଲି ।
ଈଶ୍ବର ବୈରାଗ୍ଯ ଭରନ୍ତି, ଈଶ୍ବର ମାୟା ଲଗାନ୍ତି ।
ଅନୁପୂରକ ଦୁଇଟି କଥାରେ ଏମିତି ଝୁମେଇ ରଖନ୍ତି ଯେ ଗୋଟିଏ ବେଳେ ଆରଟି ଟାଣେ ।ଆକର୍ଷିତ କରେ ।
ଏହି ଐତିହାସିକ ସ୍ଥାନ ମୌର୍ଯ୍ଯ ସାମ୍ରାଜ୍ୟର ଅଧିକୃତ ।ଓଖା ମଣ୍ଡଳ ବା କୁଶ ଦ୍ବୀପ ଅଞ୍ଚଳ ଥିଲେ ଜଣେ ରାଜା ଯାହାଙ୍କର ନାମ ଥିଲା ବରୋଦାର ଗାଇକୋଆଡେ ।ପରେ ୧୮୫୭ ଆଡକୁ କ୍ରମାନ୍ୱୟରେ ଭେଗା ଜନଜାତି ଓ ପରେ ପରେ ବ୍ରିଟିଶ୍ ଶାସନ କଳ ଅନ୍ତର୍ଭୁକ୍ତ ଥିଲା ଏଇ ଖଣ୍ଡ ମଣ୍ଡଳ ।ଭାରତ ସ୍ବାଧୀନ ହେବା ପରେ ଏହା ସୌରାଷ୍ଟ୍ର ଏବଂ ପରେ ପରେ ଅଧୁନା ଗୁଜୁରାଟ ରାଜ୍ଯ ର ଅଂଶବିଶେଷ ରହିଲା ।
ଭାରତର ଭୂତତ୍ତ୍ଭବିତ୍ ମାନଙ୍କ ଖୋଜ ଅନୁସାରେ ଇଣ୍ଡସ୍ ଉପତ୍ଯକା ସଭ୍ଯତା ଓ ହରପନ୍ ସଭ୍ଯତାର କେତେକ ଭଗ୍ନାବିଶେଷ ସାଗର ବକ୍ଷରେ ପ୍ରାପ୍ତ ହୋଇଛି ।ପୁରାତତ୍ତ୍ବ ସମ୍ବନ୍ଧିତ ନିଷ୍କର୍ଷ କହେ ଉନେଇଶ ଅଶି ବେଳର ଗବେଷଣା ଅନୁଯାୟୀ ପାଣି ତଳୁ ମାଟିପାତ୍ର, ଧାତୁ ପାତ୍ର, ମୁଦ୍ରା, ଗହଣା,ଜାହାଜର ଭଙ୍ଗା ଅଂଶ,ବାଣିଜ୍ୟ ବ୍ଯାପାର ସମ୍ଭନ୍ଧିତ ବସ୍ତୁ, ତମ୍ବା ଆସବାବପତ୍ର ଓ ପେଣ୍ଡୁ ଆକୃତିର କିଛି , ଘରକରଣା ଚିଜ, ୧୫୦୦ ବି ସି ପୁରୁଣା ୫୮୦ ମିଟର ଲମ୍ବ ସୁରକ୍ଷା ପାଚେରୀ ବଳୟ ର ଅଧିକାଂଶ ଭାଗ ଭଗ୍ନ ।
ଶ୍ରୀ ବଲ୍ଲଭାଚାର୍ଯ୍ଯ ଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ କେଶବରାଜ ଜୀଉ ଓ ଶ୍ରୀ ରୁକ୍ମଣୀ ଦେବୀ ମନ୍ଦିର ମଧ୍ୟ ଦର୍ଶନ ହେଲା ।
ଗଣପତି ମନ୍ଦିର ରେ ବିଦ୍ଯା ବୁଦ୍ଧି ଦାତା ବିଘ୍ନ ବିନାଶକ ଙ୍କୁ ପ୍ରଣତି ବାଢିଲୁ ।ହନୁମନ୍ତ ଦାଣ୍ଡି ରେ ମକରଧ୍ବଜ ମହାବୀରଙ୍କୁ ଦର୍ଶନ କଲୁ ।ମନେ ଅଛି ତ ରାମାୟଣର ସେଇ ମକର ।ଯିଏ ସାଗର ତଳେ ଥାଇ ଉଡିୟମାନ ବୀର ହନୁମାନଙ୍କ ଦେହ ନିର୍ଗତ ସ୍ବେଦ ବିନ୍ଦୁ କୁ ଗିଳିଦେଇ ଥିଲା ଓ ଏତେ ତେଜୋଦ୍ଦୀପ୍ତ ପୁତ୍ରକୁ ଜନ୍ମ ଦେଇଥିଲା ଯେ ନୀଳ ସମୁଦ୍ର ଜଳ ଉଜ୍ବଳ ସୁବର୍ଣ୍ଣ ବର୍ଣ୍ଣ ଧାରଣ କରିଥିଲା ,ଇଏ ସେଇ ବୀର ବାଳକର ମନ୍ଦିର ।
ଏହା ସହ ସରିଲା ଦ୍ବାରକାଧିଶ ଦର୍ଶନ ।ଚାରିଧାମ ସଂପୂର୍ଣ୍ଣ ହେଲା ।ଶାନ୍ତି ଲାଗିଲା ମୋ ବୋଉ ପାଇଁ ଆଉ ମୋ ଶାଶୁମାଆଙ୍କ ପାଇଁ ବି ଯିଏ ମୋ ବିବାହ ବେଳେ ମତେ କହିଥିଲେ କି ,” ତୁ ଯାହା କରେ କି ନ କରେ ମୋ ପାଇଁ, ମତେ କିନ୍ତୁ ଚାରିଧାମ କରେଇଦବୁ ।ଏତିକି କହିଲି ତୋତେ ।” ବର୍ତ୍ତମାନ ଶୁଦ୍ଧା ତାଙ୍କର ଦୁଇଟି ଧାମ ଦର୍ଶନ ସରିଥିଲା ।ପୁରୀ ଓ ଆଜି ଦ୍ବାରକାଧୀଶ ଦର୍ଶନ । ସିଏ ଯେତେବେଳେ ଆଖି କୁ ମୁଦି ଗଳବସ୍ତ୍ର ହୋଇ ମହାପ୍ରଭୁଙ୍କ ପାଖରେ ନିଉଛାଳି ହେଉଥିଲେ, ଲୁହ ଲୁହ ହେଉଥିଲେ, ନିଜ ପାଣି କାଚ ଦି ମୁଠାକୁ ଡାହାଣ ବାମ କରି ମଥାରେ ଓଠରେ ମାରୁଥିଲେ, ମୁଣ୍ଡିଆ ମାରି ଆସି ୟାଙ୍କୁ ପାଦୁକ ଦେଇ ୟାଙ୍କ ମୁଣ୍ଡ ରେ ଆଶିଷର ହାତ ବୁଲଉଥିଲେ ସେ ସବୁ ବେଳେ ମୁଁ ଭିତରୁ ଆତ୍ମତୃପ୍ତି ଲଭୁଥିଲି ।
ପୁଣି ଲଞ୍ଚ ବୋଟ୍ ରେ ଫେରିଲୁ ଭେଟ୍ ଦ୍ବାରକା ର ମାଟିରେ ମୁଣ୍ଡିଆ ମାରି ….. ଅଳ୍ପ ଉଦାସ ଲାଗିଲା ।ପୁଣି ଭେଟ ହେଲା ଦଳଦଳ ପଲପଲ ଧଳାଧଳା ସିଗଲ୍ ପକ୍ଷୀ ଙ୍କ କଳରବ ସହ ।ପୁଣି ମନରେ ଖୁସି ଭରିଗଲା ।
ଏ ପାଖରେ ଆମ ବାଟ ଚାହିଁ ବସିଥିଲେ ଆମ ବାପା ଦିହେଁ ।ଆମକୁ ଦେଖି ତାଙ୍କ ଆଖି ରେ ନିଶ୍ଚିତ ଖୁସି ଭାବଟେ ଫୁଟିଲା ।ଫେରିଲୁ ପୁଣି ଆମ ରଙ୍ଗିଲା ର ରଙ୍ଗରଙ୍ଗିଲା ଅଟୋରେ ।ଫେରିଲା ବେଳକୁ ସୂର୍ଯ୍ୟ ନଇଁ ଆସୁଥିଲେ ତାଙ୍କ ଅସ୍ତରାଗ ଓଢଣୀ ଢାଙ୍କି ହୋଇ ।
ରାତି ରହଣୀ ସେଇ ” ବଂଶୀ ” ହୋଟେଲରେ ଯୋଉଠିକାର କାମ କରୁଥିବା ପିଲାମାନେ କିଏ ନେପାଳ ତ କିଏ ଉତ୍ତରପ୍ରଦେଶରୁ ଆସିଥିଲେ , ଆମ ସହ ନିଜର ସୁଖଦୁଃଖ ବାଣ୍ଟୁଥିଲେ ରାତିର ଶାନ୍ତ ପହରରେ … ସବୁ କାମ ସରିବା ପରେ ।ସୋଫା ଉପରେ ଭାଲୁଆ କୁକୁରଟିଏ କାହୁଁ ଆସି ପେଟେଇଥାଏ ।ବେମାରିଆ ଲାଗୁଥାଏ ।ପିଲେ ସବୁ ତାର ଚିକିତ୍ସା ପାଇଁ ତତ୍ପରତା ଦେଖାଉଥାନ୍ତି ହୋଟେଲର ପିଲାଙ୍କ ସହ ମିଶି ।ତାକୁ ଉଷୁମ ଖିର ଗିନାରେ ଆଣି ପିଏଇବାର ଚେଷ୍ଟା ରେ ଲାଗିପଡିଥାନ୍ତି ।ଗୁରୁଜନ ମାନେ ଥକି ଯାଇଥିବାରୁ ଟିକେ ଆରାମ କରୁଥାନ୍ତି ।ରାତି ଖାଇବା ବରାଦ କରି ମୁଁ ସମସ୍ତଙ୍କ ପାଦରେ ଆୟୁର୍ବେଦ ମାଲିସ ତେଲ ଘେରାଏ ଘସିଦେଇ ସାରିବା ବେଳକୁ ରାତି ଖାଇବା ଆସି ସାରିଥାଏ।ଖିଆ ପିଆ ପର୍ବ ସରିଲା ପରେ ପିଲାଙ୍କୁ ବିଶ୍ରାମ ରେ ଥିବା ବଡ ମାନଙ୍କ ତଦାରଖରେ ଦେଇ ଆମେ ହଳକ ଓ ମୋ ସାନଭାଇ ବାହାରିଗଲୁ ତଳ ବଜାରକୁ ।ଛୋଟିଆ ହେଲେ ବି ସୁନ୍ଦର ବଜାରଟି ।ଦରଦାମ କଷାକଷି ବେଶୀ ଦରକାର ପଡେନି ।ସରଳ ଲୋକେ ।ସୁନ୍ଦର ହାତତିଆରି ଲୋକାଲ ଚିଜ ବିକନ୍ତି ।କାଚ ମାଳି ଲଗା ଓ ସୁନ୍ଦର ସୁତାବୁଣା କାମ ଥିବା ଗୁଜୁରାତି ହାତ କାମ ଥିବା କିଛି ବଟୁଆ, ଝୁଲାମୁଣି, ଜ୍ଯାକେଟ, ଚପଲଜୋତା, ଚୁଡି, ଫୋନ ଝୁଲା ମୁଣି ,ହାତ ପଙ୍ଖା ସହ ଦୁଇ ହଳ କଣ୍ଢେଇ ଠେକୁଆ ଜୋତା କିଣିଲୁ ଘରେ ଥିବା ଅନ୍ଯ ସମସ୍ତଙ୍କ ପାଇଁ ।ବାହାରକୁ କୁଆଡେ ଗଲେ କିଛି କିଛି ଛୋଟ ଉପହାର ( ଯାହା ବୋହିବାକୁ ଓ ପକେଟକୁ ସୁହେଇବ ପୁଣି ଆଖି ଦୃଶିଆ ବି ଦିଶୁଥିବ ସେମିତିଆ ) ତ ନେବାକୁ ହି ହୁଏ ।ସବୁ ଘରର ସ୍ନେହ ବନ୍ଧନ ଡୋରୀ ଏଇଟି ।
ସେଦିନ ରାତିରହଣୀ ମଣିମା ଙ୍କ ସ୍ବସ୍ଥାନରେ ଯୋଗ ଥିଲା ।ମୋର ଆଉ ଥରେ ଇଛ୍ଛା ଥିଲା ଦେଖି ଆସନ୍ତି ମନ ମୋହନ ନାରାୟଣଙ୍କୁ ।ଏଇ ତ ଯୋଡେ ଘର ଛାଡି ଦେଉଳ ।ହେଲେ ଦିଅଁ ଆଉ ସୁଯୋଗ ଦେଲେନି ।ବଡଦାଣ୍ଡ ଧୂଳି ମଥାରେ ମାରି ପରଂଇନ ସକାଳୁ ବାହାରିଲୁ ଆମର ଆଗାମୀ ଗନ୍ତବ୍ୟ ପଥରେ ।
ବଡଦାଣ୍ଡ ଏଥିପାଇଁ କହିଲି ଯେ ମୋ ଜଗା ତ ବଡଠାକୁର ।ସିଏ ଯୋଉଠି ରହୁ, ଯୋଉ ରୂପରେ, ଯୋଉ ଭାବରେ ,ଯୋଉ ଦେଉଳରେ ରହୁ ନା କାହିଁକି ତାର ମହିମା ବଡ ।ଅସୀମ ।ଆକାଶ ସେପାରି ଯାଏ ।ତାର ତ ସବୁ ବଡ ।ନେତ, ରଥ, ପଥ, ଭକ୍ତ, ବଜାର, ଅନ୍ନ ଆଦି ଆଦି ଆଦି ।ତେବେ ଏଇ ଦ୍ବାରକାଧାମରେ ସିଏ ଯେଣୁ ମହାମହିମ ରାଜାଧିରାଜ ମହାରାଜ ଦ୍ବାରକାଧିଶ ଶାସନ ଆସନରେ ଉପବେଶନ କରିଛନ୍ତି …. ତେଣୁ ତାଙ୍କ ର ଗଳିକନ୍ଦି, ନଗରବାହାର ସବୁ ହି ବଡ ନିଶ୍ଚିତ ।
ବଡ ତ ଭାବ ରୁ ହୁଅନ୍ତି, ଆକାର ତ ଖାତାପଟା ରେ ।
କ୍ରମଶଃ