ଭ୍ରମଣ କାହାଣୀ ୮ (ଦ୍ୱାରକା)

ମୋ ଶଶୁର ବାପା ରାଜି ହେଲେନି ସମୁଦ୍ର ପାରି ହେଇ  ସେପଟକୁ ଯିବାକୁ, ଆଉ ମୋ ବାପା ଶାରୀରିକ ବାଧା ଯୋଗୁଁ ଯାଇପାରିଲେନି ।ତେଣୁ ଦୁଇ ସମୁଦିଙ୍କୁ ଡେକ୍ ଉପରେ ପର୍ଯ୍ୟଟକ ମାନଙ୍କ ଲାଗି ରଖାଯାଇଥିବା ବେଞ୍ଚ ରେ ବସେଇ ଆମେ ସମସ୍ତେ ବାହାରିଲୁ ସାଗରପାର କରିବାକୁ । ଥିରେ ଥିରେ ଶିଉଳି ଲଗା ପାହାଚ ସବୁରେ ମୋ ଭାଇର ହାତ ଧରି ମୋ ପିଲେ ଦି ଜଣ ଡଙ୍ଗାକୁ ଉଠୁଥାନ୍ତି । ଇୟେ ଶାଶୁଙ୍କୁ ଛାଡି ଆସି ମତେ ନେଲେ । ପିଲାଙ୍କ ଖୁସି ଆକାଶ ଛୁଉଁଥାଏ ।ମାମୁଁ ସାଙ୍ଗରେ ଲାଗିଥାନ୍ତି, ” ମାମୁଁ ମାମୁଁ କହୁନ ଶ୍ରୀରାମସେନା ପରି ଆମେ ତିନିଜଣ ମିଶିକି ଏଇଠୁ ସେପଟ ଯାଏ ଗୋଟେ ସେତୁ ବନ୍ଧ ବାନ୍ଧି ପାରିବାକି? ଜୟ ଶ୍ରୀରାମ ଲେଖିଦେଲେ ସତରେ ପଥର ଭାସେ? ଆମେ ଡେଇଁ ଡେଇଁ ସେଇ ବ୍ରିଜ୍ ରେ ଯାନ୍ତେ କେତେ ମଜା ହନ୍ତା ନା ।

ମାମୁଁ କୁହ ନା ତମକୁ ସମୁଦ୍ର ପହଁରା ଆସେ ? ଏଇ ପାଣି କେତେ ଗଭୀର ହବ ମାମୁଁ? ୟା ଭିତରେ ସାର୍କ ଆଉ ୱେଲ୍ ମାଛ ଥିବେ? ଆମେ ଦେଖିପାରିବା? “

ପିଲା ମାନେ ବଡ ମଣିଷଙ୍କ ଠାରୁ ବହୁତ ବେଶୀ ଜିଜ୍ଞାସା ରଖନ୍ତି, ଆଗ୍ରହ ରଖନ୍ତି, ମନେ ରଖନ୍ତି ଆଉ ବୁଝନ୍ତି ।ତାଙ୍କର କଳ୍ପନା ଶକ୍ତି ସୀମାହୀନ ।

ଆମେ ତ ଆଡେଇଯାଉ ଅନେକ କଥା କୁ ପାରିହବନି ଭାବି  ।ଭାଇ ମୋର ହସି ହସି ତାଙ୍କ କଥା ସବୁ ଶୁଣୁଥାଏ ଆଉ ଉତ୍ତର ରଖୁଥାଏ ଯାହା ଭାବୁଥାଏ ।ନହେଲେ ଭୁଲେଇ ଦଉଥାଏ “ଏଇ ଦେଖ ଦେଖ ସେଠି କଣ” କହିକି ।

ଡଙ୍ଗା ଯେମିତି ଚାରି ପାଞ୍ଚ ହାତ ଯାଇଛି ପାଣି ତଳକୁ କୋଉଠି ଥିଲେ ପାଚାଶ ସରିକି ସିଇଗଲ୍ ଉଡି ଆସିଲେ ଆଉ ଆମ ଡଙ୍ଗା ଉପରେ କେଁ କେଁ ରାବ ସହ ଉଡିବୁଲିଲେ । ସବୁ ଲୋକ ଖୁସି ତାଙ୍କୁ ଦେଖିକି ।ପ୍ରକୃତି ର ବିସ୍ମୟ । ଶଙ୍ଖ ପରି ଧଳା ଧଳା ଚଢେଇ କଳା କଳା ଡେଣା ।କୋଳି ମଞ୍ଜି ପରି ଆଖି । କାଉଁ କାଉଁ କାଉଁ ଶବ୍ଦ ରେ ଅତଡା ପକେଇ ଦେଉଥାନ୍ତି ଏଇ ଦଳ ଦଳ ପକ୍ଷୀ । କେମିତି କେଜାଣି ମଣିଷ କୁ ଡରୁନଥାନ୍ତି, ନହେଲେ ତ ସବୁ ଜୀବ ମାନେ ଏଇ ମଣିଷ ନାମ୍ନୀ ଜୀବକୁ ଡରିବା ଦେଖାଯାଏ ।

ଠିକ୍ ହାତପାହାନ୍ତାରେ ମୁଣ୍ଡ ଉପରେ ଦଳ ଦଳ ଚକ୍କର କାଟୁଥାନ୍ତି ।ଲୋକଙ୍କ ହାତରୁ ବାଦାମ, ବିସ୍କୁଟ ଖାଉଥାନ୍ତି ।ତାଙ୍କରି ମୁଣ୍ଡ ରେ ମଳ ତ୍ଯାଗ କରୁଥାନ୍ତି ଉଡୁ ଉଡୁ । ଲୋକେ କୋଳାହଳ କରୁଥାନ୍ତି ଏକ ପକ୍ଷୀଉତ୍ସବରେ ସମବେତ ଭାଗ ନେଲା ପରି ।ତାଳି ମାରୁଥାନ୍ତି, ଡାକୁଥାନ୍ତି, ଭିଡିଓ କରୁଥାନ୍ତି । ଏଇ ପକ୍ଷୀଦଳ ଅଜାଣତେ ଖୁବ୍ ଉତ୍ସବମୁଖର କରେଇଥାନ୍ତି ମଣିଷ ଦଳଙ୍କୁ । ମେସିନ୍ ବା ମୋଟର ଲଞ୍ଚ୍ ର ଶ୍ରୁତିକଟୁ ଘଡଘଡ ଶବ୍ଦ ବି ସେମାନଙ୍କ ଦେହସୁହା ବୋଲି ଜଣା ପଡୁଥାଏ । ମୁଁ ପକ୍ଷୀଙ୍କ ସହ ସମୁଦ୍ର କୁ ଦେଖୁଥାଏ । ମୋଟର୍ ବୋଟ୍ ର ଧାରକୁ ଲାଗି ଖିର ଲହରୀ ପରି ଦିଶୁଥାଏ ପାଣି । ଘର୍ଷଣ ଶକ୍ତି ବଳରେ ଏ ବଳୟର ସୃଷ୍ଟି । ପାଣି ପେଟ ଉପରେ ବି ଦଳଦଳ ଏଇ ପକ୍ଷୀ ପହଁରି ପହଁରି ଚାଲିଥାନ୍ତି ନାଆ ସହ । ଟୁପ୍ କି ମୁଣ୍ଡ ବୁଡେଇ ଦେଉଥାନ୍ତି ପାଣି ତଳକୁ ଆଉ ବାହାରକୁ ଉଠିଆସି ଝାଡି ହେଇପଡୁଥାନ୍ତି । ତାଙ୍କ ଟିକି ଟିକି ମୁଣ୍ଡ ରୁ ଝରା ଝରା ପାଣି ହୀରା ଗୁଣ୍ଡ ପରି ଦିଶୁଥାଇ । ଉପରଓଳିଆ ସୁନେଲୀ ହଳଦୀ ଖରା ମ୍ଯାଜିକ କରୁଥାଏ ତାର ଅନୁରାଗ ଭରା ସ୍ପର୍ଶ ରେ ନୀଳ ଚାଦର ସାରା ।ଶଙ୍ଖଧଳା ଚଢେଇ ଡେଣା ସବୁ ମଧ୍ୟ ଏଇବେଳାରେ ସୁନାହଂସୀ ପରର ଭ୍ରମ ସୃଷ୍ଟି କରୁଥାଏ ।

ରାସ୍ତା ସରିଗଲା, ଆଉ ଜଣା ଗଲାନି । ନାଉରୀ ଡାକିଲା, ” ହାତ ଧରା ଧରି ହେଇ ଥରି ଉଠିଆସନ୍ତୁ । ଘଣ୍ଟାଏ ସମୟ ଭିତରେ ବୁଲିଆସନ୍ତୁ ଦ୍ବୀପ । ଦର୍ଶନ କରିଆସନ୍ତୁ ଦ୍ବାରକାଧିଶଙ୍କୁ । ଏଇଠୁ ସିଧା ସିଧା ଯିବେ ବାଟ ମିଳି ମିଳି ଯିବ ।”

ଡଙ୍ଗାଯାକର ଲୋକେ ଜଣକ ପରେ ଜଣେ ସୁଅଁଆ ପିଲା ପରି ଓହ୍ଲାଇ ଚାଲିବା ଆରମ୍ଭ କଲୁ ଏକ ପୁରୁଣା କଂକ୍ରିଟ୍ ପୋଲ ଉପରେ ଯାହାର ଜଳ ଅନ୍ତରସ୍ଥ ଖମ୍ବ ସବୁର ଅଧା ଅଧା ଯାଏ ଶିଉଳି ଲାଗି ଆସିଥିଲା ଆଉ ନିଜର ପୁରାତନତାକୁ ବଜାୟ ରଖି କଳାଛିଟ ମାରିଥିଲା ଗୋଟେ ପ୍ରକାର ଟେକ୍ସ୍ଚର ପରି ।

ମତେ ଏଇ ଖରାଟି ଭାରି ଭଲ ଲାଗେ। ସ୍ବର୍ଗୀୟ ଲାଗେ ।ନା ପ୍ରକୃତ ଶବ୍ଦ ଟା ପାଉନି ଲେଖିବାକୁ ଯେ କେମିତି ଲାଗେ । ବାସ୍ ବହୁତ ଭଲ ଲାଗେ କହିପାରିବି । ଉଭୟ ସକାଳ ଓ ସଂଧ୍ୟା ପୂର୍ବର ଖରା ମୁଠାକ ଭାରି ପ୍ରିୟ । ଲାଗେ ଯେମିତି ସିଏ ଭରିଦିଏ ମୋ ଭିତରେ ଅଫୁରନ୍ତ ଉତ୍ସାହ, ଖୁସି ।

ଆମେ ଚାଲୁଥାଉ । ରାସ୍ତା ର ଦୁଇ ପାଖରେ ଗଦା ଗଦା ମାଛଧରା ନେଳି ନେଳି ଧୂସର ଧୂସର  ଜାଲ । ଧୀବର ମାନଙ୍କର ଗପସପ, ଗହଳ । ଆମ ପ୍ରତି ମାନେ ନୂଆ ଲୋକଙ୍କ ପଲଟି ପ୍ରତି ତାଙ୍କର ଲକ୍ଷ୍ୟ ନାହିଁ । ନିର୍ବିକାରେ ସେମାନେ ଚଳ ଚଞ୍ଚଳ ତାଙ୍କ ପୃଥିବୀ ରେ । ବାଡ ନାହିଁ, ପାଚେରୀ ନାହିଁ । ନିଶ୍ଚିତ ନିଦରେ ଗୋଡ ଉପରେ ଗୋଡ ଛନ୍ଦି ଶୋଇଥିବା ଧିବର ଓ ମୋ ପୁଅ ଝିଅ ଙ୍କ ବୟସର ଟିକି ପୁଅ ମାନେ ଖେଳୁଥିଲି ଗୋଡାଗୋଡି ହସି ହସିକା ତାଙ୍କ ପିଲାଳିଆ ଢଙ୍ଗରେ ।ଥରେ ପାଣିକୁ ଆଉ ଥରେ ପିଲାଙ୍କୁ ଅନେଇ ମୁଁ ମୂହୁର୍ତ୍ତକ ପାଇଁ ଡରିଗଲି ।ବିପଦୀୟ କଳ୍ପନାଟେରେ ଜଡସଡ ହେଇଗଲି । ଏ ମଣିଷ ର ମନ ବି ଯେ ସବୁବେଳେ ଆଗେ ଘଟଣା ଘଟିବା ଆଗରୁ ଦୁର୍ଘଟଣା ଦିଗକୁ ମୋଡି ହବ । ଇୟେ ମୋ ପଛେ ପଛେ ଚାଲୁଥିଲେ । ମୋ ପାଦର ସ୍ଥିରତା ଓ ବେଗକୁ ମାପିଦେଇ ସେପଟକୁ ଥରେ ଚାହିଁ ଦେଇ କହିଲେ, ” ଏମାନେ ଏଇଠି ସହଜ । ଜନ୍ମ ତାଙ୍କର ଏଇ ପାଣି କୂଳରେ । ପାଣି ଓ ଏ ପୋଲ ତାଙ୍କୁ ଚିହ୍ନନ୍ତି । ଭଲପାନ୍ତି ।” ମୁଁ ଆସ୍ବସ୍ତ ହେଲି । ମନେ ମନେ କହିଲି, ” ହଁ ପାଣି ସବୁ ମନେରଖେ । ପାଣି ହି ତ ସବୁଠୁ ପ୍ରାଚୀନ ।ପାଣି ହି ତ ତିଆରେ ପଞ୍ଚ ତତ୍ବ ସହ ମିଶି ପୃଥିବୀ ଆଉ ତାର ଜୀବନ୍ତ ସତ୍ତା ସବୁକୁ ।” ହାଲକା ଲାଗିଲା । ଗଭୀର ନୀଳପଣ ନିଜର ଲାଗିଲେ ଆଉ ଡରେଇଲେନି । ଏବେ ମୁଁ ଛୁଆ ମାନଙ୍କୁ ଖେଳୁଥିବାର ଦେଖି ଖୁସିହେଲି ଶଙ୍କା ଆଶଙ୍କା ସବୁକୁ ଭସେଇଦେଇ ।

ଅଳ୍ପ ଅନୁଚ୍ଚ ଉଠାଣୀ ରାସ୍ତା । ଦୁଇପଟେ ଦୋକାନସାରିଣୀ ।ପୂଜା ଜିନିଷ ଠୁ ଖେଳନା ଯାଏ ସବୁ । ହେଲେ ଆକର୍ଷିତ କରୁଥିଲା ସେ ସ୍ଥାନର କୃଷ୍ଣମୟତା । ସବୁଠି କୃଷ୍ଣ ଦିଶୁଥିଲେ ।

ଆଗକୁ ଯାଇ ବାମ ପଟେ ଏକ ତୋରଣାକାର ଗେଟ୍ ମଧ୍ୟ ଦେଇ ଆମେ ଭିତରକୁ ଗଲୁ । ବେଶ୍ ଲୋକ ଗହଳି । ହାତପାଦ ଧୋଇବାକୁ ଚାରିଟା ଧାଡିକିଆ କଳରେ ଗଜଗଜ କରି ପାଣି ଆସୁଥାଏ । ମୁହଁ ହାତ ଧୋଇ ” ପିଇବା ପାଣି ” ଲେଖାଥିବା ପାଇପ୍ ରୁ ଆଞୁଳି ଆଞୁଳି କରି ପାଣି ପିଇଲୁ । ମୋ ପିଲେ ଆଶ୍ଚର୍ଯ୍ୟ ହେଉଥିଲେ ଏମିତି ପାଣି ପିଆ ଦେଖି ।ସିଏ କୋଉଦିନ ଢିଙ୍କିଆ କଳ ସ୍କୁଲ୍ ଅଗଣାରେ ମାରି ସାଙ୍ଗ ମାନଙ୍କ ସହ ପିଇଲେ ଯେ ! ତାଙ୍କର ତ ପାଣି ବୋତଲ ସୋସାଡିବା ଅଭ୍ଯାସ ।ଖୁସି ହେଇ ପିଇଲେ ମୋ ସହ, ଓଦା ଭିଜା ସ୍ମୃତି ସାଇତିବା ସହ ।

ପାହାଚ କେତୋଟି ଓହ୍ଲାଇ ଗଲୁ ଆମର ବଡଦେଉଳର ବଟା ବୃକ୍ଷ ପରି ଏଇ ବିରାଟ ବଟଓହଳ ପାଖକୁ ଯାହାର ଦେହ ସାରା ସହସ୍ର ଓହଳ ।ହଜାରେ ସରିକି ବୟସରୁ ବସିରହିଛି ନିଜ ଦେହରେ ସମୟ ର ସବୁ ଅଙ୍କାବଙ୍କା ଗାରକୁ ଧରି ନେଇ । ଦେଖିଛି କେତେ ଯୁଗ, ସହିଛି କେତେ ଝଡଝଞା । ହେଲେ ଠିଆ ହେଇଛି ସେମିତି କାଳାନ୍ତରେ । ଠିଆ ହେଇ ହେଇ ପାଲଟିଛି ଠାକୁର । ବୁଢା ହେଲେ ହି ତ ଠାକୁର ହେଇଯାନ୍ତି ଅଭିଜ୍ଞତା ର ପାହାଡ ମଥା ଉପରେ , କ୍ଷମାର ଫୁଲ ହୃଦୟ ରେ ଆଉ ପିଇଥିବା ହସ ଲୁହ ଅନୁଭୂତି ର ବାରିଧି ପାଦତଳେ ରଖି ।ଏଠି ତା ଦେହ ସାରା ଓହଳିଛି ଲାଲି, ନାରଙ୍ଗୀ, ହଳଦୀ ସୁତାର ଧାର ।ଅନେକ ଗଣ୍ଠି, ପାଣିକାଚ, ଶଙ୍ଖା, ମୁଦ୍ରା, ଗୁଆ ଆଦି ସହ ବାନ୍ଧି ହେଇଥିବା ଅନେକ ମନର ଆଶା, ଆକାକ୍ଷାଂ, ଇଛ୍ଛାମାନଙ୍କର କୁନି କୁନି ଗୋଲ ଝୁଲିଥାନ୍ତି ମାଟି ମୁହାଁ, ଉତ୍ତରଣର ଅପେକ୍ଷାରେ ।” ତଥାସ୍ତୁ ” ହେବାର ଅପେକ୍ଷାରେ । ହୋଇପାରେ ଅନେକ ତହିଁରୁ ହୋଇସାରିଥିବେ ପୂର୍ଣ୍ଣ ଆଉ ବିଶ୍ବାସର ସହ ତାକୁଇ ଆଧାର କରି ଆହୁରି ନୂଆ ଅନେକ ଯୋଡି ହେଇଛନ୍ତି ଡାଳ ଡାଳରେ ।

ତଳେ ଜଣେ ସାଧୁବାବା ପରି ଦିଶୁଥିବା ବ୍ଯକ୍ତି ବସିଥାନ୍ତି । ପାଦୁକପାଣି ପରଶିଦେଉଥାନ୍ତି ମୁଣ୍ଡ ନୋଇଁଥିବା ମସ୍ତକଟି ମାନଙ୍କୁ । ହାତ ଟେକି ଅଭୟ ମୁଦ୍ରା ରେ ବରଦାନ ଦେଲା ପରି କରୁଥାନ୍ତି ଆଉ ମୁଣ୍ଡ ଟିକୁ ଟୁଂ ଟୁଂ କରି ଟୁଙ୍ଗାରୁଥାନ୍ତି ଏ ସଂସାର ର କ୍ଲିଷ୍ଟମାୟା କୁ ବୁଝିସାରିଥିବା ପରି ଓ ପାଖରେ ଗଦେଇ ହେଉଥିବା ଲକ୍ଷ୍ମୀ ପ୍ରତିକ କଏନ୍ ଓ କାଗଜ ମୁଦ୍ରା ତକକୁ ବାଗେଇ ରଖୁଥାନ୍ତି । ଶୁଣିଛନ୍ତି ନିଶ୍ଚେ, ” ତୁମେ ଯାହାର ଯତ୍ନ ନେବ, ସମୟ ସହ ସିଏ ତୁମର ସମାନ ଯତ୍ନ ଫେରସ୍ତ କରିବ ।ସିଏ ତେଣିକି ବିଦ୍ଯା, ଅଧ୍ୟବସାୟ ହେଉ ବା ଲକ୍ଷ୍ମୀ ।”ସେମିତି ବି ଆମେ ଭାରତୀୟ ମାନେ ପ୍ରବଳ ଈଶ୍ବର ବିଶ୍ବାସୀ । ରାତାରାତି ଆମେ ବିଭିନ୍ନ କଥା ମାନି ବି ଯାଉ ଆଉ ଅନୁସରଣ ବି କରିବା ଆରମ୍ଭ କରୁ ।

ଏହି ବିଶ୍ବାସ ଆଗରେ ଆମକୁ ଆଉ କିଛି ବୁଝା ପଡେନି ।ମୋ ମତରେ ଯୋଉଠି କିଛି ଅସୁବିଧା, ଅନ୍ଧବିଶ୍ବାସ, ଅନ୍ଯାୟ, ଅନାଚାର ନ ଘଟୁଛି ଏବଂ ଯାହା କେବଳ ନିରୁତା ବିଶ୍ବାସ ବା ଆମକୁ ଅଜଣା କିଛି ପୁରାତତ୍ତ୍ବ କୁ ଆଧାର କରି କିଛି ନିୟମ, ବ୍ରତ, ସଂସ୍କୃତି ଚଳୁଛି ତେବେ କାହିଁକି ଝିଟ୍ ପିଟ୍ । ହୋଇପାରେ ତା ପଛରେ କିଛି ମଙ୍ଗଳକାରିଣୀ କଥା ଥାଇ ପାରେ ,ବା ବୈଜ୍ଞାନିକ ତଥ୍ଯ ସମ୍ଭଳିତ କିଛି ଜ୍ଞାନ ମଧ୍ୟ ।

ତେବେ ହଁ ଯଦି ହୃଦବୋଧ ହୁଏ ପରିବର୍ତ୍ତନ ଲୋଡା, ମାନବିକତାର ସମାଜର ବିରୋଧୀ କିଛି ତେବେ ନିଶ୍ଚିତ ଆଗକୁ ଆସି ରୋକିବାର ପ୍ରୟାସଟିଏ ନିଶ୍ଚିତ କରିବା ଉଚିତ୍ । ସେହି ନ୍ଯାୟରେ ଏଠି ସବୁ ଠିକ୍ ଅଛି ।

ମୁଣ୍ଡିଆଟିଏ ମାରି ତାଙ୍କୁ ପାରିକରି ଆଗକୁ ବଢିଲୁ ।

କ୍ରମଶଃ  ****