ଭ୍ରମଣ କାହାଣୀ – ୪ (ଦ୍ୱାରକା)

ଧଳାରଙ୍ଗଦିଆ କମକୂଟ ଲଟା କାମହେଇଥିବା ଏହି ବିରାଟ କବାଟ ପଛରେ ଅପେକ୍ଷା କରିଥିଲା ମୋ ଆଖି ପାଇଁ କିଛି ଆଶ୍ଚର୍ଯ୍ୟ । ଆଶ୍ଚର୍ଯ୍ୟ ଓ ଐଶ୍ୱର୍ଯ୍ୟ ଏକାଠି। ଚମତ୍କାର ପ୍ରତି ମୁହୂର୍ତ୍ତରେ ହେଉଥାଏ, ଈଶ୍ୱରଙ୍କ ସୃଷ୍ଟି ହିଁ କ୍ଷଣେ କ୍ଷଣେ ପ୍ରତି କ୍ଷେତ୍ରରେ ଅପରୂପ ଚମତ୍କାର।

ପୁଅ ଦଉଡା ଦଉଡି କରି ସେହି ଶଙ୍ଖମରମର ପଥରର ବିରାଟ ହଲ୍ ପରି ବଖରାରେ ଖୁସି ହେଉଥାଏ ।ତାରି ଖୁସି ର ସ୍ବର କାନ୍ଥ ରେ ପିଟି ହେଇ ଫେରିଆସି ପ୍ରକମ୍ପିତ ହେଉଥାଏ । ବଡ ହଲ୍ ଟିରେ ଝରକା ସବୁ ଦେଇ ସୂର୍ଯ୍ୟ କିରଣ ଉଜ୍ବଳ ହେଇ ପଶିଆସୁଥାନ୍ତି ।ଭିତରକୁ ଆଉ ଏକ ଛୋଟ ବଖରା ଥାଏ । ମୁଁ ତାକୁ,ରହ ଏତେ ବଡ ପାଟି କରନି ବୋଲି କହିବାକୁ ଯାଉଚି ସେଇ ସାନ ବଖରାରୁ ପୁଅର ପାଟି ଶୁଣି ବୋଧେ କି କଣ ତିନି ଚାରିଜଣ ଚିତାଚୌତନ୍ଯ ଧାରି,ପାଟବସ୍ତ୍ର ପରିହିତ ସେବକବ୍ରାହ୍ମଣ ବାହାରି ଆସିଲେ ଆଉ ପୁଅ …. ପୁଅ ପଛରେ ମୁଁ ଧାଉଁଥିବାର ଦେଖି ହସିଦେଲେ ।କହିଲେ, ” ବାଳ ଗୋପାଲ ଲିଳା ।ମଙ୍ଗଳ ଦୃଶ୍ୟ ଦର୍ଶନମ୍ । ଶ୍ରୀ ଗୋବିନ୍ଦ ଶ୍ରୀ ଗୋବିନ୍ଦ ।” ଏବଂ ପରେ ପରେ ତାଙ୍କ ତାଙ୍କ ଭିତରେ କିଛି କଥା ନେଇ ବ୍ଯସ୍ତ ହେଇଗଲେ ।

ସେ ଯା ହେଉ ମୋ ପୁଅ ସ୍ଥିର ପଡିଲା ।ସେ ଘର ସାରା ମହାପ୍ରଭୁଙ୍କର ବିଭିନ୍ନ ଭଙ୍ଗୀର ଅତୀବ ମନୋରମ ପ୍ରତିମା ସବୁ ରଖାହୋଇଥାନ୍ତି ।ଶଙ୍ଖମରମର, କାଷ୍ଠପ୍ରତିମା, ଓ ଧାତୁ ର ନିର୍ମିତ ଅନେକ ଶ୍ରୀ କୃଷ୍ଣ ପ୍ରତିକୃତି ସ୍ଥାନଟିକୁ ମହିମାମଣ୍ଡିତ କରୁଥାଏ ତ ସତ ,ତା ସହ ମନ ଟାଣୁଥାଏ । ଏକ ଅଭିନବ ସୁନ୍ଦର ଆକର୍ଷଣ ଭିଡୁଥାଏ ତା ପାଖକୁ ତା ପାଖ ମୂର୍ତ୍ତି ସବୁକୁ ନିରେଖିବାକୁ । ଭାଇ ଭଉଣୀ ଦିହେଁ ଘୁରି ଘୁରି ଦେଖୁଥାନ୍ତି । ମୋ ଠୁ ଟିକେ ଦୂରରେ । ମୁଁ ଫଟୋ ଆଲବମ, ଛବି,ମୂର୍ତ୍ତି, ହସ୍ତତନ୍ତ, କୌଣସି ଶିଳ୍ପ କଳା ,ଫୁଲ ବଗିଚା, ଚଢେଇ,ପ୍ରକୃତି ଆଦିକୁ ଟିକେ ସମୟ ନେଇ ମୋ ମନ ବୋଧ ହେଲାଯାଏ ଦେଖେ ।
ପୁଅ ପାଟିକରି ପୁଣି କହିଲା ,” ବୋଉ ବୋଉ ଏଇଠିକି ଆ । ଦେଖ ଆମ କାଳିଆ ଠାକୁର ଏଇଠି ଅଛନ୍ତି ” । ମୁଁ ଆଗେଇଲି ।ମୋ କାଳିଆ ସାଆନ୍ତେଙ୍କୁ ଏଠି ଦର୍ଶନ କରି ଧନ୍ଯ ଧନ୍ଯ ହେଲି, କୃତାର୍ଥ ହେଲି । ବିହ୍ବଳ ହେଲି । ମହାପ୍ରଭୁଙ୍କର ଯେ କି ଅପାର କରୁଣା ସତେ।

ଏ ଭିତରେ ଅନ୍ଯ ମାନେ ଆମକୁ ଖୋଜିବା ସ୍ବଭାବିକ ।ଆମକୁ ଇୟେ ଖୋଜୁଥିବା ଭିତରେ ଆମେ ବାହାରକୁ ଆସିଲୁ ।ଚପଲଟି ମାନ ଗଳେଇ ଛୋଟ ଛୋଟ ଗଳି, ସୁନ୍ଦର ଜରିଜମ୍ବୁରା, କାଚ,ଦର୍ପଣ କାମଥିବା ଚିଜ ସବୁରେ ଭରା ଦୋକାନ ,ଜଳଖିଆ ଦୋକାନ, ପୁରିଛୋଲେ ମହକ, ଅଳ୍ପ ଗଡିଆଣି ବାଟ ଦେଇ ପହଞ୍ଚିଲୁ ନଦୀ କୂଳରେ ।

ଗୋମତୀ ନଦୀ ।ଗୋମତୀ ଘାଟ ।ଗୋମତୀ ଗଙ୍ଗା । ସ୍ବର୍ଗ ଘାଟ । ଏହି ନଦୀ ଗର୍ଭକୁ ଲମ୍ବିଯାଇଥାନ୍ତି ବାଲିପଥରର ପାହାଚମାଳ ମାନ । ଏହି ସୋପାନ ଶ୍ରେଣୀ ସବୁରେ ପୁରୁଣା ଘାଘରାଚୋଲି ପିନ୍ଧା କିଛି କୁନି କୁନି ଝିଅ ଆଉ ହାଫ୍ ପ୍ଯାଣ୍ଟ ପିନ୍ଧା କେତୋଟି କୁନି କୁନି ପୁଅ ସିପସାମୁକାର କିଛି ଖେଳନା, ହାତତିଆରି ମାଳି,ପଥର,ରତ୍ନ ପଥର ,ବାଲିଗରଡା,କାଚମାଳି ଆଦିର ଆଜୁରୁବାଜୁରୁ ମେଞ୍ଚେ ଜିନିଷ ଧରି ଆସୁଥିବା ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ ର ଚେଷ୍ଟା ରେ ଥାନ୍ତି । ତାଙ୍କରି ବଡ ଆକୃତି ର ଦିଶୁଥିବା ତାଙ୍କ ମାଆ ପରି କିଏ ଜଣେ ସ୍ତ୍ରୀ ଲୋକ ଅଳ୍ପ ଦୂରରେ ବସି ଏକ ସବୁ ଖେଳନା ଗଢୁଥାଏ ଚଟପଟ ଏବଂ ଏମାନଙ୍କ ଉପରେ ନଜର ରଖୁଥାଏ ବରାବର । କେହି କେହି ସେଇଠି ତାଙ୍କୁ ଦେଖୁଥାନ୍ତି ତ କିଏ କିଏ ଜିନିଷ ସବୁ ହାତରେ ଉଠେଇ ପରଖୁଥାନ୍ତି ।ସେଇ ପିଲେ ମହୁମଛି ବେଢିଲା ପରି ଘେରେଇ କରି ” ଲେ ଲୋ ,ଲେ ଲୋ ” କହିଚାଲୁଥାନ୍ତି । ଏ ସବୁ ଦୃଶ୍ୟ ଆମ ଦେଶର ସବୁଠି ଦେଖିବାକୁ ମିଳେ ।ଭାରି କଷ୍ଟ ଲାଗିବା ପରି ଦୃଶ୍ୟ ସବୁ । ଈଶ୍ବର ଆମକୁ ଏମାନଙ୍କ ତୁଳନାରେ କଣ ନ ଦେଇଛନ୍ତି, ତେବେ ବି ଆମେ ଆମ ଜୀବନ କୁ ନେଇ ସଂପୂର୍ଣ୍ଣ ତ ?ସନ୍ତୁଷ୍ଟ ତ ? ଯଦି ନୁହେଁ ତେବେ କାହିଁକି? ହାତ ଗୋଡ, ସଂପୂର୍ଣ୍ଣ ଶରୀର,ମନ,ଧୀ,ବୁଦ୍ଧି, ପରିବାର,ପରିବେଶ ସବୁ ସବୁ  ଯଦି ଆମକୁ ଈଶ୍ବର ଦେଇ ଏ ପୃଥିବୀ କୁ ପଠେଇଛନ୍ତି ତେବେ ଆମେ କଣ କୃତଜ୍ଞ ହେବା କଥା ନୁହେଁ? ଏତିକି ପ୍ରାପ୍ତି କଣ ଆମର କୌଣସି ପୂଣ୍ୟର ଫଳ ନୁହେଁ?ଈଶ୍ବର ଆମ ଉପରେ କେତେ କରୁଣା ନ କରିଛନ୍ତି ସତେ …. ଏବେ ଡି କଣ ଆମେ ଅହଂ ବଶ ହେବା ନା ନମ୍ର ହୋଇ ସରଳ, ଶାନ୍ତ,ପ୍ରସନ୍ନ ଜୀବନ ଟେ ଜୀଇଁବା ? ଏମିତି ପ୍ରଶ୍ନ ଟି ଉଙ୍କି ମାରେ ।

ନଦୀ ତାର ନୀଳପଣକୁ ବୋହି କୂଳକୁ ଧୋଇ ଧୋଇ ବହିଚାଲିଥାଏ । ପିଲେ ତାଙ୍କ ବାବାଙ୍କ ହାତ ଧରି ପାଣିରେ ଚବର ଚବର କରି ଖେଳୁଥାନ୍ତି । ତାଙ୍କ ଖୁସି କହିଲେ ନ ସରେ ।ଆପାର୍ଟମେଣ୍ଟର ଚାରିକାନ୍ଥ ରେ ନିବୁଜ୍ ପିଲେ ମୁକୁଳି ଆଜି ପ୍ରଥମ ଥର ସତସତିଆ ନଈ ଦେଖିବାର ପୁଲକ କଣ ଶବ୍ଦ ରେ କହିହୁଏ ! କିଛି ବୁଲାବିକାଳି ପୂଜା ସାମଗ୍ରୀ ବିକୁଥାନ୍ତି ।କିଛି ଲୋକ ଖଲିଦନାରେ ଫୁଲ ଦିପ, କଦଳୀଟେ, ଧୂପକାଠି ଦିଟା ବା ଖାଲି ଜଳୁଥିବା ଘିଅ ଦୀପ ଟିଏ ଥୋଇ ପାରିରେ ଭସେଇ ଅଞଳି ଭରି ପାଣି ସୂର୍ଯ୍ୟ ଙ୍କୁ ଟେକୁଥାନ୍ତି ।ନଦୀକୁ ପୂଜା କରୁଥାନ୍ତି । ଫୁଲ ଦୀପ ସବୁ ଲହରି ସହ ଭାସିଭାସି ଯାଉଥାଏ ଏକ ଅଜଣା ଉପତ୍ଯକା ଦିଗେ । ପାଣି ମଝିରେ ମୋର ନଜର ପଡିଲା ଠିଆ ଚତୁର୍ଭୁଜ ଶ୍ରୀ ବିଷ୍ଣୁ ପ୍ରତିମା ପାଣି ମଝିରେ । କେମିତି ଠିଆ ହେଇଛନ୍ତି ନିର୍ବିକାରେ କେତେ ଯୁଗରୁ ପ୍ରଭୁ ଏଇ ପାଣି ଭିତରେ । ନିଜର ସୃଷ୍ଟି ଭିତରେ ନିଜେ, ଆନନ୍ଦିତ । କିଏ ଗଢିଛି, କେବେ, କାହିଁକି ଆଉ ତା ପଛର ଗପ ବି ତ କିଛି ଥିବ ହି ।ହେଲେ ମୁଁ ପାଇଲିନି । କାହାକୁ ସେଇଠି ପଚାରିଥିଲେ ହେଇଥାନ୍ତା, ହେଲେ ସମୟ ଅନୁମତି ଦେଲାନି।

ଶିଉଳିର ନେଳି ଚଢି ଆସୁଥିଲେ ପଦ୍ମପାଦ ଆଡୁ ଶ୍ରୀବିଷ୍ଣୁ ଙ୍କର ଓଦା ଥିବା ଯାଏ ଅବୟବ କୁ ନଦୀର ଆଣ୍ଠିଏ ଖଣ୍ଡେ ପାଣି ନିଜର ସୌଭାଗ୍ୟ ନେଇ ପଖାଳୁଥିଲେ ଅବିରତ । ପ୍ରତିମାଙ୍କର ବି ଆଣ୍ଠୁ ଠାରୁ ଉପରକୁ ହି ଦିଶୁଥାନ୍ତି ।ପାଦଦର୍ଶନ ହେଉନଥାଏ । ନିହାତି ବଡ ଆକୃତି ର ମୂର୍ତ୍ତି ନିଶ୍ଚିତ । ହସୁଥାନ୍ତି ତାଙ୍କର ସୁନ୍ଦର ଭୁବନମୋହୀନି ହସ ।ମାୟାଧର ପରା ।ମାୟା ତ ରଚିବେ ।ସେଇଥିରେ ଛନ୍ଦିବେ ବ୍ରହ୍ମାଣ୍ଡକୁ ।

ମୁଁ ହାତରେ ଟୋପେ ଟୋପେ ପାଣି ଶ୍ରୀବିଷ୍ଣୁ ଙ୍କ ପାଖରୁ ନେଇ ଘରଲୋକ ସମସ୍ତଙ୍କ ମଥାରେ ସିଞ୍ଚି ଦେଲି ।

ଅନତି ଦୂରରେ ଗୋଟିଏ ଟିକେଟ୍ କରାଯାଉଥିବା ଘରଟିଏ ଥାଏ । ଲୋକଟିଏ ବସିଥାଏ । ବହୁତ ସାରା ଅଟୋରିକ୍ସା, କାର ଓ ବିଭିନ୍ନ ବାହାନ ରଖାଯାଇଥାଏ ସେଇ ଛକରେ । ତାର ଚାଳକ ମାନେ ଏଠାରେ ଏକତ୍ରିତ ପର୍ଯ୍ୟଟକ ମାନଙ୍କୁ ନିଜ ନିଜ ସହ ସହର ପରିକ୍ରମା, ଓ ସମସ୍ତ ତୀର୍ଥ ତଥା ଦର୍ଶନୀୟ ସ୍ଥାନ ବୁଲେଇ ଦେଖେଇ ନେବାର ଟିକିନିଖି ବିବରଣୀ ସହ ଆମନ୍ତ୍ରିତ କରୁଥାନ୍ତି ପରିବହନର ନିରାପତ୍ତା ସିକୃତି ସହ ।ମୂଲଚାଲ ହେଉଥାଏ । ଦରକଷା କଷି ଭିତରେ ବଚସା କିନ୍ତୁ ହେଉନଥାଏ ।ଯାହା ସହ ଯିଏ ରାଜି ହେଲା ସିଏ ଯିବ । କାହାର କିଛି ଟଣାଓଟରା ନାହିଁ, ଯାହା ସାଧାରଣତଃ ଦେଖାଯାଏ ତାହା ଏଠି ପରିଲକ୍ଷିତ ହେଲାନି ।

ମନେ ପଡିଲା ଆମ ପୁରୀର ଯାତ୍ରୀ ଗୁମାସ୍ତା ମଣିଷ ମାନେ ।
ଆମ କାଳିଆ ମନ୍ଦିର ଯୋଗୁଁ ଅଧେ ଘରେ ଚୁଲି ଜଳେ ପୁରୀର।ପେଟପାଟଣାର ଅଧାରୁ ଅଧିକ ନିର୍ଭରତା କାଳିଆ ଦର୍ଶନ କୁ ଆସୁଥିବା ଏଇ ଭକ୍ତ, ଦର୍ଶନାର୍ଥୀ ।ସିଏ ବଳିତା ବଳା ହଉ,ଶଙ୍ଖମାଳି, ପାଟଫୁଲି ବିକା ହଉ,ମାହାର୍ଦ, ନିର୍ମାଲ୍ଯ, ନଖତୁଳସୀ ର ମହାର୍ଘ୍ଯତା ହେଉ ସବୁ ସେଇ ମନ୍ଦିର ଉପରେ ନିର୍ଭର କରେ । ଏଇ ଲୋକ ଗହଳି ଯେତେ ହେବେ ତୀର୍ଥ ସ୍ଥାନର ପରିବାର ମାନେ ସେତେ ହସି ପାରିବେ ,ଖୁସି ତାଙ୍କ ମୁହଁ ରେ ଝଟକିବ ।

ଟିକଟ ଘରେ ପଚାରିଲାରୁ ସେଠୁ ଜଣାଗଲା ଯେ ସୁଦାମା ପୋଲ ଉପରକୁ ଯିବାକୁ ଟିକଟ ଏଠାରେ ମିଳେ ଓ ଅନ୍ଯାନ୍ୟ ସ୍ଥାନ ଦେଖିବାକୁ ମଧ୍ୟ ଯାନବାହାନ ବୁକିଙ୍ଗ୍ କରିହୁଏ ଏଇଠୁ ହି । ହେଲେ ସୁଦାମା ପୋଲ ତ ସେଇଠି ହି ।ଦିଶୁଥାଏ ନଈ ର ଏକୂଳରୁ ସେକୂଳ ଯାଏ ଏଇ ସୁନ୍ଦର ପୋଲ ।

ଏଇ ପୋଲ ସେଇ ବନ୍ଧୁପଣର ସାକ୍ଷୀ, ସେଇ ଭଲପାଇବା ର ସାକ୍ଷୀ, ସେଇ ସମ୍ରାଟ ରାଜା ଦ୍ବାରକାଧିଶ ଙ୍କର ଅନୁରକ୍ତି ନିଜର ପାର୍ଥିବ ବସ୍ତୁରେ ଦରିଦ୍ର ବାଲ୍ଯବନ୍ଧୁ ଟିର ସ୍ମୃତି ର ପୋଲ । ଅନେକ ସୁନ୍ଦର ଅଭିବ୍ଯକ୍ତି କୁ ସାଉଁଟି ସାଇତି ଥିବା ସୂତ୍ରଧାର ଏଇ ପୋଲ ।ମୁଁ ମନ ଦେଇ ଶୂନ୍ଯଶାନ୍ତ ପୋଲଟିର ଶେଷ ମୁଣ୍ଡ ଯାଏ ଅନେଇଲି ତାଲା ପଡିଥିବା ଜାଫ୍ରି ଗ୍ରୀଲ୍ ପଛରୁ ।କାଳେ ଦିଶିଯିବେ ତନ୍ମୟ ହୋଇ ହରିନାମ ଜାପ କରୁଥିବା ,ପ୍ରଭୁଭକ୍ତି ରେ ଢଳି ଢଳି ବନ୍ଧୁପଣର ଅଦଉତି ତକକୁ ବୁଜୁଳି କରି ଧୋତିକାନିରେ ବାନ୍ଧି ଥିବା, ଲଜ୍ଜା ଆଉ ସଂକୋଚରେ ଲୁଚଉଥିବା ଖୁଦକଣର ଟିକି ପୋଟଳିଟିଏ, ତଥାପି ହରିବନ୍ଧୁ ହୋଇଥିବାର ତୃପ୍ତି, ସ୍ବାଭିମାନ, ଓ ଆତ୍ମ ସନ୍ତୋଷ କୁ ମଥାର ଚନ୍ଦନ ଆଉ ଆଖି ର ଉଜ୍ବଳତା କରି ଝୁମି ଝୁମି ଆସୁଥିବେ ଭକ୍ତ  ଶିରୋମଣି ସୁଦାମା । ଈଶ୍ବର ଯାହାର ଶ୍ରେଷ୍ଠ ଭକ୍ତିରେ ନିଜ ସିଂହାସନ ଛାଡି ପାଦର ପାଣ୍ଡୋଇକୁ ଭୁଲିଯାଇ ରାଜରାସ୍ତାରେ ଧାଇଁ ଯାଇଥିଲେ ଖାଲି ପାଦରେ କମଳଚରଣ, କୋଳେନେଇଥିଲେ ତାଙ୍କର ଏକ ନିଷ୍ଠ ଭଲପାଇବା କୁ ।କୋଳାଗ୍ରତ ଦୁଇ ବନ୍ଧୁ ଙ୍କୁ ଦେଖି ସମବେତ ଜନତା ସ୍ତବ୍ଧ ହୋଇଯାଇଥିଲେ । ଏଇ ପୋଲ ପାଖରେ ନିଜକୁ ପାଇ ସେଇ ଦ୍ବାପର ଯୁଗୀୟ  ସମୟରେ ନିଜକୁ କଳ୍ପନା କରି ମୁଁ ମୁଗ୍ଧ ଥିଲି । ପିଲାଙ୍କୁ ପୁଣି ସେହି ଗପ ତଲ୍ଲିନ ହୋଇ ଦୋ଼ରାଉଥିଲି। ଖୁସି ହେଇ ଶୁଣୁଥିବା ଆଖି ମାନ ଝଲସୁଥିଲେ।

ବର୍ତ୍ତମାନ ର ସୁଦାମା ର ସେତୁ ନିର୍ମାଣ କାର୍ଯ୍ୟ ୨୦୧୬ ମସିହାରେ ସଂପୂର୍ଣ୍ଣ ହୋଇଥିବାର କେତେକ ସୂତ୍ରରୁ ଜଣାଯାଏ ,ଯାହାକୁ ଉନ୍ମୋଚନ କରିବାର ସୌଭାଗ୍ଯ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଆନନ୍ଦୀବେନ୍ ପଟେନ୍ ଙ୍କୁ ପ୍ରାପ୍ତ ହୋଇଥିଲା ।ଏହି ପୋଲ ଦେଇ ଏକ ଦ୍ବୀପକୁ ଯାଇହୁଏ ଯେଉଁ ଠାରେ ଜଗତଦେବ ମନ୍ଦିର, ପଞ୍ଚ କୁଇ ମନ୍ଦିର, ପଞ୍ଚୁପାଣ୍ଡବ କୂପ,ପ୍ରାଚୀନ ଲକ୍ଷ୍ମୀ ନାରାୟଣ ମନ୍ଦିର ପରି କେତୋଟି ତୀର୍ଥ କୁ ଯୋଡେ । ଏଠାରେ ବୁଲିବା ପାଇଁ ଅଟୋ ସବାରିର ସୁବିଧା ରହିଥାଏ ।

ଆମେ ଆଉ ସେପଟକୁ ଗଲୁନି ସମୟ ନେଇ । ଏ ଭିତରେ ପିଲାଟିଏ ତାର ପଛ ଖୋଲା ଟିକେ ବଡ ଆକୃତି ର ଏକ ଅଟୋରିକ୍ସା ଗାଡି ଆଣି ଠିଆ କରେଇଥାଏ ପୋଛି ପାଛି ସଫା କରି ଆଉ ମୁହଁ ରେ ଚାରୁ ହସଟିଏ ପିନ୍ଧି । ଇଏ ତା ସହ ଛିଣ୍ଡେଇଥାନ୍ତି କଥା ଯେ ସିଏ ଆମକୁ ଆଗାମୀ ତୀର୍ଥ ଓ ଭ୍ରମଣ ଯୋଗ୍ଯ ଜାଗା ସବୁ ଦେଖେଇବ ।ଗୋଟିଏ କାନରେ ପଥର କାନଫୁଲଟିଏ ପିନ୍ଧି ଥାଇ ସିଏ । ବାନ୍ଧଣୀ ଛିଟର ପଗଡି ବାନ୍ଧିଥାଏ । ତାର ଗାଡିଟିକୁ ମଧ୍ୟ ନିଜର ପ୍ରିୟା ପରି ସଜେଇଥାଏ ରଙ୍ଗୀଲା କରି ।

କ୍ରମଶଃ ………