ଭଲ ଲାଗୁଥିଲା କଳାନାଗ ପରି ଛାଟ ବେଣୀ, କଳା ଗୋଲ ଟିପା, ଆଖି ରେ କାଜଲ, ଓଠ ତଳେ ତିନୋଟି ଅତଏବ ପରି କଳାଟିପା, ଆହୁରି ଭଲ ଲାଗୁଥିଲେ କହରା ନୀଳ ଦିଟି ଆଖି । ବୋଧହୁଏ ନୀଳଟି ମିଶା ଥିଲା ବୋଲି ନୋହିଲେ ସିନେମା ଦେଖି ଦେଖି ଖାଲି ଧୂସର ରଙ୍ଗ ଆଖି ପ୍ରତି ଗୋଟେ ଅଲଗା ପ୍ରକାର ଧାରଣା ସାଧାରଣରେ ଥାଏ ଯେ ! ବୁଝିଲେ ଟି ! କେବଳ ସିନେମା ପ୍ରଭାବ ମାତ୍ର । ଏଇଭଳି ଅଭ୍ଯନ୍ତରିଣ ଗୁଜୁରାତ ଯେଉଁ ଠାରେ ଅଧିକାଂଶ ଲୋକେ ନିଜର ନିଛ୍ଛକ ପାରମ୍ପରିକ ବେଶସଜ୍ଜା ରେ ଦୃଶ୍ୟମାନ ହେଉଥାନ୍ତି ସେଠି ଏ ଝିଅ ଟି ଏକଦମ ବାରି ହେଲା ପରି ଅଲଗା ଦିଶୁଥାଏ ।ସେଇ ଝିଅ ଟି ଯିଏ ମତେ ଏଇ ମାଆ ଝିଅ ଙ୍କର ନିପଟ ଭାଷାର ଅନୁବାଦ କରେଇଦେଉଥାଏ ସିଏ ।
ତାକୁ ପଚାରିଲି,” ତୁମେ କେଉଁଠି ଚାକିରି କର ବୋଧେ ?” ସିଏ ହସିଦେଲା ଗୋଟେ ମହୁବୋଳା ହସ ଆଉ ବାଣ୍ଟିଦେଲା ହୃଦୟ ଖୋଲି ତାର ଗପ ।ଗପ କାହାର ନାହିଁ ଯେ !କହିଦେଇ ହାଲକା ହେଇଯିବାର ଅଭିପ୍ସା ସବୁ ହୃଦୟ ର ଥାଏ ବୋଧେ ।ହେଲେଶୁଣିବାକୁ ମନଟେ ଦେଇପାରିବା ଭଳି ହୃଦୟଟେ କାଇଁ ଆଜି ର ଏ ଆତ୍ମସର୍ବସ୍ବ ଯୁଗରେ ?
ମତେ ସିଏ ପଚାରିଲାନି ,” ତୁମେ ଶୁଣିପାରିବ ତ ମୋ ଗପ ସମୟ ଦେଇ ,ଆଉ ମନ ଦେଇ ।ବାସ୍ ମୁଁ କହିବାକୁ ଚାହେଁ ।” ସିଏ ବହିଗଲା ନଦୀଟିଏ ପରି ।ମଣିଷ ହି ତ ଗପ ହେଇଯାଏ, କେତେ ସତକୁ ଧରିରଖି, ଲୁଚେଇ ବା ବଢେଇଦେଇ ।ସତ ଗପ ତ ଆକର୍ଷଣୀୟ ସଦାକାଳେ ।ନିଜକୁ ତଉଲେଇହୁଏ,ଭୋଗେଇହୁଏ,ହସିକାନ୍ଦି ହୁଏ ଯେ ଚରିତ୍ର ସହ ସେଇ ଗପ ଚିରଞିବୀ ହୁଏ ।ସିଏ କହୁଥାଏ ତା ପାଠପଢାରେ ସଂଘର୍ଷ ର କଥା,ତାର ଜେଜବାପା ର ତାକୁ ନେଇ ଗର୍ବ କଥା,ତାଙ୍କ ଗାଈ ଝୁଲମ ଆଉ ଝିନା ବିକ୍ରିହେଇଯିବା କଥା ,ଗାଁ ଲୋକଙ୍କ ବିପରୀତରେ ପାଦ ଦମ୍ଭ କରି ତା ହାତ କୁ ମୁଠେଇ ଧରିଥିବା ତା ” ବାପା କଥା ,ତାଙ୍କ ବାରିର ଫୁଲ, ପରିବା, ଗାଁ ଦାଣ୍ଡ, ଛେଳିଛୁଆ ଆଉ ମାଆ କଥା ।
ପୁଣି କହୁଥାଏ ତାର ଏଇ ନୂଆ ଚାକିରୀ କଥା,ଏମିତି ଆଧୁନିକ ପରିପାଟି ରେ ସିଏ ଅଫିସ୍ ଆସିବାରେ ବିଦ୍ରୋହକୁ ସିଏ ସାମ୍ମା କରିବା କଥା ,ଘରୁ ଶାଢୀରେ ବାହାରି ସାଙ୍ଗ ଘରେ ଅଫିସ୍ ସାଟପ୍ଯାଣ୍ଟ ବଦଳେଇ କାମକୁ ଯିବା କଥା ।ଆହୁରି ଆହୁରି କେତେ କଥା ….. ଏଇ ଯେମିତି ଏଇ ଫଗୁଣରେ ସିଏ ପିନ୍ଧିଥିବା ଏଇ କାନ ଫୁଲ ହଳକ କାହାର ଜଣଙ୍କର ଉପହାର ….. । ତା’ ଗାଲର ଭଉଁରୀ ଲାଲ ପଡିବା ଯାଏ ସିଏ କହୁଥାଏ । ଆଉ ଦିଟି ଶାଲୁଆର କମିଜ ପିନ୍ଧା ଝିଅ ବସର ଉପର ଲୁହା ରେଲିଂ କୁ ଧରି ଠିଆ ହେଇଥାନ୍ତି ।ସେମାନେ ଅନବରତ ଠାରୁଥାନ୍ତି ଏଇ ଝିଅ ଟିକୁ ଯେ ” ଅଚିହ୍ନା ପରିବ୍ରାଜକ ନାରୀଟିକୁ କଣ ଏତେ ଗୁମର କଥା ଗପୁଛୁ ।” ହେଲେ ସିଏ ସେମାନଙ୍କୁ ପିଠି କରି ବସିଥାଏ ଆଉ ଖରସ୍ରୋତା ପ୍ଲାବନୀ ନଦୀ କିବା ଏଇ ଟିକି ଟିକି ଢେଲା ପଥର ରୋକିପାରେ ।
ସେ କହିଚାଲିଥାଏ ଆଉ ତାର ମୁହଁ ର ଉଜ୍ବଳତା କୁ ମୁଁ ମାପୁଥାଏ ଏକ ଅଦ୍ଭୁତ ପ୍ରଶାନ୍ତିରେ ।ସେ କେତେ ପ୍ରଗ୍ଳଭା ହେଇ ନିଜକୁ ମୋ ମନ ପାଖରେ ଇଡି ଚାଲିଛି ।ମୁଁ କଣ ତାକୁ ଟିକେ ମନ ଦେଇ ଶୁଣି ପାରିବିନି ନା ! ମୁଁ ଶୁଣୁଥାଏ ।ଅପଲକେ ଚାହିଁ ରହି ସିଏ ଅବିଶ୍ରାନ୍ତ ବଖାଣୁଥାଏ ଗୋଟେ ଝୁଙ୍କରେ ।ହଠାତ୍ ବସ୍ ଅଟକିଲା ଆଉ ଏକ ଝୁଙ୍କ ସହ ।ଝାଙ୍କି ହେଇଗଲୁ ସମସ୍ତେ ।କଲେଜ ଦିନ ମାନ ପରି ଏକାଠି ହସିଦେଲୁ ସିଏ ମୁଁ, ସେ ଦିଟି ଠିଆହେଇଥିବା ଝିଅ ଆଉ ପାଖଆଖରେ ସ୍ତ୍ରୀ ଲୋକ କେତେଜଣ ।ଶାନ୍ତି ଲାଗେ ଏମିତି ଅକାରଣେ ମିଳିମିଶି ହସିଦେଇ ପାରିଲେ ।ଗପ ସବୁ ପୋଖରୀ,ନଈ କି ସମୁଦ୍ର ପରି ।ଉପରକୁ ହୁଏତ ଗୋଳିଆ ମାଟିଆ ଉଦ୍ଦାମ ଦିଶିପାରେ ।ଅସ୍ପଷ୍ଟ ବୋଧ ହେଇପାରେ ।ହେଲେ ଥରୁଟେ ବୁଢାପହଁରାରେ ସିଦ୍ଧ ହସ୍ତ ହେଲା ପରେ ପାଣିର ପେଟ ତଳୁ ମିଳେ ଅନେକ ଗୁପ୍ତ ରହସ୍ଯ ।ଅନେକ ହି ଯାଦୁଗରୀ ।ତାର ଗନ୍ତବ୍ୟ ଛକ ଆସି ସାରିଥିଲା ।
ସିଏ ଆଉ ତା ସାଙ୍ଗ ଦିଟି ଓହ୍ଲାଇ ଗଲେ ମୋ ହାତରେ ଉଷୁମ ଚାପର ଛୁଆଁ ଦେଇ ।ଝରକା ବାଟେହାତ ହଲେଇ ବିଦାୟ ନେଉଥିଲେ ଛଳଛଳ ଆଖି ରେ ।କେତେ ଅଳ୍ପ ସମୟ ର ଏଇ ଦେଖା, କଥା ,ଭାବ ବିନିମୟ ବି ଲୁହ ବୁନ୍ଦା ଟିଏ ହୋଇ ଝରିଯାଇପାରେ ।ହୃଦୟ ର କାରସାଦି ଏ ସବୁ ନିଶ୍ଚିତ ।ଗାଡି ଗଡିଯିବା ଯାଏ ସେମାନେ ସେଇଠି ଠିଆ ହେଇଥିଲେ ଆଉ ମୁଁ ଝରକାରୁ ଝୁଙ୍କିଥିଲି ସେମାନେ ଲୁଚିସାରିବା ପରେ ବି ।କେହି ନିଜର ଯେମିତି ପଛକୁ ରହିଗଲା ସେଇ ଭାବ ଟି ଢେର୍ ବେଳ ଆବୋରି ବସିଲା ।କୋଉ ଆଉ ଦେଖା ହବ ତାଙ୍କ ସହ ,ନା ସମୟ ଚକରେ ଦେଖା ହେଲେ ବି କୋଉ ଆଉ ଆମେ ଚିହ୍ନି ପାରିବା ।
ଏଇ କଥା ଲେଖିଲା ବେଳେ ମନେ ପଡେ ସୁମନ ବୋଲି ଆଉ ଗୋଟିଏ ଛୋଟିଆ ଝିଅ ର କଥା ଯାହା ସହ ଭେଟ ହୋଇଥିଲା ପଞାବର ମୋଗା ବୋଲି ଗାଁ ରେ ଗୋଟିଏ ଆନ୍ତର୍ଜାତୀୟ ବନ୍ଧୁତା ଶିବିରରେ ।ସେଇ ଆଠ ଦିନ ଭିତରେ ସିଏ ମତେ ଏତେ ଆପଣାର କରି ନେଇଥିଲା ଯେ ଆମେ ଓଡିଶା ଫେରିବା ଦିନ ସିଏ ଚେତା ବୁଡିଯାଉଥିଲା କାନ୍ଦି କାନ୍ଦି ।ଭଲପାଇବା ସହ ବନ୍ଧନ ଟି କଷ୍ଟ ଦିଏ ।ନିରୁତା ଭଲପାଇବା ତ ଚିର ଆନନ୍ଦମୟ ।ଆଲୋ ପରେ ଭାବିଲି ଫୋନଟା ପାଖରେ ଥିଲା, ଫଟୋ ଟେ ତ ନେଇ ପାରିଥାନ୍ତି ।ଖାଲି ତ ଭୋଳ ଆଉ ।ହା ହା ।ଘଟଣାଟିଏ ଘଟେ, ଘଟୁଥାଏ ।ପଛରେ ଚିହ୍ନ ବୋଳି ଛାଡିଥାଏ ଏଠି କି ସେଠି ।ଟିକେ ଖୋଜିଲେ ଦିଶେ କାନ୍ଥ ସାରା, ବାଟ ସାରା, ପବନ ସାରା ଗପ ହି ଗପ ।ଏମିତି ଏମିତି କେତୋଟି ମଝି ମଝିଆ ବସ ଷ୍ଟାଣ୍ଡ ସବୁରେ ଅଟକେଇ ଲୋକ ଚଢେଇ ଓହ୍ଲାଇ ଗାଡି ଆମର ଚାଲୁଥାଏ ।ଲୋକାଲ ବସ ଷ୍ଟପ୍ ସବୁର କାନ୍ଥ ରେ ଗୁଜୁରାଟ ର ସଂସ୍କୃତି, ପରମ୍ପରା, ଲୋକନୃତ୍ଯ, ସଂଗୀତ କଳା, ମହାମନୀଷି, କିମ୍ବଦନ୍ତୀ ଗଳ୍ପ, ପୁରାଣ ଚରିତ୍ର, ଆଦି ଇତ୍ଯାଦି ର ଛବି ବଡ ନିଖୁଣ କରା ଅଙ୍କା ଯାଇ ଥାଏ ।ଭଲ ଲାଗୁଥାଏ ଦେଖିବାକୁ ଆଉ ପିଲାଙ୍କୁ ଦେଖେଇ ବୁଝେଇବାକୁ ଆମ ଦେଶର ବୈଭବ, ଆମ ଦେଶର ବିବିଧତା ।
ଶେଷରେ ଆମ ଗାଡି ଯାଇ ଅଟକିଲା ଏକ ବସ ଷ୍ଟାଣ୍ଡ ରେ ଘାଏଁ କରି ଧୂଳି ଉଡେଇ ।ଆଉ ସେଠିକା ଭାଷାରେ ଡାକିଲା କଣ୍ଡକ୍ଟର ବାପୁଡା, ” ଉତରୋ ଉତରୋ, ଖତମ ରାସ୍ତା ….. ପେସା ବସୁଲ୍ ସଫର୍ …. ସାନଦାର୍ ସଫର୍ …. ୟାର ରହେଗା ଐ ଗଫର୍, ହମ୍ ନେହିଁ ଡଫର୍ ।” ମଜାଳିଆ ଖୁସ୍ ମିଜାଜ ଲୋକମାନେ ଆପେ ଅନ୍ଯକୁ ଖୁସି ଦିଅନ୍ତି, ଜାଣତେ ବା ଅଜାଣତେ ।ଏଇ ଲୋକଟି ସେମିତି ଏତେ ଖରାତରା ଧକ୍କା ଟଣା ଭିତରେ ମାଟିଆ ବର୍ଦୀ ରେ ବି ପ୍ରସିଦ୍ଧ ସିନେତାରକା ଦେବାନନ୍ଦ ଙ୍କର ନକଲ କରି ବିଭିନ୍ନ ଅଙ୍ଗ ଭଙ୍ଗୀ କରୁଥାଏ ଓ ଜୀବନ କୁ ପୁରା ପୁରା ଜୀଉଁଥାଏ ।
ଜୀବନ କୁ ପୁରା ବଞ୍ଚିବାକୁ ବୋଝେ କି ବସ୍ତାଏ ଟଙ୍କା ନୁହେଁ ପୁଳା ପୁଳା ହସ ହି ଯଥେଷ୍ଟ ।ଶାନ୍ତି ସବୁଠୁ ବଡ ସଂପତ୍ତି ।ବ୍ଯାଗପତ୍ର ,ଦୁଇ ବାପା ,ବୋଉ ,ପିଲେ ଦିଟି, ସାନ ଭାଇ ସହ ମତେ ମିଶେଇ ଲଗେଜ ଗଣା ସରିଲା ଉତ୍ତାରେ ୟାଙ୍କର ଆମେ ସମସ୍ତେ ହସି ଉଠିଲୁ ।ବସ ଷ୍ଟାଣ୍ଡର ଅନତି ଦୂରରେ, ମାନେ ଏଇ ଖୋଜେ ପାଦଚଲା ବାଟରେ ଥିଲା ସରକାରୀ ପାନ୍ଥଶାଳା ।ସେଠି ନିଜର ଦାଖଲା କରାଇଲୁ ।ଆପଣ ନ ଦେଖିଲେ ବିଶ୍ବାସ କରିବେନି ଆମ ଦେଶ ପରି ଦେଶରେ ପୁଣି ଏମିତି ସରକାରୀ ପାନ୍ଥଶାଳା ଥାଏ ।
ଆମ ଦେଶର ଯାହା ସରକାରୀ ଅବସ୍ଥା ଆଉ ତାର ଯାହା ପ୍ରଭାବ ଅର୍ଥନୈତିକ ଜ୍ଞାନ ନଥିଲେ ବି ବୁଝିହୁଏ କେତେ ଅସଫଳ ଆମେ ।ମାତ୍ର ଏଠାରେ ଏ ପାନ୍ଥଶାଳା ତ ସରକାରୀ ବ୍ଯବସ୍ଥା ଭିତରେ ବିଲକ୍ଷଣ ,ପୁଣି ସାଧାରଣ ଜନତାଙ୍କ ଉଦ୍ଧେଶ୍ୟ ରେ ଥିବା ପାନ୍ଥନିବାସ …. କିଛି ମନ୍ତ୍ରୀ ଯନ୍ତ୍ରୀ ଙ୍କ ଆରିଷ୍ଟୋକାଶି ନୁହେଁ ।ବହୁତ ହି ଭଲ ,ଭବ୍ଯ, ପରିଷ୍କାର, ସୁନ୍ଦର, ସୁସଂଯୋଜିତ, ସୁଗଠିତ, ସୁବ୍ୟବସ୍ଥିତ, ସୁନ୍ଦର ବ୍ଯବହାର ର ତାଲିକା ଆମ ଆଖି ଆଗରେ ଥିଲା ।ସମୟ ସେତବେଳକୁ ତିନିଟା ପରେ ହେଲାଣି ।ଭାତ ଭୋକଟି ଚେଇଁ ଉଠିଲା ଓହ୍ଲାଇ ପଡିଛୁ ଜାଣି ।ଖୁବ୍ ଭଲ ବଖରା ଦୁଇଟି ଥିଲା ।ଏକଦମ A1 … ନିଜକୁ ବହୁତ ଭଲ ଅନୁଭବ ହେଉଥିଲା ।
ଆମେ କାମ ସାରି ଲୁଗାପଟା ବଦାଳି ତଳକୁ ଆସି ଯୋଗାଯୋଗ କଲୁ ଏବଂ ତୁରନ୍ତ ଏ ଅସମୟରେ ମଧ୍ୟ ଆମର ଖାଇବା ବ୍ଯବସ୍ଥା ସୁନ୍ଦର ସୁଚାରୁ ରୁପେ ହୋଇଗଲା ।ଖୁବ୍ ଯତ୍ନ ଓ ସମ୍ମାନର ସହ ଖୁସି ଖୁସି ଘର ପରି ଆତିଥ୍ଯ ସହ ଆମକୁ ଗୁଜୁରାତି ଥାଳି ପରୋଶିଦେଲେ ଏଠିକାର ବୟବୃଦ୍ଧ ସମ୍ମାନିୟ ବ୍ଯକ୍ତିତ୍ବ ଜଣକ ।ତାଙ୍କ ପାଖରେ କାମ କରୁଥିବା ପିଲେ ସବୁ ଏକାଠି ହେଇ ସେତବେଳକୁ ଖାଇବାକୁ ବସିସାରିଥିଲେ ମଧ୍ୟ ଆମକୁ ଦେଖି ଖୁବ୍ ତତ୍ପରତା ର ସହ ନିଜ ଖିଆରୁ ଦି ତିନି ଜଣ ଉଠିଆସି ଆମକୁ ବାଢିଦେଲେ ଯେଉଁ ଥିରେ ଥିଲା ମୋ ଭାରତ ମାଟିର ଆଉ ଏକ ସ୍ବତନ୍ତ୍ର ସ୍ବାଦ ।
ବିନା ରାଗ,ମସଲା, ତେଲ କମରେ ସୁସ୍ବାଦୁ ,ସ୍ବାସ୍ଥ୍ୟପ୍ରଦ ଭୋଜନ ।ଏଠିକାର ସ୍ବତନ୍ତ୍ର ଖାଦ୍ଯ ଥାଳିରେ ରହୁଥିଲା ଭାତ, ରୁଟି, ପୁରୀ, ଦହି ,ରାଜମା, ଚଣା, ରିଙ୍ଗାଣା ମେଥିନୁ ଶାଗ ( ମେଥିଶାଗରେ ବାଇଗଣ ପରି ଝାଲ ଝାଲ ତରକାରୀ) ,ଖଟାମିଠା ଡାଲି, ପାଳଙ୍ଗ ବଟା ତରକାରୀ ଉନ୍ଦିଉ, ଭେଣ୍ଡି ଶାମ୍ବରିଆ, ଆଳୁ ରସିଆ ( ଟମାଟୋ ଆଳୁ ପତଳା ଝୋଳ), ଆଚାର,ଖାକରା ପାମ୍ପଡ, ଚଟଣୀ, ଆଉ ନିଶ୍ଚିତ ଭାବେ ଦୁଇ ଟି ରୁ ତିନୋଟି ମିଷ୍ଟାନ ପ୍ରକାର ମିଠା ସୂଜି ହଲୱା,ଗୋଲାପଜାମୁ, ଭାକରୀ କଚୁମ୍ବର ସଲାଦ, ବାଦଶାହୀ ଖିଚଡି, ଲୁଣି କଠୋର( ଆମ ସିପୁଲି ପରି କିଛି) ,ମେଥି ଥେପଲା, ଉଗାଦୟଲା ମୁଁଗ ( ସିଝା ବଘରା ଗଜାମୁଗ) ଇତ୍ଯାଦି । ଏତେ ପ୍ରକାର ପେଟେକି ଖାଇ ଆଉ ଏତେ ବଡ ଖାଇବା ହଲ୍ ରେ ଦେଖି ଆମେ ଖୁସି ହେଲୁ ।ରାତି ବ୍ଯବସ୍ଥା ଏଇଠି କରିଦେଇ ଯିବୁ ଭାବିଲୁ ତ ସିଏ କହିଲେ ,” ତୁରନ୍ତ ଟୁକନ ମିଳିଯିବ ବ୍ଯସ୍ତ ନାହିଁ ଆପଣ ଦର୍ଶନ କରି ଆସନ୍ତୁ ।”
କ୍ରମଶଃ ……