ଭ୍ରମଣ କାହାଣୀ ୧୦ (ଦ୍ୱାରକା)

ସକାଳୁ, ନା ନା ଭୋରୁ କହିଲେ ଠିକ୍ ହେବ …..ନିତ୍ଯକର୍ମ ସାରି ବାହାରିଲୁ ଆମେ ।ଦୂର ଦିଗବଳୟର ସେପାଖେ ଦିଶୁଥିଲା ନୂତନ ସୂର୍ଯ୍ୟ ର ଆହ୍ୱାନ ।ହାତ ଠାରି ଡାକୁଥିଲା ନୂଆ ସକାଳ ।ସରକାରୀ ବସରେ ଚଢିଲୁ ସମସ୍ତେ ।ସବୁଠି ଲୋକାଲ୍ ବସ୍ ଆଉ ରେଳ ଅବସ୍ଥା ଯାହା ଏଠି ବି ସେୟା, ଧକ୍କା ଧକ୍କି ପେଲା ପେଲି ।ସେଇ ଝରକା ବାଟେ ଟୁଂ କିନା ରୁମାଲ କି ବ୍ଯାଗଟେ ପକେଇ ସିଟ୍ ରଖିବା ।ସେଇ ଝାଳ ଗହଳି କେଁ କାଁ, ସିଟ୍ ଟେ ପା ଧସ୍ତା ଧସ୍ତି ତେରି _ମେରି ।ତଥାପି ଭଲଲାଗେ । ଆମର ଯାହାକୁ କୁହନ୍ତି ଆମର ନିଜସ୍ବପଣ ।ମନରେ କିଛି ନାହିଁ ।ପୁରା କାଚମାର୍କା ଭାରତ ।ଏଇ ଭିତରେ ତ ବଡ ହେଇଛେ, ଏ ସବୁ ଅଭ୍ଯାସ ରେ ଥାଏ ସବୁ ମଧ୍ୟବିତ୍ତ ପରିବାରର ରକ୍ତ ରେ ।ଆଜି ବି ଯୋଗାଡ କରିନେଲୁ ପିଲେ ଆଉ ବୟସ୍କ ମାନେ ବସିବାକୁ ଚାରୋଟି ସିଟ୍ ।ସିଏ ଝରକା କଡ ।ସେଇଟି ଗୋଟେ ବିଜୟରେ ଗଣା ଯାଏ ।ଝରକା କଡ ସିଟ୍ ମାନେ ଗୋଟେ ରଜାସିଟ୍ ।ତମ ଦୁନିଆରେ ତମେ ମସଗୁଲ୍ ରହିପାରିବ, ଖାଲି ଯାହା ଟିକଟ ପଇସାଟା ବଢେଇଦେଇ କଣ୍ଡକ୍ଟରକୁ ।

ସେ ଯାହା ହେଉ ବସ ଚକ ଘଁ ଘଁ ଅଧଘଣ୍ଟା ହେଲା ପରେ ଗଡିଲା ।ମୋ ପିଲାଙ୍କୁ ତ adventure trip ଗଲା ପରି ଲାଗୁଥାଏ ।ଖୁବ୍ ଉତ୍ସାହ ।ହଁ ଗରମ ପାଣି ଗୁଳୁଗୁଳି ବି ପ୍ରବଳ ।ପାଣି ବୋତଲ ଘଡଘାଡ ସରୁଥାଏ।ମତେ ବଢିଆ ଲାଗୁଥାଏ ନିଶୁଆ ନିଶୁଆ ପଗଡି ପିନ୍ଧା ଗୁଜୁରାତି ଲୋକ ଆଉ ଲେହେଙ୍ଗା ପିନ୍ଧା ସ୍ତ୍ରୀ ଲୋକ ମାନଙ୍କୁ ଦେଖିବାକୁ ।ସେମାନଙ୍କ ମୁହଁ ର ଗଢଣ ଶୈଳୀ କେତେ ଭିନ୍ନ ।କଥା କହିବା ଶୈଳୀ ଓ ସ୍ବର ମଧ୍ୟ ।ଟିଭିରେ କୋଉ  କଳାତ୍ମକ ଚଳଚିତ୍ର ର ଭାଗ ହେଲା ପରି ଲାଗୁଥାଏ ।ମୋର କଳ୍ପନା ବିଳାସୀ ମନ ତାଙ୍କୁ ସବୁ ନେଇ କେତେ କଣ ଗପ ବୁଣୁଥାଏ ।ଦୋହଲି ଦୋହଲି ଗାଡି ଗଡୁଥାଏ ଗାଁ ଗଣ୍ଡା ,ଖାଲ ଢିପ, ସହର ବଜାର, ବିଲମାଳ, ବୁଦା ଜଙ୍ଗଲ ଡେଇଁ, ଝର ପାଣିଚକ ତେଣ୍ଡା( ଏଇ ଭିନ୍ନ ପ୍ରକାରର)….. ଆଗକୁ ଆହୁରି ଆଗକୁ ।ରାସ୍ତା କିନ୍ତୁ ଯା ହା କୁହ ଲହୁଣି ଭଳିଆ ।ଏତେ ଭିତର ଭିତର ରାସ୍ତା ହେଲେ କଣ ହବ ,ପୁରା ପିଚୁ ମଚମଚ ।ମୋଦି ସରକାରଙ୍କର ଆପଣାର ରାଜ୍ଯ ଯେ ।

ଗାଡି ଗୋଟେଠି ଅଟକେଇଲା ଗାଡିବାଲା ।” ଚାହା, ଜଳଖିଆ, ଥଣ୍ଡା, ପାନ,ଯାହା ର ଯାହା ଲୋଡା ଦଶ ମିନିଟ୍ ଭିତରେ ନେଇକି ଆସନ୍ତୁ ଆଉ ପ୍ରକୃତି ର ଡାକରା ମଧ୍ୟ ସାରିକି ଆସନ୍ତୁ ” କହିଲା ଗାଡିର ପିଲାଟି ଟିଣପାହାଚ ଡେଇଁ ଉଡୁ ଉଡୁ ।ଯେଝାର ଯିଏ ଓହ୍ଲାଇ ଅଣ୍ଟା ସଳଖିଲେ ।ଆମ ପିଲେ ବି କଣ ଆଡୁସାଡୁ କୁଡୁମୁଡୁ ଦିଟା ଆଣି ଫେରିଲେ ।ସେଠିକାର ଲୋକାଲ ତିଆରି ଚିପ୍ସ ପ୍ଯାକେଟ ସବୁ ଆଖି କୁ ନୂଆ ନୂଆ ଦିଶୁଥାଏ ,ଦୂରର ନୁଆଣିଆ କେବିନ ସାରା ।ସେଠୁ ଦି ଚାରୋଟି ଆଣିଲି ଚାଖିବାକୁ ।ଦେଖିଲି ଆମର ପୃଥିବୀ ବିଖ୍ଯାତ କୁରୁକୁରେ, ଅଙ୍କଲ ଚିପ୍ସ,ଲେସ୍ ତୁଳନାରେ ଯଥେଷ୍ଟ ଭଲ ।ସୁଆଦରେ,ମସଲା ତେଲରେ, ରାଗରେ ଓ ପରିମାଣରେ ।ଆମ ଦେଶର ବିଖ୍ଯାତ ଚିପ୍ସ ସବୁ ଭିତରେ ତ ନବେ ଭାଗ ପବନ ଥାଏ ଆଉ ଭାଗେ ଆଳୁ ।ମତେ ଖୁସି ଲାଗିଲା ଏଠିକା ଲୋକଙ୍କ କାମ ଦେଖି ।ହଁ ମୂଲ୍ଯ ମଧ୍ୟ ମାତ୍ର ପାଞ୍ଚ ଟଙ୍କା ।ଆଜିକା ବିଂଶ ଶତାବ୍ଦୀ ଯୁଗରେ ଯୋଉଠି ପାଣି ଠୁ ପଣା ମହରଗ ।

ଗାଡି ଛାଡିବା ବେଳ ହେଲା ।ସୁସୁରି ମାରି ଗାଡି ଆବାଜ ଦେଲା ।ମୁଁ ଏପଟର ବଳଦ ଶଗଡ ହଳୁଟେକୁ ମନ ଲଗେଇ ଦେଖୁଥିଲି ।ଚାଷୀ ଭାଇ ଜଣେ କଣ ଏକ ଶଷ୍ଯ ବୋଧେ ( ଚିହ୍ନି ପାରିନି) ସେଇ ଶଗଡରେ ଗଦେଇ ଆଣିଥାନ୍ତି ।ଲୋକେ ମଧ୍ୟ କିଛି ବସିଥାନ୍ତି ସେଥିରେ ।ବଦଳ ମାନେ ଡେଙ୍ଗା ସରବର, ମୁନିଆଁ ନୋକିଲା ଶିଙ୍ଘ,ସେଥିରେ ନାଲି, ସବୁଜ, ହଳଦୀ ରଙ୍ଗର ପଟା ଲଟା ଛବି ।କେତେ ସୁଧାର ହେଇ ନ ଦେଖେଇଥିବେ ଦିହେଁ ଆଙ୍କୁଥିବା ହାତକୁ , ନୁହେଁ ! ପଶୁ ହେଲେ ବି ପ୍ରେମର ଭାଷା ବୁଝେ ।ମାନେ ।ଝରାଝୁମ୍ପା ଦି ପଟ ବି ବନ୍ଧା ହେଇଥାଏ ।ସମସ୍ତ ଙ୍କ ଧପାଲିବା ଦେଖି ମୁଁ ବି ଫେରିଲି ଗାଡିକୁ ।ଟିକେ ଆଗରୁ ହାଲିଆ ଧିମା ଦିଶୁଥିବା ଲୋକେ ଅନେକଟା ସତେଜ ଦିଶୁଥିଲେ ।ଗାଡି ଛାଡିଲା ।କିଛି ଲୋକ ବୋଧେ ଓହ୍ଲାଇ ସାରିଥିଲେ ଆଉ କେତେ ନୂଆ ମୁହଁ ଯୋଡି ହେଇଥିଲେ ।ମୋ ଝିଅ କଣ କଣ ସବୁ ଦେଖି ଝରକା ବାଟେ ପଚାରୁଥାଏ କେତେ କଥା ତାର ସ୍ବଭାବ ସୁଲଭ ଜିଜ୍ଞାସା ନେଇ ।ହଠାତ୍ ସିଏ ଅଟକି ଗଲା ଆଉ ମତେ ଆଖି ରେ ଠାରିଲା ।ମୁଁ ବୁଲିଦେଖେ ତାରି ବୟସର କୁନି ଝିଅ ଟିଏ ।ଠିଆ ହେଇଛି ତା ମାଆକୁ ଆଉଜି ।ମାଆ କୋଳରେ ଆଉ ଗୋଟିଏ ବକଟ ,ସେପଟ ହାତରେ ପୁଣି ତାଠୁ ଟୋପେ ବଡ ଆଉ ଗୋଟେ ବଟକରା ।ଯୋଡେ ପୁଅ ଗୋଟେ ଝିଅ ।ବେଶଭୂଷା ମଉଳା ,ମାଟି କାମ କରୁଥିବେ ବୋଧେ …. ଲୁଗାପଟା ଯାକ ମାଟି ।ଚୁଟି ସବୁରେ ତେଲ ନ ବାଜି ନଡିଆ କତା ପରି ଫର୍ ଫର୍ ଖଇରିଆ ।ଚିଲା ଚିଲା ଆଖି ।ଲେହେଙ୍ଗା ଚୋଲି ପିନ୍ଧା ମାଆଟି ତାର ମୁଣ୍ଡ ଉପରେ ଥିବା କାନିର ପଟେ ଗୋଟେପଟ ଦାନ୍ତରେ କାମୁଡି ଥାଏ ।ମୁହଁ ସଭିଁଙ୍କର କିନ୍ତୁ ସରଳ, ନିଷ୍ପାପ, ନିରୀହ,ପବିତ୍ର ….ଆଖି ଲାଖିଲା ପରି ।ଶୋରିଷ ପକେଇବାକୁ ଥାନ ନଥାଏ ବସ୍ ରେ ।ଗେଞ୍ଜି ଗେଞ୍ଜି ଲୋକ ବସିଥାନ୍ତି ।ତିନି ଯାଗାରେ ଚାରି ।ମଝି ଠିଆ ହବା ଯାଗାରେ ଟୁଲ୍ ପକେଇ କିଏ କିଏ ।ଏମିତିରେ ଏମାନେ ……

ମୁଁ ଟିକେ ଅନ୍ଯମନସ୍କ ହେଇଛି କି ,କଣ୍ଡକ୍ଟରର ଆଉ ସେଇ ସ୍ତ୍ରୀ ଲୋକଟିର କଣ କଥାକୁ ନେଇ ବଚସା ଶୁଭିଲା ।ଠଉରେଇ ଯାହା ବୁଝିଲି ସ୍ତ୍ରୀ ଲୋକଟି ସିଟ୍ ଟିଏ ପାଇଁ ଅଳି କରୁଛି ।ପ୍ରକୃତରେ ତିନି ତିନୋଟି ପିଲାଙ୍କୁ ଧରି କାଖେଇ ଠିଆ ହବା କଷ୍ଟ ତ ନିଶ୍ଚୟ ।ମୁଁ ସେଇ କୁନି ଝିଅ ଟିକୁ ଚାହିଁ  ଭରସାର ହସଟେ ସହ ତା ହାତକୁ ଧରି ମୋ କୋଳରେ ବସେଇଦେଲି ଆଉ ଆର ପୁଅଟିକୁ ମୋ ପୁଅ ପାଖରେ ଟିକେ ଜକେଇ ଜକେଇ ଦେଲି ।ମାଆଟିର ଆଖିରେ ଯୋଉ କୃତଜ୍ଞତା ଦିଶିଲା ମତେ ନିଜକୁ ଭାରି ଲାଗିଲା ।ମୋ ଝିଅ ତାକୁ ଏକ ଲୟରେ ଚାହିଁଥାଏ ।ତାର ଯାଯାବର ବେଶ ,ମାଳି, ଚିତାକୁଟା ହାତ ଆଉ ବେଶଭୂଷା କୁ ନିରେଖୁଥାଏ ।ଏକଦମ ପିଚ୍ ପିଚ୍ ଗୋରା ଛୁଆ ତିନୋଟି ଯାକ ।ମାଆ ଟି ବି ପିଟାଗୋରୀ ହେଲେ ବୟସ, ପରିସ୍ଥିତି ମାଡରେ ସୁନା ରଙ୍ଗ ଯାହା ଟିକେ ମଉଳି ଯାଇଛି ।

ଝିଅ ଟିକୁ ପଚାରିଲି, ” ନାଁ କଣ ? ” ଓଡିଆରେ ।ମୋ ଝିଅ ତା ଟିକି ଓଠରେ ହାତ ଦେଇ ହସିଲା ଆଉ କହିଲା, ” ସିଏ ଓଡିଆ କେମିତି ବୁଝିବ? “

ମୁଁ କିନ୍ତୁ ଜାଣେ ଯୋଉଠି ଭାଷା,ଅକ୍ଷର, ଶବ୍ଦ ର କିଛି ଭୂମିକା ନଥାଏ ସେଠି ବର୍ଣ୍ଣମାଳା ନ ଜାଣି ବି କଥା ବୁଝିହୁଏ ।ମୁଁ କେତେ ଲୋକଙ୍କ ସାଙ୍ଗେ ଏମିତି କଥା ହୁଏ, ଖାଣ୍ଟି ଓଡିଆରେ ।ଯେତେବେଳେ କି ସେମାନେ ଉତ୍ତର ଫେରାନ୍ତି ଖାଣ୍ଟି କନ୍ନଡ, ତେଲୁଗୁ, ଗୁଜୁରାତି, ପଞ୍ଜାବୀ କି ବଙ୍ଗାଳୀ ରେ ।ତେବେ ବି ଆମେ ଗପିପାରୁ, ହସିପାରୁ ବେଦମ୍ ହେଲା ଯାଏ ।ବୁଝିପାରୁ କିଏ କଣ କହୁଛି ।ଆଖି ତ ମନର ଦର୍ପଣ, ହୃଦୟ ତ କଥା କହେ ।ଓଠ ଓ ଶବ୍ଦ ତ ଭୂମିକା ସେଠି ଗୌଣ ନିଶ୍ଚିତ ।ମୁହଁ ଭରା ଭାବଭଙ୍ଗୀର ଭାଷାରେ ଆଦାନପ୍ରଦାନ କରିନିଏ ଅନେକ ଅକୁହାକଥା ।

ଝିଅ ମୋର ତା ମୁହଁ କୁ ଚାହିଁଲା ,ସତରେ କଣ ସିଏ ବୁଝିଗଲା ମୋ ବୋଉର ଭାଷା ନ ଜାଣି ବି ? ପରି ଆଶ୍ଚର୍ଯ୍ୟ ଜିଜ୍ଞାସା ଟେ ନେଇ ।ମୁଁ ପ୍ରଶ୍ନ ଦୋହରାଇଲି ।

ସିଏ ମୋ ମୁହଁକୁ ବଲବଲ କରି ଚାହିଁ ଚାହିଁ ନିଜ ଛାତିରେ ହାତ ଲଗେଇ  କହିଲା, ” ହେତଲ୍ ” ପୁଣି ମାଆ ଆଡକୁ ହାତ ଉଠେଇ କହିଲା, ” ଓ ହଂସୁଲ୍, ଓ ପ୍ରଖ୍ଯାତ ।ଏ ଠେଠ୍ ମାଆ “
ତାର ମାଆ ଟି ବି ତା ନିଜ ଭାଷାରେ କିଛି ଧାଡି କହିଲା ।ଆଗ ସିଟ୍ ରେ ବସିଥିବା ଲମ୍ବା ବେଣୀ ପକା ଟିପାଲଗା ଜିନ୍ସ ଟପ୍ ପ୍ଯାଣ୍ଟ ରେ ଥିବା କିଶୋରୀ ଝିଅ ଟିଏ ବୁଲିପଡି ଥରେ ମତେ ଆଉ ଥରେ ତାକୁ ଚାହିଁଲା ।ଗୋଲାପି ସରୁ ପାନପତରି ଓଠରେ ହସଟିଏ ହସିଦେଇ ସ୍ତ୍ରୀ ଲୋକଟିର କଥାକୁ ହୀନ୍ଦିଭାଷାରେ ଅନୁବାଦ କରିବୁଝେଇଦେଲା ଯେ ,” ଏମାନେ ଏକ ଚାଷୀ ପରିବାରର ।ଗାଁ ରୁ ପୁଅର ଚିକିତ୍ସା ପାଇଁ ଆଣି ଆସିଛନ୍ତି ।ପାଖରେ ଭଲ ଔଷଧ ବା ଚିକିତ୍ସକ ନାହାନ୍ତି ବୋଲି ।ଦେଖେଇ ସାରି ପୁଣି ଗାଁ କୁ ଫେରିବେ ।ସିଏ ବି କାଲି ସକାଳ ସୁଦ୍ଧା …. ନହେଲେ ସେଠି ଅନେଇ ବସିଥିବା ଗାଈ, ବଳଦଙ୍କ କଥା ବୁଝିବ କିଏ ।” ……. ଆହୁରି ଅନେକ କଥା କହୁଥାଏ ସିଏ ପ୍ରଗ୍ଳଭା ହୋଇ ତାର ନିଜସ୍ୱ ଭାଷାରେ ।

ମନ ଖୋଲିବାର କବିଟଟିଏ ଦିଶିଲେ ନାରୀଟିଏର ଆଖି ରେ ଦୀପଟିଏ ଜଳେ ।ସେତିକି ମୂହୁର୍ତ୍ତ ସିଏ ଜୀଇଁ ଯାଏ ତା ମୁତାବକ ମୁକୁଳି ।ଅନ୍ୟ ସବୁବେଳେ ତ ସମର୍ପି ସମର୍ପି ବଳିଦେଉଥାଏ ନିଜକୁ ବଳିତା କରି ଦୀପଟି ମାନ ପାଇଁ ।

ମାଆ ଟିଏ କେତେ ଝଡ ଝଞା ସହିପାରେ, ମୁଣ୍ଡେଇ ନେଇ ପାରେ କେତେ ଅଦଉତି ସମୟର ।ସଳଖେଇପାରେ ନଇଁ ପଡୁଥିବା ଅଣ୍ଟା କୁ ସହସ୍ର ଥର କୋଉ ଏକ ଦୁର୍ବାର ଆକର୍ଷଣ ରେ ।ସେଇ ଆକର୍ଷଣ ତାର ପରିବାର, ତାର ସଂସାର, ତାର ସନ୍ତାନ ।ଏକୁଟିଆ ଲଢିପାରେ ସିଏ ଅନନ୍ତ ଅଦୃଶ୍ୟ ଦୃଶ୍ୟ ଛୋଟବଡ ଲଟାଝଟା ସହ ।କାଟିଦେଇ ପାରେ ଅନନ୍ତପଥ ତପସ୍ୟା ରେ ।


କ୍ରମଶଃ