ଭ୍ରମଣ କାହାଣୀ – ୧ (ଦ୍ୱାରକା)

ଏଥର ଆସନ୍ତୁ ବୁଲି ଯିବେ ମୋ ସହ କେତୋଟି ସୁନ୍ଦର ଯାଗା ।

ଏକାଠି ଭେଟିବା ଭାରତର ମହନୀୟ ସଂସ୍କୃତି, ଉତ୍କୃଷ୍ଟ ପରମ୍ପରା, ଗପ ଓ କାହାଣୀ, ତଥ୍ୟ ତଥା ସତ୍ୟତା ଭରା ବିଶ୍ୱାସ ଭରା କିମ୍ବଦନ୍ତୀ ସହ ନିଜସ୍ୱ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ପ୍ରତିପାଦିତ କରୁଥିବା ଆଉ ଏକ ପର୍ଯ୍ୟାୟରେ ପର୍ଯ୍ୟଟନର ପଟ୍ଟଭୂମି ସବୁକୁ। ଭୂଗୋଳ ଠାରୁ ଇତିହାସ, ରହଣୀ, ବୁଲା ଅଭିଜ୍ଞତା ଠାରୁ କିଛି ଅଦ୍ଭୁତ ଅଦୃଶ୍ୟ ଅନୁଭୂତି। ଆଉ ସବୁଠୁ ମଜାଦାର ବାଟରେ ଘାଟରେ ଭେଟିଥିବା ମନ ମନେ ରଖିଥିବା କେତେ ଗପ ଓ ତାର ଜୀବନ୍ତ ଚରିତ୍ରମାନଙ୍କୁ । ଯିବା ? ପ୍ରସ୍ତୁତ ତ ?

ଆଜିର ଭ୍ରମଣ କାହାଣୀ ଭାରତର ଦକ୍ଷିଣ ପଶ୍ଚିମ ଦିଗରୁ ନେବା। ଆମ ଦେଶ ଆର୍ଯ୍ୟ ଭୂମି, ପୂଣ୍ୟ ଭୂମି କୋଶଳ ଜମ୍ବୁଦ୍ୱୀପରେ ଆମର ହିନ୍ଦୁ ମାନ୍ୟତା ଅନୁଯାୟୀ ଜୀବନରେ ଥରଟେ ହେଉ ପଛେ ଚାରିଧାମ ଦର୍ଶନ ପ୍ରାପ୍ତିର ସୌଭାଗ୍ୟ ଅର୍ଜି ନେବା କଥା । ପୁରାତନ ସମୟରେ ଜୀବନ  ନିୟମର ଚାରି ଆଶ୍ରମ ମଧ୍ୟ ରୁ ଶେଷ ବାନପ୍ରସ୍ଥ ଆଶ୍ରମରେ ସମାଜର ବୟସ୍କମାନେ ବୟସର ଶେଷ ସଂଧ୍ୟାରେ କିଛି ପୂଣ୍ୟ ସାଉଁଟି ମୋକ୍ଷ ପାଇବା ଅର୍ଥରେ ହେଉ ଅବା ଜଞ୍ଜାଳ ମୁକ୍ତ ହୋଇ ଦାୟିତ୍ୱ ସମର୍ପି ଶାନ୍ତିପଥରେ ହେଉ ବାହାରି ଯାଉଥିଲେ ସସ୍ତ୍ରୀକ, ସଖାମାନଙ୍କ ସହ ଦଳ ହେଇ । ଗ୍ରାମକୁ ଫେରସ୍ତ ଆସିବେ, ପରିବାରକୁ ପୁଣି ଭେଟିବେ ସେସବୁ ଇଚ୍ଛାକୁ ଗଣ୍ଠିଳି ବାନ୍ଧି ଗଛ କୋରଡରେ ରଖି ଯାଉଥିଲେ । କିଏ ଫେରୁଥିଲା, ଅନେକ ଫେରୁନଥିଲେ । ଧର୍ମାତ୍ମା ଶାସକମାନେ ଏହି ତୀର୍ଥଯାତ୍ରୀ ପର୍ଯ୍ୟଟକ ମାନଙ୍କ ପାଇଁ ଦୁର୍ଗମ ଗହନ ବନ ପଥ ସବୁରେ ଚଲାପଥ, ଜଳାଶୟ, ଆଶ୍ରୟ ସ୍ଥଳ ବା ପାନ୍ଥଶାଳା, କୂପ, ବିଭିନ୍ନ ଫଳ ପୁଷ୍ପ କୁଞ୍ଜ ଓ ତୋଟା ଗଢଉଥିଲେ ଯାହା ତାଙ୍କୁ ଦୟାଶୀଳ, ବଦାନ୍ୟ ଓ ସୁଶାସକ ରୂପେ ପ୍ରସିଦ୍ଧି ଦେଉଥିଲା ।

ଏହି ଚତୁର୍ଧାମ ହେଲେ ଉତ୍ତରାଞ୍ଚଳର ବଦ୍ରିବିଶାଳ ନାରାୟଣ, ଆମ ଓଡିଶାର ଆରାଧ୍ୟ ମଣିମା ଶ୍ରୀ ଜଗନ୍ନାଥ, ଦକ୍ଷିଣ ରେ ଶ୍ରୀ ରାମେଶ୍ୱରମ୍ ମହାଦେବ ଏବଂ ଗୁଜୁରାଟର ଦ୍ୱାରକାଧିଶ କୃଷ୍ଣ ମନ୍ଦିର । ବିଶ୍ୱାସ କହେ ଈଶ୍ୱର … ନାରାୟଣ ବଦ୍ରିରେ ଶୟନ, ପୁରୀରେ ଭୋଜନ, ରାମେଶ୍ୱରମ୍ ରେ ସ୍ନାନ ଓ ଦ୍ୱାରକା ରେ ସାଜସଜ୍ଜା ସହ ରାଜଭୋଗ କରନ୍ତି । ତେବେ ଅନ୍ୟ କେତେକଙ୍କ ମତ ଅନୁସାରେ ଗଙ୍ଗୋତ୍ରି, ଯମୁନେତ୍ରୀ, କେଦାରନାଥ, ଅମରନାଥ ମଧ୍ୟ ହିମାଳୟର ଚତୁର୍ଧାମ ।

Photo Credit: Lopamudra Parida

ମହାପ୍ରଭୁଙ୍କ ଅପାର ମହିମାରୁ ଆମ ଘର ପୁରୀ । ଶ୍ରୀ ବଦ୍ରିନାଥ ଓ ଶ୍ରୀ ରାମେଶ୍ୱରମ୍ ଦର୍ଶନ ବୋଉ ଥିଲାବେଳେ ହେଇଯାଇଥିଲେ । ବୋଉ ର ଇଚ୍ଛା ଥିଲା ତାର ବାକି ରହିଯାଇଥିବା ଶେଷ ତୀର୍ଥ ସାରିବାକୁ, ହେଲେ ତାକୁ ସେଇ ତିନୋଟିରେ ହି ଫେରିଯିବାକୁ ହେଲା । ଆମେ ଆଉ ପଛରେ ରହିଯାଇଥିବା ତାର ପରିବାର ନିଷ୍ପତ୍ତି ନେଲୁ ଯେ ଆମେ ଦ୍ୱାରକା ଦର୍ଶନ ଏକାଠି କଲେ ସିଏ ବି ଆମ ଭିତର ଦେଇ ନିଶ୍ଚିତ ଦର୍ଶନ କରିପାରିବ ଏବଂ ତାର ଶେଷ ଇଚ୍ଛା ପୂରଣ ହେବ । କୁହନ୍ତି ନା ,” Man proposes, God have his own plans for you .” ସେଇମିତି ଆମେ ବି ପ୍ରାର୍ଥନା ସହ ଅପେକ୍ଷା ରେ ଥିଲୁ କେବେ ସୁବିଧା ହେବ, ଯୋଗ ଫିଟିବ ଆଉ ଡାକରା ଆସିବ ଦ୍ବାରକାଧିଶ ଙ୍କ ଠାରୁ ।

ଏବେ ବୁଝିଗଲେ ନା, ଆଜି ଆମେ ବୁଲିଯିବା “ଦ୍ୱାରକାଧିଶ” ଆପଣ ସମସ୍ତଙ୍କ ସହ ।

ଏଥର ଏହି ତୀର୍ଥ ଯାତ୍ରାର ଯୋଗ ପଡିଥିଲା ଫେବୃଆରୀ ମାସରେ । ବାପା, ଭାଇ, ଶାଶୁ, ଶଶୁର, ମୋ ସ୍ୱାମୀ, ମୁଁ ଆଉ ମୋର ଦୁଇଟି ସନ୍ତାନ ଓ ଗୁରୁଣ୍ଡି ଗୋପାଳ ଲଲ୍ଲା… ଏତିକି ଥିଲୁ ସହଯାତ୍ରୀ ।

ବାଙ୍ଗାଲୋରର କୃଷ୍ଣ ରାଜ ପୁରମ ରେଳ ଷ୍ଟେସନରୁ ଧରିଲୁ ଟ୍ରେନ୍ ଗନ୍ତବ୍ୟ ଦିଗରେ । ବାଙ୍ଗାଲୋରରୁ ଅହମଦାବାଦ 1662 କିଲୋମିଟର । ବିକାନିର୍ ଏକ୍ସପ୍ରେସ । ପହଞ୍ଚିବା ସମୟ 31 ଘଣ୍ଟା …. ପାଖାପାଖି ପୁରା ଗୋଟିଏ ଦିନ, ଗୋଟେ ରାତି ଆଉ ସାତ ଆଠ ଘଣ୍ଟା । ଲମ୍ବା ଯାତ୍ରା ।ଯେହେତୁ ଆମ ସହ ଦୁଇଜଣ ଶିଶୁ ଓ ତିନିଜଣ ବୟସ୍କ ଥାନ୍ତି ତେଣୁ ଆମେ ଦରକାରୀ ଫାଷ୍ଟଏଡ୍ ଔଷଧ ଠାରୁ ରାସ୍ତା ରେ ଖାଇବା, ପାଣି ସବୁ ନେଇଥାଉ ବ୍ୟାଗପ୍ୟାକ୍‌ରେ । ସେମିତିରେ ବୁଲାବୁଲି ପାଇଁ ଅଳ୍ପ ଲଗେଜି ସବୁବେଳେ ଭଲ, କିନ୍ତୁ ଆବଶ୍ୟକତାର ପ୍ରାଥମିକତାକୁ ଏଡେଇ ଦେଇ ହୁଏନି ।

ସନ୍ଧ୍ୟା ଟ୍ରେନ୍ ଥିଲା। ତେଣୁ ଆମେ କେବଳ ରାତିଖାଇବା ପ୍ୟାକ୍ କରି ନେଇଯାଇଥିଲୁ । ରାତି ବଢିବା ସହ ଜିନିଷ ପତ୍ର ସଜଡା ଖଞ୍ଜା, ଯେଝା ଯାଗାରେ ଯାହାର ସୁବିଧା ଅନୁସାରେ ଖାଇବା, ଶୋଇବା, ଔଷଧ ବ୍ୟବସ୍ଥା ସାରିଲା ପରେ ଆମେ ଦିଜଣ ଖାଇ ବସିଲୁ । ଶାନ୍ତ ମନଟି ଖୁସି ଖୁସି ଲାଗୁଥାଏ । ପିଲେ ବୁଲି ଯାଉଛନ୍ତି ଅଜା, ଜେଜେ, ଜେଜମାଆ ସହ ବୋଲି ଖୁସିରେ କୁରୁଳି କୁଦି ହାଲିଆ । ଶୋଇପଡିଲେଣି । କାଚ ଝରକା ଦେଇ ବାରାରକୁ ଚାହିଁଲି । ଅସରନ୍ତି ଅନ୍ଧାର ଭିତରେ ଚକମକି ତାରା ସବୁ ହାତ ହଲଉଥିଲେ । ଖୁସି ଦିଶୁଥିଲା ଅସୀମ ଗାଢ ନୀଳ ଛାଇଛାଇଆ ଜହ୍ନ ଆଲୁଅ ସହ ତାର ଗଛ, ବଣ, ଗାଁ, ପ୍ରାନ୍ତର ସବୁ ଥୋଇ ନୂଆ ପ୍ରକାର ମନଗଢା ପିଲା ଖେଳ ଖେଳୁ ଖେଳୁ ।

ଆଖି ଲାଖି ଯାଇଥିଲା ନିଦର ଛୁଆଁ ରେ ……..

ଆଗରୁ…. ମାନେ ଆମ ପିଲାଦିନ କଥା କହୁଛି … ଆମେ ମଧ୍ୟବିତ୍ତ ବର୍ଗ ସବୁ ଟ୍ରେନ ଯାତ୍ରା sleeper coach ରେ କରୁଥିଲୁ । ସେ ଖୋଲା ଝରକା ଦେଇ ଭାରତ ମାଟି ଦେଖିବାର ଯୋଉ ନିଆରା ଆପଣାପଣ ସିଏ ଏ ଦରନେଳିଆ ମୋଟା ଚଷମା କାଚ ଦେଇ କାହିଁ ! ଅସ୍ପଷ୍ଟ ଆଉ ବନ୍ଦ । ତଥାପି ଟ୍ରେନ୍ ଝରକା ଦେଇ ଭାରତ ଦେଖିବାର ମଜା ଆଉ କୋଉଥିରେ ନାହିଁ । ଭୋର୍ ସୂର୍ଯ୍ୟ ନୂଆବୋହୂ ପରି ଲାଲି ବଡ ଟିପା ନାଇ ଆମ ସାଙ୍ଗରେ ସାଙ୍ଗରେ ପୁଣି କେବେ ପଛୁଆ ପଡିଯାଇ ଦୈଡୁଥାନ୍ତି । ଗଛ ପତ୍ର ସବୁ ପଛକୁ ଦୌଡା ଲଗେଇଥାନ୍ତି । ମତେ ଏଇ ନାରଙ୍ଗୀ ଲାଲ କିରଣଟି ଭାରି ଟାଣେ ସିଏ ସକାଳ ହଉ କି ସଂଧ୍ୟା । ମୁଁ ଆସ୍ତେ କି ଉଠି ଦୁଆର ଯାଏ ଗଲି ଆଉ ମୁଦା, ଓଜନିଆ ଲୁହାଦରଜା ର ଶିକୁଳି ଖୋଲି ଟାଣି ଆଣିଲି ଭିତର ପଟକୁ । ମୋ ଦେହ ମୁହଁ ସାରା ପବନ ସହ ସୁନାକିରଣ ରେଣୁ ଢାଳି ହେଇଗଲା । ବିଞ୍ଚିହେଇଗଲା ଖୁସି ଲହରେଇ ଲହରେଇ ଦ୍ରୁତ ପବନ ତାଳରେ । ସାବଧାନରେ ବାହାରର ଗତିଶୀଳ ପ୍ରତିତ ପ୍ରାନ୍ତର କୁ ଚାହିଁଲି । ଆଃ ମନୋରମ । ଈଶ୍ୱର ହିଁ ଏକମାତ୍ର କାରୀଗର ଯିଏ ଆଙ୍କିଦେଇ ପାରନ୍ତି ଏ ସୃଷ୍ଟିକୁ କାନଭାସ କରି । ଦିଶିଯାଉଥାଏ ମାଟି, ଆକାଶ, ହାତ ହଲେଇ ଟା ଟା କରୁଥିବା ହସ , ଗଦା ଗଦା ମଣିଷର ସୁଖଦୁଃଖ ର ଘର, ବସ୍ତି, ଚାଷଜମି, ଫାଳିକିଆ କଟା ବୁହା ହବାକୁ ଅପେକ୍ଷାମାଣ ପାହାଡ, ଶଗଡି, ପଗଡି, ଝର, ପୋଲ ଆହୁରି ଆହୁରି କେତେ କଣ । ରେଳ ଉଡି ଯାଉଯାଉ ଥରି ହେଲା । ଦିଶିଗଲେ ଅସଂଖ୍ୟ ମୟୁର ଠାଏ ଠାଏ କରି ଅନେକ ଠା । ଏମିତି ବୁଲୁଥାନ୍ତି ବୁଦୁବୁଦିଆ କଣ୍ଟାଳିଆ ବବୁଲ୍ ଗଛମାନଙ୍କ ତଳ ବାଲି ପରି ଦିଶୁଥିବା ମାଟି ସବୁରେ । ବିରଳ, ବିଜନ, ଅପନ୍ତରା କଣ୍ଟାଚର ଅଳ୍ପ ସବୁଜ ଛୋଟ ଛୋଟ ଉଚ୍ଚ ଗଛ ସବୁର ଖୁପୁରୁ ଖାପୁରୁ ଜଙ୍ଗଲ ଭିତରେ ରଙ୍ଗମୟ ତରଙ୍ଗ ପରି ବୁଲୁଥାନ୍ତି ସେମାନେ ,ନିର୍ଭୟ । ଉଦିତ ସୂର୍ଯ୍ୟ କିରଣ ସହ ମୟୁରୀ ମୟୁର ମାନେ କୁହୁକିଆ ମାୟାଜାଲ ବୁଣୁଥାନ୍ତି ଯେମିତି । ଆଖି ଫେରେଇ ହେଉନଥାଏ ଏ ସୁନ୍ଦର ପକ୍ଷୀସବୁକୁ ଏମିତି ମୁକ୍ତ ଆକାଶ ତଳେ ବେପରୁଆ ବୁଲୁଥିବା ଦେଖି । ଏକ ସମ୍ଭ୍ରାନ୍ତପଣକୁ ଧରି ଚାଲୁଥାନ୍ତି ସେମାନେ ।

ପିଲାଙ୍କୁ ଡାକି ଦେଖେଇବି ଭାବି ଭାବତରଙ୍ଗରେ ଢେଉଢେଉକା ଚାଲି ଫେରି ଦେଖେ ଝରକା ବାଟେ ଇୟେ ଆଉ ପିଲେ ଦେଖୁଛନ୍ତି ସେ ଅପୂର୍ବ ଦୃଶ୍ୟ ତମାମ୍ ଆଉ ଉଛ୍ଛୁଳୁଛନ୍ତି ଖୁସିରେ ” ହେଇ ଦେଖ୍ ଦିଦି ସେପଟେ ଗୋଟେ, ସେପଟେ ଗୋଟେ।” ଏଇ ଦେଖ ସେଠି ଗୋଟେ ମାମା ଆଉ ଦିଟା ବେବୀ ପିକକ୍, ଆମ ପରି “ହସି ହସି ଗଡୁଥାନ୍ତି ତିନିହେଁ ।”

Photo Credit: Lopamudra Parida

ଟ୍ରେନ୍‌ର ଗତି ସହ ମୟୁର ଦେଖା ଚାଲିଥାଏ । ସରୁନଥାଏ । ଦିଶିଲା ଛାଇଛାଇଆ ବିଲମାଳ, ଗାଁ, ପୋଲ, ଟ୍ରାକ୍ଟର । ଏବେ ଆଉ ସେ ମୁକ୍ତି ର ପ୍ରାଗଣ କାଇଁ ଯେ ସେମାନେ ଆଉ ଦିଶନ୍ତେ ।ପିଲେ ସ୍କୁଲ ଶୀତ ବସ୍ତ୍ର ପିନ୍ଧି ବାହାରୁଥିବା । ଲୋକେ କାମକୁ ବାହାରୁଥିବା ଦୃଶ୍ୟ ପାରିକରେଇ ଦେଉଥାଏ ରେଳ ଛୁକୁ ଛୁକୁ କରି ।ଅଳ୍ପ ଅଳ୍ପ ଲୋକେ ଉଠି ସାରିଥାନ୍ତି । ଟ୍ରେନ୍ ରେ ନିତ୍ୟକର୍ମ ସାରିବା କଥା ତ ତୁରନ୍ତ ଏବଂ ଚଞ୍ଚଳ ସକାଳୁ ( ଅନ୍ୟମାନେ ଉଠିବା ଆଗରୁ) ସାରିଦେବାକୁ ହୁଏ । ନହେଲେ ….. ଭାରତୀୟ ପରା … ସବୁଠି ଗାଁ ପଡିଆ । ଲୋକେ ଯଦି ନିଜ ଘର ପରି ଯତ୍ନଟି ସବୁଠି ଦେଖାନ୍ତେ କେତେ ସୁଧାର ଆସନ୍ତା । ଜଙ୍କସନ୍‌ଟିଏ ଆସିଲେ ପାଣି ଭରାହବ କି ସଫାସୁତୁରା କାମ ବଢିବ ସିନା । ଲୋକେ କିନ୍ତୁ ବୋଧେ ଭାବନ୍ତି, ” ମୋ କାମ ତ ସରିଗଲା, ପଛ ଲୋକ କୋଉ ମୋ ଭାଇ ଭଲା । କିଏ ଭାବୁଛି ତା କଥା ।” ଛାଡନ୍ତୁ ଇଏ ଅନ୍ୟ ଏକ ଦିଗ ଆମ ମାନସିକତା ନେଇ । ଈଶ୍ୱର ହୁଅନ୍ତୁ କି ସରକାର ନିଜକୁ ନିଜେ ସହଯୋଗ ନ କଲେ, ସାହା ନହେଲେ, ଦାୟିତ୍ୱ ନ ନେଲେ କାହାର କିଛି କରିବାର ଶକ୍ତି କାଇଁ  ?

ତେଣୁ ପିଲାଙ୍କୁ ଆଣି ତୁରନ୍ତ ନିତ୍ୟକର୍ମ ସରେଇ ଆମେ ସମସ୍ତେ ସାରିଦେଲୁ । ଖାଲିପେଟ ଔଷଧ ସବୁ ନିର୍ମାଲ୍ୟ ଭଳିଆ ଯିଏ ଯାହାର ପାଇଦେଲୁ ।

ଟ୍ରେନ୍ ର ଗତି ବଢୁଥାଏ, କମୁଥାଏ ସହସ୍ର  ଚକ ସହ ତାଳ ଦେଇ । କବିବର ରାଧାନାଥ ରାଏଙ୍କର  ” ଚିଲିକା” କବିତାର ଧାଡି ମନେପଡିଲା । ପିଲାଙ୍କୁ କହିଲି, “ଜାଣିଛ ପିଲେ ଟ୍ରେନ୍‌କୁ ଓଡିଆରେ ଆମର ବାଷ୍ପୀୟ ଶକଟ କୁହନ୍ତି । ଶକଟ ମାନେ ଶଗଡ । ଶଗଡ ଜାଣି ପାରୁଛ ଟି?” ନିଜକୁ ନିଜ ପ୍ରଶ୍ନ ଶୁଣି ହସ ଲାଗିଲା । ଶଗଡ ଆଉ କାଇଁ ଯେ ! ଗାଁ ଗହଳି ତ ଆମର ଆଧୁନିକ ସହର ମୁହାଁ ଧାଇଁଲେଣି । ସେଥିରେ ବଦଳ, ହଳ, ଶଗଡ, ଚୋକଡ ସେ ବେପାର ସବୁକୁ ଆଗ୍ରହ କାହିଁ ନା ସମୟ କାଇଁ । ଦାନା ଛ ଟଙ୍କା କୁ ବଦଳ ନ ଟଙ୍କା ଏଠି । କାଳିଆ, କସରା ସବୁ ତ ଗପରେ ରହିଲେ । ଛବିରେ ଆଉ ଦିଶୁ ନାହାନ୍ତି । ଆଉ ଏ ପିଲେ ତ ସବୁ ଇଂରାଜୀ ମାଧ୍ୟମ ରେ ପଢିଲେ ଯେ …. ଛାଡ । ସ୍ଥିର କଲି ଖରାଛୁଟି ସାରା ଏ ଦିହିଁଙ୍କ ସହ ମୋ ପାଖାପାଖି ଥିବା ସବୁ ଓଡିଆ କୁନି ପିଲାଙ୍କୁ ଓଡିଆ ଅକ୍ଷର ଲେଖା ପଢା ଶିଖେଇବି । ଏମାନେ ନ ଶିଖିଲେ ଆଗକୁ ତାଙ୍କ ପିଲେ କେମିତି ଶିଖିବେ । ଆଉ ବେଶୀ ରୁ ବେଶୀ ଚାରୋଟି ପୀଢି ପରେ ସରିଯିବ ସରସ ସରଳ ମଧୁର ଆମ ଭାଷା । ନା ନା । ଏମିତି ହବାକୁ ଦିଆହବନି ।

ନିଜ ଭାବନାରୁ ଫେରି ଆସିଲି ପୁଅର ଡାକରେ,  ” ଦେଖ୍ ବୋଉ ଦେଖ୍ ରାସ୍ତା ରେ ଶଗଡ । ଗ୍ରାସ୍ ନଉଛି କାଓ ପାଇଁ ।” ନଇଁ ପଡି ଦେଖିଲି ସତରେ ଏପଟର ପଟା ପରି ଶଗଡ । ଚାରିପଟକୁ ହାତିକିଆ ବାଡ ପରି ଉଠିଛି ଜିନିଷ ନ ଖସି ପଡୁ ବୋଲି । ଏପଟ ବଳଦ ମାନେ ମଧ୍ୟ ଭିନ୍ନ ଦେଖିବାକୁ । ଲମ୍ବା ଥୋଡି, ବଡ ସରୁଆ ଚେହେରା । ଶିଙ୍ଘ ରଙ୍ଗଦିଆ, ଝୁମୁକା,  ଫୁଲୁରୀ ବନ୍ଧା ମୁନିଆଁ ଯେ ହେଲେ ଆଗ ପଟୁଆ ବାଙ୍କ ।

ବ୍ୟାଗ୍‌ରୁ କଦଳୀ, କେକ୍ ଆଉ କଣ ସବୁ ସ୍ନାକ୍ସ ଜିନିଷ ବଢେଇଦେଇ ଏପଟ ସିଟ୍‌ରେ ଦୁଇ ବାପା ଆଉ ଶାଶୁମାଆଙ୍କୁ ଦେଲି । ଆମ ବର୍ଥଟିରେ ଆମ ପରିବାର କୁ ଛାଡି ଆଉ ଗୋଟିଏ ନୂଆ ଡେଣା ଲାଗୁଥିବା ପରିବାର ଟିଏ ବସିଥିଲେ । ହଳେ ନବ ବିବାହିତ ଜୋଡି । ଏଇ ଏବେ ଏବେ ଥଣ୍ଟରେ ଖୋଜିଆଣି ଖଞ୍ଜୁଛନ୍ତି କୁଟାକାଠି, ନରମ ଫୁଲପତ୍ର, ଡାଳ। ତୋଳା ସରିଲା ପରେ ସପନ କୋଳରେ ଘର ବସେଇବେ ଆଉ ସ୍ୱପ୍ନ ବାଦଲ ସବୁରୁ ତୋଳି ଆଣିବେ କେତେ ରଙ୍ଗର ତାରା ଫୁଲ । ଅଳ୍ପ ବୟସ ଦିହେଁ, ବୋଧେ ପୁଅଟି ପଚିଶ ଆଉ ଝିଅଟି ଉଣେଇଶ କି କୋଡିଏ । ସରୁ ନିଶ, ଫୁଲପକା ପକେଟ ହାଫ୍ ସାଟ୍, ଫୁଲପ୍ୟାଣ୍ଟ ସହ ଛବିଲା ପଗଡିଟି ବଢିଆ ମାନୁଥାଏ ତାକୁ । ଆଉ ଝିଅଟି ପିନ୍ଧି ଥାଏ ଘାଗରା ଚୋଲି । ଆଖି ନ ଦିଶିବା ପରି ଓଢଣା ସହ ସୁନ୍ଦର ଗହଣା । ଅଳ୍ପ ଅଳ୍ପ ହସୁଥାଏ ସରୁ ଗୋଲାପି ଓଠରେ ଯେତେବେଳେ ତାର ବର ତାକୁ କଣ ସବୁ ଚୁପ୍ ଚୁପ୍ କରି କହିଦେଉଥାଏ । ଝରିପଡୁଥାଏ ହୀରା ମୋତି ।

କାଲି ରାତିରେ ଯଦିଓ ଏକାଠି ଏଇ ବଗିରେ ବସିଥିଲୁ ହେଲେ ଦେଖିନଥିଲି ସେ ଦିହିଁଙ୍କୁ । ଦେଖିବା ଆଉ ଖାଲି ଦିଶିବା ଭିତରେ ଫରକ ତ ଅଛି ନା । ନିଜ ନିଜ ଭିତରେ ମଗ୍ନ ଥାନ୍ତି ଦିହେଁ । ଆଉ କୋଉ ଆଡକୁ ନଜର ନାହିଁ । ପ୍ରେମର ପୃଥିବୀ ଏବେ ତାଙ୍କ ପାଇଁ ସେଇ କୋଣଟି ।

ମୁଁ ଫଳ ଦିଟି ଆଉ ଦିଟି କେକ୍ ବଢେଇଲି ହସଟିଏ ସହ । ସେମାନେ ଟିକେ ଚହଲି ଗଲେ । ଝିଅଟି ଆଉ ଟିକେ ଓଢଣା କୁ ଭଲକି ଆଗକୁ ଟାଣିଧରିଲା । ମତେ ହସ ଲାଗିଲା । ପୁଅଟି ହସି ହସି କହିଲା, ” ନେହିଁ ଦିଦି ଥେଙ୍କୁ ।ହମ୍ ଖାନା ଲେକେ ଆଏହେଁ ।” ମୁଁ କହିଲି, ” ଠିକ୍ । ଦିଦି କାହା ହେ ତୋ ଲେନା ତୋ ପଡେଗା ।” ଏବେ ଟିକେ ସହଜ ହେଇଗଲା ପୁଅଟି । ମୋ ହାତରୁ ଫଳତକ ନେଇ ମତେ ବ୍ୟାଗରୁ ନଇଁ ପଡି ଷ୍ଟିଲି ଟିଫିନ ଖୋଲି ଢୋକଲା ବଢେଇଲା । ମୁଁ ଖଣ୍ଡେ କାଢିକି ନେଲି ତାର ମନ ରଖିବାକୁ ।” ସିଏ  କହିଲା ” ଆମର ସବୁ ରାଜୱାଡୀ ସ୍ନାକ ଦିଦି, ଏଇଟାର ନାଆଁ ଢୋକଲା । ଆଉ ସବୁର ନାଆଁ ହେଲା ଶ୍ରୀଖଣ୍ଡ, ଥେପଲା, ଖାକରା, ଫେପଡା, ଖଣ୍ଡବି, ଗଠିଆ, ଉଦିୟୁ, ପାତ୍ରା, ଆହୁରି ଆହୁରି କେତେ ପ୍ରକାର । ଆମର ବାଙ୍ଗାଲୋର ରେ ଗୁଜୁରାତୀ ଜଳଖିଆ ଆଉ ସ୍ନାକ୍ସ ଦୋକାନ । ଆମେ ସେଠି ଚାରିଭାଇ ରହୁ । ଚଚେରେ, ମମେରେ, ଦୋସ୍ତ ଭାଇ ସବୁ ।

ମୋର ନୂଆ ବାହା । ଏଇ ପେଟ୍ ସେ । ତେଣୁ ଗାଁ କୁ ଛାଡିବାକୁ ନେଉଛି । ମାଆ ଆଉ ଭାବିମାନେ ଅଛନ୍ତି । ମୁଁ ମଝିରେ ମଝିରେ ଆସିବି । ଦେଖିଯିବି । ବଚ୍ଚାକୁ ଦୁଇ ତିନି ବର୍ଷ ହେଲା ଯାଏ ତ ଏଇଠି ହି ରହିବ ଇଏ ନା । ଏଇ କଥା ନେଇ କାଲିଠୁ ମୁହଁ ଶୁଖେଇଛି । ଖାଉନି କିଛି । ବୁଝାନ୍ତୁ ତ ଦିଦି । ମୁଁ କେମିତି କରି ଏଇ କେହି ନ ଥିବା ସହରରେ ଏ ସବୁ ସମ୍ବାଳି ପାରିବି କୁହନ୍ତୁ ତ ।” କହୁଥାଏ ମଝିରେ ମଝିରେ ଝିଅ ଟିକୁ ଚାହୁଁଥାଏ । ଝିଅଟି ଲାଜ ଆଉ ଶଙ୍କାରେ ଜଡିସାରିଥାଏ । ଥମ୍ ଥମ୍ ଲୁହ ଲୁହ ।

ମୁଁ ତା ‘ ପାଖକୁ ଉଠିଗଲି  ଆଉ ତାର ହାତ ଧରି କହିଲି, “ଖାଇନିଅ କିଛି । ଏମିତି ବେଳେ ଓପାସ ରୁହନ୍ତି କଣ ! ନିଅ । “ମୋ ହାତରୁ କଦଳୀଟି ନେଇ ଧରି ବସିଲା ସୁନାଝିଅ ଟିଏ ପରି । ଧିରେ ଧିରେ ସାନ ଭଉଣୀଟିଏ ପରି ମିଶିଗଲା । ଥିରି ଥିରି ସ୍ୱରରେ ଗପୁଥିଲା କେତେ କଥା କେତେ ସ୍ୱପ୍ନ । ଢାଳୁଥିଲା କେତେ ଅଭିମାନ ଆଉ ବାଢୁଥିଲା ମିଠା ଅଭିଯୋଗ । ମଣିଷ ସ୍ନେହ ଆଦର ଟୋପେ ତ ଖୋଜେ ଆଉ କଣ କି ! ସେତିକି ମିଳିଲେ ଆପଣାର ହବାକୁ କେତେ ବା ସମୟ । ନିଜର ତ ସମସ୍ତେ । ଗୋଟିଏ ପ୍ରକାର ହୃଦୟ ଆଉ ସ୍ପନ୍ଦନ ଦେଇ ଗଢିଛି ଯେତେବେଳେ ବିଧାତା ।

ସ୍ୱପ୍ନ ସହ ସବୁବେଳେ ଭୟଟେ ଜନ୍ମ ହୁଏ ବୋଧେ । ସାକାର ଦିଗକୁ ଗତି କରୁକରୁ ଭୟଟିର ଅବୟବ ବି କାୟା ବିସ୍ତାରୁଥାଏ । ଯେତେ ପ୍ରତିକୂଳତା ଦିଶିଲେ ବି ଆଖି ରେ ଧରିଥିବା ସ୍ୱପ୍ନ ପାଇଁ ଜାଗା ତିଆରିବାକୁ ହି ହୁଏ, ନୋହିଲେ କାଚ ଖଣ୍ଡ ପରି ପଡି ଚୁନା ଚୁନା ହେଇଯିବାକୁ କ୍ଷଣଟେ ଲାଗେନି ପର୍ବତ ସମ ଟାଣୁଆ ସ୍ୱପ୍ନ କୁ ବି ।

ଶିଖୁଥିଲି ତାର କଥାରୁ । ଏଇ ଏଇ ଆରମ୍ଭ ପାହାଚରେ ଥିବା ପରିପକ୍ୱ କଥା ସହ ଝିଅଟିକୁ ଦେଖୁଥିଲି ନିରେଖି । ତାରି ଠୁ ଜାଣିଲି ତାଙ୍କ ଗାଁ ର ସବୁ ଘର କାଳେ ଗୋଲାପି ରଙ୍ଗ । ଆଶ୍ଚର୍ଯ୍ୟ ହେଇ ଅଳ୍ପ ରସିକତା ସହ ପଚାରିଲି, “କେମିତିରେ ? କଣ ନିୟମ କରିଛି ତୁମ ଗାଁ ପଞ୍ଚାୟତ ଏକା କଲର୍ କୋଡ୍ ରହିବ ବୋଲି ।” ତାର ଉତ୍ତର ଥିଲା “ନା ଦିଦି ଆମ ଗାଁ ର ସବୁ ଘର ଗୋଲାପି ପଥରରେ ତିଆରି । ଗାଁ ପାଖ ପାହାଡ ରଙ୍ଗ ସବୁ ଈଶ୍ୱର ନିଜେ ଗୋଲାପି କରିଛନ୍ତି । ଆମେ ସେଇଠୁ ପଥର କାଟି ଆଣି ଘର ତୋଳିଛୁ ।”

ବାଃ! ପୁଣି ଥରେ ମନେ ପଡିଲା ଈଶ୍ୱର ହିଁ ସର୍ବଶ୍ରେଷ୍ଠ ଚିତ୍ରକର, ରଙ୍ଗକାର, ବିନ୍ଧାଣୀ ।

Photo Credit: Lopamudra Parida

ଗାଡି ଚାଲିଥାଏ ….. ଠିକଣା ସମୟଠୁ ବହୁତ ପଛରେ । ଲାଗୁଥାଏ ଏକ୍ସପ୍ରେସ ଗାଡି ତ ଟିକେ ବେଗ ବଢେଇ ସମୟ ଅନୁସାରେ ସମାଯୋଜିତ ହେଇଯିବ କାଳେ । ମାତ୍ର ଗାଡି ଆହୁରି ଆହୁରି ଧିର ମନ୍ଥର ହେଉଥାଏ । ଲୋକଙ୍କ ଭିତରେ ବ୍ଯସ୍ତତା, ବ୍ୟଗ୍ରତା ଓ ଅଧର୍ଯ୍ୟପଣ ଧାପେ ଧାପେ କରି ଘଣ୍ଟା କଣ୍ଟା ସହ ତାଳ ଦେଇ ବଢୁଥାଏ । ସମସ୍ତେ ସମସ୍ତଙ୍କୁ ପଚାରୁଥାନ୍ତି “କଣ ହେଇଛି ବା ହବ ଆଗକୁ ?ସମୟରେ ପହଞ୍ଚିବ କି ନାହିଁ ଗାଡି?” ଆଦି ଆଦି ।

ଆମ ସହ ସାନ ପିଲା ଓ ବୟସ୍କ ମଣିଷମାନେ ଥିବାରୁ ଆମକୁ ମଧ୍ୟ ବ୍ୟସ୍ତ ଲାଗିବା ଆରମ୍ଭ ହେଉଥିଲା । ତେବେ ବି ଉପାୟ କଣ ! ଟ୍ରେନ୍ ତ ଆଉ ଶଗଡ ନୁହେଁ ଯେ  ପଛରୁ ପେଲି ପେଲି ଆଗକୁ ନେଇଯିବା । ଯାହା ହେବ ଦେଖାଯିବ । ଅପେକ୍ଷା କରିବା । ଆମର ଯୋଜନା ଥିଲା ପହଞ୍ଚି ଯାଇ ବୁକ୍ ହେଇଥିବା ପାନ୍ଥଶାଳାରେ ଟିକେ ନିତ୍ୟକର୍ମ ଆଉ ଆରାମ, ଜଳଖିଆ ଆଦି ପର୍ବ ସାରି ଦୁଇ ତିନି ଘଣ୍ଟା ପରେ ବସରେ ଏହମଦାବାଦ ରୁ ଦ୍ୱାରକା ପାଇଁ ବାହାରିଯିବା । ବସ୍ ବୁକିଙ୍ଗ୍ ବି ସରିଥିଲା । ତାର ସମୟ ଆସିବାରୁ ସିଏ ଘନ ଘନ ଫୋନ କଲା “ଆସନ୍ତୁ କୋଉଠି ରହିଲେ? ବସ୍ ଛାଡିବ” । ଆମେ ତ ଟ୍ରେନ୍‌ରେ ଏ ଯାବତ୍ । ନିରୁପାୟ । ସମସ୍ତେ ବ୍ୟସ୍ତ । ବାପା ମୋର ହରେକୃଷ୍ଣ ମହାମନ୍ତ୍ର ଜପୁଥାନ୍ତି । ଆମକୁ ଧୈର୍ଯ୍ୟ ଦେଉଥାନ୍ତି କି ବ୍ୟସ୍ତ ହୁଅନି । ଯିଏ ତାର ଡୋରୀ ଲଗେଇ ଆମକୁ ଦର୍ଶନ ଦେଇ କୃତାର୍ଥ କରିବ ବୋଲି ସିଏ ତାର ବ୍ୟବସ୍ଥା କରିବନି! ଅପେକ୍ଷା କର । ପ୍ରାର୍ଥନା କର । ସେଇ ମହାପ୍ରଭୁ ଖୁବ୍ କୃପାଳୁ । ସିଏ ଭକ୍ତ ର ମନୋରଥ ପରଖନ୍ତି । ଏଇଟି ପରୀକ୍ଷା ସମୟ । ଧୈର୍ଯ୍ୟ ଧର ।” ମତେ ତାଙ୍କ ପାଇଁ ହି ବେଶୀ ବ୍ୟସ୍ତ ଲାଗୁଥାଏ । ଦି ଦି ଥର ମସ୍ତିଷ୍କରେ ଷ୍ଟ୍ରୋକ୍ ହେଇସାରିଥାଏ ସେତବେଳକୁ ତାଙ୍କୁ । ଚାଲିବାକୁ ଓ ବେଶୀ ସମୟ ଗୋଟେ ଜାଗାରେ ବସିପାରିବା ଗୋଡ ଝୁଲେଇ ପରି କାମ ତାଙ୍କ ଶରୀର ଆଉ ପାରୁନଥାଏ । ହେଲେ ତାଙ୍କ ମନବଳ ଆଗରେ ହାର ମାନିବାକୁ ହୁଏ । ମୋ ଶାଶୁ ମଧ୍ୟ ରୁଗ୍ଣ ମଣିଷ । ମୁଁ ଆଖି ମୁଦି ବସିଲି । ଡାକିଲି ଜଗନ୍ନାଥଙ୍କୁ ,”କାଳିଆରେ ” ।

କ୍ରମଶଃ