ମୂଳଲେଖା: ମହାଶ୍ୱେତା ଦେବୀ || ଅନୁବାଦ: ଜ୍ୟୋତି ନନ୍ଦ
ନାମ ଦୋପଦୀ ମେଝେନ୍,ବୟସ ସତେଇଶ,ସ୍ୱାମୀ ଦୁଲନ ମାଝି(ନିହତ),ନିବାସ ଚେରାଖାନ,ଥାନା ବାଁକଡାଝାଡ,କାନ୍ଧରେ କ୍ଷତ ଚିହ୍ନ (ଦୋପଦୀ ଗୁଳି ଖାଇଥିଲା),ଜୀବିତ ବା ମୃତ ସନ୍ଧାନ ଦେଇ ପାରିଲେ ଏବଂ ଜୀବିତ ହେଲେ ଗ୍ରେପ୍ତାର ସହାୟତାରେ ଏକଶତ ଟଙ୍କା…
ଦୁଇ ତକମାଧାରୀ ୟୁନିଫର୍ମ ମଧ୍ୟରେ ସଂଳାପ।
ଏକ ତକମାଧାରୀ : ସାନ୍ତାଳୀର ନାମ ଦୋପଦୀ,କାହିଁକି ? ମୁଁ ଯେଉଁ ନାଆଁର ଲିଷ୍ଟ ଧରିକି ଆସିଛି ସେଥିରେ ତ ଏମିତି ନାଆଁ ନାହିଁ ? ଲିଷ୍ଟରେ ନାଇଁ ଏମିତି ନାଆଁ କିଏ ଥୋଇ ଦେବ?
ଦୁଇ ତକମାଧରୀ : ଦ୍ରୌପଦୀ ମେଝେନ।ତାହାର ମାଆ ଯେଉଁ ବର୍ଷ ବାକୁଲିର ସୂର୍ଯ୍ୟ ସାହୁ ର ( ନିହତ) ଘରେ ଧାନକୁଟାଳୀ ଥିଲା ,ସେଇ ବର୍ଷ ଏହାର ଜନ୍ମ। ସୂର୍ଯ୍ୟ ସାହୁର ଘରଣୀ ଏହାର ନାଆଁ ଦେଇଥିଲା।
ଏକ ତକମାଧାରୀ : ସେଇ କାଳେ ତ ଅଫିସରମାନେ ଜାଣନ୍ତି ଫସଫସକରି କେମିତି ଇଂରେଜୀ ଲେଖିହେବ । ତାହାର ନାମରେ ଏତେ ଲେଖିଛି କିଏ ?
ଦୁଇ ତକମାଧାରୀ : ମୋଷ୍ଟ ନଟୋରିଅସ୍ ମାଈକିନା। ଲଙ୍ଗ୍ ୱାଣ୍ଟେଡ୍ ଇନ୍ ମେନି..
ଡୋସିଅର୍ : ଦୁଲନ ଆଉ ଦୋପଦୀ ଫସଲ ଅମଳର କାମ କରନ୍ତି,ବିଟୁଇନ୍ ବୀରଭୂମ-ବର୍ଦ୍ଧମାନ-ମୁର୍ଶିଦାବାଦ-ବାଙ୍କୁଡା, ରୋଟେଟ୍ କରି ଘୁରୁଥାନ୍ତି । ଊଣେଇଶ ଏକସ୍ତରୀ ସାଲରେ ବିଖ୍ୟାତ ଅପରେସନ୍ ବାକୁଲି ରେ ଯେତେବେଳେ ତିନୋଟି ଗାଁ ହେଭି କର୍ଡନ କରି ମେସିନଗନ୍ କରା ହୁଏ ସେତେବେଳେ ଏଇ ଦୁଇଜଣ ନିହତ ହେବାର ଛଳ କରି ପଡି ରହନ୍ତି।ବସ୍ତୁତଃ ଏମାନେ ହିଁ ମେନ୍ କ୍ରିମିନାଲ୍। ସୂର୍ଯ୍ୟ ସାହୁ ଆଉ ତାହାର ପୁଅକୁ ଖୁନ୍ ,ଡ୍ରାଉଟ୍ ର ସମୟରେ ଅପର କାଷ୍ଟ୍ ର କୂଅ ଆଉ ନଳକୂଅର ଦଖଲ,ସବୁଥିରେ ଏମାନେ ମେନ୍,ସେଇ ପିଲା ତିନିଟିକୁ ସରେଣ୍ଡର ନକରାଇବାରେ ବି। ଏବଂ ଅପରେସନ୍ ବାକୁଲିର ମେନ୍ ଆର୍କିଟେକ୍ଟ କ୍ୟାପଟେନ୍ ଅର୍ଜନ ସିଂ ପ୍ରଭାତରେ ଲାଶ୍ ଗଣନା କରିବାକୁ ଯାଇ ସ୍ୱାମୀ-ସ୍ତ୍ରୀକୁ ନପାଇ ତତକ୍ଷଣାତ୍ ବ୍ଲଡ୍ ସୁଗାର ରେ ଆକ୍ରାନ୍ତ ହୋଇ ପୁନର୍ବାର ପ୍ରମାଣ କରେ ବହୁମୂତ୍ର ସତରେ ଦୁଶ୍ଚିନ୍ତା ଓ ଉଦବେଗ ର ବ୍ୟାଧି ତ ନିଶ୍ଚୟ। ବହୁମୂତ୍ର ର ବାରଘଇତା। ତାହାର ଏକ ଘଇତା ଆଞ୍ଜାଇଟି।
ଦୁଲନ ଆଉ ଦୋପଦୀ ଦୀର୍ଘଦିନ ନିୟଣ୍ଡରଥାଲ୍ ଅଂଧକାରରେ ନିଖୋଜ ଥାଆନ୍ତି ଏବଂ ବିଶେଷ ବାହିନୀ ସେଇ ଅଂଧକାରରେ ସଶସ୍ତ୍ର ସନ୍ଧାନକୁ ବିଦ୍ଧ କରିବାକୁ ଯାଇ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବେଶ୍ କିଛି ଫସଲ ଅମଳରେ ରେ କାର୍ଯ୍ୟ କରୁଥିବା ସାନ୍ତାଳ ସାନ୍ତାଳଣୀ କୁ ସେମାନଙ୍କର ଅନିଚ୍ଛାରେ ସିଂବୋଙ୍ଗା ର ପାଖକୁ ଯିବାକୁ ବାଧ୍ୟ କରନ୍ତି। ଭାରତର ସଂବିଧାନରେ ଜାତି ଧର୍ମ ନିର୍ବିଶେଷରେ ସକଳ ମଣିଷ ହିଁ ପବିତ୍ର,ତା ସତ୍ତ୍ୱେ ଏଇଭଳି ଅଘଟଣ ଘଟିଯାଏ ।କାରଣ ଦ୍ୱିବିଧ : ଏକ-ନିଖୋଜ ଦମ୍ପତ୍ତିର ଆତ୍ମଗୁପ୍ତିରେ ଅସାମାନ୍ୟ ଦକ୍ଷତା। ଦୁଇ- ବିଶେଷ ବାହିନୀର ଆଖିରେ ସାନ୍ତାଳ କାହିଁକି , ଅଷ୍ଟ୍ରୋ-ଏସିଆଟିକ ମୁଣ୍ଡା ଗୋଷ୍ଠୀର ସକଳ ସନ୍ତାନକୁ ହିଁ ଗୋଟିଏ ଚେହେରା ମନେ ହେବା।
ବସ୍ତୁତଃ ବାଁକଡାଝାଡ ଥାନାର ଅଣ୍ଡରରେ (ଏଇ ଭାରତରେ କେଞ୍ଚୁଆଟିଏ ବି କୌଣସି ନା କୌଣସି ଥାନାର ଅଣ୍ଡରରେ ) ଅବସ୍ଥିତ କୁଖ୍ୟାତ ଝାଡଖାନୀ ଜଙ୍ଗଲର ଚତୁଃପାର୍ଶ୍ୱରେ,ଏପରିକି ଅଗ୍ନି ଓ ନୈଋତ କୋଣରେ ଥାନା ଆକ୍ରମଣ ,ବନ୍ଧୁକ ଅପହରଣ (ଯେହେତୁ ଛଡାଇନେବା ନିର୍ବିଶେଷରେ ସୁଶିକ୍ଷିତ ନୁହଁ ସେହେତୁ ବନ୍ଧୁକ ର ବଦଳରେ ସେମାନେ “ଚେମ୍ବର୍ ଟା ଦେ ତ ” କହନ୍ତି ) – ଗୋଲାଦାର-ଜୋତଦାର-ମହାଜନ-ଶାନ୍ତିରକ୍ଷକ କାଗଜୀ ବାବୁ ଇତ୍ୟାଦିଙ୍କୁ ଖୁନ୍ କରିବାର ଅପରାଧୀ ବୋଲି ଯେଉଁମାନଙ୍କୁ ସଂଦେହ କରାଯାଏ ,ସେମାନଙ୍କ ସଂପର୍କରେ ପ୍ରତ୍ୟକ୍ଷଦର୍ଶୀ ର ବିବରଣୀରେ ଜଣା ଯାଏ ପିଳେହି ଚମକାଇଦେବା ଭଳି କିଛି କଥା। ଦୁଇ କୃଷ୍ଣାଙ୍ଗ ନରନାରୀ ଘଟଣାର ଆଗରୁ ସାଇରନ୍ ଚିତ୍କାରରେ “ହୁଳହୁଳି” ଦେଇଥାନ୍ତି । କେତେଗୁଡିଏ ଅସଭ୍ୟ,ସାନ୍ତାଳୀ ମାନଙ୍କ ନିକଟରେ ଦୁର୍ବୋଧ୍ୟ ଭାଷାରେ ସେମାନେ ନିହତମାନଙ୍କୁ ଘେରି ଊଲ୍ଲାସ ସଂଗୀତ ଗାଇଥାନ୍ତି । ଯଥା :
“ସାମାରେ ହିଜୁଲନାକୋ ମାର୍ ଗୋୟେକୋପେ”
ଏବଂ
“ହେନଦେ ରାମବ୍ରା କେଚେ କେଚେ
ପୁନଡି ରାମବ୍ରା କେଚେ କେଚେ ।”
ଏଥିରେ ନିଃସଂଶୟରେ ପ୍ରମାଣ ହୁଏ ଏଇମାନେ ହିଁ କ୍ୟାପଟେନ୍ ଅର୍ଜନ ସିଂ ର ବହୁମୂତ୍ର ର କାରଣ।
ସରକାରୀ କାର୍ଯ୍ୟରୀତି ତ ସାଂଖ୍ୟ ଦର୍ଶନରେ ପୁରୁଷ ନୀତି ଅବା ସାଧାରଣ ଦର୍ଶକ ର ଆଖିରେ ଆନ୍ତୋନିଓନିଙ୍କ ଆଗେକାର ଛବି ଭଳି ଦୁର୍ବୋଧ୍ୟ ବୋଲି ପ୍ରଶାସନ ପୁନର୍ବାର ଅର୍ଜନ ସିଂକୁ ଅପରେସନ୍ ଫରେଷ୍ଟ ଝାଡଖାନୀ କୁ ପଠାଏ ଏବଂ ବୁଦ୍ଧିବୃତ୍ତି ଦପ୍ତରର ନିକଟରୁ ଉକ୍ତ ହୁଳହୁଳି ଓ ନୃତ୍ୟଶୀଳ ଦମ୍ପତ୍ତି ଯେ ପଳାତକ ଲାଶ ଦ୍ୱୟ ତାହା ଜାଣି ଅର୍ଜନ ସିଂ କିଛି ସମୟ “ଜୋମ୍ବୀ” ଅବସ୍ଥାକୁ ପ୍ରାପ୍ତ ହୁଏ ଏବଂ କୃଷ୍ଣାଙ୍ଗ ମଣିଷମାନଙ୍କ ପ୍ରତି ତାହାର ଏଇଭଳି ଅହେତୁକ ଭୀତି ଜନ୍ମନିଏ ଯେ,ଲେଙ୍ଗୁଟି ପିନ୍ଧା କଳା ରଂଗର ମଣିଷ ଦେଖିଲେ ସେ “ଜାନ୍ ଲେ ଲି ” ବୋଲି ଅବସନ୍ନ ହୋଇ ଘନ ଘନ ପରିଶ୍ରା କରେ ଆଉ ଥରକୁ ଥର ପାଣି ପିଉଥାଏ। କି ୟୁନିଫର୍ମ କି ଗ୍ରନ୍ଥସାହିବ ,କେହି ବି ତାହାକୁ ସେଇ ଅବସାଦ ରୁ ଉଦ୍ଧାର କରି ପାରନ୍ତି ନାହିଁ। ତାହାପରେ “ପ୍ରିମାଚିଓର୍ ଫୋର୍ସଡ୍ ରିଟାୟାରମେଣ୍ଟ “ର ଆଳ ଦେଖାଇ ତେବେ ତା’କୁ ବଙ୍ଗାଳି ପ୍ରୌଢ,ସମର ଓ ବାମପନ୍ଥୀ ଉଗ୍ର ରାଜନୀତି ସ୍ପେଶିଆଲିଷ୍ଟ ସେନାନାୟକର ଟେବୁଲ୍ ଆଗରେ ହାଜିର କରା ଯାଏ । ସେନାନାୟକ ପ୍ରତିପକ୍ଷର କାଣ୍ଡକାରଖାନା ଆଉ ଇଲମର ଦୌଡ ପ୍ରତିପକ୍ଷର ଅପେକ୍ଷା ବେଶି ଜାଣେ। ତେଣୁ ସେ ଅର୍ଜନ ସିଂ କୁ ପ୍ରଥମେ ଶିଖ ଜାତିର ସମର ପ୍ରତିଭା ସଂପର୍କରେ ସ୍ତୁତି ଜଣାଇଥିଲା। ପରେ ବୁଝାଇ ଦିଏ,କେବଳ କ’ଣ ପ୍ରତିପକ୍ଷର ବେଳକୁ ହିଁ ବନ୍ଧୁକର ନଳୀ କ୍ଷମତାର ଉତ୍ସ ? ଅର୍ଜନ ସିଂ ର କ୍ଷମତା ତ ବନ୍ଧୁକର “ମେଲ୍ ଅର୍ଗାନ୍”ରୁ ବାହାରିଥାଏ । ହାତରେ ବନ୍ଧୁକ ନଥିଲେ ଏଇ ଯୁଗରେ ଏଇ ଶିଖ ର “ପଞ୍ଚ “କ” ” ଆଦି ବିକଳ ଆଉ ବ୍ୟର୍ଥ। ଏଇଭଳି ଭାଷଣ ସେ ସମସ୍ତଙ୍କୁ କହିଥାଏ। ତାହାଫଳରେ ଯୁଦ୍ଧରତ ସୈନିକ ମାନେ “ଆର୍ମି ହାଣ୍ଡବୁକ୍ ” ଉପରେ ଆସ୍ଥା ଫେରି ପାଇଥାଆନ୍ତି । ଏଇ ବହିଟି ସଭିଙ୍କ ପାଇଁ ନୁହଁ। ସେଥିରେ ଲେଖା ଅଛି ,ଆଦିମ ଅସ୍ତ୍ରାଦି ନେଇ ଗରିଲା ପଦ୍ଧତିରେ ଯୁଦ୍ଧ ସବୁଠାରୁ ଘୃଣ୍ୟ ଏବଂ ନିନ୍ଦାର୍ହ। ଉକ୍ତ ପଦ୍ଧତିର ଯୋଦ୍ଧାମାନଙ୍କୁ ଦର୍ଶନ ମାତ୍ରେ ନିଧନ ହେଉଛି ସେନାମାତ୍ରକେ ପବିତ୍ର କର୍ତ୍ତବ୍ୟ । ଦୋପଦୀ ଆଉ ଦୁଲନ ଉକ୍ତ ଯୋଦ୍ଧାମାନଙ୍କର କାଟାଗୋରୀରେ ପଡନ୍ତି ,କାରଣ ଟାଙ୍ଗି-ଦା-ତୀର-ଧନୁ ଇତ୍ୟାଦିକୁ ନେଇ ସେମାନେ ନିଧନ କାର୍ଯ୍ୟ ଚଳାନ୍ତି ।ବସ୍ତୁତଃ ସେମାନଙ୍କର ଲଢେଇ କରିବାର କ୍ଷମତା ବାବୁମାନଙ୍କ ଠାରୁ ବେଶି। ସକଳ ବାବୁ ଚାମ୍ବର ଖାଲି କରିଦେବା କାମରେ ବିଶାରଦ ନୁହଁନ୍ତି ନାହିଁ,ସେମାନେ ଭାବନ୍ତି ବନ୍ଧୁକ ଧରିଲେ ହିଁ ସେଥିରୁ କ୍ଷମତା ଆପେ ଆପେ ବାହାରି ଆସିବ । କିନ୍ତୁ ଦୁଲନ ଆଉ ଦୋପଦୀ ନିରକ୍ଷର ବୋଲି ଅସ୍ତ୍ର ଅଭ୍ୟାସ କରିଛନ୍ତି ଜନ୍ମ ପରଂପରାରେ। ଏଇଠି କହି ରଖିବା ପ୍ରୟୋଜନ,ଏଇ ସେନାନାୟକକୁ ପ୍ରତିପକ୍ଷ ତୁଚ୍ଛ ମନେ କରେ ସତ,କିନ୍ତୁ ଇଏ ସାମାନ୍ୟ ମଣିଷ ନୁହଁ । ଇଏ ପ୍ରାକ୍ଟିସ୍ ରେ ଯାହା କରନ୍ତୁ ,ଥିଓରୀରେ ପ୍ରତିପକ୍ଷର ଆଦର୍ଶକୁ ଶ୍ରଦ୍ଧା କରିଥାନ୍ତି। ଏଇଥି ପାଇଁ ଶ୍ରଦ୍ଧା କରନ୍ତି ଯେ,” ଇଏ କିଛି ନୁହଁ,ଚେମେଡାମାନେ ବନ୍ଧୁକ ଧରି ଖେଳୁଛନ୍ତି” ମନୋଭାବ ନେଇ ଆଗେଇଲେ ସେମାନଙ୍କୁ ବୁଝାଯାଇପାରିବ ନାହିଁ ଓ ବିନାଶ କରିହେବ ନାହିଁ । ଇନ୍ ଆର୍ଡର ଟୁ ଡେଷ୍ଟ୍ରୟ ଏନେମି ,ବିକମ୍ ୱାନ୍ । ତେଣୁ ସେ ଏମାନଙ୍କର (ଥିଓରୀ ରେ) ଜଣେ ହୋଇ ଏମାନଙ୍କୁ ବୁଝିଥାନ୍ତି । ଏବଂ ଭବିଷ୍ୟତରେ ଏହାକୁ ନେଇ ଲେଖାଲେଖି କରିବାର ବାସନା ରଖିଛନ୍ତି। ସେତେବେଳେ (ସେଇ ଲେଖାରେ ) ବାବୁମାନଙ୍କୁ ଡିମୋଲିସ୍ କରି ଫସଲକଟାଳି ମାନଙ୍କର ବକ୍ତବ୍ୟକୁ ହାଇଲାଇଟ୍ କରିବେ,ଏ କଥା ସେ ଆଗରୁ ଠିକ୍ କରି ରଖିଛନ୍ତି।ତାଙ୍କର ମନର ଏଇ ସକଳ ପ୍ରୋସେସ୍ କୁ ଆପାତଜିଳ ବୋଲି ମନେ ହୋଇପାରେ କିନ୍ତୁ ଅସଲରେ ସେ ଖୁବ୍ ସରଳ ଏବଂ କଇଁଛର ମାଂସ ଖାଇ ତାହାର ମଝିଆ ବଡବାପାଙ୍କ ଭଳି ସେ ବି ଆନନ୍ଦ ପାଇଥାନ୍ତି। ଅସଲରେ ସେ ଜାଣନ୍ତି ,ପ୍ରାଚୀନ ଗଣନାଟ୍ୟଗୀତିର ଭଳି କରବଟ୍ ବଦଲ ହୋଗା ଜମାନା। ଏବଂ ସକଳ ଜମାନାରେ ହିଁ ତାହାର ସସମ୍ମାନେ ଅଟକି ରହିବା ଭଳି ଟିକେଟପତର ଲୋଡା। ଦରକାର ହେଲେ ଭବିଷ୍ୟତକୁ ସେ ଦେଖାଇଦେବେ ସେ ବ୍ୟାପାରଟିକୁ କେତେ ଠିକ୍ ପଳସ୍ପେକ୍ଟିଭ୍ ରେ ବୁଝିଥିଲେ। ଆଜି ଯାହା ଯାହା କରିଛନ୍ତି ଭବିଷ୍ୟତର ମଣିଷ ଭୁଲି ଯିବ ସେଥିରେ ତାହାର ତିଳେ ମାତ୍ର ସନ୍ଦେହ ନାହି ଏବଂ ଜମାନା ପରେ ଜମାନା ସମସ୍ତଙ୍କ ସାଙ୍ଗରେ ରଙ୍ଗ ମିଶାଇ ପାରିଲେ ସେ ସଂଶ୍ଳିଷ୍ଟ ଜମାନାର ପ୍ରତିନିଧି ହୋଇ ପାରିବେ ଏହା ବି ସେ ଜାଣନ୍ତି । ଆଜିର “ଆପ୍ରିସିଏସନ ଆଣ୍ଡ ଏଲିମିନେସନ୍” କରି ସେ ଇ ନିକାଶ କରୁଛନ୍ତି ସତ କିନ୍ତୁ ମଣିଷ ରକ୍ତର ସ୍ମୃତି ଓ ଶିକ୍ଷା ଅଚିରେ ଭୁଲିହୋଇଯିବ ଏହା ସେ ଜାଣନ୍ତି । ଏବଂ ଏକଇ ସଂଗେ ସେ ବି ଶେକସପିଅର୍ ଙ୍କ ଭଳି ତରୁଣମାନଙ୍କ ହାତରେ ହିଁ ପଥିବୀର ଲିଗାସି କୁ ତୋଳି ଦେବାରେ ବିଶ୍ୱାସୀ। ସେ ପ୍ରସ୍ପେରୋ !
ଯାହା ହେଉ, ଏହାପରେ ଜଣାଯାଏ ପ୍ରାୟ ବହୁ ଯୁବକ-ଯୁବତୀ ବ୍ୟାଚ ବାଇ ବ୍ୟାଚ୍ ଜିପଗାଡି ଆରୋହଣ କରି ଥାନା ପରେ ଥାନାକୁ ଚଢାଉକରି ଅଞ୍ଚଳଟିକୁ ଯୁଗପତ ସଂତ୍ରସ୍ତ ଓ ଉଲ୍ଲସିତ କରି ଝାଡଖାନୀର ଜଙ୍ଗଲରେ ବିଲୀନ ହୋଇଯାଆନ୍ତି। ଯେହେତୁ ବାକୁଲି ଠାରୁ ନିଖୋଜ ହେବାର ପରଠାରୁ ଦୁଲନ ଆଉ ଦୋପଦୀ ପ୍ରାୟ ସକଳ ଜୋତଦାରର ଘରେ କାମ କରିଛନ୍ତି ଯେହେତୁ ସେମାନେ ହନ୍ତବ୍ୟ ମାନଙ୍କ ବିଷୟରେ ହନ୍ତାରକ ମାନଙ୍କୁ ଟପାଟପ ଖବର ଦିଅନ୍ତି ଏବଂ ସଗର୍ବେ ଘୋଷଣା କରନ୍ତି ସେମାନେ ବି ସେନାନୀ ,ରାଙ୍କ୍ ଆଣ୍ଡ ଫାଇଲ୍। ଅବଶେଷେ ଦୁର୍ଭେଦ୍ୟ ଝାଡଖାନୀ ଜଙ୍ଗଲ ସେନାନୀ ଦ୍ୱାରା ଚକ୍ରବ୍ୟୁହ ରେ ପକାଇଦିଆଯାଏ ,ଆର୍ମି ଭିତରକୁ ପଶେ ଓ ରଣଭୂମୀକୁ ଚିରି ଚିରି ପଳାତକମାନଙ୍କୁ ଖୋଜେ। ଏକଇ ସଂଗେ କାର୍ଟୋଗ୍ରାଫର ବଣର ମ୍ୟାପ ଆଙ୍କି ଚାଲୁଥାଏ ଓ ସେନାମାନେ ଜଳପାନର ଅବଲମ୍ବନ ଝରଣା ଆଉ ଦହ ଗୁଡିକୁ ଆଢୁଆଳରେ ରହି ପହରା ଦେଉଥାନ୍ତି ,ଆଜି ବି ଦେଉଛନ୍ତି ,ଆଜି ବି ଖୋଜୁଛନ୍ତି । ସେମିତି ଗୋଟିଏ ତଲ୍ଲାସି କାଳରେ ସେନାମାନଙ୍କର ଖୋଜିଆଳ ଦୁଖୀରାମ ଘଡାରୀ ଦେଖିବାକୁ ପାଏ ଦୂରରେ ପଥରର ଚଟାଣରେ ମୁହଁ ମାଡି ଶୋଇ ଗୋଟିଏ ସାନ୍ତାଳ ଯୁବକ ମୁହଁ ବୁଡାଇ ପାଣି
ପିଉଛି । ସେଇ ଅବସ୍ଥାରେ ତା’କୁ ଗୁଳିବିଦ୍ଧ କରାହୁଏ ଓ ୩୦୩ ର ଆଘାତରେ ଛିଟକି ପଡି ଯାଉ ଯାଉ ସେ ଦି ହାତ ମେଲାଇ ଭୀଷଣ ଗର୍ଜନରେ “ମା ହୋ” କହି ସଫେନ ରକ୍ତ ଉଦଗୀରଣ କରି ନିଶ୍ଚଳ ହୋଇଯାଏ । ପରେ ଜଣା ପଡେ ସେ ହେଉଛି କୁଖ୍ୟାତ ଦୁଲନ ମାଝି।
ଏଇ “ମା ହୋ” ଶବ୍ଦଟିର ଅର୍ଥ କ’ଣ ? ଏଇଟି କ’ଣ ଆଦିବାସୀ ଭାଷାରେ ଗୋଟିଏ ଉଗ୍ରପନ୍ଥୀ ସ୍ଲୋଗାନ୍ ? ଏହାର ମାନେ କ’ଣ ତାହା ଭାବି ଶାନ୍ତିରକ୍ଷକ ଦପ୍ତର ବହୁ ଚିନ୍ତା କରି ଓ ହାଲ୍ ଯାଏଁ ପାଣି ପାଇନାହିଁ । ଆଦିବାସୀ ବିଶେଷଜ୍ଞ ଦୁଇ ମହକିଲ କୁ କଲିକତାରୁ ଉଡେଇ ଅଣା ହୁଏ ଏବଂ ସେମାନେ ହଫମ୍ୟାନ ଜେଫର ,ଗୋଲଡେନ୍ ପାମର ପ୍ରମୁଖ ରଚିତ ଅଭିଧାନ ନେଇ ଗଳଦଘର୍ମ ହେବାକୁ ଲାଗନ୍ତି । ଅବଶେଷରେ ସର୍ବଜ୍ଞ
ସେନାନାୟକ ଚମରୁ କୁ ଡକାନ୍ତି। କ୍ୟାମ୍ପର ଜଳବାହୀ ସାନ୍ତାଳ ଚମରୁ ଦୁଇ ବିଶେଷଜ୍ଞକୁ ଦେଖି ମିଟିମିଟି କରି ହସେ,ବିଡିରେ କାନ କୁଣ୍ଡାଏ ଆଉ କହେ , ” ଏଇଟି ମାଲଦା ର ସାନ୍ତାଳ ମାନେ ଗାନ୍ଧୀରାଜାର ସମୟରେ ଲଢେଇକୁ ଓହ୍ଲାଇଲା ବେଳେ କହିଥିଲେ ଯେ ! ଏଇଟି ଲଢେଇର ଡାକ। ତାହାଲେ କିଏ ସେ ବେଟା “ମା ହୋ” କହିଲା ଯେ ? ମାଲଦା ଆଡର କିଏ କି ?”
ସମସ୍ୟା ଫରସା ହୁଏ। ତାହାପରେ ଦୁଲନର ଶବଦେହକୁ ଉକ୍ତ ପଥର ଖଣ୍ଡ ଉପରେ ପକାଇ ରଖି ସେନାଗଣ ସବୁଜ ଉର୍ଦ୍ଦିର କାମୋଫ୍ଲାଜ୍ ରେ ଗଛରେ ଗଛର ଚଢି ଦେବତା ପାନ୍ ଙ୍କ ଭଳି ଗଛର ସପତ୍ର ଡାଳ ଆଲିଙ୍ଗନକୁ ବାନ୍ଧି ଅସଭ୍ୟ ସ୍ଥାନରେ କାଠପିମ୍ପୁଡିର କାମୁଡା ଖାଇ ଖାଇ ଅପେକ୍ଷା କରନ୍ତି । ଦେଖାଯାଉ,ମୃତଦେହ ନେବାପାଇଁ କିଏ ଆସୁଛି କି ନାହିଁ । ଏଇଟି ଯୁଦ୍ଧର ପଦ୍ଧତି ଯେମିତି ,ଯୁଦ୍ଧର ପଦ୍ଧତି ସେହିପରି ନୁହଁ। କିନ୍ତୁ ସେନାନାୟକ ଜାଣନ୍ତି ,କୌଣସି ଚିହ୍ନାଜଣା ପଦ୍ଧତିରେ ଏଇ ଖେଚଡ୍ ଗୁଡାଙ୍କୁ ନିକାଶ କରିହେବ ନାହିଁ । ତେଣୁ ସେ ମଢିର ଥୋପ ଦେଖାଇ ଶିକାରକୁ ଟାଣି ଆଣିବାକୁ କହନ୍ତି। ସେ କହନ୍ତି,ସବୁ ଫରସା ହୋଇ ଯିବ । ଯେଉଁ ଗୀତ ସବୁ ଗାଇଛି ଦୋପଦୀ ତାହାର ମାନେ ସବୁ ବାହାର କରିସାରିଲିଣି କହନ୍ତି ।
ତାହାର କଥା ଶିରୋଧାର୍ଯ୍ୟ କରି ସେନାଗଣ ତତ୍ପର ହୁଅନ୍ତି । କିନ୍ତୁ ଦୁଲନର ମୃତଦେହ ନେବାକୁ କେହି ଆସିନି। ଉପରନ୍ତୁ ରାତିର ଅଂଧାରରେ ଖଚରମଚର ଶୁଣି ସେନା ଗୁଳି ଛୁଟାଇ ତଳକୁ ଓହ୍ଲାଇ ଆସି ଦେଖେ ସେମାନେ ଶୁଖିଲା ପତ୍ରର ଶେଜରେ ସଙ୍ଗମରତ ଝିଙ୍କପକ୍ଷୀଦମ୍ପତ୍ତିକୁ ମାରିଛି। ଜଙ୍ଗଲରେ ସେନାମାନଙ୍କର ପଥ ଚିହ୍ନାଇବାର ଖୋଜିଆଳ ଦୁଖୀରାମ ଘଡାରି ଅସଂସାରୀ ଭଳି ଦୁଲନ-ସଂଶ୍ଳିଷ୍ଟ ବକସିସ୍ ନନେଇ କାହାର ଯେମିତି ଦାଆରେ ବେକ ଦିଏ। ଦୁଲନ ର ଲାଶ୍ କୁ ବୋହି ଆଣୁ ଆଣୁ ସେନାମାନେ ଲାଶଭକ୍ଷଣରେ ବାଧାପ୍ରାପ୍ତ କାଠପିମ୍ପୁଡି ମାନଙ୍କର କାମୁଡାରେ ବିଷସମ ଯନ୍ତ୍ରଣା ପିଇଥାନ୍ତି । ଲାଶ ନେବାକୁ “କୋଇ ନା ଆୟା” ଶୁଣି ସେନାନାୟକ ପେପରବ୍ୟାକ୍ ରେ ଆଣ୍ଟି-ଫାସିଷ୍ଟ “ଡେପୁଟି” କିତାବଟିରେ ଚାପୁଡା ମାରି “ହୁଆଟ୍” ବୋଲି ଜୋର୍ ରେ ଚେଇଁଚେଇଁ ଉଠେ ଏବଂ ସେତେବେଳେ ଜଣେ ଆଦିବାସୀ ବିଶେଷଜ୍ଞ ଆର୍କିମିଡିସ୍ ଙ୍କ ଭଳି ଲଙ୍ଗଳା ଆଉ ଶୁଭ୍ର ଆନନ୍ଦରେ ଛୁଟି ଆସି କହି ଉଠନ୍ତି ,”ସାର୍ ! ଏଇ ହେନଦେ ରାମବ୍ରା କଥାଗୁଡିକର ମାନେ ବାହାର କରି ପକେଇଛି । ଏ ଗୁଡିକ ମୁଣ୍ଡାରି ଲାଙ୍ଗୁଏଜ୍।
ଅତଏବ ଦୋପଦୀର ଖୋଜ ଚାଲି ରହିଥାଏ । ଝାଡଖାନୀ ଜଙ୍ଗଲ ରେ ବେଲ୍ଟ ଅପରେସନ ଚାଲିଛି -ଚାଲୁଛି-ଚାଲିବ । ଏଇଟି ପ୍ରଶାସନର ନିତମ୍ବରେ ଦୁଷ୍ଟ ବଥ। ସିଦ୍ଧ ମଲମରେ ସାରିବାର ନୁହଁ ,ତୁକମାରିରେ ଫାଟିବାର ନୁହଁ । ପ୍ରଥମ ଫେଜ ରେ ପଳାତକ ମାନେ ଜଙ୍ଗଲର ଟୋପୋଗ୍ରାଫି ନ ଜାଣିଥିବାରୁ ପଟାପଟ୍ ଧରା ପଡନ୍ତି ଓ ସମ୍ମୁଖ ସଂଘର୍ଷର ନିୟମରେ ସେମାନଙ୍କର ଶରୀରର ଚକ୍ଷୁଗୋଲକ-ପୌଷ୍ଟିକନାଳୀ-ପାକସ୍ଥଳୀ-ହୃତପିଣ୍ଡ – ଜନନସ୍ଥାନ ପ୍ରଭୃତି ଶିଆଳ-ଶାଗୁଣା-ବଣବିରାଡି-ପିମ୍ପୁଡି ଓ କୁମ୍ଭୀରର ଖାଦ୍ୟ ହୁଏ ଏବଂ ନିର୍ମାଂସ ଶୁଭ୍ର କଙ୍କାଳ କୁ ନେଇ ଡମ ମାନେ ଆନନ୍ଦର ସହ ବିକ୍ରିକରିବାକୁ ଯାଆନ୍ତି ।
ପରବର୍ତ୍ତି ଫେଜ୍ ରେ ସେମାନେ ସମ୍ମୁଖ ସଂଘର୍ଷରେ ଧରା ଦିଅନ୍ତି ନାହିଁ । ସେଥିରେ ଏମିତି ମନେ ହୁଏ ସେମାନେ କୌଣସି ଜଣେ ବିଶ୍ୱସ୍ତ କ୍ୟୁରିଅର୍ କୁ ପାଇଛନ୍ତି । ସେ ଯେ ଦୋପଦୀ,ସେ ସମ୍ଭାବନା ଟଙ୍କାରେ ନବେ ପଇସା । ଦୋପଦୀ ଦୁଲନ କୁ ରକ୍ତଠୁ ଅଧିକ ଭଲ ପାଆନ୍ତି । ଏଇଲେ ସେଇ ଏମାନଙ୍କୁ ବଞ୍ଚାଉଛି ନିଶ୍ଚୟ ।
“ଏମାନଙ୍କୁ” କଥାଟି ହାଇପୋଥେସିସ୍ ।
କାହିଁକି ?
ଅରିଜିନାଲି କେତେଜଣ ଯାଇଥିଲ ?
ଉତ୍ତର ନୀରବତା। ସେ ବିଷୟରେ ବହୁ ଗଳ୍ପ ଉଡ୍ଡୀୟମାନ,ବହୁ କିତାବ ଯନ୍ତ୍ରସ୍ଥ। ସବୁ କଥା ବିଶ୍ୱାସ ନକରିବା ହିଁ ଭଲ।
ଛଅ ବର୍ଷରେ କେତେଜଣ ସମ୍ମୁଖ ସଂଘର୍ଷରେ ନିହତ ?
ଉତ୍ତର ନୀରବତା।
ସମ୍ମୁଖ ସଂଘର୍ଷର ପରେ କଙ୍କାଳସମୂହର ହାତ ଭଂଗା ବା କଟା କାହିଁକି ? ଥୁଣ୍ଟା ମାନେ କ’ଣ ସମ୍ମୁଖ ସଂଘର୍ଷ କରି ପାରିବେ ? ବେକ ର ହାଡ ଲଟର ପଟର,ପାଦ ଆଉ ପଞ୍ଜରାର ହାଡ ଚୁନଚୁନା କାହିଁକି ?
ଉତ୍ତର ଦି ପ୍ରକାର । ନୀରବତା। ଆଖିରେ ଅଭିମାନୀ ତିରସ୍କାର ,ଛି ! ଏସବୁ କଥା କି କହିତେ ଅଛି ? ଯାହା ହେବାର ତାହା ତ… ଏଇଲେ କେତେ
ଏଇଲେ କେତେଜଣ ଜଙ୍ଗଲରେ ଅଛନ୍ତି ?
ଉତ୍ତର ନୀରବତା।
ସେମାନେ କ’ଣ ଏକ ଲିଜିୟନ୍ ? ସେମାନଙ୍କ କାରଣରୁ କରଦାତାଙ୍କ ଖର୍ଚ୍ଚରେ ଗୋଟିଏ ବଡ ବାହିନୀ ସବୁବେଳେ ଏଇ ଜଙ୍ଗଲର ବନ୍ୟ ପରିବେଶରେ ମୁତୟନ ରଖିବା କ’ଣ ଜଷ୍ଟିଫାଏଡ୍ ?
ଉତ୍ତର : ଅବଜେକସନ୍। “ବନ୍ୟ ପରିବେଶ” କଥାଟି ଠିକ୍ ନୁହଁ । ମୁତୟନ ବାହିନୀ ସୁଷମ ଖାଦ୍ୟ -ଚିକିତ୍ସା ବ୍ୟବସ୍ଥା ,ଯଥାଧର୍ମ ମତେ ଅନୁଷ୍ଠାନର ସୁବିଧା,ବିବିଧ ଭାରତୀ ଶୁଣିବା ଓ “ଇୟେ ହୈ ଜିନ୍ଦେଗୀ ” ଫିଲ୍ମରେ ସଞ୍ଜୀବ କୁମାର ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ମୁଖାମୁଖି ଦେଖିବାର ସୁଯୋଗ-ସୁବିଧା ପାଇ ଥାଆନ୍ତି। ନା,ପରିବେଶ “ବନ୍ୟ” ନୁହଁ।
କେତେଜଣ ଅଛନ୍ତି ?
ଉତ୍ତର ନୀରବତା।
କେତେ ଜଣ ଅଛନ୍ତି ? ଆଟ୍ ଅଲ୍ କେହି ଅଛି କି ?
ଉତ୍ତର ଦୀର୍ଘ।
ଯଥା : ୱେଲ୍ ଆକ୍ସନ ହେଉଛି । ମହାଜନ-ଜୋତଦାର-ଗୋଲାଦାର ଶୁଣ୍ଢୀ ବେଶ୍ୟାଳୟର ବେନାମୀ ମାଲିକ, ଅତୀତର ଗୁପ୍ତ ଖବରିଆ ,ଏମାନେ ସଭିଏଁ ଆଜି ସନ୍ତ୍ରସ୍ତ । ନିରନ୍ନ ଲଙ୍ଗୁଳା ମାନେ ଆଜି ବି ଉଦ୍ଧତ ଓ ଅନମନୀୟ । ଧାନକଟାଳୀମାନେ ଆଜି କିଛି କିଛି ପକେଟ୍ ରେ ବେଟର୍ ୱେଜ୍ ପାଉଛନ୍ତି । ପଳାତକମାନଙ୍କ ପ୍ରତି ସହିନୂଭୂତିଶୀଳ ଗାଆଁ ଗୁଡିକ ଆଜି ବି ନୀରବ ଓ ବିଦ୍ୱେଷୀ। ଏଇ ସବୁ ଘଟଣାରୁ ମନେ କରିବାର ଅଛି …
ଏଇ ଛବିରେ ଦୋପଦୀ ମେଝେନ୍ କେଉଁଠି ବସେ ?
ସେ ନିଶ୍ଚୟ ପଳାତକମାନଙ୍କ ସହ ସାମିଲ୍ ଅଛି ।ଭୟର କଥା ଅନ୍ୟତ୍ର । ଯେଉଁମାନେ ଅଛନ୍ତି ,ସେମାନେ ଦୀର୍ଘଦିନ ଜଙ୍ଗଲର ଆଦିମ ଜଗତରେ ଅଛନ୍ତି । ସାହଚର୍ଯ୍ୟ କରିଛନ୍ତି ଦରିଦ୍ର ଫସଲକଟାଳୀ ଓ ଆଦିବାସୀଙ୍କ ସହିତ। ଏଇ ସାହଚର୍ଯ୍ୟ ଫଳରେ ସେମାନେ ନିଶ୍ଚୟ କିତାବୀ ଶିକ୍ଷା ଭୁଲି ଗଲେଣି । ଯିଏ ମାଟି ରେ ଅଛି,ତାହା
ସହିତ ହୁଏତ କିତାବୀ ଶିକ୍ଷା ଓରିଏଣ୍ଟେସନ୍ କରି ନୂତନ ଭାବେ ସଂଗ୍ରାମ ପଦ୍ଧତି ଓ ବଞ୍ଚିବାର ନିୟମ ଶିଖୁଛି । ବାହାରର କିତାବୀ ଶିକ୍ଷା ଆଉ ଅନ୍ତରର ଉଦ୍ୟମ ଏଇମାତ୍ର ଯାହାର ସମ୍ବଳ ,ସେମାନଙ୍କୁ ଗୁଳି କରି ନିକାଶ କରିବା ଚଳିବ। ହାତରେ କଲମରେ କାମ କରୁଛନ୍ତି ଯେଉଁମାନେ ,ସେମାନେ ଅତି ସହଜରେ ନିକାଶ ହେବାର ନୁହଁ ।
ଅତଏବ ଅପରେସନ୍ ଝାଡଖାନୀ ଫରେଷ୍ଟ ଅଟକି ପାରିବ ନାହିଁ । କାରଣ, “ଆର୍ମି ହାଣ୍ଡବୁକ୍” ର ସାବଧାନ ବାଣୀ।
ଦୁଇ
ଦୋପଦୀ ମେଝେନ୍ କୁ ଧର। ସେ ଏମାନଙ୍କୁ ଧରାଇ ଦେବ।
ଦୋପଦୀ ପେଟକପଡାରେ ଭାତ ବାନ୍ଧି ନେଇ ଆସ୍ତେ ଆସ୍ତେ ଚାଲୁଥିଲା। ମୁସାଇ ଟୁଡୁର ସ୍ତ୍ରୀ ଭାତ ରାନ୍ଧି ଦେଇଛି । ମଝିରେ ମଝିରେ ଦିଏ। ଭାତ ହୋଇଗଲେ ଦୋପଦୀ ପେଟକପଡାରେ ଭାତ ବାନ୍ଧେ ଆଉ ଧିରେ ଧିରେ ଚାଲେ।
ଚାଲୁ ଚାଲୁ ସେ ମଥାର ଚୂଳରେ ଆଙ୍ଗୁଳି ଚଳାଇ ଉକୁଣୀ ବାହାର କରି ଆଣି ମାରୁଥିଲା। ଟିକିଏ କିରୋସିନ୍ ପାଇଲେ ମଥାରେ ଘଷି ଦେଲେ ଉକୁଣୀ ନିକାଶ ହୁଏ। ତାହାପରେ ସୋଡାଦେଇ ମଥାକୁ ଧୋଇପକାଇଲେ ହେବ। କିନ୍ତୁ ହାରାମୀ ସବୁ ଝରଣାର ବାଙ୍କେ ବାଙ୍କେ ଖେପ ମାରେ। ପାଣିରେ କିରୋସିନ୍ ର ବାସ ପାଇଲେ ଏଗୁଡାକ ଗନ୍ଧ ଶୁଙ୍ଘି ଶୁଙ୍ଗି ଚାଲି ଆସିବେ।
ଦୋପଦୀ !
ଦୋପଦୀ ଉତ୍ତର ଦେଲାନି।ସ୍ୱନାମରେ ଡାକିଲେ ସେ କେବେହେଲେ ଉତ୍ତର ଦିଏନି। ତାହାର ନାଆଁରେ ବକସିସ୍ ଘୋଷଣାର କାଗଜଟା ଆଜି ହିଁ ପଞ୍ଚାୟତ ଅଫିସରେ ଦେଖି ଆସିଛି । ମୁସାଇ ଟୁଡୁର ବଉ କହୁଥିଲା ,” ଆରେ ଦେଖିବ କ’ଣ ? କେଉଁଠିକାର କିଏ ଦୋପଦୀ ମେଝେନ୍ ! ତାହାକୁ ଧରା କରିଲେ ଟଙ୍କା ! “
- କେତେ ଟଙ୍କା ?
- ଦୁଇ ଶ !
-ହଇ ଗୋ !
ବାହାରି ଆସି ମୁସାରି ଟୁଡୁର ବଉ କହିଲା । “ଏଥର ସାଜନବାଜନ ଖୁବ୍ । ସ.. ବୁ… ନୂତନ ପୁଲିସ୍ ।”
-ହଁ ।
- ତୁ ଆଉ ଆସ ନା !
ମୁସାଇର ବଉ ଆଖି ତଳକୁ କରି କହିଲା। “ଟୁଡୁ ବଇଲା ସେ ସାହାବଟା ପୁଣି ଆଇଛି ! ତୋରେ ଧରିଲେ ଗାଆଁ ବସତି ପୁଣି ..
-ପୁଣି ଜଳାଇ ଦେବ।
-ହଁ। ଆଉ ଦୁଖୀରାମର କଥା ତ …
- ସାହାବ ଜାଣିଛି ?
-ସୋମାଇ ଆଉ ବଧୁନା ହାରାମି କଲେ !
-ସେମାନେ କେଉଁଠି ?
-ଟ୍ରେନ୍ ଚଢି ପଳାଇଗଲେ ।
ଦୋପଦୀ କ’ଣ ଭାବି ନେଲା।ତାହାପରେ କହିଲା,”ଘର ଯା । କି ହବ ଜାଣିନି,ମୋକେ ଧରିଲେ ତମେମାନେ ମୋକେ ଚିହ୍ନିବ ନାଇଁ !”
-ତୁ କିସ ପଳାଇତେ ଜାଣିନୁ ?
-ନା। କେତେବାର ପଳାଇବି କହ ତ ? ଧରିଲେ ବା କି କରବେ କହ ? କାଉଣ୍ଟର କରି ଦେବ, ଦଉ !
ମୁସାଇର ବଉ କହିଲା ,”ଆମର ଆଉ କୁଥା ଯିବାର ନାଇଁ ।”
ଦୋପଦୀ କହିଲା ,”କାର ନାମ ବଲବା ନା ।”
ଦୋପଦୀ ଜାଣେ ,ଏତେ ଦିନ ଶୁଣି ଶୁଣି ଶିଖିଛି କେମିତି କରି ନିର୍ଯ୍ୟାତନାର ସହିତ ମୁକାବିଲା କରା ଯାଏ । ଯଦି ନିର୍ଯ୍ୟାତନାରେ ଶରୀର ଆଉ ମନ ଭାଙ୍ଗି ପଡେ ସେତେବେଳେ ଦୋପଦୀ ନିଜର ଜିଭକୁ ଦାନ୍ତରେ କାଟି ପକାଇବ। ସେଇ ପିଲାଟା କାଟି ପକାଇଥିଲା ନିଜର ଜିଭକୁ। ତାହାକୁ କାଉଣ୍ଟର କରି ଦିଆ ହେଲା। କାଉଣ୍ଟର କରି ଦେଲେ ତମର ହାତ ଥାଏ ପଛରେ ବନ୍ଧା। ଶରୀରର ପ୍ରତିଟି ହାଡ ଥାଏ ଚୁର୍ଣ୍ଣ, ଯୌନାଙ୍ଗରେ ଭୀଷଣ କ୍ଷତ । କିଲଡ୍ ବାଇ ପୁଲିସ୍ ଇନ୍ ଆନ୍ ଏନକାଉଣ୍ଟର…ଅନନୋନ୍ ମେଲ୍ … ଏଜ୍ ଟୁୟେଣ୍ଟି ଟୁ …
ଏଇ ସବୁ ଭାବି ଭାବି ପଥରେ ଯାଉ ଯାଉ ଦୋପଦୀ ଶୁଣିଲା କିଏ ତା’କୁ ଡାକୁଛି ଦୋପଦୀ !
ସେ ଉତ୍ତର ଦେଲାନାହିଁ ।ସ୍ୱନାମରେ ଡାକିଲେ ସେ ଉତ୍ତର ଦିଏନା । ଏଇଠି ତା’ର ନାଆଁ ଉପି ମେଝେନ୍ । କିନ୍ତୁ କିଏ ଡାକେ ?
ତାହାର ମନରେ ନିରନ୍ତର ସନ୍ଦେହର କଣ୍ଟା ଖୁଞ୍ଚା ଦେଉଥାଏ । ଦୋପଦୀ ବୋଲି ଶୁଣି ସନ୍ଦେହର ଧାରୁଆ କଣ୍ଟା ଝିଙ୍କ ର କଣ୍ଟା ଭଳି ଠିଆ ହୋଇଗଲା । ଚାଲୁ ଚାଲୁ ତାହାର ମନ ଭିତରେ ଚିହ୍ନା ମୁହଁର ଫିଲ୍ମ ରୋଲ୍ ଖୋଲି ଚାଲିଲା। କିଏ ? ସୋମରା ନୁହଁ ,ସୋମରା ପଳାତକ । ସୋମାଇ ଆଉ ବୁଧନା ପଳାତକ ,ଅନ୍ୟ କାରଣରୁ । ଗୋଲକ ନୁହଁ,ଗୋଲକ ବାକୁଲିରେ ଅଛି । ଇଏ ବାକୁଲିରୁ କେହି ? ବାକୁଲିକୁ ଛାଡି ବାହାରିବାର ପର ଠାରୁ ତାହାର ଆଉ ଦୁଲନ ର ନାମ ହୋଇଥିଲା ଉପି ମେଝେନ ଆଉ ମାତଂ ମାଝି । ଏଇଠେ ଏକା ମୁସାଇ ଆଉ ତାହାର ବଉ ଛଡା କେହି ତାହାର ଅସଲ ନାଆଁ ଜାଣନ୍ତିନି। ଟୋକା ବାବୁମାନଙ୍କ ମଧ୍ୟରେ ଆଗେକାର ବ୍ୟାଚ୍ ର ସଭିଏ ଜାଣନ୍ତି ନାହିଁ।
ସେଇ ସମୟଟି ବଡ ଗୋଳମାଳର ସମୟ। ଦୋପଦୀ ଭାବିବାକୁ ଗଲେ ଗୋଳମାଳ ଲାଗେ। ବାକୁଲିରେ ଅପରେସନ୍ ବାକୁଲି। ସୂର୍ଯ୍ୟ ସାହୁ ବିଡ୍ଡି ବାବୁ (ବିଡିଓ ବାବୁ ) ର ସହ ଷଡ୍ କରି ଦି ବର୍ଷରେ ଘରର ଚୌହଦୀରେ ଦୁଇଟା ଟ୍ୟୁବୱେଲ୍ ବସାଇଲା,କୂଅ ଖୋଳିଲା ତିନିଟା ।କେଉଁଠି ଜଳ ନାହିଁ,ବୀରଭୂମ ସାରା ଖରା । ସୂର୍ଯ୍ୟ ସାହୁର ଘରେ ଅଥଇ ଜଳ,କାକ ଚକ୍ଷୁ ଭଳି ନିର୍ମଳ ।
କାନାଲ୍ ଟାକ୍ସ ଦେଇ ଜଳ ନିଅ,ଜଳିଗଲା ସବୁ।
ଟାକ୍ସର ଜଳରେ ଚାଷ ବଢେଇ ଆମର ଲାଭ କିସ ?
ଜଳିଗଲା ସବୁ।
ଯାଅ, ଯାଅ । ତମର ପଞ୍ଚାୟେତୀ ବଦମାସି ମୁଁ ମାନେ ନି। ଜଳ ନେଇ ଚାଷ ବଢେଇବି । ଅଧା ଧାନ ଅଧିଆର (ଭାଗଚାଷ ର ମାଲିକ) ନେବ। ଋଣ ଧାନରେ ସଭିଏଁ ବଶ। ସେତେବେଳେ ଧାନ ଘର ଦେ,ଟଙ୍କା ଦେ,ଯାଃ ତମମାନଙ୍କ ପାଇଁ ଭଲ କାମ କରି ମୋର ଉଚିତ ଶିକ୍ଷା ହୋଇଛି ।
-କି ଭଲ କାମ କରଲା ତୁଇ ?
-ଜଳ ଦେଇ ନାହିଁ ଗ୍ରାମକୁ ?
-ଭଶୁନାଳ ବିୟାଇ କୁ ଦେଇଛ ?
-ତମେ ମାନେ ଜଳ ପାଇନ ?
-ନାଃ। ଡମ,ଚଣ୍ଡାଳ ଜଳ ପାଆନ୍ତି ନାହିଁ ।
ଏଇ କଥାରୁ ଝଗଡା । ଖରାରେ ମଣିଷର ଧୈର୍ଯ୍ୟସହ୍ୟ ସହଜରେ ଜ୍ୱଳେ। ଗ୍ରାମର ସତୀଶ-ଯୁଗଳ-ସେଇ ବାବୁର ପିଲା ,ତାହାର ନାଆଁ ରାଣା ,ସେମାନେ କହିଲେ ,ଜୋତଦାର ମହାଜନ କିଛି ଦେବନି ,ଖତମ କର ।
ସୂର୍ଯ୍ୟ ସାଉ ର ଘର ରାତିରେ ଘେରାଓ। ସୂର୍ଯ୍ୟ ସାଉ ବନ୍ଧୁକ ବାହାର କରିଥିଲା । ଗୋରୁ ଦଉଡିରେ ପଛମୋଡା ବନ୍ଧା ସୂର୍ଯ୍ୟ। ଆଖିର ପୁଅ ସାଧାଳିଆ, ଘୁରୁଛି ,ପିନ୍ଧା ଲୁଗା ନଷ୍ଟ ହୋଇଥିଲା। ଦୁଲନ କହିଲା ,ପହିଲା ଚୋଟ ମୁଁ ଦେବି ହେ । ମୋର ବାପ ର ବାପ ଧାନ ଘରକୁ ନେଇଥିଲା ସେଇ ଧାର୍ ଶୋଧତେ ଆଜି ବି ମୋକେ ବେଗାରି ଦିଇ ।
ଦୋପଦୀ କହିଥିଲା,ମର ଆଡକୁ ଚାହିଁ ତାର୍ ପାଟିରୁ ଲାଳ ଗଡାଏ,ମୁଇଁ ତାହାର ଆଖି ଦିଟାକୁ ତାଡି ନେବି ।
ସୂର୍ଯ୍ୟ ସାଉ। ତାରପର ସିଉଡି ରୁ ଟେଲିଗ୍ରାଫିକ ମେସେଜ୍। ସ୍ପେଶାଲ୍ ଟ୍ରେନ୍। ଆର୍ମି । ଜିପ୍ ବାକୁଲି ଯାଏଁ ଆସିନି । ମାର୍ଚ-ମାର୍ଚ -ମାର୍ଚ । ନାଲଲଗା ବୁଟ୍ ର ତଳେ କାଙ୍କଡା ଗୋଡିର କ୍ରାଞ୍ଚ୍-କ୍ରାଞ୍ଚ୍-କ୍ରାଞ୍ଚ। କର୍ଡନ ଅପ୍ । ମାଇକ୍ ରେ ଆଦେଶ। ଯୁଗଳ ମଣ୍ଡଳ-ସତୀଶ ମଣ୍ଡଳ-ରାଣା ଆଲିଆସ୍ ପ୍ରବୀର ଆଲିଆସ୍ ଦୀପକ – ଦୁଲନ ମାଝି,ଦୋପଦୀ ମେଝେନ୍ ସରେଣ୍ଡର ,ସରେଣ୍ଡର ।ନୋ ସରେଣ୍ଡର ସରେଣ୍ଡର । ମୋ -ମୋ – ମୋ ଡାଉନ୍ ଦି ଭିଲେଜ୍ । ଖଟଖଟ-ଖଟଖଟ -ବତାସରେ କର୍ଡାଇଟ୍ -ଖଟଖଟ- ରାଉଣ୍ଡ ଦି କ୍ଲକ – ଖଟଖଟ । ଫ୍ଲେମ୍ ଥ୍ରୋଅର୍ । ବାକୁଲି ଜଳୁଛି ।ମୋର୍ ମେନ ଆଣ୍ଡ ଉଇମେନ ,ଚିଲଡ୍ରେ…ଫାୟାର୍ – ଫାୟାର୍ । କ୍ଲୋଜ୍ କେନାଲ୍ ଆପ୍ରୋଚ୍ । ଓଭର – ଓଭର -ଓଭର ବାଇ ନାଇଟଫଲ୍ । ଦୁଲନ ଆଉ ଦୋପଦୀ ଚାଲି ଚାଲି ପଳାଇଥିଲେ ।
ବାକୁଲିର ପରେ ପଲତାଗୁଡିରେ ସେମାନେ ପହଞ୍ଚି ପାରିଲେ ନାହିଁ । ଭୂପତି ଆଉ ତପା ନେଇ ଯାଆନ୍ତି। ତାହାପରେ ଠିକ୍ ହୁଏ ଦୋପଦୀ ଆଉ ଦୁଲନ ଝାଡଖାନୀ ବେଲ୍ଟର ଆଖପାଖରେ କାମ କରିବେ । ଦୁଲନ ଦୋପଦୀକୁ ବୁଝାଇଥିଲା,ଏଇ ଭଲରେ ! ଏଥିରେ ଆମର ଘର ସଂସାର ପିଲାପିଚିକା ହବ ନା ! କିଏ କହିପାରେ ଦିନେ ଜୋତଦାର-ମହାଜନ -ପୁଲିସ୍ ସବୁ ନିଶ୍ଚିହ୍ନ
ହବ ନା !
କିନ୍ତୁ ଆଜି ତାହାକୁ ପଛରୁ କିଏ ଡାକିଲା ?
ଦୋପଦୀ ଚାଲିବାକୁ ଲାଗିଲା। ଗ୍ରାମ -ପ୍ରାନ୍ତର -ଝାଡବୁଦା ଓ ଖାଇ – ପିଡବ୍ଲୁଡିର ଖମ୍ବା-ପଛରେ ଛୁଟି ଆସିବାର ଶବ୍ଦ । କିଏ ଜଣେ ଆସୁଛି । ଝାଡଖାନୀର ଜଙ୍ଗଲ ଏଇଲେ କିଛି କ୍ରୋଶର ଦୂରରେ। ଏଇଲେ ତାହାର ମନେ ହେଲା ଜଙ୍ଗଲର ଭିତରକୁ ଢୁକି ପାରିଲେ ବଞ୍ଚିବ। ସେମାନଙ୍କୁ କହିଦେବାକୁ ହେବ ପୁଲିସ୍ ତାହାର ନାଆଁରେ ନୋଟିସ୍ ଦେଇଛି । କହିଦେବାକୁ ହେବ ସେଇ ହାରାମୀ ସାଇବ ପୁଣି ଆସିଛି । ହାଇଡ-ଆଉଟକୁ ପାଲଟେଇଦେବାକୁ ହେବ । ତାହା ଛଡା ସାନ୍ଦାରା ରେ ଖେତମଜଦୁର୍ ମାନଙ୍କୁ ଟଙ୍କା ଦେବାକୁ ନେଇ ଯେଉଁ ଗଣ୍ଡଗୋଳ ହୁଏ ,ତାହାପରେ ସେଇଠି ଲକ୍ଷ୍ମୀ ବେରା,ନାରାନ୍ ବେରାକୁ ସୂର୍ଯ୍ୟ ସାଉ କରିଦେବାର ପ୍ଲାନକୁ ବି ନାକଚ କରିଦେବାକୁ ହେବ। ସୋମାଇ ବୁଧନା ସବୁକଥା ଜାଣନ୍ତି । ଦୋପଦୀର ଛାତି ତଳେ ଭୀଷଣ ବିପଦର ଅର୍ଜେନ୍ସି । ତାହାର ଏପରି ମନେ ହେଲା ସୋମାଇ ଆଉ ବୁଧନା ଯେ ହାରାମୀ କରିବେ ସେଥିରେ ସାନ୍ତାଳ ହେଇ ଏମାନଙ୍କର ଲଜ୍ଜା କିଛି ନାହିଁ । ଦୋପଦୀର ରକ୍ତ ଚମ୍ପାଭୂମୀର ପବିତ୍ର କଳା ରକ୍ତ ,ନିର୍ଭେଜାଲ । ଚମ୍ପାଠାରୁ ବାକୁଲି ,କେତେ ଲକ୍ଷ ଚାନ୍ଦର ଉଦୟାସ୍ତ ର ପଥ। ରକ୍ତରେ ଭେଜାଲ ମିଶି ପାରିଥାନ୍ତା ,ଦୋପଦୀର ପୂର୍ବପୁରୁଷଙ୍କୁ ନେଇ ଗର୍ବ ହେଲା। ସେମାନେ କଳା କାଇଁଚ ରେ ଝିଅମାନଙ୍କ ରକ୍ତକୁ ପହରା ଦିଅନ୍ତି।ସୋମାଇ ଆଉ ବୁଧନା ଜାରଜ।ଯୁଦ୍ଧର ଫସଲ।ଶିୟନଡଙ୍ଗା ର ମାର୍କିନ ସୈନ୍ୟମାନଙ୍କର ଉପହାର ଟୁଆର୍ଡସ୍ ରାଢଭୂମୀ । ନୋହିଲେ କୁଆ ଯଦିବା କୁଆର ମାଂସ ଖାଏ ,ସାନ୍ତାଳ ସାନ୍ତାଳକୁ ଧରାଇଦେବାର ହାରାମୀ କରେନା।
ପଛରେ ପାଦର ଶବ୍ଦ । ଶବ୍ଦ ଆଉ ଦୋପଦୀ ମଝିରେ ବ୍ୟବଧାନ ଏକ ରହିଛି। ପେଟ ଉପରେ ବନ୍ଧା ରହିଛି ଭାତ,ଅଣ୍ଟାରେ ଗୁଞ୍ଜା ହୋଇଛି ଧୂଆଁପତ୍ର। ଅରିଜିତ,ମାଳିନୀ ,ଶାମୁ ,ମଣ୍ଟୁ କେହି ବିଡି,ସିଗାରେଟ୍ କି ଚା’ ପିଅନ୍ତି ନାହିଁ। କାଗଜରେ ପୁଡିଆ କରି ଆଲକୁଲି ମଞ୍ଜିର ଗୁଣ୍ଡ କିନ୍ତୁ ଅଣ୍ଟାରେ ଗୁଞ୍ଜା ହୋଇ ଥିବ ସଭିଙ୍କର । ବିଛା କାମୁଡିଲେ ଅବ୍ୟର୍ଥ ଔଷଧ । କିଛି ଦରକାର ନାହିଁ।
ଦୋପଦୀ ବାଆଁ ପଟକୁ ଘୁରିଲା । ଏ ଦିଗରେ କ୍ୟାମ୍ପ । ଦି ମାଇଲ୍ ଦୂର । ବଣ ଭିତରକୁ ପଶିବାର ବାଟ ନୁହଁ ଏଇଟି । ପଛରେ ଶିଆଳ ନେଇ ଦୋପଦୀ ବଣକୁ ଯିବନି।
ଜାନ୍ କସମ। ଜା–ହାନ କସମ୍ ଦୁଲନ,ଜାନ କ–ସମ। କିଛି ହିଁ କୁହା ଯିବ ନାଇଁ ।
ପାଦର ଶବ୍ଦ ବାଆଁ ପଟକୁ ଘୁରିଲା।ଦୋପଦୀ କମରରେ ହାତ ଦେଲା । ହାତପାପୁଲିରେ ବଙ୍କା ଚାନ୍ଦର ଆଭାସ। ଛୋଟିଆ ଦାଆ। ଝାଡଖାନୀର କମାରମାନେ ଗଢନ୍ତି ଭଲ । ଏପରି ଶାଣ ଦେବ ଉପି ,ଏଥିରେ ଶତ ଶତ ଦୁଖିରାମର …। ଦୋପଦୀ ଭାଗ୍ୟକୁ ବାବୁ ହେବାକୁ ଯାଇନି । ବରଂ ଏମାନେ ବୁଝିଛନ୍ତି ସବୁଠାରୁ ଭଲ କାନ୍ତେ-ଟାଙ୍ଗି-ଛୁରୀ । ନୀରବରେ କାମ ଶେଷ । ଦୂରରେ କ୍ୟାମ୍ପର ଆଲୁଅ । ଦୋପଦୀ ସେ ଆଡକୁ ଯାଉଛି କାହିଁକି ? ଠିଆ ହ , ଟିକିଏ ବାଙ୍କ ସୂର୍ଯ୍ୟ ଯାଉ। ଆହା ! ସାରା ରାତି ମୁଁ ଆଖି ମୁଦି ସୂର୍ଯ୍ୟକୁ ଡାକିପାରେ । ଜଙ୍ଗଲକୁ ଯିବିନି,ପଥ ହରାଇବି ନାହିଁ । ଦମ୍ ଛୁଟିବ ନାହିଁ । ତୁ ଶଳା ଶିଆଳ ,ଜାହାନ୍ ର ମାୟାରେ ମରୁଛୁ ,ତୁ କେତେ ଘୁରିବୁ ? ଦମ ସରିଗଲେ ଗଢାରେ ପକାଇ ତତେ ନିକାଶ କରିଦେବି ।
କିଛି ହିଁ କୁହା ହେବ ନା। ନୂତନ କ୍ୟାମ୍ପ ଦେଖି ଆସିଛି ଦୋପଦୀ । ବସ୍ ଷ୍ଟେସନରେ ବସି ଗପ କରି ବିଡି ଟାଣି ଜାଣି ଆସିଛି କେତେ କନଭୟ ପୁଲିସ୍ ଆସିଲା,କେତେଟା ଓୟାରଲେସ୍ ଭ୍ୟାନ।ଚାରୋଟି କଷି କଖାରୁ ଚାରି,ପିଆଜ ସାତ,ଲଙ୍କା ପଚାଶ ସିଧା ହିସାବ। କିଛି ହିଁ ଜାଣିବାକୁ ଦିଆଯିବ ନାହିଁ । ସେମାନେ ନିଶ୍ଚୟ ବୁଝିନେବେ ଦୋପଦୀ ମେଝେନ୍ କାଉଣ୍ଟର ହୋଇ ଖେଳିଛି। ସେତେବେଳେ ପଳାଇଯିବେ। ଅରିଜିତ ର ଗଳା,ଯଦି କିଏ ଧରା ପଡେ,ଟାଇମ୍ ବୁଝି ଅନ୍ୟମାନେ ହାଇଡ୍-ଆଉଟ ଚେଞ୍ଜ କରିବେ। କମ୍ରେଡ୍ ଦୋପଦୀ ଯଦି ଡେରି କରି ଆସେ,ଆମେମାନେ ଏଇଠି ରହିନାହୁଁ । କୁଆଡେ ଯାଇଛୁ ନିଶାନି ଅଛି । କୌଣସି କମ୍ରେଡ୍ ନିଜ ପାଇଁ ଅନ୍ୟକୁ ଡେଷ୍ଟ୍ରୟ ହେବାକୁ ଦେବନାହିଁ।
ଅରିଜିତ ର ଗଳା। ଜଳର କଳକଳ ଶବ୍ଦ । ପଥର ଟେକି ତଳେ ରଖା କାଠର ଟୁକୁରା ର ତିନି ଫାଳ ମୁହଁ ଯୁଆଡେ ,ସେଇ ଦିଗର ହାଇଡ୍-ଆଉଟ୍ କୁ ଯିବା ହୋଇଛି ।
ଏଇଟା ଦୋପଦୀର ପସନ୍ଦ,ବୋଧାୟତ୍ତ। ଦୁଲନ ମରିଗଲା,କାହାକୁ ମାରି ମରିନି ବାବା। କାରଣ ଏଇଟି ଆମର ମଥାରେ ନଥିଲା ଆରମ୍ଭ ବେଳରୁ ,ଅନ୍ୟର ଅସୁବିଧା ପାଇଁ ଜଣେ କାଉଣ୍ଟର ହୋଇଯାଇଛି । ଏବେ ତ ଅଧିକ କଠିନ ନିୟମ,ସହଜ ଆଉ ଅବୁଝା କିଛି ନାହିଁ । ଦୋପଦୀ ଫେରିଲା -ଭଲ,ଫେରିଲାନି-ବ୍ୟାଡ୍। ଚେଞ୍ଜ ହାଇଡ୍-ଆଉଟ୍। ନିଶାନି ଏପରି ହେବ ,ଆପୋଜିସନ୍ ଦେଖି ପାରିବ ନାହିଁ , ଦେଖିଲେ ବୁଝି ପାରିବନି ।
ପଛରେ ପାଦର ଶବ୍ଦ । ଦୋପଦୀ ପୁଣି ଘୁରିଲା। ଏଇ ସାଢେ ତିନି ମାଇଲ୍ ର ବିସ୍ତୀର୍ଣ୍ଣ ଉଚ୍ଚା ଆଉ ଖୋଆଇ ଇଲାକାର (ତ୍ରିପୁରା ର) ଜଙ୍ଗଲରେ ପ୍ରବେଶ କରିବା ପାଇଁ ପ୍ରକୃଷ୍ଟ ପଥ।ଦୋପଦୀ ସେ ପଥକୁ ପଛରେ ରଖି ଆସିଛି । ସାମନାରେ କିଛି ପରିମାଣ ରେ ସମତଳ। ତାହାପରେ ପୁଣି ଖୋଆଇ। ଏତେ ଉଚ୍ଚାନୀଚାରେ କେବେହେଲେ ଆର୍ମି କ୍ୟାମ୍ପ ପଡିନି । ଏ ଦିଗଟି ନିର୍ଜନ। ଭୁଲଭୁଲେଇୟା। ମକା ଭଳି ,ସବୁ ଢାଲୁ ଗୋଟିଏ ଆରଟି ପରି ଦେଖିବାକୁ ସମାନ। ଭଲ କଥା। ଦୋପଦୀ ଶିଆଳଗୁଡିକୁ ମଶାଣୀ ଆଡକୁ ଆଗେଇ ନେବ। ସାରନ୍ଦାର ପତିତପାବନକୁ ମାଆ କାଳୀଙ୍କ ପାଖରେ ବଳି ଦିଆଯାଇଥିଲା ସେଇଠି।
ଆପ୍ରିହେଣ୍ଡ !
ଢାଲୁ ଭିତରୁ ଗୋଟିଏ ଉଠି ଛିଡା ହେଲା। ଆଉ ଗୋଟିଏ । ଆଉ ଗୋଟିଏ । ପ୍ରୌଢ ସେନାନାୟକ ଯୁଗପତ ଆନନ୍ଦିତ ଓ ନିରାଶ। ଇଫ୍ ୟୁ ୱାଣ୍ଟ ଟୁ ଡେଷ୍ଟ୍ରୟ ଦି ଏନେମି,ବିକମ୍ ୱାନ୍। ସେ ତା’ ହୋଇଛନ୍ତି । ଛଅ ବର୍ଷ ଆଗେ ବି ସେ ଏମାନଙ୍କର ପ୍ରତିଟି ମୁଭ୍ ଆଣ୍ଟିସିପେଟ୍ କରି ପାରୁଥିଲେ,ଏଇଲେ ବି କରି ପାରୁଛନ୍ତି ,ଆନନ୍ଦ। ସାହିତ୍ୟର ସହିତ ଯୋଗ ରଖିଥିବା ଫଳରେ “ଫାର୍ଷ୍ଟ ବ୍ଲଡ୍” ପଢି ସେ ନିଜର ଚିନ୍ତା ଆଉ କାର୍ଯ୍ୟର ସମର୍ଥନ ଦେଖିଛନ୍ତି ।
ଦୋପଦୀ ତାଙ୍କୁ ଧପ୍ପା ଦେଇ ପାରିଲାନି,ଦୁଃଖ ଓ ନିରାଶା। କାରଣ ଦ୍ୱିବିଧ। ଛଅ ବର୍ଷ ଆଗେ ମସ୍ତିଷ୍କ-କୋଷରେ ସଂଗୃହିତ ପରିସଂଖ୍ୟାନର ଭିତ୍ତିରେ ଲେଖା ତାହାର ପ୍ରବନ୍ଧ ପ୍ରକାଶ ପାଇଛି। ସେ ପ୍ରମାଣ ରଖିଛନ୍ତି,ସେ ଏଇ ସଂଗ୍ରାମର ସମର୍ଥକ,ଫସଲକଟାଳୀ ମାନଙ୍କର ପରିପ୍ରେକ୍ଷୀରେ। ଦୋପଦୀ ଗୋଟିଏ ପସଲକଟାଳୀ। ଭେଟେରାନ୍ ଫାଇଟର୍। ସର୍ଚ୍ଚ ଆଣ୍ଡ ଡେଷ୍ଟ୍ରୟ। ଦୋପଦୀ ମେଝେନ୍ ଆପ୍ରିହେଣ୍ଡେଡ୍ ହେବାକୁ ଯାଉଛି। ଡେଷ୍ଟ୍ରୟେଡ୍ ହେବ । ଦୁଃଖ।
ହଲ୍ଟ।
ଦୋପଦୀ ଥମକି ଠିଆ ହୋଇଗଲା। ପଛର ପାଦଶବ୍ଦ ଘୁରି ସାମ୍ନା କୁ ଆସି ଛିଡା ହେଲା। ଦୋପଦୀର ବୁକୁ ତଳେ କେନାଲ୍ ର ବଂଧ ଭାଙ୍ଗିଲା। ସର୍ବନାଶ । ସୂର୍ଯ୍ୟ ସାଉ ର ଭାଇ ରୋତୋନୀ ସାଉ । ସାମନାର ଢାଲୁ ଦୁଇଟି ଆଗେଇଲା। ସୋମାଇ ଓ ବୁଧନା। ସେମାନେ ଟ୍ରେନ୍ ରେ ପଳାଇଯାଇ ନାହାଁନ୍ତି।
ଅରିଜିତ ର ଗଳା,ଯେତେବେଳେ ଜିତିଛ-ତାହାକୁ ଯେମିତି ଜାଣିବ ,ଯେତେବେଳେ ହାରିଲ-ତାହାକୁ ମାନିନେବ ଏବଂ ପରର ଷ୍ଟେଜ୍ ରୁ କାର୍ଯ୍ୟ କରିବ ।
ଦୋପଦୀ ଏଇଲେ ଦୁଇ ହାତ ମେଲାଇ ଆକାଶ ଆଡକୁ ଚାହିଁ ଜଙ୍ଗଲ ପଟକୁ ଘୁରିପଡି ସର୍ବ ସତ୍ତାର ଶକ୍ତି ଦେଇ ହୁଳହୁଳି ଦେଲା। ଏକବାର,
ଦୁଇବାର,ତିନିବାର । ତୃତୀୟ ହୁଳହୁଳି ରେ ଝାଡଖାନୀ ଜଙ୍ଗଲ ଅଂଚଳର ଗଛର ପକ୍ଷୀଗୁଡିକ ରାତିର ନିଦ ଭାଙ୍ଗି ଡେଣା ଝପଟାଇ ଚିର୍ଚ୍ଚିରେଇ ଉଠିଲେ । ହୁଳହୁଳିର ପ୍ରତିଧ୍ୱନୀ ବହୁଦୂର ଯାଏ।
ତିନି
ସଂଧ୍ୟା ଛଅଟା ସତାବନ ରେ ଦୋପଦୀ ମେଝେନ ଆପ୍ରିହେଣ୍ଡେଡ୍ ହୁଏ। ତାହାକୁ ନେଇ କ୍ୟାମ୍ପ ପର୍ଯ୍ୟନ୍ତ ପହଞ୍ଚିବାକୁ ବଡ ଜୋର୍ ରେ ଏକ ଘଣ୍ଟା ଲାଗେ । ଠିକ୍ ଏକଘଣ୍ଟା ଜେରା ଚାଲେ। କେହି ତାହାର ଶରୀରରେ ହାତ ଦିଅନ୍ତି ନାହିଁ ଏବଂ ତାହାକୁ ଗୋଟିଏ କାନଭାସ୍ ର ଷ୍ଟୁଲ୍ ଉପରେ ବସିବାକୁ ଦିଆଯାଏ । ଆଠଟା ସତାବନ ରେ ସେନାନାୟକଙ୍କ ଡିନର୍ ଟାଇମ୍ ହୁଏ ଏବଂ “ଏହାକୁ ତିଆରି କରି ଆଣି ଆସ। ଡୁ ଦି
ନିଡଫୁଲ୍ ” କହି ସେ ଅନ୍ତର୍ଧ୍ୟାନ କରନ୍ତି।
ତାହାପରେ ଏକ ନିୟୁତ ଚାନ୍ଦ ବିତି ଯାଏ। ଏକ ନିୟୁତ ଚାନ୍ଦ୍ର ବର୍ଷ । ଲକ୍ଷ ଆଲୋକବର୍ଷ ପରେ ଦ୍ରୋପଦୀ ଆଖି ଖୋଲେ ,କି ବିସ୍ମୟ,ଆକାଶ ଓ ଚାନ୍ଦକୁ ହିଁ ଦେଖେ ସେ। କ୍ରମଶଃ ତାହାର ମସ୍ତିଷ୍କରୁ ରକ୍ତାଭ ଆଲପିନ୍ ର ମୁନ ଘୁଞ୍ଚି ଘୁଞ୍ଚି ଯାଏ । ଟିକିଏ ଦୋହଲିବାକୁ ଯାଇ ସେ ବୁଝିପାରେ ଏଇଲେ ତାହାର ଦୁଇଟି ଯାକ ହାତ ଦୁଇଟି ଖୁଣ୍ଟରେ ଏବଂ ଦୁଇଟି ଯାକ ପାଦ ଦୁଇଟି ଖୁଣ୍ଟରେ ବନ୍ଧା। ପିଚା ଆଉ ଅଣ୍ଟା ପାଖରେ ଚଟପଟ କ’ଣ ଯେମିତି । ଏସବୁ ରକ୍ତ । କେବଳ ମୁହଁର ଭିତରେ କପଡା ନାହିଁ । ଭୀଷଣ ଶୋଷ । କାଳେ “ପାଣି” କହି ଉଠିବ ,ସେଇ ଭୟରେ ଓ ଦାନ୍ତ ତଳେ ଓଠ କୁ ଚାପେ। ବୁଝି ପାରେ ଯୋନୀଦ୍ୱାରରେ ରକ୍ତସ୍ରାବ। କେତେଜଣ ତାହାକୁ ତିଆରି କରି ନେବାକୁ ଆସିଥିଲେ ?
ତାହାକୁ ଲଜ୍ଜା ଦେଇ ଆଖିର କୋଳରୁ ଜଳ ଗଡେ।ମଳିଛିଆ ଚାନ୍ଦର ଆଲୁଅରେ ବିବର୍ଣ୍ଣ ଆଖି ତଳକୁ ଚାହିଁଲେ ନିଜର ସ୍ତନ ଦୁଇଟି ଆଖିରେ ପଡେ ଏବଂ ଇଏ ବୁଝେ ହଁ -ଏହାକୁ ଠିକ୍ ମତ ତିଆରି କରା ଯାଇଛି । ଏଥର ଏହାକୁ ସେନାନାୟକର ପସନ୍ଦ ହେବ । ସ୍ତନ ଦୁଇଟି କାମୁଡାରେ କ୍ଷତ-ବିକ୍ଷତ,ବୃନ୍ତ ଛିନ୍ନ ଭିନ୍ନ । କେତେ ଜଣ ? ଚାରି-ପାଞ୍ଚ-ଛଅ-ସାତ-ତାହାପରେ ଦ୍ରୋପଦୀର ହୋସ୍ ରହିଲା ନାହିଁ ।
ଆଖି ଫେରାଇ ପାଖରେ ଇଏ ସାଦା କି କ’ଣ ଯେମିତି ଦେଖେ । ତାହାର ଲୁଗା। ଆଉ କିଛି ଦେଖେ ନା। ସହସା ଦୈବୀକୃପା ଆଶା କରେ ଇଏ।ସମ୍ଭବତଃ ଏହାକୁ ଫୋପାଡି ଚାଲିଯାଇଛନ୍ତି ସେମାନେ । ଶିଆଳ ଛିଣ୍ଡାଇ ଖାଇବ ବୋଲି। କିନ୍ତୁ ଏହାର କାନକୁ ଆସେ ପାଦର ଘଷଟାଣି। ବେକ ବୁଲାଏ ଇଏ,ବାୟନଟ୍ ରେ ଭରା ଦେଇ ଛିଡା ହୋଇଥିବା ସନ୍ତ୍ରୀ ଏହାକୁ ଦେଖି ହସେ। ଆଖି ବୁଜିଦିଏ ଦ୍ରୌପଦୀ। ଆପେକ୍ଷା କରିବାକୁ ହୁଏନି ବେଶିକ୍ଷଣ। ପୁଣି ତିଆରି କରିବାର ପ୍ରକ୍ରୀୟା ଆରମ୍ଭ ହୁଏ । ଚାଲୁ ଥାଏ । ଚାନ୍ଦ କିଛି ଜ୍ୟୋତ୍ସ୍ନା ବାନ୍ତି କରି ଘୁମେଇ ପଡେ।ରହିଥାଏ ଖାଲି ଅନ୍ଧକାର। ଗୋଟିଏ ବାଧ୍ୟ ହୋଇ ଗୋଡ ଦୁଇଟିକୁ ମେଲାଇ ଚିତ୍ ହୋଇ ପଡିଥିବା ନିଶ୍ଚଳ ଦେହ।
ତାହାର ଉପରେ ସକ୍ରୀୟ ମାଂସର ପିଷ୍ଟନ୍ ଉଠେ ଆଉ ପଡୁଥାଏ,ଉଠୁଥାଏ ଆଉ ପଡେ।
ତାହାପରେ ସକାଳ ହୁଏ ।
ତାହାପରେ ଦ୍ରୋପଦୀ ମେଝେନ୍ କୁ ତମ୍ବୁ ଭିତରକୁ ଅଣା ହୁଏ ଆଉ ନଡା ଉପରେ ପକାଇ ଦିଆଯାଏ।ଦେହ ଉପରେ କପଡାଟା ଫୋପାଡି ଦିଆ ଯାଏ।
ତାହାପରେ ବ୍ରେକଫାଷ୍ଟ,କାଗଜ ପାଠ, ରେଡିଓ ମେସେଜ “ଦ୍ରୌପଦୀ ମେଝେନ୍ ଆପ୍ରିହେଣ୍ଡେଡ୍” ଖବର ର ପ୍ରେରଣ ଇତ୍ୟାଦି ହୋଇ ଗଲେ ଦ୍ରୋପଦୀ ମେଝେନ୍ କୁ ନେଇ ଆସିବାକୁ ହୁକୁମ ଯାଏ ।
କିନ୍ତୁ ଏଇଲେ ହଠାତ୍ ଗଣ୍ଡଗୋଳ ଆରମ୍ଭ ହୁଏ।
“ଚାଲ୍” କହିଲେ ଉଠି ବସେ ଦ୍ରୌପଦୀ। ଇଏ ପଚାରେ,କୁଆଡେ ଯିବି କହୁଛୁ ?
-ବଡ ସାହେବର ତମ୍ବୁ କୁ।
-ତମ୍ବୁ କଉଠି ?
- ହେଇ।
ଦ୍ରୌପଦୀ ଲାଲ୍ ପଡିଯାଇଥିବା ଆଖିକୁ କୁଞ୍ଚାଇ ଅଦୂରରେ ତମ୍ବୁ ଦେଖେ। କହେ,ଚାଲ୍ ,ମୁଁ ଯାଉଛି।
ସନ୍ତ୍ରୀ ଜଳର ଘଡିଟିକୁ ଆଗେଇ ଦିଏ।
ଦ୍ରୌପଦୀ ଉଠି ଛିଡା ହୁଏ । ଜଳର ଘଡିରୁ ଜଳକୁ ଓଲଟାଇ ତଳେ ପୂରା ଢାଳି ଦିଏ । କପଡାକୁ ଦାନ୍ତରେ ଧରି ଟାଣି ଫର ଫର କରି ଫାଡିଦିଏ । ସନ୍ତ୍ରୀ ଏବଂବିଧ ଆଚରଣ ଦେଖି ବାଉରା ହୋଗୟା-କହି ଛୁଟି ହୁକୁମ ଆଣିବାକୁ ଯାଏ। ସେ କଏଦୀକୁ ନେଇଯାଇ ପାରେ କିନ୍ତୁ କଏଦୀ ଦୁର୍ବୋଧ୍ୟ ଆଚରଣ
କରିଲେ କ’ଣ କରିବ ତାହା ସେ ଜାଣେନି ସେ ଉପରବାଲାଠୁ ଠିକ୍ କିନ୍ତୁ ଜାଣି ନେବ ସେତକ।
ଜେଲ୍ ରେ ପାଗଳା ଘଣ୍ଟି ପଡିଲେ ଯେମିତି ହୁଏ, ଛୁଟାଛୁଟି ଲାଗିଯାଏ ଏବଂ ସେନାନାୟକ ବିସ୍ମିତ ହୋଇ ବାହାରି ଆସି ଦେଖନ୍ତି ସୂର୍ଯ୍ୟଙ୍କ ପ୍ରଖର ଆଲୋକରେ ଉଲଙ୍ଗ ଦ୍ରୌପଦୀ ସିଧା ସଳଖ ଡଗଡଗ ତାଙ୍କ ଆଡକୁ ଚାଲି ଆସୁଛି । ସନ୍ତ୍ରସ୍ତ ସନ୍ତ୍ରୀମାନେ ତାହାଠୁ ଟିକିଏ ତଫାତରେ ।
ଇଏ କ’ଣ ? କହିବାକୁ ଯାଇ ସେ ଅଟକି ଯାଆନ୍ତି।
ଦ୍ରୌପଦୀ ତାଙ୍କର ସାମ୍ନାରେ ଆସି ଛିଡା ହୁଏ ।ଉଲଙ୍ଗ। ଉରୁ ଆଉ ଯୋନିଦେଶରେ ଥପ ଥପ ରକ୍ତ। ଦୁଇଟି ସ୍ତନ ,ଦୁଇଟି କ୍ଷତ।
ଇଏ କ’ଣ ? ସେ ଧମକାଇବାକୁ ବସନ୍ତି ।
ଦ୍ରୌପଦୀ ଆଉ ଟିକିଏ ପାଖକୁ ଆସେ। ଅଣ୍ଟାରେ ହାତ ରଖି ଠିଆ ହୁଏ,ହସେ ଓ କହେ,ତର୍ ତ ସଂଧାନର ଚିଜ,ଦୋପଦୀ ମେଝେନ୍। ତିଆରି କରି ଆଣିବାକୁ କହିଥିଲୁ ନାଇଁ ,ତ ଦେଖ୍ ,କେମିତି ତିଆରି କରିଛନ୍ତି ଦେଖିବୁ ନାଇଁ ?
-କପଡା କାଇଁ ଏହାର,କପଡା ?
- ପିନ୍ଧୁନି ସାର୍। ଛିଡାଇ ଦଉଚି ।
ଦ୍ରୌପଦୀର କଳା ଶରୀର ଆହୁରି ପାଖକୁ ଘୁଞ୍ଚି ଆସେ। ଦ୍ରୌପଦୀ ଦୁର୍ବୋଧ୍ୟ ସେନାନାୟକର ନିକଟରେ ଏକେବାରେ ଦୁର୍ବୋଧ୍ୟ ଏକ ଅଦମ୍ୟ ହସରେ କଂପୁଥାଏ। ହସିବାକୁ ଗଲାବେଳେ ଏହାର ବିକ୍ଷତ ଓଠରୁ ରକ୍ତ ଝରେ ଏବଂ ସେଇ ରକ୍ତକୁ ନିଜ ହାତ ର ପାପୁଲିରେ ପୋଛିନେଇ ଦ୍ରୌପଦୀ ହୁଳହୁଳି ଦେବା ଭଳି ଭୀଷଣ ଆଉ ଆକାଶଚିରା ,ତୀକ୍ଷଣ ଗଳାରେ କହେ, କପଡା କ’ଣ ହବ,କପଡା ? ଲଙ୍ଗଳା କରିପାରିବ,କପଡା ପିନ୍ଧେଇବ କେମିତି ?ମରଦ ତୁ ?
ଚାରିଆଡକୁ ଚାହିଁ ଦ୍ରୌପଦୀ ରକ୍ତମଖା ଥୁଥୁ ପକାଇବା ପାଇଁ ସେନାନାୟକର ସାଦା ବୁଶ୍ ସାର୍ଟଟିକୁ ବାଛି ନିଏ ଏବଂ ସେଇଠି ଲଣ୍ଡାଏ ଛେପ ପକାଇ କହେ , କେହି ପୁରୂଷ ନାହିଁ ଏଇଠି ଯିଏ ଲାଜ କରିବ। କପଡା ମୋକେ ପରାତେ ଦେବୁ ନାଇଁ। ଆଉ କିସ କରିବୁ ? ନେଃ କାଉଣ୍ଟର କର୍ ,ନେଃ କାଉଣ୍ଟର କର୍ କାଉଣ୍ଟର କର୍…
ଦ୍ରୌପଦୀ ଦୁଇ ମର୍ଦ୍ଦିତ ସ୍ତନରେ ସେନାନାୟକକୁ ଠେଲି ଚାଲୁଥାଏ ଏବଂ ଏଇ ପ୍ରଥମ ସେନାନାୟକ ନିରସ୍ତ୍ର ଟାର୍ଗେଟ୍ ର ସାମ୍ନାରେ ଛିଡାହୋଇ ରହିବାକୁ ଭୟ ପାଏ ,ଭୀଷଣ ଭୟ।
°°°°°
ପ୍ରଖ୍ୟାତ ବଙ୍ଗଭାଷୀ ଲେଖିକା ତଥା ସମାଜକର୍ମୀ ମହାଶ୍ୱେତା ଦେବୀ ଙ୍କର ଏଇ ଚର୍ଚ୍ଚିତ କାହାଣୀ “ଦ୍ରୌପଦୀ” ୧୯୭୮ ମସିହାରେ ତାଙ୍କର “ଅଗ୍ନିଗର୍ଭା” ନାମକ ଏକ ସଂକଳନ ରେ ସର୍ବ ପ୍ରଥମେ ପ୍ରକାଶିତ ହୋଇଥିଲା।
ମହାଶ୍ୱେତା ଦେବୀଙ୍କ ଜନ୍ମ ୧୯୨୬ ମସିହା ଢାକା , ସଂପ୍ରତି ବାଙ୍ଗଲାଦେଶ ଆଉ ତାଙ୍କର ଦେହାବସାନ ୨୦୧୬ ମସିହା କଲିକତାରେ ହୋଇଥିଲା ।
ଆମେମାନେ ସମସ୍ତେ ମହାଭାରତର ଦ୍ରୌପଦୀ ତଥା ତାଙ୍କର ଚିରହରଣ କାହାଣୀ ସହିତ ପରିଚିତ। ଶତ୍ରୁପକ୍ଷର ମୂଖ୍ୟ ଦ୍ରୌପଦୀଙ୍କୁ ରାଜସଭା କୁ ଆଣି ସମସ୍ତଙ୍କ ସମକ୍ଷରେ ବିବସନା କରିବାର ଉଦ୍ୟମ କରେ। ଦ୍ରୌପଦୀ ନୀରବରେ ଅବତାରପୁରୁଷ କୃଷ୍ଣ ଙ୍କୁ ସ୍ମରଣ କରନ୍ତି ଏବଂ ପ୍ରଚଳିତ ଧାରଣାର ଧର୍ମଟି ଶ୍ରୀକୃଷ୍ଣଙ୍କ ଶାଢୀ ପ୍ରଦାନ କର୍ମରେ ପ୍ରତିଷ୍ଠିତ ହୁଏ। ଶ୍ରୀକୃଷ୍ଣଙ୍କର ଏଇ ପ୍ରକାର ଅଲୌକିକତାରେ ଯେଉଁ ସମକାଳର ବିଶ୍ୱାସ ଟି ପ୍ରତିଷ୍ଠିତ ହୁଏ ତାହା ହେଉଛି,ସମସ୍ତ ଦ୍ରୌପଦୀଗଣ ଅନନ୍ତକାଳ ଯାଏଁ ଏହିଭଳି ବସ୍ତ୍ରାବୃତା ହୋଇ ରହିବା (ଲୌକିକ ଆଉ ଅଲୌକିକତା କଥା ଆଢୁଆଳରେ ଥାଉ )ଏକ ବିଧିସମ୍ମତ ସ୍ୱାଭାବିକ ପ୍ରସ୍ତାବନା ଏବଂ କେହି କେବେ କୌଣସି ଦ୍ରୌପଦୀର ( ଅଥବା କୌଣସି ନାରୀର) ଚିରହରଣ କରିପାରିବେ ନାହିଁ । ମହାଭାରତର ଦ୍ରୌପଦୀ କାହାଣୀ ଆମ ଭିତରେ ନାରୀକୁ ନେଇ ଏପରି ଏକ ଶରୀରୀ ସଂଭ୍ରମତା ତଥା ଶରୀରୀ–ଆଚ୍ଛାଦନ ର ବିଶ୍ୱାସକୁ ଚିରସ୍ଥାପିତ କରିଛି ।
ମହାଶ୍ୱେତା ଦେବୀ ଏଇ ମହାଭାରତ ର ଦ୍ରୌପଦୀ କାହାଣୀକୁ ପୁନର୍ଲେଖନ ତଥା ପୁନର୍ଭାଷିତ କରିଛନ୍ତି । ଏଇଠି ଯେଉଁ ଦୋପଦୀ ଉପସ୍ଥିତ ହୋଇଛି ତାହାକୁ ଏମିତି ଗୋଟିଏ ବଖାଣରେ ରଖାଯାଇଛି ଯେଉଁଠି ଆଇନ୍ ର ସଂରକ୍ଷକ ମାନେ ରାଜନୈତିକ ଦଣ୍ଡାଦେଶ ପ୍ରଦାନ କରିବା ନିମିତ୍ତ ତାହାକୁ ଉଲଗ୍ନ କରିଛନ୍ତି । କୌଣସି ନାରୀକୁ ଯେତେବେଳେ ବଳପୂର୍ବକ ସାର୍ବଜନୀନ କ୍ଷେତ୍ରରେ ବିବସନା କରାଯାଏ,ଚାରିକାନ୍ଥ ଭିତରେ ସେମିତି କରିବା ଏକ ପାଶବିକ ପୁରୁଷାଳୀ ହିଂସ୍ରତା ହେବ ଏବଂ ତାହା ଭିନ୍ନ କଥା, ସେତେବେଳେ ତାହା ଆମର ମାନସିକତା ରେ ଦୃଢ ଆସ୍ଥାନ ବାନ୍ଧି ରହିଥିବା ଦ୍ରୌପଦୀ କାରଣରୁ ଆମକୁ ଏକ ପ୍ରକାର “ମିଥିକାଲ୍ ଶକ୍” ଲାଗେ । ଲାଗେ ଆମର ପ୍ରତିଷ୍ଠିତ ମାନକ ଗୁଡିକ ଯେମିତି ଆମଠୁ ହଠାତ୍ ଛଡାଇ ନିଆ ଯାଉଛି।
ମହାଶ୍ୱେତାଙ୍କ କାହାଣୀରେ ଏଇଠି ଅଛି ଦୋପଦୀ,ଦ୍ରୌପଦୀ ନୁହଁ ଯିଏ ନିଜର ଶାରୀରୀକ ଆତ୍ମଅବମୂଲ୍ୟାୟନକୁ, ନିଜର ଉଲଗ୍ନତା ତଥା ନିଜ ଉପରେ ସାବ୍ୟସ୍ତ ହୋଇଥିବା ସମସ୍ତ ଶାରୀରୀକ ବର୍ବରତାକୁ ନିଜର ଏକ ସ୍ୱାଭାବିକ ପରିଣତି ବୋଲି ମାନସିକ ଭାବରେ ପ୍ରସ୍ତୁତ ହୋଇ ରହିଛି । କୌଣସି ଦୈବିକ କୃଷ୍ଣ ବା ଏଇ କାହାଣୀ କ୍ଷେତ୍ରରେ କୌଣସି ପୁରୁଷ କମ୍ରେଡ୍ ର ଅକସ୍ମାତ ଆବିର୍ଭାବ ର କାମନା ଦୋପଦୀ ନିକଟରେ ନାହିଁ ।କହିବାକୁ ଗଲେ ଦୋପଦୀ ଏକପ୍ରକାରେ ଦ୍ରୌପଦୀର ପୁରୁଷ–ଅଲୌକିତକତା–ଆଧିପତ୍ୟ ଭଳି ବିଶ୍ୱାସକୁ ସମାପ୍ତ କରିଦେଇଛି । ଦେହ ଆଉ ବର୍ବରତା ଭିତରେ ଯେଉଁ ନାରୀବାସ,ଏମିତି କହିଲେ ଶାଢୀ,ତାହାକୁ ସେ ସ୍ୱତଃ ଜଳାଞ୍ଜଳୀ ଦେଇଛି । ଦୋପଦୀ ଏଇଠି ଯାହାକୁ ଇଂରେଜୀରେ କହିଥାନ୍ତି “ବେୟାର୍ ଟୁ ଦି ବେସିକସ୍“, ମୂଳାନୂଗ ଉଲଗ୍ନତା, ସେଇଠି ସେ ନିଜର ସମସ୍ତ ଶରୀରୀପ୍ରଖରତାରେ ଅବିଚଳିତ ଆଉ ଦୃଢ ହୋଇ ରହିଛି । ସେ ଜୀବନର ସବୁଠାରୁ ଅଧିକ ଯନ୍ତ୍ରଣାକ୍ତ ପରିଣତି ସହିତ ଏକେଲା ଅବସ୍ଥାନ କରୁଛି । ପରିଣତିରୁ ପଳାୟନ କରି ପ୍ରତିଶୋଧ ସାଧିବା ଭଳି କୌଣସି ଦ୍ରୌପଦୀର କେଶବନ୍ଧନ ର ରୋମାଣ୍ଟିକ ଭବିତବ୍ୟ ଏଇଠି ଏଇ ଦୋପଦୀର ନାହିଁ । ନିଜର ପରିଣତିକୁ ଭେଟିବା ପୂର୍ବରୁ ସେ ନିଜର ସମସ୍ତ ଶକ୍ତି ଦେଇ କେବଳ ଗୋଟିଏ ହୁଳହୁଳି ଦେଇଛି ଯେଉଁ ହୁଳହୁଳି ଆଦିଗନ୍ତ ବ୍ୟାପୀ ସମସ୍ତଙ୍କୁ ସତର୍କ କରିଦେବାର ପ୍ରତିଧ୍ୱନୀ ଦେଉଛି।
ପରିଣତିରେ ଅବିଚଳ ଆଉ ସାମୁହିକତାରେ ପରିସ୍ଫୁଟିତ ଶରୀର ହିଁ ହେଉଛି ଦୋପଦୀର ସଫଳ ସ୍ୱର୍ଗଯାତ୍ରା ଆଉ ଆମ ଆଗରେ ପାହୁଣ୍ଡର ଛାପ,ତାହାର ବିଜୟ। ଅତି ସରଳ ରେ ନିଜର ଦେହକୁ ଏକ ସାମୁହିକ ଏକତ୍ୱ (ସଂଘବଦ୍ଧତା ସତ୍ତ୍ୱେ ବର୍ବରତା ସତ୍ତ୍ୱେ ) ରେ ପରିବର୍ତ୍ତନ କରିପାରିବା କିଛି କମ୍ ବିଶ୍ୱାସ ନୁହଁ।
ଦ୍ରୋପଦୀ ଆଉ ଦୋପଦୀକୁ ନେଇ ତୁଳନାତ୍ମକ ଭାବରେ ଅନେକ କଥା କୁହାଯାଇପାରିବ।ମାତ୍ର ଆପଣମାନଙ୍କ ସାମ୍ନାରେ ଏଇ କାହାଣୀର ଚରିତ୍ର ଅପାପବିଦ୍ଧ ସରଳତା ଆଉ ଦୃଢତା ଯେମିତି ଝଲମଲ କରୁଥାଉ ଆଉ ଏହାର ଦିଗଭ୍ରମ ଯେମିତି ନ ହେଉ ତାହାହିଁ ଉଦ୍ଦେଶ୍ୟ।
ମହାଶ୍ୱେତାଙ୍କ ଏଇ କାହାଣୀ “ଦ୍ରୌପଦୀ” କୁ ଇଂରେଜୀ ଅନୁବାଦ କରି ତାହାର ଏକ ଉପକ୍ରମ ଲେଖିଛନ୍ତି ପ୍ରଖ୍ୟାତ ସବାଲଟାର୍ନ ଚିନ୍ତକ ଏବଂ ଲେଖିକା ଗାୟତ୍ରୀ ଚକ୍ରବର୍ତ୍ତି ସ୍ପିଭାକ। ତାଙ୍କର ସାବଲୀଳ ଅନୁବାଦ ଆଉ ସଂଲଗ୍ନ ଉପକ୍ରମଣିକା ଫଳରେ ଏଇ କାହାଣୀଟି ବିଶ୍ୱର ଗଭୀର ମନୋଯୋଗ ତଥା ସମାଲୋଚକୀୟ ଦୃଷ୍ଟି ଅର୍ଜନ କରିପାରିଥିଲା।
ଉପକ୍ରମଣିକା (୧୯୮୧)ର ଆଦ୍ୟରେ ପ୍ରଫେସର୍ ଗାୟତ୍ରୀ ଚକ୍ରବର୍ତ୍ତି ସ୍ପିଭାକ ଏଇଭଳି ଲେଖିଛନ୍ତି :
” ମୁଁ ଏଇ ବଙ୍ଗଳା ଗଳ୍ପକୁ ଇଂରେଜୀରେ ଅନୁବାଦ କରିଥିଲି ବିଶେଷରେ ଯେତିକି ଏହାର ଖଳନାୟକ ଚରିତ୍ର ସେନାନାୟକ ପାଇଁ ଠିକ୍ ସେତିକି ଏହାର ମୂଖ୍ୟ ଚରିତ୍ର ଦ୍ରୌପଦୀ (ଦୋପଦୀ) ପାଇଁ। କାରଣ ଏଇ ଚରିତ୍ର ସେନାନାୟକ ଭିତରେ ମୁଁ ଦେଖିପାରିଛି ଆନୁମାନିକ ଭାବରେ ସବୁଠାରୁ ନିକଟତମ ଏକ ପ୍ରଥମ ବିଶ୍ୱର ବିଦ୍ୱାନ, ଯିଏ ତୃତୀୟ ବିଶ୍ୱର ସଂଧାନରେ ବାହାରି ଆସିଛି।“
ପ୍ରଥମ ବିଶ୍ୱ ବନାମ ତୃତୀୟ ବିଶ୍ୱ ଏଇ କାହାଣୀକୁ ଏକ ଭିନ୍ନ ଦିଗନ୍ତକୁ ନେଇଯିବ।
ସେନାନାୟକ ଯିଏ ପ୍ରତିପକ୍ଷ କୁ ଧ୍ୱଂସ କରିବାକୁ ପ୍ରସ୍ତୁତ ଥାଏ ଆଉ ଏପରି ଧ୍ୱଂସରେ ତାହାର ମନ ଭାରି ଖରାପ ହୋଇଯାଏ । ମହାଶ୍ୱେତା ଦେବୀ ତାହାରି ମୁହଁରେ କହିଛନ୍ତି : ଇଫ୍ ୟୁ ୱାଣ୍ଟ ଟୁ ଡେଷ୍ଟ୍ରୟ ଦି ଏନେମି,ବିକମ୍ ୱାନ୍।
ଆମେ ଆମର ଜୀବନରେ ଏହାର ଅନୁବାଦ କରି କେତେ “ବିକମ୍ ୱାନ୍” ହେଉଛୁ ଅବା ଅଗନା ଅଗନି ବନସ୍ତରେ ଶେଷ ଜୀବନାନ୍ତକ ହୁଳହୁଳିଟିଏ ଦେଇପାରୁଛୁ ,ତାହା ଆମର ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ସୃଜନଶିଳ ବିଚାର ।