ରବୀନ୍ଦ୍ରନାଥଙ୍କ ଛବିତା

ରବିକଥା : ୧୦

ରବୀନ୍ଦ୍ରନାଥ ଏକାସାଙ୍ଗରେ କବିତା ଲେଖୁଥିଲେ ଓ ଛବି ଆଙ୍କୁଥିଲେ ତାର ପ୍ରମାଣ ତାଙ୍କର ଅନେକ କବିତା ଓ ଗୀତର ପାଣ୍ଡୁଲିପିରେ ଦେଖିବାକୁ ମିଳେ। ସେସବୁ କବିତା ଓ ଛବିର ଅପୂର୍ବ ସମନ୍ବୟକୁ ଛବିତା କୁହାଯାଏ।

ଜଣେ ଫରାସୀ ସମାଲୋଚକ ଥରେ କହିଥିଲେ, ରବୀନ୍ଦ୍ରନାଥ ଯେତେବେଳେ କବିତା ଲେଖନ୍ତି ସେତେବେଳେ ଚିତ୍ର ବି ଆଙ୍କନ୍ତି। ଆଉ ଯେତେବେଳେ ଚିତ୍ର ଆଙ୍କନ୍ତି, ସେତେବେଳେ ଲେଖନ୍ତି କାବ୍ୟ। ରାଣୀ ଚନ୍ଦଙ୍କର “ଆଳାପଚାରୀ ରବୀନ୍ଦ୍ରନାଥ” ପୁସ୍ତକ ଅନୁସାରେ- “ରବୀନ୍ଦ୍ରନାଥ କହିଛନ୍ତି, ମୋର ଚିତ୍ରକୁ ନନ୍ଦଲାଲ୍ ବସୁ ଏତେ ଭଲ କାହିଁକି କହୁଛନ୍ତି, ମୁଁ ଜାଣିନି। ସେଗୁଡିକ ମୋର ଗୋଟିଏ ଦର୍ଶନ ମାତ୍ର। ଦିନେ ଦେଖିଲି, ଶାନ୍ତି ନିକେତନରେ ଥିବା ବଡ଼ ବଡ଼ ଗଛଗୁଡ଼ିକର ଡାଳ ଗୁଡ଼ିକ ବିଭିନ୍ନ ପ୍ରକାର ପଶୁ ମୂର୍ତ୍ତି ଭଳି ଦେଖାଯାଉଛି। ଚିତ୍ରରେ ସେଇ ଦର୍ଶନଟିକୁ ରୂପାୟିତ କରିବାକୁ ଚେଷ୍ଟା କରିଛି।”

ରବୀନ୍ଦ୍ରନାଥ କବିତା ଲେଖିଲାବେଳେ ଶବ୍ଦ ଓ ପଦଗୁଡିକୁ ସଜେଇବା ପାଇଁ ବହୁ କଟାକଟି କରି ସେଇ ଜାଗାରେ ଚିତ୍ର ଭଳି କିଛି ଆଙ୍କି ଦେଉଥିଲେ। ଇଂରାଜୀରେ ଏହାକୁ “ଡୁଡୁଲିଙ୍ଗ୍” ବୋଲି କୁହାଯାଏ। ରବୀନ୍ଦ୍ରନାଥଙ୍କ କବିତାରେ ଡୁଡୁଲିଙ୍ଗର ଦୁଇ ତିନୋଟି ସହଜ ଦୃଷ୍ଟାନ୍ତ ଦେଖନ୍ତୁ।

ଗୀତବିତାନ୍ ବୈଶାଖ ୧୩୮୯ ବଙ୍ଗାବ୍ଦର ମୁଦ୍ରଣ। କବିରବିଙ୍କ ସେଇ ଗୀତସାଗରରେ ଦୁଇଟି ଚିତ୍ରଣର ଭେଳା ଭାସୁଥିବାର ଦେଖିବାକୁ ମିଳେ। ପ୍ରଥମଟି “ବିବିଧ ବନ୍ଧନ କାଟବେ ତୁମି, ଏମନ୍ ଶକ୍ତିମାନ୍” ଗୀତଟିର ପାଣ୍ଡୁଲିପି ଦେଖିଲେ ମନେହୁଏ, କବି କିଛି କହିବାକୁ ଯାଇ ପୁଣି କିଛି ଶବ୍ଦର ଅଦଳ ବଦଳ କରିଛନ୍ତି। ତେବେ ସେ କେବଳ ଶବ୍ଦ କଟାକଟି କରିନାହାନ୍ତି, କଟାଶବ୍ଦଗୁଡିକୁ କାଳି ଦେଇ କଳା କରିଛନ୍ତି, ଗୋଲ୍ ଗୋଲ୍ କରି ଗୁଡେ଼ଇ ପତ୍ର, ଫୁଲ ଓ କଢିର ଆକାର ଦେଇଛନ୍ତି। ଶେଷରେ ତାକୁ ଯୋଡ଼ିଯାଡି ଦେଇ ଗୋଟିଏ ଲତାରେ ପରିଣତ କରିଛନ୍ତି। ମଜାର କଥା ହେଲା, ଗୀତଟିର ଭାବ ସହିତ ଚିତ୍ରଟିର କିନ୍ତୁ କୌଣସି ସମ୍ପର୍କ ନାହିଁ। ନିଚ୍ଛକ ଅଳଙ୍କରଣ।

“ହେ ମାଧବୀ, ଦ୍ବିଧା କେନ” ଗୀତଟି ସହିତ ପାଣ୍ଡୁଲିପିର ଯେଉଁ ଚିତ୍ର ରହିଛି ତାହା ସମ୍ପୂର୍ଣ୍ଣ ଅଲଗା। କବି ସାଦା ପୃଷ୍ଠାରେ କେବଳ କେବଳ ଗୀତର ଅକ୍ଷର ଗୁଡ଼ିକୁ ବାଦ୍ ଦେଇ ବାକି ପୃଷ୍ଠାଗୁଡ଼ିକ କଳା କରି ଦେଇଛନ୍ତି। ଡାହାଣ ପାର୍ଶ୍ଵରେ ଗୋଟିଏ ଦୀର୍ଘ ନାରୀମୂର୍ତ୍ତି। ସତେ ଯେମିତି ଗୋଟିଏ ଅଶରୀରି ଭାବ।

ରବୀନ୍ଦ୍ରନାଥଙ୍କ ଏଇ ଲିପିଚିତ୍ରଗୁଡିକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି କୌଣସି ଦେଶର କୌଣସି ଭାଷାର ପାଣ୍ଡୁଲିପିରେ ଦେଖିବାକୁ ବିରଳ। କୌଣସି ସାହିତ୍ୟିକ ବା ଚିତ୍ରକର ଏଭଳି ଭାବନାଠୁ ଦୂରରେ। ଲକ୍ଷ୍ୟକଲେ ମନେହୁଏ, ରବୀନ୍ଦ୍ରନାଥ ସତେ ଯେମିତି ଏକାଥରେ ଦୁଇଟି କାମ କରୁଛନ୍ତି। ଗୋଟିଏ ପଟେ ସେ କବିତା ଲେଖୁଛନ୍ତି ଅକ୍ଷରରେ ଓ ସେଇ ପାଖାପାଖି ରହି ଚିତ୍ର ଆଙ୍କୁଛନ୍ତି। ତେବେ କବିତାଟି ପରବର୍ତ୍ତୀ ସମୟରେ ମୁଦ୍ରିତ ହୋଇ ପାଠକମାନଙ୍କ ପାଖରେ ପହଞ୍ଚିବ, ଅଥଚ ଚିତ୍ରଟିକୁ କେହି ଦେଖିପାରିବେ ନାହିଁ।ସେଇଟା କେବଳ କବି ନିଜେ ଦେଖିବେ କିମ୍ବା ତାଙ୍କର ଆଖପାଖର ଦି’ଚାରିଜଣ ଲୋକ ଦେଖିବେ। ଗୋଟିଏ ପଟେ ପାଠକମାନଙ୍କ କଥା ଭାବି ଯେମିତି କାବ୍ୟରଚନାର ଶିଳ୍ପକର୍ମ କରୁଛନ୍ତି, ଠିକ୍ ସେଇ ସମୟରେ ସମ୍ପୂର୍ଣ୍ଣ ନିଜକଥା ଭାବି, ଗୋଟିଏ ଏକାନ୍ତ ବ୍ୟକ୍ତିଗତ ଶିଳ୍ପଚେତନାକୁ ସନ୍ତୁଷ୍ଟ କରିବା ପାଇଁ ଛବି ଆଙ୍କୁଛନ୍ତି। ଏକା ସାଙ୍ଗରେ ଏଇ ଶିଳ୍ପଦୁଇଟିର କାର୍ଯ୍ୟ ଗୋଟିଏ ପୃଷ୍ଠାରେ, ଗୋଟିଏ କଲମମୂନରୁ ବାହାରିଛି। ଏଇଟା ହିଁ ଆଶ୍ଚର୍ଯ୍ୟ, ଅଦ୍ୱିତୀୟ ଓ ୟୁନିକ୍।

ରବୀନ୍ଦ୍ରନାଥଙ୍କ ପାଣ୍ଡୁଲିପି ଗୁଡିକୁ ଦେଖିଲେ ମନେହୁଏ, ଏଗୁଡ଼ିକ ରବୀନ୍ଦ୍ରନାଥଙ୍କ କବିତା ଓ ଚିତ୍ରର ମଧ୍ୟବର୍ତ୍ତୀ ଗୋଟିଏ ଛାୟାମୟ ବ୍ୟକ୍ତିତ୍ଵକୁ ପ୍ରକାଶ କରେ। କବିତା ଲେଖିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ କବିତାରେ କଟାକଟି କରୁଥିଲେ, ସେଥିରେ ଛବି ଆଙ୍କୁଥିଲେ। କିନ୍ତୁ ନୋବେଲ ପୁରସ୍କାର ପାଇବା ପରେ ତାହା ଆଉ ଦେଖାଗଲା ନାହିଁ। ବୋଧହୁଏ, କବି ଭାବରେ ପ୍ରତିଷ୍ଠିତ ହେବା ପରେ ଏମିତି ଡୁଡୁଲିଙ୍ଗ୍ କରିବାକୁ ସେ ଆଉ ପସନ୍ଦ କରିନଥିଲେ। କାରଣ, ତାଙ୍କର କବିତାକୁ ନେଇ ପାଠକୀୟ ପ୍ରତ୍ୟାଶା ବେଶୀ ରହିଥିଲା। ଯଦିଓ ସେତେବେଳକୁ ସେ ଚିତ୍ର ଆଙ୍କିବାରେ ବି ପାରଦର୍ଶିତା ଲାଭ କରିଥିଲେ। ପ୍ରାରମ୍ଭିକ ସମୟର କଳ୍ପନାର ଧାରା କ୍ରମଶଃ ଚିତ୍ର ମାଧ୍ୟମରେ ସ୍ପଷ୍ଟ ରୂପ ଲାଭ କରିଥିଲା।ଅର୍ଥାତ୍ ଗୋଟିଏ ସର୍ଜନଶୀଳ କଳା ଦୁଇଭାଗ ହୋଇ କବିତା ଓ ଚିତ୍ର- ଦ୍ବୈତ କଳାରେ ରୂପାନ୍ତରିତ ହୋଇ ପୂର୍ଣ୍ଣତା ଲାଭ କରିଛି।

ସତରେ ରବୀନ୍ଦ୍ରନାଥଙ୍କ କବିତା ଓ ଛବିର ଅପୂର୍ବ ସଙ୍ଗମରେ ସୃଷ୍ଟି ହୋଇଥିବା ଛବିତା ବା “ଡୁଡୁଲ” ବିଶ୍ଵ କଳାଜଗତରେ ଏକ ମଧୁର ବିସ୍ମୟ, ଯାହା ଆଧୁନିକ ଚିତ୍ରକଳା ଜଗତକୁ କରିଥିଲା ଗଭୀର ଭାବେ ପ୍ରଭାବିତ।

(କୌଣସି ଓଡ଼ିଆ ଲେଖକଙ୍କ ପାଣ୍ଡୁଲିପିରେ ଏମିତି ଡୁଡୁଲ ଥିଲେ ଜଣାଇବାକୁ ଅନୁରୋଧ।)

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →