ପାହାନ୍ତା ପହରୁ ଡାଳିବୁଡାଠାରୁ ଆରମ୍ଭ କରି ସଞ୍ଜ ଯାଏ ପର୍ବ ଆୟୋଜନରେ ଲାଗି ପଡି ଥିଲେ ପୁନି ଓ ମାଳ। କାମକୁ ପୁନି ସତରେ ଗୋଟିଏ ଲୋଟଣି ପାରା। ସଞ୍ଜ ବୁଡୁ ବୁଡୁ ନଣନ୍ଦ ଭାଉଜ ଦୁହେଁ ଛାତ ଉପରେ ବସି ମୁହଁକୁ ମୁହଁ ଯୋଡ଼ି ଗପରେ ମାତିଛନ୍ତି। କାଲି ଛାଡି ପଅରଦିନ ଗୋଠ ମେଲଣକୁ ଯିବ ବୋଲି ମାଳ ଆଜିଠାରୁ ସଜବାଜ ହେଲାଣି। ଗହଣା ଗାଣ୍ଠି ବାହାର କରି ଖଟା ଦେଇ ମାଜି ରଖିଛି। ଲୁଗା ପଟା ବାକ୍ସରୁ କାଢ଼ି ଖରା ଦେଇଛି। ସବୁ ଭିତରେ ବୋଧେ ସେ ମନେ ମନେ ସୁରକୁ ଅପେକ୍ଷା କରିଛି। ଦୋଳ ପୁନେଇ ତାଙ୍କ ଜାତିରେ ବଡ଼ ପର୍ବ। ତେଣୁ ମାଳ ପାଇଁ ସେଇଟା ଗୋଟିଏ ଠାକ। ବର୍ଷସାରା ଏଇ ଦିନଟିକୁ ସେ ମନେ ମନେ ଚାହିଁ ରହିଥାଏ। ସୁର କିନ୍ତୁ ଏ ବର୍ଷ ଆଉ ଆସିଲା ଭଳି ଲାଗୁନି। ଆସିଲେ ଆସିବ ଯାଇ ରଜ ବେଳକୁ।
ମାଳ କୁହେ – ଲୋକଟା ପଇସା ପ୍ୟାରା ମ ଦେଈ। ପଇସା ପଛରେ ଜୋକ ପରି ଲାଗିଥିବ। ହେଲେ ପଇସା କ’ଣ ଚୋରଖଣ୍ଟ କମୋଉ ନାହାନ୍ତି କି! ସେ ପଇସା କୋଉଥିକି ମ?
ବାହାଘର ପାଞ୍ଚ ସାତବର୍ଷ ପରେ ବି ମାଳର ପିଲାପିଲି ହୋଇ ନାହାନ୍ତି। କେତେଥର ସେ ଡାକ୍ତର ଦେଖାଇବାକୁ କହିଲାଣି। ହେଲେ ସୁର ତା’ କଥା ଏ କାନରେ ପୂରେଇ ସେ କାନରେ ବାହାର କରିଦିଏ। ସୁର ସେମିତି ନ ହୋଇଥିଲେ କ’ଣ ଟାଉନରେ ଜାଗା କିଣି ଘର କରି ପାରି ଥାନ୍ତା! ଆସନ୍ତା ବର୍ଷକୁ ଦୋ ମହଲା ତିଆରି କରିବାକୁ ବାହାରିଛି। ଗାଁରେ ବି ତିନି ଚାରି ମାଣ ଜମି କିଣିଲାଣି। ହେଲେ ସାହି ଭାଇ ଦେଖି ସହି ପାରନ୍ତିନି। କଥା କଥାକେ ଉଘାନ୍ତି – ବାଞ୍ଝ। ମାଳ ତିନି ଚାରି ବର୍ଷ ହେଲାଣି ଆସି ଏଠି।
କେଉଁ କଥାରେ ପୁନି କହୁଛି – ଟିକେ ଆସ୍ତେ କୁହ ମ ନୂଆଉ। ସେଠିପରା ଦେଈ ଶୋଇଛନ୍ତି।
ତାକୁ ଦାବି ଦେଲାଭଳି ସ୍ବରରେ ମାଳ କହିଲା – “ଦେଈ ଜାଣିଛନ୍ତି ମ। ତୁମେ ଶୁଣ। ହେଇତିନି, ଫଡି ବୁଲେଇବ ଯେ ଆଖି ଖୋଷି ହୋଇଯିବ। ଏକା ଏକା ପାଞ୍ଚଟା ଭେଣ୍ଡିଆକୁ ଅଟକେଇ ଦେବ। ଯାଉଁଳିକବାଟ ପରି ହେ’ – ଛାତି।”
ଟିକେ ରହି ହିଃ ହିଃ ହସି ପୁଣି କହିଲା – “ଖାଲି ରୁମ ସାଲୁବାଲୁ।” ମାଳର ଆଜି ବାପଘର ଗାଁ କଥା ମନେ ପଡିଛି।
ବାହାଘର ଆଗରୁ ଗାଁରେ କେଉଁ ଟୋକାକୁ ସେ ଭଲ ପାଉଥିଲା। ପୁନି ଆଗରେ ସେ କଥା ଗପଗଲାବେଳକୁ ତା’ ପାଟିରେ ବାଟୁଳି ବାଜୁନି।
– ଚୋରୀ ପୀରତିରେ ଯେଉଁ ଛଇ ଛଟକ, ବାହା ହେଲେ ଆଉ କ’ଣ ଥାଏ? ଦେଖୁନା, କହିଲାବେଳକୁ ମୋ ରୁମ ସବୁ କେମିତି ଠିଆ ହୋଇ ଯାଉଛନ୍ତି।
-ଲାଜ ସରମସବୁ ପୋଡି ଖାଇଲଣି ନୂଆଉ। ସୁର ଭାଇ ଜାଣିଲେ କ’ଣ କହିବେ?
-ମଲା, ସିଏ କାହିଁକି ଶୁଣିବେ ମ। ତମକୁ କହୁଛି ନା। ତେହିଁକି ସିଏ ଏମିତି କୋଉ ସତିଆ ପୁରୁଷ କି? ସୁରଟରେ କ’ଣ ନାଇ କ’ଣ କରୁଛନ୍ତି – ମୁଁ କ’ଣ ଯାଇ ଦେଖୁଛି? ପୁରୁଷ ପ୍ରକୃତି ଜାଣିନା?
-ଏମିତି କନ୍ଦର୍ପ ପୁରୁଷ ଯଦି ବାହା ହୋଇ ପଡିଲନି? ଆମ ଭାଇ ବେକରେ ଛନ୍ଦି ହେବାକୁ କିଏ କହୁଥିଲା?
-ମଲା, ବାହାଘର କ’ଣ ମୋ ହାତର କଥା ହୋଇଛି? ଘରେ ବାପା ଭାଇ କେହି ରାଜି ହେଲେନି। ସେତେବେଳେ କାମ ଧନ୍ଦା ନ କରି ନିକମାଙ୍କ ପରି ବୁଲୁଥିଲା।
-ଭଲ ପାଉଥିଲ କେମିତି?
-ତମେ ଯୋଉ କଥା ପଚାର! ଭଲ ପାଇବା ବି କ’ଣ ମୋ ହାତର କଥା? କେମିତି କ’ଣ ଭଲ ପାଉଥିଲି – ସେ କଥା ମୁଁ କି ଜାଣେ?
-ତୁମ ବାହାଘର କଥା ଶୁଣି ସେ କିଛି କହିଲାନି?
ପୁନି ପ୍ରଶ୍ନରେ ମାଳ ହସିହସି ଗଡିଗଲା। ତାକୁ କୁଣ୍ଢେଇ ପକେଇ ଓଲଟି ପଚାରିଲା, – କହିଲାନି? କହିଲା, ‘ହେଇତିନି ମାଳ, ତୋ ଦେହ ଛୁଇଁ କହୁଛି, ତୁ ଆଉ କେଉଁଠି ବାହାହେଲେ ମୁଁ ବେକରେ ରସି ଲଗେଇ ଦେବି।”
-ସେଇଠୁ?
-ମୁଁ ତ ଡରି ଗଲି। ଭାବିଲି – ସତକୁ ସତ ସେ ଯଦି କ’ଣ କରେ, ମୋ ବାପା ଭାଇଙ୍କ ମୁହଁରେ ତ ଚୂନ କାଳି ଲାଗିଯିବ।
-ବାହାଘରରେ କିଛି ଖଳ ପୁରେଇଲା କି?
-ତୁଚ୍ଛା କଥା। ସିଏ କାହିଁକି କ’ଣ କରିବ! ମୋ ବାହାଘର ପନ୍ଦର ଦିନ ଆଗରୁ ଦୋଳ ମୁକୁଟ ନାଇ ବେଦୀରେ ବସି ପଡିଲା। ମୁଁ ତା’ ସ୍ତ୍ରୀକୁ ଦେଖିବାକୁ ଯାଇଥିଲି।
-କେମିତିକା?
– ‘ଓଉ ଫାଳ ଭଳି ଫୁଲୁକା ଫୁଲୁକା ଗାଲ। ଢିମା ଢିମା ଆଖି ଦି’ଟା। କିଏ ଯେମିତି ବେଙ୍ଗ ଆଖି ଭଳିଆ ଉପରେ ଉପରେ ରୋଇ ଦେଇଛି।’ ଟିକିଏ ରହି ମାଳ ପୁଣି କହିଲା – ‘ତାଙ୍କର ସିନା ପୁଳାଏ ଜାନି ଯୌତୁକ ପାଇ ସେଠି ବସିଲେ, ହେଲେ ତା ଭଳିଆ ପୁରୁଷକୁ ସେ ସ୍ତ୍ରୀ କ’ଣ ମାନିଲା?’
ପୁନି ଥଟ୍ଟା କଲା- ‘ତମେ ହୋଇଥିଲେ ସିନା କନ୍ଦର୍ପ ସାଙ୍ଗକୁ ରତି ଭଳିଆ ମାନିଥାନ୍ତା।’
-ଥଟ୍ଟା କ’ଣ କରୁଛ ମ ପୁନି? ସତରେ କନ୍ଦର୍ପଠୁ ବଳି ଚେହେରା। ତା’ ପ୍ରଜାପତିଆ ନିଶ ହଳକୁ ଦେଖିଲେ ତ ତମ ଛାତି ଫାଟିଯିବ ଆଉ।
-‘କ’ଣ ରାତିରେ ସପନ ଦେଖୁଛ କି?’ ଟିକେ ରହି ପଚାରିଲା ପୁନି।
-‘ବେଳେବେଳେ,’ କହିଦେଇ ମାଳ ପୁଣି ପୁନିକୁ କୁଣ୍ଢେଇ ହସି ହସି ଗଡି ଗଲା।
-ତୁମ ମୁହଁରୁ ପାଣି ଛାଡିଗଲାଣି ନୂଆଉ। କେମିତି କହୁଛ କେଜାଣି?
-‘କାହିଁ କ’ଣ ହେଲା କି?’ ପଚାରିଲା ମାଳ।
-ଅବାଡୁଅ ବେଳ କଥା ନିଆରା। ବା’ ସାହା ହୋଇ ପର ପୁରୁଷକୁ ଝୁରି ହୋଇ ସପନ ଦେଖୁଛ!
-ମୁଁ କ’ଣ ଜାଣିଶୁଣି ସପନ ଦେଖୁଛି ନା ସପନଟା ମୋ ହାତର ଫଳ ହୋଇଛି – ଫଳେଇ ରାତିକି ଝୁଲେଇ ଦେଉଛି?
କଥାଟାକୁ ନାପସନ୍ଦ କରି ପୁନି ଟିକେ ତୀକ୍ଷ୍ଣ କଣ୍ଠରେ କହିଲା – “ଯେତେ ହେଲେ ଏଗୁଡା ପାପ।”
କ’ଣ ଭାବି ମାଳ କହିଲା, “ହୋଇ ଥିଲେ ହୋଇଥିବ। ସେଥିକୁ ଏବେ ବଳ କାହାର?”
ପୁନି ଯୁକ୍ତି କଲା – “ଖାଲି ବଳ ନାହିଁ ବୋଲି କହିଦେଲେ ହୋଇଯିବ? ପଛକଥା ସବୁ କିଏ ମନରୁ ପୋଛି ଦିଏ ନା’ ତମ ଭଳିଆ ବିରି ଫେଣେଇଲା ପରି ଫେଣେଇ କହି ବୁଲେ? ବୁଝିଲ ନୂଆଉ, ମନ ହେଲା ବାଇଚଢେଇ। କୁଆଡ଼େ ନାହିଁ କୁଆଡ଼େ ଉଡି ବୁଲିବ। ତାକୁ ଧରି ବାନ୍ଧି ନରଖିଲେ ସ°ସାର ଚଳିବ?”
– ମନ କ’ଣ ଗୋଠ ମଇଁଷି ହୋଇଛି କି, କିଏ ତାକୁ ଧରି ବାନ୍ଧି ଖୁଣ୍ଟରେ ଖଟେଇ ପକେଇବ? ତାକୁ ଯେତେ ବାନ୍ଧବ, ସିଏ ପଘା ଛିଣ୍ଡେଇ ସେତେ ଧାଇଁବ।
କନି ଭାବିଲା – ମାଳ ମିଛ କହୁନି ତ!
ତାକୁ ଆଶ୍ଚର୍ଯ୍ୟ ଲାଗିଲା – ଜୀବନର କେତେ ବଡ଼ ନିର୍ମମ ଉପଲବ୍ଧି ଏ ମାଳର! ଖରଖରୀ, ହସକୁରୀ ମାଳକୁ ପଦାରୁ ଦେଖି କିଏ କହିବ – ମନ ଗହୀରର ଏତେ ରହସ୍ୟ ତାକୁ ଜଣାଅଛି! ସୁରର ବାଟ ଚାହିଁ ଜାଗର ଜାଳୁଥିବା ମାଳକୁ ଦେଖି କିଏ ଅନୁମାନ କରିବ ଭିତରେ ଭିତରେ ସେ ଆଉ କାହାକୁ ଝୁରି ହୁଏ ବୋଲି।
ପୁନିର କେଉଁ କଥାକୁ କାଟି ମାଳ କହୁଥିଲା – “ତୁଚ୍ଛା ମିଛ କଥା ମ ପୁନି। ତୁମେ ସେଥିରୁ କ’ଣ ପାଇବ? ସେଗୁଡା ଖାଲି ନିଜ ସାଙ୍ଗରେ ଲୁଚୁକାଳି ଖେଳିବା କଥା।”
ମାଳ ତା’ ହେଲେ ଲୁଚୁକାଳି ଖେଳୁଛି? କିନ୍ତୁ କାହା ସାଙ୍ଗରେ? ସୁର ସାଙ୍ଗରେ ନା ନିଜ ସାଙ୍ଗରେ? ଚାତକ ପରି ବିଦେଶୀ ସ୍ବାମୀର ବାହୁଡାବାଟକୁ ଚାହିଁ ବସିବା କି ଆଠଅଣି ଭଳିଆ ସିନ୍ଦୂର ଟୋପା ଆଉ ବାହିଏ ବାହିଏ କାଚ ପିନ୍ଧି ସାବିତ୍ରୀ ବ୍ରତ ପାଳିବା କ’ଣ ସେହି ଲୁଚକାଳି ଖେଳର ଗୋଟିଏ ଗୋଟିଏ ପାହି?
(ଗୋଠ ମେଲଣରୁ ଫେରି ଦେହ ହାତ ଦରଜରେ……. ଆର ଥରକୁ)