ଦାହ (ଆଠ)

ବିନ ଗଲାପରେ ପୁଣି ସେଇ ଅବସାଦ!
ପୁଣି ସେଇ ଅକଳନ୍ତି ଶୂନ୍ୟତା!
ଅତନୁ ଆଜିଯାଏ ଫେରିନି।

ସମୟ କାଟିବାକୁ କନି ବେଶୀ ବେଶୀ ଅଫିସ କାମ କରେ। ଅଫିସରୁ ଡେରିରେ ଫେରେ। ହେଲେ ସନ୍ଧ୍ୟାବେଳଟା ତା’ ଉପରେ ବୋଝ ଭଳି ନଦି ହୋଇପଡେ। ରୋଷେଇ ବାସ ସାରି ମାଳ କାହ୍ନୁଆ ଗୋଠକୁ ପଳେଇ ଯାଏ।

ବେଳେବେଳେ କନି ମନରେ କୌତୁହଳ ହୁଏ- କାହ୍ନୁଆ ଗୋଠରେ ମାଳ ଏତେ ସମୟ କ’ଣ କରୁଛି, ଥରେ ଯାଇ ଦେଖି ଆସନ୍ତା। ଅନ୍ୟ ବେଳେ ସିନା କୁହେ, “ଗାଁ ଆଡୁ ଟିକେ ବୁଲି ଆସିବାକୁ ମନ ହେଉଛି। ହେଲେ ତମକୁ ଦେଈ ଏକୁଟିଆ ଛାଡି ଯିବି କେମିତି?”

ଏଥର ବିନ ପୂରା ଗୋଟିଏ ସପ୍ତାହ ଏଠି ରହି ଫେରିଗଲା। ହେଲେ ତା ଭିତରେ ଥରେ ବି ଗାଁକୁ ଯିବାର ନାଁ ଧରିଲାନି ମାଳ।

ମାଳ ଥରେ ବିନକୁ ପଚାରିଥିଲା- ବାହା ହେବାକୁ ମନା କାହିଁକି କରୁଛ? ସେ କୋଇଲି ପୁରିଆଣି ପାଇଁ ଜୀବନସାରା ବାଡୁଅ ରହିବ ନା କ’ଣ?

ପଦକରେ ଜବାବ ଦେଇ ଥିଲା ବିନ- ମୁଁ ତ ସଫା ସଫା କହିଦେଇଛି- ଆଉ ଦିନେ ଯଦି ମୋ ବାହାଘର କଥା ମୁହଁରେ ଧରିଛ, ମୁଁ ଘରେ ନିଆଁ ଲଗେଇ ଦେବି।

କିନ୍ତୁ ଏତେ ବର୍ଷ ପରେ ତାକୁ ଖୋଜି ଖୋଜି ସେ ଏଠାକୁ କାହିଁକି ଆସିଥିଲା? ସେ ପ୍ରଶ୍ନର ଉତ୍ତର କନି କେବେ ଆଗରୁ ଖୋଜି ନ ଥିଲା।

ତା’ ବାହାଘର ପରେ ଆଠ ଦିନେ, ପନ୍ଦର ଦିନେ ପିଉସୀ ଘରେ ପହଞ୍ଚିଯାଏ ବିନ। ତାକୁ ଦେଖିଲେ କନିର ମନ ଆନନ୍ଦରେ ଉଲ୍ଲୁସି ଉଠେ। ଜୋର କରି ବିନ ତା’ ହାତରେ ନେଲ୍ ପଲିସ୍ ଲଗାଇ ଦିଏ। ପାଦରେ ଅଳତା ପିନ୍ଧେଇ ଦିଏ।

ମୁହଁ ନେଫେଡି ଅନି ବୋଉ ଖୁଡୀ ଶାଶୁଙ୍କୁ କୁହନ୍ତି- ଆଉ ମୁଣ୍ଡ ବନ୍ଧାଟା କାହିଁକି ବାକି ରଖୁଛ ମ? ବିନଟା ଆମର ଝୁଅ ପିଲା ହୋଇଥିଲେ ଭଲ ହୋଇ ଥାନ୍ତା ଅପା।

କନି ତରତରରେ ପାଦ ଦୁଇଟାକୁ ଟାଣି ନେଇ ଶାଢୀ ଘୋଡାଇ ପକାଏ। ସେ ଅଭ୍ୟାସ ବିନ ଏବେ ବି ଛାଡିନି। ଏଠି ପୁଣି ଶାଶୁ କି ଅନିବୋଉ ଖୁଡୀ ନାହାନ୍ତି। ବିନ ଯିବାର ଦେଖୁ ଦେଖୁ ଚାରିଦିନ ହେଲାଣି। ମାଳ ବେଳେବେଳେ କୁହେ, “ବିନ ଥିଲେ ଏତେବେଳକୁ ଗାଧୋଇ ଥାଆନ୍ତେ। ଏଇକ୍ଷିଣା ବିନ ଚା’ ପିଉଥାନ୍ତେ।”

ଲୋକାଲ୍ ଟ୍ରେନର ଆଜି ଏତେ ଡେରି କାହିଁକି? ତା’ ହୁଇସିଲ୍ ଶବ୍ଦ ଶୁଣିଲେ ମାଳ ଫେରିଆସେ।

ଆଃ, ସେ ଯଦି ମାଳ ହୋଇ ପାରନ୍ତା!

କାହ୍ନୁଆ ସାଙ୍ଗରେ ମାଳର ଥଟ୍ଟା ପରିହାସକୁ କନି ମନେ ମନେ ଉପଭୋଗ କରେ। କିନ୍ତୁ ବିନ ସାଙ୍ଗରେ ଥଟ୍ଟା ହେଲା ବେଳକୁ ତା’ ଜିଭରେ ଯେମିତି କିଏ କଣ୍ଟାଫୋଡି ଦିଏ। ପିଲାଦିନୁ ସେ କାହାକୁ କିଛି ମୁହଁ ଖୋଲି କହିପାରେନା। ସେତେବେଳେ ଜୟନ୍ତକୁ ବି କିଛି କହି ପାରୁ ନଥିଲା। ଆଜି ଅତନୁକୁ ବି କିଛି କହିପାରୁନି। ନିଜ ଭାବନାରେ କନି ଚମକି ଉଠିଲା। ସେ କ’ଣ ଅତନୁକୁ ଭଲ ପାଏ? ନ ହେଲେ ଏ ଅପେକ୍ଷା ର ଅର୍ଥ କ’ଣ? ଅତନୁ ଆସି ପହଞ୍ଚିବା ଅପେକ୍ଷା ତା’ ଆସିବାକୁ ଅପେକ୍ଷା କରିବାରେ ହିଁ ବୋଧେ ଆନନ୍ଦ ବେଶୀ।

ପ୍ରତି ମୁହୂର୍ତ୍ତରେ ମନେ ହୁଏ- ହେଇ ଆସୁଛି। ରାସ୍ତାରେ ଆଉ କାହାର ସ୍କୁଟର ଶବ୍ଦ ଶୁଣି ଛାତିର ସ୍ପନ୍ଦନ ବଢି ଚାଲେ, ସେ ବାଟ ଭାଙ୍ଗି ଯିବା ଯାଏ। ସେହି କ୍ରମବର୍ଦ୍ଧିଷ୍ଣୁ ସ୍ପନ୍ଦନର ସ୍ବାଦ କି ଅପୂର୍ବ!

ପ୍ରତି କ୍ଷଣରେ ଆଶା ଜାଗେ, ଭାଙ୍ଗେ, ପୁଣି ଜାଗେ। ଏହି ଭଙ୍ଗା ଗଢା ଖେଳର ନାଁ ବୋଧେ ଜୀବନ। ସେତକ ନ ଥିଲେ ବଞ୍ଚିବା ଅର୍ଥହୀନ ହୋଇଯାଏ। ଅତନୁ ସହିତ ଦେଖା ହେବା ପୂର୍ବରୁ କନି ସେଇଥିପାଇଁ ବୋଧେ ନିର୍ଜୀବ କାଠଗଣ୍ଡି ପରି ପଡିରହିଥିଲା। ତାକୁ ଲାଗୁଥିଲା ଏମିତି ପଡିପଡି କେଉଁଦିନ ସେ କାଠଗଣ୍ଡିରେ ଛତୁ ଫୁଟିଯିବ ଏବଂ ସେ ମୁଠାମୁଠା ହୋଇ ମିଶିଯିବ।

ଅତନୁ ସହ ଏଇ ସମ୍ପର୍କକୁ କ’ଣ କୁହାଯାଏ – ଭଲ ପାଇବା?

ଭଲ ପାଇବା ନା ନିଜ ସାଙ୍ଗରେ ଲୁଚକାଳି ଖେଳ?

ଜୟନ୍ତକୁ ଭଲ ପାଇବା ବେଳେ ବି ସେ ଭଲ ପାଇବାର ଅର୍ଥ ବୁଝି ନଥିଲା। ତା’ର ଖାଲି ଇଚ୍ଛା ହେଉଥିଲା – ଆମ୍ବ ବଉଳର ବାସ୍ନା ସହିତ ଫେଣ୍ଟି ହୋଇ ଜୟନ୍ତ ଦେହରେ ନେସି ହୋଇ ଯିବାକୁ କି ଆକାଶର ମେଘ ସହିତ ମିଶି ତା’ ଉପରେ ଅସରା ଅସରା ହୋଇ ଝରି ଯିବାକୁ।

କେତେ ଦୁର୍ଲ୍ଲଭ ସେ ଅନୁଭବ! ଆଜି ଯେତେ ଚେଷ୍ଟା କଲେ ବି ସେପରି ଅନୁଭବ ଫେରି ଆସେନା।

ସେଦିନର ବେହିସାବୀ ମନ କନି ନିଜ ଅଲକ୍ଷ୍ୟରେ କେଉଁ ଦିନୁ ହଜେଇ ଦେଇଛି।

ତା’ର ମନ ବିଳପି ଉଠିଲା। ଆଜି ଯଦି ସେ ନିଜକୁ ସେମିତି ଅଣାୟତ୍ତ ଭାବେ ଭସେଇ ଦେଇ ପାରନ୍ତା!

ଜୟନ୍ତଟା କେତେ ନିର୍ବୋଧ ଥିଲା ସତରେ! ଥରେ ହେଲେ କହିଥାନ୍ତା – “ମୁଁ ତୋତେ ଭଲ ପାଏ କନି!”

କିଛି ନ ହେଲେ ଦଧିବାମନ ସ°ସ୍କୃତ ଟୋଲ୍ ହତା ଭିତରେ ତ ପ୍ରତିବାଦ କରି ଘୋଷଣା କରି ପାରିଥା’ନ୍ତା – ମୋତେ ଆସିବାକୁ କନି କହିଥିଲା – କନି।

ତା’ ହୋଇଥିଲେ ଜୀବନସାରା ସେ ଏପରି ତିଳ ତିଳ ହୋଇ ଜଳୁ ନଥାନ୍ତା। ଜୀବନର ସେଇ ଗୋପନ ସତ୍ୟଟିକୁ ସେ ମୁହଁ ଖୋଲି କେବେ କାହା ଆଗରେ କହି ପାରେନି। ହୁଏତ ମଲାଯାଏ ସେ କଥା ଅକୁହା ହୋଇ ରହିଯିବ। ସୁନାଫରୁଆରେ ରାଜଜେମାର ବାରହାତ ଲମ୍ବା ବାଳ ପରି। ସେତକ ତାର ନିଜସ୍ୱ। ଏକାନ୍ତ ବ୍ୟକ୍ତିଗତ।

କନି ଆଖି ଆଗରେ ଫିଟି ପଡୁଥିଲା ବୁଢୀମା’ କାହାଣୀର ଖିଅ। ଅଗନାଅଗନି ବନସ୍ତ ମଝିରେ ପଦ୍ମ ପୋଖରୀ – ସାତତାଳ ପଙ୍କ ତଳେ ଅସୁର ଉଆସ – ତା’ ଭିତରେ ଲୁହା ସିନ୍ଧୁକ- ପୁଣି ସିନ୍ଧୁକ ଭିତରେ ସୁନା ଫରୁଆ। ସୁନା ଫରୁଆରେ ରାଜା ଝିଅର ବାଳ- ସେ ବାଳର ଲମ୍ବ ବାରହାତ। ସେ ବାଳକୁ ଆଉଁସିଲା ବେଳେ ଅସୁରକୁ ନିଶ୍ଚୟ ରାଜାଝିଅ ଦେହକୁ ଆଉଁସିଲା ପରି ଲାଗୁଥିବ। କନି ମନେ ମନେ ରୋମାଞ୍ଚିତ ହୋଇ ଉଠିଲା। ତା’ର ମନେ ପଡିଲା କାହ୍ନୁଆ କଥା। କାହ୍ନୁଆ ଠିକ୍ ସେଇ ବୁଢ଼ୀମା କାହାଣୀର ଅସୁର ପରି। କଳା ମଚମଚ ହୋଇ ନର୍ଘାତିଆ ପାଞ୍ଚ ହାତ ଦେହ। ସୀସା ତରଳେଇ କିଏ ଯେମିତି ନିଖୁଣ କରି ଗଢିଛି। ଦେହସାରା ଲୁହାଗୋବ ପରି ଆବୁ ଆବୁଆ ମା°ସପେଶୀ। ମଇଁଷି ପହ୍ନା ତଳେ ଆଣ୍ଠୁ ସନ୍ଧିରେ ଠେକି ଚାପି ଧରି କ୍ଷୀର ଦୁହିଁଲାବେଳେ ହାତଗୋଡର ମା°ସପେଶୀଗୁଡା ପାଚିଲା ବେଲ ଭଳି ଫୁଲି ଉଠନ୍ତି।

ତା’ କ୍ଷୀର ଦୁହିଁବାର ତାଳ ମଧ୍ୟ ଶୁଭେ ଏକ ଛନ୍ଦମୟ ସ°ଗୀତ ପରି। ସର୍ ସର୍ ହୋଇ ଠେକି ଭିତରକୁ କ୍ଷୀର ଝରି ପଡିଲାବେଳେ ମାଳର ଦେହ ନିଶ୍ଚୟ ସିରସିରେଇ ଉଠୁଥିବ। ସେଥିପାଇଁ ସେ ଓଠ କାମୁଡି ପଛରୁ ବାଛୁରୀଟାକୁ ଭିଡିଧରେ କି!
-ଶୋଇ ପଡିଲଣି କି ଦେଈ?
ମାଳ କଥା ଭାବୁ ଭାବୁ ମାଳ ଡାକିଲା- କିଏ ଆସିଛନ୍ତି ଦେଖନି!
-କିଏ? ଅତନୁ?
ପାଉଁଜି ଛମଛମ କରି କିଏ ସିଡି ଉପରେ ଆସୁଛି?

ଛାତ ଉପରେ ପହଞ୍ଚି ମାଳ କହିଲା- ଇଏ ଆମ ପୁନି। ଦୋଳ ପୁନେଇକୁ ତାଙ୍କ ଗୋଠ ମେଲଣ। ଗାଁରୁ ଆସିଛନ୍ତି।

-କାହ୍ନୁ ଭାଇଙ୍କ ସ୍ତ୍ରୀ ତ?

-ହଁ ମ! ଦେଖୁନା କେମିତି କଙ୍କିମିତି ହୋଇଛନ୍ତି। କାହିଁ କାହ୍ନୁଆଇଙ୍କୁ ଦେଖ ଆଉ ୟାଙ୍କୁ ଦେଖ। ହେଲେ କଣ୍ଟି ବାଉଁଶର ନହକା କଣି। ଭା-ଆ-ରି ଟାଣ। ହାଡ, ଘଷି ଦେଲେ ନିଆଁ।

ମାଳ କଥାରେ କି ଗୂଢ ଅର୍ଥ ଥିଲା କନି ବୁଝି ପାରିଲାନି। ହେଲେ ପୁନି ତା ଜଙ୍ଘରୁ ପୁଳାଏ ଚିମୁଟି ଦେଇ କହିଲା, “ତୁମର ଯେଉଁ କଥା ନୂଆଉ। ପିଠାଗୁଡା ଥଣ୍ଡା ହୋଇ ଯାଉଛି। ଦେଈଙ୍କୁ ଦେଉନା।”

-ପରବ ପାଇଁ ଗୋଠରେ ଆରିଷା ପିଠା ଛଣା ହୋଇଥିଲା। କାହ୍ନୁଆଇ ତୁମ ପାଇଁ ପଠେଇଛନ୍ତି।

ଖାଣ୍ଟି ମଇଁଷି ଘିଅରେ ଛଣା ହୋଇଥିବା ଆରିଷା ପିଠା ମହକରେ ଜାଗାଟା ମହକି ଉଠିଲା। କନି ଆଗରେ ପିଠା କ°ସାଟା ଥୋଇ ଦେଇ ମାଳ କହିଲା, “ମୁଁ କହିଲି – ଗୋଠ ଅପନ୍ତରାଟାରେ ରାତିରେ କାଇଁ ଶୋଇବ? ଆମ ଘରକୁ ଚାଲ।”

ତା’ କଥା ମଝିରେ ବାଧା ଦେଇ କନି କହିଲା- ତାକୁ ଏମିତି ବସେଇ କଥା ଗପୁଥିବୁ ନା ତା’ ପାଇଁ ରୋଷେଇ ବାସ କରିବୁ?

-ମଲା ଯେତିକି ତ ରନ୍ଧାରନ୍ଧି ହୋଇଛି କାଲିକି ସେତକ ବାସୀ ହେଉଛି କି କ’ଣ ଦେଖ। କାହ୍ନୁଆଇ ମଇଁଷି ବାନ୍ଧି ସାରି ପଛରେ ପୁଣି ଖିରୀ ନେଇ ଆସିବ।

କନି ମନେ ମନେ ଆଶ୍ବସ୍ତ ହେଲା। ଯା’ ହେଉ।ଦିନ କେତେଟା ହେଉ ପଛେ ନିର୍ଜନତାରୁ ରକ୍ଷା ମିଳିବ। ତା’ ଭିତରେ ହୁଏତ ଅତନୁ ଫେରିଆସିଥିବ।

ଏଥରକ ସେ ନିଶ୍ଚୟ ମୁହଁ ଖୋଲି ସ୍ବପ୍ନେଶ୍ବର ଯିବା କଥା କହିବ।

(ପାହାନ୍ତା ପହରୁ ଡାଳିବୁଡା ଠାରୁ ଆରମ୍ଭ କରି ସଞ୍ଜ ଯାଏ….. ଆର ଥରକୁ)