ସକାଳୁ କାଉର କା’- କା’- ଡାକରେ କନିର ନିଦ ଭାଙ୍ଗିଲା। କୂଅମୂଳେ ଢୁ’ ଢୁ’ ପାଣି ଢାଳି ହୋଇ ମାଳ ଗାଧୋଉଛି। ତା’ ଗାଧେଇବା ଦୃଶ୍ୟ ଦେଖିଲେ କନିର ଆଖି ଲାଜରେ ବୁଜି ହୋଇ ଯାଏ। ଶୀତଦିନେ ବି ମାଳ ତିନିଥର ଗାଧାଏ। ପଚାରିଲେ ହସି ଦେଇ କୁହେ, “ମୋ ଦେହ ତ ସବୁବେଳେ ଗରମ।”
ଗାଧୋଇ ଆସି ମାଳ କାଉ ଆଗରେ ଚାଉଳ ମୁଠାଏ ବିଞ୍ଚି ଦିଏ। ସେଥିପାଇଁ ପ୍ରତିଦିନ ସକାଳୁ ବାଡି ପଟ ସଜନାଗଛ ଡାଳରେ ବସି କାଉଟା ଡାକ ଛାଡେ। କାହା ବାଟ ଚାହିଁ ମାଳ କାଉକୁ ନିତି ଅଧାର ଦିଏ କେଜାଣି? ତା’ ସ୍ବାମୀ ସୁର ତ ଯାଇ ସୁରଟରେ। ଆସିଲେ ଆସିବ ଦୋଳ ପୁନେଇକୁ।
‘ଭାଉଜ- ଭାଉଜ’ ଡାକି କେହି ଗେଟ୍ ଖୋଲି ପଶି ଆସିଲା। କିଏ? ଏତ କାହ୍ନୁଆ ପାଟି ନୁହେଁ! ସକାଳୁ ସକାଳୁ ଆଉ କିଏ ଆସିବ? ମିଠାଳିଆ ସ୍ବରଟା ଚିହ୍ନା ଲାଗୁଛି। ହେଲେ ମନେ ପଡୁନି। ମନେ ପକାଇବାକୁ ଚେଷ୍ଟା କଲାବେଳକୁ ଦୁଆର ମୁହଁରେ ଆସି ଠିଆ ହେଲା ବିନ। ମଳାଶୁର ବିକଳି ମହାନ୍ତିଙ୍କ ପୁଅ।
କନି ବା’ ଘର ବେଳକୁ ସେ ଏମ୍. ଏ. ପାସ୍ କରି ଚାକିରୀ ଖୋଜୁଥିଲେ। ଶାଶୁଘର ଆଉ ସେମାନଙ୍କ ଆତ୍ମୀୟମାନଙ୍କ ଭିତରେ ଏଇ ଗୋଟିଏ ମଣିଷ ହିଁ ତାକୁ ଭଲ ପାଏ। ମମତା ଉଚ୍ଛୁଳା କଣ୍ଠରେ ଡାକେ – ‘ଭାଉଜ!’
ବିନକୁ ଦେଖିଲେ କନିର ‘ପଦ୍ମ’ କବିତାଟା ମନେ ପଡେ। ସତରେ ପଙ୍କରୁ ପଙ୍କଜ…….। ହିରଣ୍ୟ କାଶ୍ୟପର ପୁଅ – ପ୍ରହ୍ଲାଦ!
କନି ତରତର ହୋଇ ଉଠି ପଡିଲା, “ମଲା, ଏ ଅପୂର୍ବ କୁଆଡ଼େ ମ! ମୁଁ କହୁଛି – ସକାଳ ପହରୁ କାଉଟା କାହିଁକି ଡାକ ଛାଡିଛି? ମାଳ ତୋ କାଉକୁ ମୋ ପାଇଁ ଆଜି ମୁଠାଏ ଚାଉଳ ଅଧିକ ଦେବୁ।”
ମାଳ ସେତେବେଳକୁ ଗାଧୋଇ ସାରି ଘର ଭିତରକୁ ଯିବା ପାଇଁ ଓଦା ଲୁଗାରେ ଅପେକ୍ଷା କରିଥିଲା। ବାହାର ଲୋକଙ୍କୁ ଦେଖିଲେ ତା’ ନାକ ଅଗରେ ଓଢଣା।
ମଲା, ଏପରା ମୋ ଦିଅର ବିନ। ଲାଜ କାହାକୁ କରୁଛୁ ପୋଡାମୁହୀଁ?
ତା’ କଥା ଶୁଣି ମାଳ ଓଦା ଲୁଗାର ସରମ ଭୁଲିଯାଇ କହିଲା, “ମ’ ସେଇୟା କହୁନା। ମୁଁ କହୁଛି, ସକାଳୁ ସକାଳୁ କନ୍ଦର୍ପ ଭଳିଆ ଏ ପୁରୁଷ ଜଣକ କାହୁଁ ଆସିଲେ? ୟାଙ୍କରି କଥା ତୁମେ ଏତେ କୁହ?”
ମାଳର ପରିହାସରେ ସାମାନ୍ୟ ଅପ୍ରତିଭ ହୋଇ ବିନ ପଚାରିଲା, “ସତରେ ଭାଉଜ ମୋ କଥା ତୁମର ମନେ ଥିଲା?”
“ତୁମେ ସିନା ନୂଆ ମୁହଁ ଦେଖି ଭାଉଜ ମଲା କି ଗଲା ଭୁଲିଗଲ। ମୁଁ ତୁମ କଥା କାହିଁକି ଭୁଲିବି?” ଅଭିମାନଭରା କଣ୍ଠରେ କନି କହିଲା।
“ନୂଆ ମୁହଁ?” ଟିକେ ଚିନ୍ତା କଲା ପରି ବିନ ପଚାରିଲା। ତା ପରେ ହୋ ହୋ ହସି ଉଠି କହିଲା, “ଓହୋ, ତୁମେ ଭାଉଜ ସେ କୋଇଲିପୁର ବାହାଘର ପ୍ରସ୍ତାବ କଥା କେଉଁଠୁ ଶୁଣିଥିଲ ପରା!”
“ସେ ଚାଲାଖି ଗୁଡା ରଖି ଦେଇଥା। ମୋ ମଙ୍ଗନଓତା ଶାଢି କାହିଁ?”
“ବାହାଘର ଲାଗିଥିଲା ବୋଲି ଶୁଣିଲ, ଭାଙ୍ଗିଗଲା ବୋଲି ଶୁଣିନା?” ପଚାରି ଦେଇ ବିନ ହଠାତ୍ ଗମ୍ଭୀର ହୋଇ ପଡିଲା।
ଆଟାଚ୍ ଖୋଲି ଲୁଙ୍ଗି ବାହାର କରୁ କରୁ ବିନ କହିଲା, “ରାତି ସାରା ଗାଡିରେ ବସି ବସି ମୋ ଆଖି ପୋଡୁଛି। ମୁଁ ଆଗ ଗାଧୋଇ ପଡି ଦି ତିନି ଘଣ୍ଟା ଶୋଇ ଉଠି ସାରେ।”
ଖୁସିରେ ସେଦିନ କନିର ଗୋଡ ତଳେ ଲାଗୁ ନଥାଏ। ତାକୁ ଲାଗୁଥିଲା ଶିମୁଳୀ ତୁଳା ପରି ସେ ଉଡି ବୁଲୁଛି। ଏତେ ଦିନ ପରେ ଏ ଘରଟା ତାକୁ ଘର ପରି ଲାଗୁଥିଲା। କାହ୍ନୁଆକୁ ଦେଖି ମାଳ କାହିଁକି ଖୁସିରେ ଫାଟିପଡେ – ଏତେଦିନେ ସେ କଥା ସେ ବୁଝୁଥିଲା।
ସନ୍ଧ୍ୟାବେଳେ ଛାତ ଉପରେ ବସି ଗପୁ ଗପୁ କନି ହଠାତ୍ ପଚାରିଲା – କୋଇଲିପୁର ପ୍ରସ୍ତାବ ଭାଙ୍ଗିଗଲା କାହିଁକି?
“ବାପାଙ୍କ କଥା ତୁମେ ଜାଣିନ! ଦଶହଜାର ଟଙ୍କା ପାଇଁ ସେ ପ୍ରସ୍ତାବ ଭାଙ୍ଗି ଦେଲେ।” ମାଳ କହିଲା, “ମଲା କେମିତିକା ଲୋକ ବା? ଆଉ କିଏ ହୋଇଥିଲେ ଏମିତିକା ପାତ୍ରକୁ ଲକ୍ଷେ ଗଣି ଦେଇଥାନ୍ତା।”
“ହଁ, ସେଇ ଲକ୍ଷେ ଦେବାକୁ କଥା ଛିଣ୍ଡିଥିଲା”, ଗଳା ଝାଡି ଆରମ୍ଭ କଲା ବିନ। “ବାପାତ ପ୍ରଥମରୁ ଯିଏ ବାହାଘର ପ୍ରସ୍ତାବ ନେଇ ଆସିଲା, ତା’ ଆଗରେ ଗୋଡ ଲମ୍ବେଇଲେ। ଟିପଣା ଶୁଝିବ; ଝିଅର ବେଯୋଡା ରାଶି ହୋଇ ନଥିବ, ତା’ ବାପା ଅଫିସରିଆ ଚାକିରୀ କରୁଥିବ, ବାପା ମା’ ଙ୍କର ସେ ଗୋଟିଏ ଝିଅ ହୋଇଥିବ, ଘର କାମ ସମ୍ଭାଳି ପାରୁଥିବ, ଇତ୍ୟାଦି ଇତ୍ୟାଦି ଯାବତୀୟ ବାହାନା କାଢିଲେ। ଦେବା ନେବା କଥା ବୁଝି ସାରି ଶେଷକୁ କହିବେ – ଦବା ନବାଟା କ’ଣ ବଡ କଥା। ମୋର ତ ଆଗକୁ ପଛକୁ ସେଇ ଗୋଟିଏ। କୋଉ ନ’ଟା ଛ’ଟା ହୋଇଛନ୍ତି? ପୁଅ ତ ଯାଇ ବିଦେଶରେ ରହିଲା, ସମ୍ପତ୍ତି ବାଡି ଯାହା ଅର୍ଜିଥେଲି ସେଥିରେ ତ ଖଣ୍ଟ ପୋଷୁଛି। ମୋର କ’ଣ ଅଭାବ ହୋଇଛି ଯେ ମୁଁ ତାଙ୍କ ଦେବା ନେବାକୁ ଅନେଇଛି! ଆଗ ଯୋଉ ଅସଲ ସମ୍ପତ୍ତି ଘରକୁ ଆଣିବି ତାକୁ ଦେଖି ସାରେ। ମନକୁ ପାଇଲେ ତେଣିକି ଯୋଉ କଥା।” ବିନ ହସି ହସି ଗଡିଗଲେ। କନି କାନକୁ ଶୁଭୁଥିଲା ବିକଳି ମହାନ୍ତିଙ୍କ ସ୍ବର -” ସେ ଶଳା ମଥୁରୀ ପରିଡା ମୋତେ ଏମିତି ଚିତା କାଟିବ ବୋଲି କ’ଣ ମୁଁ ଜାଣି ଥିଲି।”
ମାଳ ପଚାରିଲା – ସେଉଠୁ?
“କୋଇଲିପୁରିଆ କଥା ଛିଣ୍ଡେଇ ଥିଲେ ସ୍ବୀକାର ଦିନ ନଗଦ ସତୁରୀ ହଜାର ଟଙ୍କା ଦେଇ, ବାକି ତିରିଶ ହଜାର ବରଧରା ସାଙ୍ଗରେ ପଠଠେଇବେ। ସବୁ ଠିକ୍ ଠାକ୍ ହୋଇ ନିମନ୍ତ୍ରଣପତ୍ର ଛପା ସରିଥିଲା।”
କନିର ଉତ୍କଣ୍ଠା ବଢି ବଢି ଚାଲିଥିଲା। ତା’ର ମନେ ପଡୁଥିଲା, ତା’ ସ୍ବୀକାର ଦିନ ଟଙ୍କା ନିଅଣ୍ଟ ପଡିବାରୁ ବାପା ବାଡିତଳ ତଳା ବିଲ ଶାଗମାଛ ମୂଲରେ ବିକି ଦେଇଥିଲେ।
ସେ ପଚାରିଲା – ପ୍ରସ୍ତାବ ତା’ ହେଲେ ଭାଙ୍ଗିଲା କାହିଁକି?
-ସ୍ବୀକାର ଦିନ ତାଙ୍କର ପଚାଶ ହଜାର ଟଙ୍କା ପଠାଇ ବାକି କୋଡିଏ ହଜାର ଦି’ ଦିନ ପରେ ଦେବେ ବୋଲି କହିଲେ। ଶେଷରେ ଝିଅର ବାପା ଆଣି ଝିଅ ନାଁରେ ଫିକ୍ସଡ ଡିପୋଜିଟ୍ ଥିବା ପଚଶ ହଜାର ଟଙ୍କାର ସାର୍ଟିଫିକେଟ ଥୋଇଲା। ହାତ ଓଠ ଧରିଲା। ବାପାଙ୍କର ସେଇ ଗୋଟିଏ ପଦ “ନା”। ଶେଷରେ ଗୋଡ଼ ତଳେ ଲମ୍ବ ହୋଇ ପଡି ନେହୁରା ହେଲା – ମୋତେ ଗୋଟେ ଦି’ଟା ଦିନର ମହଲତ ଦିଅ ସମୁଦି। ଯେଉଁଠୁ ହେଲେ ଟଙ୍କା ଯୋଗାଡ କରି ଆଣି ଦେଇଯିବି। ମୋତେ ଏ ଲୋକ ଲଜ୍ଜାରୁ ରକ୍ଷା କର।
ହେଲେ ବାପା ସେ ଆଡ଼କୁ ଆଡ଼ ଆଖିରେ ବି ନ ଚାହିଁ ମଧ୍ୟସ୍ଥି ଉପରେ ଚିହିଙ୍କି ଉଠିଲେ – ତୋର କୋଉ ଧିଅକରେ କିଏ ମଧ୍ଯସ୍ଥି ହୋଇଥିଲା ନା ତୁ ନୂଆ ହୋଇଛୁ ବେ? ଇଏତ ଘରେ ନ ପଶୁଣୁ ଚାଳ ବାଜିଲାଣି। ଯିଏ ଟଙ୍କା ସତୁରୀ ହଜାର ଯୋଗାଡ଼ କରି ପାରୁନି, ତା’ ଘରେ ବନ୍ଧୁ ବାନ୍ଧିବି କ’ଣ ଛତରରେ ପଶିବକୁ? ମୋତେ ସାର୍ଟିଫିକେଟ ଦେଖାଉଛି – କ’ଣ ଚାଟିବି?
ଯାହା ବା ହୋଇଥାନ୍ତା, ଅପା ସେଥିରେ ଢୁଆ ମାରିଲା – “ସେ କଥାରେ ମୋଟେ ରାଜି ହେବୁନିଟି ବିକଳା। ନ ହେଲେ ମୋରି ଭଳିଆ ମଝି ନଈରେ ପଡିବୁ। ମୁକୁତା ପୁରିଆ ଆଉ ଦଶହଜାର ଦେବା ନାଁ ଧରିଲେ? ଶେଷକୁ କ’ଣ ନା ଝୁଅ ନାଁରେ ଘୁଅ ପଡିଆ ଜମି ଦି’ ମାଣ ଲେଖି ଦେଲେ।”
ବାପା ବାକିଥିବା ଦଶହଜାର ଟଙ୍କା ବାବଦକୁ ସୁନା ଭୂଇଁ ଚକରୁ ସୁନାଥାଳି ଭଳି ଜମି ଦି’ମାଣ ତା’ ନାଁରେ ଲେଖି ଦେଇ ଥିଲେ। ଶାଶୁ ତେଣୁ ପ୍ରତି କଥାରେ ଉଲୁଗୁଣା ଦିଅନ୍ତି – “ବାପା ଯୋଗଣୀଖିଆ ତ ମୋର ଦଶ ହଜାର ଟଙ୍କା ବୁଡେଇ ଅଧା ବଅସରୁ ମଲା।”
ମାଳ ତଥାପି ପଚାରିଲା – ‘ସେଇଠୁ?’
ବିନ ଉତ୍ତର ଦେଲା – ସେଉଠୁ ଆଉ କ’ଣ, ସ୍ବୀକାର ଫେରିଗଲା।
ତାଙ୍କର ଆଉ କୋଡିଏ ହଜାର ଦେଲେନି?
-ନା। ପନ୍ଦର ଦିନ ଭିତରେ ଲାଗିପଡି ଅନ୍ୟ ଜାଗାରେ ବାହାଘର ବଢେଇ ଦେଲେ। ବରଟା ଅବଶ୍ୟ ଦୋଭେଇ। ହେଲେ ଆମର ସେଠି ତହସିଲଦାର ଅଛି।
-ତମେ ସେ ଝିଅକୁ ଦେଖି ଥିଲ?’ ମାଳ ପଚାରିଲା।
-ନା’, ତା’ ବାହାଘର ପରେ ଦେଖିଲି।
-କ’ଣ ପଛରେ ଗୋଡେଇ ତା’ ଶାଶୁଘର ଯାଏ ଯାଇଥିଲ ନା କ’ଣ ମ?
-ସେଯାଏ ଯିବାକୁ ବେଳ କାହିଁ? ଅଷ୍ଟମଙ୍ଗଳା ନ ଯାଉଣଙ ସେ ପରା ଆସି ଆମ ଗାଁରେ ହାଜର।
-“ଏ କି ଅଭିଲାକଥା ଲୋ ମା’?” ମାଳ କହିଲା, ” ବା’ଘରତ ଭାଙ୍ଗିଗଲା, ପୁଣି କ’ଣ ଦେଖିବାକୁ ଆସିଥିଲା?”
-ଦେଖିବାକୁ ନୁହେଁ ମ। ବାପାଙ୍କୁ ଦେଖେଇ ଦେବାକୁ ଆସିଥିଲା।
-ମାନେ? କନି ପଚାରିଲା।
-ସେ ଲୋକହସା କଥା କ’ଣ କହିବି ଭାଉଜ? ଦିନେ ଗାଁ ମୁଣ୍ଡ ଆର. ଆଇ. ଅଫିସ୍ ଆଗରେ ଜିପ୍ ଅଟକେଇ ଓହ୍ଲାଇ ପଡିଲେ ତହସିଲଦାର। ତାଙ୍କ ସ୍ତ୍ରୀ ଜିପ୍ ଭିତରେ ବସିଥାନ୍ତି। ଆର୍. ଆଇ. ଚେୟାର ଦି ଖଣ୍ଡ ଆଣୁ ଆଣୁ ତହସିଲଦାର କାଳେ କହିଲେ, ସେ ବିକଳି ମହାନ୍ତି କିଏ? ତାକୁ ଶୀଘ୍ର ଡାକ। ପିଆଦା ଧାଇଁ ଧାଇଁ ଆସି ଆମ ଦାଣ୍ଡରେ ହାଜର। ଖବରଟା ପାଇ ବାପା ଜାମା ଯୋଡ ହୋଇ ମହା ମାମଲତିକାର ଠାଣିରେ ଲମ୍ବା ଲମ୍ବା ପାହୁଲ ପକେଇ ବାହାରି ପଡିଲେ। ମନେ ମନେ ବଡ ମାମଲତିକାର ତ! ସେ ଭାବିଥିଲେ ତାଙ୍କୁ ତହସିଲଦାର ଗାଁର କେଉଁ ମାଲିମୋକଦ୍ଦମା କାମରେ ଡକେଇଛନ୍ତି।
-ପ୍ରକୃତରେ କାହିଁକି ଡକେଇଥିଲେ?’ କନି ପଚାରିଲା।
-ଛିଃ, ସେ ଯେଉଁ ହୀନସ୍ତା ଭାଉଜ! ଆଉ କିଏ ହୋଇଥିଲେ ବେକରେ ଦଉଡି ଲଗେଇ ଦେଇଥାନ୍ତା।
-କାହିଁ? କ’ଣ ହେଲା?
-ବାପା ପହଞ୍ଚୁ ପହଞ୍ଚୁ ପଚାରିଲେ, ଗୋଚରକୁ କ’ଣ ତୁମ ବୋପାଅଜା ସମ୍ପତ୍ତି ଭାବିଲକି ବିକଳି ମହାନ୍ତି? କାହାକୁ ପଚାରି ସେଠି ଘର ତୋଳିଛ?
ବାପା ହାତ ମଳି ମଳି କହିଲେ- ସେଇଟା ତ ଆଜ୍ଞା ବନ୍ଦୋବସ୍ତ ବେଳେ ଅନାବାଦୀ କିସମରେ ରେକର୍ଡଭୁକ୍ତ ହୋଇଛି। ଆପଣ ଏନକ୍ଲୋଜମେଣ୍ଟ କେଶ୍ କରୁ ନାହାନ୍ତି।
-ରେକର୍ଡରୁ ତ ଗୋଚର ବୋଲି ବାହାରୁଛି। ତୁମର ଅନାବାଦୀ ହେଲା କେମିତି? ମନେ ମନେ ବେଶୀ ସିଆଣିଆ ପଡିଛ। ଏନକ୍ଲୋଜମେଣ୍ଟ କେଶ୍ ହେଲେ ଟଙ୍କା ଶହେ ଦୁଶହ ଜୋରିମାନା ଦେଇ ଦି ଏକର ଜମି ମାରିନେବ।
ଜିପ୍ ଭିତରୁ ତହସିଲଦାରଙ୍କ ସ୍ତ୍ରୀ ପଚାରିଲେ- ତୁମର ସବୁ ଯଦି ଏ ବାଜେ ଲୋକଙ୍କ ସାଙ୍ଗରେ କାମ ଥିଲା, ମୋତେ ସାଙ୍ଗରେ କାହିଁକି ଆଣୁଥିଲ? ନୀଳ କଣ୍ଠେଶ୍ବରଙ୍କ ପାଖକୁ ଆଉ ଯିବା କେତେବେଳେ?
ତରତରରେ ଜିପ୍ ଉପରକୁ ଉଠି ଯାଉ ଯାଉ ତହସିଲଦାର ଶେଷ କଥା ଶୁଣାଇ ଦେଲେ – ଭଲ ଦଶା ଅଛିତ ଆଠ ଦିନ ଭିତରେ ଘର ଭାଙ୍ଗି ଜାଗା ସଫାକର।
ତଥାପି ନିର୍ଲ୍ଲଜ ମୁହଁରେ କ’ଣ ଗୁହାରୀ କରିବାକୁ ବାପା ଜିପ୍ ପାଖକୁ ଧାଇଁ ଯାଉ ଥିଲେ। ଡ୍ରାଇଭର ତହସିଲଦାର ସ୍ତ୍ରୀଙ୍କ ହାତରୁ ଖାଲି ପଇଡ଼ଟା ଆଣି ତଳେ ଫୋପାଡ଼ି ଦେଇ ଜିପ୍ ଛାଡିଦେଲା।
ଏକା ଲହସରେ କଥାଟା କହିଦେଇ ବିନ ଟିକେ ଦମ୍ ନେଲା। ତା’ ପରେ ମାଳ ଆଡେ ଚାହିଁ କହିଲା, “ଭାଉଜ, ଟିକେ ଚା’ କରନ୍ତ ନି?”
ଚା’ କରିବାକୁ ଉଠି ଯାଉ ଯାଉ ମାଳ କହିଲା- ଏ କ’ଣ କହନ୍ତିନି “ଯେସାକୁ ତେସା ନା’ ହାରାମଜାଦାକୁ ଟାଙ୍ଗିଆ ପଶା”; ମଝିରେ ପଡି ତମେ ଖାଲି ଯାହା ଲୋକହସା ହେଲ।
କ’ଣ ଭାବି କନି ପଚାରିଲା, “ତୁମ ବାପା ସେ ଝିଅକୁ ଚିହ୍ନି ପାରିଲେ?”
-ହେତ୍, ତୁମେ ଯେଉଁ କଥା କୁହ ଭାଉଜ! ଚିହ୍ନିବେନି କେମିତି? ଝିଅ ଦେଖା ଦିନ ନିଜେ ତାକୁ କୋଡିଏ ଟଙ୍କା ମୁହଁ ଦେଖା ଦେଇଥିଲେଟି। ପଇସାଟିଏ ଦେଲେ ବାପା କୋଡ଼ିଏ ବର୍ଷ ମନେ ରଖିବେ। କୋଡ଼ିଏ ଟଙ୍କା ଦେଲେ କେତେ ଜନ୍ମ ମନେ ରଖିବେ ହିସାବ କର।
-ତୁମର ଗାଁରେ ଏତେ ବଡ ହତାବାଡି। ଗୋଚର ପଡିଆରେ କାହିଁକି ଘର ତୋଳୁଥିଲେ?
-ସିଏ ଆଉ ଗୋଟିଏ ମହାଭାରତ। ରମା ଭାଇ ସାଙ୍ଗରେ ମିଶି ଚୁଡା କଳ, ଚାଉଳ କଳ ବସେଇବେ ବୋଲି ପରା ତା’ରି ଟଙ୍କାରେ ଘର ତୋଳିଥିଲେ। ତାଙ୍କର କ’ଣ ହାତରୁ ପଡିଛି?
-ଘର ଭାଙ୍ଗିଲେ?
-ଘର ଭାଙ୍ଗିବାକୁ ବେଳ ମିଳିଲା କୁଆଡୁ? ସେତେବେଳକୁ ଦାଳୁଅ କଟା ସାଙ୍ଗକୁ ବାଦାମ ଉପୁଡା ଲାଗିଥାଏ। ଖୋଜି ଖୋଜି ଲୋକ ମିଳିଲେନି।
-ପୁଣି?
-ଆଠଦିନ ପୁରିଲାବାସୀ ଗାଁ ଟୋକାଏ ରାତିକାରାତି ଆଜବେଷ୍ଟସ ଖୋଲି ବିକିଦେଲେ। ତେଣିକି କାଦୁଅ ଯୋଡାରେ ଇଟା ବୋହି ନେବାକୁ କେତେବେଳ? ଦିନ ପନ୍ଦରଟାରେ ପଡିଆ ସଫା। ଆର୍. ଆଇ., ତହସିଲଦାରଙ୍କୁ ରିପୋର୍ଟ ଦେଇସାରି କହିଲେ, “ଯା’ ହେଉ ମହାନ୍ତି, ତୁମ ଭାଗ୍ୟ ଜୋର। ମହାଳିଆ ଘର ଭଙ୍ଗା କାମଟା ବଢିଗଲା। ନହେଲେ ତ ନିକୁଛିଆରେ ଟଙ୍କା ହଜାରେ ଦେଢ ହଜାରେ ଲାଗିଥାନ୍ତା।”
ବିନ ମୁହଁକୁ ଏକ ଲୟରେ ଚାହିଁ ରହି କନି ଗୋଟିଏ ଦ୍ବନ୍ଦ୍ବରେ ପଡିଯାଇଥିଲା – ଏ ଘଟଣାରେ କିଏ ବେଶୀ ପ୍ରତିଶୋଧ ପରାୟଣ? ତହସିଲଦାରଙ୍କ ସ୍ତ୍ରୀ ନା ବିନ ନିଜେ?
ଘଟଣାକୁ ନିଠେଇ ବର୍ଣ୍ଣନା କଲାବେଳେ ବିନ ନିଷ୍ପାପ ମୁହଁର ମା°ସପେଶୀ ସବୁ ଏପରି କଠୋର ହୋଇ ପଡୁଥିଲେ ଯେ – କନିକୁ ସେ ମୁହଁ ଅପରିଚିତ ବୋଧ ହେଉଥିଲା।
ମଳାଶୁର ବିକଳି ମହାନ୍ତିଙ୍କ ସର୍ବଗ୍ରାସୀ କୁଟିଳତା ବିରୋଧରେ ପ୍ରଚ୍ଛନ୍ନ ବିଦ୍ରୋହ ବିନ ମୁହଁର ମରମୀ ଲିବଣ୍ୟ ଉପରେ କେଉଁଦିନୁ ଅଶାନ୍ତ ଲଞ୍ଜାତାରା ପରି ଉଇଁ ଆସିଲାଣି।
କନିର ଅନ୍ତର ଭିତରଟା ଅବ୍ୟକ୍ତ କାରୁଣ୍ୟରେ ଭରିଗଲା।
(ବିନ ଗଲାପରେ ପୁଣି ସେଇ ଅବସାଦ……ଆର ଥରକୁ)