ଅନ୍ଧବର!
ନାଁ ଟା ଶୁଣି କନି ଆଗରୁ ଯେମିତି କଳ୍ପନା କରିଥିଲା – ଜାଗାଟା ତାର ବିପରୀତ। ବରଗଛର କେଉଁଠି ଚିହ୍ନବର୍ଣ୍ଣ ନଥିଲା। ତାଳ, ନଡ଼ିଆ ଗଛ ଭର୍ତ୍ତି ପଡିଆ ମଝିରେ ରାଧାକୃଷ୍ଣଙ୍କ ମନ୍ଦିର। ଚାରି ଛ’ଟା ବାଲି ଢିପ ମଝିରେ ଉତ୍ତିକଣ ମେଲଣ ପଡିଆ। କାହିଁ କେତେ ପୁରୁଷ ତଳେ ଉତ୍ତିକଣର କେଉଁ ଜମିଦାର ମନ୍ଦିର ତୋଳି ପ୍ରତିଷ୍ଠା କରିଥିଲେ – ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି।
ଦୋଳ ପୂର୍ଣ୍ଣିମା ଦିନ ଆଖ ପାଖ ପଚାଶ ଶହେ ଖଣ୍ଡ ଗାଁର ଗୋପାଳମାନେ ସେଠି ଏକାଠି ହୋଇ ଓଗାଳ ବୋଲନ୍ତି। ଫଡି ଖେଳନ୍ତି। ବଡ଼ ବଡ଼ କୁଣ୍ଡରେ ତିଆରି ହୁଏ ଛେନା, ଦହି ପଣା ଓ ହଣ୍ଡା ହଣ୍ଡା କ୍ଷୀର ସିଝି ରାବିଡି ତିଆରି ହୋଇ ଭୋଗ ଲାଗେ। ଜାତି ଭାଇଙ୍କ ବର୍ଷସାରାର ନ୍ୟାୟ ନିଶାପ ପଡେ। ଭଲ ମନ୍ଦ ବୁଝିବାକୁ କୁଳ ବେହେରା, ଅଶୀବର୍ଷର ମାଗୁଣି ଦାସ ବୁଢା।
ମାଳ କଥାରେ ଗୋଠ ମେଲଣ ଦେଖି ଯାଇ ନ ଥିଲେ ତଳମାଳର ଏ ଐଶ୍ୱର୍ଯ୍ୟ ସହ କନି ପରିଚିତ ହୋଇ ପାରି ନ ଥାନ୍ତା। ଗୋପାଳଙ୍କ ଜାତିଆଣ ବେଭାରରେ ଏତେ ରୀତିକାନ୍ତି ଅଛି ବୋଲି ତା’ର ଧାରଣା ନ ଥିଲା।
ପଡିଆ ସେପଟକୁ ବୁଦିବୁଦିକିଆ ବେଣା ଖଜୁରୀ ବଣ। ଦୂରରୁ ଦିଶେ ସମୁଦ୍ରକୂଳ ଝାଉଁ ବଣର କୁହୁଡିଆ ମଥାନ। ତା’ ସେପଟରେ କେଉଁଠି ସମୁଦ୍ର। ପାଣିକଡକୁ ଲାଗି କାଳେ କିଆ ଘନ୍ଦୁଳା ଓ ରୂଅ ହେନ୍ତାଳର ଛନ୍ଦା ଛନ୍ଦି ବଣ। ପବନରେ ବେଳେ ବେଳେ ସମୁଦ୍ରର ହାଉଳିଖିଆ ଗର୍ଜନ ଭାସି ଆସେ। ହେଲେ ଯେତେ ଚାହିଁଲେ ବି ସମୁଦ୍ର ଦିଶେନା।
କନି ମାଳକୁ ସମୁଦ୍ରକୂଳକୁ ଯିବା ପାଇଁ କହୁଥିଲା। ମାଳର ମନ କିନ୍ତୁ ସେଇ ଅର୍ଜୁନ ପୁରିଆ ଟୋକା ପାଖରେ। କଥାଟା ବାଁରେଇ ଦେଇ ସେ କହିଲା – ‘ସମୁଦ୍ର କ’ଣ ଆଖପାଖରେ ହୋଇଛି କି ଦେଈ! ସେମିତି ପାଖରେ ବୋଲି ଲାଗୁଛି ନା।’
ଅତନୁ ଥିଲେ ଭଲ ହୋଇଥାନ୍ତା।
ଭଲ କବିତାଟିଏ ଲେଖିଥାନ୍ତା। ଅତନୁ ଭଲ କବିତା ଲେଖେ। କନି କିନ୍ତୁ ସେ କବିତାରୁ ବୁଝେ କମ୍।
ମନ୍ଦିର ପଛ ଗୋଟିକିଆ କଦମ୍ବଗଛ ମୂଳେ ବସି କନି ଭାବୁଥିଲା – ଅତନୁର କବିତା ପରି ତା’ କଥା ବି ବେଳେବେଳେ ଦୁର୍ବୋଧ୍ୟ। ଠିକ୍ ଏଇ ମୌନାବତୀ ଜ୍ୟୋସ୍ନା ପରି। ଛୋଟ ଛୋଟ କଥାରୁ ସେ ଆରମ୍ଭ କରିଦିଏ ଲମ୍ବା ଭାଷଣ। କଲେଜ ପିଲାଙ୍କ ଆଗରେ ଭାଷଣ ଦେଇ ଦେଇ ତା’ର ଅଭ୍ୟାସରେ ପଡିଗଲାଣି। କନି ପଚାରେ, ‘ଛୋଟ ଛୋଟ କଥାରୁ ତୁ ଏତେ ଜଟିଳ ଅର୍ଥ କାଢୁ କାହିଁକି?’
– ଦର୍ଶନ ଓ ବିଜ୍ଞାନର ସବୁ ଜଟିଳ ଜିଜ୍ଞାସା ତ ଜନ୍ମ ନେଇଛି ଏମିତି ଛୋଟ ଛୋଟ ଘଟଣାରୁ।
କନି ଭାବିଲା – ସତେ ତ!
ତା’ର ପଦଟିଏ କଥା ଏମିତି ବଦଳାଇ ଦେଲା ଜୟନ୍ତ ଜୀବନର ଗତିପଥ। କିପରି ବିପର୍ଯ୍ୟସ୍ତ କରିଦେଲା ଜୟନ୍ତ ବୋଉର ଅବଶିଷ୍ଟ ଜୀବନ! କିନ୍ତୁ ବାହାରକୁ ସେ ଓଠ ଫୁଲେଇ ଅତନକୁ କୁହେ – “ଥାଉ ଥାଉ, ମୋତେ କ’ଣ ତୋ କଲେଜ ଛାତ୍ରୀ ପରି ପାଇଲୁ କି?”
ଅତନୁ ତା’ପରେ ମୁରୁକି ହସି ତା’ ମୁହଁକୁ ଚାହିଁ ରହେ। ନିଃଶବ୍ଦ ହସଟା ଅତନୁ ମୁହଁକୁ କି ଚମତ୍କାର ଦିଶେ! ନୀରବ ଅଥଚ ମୁଖର। ତା’ ଭିତରେ କହି ହୋଇଯାଏ ଅନେକ କଥା। ଯାହା କେବେ ମୁହଁ ଖୋଲି କହି ହୋଇ ନଥାନ୍ତା। ହସିଲେ ଅତନୁ ଠିକ୍ ଶ୍ରୀକୃଷ୍ଣଙ୍କ ପରି ଦିଶେ। ଆଜି ମନ୍ଦିରରେ ରାଧାକୃଷ୍ଣଙ୍କ ବିଗ୍ରହ ଦେଖି ତା’ର ଅତନୁ କଥା ମନେ ପଡୁଥିଲା। ଶ୍ରୀକୃଷ୍ଣ ବେଢେଇ ଧରିଥିଲେ ରାଧାଙ୍କ କ୍ଷୀଣ କଟୀ। ଅନ୍ୟ ହାତରେ ବ°ଶୀ। ସେ ହାତ ତଳେ ରାଧାଙ୍କ ନିପୀଡିତ ପୀନ ପୟୋଧର ଯେପରି ଉଦବେଳିତ ହୋଇ ଉଠୁଥିଲା।
ଉତ୍ତିକଣ ଜମିଦାର ରସିକ ଥିଲେ ନିଶ୍ଚୟ।
କନି ଲାଜେଇ ଉଠିଥିଲା।
ଜାତିଆଣ ନିଶାପରେ କେହି ଜଣେ ଅନୁନୟ କଣ୍ଠରେ କହୁଥିଲା, “ଆଜି କାଲିତ ଚଳିଲାଣି ଆଜ୍ଞା !”
କୁଳ ବେହେରା ମାଗୁଣି ଦାସେ ଘାଗଡା ଗଳାରେ ଖିଙ୍କାରି ଉଠିଲେ, “ଚଳିଲାଣି ବୋଲି କ’ଣ ଅଗମ୍ୟା ଗମିବ ମହାଙ୍କୁଡେ! ଯାଦବକୁଳର ମାନମହତ ପୋଡ଼ି ଖାଇବ? ମୁଁ ପଚାରୁଛି – ତାକୁ ସାଙ୍ଗରେ ଆଣିଲନି କିଆଁ?”
ଆଉ ଜଣେ କିଏ କହିଲା – “ଯାହା ଫଇସଲା କରିବା କଥା ଚଞ୍ଚଳ ଛିଣ୍ଡା। ଦରିଆ ମୁଣ୍ଡ ଗର୍ଜିଲାଣି। ମେଘ ପବନ ହେବ କି କ’ଣ?”
ସତକୁ ସତ ସମୁଦ୍ରଆଡୁ କଳାହାଣ୍ଡିଆ ମେଘ ଖଣ୍ଡେ ଉଠି ଆସି ଜହ୍ନଟାକୁ ଘଡିକରେ ବୁଡେଇ ପକାଇଲା। ସହସ୍ର ସାପର ଫୁତ୍କାର ପରି ସୁ’ ସୁ’ କରି ଉଠିଲା ସମୁଦ୍ରକୂଳ ଝାଉଁବଣ। ବେଣା ବୁଦା ସନ୍ଧିରୁ ତୁହାକୁତୁହା ଧୂଳି ବାଲି ଉଠି ଆସି ଆଖି କାନ ରୁନ୍ଧି ହୋଇଗଲା। ହେମାଳ ପବନରେ ଲୋମ ଟାଙ୍କୁରି ଉଠିଲାବେଳକକୁ ଚାରିଆଡ଼ ନିବୁଜ କରି ବରକୋଳିଆ ଟୋପାସବୁ ଅଜାଡି ହୋଇ ପଡିଲା।
‘ମାଳ – ମାଳ’ ଡାକି ମନ୍ଦିରର ମୁଖଶାଳା ନିକଟରେ କନି ପହଞ୍ଚିଲା। ସେହି ଭିଡ ଓ ଠେଲାପେଲା ଭିତରେ ସେ ଛାଏଁ ଭିତରକୁ ପେଲି ହୋଇଗଲା। ବାହାରେ ଯେପରି କିଏ ସେତେବେଳେକୁ ମାଠିଆ ମୁହଁରୁ ପାଣି ଅଜାଡୁଛି। ମେଘ ସାଙ୍ଗକୁ ବିହାରେ ରହିଯାଇଥିବା ଲୋକଙ୍କର ପାଟି ତୁଣ୍ଡରେ କାନ ଅତଡା ପଡିଯାଉଥାଏ। ପଦାରେ ଥିବା ଲୋକ ଭିତରେ ପଶିବା ପାଇଁ ଠେଲାପେଲା ଲଗାଇଥିଲେ। ଭିତରେ କିନ୍ତୁ ସୋରିଷଟିଏ ପକାଇବାକୁ ବି ଆଉ ଜାଗା ନଥିଲା। କାହାର ଗୋଟିଏ ପଛୁଆ ଧକ୍କାରେ କନି କାନ୍ଥରେ ଚାପି ହୋଇଗଲା। ଲୋକଟା ତା କାନ୍ଧକୁ ମାଡି ବସି ଗହଳି ଭିତରେ ସିଧା ହୋଇ ଠିଆ ହେବାକୁ ବୋଧେ ଚେଷ୍ଟା କରୁଥିଲା।
ଦମକାଏ ପବନରେ କେଉଁଠି ଡାଳଟାଏ ମଡ଼ ମଡ଼ ହୋଇ ଭାଙ୍ଗି ପଡିଲା। ତା’ ସାଙ୍ଗକୁ ଆକାଶର ଛାତି ଫାଟିଗଲା ପରି ଚଡଚଡିଟାଏ ପାଖରେ କେଉଁଠି ଛିଣ୍ଡିପଡିଲା। ଅଜଗର ସାପ ଶୀକାର ଦେହରେ ଗୁଡେଇ ହୋଇ ପଡିଲାପରି ଭିଡଟା କ୍ରମେ ନିଚ୍ଛିଦ୍ର ହୋଇ ଉଠୁଥିଲା। କନିକୁ ଲାଗିଲା – ତା’ର ନିଶ୍ୱାସ ରୁନ୍ଧି ହୋଇଯିବ।
ତା’ରି ଭିତରେ ପଛ ଲୋକଟା କେତେବେଳେ ତା’ ଅଣ୍ଟାକୁ ଗୁଡେଇ ଧରି ଦେହରେ ଗୋଟାପଣେ ଚାପି ହୋଇ ଯାଇଥିଲା। ସେ ଲୋକର ଅଙ୍ଗପ୍ରତ୍ୟଙ୍ଗକୁ କନି ସ୍ପଷ୍ଟ ଭାବରେ ଅନୁଭବ କରି ପାରୁଥିଲା। ଲୋକଟାର ଉତ୍ତପ୍ତ ନିଶ୍ୱାସରେ କନି ଗାଲରୁ ଅରାଏ ସିଝି ଯାଉଥିଲା।
ଅଥଚ କନି କିଛି ବି ପ୍ରତିବାଦ କରି ପାରିଲାନି। ତା’ ଆଖି ଆଗରେ ଭାସି ଉଠୁଥିଲା – ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ଶ୍ରୀକୃଷ୍ଣଙ୍କର କରପଲ୍ଲବର ନେପଥ୍ୟରେ ନିପୀଡିତା ରାଧାଙ୍କ ବକ୍ଷୋଜର ବ୍ୟାକୁଳ ଉଦବେଳନ।
ଭିତରେ କେଉଁଠି ବହୁଦିନର ସୁପ୍ତ ଆଗ୍ନେୟଗିରିଟା ଅକସ୍ମାତ୍ ଲାଭା ଉଦଗୀରଣ କରି ଉଠିଛି। ସେଥିରେ ଜଳିପୋଡି କନି ଭସ୍ମ ହୋଇଯିବ। ମୁଣ୍ଡ ଭିତରେ କେଉଁଠି କ’ଣ ଛିଣ୍ଡି ଯାଇଛି। ଦେହ ହାତ ଅବଶ ହୋଇ ପଡୁଚି। ତାକୁ ଲାଗିଲା ତା’ର ଚେତା ବୁଡି ଯାଉଛି।
ମେଲଣ ପଡିଆ ବାହାରେ ଆକାଶ ଓ ପୃଥିବୀ ଏକାକାର ହୋଇ ଉଠୁଥିଲେ। ବିବସ୍ତ୍ରା ପ୍ରକୃତି କ୍ରମେ ହୋଇ ଉଠୁଥିଲା ଆହୁରି ନିବିଡ଼, ଆହୁରି ନିରନ୍ଧ୍ର। କନି ବିଳିବିଳେଇଲା ପରି ପ୍ରତିବାଦ କରି ଉଠିଲା – ନା – ନା !
ତାକୁ ହଲେଇ ଦେଇ ମାଳ ପଚାରିଲା – “କ’ଣ ସପନ ଦେଖୁଥିଲ କି ଦେଈ?” ମାଳ କେତେବେଳୁ ଫେରି ଆସିଲାଣି।
କନି ତାକୁ ପଚାରିଲା, “କାଲି ମେଘବେଳେ ତୁ ଥିଲୁ କେଉଁଠି ପୋଡାମୁହୀଁ?”
(ମିଃ ଚଡଢାଙ୍କ ଅଚାନକ ବଦଳି ପରେ କନି ମନ…… ଆର ଥରକୁ)