ଦାହ (ଦୁଇ)

ସକାଳୁ ଶୋଇ ଶୋଇ କନି ଗଲା ରାତିର କଥା ମନେ ପକାଉଥିଲା। ଅତନୁ ତାକୁ ଜୋର କରି ମିଠାଟାଏ ଖୋଇ ଦେଲାବେଳେ, ସେଥିରୁ ଖଣ୍ଡେ ଭାଙ୍ଗି ଶାଢ଼ୀ ଉପରେ ଖସି ପଡିଲା। ଅତନୁ ତରତରରେ ସେତକ ପୋଛି ଫିଙ୍ଗି ଦେଲାବେଳେ କନି ଛାତିରୁ ଶାଢ଼ୀଟା ପ୍ରାୟ ଅଧାଅଧି ଖସିଗଲା। ଲାଜରେ କନି ମୁହଁ ତଳକୁ କରି ଦେଲାବେଳକୁ ଚା’ କପ୍ ଧରି ମାଳ ପହଞ୍ଚିଲା।

କିନ୍ତୁ କ୍ଷଣକର ସେହି ଆକସ୍ମିକ ସ୍ପର୍ଶରେ କି ଯାଦୁ ଥିଲା କେଜାଣି କନିର ସ୍ନାୟୁତନ୍ତ୍ରୀ ସବୁ ମୋହବିଷ୍ଟ ହୋଇ ରହିଲେ ଅନେକ ସମୟ।

ସେଇ ମୋହଚ୍ଛନ୍ନ ମୁହୂର୍ତ୍ତରେ ଅତନୁ ତାକୁ କ’ଣ କହିଲା କିମ୍ବା ଅତନୁକୁ ସେ କ’ଣ କହିଲା ଏବେ ଆଉ କିଛି ମନେ ପଡୁନି। ତା’ର ଖାଲି ମନେ ଅଛି ମାଛ କାତିଆ ବଉଦ ଫାଙ୍କରେ ଜହ୍ନଟା ସୁଅ ମୁହଁରେ ଖଣ୍ଡେ ଅଣାୟତ୍ତ ଡଙ୍ଗାପରି ଭାସି ଯାଉଥିଲା। ଅତନୁ ଫେରିଲା ବେଳକୁ ଜହ୍ନ ଆମ୍ବଗଛ ମଥାନ ଡେଇଁ ନଈପଠା ବେଣାବଣ ଆଡ଼େ ମାତାଲଙ୍କ ପରି ଢ଼ଳି ପଡୁଥିଲା। ଛାତି ଉପରେ ସେ ସ୍ପର୍ଶ ଏବେ ବି ଲାଗି ରହିଲାପରି ଲାଗୁଥିଲା। ତାର ମନେ ପଡିଗଲା – ରବିବାର ଦିନ ସ୍ବପ୍ନେଶ୍ବର ଯିବା କଥା। ଅତନୁ ଦ୍ରୁତ ଗତିରେ ସ୍କୁଟର ଚଳାଏ। ତା’ ପଛରେ ବସିଥିଲାବେଳେ କନିକୁ କେତେବେଳେ ଘୋଡ଼ା ପିଠିରେ ଚଢ଼ି ଦିଗବିଜୟରେ ବାହାରିଲା ପରି ଲାଗେ ତ ଆଉ କେତେବେଳେ ଦୋଳି ଖେଳିଲା ପରି ଲାଗେ। କପଟ କ୍ରୋଧରେ ଅତନୁକୁ ସେଥି ପାଇଁ ଯେତେ ଗାଳି ଦେଲେ ବି ଭିତରେ କନିର ଦେହ ଉଲୁସି ଉଠେ। ଏକ ଅଦ୍ଭୁତ ଶିହରଣରେ ତାର ଲୋମସବୁ ଠିଆ ହୋଇ ଯାଆନ୍ତି। ମନେ ମନେ ସେ କଳ୍ପନା କରେ ଜୀବନଟା ଏମିତି ଝଡ ପରି ଗତିବାନ୍ ହୋଇଥାନ୍ତା କି!

ଦୁଆର ମୁହଁକୁ ଛାଇଟାଏ ଲମ୍ବି ଆସିଲା। ତେଣେ ନ ଚାହିଁ କନି ଜାଣିପାରିଲା ଯେ କାହ୍ନୁଆ କ୍ଷୀର ନେଇ ଆସିଛି। ତା’ ଛଡ଼ା କେହି ଏତେ ସକାଳୁ ଆସନ୍ତି ନାହିଁ।

ଦୁଆର ମୁହଁରେ କାନିକୁ ଅଧେ ପାରି ମାଳ ଶୋଇଛି। ରାତିରେ ଗରମ ହେଉଥିଲା ବୋଲି ସେ ଖାଲି ଖଣ୍ଡେ ପତଳାଶାଢୀ ପିନ୍ଧିଥିଲା। ପେଟ ଉପରଟା ପୂରା ଫୁଙ୍ଗୁଳା। ବାଁ ପାଖ ଛାତିରୁ  ବି ଶାଢ଼ୀ ଖସି ଯାଇଛି। ହାଁ କରି କାହ୍ନୁଆ ସେଇଠିକୁ ଅନେକ ରହିଛି। ବଣ କଟାସ କୁକୁଡ଼ାକୁ ଝାମ୍ପିଲା ଆଗରୁ ଯେପରି ଏକଲୟରେ ଚାହିଁ ରହିଥାଏ। ଅନ୍ୟ ଦିନ ହୋଇଥିଲେ ସେ ମାଳ ଉପରେ ଚିଡିଥାନ୍ତା। କିନ୍ତୁ ମନ ଭରି ସେ ଦୃଶ୍ୟଟାକୁ କନି ଉପଭୋଗ କଲା। ତାକୁ ଲାଗିଲା- ହୁଡାମାଳ ପାଟ ଭିତରୁ ଖଣ୍ଡିଆଭୂତଟାଏ କାଠି, କୁଟା, ପତ୍ର ସବୁକୁ ପ୍ରଚଣ୍ଡ ବେଗରେ ଉପରକୁ ଟେକି ନେଉଛି। ଗୋଟାଏ କିଛି ଅଭାବନୀୟ ଦୃଶ୍ୟର ଅପେକ୍ଷାରେ ସେ ନିଶ୍ଚଳ ହୋଇ ପଡି ରହିଲା। କ୍ଷୀର ଠେକିଟାକୁ ତଳେଥୋଇ ଦେଇ କାହ୍ନୁଆ ଯଦି ବର୍ତ୍ତମାନ ଛେଳିଛୁଆକୁ ବିଲୁଆ ଝୁଣିଲା ପରି ମାଳକୁ ଝୁଣି ପକାନ୍ତା! କିନ୍ତୁ ସେପରି କିଛି ଘଟିଲାନି।

ମାଳ କଡ଼ ଲେଉଟାଇଲା ବେଳକୁ ଟିକେ ଦୂରକୁ ଘୁଞ୍ଚିଯାଇ କାହ୍ନୁଆ ଡାକିଲା- ନୂଆଉ!

ମାଳ ଜବାବ ଦେବା ଆଗରୁ କନି ଉଠିବାର ଛଳନା କରି ପଚାରିଲା – କିଏ କାହ୍ନୁଭାଇ?

ଗେଟ୍ ପାଖରୁ କାହ୍ନୁଆର ସ୍ବର ଶୁଭିଲା – କ୍ଷୀର ରହିଲା।

ଆଜି ଅନେକ ଡେରି ହେଲାଣି। କନି ତରତରରେ ଉଠି ଆସିଲା। ଆଜି ନୂଆ ବି. ଏମ୍. ଅଫିସରେ ଜଏନ୍ କରିବେ।

ନୂଆ ବି. ଏମ୍. – ମିଃ ଚଡ୍ଢ଼।

ନାଁ ଟା ଶୁଣୁ ଶୁଣୁ ହୋ ହୋ ହସି ଡେଲିଭରି କ୍ଲର୍କ ରମେଶ ମିଶ୍ର କହିଲା, “ପୋଷ୍ଟକୁ ଦେଖି ନାଁ ଟା ହୋଇଛି ଏକା। ବି. ଏମ୍. ଙ୍କ କାମ ତ ସମସ୍ତଙ୍କ ଉପରେ ଚଢ଼ି ମୁଣ୍ଡରେ ବସିବା।” ପକ୍ଷ ସମର୍ଥନ ପାଇଁ ତା’ପରେ ସେ ଛନ୍ଦା ଷଡ଼ଙ୍ଗୀ ମୁହଁକୁ ଚାହିଁ ରହିଲା। ମୁରୁକି ହସାରେ ଛନ୍ଦା ଦେଲା ଜବାବ।

ବଡବାବୁ ଛନ୍ଦା ଷଡ଼ଙ୍ଗୀ ଆଡେ ଗାରଡ଼ ପରି ତରାଟି ଚାହିଁ ରମେଶ ମିଶ୍ର କଥାକୁ ବାଁ ବାଁ ଉଡେଇ ଦେବାକୁ କହିଲେ, ” ହଃ, କେତେ ବି. ଏମ୍., ସି. ଏମ୍. ତ ଗଲେଣି। ଚଢା ହୁଅନ୍ତୁ କି ଉତରା ହୁଅନ୍ତୁ- ସମସ୍ତେ ସେଇ ଗୋଟିଏ ନାଉର ମଞ୍ଜି। ମଣିଷ ରକ୍ତ ଶୋଷିବାକୁ ଯେମିତି ଗୋଟାଏ ଗୋଟାଏ ଜୋକ।” ଆଗ ବି.ଏମ୍.ଙ୍କ ଅମଳରେ ବଡବାବୁଙ୍କ କାରବାର ମୋଟେ ପଟୁ ନ ଥିଲା।

ବଡବାବୁଙ୍କୁ ଦେଖିଲେ କନିର କାହିଁକି ମଳାଶୁର ବିକଳି ମହାନ୍ତିଙ୍କ କଥା ମନେ ପଡିଯାଏ। ସେଇ ସର୍ବଗ୍ରାସୀ ହାଡ଼ଗିଳା ଚେହେରା। ବଗ ବେକ ପରି ଲମ୍ବା ବେକରେ ସାପ କୁଣ୍ଡଳୀ ମୋଡିଲା ପରି ତିନିସରି ତୁଳସୀ ମାଳି। କଥା କହିଲାବେଳେ ବେଙ୍ଗ ଥୋମଣି ପରି ଅସନା ଘଣ୍ଟିକାଟା ମାଳିର ଏପଟ ସେପଟକୁ ଖପରା ଡେଇଁଲା ପରି ଡିଏଁ। ଦା’ ବାଙ୍କ ନୁଆଁଣିଆ ପିଠି ଉପରେ ମୁଣ୍ଡଟାକୁ ଚକୁଳିଆ ପଣ୍ଡା ଠେକା ଭଳି ସତେଅବା କିଏ ଥାପି ଦେଇଛି। କିନ୍ତୁ ଆଖି ଦୁଇଟାକୁ ଚାହିଁ ଦେଲେ କନି ଭୟରେ ଥରି ଉଠେ। ସତେ ଯେପରି ସାହାଡାଗଛ ଅନ୍ଧାରୁଆ କୋରଡ଼ ଭିତରୁ ପେଚାର ଦୁଇଟା ଜଳନ୍ତା ଆଖି। ମଳାଶୁରଙ୍କୁ ଦେଖିବା କ୍ଷଣି ଶାଶୁ ତାଙ୍କର ଚିରାଚରିତ ନାକ ସୁଉଁ ସୁଉଁ କାନ୍ଦଣା ଆରମ୍ଭ କରି ଦେଉଥିଲେ- ” ମୋତେ ମଝି ନଈରେ ବୁଡେଇ ମାରିଲୁରେ – ହା- ବିକଳା।”

ମଳାଶୁରଙ୍କ କେଉଁ ଲେଖା ଯୋଖା ଶଳା ମଥୁରୀ ପରିଡ଼ା ଥିଲା, କନି ବାହାଘରର ମଧ୍ୟସ୍ଥି। ଝାଳ ପୋଛୁପୋଛୁ ଭଉଣୀକୁ ସେ ପ୍ରବୋଧନା ଦିଅନ୍ତି- “ସେ ଶଳା ମଥୁରୀ ପରିଡ଼ା ମୋତେ ଏମିତି ଚିତାକାଟିବ ବୋଲି କ’ଣ ମୁଁ ଜାଣିଥିଲି!”

ମୁହଁ ଉପରକୁ ଓଢ଼ଣାଟା ଟାଣି ଦେଇ କନି ଲୁହ ଢ଼ଳଢ଼ଳ ଆଖିରେ ଉଠିଯାଏ। ପାଣି ଢାଳଟା ରଖି ଦୂରଛଡା ହୋଇ ପ୍ରଣାମ କଲାବେଳକୁ ମଳାଶୁର କହୁଥାନ୍ତି-” ମୁଁ ତ ଏଇ ଗୋଡେଗୋଡେ ଫେରିଯିବି ଅପା। ଗୋଡ଼ ଧୋଇବି କାହିଁକି?”

ପ୍ରତିଥର ‘ଯିବି-ଯିବି’ କହି ସେ ଦୁଇ ତିନି ଦିନ ଅଟକି ଯାଆନ୍ତି। ବାଡିପଟ କୂଅମୂଳେ ବସି ଦାନ୍ତ ଘଷୁ ଘଷୁ କନି ସେଇ ପୁରୁଣା କଥା ସବୁ ମନେ ପକାଉଥିଲା। ମାଳ ଆସି ଚା’ ଦେଇ ପଚାରିଲା, “ବେଳ ଆସି ଏତେ ହେଲାଣି। ଆଜି ଅଫିସ୍ ଯିବନି କି ଦେଈ?”

କନି ତରତରହୋଇ ଚା’ ପିଇ ଗାଧୋଇବା ପାଇଁ ଉଠିଗଲା।

(ତାପରଦିନ ଅଫିସରୁ ଫେରି କନି ଦେଖିଲା……ଆର ସପ୍ତାହକୁ)