ବାର୍ବି

ମୁଁ ସ୍ମୟଙ୍କ୍ ।

ସ୍ମୟଙ୍କ୍ ଦାସଚୌଧୁରୀ ।

ଶ୍ରେଣୀ : ପଞ୍ଚମ

ମନସ୍ଥିତି : ଅନେକ କଥା ନ ବୁଝିପାରିବା ଆଉ ବୁଝିବାର ଚେଷ୍ଟା ମଝିରେ ଝୁଲିବା…… ଦୋଳକ ଘଣ୍ଟାର ଗୋଲ ଝୁଲା ପରି …. ଥରେ ବାଁ ଆଉ ଥରକୁ ଡାହାଣ ।

ହଁ ସେମିତି ହି କିଛି ,ଯାହା କହିହବନି । ମୁଁ ଜାଣିନି ଭୁଲ କଣ ଠିକ କଣ । କାହାର ,କିଏ, କଣ, କେମିତି, କାହିଁକି ଏ ସବୁ ବୁଝିବାର କାଳେ ବୟସଟେ ହେଇନି । କିନ୍ତୁ ମୁଁ ବୁଝିଛି କିଛି ତ ଗୋଟେ ନ ହବା କଥା  ଘଟିଛି ,ଘଟୁଛି ଚାରିପଟେ ….. ଯାହାକୁ କିଏ ସଜାଡି ପାରେ କେଜାଣି !

ମଣିଷର ଚେତନା ତ ଆଉ ବୟସର ଦାୟରେ ବନ୍ଧା ନୁହେଁ ନା !ସିଏ ତ ସହସ୍ର କୋଟି ବର୍ଷର ଅଭିଜ୍ଞତା ଧରି ଚଢୁଥାଏ ଜନ୍ମ ପରଜନ୍ମର ପାହାଚ। ବହି କହେ ଯେତେ ସବୁ ଅବୁଝା କଥା, ଜୀବନ ବାଟ ଚଲେଇ ଝୁନ୍ତେଇ ପେଲି ଦେଇ ଶିଖାଏ।

ଆମେ ଉପର ଘରେ ରହୁ । ଭଡାରେ। ।ମୁଁ ଆଉ ମୋ ମାମା ।ତଳଘରେ ଘରମାଲିକ ।

ଆଉ ତାଙ୍କର ପିଲେ …… ସୁହାନୀ, ଆଉ ମେହୁଲ୍ …. ଭାଇଟେ ଭଉଣୀଟେ  ।ଜଣେ ମୋ ସାଙ୍ଗ ଓ ଆର ଜଣକ ଆମଠୁ ସାନ। ଏକା ସ୍କୁଲ ଆମର ।ତଳ ଆମ୍ବଗଛ ଅଗଣା ରେ ଆମେ ଢେର୍ ଖେଳୁ, ଢେର୍ । ସେମାନେ ମତେ ସେତେବେଳ ଯାଏ ଭଲ ଲାଗନ୍ତି ଯେ ଯାଏ ସେମାନେ ପଚରନ୍ତିନି,” କିରେ ସ୍ଵୟଙ୍କ, ତୋ ପାପା କେବେ ଅସନ୍ତିନି କାଇଁ? କୋଉଠି ରହନ୍ତି? ଦେଖିଛୁ କେବେ? “

ମାମା ତ ଅଧା ଦିନ ଚୁପ୍ ରହେ ଥାକରେ ଥୁଆ ଜବରଦସ୍ତ ସ୍ମିତ ହସଟେ ପିନ୍ଧିଥିବା ବୋଉ କଣ୍ଢେଇ ପରି ।ଅଧା ଦିନ ଆକାଶ କୁ ଚାହେଁ ଆଉ ବାକି ସମୟ ସାୱାର୍ ଖୋଲି ଥାଏ ଗାଧୁଆଘରଟାରେ । କଣ କରେ କେଜାଣି ଏତେ ସମୟ  ! ମୁଁ ଟିକେ ପାଣି ଖେଳିଲେ ମତେ କିନ୍ତୁ ବିଗିଡେ ।ତାକୁ ଯେମିତି ଥଣ୍ଡା ଶର୍ଦ୍ଦି ହୁଏନି ସେମିତି ବସି ରହେ ଭିତରୁ ଦୁଆର ଦେଇ ଗାଧୁଆଘରଟାରେ ।ଆମେ ତ ଦି ଜଣ ମାତ୍ର ।ଜଣେ ଏତେ ଶୁଖିଲା ମୁହଁ କଲେ ଆର ଜଣକୁ ଭଲ ଲାଗିବ କଣ ! ମାମା ଚେଷ୍ଟା କରେ ହସିବାକୁ ।ହସେ ବି । ହେଲେ ସେ ହସ ଆମ ଆଲବମରେ ଆଗରୁ ଥିବା ମାମାର କେତେ ହସହସ ଫଟୋଠୁ ଛାଡେ ।ସେମିତି କେବେ ହସୁଥିଲା ମାମାଟା ମୋର ।ଆଉ ଥରେ ଏବେ ପୁଣି ହସନ୍ତାନି ସେମିତି! ମୋର ଭାରି ଦେଖିବାକୁ ଇଛ୍ଛା ତାର ସେଇ ମୁହଁ ।କଣ କଲେ ସିଏ ଖୁସି ହବ ,ସେଇ ଆଗପରି ହସିବ ମୁଁ ଭାବେ ।ଆଉ ତାକୁ ହସେଇବା ଚକ୍କର ରେ ଓଲଟା ପୁଲଟା କାମ କରିବସେ ତ ସିଏ ଅଳ୍ପ କି ହସେ ଖୁବ୍ ସାରା ବିଗିଡି ସାରି। ସିଏ ବୁଝେ କି ନା କେଜାଣି ଯେ ଏ ସବୁ ତାକୁ ଖାଲି ଟିକେ ହସେଇବାର ପ୍ରଚେଷ୍ଟା ଥିଲା ମୋର ବୋଲି!

ମଣିଷର ପସନ୍ଦ ମୂହୁର୍ତ୍ତ ସବୁ ବାନ୍ଧି ସାଇତି ରଖିହେଇପାରନ୍ତାନି କୋଉ ଗୋଟେ ଉପାୟରେ ! ପ୍ରଜାପତି ଡେଣାର ସ୍ବପ୍ନମିଶା ଛିଟକୁ ହାତ ମାରୁ ମାରୁ ଉଲୁରି ଆସି ତମ ଆଙ୍ଗୁଳି ଅଗରେ ନେସି ହେଇଗଲା ପରି ଏ ସୁନାର ସମୟ ସବୁ ଚଟ୍ କି ଡେଣାରୁ ପୋଛିହେଇ ପର ମୂହୁର୍ତ୍ତ କୁ ସ୍ମୃତି ପାଲଟନ୍ତି ।ଶୂନ୍ୟ କରିଦିଅନ୍ତି ମନର କୋଉ ଗୋଟେ କୋଣ । ଅପେକ୍ଷା କାନ୍ଥ ର ରଙ୍ଗ କଣ ହୋଇପାରେ!

ମୋ ପାଖେ ପାଖେ ଜଗିଥାଏ ମାମା ।  ମୁଁ କଣ, କେମିତି ବ୍ଯବହାର କଲି, କୋଉ କଥାରେ କେମିତି ପ୍ରତିକ୍ରିୟା  ଦେଖେଇଲି ସବୁ ଆକାଶର ସୂର୍ଯ୍ୟ ସାକ୍ଷ ରହିଲା ପରି ଜଗିରହି ମନରେ ଟିପିରଖେ ।ତଦାରଖ କରେ । ରାତିରେ ଶୋଇବା ଶେଜରେ ତା ‘ କୋଳରେ ମୁଁ  ପେଟେଇଲା ବେଳେ ଗପ ଛଳ ରେ ବାଟ ଅବାଟ,ଫୁଲକଣ୍ଟା ଚିହ୍ନାଏ । ବତାଏ ।ମୁଁ ବୁଝେ କିଛି ଆଉ ଅନେକ ଅବୁଝା ରହେ ।ମୁଁ ଚେଇଁବାର ଲଢେଇରେ ହାରେ ।ଆଉ ଆଖି ପତା କେତେବେଳେ ଜିତିଯାଏ ,ନିଦ ଆଉଁସାରେ ।ସିଏ କିନ୍ତୁ ଛାତରୁ ଲଟକିଥିବା ପଙ୍ଖାଟାକୁ ଅନେଇ ଥାଏ ଯେ ଅନେଇଥାଏ ।ମୁଁ ସ୍ବପ୍ନ ମେଘରେ ପହଞ୍ଚି ସାରିଥାଏ ଶୁଣୁ ଶୁଣୁ ଜୀବନର ଗପ । ସେ ଗପ ସବୁରେ ମାମା ହି ସୁନ୍ଦର ରାଜକୁମାରୀ ବୋଲି ମୁଁ ବୁଝି ପାରେ ଆଉ ସେ ଧଳା ଘୋଡାର ରାଜକୁମାର  …… କିଏ ? ଏ କଥା ଅଶୁଣା ରହିଯାଏ ପ୍ରତିନିତି  ।

କିଛି ଲୁହ ପୋଛାହୁଏ ପଣତ କାନିରେ

କିଛି ଲୁହ ପି ‘ ଯାଏ ଓଠ

ପିନ୍ଧେଇଦେଇ କାଚର ନୀରବ ହସ ।।

ଝରାପତ୍ର ପରି ବାଦାମୀ ହଳଦୀ ଶୁଖିଲା ଦିଶେ ମାମା ଅଗଣାର ଖସିଯାଇଥିବା ପତ୍ର ସବୁକୁ ସଫା କରୁ କରୁ ।କେତେ ଚିଜ ଆମ ଭଳି ପ୍ରତେ ହୁଅନ୍ତି ଆମ ଚାରିପଟେ । ନୁହେଁ!

ସେଦିନ ଆମ ଗଳି ପାଖ ଝୋପଡ ର ପିଲେ ଖୁସିରେ ଚକ ଗଡେଇ ଗଡେଇ ଖେଳୁଥିଲେ ଖୁସି ର ଖେଳ। ଖେଳୁଥିଲେ ଜୀବନ କୁ ଟାୟାର ରେ ଗଡେଇ । ହସ ହସ ଆଉ ସୁନ୍ଦର ।ମୋର ବି ଇଛ୍ଛା ହଉଥିଲା ତାଙ୍କ ସହ ଦଉଡିବାକୁ । ପବନ କୁ ଜିତିବାକୁ ।

ମାମା କୁ ପଚାରିଲି, ” ମାମା ! ତାଙ୍କର ତ ସାର୍ଟ, ସୁ, ଟ୍ରାଏସ୍କୁଟର କିଛି ନାହିଁ । ତଥାପି ସେମାନେ କେତେ ଖୁସି ନା ? “ମାମା କହିଲା ସବୁବେଳେ ମାନେ ନାହିଁ ବାବା, ଦୋକାନର କାଚ ପଛର ବାର୍ବୀ ମାନେ ହିଁ ଦୁନିଆର ସବୁଠୁ ସୁଖୀ! ଯାହା ଦିଶେ ତାହା ସବୁବେଳେ ସତ ନୁହେଁ ।ନେପଥ୍ଯରେ ଘଟୁଥାଏ ଅନେକ ଯନ୍ତ୍ରଣା । ସୁନାକାନ୍ଥ ପଛରେ ବି ।” ଏମିତି ଅଦ୍ଭୁତ ଉତ୍ତର କରେ ବୋଲି ମୁଁ ତାକୁ କିଛି ପଚାରେନି । ପଚାରିବାକୁ ଚାହେଁନି ହି। ହେଲେ ଏ ପ୍ରଶ୍ନଗଦା କୁଣ୍ଡଳୀ ମୋଡ଼ିବା କୋଉ ଛାଡେ!

ସେଦିନ ତଳ ଘର ସୁହାନୀ ଘରଘର ଖେଳୁ ଖେଳୁ ପଚାରିଲା, ” ଏ ତୁ ତ ଜାଣିନୁ ପାପା କେମିତି , ଘର ଘର ଖେଳରେ ତୁ କଣ ହବୁ କହ ? ଭଡ଼ଟିଆ ହବୁ ?”

ମତେ କାନ୍ଦ ଲାଗିଲା ଯେ କିନ୍ତୁ ମୁଁ ଭାରି ସାହସୀ।

ମୁଁ କହିଲି, ” ମୋ ପାପା ଅଛନ୍ତି । ଆଉଟ୍ ଅଫ୍ ଷ୍ଟେସନ୍ । ଶିଘ୍ର ଆସିବେ। ରୁହ। ଦେଖିବ।”

ଘର ଭିତରକୁ ଦଉଡ଼ି ଫେରିଯିବକୁ ମୁଁ ଚାହୁଥିଲି।

ମୁଁ ଜାଣୁଥିଲି ମୁଁ ନିଜକୁ ବୋଧ ଦେଉଛି ମିଛ କି ସତ କଣ ଗୋଟେ କହି ।

ମାମା ବି ବେଞ୍ଚରୁ ଉଠି ଭିତରକୁ ଚାଲିଗଲା ମୋ ଉତ୍ତର ଶୁଣି ଆଉ ପୁଣି ସେ ସାୱାର୍ ଶବ୍ଦ ଆସିବ ଭିତରୁ ବୋଲି ମୁଁ ଭାବୁଥିଲି , ଥଣ୍ଡା ହୁଏନି ଏତେ ଓଦା ହେଲେ ତାକୁ ? ମୁଁ ଟିକେ ପାଣିହାତ ହେଲେ ହି ” ନୋ_ ନୋ ” ଚିଲାଏ।କିନ୍ତୁ ଉପର ଛାତ ପରଚୁଟ ସେପଖରୁ ଦିଶିଲା ମାଆର ଶାଢ଼ୀ କାନି। ମାଆ ଛାତରେ ଥିଲା। ମୁଁ ଦଉଡ଼ି ଗଲି ତା ପାଖକୁ ଏକ, ଦୁଇ, ତିନି ଗଣି ଗଣିକା। ମାଆ ବୋଧେ ଭଲ ମନ ରେ ଥିଲା , ମତେ ଚାହିଁ ହସିଲା ଆଉ କହିଲା,” ଜାଣିଛୁ, ଏଇ ଯୋଉ ଚଢ଼େଇ ମାନେ ଉଡ଼ିଯାଉଛନ୍ତି ତାଙ୍କର ବି ଗୋଟେ ଗୋଟେ ବସା ଅଛି କୋଉ ଗୋଟେ ଗଛ ରେ। ସେମାନେ ନା ସକାଳୁ ପୂର୍ବ କୁ ଆଉ ସଞ୍ଜ ଗଡିଲେ ପଶ୍ଚିମ କୁ ଡେଣ ଝଡାନ୍ତି। କେତେ ମଜା ନା।”

ମତେ ଆଉ ଖେଳିବାକୁ ଇଛ୍ଛା ନଥିଲା ତଳେ,

ମୁଁ ଛାତ ରୁ ଝୁଙ୍କି ମେହୁଲ୍ ଆଉ ସୁହାନି କୁ ହାତ ହଲେଇ ଜଣେଇଦେଲି। ଏବେ ମତେ ମାଆ ସହ ଭଲ ଲାଗୁଥିଲା। ତା ସହ ମତେ ଆହୁରି ଗପିବାର ଥିଲା। ରହିବାର ଥିଲା। ନୀଳ ଆକାଶ ମୁଁହା ମୋ ମାମା ଚାରିପଟେ ମୁଁ ଅକ୍ଷ ପଥରେ ଆବର୍ତ୍ତନ ପରିକ୍ରମଣ ଉଭୟ କରୁଥିଲି କୁନି ଜହ୍ନଟେ ପରି ।

ରାତିରେ ମାମା ପେଟରେ ଆଉଜିଲାରୁ ମାମା ମୋ ମୁହଁ କୁ ସିଧା ଚାହିଁ କହିଲା ,” ବି ଷ୍ଟ୍ରଙ୍ଗ ବେଟା,……. ତୁ ସାନ ହେଲେ ବି ମୁଁ ତ ତତେ ସବୁ କହିସାରିଛି । ତୁ ହିଁ ମୋର ସବୁକିଛି ଧନ । ସତକୁ ଆମକୁ ସାମ୍ନା କରିବାକୁ ହିଁ ହବ । ମୋର ଆଉ ଡର ନାହିଁ। ତୁ ଅଛୁ ମୋ ସହ । “…. ମୁଁ ବୁଝୁଥିଲି ସେ ସକାଳ କଥା ନେଇ କହୁଛି ।

ମୁଁ ପଚାରିଲି,” ମାମା ଭଡ଼ାଟିଆ ମାନେ? ଆଉ ପାପା?

ସିଏ ଚାହିଁଲା କାନ୍ଥ ଘଣ୍ଟା କୁ । ଆଉ କହିଲା,” ଶୋଇପଡ଼, ବହୁତ ରାତି ହେଲାଣି।”

ମୁଁ ଅଳି କଲି ମୋ ଉତ୍ତର ପାଇବାକୁ।

ସିଏ ବୁଝେଇଲା ପରି କହିଲା,” ସେଦିନ ଦେଖିଥିଲୁ ନା ସେ ପବନ ପରି, ହସ ମେଞ୍ଚେ ପରି ପିଲା ସବୁଙ୍କୁ ? ଆଜି ଦେଖିଲୁ କି ନା ରଙ୍ଗ ଥାକେ ପରି ଉଡନ୍ତା ଚଢ଼େଇ ତକ ଙ୍କୁ । ତୁ ବାସ୍ନା ପରି ହ। ଧୂପ ପରି ହ । ସୂର୍ଯ୍ୟ ପରି ହ । ନହେଲେ ଘାସ ଫୁଲ ବି ହେଇପାରିବ । ତୋ ଖୁସି ।ତୁ ହ । ଯାହା ଇଛା। ଖାଲି ଖୁସି ଥା ହମ୍ । ବାସ କାଚ ଆଲମାରୀ ଥାକ ପଛର ସଜା ସେ ନିର୍ଜୀବ ଚକଚକ କଣ୍ଢେଇ ହବା ଛଆ ଡି । ତାର ନା ଜିଭ ନ ଥାଏ।ସିଏ ସବୁ ନା ସହି ପାରେ ନା ଢ଼ୋକି । “

ମୁଁ ଚାହୁଁ ନ ଥିଲି କି ସିଏ ପୁଣି ଉଦାସ ହଉ।

 ତା ଫିକା ଗୋଲାପି ଓଠରେ ଗେଲ୍ହା କରି କହିଲି, ” ମାମା ସରୀ। ଆଉ ଥରକୁ ମୁଁ କହିବି,” ମୋ ମାମା ହି ମୋର ସବୁ । ପାପା ଆଉ ମାମା ଉଭୟ ।”

ମାମା ମୋ ପୁଚକା ଗାଲ କୁ ପୁଚ କରିଦେଇ କହିଲା ,” ଏ ଗେଲୁ ଜାଣିଛୁ ଆମେ ସମସ୍ତେ ନା ଏ ପୃଥିବୀ ର ଭଡାଟିଆ ହି ରେ। ଆସୁ ଯାଉ ପୁଣି ଆସୁ। ଅଭିନୟ ସାରୁ। ଆଉ ସେଇ ଉପରେ ଯିଏ ଅଛି ନା ସିଏ ହି ସମସ୍ତଙ୍କ ପାପା ଆଉ ନିର୍ଦ୍ଦେଶକ । ସବୁ ଘର ତାଙ୍କର। ଘର ମାଲିକ ଏକା ସିଏ । ” ସିଏ ମୋ ହାତ ପାପୁଲି କୁ ଭାରି ଯତ୍ନ ରେ ଧରି ଥାଏ ପୁଣି ଖୁସି ଦିଶୁଥାଏ। ମୋର ବା ଆଉ କଣ ଲୋଡା! ଏ ମାମା ଟା ମୋର ଏମିତି ହିଁ ଥାଉ। ବାସ।

ମାମା ଦେଖେଇଥବା ଆଙ୍ଗୁଳି ଦିଗରେ ଦିଗହର ଝିଟିପିଟି ଟିଏ ପାଣି ଖୋଜୁଥାଏ।

ଭଲ ପାଇବା ଏକ ବିଶ୍ୱାସର ଆବେଗ, ଯାହାର ବେଗ ବାସ୍ନା ପରି। କୋମଳ ଅଥଚ ପ୍ରଖର । ସବୁ “ନା” କୁ “ହଁ” କରିବା ଶକ୍ତି ସେଇ ପ୍ରେମରେ ହି ତ!

ଏବେ ମାମା ହସୁଥିଲା ଆଉ କଣ କଣ ସବୁ କହିହଉ ଥିଲା ମୋ ପାପୁଲି କୁ ସେମିତି ଧରିରଖି। ମୁଁ କୋଉ ତାର ସବୁ କଥା ବୁଝି ପାରେ ଯେ !

କିନ୍ତୁ ମୁଁ ଭାବୁଥିଲି

“ମୁଁ ସ୍ମୟଙ୍କ

ବୟସ ଆଠ

ମୁଁ ମୋ ମା କୁ ଖୁବ ଭଲ ପାଏ

ମୁଁ ହି ତାର ସବୁ କିଛି

ତାର ବଳ, ଦମ୍ଭ ଓ ସାହାସ

ତାର ଘର  ।

ତାର ମୁହଁ କୁ ମାନୁଥବା ହସ,

 ମୁଁ ଠିଆ ହେଇଥିବି ତା ସହ ।

ସବୁବେଳେ । ସବୁ ସମୟରେ ।”

…….

ଲୋପାମୁଦ୍ରା ପରିଡ଼ା, ବାଙ୍ଗାଲୋର