ବଲେଚା

ମୂଳ ଗୁଜୁରାଟୀ: ଭୂପେନ୍ ଖାକର୍ || ଅନୁବାଦ: ରମାକାନ୍ତ ସାମନ୍ତରାୟ

ମୋର ଡେରି ହେଇ ସାରିଥିଲା ।

ତରତରରେ ‘ଇ’ ରୁଟରେ ଯାଉଥିବା ଡବଲ୍ ଡେକର୍ ବସରେ ଉଠିଗଲି । ଫ୍ଲୋରା ଫାଉଣ୍ଟେନରେ ଯାଇ ମୋ ଅଫିସ୍ । ପହଞ୍ଚିବାକୁ କିଛି ସମୟ ନିଶ୍ଚୟ ଲାଗିବ ।

ମୋର ଡେରି ହୋଇ ସାରିଥିଲା ।

ଆଜିବି ମୋତେ ଅଫିସ୍ ରେ ପହଞ୍ଚୁ ପହଞ୍ଚୁ ମାଲିକର କଳଗାଉଣା ଶୁଣିବାକୁ ହେବ । ମଣିଷ ଯେତେ ତରତରରେ ସହଳ ଘରୁ ବାହାରିବାକୁ ଚାହିଁଲେ ବି ସବୁଦିନ ଡେରି ହେଇଯାଉଛି । ବସ୍ ସାରା ଲୋକ ଭର୍ତ୍ତି । ବସିବାକୁ ଗୋଟେ ବି ସିଟ୍ ଖାଲି ନାହିଁ । ତ ମୁଁ ବସ୍ ଉପର ମହଲାକୁ ଚଢ଼ିଗଲି ଆଉ ସିଧା ଯାଇ ଆଗପଟ କାଚ ପାଖ ସିଟ୍ ରେ ଯାଇ ବସିପଡ଼ିଲି ।

ପାଖରେ ଖୁଚୁରା ନାହିଁ । କଣ୍ଡକ୍ଟର ଟିକଟ ଦେଇ ପଇସା ମାଗିଲାରୁ ଯାଇ ଜାଣିଲି । ପକେଟ୍ ବ୍ୟାଗ୍ ସବୁ ଅଣ୍ଡାଳିଲା ପରେ ବି ଆଠଣିଟିଏ ବାହାରିଲାନି । କଣ୍ଡକ୍ଟରକୁ ଦଶଟଙ୍କିଆ ନୋଟ୍ ଟେ ବଢେ଼ଇଲାରୁ ଶଳାଟି ଫିଡିକି ଗଲା । ଆଉ ଚିଡିଚିଡା ମରାଠୀରେ କହିଲା ।

-ଦଶଟଙ୍କିଆ ଦେଖାଅନି, ଜଲଦି ଖୁଚୁରା କାଢ଼….

-ମୋ ପାଖେ ମୋଟେ ଖୁଚୁରା ନାହିଁ । ଥିଲେ କ’ଣ ଦେଇନଥା’ନ୍ତି? ମୁଁ ବୁଝେଇ କହିଲି ।

-ତ ଆଗ ଛକରେ ଓହ୍ଲେଇ ପଡ଼….

ସିଧାସଳଖ ଆହୁରି ବିରକ୍ତ ହେଇ କଣ୍ଡକ୍ଟର ଉତ୍ତର ଫେରାଇଲା ।

ମୋର ଆଉ କିଛି କହିବାର ନଥିଲା । ଅସହାୟ ହୋଇ ଚାରିକତି ଆଖି ପକେଇଲି । ଧଳା ଖଦିର କୁର୍ତ୍ତା ଆଉ ଚୁଡ଼ିଦାର ପିନ୍ଧିଥିବା ଦରବୁଢ଼ା ଲୋକ ଜଣେ ଟିକିଏ ଦୂରରେ ବସିଥିଲେ । ସେ ମୋ ଅସହାୟତାକୁ ବୁଝିଲେ କି କ’ଣ, କଣ୍ଡକ୍ଟରକୁ ଡାକି ମୋ ପାଇଁ ପଇସା ଦେଇଦେଲେ ।

ମୁଁ ଉଠିପଡ଼ି ଧନ୍ୟବାଦ କହିବାରୁ ସେ କହିଲେ- ଠିକ୍ ଅଛି । ଏମିତି ହୁଏ ।

ମୁଁ ତା’ପରେ ତାଙ୍କର ନାଁ ଆଉ ଠିକଣା ପଚାରିଲି ଓ ତରତରରେ ବସ୍ ଟିକଟ୍ ପଛରେ ବଙ୍କା ତେଢ଼ା ଅକ୍ଷରରେ ଲେଖିଲି ।

ବମ୍ବେ ମ୍ୟୁଚୁଆଲ୍ ବିଲ୍ଡିଙ୍ଗ୍ । ଫାଷ୍ଟ ଫ୍ଲୋର୍ । ଠିକଣା ଲେଖିସାରି ବ୍ୟାଗ୍ ରେ ରଖିଲାବେଳକୁ ସେ ହିନ୍ଦୀରେ କହିଲେ-

-ମୁଁ ଓକିଲାତି କରେ । ସୁବିଧା ହେଲେ ଆଜି ସଞ୍ଜରେ ଆସୁନା? ଆରାମରେ ବସି କଥା ହେବା । ହେଲେ ଏ ବସ୍ ଟିକଟ ପଇସା କିନ୍ତୁ ମୁଁ ତମ ପାଖରୁ ଆଉ ଫେରସ୍ତ ନେବିନି…

ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ଏସବୁ ଘଟଣା ଖୁବ୍ ଶିଘ୍ର ଭୁଲିଗଲି । ଦିନେ ବ୍ୟାଗ୍ ରୁ ପୁରୁଣା କାଗଜପତ୍ର ବାହାର କରି ସଫା କଲାବେଳକୁ ଗୋଟେ ପୁରୁଣା ବସ୍ ଟିକଟ ପାଇଲି । ଟିକଟକୁ ମକଚି ଫୋପାଡ଼ିବାକୁ ଯାଉଛି ତ ଦେଖିଲି ଟିକଟ ପଛରେ କିଛି ଲେଖାଯାଇଛି । ମକଚା ଟିକଟଟିକୁ ସିଧା କରି ପଢ଼ିଲାରୁ ଜାଣିଲି ବଲେଚାଙ୍କ ଠିକଣା ।

ମୁଁ ମନେ ମନେ ଠିକ୍ କଲି ଆଜି ସଞ୍ଜରେ ହିଁ ତାଙ୍କୁ ଦେଖାକରିବି ।

ସେଦିନ ଠିକ୍ ସଞ୍ଜରେ ବଲେଚାଙ୍କ ଅଫିସ ଭିତରକୁ ପଶିଲା ବେଳକୁ ସେ ଟେବୁଲ୍ ଉପରେ ହାମୁଡେ଼ଇ ପଡ଼ି କିଛି ଲେଖାଲେଖିରେ ବ୍ୟସ୍ତ ଥିଲେ । ତାଙ୍କ ଛୋଟିଆ ଗୋରା ମୁହଁରେ କଳାମୋଟା ଫ୍ରେମ୍ର ଚଷମା ଆଖି ତଳକୁ ଖସି ଠିକ୍ ନାକ ଉପରେ ଲଟକି କରି ଥାଏ । ମୁଁ ପହଞ୍ଚିବାରୁ ସେ ତାଙ୍କ ଚଷମା ସଜାଡ଼ି ମୋତେ ଅନେଇଲେ ଓ ହିନ୍ଦୀରେ କହିଲେ-

-ବହୁତ ଦିନ ପରେ… । ମୁଁ ଭାବିଥିଲି ତମେ ବୋଧେ ମୋତେ ଭୁଲିଗଲଣି ।

-ନାଇଁ… ନାଇଁ… ଆଜ୍ଞା, କି କଥା କହୁଛନ୍ତି ଆପଣ?

ଏଇ ଆମ ଅଫିସ୍ କାମ ଚାପାରେ ଏତେ ବ୍ୟସ୍ତ ଥିଲି ଯେ ଆସିପାରୁନଥିଲି ।

ମୁଁ ମିଛ କହିଲି ।

-ଆଚ୍ଛା ହଉ ହଉ ଠିକ୍ ଅଛି କହି ସେ ମୋତେ ତାଙ୍କ ପାଖରେ ପଡ଼ିଥିବା ଚେୟାର୍ ଦେଖେଇଲେ ବସିବା ପାଇଁ । ତା’ପରେ ପଚାରିଲେ ।

-କୋଉ ଅଫିସ୍ ରେ କାମ କରୁଛ?

-ମୁଁ ବି.କମ୍ ସାରି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଙ୍କ ପାଖରେ କାମ କରୁଛି ।

ବିନମ୍ରରେ କହିଲି ମୁଁ ।

-ଆଚ୍ଛା ଆଚ୍ଛା… ତମେ ତା’ହେଲେ ଆଗକୁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହବାର ଯୋଜନା ରଖିଛ । ନାଇଁ ?

ଏତିକି କହି ସେ ମୋ ପିଠିରେ ହାତ ମାରିଦେଲେ । ସେ ଟିକେ ଭାବପ୍ରବଣ ଲାଗୁଥାନ୍ତି । ଭାବପ୍ରବଣ ହେଇ ସେ କହିଲେ-

-ତମକୁ ସେଦିନ ବସ୍ ରେ ଦେଖୁ ଦେଖୁ ମୋର ମୋ ପୁଅ କଥା ମନେ ପଡ଼ିଗଲା । ସେଇଥିପାଇଁ ମୁଁ ତମ ପାଇଁ ଟିକଟ ପଇସା ଦେଇ ଦେଇଥିଲି ଆଉ ତମକୁ ମନା କରିଥିଲି ପଇସା ଫେରସ୍ତ ନବାକୁ ।

-ଆପଣଙ୍କ ପୁଅ ?… ମୁଁ ପଚାରିଲି ।

-୧୯୪୭ ପାର୍ଟିସନ୍ ବେଳେ ଆମେ ସିନ୍ଧ୍ ଛାଡି ଟ୍ରେନ୍ ରେ ହାଇଦ୍ରାବାଦ ପଳେଇ ଆସିଥିଲୁ । ସେତବେଳର ସେ ଦଙ୍ଗାରେ ମୋ ଆଖି ଆଗରେ ମୋ ପୁଅକୁ ସେମାନେ ସେଇଠି ହାଣି ପକେଇଥିଲେ ।

ମୁଁ ଏଯାଏଁ ବି ସେଦିନର ସେ ଘଟଣା ଭୁଲିପାରୁନି ।

ବଲେଚାଙ୍କ ଆଖି ଛଳ ଛଳ ହେଇଯାଇଥିଲା । ଗୋଟେ ଧଳା ଖଦିର ରୁମାଲରେ ସେ ଏଥର ଆଖି ପୋଛିଲେ ଓ ମୋତେ ଚାହିଁ ଟିକେ ହସିବାକୁ ଚେଷ୍ଟା କଲେ । ତା’ପରେ ସେ ମୋ ଜଙ୍ଘ ଉପରେ ଆଦରରେ ହାତ ରଖିବାରୁ ମୁଁ ତାଙ୍କ ପାଖକୁ ଟିକେ ଘୁଞ୍ଚିଯାଇ ତାଙ୍କ ଗାଲକୁ ଟିକେ ଗେଲ କରିଦେଲି ।

ଏଥର ସେ ମୋତେ ଆହୁରି ପାଖକୁ ଭିଡ଼ିନେଲେ ।

ୟା’ପରେ ଆମର ପ୍ରାୟ ଅନେକ ସଞ୍ଜରେ ଦେଖାହେଲା । ସେ ବ୍ୟସ୍ତ ଥିଲେ ମୁଁ ସେଇଠି ବସି ଗପ-ପଂପ ବହି କିଛି ଗୋଟେ ପଢୁଥିଲି କିମ୍ବା ତାଙ୍କର କିଛି କାମନଥିଲେ ଆମେ ବସି ଗପ-ସପ କରୁଥିଲୁ ।

ସେ କେବେ କେବେ ଗପୁଥିଲେ-

-ମୁଁ ଲାହୋରରେ ପାଠ ପଢୁଥିଲି । ଓକିଲ ହେଲାପରେ ଯାଇ ମୁଁ ଗାନ୍ଧିଙ୍କ ଦର୍ଶନରେ ପ୍ରଭାବିତ ହେଲି । ୧୯୪୦ରୁ ମୁଁ ସିନ୍ଧ୍ ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ୍ ହେଲି ଓ ସିନ୍ଧ୍ ସୋସାଇଟିର ସେକ୍ରେଟାରୀ ହେଇଥିଲି । ଆମେ ଅନେକଗୁଡେ଼ ମହିଳା ସଙ୍ଗଠନ ଆଉ ଯୁବ ସଙ୍ଗଠନ ଗଢ଼ି ଲୋକମାନଙ୍କ ଭଲ ପାଇଁ ବହୁତ ଗୁଡେ କାର୍ଯ୍ୟକ୍ରମ କରୁଥିଲୁ । ଠିକ୍ ସେତିକିବେଳେ ହିଁ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହେଲା ଓ ଅନେକ ସିନ୍ଧ ପରିବାର ତଳି ତଳାନ୍ତ ହେଇଗଲେ । ଦେଶ ବିଭାଜନ ପରେ ସେଥିରୁ ଅନେକ ପରିବାର ପାକିସ୍ଥାନ ଛାଡ଼ି ଭାରତ ପଳେଇ ଆସିଲେ ।

ପୁଣି କେବେ କହୁଥିଲେ

-ବୁଝିଲ ପୁଅ… ମୁଁ ସେତେବେଳେ ଘଣ୍ଟା ଘଣ୍ଟା ଧରି ସକାଳୁ ସୂତା କାଟୁଥିଲି । ଯଦି ତମେ ପ୍ୟାରେଲାଲ୍ ଙ୍କ ଲାଷ୍ଟ ଫେଜ୍ ପଢିନ ପଢ଼….

ଦିନେ ମୁଁ ତାଙ୍କ ଅଫିସ୍ ରେ ପହଞ୍ଚି ଦେଖିଲି ଜଣେ ପାଖାପାଖି ପଇଁଚାଳିଶ ବର୍ଷ ବୟସର ସ୍ତ୍ରୀ ଲୋକ ତାଙ୍କ ଠିକ୍ ସାମ୍ନାରେ ବସିଥାଏ । ଦୁହେଁ ଆଖିରେ ଆଖିରେ ଠରାଠରି ହେଇ ସିନ୍ଧିରେ କଥା ହେଉଥାନ୍ତି ।

ମୁଁ ତାଙ୍କ ପାଖକୁ ଯିବି କି ନାହିଁ ବୋଲି ଦୋ ଦୋ ପାଞ୍ଚ ହେଲା ବେଳକୁ ସେ ମୋତେ ଡାକିଲେ

-ପୁଅ… ଆସ… ଆସ… ଭିତରକୁ ଆସ…

ମୁଁ କୁନ୍ଥୁ କୁନ୍ଥୁ ହେଇ ଭିତରକୁ ଗଲି ଓ ସେ ତାଙ୍କ ଚେୟାର ପାଖରେ ପଡିଥିବା ଖାଲି ଚେୟାରରେ ମୋତେ ବସିବାକୁ କହିବାରୁ ବସିଲି । ସେ ମୋ ଜଙ୍ଘକୁ ଟିକେ ଥାପୁଡେଇଦେଲେ ଓ ସେ ସ୍ତ୍ରୀ ଲୋକ ସାଙ୍ଗରେ କଥା ହେବାକୁ ଲାଗିଲେ । ମୁଁ ସିନ୍ଧି ବୁଝିପାରୁନଥିଲେ ବି ସେମାନଙ୍କ କଥାରୁ ଏତିକି ବୁଝିପାରୁଥିଲି ଯେ, ସେ ସ୍ତ୍ରୀ ଲୋକଟି କିଛି ଗୋଟେ ଅସୁବିଧାରେ ଅଛି ଓ ବଲେଚା ତାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ।

ମୁଁ ସେମାନଙ୍କୁ ଦେଖୁଥାଏ ଆଉ ଶୁଣୁଥାଏ । ତା’ପରେ ହଠାତ୍ ସେମାନଙ୍କର କଥାବାର୍ତ୍ତାର ବିଷୟବସ୍ତୁ ବଦଳିଗଲା । ସେମାନେ ହଠାତ୍ ବାଳୁଙ୍ଗା ଜୋକ୍ସ ଆଉ ବିଭିନ୍ନ ବେଧୁଆ କଥାବାର୍ତ୍ତା ସହ ଆଖି ମରାମରି ହେଇ ପରସ୍ପର ମଜା ଉଠେଇଲେ । ଏଇ ମଉଜ ମସ୍ତି ଭିତରେ ମୋ ଜଙ୍ଘକୁ ସେ ଏଥର ଆହୁରି ଜୋରରେ ଚାପି ଧରିଲେ । ସେମାନଙ୍କର ଏମିତି ଖୋଲାମେଲା ବେଧୁଆ କଥାବାର୍ତ୍ତା ମୋତେ ଟିକେ ଉତ୍ତେଜିତ କରିସାରିଥାଏ । ଏକା ମୁଁ ନୁହେଁ ମୋତେ ତ ଲାଗୁଥାଏ ଆମେ ତିନିହେଁ ସେତବେଳକୁ ହୁଏତ କାମାତୁର ହୋଇସାରିଥିଲୁ ।

ସ୍ତ୍ରୀ ଲୋକ ଜଣକ ତା’ପରେ ବାହାରିଗଲେ ।

ମୁଁ ଉଠିଲି ।

କିନ୍ତୁ ବଲେଚା ମୋତେ ଅଟକାଇଲେ ଓ କହିଲେ ।

-ତା ନାଁ ଦିବ୍ୟା । ମୋ ଭଳିଆ ସିଏ ବି ଏକଦା ଦେଶ ବିଭାଜନ ବେଳେ ସିନ୍ଧ୍ ଛାଡି ଭାରତ ପଳେଇ ଆସିଥିଲା । ତା ଗେରସ୍ତ ଗୋଟେ ଉଡାଜାହାଜ ଦୁର୍ଘଟଣାରେ ମରିଯାଇଛି । ଏବେ ତାର ନିଜର ବୋଲି କେହି ନାହିଁ । ବିଚାରୀର ପଇସାପତ୍ରର ବଡ଼ ଅଭାବ । ବଡ଼ ଦୁଃଖ କଷ୍ଟରେ ଜଣେ ସାଙ୍ଗ ସାଙ୍ଗରେ ଏକୁଟିଆ ରହୁଛି । ମୁଁ ଏମିତି କେବେ କେବେ ତାକୁ ସାହାଯ୍ୟ କରେ ।

ମୋତେ ଲାଗିଲା ଦୁହିଁଙ୍କ ଭିତରେ ନିଶ୍ଚୟ କିଛି ଗୋଟେ ପ୍ରେମ-ଫ୍ରେମ ଭିତିରିଆ ସମ୍ପର୍କ ଅଛି । କାହିଁକିନା ତାଙ୍କ କଥା ଭିତରେ ମୁଁ ଚେୟାରରୁ ଉଠୁ ଉଠୁ ମୋ ଗାଲରେ ବେଶ୍ ଗୋଟେ ସୁହାଗିଆ ଚୁମା ଦେଲେ ।

ବଲେଚାଙ୍କ ଘର ଚୈପାଟି ପାଖରେ । ଦିନେ ମୁଁ ସିଧାସଳଖ ତାଙ୍କ ଘର ପାଖରେ ପହଂଚି, କାଠ ସିଡି ଚଢ଼ି ଚଢ଼ି ତିନି ମହଲା ଉପରକୁ ଉଠିଗଲି । ମୁଁ ପହଁଞ୍ଚିଲା ବେଳକୁ ସେ ଷ୍ଟୋଭ୍ ରେ କିଛି ରାନ୍ଧୁଥିଲେ । ଯୋଉ ମଳିଛିଆ ଗଞ୍ଜି ପିନ୍ଧିଥିଲେ ସେଇଟା କଣା କଣା ହେଇଯାଇଥିଲା । ବଲେଚାଙ୍କ ସ୍ତ୍ରୀ ଖଟରେ ଚୁପ୍ ଚାପ ଶୋଇଥିଲେ ।

ସେ ମୋତେ ତାଙ୍କ ଦୁଆର ମୁହଁରେ ହଠାତ୍ ଦେଖି ଖୁସି ହୋଇଗଲେ ଓ କହିଲେ-

-ଆରେ ତମେ ମୋ ଘରକୁ ଆଜି ପ୍ରଥମ କରି ଆସିଲ । ଆସିଲଣି ଯେତେବେଳେ ଅନ୍ତତଃ କପେ ଚା’ ପି କରି ଯିବାକୁ ହେବ ।

ତା’ପରେ ସେ ଷ୍ଟୋଭ୍ ରେ ଆଉ ଗୋଟେ ଡେକ୍ଚି ରଖି ଚା’ ପାଇଁ ପାଣି ଢାଳିଲେ ଓ ମୋତେ ପଚାରିଲେ

-ଇଆଡେ କେମିତି ଆସିବା ହେଲା?

-ନାଇଁ ମୁଁ ଏଇ ଚୈପାଟି ଆସିଥିଲି ତ, ଭାବିଲି କେତେଦିନ ହେଲାଣି ଦେଖାହେଲନି, ଥରେ ଦେଖା ହେଇଯିବ ବୋଲି ଖୋଜି ଖୋଜି ପହଞ୍ଚିଗଲି ।

-ମୋ ଘର କେମିତି ପାଇଲ?

-ଆଗ ଲଣ୍ଡ୍ରିବାଲାକୁ ପଚାରିଲୁ ସେ ହିଁ ବତେଇଦେଲା ।

ଷ୍ଟୋଭ୍ ଉପରେ ପାଣି ଗରମ ହେଇସାରିଥିଲା । ସେ ଗରମ ପାଣିରେ ଚା ପତି, ଚିନି ଆଉ ଦୁଧ ଢାଳିଲେ ଓ ଚା’ ଫୁଟିଲାରୁ ତଳକୁ ରଖିଲେ । ମୁଁ ଉଠିଯାଇ ତିନିଟା କପ୍ ଆଉ ପ୍ଲେଟ୍ ଆଣି ରଖିଲି । ସେ ଷ୍ଟୋଭ୍ ରେ ତିନିଚାରିଟା ପାପଡ ବି ସେକିଦେଲେ ଓ ପ୍ଲେଟ୍ ରେ ପାପଡ ଆଉ କପ୍ ରେ ଚା’ ଢାଳି ମୋ ଆଡକୁ ବଢେଇଦେଲେ । ତାପରେ ଖଟ ଉପରେ ଶୋଇଥିବା ତାଙ୍କ ସ୍ତ୍ରୀଙ୍କୁ ପ୍ଲେଟ୍ ରେ ଅଳ୍ପ ଅଳ୍ପ ଚା’ ଢାଳି ଧିରେ ଧିରେ ପିଆଇଲେ ଓ ମୋତେ ଚାହିଁ କହିଲେ-

-ଆମ ପୁଅକୁ ଆମ ଆଗରେ ଯେବେଠୁ ସେ କଂସେଇଗୁଡା ହାଣିପକେଇଲେ, ସେବେଠୁ ୟା’ଙ୍କର ଅବସ୍ଥା ଏମିତି । କଥାବାର୍ତ୍ତା ତ ଅନେକ ଆଗରୁ ବନ୍ଦ ହେଇସାରିଥିଲା । ଗଲା ତିନି ବର୍ଷ ହେଲାଣି ଚାଲବୁଲ ବି ବନ୍ଦ । ଚବିଶ ଘଣ୍ଟା ଖଟ ଉପରେ । ଧରି ନ ଉଠେଇଲେ ଉଠି ବି ପାରିବନି ।

ଆମେ ଚା ପିଇ ଉଠିଲୁ । ବଲେଚା ହ୍ୟାଙ୍ଗରରେ ଝୁଲୁଥିବା ପେଣ୍ଟ-ସାର୍ଟ ପିନ୍ଧିଲେ । ଆମେ ଘରୁ ବାହାରିଲୁ ଓ ସେ ଘରର ବାହାରପଟୁ ତାଲା ଲଗେଇଲେ ।

ଆମେ ଦୁହେଁ ଚୈପାଟୀର ସନ୍ତସନ୍ତିଆ ବାଲିରେ ହାତ ଧରାଧରି ହେଇ ଅନେକ ସମୟ ବସିଲୁ ।

-ପୁଅ… ତମେ ମୋ ସାଙ୍ଗରେ ଆସିବ କି? ସେ ପଚାରିଲେ

-କୁଆଡେ?

-ଆରେ… ତମେ ସେଠି ପହଞ୍ଚିଲେ ବଳେ ଜାଣିଯିବନି କି? ସେ ଉତ୍ତର ଫେରାଇଲେ ।

ଆମେ ଉଇଲ୍ସନ୍ କଲେଜ୍ ବସ୍ ଷ୍ଟାଣ୍ଡ ପାଖରୁ ଘୋଡାଗାଡ଼ି ଖଣ୍ଡେ ଭଡାକରି ବସିଲାବେଳକୁ ରାତି ଆଠଟା ହୋଇସାରିଲାଣି । ଗାଡିରେ ବସୁ ବସୁ ବଲେଚା- ମୋ ସୁନା ପୁଅଟା… ମୋ ସୁନା ପୁଅଟା କହି ମୋର ସାରା ଦେହ ଅଣ୍ଡାଳି ଅଣ୍ଡାଳି ଆଉଁଷି ପକେଇଲେ…

ମୁଁ କିଛି ବୁଝିପାରୁନଥିଲି । ବଲେଚାଙ୍କ ଭିତରେ ମୁଁ ଗୋଟେ ବାପା ସାଙ୍ଗରେ ଗୋଟେ କାମୁକ ମଣିଷକୁ ବି ଦେଖିପାରୁଥିଲି । ମୁଁ ଯେତେବେଳେ ତାଙ୍କ ଛାତି ଉପରେ ମଥା ରଖୁଥିଲି ଓ ସେ ମୋ ପିଠି ଥାପୁଡେଇ ଦେଉଥିଲେ, ସେତେବେଳେ ମୁଁ ତାଙ୍କ ପାଖକୁ ବାପାର ସ୍ନେହ ଅନୁଭବ କରୁଥିଲି କିନ୍ତୁ ସେ ଯେତେବେଳେ ମୋ ଜଙ୍ଘକୁ ଚିପି ଦେଉଥିଲେ କି ଜଙ୍ଘ ପାଖରେ ଅଣ୍ଡାଳି ପକଉଥିଲେ, ସେତେବେଳେ ଅନ୍ୟ କିଛି ଅନୁଭବ କରୁଥିଲି ।

ଆମ ଘୋଡା ଗାଡି କେନେଡି ବ୍ରିଜ୍ ପାଖରେ ବୁଲିଲା ଓ ଆଗକୁ ଯାଇ ଗୋଟେ ଘର ଆଗରେ ଠିଆ ହେଲା । ବଲେଚା ଗାଡିରୁ ଓହ୍ଲେଇପଡି ମୋତେ ପଚାରିଲେ

-ପାଖରେ କେତେ ଟଙ୍କା ଅଛି?

-ଷାଠିଏ କି ସତୁରୀ ହବ…

-ଗାଡିବାଲାର ଭଡା ତୁଟେଇ ଦିଅ ଆଉ ମୋତେ ଟଙ୍କା ପଚାଶଟା ଦିଅ ତ…

ମୁଁ ଗାଡିବାଲାକୁ ପାଞ୍ଚଟଙ୍କା ଦେଲି, ଆଉ ବଲେଚାଙ୍କ ହାତକୁ ଗୋଟେ ପଚାଶ ଟଙ୍କିଆ ନୋଟ୍ ବଢେଇଦେଲି ।

ତମେ ତ ଆଗରୁ ଦିବ୍ୟାକୁ ଭେଟିଛ । ମୋ ଅଫିସ୍ କୁ ସେଦିନ ଆସିନଥିଲା ? ଆମେ ଏବେ ତା’ରି ପାଖକୁ ଆସିଛେ ।

ମୁଁ କିଛି କହିବା ଆଗରୁ ସେ ପୁଣି କହିଲେ

-ତମେ ତ ମୋ ସ୍ତ୍ରୀର ଅବସ୍ଥା ନିଜ ଆଖିରେ ଦେଖିଲ । ସେ ଏମିତି ଅବସ୍ଥାରେ ଅଛି ଯେ, ମୋ’ ସାଙ୍ଗରେ ପଦେ କଥା ବି ହୋଇପାରୁନି । ତମେ ମୋର ଏକଲାପଣ ବୁଝିପାରୁଥିବ । ଲାହୋର ଛାଡିଲାପରେ ସେ ଜଗା ସହ ମୋର ସବୁ ସମ୍ପର୍କର ସୂତା ଛିଡିଗଲା । ଏଇଠି ଆସି ଏତେ ବର୍ଷ ରହିଲିଣି ତଥାପି ଚେର ମାଟି ଧରିପାରୁନି । ସେଦିନ ତମକୁ ଯେବେ ପ୍ରଥମକରି ଦେଖିଲି ସେଦିନରୁ ମୋ ମଲାପୁଅକୁ ତମ ଭିତରେ ଖୋଜି ପାଇଛି ଜାଣ । ନହେଲେ ଏଯାଏଁ ଦିବ୍ୟା ହିଁ ଜଣେ ମାତ୍ର ନିଜ ଲୋକ ଥିଲା । ଯାହା ସାଙ୍ଗରେ ମୁଁ ଭଲରେ ମନ୍ଦରେ ଦି ପଦ କଥା ହେଇପାରୁଥିଲି । ସେ ବି ମୋ ଭଳିଆ । ସବୁକିଛି ହଜେଇ ସାରିଥିବା ମୋ ହୃଦୟ ଭଳିଆ, ସେ ବି ଭାରି ଏକୁଟିଆ ମାଇପିଟିଏ ।

-ଆପଣ ଏବେ ବିଦ୍ୟା ପାଖକୁ ଯାଇପାରନ୍ତି । ମୁଁ କିନ୍ତୁ ଆସିପାରୁନି… । ମୁଁ ସିଧା କହିଲି ।

-କାହିଁକି? ଆଶ୍ଚର୍ଯ୍ୟ ହେଇ ବଲେଚା ପଚାରିଲେ ।

ମୁଁ ଉପରକୁ ମୁହଁ ଟେକି ଚାହିଁଲି । ଦିବ୍ୟା ଆଉ ପାଞ୍ଚଜଣ ସ୍ତ୍ରୀ ଲୋକ ସାଙ୍ଗରେ କାଠ ବାଲ୍କୋନିରେ ଠିଆ ହୋଇଥିଲେ । ଘୋଡାଗାଡିରୁ କେହି ଜଣେ ଓହ୍ଲେଇଲାତ ସେମାନେ ବାର ଛଟକ ଦେଖେଇ ତାକୁ ଡାକ ପକଉଥିଲେ । ସବୁଗୁଡା ପତଳା ନାଇଲନ୍ ଶାଢୀ ପିନ୍ଧିଥିଲେ ଓ ବହଳ ମେକଅପ୍ ହୋଇଥିଲେ । ଖୁବ୍ ନାଲି ଲିପିଷ୍ଟିକ୍ ସାଙ୍ଗକୁ ଶସ୍ତା ଟେଲକମ୍ ପାଉଡର୍ ମାଖିଥିଲେ ।

ସେମାନେ ତାଳି ମାରି ମନଇଚ୍ଛା ଖୁବ୍ ଜୋରରେ ଓ ହିନ୍ଦୀରେ ବଡ ପାଟିରେ କହୁଥିଲେ ।

-ଏ ହିରୋ… ତେରେ ବାହୋମେ ମୁଝେ ଲେଲେନା…

ମୁଁ ମୁହଁ ବୁଲେଇ, ମୁଣ୍ଡ ଝୁଙ୍କେଇ ବୁଲିପଡି ସେଉଠୁ ବାହାରିଲା ବେଳକୁ ବଲେଚା ଧିରେ ସିଡ଼ି ଚଢିବା ଆରମ୍ଭ କରୁଥିଲେ ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →