ଗଛଟାରେ ବିଲକୁଲ ଫୁଲ ଫୁଟୁ ନଥିଲା। ଯେତେ ଯତ୍ନ କଲେ ବି। ଯେତେ ସାଇଜ୍ କରି କଟାକଟି କଲେ ବି। ପ୍ରତି ଥର କଟା ଯିବା ପରେ ଛନଛନେଇ ଉଠୁଥିଲା ଗଛଟା। ଇଷତ୍ ନାଲି ମିଶା ଖଇରିଆ ରଙ୍ଗର କଅଁଳିଆ ପତ୍ର ସବୁ ବେଳେବେଳେ ଦିଶୁଥିଲେ ଫୁଟି ଆସୁଥିବା କଢ ଭଳି। ଖୁସିରେ, ଆଶାରେ, କିଛିଟା ଉତ୍ସାହରେ ମାନି ଦୌଡ଼ି ଯାଉଥିଲା ପ୍ରତିଥର। ହେଲେ ସବୁଥର ନିରାଶା ହିଁ ଭୋଗିବାକୁ ପଡୁଥିଲା ତାକୁ। ଶେଷରେ ଗଛଟାଠାରୁ ଆଶା ଛାଡ଼ି ଦେଇଥିଲା ମାନି। କିନ୍ତୁ ସେଇ ଗଛଟାକୁ ସେ ନିଜେ କେତେ ଆଗ୍ରହରେ କିଣି ଆଣିଥିଲା ନର୍ସରୀରୁ। ସେଥିରେ ଫୁଟିଥିବା ଲାଲ୍ ଟୁକଟୁକ୍ ଗୋଲାପ ଫୁଲଟା ଫଟାକ୍ କରି ଦୃଷ୍ଟି ଆକର୍ଷଣ କରିଥିଲା ମାନିର। ହେଲେ ସେଇ ଗୋଟାଏ ହିଁ ଫୁଲ। ସେଇ ପ୍ରଥମ ଆଉ ଶେଷ ବି। ଏ ଭିତରେ ଆସି ପାଖାପାଖି ଦୁଇ ବର୍ଷ ହୋଇ ଗଲାଣି। ଆଉ ଥରଟେ ବି ସେଥିରେ ଫୁଲ ଫୁଟିନି ତା’ ପରଠୁଁ। ଗତ କିଛି ମାସ ତଳେ ମାନି ଅଭିମାନରେ ନିଷ୍ପତ୍ତି ନେଇଥିଲା, ଆଉ ସେ ଗଛର ଯତ୍ନ ନେବନି। ବରଂ ଆପାର୍ଟମେଣ୍ଟର କରିଡ଼ର ସଫା କରିବାକୁ ଆସୁଥିବା ପିଲାଟାକୁ ଦେଇଦେବ ସେଇ ଫୁଲକୁଣ୍ଡଟା ତଳକୁ ନେଇ ବାହାରେ କେଉଁଠି ପକାଇ ଦେବାକୁ। ପରଦିନ ସକାଳେ କିନ୍ତୁ ସେ ଯେତେବେଳେ ଫୁଲକୁଣ୍ଡଟାକୁ ଦେବାକୁ ବସିଲା କେଜାଣି କେମିତି ଲୋରି ଜାଣି ପାରି ଜିଦି କଲା ଗଛଟାକୁ ନଦେବା ଲାଗି। ଓଲଟା ବେଶି ବୁଝେଇବାରୁ କାନ୍ଦିବାକୁ ଲାଗିଲା। ତା’ ପରଠୁଁ ଆଉ ଗଛଟାକୁ ଫୋପାଡି ଦେବା କଥା ଚିନ୍ତା କରିନି କେବେ ମାନି। ସେଇ ଦିନରୁ କିନ୍ତୁ ଲୋରି ଆଉ କାହାକୁ ହାତ ଲଗେଇବାକୁ ଦେଉନଥିଲା ସେ ଗଛରେ। ସେ ନିଜେ ହିଁ ସକାଳ-ସଞ୍ଜରେ ପାଣି ଦେଉଥିଲା ସେଥିରେ। ତା’ ଚାରିକଡେ ଉଠିଥିବା ଅନାବନା ଗଛକୁ ନିଜ କୁନି କୁନି ହାତରେ ବାଛି ସଫା କରୁଥିଲା। ଏ ଭିତରେ ଗଛଟାକୁ ଥରେ ଦୁଇ ଥର କାଟିବା ଦରକାର ହେବାରୁ ଲୋରି ତା’ ପାପାଙ୍କୁ ପଛେ ସେଥିପାଇଁ କହିଥିଲା ହେଲେ ମାନିକୁ ଆଦୌ କିଛି କହି ନଥିଲା ସେ ନେଇ। ମାନି ମନେ ମନେ ବ୍ୟସ୍ତ ହୋଇ ପଡୁଥିଲା, ପିଲାଟା ତାକୁ ଆଉ ସେଇ ଗଛଟିର ଶତ୍ରୁ ବୋଲି ଭାବି ବସିନି ତ! ହେଲେ ଲୋରିର ପିଲା ମନରୁ ଧାରଣାଟିକୁ କେମିତି ଦୂର କରଯାଇ ପାରେ ସେ ଉପାୟ ଜଣା ନଥିଲା ତାକୁ। ଏଥର କିନ୍ତୁ ଭଡ଼ା ଘରୁ ନିଜ ଫ୍ଲାଟକୁ ସିଫ୍ଟ୍ କରିବା ସମୟ ଠିକ୍ ହୋଇଯିବା ପରେ ଚିନ୍ତା ବଢ଼ି ଯାଇଥିଲା ମାନିର। କାରଣ ଅଭିଜିତଙ୍କ କଡ଼ା ନିର୍ଦ୍ଦେଶ ଥିଲା, ନିଜ ନୂଆ ଘରକୁ ସିଫ୍ଟ୍ କଲା ପୂର୍ବରୁ ପୁରୁଣା ସବୁ ଅଳିଆ ଓ ଆବୁରୁଜାବୁରୁ ଜିନିଷ ଫୋପାଡ଼ି ଦେଇ ଯିବା ପାଇଁ। ଆଉ ସେସବୁ ଅଦରକାରୀ ଜିନିଷ ଭିତରେ ଥିଲା ବି ସେଇ ଫୁଲ ଫୁଟୁ ନଥିବା ଗଛଟା। ମାନିର କିନ୍ତୁ ଆଉ ବିଲକୁଲ ବି ସାହସ ନଥିଲା ଲୋରି ମନରେ ଅଧିକ ଆଘାତ ଦେବାକୁ। ତା’ ଆଶଙ୍କା କଥା ଅଭିଜିତଙ୍କୁ କହିବାରୁ ସେ ହସି କି ଆଭଏଡ୍ କରିଦେଇଥିଲେ କଥାଟାକୁ। କହିଥିଲେ, ଧୀରେଧୀରେ ପିଲାଟା ଭୁଲି ଯିବନି ଗଛଟାକୁ! କ’ଣ ଗୋଟେ ଖିଆଲରେ ଏବେ ସିନା ଲାଗିଛି ସେ ଗଛ ପିଛା।
ଆଜି ଫାଇନାଲ୍ ସିଫ୍ଟିଂର ଦିନ। ସବୁ ବାକିବୁକା ଜିନିଷ ତକ ଲଦା ହୋଇ ଟ୍ରକରେ ଯାଇ ସାରିଲାଣି ଆଗରୁ। ଏବେ ଖାଲି ସେ ତିନି ଜଣ ଯାକ ଯିବେ କାରରେ। ହେଲେ ତା ପ୍ରିୟ ଗଛଟା ପାଖରେ ସକାଳଠୁ ସେମିତି ବସି ରହିଥିଲା ଲୋରି। ଏବେ ବି କାରରେ ବସି ସାରି ଯେତେ ଡାକିଲେ ସେଠୁ ଉଠି ଆସୁନଥିଲା ଜମାରୁ। ଶେଷରେ ବାଧ୍ୟ ହୋଇ ଅଭିଜିତ ଆଉ ମାନି ଦୁଇ ଜଣ ଯାକ ଗଲେ ଲୋରି ପାଖକୁ। ଦେଖିଲେ, ଗଛଟିର ପତ୍ର ସବୁକୁ ଧୀରେଧୀରେ ଆଉଁସି ଦେଉଛି ସେ। ତା’ ଛଳଛଳ ଆଖି ଦେଇ ଗାଲ ଉପରକୁ ବୋହି ଆସୁଛି ଲୁହଧାର। ମାନି ଏଥର ନଇଁ ପଡ଼ି ଆଉଁସି ଦେଲା ଗଛଟାକୁ। ଅଭିଜିତ ଗେହ୍ଲାରେ କୋଳେଇ ନେଉଥିଲେ ଲୋରିକୁ!!!