ମୂଳ ଇଂରେଜୀ- ପ୍ରଫେସର ଜୀତେନ୍ଦ୍ରନାଥ ମହାନ୍ତି : ଅନୁବାଦ -ଶୈଳେନ୍ଦ୍ର ପଟ୍ଟନାୟକ
ଡକ୍ଟରେଟ ଉପାଧୀ ପାଇବାପରେ, 1954ର ଶୀତଋତୁରେ ମୁଁ ଭାରତ ଫେରିଲି । ଇଟାଲୀୟ ଜଳପଥ କଂପାନୀ ‘ଲଏଡ ତ୍ରିସ୍ତୁନୋ’ର ସେଇ ଜାହାଜରେ ଯିଏ ଦିନେ ମତେ ୟୁରୋପ ନେଇଯାଇ ଥିଲା । ଭାରତ ଫେରିବା ପୂର୍ବରୁ ଜୀବନର ପ୍ରଥମ ଥର, ଜଣେ ଟୁରିଷ୍ଟ ରୂପେ ମୁଁ ଇଂଲଣ୍ଡ ଓ ଫ୍ରାନ୍ସ ଯାଇଥିଲି,ବୁଲି ଦେଖିବାଲାଗି ସେଇ ସବୁ ପ୍ରସିଦ୍ଧ ସ୍ଥାନ, ସଂଗ୍ରହାଳୟ, ସାହୀ ଓ ଦୋକାନ ବଜାର । ଟୁରିଷ୍ଟ ଭୂମିକାରେ ଅଭିନୟ କରିବା ମୋତେ କେବେ ଭଲଲାଗେନାହିଁ । ଏଥି ସହିତ ଥାଏ କିଛିଗୋଟେ ଶସ୍ତା ଶସ୍ତା ଉପର ଠାଉରିଆ ଭାବ – ଚିନ୍ତାଧାରାରେ ଦେଖେଁଣାହାରିର ଦୃଷ୍ଟି, ଫୋଟୋ-କେମେରାର ଯାନ୍ତ୍ରିକ ଚକ୍ଷୁ ପରି ସବୁକିଛିକୁ ବସ୍ତୁ ପଦବାଚ୍ୟ କରିଦେଉଥିବାର ଧୃଷ୍ଟତା । ମୁଁ କେବେ ନିଜ ପାଖରେ ଫୋଟୋ-କେମେରା ରଖିନାହିଁ, ବରଂ ଚେଷ୍ଟାକରେ ଯାହା ଦେଖିଲି ମନେ ରଖିବା ସକାଶେ । ଆଲୁଅ ଓ ରଙ୍ଗକଂର ଖେଳ, ମୁହଁ ମାନକଂର ଆକୃତି ଓ ଭାବ ଏବଂ ଏ ସବୁ ଦ୍ୱାରା ମୋ ଭିତରେ ସୃଷ୍ଟି ହେଉଥିବା ଭାବାବେଗ ।
ମୋର ଏହି ଜଳଯାତ୍ରା ଥିଲା ପୁରା ବାର ଦିନର । ମୋତେ ମିଳିଥିବା କେବିନରେ ଏବଂ ଜାହାଜ ଉପର ଭାଗ ଉନ୍ମୁକ୍ତ ଡେ଼କରେ ବସି ବସି ବା ଶୋଇ ଶୋଇ ପ୍ରଥମେ ଇ.ଏମ. ଫଷ୍ଟେରକଂ ‘ପେସେଜ ଟୁ ଇଣ୍ଡିଆ’ ପଢ଼ିଲି ଏବଂ ସେଇଟି ସମାପ୍ତ ହେବାପରେ ହେଏଡ଼େଗେରକଂ (ବିଖ୍ୟାତ ଦାର୍ଶନିକ କୃତି) ‘ବିଙ୍ଗ ଏଣ୍ଡ ଟାଇମ’ର ଅଧ୍ୟୟନରେ ମନୋନିବେଶ କଲି । ଯଦି ଆମର ଉପସ୍ଥିତି କେଉଁଠି ସମ୍ପୂର୍ଣ ଅବାସ୍ତବ ମନେହୋଇପାରେ, ତାହାହେଲା ଜାହାଜରେ ଜଳଯାତ୍ରା ବେଳେ ।
କଟକ ରେଳଷ୍ଟେସନରେ ପାଦଦେଇ ମୁଁ ଦେଖିଲି ମୋର ମାଆକୁଂ ବିଧବାର ଧଳା ଶାଢୀରେ ଏବଂ ତାପରେ ବନୀ (ମୋ ପତ୍ନୀ) ଓ ଆମର ଦୁଇଟି ଛୁଆ । ଆନନ୍ଦ ଓ ଦୁଃଖ ଗୋଟିଏ ମୁହୁର୍ତରେ ଏକାକାର । ଦୁଇ ଚାରି ଦିନ ନିରବରେ ବିଶ୍ରାମଲାଗି ଗାଁକୁ ଚାଲିଗଲି । ବାପାଙ୍କର ଶେଷ ଦିନ ମାନଙ୍କର ଘଟଣା ସବୁ ମୋ ଆଗରେ ସମସ୍ତେ ମନେପକାଇଲେ । ତାଙ୍କର ବିୟୋଗ ମାଆ ନୀରବରେ ଗ୍ରହଣକରି ନିଜକୁ ସମ୍ଭାଳି ନେଇଥିଲେ । ମାଆକଂର ଅନ୍ତର ଶକ୍ତି ସତେ ଯେପରି ଥିଲା ଅପାର । ବାବୁନିକୁ ମୁଁ ପ୍ରଥମକରି ଦେଖୁଥିଲି – ମୁଁ ଜର୍ମାନୀରେ ଥିଲାବେଳ ସେ ଜନ୍ମ ହୋଇଥିଲା । ଦୁଇଟି ଛୁଆକୁ ବଡ କଲାବେଳେ ବନୀ ପ୍ରକୃତରେ ବହୁତ କଷ୍ଟ କରିଥିବ – ବିଶେଷକରି ବାପାକଂର ମୃତ୍ୟୁ ପରେ । ମୋର ଭାଇ ଓ ଭାଉଜକଂ ଘରେ ସେ ଅଧିକାଂଶ ସମୟ କଟାଇଛି, ସେ ଦୁହେଁ ନିଜ ଛୁଆଠୁଁ ବଳି ଆମର ଦୁଇଟି ଛୁଆକଂର ଯତ୍ନ ନେଇଛନ୍ତି । ଆମର ପ୍ରଥମ ଝିଅ ମିଟୁ ସହ ମୋର ଘନିଷ୍ଠତା ଧୀରେ ଧୀରେ ବଢ଼ିଲା, ଆମେ ଏକାଠି ଖେଳିଲୁ – ମତେ ହାତୀ ହେଇ ପେଟେଇ ଶୋଇବାକୁ ହେବ ଓ ସେ ସବାର ହେବ, ଶିଖିଥିବା ଗୀତ ସବୁ ସେ ଗାଇବ, ଖେଳ ସବୁ ଦେଖେଇବ । କେଇଟି ସପ୍ତାହ ଏହିଭଳି ସମସ୍ତକଂ ସହ କଟେଇ ପୁଣିଥରେ ମୁଁ ଘର ଛାଡ଼ିଲି ।
ବିନୋବା ଭାବେ ଓ ଭୂଦାନ-ଯଜ୍ଞ ପଦଯାତ୍ରୀ ଦଳ, 26 ଜାନୁୟାରୀ 1955 ଦିନ ମେଦିନାପୁର ଓ ବାଲେଶ୍ୱର ସୀମାରେ ଓଡ଼ିଶାରେ ପ୍ରବେଶ କରିବାର ଥାଏ । ମୋର ବଡ ମାମୁଁ ଗୋପବନ୍ଧୁ ଚୌଧୁରୀକଂ ସହାୟତାରେ ବନ୍ଦୋବସ୍ତ ହୋଇଥାଏ ଯେ ସେହି ଦିନ ପଦଯାତ୍ରୀ ଦଳ ସହ ମୁଁ ସାମିଲ ହେବି । ବନୀ, ଦୁଇ ଝିଅ ଓ ମାଆ ଠାରୁ ପୁଣିଥରେ ଅଲଗା ହେବା ବଡ ଦୟନୀୟ ଲାଗୁଥାଏ । କିନ୍ତୁ ବନୀ ବାରମ୍ବାର ମତେ ବୁଝାଉଥାଏ ଯେ ଏଭଳି ସୁଯୋଗ ମୁଁ ହରେଇବା ଉଚିତ ନୁହେଁ । ଗୋଟିଏ ଛୋଟିଆ ବେଗରେ ଅତି ଜରୁରୀ ଲୁଗାପଟା ଇତ୍ୟାଦି ପୁରେଇ ମୁଁ ବାହାରିପଡ଼ିଲି ଶେଷରେ ।
ଜର୍ମାନୀର ଗଟିନୱେନ ଠାରେ ମୋର ଡକ୍ଟରେଟ ଲାଗି ଥିବାବେଳେ ବିନୋବା ଭାବେକଂ ଭୂଦାନ ପଦଯାତ୍ରା ବିଷୟରେ ଶୁଣିଥିଲି ଏବଂ ପ୍ରତ୍ୟକ୍ଷ ଭାବେ ଜାଣିବା ଲାଗି ଆତୁର ଥିଲି । ମାମୁଁ ଗୋପବନ୍ଧୁ ଚୌଧୁରୀ ଥରେ ଚିଠିରେ ଲେଖିଥିଲେ : “ସାଧାରଣ ଜନତାକଂ ଚିନ୍ତାଧାରାରେ ଦର୍ଶନର ଭୂମିକାକୁ ନେଇ ସମ୍ମାନ, ବିନୋବା ଭାବେ ଯତେଷ୍ଟ ବଢ଼େଇ ଦେଇ ପାରିଛନ୍ତି, ଯେହେତୁ ସେ ଦର୍ଶନର ଧାରାକୁ ଜୀବନର ମାର୍ଗରେ ପ୍ରୟୋଗ କରିପାରିଛନ୍ତି । ” ମୁଁ ତାଙ୍କୁ ଜାଣିଥିଲି ମହାତ୍ମାକଂ ନିଜସ୍ୱ ନିର୍ଦ୍ଧାରଣରେ ତାଙ୍କର ସର୍ବଶ୍ରେଷ୍ଠ ଶିଷ୍ୟ ଭାବେ । 1941ରେ ଯେତେବେଳେ ଗାନ୍ଧିଜୀ ‘ବ୍ୟକ୍ତି ସ୍ୱରୂପରେ ସମର୍ପିତ ସତ୍ୟାଗ୍ରହ ଆନ୍ଦୋଳନ’ ଆରମ୍ଭ କରିଥିଲେ ସେଥିରେ ପ୍ରଥମ ସମର୍ପଣ ଭାବେ ସେ ବିନୋବାକୁଂ ଚୟନ କରିଥିଲେ, ଦ୍ଵିତୀୟରେ ନେହେରୁକୁଂ । କିନ୍ତୁ ବିନୋବା ସାରା ଜୀବନ ଜଣେ ନିର୍ଜନତା ପ୍ରିୟ ଅଧ୍ୟୟନରତ ବୈରାଗୀ ହିଁ ଥିଲେ । ତାଙ୍କ ବିଷୟରେ ଅନ୍ୟମାନେ କହନ୍ତି ଯେ ଯୁବାବସ୍ଥାରେ ଦିନେ ସେ ଗାନ୍ଧୀଜୀକଂ ସମ୍ମୁଖରେ ପହଞ୍ଚି ଗାନ୍ଧିଜୀକଂ ସେବାଗ୍ରାମ ଆଶ୍ରମରେ ଜଣେ ଅନ୍ତେବାସୀ ଭାବେ ବଞ୍ଚିବା ଲାଗି ଅନୁମତି ମାଗିଥିଲେ । ଗାନ୍ଧିଜୀ ଅନୁମତି ଦେଇଥିଲେ କିନ୍ତୁ ସେହି ମୁହୂର୍ତ ପରଠାରୁ ସେ ଯୁବକ କେବେ ତାଙ୍କ ସମ୍ମୁଖକୁ ଆସିବା ଜାଣିନଥିଲେ | କିଛି ବର୍ଷ ପରେ ବିନୋବା ପୁଣିଥରେ ଦିନେ ଗାନ୍ଧିଜୀକଂ ସମୀପରେ ପହଂଚିଥିଲେ ଏବଂ ଏଥର ଆଶ୍ରମ ଛାଡି ବନାରସରେ କିଛି ବର୍ଷ ସଂସ୍କୃତ ଶିକ୍ଷା ଲାଗି ଅନୁମତି ସକାଶେ । ଗାନ୍ଧିଜୀ ଅନୁମତି ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ କଥା ଭୁଲିଯାଇଥିଲେ । ବିନୋବା କିନ୍ତୁ ଯେତିକି ଦିନ ଲାଗି ଅନୁମତି ନେଇଥିଲେ ତାହା ପୂର୍ତ୍ତି ହେବା ନିର୍ଦିଷ୍ଟ ଦିନରେ ଗାନ୍ଧିଜୀକଂ ସମ୍ମୁଖରେ ଆଶୀର୍ବାଦ ଲାଗି ଉପସ୍ଥିତ ହୋଇଯାଇଥିଲେ ।

ପଦଯାତ୍ରା ସମୟରେ ଦିନେ ଆମ ଭିତରେ ଆଲୋଚନା ବେଳେ ସେ ମତେ କହିଥିଲେ ଯେ ଯଦି ଆଜି ଗାନ୍ଧିଜୀ ଜୀବିତ ଥାଆନ୍ତେ ତାହାହେଲେ ସେବାଗ୍ରାମ ଆଶ୍ରମ ଛାଡି ସେ କେବେ ହେଁ ସାର୍ବଜନୀନ କାର୍ଯ୍ୟର ଜୀବନରେ ପ୍ରବେଶ କରିନଥାନ୍ତେ । ଗାନ୍ଧିଜୀକଂ ପ୍ରସ୍ଥାନ ଏବଂ ତେଲେଙ୍ଗାନାରେ କମ୍ୟୁନିଷ୍ଟ ଗଣବିଦ୍ରୋହ ତେଜି ଉଠିବା ସହ ନେହେରୁ ସେଠାକୁ ଆର୍ମି ପଠାଇ ବିଦ୍ରୋହ ହିଂସା ଦମନ କରିବାଲାଗି ବନ୍ଦୋବସ୍ତ କରୁଥିବାବେଳେ, କିଛି ପଦକ୍ଷେପ ନନେଇ ରହିପାରିବା ସମ୍ଭବ ନୁହେଁ ବୋଲି ବିନୋବା ମନେକରିଥିଲେ । ତାଙ୍କ ପ୍ରଚେଷ୍ଟା ଲାଗି କିଛି ସମୟ ଦେବା ଲାଗି ନେହରୁ ରାଜି ହୋଇଥିଲେ ଏବଂ ସେଥି ସହ ବିନୋବାକଂର ଭୂଦାନ ଆନ୍ଦୋଳନର ସୂତ୍ରପାତ ହେଲା । ଭୂଦାନ ଆନ୍ଦୋଳନର ପ୍ରାରଂଭିକ କାହାଣୀ ବିଶେଷ ବିଦିତ ହୋଇଥିବାରୁ ତାହାର ପୁଣି ଥରେ ଏଠାରେ କହିବା ଆବଶ୍ୟକ ମନେ କରୁନାହିଁ ।
ବିନୋବାକଂ ସହ ମୋର ପ୍ରଥମ କଥୋପକଥନର ପରବର୍ତ୍ତୀ ପ୍ରତ୍ୟୁଷରେ ମୁଁ ତାଙ୍କ ସହିତ ପଦଯାତ୍ରା ଆରଂଭ କଲି । ପ୍ରତ୍ୟେକ ଦିନର ନିର୍ଘଣ୍ଟ ଏହି ପ୍ରକାର ଥିଲା : ଅନ୍ଧାର ଥାଉଁଣୁ ବିନୋବା ଶଯ୍ୟା ଛାଡି ଗାଧୋଇବା ଇତ୍ୟାଦି ନିତ୍ୟକର୍ମ ଶେଷକରି ପ୍ରାର୍ଥନାରେ ନିମଗ୍ନ ରହନ୍ତି, ତାପରେ ନିଜର ଜିନିଷପତ୍ର ସଜାଡି ପ୍ରସ୍ତୁତ ହୋଇଯାନ୍ତି । ସୂର୍ଯ୍ୟୋଦୟର ଘଂଟାଏ ପୂର୍ବରୁ ପଦଯାତ୍ରୀ ଦଳ ଯାତ୍ରା ଆରମ୍ଭ କରନ୍ତି – ଗାଁ ରାସ୍ତା, ବିଳମାଳ, ଗଛ ତୋଟା, ସବୁଜ ଚରା-ଭୂଇଁ ଦେଇ, ଖାଲଖମା ଓ ବାଟରେ ନଦୀ ପଡିଲେ ପାର ହୋଇ ପ୍ରାୟ ଆଠ ରୁ ଦଶ ମାଇଲ ବାଟ ପାର କରି ପରବର୍ତ୍ତି ବଡ ଗାଁରେ ପହଁଚନ୍ତି । ଗାଁରେ ପହଞ୍ଚି ବିନୋବା ପ୍ରଥମେ କିଛି ସମୟ ବିଶ୍ରାମ କରନ୍ତି ଓ ତାପରେ ଗ୍ରାମବାସୀ ଯୋଗାଇଦେବା ଜଳଖିଆ ସମସ୍ତେ ଏକାଠି ଖାଆନ୍ତି | ଏହାପରେ ଦଳର ସଦସ୍ୟମାନେ ଅଥବା ଆମେ ସମସ୍ତେ ଭୁଦାନ କର୍ମୀ ଗାଁର ବିଭିନ୍ନ ସ୍ଥାନକୁ ଚାଲିଯାଉ, କେତେ ଜଣ ଗାଁ ବିଷୟରେ ତଥ୍ୟାବଳୀ, ଯଥା – ଲୋକସଂଖ୍ୟା, ଜାତିର ଶ୍ରେଣୀବିଭାଗ, ଭୂ-ସମ୍ପତି, ଜମିହୀନ ପରିବାର, ହସ୍ତଶିଳ୍ପ ଇତ୍ୟାଦି ତଥ୍ୟ ସଂଗ୍ରହରେ ଲାଗିପଡନ୍ତି ଏବଂ ଅନ୍ୟ ମାନେ ଘର ଘର ବୁଲି ଭୂଦାନର ତାତ୍ପର୍ୟ ବୁଝାଇବାରେ ବ୍ୟସ୍ତ ରହନ୍ତି । ସନ୍ଧ୍ୟାରେ ଆଖପାଖ ସବୁ ଗ୍ରାମର ଲୋକମାନେ ବିନୋବାଙ୍କୁ ଶୁଣିବା ଲାଗି ଆସିପହଁଚନ୍ତି, କୌଣସି କୌଣସି ଗାଁରେ ଦଶ ହଜାରରୁ ଉର୍ଦ୍ଧ ଲୋକ ମଧ୍ୟ ରୁଣ୍ଡ ହୋଇଯାନ୍ତି । ସଭା ଶେଷରେ ପ୍ରାର୍ଥନା ଓ ତାପରେ ସାନ୍ଧ୍ୟ ଭୋଜନ । ଶେଷରେ ଆରମ୍ଭ ହୁଏ ପ୍ରକୃତ କାର୍ଯ୍ୟ – ଅନୁଦାନକାରୀ ମାନେ ଦାନ-ପତ୍ରରେ ଦସ୍ତଖତ କରି ବିନୋବାକୁଂ ଭୂମୀ ଦାନ କରୁଥିବା ପର୍ଯ୍ୟାୟ । ପରବର୍ତ୍ତି ପ୍ରତ୍ୟୁଷରେ ବିନୋବା ପରବର୍ତି ଗାଁ ଉଦେଶ୍ୟରେ ପଦଯାତ୍ରା ଆରମ୍ଭ କରିବାପରେ ‘ଭୂ-ବଣ୍ଟନ’ର ଅସଲ କାର୍ଯ୍ୟଟି ସମାପନ କରିଥାନ୍ତି ସ୍ଥାନୀୟ ଭୂ-ଦାନ କର୍ମୀ ମାନେ । ଏହି ଭଳି ଭାବେ “ସେହି ଦେବତା ଯେ ଜମି ଦାନ କରିଥାନ୍ତି” ଗାଁ ରୁ ଗାଁକୁ ଯାତ୍ରା କରି ଚାଲିଥାନ୍ତି, ଏବଂ ମୁଁ ତାଙ୍କ ସହ ଦିନ ପରେ ଦିନ ଭାବୁଥାଏ ଜର୍ମାନ ଦର୍ଶନ ଓ ନିଗୁଢ଼ ଗଣିତ ବିଦ୍ୟାରେ ମୋ ପ୍ରଶିକ୍ଷଣକୁ ନେଇ ମୁଁ ଏଠାରେ କଣ ବା କାର୍ଯ୍ୟରେ ଆସିପାରେ ?
ଦିନେ ବିନୋବା ମତେ ପଚାରିଥିଲେ – “ଗୋତ୍ରାଙ୍ଗନରେ (ଗଟିନୱେନର ସଂସ୍କୃତ ପ୍ରତିଶବ୍ଦ) ତୁମେ ଯେଉଁ ସବୁ ଦର୍ଶନ ବିଦ୍ୟା ଅଧ୍ୟୟନକଲ ସେଥି ବିଷୟରେ କିଛି କହିପାରିବ ?” ତାପରେ ସେ କହିଥିଲେ – “ଗଟିନୱେନର ଏହି ପ୍ରତିଶବ୍ଦ ତୁମ ମାତୃଭାଷା ଓଡ଼ିଆରକୁ ଅନୁବାଦ ପ୍ରକୃତରେ ଭଣ୍ଡାରକର କରିଛନ୍ତି । ” ଉତ୍ତରରେ ମୁଁ କହିଥିଲି, “ଏହି ବିଷୟରେ କିଛି କହିବା ଲାଗି ଚେଷ୍ଟା ମୁଁ ସଂସ୍କୃତ ଭାଷାରେ ହିଁ କରିପାରେ । ” ମୋର ଉତ୍ତର ତାଙ୍କୁ ଖୁସି କରିଥିବା ଭଳି ମୋର ମନେ ହୋଇଥିଲା ଏବଂ ମୁଁ ତାହାର ସୁଯୋଗ ନେଇ ଶ୍ରୀ ଅରବିନ୍ଦକଂ ବିଷୟରେ ସେ କଣ ଭାବନ୍ତି ବୋଲି ପଚାରି ଥିଲି । ମୋ ପ୍ରଶ୍ନରେ ତାଙ୍କର ଆଖି ଲୁହ ଛଳଛଳ ହୋଇଯାଇଥିଲା । ମୁଁ ଜାଣିଥିଲି ଯେ ଶ୍ରୀ ଅରବିନ୍ଦ ଯେହେତୁ ବରୋଦାରେ ବେଶ କିଛି ଦିନ ରହିଥିଲେ, ତେଣୁ ମହାରାଷ୍ଟ୍ରର ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତି ମାନକଂ ଉପରେ ତାଙ୍କର ପ୍ରଭାବ ଗଭୀର ଥିଲା । ବିନୋବା ଉତ୍ତରରେ କହିଥିଲେ – “ଶ୍ରୀ ଅରବିନ୍ଦକଂ ବିଷୟରେ ମୁଁ କଣ ବା କହିପାରେ ? ଗାନ୍ଧିଜୀକଂ ବ୍ୟତୀତ ସେ ହେଉଛନ୍ତି ମୋ ଜୀବନ ଓ ଚିନ୍ତାରେ ସବୁଠାରୁ ଶକ୍ତିଶାଳୀ ପ୍ରଭାବ । ” ମୁଁ କହିଥିଲି – “ଶ୍ରୀ ଅରବିନ୍ଦକଂ ବିଷୟରେ ନିର୍ଦ୍ଧିଷ୍ଟ ଭାବେ ଜାଣିବା ଲାଗି ମତେ ସାହାର୍ଯ୍ୟ କରନ୍ତୁ । ଶ୍ରୀ ଅରବିନ୍ଦ କଂର ବେଦ ବ୍ୟାଖ୍ୟାକୁଂ ନେଇ ମୁଁ ଅତୀବ ଅନିସନ୍ଧୀଛୁ । ” ଏହି କଥୋପକଥନ ଘଟିଥିଲା ଯେତେବେଳେ ଉତ୍ତର ବାଲେଶ୍ୱରର ବିସ୍ତୀର୍ଣ୍ଣ ଧାନଖେତ ମଧ୍ୟ ଦେଇ ଆମେ ବାଟ ଚାଲୁଥିଲା ବେଳେ । ସୟାନାଚାର୍ଯ୍ୟ ଯେଭଳି ବେଦକୁଂ କେବଳ କର୍ମକାଣ୍ଡ ରୂପେ ବ୍ୟାଖ୍ୟା କରିଥିଲେ, ଶ୍ରୀ ଅରବିନ୍ଦକଂ ଦ୍ୱାରା ତାହାର ଖଣ୍ଡନ ଓ ପରିତ୍ୟାଗ, ସେତେବେଳର ଚିନ୍ତାଶୀଳ ବ୍ୟକ୍ତି ମାନକଂ ମଧ୍ୟରେ ଗଭୀର ଆଦୃତି ଓ ପ୍ରସିଦ୍ଧି ଲାଭ କରିସାରିଥାଏ । ସୟାନାଚାର୍ଯ୍ୟକଂ ବ୍ୟାଖ୍ୟା ପ୍ରତିବଦଳରେ, ବେଦ ମାନଙ୍କ ଏକ ଗଭୀର ଅଧ୍ୟୟନ ଦ୍ୱାରା ବୈଦିକ ଶବ୍ଦ ମାନଙ୍କର ମନସ୍ତାତ୍ଵିକ ଓ ଆଧ୍ୟାତ୍ମିକ ଅର୍ଥର ଉନ୍ମୋଚନ ଶ୍ରୀ ଅରବିନ୍ଦ କରିପାରିଥିଲେ । ଉଦାହରଣ ସ୍ୱରୂପ ବେଦରେ ‘ଅଗ୍ନି’ ଶବ୍ଦର ଅର୍ଥ ଏକାଧାରରେ ସାଧାରଣ ବୋଧଗମ୍ୟ (ଏକଜଟରିକ) ଅର୍ଥରେ ଇନ୍ଦ୍ରିୟାନୁଭୂତି-ମୂଳକ ଅଗ୍ନି ; ଦ୍ଵିତୀୟରେ ନିର୍ଦିଷ୍ଟଭାବେ ଗୁହ୍ୟ (ଏସୋଟେରିକ) ତେଣୁ ସ୍ୱତନ୍ତ୍ର ଜ୍ଞାନରେ ଦୀକ୍ଷାପ୍ରାପ୍ତ ବ୍ୟକ୍ତିବିଶେଷକଂ ଦ୍ୱାରା ହିଁ ବୋଧଗମ୍ୟ; ପୁଣି, ବିଶୁଦ୍ଧିକୃତ ଇପସା ଓ ଅନୁଗ୍ରହ (ପ୍ୟୁରିଫାଇଡ ୱିଲ) ମଧ୍ୟ । ବିନୋବାକୁଂ ପଚାରିଥିବା ଏହି ପ୍ରଶ୍ନ ଏଥିପୂର୍ବରୁ ରାଧାକ୍ରିଷ୍ଟନକୁଂ ମଧ୍ୟ ପଚାରିଥିଲି । ସେ କିନ୍ତୁ ତାଙ୍କର ‘ଇଂଡିଏନ ଫିଲୋସଫି’ ପୁସ୍ତକରେ କରିଥିବା ସୟାନାଚାର୍ଯ୍ୟକଂ ବ୍ୟାଖ୍ୟାର ଅନୁଧାବନ ସପକ୍ଷରେ ହିଁ ଯୁକ୍ତି ରଖିଥିଲେ । କିନ୍ତୁ ବିନୋବାକଂ ଉତ୍ତର ପ୍ରକୃତରେ ଥିଲା ଅନନ୍ୟ : “ବୈଦିକ ଶାସ୍ତ୍ର ମାନଙ୍କର ଵ୍ୟାଖ୍ୟାନ ତିନୋଟି ଦିଗରୁ ସମ୍ଭବ – ଏକ ନିର୍ଦ୍ଧିଷ୍ଟ ‘ଆଧିଭୌତିକ’ ଅର୍ଥରେ, ଅର୍ଥାତ, ସେହି ସମୟର ଜୀବନରେ ଭୌତିକ ଅବସ୍ଥା, ସାମାଜିକ, ଅର୍ଥନୈତିକ ଏପରିକି ରାଜନୈତିକ ଅବସ୍ଥାରେ ଅନ୍ତର୍ନିହିତ ତାତ୍ପର୍ୟ ମାନଙ୍କର ପର୍ଯ୍ୟାଲୋଚନା ଓ ବର୍ଣନା ଭାବେ; ଦ୍ଵିତୀୟରେ ‘ଆଧିଦୈବୀକ’ ଅର୍ଥରେ, ଅଥବା ଦେବତାମାନକଂ ସନ୍ତୁଷ୍ଟି ଲାଗି ପ୍ରାର୍ଥନା ଓ ସ୍ତବ ସ୍ତୁତି ରୂପେ (ସୟାନାଚାର୍ଯ୍ୟକଂ ବ୍ୟାଖ୍ୟାନ) ଏବଂ ତୃତୀୟରେ ‘ଆଧ୍ୟାତ୍ମିକ’ ଅର୍ଥରେ, ଅର୍ଥାତ ମନୁଷ୍ୟର ଆନ୍ତରିଣ ଜୀବନରେ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ, ଯେଉଁ ଦିଗଟି ଶ୍ରୀ ଅରବିନ୍ଦ ଉନ୍ମୋଚନ କରିଥିଲେ । “
ତାଙ୍କର ନିର୍ମଳ ଚିତ୍ତ ଓ କୌଶଳୀ ପ୍ରତିଭା ମୋ ହୃଦୟକୁ ସ୍ପର୍ଶ କରିଥିଲା ଓ ମୋ ଚିନ୍ତାକୁ ପ୍ରଭାବିତ କରିଥିଲା |ପରବର୍ତ୍ତୀ ଅମୟରେ ଗାଡ଼ାମେର୍ (‘Truth and Method’ର ପ୍ରସିଦ୍ଧ ଲେଖକ ଜର୍ମାନ ଦାର୍ଶନିକ ହାନ୍ସ ଜର୍ଜ ଗାଡାମେର)କଂ ଭାବଧାରାର ଅନୁସରଣରେ ମୋର ହୃଦବୋଧ ହୋଇଥିଲା ଯେ ଶାସ୍ତ୍ରମାନଙ୍କର ବୁଝାମଣା ଓ ଵ୍ୟାଖ୍ୟାନ ଲାଗି ସର୍ବୋତ ଭାବେ ଉନ୍ମୁକ୍ତ ରହିବା ଏବଂ କୌଣସି ସମ୍ଭାବନାର ଦ୍ୱାର କେବେ ହେଁ ବନ୍ଦ ନ କରିବା ଅନିର୍ବାର୍ଯ୍ୟ ଅଟେ ।

ଏହାର ଦୁଇ ତିନି ଦିନ ପରେ ସୁବିଧା ଦେଖି ଉପନିଷଦ ମାନକଂ ବିଷୟରେ ମତେ କିଛି ଶିକ୍ଷା ଦେବାଲାଗି ମୁଁ ଅନୁରୋଧ କରିଥିଲି । ସେ ସମ୍ମତ ହୋଇଥିଲେ ଏବଂ ବାଟ ଚାଲୁଥିଲା ବେଳେ ହିଁ ଏଥିଲାଗି ସମୟ ଦେଇ ପାରିବେ ବୋଲି ଜଣାଇଥିଲେ । ପର ଦିନ ଠାରୁ ସୂର୍ଯ୍ୟୋଦୟ ପରେ ବାଟ ଚାଲୁ ଚାଲୁ କୌଣସି ଖୋଲା ପଡିଆ କିମ୍ବା ଗଛ ମୂଳେ ଅଟକି ପଦଯାତ୍ରୀ ମାନକୁଂ କିଛିଟା ଶିକ୍ଷା ଦେବା ଉଦେଶ୍ୟରେ ଈଶ, କେନ ଓ କଥୋପନିଷଦ ଉପରେ କହିବାକୁ ଆରମ୍ଭ କରିଥିଲେ । ଉପନିଷଦିୟ ଚିନ୍ତାଧାରା ମାନକଂର ଏକ ନୂତନ ଵ୍ୟାଖ୍ୟାନ ଲାଗି ସେ ଚେଷ୍ଟା କରୁଥିବା ସ୍ପଷ୍ଟ ଥିଲା । ଶବ୍ଦ-ବ୍ୟୁତ୍ପତ୍ତି ତତ୍ୱରେ ନୂତନ ଆବିଷ୍କାର ମାନଙ୍କ ସାହାଯ୍ୟ ନେଇ ତର୍ଜମା କରୁଥିବାବେଳେ ସେ ସେହି ଚିନ୍ତାଧାରା ମାନଙ୍କର ଐତିହାସିକ ସତ୍ୟତା ପ୍ରତିପାଦନ କରୁଥିଲେ ଏବଂ ସମକାଳୀନ ଭାରତ ଲାଗି ସେହି ଚିନ୍ତାଧାରା ମାନଙ୍କର ପ୍ରଯୁଯ୍ୟତା ମଧ୍ୟ ନିର୍ମଳ ଭାବେ ଦର୍ଶାଉଥିଲେ । ତାଙ୍କର ଏହି ପଦ୍ଧତି ହେଇଡେଗେରକଂ ପଦ୍ଧତି ସହ ସମାନ ଥିବାଭଳି ପ୍ରତୀତ ହେଉଥାଏ ।
ପ୍ରତ୍ୟେକ ଦିନର ସାର୍ବଜନୀନ ସାନ୍ଧ୍ୟ ଅଭିଭାଷଣ ହିନ୍ଦୀରେ ହିଁ ଥିଲା ଏବଂ ବିଷୟବସ୍ତୁରେ ଏଭଳି ସୁଦୂର ପ୍ରସାରୀ ଯେ ଏକାଧାରରେ ପ୍ରାଚୀନ ଭାରତର ଜୀବନ ଓ ଚିନ୍ତାଧାରା, ମଧ୍ୟ-ଯୁଗୀୟ ଭକ୍ତି-ଚେତନା ଓ ରହସ୍ୟବାଦ, ଗାନ୍ଧୀ, ଟେଗୋର, ଆଧୁନିକ ବିଜ୍ଞାନ ଓ ଯାନ୍ତ୍ରିକ-ଉଦ୍ଭାବନ ତଥା ସମକାଳୀନ ରାଜନୈତିକ ପ୍ରଶ୍ନ ଓ ଆବଶ୍ୟକତା ଇତ୍ୟାଦି ଇତ୍ୟାଦି ସବୁକିଛିର ପ୍ରାଞ୍ଜଳ ଓ ଗଭୀର ଉତଥାପନ | ଯଦିଚ ବା ଅଭିପ୍ରେରିତ ଭାବେ ଭୂ-ଦାନ ଯଜ୍ଞର ସଫଳତା ଥିଲା ତାଙ୍କର ମୌଳିକ ଉଦ୍ଦେଶ୍ୟ କିନ୍ତୁ କୋଚିତ କେବେ ସେ ଭୂ-ଦାନ ବିଷୟରେ କିଛି କହୁଥିଲେ | ଏହା ପୂର୍ବ-ନିର୍ଦ୍ଧାରିତ ବୋଲି ବୁଝିପାରି ମଧ୍ୟ ଏହାର କାରଣ ବିଷୟରେ ଥରେ ବିନୋବାକୁଂ ପଚାରିଲି | ବିନୋବାକଂ ଉତ୍ତର ଥିଲା : “ମୋର ପ୍ରକୃତ ଉଦ୍ଦେଶ୍ୟ ଆଧ୍ୟାତ୍ମିକ, ସାମାଜିକ- ଅର୍ଥନୈତିକ ନୁହେଁ |” ଅନ୍ୟ ଏକ ସମୟରେ ସେ କହିଥିଲେ :”ପ୍ରାଚୀନ ଭାରତର ଦାର୍ଶନିକ ମାନେ, ଯେଉଁ ମାନେ ଏକାଧାରରେ ସନ୍ଥ ମଧ୍ୟ ଥିଲେ, ପାଦରେ ଚାଲି ଚାଲି ସାରା ଦେଶ ଭ୍ରମଣ କରୁଥିଲେ ଯାହାଦ୍ୱାରା କେବଳ ବଛା ବଛା ମାନ୍ୟଗଣ୍ୟ ମାନଙ୍କୁ ନୁହେଁ, ସାଧାରଣ ଗ୍ରାମୀଣ ଲୋକ ମାନଙ୍କୁ ମଧ୍ୟ ଶିକ୍ଷା ଦେବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁଥିଲା | ମୋ ଲାଗି ଏହି ପଦଯାତ୍ରା ସେମାନଙ୍କ ପଦାନୁସରଣ ଲାଗି ଆଧୁନିକ କ୍ରମରେ ଏକ ଉପାୟ । ଗଭୀର ଓ ବିସ୍ତୃତ ଚିନ୍ତାଧାରା ମାନଙ୍କର ମହନୀୟତା ଓ ଦର୍ଶନ ବିଦ୍ୟାର ଉପାଦେୟତା ବିଷୟରେ ସାଧାରଣ ଜନତାକୁଂ କିଛି ଶିକ୍ଷା ଦେଇପାରିବା ମୋର ଅସଲ ଅଭିଳାଷ । “
ପଦଯାତ୍ରା ବେଳେ ବିନୋବାକଂର ସେହି ସବୁ ଅଭିଭାଷଣ ମାନଙ୍କ ବିଷୟବସ୍ତୁ ବିଜ୍ଞାନ ରୁ ଆତ୍ମ-ଜ୍ଞାନ ଯାଏଁ ପରିବ୍ୟାପ୍ତ ଥିଲା । ପ୍ରକୃତରେ ବିଜ୍ଞାନ ଓ ଆତ୍ମଜ୍ଞାନ ମଧ୍ୟରେ ସମନ୍ୱୟତା ତଥା ଦୁହିଁକଂ ଏକତ୍ରୀକରଣ ବିନୋବାକଂ ଉଦ୍ଦେଶ୍ୟ ଥିଲା । ବିଶ୍ୱାସ ଓ ଯୁକ୍ତିରେ ସେ ଦୃଢ ଥିଲେ ଯେ ବିଜ୍ଞାନ ଓ ଆତ୍ମଜ୍ଞାନ, ଉଭୟ ଉପରେ ପର୍ଯ୍ୟବେଶୀତ ହୋଇପାରିଲେ ହିଁ ଗୋଟିଏ ସମାଜ ଅହିଂସା ଉପରେ ପ୍ରତିଷ୍ଠିତ ହୋଇପାରିବା ସମ୍ଭବ । ଏହି ସବୁ ବିଷୟ, ବିଶ୍ୱାସ ଓ ଯୁକ୍ତି, କେବଳ ଗାନ୍ଧୀବାଦିୟ ଚିନ୍ତାଧାରା ବୋଲି କହିବା ଉଚିତ ହୋଇନପାରେ । ବିନୋବା କୌଣସି ସମୟରେ ଗାନ୍ଧିଜୀକଂ ବିଜ୍ଞାନ ବିରୋଧୀ ଏବଂ ଅଣ-ଐତିହାସିକ ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରିନଥିଲେ । ଗାନ୍ଧୀକଂର ମୌଳିକ ଦୃଷ୍ଟିଭଙ୍ଗୀ ସହ ବିଜ୍ଞାନ ଓ ଇତିହାସର ସମନ୍ଵୟତା ଓ ସୁସଙ୍ଗତି ଗଢିତୋଳିବା ହିଁ ବିନୋବାକଂ ଏକନିଷ୍ଠ ଦୃଢ ଉଦ୍ଦେଶ୍ୟ ଓ ଚେଷ୍ଟା ଥିଲା ।
କିଛି ଦିନ ପରେ, ମୁଁ କଲିକତାରେ ଅଧ୍ୟାପନ କରୁଥିବାବେଳେ, ବିନୋବାକଂର ସେହି ଅଭିଭାଷଣମାନକଂ ମଧ୍ୟରୁ କେତୋଟି ଭାଷଣ ଇଂରାଜିରେ ଅନୁବାଦ କରିଥିଲି ଯାହା -‘ସାଇନ୍ସ ଏଣ୍ଡ ସେଲ୍ଫ-ନଲେଜ’ ନାମରେ ଏକ କ୍ଷୁଦ୍ର ପୁସ୍ତିକା ରୂପେ ପ୍ରକାଶିତ ହୋଇଥିଲା । ତାଙ୍କ ସହ କଥୋପକଥନ ମାନକୁଂ ଆଧାର କରି ତାଙ୍କର ଭାବଧାରା ଉପରେ ଏକ ଛୋଟିଆ ବହି ମୋ ମାତୃଭାଷା ଓଡ଼ିଆରେ ଲେଖିଥିଲି ମଧ୍ୟ ।
ବିନୋବା ଏବଂ ତାଙ୍କର ଭୂ-ଦାନ ପଦଯାତ୍ରୀ ଦଳ ଓଡିଶା ଛାଡିବା ସହ ତାଙ୍କ ସହ ମୋ ସମ୍ପର୍କ ଆଉ ରହିପାରି ନଥିଲା । ଥରେ ସେ କଲିକତା ଦେଇ ସେତେବେଳର ପୂର୍ବ-ପାକିସ୍ତାନରୁ ଫେରୁଥିବାବେଳେ ମୁଁ ଓ ମୋର ବନ୍ଧୁ ସ୍ୱର୍ଗତ ଶଶିଭୂଷଣ ଦାସଗୁପ୍ତ ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲୁ, କିନ୍ତୁ ଆଳାପ-ଆଲୋଚନା ଲାଗି ସେଠି କୌଣସି ଅବକାଶ ନଥିଲା । ତାପରେ ମୁଁ ଆମେରିକା ଚାଲିଆସିବା ପରେ ମୋର ମାଆ ବିନୋବାଙ୍କ ପନୱାର ସ୍ଥିତ ଆଶ୍ରମକୁ ଥରେ ଯାଇଥିଲେ, ସେ ମତେ ମନେରଖିଥିବା ଓ ମୋ ବିଷୟରେ ପଚାରୁଥିବା, ମାଆଙ୍କ ଠାରୁ ଶୁଣି ମୋ ହୃଦୟ ଆନନ୍ଦରେ ଭରିଉଠିଥିଲା ।
କିନ୍ତୁ, ଇନ୍ଦିରା ଗାନ୍ଧୀ ଯେତେବେଳେ ‘ଜାତୀୟ ଜରୁରୀକାଳିନ ପରିସ୍ଥିତି’ ନାମରେ ତାଙ୍କର ନୃଶଂସ ଶାଶନକୁ ଦେଶ ଉପରେ ଲଦି ଦେଇଥିଲେ, ବିନୋବା ତାଙ୍କୁ ସମର୍ଥନ କରି ନୈତିକ ସୁରକ୍ଷା ଯୋଗାଇ ଦେବାକୁ ଆଗେଇ ଆସିଥିବା ବିଷୟଟି ମତେ ଭୀଷଣ ହତ-ଉତ୍ସାହ ଓ ବିବ୍ରତ କରିଦେଇଥିଲା । ଭାରତ ଲାଗି ଆତ୍ମାନୁଶାସନର ଆବଶ୍ୟକତାର ଦ୍ୱାହି ଦେଇ ବିନୋବା ଯେପରି ଭାବେ ଇନ୍ଦିରା ଗାନ୍ଧୀକୁଂ ସମର୍ଥନ ଯୋଗାଇ ଦେଇଥିଲେ, ତାହା ଦୁଃଖଦ ଥିଲା, କାରଣ ବିନୋବା ଭୂଲ କରିଥିଲେ । ମନୁଷ୍ୟ ମାନଙ୍କ ମଧ୍ୟରେ ସବୁଠାରୁ ବିଜ୍ଞ ବ୍ୟକ୍ତି ମଧ୍ୟ କେବେ କେବେ ନିଜ ନିଜ ଚିନ୍ତାଧାରାରେ ବିଭ୍ରାନ୍ତ ହୋଇ ପଡ଼ିଥାନ୍ତି ।
ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ରମା ଦେବୀ – ସମସ୍ତେ ଜେଲ ଗଲେ, ଏହି ଥର କିନ୍ତୁ ସ୍ୱାଧୀନ ଭାରତରେ । ମହାତ୍ମାକଂ ସ୍ୱପ୍ନର ଭାରତକୁ ବ୍ୟଙ୍ଗପୁର୍ଣ ଭାବେ ଏକ ବିକୃତ ସ୍ତରକୁ ଟାଣି ଆଣିଥିବା ବ୍ୟକ୍ତି ଜଣକ ମଧ୍ୟ ଗାନ୍ଧୀ ନାମ ଧାରଣ କରିଥଲେ ଏବଂ ତାଙ୍କର ସବୁଠାରୁ ପାଖର କର୍ମୀ ଓ ରାଜନୈତିକ ଉତ୍ତରାଧିକାରୀ ଜବାହାର ଲାଲ ନେହେରୁକଂ କନ୍ୟା ଥିଲେ ।
ମହାତ୍ମାକଂ ଦ୍ୱାରା ଆରମ୍ଭ କରାଯାଇଥିବା ସର୍ବୋଦୟ ଆନ୍ଦୋଳନ ମଧ୍ୟ ଧୀରେ ଧୀରେ ମରିବାକୁ ଆରମ୍ଭ କରିଥିଲା ଏବଂ ମୋ ଜୀବନକାଳ ମଧ୍ୟରେ ହିଁ ପ୍ରାୟତଃ ନିଶ୍ଚିହ୍ନ ହୋଇ ଯାଇଥିଲା ।