ଆଧୁନିକ ଭାରତୀୟ ଚିତ୍ରକଳାର ଭୂମିକା

ମୂଳ ଲେଖା : ଚିତ୍ତପ୍ରସାଦ || ଅନୁବାଦ : ଜ୍ୟୋତି ନନ୍ଦ

ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଯାହାକୁ କହିବା ଇଂରେଜୀ ଅମଳ ସେହି ଭଳି ଇଂରେଜୀପଣକୁ  ଆମଦାନୀ କରେ। ଆଉ ଅଷ୍ଟାଦଶ ଶତକର ମଝାମଝି ଇଂରେଜୀ ଅର୍ଥାତ୍ ବ୍ରିଟିଶ ପତାକା ଭାରତର ନୀଳ ଅମ୍ବରକୁ ଆଚ୍ଛାଦନ କରିବା କାର୍ଯ୍ୟଟି ପ୍ରାୟ ସଂପନ୍ନ କରିଦିଏ । କିନ୍ତୁ ଏହାର ମଝିରେ ଅର୍ଥାତ୍ ସପ୍ତଦଶ ଶତାବ୍ଦୀରେ ବ୍ରିଟେନ ତଥା ଇଉରୋପର ଅନ୍ୟାନ୍ୟ ପ୍ରଦଶଜାତ ଚିତ୍ର,ଭାସ୍କର୍ଯ୍ୟ ଆଉ କାରୁକାର୍ଯ୍ୟଖଚିତ ବସ୍ତ୍ରାଳଙ୍କାର ଏଦେଶର ବଜାରରେ ନିଜର ସ୍ଥିତିକୁ ଏକପ୍ରକାର  ଧାର୍ଯ୍ୟ କରିବାର ସମସ୍ତ ଆୟୋଜନର ପ୍ରାରମ୍ଭ କରିଦେଇଥିଲା।

 “ସେଇସମୟରେ ଇଂରେଜ ବଣିକ,ଖାଲି ଇଂରେଜ କାହିଁକି, ପର୍ତ୍ତୁଗିଜ୍, ଓଲନ୍ଦାଜ, ଦିନେମାର, ଫରାସୀ ପ୍ରଭୃତି ନାନାଦେଶୀୟ ଦସ୍ୟୁ ଓ ବଣିକ,ଜଳଦସ୍ୟୁ ,ନୌବଣିକ ସେମାନଙ୍କ ଡଙ୍ଗାରେ ସେମାନଙ୍କ ଦେଶର କିଛି ପଣ୍ୟ ଦ୍ରବ୍ୟ ସହିତ ସାଥିରେ ସେଠିକାର କିଛି ଭଲ ତେଲରଂଗର କାମ କୁ ନେଇ ତାହାକୁ ବେଶ୍ ସାଜସଜ୍ଜା କରି ଦିଲ୍ଲୀର ବାଦଶା, ବଙ୍ଗଳା, ଅଯୋଧ୍ୟା ପ୍ରଭୃତି ପ୍ରଦେଶର  ନବାବ ଜମିଦାର ଆଦିଙ୍କ ଦରବାରରେ ଆସି ଉପସ୍ଥିତ। ଛୋଟ ବଡ ବିଭିନ୍ନ ସାଇଜ୍ ର କାମ, ଭଲ ଭଲ ଚକଚକ ସୁନେଲି ଗିଲ୍ଟିକରା ଫ୍ରେମରେ ବନ୍ଧା, ଏଇ ଲୋଭନୀୟ ବସ୍ତୁ ଗୁଡିକ ସେମାନଙ୍କୁ ତାହାପରେ ବେଶ୍ ଚଢା ଦାମ୍ ରେ ବିକ୍ରି କରାଯାଉଥିଲା । ଏଇଭଳି ଭାବରେ ସପ୍ତଦଶ ଶତକରୁ ଏଇ ଦେଶରେ ପାଶ୍ଚାତ୍ୟ ଚିତ୍ରକଳା ର ପ୍ରବେଶ ଘଟିଥିଲା। ଆଉ ତାହା ମଧ୍ୟରେ କରେଜିଓ, ମୁରିଲୋ, ତିଶିୟାନ୍, ରାଫାଏଲ୍, ଦା ଭିଞ୍ଚି, ରୁବେନସ୍ ଆଉ ରେମବ୍ରାଁ ଙ୍କର ଅସଲ ନକଲ ର ସବୁ ପ୍ରକାର ନିଦର୍ଶନ ରହିଥାଏ । କେବଳ ଛବି ନୁହଁ, ଏହା ସହିତ ଏଇ ସମୟରେ ମାର୍ବଲ ଆଉ ବ୍ରୋଞ୍ଜର ଅନେକ ମୂର୍ତ୍ତି ସେଠାରୁ ଏଠିକି ଆସିଛି। ସେ ସମୟର ବଣିକଦସ୍ୟୁଗଣଙ୍କର କେବଳ ଛବି ବିକ୍ରି ର ବିଷୟ ନୁହଁ ,ଆହୁରି ଘନିଷ୍ଠ ଭାବରେ ଇଉରୋପୀୟ ତୈଳଚିତ୍ର-ପଦ୍ଧତି ଭାରତୀୟ ଶିଳ୍ପୀ ମାନଙ୍କର ଭିତରେ ବେଶ୍ ଆଲୋଡନ ସୃଷ୍ଟି କରିଥିଲା। ତାହାର ପରିଚୟ ଏଇ ସମସ୍ତ ବିଲାତି ଧରଣର ପୋଟ୍ରେଟ୍-ପେଣ୍ଟିଙ୍ଗ୍ ର ଭିତରେ (ପ୍ରକାଶିତ ହୋଇଛି)।” (ପ୍ରବାସୀ ବଙ୍ଗସାହିତ୍ୟ ସମ୍ମିଳନୀରେ ଶ୍ରୀ ପ୍ରମୋଦ କୁମାର ଚଟ୍ଟୋପାଧ୍ୟାୟଙ୍କ ସଭାପତି ଅଭିଭାଷଣ, ୧୩୪୮ ବଙ୍ଗାବ୍ଦ, କାଶୀ)

ଶ୍ରୀ ପ୍ରମୋଦ କୁମାର ଚଟ୍ଟୋପାଧ୍ୟାୟ

ହିନ୍ଦୁ ଅମଳରେ ଭାରତରେ ଶିଳ୍ପକଳାର ଦୁଇଟି ବିଭାଗ ଥିଲା ,ପ୍ରଥମଟି ଧର୍ମଭାଗ; ଦ୍ୱିତୀୟଟି ,ପ୍ରଥମଟିର ଅନୁଗତ ବିଳାସର ଭାଗ। ପ୍ରଥମ ଭାଗରେ ହିନ୍ଦୁର ମୂର୍ତ୍ତିପୂଜାର ପ୍ରଧାନ ଆଶ୍ରୟ ଭାସ୍କର୍ଯ୍ୟ ଏବଂ ଦେବଦେବୀର ଲୀଳାଚିତ୍ର; ଦ୍ୱିତୀୟ ଭାଗରେ ଧର୍ମାନୁମୋଦିତ ଏବଂ ମନ୍ଦିରର ପ୍ରଭାବରେ ପ୍ରଭାବିତ ବିଳାସୋପକରଣ ଚିତ୍ର। ଭାସ୍କର୍ଯ୍ୟର ପର୍ଯ୍ୟାୟରେ ମୃତ୍-ମୂର୍ତ୍ତି ଗୁଡିକୁ ଗ୍ରହଣ କରିବା ଦରକାର । ଏବଂ ସ୍ଥାପତ୍ୟ ଏହି ପର୍ଯ୍ୟାୟର ମେରୁଦଣ୍ଡ ସ୍ୱରୂପ। ଦ୍ୱିତୀୟ ପର୍ଯ୍ୟାୟରେ ବାସନକୁସନ, କାଠର କାମ, ବସ୍ତ୍ର ଆଉ ଅଳଙ୍କାରକୁ ଧରିବାକୁ ହେବ।

ପ୍ରଥମ ପର୍ଯ୍ୟାୟର ଶିଳ୍ପକଳାର କାରିଗରମାନଙ୍କୁ ଭାତ ଯୋଗାଉଥିଲେ ହିନ୍ଦୁ ରାଜାରାଜୁଡାମାନେ,ଦ୍ୱିତୀୟ ଦଳକୁ ଜନସାଧାରଣ। ଜନସାଧାରଣଙ୍କର ବିଳାସସାମର୍ଥ୍ୟ ଥିଲା ପ୍ରଚୁର ।

ମୁସଲମାନ ଅମଳରେ  ହିନ୍ଦୁ ଧର୍ମର ଭିତ୍ତି ସ୍ୱରୂପ ରାଜଶକ୍ତି ଅପସରି ଯାଏ – ତାହାରି ଭିତରେ ଦୁଇ ଦଳର କାରିଗରଶ୍ରେଣୀର କାର୍ଯ୍ୟର ଆଦର୍ଶ ବଦଳିଯିବାକୁ ଲାଗେ।

ମୂର୍ତ୍ତି-ଶିଳ୍ପ (ଯେଉଁଭଳି)ଲୋପ ପାଇବାକୁ ବସିଲା (ସେଇଭଳି) ପ୍ରଥମ ଶ୍ରେଣୀ ରୁ ଭାସ୍କରର ଦଳ ସ୍ଥାପତ୍ୟ ଆଡକୁ ମାଡିଚାଲିଲେ। ରାଜଶକ୍ତିପୁଷ୍ଟ ମୁସଲମାନକାରିଗରୀ ସକଳ ଶିଳ୍ପର ଆଦର୍ଶ ପାଲଟି ଗଲା। ରାଜପୁତନାର ହିନ୍ଦୁ ନୃପତିଗଣ ବି ସେହି ଆଦର୍ଶର ପ୍ରଭାବକୁ କାଟି ପାରିଲେ ନାହିଁ । ଅଳ୍ପ ପରିମାଣରେ ଦେବଦେବୀଙ୍କ ମୂର୍ତ୍ତି ଓ ଚିତ୍ର ରଚିତ ହେବାକୁ ଲାଗିଲା ଆଉ ସେଥିରେ ବି କିଛି କିଛି ମୁସଲମାନୀ ଥାଟ୍ ରହିଯିବାକୁ ଲାଗିଲା।

ମୁସଲମାନ ଅଭ୍ୟୁଦୟରେ ଭାରତର ଲକ୍ଷ୍ୟ କ୍ରମଶଃ ଧ୍ୟାନ ଧର୍ମର ଜଗତଠାରୁ ଯାଇ ଶକ୍ତି ଏବଂ ଐଶ୍ୱର୍ଯ୍ୟର ଜଗତରେ ସୀମାବଦ୍ଧ ହୋଇ ପଡିଲା । କାର୍ଯ୍ୟତଃ ଧର୍ମଜଗତର ଅପେକ୍ଷା ବିଳାସର ଜଗତ ରୁ ହିଁ ଭାରତର ଶିଳ୍ପକଳା ଅଧିକତର ଖୋରାକ ପାଉଛି,ଠିକ୍ ସେତିକିବେଳେ ଇଉରୋପ ଆସି ସେହି ଖୋରାକର ଅଂଶୀଦାର ହୋଇଗଲା।

ଇଂରେଜ ଯଦି ତାହାର ଶିଳ୍ପକଳାକୁ ଏଇ ଦେଶରେ କେବଳ ପ୍ରତିଷ୍ଠିତ କରିବାକୁ ଚାହୁଁଥାନ୍ତା,ତାହାହେଲେ ଭାରତର ବିଳାସଜଗତରେ ଶିଳ୍ପୀର ମୃତ୍ୟୁ ଘଟୁନଥାନ୍ତା। ଇଂରେଜ ଏଇ ଦେଶରୁ ସକଳ ଐଶ୍ୱର୍ଯ୍ୟକୁ ଲୁଟ୍ କରିବାରୁ ଯଦି କ୍ଷାନ୍ତ ହୋଇଥାନ୍ତା,ତାହାହେଲେ ହୁଏତ ଏଇଦେଶର ଭଣ୍ଡାର ଖାଲି ପଡନ୍ତା ନାହିଁ । ଇଂରେଜମାନେ ଏଇ ଦେଶର କାରିଗରମାନଙ୍କୁ ହତ୍ୟା କରିବାକୁ ଆରମ୍ଭ କରିଥିଲା ବ୍ୟବସାୟଦାରୀର ମାଧ୍ୟମରେ ।

ଇଂରେଜମାନେ ଏଇଦେଶରେ ତାହାର ଲଳିତକଳାର ବଜାର ଖୋଲିବାକୁ ଆସିନାହିଁ,ଏଦେଶକୁ ଇଉରୋପୀୟ ଲଳିତକଳାର ଆଦର୍ଶରେ ଦୀକ୍ଷା ଦେବାକୁ ବି ଆସିନି,ସେମାନେ ଆସିଛନ୍ତି ଏଇଦେଶରେ ସେମାନଙ୍କର କଳରୁ ଉତ୍ପାଦିତ ପଦାର୍ଥକୁ ବିକ୍ରିକରିବା ପାଇଁ ଏବଂ ତାହାଠାରୁ ବଡକଥା ,ଏଇ ଦେଶର କଂଚାମାଲକୁ ଲୁଟ୍ କରି ନିଜଦେଶକୁ ଚାଲାଣ କରିବା ପାଇଁ । ଏହି ଦୁଇଟି ଉଦ୍ଦେଶ୍ୟରୁ ଦ୍ୱିତୀୟଟିର ଉଦ୍ଦେଶ୍ୟ ସାଧନ ନିମନ୍ତେ ଏଇ ଦେଶର କୃଷିଜୀବନରୁ ଦେଶବାସୀଙ୍କୁ ଠେଲି ଦେଇଛନ୍ତି ଏବଂ ତାହାଫଳରେ ସେମାନଙ୍କର ପ୍ରଥମ ଉଦ୍ଦେଶ୍ୟ ଅର୍ଥାତ୍ ସେମାନଙ୍କର କଳଜାତ ମାଲ୍ ବିକ୍ରିବଟା କରିବାର ଉଦ୍ଦେଶ୍ୟ ସଂପନ୍ନ ହୋଇଛି। ତେଣୁ ଏଇ ଦେଶରେ କଳ ତିଆରିର ରାସ୍ତା ବନ୍ଦ କରି ନିଜର ଦେଶରୁ ଶସ୍ତାରେ ବିଳାସସାମଗ୍ରୀ ମାନ ଆଣି ଏଠି ଘରେ ଘରେ ତୋଳିଦେଇ ସେମାନେ ଏଠିକାର କାରିଗରମାନଙ୍କୁ ଭାତରେ ମାରିଛନ୍ତି।

ଏଇଠି “ବିଳାସ”ର କଥାଟିର ଅର୍ଥକୁ ଟିକିଏ ସ୍ପଷ୍ଟ ଭାବରେ କହିବା ଦରକାର । ଭାରତର ବିଳାସିତା,ଭାରତର ଭାବପ୍ରବଣ ସ୍ୱଭାବ ଭଳି ଭାରତର ଜନସାଧାରଣଙ୍କ ସହିତ ଓତଃପ୍ରୋତ ଭାବରେ ଜଡିତ । ଯେଉଁ ନଗ୍ନ-ଦାରିଦ୍ର୍ୟ ଆଜି ଇଂରେଜର ଦେଢଶହ ବର୍ଷର ଶୋଷଣ ପରେ ଦେଖା ଦେଉଛି,ତାହା ଭାରତରେ ନଥିଲା। ଅତି ସାମାନ୍ୟ ପଲ୍ଲୀବାଳିକାର ଦେହରେ ବି ସମାନ୍ୟ ହେଉ ପଛକେ ଅଳଙ୍କାର ରହୁଥିଲା,ଅତି ସାଧାରଣ ଘରେ ବି କଂସା-ପିତ୍ତଳର ଭାରି ଭାରି କାରୁଖଚିତ ବାସନକୁସନ ଥିଲା- ଏପଟରେ ହିନ୍ଦୁ-ମୁସଲମାନ ଭେଦ ନଥିଲା । ସେଇଥିପାଇଁ ଦ୍ୱିତୀୟ ଭାଗର ଶିଳ୍ପକଳା,ଯାହାକୁ  ବିଳାସୋପକରଣ ବୋଲି କୁହାଯାଏ,ସେହି ବିଳାସୋପକରଣ ଏଇଦେଶର ବଜାରରେ ପଣ୍ୟସଂଭାର ଆକାରରେ ଥିଲା,ସେଇ ସବୁ ଉପକରଣର କାରିଗରମାନେ ଥିଲେ ବସ୍ତୁତଃ ମାନୁଫାକଚରର୍।

ଯେହେତୁ,ସେଇସବୁ ପଣ୍ୟନିର୍ମାଣର ମେହନତ ଆଉ ଅନ୍ନଉତ୍ପାଦନର ମେହେନତ ପ୍ରାୟ ସମାନ ଥିଲା ସେହେତୁ ପଣ୍ୟବ୍ୟବସାୟୀମାନଙ୍କ ହାତରେ କୃଷକମାନେ ଠକାମୀର ଶିକାର ହେଉନଥିଲେ ,ସମାନ ପରିଶ୍ରମର ବିନିମୟ ହେଉଥିଲା,ଆଉ ତାହାଫଳରେ କୃଷକ ଜୀବନରେ ବିଳାସିତା ଥିଲା । ଅନ୍ୟପକ୍ଷରେ କଞ୍ଚାମାଲ୍ ଚାଲାଣ ହେଉନଥିଲା – ପଣ୍ୟଶିଳ୍ପୀମାନଙ୍କର ମେହେନତକୁ ପୋଷାଇବା ଭଳି ଅନ୍ନ ସେମାନଙ୍କୁ ଚାଷୀମାନଙ୍କ ଠାରୁ ମିଳି ଯାଉଥିଲା ।

ଇଂରେଜୀ ଆସି ଏଠାରୁ କଂଚାମାଲ ନେଇ କଳତିଆରି ପକାମାଲ ଦେବାକୁ ଲାଗିଲେ । ସେଇ ପକାମାଲ ଭିତରେ ଥାଏ ଅଳ୍ପ ମେହେନତ,ତେଣୁ କାର୍ଯ୍ୟତଃ ତାହା ଶସ୍ତା ହେବାକୁ ଲାଗିଲା। ଅଧିକ କଂଚାମାଲ ର ଯୋଗାଣ ଦେଇ ଆଉ ଇଂରେଜମାନଙ୍କୁ ନୂଆ ନୂଆ କିସମର ଅଧିକ ଖଜଣା କୁ ଯୋଗାଣ ଦେଇ ଚାଷୀମାନଙ୍କର ହାତରେ ଅବଶିଷ୍ଟ ଯାହା ରହୁଥିଲା ତାହା ଦ୍ୱାରା ହାତ-କାରିଗରମାନଙ୍କର  ତିଆରି ମୂଲ୍ୟବାନ ଜିନିଷ କିଣିବା ଭଳି “ବିଳାସିତା” ଆଉ ପୋଷାଉନଥିଲା । ତେଣୁ ଆପେ ଆପେ ଶସ୍ତା ଦରବ ପ୍ରତି ନଜର ଯିବାକୁ ଲାଗିଲା । ତେଣୁ କାର୍ଯ୍ୟତଃ ତନ୍ତୀପଡାର ତନ୍ତ ବନ୍ଦ ହେବାକୁ ବସିଲା,କଂସାରିପଡାର ଅବସ୍ଥା ତାହା ,ଆଉ ବଣିଆପଡାର ଦୁର୍ଦ୍ଦଶା ତ ନକହିବା ଭଲ ।

ଦେଶର ଏଇ ଭଳି ଅବସ୍ଥା ଉଚ୍ଚଶିକ୍ଷିତମାନଙ୍କର ଦୃଷ୍ଟିରେ ଧରାପଡିବାକୁ ବେଶି ସମୟ ଲାଗିଲା ନାହିଁ । ଭାରତର ଜାତୀୟ କଙ୍ଗ୍ରେସ ପ୍ରତିଷ୍ଠିତ ହେବାର ଆଗରୁ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା। ସେଇ ଆନ୍ଦୋଳନକୁ ସମ୍ଭାଳିନେବାର ଦ୍ୱାହି  ଦେଇ ଇଂରେଜୀ ବଣିକ-ସରକାର କେଉଁଭଳି ଏଇ ଦେଶରେ ସେମାନଙ୍କର ପକାମାଲର ବଜାର କୁ ଆହୁରି ବ୍ୟାପ୍ତ କରିଚାଲିଥିଲେ ତାହାର ଇଂଗିତ ଆମେ  “ଇଣ୍ଡିଆନ୍ ରେଭନ୍ୟୁ ଆଣ୍ଡ ଆଗ୍ରିକଲଚରାଲ୍ ଡିପାର୍ଟମେଣ୍ଟ” ସଂପାଦିତ “ଇଣ୍ଡିଆନ ଆର୍ଟ ଜର୍ଣ୍ଣାଲ୍” ରୁ ପାଇଥାଉ।

ଊଣେଇଶ ଶତକର ଶେଷ ଆଡକୁ ଭାରତର ହସ୍ତ-ନିର୍ମିତ ପଣ୍ୟର ଉନ୍ନତିର ଛଳରେ ଏଇ ବିଭାଗ (ଆହୁରି) ଗୋଟିଏ ନୂତନ ବିଭାଗ ଖୋଲିଥିଲା : ଏକଜିବିଶନ୍ ଓ ମ୍ୟୁଜିଅମ ବିଭାଗ। ସେହି ବିଭାଗ ଆଉ ଏଇ “ଜର୍ଣ୍ଣାଲ୍” ର କାର୍ଯ୍ୟ ଥିଲା ଏଇ ଦେଶର ପଣ୍ୟର ନମୁନା,ହାରାହାରି ମୂଲ୍ୟ ଓ ଚାହିଦା,ଆଉ ଉତ୍ପାଦନ କ୍ଷମତାର ସୀମା ସମ୍ଭନ୍ଧରେ ନିଖୁଣ ହିସାବ ଇଉରୋପରେ,ବିଶେଷ ଭାବରେ ଇଂଲଣ୍ଡର ବ୍ୟବସାୟୀ ମହଲକୁ ଚାଲାଣ କରିବା। ଏଇ କାର୍ଯ୍ୟର ନିଗୂଢ ତାତ୍ପର୍ଯ୍ୟ ଅନୁଧାବନ କରନ୍ତି,ଏଇ ଭଳି କୁଟିଳ ଶିକ୍ଷାରେ ଶିକ୍ଷିତ ଏଇ ଦେଶରେ ସେତେବେଳେ କେହି ନଥିଲେ । କିନ୍ତୁ ଏଇ କାମର ଯାହା ଫଳ ହେଲା,ତାହାର ଧକ୍କାକୁ ସମ୍ଭାଳିନେବା ପାଇଁ ଭାରତର ବଣିକ ମାନଙ୍କୁ କଂଗ୍ରେସର ଆଶ୍ରୟ ନେବାକୁ ହୋଇଥିଲା। କଂଗ୍ରେସ ପ୍ରସଂଗ ଏହାପରେ ଏଇଠି ଅବାନ୍ତର,କାରଣ ଭାରତର ଲଳିତକଳାର ଜଗତରେ ତାହାର ଦାନ ପ୍ରତ୍ୟକ୍ଷ ଭାବରେ କିଛି ହିଁ ନାହିଁ,ପରୋକ୍ଷ ଭାବରେ ଯାହା ଅଛି ତାହା ଅତି ସାମାନ୍ୟ।

ମ୍ୟୁଜିଅମ୍ ପ୍ରତିଷ୍ଠାର ଠିକ୍ ପରେ ପରେ ଏଇ ଦେଶରେ ଇଂରେଜୀ ଶିଳ୍ପବିଦ୍ୟାଳୟ ମାନ ପ୍ରତିଷ୍ଠିତ ହୁଏ । ସେହି ବିଦ୍ୟା ହିଁ ଭାରତୀୟ ଆଦର୍ଶର ଶତ୍ରୁ ଥିଲା। ସେହି ଶତ୍ରୁତାର କଥା ର ପର୍ଦ୍ଦାଫାଶ କରିଦେଇଥିଲେ ଜଣେ ଇଂରେଜ – ତାଙ୍କର ନାଆଁ ଇ.ବି.ହାଭେଲ୍ । ତାଙ୍କର ପ୍ରରୋଚନାରେ ଜୋରାଶଂଖ ଠାକୁରବାଡି ରେ ନବ୍ୟ ଭାରତୀୟ ଶିଳ୍ପର ଗୁରୁ ଅବନୀନ୍ଦ୍ରନାଥ ଭାରତୀୟ ଚିତ୍ରକଳାର ଗୋଟିଏ ଆଧୁନିକ ରୂପ ଉପସ୍ଥାପନ କରିବାର ସାଧନାର ଆରମ୍ଭ କରିଥିଲେ – ବିଂଶ ଶତକର ସେ ଆରମ୍ଭ କାଳ ।

ଇ.ବି.ହାଭେଲ୍

ଭାରତରେ ପ୍ରାକ୍-ଇଂରେଜ ଯୁଗର ଶିଳ୍ପକଳା ଥିଲା ସର୍ବସାଧାରଣଙ୍କର ଭୋଗର ବସ୍ତୁ। “ଆର୍ଟ” ନାମକ ଗୋଟିଏ ସ୍ୱତନ୍ତ୍ର ବିଭାଗ ର ଭିତର ଦେଇ ବିଶେଷ ଶିକ୍ଷା ଅର୍ଜନ କରି ଶିଳ୍ପକଳାକୁ ଉପଭୋଗ କରି ହେବନାହିଁ । ପଣ୍ୟବ୍ୟବସାୟୀମାନେ ଖରିଦଦାର୍ ର ରୁଚିକୁ ଫାଙ୍କିଦେଇ ଶସ୍ତାରେ ଆମୋଦକୁ ବିକ୍ରୀକରି ରାତାରାତି ଧନୀ ହେବାର ସୁଯୋଗ ପାଆନ୍ତି ନାହିଁ । ଖରିଦଦାର୍ ଥିଲା ଖାଣ୍ଟିକୁ ତଉଲିନେବାର ଫୁରସତ,ଆଉ ଖାଣ୍ଟିକୁ କିଣିପାରିବା ଭଳି ପକେଟ୍। ସୌନ୍ଦର୍ଯ୍ୟଭୋଗର ରେୱାଜ୍ ସମସ୍ତଙ୍କର ଥିଲା – ଆଉ ବିଶେଷ ଭାବରେ ଜାଲ୍ ଏବଂ ନକଲ ସୌନ୍ଦର୍ଯ୍ୟର ଉତ୍ପାଦନପ୍ରଣାଳୀର କୌଣସି ବ୍ୟବସ୍ଥା ନଥିଲା। ଇଂରେଜ ମାନେ ଭାରତର ଅସଲ ସୌନ୍ଦର୍ଯ୍ୟକୁ ନକଲ ଆଉ ଜାଲ୍ ଦ୍ୱାରା ଧ୍ୱଂସ କରିଦେଇଥିଲେ । ସେହି ଧ୍ୱଂସଜାତ ବେଦନା ର ମଧ୍ୟରୁ ଅବନ ଠାକୁରଙ୍କ ଭାରତୀୟ ଚିତ୍ରକଳାର ଜନ୍ମ। ଏଇ ବେଦନାବୋଧର ନାଆଁ ହେଉଛି ସ୍ୱଦେଶପ୍ରେମ।

ସ୍ୱଦେଶପ୍ରେମର ଝୁଙ୍କ୍ ଟି ଏଇ ଦେଶର ଶିଳ୍ପଜଗତରେ ଏଇଲେ ତୀବ୍ରଭାବରେ ଅତୀତମୁଖୀ। ଅବନ ଠାକୁର ତାଙ୍କର ଶିଳ୍ପକଳାର ଆହାର୍ଯ୍ୟ ଏବଂ ଆଦର୍ଶ ସଂଗ୍ରହ କରିଥିଲେ ଅତୀତ ଭାରତରୁ । ସମସାମୟିକ ଯୁଗରେ ସେହି ଅତୀତକୁ ଆଶ୍ରୟ ଦେବା ଅସମ୍ଭବ ଥିଲା । ବିଦେଶୀ ଯନ୍ତ୍ରଜାତ ପଣ୍ୟର ସହିତ ପ୍ରତିଯୋଗିତାରେ ସ୍ୱଦେଶୀହାତକାରିଗରୀ ସେତେବେଳେ ମାଡ ଖାଇ ଖାଇ ପ୍ରାୟ ମୁମୁର୍ଷୁ । କାର୍ଯ୍ୟତଃ ନବ-ଆବିଷ୍କୃତ ପ୍ରାଚୀନ ଶିଳ୍ପ-ନିଦର୍ଶନଗୁଡିକ ଯେଉଁଭଳି ସେଦିନ ମ୍ୟୁଜିୟମ୍ ଗୁଡିକରେ ଆଶ୍ରୟ ନେଇଥିଲା ,ସେଇ ଭଳି ନବ-ସୃଷ୍ଟ ପ୍ରାଚୀନପନ୍ଥୀ ଚିତ୍ରଗୁଡିକ “ଆର୍ଟ” ର କୋଠାରେ ଆଶ୍ରୟ ନେବାକୁ ବାଧ୍ୟ ହେଲା। ସେହି ଧରଣର କୋଠା ଏଇ ଦେଶରେ ଆଗରୁ ନଥିଲା ବୋଲି କହିଲେ ଠିକ୍ ହେବ; ଏହା ଇଉରୋପରେ ଯେମିତି,ଏଇ ଦେଶରେ ବି ସେମିତି ଏଇଯୁଗର ସୃଷ୍ଟି । ଏଇ କୋଠାଟି ଯେଉଁ ପରିଶ୍ରମ ଦେଇ ଗଢା ହେଲା,ସେଇ ପରିଶ୍ରମର ଦାମ ଯନ୍ତ୍ରଜାତ ପଣ୍ୟର ତୁଳନାରେ ଅନେକ ବେଶି ହେବା କାରଣରୁ ଆର୍ଟ କ୍ରମଶଃ ଜନସାଧାରଣଙ୍କର ଆୟତ୍ତର ବାହାରେ ରହିଯାଉଥିଲା।

ମଣିଷର ସାଧାରଣ କ୍ଷୁଧା-ତୃଷା ର ସାମଗ୍ରୀକୁ ନେଇ ଯନ୍ତ୍ର-ବଣିକ ମାନେ ଯେମିତି ବାଣିଜ୍ୟ କରିଛନ୍ତି ,ସେଇଭଳି ମଣିଷର ସୌନ୍ଦର୍ଯ୍ୟ ଓ ରସପିପାସାକୁ ନେଇ ସେମାନେ ବି ବଣିଜ ଆରମ୍ଭ କଲେ। କେବଳ ବାସନକୁସନ, ବସ୍ତ୍ର, ଅଳଙ୍କାର ପ୍ରଭୃତି ଦ୍ୱାରା ନୁହଁ, ଓଲିଓଗ୍ରାଫ୍, ଫଟୋଗ୍ରାଫ୍, ଲିଥୋ ଏବଂ ଗ୍ରାମଫୋନ୍, ହାରମୋନିୟମ, ଫ୍ଲୁଟ୍, ସିତାର-ଏସରାଜର ତାର ଏବଂ ସିନେମା,ରେଡିଓ ପ୍ରଭୃତି ଦ୍ୱାରା ଆର୍ଟ ରାଜ୍ୟରେ ବି ବଣିକମାନେ ହାଟ ଖୋଲିଦେଲେ। ସେହି ହାଟରେ ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ହେଲେ ସ୍ୱଦେଶପ୍ରେମ ହିଁ ଯଥେଷ୍ଟ ନୁହଁ,ଏପରିକି ପ୍ରବଳ ପ୍ରଚାର ବି ନୁହଁ । ଦରକାର ଅନେକ ଟଙ୍କାର ମୂଳଧନ ଏବଂ ବିଶେଷ ଭାବରେ ବସ୍ତ୍ରଶିଳ୍ପର ସ୍ୱାଧୀନତା। ତାହାର ଅଭାବରେ ଆଧୁନିକ ଭାରତୀୟ ଶିଳ୍ପକଳା ଏଇଲେ ଭାରତୀୟ ଜୀବନରେ ଅତ୍ୟନ୍ତ ସଂକୀର୍ଣ୍ଣସ୍ଥାନରେ ଏକେବାରେକେ ରହିଅଛି । ଆଧୁନିକ ଭାରତୀୟ ଶୀଳ୍ପକଳାର ଶୀର୍ଣ୍ଣ ଗୌରବର ଆଉ ଗୋଟିଏ ହେତୁ -ତାହାର ଆଦର୍ଶ ର ଭିତରୁ ଭାରତର ଦୈନ୍ୟ ଓ ପରାଧୀନତାପୀଡିତ ଜନତା ଜୀବନର କୌଣସି ଶକ୍ତି,କୌଣସି ପ୍ରେରଣା ପାଆନ୍ତି ନାହିଁ । ପ୍ରେମ, ଭକ୍ତି, ବୈରାଗ୍ୟ, ଶାନ୍ତି, ଆଧ୍ୟାତ୍ମିକତା ପ୍ରଭୃତିକୁ ନେଇ ଯେଉଁ ଜୀବନ ଆଧୁନିକ ଭାରତରେ ସଂପୂର୍ଣ୍ଣ ଅବାସ୍ତବ ବୋଲି କହିଲେ ଭୁଲ କୁହାଯିବ ନାହିଁ । ସେହି ଜୀବନକୁ ପହଞ୍ଚିବାର ପଥରେ ପ୍ରଥମବାଧା ବିଦେଶୀର ଶାସନ ,ଦ୍ୱିତୀୟବାଧା ବଣିକର ଶାସନ ଓ ଶୋଷଣ,ତୃତୀୟ ବାଧା ପ୍ରୟୋଜନୀୟ ଶିକ୍ଷା । ସେଇ ସବୁ ବାଧାକୁ ଅତିକ୍ରମଣ ର ପ୍ରେରଣା,ଅଥବା ସେଇସବୁ ବାଧା ଭିତରେ  ବିସ୍ମୃତିର ମଧ୍ୟରୁ କ୍ଷଣିକ ମୁକ୍ତିର ଆଶା କରି ଜନତା ଆର୍ଟ ର ନିକଟରେ ଗହଳି ବାନ୍ଧେ । ସେହି ବିସ୍ମୃତିର ଖୋରାକ ଯୋଗାଉଛି ସିନେମା ଆଉ ବଣିକର ଫରମାଇସି ସାହିତ୍ୟ,ଚିତ୍ର ଇତ୍ୟାଦି । ବଣିକ-ଉଦ୍ଭାବିତ ଏଇ ଖୋରାକ ମାରାତ୍ମକ ନିଶା-ଅତ୍ୟନ୍ତ ଘୃଣ୍ୟ ଓ ଜଘନ୍ୟ,ତେଣୁ ପ୍ରୟୋଜନ ବଣିକର  ସହିତ ସୁଗଠିତ ଶିଳ୍ପୀବାହିନୀର ସଂଗ୍ରାମ।

ଏଇ ଯୁଗରେ ଜନତାର ଜୀବନରେ ସବୁଦିଗରୁ ସବୁକ୍ଷେତ୍ରରେ ବଣିକ-ରଚିତ ଯେତେକ ସଂକଟ  ତାହାର ବିରୁଦ୍ଧରେ ବିଦ୍ରୋହର ତେଜ ଯୋଗାଇବା ପାଇଁ ପ୍ରୟୋଜନ ମନୁଷ୍ୟତ୍ୱ-ଦୃପ୍ତ ଶିଳ୍ପକଳାର । ସେଇଭଳି ବୀର୍ଯ୍ୟବାନ କାର୍ଯ୍ୟରେ ନ ଲାଗିଲେ ଯେଉଁ ଶିଳ୍ପ ଯେତେ ମଧୁର ଆଉ ପବିତ୍ର ରସର ଆଧାର ହେଉ ,ସବୁହିଁ ଆଧୁନିକ ଜୀବନରେ ନିଷ୍ପ୍ରୟୋଜନ ବୋଲି ଅନ୍ତତଃ ଆପାତତ ବ୍ୟର୍ଥ- ଅର୍ଥାତ୍ ଆଧୁନିକତାର ଦାବୀ ସେଇ ଶିଳ୍ପ କରିପାରିବ ନାହିଁ ।

ସ୍ୱଦେଶ ପ୍ରେମର ନାଆଁରେ କୁଟୀରଶିଳ୍ପ ଆଉ ଗ୍ରାମ୍ୟ ଦରିଦ୍ର ଜୀବନ ,ଦୈନ୍ୟ ପ୍ରପୀଡିତ କୃଷି ଜୀବନ ,କୁଶିକ୍ଷା ଓ ନିଷ୍ଠୁରତାକୀର୍ଣ୍ଣ ଧର୍ମଜୀବନ ପ୍ରଭୃତିକୁ କଳ୍ପନାର ରଙ୍ଗରେ ଲଳିତ ଓ ମନୋହର କରି ଏଇ ଦେଶର ମନରେ ଆଜି ରଂଗ ଧରାଇବା ସମ୍ଭବ ନୁହଁ- ସେଇ କଳ୍ପନାକୁ ଜନତା ତୀବ୍ର ପରିହାସ ବୋଲି ମୁହଁ ଫେରାଇ ନେଉଛି ବାରଂବାର । ଏଇ ପ୍ରତ୍ୟାଖ୍ୟାନ ଆଦୌ ମୂର୍ଖତା ନୁହଁ ,ଏଇଟି ହେଉଛି ଅଭିଜ୍ଞତାର ସୁବିଚାର । ଏଇ ସୁବିଚାରକୁ ଯେତେ କାଳ ନା ସ-ପୌରୁଷ ଶ୍ରଦ୍ଧା କରା ହେବ,ସେତେକାଳ ଏଇ ଦେଶର ଆର୍ଟ ଆଉ ଆର୍ଟିଷ୍ଟ ଉଭୟେ ହିଁ ଏକଘରିକିଆ ରହିବା ବାଧ୍ୟ,ଅନ୍ଦରମହଲରେ ରୁଦ୍ଧ ରହିବାକୁ ବାଧ୍ୟ।

ଜନତା ଅଭିଜ୍ଞତାରୁ ଜାଣେ କୁଟୀରଶିଳ୍ପ ଆଜି କେବଳ ମୃତ୍ୟୁଦାନ କରେ। ଗ୍ରାମ୍ୟଜୀବନ ଦାନକରେ ଅସହ୍ୟ ଅଭାବ ଆଉ ରୋଗ,କୃଷିଜୀବନ ପ୍ରବଞ୍ଚନାରେ ଭରା। ଧର୍ମ ଜୀବନ ଆଣେ କେବଳ ଅବସାଦ-ମଣିଷ ସେଇ ସବୁକୁ ଚାହେଁନା ,ଚାହେଁ ମଣିଷ ଭଳି ବଞ୍ଚିବା ଏକ ଜୀବନ । ଜୀବନକୁ ଭୋଗ କରି ଆନନ୍ଦିତ,ତୃପ୍ତ ସୁସ୍ଥ ହେବାକୁ ଚାହେଁ ମଣିଷ । ସେହି ନିଖୁଣ ମାନବଜୀବନ ରୁ ବଞ୍ଚିତ କରିଛି ଯେଉଁ ଶତ୍ରୁ,ସେହି ଶତ୍ରୁର ବିରୁଦ୍ଧରେ ବିଦ୍ରୋହ କରିବାର ପ୍ରେରଣା ହେଉଛି ଏଇ ଯୁଗର ଶିଳ୍ପୀର ନିକଟରୁ ଜନସାଧାରଣଙ୍କର ପାଉଣା ।

ଏହି ପାଉଣା ମିଟାଇବାକୁ ହେଲେ ଶିଳ୍ପୀମାନଙ୍କର କେବଳ ସ୍ୱଦେଶପ୍ରେମିକ ହେଲେ ଚଳିବ ନାହିଁ,ସ୍ୱଦେଶର ଏବଂ ସକଳ ଦେଶର ସବୁଦିଗ ବିଷୟରେ ଖବର ରଖିବାକୁ ହେବ ,କାରଣ ଗୋଟିଏ ଦେଶର ଭାଗ୍ୟ ରଚନାର ବୃହତ ଅଂଶଭାର ଶିଳ୍ପୀମାନଙ୍କର ହାତରେ ନିହିତ ଥାଏ । ସେହି ଭାର କେବଳ ଅଂଧପ୍ରେମରେ ବହନ କରା ଯାଏନା,ଜ୍ଞାନ ହିଁ ସେଇ ଭାର ବହନ କରିବାର ଶକ୍ତି ଯୋଗାଏ । ଶିଳ୍ପୀ ମାନଙ୍କ ପ୍ରତି ଏହା ଉପଦେଶ ନୁହଁ – ଜାତିର ସଂକଟକାଳରେ ଏଇଟି ସେମାନଙ୍କର ନିକଟରେ ଜାତିର ଦାବୀ ।ଏଇ ଦାବୀ ପୂରଣ କରିବାକୁ ହେଲେ ଭୂମିକାରେ ଆବଶ୍ୟକ ଶିଳ୍ପୀମାନଙ୍କର ସଂଘବଦ୍ଧ ଶକ୍ତି ଆଉ ସଂଘବଦ୍ଧ ଆଦର୍ଶ ।

ଅବନୀନ୍ଦ୍ରନାଥ ଟାଗୋର

….

(ବିଚାରୋତ୍ତେଜକ ତଥା ସବୁ ସମୟ ପାଇଁ ପ୍ରାସଙ୍ଗିକ କଳାଚିନ୍ତନର ଭାରତୀୟତାକୁ ନେଇ ପ୍ରଖ୍ୟାତ ଶିଳ୍ପୀ ଚିତ୍ତପ୍ରସାଦଙ୍କର  ଏଇ  ଲେଖାଟି ମୂଳ ବଙ୍ଗଳା ଭାଷାରୁ ଅନୁସୃଜିତ ୧୯୪୦ ମସିହାରେଅରଣିବୋଲି ଗୋଟିଏ ପତ୍ରିକାରେ ଏଇ ଲେଖାଟି ପ୍ରକାଶିତ ହୋଇଥିଲା।)

ଚିତ୍ତପ୍ରସାଦ ୧୯୧୫ ମସିହା ଜୁନ୍ ୨୧ତାରିଖରେ କଲିକତା ପାଖ ନଇହାତୀ ଠାରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ବାପା ଗୁରୁଦତ୍ତ ଭଟ୍ଟାଚାର୍ଯ୍ୟ, ସେତେବେଳର ଇଂରେଜ ସରକାରଙ୍କ ଅଧିନରେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ ଚିତ୍ତପ୍ରସାଦ ତାଙ୍କ ଜୀବନ କାଳରେ ହଜାର ହଜାର ଡ୍ରଇଂ, ଶହ ଶହ ଲିନୋକଟ୍, ଅନେକ ଜଳରଙ୍ଗ, ତୈଳରଙ୍ଗ ପାଷ୍ଟେଲ ରଙ୍ଗର ଛବି କରିଥିଲେ ୧୯୪୩ରେ ବଙ୍ଗଳା ଦୁର୍ଭିକ୍ଷକୁ ନେଇ ଅନେକଗୁଡିଏ ସ୍କେଚ ଆଙ୍କିଥିଲେ ସେସବୁକୁ ନେଇହଙ୍ଗ୍ରି ବେଙ୍ଗଲ୍ନାମରେ ଏକ ବହି ଛପା ଯାଇଥିଲା ଯାହାକୁ ତତ୍କାଳୀନ ଇଂରେଜ ସରକାର ବ୍ୟାନ କରିଥିଲେ ଚିତ୍ତପ୍ରସାଦ ସାରାଜୀବନ ଜୀବନର ବାସ୍ତବତାର ନିଷ୍ଠୁର ଦିଗକୁ ଦେଖିଥିଲେ ବୃହତ୍ତର ସମାଜକୁ ଦେଖାଇଥିଲେ ମଧ୍ୟ ଅପ୍ରିୟ ସତ୍ୟକୁ ସ୍ପଷ୍ଟଭାବରେ କହିଦେଉଥିବାରୁ ସେ ଯେତିକି ସ୍ୱୀକୃତି ପାଇବାର କଥା ସେତିକି ପାଇପାରି ନଥିଲେ ହୁଏତ

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →