ଦରଖାସ୍ତ

ମୌସୁମୀ ଏ ଯାଏଁ ଆସିଲା ନାହିଁ। ତାତିଲା ପବନ ସାଙ୍ଗକୁ ଉତ୍ତପ୍ତ ଖରା। ଦିନ ବେଳା ବାହାରକୁ ବାହାରିବା ବଡ ମୁସ୍କିଲ । ରାତି ହେଲେ ଗମ୍ ଗମ୍ ଝାଳରେ ଦେହ ହାତ ଗୋଟାପଣେ ଅଠା। ଦିନେ ସକାଳ ଓଳି କିଛି ସ୍ବେଚ୍ଛାସେବୀ ବନ୍ଧୁଙ୍କୁ ମେଳ କରି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ, ପ୍ରବଳ ଗ୍ରୀଷ୍ମ ଲହରୀ ଯୋଗୁଁ ଜନଜୀବନ କିପରି ଅସ୍ତବ୍ୟସ୍ତ ହେଉଅଛି ସେ ନେଇ ତ୍ଵରିତ ପ୍ରତିକାର ଗ୍ରହଣ କରିବା ଉଦ୍ଦେଶ୍ୟରେ ଏକ ଦରଖାସ୍ତ ଜମା କଲୁ । ରଜ ଯାଇ ଭାଲୁକୁଣି ଓଷା, ଗଣେଶ ପୂଜା, ଦଶରା, ଦୀପାବଳୀ ଆଉ ଏବେ ଡଙ୍ଗାଭସା ଗଲା, ଦରଖାସ୍ତ କଥା ମନରୁ ପାସୋରି ଗଲା।

ଏବେ ପ୍ରବଳ ଶୀତ! ଥଣ୍ଡା ପବନ ଯୋଗୁଁ  ଦେହ ହାତ କାଲୁଆ ମାରିଯାଉଛି। ଓପରବେଳା ଟିକେ ସୁରୁଜ ମୁହଁ ଦେଖେଇ ଚାଲିଯାଏ। ତେଣୁ ସଞ୍ଜ ହଉଣୁ ଯେଝା ଘରେ ଯିଏ କବାଟ କିଳି ଭିତରେ। ଦିନେ ଗାଧୁଆବେଳେ ଆମେ ସ୍ବେଚ୍ଛାସେବୀ ବନ୍ଧୁମାନେ, ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ କିପରି ବିପର୍ଯ୍ୟସ୍ତ, ତାହା ଜଣାଇ ଏକ ଦରଖାସ୍ତ ପ୍ରସ୍ତୁତ କଲୁ ଏବଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲୁ। ଅଧିକାରୀଙ୍କ ସହଯୋଗୀ ବାବୁ ଆମକୁ ଦେଖି ଉତ୍ସାହର ସହିତ ଆମ ଆଡ଼କୁ ଆସି ଏକ ବନ୍ଦ ଚିଠିଟିଏ ଧରାଇଦେଲେ । ଆମେ ଆଶ୍ଚର୍ଯ୍ୟ ହେଲୁ। ଚିଠିରେ ଲେଖାଥିଲା ..

ପ୍ରିୟ ଗ୍ରାମବାସୀବୃନ୍ଦ..ଦରଖାସ୍ତଟି ଆମର ହସ୍ତଗତ ହୋଇଅଛି। ପ୍ରବଳ ଗ୍ରୀଷ୍ମ ଲହରୀ ଯୋଗୁଁ ଆମେ ମର୍ମାହତ। ସରକାର ସବୁବେଳେ ଆପଣମାନଙ୍କ ସେବାରେ। ତେଣୁ ଏହି ପରିପ୍ରେକ୍ଷୀରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆପଣଙ୍କ ସମ୍ପୂର୍ଣ୍ଣ ଅଞ୍ଚଳକୁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (AC) ଯୋଗାଇ ଦିଆଯିବ। ଏବଂ ଏହି କାର୍ଯ୍ୟ ଆସନ୍ତା ଦୁଇ ଦିନ ଭିତରେ ସମ୍ପନ୍ନ କରିବାକୁ ବିଭାଗୀୟ ମନ୍ତ୍ରୀ ମଧ୍ୟ ନିଜର ସହମତି ଜଣାଇଛନ୍ତି……..