ତାରକା ଖଚିତ ରାତି

ଆମର ପ୍ରିୟ ବନ୍ଧୁ 
ପ୍ରିୟ ଚିତ୍ରକର ଆଉ ନାହାଁନ୍ତି
ତାଙ୍କର ଯିବା ଚାରିଦିନ ହେଲାଣି ।
ରବିବାର ଥିଲା ସେଦିନ
ସବୁଦିନ ଭଳି ସେ ସେଇ
ଉଆସ ଆଗର ପାଳଗଦା ନିକଟକୁ ଯାଇଥିଲେ
ତାହା ଉପରେ ଡେରି ଦେଇଥିଲେ
ନିଜର ପ୍ରିୟ ପରିଚିତ ଇଜେଲ୍ କୁ
ପାଲେଟ୍ ରେ ରଂଗ ମିଶାମିଶି କଲେ
ଫୁଲ ବାଛିବା ଭଳି
ଯେମିତି ସେ ସବୁଦିନ କରିଥାନ୍ତି
କିନ୍ତୁ ହୁଏତ ଯେଉଁ ଅଦଭୁତ ରଙ୍ଗର
କାମନା ଥିଲା ତାଙ୍କର
ଆସୁନଥାଏ ଯେତେ ଚେଷ୍ଟା କଲେ ବି
ତେଣୁ ସେ ଅସହିଷ୍ଣୁ ଅଦୃଶ୍ୟ ଅଭିଯୋଗକାରୀ
ବିରୁଦ୍ଧରେ
ତାଙ୍କର ମୁହଁଫୁଲା ରହିଥିଲା ଢେର୍ ସମୟ।
ତାଙ୍କର ତୂଳୀ କି ତାଙ୍କର ଇଜେଲ
କେହି ସେଦିନ ଆଉ ତାଙ୍କର
ଅଭ୍ୟସ୍ତ ହାତ ଛୁଆଁ ଛବିରୂପ ପାଇ ନାହାଁନ୍ତି
ଗହମକ୍ଷେତରେ କାଉ ଙ୍କ ଉଡାଣ ସ୍ଥଗିତ ରହିଛି
ଏକ ଅସମାହିତ ପ୍ରଶ୍ନ ଭଳି
ଅସମାପ୍ତ ରହିଗଲେ ସେମାନେ
ଚିରକାଳ ମିଉଜିଅମ ଘରେ,
ଆଜି ବି ମିଉଜିଅମ୍ ବନ୍ଦ ହୋଇଗଲା ପରେ
ତାଙ୍କର ଛବି ସବୁକୁ ସାଥିରେ ଧରି
ଦର୍ଶକମାନେ ଯେବେ ଫେରି ଯାଆନ୍ତି
ନିଜ ନିଜର ଘରକୁ
ସେମାନେ କଥାବାର୍ତ୍ତା ହୁଅନ୍ତି
ପ୍ରିୟଜନ କାହାର ଅବର୍ତ୍ତମାନକୁ ସ୍ମରଣ କରିବା ଭଳି,
ଛବି ଆଙ୍କିବାର ସରଞ୍ଜାମ ସହ
ନିଜର ପରିଚିତ ସ୍ଥାନକୁ
ଜଣେ ଚିତ୍ରକର ଛବି ଆଙ୍କିବାକୁ ଯାଉଥିବା ବେଳେ
ସାଥିରେ କାହିଁକି ଗୁଳି ଭରା ପିସ୍ତଲ ନେଇଥାଏ
ଆଉ ଛବି ଅଙ୍କାକୁ ହଠାତ୍ ସ୍ଥଗିତ କରି
ନିଜର ଛାତିରେ ହୃତପିଣ୍ଡ ଯେଉଁଠି ଅଛି
ଠିକ୍ ତାହାରି ତଳକୁ ଗୁଳିମାଡ କରେ,
ଥରେ ନୁହଁ ତିନିଥର ଭୂଇଁରୁ ଉଠି ଠିଆ ହେବାକୁ ଚେଷ୍ଟା କରେ,
ଅସଫଳ ହୁଏ,
ପରେ ବସାଘରେ
ସମସ୍ତେ ତାକୁ ଶେଷ ଦେଖା କରିବାକୁ ଆସିଥିବା ବେଳେ
ସେ ହସ ହସ ମୁହଁରେ ବାରଣ ସତ୍ତ୍ୱେ
ହାତରେ ପାଇପ୍ ଧରି କହୁଥାଏ ,
ଆରେ ଦେଖ ଦେହରେ
ମୋ କ୍ଷତ କହିଲେ କାହିଁ ଏଇ ତ ଏତିକି ମାତ୍ର
ଆଖିକୁ ଦିଶିବନି ଜମା
ଅସଲ କଥା କ'ଣ କି
ମୁଁ ଏମିତି ନିଜକୁ ଶୁନ କରିଦେବା ପାଇଁ ଚାହୁଁଥିଲି
ଯେମିତି ମୁଁ ଛବି ଆଙ୍କେ, ସହଜ ସରଳ।
ତାହା ପର ସୋମବାର ଶବଟି ମଝିରେ ଥିଲା
କାନ୍ଥସାରା ତାଙ୍କର ଛବି
ଯେମିତି ଚହଟି ଆସୁଛି ଛଟା
କେଉଁ ଅଲୌକିକ ଦେବପୁରୁଷର
ଘର ସାରା ଡାଲିଆ ଆଉ ସୂର୍ଯ୍ୟମୁଖୀ ଫୁଲ
କାନ୍ଥର ଛବି ଭଳି ହଳଦିଆ ରଙ୍ଗର ମହା ସମାରୋହ।
ଚାରିଦିନ ହେଉ କି ଚାରି ଶହ ବର୍ଷ
ଆମେ ଯେତେ ଯେତେ
ତାଙ୍କର ଛବି ଅଙ୍କାର ଉପକରଣ ମାନ
ପୃଥ୍ୱୀସାରା ଅସଜଡା ବିଛାଡି ପଡିଛୁ
ପରସ୍ପରକୁ ପ୍ରଶ୍ନ କରୁ
ଶୂନ୍ୟତା ଆଉ ଅସମାପ୍ତ ଭିତରେ ଫରକ କ'ଣ ?
ଆମେ କ'ଣ ?
ସେଇଥିପାଇଁ ତ କେହି ଆଗଚଲା
ତାଙ୍କର ତାରକାଖଚିତ ରାତିଟି
ଆଖିରେ ଦେଖିଛି ବୋଲି
ମିଛ କହି ଛବି ଆଙ୍କିବାର ଫିକରରେ ଥାଏ ।

୨୯ ଜୁଲାଇ ୧୮୯୦ ରେ ଭ୍ୟାନଗୋଗ ଙ୍କର ତିରୋଧାନ। ତାଙ୍କର ଶେଷ ଛବି “ହ୍ୱିଟ୍ ଫିଲ୍ଡ ୱିଥ୍ ଦି ଫ୍ଲାଇଟ୍ ଅଫ୍ ଦି କ୍ରୋଜ” ଅଙ୍କାହେବାର ସ୍ଥାନ ହେଉଛି ଏଇ ପଦ୍ୟକଥାର ପୃଷ୍ଟପଟ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →