ଛବି ଦେଖିବାର କଳା (୨)

ମୂଳ ଲେଖା : ଅଶୋକ ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ

ଜନସାଧାରଣ କୌଣସିଦିନ ପ୍ରକୃତପକ୍ଷରେ ଠିକ୍ ମତ ଦେଖିବା ଶିଖିନାହାଁନ୍ତି  ବୋଲି ହିଁ ଏଇସବୁ ଭୁଲ୍ ଓ ଗୋଳମାଳ ଆହୁରି ପ୍ରଶ୍ରୟ ପାଏ । ସାଧାରଣ ଲୋକେ ଚିହ୍ନାଜଣା ପଦାର୍ଥକୁ ଚିହ୍ନି ପାରନ୍ତି ; ତାହା ଭିତରୁ କୌଣସି କୌଣସି ଲକ୍ଷଣଗୁଡିକ ବ୍ୟବହାରିକ ଜୀବନରେ କାମରେ ଲାଗିବ ଅଥବା ବାସ୍ତବ ଜୀବନରେ ଭାବାବେଗର ସହାୟକ ହେବ ତାହା ସେ ଜାଣେ; କିନ୍ତୁ ଏଇ ଧରଣର ଚିହ୍ନା ବା ଜଣା ର ସହିତ ପ୍ରକୃତ ଦୃଷ୍ଟି ବା ଅନୁଭୂତିର କୌଣସି ସମ୍ବନ୍ଧ  ନାହିଁ । ସାଧାରଣ ଲୋକ ଗୋଟିକୁ ଅବଲମ୍ବନ କରି ଅନ୍ୟ ଆରଟିର ବିଷୟକୁ ଯିବାର ସିଡି ହିସାବରେ ଯେ କୌଣସି ପଦାର୍ଥକୁ ଚିହ୍ନେ ବା ଜାଣେ – ଯେମିତି ତାହା କେଉଁ ପ୍ରୟୋଜନରେ ଲାଗେ,ତାହାର ପରିମାଣ କେତେ ଇତ୍ୟାଦି ; ଅଥବା ହୁଏତ କୌଣସି ପଦାର୍ଥ ନିତାନ୍ତ ବ୍ୟକ୍ତିଗତ କୌଣସି ଭାବ ବା କଳ୍ପନାର ଉଦ୍ରେକ କରେ; ଯାହା ସହିତ ପଦାର୍ଥଟିର ଅସଲ ନିଜସ୍ୱ ଚରିତ୍ରର କୌଣସି ସଂପର୍କ ନାହିଁ । ସାଧାରଣ ଲୋକର ଧାରଣା ଯେ କୌଣସି ଉତ୍କୃଷ୍ଟ ଶିଳ୍ପସୃଷ୍ଟିର ଭିତରେ ନିଶ୍ଚୟ କୌଣସି ଗୂଢ ରହସ୍ୟ ବା ଗୁପ୍ତମନ୍ତ୍ର ନିହିତ ଥାଏ; ସେଇ କଥାଟି ଯେଉଁ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ,ଜଣା ଯାଇ ନାହିଁ, ସେଇ ପର୍ଯ୍ୟନ୍ତ ଶିଳ୍ପବସ୍ତୁଟିକୁ ବୁଝିବାର ଉପାୟ ନାହିଁ। ଏହି ପ୍ରକାର ର ଧାରଣା ଯଦିଓ ନିହାତି ଅଜବ, ତଥାପି ତାହାର ଭିତରେ ଗୋଟିଏ ବଡସତ୍ୟ ଲୁଚିରହି ଥାଏ, ତାହା ହେଉଛି ଯେ ଯେ-କୌଣସି ପଦାର୍ଥ ପ୍ରଥମ ଦେଖା ମାନେ ହିଁ ତାହାକୁ ନୂତନ ରୂପରେ ଚିହ୍ନିବା ଜାଣିବାର ପ୍ରଶ୍ନ ଆସେ; ଅର୍ଥାତ୍ ନିଃଶ୍ୱାସ ପ୍ରଶ୍ୱାସର ଭଳି ସେଇଟିକୁ ଆପେ ଆପେ ଜାଣିବା ଶିଖା ହୋଇ ଯାଏନା, ଚେଷ୍ଟା କରି ଜାଣିବାକୁ ହୁଏ, ଶିଖିବାକୁ ହୁଏ ।

Jatayu vadha by Raja Ravi Varma

ନୂତନ ପଦାର୍ଥକୁ ନୂତନ କରି ଦେଖିବାକୁ ଶିଖିବା କେତେ ଦରକାର ସେହି କଥାଟି ଆମର ସବୁବେଳେ ମନେ ନଥାଏ । କିନ୍ତୁ ଅନୁଭୂତି ସଂପର୍କରେ ମନୋବିଜ୍ଞାନର ଆରମ୍ଭ ବେଳର କଥାଗୁଡିକ ଟିକିଏ ଉଲ୍ଲେଖ କଲେ ଏହାର ଯଥାର୍ଥତାର ପ୍ରମାଣ ହୁଏ। ଆମମାନଙ୍କର ଇନ୍ଦ୍ରୀୟଗୁଡିକ ହେଉଛି ଅନୁଭୂତିର ଯନ୍ତ୍ର ବା ବହିର୍ଜଗତର ସଂଯୋଗଦ୍ୱାର । ବିଶ୍ୱଜଗତର ଯେଉଁସବୁ ଛାପ ଆମ ଉପରେ ଅହରହ ପଡେ ତାହାର ଏମିତି କୌଣସି ମୂଲ୍ୟ ନଥାଏ ଯେଉଁ ପର୍ଯ୍ୟନ୍ତ ଆମେ ତାହାର ଗୋଟିଏ ବ୍ୟାଖ୍ୟା କରିପାରିନାହୁଁ । ତାହାର  ବ୍ୟାଖ୍ୟା ସେତେବେଳେ ସମ୍ଭବ ହୁଏ ଯେତେବେଳେ ଆମର ସ୍ମୃତିରେ ଯେଉଁସବୁ ଅଭିଜ୍ଞତା ସଂଚିତ ହୋଇ ରହିଛି ତାହାର ଭିତରୁ କେତେଗୁଡିଏ ସ୍ମୃତିକୁ ବାଛି,ଟାଣି ବାହାର କରି,ନୂତନ ଅଭିଜ୍ଞତାର ସହିତ ମିଳାଇ ତାହାର ମୂଲ୍ୟ ନିରୂପଣ କରିଥାଉ । ଯେ କୌଣସି ଗୋଟିଏ ବିଶେଷ ମୁହୂର୍ତ୍ତରେ ଆମର ଯେତେଗୁଡିଏ ଅନୁଭୂତି ଏକାସାଙ୍ଗରେ ଆସି ଭୀଡ କରେ ଆମମାନଙ୍କର ଠାରୁ ସ୍ୱୀକୃତି ଦାବୀ କରେ ସେଇସମସ୍ତକୁ ଏକତ୍ର କଲେ ତାହାର ଯୋଗଫଳ ନିତାନ୍ତ ଏକ ଅରାଜକ ଅବସ୍ଥାର ସୃଷ୍ଟି କରିବ; ଅଜସ୍ର ପ୍ରକାରର ଦୃଶ୍ୟ, ଶବ୍ଦ, ଗନ୍ଧ, ଶୀତତାପବୋଧ, ଶାରିରୀକ ସ୍ୱାଚ୍ଛନ୍ଦ୍ୟ ଅସ୍ୱାଚ୍ଛନ୍ଦ୍ୟ ଇତ୍ୟାଦି, ଚାରିଦିଗରେ ଅହରହ ଆକ୍ରମଣ ଚଳାଏ; ସେମାନଙ୍କ ଭିତରୁ ଅଧିକାଂଶଙ୍କର  ସେମିତି କିଛି ଅନ୍ତଃସମ୍ବନ୍ଧ ନାହିଁ, ପାରସ୍ପରିକତା ନାହିଁ; ସେଗୁଡିକ ମିଶି କେବେବି ଗୋଟିଏ ଏକକ ଅଭିଜ୍ଞତାରେ ସ୍ଥାନ ପାଇ ପାରିବେ ନାହିଁ; ଅତଏବ କୌଣସି ଗୋଟିଏ ବିଷୟରେ ଚେତନାଶୀଳ ହେବାକୁ ହେଲେ, ମଗଜକୁ ସୁସ୍ଥ ରଖିବାକୁ ହେବ, ଏଇ ସବୁ ଅନୁଭୂତିରୁ ଅଧିକାଂଶକୁ ବାଦ ଦେବାକୁ ହେବ; ଏହା ଭିତରୁ ମାତ୍ର କେତୋଟିକୁ ବାଛିବାକୁ ହେବ ଯାହା ହୁଏତ ବୋଧଗମ୍ୟ କୌଣସି ଛକ ବା ଛବିର ଭିତରେ ପଡେ।କିନ୍ତୁ ଏଇ ଭାବରେ ଅନୁଭୂତିକୁ ବୋଧଗମ୍ୟ କରିବାକୁ ହେଲେ,ଯେଉଁସବୁ ଯୋଗସୂତ୍ରର ଦରକାର ହୁଏ ସେଇ ସବୁ ହିଁ ପୁରୁଣା ଅଭିଜ୍ଞତାର ଥଳି ଭିତରୁ ବାହାରିଥାଏ; ଏଇ ଅଭିଜ୍ଞତା ସଂଚିତ ଥାଏ ସ୍ମୃତିରେ;ଯେତେବେଳେ ଯେମିତି ଦରକାର ପଡେ ସେତେବେଳେ ସେମିତି ଅଭିଜ୍ଞତାର ତଲବ ପଡିଥାଏ । ସେଇ ଅଭିଜ୍ଞତାର ବଳ ରେ ବର୍ତ୍ତମାନ ଅବସ୍ଥାର କେତେଗୁଡିଏ ବିଶେଷ ଦିଗ ପ୍ରତି ଆମେ ନଜର ଦେଇଥାଉ; ସେହି ଅଭିଜ୍ଞତାର ସାହସରେ ତାହାର ଭିତରେ ଆମେମାନେ ବିଶେଷ କୌଣସି ରୂପ ବା ଫର୍ମ ଏବଂ ଅର୍ଥ ପାଇଥାଉ,ଅର୍ଥାତ୍ ସେଇ ଅବସ୍ଥାଟିକୁ ବୁଝିପାରୁ,ଅନୁଭବ କରିପାରୁ । ଆମେ ମାନେ କୌଣସି ନା କୌଣସି ସମୟରେ ଅପରିଚିତ ର ଅବସ୍ଥାରେ ପଡିଥାଉ,ଫଳରେ ଚାରିଦିଗରେ କ’ଣ ଘଟୁଛି ତାହାର ସାମାନ୍ୟଅଂଶକୁ ହିଁ  ବୁଝି ପାରିଥାଉ । ଯେମିତି ପ୍ରଥମେ ଯେତେବେଳେ ଉଡାଜାହାଜ ଚଢିଥିଲି ସେତେବେଳେ ତାହାର ଖୋଳ ଭିତରେ କ’ଣ କ’ଣ ଯନ୍ତ୍ରପାତି ରହିଛି ତାହା ଜାଣେନା, ଚାରିପଟେ ବିଦେଶୀ ଭାଷାରେ ଆଳାପ ଚାଲିଥିଲେ ବି ତାହା ବୁଝିପାରେନା, ଯେଉଁମାନଙ୍କୁ କେବେ ଦେଖିନଥିଲି ସେମାନଙ୍କର ଖିଆପିଆ, ଉଠାବସା, ଚାଲିଚଳଣ, ଆଚାର ବ୍ୟବହାର ସବୁ ବଡ ଅଜବ ଲାଗେ। ଆଖିରେ ପ୍ରହେଳିକା, ଅସ୍ପଷ୍ଟ ଲାଗେ। ଏଇଠି ସବୁ କିଛିକୁ ଦେଖିପାରେନି କି ସବୁକିଛିକୁ ବୁଝିପାରେନି, ସେଇଥିପାଇଁ ମୁସ୍କିଲ୍ ହୁଏ। ଏହା ଭିତରୁ ଯେତିକି ବୁଝିପାରେ ଚିହ୍ନିପାରେ ଯେମିତି ଉଡାଜାହାଜର ଡେଣା, ଚକା, ବିଦେଶୀମାନଙ୍କର ଭାବଭଂଗୀ ଆଦି ସେଥିରେ ଖୁବ୍ ଅସ୍ପଷ୍ଟ ଗୋଟିଏ ବୋଧ ଆସେ କିନ୍ତୁ ସେଥିରୁ ଅନେକ ଅଂଶ ଆମର ଧରାଛୁଆଁର ବାହାରେ, ଆମକୁ ଫାଙ୍କି ଦେଇଥାଏ । ପରେ ଯେତେବେଳେ ଆସ୍ତେ ଆସ୍ତେ ବୋଧ ର ଉଦୟ ହୁଏ, ସେତେବେଳେ ଆମର ଅନୁଭୂତି ସ୍ପଷ୍ଟ ହେବାକୁ ଲାଗେ, ଆମ ଆଗରେ ଥିବା ଦୃଶ୍ୟପଟରୁ ଅନେକ ବେଶି ଉପାଦାନ ଆମର ନଜରକୁ ଆସେ। କିନ୍ତୁ ସେତେବେଳେ ଯାହା ଦେଖେ ଖୁବ୍ ଅଳ୍ପ, ଅସ୍ପଷ୍ଟ, ସେଥିରେ ପରିପ୍ରେକ୍ଷ୍ୟ ନଥାଏ । ସେଗୁଡିକ ବେଶି ପ୍ରୟୋଜନୀୟ ବା ତାତ୍ପର୍ଯ୍ୟମୟ ସେଇ କଥା ଅନେକ ସମୟରେ ଆମକୁ ଫାଙ୍କି ଦିଏ, ସେତେବେଳେ ଯାହାସବୁ ଟୁକୁରା ଟୁକୁରା ନଜରରେ ପଡେ ତାହା ଭିତରେ ଅନେକ ପରିମାଣରେ ତାଳମେଳ ନଥାଏ । ତାହାର ଅର୍ଥ ଏପରି ହେବନାହିଁ ଯେ, ଯିଏ ଏଇ ଦୃଶ୍ୟର ସବୁକିଛି କୁ ଟିକିନିଖି କରି ଭଲ କରି ଦେଖିପାରୁଛନ୍ତି ତାଙ୍କର ତୁଳନାରେ ଆମର ଇନ୍ଦ୍ରୀୟ କମ୍ ତୀକ୍ଷ୍ଣ । ହୁଏତ ତାଙ୍କର ତୁଳନାରେ ଆମର ଇନ୍ଦ୍ରୀୟ ଅନେକ ବେଶୀ ତୀକ୍ଷ୍ଣ,ଅନେକ ବେଶି ଶକ୍ତିଶାଳୀ, ତଥାପି ତାଙ୍କର ତୁଳନାରେ ସେଇ ଦୃଶ୍ୟରୁ ଆହରଣ କରିବାର କ୍ଷମତା ଆମର କ’ମ । ତାହାର କାରଣ ଆମେମାନେ ସେଇ ବିଶେଷ ଦୃଶ୍ୟପଟରେ ଆମର ଇନ୍ଦ୍ରୀୟ ର ବ୍ୟବହାର କରିବା ଶିଖିନାହୁଁ, ଆଉ ସେ ସେକଥା ଶିଖିଛନ୍ତି।

Painting by Rabindranath Tagore

“ଇନ୍ଦ୍ରୀୟର ବ୍ୟବହାର” ଶବ୍ଦଟିରୁ ସ୍ପଷ୍ଟ ବୁଝାଯାଏ ଯେ,ଦେଖିବା ବା ଶୁଣିବା ହେଉଛି ଗୋଟିଏ ସକର୍ମକ କ୍ରିୟା, ମୋଟେ ହିଁ ଅକର୍ମକ ନୁହଁ ; ଅର୍ଥାତ୍ ଦେଖିବା ବା ଶୁଣିବା କୌଣସି କଥା ଆପେ ଆପେ ଘଟିତ ହୁଏନାହିଁ । ଯେତେବେଳେ ଉଡାଜାହାଜର ମୋଟାମୋଟି ଉଦ୍ଦେଶ୍ୟ ଏବଂ ବ୍ୟବସ୍ଥାକୁ ବୁଝିଲି ସେତେବେଳେ ତାହାର ଟିକିନିଖି କଳକବ୍ଜାର ପ୍ରତି ଦୃଷ୍ଟି ଯାଏ, ଯାହା ପ୍ରତି ଆଗରୁ ଦୃଷ୍ଟି ଯାଉନଥିଲା । ଯେତେବେଳେ ବିଦେଶୀ ଭାଷାରେ କିଛିକିଛି ଶବ୍ଦକୁ ଆୟତ୍ତ କଲି, ଯେତେବେଳେ ଶୁଣିବାକୁ ଶିଖିଲି, ସେତେବେଳେ ତାହାର ଅନେକ ପ୍ରକାରର ସୂକ୍ଷ୍ମ ଆୱାଜ୍, ଅର୍ଥ, କାନରେ ଧରା ପଡେ। ଅଭିଜ୍ଞତାର ବଳ ରୁ ଆମର ଯେଉଁ ଶିକ୍ଷା ହୁଏ ତାହାର କୃପାରେ ଆମେ ଉଡାଜାହାଜର ଯନ୍ତ୍ରପାତିକୁ ଚିହ୍ନୁ, ବିଦେଶୀ ଭାଷା ବୁଝୁ।

ପ୍ରତିମୁହୂର୍ତ୍ତରେ ଯେଉଁ ଅବିଚ୍ଛିନ୍ନ ସ୍ରୋତ ଚାଲିଛି ତାହାର ସାମାନ୍ୟ ଗୋଟିଏ ଦୁଇଟି କଥାର ଉଲ୍ଲେଖ ମାତ୍ର କରିଛି। ଯେତେଦିନ ଆମେ ପ୍ରକୃତପକ୍ଷରେ ସଜୀବ ଥିବା ସେତେଦିନ କ୍ରମାଗତ ଭାବରେ ଆମର ଅଭିଜ୍ଞତାର ପରିଧି ବଢିଚାଲିଥିବ; ସେହି ଅଭିଜ୍ଞତାର ଉପଯୁକ୍ତ ବ୍ୟବହାର ରେ ଆମେ ବଢିଚାଲିଥାଉ; କ୍ରମଶଃ  ହିଁ ପ୍ରତିଟି ପଦାର୍ଥ ଆହୁରି ସ୍ପଷ୍ଟ ଭାବରେ ତୀକ୍ଷ୍ଣ ଭାବରେ ଦେଖିବାକୁ, ବିଚାର କରିବାକୁ ଶିଖୁ; ପ୍ରତିଟି ପଦାର୍ଥରୁ ଆମେ କ୍ରମଶଃ  ଅନେକ ବେଶି ଅର୍ଥ ଖୋଜି ପାଇଥାଉ। ଜୀବନର ପ୍ରତିଟି କ୍ଷେତ୍ରରେ ଏହିପରି ଘଟିଥାଏ, ତାହା ଟେନିସ୍ ଖେଳ ହେଉ କି ଗାଡି ଚଳେଇବା ହେଉ,ଡାକ୍ତରୀ ହେଉ କି ବୈଜ୍ଞାନିକ ଗବେଷଣା ଯାହା  ହେଉ । ନାନାପ୍ରକାରର ଅର୍ଥର ଶୃଙ୍ଖଳାରେ ପରିପୁଷ୍ଟ ହୋଇ ଆମର ମନ ଗଢି ଉଠେ, ବଢୁଥାଏ ।ଅର୍ଥାତ୍ ସହଜ କଥାରେ କହିଲେ ଇନ୍ଦ୍ରୀୟ ଏବଂ ବୃଦ୍ଧି ପରସ୍ପର ଉପରେ ନିର୍ଭରଶୀଳ। ଗୋଟିକ ଛଡା ଆରଟି କାର୍ଯ୍ୟ କରେନା। ଦୁଇଟି ପରସ୍ପର ଉପରେ ସର୍ବଦା କାର୍ଯ୍ୟ କରେ ବୋଲି ମଣିଷର ପ୍ରଜ୍ଞା, ଜ୍ଞାନ, ବିବେଚନା ଆଦିର  ବିଚାର ବଢେ।

ଆମେମାନେ ଯଦି ଏଇ ସାଧାରଣ ସୂତ୍ରଟିକୁ ମନେ ରଖିବା ତାହାହେଲେ ଶିଳ୍ପ ବିଷୟରେ ବିଶେଷ ଶିକ୍ଷା କାହିଁକି ପ୍ରୟୋଜନ ତାହା ବୁଝି ପାରିବା । ତାହାର କାରଣ ଆମେମାନେ ଯାହା ଦେଖିବାକୁ ଶିଖିଥାଉ, ତାହା ଶିଖୁ, ଅନୁଭବ କରୁ  ସେ ବାସ୍ତବ ଜୀବନର ହେଉ ଆଉ ଶିଳ୍ପକଳାର ହେଉ। ରଙ୍ଗର କଥାରେ ବା ସଙ୍ଗୀତରେ ଶିଳ୍ପୀ ତାହାର ଅଭିଜ୍ଞତାକୁ ରୂପ ଦିଏ, ଶରୀର ଦିଏ; ତେଣୁ ଛବି କାବ୍ୟ ବା ସଂଗୀତ ବୁଝିବାକୁ ଗଲେ  ଆମମାନଙ୍କର ଭିତରେ ନିଜର ସାଧ୍ୟମତ ତାହାର ଅଭିଜ୍ଞତା କୁ ବାରଂବାର ଗଢିବାକୁ ହୋଇଥାଏ । ଶିଳ୍ପୀର ଅଭିଜ୍ଞତା ଆଉ ତାହାର ଶ୍ରୋତା ବା ଦର୍ଶକର ଅଭିଜ୍ଞତା ମଧ୍ୟରେ ମୂଳଗତ ପ୍ରଭେଦ କିଛି ନାହିଁ ,ଯଦିଓ ଏଇ ଦୁଇଜଣଙ୍କର କ୍ଷମତାରେ ଆକାଶପାତାଳ ତଫାତ୍ ରହିପାରିଥାଏ । ଶିଳ୍ପୀର ଅଭିଜ୍ଞତା ଆସେ ତାହାର ପଟ୍ଟଭୂମୀରୁ, ତାହାର ନିଜସ୍ୱ ପ୍ରିୟ ବିଷୟରୁ, ତାହାର ଅନୁଭବ କରିବାର ବିଶେଷ ଅଭ୍ୟାସ-ସମଷ୍ଟିରୁ । ମୂଳତଃ କିନ୍ତୁ ବୈଜ୍ଞାନିକର ଚିନ୍ତାର ଅଭ୍ୟାସଧାରାର ସହିତ ତାହାର ମେଳ ରହିଛି । ସୁତରାଂ ଏଇ ଦୁଇ କ୍ଷେତ୍ରରେ ଅର୍ଥାତ୍ ଶିଳ୍ପୀ ଏବଂ ବୈଜ୍ଞାନିକ ଉଭୟର ଅଭିଜ୍ଞତାରେ, ତୃତୀୟ ବ୍ୟକ୍ତିର ଭାଗ ବସାଇବାର ସମ୍ଭାବନା ସର୍ବଦା ଖୋଲା ରହିଥାଏ । କିନ୍ତୁ ତୃତୀୟ ବ୍ୟକ୍ତି ସେତେବେଳେ ଭାଗ ବସାଇ ପାରେ, ଭାଗ ବସାଇବାର ଯୋଗ୍ୟତା ଅର୍ଜନ କରିପାରେ ,ଯେତେବେଳେ ସେ ଶିଳ୍ପୀର ପଟ୍ଟଭୂମୀର  ସମତୁଲ୍ୟ ପଟ୍ଟଭୂମୀ, ତାହାର ଅଭ୍ୟାସର ସମତୁଲ୍ୟ ଅଭ୍ୟାସ,ଆୟତ୍ତ କରିବା ଭଳି କଷ୍ଟ ସ୍ୱୀକାର କରିବାକୁ ରାଜି ଥାଏ । ଶିଳ୍ପୀ ଯେଉଁପରି ଦେଖନ୍ତି ସେହିଭଳି ଦେଖିବା ଶିଖା ବହୁତ ଦୁରୂହ ବ୍ୟାପାର; ସେଇ ଭଳି ଶିକ୍ଷାର କୌଣସି ସର୍ଟକର୍ଟ ଅବକାଶ ନାହିଁ; ସେଥିରେ କୌଣସି ମନ୍ତ୍ରତନ୍ତ୍ର ବା ଫୁ କରିବା ଭଳି କଥା ଚଳିବ ନାହିଁ । ସେଥିରେ ଆମର ସମସ୍ତ ଉଦ୍ୟମ ,ସମସ୍ତ ଶକ୍ତି ବ୍ୟୟ କରିବାକୁ ହୁଏ । କେବଳ ତାହା ନୁହଁ, ଆମର ଯାହା କିଛି ଶକ୍ତି ଅଛି ତାହାର ଅନୁଶୀଳନ କରି, ତାହାକୁ ଉପଯୁକ୍ତ ବ୍ୟବସ୍ଥାମତ ନିଯୁକ୍ତ କରିବାକୁ ହୁଏ; ତାହାରି ପାଇଁ ଦରକାର ହୁଏ ଶିଳ୍ପର ଅର୍ଥ ସଂପର୍କରେ, ମାନବ ପ୍ରକୃତି ସହିତ ଶିଳ୍ପର କେଉଁ ସମ୍ବନ୍ଧ, ସେ ବିଷୟରେ ବିଜ୍ଞାନସମ୍ମତ ବୋଧ । ବୈଜ୍ଞାନିକ ଯେମିତି ତାହାର ଅଂକ ଏବଂ ଯନ୍ତ୍ରପାତି ଦ୍ୱାରା ଆମର ଆଖିଆଗରେ ବିଶ୍ୱର ସ୍ୱରୂପକୁ ଉନ୍ମୋଚନ କରିବାକୁ ଚାହିଁଥାନ୍ତି, ଶିଳ୍ପୀ ବି ଠିକ୍ ସେମିତି ତାହାର ନିଜସ୍ୱ ଯନ୍ତ୍ରପାତିର ସାହାଯ୍ୟରେ ବାହ୍ୟଜଗତକୁ ଆଲୋକିତ କରିବାକୁ ଚାହିଁଥାନ୍ତି । ପଦାର୍ଥ ବା ରସାୟନ ବିଦ୍ୟାକୁ ଆମେମାନେ ଯେମିତି କେବେହେଲେ ନିଜର ଗୋଟିଏ ମନଗଢା ଜଗତ ବୋଲି ମନେ କରୁନା ସେହିଭଳି ଶିଳ୍ପକୁ ବି ପିଲାଖେଳ ଭାବିବାର ଅଭ୍ୟାସକୁ ପରିତ୍ୟାଗ କରିବାକୁ ହେବ; ଶିଳ୍ପ ମନଗଢା ଜଗତ, ବା ଖିଆଲ୍ ଖୁସିର ସୌଖିନ ବ୍ୟାପାର, ଏଇ ଭଳି କଳ୍ପନାକୁ ସଂପୂର୍ଣ୍ଣ  ବର୍ଜନ କରିବାକୁ ହେବ। ବିଜ୍ଞାନ ଭଳି ଶିଳ୍ପର ବି ଅନୁଶୀଳନ ଶିକ୍ଷା, ଅନୁସନ୍ଧାନର ବିଶିଷ୍ଟ ଧାରାର ଏକାନ୍ତ ପ୍ରୟୋଜନ ରହିଛି, ସେଇଠି ବି ଅତ୍ୟନ୍ତ ଯତ୍ନର ସହକାରେ ଦେଖିବାକୁ ଶିଖିବାକୁ ହୁଏ, ତାହା ନହେଲେ ସବୁ ବୃଥା ହୋଇଯାଏ । ଅର୍ଥାତ୍ ବିଶ୍ୱଜଗତର କୌଣସି କୌଣସି ଅଭିବ୍ୟକ୍ତି ସମ୍ବନ୍ଧରେ ଶିଳ୍ପୀର ଉତ୍ସାହ ରହିବା ସମ୍ଭବ, ସେ କେଉଁ କେଉଁ ଉପାୟରେ ସେଇ ସବୁ ଅଭିବ୍ୟକ୍ତିକୁ ରୂପ ଦେଇ ପାରନ୍ତି, ନିଜର କାମରେ କେଉଁପରି ସେ ସବୁ ଉପାଦାନଗୁଡିକୁ ସଜେଇ ନିଅନ୍ତି, କେଉଁ ଉପାୟ ଅବଲମ୍ବନ କରନ୍ତି, କେଉଁ ଉପାୟରେ ସାଫଲ୍ୟ ଆସେ, ସେ ସଂପର୍କରେ ଜାଣିବା ଦରକାର, ତେବେ ହିଁ ଚିତ୍ରକଳା ବା ଅନ୍ୟ କୌଣସି ଶିଳ୍ପ କଳାକୁ ବୁଝାଯାଇପାରିବ, ଶିଳ୍ପରସର ସନ୍ଧାନ ମିଳିପାରିବ ।

Painting by Vasudeo S. Gaitonde

(“ଦି ଆର୍ଟ ଅଫ୍ ସିଙ୍ଗ୍” ବା ଦେଖିବାର କଳା ବୋଲି ଗୋଟିଏ ଚର୍ଚ୍ଚିତ ବିଚାର ସମସ୍ତ ସୃଜନକର୍ମରେ ରହିଥାଏ ।

କୌଣସି ଶିଳ୍ପକର୍ମ ଯେତେବେଳେ ଆମ ସାମ୍ନାରେ ଉପସ୍ଥିତ  ହୋଇଥାଏ ଆମେ ସେହି ଶିଳ୍ପକର୍ମକୁ ଆମର  ପ୍ରଥମ ଦର୍ଶନରେ  କେଉଁ ଭଳି ଦେଖିଥାଉ ଆଉ ସେହି ଭଳି ଦେଖିବା ପଛର ଅସଲ ସ୍ୱରୂପ ଟି କ’ଣ ଆଉ ଆମର ସେହି ଦେଖିବା କଥାଟି କ’ଣ ନିଖୁଣ ଅଥବା ଆମର ଦେଖିବା କାମଟି ରେ କିଛି ଉନ୍ନତିମୂଳକ ବ୍ୟବସ୍ଥାପନା ରହିଛିକି ଅର୍ଥାତ୍ ଆମର ଆଖିରେ ଆମେ ଯାହା ଦେଖୁ ତାହାପାଇଁ ଆମର ବସ୍ତୁତଃ କିଛି ପ୍ରାକ୍-ଶିକ୍ଷା ର ଆବଶ୍ୟକତା ଅଛି କି ,ଏଇ ଭଳି କିଛି ମୌଳିକ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଏଇ ଆଲେଖ।

ଗୋଟିଏ ପଟେ ଶିଳ୍ପକର୍ମ ଏବଂ ଅନ୍ୟ ପକ୍ଷରେ ତାହାର ଦର୍ଶକ ,ଏହି ଦୁଇ ସଂପର୍କକୁ ଆମେ ସାଧାରଣଭାବରେ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ବିଚାର କରି ଏହା ପଛର ସମସ୍ତ ଗଭୀରତା,ଜଟିଳତା ଆଉ ବିବିଧତାକୁ ଏଡାଇଯାଇଥାଉ।

ଶିଳ୍ପକର୍ମରେ ବା ପୃଥିବୀରେ ଆମ ଚାରିପାଖରେ ଯାହା ଘଟୁଛି ତାହାର ଅସଲ ସ୍ୱରୂପକୁ ବୁଝିବାକୁ ହେଲେ ଆମେ ଆମର ଆଖି ହଳକୁ ଯଥେଷ୍ଟ ପ୍ରଶିକ୍ଷିତ କରିବାକୁ ହେବ। ଏଇ ଆଲେଖର ତାହା ହେଉଛି ପ୍ରମୁଖ କଥା।

ଆମେମାନେ ସୃଜନାତ୍ମକ ପ୍ରକ୍ରିୟା ସହ ଜଡିତ ହୋଇ ରହିବାକୁ ଭଲପାଉ। ତେଣୁ ଆମକୁ ଆମ ସାମ୍ନାର ଦର୍ଶନସ୍ୱରୂପର ଯଥାଯଥ ବିଚାର ନିମନ୍ତେ ଆମକୁ ଉପଯୁକ୍ତ ଦର୍ଶକ ବା ପାଠକ ହେବାକୁ ପଡିବ।

ବିଶିଷ୍ଟ ଚିତ୍ରସମୀକ୍ଷକ ତଥା ସଂଗ୍ରାହକ ଆମେରିକୀୟ ରସାୟନବିତ୍  ଆଲବର୍ଟ ସି ବାର୍ଣ୍ଣେସ୍ ଙ୍କର ପୁସ୍ତକ “ଦି ଆର୍ଟ ଅଫ୍ ପେଣ୍ଟିଙ୍ଗ୍” ବହିର ଆଧାରରେ ଏଇ ଆଲେଖକୁ ରଚନା କରିଛନ୍ତି ବଙ୍ଗଳା ଭାଷାର ସମ୍ମାନାସ୍ପଦ ପ୍ରାବନ୍ଧିକ ତଥା ଚିତ୍ରଆଲୋଚକ ଶ୍ରୀଯୁକ୍ତ ଅଶୋକ ମିତ୍ର ।

ଏଇ ଆଲେଖଟି ମୂଳ ବଙ୍ଗଳାରୁ ଅନୁସୃଜିତ ।)

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →