କାଫକାଙ୍କ ସାଙ୍ଗ

ମୂଳ ଲେଖା: ଆଇଜାକ୍ ବାସେଭିସ୍ ସିଙ୍ଗର୍ || ଅନୁବାଦ: ଜ୍ୟୋତି ନନ୍ଦ

ମୁଁ କାଫକାଙ୍କ ବିଷୟରେ ତାଙ୍କର  ବହି ପଢିବାର କିଛି ବର୍ଷ ଆଗରୁ ତାଙ୍କର ବନ୍ଧୁ ଜାକସ୍ କୋହନ, ୟିଡିଶ ରଙ୍ଗମଞ୍ଚର ଜଣେ ପୂର୍ବତନ ଅଭିନେତା, ତାଙ୍କ ନିକଟରୁ ଶୁଣିଥିଲି ।”ପୂର୍ବତନ” ବୋଲି କହୁଛି ଏଇଥିପାଇଁ ଯେ ମୁଁ ତାଙ୍କୁ ଜାଣିବା ବେଳକୁ ସେ ଆଉ ମଞ୍ଚ ଆରୋହଣ କରିବା କାମରୁ କ୍ଷାନ୍ତ ରହିଥିଲେ। ଏହା ତିରିଶଦଶକର ଆଦ୍ୟ ଭାଗର କଥା, ଆଉ ସେତିକି ବେଳକୁ ୟିଡିଶ ଥିଏଟର୍ ତାହାର ଦର୍ଶକ ମଣ୍ଡଳୀକୁ ପ୍ରାୟ  ହରାଇ ସାରିଥାଏ। ଜାକସ୍ କୋହନ ନିଜେ ଖୁବ୍ ଅସୁସ୍ଥ ଆଉ ଏମିତିରେ ବେଶ୍ ଭାଙ୍ଗିପଡିଥାଆନ୍ତି । ଯଦିଓ ସେ ସବୁବେଳେ ଜଣେ ଫୁଲ୍ ବାବୁ ଭଳି ବେଶରେ ଥାଆନ୍ତି , ତଥାପି ତାଙ୍କର ପୋଷାକମାନ ଦେଖିବାକୁ ଭାରି କଦର୍ଯ୍ୟ। ତାଙ୍କର ବାଆଁ ଆଖିର ଆଗରେ ଥାଏ ଗୋଟିଏ ଏକପକ୍ଷ ଚଷମା ବା ମନୋକଲ, ଦେହରେ ଉଚ୍ଚ କାଲର ବିଶିଷ୍ଟ ପୁରୁଣା ଫେସନର ପୋଷାକ (ଯାହାକୁ “ହତ୍ୟାକାରୀ-ପିତା” ବୋଲି କୁହାଯାଉଥିଲା), ଛାପଯୁକ୍ତ ଚମଡାର ଯୋତା, ଆଉ ଗୋଟିଏ ଅସ୍ତାବଳ । ୱାର୍ସାର ଲେଖକମାନଙ୍କର ଅନୁଷ୍ଠାନ ତଥା ୱାର୍ସା ୟିଡିଶ ରାଇଟର୍ସ କ୍ଲବ ସେଇଠିକୁ ସେ ସବୁବେଳେ ପ୍ରାୟ ଯାଉଥିଲେ। ସେଠାରେ ଅସହିଷ୍ଣୁମାନେ ତାଙ୍କର ଗୋଟିଏ ନାମକରଣ କରିଥିଲେ, ଦି ଲର୍ଡ । ଯଦିଓ ସେ ସବୁବେଳେ ଅଧିକ ତଳକୁ ଝୁଙ୍କି ରହିବାର ଦେଖା ଯାଉଥିଲା, ନିଜର ପିଠିର ଭାରସାମ୍ୟଟି ଯେମିତି ଅବ୍ୟାହତ ରହେ ସେଥିପ୍ରତି ସେ କାମକରିବା ବେଳେ ଯଥେଷ୍ଟ ସତର୍କ ରହୁଥିଲେ। ନିଜର କରୁଣ ମଥା ଉପରକୁ ବାକି ଯାହା ହଳଦିଆ କେଶ ରହିଥିଲା ତାହାକୁ ପୋଲ ଭଳି କୁଣ୍ଡେଇ ନେଉଥିଲେ। ରଙ୍ଗମଞ୍ଚର ପ୍ରାଚୀନ ପରମ୍ପରା ଅନୁଯାୟୀ , ତାଙ୍କୁ ପ୍ରାୟତଃ ଜର୍ମାନ ମିଶା ୟିଡିଶ୍ କୁ ଯିବାକୁ ପଡୁଥିବା କାରଣରୁ ଠିକ୍ ସେହିଭଳି ସେ କଥା କହିଥାନ୍ତି , ବିଶେଷରେ ନିଜର କାଫକାଙ୍କ ସହ ସଂପର୍କର କଥା ବିସ୍ତାରରେ କହିବା ସମୟରେ। ଏଇ କିଛି ଦିନ ହେଲା,ସେ ଖବରକାଗଜ ପାଇଁ ଆଲେଖ ଲେଖୁଛନ୍ତି, ହେଲେ ସମ୍ପାଦକମାନେ ଏ ବିଷୟରେ ଯେମିତି ଏକମତ ସେହିଭଳି ତାଙ୍କର ଲେଖାଗୁଡିକୁ ଫେରସ୍ତ ପଠାଇ ଦେଉଛନ୍ତି । ସେ ଲେସନୋ ଷ୍ଟ୍ରିଟ୍ ରେ କେଉଁଠି ଏକ ଛାତର ଗୋଟିକିଆ ଘରେ ରହୁଥିଲେ  ଆଉ ତାଙ୍କର ଦେହପାଆ ଠିକ୍ ରହୁନଥିଲା। ଲେଖକ ମାନଙ୍କର ସେହି କ୍ଲବ୍ ରେ ତାଙ୍କୁ ନେଇ ଗୋଟିଏ ମଜାକଥା ଘୁରିବୁଲୁଥିଲା:”ଦିନସାରା ସେ ରହୁଥିବେ ଗୋଟିଏ ଅକ୍ସିଜେନ୍ ର ତମ୍ବୁରେ ଆଉ ରାତି ହେବାମାତ୍ରକେ ସେ ଜଣେ ଡନ୍ ଜୁଆନ୍!”

ଆମର ସବୁଦିନ ସଞ୍ଜରେ କ୍ଲବ୍ ରେ  ଦେଖାହୁଏ। କବାଟ ଅତି ସନ୍ତର୍ପଣରେ ଖୋଲିଯାଏ ଜେକସ୍ କୋହାନ ଙ୍କ ନିମନ୍ତେ। ତାଙ୍କ ସହିତ ସେହି ଗୁରୁତ୍ୱପୂର୍ଣ୍ଣ ଇଉରୋପୀୟ ଆଭିଜାତ୍ୟର ପ୍ରସିଦ୍ଧିଟି ରହିଛି ଯାହାକୁ ସେ ଯେମିତି ଅନେକାଂଶରେ କ୍ଷୁର୍ଣ୍ଣ କରି ଏଇ ଭଳି ଗୋଟିଏ ଅପନ୍ତରାକୁ ସଦୟ ଭ୍ରମଣ ପ୍ରଦାନ କରିଛନ୍ତି । ସେ ଚାରିପଟକୁ ଚାହିଁ ଦେଖନ୍ତି ଆଉ ନାସିକାକୁଞ୍ଚନ କରନ୍ତି ଯେମିତି ସେଇଠି ଶୁଖୁଆ, ରସୁଣ ଆଉ ଶସ୍ତା ଧୂଆଁପତ୍ର ଭଳି ଉତ୍କଟ ଗନ୍ଧ ରହିଛି ଯାହା ତାଙ୍କର ପସନ୍ଦର ପଦାର୍ଥ ନୁହଁ। ଟେବୁଲଗୁଡିକୁ ଦେଖିବା ବେଳେ ତାଙ୍କର ଆଖିରେ ଘୃଣା, ଟେବୁଲଗୁଡିକ ଉପରେ ପଡିରହିଛି ଛିଣ୍ଡା ଖବର କାଗଜ, ଭଙ୍ଗା ଚେସ୍ ଗୋଟି, ସିଗାରେଟ୍ ର ଷ୍ଟବ୍ ଭର୍ତ୍ତି, ଆଉ ତାହାର ଚାରିପଟରେ ଘେରି ବସିରହି କ୍ଲବ୍ ର ସଦଶ୍ୟମାନେ ନିଜର ଚିଁଚିଁ ଆ ଗଳାରେ ଶେଷହୀନ ସାହିତ୍ୟଚର୍ଚା କରି ଚାଲିଛନ୍ତି। ସେ ନିଜର ମଥାକୁ ଟିକିଏ ତଳକୁ ନୂଆଁଇ ଆଣି କହିବା ପରି ଶୁଣାଯାଏ,” ଏଇ ନିର୍ବୋଧ ବିଚରା ଭାଗ୍ୟହୀନମାନଙ୍କ ଠାରୁ  ତମେ ଆଉ କ’ଣ ପାଇବ ବୋଲି ଈଚ୍ଛା ବାନ୍ଧିଛ ?ମୁଁ ଯେତେବେଳେ ଦେଖେ ସେ ଭିତରକୁ ପ୍ରବେଶ କରୁଛନ୍ତି , ମୁଁ ମୋ ହାତକୁ ପକେଟ ଭିତରେ ଭର୍ତ୍ତିକରି ଭିତରେ ଥିବା  ଟଙ୍କା ପଇସାକୁ ଗଣି ରାଶି କିଛିକୁ  ପ୍ରସ୍ତୁତ କରିଥାଏ, ପରେ ଯାହା ସେ ମୋଠାରୁ ଋଣ ଆକାରରେ ନେଇଥାନ୍ତି ।

ଆଜି ବିଶେଷ ସଂଜରେ, ଜାକସ୍ ଙ୍କ ମୁଡ୍ ଅନ୍ୟଦିନ ଅପେକ୍ଷା ବେଶ୍ ଭଲ ଥିବା ପରି ଲାଗୁଥିଲା। ସେ ହସହସ ଥିଲେ, ତାଙ୍କର ଚକଚକ ନକଲି ଦାନ୍ତମାନ ଦେଖାଯାଉଥିଲା,ଏମିତିରେ ତାଙ୍କର ସେହି ନକଲି ଦାନ୍ତମାନ ଠିକ୍ ରେ ବସିନାହିଁ । ସେ କଥା କହିବା ବେଳେ ତାହା ଯେମିତି ବେଳେବେଳେ ଅଡୁଆ ହୋଇଯାଉଛି। ଆଉ ସେ କଥା କହିବାବେଳେ ଜଣାଯାଉଥିଲା ସେ ଯେମିତି ମଞ୍ଚ ଉପରେ ଅଛନ୍ତି ,ମୋ ଉପରେ ଆଧିପତ୍ୟ ବିସ୍ତାର କରିସାରିଛନ୍ତି । ତାଙ୍କର ଲମ୍ବାଟିଆ ହାତକୁ ମୋ ଆଡକୁ ବଢାଇ ଦେଇ ସେ କହିଥିଲେ,” ଉତ୍ଥିତ ନକ୍ଷତ୍ର ଗଣ ଆଜି ରାତିରେ କରିବେ କ’ଣ ?”

“ସେ କାମ ତ ଶେଷ !”

“ମୁଁ ଯଥେଷ୍ଟ ଗମ୍ଭୀର, ବେଶ୍ ଗଂଭୀର । ଦେଖିଲା ମାତ୍ରକେ ମୁଁ ଜାଣିପାରିବି କାହାର କ’ଣ ପ୍ରତିଭା ଅଛି ! ମୋର ସେତକ ନଥାଉ ପଛକେ। ଆମେ ଯେତେବେଳେ ପ୍ରେଗ୍ ରେ ନାଟକ କରୁଥିଲୁ,୧୯୧୧ ର କଥା,କେହି କାଫକାଙ୍କ ନାଆଁ ଶୁଣିନଥାନ୍ତି । ସେ ପଛବାଟ ଦେଇ ଆସିଥିଲେ ଆଉ ଯେଉଁ ମୁହୂର୍ତ୍ତରେ ମୁଁ ତାଙ୍କୁ ଦେଖିଲି ମୁଁ ଜାଣିଗଲି ଯେ ମୁଁ ଜଣେ ଜିନିଅସ୍ ର ସାମ୍ନାରେ ଉପସ୍ଥିତ । ବିରାଡି ଯେମିତି ଖଣ୍ଡେ ଦୂରରୁ ମୂଷାକୁ ଶୁଙ୍ଘିନେଇ ପାରେ ମୁଁ ସେମିତି ପ୍ରତିଭାର ବାସ୍ନାକୁ ବାରିପାରିବି। ଏହି ଭଳି ତାଙ୍କର ଆଉ ମୋର ସେହି ଶ୍ରେଷ୍ଠ ବନ୍ଧୁତ୍ୱର ଆରମ୍ଭ।”

ମୁଁ ଏଇ ସମାନ କାହାଣୀକୁ ଅନେକଥର ଶୁଣିଛି, ଅନେକ ପ୍ରକାର ପରିବର୍ତ୍ତନରେ ଶୁଣିଛି ,ମାତ୍ର ମୁଁ ଜାଣେ ଯେ ମୁଁ ଏହାକୁ ଆହୁରି ଅନେକ ଥର ନିଶ୍ଚେ ଶୁଣିବି । ସେ ମୋ ଟେବୁଲ ପାଖରେ ବସି ପଡିଲେ,ଆଉ ମାନ୍ୟା ଆମର ପରିଚାରିକା, ଆମ ପାଇଁ ଗ୍ଲାସ୍ ରେ ଚା’ ଆଉ କିଛି କୁକିକୁ ଧରି ଆସିଥିଲା। ଜାକସ୍ କୋହାନ ନିଜର ହଳଦୀରଙ୍ଗର ଆଖି ଉପରର ଭ୍ରୁଲତାକୁ ଆଉ ଟିକିଏ ଉପରକୁ ଉଠାଇ ନେଲେ, ଧଳା କପାଳରେ ଲାଲ ଶିରା ଗୁଡିକ ଦେଖାଗଲା । ତାଙ୍କର ଭାବଭଙ୍ଗୀ ଯେମିତି କହୁଥିଲା, “ଅଶିକ୍ଷିତ ମାନେ ଏହାକୁ କହିଥାନ୍ତି ଚା’ ?” ସେ ନିଜର ଗ୍ଲାସ୍ ରେ ପାଞ୍ଚଚାମୁଚ ଚିନି ପକାଇ ତାହାକୁ ଭଲକରି ଘାଣ୍ଟି ଦେଇ କୁକିରୁ ଖଣ୍ଡିଏ ଭାଙ୍ଗି ପାଟିରେ ପୂରାଇ କିଛି କହିଥିଲେ। ତାଙ୍କର କହିବାର ଅର୍ଥ ଥିଲା, “ଜଣେ ନିଜର ଅତୀତର ପେଟକୁ କଦାପି ପୂରଣ କରିପାରିବ ନାହିଁ ।”

ଏହା ଯେମିତି ନାଟକ କରିବା ଭଳି ଥିଲା। ସେ ପୋଲାଣ୍ଡର ଗୋଟିଏ ଛୋଟିଆ ସହରର  ହାସିଦି ବୋଲି ଗୋଟିଏ ପରିବାରର ପିଲା। ତାଙ୍କର ନାଆଁ ଜାକସ୍ ନୁହଁ ଜାଙ୍କେଲ୍। ସେ ଯାହାହେଉ ସେ ଅନେକ ଗୁଡିଏ ବର୍ଷ ପ୍ରାଗ୍, ଭିଏନା, ବର୍ଲିନ, ପାରିସ୍ ଆଦିରେ ରହିଛନ୍ତି। ସେ ସବୁବେଳେ ୟିଡିଶ ରଙ୍ଗମଞ୍ଚର ଜଣେ ଅଭିନେତା ନଥିଲେ ମାତ୍ର ସେ ଉଭୟ ଫରାସୀ ଆଉ ଜର୍ମାନ ରଙ୍ଗମଞ୍ଚରେ କାମ କରିଛନ୍ତି । ଅନେକ ସେଲିବ୍ରିଟିଙ୍କ ସହିତ ତାଙ୍କର ବନ୍ଧୁତ୍ୱ । ସେ ଚଗଲଙ୍କ ପାଇଁ ବେଲେଭିଲେ ଠାରେ ଗୋଟିଏ ଷ୍ଟୁଡିଓ ଖୋଜିଦେଇଥିଲେ। ସେ ଇଜରାଏଲ୍ ରେ ଜାଙ୍ଗୱିଲ୍ ଙ୍କ ର ଜଣେ ନିୟମିତ ବନ୍ଧୁ ଥିଲେ । ରେନହାଜ୍ ଙ୍କ ପ୍ରସ୍ତୁତିରେ ଥରେ  ଆବିର୍ଭାବ ହୋଇଛନ୍ତି । ସେ ମୋତେ କେବଳ କାଫକାଙ୍କର ନୁହଁ ଜାକବ ୱାସରମ୍ୟାନ, ଷ୍ଟିଫେନ୍ ସ୍ୱାଇଗ୍, ରୋମାଁ ରୋଲାଁ, ଇଲ୍ୟା ଏହରେନବର୍ଗ ଆଉ ମାର୍ଟିନ ବ୍ୟୁବରଙ୍କ ନିକଟରୁ ପାଇଥିବା ଚିଠି ଗୁଡିକ ଦେଖାଇଛନ୍ତି। ସବୁ ଚିଠିରେ ସମସ୍ତେ ତାଙ୍କୁ ତାଙ୍କର ପ୍ରଥମ ନାଆଁ ଅର୍ଥାତ୍ ଜାକସ୍ ଆକାରରେ ସମ୍ବୋଧନ କରିଛନ୍ତି । ଆମେ ପରସ୍ପରକୁ ଆଉ ଟିକିଏ ଭଲଭାବରେ ଚିହ୍ନିଗଲା ପରେ, ସେ ମୋତେ ତାଙ୍କର ଫଟୋଗ୍ରାଫ ଆଉ ଚିଠି ମାନ ଦେଖାଇଛନ୍ତି, ସେହି ଫଟୋଗ୍ରାଫ୍ ଆଉ ଚିଠିଗୁଡିକ ପ୍ରଖ୍ୟାତ ଅଭିନେତ୍ରୀମାନଙ୍କ ନିକଟରୁ, ଯେଉଁମାନଙ୍କ ସହ ତାଙ୍କର କହିବାକୁ ଗଲେ ଆଫେୟାର୍ ରହିଥିଲା।

ମୋ ପକ୍ଷରୁ ଜାକସ୍ ଙ୍କୁ ଏମିତି “କିଛି” ଋଣ ଆକାରରେ ଦେବା ର ଅର୍ଥ ହେଉଛି ପଶ୍ଚିମ ଇଉରୋପ ସହିତ ସଂପର୍କ ପ୍ରତିଷ୍ଠା କରିବାର କଥା।ଯେଉଁ ଭଳି ସେ ନିଜର ରୂପାର ବାଡି ଖଣ୍ଡିକୁ ହାତରେ ଧରିଥାଆନ୍ତି ତାହା ମୋତେ ବେଶ୍ ସଂଭ୍ରାନ୍ତ ଲାଗେ। ଆମେମାନେ ୱାର୍ସାରେ ଯେମିତି ସିଗାରେଟ୍ ଟାଣିଥାଉ ତାହା ର ତୁଳନା ତାଙ୍କର ସିଗାରେଟ୍ ଟାଣିବା ଭିନ୍ନ ଆଉ ଆକର୍ଷଣୀୟ। ତାଙ୍କର ଠାଣିବାଣୀ ସବୁ ରାଜକୀୟ। ବେଳେ ବେଳେ, ତାହା ଖୁବ୍ କମ୍, ସେ ମୋ ପାଖକୁ ଆସିଥାନ୍ତି ଆଉ ମୋର ଅନୁଭବକୁ ସୁରକ୍ଷିତ କରି ରଖିବାର ଆଳରେ  ମୋତେ ବିଶେଷ ଭାବରେ ପ୍ରଶଂସା କରିଥାନ୍ତି। ଅନ୍ୟସବୁ ଅପେକ୍ଷା ମୁଁ ଜାକସ୍ ଙ୍କୁ ନାରୀମାନଙ୍କ ସହ ଏକାଠି ଥିବା ବେଳେ ଅଧିକ ପସନ୍ଦ କରିଥାଏ । ଝିଅ ମାନଙ୍କ ସହ ମୁଁ ଭାରି ଲାଜକୁଳା -ସେମାନଙ୍କୁ ଦେଖିଲେ ମୋତେ ଭାରି ଲାଜ ମାଡେ, ମୁଁ ଅପ୍ରସ୍ତୁତ ହୋଇଯାଏ – ହେଲେ ଜାକସ୍ ଙ୍କୁ ଦେଖି ନିଜକୁ  ସେଇଭଳି ଜାଗାରେ ବଡ ଭରସା ଗୋଟିଏ ମିଳିଯାଇଥାଏ। ଯେତେ ଅନାକର୍ଷଣୀୟା ହେଉ ପଛକେ ସବୁ କିଶୋରୀଙ୍କ ପାଇଁ ତାଙ୍କ ନିକଟରେ ସବୁବେଳେ ସୁନ୍ଦର ସୁନ୍ଦର ଶବ୍ଦ ମହଯୁଦ ରହିଥାଏ । ସେ ସେମାନଙ୍କୁ ଖୁବ୍ ପ୍ରଶଂସା କରିଥାନ୍ତି, ମାତ୍ର ସବୁବେଳେ ସେଥିରେ ସୁଧାର ବିରୋଧାଭାଷ ରହିଥାଏ, ଯେମିତି ଗୁଡାଏ ଜିନିଷ ଖାଇବା ପରେ ପେଟପୁରିଥିବା କାହାର ଅନାଗ୍ରହକୁ ପ୍ରଭାବିତ କରିପାରିବା ଭଳି।

ସେ ସ୍ପଷ୍ଟ ଭାବରେ ମୋତେ କହିଥିଲେ,”ପ୍ରିୟ ବନ୍ଧୁ ମୋର,ମୁଁ ଗୋଟିଏ ନଂପୁସକ ଭଳି ଭଲ। ଏହା ସବୁବେଳେ ଗୋଟିଏ ଅତ୍ୟନ୍ତ ପରିଚ୍ଛନ୍ନ ଋଚି ଭଳି ଆରମ୍ଭ ହୋଇଥାଏ -ଯେତେବେଳେ ଜଣେ କ୍ଷୁଧାର୍ତ୍ତ ସେତେବେଳେ ତାହା ଆଗରେ ଖାଦ୍ୟର କୌଣସି ମୌଳିକ ବିଚାର ନଥାଏ। ମୁଁ ଏମିତି ଗୋଟିଏ ସ୍ତରରେ ପହଞ୍ଚିଯାଇଛି ଯେଉଁଠି ମୁଁ କେହି ଗୋଟିଏ ରମଣୀକୁ ଅପସନ୍ଦର ବୋଲି କହିପାରିବି ନାହିଁ। କୌଣସି ଖୁଣ ମୋର ଆଢୁଆଳରେ ରହିପାରିବ ନାହିଁ । ଏହା ହେଉଛି ନଂପୁସକତା। ପୋଷାକ ହେଉ କି ଅନ୍ତର୍ବାସ ସେସବୁ ମୋ ନିକଟରେ ସ୍ୱଚ୍ଛ।ରଙ୍ଗ କି ଅତରରେ ମୁଁ ବିଭ୍ରାନ୍ତ ହେବିନାହିଁ ।ମୁଁ ମୋର ଦାନ୍ତଗୁଡିକ ହରାଇସାରିଲିଣି,ହେଲେ ଜଣେ ସ୍ତ୍ରୀଲୋକ ଯେତେବେଳେ ତାହାର ପାଟିକୁ ଆଁ କରେ,ମୁଁ ସେଥିରେ ଫାଙ୍କ ଗୁଡିକ କେମିତି ପୂରଣ ହୋଇଛି ଦେଖିପାରେ। ସେଇଟି,କହିବାକୁ ଗଲେ କାଫକାଙ୍କ ସମସ୍ୟା ଲେଖିବସିବା ବେଳେ: ସେ ସବୁ ଖୁଣକୁ ଦେଖିପାରୁଥିଲେ-ତାହା ନିଜର ହେଉ କି ଆଉ କାହାର ହେଉ। ଅଧିକାଂଶ ସାହିତ୍ୟ ଏହି ଭଳି ସାଧାରଣ ଅର୍ଥାତ୍ ପ୍ଲେବିଆନ୍ ମାନଙ୍କ ଦ୍ୱାରା ଅଥବା ଅନିପୁଣ  ସେ ଜୋଲା ହୁଅନ୍ତୁ କି ଦିଆନୁଞ୍ଜିଓ ହୁଅନ୍ତୁ ସେମାନଙ୍କ ଦ୍ୱାରା ରଚିତ। ରଙ୍ଗମଞ୍ଚରେ ସେହି ସମାନ ଖୁଣକୁ ମୁଁ ଦେଖିଛି, ଯାହା କାଫକା ସାହିତ୍ୟରେ ଦେଖିପାରିଥିଲେ,ଆଉ ଯାହା ଆମ ସମସ୍ତଙ୍କୁ ଏକାଠି କରିଛି । ମାତ୍ର ଏକଥା କହିଲେ ଅସଂଗତି ଲାଗିବ, ରଙ୍ଗମଞ୍ଚର କଥା ବିଚାରକୁ ଉଠିଲେ କାଫକା ସବୁବେଳେ ଅଂଧ। ସେ ଆମର ୟିଡିଶ ଭାଷାର ଅତି ଶସ୍ତା ନାଟକକୁ ପ୍ରଶଂସା କରି ସ୍ୱର୍ଗରେ ନେଇ ଥୋଇଛନ୍ତି । ମାଦାମ ତେହିସିକ୍ ବୋଲି ଜଣେ ଅଭିନେତ୍ରୀର ପ୍ରେମରେ ସେ ପାଗଳ ଭଳି ପଡିଯାଇଥିଲେ । ମୁଁ ଯେତେବେଳେ କାଫକା ଏମିତିକା ଗୋଟିଏ ଚରିତ୍ର ର ପ୍ରେମରେ ପଡିଥିଲେ ବୋଲି ଭାବେ,ତାହାକୁ ନେଇ ସ୍ୱପ୍ନ ଦେଖୁଥିଲେ,ମୋତେ ସେତେବେଳେ ଏଇ ଲୋକଟି ପାଇଁ, ତାହାର ବିଭ୍ରମ ପାଇଁ, ଭାରି ଲାଜ ମାଡେ।ସେ ଯାହାହେଉ, ଅମରତ୍ୱ କାହାକୁ ଚୟନ କରେନାହିଁ। ସେ ଯିଏ ହେଉ ଯଦି ସେ କୌଣସି ବିଖ୍ୟାତ ବ୍ୟକ୍ତିର ସଂସ୍ପର୍ଶରେ ଆସେ ସେ ତାଙ୍କ ସହିତ ସେହି ଭଳି ଛିଣ୍ଡା ଯୋତାରେ ବି ଅମରତ୍ୱର ଦିଗରେ ଯାତ୍ରା କରିଥାଏ।

“ତମେ ତ ଥରଟିଏ ମୋତେ ପଚାରି ନାହଁ ମୁଁ କେମିତି ଚଳେ ବା ମୁଁ ତମ ବିଷୟରେ କ’ଣ ଭାବେ ? ମୋତେ ଅସଲରେ କିଏ ସାହସ ଯୋଗାଇଛି ସହିନେବାପାଇଁ  ଏଇ ଦାରିଦ୍ର୍ୟ, ଅସୁଖ, ଆଉ ସବୁଠୁ ବଡ ହେଲା ଏଇ ଆଶାହୀନତାକୁ ? ଏଇଟି ଗୋଟିଏ ଭଲ ପ୍ରଶ୍ନ,ପ୍ରିୟ ତରୁଣ ବନ୍ଧୁ ମୋର। ମୁଁ ସମାନ ପ୍ରଶ୍ନ ପଚାରି ଥିଲି ଯେତେବେଳେ ମୁଁ ଆଦ୍ୟ ହିବ୍ରୁ ବାଇବେଲ୍ ର ବୁକ୍ ଅଫ୍ ଜବ୍ ଅଂଶକୁ ପଢିସାରିଥିଲି । କର୍ମ କାହିଁକି ନିରନ୍ତର ବଂଚିରହିବ ଆଉ ଯାତନା ଭୋଗୁଥିବ ?

ତେଣୁ ଶେଷରେ ତାଙ୍କର କାହିଁକି ଅଧିକ ଝିଅ ହେଲେ, ଅଧିକ ଗଧ ହେଲେ, ଅଧିକ ଓଟ ହେଲେ ? ନା । ଉତ୍ତର ହେଉଛି ଏହା ଅସଲରେ ଗୋଟିଏ ଖେଳ। ଆମେ ସଭିଏଁ ଚେସ୍ ଖେଳୁ ଯେଉଁଠି ଭାଗ୍ୟ ହେଉଛି ଆମର ସହଯୋଗୀ ଖେଳାଳୀ,ପାର୍ଟନର୍। ସେ ଗୋଟିଏ ଚାଲ୍ ଦିଏ ଆଉ ଆମେ ଗୋଟିଏ ଚାଲ୍ ଦେଉ। ସେ ତିନୋଟି ଚାଲ୍ ରେ ଆମକୁ କିସ୍ତି ଦେବାକୁ ଚେଷ୍ଟା କରେ ; ଆମେ ତାହାକୁ ପ୍ରତିହତ କରିବାକୁ ଚେଷ୍ଟା କରୁ । ଆମେ ଜାଣୁ ଆମେ ଜିତିପାରିବୁ ନାହିଁ , କିନ୍ତୁ ଆମର ଖୁବ୍ ଜିଦ୍ ଯେ ଆମେ ତା’କୁ ଗୋଟିଏ ଦୃଢ ଯୁଦ୍ଧ ପ୍ରଦାନ କରିବୁ। ମୋର ପ୍ରତିପକ୍ଷ ହେଉଛି ଗୋଟିଏ ଦୃଢ ପରୀ। ତାହା ପାଖରେ ଯେତିକି ଚାଲ୍ ମହଯୁଦ ରହିଛି ସେଇସବୁକୁ ଏକାଠି କରି ସେ ଜାକସ୍ କୋହାନଙ୍କ ସହ ଲଢିଥାଏ। ଏବେ ଶୀତକାଳ, ଭିତରେ ଷ୍ଟୋଭ୍ ଜଳୁଥିଲେ ବି ଶୀତ, ହେଲେ ମୋ ଷ୍ଟୋଭ୍ ଟି ଗଲା କେତେମାସ ହେଲା କାମ କରୁନାହିଁ ଆଉ ମୋର ଲାଣ୍ଡଲେଡି ଏହାକୁ ଠିକ୍ କରିବାକୁ ମନା କରିଦେଇଛି। ତାହାଛଡା ମୋ ପାଖରେ କୋଇଲା କିଣିବାପାଇଁ ପଇସା ନାହିଁ । ତେଣୁ ବାହାରେ ଯେମିତି ଭିତରେ ଶୀତ ସେମିତି। ତମେ ଯଦି କେଉଁଠି ଗୋଟିଏ ଛାତ ଉପରର ଏକୁଟିଆ ଘରେ ରହୁନାହଁ ତାହାହେଲେ ତମେ ଜମାରୁ ଜାଣିପାରିବନାହିଁ ଅସଲ ପବନର ପ୍ରକୋପ କେତେ। ଖରାଦିନେ ବି ମୋ ଝରକାର କାଚ କଡମଡ କରେ। ବେଳେବେଳେ ଗୋଟିଏ ପୁଂଲିଙ୍ଗର ବିରାଡି ଛାତ ଚଢି ମୋ ଝରକା ପାଖକୁ ଆସି ପ୍ରସବ ଅପେକ୍ଷାରେ ଥିବା କୌଣସି ନାରୀ ଭଳି ସାରାରାତି ଚିତ୍କାର କରୁଥାଏ। ମୁଁ ସେତେବେଳେ ମୋର କମ୍ବଳ ତଳେ ବରଫ ଭଳି ଜମାଟ ବାନ୍ଧୁଥାଏ ଆଉ ସେ କୌଣସି ସ୍ତ୍ରୀଲିଙ୍ଗର ବିରାଡିକୁ ଖୋଜୁଥାଏ, ଯଦିଓ ଏମିତିରେ ସେ ହୁଏତ ଅଧିକ ଭୋକିଲା ଥାଇପାରେ । ମୁଁ ତାହାକୁ ବଳିଥିବା ଖାଦ୍ୟରୁ କିଛି ଦେଇପାରେ ଅଥବା ସେଇଠୁ ତବିଦେଇପାରେ, କିନ୍ତୁ ମୁଁ ନିଜକୁ ବଞ୍ଚାଇରଖିବା ପାଇଁ ମୋ ପାଖରେ ଯେତେକ କମ୍ବଳ ଅଛି ଛିଣ୍ଡା କନ୍ଥା ଅଛି ସେଥିରେ ନିଜକୁ ଘୋଡାଇ ରଖୁଥାଏ,ଏପରିକି ପୁରୁଣା ଖବରକାଗଜ ସେଥିରୁ ବାଦ୍ ଯାଏ ନାହିଁ -ଏଥିରୁ ଟିକିଏ ଏପଟସେପଟ ହେଲେ କଥାଟି ଭିନ୍ନ ହୋଇଯିବ।

“ତଥାପି, ତମେ ଯଦି ଚେସ୍ ଖେଳୁଥାଅ, ପ୍ରିୟ ବନ୍ଧୁ , କୌଣସି ଜଣେ ଅପାରଗ ଯିଏ ନିଜର ଅଜ୍ଞତାର କାରଣରୁ ଭୁଲଭାଲ ଚାଲ୍ ଦେଉଥାଏ ତାହା ସହିତ ନୁହଁ , ଜଣେ ଯୋଗ୍ୟ ପ୍ରତିପକ୍ଷ ସହିତ ଖେଳିବା ଅଧିକ ଭଲ ହେବ। ମୁଁ ମୋର ବିପକ୍ଷକୁ ପସନ୍ଦ କରେ। ବେଳେ ବେଳେ ମୁଁ ତାହାର ଚତୁରତାରେ ମୁଗ୍ଧ ହୋଇଯାଏ । ସେ ସେଇଠି ବସିଥାଏ, ଅଫିସ୍ ଭଳି ତୃତୀୟ କି ସପ୍ତମ ସ୍ୱର୍ଗରେ , ତାହାର କର୍ମରତ ବିଭାଗ ହେଉଛି ନିୟତି ଯାହା ଆମର ଧରିତ୍ରୀକୁ ଶାସନ କରେ,ଆଉ ତାହାର ଗୋଟିଏ ବୋଲି କାମ –  ଜାକସ୍ କୋହାନକୁ କେମିତି ଛନ୍ଦିବାନ୍ଧି ପକାଇବ। ତାହାର ନିର୍ଦ୍ଦେଶ ହେଉଛି “ପିମ୍ପାକୁ ଭାଙ୍ଗିଦିଅ, ମାତ୍ର ଦେଖ ଯେମିତି କେଉଁଠି ଠୋପାଏ ବୋଲି ମଦ ନିଗିଡି ନପଡେ।” ସେ ଅବିକଳ ସେଇକାମ ହିଁ କରୁଥାଏ ।ସେ ମୋତେ କେଉଁଭଳି ବଞ୍ଚାଇ ରଖିଛି ତାହା ହିଁ ଅଲୌକିକ କଥା।ମୋତେ ଲାଜ ଲାଗିବ କହିବାକୁ,  ମୁଁ କେତେ ମେଡିସିନ୍ ସେବନ କରେ,କେତେ ବଟିକା ଦିନକୁ ଗିଳୁଥାଏ । ମୋର ଗୋଟିଏ ସାଙ୍ଗର ଗୋଟିଏ ଔଷଧ ଦୋକାନ ଅଛି,ନହେଲେ ଏହି ଖର୍ଚ୍ଚକୁ ମୁଁ ସମ୍ଭାଳି ପାରିବି ନାହିଁ । ଶେଜକୁ ଯିବା ପୂର୍ବରୁ ମୁଁ ଗୋଟିକ ପରେ ଗୋଟିଏ କୁ ଗିଳିପକାଏ, ଶୁଖିଲା। ପାଣି ପିଇଲେ,ମୋତେ ପରିସ୍ରା କରିବାକୁ ହେବ।ମୋର ପ୍ରୋଷ୍ଟେଟ୍ ର ସମସ୍ୟା ଅଛି, ସେଇଥିପାଇଁ ତ ମୋତେ ରାତିରେ ଅନେକଥର ଉଠିବାକୁ ପଡେ। ଅନ୍ଧାରରେ, କାଣ୍ଟଙ୍କ ଶ୍ରେଣୀ ଧାରଣା କିଛି କାମ କରେନାହିଁ । ସମୟ ଆଉ ସମୟ ନୁହଁ, ସ୍ଥାନ ଆଉ ସ୍ଥାନ ନୁହଁ। ତମେ ହାତରେ ଯାହା ଧରିଛ ଅକସ୍ମାତ ଦେଖିବ ତାହା ଆଉ ସେଇଠି ନାହିଁ। ମୋର ଗ୍ୟାସବତୀଟିକୁ ଜଳେଇବା ଗୋଟିଏ ସହଜ କଥା ନୁହଁ। ମୋର ଦିଆସିଲ୍ ମାନେ ଉଭାନ ହୋଇଯାଉଥାନ୍ତି। ମୋର ଛାତର ସେଇ ଆଟୁଘରଟିରେ ରାକ୍ଷସ ମାନେ ଆବୁଜାବୁ, ମୁଁ ସେଥିରୁ ଜଣକୁ ସମ୍ବୋଧନ କରି କହେ,” ଆରେ, ତୁ, ଭିନେଗାର, ମଦ୍ୟର ସନ୍ତାନ, ତୋର ବଦମାସୀ ଏଥର ବନ୍ଦ କଲେ କେମିତି ହୁଅନ୍ତା !”

“କିଛି ଦିନ ଆଗରୁ, ରାତି ଅଧରେ, ମୋର କବାଟ ପାଖରେ ମୁଁ କାହାର ପାହୁଣ୍ଡର ଶବ୍ଦ ଶୁଣିଥିଲି ଆଉ ତାହା ସହିତ ଥିଲା ଗୋଟିଏ ନାରୀଗଳା।ମୁଁ କହିପାରିବିନି ସେ ହସୁଥିଲା କି କାନ୍ଦୁଥିଲା । “ସେ କିଏ ହେବ?”ମୁଁ ନିଜକୁ ପଚାରିଲି। “ଲିଲିଥ୍? ନମାହ? ମାକଲାଥ୍, କେଥଭ ମିରିରିଙ୍କ କନ୍ୟା ?” ପାଟି କରି କହିଥିଲି,”ମହୋଦୟା, ଆପଣ ଭୁଲ କରୁଛନ୍ତି ” ମାତ୍ର ସେ କବାଟରେ ଆଘାତ କରିବା ଜାରି ରଖିଥାଏ। ତାହାପରେ ଶୁଣିଲି ଗୋଟିଏ କୁନ୍ଥାଣ ଆଉ ତଳକୁ କିଛି ଖସିପଡିବାର ଶବ୍ଦ।କବାଟ ଖୋଲିବାକୁ ମୁଁ ସାହସ କରି ନଥିଲି। ମୁଁ ଦିଆସିଲ୍ ଖୋଜିଲି, କେବଳ ଏତିକି ଆବିଷ୍କାର କରିବା ପାଇଁ ଯେ ମୁଁ ସେମାନଙ୍କୁ ମୋ ହାତରେ ଧରିଥିଲି। ଶେଷରେ ମୁଁ ଶେଜରୁ ଉଠିଲି, ଗ୍ୟାସବତୀ ଜଳେଇଲି, ଦେହରେ ଡ୍ରେସିଙ୍ଗ ଗାଉନ୍ ଆଉ ପାଦରେ ସ୍ଲିପର ଗଳାଇନେଲି। ଦର୍ପଣରେ ଘଡିଏ ନିଜକୁ ଦେଖିଥିଲି,ମୋର ନିଜର ପ୍ରତିଫଳନ ମୋତେ ଆତଙ୍କିତ କରିଥିଲା।ମୋ ମୁହଁରେ ଆତଙ୍କ,ଦାଢୀ ହିଜବିଜ। ମୁଁ ଶେଷରେ କବାଟ ଖୋଲିଥିଲି, ସେଇଠି ଛିଡାହୋଇଥିଲା ଗୋଟିଏ ତରୁଣୀ, ବୟସ ଅଳ୍ପ, ଖାଲି ପାଦ, ନାଇଟଗାଉନ ଉପରେ ଗୋଟିଏ ସାବଲ କୋଟ୍ ପିନ୍ଧିଛି। ତାହାର ମୁହଁ ଶେତା ପଡିଯାଇଥିଲା ଆଉ ତାହାର କେଶରାଜି ଅସ୍ତବ୍ୟସ୍ତ । “କ’ଣ ହେଇଛି?”ମୁଁ କହିଥିଲି।

“କିଏ ଜଣେ ମୋତେ ଖୁନ୍ କରିବାକୁ ବସିଛି । ପ୍ଲିଜ୍,ଦୟାକରି ମୋତେ ଭିତରକୁ ଯିବାକୁ ଦିଅ।

ମୁଁ ତମର ଘର ଭିତରେ କେବଳ ଦିନ ହେବା ଯାଏଁ ରହିବାକୁ ଚାହୁଁଛି ।”

“ମୁଁ ଜାଣିବାକୁ ଚାହୁଁଥିଲି ତାହାକୁ ଏମିତି କିଏ ଏଇଲେ ଖୁନ୍ କରିବାକୁ ବସିଛି,ହେଲେ ଦେଖିଲି ସେ ଶୀତରେ ଯେମିତି ଅଧାବରଫ । ହୁଏତ ସେ ବି ମଦ୍ୟପାନ କରିଥିଲା। ମୁଁ ତାହାକୁ ଭିତରକୁ ଆସିବାକୁ ଦେଲି ଆଉ ଦେଖିଲି ତାହାର କଚଟିରେ ଅଛି ଗୋଟିଏ ସୁନ୍ଦର କଙ୍କଣ ଆଉ ସେଥିରେ ଲାଗିଛି ଖଣ୍ଡିଏ ବଡମାପର ହୀରା। “ମୋ ଘରେ ହିଟିଙ୍ଗ୍ ର ବ୍ୟବସ୍ଥା ନାହିଁ ” ମୁଁ ତା’କୁ କହିଲି।

“ତାହାହେଲେ ରାସ୍ତାରେ ମୃତ୍ୟୁବରଣ କରିବା ବରଂ ଅଧିକ ଭଲ ହେବ ।”

“ତାହାପରେ ଆମେ ଦିଜଣ ଘର ଭିତରେ।ହେଲେ ମୁଁ ତାହା ସହିତ କରିଥିଲି କ’ଣ ? ମୋର ଗୋଟିଏ ବୋଲି ଶେଜ।ମୁଁ ମଦ ପିଏ ନାହିଁ-ମୋତେ ପିଇବାକୁ ଦିଆଯାଏ ନାହିଁ-ହେଲେ ମୋର ଗୋଟିଏ ସାଙ୍ଗ ମୋତେ କନିଆକ୍ ର ଗୋଟିଏ ବୋତଲ ଉପହାର ଦେଇଛି, ଆଉ ମୋ ପାଖରେ କିଛି ଶୁଖିଲା କୁକି ପଡିରହିଛି । ଲାଗୁଛି,ମଦ ତାହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିଛି । “ତମେ କ’ଣ ଏଇ ବିଲଡିଙ୍ଗ୍ ରେ ରୁହ ?” ମୁଁ ପଚାରିଥିଲି।

“ନା” ସେ କହିଲା।”ମୁଁ ଉଜାଜୋୱସ୍କି ବୁଲେଭାର୍ଡ ରେ ରହେ।”

“ସେ  ସଂଭ୍ରାନ୍ତ ବର୍ଗର, ଏ କଥା କହିପାରିବି। ଗୋଟିଏ ଶବ୍ଦ ଆଉ ଗୋଟିଏ ଶବ୍ଦକୁ କଢେଇ ଆଣେ,ଆଉ ମୁଁ ଆବିଷ୍କାର କରିଥିଲି ସେ ଜଣେ କାଉଣ୍ଟେସ୍ ଆଉ ଜଣେ ବିଧବା, ଆଉ ତାଙ୍କର ପ୍ରେମିକ ଜଣକ ସେହି ସମାନ ବିଲଡିଙ୍ଗ୍ ରେ ରହୁଛନ୍ତି, ଜଣେ ବଣ୍ୟ ପ୍ରକୃତିର ମଣିଷ, ତାହାର ପୋଷ୍ୟ ଆକାରରେ ଅଛି ଗୋଟିଏ ସିଂହ ଶାବକ।ସେ ଯଦିଓ ସଂଭ୍ରାନ୍ତ ବର୍ଗ ବିଶେଷର ଅନ୍ତର୍ଭୂକ୍ତ, ନିଜର ପରିବାର ଦ୍ୱାରା ସେ ପରିତ୍ୟକ୍ତ। ହତ୍ୟା କରିବା ପାଇଁ ପ୍ରଚେଷ୍ଟାର ଅଭିଯୋଗରେ ସେ ବର୍ଷଟିଏ କାରାଦଣ୍ଡ ଭୋଗିଛି। ସେ ତାହାର ପ୍ରେମିକା  ପାଖକୁ ଯାଇପାରେ ନାହିଁ କାରଣ ଏଇ କାଉଣ୍ଟେସ୍ ଜଣକ ତାହାର ସଂପର୍କରେ ଶାଶୁ ହେବ ତାଙ୍କର ଘରେ  ରହୁଥିଲା, ତେଣୁ ସେ ହିଁ ତାହାକୁ ଭେଟିବାକୁ ଆସୁଥିଲା। ସେଇ ରାତିରେ ଉତ୍ୟକ୍ତ ହୋଇ ସେ ତାହାକୁ ମାରପିଟ୍ କରିଥିଲା,ତାହାର କପାଳରେ ନିଜର ରିଭଲଭରର ନଳକୁ ସିଧା ଲଗାଇଦେଇ ଥିଲା। ଦୀର୍ଘ କାହାଣୀକୁ ସଂକ୍ଷିପ୍ତ କରି କହିଲେ, କୌଣସି ମତେ ସେ ନିଜର କୋଟ୍ କୁ ସମ୍ଭାଳି ନେଇ ନିଜର ଆପାର୍ଟମେଣ୍ଟ ଦୌଡି ବାହାରକୁ ଚାଲି ଆସିଥିଲା।ପ୍ରତିବେଶୀମାନଙ୍କ  ଘରର  କବାଟ କୁ ବାଡେଇଥିଲା, ହେଲେ, କେହି ଜଣେ ତାହାକୁ ଭିତରକୁ ଯିବାକୁ କହିନଥିଲେ, ଆଉ ସେଇଥିପାଇଁ ସେ ଶେଷରେ ଛାତର ଏଇ ଆଟୁଘର ପାଖରେ ପହଞ୍ଚିଯାଇଥିଲା।

ମୁଁ ତାହାକୁ କହିଥିଲି, “ହୁଏତ ତୋ ପ୍ରେମିକ ତଥାପି ତୋତେ ହିଁ ଖୋଜୁଛି । ଖୋଜି ଚାଲିଛି। ଧରାଯାଉ ସେ ତୋତେ ଖୋଜି ପାଇଯିବ ? ମୁଁ ତ ଆଉ କୌଣସି ଜଣେ ସେମିତି ନୁହଁ ଯାହାକୁ କେହି କହିବ, ନାଇଟ୍?”

“ସେ ସେମିତି କୌଣସି ଗଣ୍ଡଗୋଳ କରିବାକୁ ସାହସ କରିବ ନାହିଁ” ସେ କହିଲା।”ସେ ଏଇଲେ ପାରୋଲ୍ ରେ ଅଛି। ତାହା ସହିତ ସଂପର୍କର ଶେଷ  ମାନେ ଉତ୍ତମ । ଟିକିଏ ଦୟା କର-ମୋତେ ଏଇଲେ ଏଇଠୁ ରାତି ଅଧରେ ବାହାର କରିଦିଅନାହିଁ ।”

“କାଲି ତାହାହେଲେ ତମେ ତମ ଘରକୁ ଯିବ କେମିତି ?” ମୁଁ ପଚାରିଲି।

“ମୁଁ ସେକଥା ଜାଣେନାହି”, ସେ କହିଲା।” ମୋର ଜୀବନରେ ଆଉ ବିଶେଷ କିଛି ନାହିଁ,ତଥାପି ମୁଁ ତା’ ହାତରେ ମରିବାକୁ ଚାହେଁନି !”

“ଠିକ୍ ଅଛି,ସେ ଯାହାହେଉ ମୁଁ ତ ଆଉ ଏମିତି ଶୋଇ ପାରିବି ନାହିଁ, ତମେ ମୋ ଶେଜକୁ ଯାଅ, ମୁଁ ଏଇ ଚେୟାର୍ ଟିରେ ବିଶ୍ରାମ କରୁଛି ।” ମୁଁ କହିଲି।

” ନା, ସେମିତି ହେବ ନାହିଁ। ତମେ ସେମିତି ତରୁଣ ନୁହଁ, ତମର ଦେହ ଭଲ ଦେଖାଯାଉ ନାହିଁ । ତମେ ତମର ଶେଜକୁ ଯାଅ । ମୁଁ ବରଂ ଏଇଠି ଅଛି, ବସୁଛି ।”

“ଏମିତି କଥା କଟାକଟି ହୋଇ ଶେଷରେ ଆମେ ଦୁହେଁ ଏକାଠି ଶୋଇବାକୁ ଠିକ୍ କଲୁ। “ମୋ ଠୁ ତମର ଭୟ ପାଇବାର କିଛି ନାହିଁ “ମୁଁ ଭରସା ଦେବା ଭଳି କହିଲି ।” ମୁଁ ବୃଦ୍ଧ ଆଉ ନାରୀମାନଙ୍କ ସହ ଅସହାୟ।” ପୁରାପୁରି ଆଶ୍ୱସ୍ତ ହେବା ଭଳି ସେ ଜଣା ପଡୁଥିଲା।

“ମୁଁ କ’ଣ କହୁଥିଲି ? ହଁ, ହଠାତ୍ ଶେଜରେ ଏଇ କାଉଣ୍ଟେସ ସହ ମୁଁ ନିଜକୁ ଫେରି ପାଇଥିଲି ଯେତେବେଳେ କି ତାହାର ପ୍ରେମିକ ଆସି ମୋର ଏଇ କବାଟକୁ ଠିଆ ଗୋଇଠା ମାରିପାରେ,ଯେ କୌଣସି ମୁହୂର୍ତ୍ତରେ। ମୁଁ ଆମ ଦୁଇଜଣଙ୍କୁ ଦୁଇଟି କମ୍ବଳରେ ବେଶ୍ ଭଲଭାବରେ ଘୋଡେଇ ନେଇଥିଲି ।ସେଥିରେ ମୁଁ ଏପରି ମଜ୍ଜିଯାଇଥିଲି ଯେ ମୁଁ ଶୀତକୁ ଭୁଲିଯାଇଥିଲି । ତାହାଛଡା, ତାହାର ନିକଟତା ମୁଁ ଅନୁଭବ କରିଥିଲି। ଏକ ଅଦ୍ଭୁତ ପ୍ରକାରର ଉଷ୍ମତା ତା’ ଦେହରୁ ବାହାରୁ ଥାଏ , ମୁଁ ଯାହା ଜାଣିଥିଲି ତାହାଠାରୁ ଅଲଗା-ହୁଏତ ସେସବୁକୁ ମୁଁ  ହୁଏତ ଭୁଲି ସାରିଥିଲି। ମୋର ପ୍ରତିପକ୍ଷ କ’ଣ ଏଇଲେ ଗୋଟିଏ ନୂତନ ଚାଲ ର ପ୍ରୟୋଗ କରୁଛି ଯେଉଁଠି ତାହାର ପ୍ରଥମ ଚାଲ ର ପଦାତିକ ନଷ୍ଟ ହୋଇଯିବ ଅଥଚ ତାହାକୁ ସୁବିଧାଜନକ ସ୍ଥିତି କୁ ନେଇଯିବ ? ଏଇ କିଛିବର୍ଷ ହେଲା ମୋର ପ୍ରତିପକ୍ଷ ମୋ ସହିତ ବାଜି ଖେଳିବାରେ କୌଣସି ଆଗ୍ରହ ଦେଖାଉନାହିଁ । ତମେ ଜାଣିଛ, ମଜାଳିଆ ଚେସ୍ ବୋଲି କଥାଟିଏ ଅଛି । ମୋତେ କୁହାଯାଇଥିଲା ଯେ ଋଷୀୟ ଚେସ୍ ଖେଳାଳୀ ଆରୋନ ନିମଜୋୱିଜ୍ ଖେଳିବା ବେଳେ ନିଜର ଖେଳସଂଗୀ ସହ ଅନେକ ଥଟ୍ଟାମଜା କରିଥାନ୍ତି । ପୁରୁଣା କାଳରେ ମର୍ଫିଙ୍କୁ ଜଣେ ନବଜିଆ ଚେସ୍ ଖେଳାଳୀ ବୋଲି କୁହାଯାଉଥିଲା। “ଗୋଟିଏ ଚମତ୍କାର ଚାଲ୍” ମୁଁ ମୋର ପ୍ରତିପକ୍ଷକୁ କହିଲି, “ଗୋଟିଏ ମାଷ୍ଟରପିସ୍”। ଏହା ସହିତ ମୁଁ ଅନୁଭବ କଲି ଯେ କିଏ ତାହାର ପ୍ରେମିକ ଏକଥା ମୁଁ ଜାଣେ। ସିଡିରେ ଯିବା ଆସିବା କରିବା ବେଳେ କେତେଥର ଦେଖା ହୋଇଛି-ବେଶ୍ ପୁରୁଷାଳି ଚେହେରା,ଦେଖିବାକୁ ଏକ ହତ୍ୟାକାରୀର ମୁହଁ ।ଇଏ କେମିତିକା ମଜାର ପରିସମାପ୍ତି ଜାକସ୍ କୋହାନ ର -ଶେଷରେ ସେ ପାଲଟିଯିବ ଗୋଟିଏ ପୋଲାଣ୍ଡବାସୀ ଅଥେଲୋ ।

“ମୁଁ ହସିବାକୁ ଲାଗିଲି ଆଉ ସେ ସେଥିରେ ଯୋଗ ଦେଲା । ମୁଁ ତାହାକୁ ଆଲିଙ୍ଗନ କଲି,ଅଧିକ ଜୋର୍ ରେ ଜାବୁଡି ଧରିଲି। ସେ ପ୍ରତିବାଦ କଲା ନାହିଁ। ଅକସ୍ମାତ ଗୋଟିଏ  ଅଲୌକିକ ଘଟଣା ଘଟିଗଲା।ମୁଁ ପୁଣିଥରେ ପୁରୁଷ ହୋଇଗଲି ! ଥରେ ଗୋଟିଏ ଗୁରୁବାରର ସଂଜବେଳେ ମୁଁ ଗୋଟିଏ ଛୋଟ ଗାଆଁର କଂସେଇଖାନା ଆଗରେ ଛିଡା ହୋଇଥିଲି ଆଉ ଦେଖିଲି ଗୋଟିଏ ଷଣ୍ଢ ଆଉ ଗୋଟିଏ ଗାଈ ମୈଥୁନ କରୁଛନ୍ତି ,ଆଉ ଟିକକପରେ ସେମାନଙ୍କୁ ସାବାଥ ଉତ୍ସବ ପାଳନ ନିମନ୍ତେ ହାଣିବାକୁ ଭିତରକୁ ନିଆଯିବ। ସେ କାହିଁକି ସମ୍ମତି ଦେଇଥିଲା ମୁଁ କେବେ ଜାଣିପାରିବି ନାହିଁ। ହୁଏତ ଏହା ତାହାର ପ୍ରେମିକ ଉପରେ ପ୍ରତିଶୋଧ ନେବାର ଗୋଟିଏ ବାଟ। ସେ ମୋତେ ଚୁମା ଦେଲା ଆଉ ଆଦରସବୁକୁ ଗୁଣୁଗୁଣୁ କଲା। ତାହାପରେ ଆମେ କବାଟ ବାହାରେ ଭାରି ପାଦର ଶବ୍ଦ ଶୁଣିଥିଲୁ। କିଏ ଯେମିତି କବାଟ ଉପରକୁ ଝାମ୍ପି ପଡୁଛି ତାହାର ବଜ୍ରମୁଷ୍ଠିରେ। ମୋର ସେଇ ରମଣୀ ଶେଜରୁ ଉଠିଆସି ଚଟାଣ ଉପରେ ପଡିରହିଲା।ମୁଁ ମୃତକ ନିମନ୍ତେ ପ୍ରାର୍ଥନା କରିବାକୁ ଚାହିଁଥିଲି,ହେଲେ ଈଶ୍ୱରଙ୍କ ଆଗରେ ଛିଡା ହେବାକୁ ମୋତେ ଭାରି ଲାଜ ମାଡୁଥାଏ ଆଉ ଅଧିକ କିଛି ନୁହଁ ,ଈଶ୍ୱରଙ୍କ ଆଗରେ ଆଉ ମୋତେ ଟିହଲ କରୁଥିବା ପ୍ରତିଦ୍ୱନ୍ଦ୍ୱୀର ଆଗରେ। ତାହାକୁ ଏଇ ଅଧିକ ଆନନ୍ଦ ପ୍ରଦାନ କାହିଁକି ? ମେଲୋଡ୍ରାମାର ଅନ୍ତତଃ ଗୋଟିଏ ସୀମା ରହିବା ଉଚିତ ।

“ପଛରେ ଥିବା ବର୍ବର ଜଣକ ନିରବଚ୍ଛିନ୍ନ ଭାବରେ କବାଟକୁ ଆଘାତ କରିଚାଲୁଥାଏ।, ମୁଁ ଆଶ୍ଚର୍ଯ୍ୟ ଯେ କବାଟ କେମିତି ଏତେ ଜିଦଖୋର ରହିଛି । ସେ ପାଦରେ ଗୋଇଠା ମାରିଲା ଆଉ କବାଟ ଚିତ୍କାର କରିଥିଲା ସତ ମାତ୍ର ଦୃଢ। ମୋତେ ଭୟଲାଗୁଥାଏ ମାତ୍ର ମୋ ଭିତରେ କିଏ ତାହାର ହସକୁ ଚାପିରଖୁନଥାଏ। ତାହାପରେ ଏଇ ସବୁ ମଣ୍ଡଳୀର ସମାପ୍ତି। ଅଥେଲୋର ସ୍ଥାନ ତ୍ୟାଗ।

“ପରଦିନ ସକାଳେ, ମୁଁ କାଉଣ୍ଟେସ ର ବ୍ରେସଲେଟ୍ କୁ ଧରି ଗୋଟିଏ ବନ୍ଧକଦୋକାନକୁ ଗଲି। ଯାହା ପଇସା ସେଥିରେ ମିଳିଲା ସେଥିରେ ମୁଁ ମୋ ନାୟିକା ପାଇଁ ଗୋଟିଏ ପୋଷାକ, ଗୋଟିଏ ଅନ୍ତର୍ବାସ ଆଉ ହଳେ ଜୋତା କିଣିଲି। ପୋଷାକଟି ଶରୀରକୁ ଠିକ୍ ହେଲା ନାହିଁ , ସେମିତି ଜୋତା ହଳକ ବି , ମାତ୍ର ସେ କେବଳ ଦରକାର କରୁଥିଲା ଗୋଟିଏ ଟାକ୍ସି-ସେମିତି ହେଲେ, ଅବଶ୍ୟ, ତାହାର ପ୍ରେମିକ ତାହାର ଯିବାବାଟକୁ ଅଟକାଇ କିଛି ଅଶ୍ୱସ୍ତିକର କାମ କରିପାରିବ ନାହିଁ। ଆଶ୍ଚର୍ଯ୍ୟର କଥା, ସେଇ ଲୋକଟା ସେଇ ରାତି ପରଠାରୁ ଉଭାନ ହୋଇଯାଇଛି ଆଉ ତାହାପରେ ତାହାର ଆଉ ପୁନଃ ଆବିର୍ଭାବ ହୋଇନାହିଁ ।

“ସେ ଏଇଠୁ ଯିବା ଆଗରୁ ମୋତେ ଚୁମା ଦେଲା ଆଉ ତାହାକୁ ଡାକିବା ପାଇଁ ଜୋର୍ କଲା, ହେଲେ ମୁଁ ସେତେଟା ନିର୍ବୋଧ ନୁହଁ । ଆମର ପବିତ୍ର ଗ୍ରନ୍ଥ ତାଲମୁଡ କହେ,” ଅଲୌକିକ କଥା ସବୁଦିନ ଘଟେନାହିଁ ।”

“ଆଉ ତମେ ଜାଣିଛ, କାଫକା, ସେତେବେଳେ ସେ କିଶୋର, ତାଙ୍କର ବି ସେଇ ସମାନ ଆବେଗପ୍ରବଣ ଧାରଣା ରହିଥିଲା ଯାହା ମୋତେ ଏବେ ମୋର ଏଇ ବାର୍ଦ୍ଧକ୍ୟରେ ସଂକ୍ରମିତ କରୁଅଛି। ସେ ଯାହାଯାହା କରୁଥିଲେ ସେଥିରେ ଏହା ବାଧକ ସାଜୁଥିଲା- ତାହା ତାଙ୍କର ଯୌନତା ହେଉ କି ତାଙ୍କର ଲେଖନ ହେଉ । ପ୍ରେମ ତାଙ୍କର ସବୁଠାରୁ ଇପ୍ସିତ ପଦାର୍ଥ ଥିଲା ଏବଂ ତାହାଠାରୁ ସେ ସର୍ବଦା ପଳାୟନ କରୁଥିଲେ। ସେ ଧାଡିଟିଏ ଲେଖୁଥିଲେ ଆଉ ତତକ୍ଷଣାତ୍ ତାହାକୁ କାଟି ପକାଉଥିଲେ । ଅଷ୍ଟ୍ରୀୟ ଦାର୍ଶନିକ ଓଟୋ ୱିନିଙ୍ଗର୍ ଠିକ୍ ସେମିତି ତାଙ୍କପରି -ଏକାଧାରରେ ଜଣେ ପାଗଳ ଆଉ ଜଣେ ଜିନିଅସ୍ । ତାଙ୍କ ସହିତ ମୋର ଭିଏନାରେ ସାକ୍ଷାତ ହୋଇଥିଲା -ପ୍ରବାଦ ଆଉ ସ୍ୱବିରୋଧକୁ ସେ ଗଡଗଡ କରି କହିଚାଲିଥାନ୍ତି। ତାଙ୍କର ଗୋଟିଏ କଥା ମୁଁ କେବେ ଭୁଲିବି ନାହିଁ: “ଈଶ୍ୱର କେବେହେଲେ ଓଡଶ ତିଆରି କରିନାହାଁନ୍ତି ।” ତମେ ଯଦି ସତରେ ଏହାର ଅର୍ଥ ବୁଝିବାକୁ ଚାହୁଁଚ  ତମକୁ ଆଗ ଭିଏନାକୁ ବୁଝିବାକୁ ହେବ । ତାହାହେଲେ ଏଇ ଓଡଶକୁ ତିଆରି କରିଛି କିଏ ?

“ଆହା, ସେଇଠି ବାମବର୍ଗ  !  ଦେଖ, କେମିତି ସେ ଖୁବ୍ ଆସ୍ତେ ପାଦ ଚିପିଚିପି ତାଙ୍କର ଛୋଟ ଛୋଟ ପାଦରେ ଯାଉଛନ୍ତି ,ଗୋଟିଏ ଶବ ଯେମିତି କବରରେ ସମାହିତ ହେବାପାଇଁ ଅନିଚ୍ଛୁକ । ବିନିଦ୍ର ଶବମାନଙ୍କର ନିଜ ପାଇଁ ଗୋଟିଏ କ୍ଲବ ଖୋଲିବା ଗୋଟିଏ ଭଲ ପ୍ରସ୍ତାବ। କାହିଁକି ସେ ରାତିସାରା ଏମିତି ଟହଲ ମାରୁଥିବେ ? ତାଙ୍କ ପାଇଁ କାବାରେ ର କୌଣସି ଅର୍ଥ ରହିଛି ? ଆମେ ବର୍ଲିନ୍ ରେ ଥିବା ବେଳେ ଡାକ୍ତର ମାନେ ତାଙ୍କ ଉପରେ ଆଶା ଛାଡିଦେଇଛନ୍ତି, ଅନେକ ଦିନ ଆଗରୁ। ଏହା ତାଙ୍କୁ ରୋକି ପାରିନାହିଁ । ସେ ରୋମାନି କାଫେ ରେ ଭୋର୍ ଚାରିଟା ଯାଏଁ ବସୁଛନ୍ତି , ଦେହଜୀବୀମାନଙ୍କ ସହ ଗପସପ କରୁଛନ୍ତି ।ଥରେ ଗ୍ରାନାତ ବୋଲି ଜଣେ ଅଭିନେତା ଘୋଷଣା କରିଥିଲେ ଯେ ସେ  ତାଙ୍କର ଘରେ ଗୋଟିଏ ପାର୍ଟି ଦେବେ-ପାର୍ଟି ମାନେ ଯାହାର ଅର୍ଥ ଥିଲା ଏକ ଅସଲ ବହୁସମ୍ଭୋଗ କ୍ରୀଡା, ଅର୍ଗି ଆଉ ଏଇଥିପାଇଁ ସେ ଅନ୍ୟମାନଙ୍କ ସହିତ ବାମବର୍ଗ ଙ୍କୁ ବି ନିମନ୍ତ୍ରଣ କରିଥିଲେ। ଗ୍ରାନାତ ନିମନ୍ତ୍ରଣ କରିବା ବେଳେ କହିଥିଲେ ଯେ ପ୍ରତ୍ୟେକ ପୁରୁଷ  ଏଇ ପାର୍ଟିକୁ ଆସିବା ବେଳେ ସାଥିରେ ଜଣେ ସ୍ତ୍ରୀଲୋକକୁ ଧରି ଆସିବ, ସିଏ ପତ୍ନୀ ହେଉ କି ଜଣେ ବାନ୍ଧବୀ ହେଉ।ମାତ୍ର ବାମବର୍ଗଙ୍କର ପତ୍ନୀ ନଥିଲା କି କୌଣସି ରକ୍ଷିତା ନଥିଲା , ତେଣୁ ସେ କିଛି ଅର୍ଥ ର ବିନିମୟରେ ଗୋଟିଏ ଦେହଜୀବୀକୁ ସାଥିରେ ଧରି ସେଠିକି ଆସିଥିଲେ। ପାର୍ଟି ପାଇଁ ସେ ତାଙ୍କର ସେହି ଦେହଜୀବୀକୁ ଗୋଟିଏ ସାନ୍ଧ୍ୟକାଳୀନ ପୋଷାକ କିଣି ଦେଇଥିଲେ। ସେହି ସମାଗମରେ ଆସିଥିଲେ ବିଶେଷଭାବରେ ଲେଖକ, ପ୍ରଫେସର୍, ଦାର୍ଶନିକ ଆଉ ବୁଦ୍ଧିଜୀବୀମାନଙ୍କ ସଂସ୍ପର୍ଶରେ ଯେଉଁମାନେ ରହିବାକୁ ସୁଖ ମଣିଥାନ୍ତି, ସେମାନେ। ସମସ୍ତଙ୍କ ସେଇଠି ବାମବର୍ଗଙ୍କ ଭଳି ସମାନ ବିଚାର ରହିଥିଲା- ସମସ୍ତେ ଦେହଜୀବୀମାନଙ୍କୁ ଭଡାରେ ଆଣି ଆସିଥିଲେ। ମୁଁ ବି ସେଇଠି ଥିଲି। ମୋର ସଂଗିନୀ ଥିଲେ ପ୍ରାଗ୍ ର ଜଣେ ଅଭିନେତ୍ରୀ, ମୁଁ ଯାହାଙ୍କୁ ଅନେକ ଦିନରୁ ଜାଣେ। ତମେ ଗ୍ରାନାତ କୁ ଜାଣିଛ ? ଗୋଟିଏ ଅସଭ୍ୟ ବର୍ବର। ସେ କନିଆକ୍ କୁ ସୋଢା ଭଳିକା ପିଏ, ଆଉ ଏକାଥରକରେ ଦଶଟା ଅଣ୍ଡାର ଓମଲେଟ୍ ଖାଇଥାଏ। ଅତିଥିମାନେ ସେଦିନ ଆସିଯିବା ପରେ ସେ ନିଜକୁ ପୋଷାକମୁକ୍ତ କରି ଦେହଜୀବୀମାନଙ୍କ ସହିତ ପାଗଳଙ୍କ ଭଳି ନାଚିବାକୁ ଲାଗିଥିଲା,ଉଦ୍ଦେଶ୍ୟ ହେଉଛି ସେହି ସମ୍ମାନୀତ ବର୍ଗର ଅଭ୍ୟାଗତମାନଙ୍କୁ ପ୍ରଭାବିତ କରିବା। ପ୍ରଥମେ ସେହି ବୁଦ୍ଧିଜୀବୀମାନେ ଚେୟାର୍ ରେ ବସିଯାଇଥିଲେ ଆଉ ଏହାକୁ ଚାହିଁଥିଲେ। ତାହାପରେ ସେମାନେ ସେକ୍ସ ବିଷୟରେ ଚର୍ଚ୍ଚା ଆରମ୍ଭ କରିଥିଲେ। ସୋପେନହାୱାର ଏପରି କହିଛନ୍ତି,ନିତସେ ସେପରି କହିଛନ୍ତି । ଯିଏ ସେଦିନ ସେଇ ଦୃଶ୍ୟ ଦେଖିନାହିଁ ସେ ଆଦୌ ଜାଣିପାରିବ ନାହିଁ ଯେ ଏଇ ଜିନିଅସ୍ ମାନେ ଅସଲରେ କେତେ ହାସ୍ୟାସ୍ପଦ ଦେଖାଯାଆନ୍ତି। ସେମିତିକା ପାର୍ଟି ଚାଲିଥିବାବେଳେ ବାମବର୍ଗଙ୍କ ଦେହ ଖରାପ ହେଲା। ସେ ଘାସ ଭଳି ନୀଳ ପଡିଗଲେ ,ତାଙ୍କର ଦେହ ଝାଳ ସରସର। “ଜାକସ୍” ସେ କହିଲେ, “ମୋର ଇଏ ଶେଷ । ମରଣ ପାଇଁ ଇଏ ଗୋଟିଏ ଭଲ ଜାଗା।” ତାଙ୍କର କିଡନି ଆଉ ଗଲ୍ ବ୍ଲାଡର୍ ର ସଂକ୍ରମଣ। ମୁଁ ତା’ଙ୍କୁ ଅଧା ବୋହି ହସପିଟାଲ୍ କୁ ନେଇଥିଲି। ସେ ଯାହାହେଉ ମୋତେ ତମେ କିଛି “ଜଲୋଟି” ଧାର ଦେବ। ଜଲୋଟି ହେଉଛି ପୋଲାଣ୍ଡର ମୁଦ୍ରା।

“ଦୁଇ”

“କ’ଣ ? ତମେ କ’ଣ ପୋଲାଣ୍ଡର କେଉଁ ଏକ ବ୍ୟାଙ୍କକୁ ଲୁଟ କରିଛ ?”

“ମୋର ଗୋଟିଏ କାହାଣୀ ବିକ୍ରୀ ହୋଇଛି।”

“ଅନେକ ଅନେକ ଅଭିନନ୍ଦନ। ଚାଲ ଆଜି ରାତିରେ ଆମେ ଦୁହେଁ ଏକାଠି ରାତ୍ରୀଭୋଜନ କରିବା। ତମେ ମୋର ଅତିଥି।”

ଆମେ ଖାଉଥିବା ବେଳେ ବାମବର୍ଗ ଆମର ଟେବୁଲ୍ ନିକଟକୁ ଆସିଲେ। ଦେଖିବାକୁ କ୍ଷୁଦ୍ରକାୟ ମଣିଷ, ଶୀର୍ଣ୍ଣକାୟ କୌଣସି ଯକ୍ଷ୍ମାରୋଗୀ ଭଳି , ଟେବୁଲ ଉପରକୁ ଟିକିଏ ନଇଁ ପଡିଲେ। ସେ ହଳେ ଦାମିକା ଚମଡା ଜୋତା ପିନ୍ଧିଛନ୍ତି। ମଥାରେ ସ୍ୱଳ୍ପ ଧୂସର କେଶ ରହିଛି। ଗୋଟିଏ ଆଖି ଆରଠାରୁ ଟିକିଏ ବଡ- ଫୁଟି ବାହାରିଆସିବ ଯେମିତି, ଆପେ ଦେଖିଥିବା ଦୃଶ୍ୟରେ ଭୟଭୀତ। ସେ ସେମିତି ଟିକିଏ ନଇଁ ତାଙ୍କର ଫଟାଗଳାରେ କହିଲେ,”ଜାକସ୍ ,ଗଲାକାଲି ମୁଁ ତମର କାଫକାଙ୍କ “କାସଲ” ପଢିଲି। ଚମତ୍କାର,ବହୁତ ଚମତ୍କାର,ମାତ୍ର ଏହା ଅସଲରେ ଯାଇଛି କୁଆଡେ? ଗୋଟିଏ ସ୍ୱପ୍ନ ହିସାବରେ ଏହା ଅନେକ ଦୀର୍ଘ । ରୂପକମାନେ ସଂକ୍ଷିପ୍ତ ହେବା ଆବଶ୍ୟକ।”

ଜାକସ୍ କୋହାନ ତରତର ହୋଇ ଚୋବାଉ ଥିବା ଖାଦ୍ୟ କୁ ଗିଳି ପକାଇଲେ। “ବସନ୍ତୁ” ସେ କହିଲେ, “ଜଣେ ମାଷ୍ଚର କୁ କୌଣସି ନିୟମକୁ ମାନିବାର ଆବଶ୍ୟକତା ପଡେନାହିଁ।”

“ଏମିତି କିଛି ନିୟମ ଅଛି ଯାହାକୁ ଜଣେ ମାଷ୍ଟର ଅବଶ୍ୟ ଅନୁସରଣ କରିବା ଦରକାର। କୌଣସି ଉପନ୍ୟାସ “ୱାର୍ ଆଣ୍ଡ ପିସ୍” ଠାରୁ ଅଧିକ ବଡ ହେବା ଉଚିତ ନୁହଁ। ଏମିତିରେ ୱାର ଆଣ୍ଡ ପିସ୍ ବହୁତ ଲମ୍ବା। ଯଦି ବାଇବେଲ୍ ଅଠର ଖଣ୍ଡ ହୋଇଥାନ୍ତା , ଅନେକ ଦିନରୁ ଲୋକେ ଏହାକୁ ଭୁଲିସାରନ୍ତେଣି ।”

“ତାଲମୁଡ୍ ଛତିଶ ଖଣ୍ଡ , ହେଲେ ଇହୁଦୀମାନେ ତାହାକୁ ଭୁଲିଯାଇ ନାହାଁନ୍ତି।”

“ଇହୁଦୀମାନେ ଅନେକ କିଛି ମନେ ରଖନ୍ତି। ତାହା ଆମର ଦୁର୍ଭାଗ୍ୟ। ଦୁଇ ହଜାର ବର୍ଷ ହୋଇଗଲା ଆମେ ଆମର ପବିତ୍ର ଭୂମୀରୁ ନିର୍ବାସିତ ହୋଇଛୁ ,ଆଉ ଆମେ ଏବେ ଚେଷ୍ଟା କରୁଛୁ କେମିତି ସେଠିକୁ ଫେରିଯିବୁ। ପାଗଳାମି,ନୁହଁ? ଯଦି ଆମର ସାହିତ୍ୟ ସେଇ ଭଳି ପାଗଳାମିକୁ ଉଦଭାସିତ କରୁଥାଏ ,ତାହା ମହାନ କଥା।ମାତ୍ର ଆମର ସାହିତ୍ୟ ଅଦ୍ଭୁତ ଭାବରେ ବିଚାରବନ୍ତ। ଏଇଟି ସବୁଠୁ ବଡକଥା।”

ବାମବର୍ଗ ନିଜର ହାତଗୋଡକୁ ଟିକିଏ ସଳଖ କରିନେଲେ ଆଉ ଏମିତିକା କରିବାବେଳେ ନିଜ ଉପରେ ରୁଷ୍ଟ ହେଉଥିଲେ। ନିଜର ଛୋଟ ଛୋଟ ପାଦ ପକାଇ ସେ ଟେବୁଲ ପାଖରୁ ଦୂରେଇ ଗଲେ। ସେ ଗ୍ରାମଫୋନ ନିକଟକୁ ଗଲେ ଆଉ ନାଚ ପାଇଁ ସେଥିରେ ନୂଆ ରେକର୍ଡ ଖଞ୍ଜିଲେ। ରାଇଟର୍ସ କ୍ଲବ୍ ରେ ଏକଥା ସୁବିଦିତ ଯେ ସେ ଦୀର୍ଘଦିନ ହେଲା ଧାଡିଟିଏ ଲେଖିନାହାଁନ୍ତି। ନିଜର ଏଇ ବାର୍ଦ୍ଧକ୍ୟରେ ସେ ନିଜର ବନ୍ଧୁ ଡଃ ମିଜିନ ଙ୍କ ଲିଖିତ ଦି ଏଣ୍ଟ୍ରୋପି ଅଫ୍ ରିଜନ୍ ପୁସ୍ତକ ଦ୍ୱାରା ପ୍ରଭାବିତ ହୋଇ ନାଚ ଶିଖୁଛନ୍ତି। ଏଇ ବହିରେ ଡଃ ମିଜିନ୍ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ,ମଣିଷ ର ବୋଧଶକ୍ତି ଦେବାଳିଆ ଆଉ ପ୍ରକୃତ ଜ୍ଞାନ କୁ ଆବେଗ ମାଧ୍ୟମରେ ହିଁ ପ୍ରାପ୍ତ କରିହେବ।

ଜାକସ୍ ନିଜର ମଥା ହଲାଇଲେ। “ହାଫ୍ ପାଇଣ୍ଟ ହାମଲେଟ୍। କାଫକା ହାମବର୍ଗ ହେବାପାଇଁ ଭୟ ପାଉଥିଲେ-ସେଇଥିପାଇଁ ତ ସେ ନିଜକୁ ନିଜେ ଧ୍ୱଂସ କରିଦେଲେ ।”

“କାଉଣ୍ଟେସ୍ ଆପଣକୁ ଆଉ କେବେ ଡାକିଛି ” ମୁଁ ପଚାରିଲି ।

ଜାକସ୍ ତାଙ୍କର ମନୋକ୍ଲ କୁ ପକେଟରୁ ବାହାର କରି ପିନ୍ଧିନେଲେ ।” ଡାକିଥିଲେ ଆଉ କ’ଣ ହୋଇଥାନ୍ତା ? ମୋ ଜୀବନରେ ,ସବୁକିଛି ଶବ୍ଦ ପାଲଟିଯାଇଛି । ସବୁ କଥା,କଥା ଯେତେକ। ଏହା ଅସଲରେ ଡଃ ମିଜିନ ଙ୍କ ଦର୍ଶନ-ମଣିଷ ଶେଷରେ ପାଲଟିଯିବ ଗୋଟିଏ ଶବ୍ଦଯନ୍ତ୍ର । ସେ ଶବ୍ଦକୁ ପୋଷିବ,ଶବ୍ଦକୁ ପାନ କରିବ,ଶବ୍ଦକୁ ବିବାହ କରିବ,ଆଉ ଶବ୍ଦରେ ନିଜକୁ ବିଷଯୁକ୍ତ କରିଦେବ।

ଏଇ କଥାକୁ ଥରେ ଭାବ,ଡଃ ମିଜିନ ବି ସେହି ବହୁସଂଭୋଗକ୍ରୀଡାର  ପାର୍ଟିରେ ଉପସ୍ଥିତ

ଥିଲେ। ସେ ଯାହା କହୁଥିଲେ ତାହାର ବ୍ୟବହାରିକ ପ୍ରୟୋଗ ପାଇଁ ସେ ସେଠିକୁ ଆସିଥିଲେ।ହଁ, କାଉଣ୍ଟେସ୍ ପରେ ମୋତେ ଥରକୁ ଥର  ଡାକିଛି। ସେ ବି ଗୋଟିଏ ବୁଦ୍ଧିଜୀବୀ,ମାତ୍ର ତାହାର ବୁଦ୍ଧି ନାହିଁ। ସେମିତି କହିବାକୁ ଗଲେ,ଯଦିଓ ନାରୀମାନେ ନିଜର ଶରୀରୀ ଆକର୍ଷଣକୁ ଉନ୍ମୋଚନ କରିବାରେ ସୁଦକ୍ଷ, ସେମାନେ ଯୌନତାର ଅସଲ ଅର୍ଥ କ’ଣ ସେ ବିଷୟରେ ବହୁତ କମ୍ ଜାଣନ୍ତି, ଠିକ୍ ଯେମିତି ତାଙ୍କର ବୋଧଶକ୍ତି।

“ଉଦାହାରଣ ଆକାରରେ ମାଡାମ୍ ସେହିସିକ୍ ଙ୍କୁ ନିଆଯାଉ। ତା’ ପାଖରେ ଆଉ କ’ଣ ଅଛି,ଗୋଟିଏ ଶରୀର ବ୍ୟତୀତ ? ହେଲେ ତା’କୁ ଏମିତି ପଚରାଯାଉ ଯେ ଶରୀର କହିଲେ କ’ଣ । ଏବେ ସେ ଅସୁନ୍ଦରୀ। ପ୍ରାଗ୍ ର ଦିନକାଳରେ ସେ ଯେବେ ଜଣେ ଅଭିନେତ୍ରୀ ଥିଲା, ତା’ ପାଖରେ ଅନେକ କିଛି ଥିଲା।ମୁଁ ସେତେବେଳେ ଅଭିନୟରେ ତାହାର ଲିଡିଙ୍ଗ୍ ମ୍ୟାନ୍। ସେ ଥିଲା ଗୋଟିଏ କ୍ଷୁଦ୍ର ନୂତନ ପ୍ରତିଭା।

ଆମେ ପ୍ରାଗ୍ କୁ ଅର୍ଥ ଉପାର୍ଜନ ନିମନ୍ତେ ଆସିଥିଲୁ ଆଉ ଅପେକ୍ଷା କରିଥିଲୁ ଯେ ଗୋଟିଏ ଜିନିଅସ୍ ଆମପାଇଁ ଅପେକ୍ଷା କରି ରହିଛି-ସେ ଜଣେ “ହୋମୋ ସେପିଏନ୍ସ” ଯିଏ ନିଜକୁ ସବୁଠୁ ବେଶି ଉତ୍ପୀଡନ କରୁଥାଏ । କାଫକା ଜଣେ ଇହୁଦୀ ହେବାକୁ ଚାହୁଁଥିଲେ,ମାତ୍ର ଜାଣିନଥିଲେ କେଉଁ ଭଳି ସେମିତି ଜଣେ ହୋଇପାରିବ। ସେ ବଞ୍ଚିବାକୁ ଚାହିଁଥିଲେ, ମାତ୍ର ସେ କଥା ବି ସେ ଜାଣିନଥିଲେ,ସମାନ ଭାବରେ। “ଫ୍ରାଞ୍ଜ” ମୁଁ ଥରେ ତାଙ୍କୁ କହିଥିଲି ,”ତମେ ଜଣେ ତରୁଣ। ଆମେ ଯାହା ଯାହା କରୁଛୁ ତମେ ଠିକ୍ ସେମିତି କର।” ପ୍ରାଗ୍ ରେ ଥିବା ଗୋଟିଏ ଗଣିକାଳୟକୁ ମୁଁ ଜାଣିଥିଲି। ମୁଁ ତାଙ୍କୁ ମୋ ସାଥିରେ ସେଠିକୁ ଯିବାପାଇ ପ୍ରରୋଚିତ କରିଥିଲି। ସେତେବେଳକୁ ସେ ତଥାପି “ଭର୍ଜିନ” ଥିଲେ। ସେ ଯେଉଁ କିଶୋରୀର ସଂପର୍କରେ ଥିଲେ ସେକଥା କୁ ମୁଁ କହିବି ନାହିଁ । ସେ ବୁର୍ଜୁଆର ଅରମାରେ ବେକ ପର୍ଯ୍ୟନ୍ତ ବୁଡିରହିଥିଲେ । ତାଙ୍କର ସଂପର୍କରେ ରହିଥିବା ଇହୁଦୀ ମାନଙ୍କର ଗୋଟିଏ ଅଭିଳାଷ ଥିଲା-ସେମାନେ ଜେଣ୍ଟିଲ୍ ଅର୍ଥାତ୍ ଯିଏ ଇହୁଦୀ ନୁହଁ ଠିକ୍ ସେଇ ଭଳି ହେବେ, ଚେକ୍ ର ଜେଣ୍ଟିଲ୍ ନୁହଁ, ଠିକ୍ ଜର୍ମାନ୍ ଜେଣ୍ଟିଲ୍ ଭଳି । କଥାକୁ ସଂକ୍ଷେପରେ କହିଲେ, ମୁଁ ତାଙ୍କ ସହିତ ଏହି ଅଭିଯାନ ସଂପର୍କରେ କଥା ହୋଇଥିଲି। ମୁଁ ତାଙ୍କୁ ଯେମିତି ଚଞ୍ଚଳ ଯାଇହେବ ସେଇଭଳି ଗୋଟିଏ ବାଟରେ ସେଇ ଅଂଧଗଳି କୁ ଯେଉଁଠି  ଥିଲା ଗୋଟିଏ ଗଣିକାଳୟ ସେଇଠିକୁ ନେଇଯାଇଥିଲି। ଛନ୍ଦିବାନ୍ଧି ହୋଇଥିବା ପାହାଚରେ ଆମେ ଚଢିଥିଲୁ। ମୁଁ କବାଟ ଖୋଲିଦେଲି,ଦେଖାଗଲା ସେଇଟି ଗୋଟିଏ ପ୍ରସ୍ତୁତ ମଞ୍ଚ : ଦେହଜୀବୀ, ଦଲାଲ, ଅତିଥି ଆଉ ମାଡାମ୍। ମୁଁ ସେଇ ସମୟକୁ କେବେ ଭୁଲି ପାରିବି ନାହିଁ । କାଫକା ଥରିବାକୁ ଲାଗିଲେ, ସେ ମୋ ଜାମାର ହାତକୁ ଜାବୁଡି ଧରିଥାନ୍ତି । ତାହାପରେ ସେ ମୁହଁ ବୁଲାଇ ସେଇଠୁ ପଛକୁ ଦୌଡି ପଳାଇଲେ, ଏମିତି ଜୋର୍ ରେ ଯେ ମୋତେ ଲାଗିଲା ସେ ଯେମିତି କେଉଁଠି ଝୁଣ୍ଟି ଖସି ପଡିବେ। ଥରେ ରାସ୍ତା କଡରେ ସେ ଅଟକି ଯାଇ କୌଣସି ସ୍କୁଲ ପିଲା ଭଳି ବାନ୍ତି କରିଥିଲେ। ଫେରିବା ବେଳେ ଆମେ ଦୁହେଁ ଗୋଟିଏ ପୁରୁଣା ସିନାଗଗ୍ ବାଟ ଦେଇ ଆସୁଥିଲୁ, ସେତେବେଳେ କାଫକା ଗୋଲେମ ବିଷୟରେ କହିଥିଲେ। ଗୋଲେମ ହେଉଛି ଇହୁଦୀ ବିଶ୍ୱାସରେ ଏକ କଂଚାମାଟିରେ ତିଆରି ମୂର୍ତ୍ତି ଯାହାକୁ ମନ୍ତ୍ର ବଳରେ ଜୀବନ୍ୟାସ ଦିଆଯାଇଥାଏ। କାଫକା ଙ୍କର ଗୋଲେମ୍ ରେ ବିଶ୍ୱାସ ଥିଲା ଏବଂ ଏପରିକି ଭବିଷ୍ୟତ ଏପରି ଆଉ ଗୋଟିକୁ ସାଥିରେ ଆଣିବ ବୋଲି ସେ ମନେକରୁଥିଲେ। ସେଇଠି କିଛି ଅଦ୍ଭୁତ ଯାଦୁ ର ଶବ୍ଦ ରହିଛି ଯାହା ମାଟିର କିଛି ନିର୍ମାଣକୁ ଜୀବନ୍ତ କରିଦେବ। ଈଶ୍ୱର କ’ଣ କାବାଲା ଅନୁସାରେ ପବିତ୍ର ଶବ୍ଦର ଉଚ୍ଚାରଣରେ ପୃଥିବୀକୁ ନିର୍ମାଣ କରି ନାହାଁନ୍ତି ? ଆରମ୍ଭରେ ଥିଲା ପବିତ୍ର ଶବ୍ଦ ଅର୍ଥାତ୍ ଲୋଗସ୍।

Isaac Bashevis Singer (November 11, 1903 – July 24, 1991)

“ହଁ ,ଏଇ ସବୁ ଗୋଟିଏ ବିଶାଳ ଚେସ୍ ଖେଳ। ସାରାଜୀବନ ମୁଁ ମରଣକୁ ଭୟ କରି ଆସିଛି ,ହେଲେ ଏଇଲେ ମୁଁ କବରର ଅଗଣାରେ ପହଞ୍ଚି ମୃତ୍ୟୁକୁ ଆଉ ଭୟ କରୁନାହିଁ । ଏହା ପରିଷ୍କାର,ମୋ ପ୍ରତିଦ୍ୱନ୍ଦୀ ମୋ ସହିତ ଖେଳୁଥିବା ଖେଳଟି ମନ୍ଥର। ସେ ମୋର ଗୋଟିଗୁଡିକୁ ଗୋଟିକ ପରେ ଗୋଟିଏ ଉଠାଇ ନେଉଛି। ପ୍ରଥମରେ ସେ ଉଠାଇ ନେଲା ଜଣେ ଅଭିନେତା ଆକାରରେ ମୋର ଯେତେକ ଆବେଦନ ଆଉ ମୋତେ ଏମିତି ଲେଖକ କହିବା ଭଳି ଲେଖକ କରିଦେଲା । ଏମିତି କରିଛି କି ନାହିଁ ସେ ଯଥାଶିଘ୍ର ମୋ ଭିତରେ ଲେଖକର ଅବସାଦ ଭରିଦେଲା। ତାହାର ପରବର୍ତ୍ତି ଚାଲ୍ ହେଉଛି ମୋର ଦକ୍ଷତାକୁ ମୋଠାରୁ କାଢିନେବା। ତଥାପି ମୁଁ ଜାଣେ ଚେକମେଟ୍ ବା କିସ୍ତି ଏଇଲେ ଢେର୍ ଦୂରରେ ଆଉ ସେଇ କଥା ମୋତେ ସାମର୍ଥ୍ୟ ଯୋଗାଏ। ମୋ ଘର ଭିତରେ ଏଇଲେ ପ୍ରବଳ ଶୀତ-ଶୀତ ହେଉ।ମୋ ପାଖରେ ରାତ୍ରିଭୋଜ ନାହିଁ-ମୁଁ ଏହା ବିନା ମରିଯିବି ନାହିଁ। ସେ ମୋର କ୍ଷତିସାଧନ କରୁଥାଏ ,ମୁଁ ତାହାର କ୍ଷତିସାଧନ କରୁଥାଏ। କିଛି ଦିନ ଆଗରୁ,ମୁଁ ଢେର୍ ରାତିରେ ଘରକୁ ଫେରୁଥିଲି। ବାହାରେ ପ୍ରବଳ ତୁଷାରପାତ, ଆଉ ମୁଁ ହଠାତ୍ ଅନୁଭବ କଲି ଯେ ମୁଁ ମୋର ଚାବିକୁ ହଜାଇ ଦେଇଛି। ମୁଁ ବିଲଡିଂର ଗାର୍ଡ ଅର୍ଥାତ୍ ଜାନିଟର୍ କୁ ନିଦରୁ ଉଠାଇଲି,ମାତ୍ର ତା’ ପାଖରେ ବଳକା ଚାବି ନଥିଲା। ତାହାର ମୁହଁରୁ ଭୋଦକାର ଗନ୍ଧ ଆସୁଥାଏ, ତାହାର ପୋଷା କୁକୁର ମୋର ପାଦକୁ କାମୁଡି ଦେଲା। ବିଗତ ବର୍ଷମାନଙ୍କରେ ମୁଁ ପ୍ରଚଣ୍ଡ ବିଶୃଙ୍ଖଳ ଥିଲି,ଏଥରକ କିନ୍ତୁ ମୁଁ ମୋ ପ୍ରତିଦ୍ୱନ୍ଦୀକୁ କହିଲି,” ତମେ ଯଦି ଚାହୁଁଚ ଯେ ମୋତେ ନିମୋନିଆ ହେଉ, ତେବେ ତାହାହିଁ ହେଉ ।” ମୁଁ ଘରକୁ ଯିବା ବଦଳରେ ଭିଏନା ଷ୍ଟେସନକୁ ଯିବା ଠିକ୍ କଲି। ପବନ କହିବାକୁ ଗଲେ ମୋତେ ସେଠିକୁ ନେଇଯାଇଥିଲା। ରାତିର ସେଇ ସମୟରେ ମୋତେ ପ୍ରାୟ ପଇଁଚାଳିଶ ମିନିଟ ଯାଏଁ  ଷ୍ଟ୍ରୀଟ୍ କାର୍ କୁ ଅପେକ୍ଷା କରିବାକୁ ପଡିଥିଲା । ମୁଁ କଳାକାରଙ୍କ ସଂଘ କୁ ଅତିକ୍ରମ କଲି,ସେଇଠି ଝରକାରେ ଆଲୁଅ ଦିଶୁଥିଲା। ମୁଁ ସେଇଠିକୁ ଯିବାକୁ ସ୍ଥିର କଲି । ହୁଏତ ମୁଁ ସେଇଠି ଏଇ ରାତିକ ବିତାଇ ଦେଇ ପାରେ । ପାହାଚରେ ମୋ ଜୋତାରେ କ’ଣ ଗୋଟାଏ ବାଜିଲା,ଝଣ ପରି ଗୋଟିଏ ଶବ୍ଦ ଶୁଭିଲା। ମୁଁ ତଳକୁ ନଇଁ ଗୋଟିଏ ଚାବି ଉଠାଇନେଲି। ସେଇଟି ମୋର ! ଏଇ ଭଳି ଅଂଧାରରେ ଏଇ ବିଲଡିଙ୍ଗ୍ ର ପାହାଚରେ ହଜିଥିବା ଚାବି ପାଇବା ର ସମ୍ଭାବନା କହିବାକୁ ଗଲେ କୋଟିକରେ ଗୋଟିଏ ,ହେଲେ ଲାଗୁଥିଲା ଯେମିତି ମୋର ପ୍ରତିଦ୍ୱନ୍ଦୀ ଭୟ ପାଇଯାଇଛି ଯେ ମୁଁ କୁଆଡେ ସେ ପ୍ରସ୍ତୁତ ହେବା ଆଗରୁ ମୋ ପାଖରେ ଥିବା ଭୂତଟିକୁ ମୁକ୍ତ କରିଦେଇ ପାରେ। ଭବିତବ୍ୟବାଦ ! ତମେ ଏହାକୁ ଅଦୃଷ୍ଟବାଦ ବୋଲି ବି କହିପାର ।”

ଜାକସ୍ କୋହାନ ଉଠି ଛିଡାହେଲେ , ତାଙ୍କର କେଉଁଠିକୁ ଏବେ ଫୋନ କରିବାର ଅଛି । ମୁଁ ବସିରହିଥିଲି, ଦେଖୁଥିଲି ବାମବର୍ଗ କେମିତି ତାଙ୍କର ଦୁର୍ବଳ ପାଦରେ ଜଣେ ସାହିତ୍ୟିକାଙ୍କ ସହ ନାଚୁଛନ୍ତି । ତାଙ୍କର ଆଖି ଦୁଇଟି ନିବୁଜ ଥିଲା ଆଉ ସେ ସେଇ ନାରୀର ଛାତିରେ ଭାରା ଦେଇଥିଲେ ଯେମିତି ତାହା ହେଉଛି ଗୋଟିଏ ତକିଆ । ଲାଗୁଥିଲା ସେ ଯେମିତି ସମାନ ସମୟରେ ନାଚୁଛନ୍ତି ଆଉ ଶୋଇଛନ୍ତି । ଜାକସ୍ କୋହାନ ଦୀର୍ଘ ସମୟ ନେଇଥିଲେ -ଗୋଟିଏ ସାଧାରଣ ଫୋନ୍ କଲ୍ ଯେତିକି ସମୟ ନିଏ ତାହାଠାରୁ ଯଥେଷ୍ଟ ଅଧିକ। ସେ ଯେତେବେଳେ ଫେରିଲେ ତାଙ୍କର ମନୋକ୍ଲ ତାଙ୍କର ଆଖିଆଗରେ ଅଧିକ ଉଜ୍ଜଳ । “କଳ୍ପନା କର ତ ,ପାଖ ରୁମ୍ ରେ କିଏ ?” ସେ କହିଥିଲେ।” ମାଡାମ୍ ସେହିସିକ! କାଫକା ଙ୍କ ଶ୍ରେଷ୍ଠ ପ୍ରେମ।”

“ସତରେ”

“ମୁଁ ତାଙ୍କ ବିଷୟରେ ତମକୁ ତ କହିଥିଲି । ଆସ, ମୁଁ ତମକୁ ତାଙ୍କ ସହିତ ପରିଚୟ କରାଇ ଦିଏ !”

“ନା”

“କାହିଁକି ନା? କାଫକାଙ୍କ ପ୍ରଣୟିନୀ ସବୁବେଳେ ସାକ୍ଷାତର ଯୋଗ୍ୟ।”

“ମୋର ଆଗ୍ରହ ନାହିଁ ।”

“ତମେ ଲାଜକୁଳା ,ତାହା ହିଁ ସତ। କାଫକା ବି ଲାଜକୁଳା ଥିଲେ -ଠିକ୍ ଯେମିତି ରାବିନିକ୍ ଧର୍ମଗ୍ରନ୍ଥକୁ ଅଧ୍ୟୟନ କରୁଥିବା ଇହୁଦୀ

ଛାତ୍ରମାନେ । ମୁଁ କେବେ ଲାଜକୁଳା ନଥିଲି,ଆଉ ତାହା ହୁଏତ ଏପରି ଏକ କାରଣ ଯେ ମୁଁ ଅସଲରେ କିଛି ହୋଇପାରିଲି ନାହିଁ । ପ୍ରିୟ ବନ୍ଧୁ ମୋର କୋଡିଏ ଗ୍ରୋସେନ୍ ଭଳିକା ଅର୍ଥ ଦରକାର -ସେଥିରୁ ଦଶ ଗ୍ରୋସେନ୍ ମୁଁ ବିଲିଡିଙ୍ଗର ପହରାଦାର ଜାନିଟର୍ କୁ ଦେବି ଆଉ ବାକି ଦଶ ହେଉଛି ମୋର। ଏତିକି ଅର୍ଥ ବିନା ମୁଁ ଏଇଠୁ ଅବିକା ଉଠିବି ନାହିଁ ।”

ମୋ ପକେଟରୁ ମୁଁ କିଛି ଖୁଚୁରା ବାହାର କଲି ଆଉ ତାଙ୍କୁ ଦେଇଥିଲି।

“କେତେ? ତମେ ସମ୍ଭବତଃ ଆଜି କେଉଁ ବ୍ୟାଙ୍କକୁ ଲୁଟିଛ। ଛୟାଳିଶ ଗ୍ରୋସେନ୍ । ଢିହିଙ୍ଗ୍ ଢିଙ୍ଗା ! ଯଦି ଈଶ୍ୱର କେଉଁଠି ଥିବେ,ତମକୁ ସେ ପୁରସ୍କାର ଦେବେ । ଆଉ ସେ ଯଦି ନାହାଁନ୍ତି ,କିଏ ତାହାହେଲେ ଏତକ ଖେଳ ଖେଳୁଛି ଜାକସ୍ କୋହାନ ଙ୍କ ସହିତ ?”

••••

ଏଇଟି ଏକ ଅଦ୍ଭୁତ ନିଟୋଳ କାହାଣୀ। କାହାଣୀର ଶେଷାଂଶକୁ ମନୋଯୋଗ ଦେଇ ପଢିବା ପାଇଁ ଅନୁରୋଧ। କାହାଣୀର ଯେଉଁ ପ୍ରମୁଖ ଚରିତ୍ର ଜାକସ୍ କୋହାନ କାଫକାଙ୍କ ସାଙ୍ଗ ହିସାବରେ ଶେଷ ଯାଏଁ ଆପଣଙ୍କୁ କାଫକାଙ୍କ ମାର୍ଫତ୍ ରେ ଯେଉଁ କାହାଣୀ ଶୁଣାଇ ଆସିଛି ତାହାର ଅସଲ ଉନ୍ମୋଚନ ଟି କେମିତି।

ସବୁ କାହାଣୀ ବସ୍ତୁତଃ ଏକ ଉନ୍ମୋଚନ ଆଉ ଏଇ ଉନ୍ନୋଚନ କଳା ରେ ଯେଉଁ କଥାକାର ଆମକୁ ବାସ୍ତବତା ଆଉ ବିଭ୍ରମ ଭିତରେ ଯଥାଯଥ ସଂତୁଳିତ କରି ତାଙ୍କର କଥାଯାତ୍ରାରେ ଆମକୁ ସାମିଲ୍ କରିବାକୁ ସକ୍ଷମ ହୋଇଥାନ୍ତି ସେମାନେ ଚିରକାଳର ସ୍ମରଣୀୟ କଥାକାର।

ଏଇ କାହାଣୀର ପ୍ରମୁଖ ଚରିତ୍ର ଜାକସ୍ କୋହାନ ଏକ କରୁଣ ଚରିତ୍ର। ନିଜର ବିଫଳତାକୁ ସ୍ୱାଭାବିକ ସଂଭ୍ରମତାର ସହ କହିବା ଭଳି ଦକ୍ଷତା ବହୁତ କମ୍ କଥାକାରଙ୍କ ଥାଏ। ଜାକସ୍ କୋହାନ ନିଜକୁ ନିଜର ବିଫଳତାକୁ ବଖାଣ କରିବା ପାଇଁ ପ୍ରଖ୍ୟାତ ଲେଖକ କାଫକା ଙ୍କର ସାହିତ୍ୟ ବିଚାର ଏବଂ ଜୀବନର କିଛି ଅଂଶକୁ ଉପଯୋଗ କରିଛି।

ସଂକ୍ଷେପରେ କହିଲେ ଏଇ କାହାଣୀରେ ନୈର୍ବ୍ୟକ୍ତିକତାକୁ ବ୍ୟକ୍ତି ଆଉ ବ୍ୟକ୍ତିକୁ ନୈର୍ବ୍ୟକ୍ତିକତା ପ୍ରଦାନ କରିବାର ଆୟୋଜନ କରାଯାଇଛି।

କାହାଣୀ କହି ପଇସା ମାଗୁଥିବା ଚରିତ୍ର ଜାକସ୍ କୋହାନ ଯେଉଁ ବିଫଳତାକୁ ପ୍ରତିସ୍ଥାପନ କରିଛି ତାହାକୁ ଗଂଭୀର ଭାବରେ ଦେଖିଲେ ଲାଗିବ ଯେମିତି ସେ ଏକା ନୁହଁ ,ଏଇ ପୃଥିବୀ ସାରା କେବଳ କାଫକାଙ୍କ ସାଙ୍ଗମାନେ ଆତଯାତ ହେଉଛନ୍ତି

କଥାକାର ଆଇଜାକ୍ ବାସେଭିସ୍ ସିଙ୍ଗର (୧୯୦୨୧୯୯୩)ପୋଲାଣ୍ଡ ଜନ୍ମିତ ଜଣେ ଆମେରିକୀୟ କଥାକାର। ୧୯୭୮ ମସିହାରେ ସେ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →