ଓକୋଇ

ମୂଳଲେଖା: କୁଆମେ ମାକଫରସନ୍ || ଅନୁବାଦ: ଜ୍ୟୋତିନନ୍ଦ

ମୁଁ ଦ୍ୱିଧାରେ ଥିଲି ରହିବି ନା ନାହିଁ ଅବା ମୋ ପାଖରେ ଯଥେଷ୍ଟ ତେଲ ରହିଛି,ଚଟଜଲଦି ଜଙ୍କ୍ ଖାଇବା ଅଛି ଆଉ ମ୍ୟୁଜିକ୍। ମୋର କାର୍ ର ପ୍ଲେୟାର୍ ରେ ମାଇକେଲ୍ ଜାକସନ୍ ଯାହା ଗାଉଛନ୍ତି ତାହା ବେନ୍ ର ଉପରେ। ମୁଁ ସେଇ ଛବିକୁ ଗୋଟିଏ ପିଲା ଯେମିତି ଭଲପାଏ ସେଇଭଳି ଭଲ ପାଏ ଆଉ ଜାକସନ୍ ଙ୍କୁ ତ ଅଧିକ ରୁ ଅଧିକ ଭଲପାଏ । ତଥାପି ମୋର ଗୋଟିଏ ବିଶ୍ରାମର ବିରତି ଦରକାର,ୱାସରୁମ୍ କୁ ଯିବି,ଗୋଡହାତକୁ ଟିକିଏ ସଳଖ କରିବାର ଅଛି।ସୂର୍ଯ୍ୟ ବୁଡିବାକୁ ବସିଲେଣି ଆଉ ସେମିତି କିଛି ଡେରି ହୋଇନଥିଲେ ମୁଁ ଏଇଲେ ଯେଉଁଠି ଅଛି ତାହାଠାରୁ ଅଧିକ କିଛି ଦୂରରେ ମୁଁ ଏତେବେଳକୁ ପହଞ୍ଚିଯାଇ ସାରନ୍ତିଣି । ଦୁଇଟି ବଦଳରେ ଗୋଟିଏ ଟାୟାର୍ ର ପଙ୍କଚର୍ ସମ୍ଭାଳିନେବା ଅଧିକ ସହଜ। ମୁଣ୍ଡବଥାକୁ କାହାର ଦରକାର ପଡେନାହିଁ ମୋତେ କିନ୍ତୁ ସେମିତି ଗୋଟିଏ ସହ ରହିବାକୁ ପଡୁଛି,ମିନିଟ କେତୋଟି ଜାଗାରେ ଘଣ୍ଟାଏ କୁ ଧରି ରଖିବା ଭଳି । କହିବାକୁ ଗଲେ ମୋତେ ବିରକ୍ତ ଲାଗୁଥିଲା ବୋଲି କହିବା ବସ୍ତୁସ୍ଥିତି ଠାରୁ କମ୍ ହେବ।

ମୁଁ ଠିକ୍ କରିନେଇଥିଲି ଯେ ଏହାପରର ସହର ହେବ ଏପରି ଏକ ସ୍ଥାନ ଯେଉଁଠି ମୁଁ ଆଜି ରାତିକ ବିଶ୍ରାମ ନେବି । ବିଶେଷରେ ଯେତେବେଳେ ମୋ ଆଖିକୁ ଛୁଇଁବା ପାଇଁ କ୍ଳାନ୍ତି ମାଡିଆସୁଛି,ମଝିରେ ମଝିରେ ତାହା ସେଇକାରଣରୁ ଥରେ ଥରେ ବୁଜି ହୋଇଆସୁଛି । ମୋର ଯଥାସମ୍ଭବ ଯୁଦ୍ଧ ତାହାର ସହିତ ଚାଲୁ ରହିଛି । ମୋର କିଛି ଗରମ ଖାଦ୍ୟ ଦରକାର । ପାଞ୍ଚଘଣ୍ଟା ତଳେ ମୁଁ ଠିକ୍ ଯେମିତି ଖାଇବା କଥା ସେହିଭଳି ଭଲରେ ଖାଇଥିଲି,ଆଉ ଏଇ ଚଟଜଲଦି ଜଙ୍କଫୁଡ୍ ଖାଇବା କୌଣସି ସମୟରେ ଆଦୌ ଭଲ ନୁହଁ ।

ଗୋଟିଏ ବିଶାଳ ଜହ୍ନ ଗୋଟିଏ ବିରାଟ ସ୍ପଟଲାଇଟ୍ ଭଳି ଜଳୁଛି,ମୋ ଆଖି ଯେତେଦୂର ଦେଖିବା ପାଇଁ ସକ୍ଷମ ସେତେ ଯାଏଁ ବିସ୍ତୃତ ନିଷ୍ଫଳା ଭୂଦୃଶ୍ୟକୁ ସେ ତରଙ୍ଗାୟିତ କରୁଛି । ଉଜ୍ଜଳ ଧବଳ ଆଲୋକରେ ଅଂଧାରର ଫାଟ ମାନ ସ୍ପଷ୍ଟ ଦେଖାଯାଉଛି। ଏହାଛଡା ମୋର ଡାହାଣ ପଟରେ,କିଛି ମାଇଲ ଦୂରରୁ,ଗୋଟିଏ କଳା ଅସମତଳ ରେଖା ଯେମିତି ମୋର ଅନୁସରଣ କରୁଛି,ଏକ ନିରବଚ୍ଛିନ୍ନ ଦନ୍ତୁରିତ ପାର୍ବତ୍ୟଶ୍ରେଣୀ । ତାହାର ନାଆଁ ଏଇଲେ ମୋର ମନେ ପଡୁନାହିଁ ।ମୋର ବାଆଁ ପଟରେ କେବଳ ସଂପୂର୍ଣ୍ଣ ଶୂନ୍ୟତା ଏବଂ ଉଚ୍ଚା ନୀଚା ଭୂମୀ ।

ମାଇକେଲ୍ ବର୍ତ୍ତମାନ ” ଲିଭିଙ୍ଗ ଅଫ୍ ଦି ୱାଲ୍” ଆଉ ମୋର ଆଙ୍ଗୁଳି ଷ୍ଟିୟରିଂ ଉପରେ ତାହାର ତାଳ ଦେଉଛି । ସମଗ୍ର ପୃଥିବୀରେ ମୋର ପ୍ରିୟ ଗାୟକକୁ ମୁଁ ଉପଭୋଗ କରିଥାଏ । ଜିପିଏସ୍ କୁ ଦେଖିଲି,ପାଖାପାଖି କିଛି ମାଇଲ୍ ଭିତରେ କୌଣସି ସହର ଦେଖାଗଲା ନାହିଁ । ମୁଁ କଳ୍ପନା କଲି ଯଦି ଆଖପାଖରେ କିଛି ସହର ଥିବ ତାହାହେଲେ ମୁଁ ସେମିତିକା ଅନେକ ସହରକୁ ବାଟରେ ଅତିକ୍ରମ କରି ଆସିଛି : ଛୋଟ ,ହାଇଓୟେ ର ଉଭୟପଟେ ଧାଡି ଧାଡି ବାଣିଜ୍ୟବିପଣୀ ଆଉ ଗୋଟିଏ କାଫେ, ଟ୍ରକଚାଳକମାନଙ୍କର ତେଲ ସରସର ଖାଇବାର ଜାଗା, ଯିବା ଆସିବା କରୁଥିବା ଯାତ୍ରୀଙ୍କ ନିମନ୍ତେ ସାମୟିକ ରହଣୀସ୍ଥଳ,ଫିଲିଙ୍ଗ୍ ଷ୍ଟେସନ ,ଔଷଧ ଦୋକାନ ଆଉ ସବୁଠାରୁ ଆବଶ୍ୟକ ପୋଲିସ ଥାନା । ସ୍କୁଲ ଅବା ହସପିଟାଲ ସେଇଠୁ କେତେ ମାଇଲ୍ ଦୂରରେ ,ସହଜରେ ହାଇଓୟେରୁ ଦିଶିବ ନାହିଁ ।

Illustration by Ramakanta Samantaray

ହଠାତ୍ ,ଗୋଟିଏ ପିଙ୍ଗ୍,ମୁଁ ନୋଟିଫିକେସନ୍ କୁ ଦେଖିଲି ,ଗୋଟିଏ ବ୍ଲବ ବା ସୂଚନା ଫୁଟିଉଠିଲା ଯାହା ଆଗରୁ ମୋ ଜିପିଏସ୍ ରେ ଦେଖାଯାଇ ନଥିଲା । ନାଁ ଆଉ ଜାଗା ଥିଲା ଓକୋଇ।ମୁଁ ଟିକିଏ ତେରେଛେଇ ଦେଖିଲି । ଆଗରେ ଗୋଟିଏ ଟାଉନ୍ ; ସମାନ୍ତରାଳ ଭାବରେ ଆଲୁଅ ଆଉ କୋଠାବାଡିର ବାହ୍ୟରେଖାମାନ ଦିଶୁଥାଏ। ଏହାର ନାଆଁ ମୋ ଉପରେ ସେମିତି କୌଣସି ପ୍ରଭାବ ପକାଇଲା ନାହିଁ,ଲାଗିଲା ଏଇଟି ଯେମିତି ବହୁଦୂରରେ ଛାଡି ଆସିଥିବା ଗୋଟିଏ ପରିତ୍ୟକ୍ତ ଭୂତବାସୀ ଇଲାକା । ମୁଁ ମୋର ନିଜ ହସକଥାକୁ ବିଦ୍ରୁପ କରୁଥିଲି। ମୋର ଅଂଧାରକୁ ସେମିତି ଡର ନାହିଁ ,ମୁଁ କେବଳ ଏଇ ବିଷୟରେ କେବଳ ସେହି ପ୍ରଥମ ଥର ଶୁଣିଥିଲି ଯେତେବେଳେ ମୁଁ କାରବୀୟ ଅଂଚଳରେ ବଡ ହେଉଥିଲି ଆଉ ଜେଜେବାପା ଜେଜେମାଆ ଆମମାନଙ୍କ ଭଳି ବାଳକମାନଙ୍କୁ ରୋଲିଙ୍ଗ କାଫ୍,ଲୋନଲି ଓମାନ୍ ଏବଂ ବ୍ଲାକ ହାଟ ମ୍ୟାନ ବିଷୟରେ କହିଥିଲେ।ସେମାନଙ୍କ ର କାହାଣୀ ମୋର ଭାଇ ଭଉଣୀ ମାନଙ୍କୁ ଭୟରେ ଜଡସଡ କରିପକାଉଥିଲା ହେଲେ ମୁଁ ସବୁବେଳେ ନିର୍ବିକାର। ଏବେ ମୁଁ ଜଣେ ଏକ୍ସ-ଆର୍ମି ଲୋକ,ଆଉ ମୋର ଯାତ୍ରାପଥରେ ଏତେ ସବୁ କିଛି ଦେଖିବା ପରେ ମୁଁ ନିଶ୍ଚିତ ଯେ,ମୁଁ କୌଣସି ଭୂତଗ୍ରସ୍ତ ଇଲାକା ବା ବ୍ୟକ୍ତିକୁ ଦେଖି ଆଦୌ ଭୟପାଇବି ନାହିଁ ।ମାତ୍ର ମୁଁ କେବଳ ମୋ ନିଜକୁ ପ୍ରତାରଣା କରି ଚାଲିଥିଲି । ଅନେକ ରାତି ଏମିତି ଅଛି,ମୋତେ ନିଦ ହୁଏନାହିଁ । ମାଇକେଲ୍ ଙ୍କ କଂଠରେ ଥ୍ରିଲର୍ ନାଇଟ୍ ଶୁଣିବା ବେଳେ ମୁଁ ଠୋ ଠୋ କରି ହସିଥାଏ ।

ମୁଁ ସେଇ ଟାଉନ୍ ଠାରୁ ମାଇଲିଏ ଖଣ୍ଡେ ଦୂରରେ ଦୂରରେ ରହିଥିବି କି ନାହିଁ ମୋର ପଛ ଦର୍ପଣରେ ହଠାତ୍ ନୀଳ ଆଉ ଲାଲ ଆଲୁଅ ଦପଦପ କରି ଉଠିଲା । ମୁଁ ହୁଏତ ତାହାକୁ ଲକ୍ଷ୍ୟ କରିନଥିଲି ,ନିଶ୍ଚିତ ଭାବରେ ଆଗନ୍ତୁକର ବାହାନର ହେଡଲାଇଟ୍ ପ୍ରତି ମୋର କୌଣସି ନଜର ନଥିଲା। ହୁଏତ ମୁଁ ସେତେବେଳେ ମାଇକେଲ୍ ଙ୍କ ଗଳାରେ ଲେଡି ଇନ୍ ମାଇଁ ଲାଇଫ୍,ତାଙ୍କର ଲାଇଫ୍ ରେ ଲେଡି ତାହାର ସୁରରେ ହଜିଯାଇଥିଲି। ମୋର ଲେଡି ଆଖପାଖରେ କେଉଁଠି ନାହିଁ । ମୋର ଅଭିଜ୍ଞତାରୁ ମୁଁ ଏତିକି ଶିଖିଛି ଯେ ତମେ କେବେହେଲେ ଏକେଲା ନିରୋଳା ଅଂଧାରୁଆ ରାସ୍ତାରେ ଅଟକି ରହିବ ନାହିଁ । ଥରେ ଗୋଟିଏ ରାତିରେ ସହରରେ ଆଉ ମୋର ସମସ୍ତ ଭଲ ଜାଣିବା ଶୁଣିବା ସହ ମୋତେ ପାଞ୍ଚଟି ବ୍ଲକ୍ ରୁ ପିଛା କରୁଥିବା ଗୋଟିଏ ପୁଲିସ୍ ଗାଡି ର ସାମ୍ନାରେ ମୁଁ ଅଟକି ରହିଯାଇଥିଲି। ସେମାନେ କହିଥିଲେ ଏହା ଗୋଟିଏ ଗାଡିକୁ ସାଧାରଣ ଆଉ ନିୟମିତ ଭାବରେ ଅଟକାଇବା ଭଳି କଥା। ମୋର  ପରିଚୟ ପତ୍ର  ଦେବା ଭଳି ସେମାନଙ୍କର ଦାବୀକୁ ମୁଁ ମନା କଲି। ବଦଳରେ ମୁଁ ସେମାନଙ୍କ ମୁହଁ ର ଆଗରେ ମୋର କର୍ମସ୍ଥଳର  ପରିଚୟ ପତ୍ରକୁ ଦେଖାଇଥିଲି,କାରଣ ମୁଁ ମୋର ସାମ୍ବିଧାନିକ ଅଧିକାରର କଥା ଜାଣେ। ସେମାନେ ମୋତେ ଗିରଫ କରିବେ ବୋଲି ଧମକ ଦେଲେ ଯେହେତୁ ସେମାନଙ୍କର ଦୃଷ୍ଟିରେ ମୁଁ ମୋ ଭଳି ଜଣକ ର ବର୍ଣ୍ଣନାର ଏକପ୍ରକାର ଅନୁପ୍ରବେଶ ଘଟାଇ ଗୋଟିଏ ତଦନ୍ତରେ ବାଧା ସୃଷ୍ଟି କରୁଛି,ଯେତେବେଳେ ତଦନ୍ତରେ  ଜଣେ କିଏ ଗୋଟିଏ ମଦ ଦୋକାନକୁ ଲୁଟ୍ କରି କୁଆଡେ ପଳାଇଯିବାର ଦେଖାଯାଇଛି ।ମୁଁ ଘରକୁ ଯେତେବେଳେ ଯାଉଛି ସେତେବେଳେ ମ ବେକରେ ମୋର କର୍ମସ୍ଥଳର ପରିଚୟ ପତ୍ର ଝୁଲୁଥିଲା ଆଉ ପଛରେ ପିଠିରେ ରହିଥିଲା ଗୋଟିଏ ବଡ ରକମର ରୁକସାକ୍ । ସେମାନଙ୍କର ଅଭିଯୋଗ ଅନୁସାରେ ,ଜଣେ ଅଫିସର୍ ନିଷ୍ପତି ନେଇଥିଲେ ମୋ ହାତରେ ହାଣ୍ଡକପ୍ ପକାଇବେ।ମୁଁ କେବେ ଗୋଟିଏ ପୁଲିସ ଗାଡିର ଭିତରଟି କେମିତି ଦେଖିନଥିଲି। ସେମାନେ ବହୁତ ଖରାପ ଥିଲେ ବୋଲି ବିଚାର କରାଯାଉ ଏବଂ ନିଜ ନାଆଁରେ ଗୋଟିଏ ପୁଲିସ୍ ରେକର୍ଡ କି ହାଜତକୁ ଦେଖିବା ଭଳି କଥାରୁ ମୁଁ ଖସି ଯାଇଥିଲି।ମୋ ପୂର୍ବପୁରୁଷ ମାନେ ମୋ ସହିତ ସେତେବେଳେ ଥିଲେ,ବହୁତ ଚମତ୍କାର ଓକିଲ ନିଯୁକ୍ତ କରିଥିଲେ।

Illustration by Ramakanta Samantaray

ଗାଡିର ହେଡଲାଇଟ୍ ମୋର ରିଅର୍-ଭିଉ ଦର୍ପଣରେ ଉଚ୍ଛୁଳି ପଡିଲା,ମୋର ଗତି ଗୋଟିଏ ସାଧାରଣ ସ୍ପିଡ୍,ଦ୍ରୁତ ନୁହଁ,ମୋର ଭଡାଗାଡି ଟାଉନ୍ ର ଷ୍ଟ୍ରିଟ୍ ଲାଇଟ୍ ନିକଟରେ ପହଞ୍ଚିଯିବାର ଉପକ୍ରମ କରୁଥିଲା। ମୁଁ ଓକାଇ ର ସହରତଳି ଅଞ୍ଚଳ ରେ ଯାଇ ପହଞ୍ଚିବାବେଳକୁ ପୁଲିସ ଗାଡିଟି ଖୁବ୍ ଜୋର୍ ରେ ମୋତେ ଅତିକ୍ରମ କରି ଆସି ଟିକିଏ ଖସଡିଯାଇ ମୋ ଆଗରେ ରହି ମୋ ଯିବାକୁ ଅଟକାଇଦେଲା। ମୁଁ ଅଟକିରହିବାକୁ ବାଧ୍ୟ ହେଲି।

ମୁଁ ଅପେକ୍ଷା କଲି  ଜଣେ ଅବା ଦଳେ ପୁଲିସ୍ ଆସି ମୋ ପାଖରେ ତୁରନ୍ତ ପହଞ୍ଚିଯିବେ,ହେଲେ ଗାଡି ଭିତରୁ ସେମିତି କେହି ବାହାରକୁ ଆସିଲା ନାହିଁ । ମୁଁ ଡାସବୋର୍ଡର ଘଣ୍ଟାକୁ ଦେଖିଲି ,ସେତେବେଳକୁ ମୋ ପାଦ ବ୍ରେକ୍ ଉପରେ ଥାଏ ଆଉ ଦେଖିଲି ଏହା ଭିତରେ ପାଞ୍ଚ ମିନିଟ ଅତିକ୍ରାନ୍ତ ହୋଇଗଲାଣି। ମୋତେ ଆଶ୍ଚର୍ଯ୍ୟ ଲାଗିଲା ସେମାନେ କେଉଥିପାଇଁ ଗାଡି ଭିତରେ ରହି ଅପେକ୍ଷା କରୁଛନ୍ତି ,ହୁଏତ ମୁଁ ଝାଳ ସରସର ହୋଇଯାଏ କି ଗାଡିକୁ ଛାଡି ଦୌଡି ପଳାଏ। ସେମାନଙ୍କୁ ମୁଁ ଆଉ ଦୁଇଟି ମିନିଟ ଦେଲି । ଶେଷରେ ସାମ୍ନାର ଗାଡିର ଦୁଇଟି କବାଟ ଆସ୍ତେ ଖୋଲିଲା ଆଉ ଦୁଇଜଣ ପୁଲିସ୍ ତାହାର ଭିତରୁ ବାହାରିଲେ।

ସେମାନଙ୍କର ଚାଲି ଆସିବାରେ ଆତ୍ମବିଶ୍ୱାସ ରହିଛି,ଜଣେ ପତଳା ଅଫିସର ଶ୍ରେଣୀୟ ପୁଲିସ୍ ଡେଙ୍ଗା ଆଉ ପତଳା,ଆର ଜଣକ ବାଙ୍ଗରା ଆଉ ମୋଟା। ନର୍ସରୀ ବହିର ଟ୍ୱିଡଲଡି ଆଉ

ଟ୍ୱିଟଲଡମ୍। ମୁଁ ପାଟି ଚିପି ମନେମନେ ହସୁଥାଏ। ସେମାନଙ୍କର ଫ୍ଲାସଲାଇଟ୍ ମୋତେ ଜଳକା କରିଦେଲା,ମୋର କାରର ଆଗ ଝରକା ନିକଟରୁ  ପ୍ରାୟ ଗୋଟିଏ ମିଟର୍ ଦୂରତ୍ୱରେ ଛିଡା ହୋଇ ସେହି ଡେଙ୍ଗା ଜଣକ ଚିତ୍କାର କରିଥିଲା :

“ମୁଁ ତମର ହାତକୁ ଦେଖିବାକୁ ଚାହେଁ ।”

ମୁଁ ଗାଡିର ଭିତରେ ସେମିତି ବସିଥାଏ। ସେଇ ମୋଟା ଜଣକ ଗାଡିର ଆରପଟେ ସହଯାତ୍ରୀ ଯେଉଁଠି ବସେ ସେପଟ ଝରକା ପାଖରେ ପହଞ୍ଚିଗଲା,ଉଜ୍ଜଳ ଆଲୋକ ରେ କାରର ଭିତର ଝଲସି ଉଠିଲା ।

“କୁଆଡକୁ ଯିବା ହେଉଛି ବାଳକ ?” ବାଳକ ? ଏଇଟା କ’ଣ ୨୦୨୨ ନୁହଁ ? ମୁଁ ଚିନ୍ତାକଲି।

“ଆପଣ କ’ଣ ମୋର ଡ୍ରାଇଭର୍ ଲାଇସେନ୍ସ ଆଉ ଅନ୍ୟ କାଗଜପତ୍ର ଦେଖିବାକୁ ଚାହାଁନ୍ତି? ” ମୁଁ ଊତ୍ତର ଦେଲି।ମୁଁ ତାହାକୁ “ସାର” ବୋଲି କହି ଥୋପରେ ପଡିବି ନାହିଁ ବୋଲି ଆଗରୁ ଠିକ୍ କରିନେଇଥିଲି ।

“ମୋର ଗୋଟିଏ ପ୍ରଶ୍ନ ପଚାରିବାର ଅଛି ବାଳକ।”

ଏଇଟି ଦ୍ୱିତୀୟ ଥର ସେ ମୋତେ ବାଳକ ବୋଲି ସମ୍ବୋଧନ କରିଛି।

ମୁଁ ଟିକିଏ ଦାବୀ କରିବା ଭଳି କହିଲି,” ଆପଣ କ’ଣ ମୋ କାଗଜପତ୍ର ଦେଖିବେ ?”

“ମୁଁ ସେଇ କଥା କହୁଛି ବାଳକ” ତୃତୀୟ ଥର ସେମିତି ।

ମୁଁ ତଥାପି କିଛି କହିଲି ନାହିଁ।କାର୍ ର ଝରକା ବାହାରେ ମୋର ହାତ। ମୁଁ ଜାଣିଛି କେଉଁଭଳି ଏଇ ଟ୍ରାଫିକ୍ ରହଣୀମାନ ନିୟମିତ ଭାବରେ ଚାଲିଯାଏ ଆଉ ମୁଁ ଆସନ୍ତାକାଲିର ସମ୍ବାଦପତ୍ରର ହେଡଲାଇନ୍ ଟିକୁ ଦେଖିପାରିଲି। ଠିକ୍ ସେଇଭଳି,

ମୋର ଯିବାବିଷୟରେ ଯାହା ଜଣେ ଯଦି ଶୁଣିଥାଏ ସେଇଭଳି। ଅଥବା ମୁଁ ହତ୍ୟାର କଥା କହିଦେବା ଭଳି। ମୁଁ ଗ୍ରାମାଞ୍ଚଳରେ ଥିଲି,ନିର୍ଦ୍ଦିଷ୍ଟ ଭାବରେ କେଉଁଠି ନୁହଁ । ଅନ୍ୟ ଗାଡି ନୁହଁ। ବିସ୍ତୃତ ଶୁନଶାନ ଜାଗା,ବହୁ ଦୂରରେ ଥିବା ଗୋଟିଏ ଟାଉନ। ମୁଁ ଏକେଲା ଆଉ ପରିତ୍ୟକ୍ତ ଥିଲି। ହେଲେ ମୋର ଭୟ ନଥିଲା। ଶେଷ ଗଲ୍ଫ ୱାର୍ ସମୟରେ ଏମିତି ଗୋଟିଏ ଘଟଣା ଘଟିଥିଲା ଯେତେବେଳେ ମୋର ଦଳ ଆଉ ମୁଁ ଅଲଗା ହୋଇଯାଇଥିଲୁ,ସେତେବେଳକୁ ଆମେ ଥିଲୁ ଇରାକ ର ଗୋଟିଏ ମରୁଭୂମୀ ଅଂଚଳରେ। ମୁଁ ଇରାକୀ ପାଟ୍ରୋଲିଙ୍ଗ ରେ ପଡିଗଲି। କିଛିସମୟର ଗୁଳିଗୁଳା ର ବିନିମୟ ପରେ,ମୁଁ ଧରା ପଡିବାରୁ ବର୍ତ୍ତିଯିବାକୁ ଚାହୁଁଥିଲି,ଯାହା ଫଳରେ ମୋତେ ଅତ୍ୟନ୍ତ ଲୁଚାଛପାରେ ରହି ଯେଉଁ କିଛି ଅସତର୍କ କାରଣରୁ ପଛରେ ପଡିଯାଇଛନ୍ତି ସେମାନଙ୍କ ଉପରେ ବିକୃତଜନକ କିଛି କରିବାକୁ ପଡିଥିଲା। ମୁଁ ମୋର ଯାତ୍ରାପଥରେ ଏମିତି ବହୁତ କିଛି ଦେଖିଛି ,ମରଣ ମୋର ନିତ୍ୟ ସହଚର। ମୁଁ ସେତେବେଳେ ଠାରୁ ଭୟାତୁର ରହି ଆସିଛି ।

“ବାହାରି ଆସ୍,ଅବିକା !”

“ମୁଁ ଆପଣଙ୍କର ନାଆଁ ଆଉ ବ୍ୟାଜ ର ନଂବର ଜାଣିପାରେକି ?” ସେ ଏହାର କିଛି ଉତ୍ତର ଦେଇନଥିଲା। ବଦଳରେ,ସେ ପଛ ସିଟରେ ପଡିଥିବା ଆଲୁଅ ଆଡକୁ ହାତ ଦେଖାଇ ସେଇଠି କିଛି ଦେଖିବାକୁ ଚାହିଁଥିଲା। ଯେଉଁ ଆଲୁଅ ପ୍ରତିଫଳିତ ହେଉଥିଲା ସେଥିରେ ମୁଁ ତାହାକୁ ଭଲ ଭାବରେ ଦେଖିପାରୁଥିଲି,ତାହାର ଗୋଟିଏ ପଟ ବାହାକୁ ଦେଖିପାରିଲି । ମୁଁ ସେ ଯାହା କହିଛି ସେକଥା ମାନିବାକୁ ଯାଉନି,ମୁଁ ଏମିତି ଅନେକ କିଛି ଘଟଣା ଦେଖିଛି,ଯେଉଁଠି କଳା ଲୋକେ ନିଜର ଗାଡିରୁ ବାହାରି ଆସିଛନ୍ତି ଆଉ ସିଧା ମରଣ ମୁହଁରେ ପଡିଛନ୍ତି । ମୋର ଗୋଟିଏ ସାଙ୍ଗର କ୍ଷେତ୍ରରେ ଏଇପରି ଘଟିଛି। ତାହାର ପାରଲୌକିକ କ୍ରିୟାରେ ଯୋଗଦେବା ବଡ କଷ୍ଟକର ଥିଲା ,ସବୁଠୁ ବଡ କଷ୍ଟ ଥିଲା ତାହାର ପରିବାର ବିଶେଷରେ ତାହାର ମାଆଙ୍କର ଦୁଃଖ ବିଜଡିତ କାତର ବିଳାପ। ଯେଉଁ ପୁଲିସମାନେ ତାହାକୁ ମାରିଛନ୍ତି ମୋର ସେମାନଙ୍କୁ ମାରିଦେବାକୁ ଭାରି ଇଚ୍ଛା ହୋଇଥିଲା।

“ବାଳକ,ମୋ କଥା ତମକୁ ଶୁଣାଯାଉଛି ?”ଚତୁର୍ଥ ଥର।

ସେ ମୋତେ “ବାଳକ” ବୋଲି କହିବାର ଆଉ ପଞ୍ଚମଥର ନଥିଲା,କାରଣ ଏହା ଅକସ୍ମାତ ଘଟିଯାଇଥିଲା,ସେଇ ଘଟଣାଟି ଯେମିତି ହେଉ ପଛକେ । ମୁଁ ମୋର ୱିଙ୍ଗ୍-ମିରର ରେ ସାମାନ୍ୟ କିଛି ଗତିବିଧି ଦେଖି ପାରିଥିଲି,କିଛି ଦୂରରେ ସେଇ ଚଳାଚଳ। ଆଲୁଅ ଅଧିକ ଉଜ୍ଜଳ ହେବାରେ ଲାଗିଥିଲା । କମଳା ମିଶା ଲାଲ ରଂଗର ଆଲୁଅ,ବଦଳୁଥିଲା ରଙ୍ଗବିଭା ,ଯେମିତି ମୁଁ ଥରେ ଗୋଟିଏ   କାଲାଇଡୋସ୍କୋପ୍-ଲାମ୍ପରେ ଦେଖିଥିଲି। ଏଇ ରଙ୍ଗ ମୋତେ ମନେ ପକାଇଦେଲା ଯେତେବେଳେ ମୁଁ ଫିଲ୍ଡ ରେ ଥିଲି, ତୋପ  ଆକାଶକୁ ଆଲୋକିତ କରିଦେଉଥିଲା,ଆଉ ନିକ୍ଷିପ୍ତ ଗୋଳା ଅଦୃଷ୍ଟ ଶତ୍ରୁ ଉପରେ ବର୍ଷିଯାଉଥିଲା। ଏଇଲେ ଆଲୁଅ ଠିକ୍ ସେମିତି ବୋଲି ମୋତେ ମନେ ହେଲା। ଝାପସାରେ ଯାହା ଦିଶିଲା ତାହା ଗୋଳାରୁ ଆସୁଥାଏ । ଗୋଲାକାର ଟି ବଢିବାର ମୁଁ ଦେଖିଲି।

ଅଫିସର ପୃଥୁଳ ଏହା ପ୍ରଥମେ ଦେଖିଲା ଆଉ ପଛକୁ ଫେରି ଚାହିଁଲା,ଭୟରେ ଆଖି ବିସ୍ଫାରିତ।କହିବା ଅପେକ୍ଷା ପାଟିରେ ଧରି ରଖିବା ଭଳି କହିଥିଲା,”ଇଏ ସବୁ କ’ଣ !”

ଉଜ୍ଜଳ ଗୋଲକ ଖୁବ୍ ଶିଘ୍ର ମୋ ମିରର୍ କୁ କରାୟତ୍ତ କରିନେଲା ଆଉ ଅଫିସର ଡେଙ୍ଗା ନିଶ୍ଚୟ ଏଇ ଆଲୋକର ଦୃପ୍ତତାକୁ ଦେଖିଥିବ। ସେ ତାହାର ଅସ୍ତ୍ର ବାହାର କଲା । ଅଯାଚିତ ଭାବରେ ମୁଁ ମୁଣ୍ଡ ତଳକୁ ନୁଆଇଁ ପାସେଞ୍ଜର ସିଟ୍ ପାଇଁ ତାହାକୁ ଛାଡିଦେଲି  । ମୁଁ ନିଶ୍ଚିତ ଭାବରେ ନିଜପାଇଁ ବଂଚିବାର ଗୋଟିଏ ସୁଯୋଗ ତିଆରି କରିବା ଚାହୁଁଥିଲି ।

ହଠାତ୍,ମୁଁ ଶୁଣିପାରିଲି ସେଇ  ଦୁଇଜଣ ଅଫିସର ଚିତ୍କାର କରୁଛନ୍ତି,ତାଙ୍କର ଚିତ୍କାରରେ ଭୟ,ତାହାପରେ ଗୁଡାଏ ଗୁଳି ଅଂଧାରକୁ ଖିନଭିନ କରିଦେଲା। ସେମାନେ ନିଜର ମାଗାଜିନ୍ କୁ ଶେଷ କରିଦେଲେ,ମୁଁ ସତର ଯାଏଁ ଗୁଳିଫୁଟାକୁ ଗଣିଥିଲି; ମୋ ଗାଡିର ଝରକାରେ କି ଗାଡିରେ ଟିକିଏ ବୋଲି ଆଞ୍ଚ ଆସିନାହିଁ । ଗୋଟିଏ ଉଜ୍ଜଳ ଧବଳ ଆଲୋକ ମୋ ଆଖିକୁ ଝଲସାଇ ଦେଲା। ମୁଁ ତଳକୁ ନଇଁ ପଡିଲି,ମଥା ଉପରେ ମୋର ହାତ,ଆଖି ଦୁଇଟି ମୋର ସେତେବେଳେ ଦୃଢ ଭାବରେ ବନ୍ଦ । ସେଇ ବନ୍ଦ ଆଖିପତା ର ପଛରେ ମୁଁ ଦେଖିପାରିଲି ଆଲୁଅର ହାଲୋଳ ନାଚୁଥାଏ। ତାହା ପରେ ଧୁସ୍ କରି ଗୋଟାଏ ବଡ ଶବ୍ଦ ,ତାହାପରେ ସଂପୂର୍ଣ୍ଣ ନୀରବତା,ଯେଉଁ ପର୍ଯ୍ୟନ୍ତ ରାତିଜଗା ପକ୍ଷୀ କି ରାତ୍ରୀଚରମାନେ ନିଜର ଉପସ୍ଥିତିକୁ ସାବ୍ୟସ୍ତ କରିନାହାଁନ୍ତି । ମୁଁ ମଥା ଉପରକୁ କଲି। ଅଫିସରମାନେ ଆଉ ସେଇ ପୁଲିସ୍ ଗାଡି ସେଇଠି ନାହିଁ। ଯେଉଁ ଜାଗାରେ ସେମାନେ ଉପସ୍ଥିତ ଥିଲେ ,ଏଇଲେ ତାହା ପରାପୁରି ଶୁନଶାନ୍,ଏମିତି ପୂର୍ବରୁ କେବେ ଘଟିନଥିଲା। ଆଲୁଅ ଆଉ ନାହିଁ ଚାରିଆଡ ଗାଢ ଅଂଧାର ଯେମିତି ଏହା ନିତିଦିନର କଥା। ମୋ ଦେହସାରା ଝାଳ କଂଟି ହୋଇ ଆସୁଥାଏ ।

ତରତର ହୋଇ ମୁଁ ଅଫିସର ଯେଉଁଠି ଛିଡାହୋଇଥଲା ସେଇଠି ଆଲୁଅ ଜଳାଇଲି। ଚନ୍ଦ୍ର : ମୋ ଫ୍ଲାସଲାଇଟ୍ । କିଛି ନାହଁ।ଟୋପାଏ ହେଲେ ରକ୍ତ କି ମାଂସ ଟୁକୁଡାଏ କେଉଁଠି ନାହିଁ।ପୁଲିସ୍ ଗାଡିଟି ଯେଉଁଠି ଛିଡାହୋଇଥିଲା ମୁଁ ସେଆଡକୁ ଦୌଡିଯାଇଥିଲି।ନାହିଁ,କିଛି ନାହିଁ । ଗାଡିର ଟିକିଏ ହେଲେ ବି ଅବଶେଷ ନାହିଁ । ଏହାକୁ ସଠିକ ବ୍ୟାଖ୍ୟା କରାଯାଇପାରିବ ନାହିଁ ଏବଂ ମୁଁ ଅଲୌକିକତାକୁ ପସନ୍ଦ କରେନାହିଁ । ମୁଁ ଫେରି ଆସିଲି,କାର ଭିତରକୁ ଡେଇଁପଡି ଇଗନିସନ୍ କୁ ଚଳାଇଲି ଆଉ ସେଇଠୁ ବାହାରିଗଲି,ଏଇଠି ମୋର ଯେଉଁ ଅନୁଭବ ହେଲା ତାହା ବିଷୟରେ ବିଶଦଭାବରେ ସ୍ଥିର କିଛି ନୁହଁ ,ଇଚ୍ଛା ଆଉ କେଉଁଠିକି ଯାତ୍ରା,ଏଇ ଅନ୍ଧାର ରାସ୍ତାଠାରୁ ଭିନ୍ନ କିଛି। ଦଶମିନିଟ ଭିତରେ ମୁଁ ସେଇ ଟାଉନ୍ ରେ ପହଞ୍ଚିଗଲି । ମୁଁ ଝାଳରେ ଗାଧୋଇପଡିଥାଏ ଆଉ ମୁଁ ତଥାପି ଥରୁଥାଏ।

ଟାଉନଟି ମୁଁ ଯାହା ଧାରଣା କରିଥିଲି ତାହା ନୁହଁ। ସେଇଠି ବେଶ୍ ଅଧିକ ଘରବାଡି ଆଉ ଦୋକାନମାନ ରହିଛି।ମାତ୍ର ସେଇଠି ଗୋଟିଏ କଥା ଭାରି ଅଦ୍ଭୁତ। ରାସ୍ତାରେ ଆଉ କୌଣସି ଯାନବାହାନ ନାହିଁ।ନା ଟ୍ରକ୍,କାର୍ ,ବାଇକ୍ କି ସାଇକେଲ୍ । ରାଜପଥଟି ପ୍ରଶସ୍ତ ବେଶ୍ ଆଲୋକିତ ମାତ୍ର ଯେତେ ଅଧିକ ହୋଇପାରିବ ସେହିଭଳି  ଶୁନଶାନ। ଚୌରାସ୍ତାରେ ଆଉ କ୍ରସିଙ୍ଗ୍ ରେ ସବୁଠି ଗାଡିରଗତିକୁ ଅଟକକାଇବା ପାଇଁ ଷ୍ଟପ୍-ଲାଇଟମାନ ରହିଛି। ସବୁ ଦୋକାନରେ ଆଲୋକସଜ୍ଜା,ମନେହେଉଛି କେହି ଜଣେ ଯେମିତି ରାସ୍ତା ର ଉଭୟପଟରେ ଛିଡାହୋଇ ସ୍ୱାଗତ ସମ୍ଭାଷଣ କରୁଛି।ସମ୍ଭବତଃ ସେମାନେ ମାଲିକ ,ମୋର ମନେ ହେଲା। ପ୍ରଥମରେ ,ମୁଁ ନିର୍ଦ୍ଦିଷ୍ଟ ନଥିଲି ଯେ ସେମାନେ ମୋ ଆଡକୁ ହାତ ହଲାଉଛନ୍ତି,ଭାବୁଥିଲି ସେମାନେ ଏଇ ପାଖରେ ଯେଉଁମାନେ ଯାଉଛନ୍ତି ସେମାନଙ୍କ ପାଇଁ ଏହିପରି ବନ୍ଧୁବତ୍ସଳ। କେବଳ ଯେତେବେଳେ ଜଣେ ବୟସ୍କା କୃଷ୍ଣକାୟ ମହିଳା ହସହସ ମୁହଁରେ ଯେତେବେଳେ ସିଧା ମୋ ଆଡକୁ ଚାହିଁ ଏଇଭଳି କଲା ସେତେବେଳେ ଯାଇ ଅନ୍ୟମାନଙ୍କ ଦୃଷ୍ଟି ପ୍ରତି ମୁଁ ସଚେତନ ହେଲି। ସେମାନେ ସମସ୍ତେ ସେମିତି ଠାରୁଥିଲେ।ସେ ବୟସ୍କା କୃଷ୍ଣାଙ୍ଗୀ ମହିଳା ଜଣକ ମୋର ଜେଜେମା ପରି ମନେ ହେଲା। ମୁଁ ତାହା ପ୍ରତି ଅଭିବାଦନ ଫେରାଇଲି।

ଗୋଟିଏ ଭିଡ ଉଜ୍ଜଳ କାଫେ ,ଜୋଏ’ସ୍ ହୋମଷ୍ଟାଇଲ୍ ଇଟେରୀ,ସେଇଠି ଅଟକି ଗଲି। ଗାଡିରୁ ଓହ୍ଲାଇ ଆଖପାଖ ଇଲାକାକୁ ଟିକିଏ ପରୀକ୍ଷା କରିନେଲି ସ୍ଥିର ହେବାପାଇଁ ଯେ ମୁଁ ଯାହା ଦେଖୁଛି ଅସଲରେ ମୁଁ ତାହାକୁ ଦେଖୁନାହିଁ । ଆଶ୍ଚର୍ଯ୍ୟଜନକ ଭାବରେ ଅନେକ ଆଖି ମୋ ଉପରେ ପଡୁଛି ,ସମସ୍ତେ ହସୁଛନ୍ତି ଆଉ ମଥା ହଲାଉଛନ୍ତି ସମର୍ଥନରେ ଯେମିତି ଏଇଲେ ମୁଁ କୌଣସି ପୁରସ୍କାର ଜିତିଲା ପରେ ଆସିଛି। ମୁଁ ଜୋଏ’ସ ଭିତରକୁ ପ୍ରବେଶ କଲି। ମୋ ମଥା ଉପରେ ଗୋଟିଏ ଦରଜା-ଘଣ୍ଟି ଝୁଲୁଥିଲା,ତାହାର ନୀରବତା ମୋ ମଥାକୁ ଓହ୍ଲାଉଥିଲା।ମୋର ବାଆଁପଟରେ ଲମ୍ବା ମହାଗାନି କାଠର ବାର ଆଉ ତାହାର ସାମ୍ନାରେ କେତୋଟି ଷ୍ଟୁଲ୍ ,ସବୁଗୁଡିକ ଅଧିକୃତ,ସେମାନେ ମୋ ଆଡକୁ ଚାହୁଁଛନ୍ତି ଏକାଠି। ସେମାନେ ସବୁ ହସୁଛନ୍ତି। ମୋର ଡାହାଣପଟର ବୁଥ୍ ଗୁଡିକରେ ସ୍ତ୍ରୀପୁରୁଷ ,କପଲ୍,ସେମାନଙ୍କର ଦୃଷ୍ଟି ଆଉ ହସ ବି ମୋ ଉପରେ। ମୁଁ ଭାବୁଥିଲି ଟିକିଏ ଅଟକି ଯାଇ ନିଜକୁ ଦେଖିନେବି ଯେ ମୋ ଭିତରେ ଏମିତି ମଜାର କଥା ଅଛି କ’ଣ ,ଯେମିତି ମୋ ସାର୍ଟର ଅଧା ପ୍ୟାଣ୍ଟର ବାହାରକୁ ବାହାରିପଡିଛି କି ଅଥବା ମୋର ପ୍ୟାଣ୍ଟର ଜିପର୍ ଖୋଲା ରହିଯାଇଛି କି ନାହିଁ । ବାର୍ ର ପଛରେ ଛିଡା ହୋଇଛି ଜଣେ ବଳିଷ୍ଠ କୃଷ୍ଣକାୟ ବ୍ୟକ୍ତି ,ତାହାର ଦେହରେ ରହିଛି ଗୋଟିଏ ଶ୍ୱେତଶୁଭ୍ର ଆପ୍ରନ୍ । ସେ ଉଚ୍ଚତାରେ ମୋଠାରୁ କମ୍ ସେ କମ୍ ତିନି ଇଞ୍ଚ ଅଧିକ ହେବ।ତାହାର ସାମ୍ନାରେ ଥିବା ପାନପାତ୍ର ଗୁଡିକ ପରସ୍ପର ଭିତରେ ପିଟିହେବାର  ଟୁଂଟାଂ ଶବ୍ଦ ମୋ କାନରେ ପଡୁଥିଲା। କିଛି ଗୋଟାଏର ଖୁସବୁ ଆସୁଛି,ଫ୍ରାଏଡ୍ ଚିକେନ୍। ମୋର ପେଟ ଅଭିଯୋଗ କରିବାକୁ  ଆରମ୍ଭ କଲା।

ମୁଁ ମଥା ତଳକୁ କଲି ,ଚାରିଆଡକୁ ଅନାଇଲି। ଅନୁଭବଟି ଫେରିଆସୁଛି । ତାହାପରେ ତାହା ମୋ ଭିତରେ ଉକୁଟି ଉଠିଲା ..କେହି ଶ୍ୱେତାଙ୍ଗ ନାହାଁନ୍ତି। ଜଣେ ବି ନୁହଁ । ଗାଡି ଚଳାଇଆସିବା ବେଳେ ମୁଁ ସେମିତି ଜଣେ କାହାକୁ ଦେଖିନାହିଁ ,ଯେଉଁମାନଙ୍କୁ ଦେଖିଛି ସେମାନେ ସମସ୍ତେ ପ୍ରତ୍ୟେକେ ଜଣେ ଜଣେ କୃଷ୍ଣକାୟ। ଶେଷରେ କାଫେ ର ସଭିଏଁ ମୋ ଆଡକୁ ଦେଖିବାରୁ ବିରତ ରହିଲେ ,ସେମାନଙ୍କର କଥାବାର୍ତ୍ତା ଆଉ ହସ ସେମାନେ ପରସ୍ପରକୁ ପ୍ରଦାନ କରୁଥିବା ନିବିଷ୍ଟତାର ଭିତରକୁ ପ୍ରବେଶ କରୁଥିଲା।

“ହେ,ବ୍ରଦର୍ “,ବାର୍ ର ପଛରୁ ଜଣେ କୃଷ୍ଣକାୟ ବ୍ୟକ୍ତି କହିଲା,ଗୋଟିଏ ବିଶାଳ କାଠର ଫ୍ରେମ୍ ରେ ବନ୍ଧା ଥିବା ଗୋଟିଏ କଳାଧଳା ଫଟୋ ଆଡକୁ ଦେଖାଇ କହିଥିଲା,” ଘରକୁ ସ୍ୱାଗତ”।

ଘର ? ମନେ ମନେ ମୁଁ ହସିଥିଲି। ଫଟୋଟାରେ ଦାଗ ଦେଖାଯାଉଛି ,ମାତ୍ର ମୁଁ ତାହା ଭିତରେ ଚଉଡା ରାସ୍ତା ଆଉ କୋଠାବାଡି ଦେଖି ପାରୁଥିଲି।ଏହା ଦିନବେଳାର ଓକୋଇ ଭଳି ଦେଖାଯାଉଥିଲା।”ଘର ? ମୁଁ କେବଳ ଜଣେ ଅତିକ୍ରମକାରୀ,କିଛି ଗରମ ଖାଦ୍ୟ ଆବଶ୍ୟକ କରେ,କେଉଁଠି ରାତିଟିଏ ବିନଷ୍ଟ କରିବାକୁ

ଚାହେଁ ।”

ଲୋକଟା ଦାନ୍ତ ଦେଖାଇଲା। “ଏଇଟି ସବୁଠୁ ଭଲ ଜାଗା,ବ୍ରଦର୍। ଗୋଟିଏ ପ୍ଲେଟ୍ ଫ୍ରାଏଡ୍ ଚିକେନ୍, ପୁରଦିଆ ବିସ୍କୁଟ ଆଉ କପେ ବାମ୍ଫ ଉଠୁଥିବା କଫି ଆପଣଙ୍କର ଅପେକ୍ଷାରେ ଅଛି।”

ମୁଁ ହସିଲି। ପେଟ ଭିତରର ସମର୍ଥନ ରହିଛି।କହିଲି,”ଧନ୍ୟବାଦ।”

କାଫେ ର ଜଣେ ନିୟମିତ ଗ୍ରାହକ ,ଦେଖିବାକୁ ଭାରି ପତଳା,ମୋତେ ବାର୍ ରେ ଗୋଟିଏ ସିଟ୍ ଦେଲା।ପ୍ରକୃତରେ ସେ ବସିଥିବା ଷ୍ଟୁଲ୍ ରୁ ଉଠି ମୋତେ ସେଇଠି ବସିବାକୁ ଠାରିଥିଲା।ମୁଁ ସମ୍ମତି ଜଣାଇ ତାହାକୁ ଧନ୍ୟବାଦ ଦେଇଥିଲି।କୌଣସି ବଡ ସହରରେ ଏମିତି କେବେ ଘଟିଛି ବୋଲି ମୋର ମନେପଡିଲା ନାହିଁ, କୌଣସି କୃଷ୍ଣକାୟ ଲୋକ ବା ଆଉ କିଏ ନିଜର ସିଟ୍ ଟିକୁ ଛାଡିଦେଇ ନାହାଁନ୍ତି । କେବେ ବି।

ମନେ ମନେ ହସୁଥିବା,ସେହି ବିଶାଳକାୟ ଲୋକଜଣକ ତାହାର କହିବା ଅନୁଯାୟୀ ସତକୁ ସତ ହାତରେ ଗୋଟିଏ ପ୍ଲେଟ୍ ଫ୍ରାଏଡ୍ ଚିକେନ୍,କିଛି ବିସ୍କୁଟ ଆଉ ଗୋଟିଏ କପ  ବାମ୍ଫ ଉଠା ବ୍ଲାକ୍ କଫି ଧରି ମୋ ପାଖକୁ ଆସିଲା।ମୁଁ ତା’କୁ ଧନ୍ୟବାଦ ଦେଲି।ତାହାର ପାଖରେ ମୋର  ହାତ ଧୋଇବା ପାଇଁ ଗୋଟିଏ ଛୋଟ ସାବୁନ-ଥାଳି ଆଉ ତଉଲିଆ ରହିଥିଲା।

“ଆପଣଙ୍କୁ ଏଇ ବିସ୍କୁଟ ନିଶ୍ଚୟ ଭଲ ଲାଗିବ ।”

“କାହିଁକି ?” ହାତକୁ ସାବୁନରେ ଧୋଇ ତଉଲିଆରେ ପୋଛିବା ବେଳେ ପଚାରିଲି।

“ଏହା ବିଶେଷରେ ଆପଣଙ୍କର ଜେଜେମା ଯେମିତି ତିଆରି କରୁଥିଲେ ସେଇ ପଦ୍ଧତିରେ ହୋଇଛି  ” ସେ ମନେ ମନେ ହସୁଥିଲା।

ମୁଁ ହସିଲି ଆଉ ବ୍ୟଙ୍ଗକରି କହିଲି,”ନିଶ୍ଚୟ।” ଆଉ ବିସ୍କୁଟକୁ ଭାଙ୍ଗିଲି ।

ତାହା ମୋର ଘ୍ରାଣକୁ ବିଚଳିତ କରିଦେଲା; ଟିକିଏ ବୋଲି ଖୁଣ ନାହିଁ ।ଏଇଟି ସେଇ ନାରୀର ବିସ୍କୁଟ। ମୁଁ ତାହାପରେ ଫ୍ରାଏଡ୍ ଚିକେନ୍ କୁ ଚାଖିଲି। ବର୍ତ୍ତମାନ,ଜେଜେମା ଯେତେବେଳେ ଚିକେନ୍ ତିଆରି କରୁଥିଲା ଏହାର ସ୍ୱାଦ ଏପରି ରସାଳ ଥିଲା ଯେ ତାହାର ବାସ୍ନାକୁ ଅବିକଳ ଗ୍ରହଣକରିବା ପାଇଁ ମୁଁ ଖାଇବାବେଳେ ଆଖି ବନ୍ଦ କରି ରଖୁଥିଲି। ମୁଁ ସେପରି କଲି। ଏହା ତାହାର ଅନୁକରଣ ନୁହଁ,ଏହା ହେଉଛି ତାହାର ରାନ୍ଧଣା ।

“ଏମିତି କେବେ ହେବ ନି !” ମୁଁ ମଥାକୁ ହଲାଇ ଆଖିକୁ ଖୋଲିଦେଲି। “ମୁଁ ଏବେ କେଉଁଠି ? ମୁଁ ଜାଣେ ମୋ ଜେଜେମା ଏଇଠି ନାହିଁ ।”

ଲୋକଟା ଉଚ୍ଚହାସ୍ୟ କଲା,” ଏଇଟି ଓକୋଇ। ଇଏ କ’ଣ କୌଣସି ଘଣ୍ଟିକୁ ବାଜିବାକୁ ଦେଉନି ?”

“ନା ” ମୁଁ କହିଲି ।

“ସେ ଯାହାହେଉ ,ବିବ୍ରତ ହୁଅନ୍ତୁ ନାହିଁ ,ଆପଣ ଏଠାରେ ସୁରକ୍ଷିତ ଆଉ ସବୁବେଳେ ବି।ଆପଣ ଖାଇବା ଶେଷ କରିବା ପରେ ପରେ,ଆପଣଙ୍କର ରୁମ୍ ଆପଣଙ୍କର ଅପେକ୍ଷାରେ ରହିଥିବ !”

ସମ୍ମତିସୂଚନା ଦେଇ ମୁଁ ମୋର ଖାଇବା ଆରମ୍ଭ କଲି । କଫିପାନ କରିବା ପୂର୍ବରୁ ସେଇ ଲୋକ ଆଉ ଜଣେ ମହିଳା ପରିଚାରିକାକୁ ନିର୍ଦ୍ଦେଶ ଦେଇଥିଲା ମୋତେ ସେହି ରୁମ୍ ପର୍ଯ୍ୟନ୍ତ କଢାଇ ନେବାକୁ ଯେଉଁ ରୁମ୍ ରେ ମୋର ଆଜିର ରାତ୍ରବାସ । ସେଇ ପରିଚାରିକା ଜଣକ ହଠାତ୍ କେଉଁଠୁ ଆବିର୍ଭୂତ ହୋଇଥିଲା। ଆଖିରେ ମୋର ଟିକିଏ ଧନ୍ଦା ,ମହିଳା ଜଣକ ଚିହ୍ନା ଚିହ୍ନା ଲାଗୁଛି। ମୋର ମନେହେଉଥିଲା ସେ ଯେମିତି ମୋର କଜିନ୍,ମିଶେଲ୍।

ଷ୍ଟୁଲ୍ ରୁ ଉଠି ଠିଆ ହେଲି,ରୁମ୍ ଆଡକୁ ଚାଲିବା ବେଳେ ପଚାରିଲି,” ମୁଁ ଏଯାଏଁ ଆପଣଙ୍କ ନାଆଁ ଟି ଜାଣିପାରିଲି ନାହିଁ ?”

ବିଶାଳକାୟ ଚେହେରା ର ଲୋକଜଣକ ମନେ ମନେ ହସୁଥାଏ,”ଠିକ୍ ଅଛି,ମୋତେ ଗୋଟିଏ ଗାର୍ଜିଆନ୍ ଆଞ୍ଜେଲ୍ ବୋଲି ଧରି ନେଇ ପାରନ୍ତି ।”

ମୁଁ ହସିଲି। ମୁଁ ନିଶ୍ଚିତ ଭାବରେ ତାହାର ନମ୍ରତା କୁ ପସନ୍ଦ କରୁଥିଲି,ସହଜ ହେବା ଭଳି କିଛି କଥା ତାହାର ପାଖରେ ରହିଛି।ମହିଳା ପରିଚାରିକା ଜଣକ ର ଉଚ୍ଚତା ମଧ୍ୟମ ଧରଣର,ଗୋଟିଏ ସୁନ୍ଦର ଅଭ୍ୟର୍ଥନା କରିବା ଭଳି ଡିମ୍ବାକାର ମୁହଁର ଗଢଣ,ମୋର କହୁଣୀ ଉପରେ ହାତ ପକାଇ ମୋତେ ଶୁନଶାନ ରାସ୍ତା ଦେଇ କଢାଇ ନେଉଥାଏ।ଏହା ଠିକ୍  ଆଗଭଳି ସେମିତି ଶୁନଶାନ।

“ରାସ୍ତାରେ ଗୋଟିଏ ବୋଲି କାର୍ ଦେଖାଯାଉ

ନାହିଁ କାହିଁକି ?”ମୁଁ ପଚାରିଲି “ସବୁ ଶ୍ୱେତାଙ୍ଗ ମାନେ ଗଲେ କୁଆଡେ !”

ତାହାର ଧୂସର ଆଖିରେ ରହସ୍ୟ ଚହଟି ଗଲା। ଦେଖିଲି ସେଥିରେ ଖେଳିଯାଉଛି ଏମିତି କିଛି ଯାହା ସେ ଯେମିତି ଜାଣେ ଆଉ ତାହା ମୋର ଅଜଣା। ମୁଁ ଜାଣେ ସେଇ ପ୍ରଶ୍ନ ଗୁଡିକ ସେଇଠି ରହିଥିବ କାରଣ ଓକୋଇ ସହ ପରିଚିତ ହେବା ପରଠାରୁ ତାହା ବିଷୟରେ ଅଧିକ କିଛି ସୂଚନା ସହ ମୁଁ ପରିଚିତ ହୋଇନାହିଁ । ଆମେ  କଣ୍ଟିନେଣ୍ଟାଲ ଝରକା ଥିବା ଗୋଟିଏ ତୃତୀୟ ମହଲା ବିଶିଷ୍ଟ ଘର ଯାହାର ଦୁଇଟି କବାଟ ଥିଲା ତାହାରି ଆଗରେ ଆସି ପହଞ୍ଚିଗଲୁ। ସେ ପର୍ଯ୍ୟନ୍ତ ସେ ପଦଟିଏ କିଛି କହି ନଥିଲା। ଟାଉନ ର ଅନ୍ୟ ସ୍ଥାନ ଭଳି ଏଇଠି ବି ସବୁଆଡେ ଆଲୁଅ ଜଳୁଥାଏ। ଯଦିଓ ମୁଁ ଅଧିକ କିଛି ଜାଣିନାହିଁ,ମୋର କାହିଁକି ମନେହେଲା ଏଇ ସହର ଆଉ ଏହାର ଅଧିବାସୀ କେହି କେବେହେଲେ ବୋଧହୁଏ ଶୁଅନ୍ତି ନାହିଁ ।

“ଏଇଠି ଆପଣ ରହିବେ। ସେଇଠି ଡେସ୍କରେ ଜଣେ ବସିଛି ଯିଏ ଆପଣଙ୍କୁ ସ୍ୱାଗତ କରିବ ଆଉ ଆପଣ ଯାହା ଯାହା ଜାଣିବାକୁ ଇଚ୍ଛା କରୁଛନ୍ତି ସେ ବିଷୟରେ ଆପଣଙ୍କୁ ସାହାଯ୍ୟ କରିବ। ଆପଣଙ୍କର ରାତିଟି ଶୁଭ ହେଉ।” ଏତିକି କଥା ସେ ଉଚ୍ଚାରଣ କରିଥିଲା ଆଉ ମୁଁ ଦେଖୁଥିଲି ସେ ସେଇଠୁ ଭୋଜନାଳୟ ବା ଇଟେରୀକୁ ଫେରିଯାଉଛି ।

ମୁଁ ମୃଦୁ କଣ୍ଠରେ କହିଲି,”ଶୁଭ ରାତ୍ରୀ”।ସେ ବୁଲିପଡି ଟିକିଏ ହସିଲା ଆଉ ହାତ ହଲାଇଲା ଯେମିତି ମୁଁ ତାହାର ପଛରେ ଛିଡାହୋଇ ତାହାର କାନରେ ଏତକ କହିଛି । ମୁଁ ମଥା ହଲେଇଲି। ଓକୋଇ ନିଶ୍ଚିତ ଭାବରେ ଗୋଟିଏ ଅଦ୍ଭୁତ

ସହର । ମୁଁ ସେହି ବିଲଡିଙ୍ଗ୍ ଭିତରକୁ ପ୍ରବେଶ କଲି ।

ଲବି ସ୍ଥାନଟି  ବଡ ବଡ ଝାଡର ଆଲୁଅରେ ବେଶ୍ ଆଲୋକିତ,ଝାଡ ଗୁଡିକ ଛାତରୁ ତାରରେ ଝୁଲୁଛି।କାନ୍ଥ ସାରା ବେଶ୍ ବଡ ବଡ ପେଣ୍ଟିଙ୍ଗ୍ ଆଉ ସବୁଗୁଡିକରେ କେବଳ ଆଫ୍ରିକାର  ବର୍ଣ୍ଣନା। ମୁଁ ତାହା ଭଲ ଭାବରେ ଧରିପାରିଲି, ଏହି ମହାଦେଶର ପ୍ରାକୃତିକ ଦୃଶ୍ୟରାଜିକୁ ମୁଁ ମୋର  ବ୍ୟକ୍ତିଗତ ଭ୍ରମଣ କାରଣରୁ ବେଶ୍ ଚିହ୍ନିପାରେ । ଲାଭେଣ୍ଡର ର ବାସ୍ନା ବିଲଡିଙ୍ଗ ସାରା ଖେଳିବୁଲୁଛି। ଚାରିଆଡେ ଜଳୁଥିବା ଧୂପକାଠିରୁ ଏମିତି ବାସ୍ନା ଆସୁଛି ବୋଲି ମୋର ମନକୁ ଆସିଲା। ପ୍ରଶସ୍ତ ଲାଉଞ୍ଜ ଚେୟାର ଆଉ ପଟ ଗୁଡିକରେ ସ୍ଥାନୀୟ ବୁଦା ଲତା ଇଲାକାଟିକୁ ଗହଳି କରିଦେଇଛି। ଗୋଟିଏ ପାଖରେ ଗୋଟିଏ ଏଲିଭେଟର୍ ରହିଛି ଆଉ ସେଇଠି ଛିଡା ହୋଇଛି ଜଣେ ପତଳା ଲୋକ। ମଥାରେ କେଶ ନାହିଁ ,ମୁହଁ ରେ ଅଛି ଛେଳିଦାଢୀ। ତାହାର ଗଭୀର କୃଷ୍ଣ ଆଖିରେ ସେ ଯେମିତି ମୋତେ ଦେଖୁଥିଲା ସେଥିରୁ ମୋର ମନେହେଲା ଯେମିତି ତାହା ଭିତରେ କିଛି ନା କିଛି ରହିଛି। ସେ ନିହାତି ପରିଚିତ ପରି ମନେ ହେଲା। ଇଏ ଆଉ ଜଣେ ଏମିତି ଲୋକ ଯାହା ସହିତ ମୋର କିଛି ସଂପର୍କ ରହିଛି,ମୁଁ ସଠିକ ସ୍ଥିର କରି ପାରୁନି ।

ଅଙ୍କଲ ସିଦ ?

ଉଗ୍ର ନିଶାର ଆବଶ୍ୟକ ହେଲେ ଯାହାକୁ ଆମେ ସମସ୍ତଙ୍କ ଆଗରେ ସମ୍ବୋଧନ କରିଥାଉ ଅଙ୍କଲ ସିଦ ,ଅସଲରେ ଏହା ଏକ ସଂକେତ ଭାଷା।

“ଶୁଭ ରାତ୍ରୀ ସାର୍। ବ୍ଲାକ୍ ୱାଲ୍ ଷ୍ଟ୍ରୀଟ୍ ହୋଟେଲ୍ କୁ ସ୍ୱାଗତ ” ସେ ଟିକିଏ ଉଚ୍ଚ ଗଳାରେ କହିଲା,ତାହାର କହିବାରେ କିନ୍ତୁ ବେଶ୍ ଉଷ୍ମତା ଥିଲା,” ଆପଣ ଓଭରନାଇଟିଙ୍ଗ୍ କରୁଛନ୍ତି,ଠିକ୍ ତ ?”

ଓଭରନାଇଟିଙ୍ଗ୍ ର ଅର୍ଥ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରାତିଏ ରହିବା । ମୁଁ ତାହାର କଥାକୁ ସମର୍ଥନ କରି କହିଲି,” ହଁ ,ଠିକ୍ ।”

“ଚମତ୍କାର”। ସେ ଆନନ୍ଦରେ ନିଜର ହାତରେ ତାଳି ଦେଲା,ଗୋଟିଏ ରେଜିଷ୍ଟର ଆଉ ଗୋଟିଏ ପେନ୍ ସେ ମୋ ଆଡକୁ ବଢାଇଦେଲା । ଦେଖିବାକୁ ସେଇଟି ଯେମିତି କେଉଁ ପ୍ରାଚୀନ କାଳର । ଏକ ସ୍ମୃତି ଅବଶେଷ। ମୋର ମନେ ପଡିଲା ନାହିଁ ଶେଷଥର ଏମିତି କେଉଁ ହୋଟେଲ୍ ର ରେଜିଷ୍ଟରରେ ମୁଁ ସନ୍ତକ କରିଥିଲି। “ଆମେ ଆପଣଙ୍କୁ ତୁଲସା ସୁଇଟ୍ ରେ ରଖୁଛୁ !”

ମୁଁ ମନେ ମନେ ହସିଲି। “ସୁଇଟ୍ ? ମୋର ଦରକାର କେବଳ ଗୋଟିଏ ଘର ଆଉ ଗୋଟିଏ ଶେଜ । ବାଃ ବାଃ ମିଷ୍ଟର ?” ମୁଁ ଇଚ୍ଛାକୃତ ଭାବରେ ଚାହୁଁଥିଲି ବାକିଟା ସେ ଯେମିତି ପୂରଣ କରେ । ସେ କରିଲା ନାହିଁ ।” ମୁଁ ନିଶ୍ଟିତ ଯେ ଆଗରୁ ଏଇ ସହର ବିଷୟରେ ମୁଁ କିଛି ଶୁଣିନଥିଲି …”

ଲୋକ ଜଣକ ହସହସ ମୁହଁରେ କହିଲା,” ଅଳ୍ପ କିଛି ମାତ୍ର ଆପଣଙ୍କ ଭଳି ଅନେକେ ଅଛନ୍ତି । ମୁଁ ଆପଣଙ୍କୁ ତୁରନ୍ତ ଏକ ସଂକ୍ଷିପ୍ତ ଇତିହାସ ପାଠ ପ୍ରଦାନ କରିବି।” ସେ କିଛି ସମୟ ଅଟକି ଗଲା ,ତାହାପରେ ବୁଝାଇବାକୁ ଲାଗିଗଲା।”ନଭେମ୍ବର ୧୯୨୦,ପାଞ୍ଚ ଶହ ଅଧିବାସୀ ବିଶିଷ୍ଟ ଏକ ସହର। କୃଷ୍ଣକାୟ ମାନଙ୍କ ଉତ୍କର୍ଷ ସ୍ଥଳ,ଲୋକମାନେ ବିକାଶ କରୁଛନ୍ତି,ଆଉ କାମନା କରୁଛନ୍ତି ସେମାନଙ୍କର ସର୍ବୋତ୍ତମ ଜୀବନଧାରଣଟି ଏଇଠି ଯେମିତି ସମ୍ଭବପର ହୁଏ।ଦୁର୍ଭାଗ୍ୟବଶତଃ ,ସେମିତି କିଛି ହେଲା ନାହିଁ । ଦୁଇ ଭାଇଙ୍କୁ  ଶ୍ୱେତାଙ୍ଗମାନଙ୍କର ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ପଡିଥିଲା। ଶ୍ୱେତାଙ୍ଗମାନଙ୍କ ଭିତରୁ ଦିଜଣ ପ୍ରାଣ ହରାଇଥିଲେ। ଏହି ନରସଂହାରରେ,ସାରା ସହର ଜଳି ପାଉଁଶ ହୋଇଗଲା  ଏବଂ ଏହାର ସେହି ପାଞ୍ଚଶହ ଅଧିବାସୀ ମୃତ୍ୟୁବରଣ କଲେ ଅଥବା ବହିଷ୍କୃତ ହୋଇଗଲେ। ବିଶେଷ ମାପର ଏକ ନରହତ୍ୟା ।”

ମୁଁ ଶୁଣୁଥିଲି ,ଛାତିରେ ଆଘାତ ହେଉଥାଏ। “ମୁଁ ଏକଥା ଜାଣିନାହିଁ,”ମୁଁ ନିଜକୁ ନିଜେ କହିଲି,” ମୁଁ ..ମୁଁ ବିଶେଷ ଭାବରେ ଦୁଃଖିତ । ତାହାହେଲେ କ’ଣ ସହରଟି ନୂଆ ଭାବରେ ତିଆରି ହୋଇଛି ?”

” ଠିକ୍ ଅଛି,ଆମେ ଏହାକୁ ଅତିକ୍ରମ କରି ପାରିଛୁ” ଲୋକ ଜଣକ ଗୋଟିଏ ଫିକା ହସ ହସି ମୋ ହାତକୁ ଗୋଟିଏ କାର୍ଡ-କି ବଢାଇଦେଲା। କୌଣସି ଚାବି ନୁହଁ କାର୍ଡ-କି କୁ ପଞ୍ଚ୍ କଲେ ଘରର କବାଟ ମୋ ପାଇଁ ଖୋଲିଯିବ । ହୋଟେଲ୍ ର ସେଇ ଗେଷ୍ଟବୁକ୍ ବା ରେଜିଷ୍ଟର୍ ର ତୁଳନାରେ ଏଇଟି ବଡ ଅଦ୍ଭୁତ,ଏଇ ଦୁଇଟି ଯାକ ପରସ୍ପର ସହିତ ଅସଂଗତ । ” ଆମେ ଆପଣଙ୍କୁ   କେତେବେଳେ ଉଠାଇବାକୁ ଆପଣ ଚାହୁଁଛନ୍ତି ,ସାର୍ ?”

“ଠିକ୍ ଅଛି ” ମୁଁ ଉତ୍ତର ଦେଲି,ଏଲିଭେଟର୍ ,

ଆମେରିକାନ ମାନେ ଚଳନ୍ତା ସିଡିକୁ ଏଲିଭେଟର୍ ବୋଲି କହିଥାନ୍ତି ,ଆଡକୁ ଆଗେଇ ଯିବାବେଳେ କହିଥିଲି,” ମୋ ମଥାରେ ଆଲାର୍ମ ଘଢି ରହିଛି ,ସେ ମୋତେ ଠିକ୍ ଉଠାଇଦେବ।”

ଲୋକ ଜଣକ ଉପଯୁକ୍ତ ସୌଜନ୍ୟ ଭାବଭଂଗୀରେ ବାଧ୍ୟ କରିବା ଭଳି କହିଲା,” ଏହା ଆମର ସୌଭାଗ୍ୟ ସାର୍।”

“ଠିକ୍ ଅଛି,ତମେ ଯଦି ବାଧ୍ୟ କରୁଛ, ସକାଳ ୭ଟା।” ଅକୃତଜ୍ଞ ନହେବା ଭଳି ମୁଁ କହିଲି। କବାଟ ଦୁଇଫାଳ ହୋଇ ଖୋଲିଗଲା । ମୁଁ ପ୍ରବେଶ କଲି।

“ଶୁଭରାତ୍ରୀ,ମୁଁ ଏଯାଏଁ ତମର ନାଆଁକୁ ଧରିପାରିଲି  ନାହିଁ ?” ସେ ହାତ ହଲେଇଲା ଆଉ ହସିଲା,କବାଟଟି ସେତେବେଳେ ବନ୍ଦ ହୋଇ ଆସୁଥାଏ ।

ତୃତୀୟ ମହଲାରେ ,ଏଲିଭେଟର୍ ଠାରୁ ଚାରିଟି କବାଟ ଛାଡି ମୋ ରୁମ୍,ନିହାତି ଗୋଟିଏ ସୁଇଟ୍।ମୋର କୌତୁହଳ ହେଲା ଆଖପାଖ ରୁମ୍ ରେ ରହୁଛି କିଏ ! ଆଫ୍ରିକୀୟ ପ୍ରାକୃତିକ ଦୃଶ୍ୟ ସମ୍ଭାର ,ସ୍ଥାନୀୟ ଲତାବୁଦା ଆଉ ଜୀବଜନ୍ତୁଙ୍କ ପେଣ୍ଟିଙ୍ଗରେ କାନ୍ଥ ଭର୍ତ୍ତି , ରୁମ୍ ଟିର  ସାଜସଜ୍ଜା ନିହାତି ବ୍ୟୟବହୁଳ । ଅଧିକ ଲାଭେଣ୍ଡର ର ବାସ୍ନା। ରୁମ୍ ର ମଝିରେ ପଡିଥିବା କଫି ଟେବୁଲର କାଚ ରହିଥିବା ଉପରିଭାଗରେ ରହିଛି ଗୋଟିଏ ରୂପାର ଆଇସ୍-ବକେଟ୍ ଆଉ ସେହି ଆଇସ୍-ବକେଟ୍ ରେ ଥିବା ବରଫର ମଝିରୁ ଉଙ୍କିମାରୁଛି ଗୋଟିଏ କଳା ବୋତଲ। ଦ୍ୱିତୀୟ ଥର ପାଇଁ ,ସେହି ସନ୍ଧ୍ୟାରେ ,ମୋତେ ଦମବଦ୍ଧ ହେବାପରି ଲାଗିଲା। ଯୋତାର ଲେସ୍ ଖୋଲି ମୁଁ ଶେଜରେ ବସିଲି,ମୋ ଉପରେ ଯେମିତି ଟ୍ରକଭର୍ତ୍ତି କ୍ଳାନ୍ତି ଅଜାଡି ହୋଇ ପଡିଲେ ଆଉ ତାହାର ପରର କଥା ମୁଁ ଜାଣେ ମୁଁ ଅଚେତନ ହୋଇପଡିଲି,ଦେହରେ ମୋର ପୂରା ପୋଷାକ ଥିଲା। ମସୃଣ ଶେଜ ମୋତେ ସଂପୂର୍ଣ୍ଣ ଭାବରେ ଆତ୍ମସାତ କରିନେଲା ଆଉ ମୁଁ ସେହି ସୁରକ୍ଷିତ ପ୍ରଶାନ୍ତିରେ ସମାହିତ ହୋଇପଡିଲି। ମୋର ନିଦ ସବୁଠାରୁ ଗାଢ ସବୁଠାରୁ ଶାନ୍ତ ,ମୋର ଜୀବନ ଭିତରେ । ସେଇଠି କୌଣସି ଦୁଃସ୍ୱପ୍ନର ଯୁଦ୍ଧ ନଥିଲା।

କିଏ ଜଣେ ମୋତେ ହଲାଇ ଦେଲା ଆଉ ମୁଁ ଆସ୍ତେ ଆଖି ଖୋଲି ଚାରିଆଡକୁ ଚାହିଁଥିଲି। ମୋତେ ଘଡିଏ ଲାଗିଲା ଜାଣିବାକୁ ଯେ ମୁଁ ଏଇଲେ ଅଛି କେଉଁଠି । ମୁଁ ହଠାତ୍ ଉଠି ବସିଲି,ଏପାଖ ସେପାଖ ଚାହିଁଲି। ଏମିତି ହେବାର ନୁହଁ । ମୁଁ ମୋ କାର ରୁ ବାହାରକୁ ଦେଖୁଛି,ବାହାରର ଅନୁର୍ବର ଭୂଭାଗ। ସେଇଠି କୌଣସି କୋଠାବାଡି ନାହିଁ,ନାହିଁ କୌଣସି କୃଷ୍ଣକାୟର ହସ ହସ ମୁହଁ ,କେବଳ ଗୋଟିଏ ସୂର୍ଯ୍ୟ ତାହାର ମନ୍ଥର ପାଦରେ ନୀଳ ଆକାଶକୁ ଆରୋହଣ କରୁଅଛି ଆଉ ଧୂଳୀର ସଇତାନମାନେ ନାଚୁଛନ୍ତି ଧୂସର ପୃଥ୍ୱୀର ଉପରେ।

ମୁଁ ମୋର ଆଖିକୁ କେତେଥର ଖୋଲିଲି ଆଉ ବନ୍ଦ କଲି । କୌଣସି ପରିବର୍ତ୍ତନ ନାହିଁ ।ମୁଁ ସ୍ୱପ୍ନ ଦେଖୁନାହିଁ । ମୁଁ ଘଣ୍ଟାକୁ ପରୀକ୍ଷା କଲି : ଘଣ୍ଟାରେ ବାଜିଛି:ସକାଳ ୭ .୦୧ । ମୋ ନାକରେ ଏକ ବିଶେଷ ପ୍ରକାର ବାସ୍ନା ବାଜିଲା ଆଉ ମୁଁ ତାହା କେଉଁଠୁ ଆସୁଛି ଖୋଜିବାକୁ ଲାଗିଲି। ମୁଁ ଏଇ ବାସ୍ନା ସହ ପରିଚିତ । ଏହା ସେଇଠୁ ମୋ ପଛରେ ଥିବା ପାସେଞ୍ଜର ସିଟ୍ ରୁ ଆସୁଛି ,ସେଇଠି ଥିବା ଗୋଟିଏ ଧୂସର ପେପର୍-ବ୍ୟାଗରୁ ଆସୁଛି। ସେଇଠି ସେଇ ବଡ ଆଇଟମ୍ ଟି ଅଛି ,ତାହା ବି ଗୋଟିଏ ଧୂସର କାଗଜରେ ଗୁଡାଯାଇଛି ।

ମୁଁ ସେଇ ବ୍ୟାଗ୍ କୁ ଖୋଲିଲି ,ଏବଂ ଫ୍ରାଏଡ୍ ଚିକେନ୍ ର ବାସ୍ନା ଫୁଟି ଉଠିଲା । ବ୍ୟାଗ୍ ରେ ଯାହା ଯାହା ଥିଲା ତାହାକୁ ଗୋଟିକ ପରେ ଗୋଟିଏ ସେଇ ବ୍ୟାଗରୁ  ବାହାର କଲି : ଗୋଟିଏ ମୋଟା ଧଳା ରଙ୍ଗର କାର୍ଡ ର କପ୍ ସେଥିରୁ କଫିର କଡା ବାସ୍ନା ଆସୁଥାଏ  ଆଉ ଗୋଟିଏ ଧଳା କାର୍ଡ ବୋର୍ଡ ବାକ୍ସରୁ ଫ୍ରାଏଡ୍ ଚିକେନର ବାସ୍ନା ଆସୁଥାଏ  ଆଉ ସେଥିରେ ବି ଥିଲା କିଛି ବିସ୍କୁଟ । ମୁଁ ଟିକିଏ ଧଇଁସଇଁ ହୋଇ ପଡିଲି,ସେଇ ଇଲାକାକୁ ଟିକିଏ ଛାନଭିନ୍ କଲି ,ସେତେବେଳେ ମୋର ଜିପିଏସ୍ ଅନ୍ ରହିଥିଲା। ଜିପିଏସ୍ ବୁଟିଙ୍ଗ୍ ହେଉଥିବା ବେଳେ ମୁଁ ସେହି ବଡ କାର୍ଡର ବାକ୍ସକୁ ଚିରିଦେଲି। ମୁଁ ମୋର ଜିପିଏସ୍ କୁ ଦେଖୁଥାଏ ,ମାଇଲ ମାଇଲ୍ ଧରି କିଛି ସେଥିରେ ଦେଖାଉନାହିଁ । ବ୍ଲିପ୍ ନାହିଁ କି କୌଣସି ସଲିଡ୍ ଡଟ୍ ନାହିଁ । ସହର ନାହିଁ । ଓକୋଇ ନାହିଁ। ମୁଁ ନିଃଶ୍ୱାସକୁ ଚାପି ଧରି ମୁଁ ଗୋଟିକ ପରେ ଗୋଟିଏ ସେଇ ଧୂସର କାଗଜକୁ ଚିରି ଚାଲିଥିଲି। ଗୋଟିଏ ବଡ କାଠର ଫ୍ରେମ୍,ତାହାର ଭିତରେ ଗୋଟିଏ ଫଟୋ,ଫଟୋରେ ବିନ୍ଦୁବିନ୍ଦୁ ଦାଗ । ମୁଁ ଚିହ୍ନିପାରିଲି ସେଇ ଚଉଡା ରାଜରାସ୍ତା ଆଉ କୋଠାବାଡିକୁ ଆଉ  ଦେଖିପାରିଲି ଅନ୍ୟ କିଛି ଯାହା ଗଲା କାଲିର ରାତିରେ ଦେଖି ହୋଇନାହିଁ। ଲୋକମାନେ ନିଜ ନିଜର ଦୋକାନ ସାମ୍ନାରେ ମୁଁ ଗାଡି ଚଳାଇ ଗଲାବେଳେ ଠିଆ ହୋଇଥାନ୍ତି; ସେମାନଙ୍କ ଦୃଷ୍ଟି ଗୋଟିଏ ଦିଗରେ,କ୍ୟାମେରା ଆଡକୁ,ମୋ ଆଡକୁ। ଜଣେ ଚାହୁଁଛି,ଗୋଟିଏ ସମ୍ମିଳିତ ଚାହାଁଣୀ । ଠିକ୍ କେନ୍ଦ୍ରସ୍ଥଳରେ ,ଜୋଏ ହୋମଷ୍ଟାଇଲ୍ ଇରେରୀ ର ସାମ୍ନାରେ ଠିଆ ହୋଇଛି ସେହି ବିଶାଳ କୃଷ୍ଣକାୟ ଜଣକ। ତାହାର ଦୃଷ୍ଟି ମୋ ଉପରେ ନିବଦ୍ଧ,ସେ ଗୋଟିଏ ହାତକୁ ଏମିତି ଧରି ରଖିଛି ଯେମିତି ସେ ହଲାଉଛି ତାହାକୁ ମୋ ଉଦ୍ଦେଶ୍ୟରେ।

ମୁଁ ଫ୍ରେମ୍ କୁ ଓଲଟାଇଦେଇ ପଛପଟକୁ ଦେଖିଲି।ଚାରିଆଡ ସମତଳ ହେଲେ ଡାହାଣପଟର ତଳକୁ ଟାଇପ୍ କରିଥିବା କଳାକାର ଜଣକ ସେଇ ଛବିର ବା ଫଟୋର ବର୍ଣ୍ଣନା ଦେଇଛି। ସେଇଠି ଲେଖାହୋଇଛି : ଓକୋଇ, ୧୯୧୯। ଜୋଏ ମାକଲଡ୍,ଓକୋଇ ର ମେୟର ତାଙ୍କର ନୂତନ ଭାବରେ ଗଢାଯାଇଥିବା ଦୋକାନ ଆଗରେ ଛିଡା ହୋଇଛନ୍ତି । ଓକୋଇ ର ଅଧିବାସୀ…ଏଇ ଭଳି ଏଇ ଲେଖାର ପାଠ ତାହାପରେ କହିବାକୁ ଯାଉଛି

ଯେ, ମାକଲଡ୍ ବଂଶ ଏଇ ସହରର ସବୁଠାରୁ ସମ୍ମାନୀତ ପରିବାର ଥିଲେ। ମୁଁ ଥରିବାକୁ ଲାଗିଲି।ବର୍ତ୍ତମାନ ମୁଁ ଜାଣିପାରିଲି କାହିଁକି ସେଇଠି ଗୋଟିଏ ସାମଞ୍ଜସ୍ୟ ସବୁବେଳେ ରହିଆସିଥିଲା। ଏହା ସହିତ ମୁଁ  ମୋର  ସାରାଜୀବନ ବଢି ଆସିଛି। ପାରିବାରିକ ସୂତ୍ରରେ ଏକାଠି ହେଲାବେଳେ ମୁଁ ଏହା ଅନୁଭବ କରିଛି। ପରିବାରର ବୟସ୍କମାନେ ମୋତେ ଆଲିଙ୍ଗନ କଲାବେଳେ ମୁଁ ଏହା ଅନୁଭବ କରିଛି। ଏଇ ସହରର ସ୍ୱାଗତବେଳାରେ ଏହା ରହିଥିଲା ,ଏହି ଚିହ୍ନାଜଣା ରହିଥିଲା । ଏହା ମୋର ଡିଏନ୍ଏ ରେ ଅଛି,ସେହି ବିଶେଷ ଏକକ ଯାହା ସମୟ ଏବଂ ଶୂନ୍ୟତାକୁ ପାର କରି ଯାଇଛି।ସେମାନେ ସମସ୍ତେ ମୁଁ ,ମାକଲଡ୍ ମୋର ସାଙ୍ଗିଆ,ଶେଷ ନାମ।

ମୁଁ କାର୍ ରେ ବସି ଗଲି,ମୁହଁକୁ ହାତରେ ଢାଙ୍କିଦେଲି ଆଉ ମନ ଭରି କାନ୍ଦିଲି।

°°°°°

Jamaican writer Kwame McPherson has won the Commonwealth Short Story Prize 2023 for his story ‘Ocoee’.

ଓକୋଇ ଶୀର୍ଷକରେ କୁଆମେ ମାକଫରସନ୍ ଙ୍କ ଲିଖିତ ଏହି କାହାଣୀ ଟି ଏଇ ସମୟର ଏକ ଚର୍ଚ୍ଚିତ କାହାଣୀ । ଚଳିତ ମାସ ଅର୍ଥାତ୍ ୨୯ ଜୁନ୍ ୨୦୨୩ ରେ ସମ୍ମାନଜନକ ପାଞ୍ଚ ହଜାର ପାଉଣ୍ଡର ପୁରସ୍କାର ରାଶି ବିଶିଷ୍ଟ  କମୱେଲଥ୍ ପ୍ରାଇଜ୍ ୨୦୨୩ର ପ୍ରାପକ ହେଉଛି ଏଇ “ଓକୋଇ”। କମନ ୱେଲଥ୍ ପ୍ରାଇଜ୍ ବର୍ଷକୁ ଥରେ ଆନ୍ତର୍ଜାତିକ ସ୍ତରରେ ଗୋଟିଏ କାହାଣୀକୁ ଦିଆଯାଇଥାଏ।

ଏହି କାହାଣୀର ଅନୁସୃଜନ ଏଇଥିପାଇଁ ଯେ ଏଥିରୁ ଆମେ ସମକାଳର ତରୁଣ କାହାଣୀକାରର କାହାଣୀ ସଂରଚନାକୁ ଆମ ସଠିକ ବୁଝିବାକୁ ସମର୍ଥ ହୋଇ ପାରିବା

କୁଆମେ ମାକଫରସନ୍ ଜଣେ ଜାମାଇକା ଜନ୍ମିତ କଥାକାର।

ଏଇ କାହାଣୀରେ ଚରିତ୍ରର ସ୍ଥିର ରୂପକୁ ଏକ ଅଲୌକିକ ଆଧାର ଦେବାର ପ୍ରୟାସରେଛ ବିଫଳତାକୁ ପ୍ରତିଭାଷିତ କରାଯାଇଛି। ସଫଳତାର ବଖାଣ ସବୁବେଳେ ସହଜ ମାତ୍ର ବିଫଳତାକୁ ସଫଳତା ଭଳି କହିପାରିବା କେବଳ ଜଣେ ଦକ୍ଷ କାହାଣୀକାର ପକ୍ଷରେ ସମ୍ଭବ।

ସ୍ଥାନ ଆଉ କାଳ କୁ ଜଣେ ଅତିକ୍ରମ କରିପାରେ ଆଉ  ତାହାର ସ୍ଥି

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →