ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ
ଏଡୱାର୍ଡ ର ଗଳ୍ପଟା ତାହାର ବଡଭାଇର ଛୋଟ ଘରଟି ଠାରୁ ସାହସ କରି ଆରମ୍ଭ କରି ପାରେ।ତା’ର ବଡଭାଇ କାଉଚ୍ ରେ ଶୋଇ ଏଡୱାର୍ଡକୁ କହେ, “ବୁଢୀଟାକୁ ପଚାରେ,ଏଥିରେ ଭାବିବାର କିଛି ନାହିଁ , ସିଧା ଯା, ଝିଅଟା ସହ କଥା ହ। ଝିଅଟା ସତକୁ ସତ ଗୋଟେ ଘୁଷୁରି , ହେଲେ ମୁଁ ଭାବୁଛି ଏଇ ଭଳିକା ଜୀବର ବି କିଛି ଚେତନା ଥାଏ । କାରଣ ଥରେ ସେ ମୋ ଉପରକୁ ମଇଳା ଫୋପାଡିଥିଲା,ବର୍ତ୍ତମାନ ସେ ହୁଏତ ଖୁସୀ ହୋଇପାରେ ଯେ ତୁ ତାହାକୁ ଅତୀତର ସେଇ ଭୁଲ୍ ଟିକୁ ସୁଧାରିବାକୁ ସୁଯୋଗଟିଏ ଦେଉଛୁ।”
ଏଡୱାର୍ଡର ଭାଇ ସବୁବେଳେ ସେମିତି : ତାହାର ପ୍ରକୃତି ଚରିତ୍ର ସବୁ ଭଲ ହେଲେ ସେ ବଡ ଅଳସୁଆ। ସେ ହୁଏତ ସେଇ କାଉଚରେ ଏଇ ଭଳି ହଲି ଦୋହଲି ଆରାମ ଖାଇ ଆସୁଛି ତାହାର ପାଠପଢା ଦିନରୁ , ଯେତେବେଳେ କି କିଛି ବର୍ଷ ଆଗରୁ (ଏଡୱାର୍ଡ ସେତେବେଳେ ଗୋଟିଏ ଛୋଟ ପିଲା), ସେ ସେହି କାଉଚ ଉପରେ ଶୋଇ ନିର୍ଦ୍ଧୁମ ଘୁଂଘୁଡି ମାରୁଥିଲା, ସେଇ ଦିନଟିରେ ବି ଯେଉଁଦିନ ଷ୍ଟାଲିନ୍ ଙ୍କର ମୂତ୍ୟୁ ହୋଇଥିଲା। ତାହାର ପରଦିନ , ତଥାପି ସେଇ ସମ୍ବାଦଟି ତାହାର ଅଗୋଚର,ସେ ଅପ୍ରତ୍ୟାଶିତ ଭାବରେ ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟରେ ପହଞ୍ଚିଯିବାପରେ ସହପାଠୀ ମାନଙ୍କର ନଜରରେ ପଡେ । ତାହାର ଜଣେ ସାଥି, କମ୍ରେଡ୍ ଚେକହିଖୋଭା , ହଲ ଘରର ଠିକ୍ ମଝିରେ ହଲଚଲ ହେଉନଥିବା ଗୋଟିଏ ବେଦନାର ମୂର୍ତ୍ତିମତୀ ଭଳି ଛିଡା ହୋଇଥାଏ । ଏଡୁୱାର୍ଡର ବଡଭାଇ ତିନିଥର ତାହାର ଚାରିପଟେ ଚକ୍କର ଲଗାଇଥିଲା ଆଉ ତାହାପରେ ଫେଁ କିନା ଜୋର୍ ରେ ହସି ଉଠିଥିଲା। ସେହି ଝିଅଟି ତାହାର ଏଇ ଭଳି ରାଜନୈତିକ ଅଭଦ୍ରତାର କାରଣରୁ ତାହାକୁ ପରିତ୍ୟାଗ କରେ। ଏହାପରଠାରୁ ଏଡୱାର୍ଡର ବଡ ଭାଇ ଗାଆଁରେ ଗୋଟିଏ ଛୋଟ ଘର , ଗୋଟିଏ ପତ୍ନୀ , ଦୁଇଟି ସନ୍ତାନ ସହ ଏପର୍ଯ୍ୟନ୍ତ ବସବାସ କରି ଆସୁଛି ।
ଏଇ ଗାଆଁ ର ଘରେ କାଉଚ ଉପରେ ଶୋଇ ସେ ଏଡୱାର୍ଡକୁ କହେ,” ଆମେମାନେ ତା’କୁ କହୁଥିଲୁ ଶ୍ରମଜୀବୀ ସମାଜର ଯନ୍ତ୍ରଣା ଭିତରୁ ସେ ଉଠି ଆସିଛି ।ଏହାକୁ ନେଇ ତୋତେ ଭାବିବାକୁ ହବ ନି।ଆଜିକାଲି ସେ ଅବଶ୍ୟ କମ୍ ବୟସୀ ମାନଙ୍କ ଆଡକୁ ଝୁଙ୍କିଛି । ସେ ତୋ ସହିତ ଦେଖା କରିବାକୁ ଚାହିଁବ ।”
ଏଡୱାର୍ଡ ଏଇ ସମୟରେ ବେଶ୍ ତରୁଣ।ଏଇ ମାତ୍ର ସେ ଶିକ୍ଷକମାନଙ୍କ କଲେଜ ରୁ ଗ୍ରାଜୁଏଟ୍ ହୋଇ ବାହାରି ଆସିଛି ( ଯଦିଓ ତାହାର ବଡଭାଇ ତାହାର ପାଠପଢା ଶେଷ କରିପାରିନାହିଁ ।) ଆଉ ଚାରିଆଡେ କାମ ଖୋଜି ବୁଲୁଛି । ପରଦିନ ବଡଭାଇ କହିଲା ଭଳି ସେ ଡାଇରେକଟର୍ ଙ୍କ କବାଟରେ ଧକ୍କା ଦେଇଥିଲା । ଦେଖିଲା ଗୋଟିଏ ଲମ୍ବା, ନିହାତି ପତଳା, ଚକଚକ କଳା କେଶ , କଳା ଆଖିର ଜଣେ ମହିଳାଙ୍କୁ । ତାହାର କୁତ୍ସିତ ଚେହେରା ଆଉ ମହିଳାସୁଲ ଲଜ୍ଜାର ଅଭାବ ଯୋଗୁ ସେ ପଛେଇ ପଡୁଥିଲା। ପୁଣି ଅଶ୍ୱସ୍ତିକୁ ଦୂରକରିବାକୁ ଯାଇ ଖୋଲାମେଲା ଭଙ୍ଗୀରେ ନରମ ସୁରରେ କଥା କହିବାକୁ ଆରମ୍ଭ କରିଥିଲା ସେ। ଡାଇରେକ୍ଟର ତାହାର କଥା କହିବାର ଭଂଗୀରେ ଖୁସୀ ହୋଇ କହିବାକୁ ଲାଗିଲେ, “ଆମର ଅଳ୍ପବୟସୀ ଲୋକ ଦରକାର।” ଆଉ ତାହା ପାଇଁ କାମ ଖୋଜି ଦେବାର ପ୍ରତିଶ୍ରୁତି ଦେଇଥିଲେ ।
୨
ଛୋଟ ବୋହେମିଆ ସହରରେ ଏଡୱାର୍ଡ ଥିଲା ଜଣେ ଶିକ୍ଷକ । ଘଟଣାଟି ତାହାକୁ ସୁଖୀ ଅଥବା ଦୁଃଖି ସେମିତି କିଛି କରିଲା ନାହିଁ। ସାରାକ୍ଷଣ ତାହାର ଚେଷ୍ଟା ରହିଲା କିଏ ଗୁରୁତ୍ୱପୂର୍ଣ୍ଣ ଆଉ କିଏ ଗୁରୁତ୍ୱପୂର୍ଣ୍ଣ ନୁହଁ ଏଇ ବିଚାର । ଫଳରେ ତାହାର ଶିକ୍ଷକତାର ଜୀବନ ଅ-ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲା। ଯଦିଓ ଶିକ୍ଷକତାର ପେଶାଟିର ସେମିତି କିଛି ଗୁରୁତ୍ୱ ନାହିଁ ,ଆଉ ଏଇ କାମ କରି ତାହାକୁ ଦି ମୁଠା ଆହାର ମିଳିବ (ଜୀବନଧାରଣ ନିମନ୍ତେ ଅନ୍ୟ କୌଣସି କାର୍ଯ୍ୟ ତାହାକୁ ଜଣା ନାହିଁ ) କିନ୍ତୁ ତାହାର ସତତା ନିମନ୍ତେ ସେ ଅ-ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଲା। ସାମାଜିକ କାରଣରେ ,ଆଉ ପାର୍ଟି ରେକର୍ଡ ନିମନ୍ତେ , ତାହାର ହାଇସ୍କୁଲ ସାର୍ଟିଫିକେଟ୍ ର ଜୋର୍ ରେ ସେ ନିର୍ବାଚିତ ହୋଇଛି। ଏହାର ସମସ୍ତ ଯୋଗାଯୋଗକାରୀ ଅନୁସର୍ଗ ଶକ୍ତି ଗୁଡିକ ପରିଶେଷରେ ତାହାକୁ ଏକପ୍ରକାରେ ଫୋପାଡି ଦେଇଛି (ଯେମିତି ଗୋଟିଏ କ୍ରେନ୍ ବସ୍ତାଟିକୁ ଫୋପାଡି ଦେଇଥାଏ ଟ୍ରକର ଉପରେ) ହାଇସ୍କୁଲ୍ ଠାରୁ ଆରମ୍ଭ କରି ଟିଚର୍ସ କଲେଜ୍ ଯାଏଁ। ସେ ସେଠିକୁ ଯିବାକୁ ଚାହୁଁନଥିଲା ( ବଡଭାଇ ର ବିଫଳତା ଏକ ଅଶୁଭ ସଂକେତ ଥିଲା)। ଶେଷରେ ସେ ବୁଝିପାରିଥିଲା ଶିକ୍ଷକତାର ପେଶାଟି ତାହାର ଜୀବନ ପକ୍ଷରୁ ସମ୍ଭାବନାମୟ। କିଛି ପରିମାଣରେ ହାସ୍ୟକର ହେଲେ ବି ସେ ଗୋଟିଏ ନକଲି ଦାଢୀ ଲଗାଇଥିଲା।
ଯଦିଓ ପେଶାଗତ ଭାବେ ଦାୟିତ୍ୱ ଖୁବ୍ ଗୁରୁତ୍ୱପୂର୍ଣ୍ଣ ନଥିଲା (ହସର କଥା ନୁହଁ, ଏଇଟା ଘଟଣା)। ନୂତନ କାମର ସ୍ଥାନରେ ଖୁବ୍ ଶିଘ୍ର ଏଡୱାର୍ଡ ଗୋଟିଏ ସୁନ୍ଦରୀ ଝିଅକୁ ଖୋଜି ପାଇଥିଲା-ଯାହାର ଆନ୍ତରିକତା ଥିଲା ବେଶ୍ ଅନାବିଳ ଆଉ ଅସଲ। ଝିଅଟିର ନାଆଁ ଥିଲା ଆଲିସ୍- ବଡ ଦୁଃଖର କଥା ଏଡୱାର୍ଡ ଆବିଷ୍କାର କରିଥିଲା ଝିଅଟି ଅତ୍ୟନ୍ତ ରିଜର୍ଭ ପ୍ରକୃତିର ଆଉ ଅତ୍ୟନ୍ତ ନୀତିବାଗୀଶ।
ଅନେକଦିନ ସାନ୍ଧ୍ୟ ଭ୍ରମଣର ସମୟ ସେ ହାତ ଦେ ଝିଅଟିକୁ ବେଢାଇ ଆଣି ତାହାର ସ୍ତନକୁ ଛୁଇଁବାକୁ ଚେଷ୍ଟା କଲେ ସେ ହାତରେ ତାହାକୁ ଠେଲି ଦିଏ। ଦିନେ ଯେତେବେଳେ ତାହାର ଏମିତି ହାତରେ ତାହାକୁ ଠେଲିଦେବା ଭଳି କଥା ଆସେ – ସେତେବେଳେ ଝିଅଟି ତାହାକୁ ଜିଜ୍ଞାଷା କରିଥିଲା, “ତମେ ଈଶ୍ୱରଙ୍କୁ ବିଶ୍ୱାସ କର ?”
ଖୁବ୍ ସ୍ପର୍ଶକାତର କାନରେ ଏଡୱାର୍ଡ ଏଇ ପ୍ରଶ୍ନଟି ଶୁଣିବାର ମୁହୂର୍ତ୍ତରେ ହିଁ ସ୍ତନକୁ ଛୁଇଁବା ଭଳି ପ୍ରସଙ୍ଗଟିକୁ ଭୁଲି ଯାଏ ।
“ତମେ?” ଆଲିସ୍ ପ୍ରଶ୍ନଟିକୁ ପୁନରୁକ୍ତି କରିଥିଲା ଏବଂ ଏଡୱାର୍ଡ ଏହାର ଉତ୍ତର ଦେବାକୁ ସାହସ କରିଲା ନାହିଁ । ଆମେମାନେ ତାହାକୁ ଏତେ ପରିମାଣରେ ଖୋଲାମେଲା ହୋଇପାରିବା ଭଳି ସାହସ ଅର୍ଜନ କରିନାହିଁ ବୋଲି ଦୋଷ ଦେବା ନାହିଁ; ଏଇ ସହରକୁ ଜଣେ ନବାଗନ୍ତୁକ ଭାବରେ ସେ ଭାରି ଏକେଲା ଅନୁଭବ କରୁଥିଲା , ଆଉ ସେ ଆଲିସ୍ ପ୍ରତି ଏତେପରିମାଣରେ ଜଡିତ ହୋଇଯାଇଥିଲା ଯେ ଗୋଟିଏ ସିଧା ସଳଖ ସହଜ ପ୍ରଶ୍ନରେ ସେ ତାହାକୁ ହରାଇବାକୁ ଚାହୁଁ ନଥିଲା।
“ଆଉ ତୁମେ ?” କିଛି ସମୟ ଅର୍ଜନ କରିବା ପାଇଁ ସେ ସେମିତି ପଚାରିଲା।
“ହଁ, କରେ ତ !” ଆଉ ଥରେ ଆଲିସ୍ ତାହାକୁ ଉତ୍ତର ଦେବାକୁ ଯେମିତି ବାଧ୍ୟ କରୁଛି।
ଠିକ୍ ଏଇ ମୁହୂର୍ତ୍ତ ଯାଏଁ ତାହାର ମନକୁ ଈଶ୍ୱର ବିଶ୍ୱାସର କଥା କେବେହେଲେ ଆସିନଥିଲା। ସେ ବୁଝିପାରିଛି,ସେକଥା ଯାହାହେଉ,ସେ କିନ୍ତୁ ଏହାକୁ ସ୍ୱୀକାର କରିବ ନାହିଁ । ଅପର ପକ୍ଷରେ ସେ ଦେଖିଲା ଯେ ତାହାକୁ ଏଇ ଅବସରର ସୁଯୋଗ ନେବାକୁ ହେବ ଆଉ ଧକ୍କାଏ ଦେବାକୁ ହେବ ଉଭୟ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ର ଭିତରୁ ଏକ ସୁନ୍ଦର ଟ୍ରୋଜାନ ଅଶ୍ୱକୁ ,ଯାହାର ଗର୍ଭରୁ,ପ୍ରାଚୀନ ଉଦାହାରଣ ଆକାରରେ , ସେ କୌଶଳକ୍ରମେ ଖସି ଚାଲିଯାଇପାରିବ ସେହି ଝିଅଟିର ହୃଦୟର ଅଭ୍ୟନ୍ତରକୁ ସମସ୍ତଙ୍କ ଅଲକ୍ଷ୍ୟରେ। କେବଳ ଏଇଟି ସହଜ ନଥିଲା ଏଡୱାର୍ଡ ପକ୍ଷରେ ଆଲିସ୍ କୁ ସରଳ ଭାବରେ କହିଦେବା, “ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ”; ସେ ଏତେ ପରିମାଣରେ ଅପରିଣାମଦର୍ଶୀ ନଥିଲା,ଆଉ ମିଛ କହିବାକୁ ତାହାକୁ ଲାଜ ମାଡୁଥିଲା ;ସରଳ ମିଛରେ ତାହାର ଘୋର ଅପସନ୍ଦ ;ଯଦି କେତେବେଳେ ଗୋଟିଏ ମିଛ ଅତ୍ୟାବଶକୀୟ ହୋଇ ଉଠୁଥିଲା ,ସେ ଚେଷ୍ଟା କରୁଥିଲା ସେ ଯେମିତି ସତ ର ଆଖପାଖରେ ଯଥାସମ୍ଭବ ରହିପାରେ । ସେଇଥିପାଇଁ ସେ ଉତ୍ତର ଦେଇଥିଲା ଗୋଟିଏ ଭିନ୍ନ ଗମ୍ଭୀର ଆଉ ଚିନ୍ତାଶୀଳ ସ୍ୱରରେ :
“ମୁଁ ଅସଲରେ ଜାଣେନାହିଁ , ଆଲିସ୍, ମୁଁ ତମକୁ ଏହା ବିଷୟରେ କ’ଣ କହିବି। ନିଶ୍ଚୟ ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ । ହେଲେ..” ସେ କିଛି ସମୟ ଅଟକି ଯାଇଥିଲା ଆଉ ଆଲିସ୍ ତାହାକୁ ଆଶ୍ଚର୍ଯ୍ୟରେ ଚାହିଁ ରହିଥାଏ। ” ମୁଁ ତମ ଆଗରେ ସଂପୂର୍ଣ୍ଣ ସ୍ପଷ୍ଟବାଦୀ ହେବାକୁ ଚାହୁଁଛି । ହେବି ?”
“ତମର ସ୍ପଷ୍ଟବାଦୀ ହେବା ଉଚିତ” ସେ କହିଲା। “ଅନ୍ୟଥା ନିଶ୍ଚିତ ଭାବରେ ଆମ ଦୁଇଜଣଙ୍କର ଏମିତି ଏକାଠି ହେବାର କୌଣସି ଅର୍ଥ ରହିବ ନାହିଁ ।”
“ସତରେ ?”
“ସତରେ,” କହିଲା ଆଲିସ୍।
“ବେଳେ ବେଳେ ଦ୍ୱିଧା ଯୋଗୁ ମୁଁ ବିଚଳିତ ହୁଏ,”କହିଲା ଏଡୱାର୍ଡ। ତାହାର ଗଳାର ସ୍ୱରକୁ ଯେମିତି କିଏ ରୋକି ବସିଛି। “ବେଳେ ବେଳେ ମୁଁ ଖୋଜି ହୁଏ ,ସତରେ ସେ କ’ଣ ରହିଛନ୍ତି।”
“କେମିତି ତମେ ତା’ଙ୍କୁ ସନ୍ଦେହ କରିପାରୁଛ ?” ଆଲିସ୍ ଏକପ୍ରକାର ଚିତ୍କାର କରି କହିଲା।
ଏଡୱାର୍ଡ ନୀରବ ଆଉ ଘଡିଏ ଆତ୍ମସ୍ଥ ହେବାପରେ ଗୋଟିଏ ସାଧାରଣ ଚିନ୍ତା ତାହାର ମନକୁ ଢୁକିଗଲା : ” ମୋ ଚାରିପଟରେ ଯେତେବେଳେ ଏତେ ଖଳ ରହିଛନ୍ତି , ମୁଁ ସେଇଥିପାଇଁ ବୈଳେବେଳେ ଆଶ୍ଚର୍ଯ୍ୟ ହୁଏ ଯେ ଜଣେ ଈଶ୍ୱରଙ୍କ ଉପସ୍ଥିତିରେ ଏମାନଙ୍କୁ ରହିବାପାଇଁ କିଏ ଆଦେଶ ଦେଉଛି।”
ସେଇ କଥାଟି ଏତେ କରୁଣ ଶୁଭିଲା ଯେ ଆଲିସ୍ ତାହାର ହାତକୁ ନିଜ ହାତରେ ଧରିପକାଇଥିଲା : “ହଁ , ପୃଥିବୀସାରା ସତ ଖଳରେ ଭର୍ତ୍ତି। ମୁଁ ଏଇ କଥାକୁ ଭଲଭାବରେ ଜାଣେ। ହେଲେ ସେହି କାରଣରୁ ତମକୁ ଈଶ୍ୱରଙ୍କୁ ବିଶ୍ୱାସ କରିବା ଉଚିତ । ତାଙ୍କ ବ୍ୟତିରେକେ ଏଇ ସମସ୍ତ କଷ୍ଟ ପାଇବା ବୃଥା ହୋଇଯିବ।କାହାର କୌଣସି ଅର୍ଥ ରହିବ ନାହିଁ । ଆଉ ଯଦି ସେମିତି ହୁଏ, ମୁଁ କଦାପି ବଞ୍ଚି ପାରିବି ନାହିଁ।”
“ସମ୍ଭବତଃ ତମେ ଠିକ୍ କହୁଛ, “କହିଲା ଏଡୱାର୍ଡ ଚିନ୍ତାଶୀଳ ଭାବରେ ଏବଂ ରବିବାରରେ ତା’ସହିତ ସେ ଚର୍ଚ୍ଚକୁ ଗଲା। ନିଜର ବାହୁକୁ ସାମ୍ନାରେ ଛନ୍ଦି ସେ ଆଙ୍ଗୁଳି ସହିତ ଆଙ୍ଗୁଳିମାନଙ୍କୁ ମିଳାଇ ଏକାଠି ରଖୁଥିଲା। ତାହାପରେ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା ହୁଏ ଆଉ ଲୋକମାନେ ଗାନ କରନ୍ତି, ଆଉ ଅନ୍ୟମାନଙ୍କ ସହିତ ସେ ସେହି ବିଭୂ ସଙ୍ଗୀତ ଗାନ କରିଥାଏ ଯାହାର ସ୍ୱର ତାହାକୁ ଜଣା , ହେଲେ ତାହାକୁ ସେଇ ଗୀତର କଥା ଜଣା ନାହିଁ। ତେଣୁ ପ୍ରଚଳିତ ଶବ୍ଦ ର ପରିବର୍ତ୍ତେ ସେ କେବଳ କେତେକ ସ୍ୱରବର୍ଣ୍ଣକୁ ବାଛିଥାଏ, ଆଉ ସେ ଅନ୍ୟମାନଙ୍କ ତୁଳନାରେ ଗୋଟିଏ ସେକେଣ୍ଡ୍ ର କିଛି ଭାଗ ପରେ ସେମାନେ ଗାଉଥିବା ଗୀତର ସ୍ୱରଲିପିକୁ ଛୁଇଁଥାଏ, କାରଣ ସେଇ ସ୍ୱରକୁ ମନେ ପକାଇବା ପାଇଁ ତାହାର ସେତିକି ସମୟ ଦରକାର। ତଥାପି ସେ ସେଇ ସ୍ୱରକୁ ନେଇ ନିଶ୍ଚିତ ହେବାପରେ ହିଁ ନିଜର ଗଳାକୁ ସେ ପୂର୍ଣ୍ଣ ସ୍ୱାଧିନତା ଦେବାକୁ ଆରମ୍ଭ କରିଥାଏ, ଆଉ ଏଇ ଭଳି ସେ ଜାଣି ପାରିଥିଲା ତାହାର ଭିତରେ ଗୋଟିଏ ସୁନ୍ଦର ଗମ୍ଭୀରତମ ପୁରୁଷ ଗଳା ବା ବାସ୍ ରହିଛି। ତାହାପରେ ସେମାନେ ଈଶ୍ୱରଙ୍କୁ ପ୍ରାର୍ଥନା ପାଠ କରନ୍ତି ଆଉ ସେତେବେଳେ କେତେକ ବୃଦ୍ଧା ଆଣ୍ଠୁମାଡି ବସିଥାନ୍ତି। ତଳେ ପଥୁରିଆ ଚଟାଣରେ ଆଣ୍ଠୁମାଡି ବସିବା ଭଳି ଏକ ବାଧ୍ୟତାମୂଳକ କାମନାକୁ ନିଜ ଭିତରେ ଚାପି ଧରି ସେ ବି ରଖି ପାରୁନଥିଲା। ତେଣୁ ସେ ନିଜର ହାତକୁ ଓହଳାଇ ଦେଖିବା ଭଳି କିଛି ବାହୁଭଂଗୀ କରୁଥିଲା ଆଉ ତାହାକୁ ଏହା ଏକ ସନ୍ତୋଷ ଆଉ ଅନୁଭବ ଦେଉଥିଲା ଯେ ସେ ସତରେ ଏବେ ଏମିତି କିଛି ଅପୂର୍ବ କରିପାରିଛି ଯାହା ସେ ଆଗରୁ କରିନାହି, ରାସ୍ତାରେ ହେଉ କି ଶ୍ରେଣୀଗୃହରେ ହେଉ ସେ କେଉଁଠି ଏପରି କିଛି କରିନଥିଲା। ସେ ଆଶ୍ଚର୍ଯ୍ୟଜନକ ଭାବରେ ମୁକ୍ତ ବୋଲି ଅନୁଭବ କରୁଥିଲା।
ଯେତେବେଳେ ଏଇ ସବୁର ଶେଷ ହୁଏ,ଆଲିସ୍ ତାହାକୁ ଚାହିଁଥିଲା,ତାହାର ଆଖି ଉଜ୍ଜଳ । “ତଥାପି ତମେ କ’ଣ ସନ୍ଦେହରେ କହିବ ଯେ ସେ ଅଛନ୍ତି ?”
“ନା।”
ଏବଂ ଆଲିସ୍ କହିଲା, ” ମୁଁ ତମକୁ ଶିଖାଇଦେବାକୁ ଚାହେଁ,ମୁଁ ଯେମିତି ତା’ଙ୍କୁ ଭଲପାଏ ତମେ ଠିକ୍ ସେମିତି ତାଙ୍କୁ ଭଲ ପାଇବ।”
ସେମାନେ ଚର୍ଚ୍ଚର ପ୍ରଶସ୍ତ ପାହାଚରେ ଛିଡା ହୋଇଥାନ୍ତି ଆଉ ଏଡୱାର୍ଡ ର ଆତ୍ମା ହସରେ ଭରପୁର। ଦୁର୍ଭାଗ୍ୟର ବିଷୟ ଠିକ୍ ସେହି ମୁହୂର୍ତ୍ତରେ ମହାପରିଚାଳିକା ଜଣକ କୁଆଡକୁ ଯାଉଥିଲା ଆଉ ସେ ଦୁହିଁଙ୍କୁ ଦେଖି ପାରିଲା।
୩
ଏହା ନିହାତି ଖରାପ। ଆମକୁ ମନେ ପକାଇବାକୁ ହେବ (ସେମାନଙ୍କ ପାଇଁ ଯେଉଁମାନେ ଐତିହାସିକର ପୃଷ୍ଟଭୂମୀକୁ ହଜାଇ ବସିବା ଭଳି ବିପଦର ଦ୍ୱାର ଦେଶରେ ଅଛନ୍ତି) ଯେ ଯଦିଓ ଏହା ସତ ଲୋକମାନଙ୍କୁ ଚର୍ଚ୍ଚକୁ ଯିବାପାଇଁ ନିଷେଧ କରାଯାଇନାହିଁ,ସେଯାହାହେଉ ଚର୍ଚ୍ଚକୁ ଯିବା ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ବିପଦରୁ ମୁକ୍ତ ନୁହଁ।
ଏହାକୁ ବୁଝିବା ସେତେ କଷ୍ଟକର ନୁହଁ ।ସେମାନେ ଯେଉଁମାନେ ଯାହାକୁ କହନ୍ତି ବିପ୍ଳବ ତାହା ପାଇଁ ଯୁଦ୍ଧ କରିଥାନ୍ତି ନିଜ ଭିତରେ ଗୋଟିଏ ମହାନ ଗର୍ବବୋଧକୁ ବହନ କରିଥାନ୍ତି : ସାମ୍ନା ରେ ଥିବା ଧାଡିର ଉଚିତ ପକ୍ଷରେ ଯୋଗଦେବାର ସେହି ଗର୍ବ । ଦଶ ଅଥବା ବାର ବର୍ଷ ପରେ (ଆମର କାହାଣୀର ସମୟ କାଳରେ )ସାମ୍ନା ଧାଡି ଗୁଡିକ ପତଳା ହେବାକୁ ଆରମ୍ଭ କରିଥିଲା ତାହା ସହିତ ବି ପତଳା ହେବାରେ ଲାଗିଥିଲା ଉଚିତ ଧାଡିମାନ। କିଛି ଆଶ୍ଚର୍ଯ୍ୟ ହେବାର ନଥିଲା ଯେ ଯେଉଁମାନେ ବିପ୍ଳବର ସମର୍ଥକ ସେମାନେ ଠକିଯାଇଥିଲେ ଆଉ ତୁରନ୍ତ ସାମ୍ନାରୁ ବିକଳ୍ପ ପକ୍ଷ ଖୋଜୁଥିଲେ; ଧର୍ମକୁ ଧନ୍ୟବାଦ ଦେବା ସେମାନେ ( ନିଜର ନିରୀଶ୍ୱର ଭୂମୀକାରେ ବିଶ୍ୱାସୀ ବର୍ଗଙ୍କ ସହିତ ସଂଘର୍ଷରତ ଥିବା ବେଳେ )ପୁନର୍ବାର ଉଚିତ ଧାଡି ସହିତ ଛିଡା ହୋଇଯାଇଥିଲେ ଏବଂ ନିଜର ଉଚ୍ଚତର ଅଭ୍ୟସ୍ତ ଆଉ ଦୁର୍ମୂଲ୍ୟ ଚେତନାକୁ ଅକ୍ଷୁର୍ଣ୍ଣ ରଖିପାରିଥିଲେ ।
ମାତ୍ର ସତ କହିବାକୁ ଗଲେ,ବିକଳ୍ପ ପକ୍ଷ ବି ଅନ୍ୟମାନଙ୍କ ପାଇଁ ଦରକାରୀ ଥିଲା,ଏବଂ ଏମିତି ଘୋଷଣା କଲେ ଏହା ହୁଏତ ଅସାମୟିକ ହେବନାହିଁ ଯେ ଆଲିସ୍ ସେମାନଙ୍କ ଭିତରୁ ଥିଲା ଜଣେ। ଠିକ୍ ଯେମିତି ସେହି ମହାପରିଚାଳିକା ଉଚିତ ପକ୍ଷରେ ରହିବା ପାଇଁ ଚାହୁଁଥିଲା,ଆଲିସ୍ ସେମିତି ଚାହୁଁଥିଲା ରହିବାକୁ ପ୍ରତିପକ୍ଷରେ। ବିପ୍ଳବ କାଳରେ ସେମାନେ ତାହାର ପିତାର ଦୋକାନକୁ ଜାତୀୟକରଣ କରିଦେଇଥିଲେ ଆଉ ଯେଉଁମାନେ ତାଙ୍କ ପ୍ରତି ଏପରି କରିଛନ୍ତି ସେ ସେମାନଙ୍କୁ ଘୃଣା କରେ । ହେଲେ ସେ ତାହାର ଘୃଣାକୁ ପ୍ରଦର୍ଶନ କରିବ କେମିତି ? ହୁଏତ ହାତରେ ଗୋଟିଏ ଛୁରୀ, ପିତାର ପ୍ରତିଶୋଧ ନେବା ଭଳି କିଛି ? କିନ୍ତୁ ଏହା ବୋହେମିଆର ସଂସ୍କୃତି ନୁହଁ । ଆଲିସ୍ ପାଖରେ ନିଜର ବିରୋଧୀ ମାନଙ୍କୁ ଦେଖାଇବା ଭଳି ଅଧିକ ଭଲ ଉପାୟ ରହିଛି : ସେ ଈଶ୍ୱରଙ୍କୁ ବିଶ୍ୱାସ କରିବାକୁ ଆରମ୍ଭ କରିଛି।
ତେଣୁ ଈଶ୍ୱର ଉଭୟ ପକ୍ଷର ସହାୟତା କରିବା ପାଇଁ ଉପସ୍ଥିତ ହେଲେ ,ଆଉ ତାଙ୍କୁ ଧନ୍ୟବାଦ ,ଏଡୱାର୍ଡ ନିଜକୁ ଦୁଇଟି ଜଳନ୍ତା ନିଆଁର ମଝିରେ ଦେଖିବାକୁ ପାଉଥିଲା।
ସୋମବାର ଦିନ ସକାଳେ ମହାପରିଚାଳିକା ଯେତେବେଳେ ଏଡୱାର୍ଡର ଷ୍ଟାଫ୍ ରୁମ୍ ରେ ଆସି ହାଜର୍ ହୋଇଥିଲା,ତାହାକୁ ଦେଖି ଭାରି ଅସହଜ ମନେକରୁଥିଲା ସେ। ସେ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣର ପରିବେଶ ସୃଷ୍ଟି କରିବାକୁ ଚାହିଁଲା ଏବଂ ଏଇ ବାତାବରଣର ପ୍ରଥମ କଥାଟି ହିଁ ହୋଇଥିଲା ତାହାର ସହ,(ଯଦିଓ କଥା କହିବାର ଅନ୍ୟ କାଇଦା ତାହାର ଜଣା ନଥିଲା )ଯାହାର ନରମ କଥା ଶୁଣିବା ଏଯାଏଁ କାହାରି ଭାଗ୍ୟରେ ଘଟିନାହିଁ । ମହାପରିଚାଳିକା ଥଣ୍ଡା ହସ ହସି ସନ୍ଦେହଜନକ ସୁରରେ କହିଲା :
“ଆମର କାଲି ଦେଖା ହୋଇଥିଲା,ନୁହଁ ?”
“ହଁ,ହୋଇଥିଲା।” ଏଡୱାର୍ଡ ଜବାବ ଦେଲା।
ମହାପରିଚାଳିକା କହି ଚାଲିଲା ,” ମୁଁ ବୁଝି ପାରୁନି କୌଣସି ଯୁବକ କେଉଁଭଳି ଚର୍ଚ୍ଚ କୁ ଯାଏ ?”ଏଡୱାର୍ଡ ଟିକିଏ ଶ୍ରଗ୍ କଲା ଆଉ ମହାପରିଚାଳିକା ମଥା ହଲାଇ ପୁଣି କହିଲା,”ଟୋକା ଲୋକ !”
“ମୁଁ ,ମୁଁ ତ କାଥେଡ୍ରାଲ୍ ର ବାରାକ୍ ର ଭିତର ସାଜସଜ୍ଜା ଦେଖିବାକୁ ଯାଇଥିଲି ।”
“ଓହୋ ,ସେମିତି କଥା କି !”ମହାପରିଚାଳିକା ବ୍ୟଙ୍ଗଭରା କଂଠରେ କହିଲା,” ମୁଁ ଜାଣି ନଥିଲି ତମର ଏଇଭଳି ଉନ୍ନତ ଶିଳ୍ପବୋଧ ରହିଛି ।”
ଏଇ ଭଳି କଥାବାର୍ତ୍ତା ଏଡୱାର୍ଡ ର ପକ୍ଷରେ ସନ୍ତୋଷଜନକ ହେଲା ନାହିଁ । ତାହାପରେ ତାହାର ମନେ ପଡିଲା ତାହାର ବଡଭାଇ କେମିତି ଛାତ୍ରମାନଙ୍କ ଭିତରେ ତିନିଥର ଘୁରି ହସରେ ଫାଟି ପଡିଥିଲା । ତାହାର ଏଇ ପାରିବାରିକ ଇତିହାସର କଥା ମନେ ପଡିଲା ଆଉ ତାହାକୁ ଭାରି ଭୟ ଲାଗିଲା।
ଶନିବାର ଦିନ ଆଲିସ୍ କୁ ଫୋନ କରି ସେ ଜଣାଇଲା ଯେ ସେ ଚର୍ଚ୍ଚକୁ ଯାଇ ପାରିବ ନାହିଁ,କାରଣ ତାହାକୁ ଥଣ୍ଡା ଧରିଛି। “ତମେ ଗୋଟେ ଅଜବ ଲୋକ “,ଆଲିସ୍ ରବିବାର ପରେ କହିଥିଲା ଆଊ ତାହାର ଗଳାର ସ୍ୱର ଶୁଣି ତାହାକୁ ବି ଥଣ୍ଡା ଧରିଛି ବୋଲି ମନେ ହେଲା ଏଡୱାର୍ଡର।ଅସଲରେ ସତ କଥା କହିବା ପାଇଁ ତାହାର ଯୁଗପତ ଲଜ୍ଛା ଓ ଭୟ କରିବାକୁ ଲାଗିଲା। ସ୍କୁଲ୍ ରେ ତାହାର କ’ଣ କ’ଣ ଭୁଲ୍ ହୋଇଥିଲା ଆଉ ମହାପରିଚାଳିକା ତାହାକୁ କେଉଁଭଳି ଭୟ ଦେଖାଇଥିଲେ ।ସେ ତାହାର ଲଜ୍ଜା ଓ ସହାନୁଭୂତି ଏଇ ଉଭୟକୁ ଫେରିପାଇବାକୁ ଚାହିଁଥିଲା। “ମୋର ମହିଳା ବସ୍,ସେମିତି ସେତେ ଖରାପ ନୁହଁ।”ତାହାପରେ ସେ ତାହାର ନିଜର କାହାଣୀ ଆରମ୍ଭ କରିଥିଲା । ଆଉ ତାହାର ଆନନ୍ଦମୟ କଣ୍ଠକୁ ଶୁଣି ଶୁଣି ଏଡୱାର୍ଡ କ୍ରମଶଃ ଗମ୍ଭୀର ଆଉ ବିଷର୍ଣ୍ଣ ହୋଇ ପଡିଲା।
୪
ଭଦ୍ର ମହୋଦୟ,ମହୋଦୟାଗଣ,ଏଇ ମାନସିକ ସଂକଟର ସପ୍ତାହରେ ଏଡୱାର୍ଡ ଆଲିସ୍ ପାଇଁ ତୀବ୍ର ଭାବରେ ଅପେକ୍ଷା କରୁଥିଲା। ଆଲିସ୍ ର ଶରୀର ତାହାକୁ ଉତ୍ତପ୍ତ କରିଥିଲା କିନ୍ତୁ ତାହାକୁ ପାଇବା ଭଳି ସେମିତି କିଛି ଉପାୟ ତାହାର ଜଣା ନଥିଲା।ସେମାନେ କ୍ଷୁଧାର୍ତ୍ତଭାବରେ ଘଣ୍ଟାଏ ବା ଦିଘଣ୍ଟା ରାସ୍ତାରେ ରାସ୍ତାରେ ଘୁରିବୁଲିବା ପରେ ସିନେମାହଲ ଭିତରକୁ ପ୍ରବେଶ କରନ୍ତି ।ସମସ୍ତ ଇନ୍ଦ୍ରିୟାନୁଗ ଉତ୍ତେଜନା ତାହାକୁ ଭିନ୍ନ ଜଗତକୁ ନେଇ ଯିବାକୁ ଶିଖାଇଥାଏ । ତାହାପରେ ଦିନେ ସରଳମୁହଁ କରି ସେ ପ୍ରସ୍ତାବ ଦିଏ ,ତାହାର ଭାଇର ନଈକୂଳରେ ଜଙ୍ଗଲଘେରା ଉପତ୍ୟକାରେ ଗୋଟିଏ କଟେଜ୍ ଭଳି ଘର ରହିଛି । ସେଇଠି ସେମାନେ ସପ୍ତାହାନ୍ତ ଦିନଗୁଡିକ କଟାଇବେ। ଆଲିସ୍ କୁ ସେ ସେଠିକାର ସ୍ଥାନମାହାତ୍ମ୍ୟର କଥା ବୁଝାଇବସେ ଏବଂ ଏହାକୁ ଆଲିସ୍ ପ୍ରତ୍ୟାଖ୍ୟାନ କରେ ଯଥାବିଧି ।
ଆଲିସ୍ ର ଭଗବାନ ଗୋଟିଏ ଏକକ ଧାରଣା,(ତାହାର କୌଣସି ଅଲଗା ଇଚ୍ଛା ନାହିଁ )ସେ ବିବାହପୂର୍ବ ଯୌନସଂପର୍କକୁ ନିଷେଧ କରିଛନ୍ତି।ଏଇ ଭଗବାନ ସତତ ଯଥେଷ୍ଠ କୌତୁକକର,କିନ୍ତୁ ତାଙ୍କୁ ନେଇ କେବେହେଲେ ହସି ହେବନାହିଁ । ମୋଜେସ୍ ଯେଉଁ ଦଶଟି ଆଦେଶ ବା କମାଣ୍ଡମେଣ୍ଟ ପାଇଥିଲେ,ସେଥିରୁ ନଅଟିକୁ ନେଇ କୌଣସି ସମସ୍ୟା ନାହିଁ । ସେ ତ ତାହାର ପିତାକୁ ହତ୍ୟା,ଭାଇକୁ ଅସମ୍ମାନ ବା ପ୍ରତିବେଶୀର ପତ୍ନୀକୁ ପ୍ରଲୁବ୍ଧ କରିବାକୁ ଯାଉନାହିଁ ।କିନ୍ତୁ ସେଇ ଗୋଟିକ ଆଦେଶ ପ୍ରାୟତଃ ଆତ୍ମବିରୋଧୀ,ସେହି ଆଦେଶ ସଂଖ୍ୟା ସପ୍ତମଟି ହେଉଛି ” ତମେମାନେ ଅବୈଧକାର୍ଯ୍ୟ କରିବ ନାହିଁ ।” ଆଲିସ୍ ର ଧର୍ମୀୟ ଅନୁଭବ ଟି ହେଲା,ସେଇ ଅସ୍ଫଷ୍ଟ ଅଧାବୁଜା
ଈଶ୍ୱର ଆଉ ତାଙ୍କର ଏଇ ଆଦେଶଟି ହେଉଛି ବୋଧଗମ୍ୟ ଏବଂ ଏକଦମ୍ ନିର୍ଭେଜାଲ୍। ଈଶ୍ୱର ଅବୈଧ ଯୌନସଂସର୍ଗ ପ୍ରତି ନିଷେଧାଜ୍ଞା ଜାରି କରିଛନ୍ତି ।
ଆମର ସଂପ୍ରତି ପ୍ରଶ୍ନ ହେଉଛି -କେତେବେଳେ ଏଇ ନିଷେଧାଜ୍ଞା ଆରମ୍ଭ ହୋଇ ପ୍ରତ୍ୟେକ ନାରୀର ଚାରିପଟେ ତିଆରି କରିଛି ଗୋଟିଏ ଗୋଟିଏ ରହସ୍ୟର ବଳୟ । ଆଲିସ୍ ଏଡୱାର୍ଡକୁ ଚୁମ୍ବନର ଅନୁମତି ଦେଇଛି ,ଅନେକ ଅନେକ ପ୍ରଚେଷ୍ଟାର ପରେ ସ୍ତନକୁ ଛୁଇଁବାର ଅନୁମତି ବି ମିଳିଛି । କିନ୍ତୁ ଶରୀରର ମଝିରେ ଅର୍ଥାତ୍ ନାଭିର ତଳ ଠାରୁ ଏକ କଠୋର ନିଷେଧାଜ୍ଞାର ପବିତ୍ର ବାତାବରଣ ରହିଛି ,ଯାହାକୁ ଅମାନ୍ୟ କରିଲେ ମୋଜେସ୍ ଙ୍କ ଆଦର୍ଶର ଅବମାନନା କରାଯାଏ ଏବଂ ଏହା ଈଶ୍ୱରଙ୍କ କ୍ରୋଧର କାରଣ ହୋଇପାରେ।
ଏଡୱାର୍ଡ ବାଇବେଲ୍ ପଢିବାକୁ ଆରମ୍ଭ କଲା ଏବଂ ଧର୍ମୀୟ ସାହିତ୍ୟରେ ମନୋନିବେଶ କଲା। ସେ ନିଜର ଅସ୍ତ୍ର କୁ ଧାରୁଆ କରିବାକୁ ଲାଗିଲା ,ଆଲିସ୍ ର ସହିତ ତାହାର ଆଗାମୀ ରଣଟି ଅଛି ଯେତେବେଳେ ।
“ପ୍ରିୟ ଆଲିସ୍” ,ସେ ଆଲିସ୍ କୁ କହିଲା,” ଯଦି ଆମେମାନେ ଈଶ୍ୱରଙ୍କୁ ଭଲପାଉ ,ଏଥିରେ କୌଣସି ନିଷେଧ ନାହିଁ । ଆମେମାନେ ଯଦି କୌଣସି କିଛି ପାଇଁ ଦୀର୍ଘ ଅପେକ୍ଷା କରୁ ,ସେଇଟି ତ ତାହାର ଇଚ୍ଛା ହିଁ ନୁହଁ ବା ନଥିଲା।ଯୀଶୁଖ୍ରୀଷ୍ଟ କିଛି ଚାହୁଁ ନଥିଲେ ,କିନ୍ତୁ ଆମେମାନେ ତାଙ୍କର ଭଲପାଇବା ଦ୍ୱାରା ଶାସିତ।ସମର୍ଥନ ଜଣାଏ ଆଲିସ୍ ଆଉ କହେ,”ତମେ କିନ୍ତୁ ଅନ୍ୟ ଧରଣର ଭଲପାଇବା କଥା କହୁଛ !”
“ହଁ,ଭଲପାଇବା ତ ଗୋଟିଏ,ଏକମାତ୍ର ପ୍ରସ୍ତାବନା” ଏଡୱାର୍ଡ କହେ ।
“ସେଇଟା ଅବଶ୍ୟ ତମକୁ ସୁହାଇବ” କହିଲା ଆଲିସ୍,” ଏକମାତ୍ର ଈଶ୍ୱର ହିଁ ଆଦେଶ ପ୍ରଦାନ କରିବା ଭଳି ସାମର୍ଥ୍ୟ ରଖନ୍ତି ଆଉ ଆମେ ସେକଥା ମାନିଥାଉ।”
” ହଁ ଓଲଡ୍ ଟେଷ୍ଟାମେଣ୍ଟର ଭଗବାନ,ଅବଶ୍ୟ ଖ୍ରୀଷ୍ଟାନ୍ ମାନଙ୍କ ଦ୍ୱାରା ତିଆରି ଈଶ୍ୱର ନୁହଁନ୍ତି।”
“ହଁ” ଏଡୱାର୍ଡ କହିଲା,” ମାତ୍ରକ ଓଲଡ୍ ଟେଷ୍ଟାମେଣ୍ଟର ଜିଉସ୍ ସେମାନଙ୍କୁ କିଛି ପରିମାଣରେ ବୁଝାଇଥିଲେ ଏବଂ ଈଶ୍ୱରଙ୍କ ଆଦେଶ ଆଉ ଆଇନ୍ ନିର୍ଦ୍ଦିଷ୍ଟ ନିୟମ,ମଣିଷ ମାନିବାକୁ ବାଧ୍ୟ। ମଣିଷ ନିଜର ଅନ୍ତର ଭିତରେ
କ’ଣ ଭାବିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହଁ। ସେଣ୍ଟ ପଲ୍ କହିଛନ୍ତି-ସେଇଟି ହିଁ ପବିତ୍ର ଯାହା ହୃଦୟ ଭିତରୁ ହିଁ ପବିତ୍ର।”
“ମୁଁ ଅବାକ ହେବି,ତମେ,ଯଦି ପବିତ୍ର ହୃଦୟବିଶିଷ୍ଟ ମଣିଷ ନ ହୁଅ ।”
“ଏବଂ ସେଣ୍ଟ ଅଗଷ୍ଟାଇନ୍ କହିଛନ୍ତି,” ଏଡୱାର୍ଢ କହି ଚାଲିଲା,” ଈଶ୍ୱରଙ୍କୁ ଭଲପାଅ କିନ୍ତୁ ମନ ଯାହା ଚାହୁଁଛି ତାହା କର ।”
“ତମେ ଯେଉଁଥିରେ ଖୁସି ହୁଅ,ମୁଁ ସେଥିରେ ଖୁସି ହୁଏନା” ସେ ଉତ୍ତର ଦେଲା,ଏଡୱାର୍ଡ ତାହାର କଥାରୁ ବୁଝି ପାରିଥିଲା ଯେ ତାହାର ସମସ୍ତ ତତ୍ତ୍ୱକଥା କୌଣସି ପ୍ରତିଷ୍ଠା ଅର୍ଜନ କରିପାରିନାହିଁ ତେଣୁ ସେ କହିଲା,
“ତମେ ମୋତେ ପସନ୍ଦ କର ନାହିଁ।”
“ହଁ ବସ୍ତୁତଃ କଥାଟି ସେୟା”, ବାସ୍ତବସମ୍ମତ କଂଠଟି କେତେ ପରିମାଣରେ ଭୟଙ୍କର ହୋଇପାରେ ତାହାର ଗୋଟିଏ ଉଦାହାରଣ ହେଉଛି ଏମିତି କଥା,” ଏବଂ ସେଇଥିପାଇଁ ମୁଁ ଚାହେଁନା ଏଇଭଳି କିଛି କାର୍ଯ୍ୟ ଆମ ଭିତରେ ଘଟିଯାଉ ଯାହା ହେବା ଉଚିତ ନୁହଁ ।”
ଆଗରୁ କୁହାଯାଇଛି ଏଇଟି ବିଷର୍ଣ୍ଣତାର ସପ୍ତାହ।ଏହି ବିଷର୍ଣ୍ଣତାର କାରଣ ଅସଲରେ ଏଡୱାର୍ଡର ଆଲିସ୍ ପ୍ରତି ଆକାଂକ୍ଷା କେବଳମାତ୍ର ଗୋଟିଏ ଶରୀର ପ୍ରତି ଆଉ ଗୋଟିଏ ଶରୀରର ଆକାଂକ୍ଷା ନୁହଁ । ବିପରୀତ ଦିଗରୁ ଝିଅଟି ଯେତେ ହିଁ ତାହାର ଶରୀରକୁ ପ୍ରତ୍ୟାଖ୍ୟାନ କରୁଥିଲା,ଝିଅଟି ହୃଦୟଗତ ଦୃଷ୍ଟିରୁ ତାହାକୁ ସେତେ ବେଶି ଅଧିକାର କରି ବସୁଥିଲା। କ୍ରମଶଃ ଦୁଇଜଣହିଁ ଶୀତଳତାରେ ନିଜନିଜକୁ ଢାଙ୍କି ଦେଲେ-କାରଣ ସେମାନେ ସ୍ୱୟଂସଂପୂର୍ଣ୍ଣ।
କଥାଟିକୁ ଠିକ୍ ଭାବରେ କହି ବସିଲେ ଆଲିସ୍ ର ହୃଦୟ ପରିବର୍ତ୍ତନ ଏଡୱାର୍ଡର ହୃଦୟରେ ବି ପରିବର୍ତ୍ତନ ଆଣିଥିଲା। ଏମିତିରେ ଏଡୱାର୍ଡ ସଭ୍ୟ ଭଦ୍ର ଜଣେ ଯୁବକ ,ତେଣୁ ସେ ଗୋଟିଏ ଚୂଡାନ୍ତ ଅପେକ୍ଷାରେ ଥିଲା,ଆଲିସ୍ ତାହାର ପ୍ରତିରୋଧ ଭାଙ୍ଗିବା ପାଇଁ ନେଉଛି କେତେ ସମୟର ବ୍ୟବଧାନ। ଏମିତିରେ କୌଣସି ନେତିବାଚକତାର ଦିଗରେ ଆଲିସ୍ କୁ ନେଇଯିବା ବିପଜ୍ଜନକ (କାରଣ ସ୍ୱଭାବରେ ସେ ତାହା ପ୍ରତି ଆକୃଷ୍ଟ),ସେ ତାହାକୁ ବିପରୀତ ଦିଗରେ ନେଇ ଯିବାକୁ ଚାହେଁ (ତାହା ଯଥେଷ୍ଟ କଠିନ) ଆଲିସ୍ ର ଅବସ୍ଥାନ କିନ୍ତୁ ତାହାକୁ ଲଜ୍ଜାରେ ପୋତି ଦେଇଛି । ସହଜଭାବରେ କହିଲେ,ଏଡୱାର୍ଡ ତାହାର ଧର୍ମୀୟ ଭାବନାର ବିସ୍ତାର କରିବା ପାଇଁ ଚେଷ୍ଟା କରିଛି। ସେ ଥରଟିଏ ହେଲେ ବି ଚର୍ଚ୍ଚକୁ ଯିବାର ସୁଯୋଗକୁ ନଷ୍ଟ କରିବାକୁ ଚାହିଁନାହିଁ।ତାହାର ଆଲିସ୍ ର ପ୍ରତି ରହିଥିବା ଆକାଂକ୍ଷାର ତୁଳନାରେ ତୀବ୍ର ହୋଇ ଉଠିଥିଲା ଆଲିସ୍ ର ଅଖୁସୀ ହେବାର ଭୟ।ପ୍ରତ୍ୟେକ କ୍ଷେତ୍ରରେ ସେ ଯେତେବେଳେ ମଥା ତଳକୁ କରେ,ଯେତେବେଳେ ଆଲିସ୍ ତାହାର ପାଖରେ ବସି ପ୍ରାର୍ଥନା କରୁଥା ,ସେ ରହିଥାଏ ସବୁ ସମୟ ସଚେତନ।
ଦିନେ ସେ ତାହାର ଧର୍ମୀୟ ଭାବନାର ସମାଲୋଚନା କରୁଛି ,ଏଡୱାର୍ଡ ଯୀଶୁଙ୍କ କଥା ସ୍ମରଣ କରି କହିଲା,”ତମର ଭକ୍ତି ବାହ୍ୟିକ ଆଉ ଅଗଭୀର। ସେ ଆଲିସ୍ ର ଆତ୍ମମଗ୍ନତାକୁ ସମାଲୋଚନା କରୁଛି। ତାହାର ଆହୁରି ସମାଲୋଚନା କରି କହିଥିଲା,ସେ ମାନେ ଆଲିସ୍ ନିଜ ଛଡା ଆଉ ଆଉ କାହାକୁ ଜାଣେନି ।
ଏଇ ଭଳି ପୂରା କଥାଟି କହିବାର ସୂତ୍ରଧରି (ଆଲିସ୍ ତାହାର ଏମିତି ଆକ୍ରମଣ ନିମନ୍ତେ ପ୍ରସ୍ତୁତ ନଥିଲା),ସେ ହଠାତ୍ ରାସ୍ତାର ବିପରୀତ କୋଣକୁ ନଜର କରି ଦେଖିଲା ଜଣେ ଅବହେଳିତ ମାନସିକ ରୋଗୀ ଗୋଟିଏ ଜଙ୍କଧରା ପୁରୁଣା ଲୁହାର କ୍ରୁଶ ଧରି ରାସ୍ତାରେ ଯାଉଛି। ସେ ଇଚ୍ଛା କରି ତାହାର ହାତକୁ ଧରେ(ଆଲିସ୍ ର ନିର୍ବିକାର ହୃଦୟର ପ୍ରତିକ୍ରିୟା ହିସାବରେ ),ଅବଶ୍ୟ ଆଲିସ୍ ର ପ୍ରତିକ୍ରିୟାକୁ ଦେଖିବା ଭଳି ସେ ପ୍ରସ୍ତୁତ ନଥିଲା,କିନ୍ତୁ ହଠାତ୍ ତାହାର ସ୍କୁଲ୍ ର ମହିଳା ରକ୍ଷକକୁ ସେ ରାସ୍ତାର ଆରପଟେ ଦେଖିବାକୁ
ପାଏ । ସେପଟୁ ସେ ତାହାକୁ ଚାହିଁ ରହିଛି ସ୍ଥିର ଦୃଷ୍ଟିରେ । ଏଡୱାର୍ଡ ବୁଝିପାରେ ସେ ଆଜି ଶେଷ ହୋଇଗଲା।
୫
ତାହାର ଭୟ ଯେ ବାସ୍ତବସମ୍ମତ ତାହା ଜଣାଯାଇଥିଲା ସେଇ ମହିଳାକର୍ମୀ ଜଣକ କରିଡୋର୍ ରେ ଛିଡା ହୋଇ ଜୋର୍ ଗଳାରେ ଜଣାଇ ଥିଲା ଯେ ପରଦିନ ଦିନ ବାରଟାରେ ମହାପରିଚାଳିକାଙ୍କ ଅଫିସ୍ ରେ ଦେଖା କରିବାକୁ ହେବ,”ତମ ସହିତ କିଛି କଥା ଅଛି କମ୍ରେଡ୍ ।”
ନିଜର ଉଦବେଗକୁ ଦୂରକରିବା ପାଇଁ ଏଡୱାର୍ଡ ସଞ୍ଜବେଳେ ଘଣ୍ଟେ ଦିଘଣ୍ଟା ଇଆଡେ ସିଆଡେ ବୁଲିଥିଲା। ସେ କିନ୍ତୁ କୌଣସି ଧର୍ମୀୟ ବିଷୟ ଉଠାଇନାହିଁ । ମାନସିକ ଭାବରେ ସେ ପ୍ରସ୍ତୁତ ଥିଲା ତାହାର ସେଇ ଅପସନ୍ଦର ଚାକିରୀଟିକୁ ବଞ୍ଚାଇବାକୁ ହେଲେ ସ୍ୱୟଂ ଈଶ୍ୱରଙ୍କୁ ଅସ୍ୱୀକାର କରିବାକୁ ହେବ । ଏହି କାରଣରୁ ଆଜି ସାନ୍ୱନା ଦେବାର ନିମିତ୍ତ କୌଣସି ଉପଦେଶ ବିଷୟକୁ ନେଇ ଆଲୋଚନା ସେ କରିନଥିଲା। ପର ଦିନ ମହାପରିଚାଳିକାର ଘରକୁ ବିପରୀତମୁଖୀ ଭାବନା ଗୁଡିଏ ନେଇ ଏଡୱାର୍ଡ ପ୍ରବେଶ କରିଥିଲା।
ଘର ଭିତରେ ତାହାରି ପାଇଁ ଚାରିଜଣ ବିଚାରକ ଅପେକ୍ଷା କରି ରହିଥିଲେ।ମହାପରିଚାଳିକା,
ମହିଳା ରକ୍ଷକ,ଏଡୱାର୍ଡର ଜଣେ ସହକର୍ମୀ (ଚଷମାପିନ୍ଧା କ୍ଷୁଦ୍ରକାୟ) ଏବଂ ଆରଜଣକ ହେଉଛନ୍ତି ଜଣେ ଅଚିହ୍ନା ଭଦ୍ରବ୍ୟକ୍ତି ଯାହାର ମଥାର ଚୂଳ ସବୁ ଧୂସର ରଂଗର ଆଉ ମହାପରିଚାଳିକା ତାଙ୍କୁ “ଇନସପେକ୍ଟର” ବୋଲି ସମ୍ବୋଧନ କରୁଥିଲେ। ତାହାପରେ ମହାପରିଚାଳିକା ଏଡୱାର୍ଡକୁ ବସିବା ପାଇଁ ଇଂଗିତ କଲାପରେ କହିଲେ ଯେ ଏମାନେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଏଠିକୁ ଆସିଛନ୍ତି। ଏତିକି ବେଳେ ସେ ଆହୁରି କହିଲେ ,ଏଇ ଆଲୋଚନାଟି ତାହାର ଜୀବନକୁ ବିଶେଷ ଭାବରେ ସହଜ କରି ଗଢିତୋଳିବ। ମହାପରିଚାଳିକା କହି ଥିଲେ ଯେଉଁଭଳି ଭାବରେ ଏଡୱାର୍ଡ ତାହାର ଜୀବନଯାପନ କରୁଛି ବିଶେଷରେ ସ୍କୁଲ୍ ର ବାହାରେ ସେ ଯେଉଁ ଯେଉଁ କର୍ମକାଣ୍ଡ ସହ ଜଡିତ ତାହା ସେମାନେ ସମସ୍ତଙ୍କୁ ଅସହଜ କରି ଦେଉଛି। ସେ ଏତିକି କହି ଇନସପେକ୍ଟରଙ୍କ ଆଡକୁ ଚାହିଁଥିଲେ,ସମ୍ମତିସୂଚକ ଭାବରେ ସେ ମଥା ହଲେଇ ଥିଲେ,ତାହାପରେ ସେହି ଚଷମାପିନ୍ଧା ଶିକ୍ଷକ ,ଯିଏ ମହାପରିଚାଳିକାଙ୍କୁ ପୂରା ସମୟ ଗଭୀର ନିଷ୍ପଲକ ଦୃଷ୍ଟିରେ ମନୋଯୋଗ ଦେଇ ଶୁଣୁଥିଲେ ଆଉ ଏବେ,ତାଙ୍କର କଥାର ମଝିରେ,ଗୋଟିଏ ଲମ୍ବାଭାଷଣ ଦେବାପାଇଁ ଆଗେଇ ଆସିଥିଲେ। ଏଡୱାର୍ଡର ସେଇ ସହକର୍ମୀ ଶିକ୍ଷକ ଜଣକ କହିଥିଲେ ଯେ ଆମେ ଚାହୁଁଛୁ ସୁସ୍ଥ ତରୁଣମାନଙ୍କୁ ଏକ ପକ୍ଷପାତ ରହିତ ଶିକ୍ଷା ପ୍ରଦାନ କରିବୁ ଆଉ ଆମର ସେମାନଙ୍କ ପ୍ରତି ସଂପୂର୍ଣ୍ଣ ଦାୟିତ୍ୱ ରହିଛି କାରଣ ଆମେ ଅର୍ଥାତ୍ ଶିକ୍ଷକମାନେ ସେମାନଙ୍କ ପାଇଁ ଅସଲରେ ଗୋଟିଏ ଗୋଟିଏ ଆଦର୍ଶ । ବସ୍ତୁତଃ ଏହି କାରଣ ପାଇଁ ,ସେ କହିଥିଲେ,ଆମେ କୌଣସି ଧର୍ମୀୟ ବ୍ୟକ୍ତି ବିଶେଷକୁ ଆମର ଚାରିକାନ୍ଥର ପରିସର ଭିତରେ କୌଣସି ପ୍ରକାରର ନୈତିକ ସମର୍ଥନ ଦେବା ଉଚିତ ନୁହଁ। ସେ ଏଇ ଧାରଣାକୁ କେବଳ ନିଜର କଥାରେ ବିସ୍ତାର କରିଥିଲେ ଆଉ ଶେଷ ପର୍ଯ୍ୟାୟରେ ଘୋଷଣା କଲା ଭଳି କହିଥିଲେ ଯେ,ଏଡୱାର୍ଡ ର ବ୍ୟବହାର ସମଗ୍ର ସ୍କୁଲ୍ ପାଇଁ ଲଜ୍ଜାକର କଥା।
କିଛି ସମୟ ଆଗରୁ ଏଡୱାର୍ଡ ନିଶ୍ଚିତ ଥିଲା ଯେ ସେ ତାହାର ସଂପ୍ରତି ପ୍ରାପ୍ତ ଈଶ୍ୱରଙ୍କୁ ସଂପୂର୍ଣ୍ଣ ଅସ୍ୱୀକାର କରିବ ଆଉ ସ୍ୱୀକାର କରିବ ଯେ ତାହାର ଏପରି ଚର୍ଚ୍ଚକୁ ଯିବା ଆଉ ସର୍ବସାଧାରଣରେ ଏମିତି ବୁଲାବୁଲି କରିବା ସେ ସମସ୍ତ କେବଳ କେତେଗୁଡିଏ ମଜାକଥା, ଜୋକସ୍ । ବର୍ତ୍ତମାନ ଏଇ ପରିସ୍ଥିତିର ସାମ୍ନା କରିବାବେଳେ ସେ ଅନୁଭବ କରିଥିଲା ଯେ ବର୍ତ୍ତମାନ ସତ କହିବା ଅସଂଭବ। ସେ ଯାହା ହେଉ ଏଇ ଚାରିଜଣ ବ୍ୟକ୍ତି ଏତେ ଗମ୍ଭୀର ଆଉ ଏତେ ଭାବପ୍ରବଣ ଯେ ସେ ସେମାନଙ୍କୁ କହିପାରିବ ନାହିଁ,ସେମାନେ ଗୋଟିଏ ଭୂଲବୁଝାମଣାକୁ ନେଇ ଏପରି ଭାବପ୍ରବଣ ହୋଇ ଉଠିଛନ୍ତି,ତାହା କେବଳ ବୋକାମୀ। ସେ ବୁଝିଯାଇଥିଲା ଯେ ଏଇପରି କଲେ ସେ ଅନିଚ୍ଛାକୃତ ଭାବରେ ସେମାନଙ୍କର ଗମ୍ଭୀରତାକୁ ଥଟ୍ଟା କରୁଛି ବୋଲି ଧରାଯିବ,ଆଉ ସେ ବି ମଧ୍ୟ ଅନୁଭବ କରିଥିଲା ଯେ ସେମାନେ ତାହାଠାରୁ କେବଳ କିଛି ଫାଙ୍କିବା ଭଳି କଥା ଆଉ ଆଳ ବିଷୟକୁ ଶୁଣିବା ପାଇଁ ଚାହାଁନ୍ତି ,ସେଇଥିପାଇଁ ସେମାନେ ଅନେକ ଆଗରୁ ପ୍ରସ୍ତୁତ ହୋଇ ରହିଛନ୍ତି ଯେମିତି ତାହାର କଥାସବୁକୁ ଶୁଣିବା ପରେ ସେମାନେ ତାହାକୁ ଯଥାଶିଘ୍ର ପ୍ରତ୍ୟାଖ୍ୟାନ କରିଦେବେ। ସେ ଏହା ବି ବୁଝିଯାଇଥିଲା (ଏସବୁ ଯଥା ସଂକ୍ଷିପ୍ତ ହେବ,ଦୀର୍ଘ ପ୍ରତିବେଦନ ର ଅବସର ନାହିଁ) ଯେ ସେତିକିବେଳେ ତା’ ପାଇଁ ସବୁଠୁ ବଡ କଥା ହେଉଛି ଯେ ନିଚ୍ଛକ ସତ୍ୟବାଦୀ ବୋଲି ସେମାନଙ୍କୁ ଲାଗିବା ଦରକାର,ସ୍ପଷ୍ଟ ଭାବରେ କହିଲେ ତାହାର ବକ୍ତବ୍ୟ ସେମାନେ ଯେମିତି ତାହାକୁ ଗଢିଛନ୍ତି ଠିକ୍ ତାହାର ଆଦର୍ଶର ଅନୁରୂପ ହେବା ଉଚିତ। ସେ ଯଦି ଗୋଟିଏ ଉପାଧି ଚାହେଁ,ସେଇ ଧାରଣାକୁ ଏମିତି ସଂଶୋଧନ କରିବାକୁ ହେବ,ଗୋଟିଏ ଊପାଧି ରହିଛି ଆଉ ତାହାକୁ ସେଇଟି ଗ୍ରହଣ କରିବାକୁ ହେବ।
“କମ୍ରେଡଗଣ,ମୁଁ ଆପଣମାନଙ୍କ ସହ ସିଧା କଥା କହିପାରିବି ତ ?”
“ନିଶ୍ଚିତ ନିଶ୍ଚିତ” କହିଲେ ମହାପରିଚାଳିକା।
“ସେଇଥିପାଇଁ ତ ତମେ ଏଇଠି ଉପସ୍ଥିତ।”
“ଆପଣମାନେ ମୋ ଉପରେ ବିରକ୍ତ ହେବେ ନାହିଁ ତ ?”
“କୁହ ତମେ ଯାହା କହିବାକୁ ଚାହୁଁଛ “,କହିଲେ ମହାପରିଚାଳିକା ।
“ଭଲ କଥ,ଏଣୁ ମୁଁ ଏଥର ଆପଣମାନଙ୍କ ପାଖରେ ଗୋଟିଏ ସ୍ୱୀକାରୋକ୍ତି କରିବାକୁ ଯାଉଛି। ମୁଁ ପ୍ରକୃତରେ ଈଶ୍ୱରଙ୍କୁ ବିଶ୍ୱାସ କରେ।”
ସେ ଥରେ ସବୁ ଉପସ୍ଥିତ ବିଚାରକଙ୍କ ପ୍ରତି ଦୃଷ୍ଟି ପକାଇ ଆଣିଲା,ଏବଂ ତାହାର ମନେହେଲା ସେମାନେ ଯେମିତି ଗୋଟିଏ ନୂତନ ଉଲ୍ଲାସ ରେ ସନ୍ତୋଷମୁଖର । କେବଳ ସେଇ ମହିଳାରକ୍ଷକ ବା ଜାନିଟର୍ ଟିକିଏ ବିରଉ କହିଲା,”ଏଇ ସମୟରେ ଆଉ ଏମିତି ବୟସରେ,କମ୍ରେଡ ? ଏଇ ଦିନରେ ,ଏଇ ବୟସରେ ?”
ଏଡୱାର୍ଡ କହି ଚାଲିଥାଏ :” ମୁଁ ଜାଣେ ଆପଣମାନେ ବିରକ୍ତ ହେବେ ଯଦି ମୁଁ ସତ କହେ।ହେଲେ ମୁଁ ଜାଣି ନାହିଁ କେମିତି ମିଛ କହିବାକୁ ହେବ। ମୋତେ ବାଧ୍ୟ କରନ୍ତୁ ନାହିଁ ଆପଣମାନଙ୍କୁ ମିଛ କହିବାକୁ ।”
ମହାପରିଚାଳିକା କହିଲେ (ମଧୁର ଗଳାରେ) : ” କେହି ଚାହାଁନ୍ତି ନାହିଁ ତମେ ମିଛ କୁହ । ତମେ ସତ କହୁଛ ,ଏହା ଏକ ସୁଖଦ କଥା।ମାତ୍ର ତମେ ମୋତେ ଏବେ କୁହ, ବୟସରେ ତରୁଣ ଜଣେ ,ଈଶ୍ୱରଙ୍କୁ ଭଲପାଇବସେ କେମିତି !”
“ଆଜି କାଲି ର ସମୟରେ, ଯେତେବେଳେ ଆମେ ମହାଶୂନ୍ୟରେ ଚନ୍ଦ୍ର ନିକଟକୁ ରକେଟ୍ ପଠାଇ ସାରିଛୁ !”ଶିକ୍ଷକ ଜଣକ କ୍ରୋଧରେ ସଂଜମ ହରାଇ ବସିଲେ ।
“ମୁଁ ଏଥିରେ କ’ଣ କରି ପାରିବି ?” କହିଲା ଏଡୱାର୍ଡ।”ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରିବାକୁ ଚାହୁଁ ନଥିଲି । ସତରେ,ଚାହୁଁ ନଥିଲି !”
“ତମେ ତାହାହେଲେ କେମିତି କହିପାରୁଛ ଯେ ତମେ ସେମିତି ବିଶ୍ୱାସ କରିବାକୁ ଚାହୁଁ ନଥିଲ ?ଯେତେବେଳେ ତମେ ଈଶ୍ୱରଙ୍କୁ ବିଶ୍ୱାସ କରୁଛ ?”ସେଇ ଭଦ୍ରବ୍ୟକ୍ତି ,(ନିହାତି କରୁଣାଦ୍ର ଗଳାରେ ) ଯାହାର ମଥାଭର୍ତ୍ତି କେଶ ଧୂସର ରଂଗର ଥିଲା ସେ ସେହି ସମ୍ମିଳିତ କଥାବାର୍ତ୍ତାରେ ପଚାରିଥିଲେ ।
“ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରିବାକୁ ଚାହୁଁ ନଥିଲି ,ହେଲେ ମୁଁ ବିଶ୍ୱାସ କରେ” ଏଜୱାର୍ଡ ନିହାତି ଚୁପଚାପ ତାହାର ସ୍ୱୀକାରୋକ୍ତିକୁ ଦୋହରାଇଲା।
ଚଷମାପିନ୍ଧା ବ୍ୟକ୍ତି ଜଣକ ହସିଲେ।” କିନ୍ତୁ ସେଥିରେ ତ ଗୋଟିଏ ବିରୋଧାଭାସ ଅଛି !”
“କମ୍ରେଡଗଣ,ମୁଁ ଅସଲ କଥାଟି ଯାହା ସେକଥା କହୁଛି”,କହିଲା ଏଡୱାର୍ଡ ।” ମୁଁ ଭଲକରି ଜାଣେ ଯେ ଈଶ୍ୱର ବିଶ୍ୱାସ ଆମକୁ ବାସ୍ତବତାଠାରୁ ଦୂରକୁ ନେଇଯାଇଥାଏ । ସମାଜବାଦର ରୂପ କେଉଁପରି ହେବ ଯଦି ସମସ୍ତେ ବିଶ୍ୱାସ କରି ବସନ୍ତି ଯେ ଗୋଟା ପୃଥିବୀ ଈଶ୍ୱରଙ୍କ ହାତରେ ଅଛି ? କେହି କିଛି କରିବେ ନାହିଁ ଆଉ ସମସ୍ତେ କେବଳ ଈଶ୍ୱରଙ୍କ ଉପରେ ନିର୍ଭର କରି ରହିବେ “
“ହଁ ,କଥାଟି ସେୟା”ସମର୍ଥନ କରି କହିଲେ ମହାପରିଚାଳିକା।
“ବର୍ତ୍ତମାନ ପର୍ଯ୍ୟନ୍ତ କେହି ଈଶ୍ୱରଙ୍କର ଅସ୍ତିତ୍ୱ ପ୍ରମାଣ କରିପାରିନାହାଁନ୍ତି ” ଉଲ୍ଲେଖ କଲେ ଶିକ୍ଷକ ଜଣକ।
ଏଡୱାର୍ଡ କହି ଚାଲିଲା :”ମାନବଜାତିର ଇତିହାସ ଆଉ ପ୍ରାଗଐତିହାସିକତା ଭିତରେ ଫରକ ହେଉଛି ଯେ ମଣିଷ ତାହାର ଭାଗ୍ୟକୁ ନିଜ ହାତକୁ ନେଇ ଯାଇଛି ଆଉ ସେ ଈଶ୍ୱରଙ୍କୁ ଆବଶ୍ୟକ କରୁନାହିଁ।”
” ଈଶ୍ୱରଙ୍କ ଉପରେ ବିଶ୍ୱାସ ଭାଗ୍ୟବାଦକୁ କଢାଇ ନିଏ ” କହିଲେ ମହାପରିଚାଳିକା।
“ଈଶ୍ୱରଙ୍କ ଉପରେ ବିଶ୍ୱାସ ମଧ୍ୟବର୍ତ୍ତୀ ଯୁଗର କଥା”,ଏଡୱାର୍ଡ କହିଲା,ଆଉ ତାହାପରେ ମହାପରିଚାଳିକା ଆଉଥରେ କିଛି କହିଲେ ,ଶିକ୍ଷକ କିଛି କହିଲେ,ଏଡୱାର୍ଡ କିଛି କହିଲା ଆଉ ଇନସପେକ୍ଟର ବି କିଛି କହିଲେ ,ଆଉ ସେମାନେ ସମସ୍ତେ ସମାନ ଭାବରେ କହୁଥିଲେ ,କିନ୍ତୁ ଶେଷରେ କ୍ରୋଧରେ ଫାଟିପଡି ଚଷମାପିନ୍ଧା ଶିକ୍ଷକ ଜଣକ ଏଡୱାର୍ଡ ର କଥାରେ ବାଧା ଦେଇ ହଠାତ୍ କହି ଉଠିଲେ:” ତାହାହେଲେ ତମେ ନିଜେ କାହିଁକି ରାସ୍ତା ପାର ହେଉଛ ,ଯେତେବେଳେ ତମେ ଏସବୁ କଥା ଜାଣ?”
ଏଡୱାର୍ଡ ତାଙ୍କୁ ଚାହିଁଲା,କରୁଣ ବିକଳ ଭଂଗୀରେ,ଆଉ ତାହାପରେ କହିଥିଲା :” କାରଣ ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ।”
“ହେଲେ ଏଥିରେ ତ ବିରୋଧାଭାଷ ଅଛି !” ଆନନ୍ଦର ସହ ଦୋହରାଇଥିଲେ ଶିକ୍ଷକ ଜଣକ।
“ହଁ ସତ” ମାନିନିଏ ଏଡୱାର୍ଡ,” ହଁ ଜ୍ଞାନ ଆଉ ବିଶ୍ୱାସ ଭିତରରେ ବିରୋଧାଭାଷ ରହିଛି । ଈଶ୍ୱରଙ୍କୁ ବିଶ୍ୱାସ କରିବା ପ୍ରଗତିର ବିରୋଧ ଆଡକୁ ନେଇଯାଏ ବୋଲି ମୁଁ ଜାଣେ। ମୁଁ ଜାଣେ ଈଶ୍ୱର ନଥିଲେ ବେଶ୍ ଭଲ ହୋଇଥାଆନ୍ତା।ହେଲେ ଏତେ ଗହୀରକୁ ମୁଁ ଅବା କ’ଣ କରିପାରିବି ” -ଏଇ କଥାଟି ସେ ଖାସ୍ ହୃଦୟ ଭିତରୁ କହିଥିଲା – “ମୁଁ ଅନୁଭବ କରେ ସେ ଅଛନ୍ତି ତ ? ଆପଣମାନେ ଦେଖନ୍ତୁ,କମ୍ରେଡଗଣ,
ପ୍ରକୃତରେ ଯାହା ତାହା ଆପଣମାନଙ୍କୁ କହୁଛି ! ଏହା ଭଲ ହେବ, ଆପଣମାନଙ୍କ ଆଗରେ ସ୍ୱୀକାର କରୁଛି,କାରଣ ମୁଁ ଗୋଟିଏ ହିପୋକ୍ରାଟ୍ ହେବାକୁ ଚାହେଁ ନାହିଁ । ମୁଁ ଯାହା ସେଇକଥା ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହେଁ ,” ଏତିକି କହି ସେ ତାହାର ମଥା ନତ କରେ।
ପ୍ରସଙ୍ଗକୁ ନେଇ ସେଇ ଶିକ୍ଷକଙ୍କର କ୍ଷୁଦ୍ର ଦୃଷ୍ଟି ; ସେ ଜାଣେ ନାହିଁ ଯେ ସବୁଠାରୁ ଗମ୍ଭୀର ବିପ୍ଳବୀ ଜଣକ ବି ହିଂସା ଏକ ଅତ୍ୟାବଶ୍ୟକୀୟ ଖଳପଣ ବୋଲି ବିବେଚନା କରେ ଆଉ ବିଶ୍ୱାସ କରେ ଯେ ବିପ୍ଳବର ଅନ୍ତର୍ନିହିତ ସତତା ପୁନର୍ଶିକ୍ଷଣରେ ନିହିତ ରହିଛି । ସେ,ଯିଏ ରାତାରାତି ବିପ୍ଳବୀ ହୋଇଯାଇଛି,ମହାପରିଚାଳିକାର ସେମିତି ସମର୍ଥନ ପାଏ ନାହିଁ ,ଏବଂ ସେ ସନ୍ଦେହ କରେନାହିଁ ଯେ ଏଇ ମୂହୂର୍ତ୍ତରେ ଏଡୱାର୍ଡ ,ଯିଏ ଏବେ ନିଜକୁ ବିଚାରକମାନଙ୍କ ସାମ୍ନାରେ ସମର୍ପି ଦେଇଛି ଗୋଟିଏ ଜଟିଳ ମାମଲା ଆକାରରେ ଏବଂ ସେ ତଥାପି ପୁନର୍ଶିକ୍ଷଣର ଏକ ସମ୍ଭାବନାର ପାତ୍ର ଏବଂ ସେହି ଶିକ୍ଷକର ତୁଳନାରେ ତାହାର ହଜାରଗୁଣ ଅଧିକ ମୂଲ୍ୟ ରହିଛି।ଏବଂ ଯେହେତୁ ସେ ଏସବୁ କିଛି ସନ୍ଦେହ କରୁନଥିଲା, ସେ ତେଣୁ ଏଡୱାର୍ଡକୁ କଠିନ ଭାବରେ ଆକ୍ରମଣ କରୁଥିଲା ଆଉ ଘୋଷଣା କରୁଥିଲା ଯେ ସେଇ ଲୋକମାନେ ଯେଉଁମାନେ ଜାଣନ୍ତି ନାହିଁ କେଉଁଭଳି ସେମାନେ ନିଜର ମଧ୍ୟଯୁଗୀୟ ବିଶ୍ୱାସରୁ ବାହାରି ଆସିବେ ଏବଂ ସେମାନଙ୍କ ପକ୍ଷରେ ସ୍କୁଲ୍ କୁ ଛାଡିଦେବା ଉଚିତ ହେବ।
ମହାପରିଚାଳିକା ତା’ଙ୍କୁ ଆଗ ତାଙ୍କର ବକ୍ତବ୍ୟକୁ ଶେଷ କରିବାକୁ ଦେଇଥିଲେ ,ତାହା ପରେ ଯାଇ ସେ ତାଙ୍କର ଗାଳିର ଉପଯୋଗ କରିଥିଲେ : ” ମୁଁ ମଥା କାଟିବାକୁ ପସନ୍ଦ କରେ ନା। ଏଇ କମ୍ରେଡ୍ ଜଣକ ବେଶ୍ ସଚ୍ଚୋଟ,ଆଉ ସେ ଆମକୁ ଯାହା ସତ ସେଇକଥା କହିଛନ୍ତି। ଆମର ତେଣୁ ତାଙ୍କୁ ଯଥାଯଥ ସମ୍ମାନ ଦେବାକୁ ଶିଖିବା ଉଚିତ।” ତାହାପରେ ସେ ଏଡୱାର୍ଡ ଆଡକୁ ମୁହଁ ବୁଲାଇ ଥିଲେ। ” କମ୍ରେଡ୍ ମାନଙ୍କର ମନ୍ତବ୍ୟ ପୁରାପୁରି ଠିକ୍,ଯଦିଓ,ଯେତେବେଳେ ସେମାନେ କହନ୍ତି ଯେ ଧାର୍ମିକ ବ୍ୟକ୍ତି ମାନେ ତରୁଣ ମାନଙ୍କୁ ପ୍ରଶିକ୍ଷିତ କରନ୍ତି ନାହିଁ । ଏ ସଂପର୍କରେ ତମର ପରାମର୍ଶ କ’ଣ ?”
“ମୁଁ କିଛି ଜାଣେ ନାହିଁ,କମ୍ରେଡଗଣ ” ଏଡୱାର୍ଡ ଅସନ୍ତୋଷର ସହ କହିଲା।
“ଏଇ କଥା ମୁଁ ଭାବୁଥିଲି,” ଇନସପେକ୍ଟର କହିଲେ। “ନୂତନ ଆଉ ପୁରାତନ ଭିତରେ ସଂଘର୍ଷ କେବଳ ବର୍ଗ ବିଶେଷ ମଧ୍ୟରେ ନୁହଁ ପ୍ରତିଟି ବ୍ୟକ୍ତିର ଭିତରେ ବି ନିରନ୍ତର ଚାଲିଥାଏ। ସେତେବେଳେ କମ୍ରେଡ୍ ଗଣ ଏହିଭଳି ସଂଘର୍ଷ ଆମ ଭିତରେ ବି ଏଇଠି ଚାଲିଛି। ଯେଉଁ ବିଚାର ସେ ଜାଣନ୍ତି ତାହା ସହିତ ସେ,ହେଲେ ତାଙ୍କର ଅନୁଭବ ତାଙ୍କୁ ପଛକୁ ଟାଣୁଛି। ଆମକୁ ଆମର ଏଇ କମ୍ରେଡ୍ ଙ୍କୁ ତାଙ୍କର ଏଇ ସଂଘର୍ଷରେ ସହାୟତା କରିବା ନିହାତି ଆବଶ୍ୟକ,ତାହା ଫଳରେ ବିଚାର ର ଜୟ ହୋଇ ପାରିବ।”
ମହାପରିଚାଳିକା ସମର୍ଥନରେ ମଥା ହଲାଇଲେ। ତାହାପରେ କହିଥିଲେ,” ମୁଁ ଏଥର ନିଜେ ତାହାର ଦାୟିତ୍ୱ ନେବି ।”
କ୍ରମଶଃ
°°°°°
ଆହା ! ଗତ ମଙ୍ଗଳବାର ୧୧ ଜୁଲାଇ ୨୦୨୩ରେ ପ୍ରଖ୍ୟାତ ଲେଖକ ମିଲାନ କୁନ୍ଦେରାଙ୍କର ପାରିସ୍ ସହରରେ ପରିଣତ ୯୪ ବର୍ଷ ବୟସରେ ଦେହାବସାନ ଘଟିଛି । ସେ ଜନ୍ମସୂତ୍ରରେ ଚେକୋସ୍ଲୋଭାକିଆର ମାତ୍ର ସେ ପାରିସ୍ ବାସୀ ହୋଇଥିବା କାରଣରୁ ଅନେକେ ତାଙ୍କୁ ଫରାସୀ ଲେଖକ ବୋଲି ମନେ କରିଥାନ୍ତି।ବସ୍ତୁତଃ ସେ ଚେକୋସ୍ଲୋଭାକିଆ ଆଉ ଫରାସୀ ଉଭୟ ଭାଷାରେ ଲେଖନ କର୍ମ କରିଛନ୍ତି। ସେ ଯାହାହେଉ,ଏମିତି କହିଲେ ଏବେ ଠିକ୍ ହେବ ଯେ, ବିଶ୍ୱ ସାହିତ୍ୟର ଏଇ ଚର୍ଚ୍ଚିତ ,ଉଭୟ ନିନ୍ଦିତ ଏବଂ ନନ୍ଦିତ, ଔପନ୍ୟାସିକ ନିଜର ସମସ୍ତ ବର୍ଣ୍ଣାଢ୍ୟ ଚରିତ୍ରମାନଙ୍କୁ ଉଜାଗର ରହିବା ପାଇଁ ଛାଡିଦେଇ ନିଜେ ଏଇମାତ୍ର ଶୋଇବାକୁ ଚାଲିଯାଇଛନ୍ତି ।
ଏବେ ଅନେକେ ଶୋକସଂତପ୍ତ ହୋଇ କହିବାରେ ଲାଗିଗଲେଣି ଯେ ପ୍ରତିବର୍ଷ ନୋବେଲ ପୁରସ୍କାର ପାଇଁ ତାଙ୍କର ନାଆଁ ଆସେ ଆଉ ତତକ୍ଷଣାତ୍ ଅନେକ ପାଠକ ଆଉ ଲେଖକଙ୍କ ଆଲୋଚନା ର ପ୍ରଥମ କଥାଟି ହୁଏ ,”କୁନ୍ଦେରା କ‘ଣ ବଞ୍ଚିଛନ୍ତି ?”।ବ୍ୟକ୍ତି ଭାବରେ ସେ ବଂଚିଥିଲେ ଏତେ ସମୟ ଆଉ ଶେଷରେ ଆଜି ତାଙ୍କପାଇଁ ଏଇ ନୋବେଲ୍ –ପ୍ରାପ୍ତି ବାତିଲ୍ ତାଲିକାକୁ ଆସିଯାଇଛି ,ଯେମିତି ଲିଓ ଟଲଷ୍ଟୟଙ୍କ ବାତିଲ୍ ତାଲିକାରେ ରହିଛି ପୃଥିବୀର ସର୍ବଶ୍ରେଷ୍ଠ ଏଇ ସାହିତ୍ୟ ସମ୍ମାନ।
“ଏଡୱାର୍ଡ ଓ ଈଶ୍ୱର“ ମିଲାନ କୁନ୍ଦେରାଙ୍କର ଏକ ଚର୍ଚ୍ଚିତ ଗଳ୍ପ । ଏହାକୁ ତାଙ୍କର ଲେଖନକର୍ମ ତଥା ଲେଖକୀୟ ବକ୍ତବ୍ୟର ସଂକ୍ଷିପ୍ତସାର ବା କି–ନୋଟ୍ ବୋଲି କୁହାଯାଇଥାଏ।
ଏଇ ଗଳ୍ପଟି ବିଶ୍ୱସାହିତ୍ୟର ଅନ୍ୟତମ ଅମୂଲ୍ୟ ସମ୍ପଦ।
ଆଜିର ବିଶ୍ୱ ସାହିତ୍ୟରେ କୁନ୍ଦେରା ଏକ ସ୍ଥାୟୀ ବାସିନ୍ଦା। ଦୁଇଟି କାରଣ ଯୋଗୁ ସେ ସାହିତ୍ୟ ଜଗତର ପ୍ରଖ୍ୟାତ ବ୍ୟକ୍ତିତ୍ୱ। ତାଙ୍କର ଲେଖାରେ ରହିଛି ଦର୍ଶନର ନିବିଡ ଉପସ୍ଥାପନା ଆଉ ଅନ୍ୟପକ୍ଷରେ ରହିଛି ରାଜନୈତିକ ବିଦ୍ରୂପ ବା ଥଟ୍ଟା ଯାହା ଆଜିର ସଂବେଦନଶୀଳ ବ୍ୟକ୍ତି ବିଶେଷର କହିବାକୁଗଲେ ଏକପ୍ରକାର ମାନସିକ ଖାଦ୍ୟ। ରାଷ୍ଟ୍ରସତ୍ତା କିନ୍ତୁ ସମାଲୋଚନା ବା ଥଟ୍ଟା ସହ୍ୟ କରିପାରେ ନାହିଁ। ସେଇ ବିଷୟକୁ ଉଲ୍ଲେଖ କରି କୁନ୍ଦେରାଙ୍କ ବକ୍ତବ୍ୟ ହେଉଛି,”କ୍ଷମତା ସହିତ ବ୍ୟକ୍ତିର ଲଢେଇ ହେଉଛି ମୂଳତଃ ବିସ୍ମରଣର ବିପରୀତକୁ ମନେ ରଖିବା।“
ଏଇଠି ତେଣୁ କୁହାଯାଇପାରେ,ଗୋଟିଏ ବହିର ପ୍ରାୟ ସବୁ ଧାଡି ର ତଳେ ନାଲିଗାର ଦେବାକୁ ପଡୁଥିବା ଭଳି ଦୁର୍ନିବାର ଆଗ୍ରହ କୁ ନେଇ ଦେଖିଲେ ମିଲାନ କୁନ୍ଦେରାଙ୍କର ସବୁ ବହିର ସବୁପୃଷ୍ଠା କେବଳ ନାଲିଗାରରେ ଭର୍ତ୍ତି ହୋଇଯିବାଭଳି କ୍ଷମତା ରଖେ।
ସେଇଥିପାଇଁ କୁନ୍ଦେରାଙ୍କୁ ଅନେକ ସମୟରେ ଆମେରିକୀୟ ଲେଖକ ମାର୍କ ଟ୍ୱେନ୍ ଙ୍କ ପରେ ସବୁଠାରୁ ଅଧିକ ଉଦ୍ଧୃତିସମ୍ବଳବିଶିଷ୍ଟ ଲେଖକ ବୋଲି କୁହାଯାଇଥାଏ।
ତାଙ୍କର ଗୋଟିଏ ପ୍ରସିଦ୍ଧ ଉକ୍ତି ହେଉଛି :
Optimum is the opium of the people ଅର୍ଥାତ୍ ଅନୁକୂଳତମତା ହେଉଛି ଏକ ଜନନିଶା।
ଅନୁକୂଳତମତାରେ ନିଶାଗ୍ରସ୍ତ ହୋଇ ଆମର ସାଂପ୍ରତିକତାକୁ ଏକ ପରିପ୍ରେକ୍ଷ୍ୟ ଦେବାବେଳେ ଆମକୁ କୁନ୍ଦେରା ବାରଂବାର ମନେ ପଡିବେ।
ସମକାଳର କାଫକା ଆଉ ନାହାଁନ୍ତି।
ତାଙ୍କର ବିୟୋଗରେ ଏମିତି ଗୋଟିଏ କଥାର ଉଲ୍ଲେଖ ରହିଛି। କାରଣ କାଫକାଙ୍କ ପରି ତାଙ୍କର କାହାଣୀ ଜଗତରେ ଅକାରଣର ନିରବଚ୍ଛିନ୍ନ ସ୍ୱୈରତାନ୍ତ୍ରୀକ ଆଧିପତ୍ୟ ପ୍ରତିଷ୍ଠିତ। ସେଇଥିପାଇଁ ତ ଅସ୍ତିତ୍ୱର ନିର୍ଭାର ଭାରରେ ଆମେ ସଚରାଚର ଆକ୍ରାନ୍ତ।
ମିଲାନ କୁନ୍ଦେରାଙ୍କର ଗୋଟିଏ ବହିର ନାଆଁ ହେଉଛି “ଇମୋର୍ଟାଲିଟି” ଅର୍ଥାତ୍ “ଅମରତ୍ୱ“।
ଅମରତ୍ୱର ଲେଖକକୁ ଆଉ ଆମେ ଅଧିକ କ‘ଣ କହିପାରିବା ?