ଗୋଠ ମେଲଣରୁ ଫେରି ଦେହ ହାତ ଦରଜରେ କନି ବିଛଣାରୁ ଉଠି ପାରିଲାନି। ଢେଲା ଆଉ କୋଇଲିଖିଆ କଣ୍ଟା ବାଜି ଗୋଡ଼ ସାରା ଖଣ୍ଡିଆ। ମାଳ କେତେଥର ତେଲ ଗରମ କରି ଘଷି ସାରିଲାଣି। କନିର ପାଦ ଦୁଇଟିକୁ କୋଳକୁ ଟାଣି ନେଇ ମାଳ କୁହେ, ‘ଏ ପାଦ ନା ଲହୁଣୀ ଲୋ ମା?’
ତା’ ପାଦ ଦୁଇଟାକୁ ସମସ୍ତେ ଏତେ ପ୍ରଶଂସା କାହିଁକି କରନ୍ତି? ସତରେ କ’ଣ ତାର ପାଦ ଦୁଇଟି ଏତେ ସୁନ୍ଦର!
ଆଈ କହୁଥିଲା – ‘ଲକ୍ଷ୍ମୀ ପାଦ ତ…..।’
ଅଳତା ଲଗାଇ ଦେଲାବେଳେ ବିନ କୁହେ, “ଭାଉଜଙ୍କ ପାଦ ଦୁଇଟି ଆଙ୍କି ଦେଲା ପରି।” ଅତନୁ ସିଧା ନ କହି ବୁଲେଇ ବଙ୍କେଇ କୁହେ – “ନାରୀର ସବୁ ସୌନ୍ଦର୍ଯ୍ୟ ତା’ ପାଦରେ।”
ରମାକାନ୍ତ ବି ଦିନେ ସେ ପାଦର ସୌନ୍ଦର୍ଯ୍ୟରେ ମୋହିତ ହୋଇଥିଲା କି କ’ଣ!
ସେଦିନ ସନ୍ଧ୍ୟାରେ ପହଞ୍ଚିଥିଲେ ମଳାଶୁର। ତାଙ୍କ ପାଇଁ ପିଠା କରୁ କରୁ କନି ବୋଉ କଥା ଭାବୁଥିଲା। ତାକୁ କି ଜ୍ବର ହୋଇଛି ଯେ ଚାରି ମାସ ହେଲା ଛାଡିବା ନାଁ ଧରୁନି। ପେଟକୁ ଦାନାପାଣି ଯାଉନି। ବିଛଣାରେ ପଡି ପଡି କଣ୍ଟା ଦୋହଲିଲାଣି। ମଲ୍ଲୀ କହୁଥିଲା -” ସତେ ଆଉ କ’ଣ ଉଷୁନା ଧାନ ଗଜା ହେବ!”
ଶାଶୁଙ୍କ ପାଟି ଶୁଣି କଥା ଅଧାରଖି ମଲ୍ଲୀ ବାଡ଼ ସେପଟରେ ଅଦୃଶ୍ୟ ହୋଇଗଲା।
କ’ଣ କହୁଥିଲା ବୋଉ? ମଲ୍ଲୀ ହାତରେ ତା’ ପାଖକୁ କି ଖବର ପଠେଇଛି? ଯେଉଁ ବିଜୁଭାଇ ସବୁ ସମ୍ଭାଲିବା କଥା ସେ ଦେଶାନ୍ତରୀ ହୋଇ କୁଆଡେ ବୁଲୁଛି। ପରଘରୀ ଝିଅଟା ହୋଇ ସେ ବା କ’ଣ କରି ପାରିବ?
ପିଣ୍ଡାରୁ ଶାଶୁଙ୍କ ପାଟି ଶୁଭିଲା, “ମଲା ମୋର ଏମିତି କି ପିଠା ଗଢା ହେଉଛି କି? ସରୁ ଚକୁଳି ନା ଛୁଞ୍ଚିପତର? ପିଠା ଦି’ଖଣ୍ଡକୁ ଆସି ରାତି ଅଧ ହେଲାଣି! ସିଏ ଆଉ ଭାତ ଖାଇବ କେତେବେଳେ?”
କନି ତରତରରେ ଥାଳିରେ ପିଠା ବାଢିଲା। ଶାଶୁ ଭିତରକୁ ଆସି ଥାଳିଟା ଉଠେଇ ଧରି କହିଲେ – ” ଏ ଗୁଡା ଚକୁଳି ପିଠା ନା ଘଷିଫେରା ବାର? ମା’ ରାଣ୍ଡୀ ତ ଗୋବର ଗୋଟେଇ ଗୋଟେଇ ଦିନ ଗଲା। ଝୁଅ ଘଷି ପରା ଛାଡି ଆଉ କ’ଣ ଶିଖିଥା’ନ୍ତା କି?”
ଶିକାରୁ କ୍ଷୀର ଠେକିଟା ଆଣିବାକୁ ଗଲାବେଳେ କନି ପଲମ ଉପରେ ପିଠାଟା ଓଲଟେଇବାକୁ ଭୁଲି ଯାଇଥିଲା। ପଲମ ଉପର ପିଠାଟା କୁହୁଳି ଉଠିବା ଦେଖି ଶାଶୁଙ୍କ ରାଗ ଫିଟି ପଡିଲା। ସେ ପିଠାଟା ଓଲଟେଇ ଦେଇ ଲୁହା ଖଡିକାଟା ଏତେ ଜୋରରେ ଛାଟି ଦେଲେ ଯେ କନି ଗୋଡରେ ବାଜି ବୁଢା ଅଙ୍ଗୁଳି ଫାଟି ଧାର ଧାର ରକ୍ତ ବୋହିଲା।
ରମାକାନ୍ତ ସେତିକିବେଳେ କୁଆଡୁ ବୁଲି ବୁଲି ଆସି ପହଞ୍ଚିଥିଲା।
ସେ ହଠାତ୍ ଚିତ୍କାର କରି ଉଠିଲା – ବୋଉ?
ଶାଶୁ ମୁହଁ ଛିଞ୍ଚାଡି ବାହାରି ଗଲାବେଳେ କହିଲେ – ‘ମୁଁ କ’ଣ ଜାଣି ଜାଣି ଖଣ୍ଡିଆ କଲି ନା କ’ଣ ବା? ଏଇଟା କିଏ ବା? ଦାଣ୍ଡରୁ ବୁଲି ବୁଲି ଆସି ମୋ ଉପରେ ମାଗଣାକୁ ଝଡେଇ ହେଉଛି। ଆହୁରି ଯଦି ଶହେ ଷାଠିଏ ରୋଜଗାର କରି ମୋତେ ପୋଷୁଥାନ୍ତା – !’
ମଳାଶୁର ଦୁଆରେ ଖଣ୍ଡି ଆଢୁଆଳରେ ଠିଆ ହୋଇ ପଚାରିଲେ, “ଘରେ ପଞ୍ଚଗୁଣା ତେଲ ନାହିଁ?”
ଶାଶୁ ଦୁମ୍ ଦୁମ୍ ଗୋଡ କଚାଡି ଶୋଇବା ଘର ଭିତରକୁ ପଶିଯାଇ କହିଲେ – ‘କେଜାଣି?’
ରମାକାନ୍ତ କନିର ପାଦଟାକୁ ଉଠେଇ ଧରି ରକ୍ତ ପୋଛି ଦେଇ ଆଉଁଶି ଦେଲାବେଳେ ଗଭୀର ମନୋଯୋଗ ସହକାରେ କ’ଣ ଯେମିତି ଦେଖୁଥିଲା। ତା’ର କଅଁଳ ଆଉଁଶାରେ କନିର ଆଖିପତା ଲାଗି ହୋଇ ଆସୁଥିଲା। ତା’ର ମନେ ପଡୁଥିଲା – ଆଉ ଥରେ ଜୟନ୍ତଙ୍କ ଚମ୍ପାଗଛ ମୂଳେ ତା’ର ନଖଟା ଉଠି ଯାଇଥିଲା।
ରମାକାନ୍ତ ସେଇ ପ୍ରଥମ ଓ ଶେଷ ଥର ପାଇଁ ସ୍ବାମୀ ହିସାବରେ ତା’ ପଛରେ ଢିରା ଦେଇ ଠିଆ ହୋଇଥିଲା। ମା’ ର ଅତ୍ୟାଚାର ବିରୋଧରେ ମୋଟେ ପଦଟିଏ ପ୍ରତିବାଦ କରିଥିଲା – ‘ବୋଉ?’
ପୁନି ଗାଁକୁ ଫେରିବାକୁ ସଜବାଜ ହେଉଛି। ମାଳ ତାକୁ କହୁଛି – “ଆଉ ଦିନେ ଦି’ ଦିନ ଧହୁନା। ତୁମ ଗୁଡ଼ ଘରେ କ’ଣ ପିମ୍ପୁଡି ଲାଗି ଯାଉଛନ୍ତି?”
– ନାଇଁ ମ ନୂଆଉ। ଘରେ ତେଣେ ଗାଈ ଗୋରୁଗୁଡା କ’ଣ କରୁଥିବେ। ବାଡିଟା ମକୁଳା ପଡିଛି। ଛେଳି ମେଣ୍ଢାପଶି ବାର ନାରଖାର କରୁଥିବେ। କାଲିକି ଛ’ ଦିନ। ମୁଁ ଯାଉଛି ଘର ଛପର ସରିଲେ ପଛେ ଆସିବି।
ସତକୁ ସତ ଲୁଗାପଟା ପିନ୍ଧିସାରି ବାହାରି ଆସି ଠିଆହେଲା ପୁନି। କନିର ପାଦ ଦୁଇଟିକୁ ଚାହିଁ ଦେଇ କହିଲା – “ତୁମର ଯେଉଁ କଥା ନୂଆଉ। ଦେଈ ଭଳିଆ ଲୋକଙ୍କୁ କାହିଁ ସାଙ୍ଗରେ ନେଇଥିଲ ଟି? ଗୋଡସାରା ଫୋଟକା ବାହାରି ପଡିଛି। ଗୋଠ ମେଲଣରେ ଏମିତି କି ଅପୂରୁବ ଥିଲା?”
କନି ସେମିତି ଶୋଇ ରହି ପଚାରିଲା, “ଯିବା କଥା ଯଦିଏତେ ରାତି ଯାଏ କାହିଁକି ରହୁଥିଲୁ? କାଲି ସକାଳୁ ଗଲେ ହେବନି?”
ପୁନି କହିଲା -“କୋଠିଆ ଟୋକା ଏଇ ଟିକକ ଆଗରୁ ଗାଁରୁ ଶଗଡ ଆଣି ପହଞ୍ଚିଲା। ଥଣ୍ଡା ଥଣ୍ଡା ଗଲେ ବାଟ ବାଧିବନି। ଖାଇ ପିଇ ସାରି ଆଉ ଟିକକୁ ବାହାରି ପଡିଲେ ପାହାନ୍ତିଆ ତାରା ନ ଉଠୁଣୁ ଯାଇ ଗାଁରେ।”
କନି ଉଦ୍ଦେଶ୍ୟରେ ମୁଣ୍ଡ ଲଗେଇ ପ୍ରଣାମ କରି ପୁନି ପୁଣି କହିଲା, “ଆମ ଆଡେ କେବେ ଚାଲୁନା ଦେଈ! କହନ୍ତ ଯଦି କୋଠିଆକୁ ଶଗଡ଼ ଦେଇ ପଠାନ୍ତି।”
-‘ହଉ। ଦେଖିବା କେତେବେଳେ’, କହିଲା କନି।
ପୁନି ବିଦାବିଦି ହେଲା ପରେ କନିକୁ ଭାରି ନିଛାଟିଆ ଲାଗିଲା। ତାକୁ ବଳେଇ ଦେବାକୁ ଗୋଠ ଯାଏ ଯାଇଛି ମାଳ। ଚାରି ପାଞ୍ଚ ଦିନ ହେଲା ସେମାନଙ୍କ ହୋ- ହଲ୍ଲା, ଯିବା ଆସିବାରେ ଘରଟା ପୂରିଲା ପୂରିଲା ଲାଗୁଥିଲା। ଆଜିକାଲି କନିକୁ ଏତେ ଏକୁଟିଆ ଲାଗେ କାହିଁକି କେଜାଣି?
ତା’ର ଇଚ୍ଛା ହୁଏ – ତା’ ପାଖରେ ସବୁବେଳେ କେହି ନା କେହି ଥାଉ। ପିଲାବେଳୁ କନି ନିର୍ଜନତାକୁ ଭଲ ପାଏ। ଦାଦା ପୁଅ ରାଜୁ ଆସି ପାଟିତୁଣ୍ଡ କଲେ ତା’ ପିଠିରେ ଦୁମୁଦୁମୁ ବିଧା କଷିଦେଇ ଡାକେ – ବୋଉ।
ବୋଉ ମୁରୁକି ହସି କୁହେ -“ହଉ ଲୋ ମା’। ଆଜିଠାରୁ ଏତେ ବ୍ୟସ୍ତ କାହିଁକି? ନିଜ ଛୁଆପିଲାଙ୍କୁ ତୁ କେମିତି ବଢେଇବୁ ମୁଁ ଦେଖିବିନି ! ଏତେ ଜଲଦି କ’ଣ ମୁଁ ମରିଯାଉଛି? ସେତେବେଳେ ଯଦି ତଣ୍ଟି ଚିପି ବେଙ୍ଗ ଭଳିଆ ଗୋଟାକୁ ଗୋଟା ବାଡି ଗଡିଆକୁ ଫୋପାଡ଼ି ନ ଦେଇଛି।”
ସବୁ ମା’ଙ୍କ ପରି ବୋଉ ହୁଏତ ତା’ ହିସାବରେ ଭାବିଥିଲା – କନି ସାତ ପୁଅ ଝିଅର ମା’ ହେବ। ସଞ୍ଜବେଳେ ଦାଣ୍ଡପିଣ୍ଡାରେ ଗୋଡ଼ ଲମ୍ବେଇ ସେ ସେମାନଙ୍କୁ ପେଟେଇ ପକେଇ ତେଲ ହଳଦୀ ମାରିଦେବ। କନ୍ଦାକଟା କଲେ କପଟ କ୍ରୋଧରେ ଡାକ ପକେଇବ -‘ନେ ଲୋ କନି। ଏ ରାହାବାଳୀକୁ ଉଠା ଏଠୁ। ଚେପାନାକୀ କାନ ଅତଡା ପକାଉଛି।’
କନି ହୁଏତ ଜବାବ ଦେଇଥାନ୍ତା – ମୋ ଝିଅର କାହିଁକି ଚେପାନାକ ହେବ ମ!
-ନାଇଁ ତୋ ମନକୁ ସୁନ୍ଦର! ଅସୁରୁଣୀ ତ ଏକାବେଳକେ ତୋ ଶାଶୁ ନାକକୁ ଛିଣ୍ଡେଇ ଆଣିଛି।
ସ°ସାରୀ ନାରୀର ଚିରନ୍ତନୀ ସ୍ବପ୍ନ। କେତେବେଳେ ପୁଅ ଝିଅଙ୍କୁ କେନ୍ଦ୍ରକରି ତ ଆଉ କେତେବେଳେ ନାତିନାତୁଣୀଙ୍କ ଅଳିଅର୍ଦ୍ଦଳିକୁ ନେଇ। ଜୀବନର ବହୁ ସ୍ବପ୍ନ ପରି ବୋଉର ସେ ସ୍ବପ୍ନଟା ବି ଅଧୁରା ରହିଗଲା।
ମାଳ ଏ ଯାଏ ଫେରିନି। ଆଜି ତା’ର ଫେରିବାକୁ କେତେ ଡେରି ହେବ କେଜାଣି? କନିକୁ ଚାରିଆଡ଼ ଭାରି ନିଛାଟିଆ ଲାଗିଲା।
କାଲି ଏତେବେଳକୁ କିନ୍ତୁ ଗୋଠ ମେଲଣ ପଡିଆ ଘୁ’ ଘୁ’ କମ୍ପୁଥିଲା। ଗାଁ ଗାଁରୁ ଦୁଧ ଦହି ଭାର କାନ୍ଧେଇ ପହଞ୍ଚୁଥିଲେ ଦଳକୁ ଦଳ ଗୋପାଳ। ପ୍ରତି ଦଳ ଆଗରେ ଫଡି ବୁଲେଇ ଦୁଇ ଚାରିଟା ଲେଖା ଟୋକା।
ପ୍ରକୃତରେ ସେ ଅର୍ଜୁନ ପୁରିଆ ଟୋକା ପବନ ବେଗରେ ଫଡି ଖେଳୁଥିଲା। କନିର ଆଖି ଖୋଷି ହୋଇ ଯାଉଥିଲା। ପୁନି ଅଣ୍ଟାରୁ ପୁଳାଏ ଚିମୁଟି ଦେଇ ଫୁସ୍ ଫୁସ୍ ସ୍ବରରେ ମାଳ କହିଲା -‘ପୁନି, ଦେଖୁଛ ତ?’
(ଅନ୍ଧବର! ନାଁ ଟି ଶୁଣି କନି ଆଗରୁ ଯେମିତି କଳ୍ପନା କରିଥିଲା ….. ଆର ଥରକୁ)