ଗାଁର ନାମ ରଘୁରାଜପୁର
ଭୁବନେଶ୍ୱରରେ କଳା ମହାବିଦ୍ୟାଳୟରେ ନାମ ଲେଖାଇବା ପରେ ହିଁ ମୁଁ ପଟଚିତ୍ରର ଗାଁ ରଘୁରାଜପୁରର ନାମ ଜାଣିଲି । ୧୯୯୨ ମସିହାରେ ମୁଁ ପ୍ରଥମଥର ପାଇଁ ରଘୁରାଜପୁର ଯାଇଥିଲି। ତାପରେ ଅବଶ୍ୟ ଅନେକ ଥର ଯାଇଛି । ପ୍ରଥମଥର ଯାଇଥିଲି ଟ୍ରେନରେ। ଥରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ଲୋକାଲ୍ ପାସେଞ୍ଜର ଟ୍ରେନରେ ଉଠି, ମୁଁ ଓ ମୋର ଚିତ୍ର ଶିଳ୍ପୀ ବନ୍ଧୁ ବିଭୁ ପଟ୍ଟନାୟକ ଯାଇ ଓହ୍ଲେଇଥିଲୁ ଜାନକାଦେଇପୁର ଷ୍ଟେସନରେ । ସେଉଠୁ ଚାଲି ଚାଲି ଭାର୍ଗବୀ ନଈର ବନ୍ଧେ ବନ୍ଧେ ରଘୁରାଜପୁର ଯାଇଥିଲୁ । ଫେରିଲା ବେଳକୁ ଚାଲି ଚାଲି ଫେରିଥିଲୁ ଚନ୍ଦନପୁର ଓ ସେଉଠୁ ଲୋକାଲ୍ ବସ୍ ଧରି ଅନ୍ୟ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲୁ ପୁରୀ ।
ଏବେବି ଭୁବନେଶ୍ୱରରୁ ରଘୁରାଜପୁର ଯିବାକୁ ହେଲେ ଚନ୍ଦନପୁର ବଜାରରୁ ବାଁ ପଟକୁ ଯାଇଥିବା ରାସ୍ତାରେ ଯିବାକୁ ହେବ । ଆଗରୁ ଟ୍ରେନ୍ ଲାଇନକୁ ଟପି ଯିବାକୁ ହେଉଥିଲା, ଏବେ ଟ୍ରେନ୍ ଲାଇନ୍ ତଳେ ନୂଆ ବାଟ ଗୋଟେ ଫଟିଛି । ଭୁବନେଶ୍ୱରରୁ ଚନ୍ଦନପୁରର ଦୂରତା ପଚାଶ କିଲୋମିଟର । ସେଉଠୁ ରଘୁରାଜପୁର ଗୋଟେ କିଲୋମିଟର । ଆଗରୁ ସେଇ ଚନ୍ଦନପୁର ବଜାର ଦେଇ ପୁରୀ ଯିବା ଆସିବା ଥିଲା । କେଇ ବର୍ଷ ହେଲାଣି ୩୧୬ ନମ୍ବର ରାଜରାସ୍ତା ପ୍ରଶସ୍ଥ ହେଲାପରେ ବାଇପାସ୍ ଦେଇ ମୁଖ୍ୟ ଗମନାଗମନ ଚାଲିଛି । ସିଧାସଳଖ ପୁରୀ ଯାଉଥିବା ବସ୍ ଓ ଟ୍ୟାକ୍ସି ଆଉ ରଘୁରାଜପୁର ବଜାର ଆଡେ ଯାଉନାହଁନ୍ତି ।

ପୁରୀ ଅଞ୍ଚଳର ଗାଁ ଗୁଡ଼ିକ ଭାରି ସୁନ୍ଦର । ଚନ୍ଦନପୁରରୁ ରଘୁରାଜପୁର ଯିବାବେଳେ ନଈ ବନ୍ଧରୁ ଦୃଶ୍ୟସବୁ ବଡ଼ ମନୋହର ଦିଶେ । ଚନ୍ଦନପୁର ପରେ ପରେ ଭାର୍ଗବୀ ନଈ ଦୁଇ ଭାଗ ହେଇଯାଇଛି । ଭାର୍ଗବୀରୁ କଞ୍ଚିନଦୀ ନାମରେ ଶାଖା ନଦୀ ଗୋଟେ ବାହାରିଛି । ରଘୁରାଜପୁର ଗାଁଟି ସେଇ କଞ୍ଚିନଦୀ କୂଳରେ ରହିଛି । ପ୍ରଚୁର ନଡିଆ, ଗୁଆ, ଆମ୍ବ, ପଣସ ଆଦି ଗଛରେ ଭରା ଗାଁ । ଗାଁ ବାହାରେ ରହିଛି କେତୋଟି ପାନ ବରଜ। ଚନ୍ଦନପୁର ଅଞ୍ଚଳର ପାନ ସରସା ବୋଲି ନାଁ ଡାକ ରହିଛି । ସରକାରୀ ରାଜସ୍ୱ ଖାତାରେ ରଘୁରାଜପୁର ହେଲା ଜାନକାଦେଇପୁର ଗାଁର ଅନ୍ୟତମ ପଡ଼ା ଗ୍ରାମ । ଗାଁ ମୁଣ୍ଡରେ ଗ୍ରାମଦେବତୀ ମା’ ଭୁଆଶୁଣୀଙ୍କ ମନ୍ଦିର । ଆଗରୁ ମା’ ବରଗଛ ତଳେ ଖଣ୍ଡେ ପଥର ରୂପରେ ସିନ୍ଦୁର ମଖା ହେଇ ପୂଜା ପାଉଥିଲେ। ପରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ କେଳୁଚରଣ ମହାପାତ୍ର ସେଇଠି ମନ୍ଦିରଟେ ଗଢେ଼ଇଛନ୍ତି । ମା’ଙ୍କର ନୂଆ ପଥର ମୂର୍ତ୍ତୀ ଗଢ଼ା ହେଇଛି । କେଳୁଚରଣ ମହାପାତ୍ର ରଘୁରାଜପୁର ଗାଁ’ର ପୁଅ । ଚିତ୍ରକାର ପରିବାରର ଲୋକ । ତାଙ୍କ ମା’ ଶିରିଦେବୀ କୁଆଡେ଼ ବହୁ ସୁନ୍ଦର ଯାତ୍ରୀପଟି ଆଙ୍କୁଥିଲେ । କେଳୁ ବାବୁ ଚିତ୍ରଅଙ୍କା ବି ଜାଣିଥିଲେ । ତାଙ୍କ ସାନଭାଇ ବଂଶୀଧର ମହାପାତ୍ର ଚମତ୍କାର କାଠ ମୂର୍ତ୍ତୀ ତିଆରି କରୁଥିଲେ । ଏବେ ଆଉ କାମ କରିପାରୁନାହାଁନ୍ତି । ବୟସ ବଢ଼ିଲାଣି ଓ ଆଖିକୁ ଆଉ ଦିଶୁନି । ତାଙ୍କ ପତ୍ନୀ ଶଶୀମଣି ମହାପାତ୍ର ମଧ୍ୟ କାଗଜରେ ମୁଣ୍ଡ ହଲା ପୋଲା ବାଘ, ହାତୀ ଓ ଗୋବର କଣ୍ଢେଇ ଆଦି ତିଆରି କରୁଥିଲେ । ସେ ଦୁଇ ଜଣଙ୍କ ଅନେକ କାମ ବିଭିନ୍ନ ସମୟରେ ମୁଁ ସଂଗ୍ରହ କରି ବନ୍ଧୁମାନଙ୍କୁ ଉପହାର ଦେଇଛି । କିଛି ଏବେବି ସାଇତି ରଖିଛି ।
ରଘୁରାଜପୁର ଗାଁ ଦାଣ୍ଡର ଦୁଇପଟେ ଘର । ମଝିରେ ପ୍ରଶସ୍ଥ ଦାଣ୍ଡ। ଦାଣ୍ଡ ମଝିରେ ଧାଡ଼ିଏ ମନ୍ଦିର ଓ ନଡ଼ିଆ ଗଛ କେତୋଟି । ଭୁଆଶୁଣୀଙ୍କ ମନ୍ଦିର ଟପି ଗାଁ ଭିତରକୁ ଗଲେ ପ୍ରଥମେ ପଡ଼ିବ ଦୋଳ ବେଦୀ । ତାପରେ ରାଧାମୋହନଙ୍କ ମନ୍ଦିର । ମନ୍ଦିରରେ ବିରାଜମାନ ଅଛନ୍ତି ରାଧାମୋହନ ଦେବ, ତାଙ୍କ ଆଗକୁ ଅଭିରାମ ପରମହଂସଙ୍କ ପାଇଁ ଘର । ତାପରେ ଗାଁର ଭଗବତ ଘର ବା ଯାଗାଘର । ଆଗରୁ ସେଇଟି ଭାଗବତ ଟୁଙ୍ଗି ଭାବରେ ବ୍ୟବହୃତ ହେଇଥିଲା । ଗାଁ ପିଲାଏ ଆଜିକାଲି ସେଇଠି ‘ରଘୁନାଥ କ୍ଲବ୍’ ଗଢ଼ିଛନ୍ତି । ତା’ ପାଖକୁ ଦୂର୍ଗା ମଣ୍ଡପ ବା ଗୋଷାଣୀ ଘର । ଆଶ୍ୱିନ ମାସରେ ଦୂର୍ଗତୀନାଶିନୀ ମା ଦୂର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତୀ ସେଇଠି ପୂଜା ପାଏ । ସେଇ ଧାଉଡ଼ିରେ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିର ରହିଛି । ଏହାଛଡା ଗାଁରେ ଶ୍ରୀ ଶ୍ରୀ ରଘୁନାଥ ଦେବ ମନ୍ଦିର ଓ ଶ୍ରୀ ଶ୍ରୀ ଗୌରାଙ୍ଗ ଦେବଙ୍କ ମନ୍ଦିର ମଧ୍ୟ ରହିଛି । ଆଗରୁ ଗାଁରେ କେହି ବ୍ରାହ୍ମଣ ପୂଜକ ନଥିଲେ । ପାଖ ଗାଁରୁ ପୂଜକ ଆସି ଗାଁ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରୁଥିଲେ । କିଛି ବର୍ଷ ହେଲାଣି ବ୍ରାହ୍ମଣ ପରିବାର ଗୋଟିଏ ଆସି ଗାଁରେ ଘର କରି ଅଛନ୍ତି । ପୂର୍ବରୁ ପଶ୍ଚିମ ଆଡ଼କୁ ଆଗେଇଥିବା ଗାଁ ଦାଣ୍ଡ ଆଗକୁ ଯାଇ ନଈ ବନ୍ଧରେ ମିଶିଛି । ନଈ ବନ୍ଧରେ ବି ରହିଛି କେତୋଟି ଘର । ଗାଁରେ ଚିତ୍ରକାର ହେଲେ ଷୋହଳ ଘର । ତା’ ତାଳକୁ ଚଷା ଓ ବଣିଆ । ତା’ ଛଡା ଅଳ୍ପ କେଇ ଘର ଗଉଡ଼, ତନ୍ତି, କେଉଟ, ବଢେ଼ଇ ଓ ଗୁଡ଼ିଆ ଆଦି ଜାତିର ଲୋକେ ବି ରୁହନ୍ତି । ଏମିତି ନୁହେଁ ଯେ ରଘୁରାଜପୁରରେ କେବଳ ପାରମ୍ପରିକ ଚିତ୍ରକାର ପରିବାର ଲୋକେ ହିଁ ଚିତ୍ର କରୁଛନ୍ତି ଅବା ପଥର ମୂର୍ତ୍ତି ଖୋଳୁଛନ୍ତି; ଅନ୍ୟ ଜାତିର କିଛି ଲୋକେ ବି ସମୟକ୍ରମେ ଚିତ୍ରକାର ଅବା ମୂର୍ତ୍ତିକାର ଭାବରେ ଜୀବିକା ନିର୍ବାହ କରୁଛନ୍ତି । ଏବେ ଗାଁର ଶହେ ଷାଠିଏ ଘର ଲୋକ ଅଛନ୍ତି । ଲୋକ ସଂଖ୍ୟା ସାତଶହରୁ ଆଠଶହ ଭିତରେ ।

ମୁଁ ୧୯୯୦ ମସିହାରେ ଯେବେ ପ୍ରଥମକରି ରଘୁରାଜପୁର ଯାଇଥିଲି, ସେତେବେଳେ ଗାଁର ପ୍ରାୟ ଅନେକଙ୍କର ଘର ଚାଳ ଛପର ଥିଲା, ମାଟି କାନ୍ଥ ଓ ପିଣ୍ଡା ଉଚ୍ଚା ଥିଲା । ନଈ ପାଖରେ ଥିବା ଗାଁ ମାନଙ୍କର ଘର ସବୁ ବନ୍ୟା ଦାଉ ପାଇଁ ଏମିତି ଉଚ୍ଚା ଉଚ୍ଚା ପିଣ୍ଡା କରିଥା’ନ୍ତି । ଏଇଗଲା ତିରିଶ ବର୍ଷ ଭିତରେ ଗାଁ’ର ପରିପାଟି ବଦଳି ଗଲାଣି । ବିଶେଷ କରି ୨୦୧୯ ମସିହାର ପ୍ରଳୟଙ୍କରି ଫନି ବତ୍ୟା ପରେ ହିଁ ଚାଳଛପର ଘର ଜାଗାରେ ନୂଆ କୋଠା ଘର ସବୁ ହେଇଛି । ଭାଇ ବାଣ୍ଟରେ ବଡ଼ ଘର ଚିରା ହେଇ ଛୋଟ ଘର ବି ହେଇଛି । ତାପରେ ବିଭିନ୍ନ ସମୟରେ ‘ହେରିଟେଜ୍ ଭିଲେଜ୍’ ଭାବରେ ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନା ସବୁ କାର୍ଯ୍ୟକାରୀ ହେଇ ଗାଁର ପରିପାଟିକୁ ବଦଳାଇ ଦେଇଛି । ମୁଁ ବ୍ୟକ୍ତିଗତ ଭାବରେ ଜାଣିଥିବା କିଛି ଚିତ୍ରକାର ଏହା ଭିତରେ ବିଦାୟ ନେଇସାରିଛନ୍ତି । ବିଦାୟ ନେଇସାରିଥିବା ଯାତ୍ରୀପଟି ଆଙ୍କୁଥିବା ଚିତ୍ରକାର ବାବାଜି ମହାରଣାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା । ବାବାଜୀ ମହାରଣାଙ୍କ ଉପରେ ମୁଁ ଓ ଜଣେ ବନ୍ଧୁ ଏକ ବୃତ୍ତଚିତ୍ର ନିର୍ମାଣ କରିଥିଲୁ । କିନ୍ତୁ ବିଭିନ୍ନ କାରଣରୁ ତାହା ସମ୍ପୂର୍ଣ ହେଇପାରିନି । ଗାଁର କେତେଜଣ ପୁରୁଣା ଚିତ୍ରକାର ବାର୍ଦ୍ଧକ୍ୟ କାରଣରୁ ଆଉ କାମ କରିପାରୁନାହାଁନ୍ତି । କିନ୍ତୁ ସେମାନେ ଆଜିର ରଘୁରାଜପୁର ଗଢ଼ାହେବାର ଇତିହାସ ଜାଣିବା ସହ, ପାରମ୍ପରିକ ପଟଚିତ୍ରରେ ଏକାଦା ପ୍ରଚଳିତ ଓ ଅଧୁନା ବିଲୁପ୍ତ କଳା କୌଶଳକୁ ମନେରଖିଛନ୍ତି । ସେସବୁକୁ ବେଳ ଥାଉଁ ଥାଉଁ ଆମେ ସଂଗ୍ରହ ନକଲେ ତାହା କାଳ ଗର୍ଭରେ ହଜିଯିବା ପାଇଁ ଆଉ ବେଶି ସମୟ ଲାଗିବନି । କିଛି କିଛି ଘରର ସାମ୍ନା କୋଠରୀ ସବୁ ଏକଦମ ବଜାରର ସୋ ରୁମ୍ ପରି ସଜା ହେଇଛି । ଉଭୟେ ପଟି ଓ ମଠା କପଡ଼ା ଉପରେ ଅଙ୍କା ପଟଚିତ୍ରରୁ ଆରମ୍ଭ କରି କାଗଜ ମୁଖା, କାଠ କଣ୍ଢେଇ, ନଡ଼ିଆ ଉପରେ କାମ, କାଚ ବୋତଲ ଓ ଚା କେଟିଲ୍ ଉପରେ ଆଦିବାସୀ ଚିତ୍ର ଓ ଆହୁରି କେତେ କ’ଣ ନୂଆ କିସମର ବଜାର ଖୋଲିଛି । ତଥାପି ଦାଣ୍ଡ ପିଣ୍ଡା ଓ ଦାଣ୍ଡ ଘରେ କିଛି କିଛି ଶିଳ୍ପୀ ପୁରୁଖା ଶିଳ୍ପୀ ବସି ଚିତ୍ର ଆଙ୍କୁଛନ୍ତି । ଜଉ ଶାଳ ଆଉ କେଉଁଠି ନାହିଁ । ବଜାର ବାର୍ଣ୍ଣିସିରେ କାମ ଚଳୁଛି । ହାତରେ ପାରମ୍ପରିକ ରଙ୍ଗ ତିଆରି ତ ଏବେ ଇତିହାସ । ପାରମ୍ପରିକ ଶଙ୍ଖ, ପିହୁଳି, ଖଣ୍ଡନୀଳ, ଗେରୁ, ହେଙ୍ଗୁଳ, କଳା ରଙ୍ଗ ସାଙ୍ଗରେ ଆହୁରି କେତେ କ’ଣ ରଙ୍ଗ ମିଶିଗଲାଣି । ନୂଆ ପିଢ଼ୀର ଚିତ୍ରକାର ସେ ରଙ୍ଗ ତିଆରିର କୌଶଳ ସବୁ ପାଶୋର ଗଲେଣି । କେତେ ଜଣଙ୍କ ପାଖରେ କପଡ଼ା ଉପରେ ଛାପା ଚିତ୍ର ମଧ୍ୟ ମିଳୁଛି । ଛାପା ହେଇଥିବାରୁ ଦାମ କମ୍ ରହୁଛି, ତେଣୁ ତା’ର ଚାହିଦା ଅଧିକା ରହୁଛି । ପରମ୍ପରା ଉପରେ ଧିରେ ଧିରେ ବଜାର ସଂସ୍କୃତି ଓଜନିଆ ହେଇ ବସିବାକୁ ଲାଗିଛି ।
ଆମ ଚିତ୍ର ପରମ୍ପରା
ଓଡ଼ିଶାର ପାରମ୍ପରିକ ଚିତ୍ରକଳାର ବେଶ୍ ପୁରୁଣା ଇତିହାସ ଅଛି । ଭିନ୍ନ ଭିନ୍ନ ସମୟରେ ଦେଶ ଓ ବିଦେଶର ଗବେଷକମାନେ ସେମାନଙ୍କ ପୁସ୍ତକ ଓ ନିବନ୍ଧମାନଙ୍କରେ ଆମ ପାରମ୍ପରିକ ଚିତ୍ରକଳା ଓ ଚିତ୍ରକାରମାନଙ୍କ ବିଷୟରେ ଅନେକ କଥା ଲେଖିଯାଇଛନ୍ତି ।
ଜଗନ୍ନାଥ ସଂସ୍କୃତି ସହ ଆମ ଚିତ୍ର ପରମ୍ପରାର ସିଧାସଳଖ ସମ୍ପର୍କ। ମହାପ୍ରଭୁଙ୍କ ଛତିଶି ନିଯୋଗ ଭିତରୁ ଚିତ୍ରକାର ନିଯୋଗ ଅନ୍ୟତମ । ବଂଶାନୁକ୍ରମିକ ଭାବରେ ଚିତ୍ରକାରମାନେ ମନ୍ଦିର ସେବାରେ ନିୟୋଜିତ ଥାଆନ୍ତି । ବର୍ଷ ତମାମ୍ ସେମାନେ ବଡ଼ଦେଉଳ, ବେଢ଼ା ବାହାରର ଅନ୍ୟାନ ମନ୍ଦିର, ଜାଗା ଘର ଓ ଆଖପାଖରେ ମଠମାନଙ୍କରେ କିଛି ନା କିଛି ଚିତ୍ରସେବାରେ ନିୟୋଜିତ ଥାଆନ୍ତି । ସମୟକ୍ରମେ ଚିତ୍ରକାରମାନଙ୍କର ସଂଖ୍ୟା ବଢ଼ିଲା, କିନ୍ତୁ ସେଇ ଅନୁପାତରେ ମନ୍ଦିର ଓ ମଠରେ ସେମାନଙ୍କ ପାଇଁ ଚିତ୍ରକାର ସେବା କାମ ବଢ଼ିଲାନି । ତେଣୁ ସେମାନେ ପୁରୀ ଆଖ ପାଖ ବ୍ରାହ୍ମଣ ଶାସନ ଗାଁ’ମାନଙ୍କୁ କାମ ସନ୍ଧାନରେ ଆସିବାକୁ ଲାଗିଲେ । ବ୍ରାହ୍ଣଣ ଘରମାନଙ୍କରେ ସାରା ବର୍ଷ ଲାଗିରହୁଥିବା ଜାନି ଯାତ୍ରା ଓ ପୂଜା ପାର୍ବଣ ପାଇଁ ଚିତ୍ରକାରଙ୍କ ଆବଶ୍ୟକାତା ଥିଲା । କିଛି ଚିତ୍ରକାର ବୀରମିତ୍ରପୁର ଶାସନ ପାଖ ଦାଣ୍ଡସାହିରେ ଓ କିଛି ଚିତ୍ରକାର ଜାନକାଦେଇପୁର ଶାସନ ପାଖରେ ରଘୁରାଜପୁରରେ ବସବାସ କରିବା ଆରମ୍ଭ କଲେ । ଏବେବି ଦାଣ୍ଡସାହି ଓ ରଘୁରାଜପୁରର ଚିତ୍ରକାରମାନଙ୍କର ପୁରୁଷାନୁକ୍ରମରେ ଏଇ ଦୁଇ ବ୍ରାହ୍ଣଣ ଶାସନରେ ଚିତ୍ରକାର ଯଜମାନୀ ସେବା ଅବ୍ୟାହତ ରହିଛି ।

ମଠ, ମନ୍ଦିର ଓ ଯଜମାନୀ ସେବା ଛଡ଼ା ଚିତ୍ରକରମାନେ ସାରାବର୍ଷ ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଚିତ୍ରିତ କାଠ କଣ୍ଢେଇ, ଗୋବର କଣ୍ଢେଇ, କାଗଜ ମୁଖା, ସାନ ସାନ କାଠରଥ ଓ ଗଞ୍ଜପା ଆଦି ସହ ଯାତ୍ରୀପଟି ବି ଆଙ୍କି ବିକ୍ରୀ କରିଥା’ନ୍ତି । ସେତେବେଳେ ଆଜିକାଲି ପରି ମହାପୁରୁମାନଙ୍କର ଛାପା ଛବି ମିଳୁନଥିଲା । ତେଣୁ ଯାତ୍ରୀମାନେ ନିଜ ନିଜ ଗାଁକୁ ଫେରିଲାବେଳେ ସାଙ୍ଗରେ ନିର୍ମାଲ୍ୟ, ବେତ ବାଡ଼ି, କାଠ ମାଳି ଓ ସାଙ୍ଗରେ ଶ୍ରୀଜୀଉମାନଙ୍କ ଛବି କେଇ ଖଣ୍ଡ ଧରି ତୀର୍ଥରୁ ଫେରୁଥିଲେ । ଠାକୁରମାନଙ୍କର ସେଇ ଛବି ସବୁକୁ ଯାତ୍ରୀପଟି କୁହାଯାଏ । ଯାତ୍ରୀପଟି ସବୁ ମୁଖ୍ୟତଃ ସହଜ ସରଳ ଭାବରେ ଅଙ୍କାଯାଉଥିଲା । ବିଷୟବସ୍ତୁ ଓ ଆକାର ଅନୁସାରେ ତା’ର ଭିନ୍ନଭିନ୍ନ ନାମକରଣ ମଧ୍ୟ ହେଇଥିଲା ।ପୁରୀରେ ପଟଚିତ୍ର ବିକ୍ରୀ ପାଇଁ ଦୁଇଟି ସ୍ଥାନ ନିରୂପିତ ହେଇ ରହିଥିଲା । ବେଢ଼ା ଭିତର ସ୍ଥାନକୁ ବେଢ଼ା ମାହାଲ ଓ ସିଂହଦରଜା ବାହାରେ ଅରୁଣ ସ୍ତମ୍ଭ ପାଖରେ ଗୋଟେ ସ୍ଥାନ ଥିଲା, ଯାହାକୁ ଚକଡ଼ା ମାହାଲ କୁହାଯାଉଥିଲା । ମନ୍ଦିର ପକ୍ଷରୁ ମାହାଲ ଦୁଇଟିର ପ୍ରତିବର୍ଷ ନିଲାମ ହେଉଥିଲା । କିନ୍ତୁ ଅର୍ଥାଭାବରୁ ଚିତ୍ରକାରମାନେ ନିଲାମ ଧରିପାରୁନଥିଲେ । ଧନୀ ବ୍ୟବସାୟୀ ଠିକାଦାରମାନେ ହିଁ ନିଲାମ ଧରୁଥିଲେ । ଚିତ୍ରକାରମାନଙ୍କ ପାଖରୁ ଅଳ୍ପମୂଲ୍ୟରେ ଚିତ୍ର ସଂଗ୍ରହ କରି ଚିତ୍ରପଟି ମାହାଲରେ ଯାତ୍ରୀମାନଙ୍କୁ ଅଧିକ ଦରରେ ବିକ୍ରି କରି ଭଲ ମୁନାଫା କମଉଥିଲେ ।
ଊନବିଂଶ ଶତକର ଶେଷ ଓ ଏକବିଂଶ ଶତକର ଆଦ୍ୟକାଳକୁ ପୁରୀ ବାଶେଳୀ ସାହିର ଆନନ୍ଦ ମହାନ୍ତି ବୋଲି ଏମିତି ଜଣେ ଠିକାଦାର ବ୍ୟବସାୟୀ ଚିତ୍ରପଟି ମାହାଲର ନିଲାମ ଧରୁଥିଲା । ପୁରୀ, ଦାଣ୍ଡସାହି ଓ ରଘୁରାଜପୁରର ଗରିବ ଚିତ୍ରକାରମାନଙ୍କ ପାଖରୁ ଧାନ ଓ ଚାଉଳ ଦେଇ ଅତି ଅଳ୍ପ ଦରରେ ଚିତ୍ର ସଂଗ୍ରହ କରି ଯାତ୍ରୀମାନଙ୍କୁ ଅଧିକ ଦରରେ ବିକ୍ରି କରୁଥିଲା । ଅଭାବରେ ପଡ଼ି ଚିତ୍ରକାରମାନେ ଆନନ୍ଦ ମହାନ୍ତି ପାଖରୁ ସବୁବେଳେ ଆଗତୁରା ଟଙ୍କା ଧାର ନେଉଥିଲେ ଓ ନୀୟମିତ ଚିତ୍ର ଯୋଗାଇ ଶୁଝାଉଥିଲେ । ଅସୁବିଧାରେ ପଡ଼ି କେବେ କେବେ ସେମାନେ ଧାର ଟଙ୍କା ଶୁଝି ନପାରିଲେ ଆନନ୍ଦ ମହାନ୍ତି କେଶ୍ କରି ଚିତ୍ରକରଙ୍କ ଘର ଓ ଜମିଜମାକୁ ଦଖଲ କରୁଥିଲା ।
ଏମିତି ଏକ ସମୟରେ ପୁରୀର ମିଛୁ ମିଶ୍ର ନାମରେ ଜଣେ ସମାଜସେବୀ ଚିତ୍ରକରମାନଙ୍କୁ କହିଲେ, ସେମାନେ ଆନନ୍ଦ ମହାନ୍ତିକୁ ଚିତ୍ର ବିକ୍ରୟ ନକରି ମିଳିମିଶି ଗୋଟେ ସମବାୟ ସମିତି ଗଢ଼ନ୍ତୁ ଓ ସିଧାସଳଖ ଯାତ୍ରୀମାନଙ୍କୁ ଚିତ୍ର ବିକନ୍ତୁ । ଏ ଖବର ପାଇ ଆନନ୍ଦ ମହାନ୍ତି ବଡ଼ ଖପା ହେଲା ଓ ଦୁଷ୍ଟ ବୁଦ୍ଧି ଗୋଟେ ପାଞ୍ଚିଲା । ସେତବେଳକୁ କଲିକତାରେ ରଙ୍ଗିନ୍ ଲିଥୋ ପ୍ରୋସେସ୍ରେ ରେ ଛପା କାମ ଆରମ୍ଭ ହେଲାଣି । ଚିତ୍ରକରମାନଙ୍କୁ ବୁଦ୍ଧି ଶିଖାଇବାକୁ ଆନନ୍ଦ ମହାନ୍ତି ଦାଣ୍ଡ ସାହିର କାଳୁ ମହାରଣାଙ୍କ ପାଖରୁ ‘ଠିଆ ବଢ଼ିଆ’ ଛବି ଖଣ୍ଡେ ନେଇ, ସେଇ ରଙ୍ଗିନ୍ ଲିଥୋ ପ୍ରୋସେସ୍ରେ ରେ କେଇ ଶହ ଛବି କଲିକତାରୁ ଛପେଇ ଆଣିଲା । ମାହାନ୍ତି ସେପଟେ ଚିତ୍ରକରମାନଙ୍କୁ ବହିନା ଦେଇ ବହୁତଗୁଡେ଼ ଚିତ୍ର ଅଙ୍କାଇବା ବ୍ୟବସ୍ଥା ବି କରିଥାଏ । ଚିତ୍ରକରମାନେ ଦିନ ରାତି ମିଶି ଚିତ୍ର ଆଙ୍କିଲା ବେଳକୁ ପୁରୀର ଚିତ୍ରପଟି ମାହାଲରେ କଲିକତି ଛାପା ରଙ୍ଗିନ୍ ‘ଠିଆବଢ଼ିଆ’ ଛବି ସୁଲଭ ଦରରେ ବିକ୍ରୀ ଆରମ୍ଭ ହେଇଗଲା । ଚିତ୍ରକରଙ୍କ ପାଖରୁ ବହିନା ଦିଆ ଛବିରୁ ଅଳ୍ପ କିଛି ଛବି କିଣି ଆନନ୍ଦ ମହାନ୍ତି କାଗଜରେ ଲେଖେଇନେଲା ଯେ, ପରେ ସେମାନେ ବାକି ତକ ଦେବେ । ସରଳ ଚିତ୍ରକାରମାନେ ଜାଣିପାରିଲେନି, ସେମାନେ କ’ଣ ପରେ ଦେବେ ବୋଲି କାଗଜରେ ସହି କରିଛନ୍ତି । ଆନନ୍ଦ ମହାନ୍ତି ପ୍ରତିଶୋଧ ପରାୟଣ ହେଇ, ଚଞ୍ଚକତା କରି କୋର୍ଟରେ ପହଞ୍ଚି କହିଲା ଚିତ୍ରକରମାନେ ତା’ ପାଖରୁ ମହାଜନି ପଇସା ଧାରରେ ନେଇଛନ୍ତି, ମାଗିଲେ ଶୁଝୁନାହାଁନ୍ତି । ଚିତ୍ରକାରମାନେ ଯେତେବେଳେ ବୁଝିଲେ ଯେ, ସେମାନେ ବାକିଆ ଚିତ୍ରଦେବା ବଦଳରେ ବାକିଆ ଟଙ୍କା ଦେବା କଥା ଆନନ୍ଦ ମହାନ୍ତି ଲେଖେଇ ନେଇଛି, ସେତବେଳକୁ ହାତ ଗୁଡ଼ କହୁଣିକୁ ବହି ସାରିଲାଣି । ଆନନ୍ଦ ମହାନ୍ତି କେଶ୍ ଜିତି ରଘୁରାଜପୁର ଓ ଦାଣ୍ଡସାହିର କିଛି ଚିତ୍ରକରଙ୍କ ଘର ଢିଅ ଅକ୍ତିଆର କରିବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିପକାଇଲା । ସେମାନେ ନୂଆ ଛବି ଆଙ୍କି, ସମବାୟ ସମିତି ଗଢ଼ି, ସିଧାସଳଖ ଯାତ୍ରୀଙ୍କୁ ଆଉ ଛବି ବିକିବେ କ’ଣ, ଓଲଟି ବିଚରାମାନେ ଆପଣା କୂଳବେଉସା ବି ହଠାତ୍ ହରେଇ ବସିଲେ । ବଡ଼ ଦାଣ୍ଡରେ ଚିତ୍ରକାରମାନଙ୍କ ହାତ ଅଙ୍କା ଛବି ଠାରୁ କଲିକତି ଛାପା ରଙ୍ଗିନ୍ ଛବି ସାଧାରଣ ଯାତ୍ରୀଙ୍କୁ ଶସ୍ତା ପଡୁଥିଲା ଓ ସୁନ୍ଦର ବି ଲାଗୁଥିଲା ।

କୂଳ ବେଉସା ହରାଇଲା ପରେ ଏମିତି ପରିସ୍ଥିତିରେ ରଘୁରାଜପୁରର ଚିତ୍ରକରମାନେ ଗାଁ ପାଖ ପାନ ବରଜକୁ ମାଟି ଓ ପାଣି ବୋହିବା କାମ କଲେ । କିଏ କିଏ ରାଜମିସ୍ତ୍ରୀ କାମ କଲେ ଓ କେତେଜଣ ପୁରୀର ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସ ଦଳରେ ଯୋଗ ଦେଇ ଆପଣା ଗୁଜରାଣ ମେଣ୍ଟାଇଲେ । ବର୍ଷରେ ମାତ୍ର କେଇଦିନ ଲୋକମାନଙ୍କ ପୂଜା ପାର୍ବଣ ପାଇଁ କାନ୍ଥ ଓ କବାଟରେ ବରାଦି ଚିତ୍ର ଆଙ୍କିବା ଛାଡ଼ିଦେଲେ ବିକ୍ରୀବଟା ପାଇଁ ଛବି ଅଙ୍କା ପୁରାପୁରି ଠପ୍ ହେଇଗଲା ।
ସମୟ ଗଡ଼ି ଚାଲିଲା । ବଡ଼ ଦେଉଳ, ମଠ ଓ ମନ୍ଦିର ସେବା ଓ ଯଜମାନୀରେ ଚିତ୍ରକାରଙ୍କ ପାଇଁ ପଟଚିତ୍ରର ପରମ୍ପରାଟି ବଞ୍ଚିକି ରହିଲା ଯାହା । ଏପଟେ ଶସ୍ତା ଦରରେ କଲିକତି ଛାପା ଯାତ୍ରୀପଟି ପାଇ ଯାତ୍ରୀ ଖୁସି । ସେପଟେ ଅଧିକା ଲାଭ ଓ ଏକଚାଟିଆ ବେପାର ମେଲାଇ ଆନନ୍ଦ ମହାନ୍ତି ବି ଖୁସି ।
ଏମିତି ଏକ ଅବ୍ୟସ୍ଥିତିତ ଅବସ୍ଥା ଅନେକ ବର୍ଷ ଧରି ଲାଗି ରହିଲା। ଅନେକ ବର୍ଷ ମାନେ ପୁରା ଗୋଟେ ପିଢ଼ୀର ସମୟ କଟିଗଲା ।
ପରମ୍ପରାର ପୁନରୁଦ୍ଧାର
୧୯୫୨ ମସିହାର କଥା । ସେତେବେଳେ ଆମେରିକାନ୍ ଫ୍ରେଣ୍ଡସ୍ ସର୍ଭିସ କମିଟି (ଏ.ଏଫ୍.ଏସ୍.ସି) ନାମକ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଡ଼ିଶାରେ କାମ ଆରମ୍ଭ କଲା । ଫିଲିପ୍ ଜେଲି ନାମକ ଜଣେ ପୋଲାଣ୍ଡ-ଆମେରିକୀୟ ଭଦ୍ରବ୍ୟକ୍ତି ସେଇ ଅନୁଷ୍ଠାନରେ କାମ କରୁଥାଆନ୍ତି । ଫିଲିପଙ୍କ ସାଙ୍ଗରେ ଆସିଥା’ନ୍ତି ତାଙ୍କ ପତ୍ନୀ ହେଲିନା ଜିଲି ଓ ସେମାନଙ୍କର ଦୁଇ ପିଲା । ସମ୍ବଲପୁରର ବରପାଲିରେ କାମ ଆରମ୍ଭ ହେବା ପୂର୍ବରୁ ସେମାନେ କିଛି ମାସ ପୁରୀର ସମୁଦ୍ର କୂଳରେ ଥିବା ବାପିଷ୍ଟ ମିଶନର ବଙ୍ଗଳରେ ରହୁଥା’ନ୍ତି । କାମ ଆରମ୍ଭ ହେଲାପରେ ଫିଲିପ୍ ବରପାଲି ଚାଲିଗଲେ ଓ ହେଲିନା ଦୁଇ ପିଲାଙ୍କୁ ଧରି ସେଇ ପୁରୀରେ ରହିଲେ । ସେତେବେଳେ ଏ.ଏଫ୍.ଏସ୍.ସି’ର ଓଡ଼ିଶା ଶାଖାର ପରାମର୍ଶଦାତା ଭାବରେ ବିଖ୍ୟାତ ନୃତତ୍ତ୍ୱବିତ୍ ନିର୍ମଳଚନ୍ଦ୍ର ବୋଷ ଯୋଗ ଦେଇଥା’ନ୍ତି । ସେ ଥରେ ହେଲିନାଙ୍କୁ ପୁରୀର ପଥୁରିଆ ସାହିକୁ ବୁଲେଇ ନେଇଥିଲେ । ହେଲିନାଙ୍କୁ ପଥର କାରୀଗରମାନଙ୍କ ପଥର କାଟି ମୂର୍ତ୍ତି ଗଢ଼ିବା କାମଟି ଏତେ ଭଲ ଲାଗିଲା ଯେ, ସେ ଯେତେବେଳେ ବି ସମୟ ପାଇଲେ ପଥୁରିଆ ସାହିକୁ ବୁଲିବାକୁ ବାହାରିଗଲେ ।

ଅନେକ ବର୍ଷ ତଳେ ଦାଣ୍ଡସାହିର ଯେଉଁ କେଳୁ ମହାରଣାଙ୍କ ଠିଆବଢ଼ିଆ ଛବିକୁ କଲିକତାରେ ଛପେଇ ଆଣି ପୁରୀ ବଜାରରେ ବିକି ଆନନ୍ଦ ମହାନ୍ତି ପଟଚିତ୍ର ପରମ୍ପରାରା ପ୍ରଭୂତ କ୍ଷତି ସାଧନା କରିଥିଲା, ସେଇ କେଳୁ ମହାରଣାଙ୍କ ନାତି ପାଣୁ ମହାରଣା ଆପଣା ପେଟପାଟଣା ପାଇଁ ଚିତ୍ର ଆଙ୍କି ପୁରୀର ବଡ଼ଦେଉଳ ଓ ସମୁଦ୍ର ପାଖରେ ବୁଲୁଥିବା ଯାତ୍ରୀମାନଙ୍କୁ ବିକିବାକୁ ଚେଷ୍ଟା କରୁଥା’ନ୍ତି । ଥରେ ସମୁଦ୍ର କୂଳରେ ହେଲିନାଙ୍କ ସହ ତାଙ୍କର ଭେଟ ହେଲା ଓ ହେଲିନା ପ୍ରଥମ ଥର ପାଇଁ ଓଡ଼ିଶାର ପାରମ୍ପରିକ ଚିତ୍ର ସହ ପରିଚିତ ହେଲେ । ତାପରେ ହେଲିନା ପାଣୁ ମହାରଣାଙ୍କ ସହ ଦାଣ୍ଡସାହି ଆସିଲେ ଓ ଗାଁର ଚିତ୍ରକାରମାନଙ୍କ ଘର ଓ ଚାଲିଚଳଣୀ ପାଖରୁ ଦେଖିଲେ । ହେଲିନା ପାଣୁ ମହାରଣାଙ୍କ କିଛି ଚିତ୍ର ସଂଗ୍ରହ କଲେ ଓ ନୂଆ ନୂଆ ଚିତ୍ର କରିବାକୁ ବରାଦ ବି ଦେଲେ । ପାଣୁ ବି ପ୍ରତିମାସରେ ନୂଆ ନୂଆ ଚିତ୍ର ଧରି ପୁରୀରେ ହେଲିନାଙ୍କ ଘରେ ପହଞ୍ଚିଲେ । ସେତେବେଳେ ପାଣୁଙ୍କୁ ତାଙ୍କ ଦୁଇ ସାନ ଭାଇ ଓ ଘରର ସ୍ତ୍ରୀ ଲୋକମାନେ ଚିତ୍ର ଅଙ୍କାରେ ସହେଯାଗ କରୁଥା’ନ୍ତି । ଚିତ୍ରକାର ପରିବାରରେ ଚିତ୍ର ଅଙ୍କା ପ୍ରକ୍ରିୟାରେ ନାରୀ ଓ ପୁରୁଷଙ୍କର ଯୌଥ ଭୂମିକା ରହିଥାଏ। ଜଣେ ଗୌରାଙ୍ଗୀ ସୁନ୍ଦରୀ ବିଦେଶିନୀ ମହିଳାଙ୍କ ସହ ପାଣୁଙ୍କ ପରିଚୟ ଯୋଗୁଁ ଚିତ୍ରକାରମାନଙ୍କ ଭିତରେ ପାଣୁଙ୍କର ସମ୍ମାନ ବଢିଗଲା । କିନ୍ତୁ ଦାଣ୍ଡସାହିର କେହି ଚିତ୍ରକାର ହେଲିନାଙ୍କୁ ଜଣେଇଲେନି ଯେ, ସେଇ ଦାଣ୍ଡସାହି ପାଖରେ ରଘୁରାଜପୁର ବୋଲି ଗୋଟେ ଗାଁ ଅଛି ଓ ଯେଉଁଠି ଆହୁରି କେଇଘର ପାରମ୍ପରିକ ଚିତ୍ରକର ପରିବାର ଵି ରୁହନ୍ତି । ଥରେ ହେଲିନା ଚନ୍ଦନପୁରର ଜଣେ କଦଳୀବାଲା ପାଖରୁ ରଘୁରାଜପୁର ବିଷୟରେ ଜାଣିଲେ ଓ ରଘୁରାଜପୁରରେ ପହଞ୍ଚିଗଲେ ।ସେତବେଳକୁ ଅଳ୍ପ କେତେଜଣ ଚିତ୍ରକରଙ୍କୁ ଛାଡ଼ିଦେଲେ ଅନେକ ଚିତ୍ରକାରଙ୍କ ଛବି ଅତି ସାଧାରଣ ଧରଣର ଥିଲା । କୌଣସି ଉତ୍କର୍ଷତାର ଅଭାବରେ ନାମକୁ ମାତ୍ର ପରମ୍ପରାଟି କୌଣସି ପ୍ରକାର ବଞ୍ଚି ରହିଥିଲା । ଚିତ୍ରକାରମାନଙ୍କର ଆର୍ଥିକ ସ୍ଥିତି ନିତ୍ୟାନ୍ତ ଖରାପ ଥିଲା । ହେଲିନା ଚାହିଁଲେ ଚିତ୍ରକରମାନେ ମନ ଲଗାଇ ଭଲ କାମ କରନ୍ତୁ ଓ ଭଲରେ ଦୁଇ ପଇସା ରୋଜଗାର କରନ୍ତୁ । ହେଲିନାଙ୍କ ଭଲ କାମର ଧାରଣା ଥିଲା ସରୁ ଗାରର ସୂକ୍ଷ୍ମ କାମ । ସେମିତିକା କାମକୁ ସେ ଅଧିକ ପଇସା ଦେଇ କିଣୁଥିଲେ ଓ ନିଜ ପରିଚିତମାନଙ୍କୁ କିଣିବାକୁ ଉତ୍ସାହିତ କରୁଥିଲେ । ଖଡ଼ିବୋଳା କାଗଜ ଉପରେ ଅଙ୍କା, ଯଦୃଚ୍ଛା ମୋଟା ରେଖାର ଯାତ୍ରୀପଟି ଠାରୁ ଖଡ଼ି ଓ ତେନ୍ତୁଳୀ ମଞ୍ଜିର ଅଠା ଦିଆ କପଡ଼ା ପଟି ଉପରେ ଅଙ୍କା ଗହଳିଆ ସୂକ୍ଷ୍ମ କାମର ବଜାର ଦର ଅଧିକ ଥିଲା । ସେଥିପାଇଁ ଆଗରୁ ଯାତ୍ରୀପଟି ଆଙ୍କୁଥିବା ଚିତ୍ରକାରମାନେ ଅଧିକ ପଇସା ମିଳୁଥିବା ସୂକ୍ଷ୍ମ କାମ ଆଙ୍କିବାରେ ଲାଗିଲେ ଓ ସେମାନଙ୍କ ଘରର ସ୍ତ୍ରୀ ଲୋକମାନେ ଏଥର ଯାତ୍ରୀପଟି ଆଙ୍କିବା ସହ ଗୋବର କଣ୍ଢେଇ ଓ କାଗଜ ମୁଖା ତିଆରି କଲେ ।

ଥରେ ଚିତ୍ରକାରମାନଙ୍କ ଭିତରେ ଭଲକାମ କରିବାର ଝୁଙ୍କ୍ ବଢ଼ାଇବାକୁ ହେଲିନା ଏକ ପ୍ରତିଯୋଗିତାର ଆୟୋଜନ କଲେ । ପ୍ରଥମ ପୁରସ୍କାର ପାଇଁ ଦଶ ଟଙ୍କା ଓ ଅନ୍ୟ ପ୍ରତିଯୋଗୀଙ୍କ ପାଇଁ ଦୁଇ ଟଙ୍କାର ବ୍ୟବସ୍ଥା ରହିଥିଲା । ପ୍ରତିଯୋଗୀତାରେ ରଘୁରାଜପୁରର ଦୁଇ ଶିଳ୍ପୀ ଅଗାଧୁ ମହାରଣା ଓ ଲକ୍ଷ୍ମଣ ମହାରଣା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପାଇଲେ । ତୃତୀୟ ପୁରସ୍କାର ପାଇଲେ ଦାଣ୍ଡସାହିର ଗୁଣ ମହାରଣା । କିନ୍ତୁ ପରେ ଜଣା ପଡ଼ିଲା ସେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପାଇଥିବା ଚିତ୍ର ଦୁଇଟିକୁ ଦାଣ୍ଡସାହିର ପାଣୁ ମହାରଣା ଓ ପୁରୀର ଦାମ ମହାରଣା ଆଙ୍କିଥିଲେ । କଥା ପଦାକୁ ଆସିଲା ପରେ ଦାଣ୍ଡସାହିର କେହି କେହି ମଜା ଉଡେ଼ଇ କହିଲେ; ‘ରଘୁରାଜପୁରିଆ ପଟଚିତ୍ର ଆଙ୍କିବେ ତ ପାନ ବରଜକୁ ପାଣି ବୋହିବ କିଏ?’
ରଘୁରାଜପୁରିଆଙ୍କୁ କଥାଟି ବଡ଼ ବାଧିଲା । ଗାଁ’ର କିଛି କାରିଗର ଏ ବିଷୟରେ ଗମ୍ଭୀର ଭାବରେ କଥା ହେଲେ ଓ ପୁରୀ ବାହାରିଲେ । କାରଣ ସେତବେଳକୁ ରଘୁରାଜପୁରର ସରସା ଯୁବ ଚିତ୍ରକାର ଜଗନ୍ନାଥ ମହାପାତ୍ର ପୁରୀରେ ରହୁଥା’ନ୍ତି । ବଡ଼ ଭାଇ ହାଡୁ ମହାପାତ୍ରଙ୍କ ପାଖରୁ ସେ ଚିତ୍ରବିଦ୍ୟା ଶିକ୍ଷା କରିଥିଲେ । କିନ୍ତୁ ଚିତ୍ରକାରୀ କାମରେ ସେତେବେଳେ ପେଟପାଟଣା ପୁରୁନଥିବାରୁ ସେ ଗାଁ ଛାଡି ପୁରୀ ବାହାରିଯାଇଥିଲେ । ସେଇଠି ଦିନରେ ରାଜମିସ୍ତ୍ରୀ କାମ ଓ ରାତିରେ ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସରେ କାମ କରୁଥିଲେ । ସେଦିନ ମଞ୍ଚକୁ ଯିବା ଆଗରୁ ନିଜ ଗାଁ’ ଲୋକଙ୍କ ପାଖରୁ ଜଗନ୍ନାଥ ମହାପାତ୍ର ସବୁ ଶୁଣିଲେ ଓ କିଛି କହିଲେନି । କିନ୍ତୁ ପରଦିନ ପୁରୀରୁ ଗାଁକୁ ଫେରିଆସି, ଅନେକଦିନ ତଳୁ ଅଳନ୍ଧୁ ଲଗା ପେଡ଼ିରେ ଅଲୋଡ଼ା ହୋଇ ପଡ଼ିଥିବା ପଟି, ରଙ୍ଗ ଓ ତୁଳୀ ବାହାର କରି ସିଧାସଳଖ ଚିତ୍ରଆଙ୍କା ଆରମ୍ଭ କଲେ ।
୨୬ ମାର୍ଚ୍ଚ ୧୯୫୩ରେ ହେଲିନା ଏ.ଏଫ୍.ଏସ୍.ସି କୁ ଏକ ରିପୋର୍ଟ ଲେଖି ପୁରୀ ଜିଲ୍ଲାର ପଥର କାରିଗର ଓ ଚିତ୍ରକାରମାନଙ୍କ କାମ ଓ ଅବସ୍ଥା ବିଷୟରେ ଜଣାଇଥିଲେ । ସେଇ ରିପୋର୍ଟ ଯୋଗୁଁ ବିଶିଷ୍ଟ କଳା ଐତିହାସିକ ଓ କ୍ୟୁରେଟର୍ ଡକ୍ଟର ଷ୍ଟେଲା କ୍ରାମରିଶ୍ଚ ଆମେରିକାର କେତୋଟି ସଂଗ୍ରାହଳୟ ଦ୍ୱାରା ଓଡ଼ିଶାର ପଟଚିତ୍ର ସଂଗ୍ରହ କରିବାର ବ୍ୟବସ୍ଥା କରିଥିଲେ । ହେଲିନା ଜିଲି ଓ ତାଙ୍କ ସ୍ୱାମୀ ଫିଲିପ୍ ବୁଝୁଥିଲେ ଚିତ୍ରକାରମାନଙ୍କର ଅସଲ ସମସ୍ୟା ହେଲା ବଜାର । ବିନା ଗ୍ରାହକରେ ସେମାନେ ଚିତ୍ର କାହିଁକି ବା ଆଙ୍କିବେ? ବ୍ୟକ୍ତିଗତ ଖରିଦଦାରୀ ଛଡ଼ା ସେ ଦୁହେଁ ଆପଣା ଚିହ୍ନାଜଣା ଲୋକଙ୍କ ଦ୍ୱାରା ଅନେକ ଚିତ୍ର କିଣାଇଥିଲେ । ପଟଚିତ୍ରର ବଜାରକୁ ନିର୍ଦ୍ଧିଷ୍ଟ ଓ ସ୍ଥାୟୀ କରିବାକୁ ହେଲିନା ଦେଶ ଭିତରେ ଓ ଦେଶ ବାହାରେ ଅନେକ ଚେଷ୍ଟା କରିବା ସହ, ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୂରୀ ଓ ରାଜ୍ୟପାଳ ଫଜଲ୍ ଅଲ୍ଲୀଙ୍କୁ ମଧ୍ୟ ସାକ୍ଷାତ୍ କରି ଚିତ୍ରକାରମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ । କଲିକତାର ‘ବେଙ୍ଗଲ ହୋମ୍ ଇଣ୍ଡଷ୍ଟ୍ରି ଆସୋସିଏସନ୍’ ସହ ଯୋଗାଯୋଗ କରିଥିଲେ । ପୁରୀର ଏମାର ମଠର ମହନ୍ତଙ୍କୁ ଅନୁରୋଧ କରି ରଘୁନନ୍ଦନ ପାଠାଗାରରେ ପଟଚିତ୍ର ବିକ୍ରୟ ପାଇଁ ସ୍ଥାନ ଯୋଗାଡ଼ କରିଥିଲେ । ଏଥିସହ ଦିଲ୍ଳୀରେ ପଟଚିତ୍ରର ପ୍ରଦର୍ଶନୀ ଆୟୋଜନ ମଧ୍ୟ କରଇଥିଲେ ।
ଚିତ୍ରକାରମାନଙ୍କ ହିତ ପାଇଁ ଅନେକ କିଛି ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ବେଳକୁ ଫିଲିପଙ୍କର ବଦଳି ହେଲା ଦିଲ୍ଲୀ । ଦିଲ୍ଲୀ ବାହାରିଯିବା ଆଗରୁ ହେଲିନା ସେତେବେଳେ କଟକରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଚିତ୍ରକାରଙ୍କ ପଟଚିତ୍ରମାନଙ୍କୁ ନେଇ ୧୯୫୫ରେ ଆଉ ଏକ ପ୍ରତିଯୋଗିତା ସହ ପ୍ରଦର୍ଶନୀର ଆୟୋଜନ କଲେ । ଏଥର ପ୍ରତିଯୋଗିତାରେ ରଘୁରାଜପୁରର ଜଗନ୍ନାଥ ମହାପାତ୍ରଙ୍କ ଅଙ୍କିତ ଗଣେଷ ଚିତ୍ରଟି ପ୍ରଥମ ପୁରସ୍କାର ପାଇଲା । ଛବିଟିକୁ ହେଲିନା ନିଜେ ସଂଗ୍ରହ କରିଥିଲେ । ଏବେ ସେଇଟି ଲଣ୍ଡନର ‘ମ୍ୟୁଜିୟମ୍ ଅଫ୍ ମ୍ୟାନକାଇଣ୍ଡ’ରେ ରହିଛି । ଠିକ୍ ଏଉଠୁ ପଟଚିତ୍ର ଓ ଚିତ୍ରକାରଙ୍କ ରାଜ୍ୟରେ ରଘୁରାଜପୁରର ରାଜୁତି ଆରମ୍ଭ ହେଲା ଜାଣ । ତା’ର ମଙ୍ଗୁଆଳ ଦାୟିତ୍ୱ ନେଇଥିଲେ ଯୁବ ଚିତ୍ରକାର ଜଗନ୍ନାଥ ମହାପାତ୍ର । ଜଗନ୍ନାଥ ନିଜ ଗାଁର ଚିତ୍ରକାରମାନଙ୍କ ଉନ୍ନତି ପାଇଁ ୧୯୬୦ ମସିହାରେ ରଘୁନାଥ “ଚିତ୍ର କାରିଗରୀ ଶିଳ୍ପ ସମବାୟ ସମତି” ଗଠନ କରିଥିଲେ ।

ରଘୁରାଜପୁରର ସୁଖ୍ୟାତି ଧୀରେ ଧୀରେ ବଢ଼ିଲା ପରେ, ୧୯୮୭ରେ ରଘୁରାଜପୁରରେ ‘କ୍ରାଫ୍ଟସ୍ କାଉନସିଲ୍’ ଦ୍ୱାରା ଚିତ୍ରକାରମାନଙ୍କ ସହଯୋଗରେ ପଟଚିତ୍ର ଫେଷ୍ଟିଭାଲ୍ ର ଆୟୋଜନ କରାଯାଇଥିଲା । ପୁରୀ, ଗଞ୍ଜାମ ଓ କୋରାପୁଟ ଆଦି ଜିଲ୍ଲାରୁ ଚିତ୍ରକାରମାନେ ଏଥିରେ ଯୋଗଦେଇଥିଲେ । ପୁରୀର ଗଜପତି ମହାରାଜ ଉତ୍ସବର ଉଦ୍ଘାଟନ କରିଥିଲେ । ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।
ନିଜକୁ ଜଣେ ନିଷ୍ଠାବାନ୍ ପ୍ରମୁଖ ଚିତ୍ରଶିଳ୍ପୀ ଭାବରେ ପ୍ରତିଷ୍ଠା କରିବା ପାଇଁ ଯେଉଁ ସବୁ ଗୁଣର ଆବଶ୍ୟକତା ଥିଲା ସେ ସମସ୍ତ ଗୁଣ ଜଗନ୍ନାଥ ମହାପାତ୍ରଙ୍କ ପାଖରେ ଥିଲା । ରାସରେ କାମ କରୁଥିବା ଜଗନ୍ନାଥ ମହାପାତ୍ରଙ୍କର ପୁରାଣ ଓ କାବ୍ୟ କବିତା ସହ ଭଲରେ ପରିଚିତି ଥିଲା । ପିଲାଦିନରୁ ସେ ରାସରେ ନୃତ୍ୟ ଓ ଅଭିନୟ କରୁଥିଲେ । ନାଟ୍ୟ ନିର୍ଦେଶନା ମଧ୍ୟ ଦେଉଥିଲେ । ତେଣୁ ପୁରାଣର ଚରିତ୍ର ଓ ଘଟଣା ସମ୍ପର୍କରେ ତାଙ୍କର ଭଲ ଧାରଣା ରହିଥିଲା । ଯାହାକି ତାଙ୍କୁ ପୌରାଣିକ ବିଷୟକୁ ନେଇ ଚିତ୍ର ଆଙ୍କିବାରେ ସାହାଯ୍ୟ କଲା । ତାପରେ ଜଗନ୍ନାଥ ମହାପାତ୍ର ନିଜ ପାଖରେ ଅନେକ ଓଡ଼ିଆ ଓ ସଂସ୍କୃତ ଭାଷାରେ ଲିଖିତ ଶାସ୍ତ୍ର ମଧ୍ୟ ରଖିଥିଲେ । ଶାସ୍ତ୍ର ସମ୍ମତ ଭାବରେ ଓ ଶାସ୍ତ୍ର ନିର୍ଦେଶରେ ଦେବାଦେବୀଙ୍କ ଚିତ୍ର ଆଙ୍କୁଥିଲେ ଓ ନିଜ ଶିଷ୍ୟମାନଙ୍କୁ ଏ ନେଇ ଅବଗତ କରାଉଥିଲେ ।

ପଟଚିତ୍ରର ପ୍ରଚାର ପ୍ରସାର ଓ ପରପିଢ଼ୀର ଚିତ୍ରକାର ତିଆର କରିବାରେ ଜଗନ୍ନାଥ ମହାପାତ୍ରଙ୍କର ଢେର୍ ଅବଦାନ ରହିଛି । ସେ ହିଁ ରଘୁରାଜପୁରରେ ପ୍ରଥମ ଥର ଚିତ୍ର ଶିକ୍ଷା ପାଇଁ ନିଜ ଘରେ ଗୁରୁ ଶିଷ୍ୟ ପରମ୍ପରାରେ ‘କଳାଜିତ୍’ ନାମକ ଏକ ଅନୁଷ୍ଠାନ ଗଢିଥିଲେ । ପରବର୍ତ୍ତୀ ସମୟରେ ପଟଚିତ୍ରରେ ନାମ କମେଇଥିବା ଅନେକ ବିଖ୍ୟାତ ଚିତ୍ରକାର ଏକଦା ଜଗନ୍ନାଥ ମହାପାତ୍ରଙ୍କ ଘରେ ଗଢ଼ା ଗୁରୁକୂଳରେ ରହି ଚିତ୍ର ଶିକ୍ଷା କରିଛନ୍ତି । ୧୯୧୯ ମସିହା ଅକ୍ଟୋବର ମାସରେ ରଘୁରାଜପୁରେ ଜନ୍ମିତ ଜଗନ୍ନାଥ ମହାପାତ୍ର ୧୯୬୫ରେ ପଟଚିତ୍ର ପାଇଁ ପ୍ରଥମକରି ଦିଆଯାଉଥିବା ଜାତୀୟ ପୁରସ୍କାର ପାଇଥିଲେ । ହେଲିନା ଜିଲି ଏକଦା ଜଗନ୍ନାଥ ମହାପାତ୍ରଙ୍କୁ ରାମାୟଣ ବିଷୟକୁ ନେଇ କିଛି ଚିତ୍ର ଆଙ୍କିବାକୁ କହିଥିଲେ । ଜଗନ୍ନାଥ ମହାପାତ୍ର ରାମାୟଣ ଚିତ୍ର ଆଙ୍କିଲାବେଳେ ବାଲ୍ମୀକିଙ୍କ ସଂସ୍କୃତ ରାମାୟଣ ଅବା ବଳରାମ ଦାସଙ୍କ ଜଗମୋହନ ରାମାୟଣକୁ ଛାଡି ସଦାଶିବଙ୍କ ରାମଲୀଳାକୁ ଆଧାର କରି ଚିତ୍ର ଆଙ୍କିଥିଲେ । କାରଣ ସେ ଅନ୍ୟ ରାମାୟଣ ଅପେକ୍ଷା ସଦାଶିବଙ୍କ ରାମଲୀଳାକୁ ବେଶି ଜାଣିଥିଲେ। ଛବି ସିରିଜ୍ ଟି ପୁରା ହେଇନଥିଲା । ହେଲିନା ବି ସେ ରାମାୟଣ ସେଟ୍ କୁ ନେବା ପାଇଁ ଆଉ ଓଡ଼ିଶା ଫେରିନଥିଲେ । କିନ୍ତୁ ପରେ ସୁବାସ ଦେ ନାମକ ଜଣେ ଭଦ୍ରବ୍ୟକ୍ତି ଜଗନ୍ନାଥଙ୍କୁ ସେଇ ପଚସ୍ତରୀଟି ରାମାୟଣ ଛବି ପାଇଁ ଅର୍ଡର ଦେଇଥିଲେ । ସେଇ ରାମାୟଣ ଛବି ପାଇଁ ହିଁ ଜଗନ୍ନାଥ ମହାପାତ୍ରଙ୍କୁ ଜାତୀୟ ପୁରସ୍କାର ମିଳିଥିଲା । ଜାତୀୟ ପୁରସ୍କାରର ମହତ୍ୱ ଢେର୍ ଅଧିକା ଥିଲା । ସେଥିପାଇଁ ଉଭୟେ ଜଗନ୍ନାଥ ଓ ରଘୁରାଜପୁରର ସମ୍ମାନ ଚିତ୍ରକାର ସମାଜରେ ବେଶ୍ ବଢ଼ିଗଲା ।

ଜଗନ୍ନାଥ ମହାପାତ୍ରଙ୍କ ବ୍ୟକ୍ତିତ୍ୱ ତାଙ୍କୁ ଆଣି ଚିତ୍ରକାର ମାନଙ୍କ ଧାଡ଼ିର ସାମ୍ନାରେ ଠିଆ କରାଇଥିଲା । ଗାଁର ଚିତ୍ରକାରମାନଙ୍କ ଆଗରେ ସେ ଗୋଟେ ସର୍ତ୍ତ ରଖିଲେ । ନିଜେ ଚିତ୍ର ଆଙ୍କୁନଥିବା ଗାଁର କୌଣସି ଲୋକ ଯେମିତି ଗାଁକୁ ଆସୁଥିବା ଟୁରିଷ୍ଟଙ୍କୁ ଛବି ବିକ୍ରି ନକରେ । ତାପରେ ଯିଏ ଯାହା କରୁଛି ସେଇ ଚିଜକୁ ବିକ୍ରୟ କରୁ । ଯିଏ ଗୋବର କଣ୍ଢେଇ ଗଢୁଛି ସେ ଗୋବର କଣ୍ଢେଇ ବିକୁ, ଯିଏ ପଟଚିତ୍ର ଆଙ୍କୁଛି ସେ ପଟଚିତ୍ର ବିକୁ। ଜଗନ୍ନାଥଙ୍କର ଭୟ ଥିଲା ଅନନ୍ତ ମହାନ୍ତି ପରି କେହି ଦଲାଲ୍ ଯେମିତି ଚଳଚଞ୍ଚଳ ଏକ ପରମ୍ପରାକୁ ଆଉ ଥରେ ବନ୍ଦ କରିନଦେଉ । ଆଜି ଅବଶ୍ୟ ସେ ପରିସ୍ଥିତି ଆଉ ନାହିଁ । ଗାଁ ମୁଣ୍ଡରୁ ହିଁ ବ୍ୟବସାୟୀମାନଙ୍କର ବିପଣୀ ଆରମ୍ଭ । ଆଜି କିଛି ଜାଣିନଥିବା ଜଣେ ସାଧାରଣ ଟୁରିଷ୍ଟ ସିଧାସଳଖ କାରିଗର କି ଚିତ୍ରକାର ପାଖରେ ଏବେ ପହଞ୍ଚିବା କାଠିକର ପାଠ । ଗାଁରେ ଦଶ ପନ୍ଦର ଘର ଚିତ୍ର ଓ ବିଭିନ୍ନ କ୍ରାପ୍ଟକୁ ନେଇ ନିରୋଳା ବ୍ୟବସାୟ କରୁଥିଲେ । କିନ୍ତୁ ଧିରେ ଧିରେ ସେମାନେ ଅଳପେ ବହୁତେ କାମ କରିବାବି ଆରମ୍ଭ କଲେଣି ।
ଜଗନ୍ନାଥ ମହାପାତ୍ରଙ୍କୁ ଶିଳ୍ପୀଗୁରୁ ଉପାଧି ପ୍ରଦାନ ସହ ଓଡ଼ିଶା ଲଳିତକଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । ମହାପାତ୍ର ଭାରତ ଉତ୍ସବରେ ଯୋଗଦେବା ପାଇଁ ୧୯୭୭ରେ ମସ୍କୋ ଓ ୧୯୮୮ରେ ଜାପାନ ଭ୍ରମଣ କରିଛନ୍ତି।ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି । ସମଗ୍ର ଭାରତବର୍ଷରେ ରଘୁରାଜପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇସାରିଲା ପରେ ୧୯୯୮ ମସିହା ଅଗଷ୍ଠ ମାସ ୧୩ ତାରିଖରେ ଏହି ମହାନ ଶିଳ୍ପୀଙ୍କ ତୁଳୀ ନୀରବ ହୋଇଯାଇଥିଲା ।
ମୁଁ ଯେବେ ପ୍ରଥମ ଥର ପାଇଁ ରଘୁରାଜପୁର ଯାଇଥିଲି, ଶିଳ୍ପୀଗୁରୁ ଜଗନ୍ନାଥ ମହାପାତ୍ରଙ୍କୁ ଭେଟିବାର ସୁଯୋଗ ପାଇଥିଲି । ନିଜ ହାତରେ ପାନ ଭାଙ୍ଗି ଆମକୁ ଦେବା ସହ କାହାଣୀ ପରି ଏଇ ସବୁ ପୁରୁଣା ଘଟଣାକୁ ବଖାଣିଥିଲେ ସେ । କେମିତି ତାଙ୍କର ଜେଲୀ ସାହେବାଣୀଙ୍କ ସହ ସାକ୍ଷାତ୍ ହେଲା । କେମିତି ସେ ପୁରସ୍କାର ପାଇଲେ ଓ କେମିତି ନିଜ ଘରେ ପଟଚିତ୍ର ଶିକ୍ଷାକେନ୍ଦ୍ର ଭାବରେ ଗୁରୁକୂଳ ଗଢ଼ିଲେ । ପରେ ଏ ସମସ୍ତ ଘଟଣାର ସବିଶେଷ ବିବରଣୀ ଜଗନ୍ନାଥ ପ୍ରସାଦ ଦାସଙ୍କ ‘ପୁରୀ ପେଣ୍ଟିଙ୍ଗସ୍’ ବହିରେ ବିସ୍ତୃତ ଭାବରେ ପଢ଼ିଥିଲି । ଆଜି ବି ରଘୁରାଜପୁର ଗାଁର କୌଣସି ବର୍ଷୀୟାନ ଚିତ୍ରଶିଳ୍ପୀଙ୍କ ପାଖରେ ବସି ଗାଁର ଐତିହ୍ୟ ଓ ଇତିହାସ ବିଷୟରେ ପଚାରିଲେ ସେମାନେ ଏଇ କଥାକୁ ହିଁ ସାମାନ୍ୟ ଏପଟ ସେପଟ କରି ଗପନ୍ତି ।

୨୦୦୦ ମସିହାରେ ‘ଇନଟାକ୍ ’(ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍)ର ଗବେଷଣା ପରର ରିପୋର୍ଟକୁ ଆଧାର କରି ରଘୁରାଜପୁରକୁ ଓଡ଼ିଶାର ପ୍ରଥମ ହେରିଟେଜ୍ ଭିଲେଜର ମାନ୍ୟତା ଦିଆ ଯାଇଥିଲା ଓ ସେବେଠୁ ଏହାକୁ ହେରିଟେଜ୍ କ୍ରାଫ୍ଟ ଭିଲେଜ୍ ଭାବରେ ଗଢ଼ିବା ପ୍ରକ୍ରିୟା ଆରମ୍ଭ ହେଲା । ୨୦୦୨ – ୨୦୦୩ ମସିହା ବେଳକୁ ନରୱେ ସରକାରଙ୍କ ଆର୍ଥିକ ଅନୁଦାନ ସହାୟତାରେ ଇନଟାକ୍ ପକ୍ଷରୁ ରଘୁରାଜପୁର ଗାଁକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଏକ ଯୋଜନା ହାତକୁ ନିଆଯାଇଥିଲା । ସେଥିରେ ଘରର ଦାଣ୍ଡପଟ କାନ୍ଥମାନଙ୍କୁ ପୁରୁଣା ପାରମ୍ପରିକ କୌଶଳ ଅନୁସାରେ ବାଲି, ଚୁନ, କେନ୍ଦୁଅଠା ଆଦି ମିଶାଇ ତାକୁ ଘଣାରେ ପେଡ଼ି ପଲସ୍ତରା କରାଯାଇଥିଲା । ତାପରେ କାନ୍ଥମାନଙ୍କ ଉପରେ ଭିତ୍ତିଚିତ୍ର ଅଙ୍କା ଯାଇଥିଲା । ସେଥିପାଇଁ ରଘୁରାଜପୁରର ଚିତ୍ରକାରମାନଙ୍କ ସହ, ପାଖ ଦାଣ୍ଡସାହି ଏବଂ ପୁରୀରୁ ଆରମ୍ଭ କରି ଭୁବନେଶ୍ୱର, ଗଞ୍ଜାମ, ସୋନପୁର ଆଦି ଯାଗାରୁ ଚିତ୍ରକାରମାନଙ୍କୁ ଆମନ୍ତ୍ରୀତ କରାଯାଇ ଚିତ୍ରସବୁ ଅଙ୍କା ଯାଇଥିଲା । ସେ ସମୟରେ ମୁଁ ଓ ମୋର ଜଣ ଚିତ୍ରଶିଳ୍ପୀ ବନ୍ଧୁ ପାରମ୍ପରିକ ଭିତ୍ତି ଚିତ୍ର କିପରି ହୁଏ, ସେ ସମ୍ପର୍କରେ ଜାଣିବାକୁ ରଘୁରାଜପୁର ଯାଇଥିଲୁ । ପୁରା ଗାଁ ଗୋଟେ ବିଶାଳ ଚିତ୍ରବିଥି ବା ମୁକ୍ତ ପ୍ରାଙ୍ଗଣ ଚିତ୍ରପ୍ରଦର୍ଶନୀ ସ୍ଥାନ ପରି ଦିଶୁଥିଲା । ପରେ ବିଭିନ୍ନ ସମୟରେ ମୁଁ ଯେବେବି ରଘୁରାଜପୁର ଯାଇଛି, ସେଇ କାନ୍ଥରେ ଅଙ୍କା ଚିତ୍ରମାନଙ୍କୁ ବାରବାର ଦେଖିଛି ଓ ଫଟୋ ଉଠାଇଛି । ଦୁଃଖର କଥା ହେଲା, ଏଥର ଗଲାବେଳକୁ ସେ ଚିତ୍ରସବୁ ପ୍ରାୟତଃ ନଷ୍ଟ ହୋଇଯାଇଛି । ଅଳ୍ପ କିଛି ବଞ୍ଚିଛି ଯାହା । ତା’ ଯାଗାରେ ୨୦୨୧ ମସିହାରେ ରାଜ୍ୟ ଲଳିତକଳା ଏକାଡେମୀଙ୍କ ଆର୍ଥିକ ସହାୟତାରେ ଅନେକ ଚିତ୍ର ଅଙ୍କା ଯାଇଛି । ବିନା ଯୋଜନା ଓ ବିନା କ୍ୟୁରେସନରେ ସେ କାନ୍ଥଚିତ୍ରରୁ ଅନେକ, ଆଜିକାଲି ଆମ ସହର-ବଜାରମାନଙ୍କ କାନ୍ଥବାଡ଼ରେ ସୌନ୍ଦର୍ଯ୍ୟୀକରଣ ନାମରେ ଅଙ୍କା ଚିତ୍ରପରି ଖରାପ ଦିଶୁଛନ୍ତି । ନୂଆ ଭିତ୍ତିଚିତ୍ରର ଆବେଦନ ଓ କୌଶଳକୁ ନେଇ ଗାଁ ର କିଛି ପ୍ରବୀଣ ଶିଳ୍ପୀଙ୍କ ମତ ନେଇ ଜାଣିଲି, ସେମାନେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି । ସେମାନେ ଆହୁରି ମଧ୍ୟ ସନ୍ତୁଷ୍ଟ ନୁହଁନ୍ତି ଗାଁ ଭିତରକୁ ଚିତ୍ର ବ୍ୟବସାୟୀମାନଙ୍କ ପଶିଆସିବାକୁ ନେଇ । ଜଣେ ପରିଚିତ ଶିଳ୍ପୀ ମୋତେ ସେଦିନ କହିଲେ କି, ଏକଦା କୁଆଡେ ଶିଳ୍ପୀଗୁରୁ ଜଗନ୍ନାଥ ମହାପାତ୍ର ଯିଏ କିଛି ତିଆରି କରୁନି, ସେ କିଛି ବିକ୍ରୀ କରିପାରିବନି ବୋଲି ଗାଁ ପାଇଁ ନୀୟମ କରିଥିଲେ । କିନ୍ତୁ ସେଇ ନୀୟମ ତାଙ୍କ ଜୀବଦଶାରେ ହିଁ ଭାଙ୍ଗିଯାଇଥିଲା ।
ଏବେ ରଘୁରାଜପୁରରେ ଚିତ୍ରକରମାନେ ପଟଚିତ୍ର ସହ, ଯାତ୍ରୀପଟି, ପଥର ଖୋଦେଇ, ତାଳପତ୍ର ଖୋଦେଇ, କାଗଜ ମୁଖା, ଗଞ୍ଜପା ଚିତ୍ର, ଗୋବର କଣ୍ଢେଇ, କାଠ ଖୋଦେଇ, ନଡ଼ିଆ ଉପରେ ଚିତ୍ର, ଫରୁଆ ଚିତ୍ର, କାଠ ବାକ୍ସ ଉପରେ ଚିତ୍ର, ଯୌତୁକ ପେଡ଼ି, ଦିଅଁଘର, କାଚ ବୋତଲ, ଚା’ କେଟିଲି ଓ ଗିନା ଉପରେ ଆଦିବାସୀ ଚିତ୍ର ପରି ବହୁପ୍ରକାରର କଳା କରିଗରୀରେ ବ୍ୟସ୍ତ । ଅଳ୍ପ କେତେ ବର୍ଷ ହେଲାଣି ଆଦିବାସୀ ଚିତ୍ରପରି ଦିଶୁଥିବା ଚିତ୍ର ରଘୁରାଜପୁର ଭିତରକୁ ପଶିଆସିଛି । ହୁଏତ କାରିଗରମାନେ ବିଭିନ୍ନ କ୍ରାଫ୍ଟ ମେଳାରେ ଯୋଗ ଦେବା ବେଳେ ଏସବୁ ନୂଆ ଜିନିଷ ଆମଦାନି କରିଛନ୍ତି ।

ଆଗପରି ଆଜି ବି ଚିତ୍ର ପ୍ରସ୍ତୁତିରେ ଚିତ୍ରକାର ପରିବାରର ସ୍ତ୍ରୀ ଲୋକମାନଙ୍କର ସହଯୋଗ ରହିଛି । ଆଗ ପରି ଏବେ ଅବଶ୍ୟ ଆଉ ସେମାନେ ଶିଳରେ ବାଟି ରଙ୍ଗ ତିଆରି କରୁନାହାଁନ୍ତି । ହାତରେ ରଙ୍ଗ ତିଆରି ବଡ଼ କଷ୍ଟକର କାମ । ଘରର ଜଞ୍ଜାଳ ଭିତରେ ସେମାନେ ପଟଚିତ୍ର ପାଇଁ ପୁରୁଣା ଲୁଗାରେ ତେନ୍ତୁଳି ଅଠା, ଖଡ଼ି ବୋଳି ପଟି ତିଆରି କରୁଛନ୍ତି । କାଗଜମୁଖା ଓ ଗୋବର କଣ୍ଢେଇ ତିଆରି କରୁଛନ୍ତି ।
ପୁରା ଗାଁରେ ବଦଳି ଯାଇଥିବା ସମୟ ଓ ବଜାରର ପ୍ରଭାବ ମଧ୍ୟ ଦାଉ ଦାଉ ଦିଶୁଛି । ଗାଁରେ ଆଜିକାଲି ପାରମ୍ପରିକ ପଟି ଅପେକ୍ଷା ମଠା କପଡ଼ାରେ ଚିତ୍ରଅଙ୍କା ଅଧିକ ହେଉଛି । କମି କମି ଯାଉଛି ଗୋବର କଣ୍ଢେଇ, କାଠ କଣ୍ଢେଇ ଓ କାଗଜ କଣ୍ଢେଇ ତିଆରି । କାଠ ତିଆରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଭଳିକି ଭଳି ସାଇଜର ମୂର୍ତ୍ତି ମିଳୁଛି କିନ୍ତୁ ପାଳଧୁଆ, ଦେବଦାରୁ କାଠରେ ଖୋଦେଇ କରି ଗଢ଼ା କାଠ କଣ୍ଡେଇ ଆଉ ସହଜରେ ମିଳୁନି । ପାରମ୍ପରିକ ରଙ୍ଗ ବଦଳରେ ଆହୁରି ଅଧିକ କେତେ ପ୍ରକାରର ରଙ୍ଗ ବ୍ୟବହାର ହେଲାଣି । ଚିତ୍ରକାରମାନଙ୍କର କହିବା କଥା ହେଲା ପୁରୁଣା ରଙ୍ଗ ନୂଆ ଗ୍ରାହକମାନେ ପସନ୍ଦ କରୁନାହାଁନ୍ତି । ପୁରୁଣା ପ୍ରକାରେ ଚିତ୍ର କଲେ କେହି କିଣୁ ନାହାଁନ୍ତି । ପୁରୁଖା ଚିତ୍ରକାର ଓ କିଛି ଗାଁ ଲୋକଙ୍କ କହିବା ଅନୁସାରେ ରଘୁରାଜପୁରର ଚିତ୍ରକରମାନେ ଗଞ୍ଜପା ମୁଠା ତିଆରି କରିବା ସହ ଖେଳିବି ଜାଣିଥିଲେ । ଆଜିକାଲି ପୁରା ଗାଁରେ ଜଣେ ଦୁଇଜଣ ଗଞ୍ଜପା ମୁଠା ତିଆରି ସିନା କରୁଛନ୍ତି, କିନ୍ତୁ ନୂଆ ପିଢ଼ୀର ଯୁବକମାନେ କେହି ଖେଳି ଜାଣନ୍ତିନି । ଅବସର ବିନୋଦନ ଅବା କର୍ମକ୍ଲାନ୍ତ ଅପରାହଣକୁ କାଟିବା ପାଇଁ ଗାଁର ଚଉପାଢ଼ୀରେ କେହି ଆଉ ଗଞ୍ଜପା ମୁଠା ଧରି ବସୁନାହାଁନ୍ତି ।
ମୁଁ ଏବେ ଏବେ ଯେଉଁ ରଘୁରାଜପୁର ଯାଇଥିଲି ତା’ର ଠିକ୍ ଦୁଇ ଦିନ ଆଗରୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଭାରତ ସରକାରଙ୍କ ଦ୍ୱାରା ରଘୁରାଜପୁରକୁ ନ୍ୟାସନାଲ୍ ଟୁରିଷ୍ଟ ଭିଲେଜ୍ ଭାବରେ ଘୋଷଣା କରାଯାଇଥାଏ । ଗାଁ ମୁଣ୍ଡରେ କୋଡ଼ିଏ ସରିକି କାର ଓ ଟ୍ୟାକ୍ସି ରଖାହେଇଥାଏ । ଲାଗୁଥିଲା ଯେତିକି କାରୀଗର ସେତିକି ଟୁରିଷ୍ଟ । କୌଣସି ବିଶେଷ ଦିନ ଛଡ଼ା ମୁଁ ଏମିତି ଏକ ସାଧାରଣ ଦିନରେ ସେଠି ଏତେ ଜନଗହଳୀ କେବେ ଦେଖିନଥିଲି। ତଥାପି ଆଜିକାଲି ଟୁରିଷ୍ଟମାନଙ୍କର ଯିବା ଆସିବା ବଢ଼ିଯାଇଛି ବୋଲି କହିଲେ ଶରତ ସ୍ୱାଇଁ । ଚିତ୍ରକାର ଶରତ ସ୍ୱାଇଁ ଆମର ପୂର୍ବ ପରିଚିତ । ତାଙ୍କ ଗାଁକୁ ଆସୁଛି ବୋଲି ତାଙ୍କୁ ଆଗରୁ ଖବର ଦେଇଥିଲି । ସେ ମା ଭୂଆସୁଣୀଙ୍କ ମନ୍ଦିର ପାଖରେ ଆମମାନଙ୍କୁ ଅପେକ୍ଷା କରିଥିଲେ । ତାଙ୍କ ସାଙ୍ଗରେ ହିଁ ସାରା ଗାଁ ବୁଲିବା ହେଲା, କିଛି ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ସହ ସାକ୍ଷାତ୍ ବି ହେଲା । ଏକଦା ଅତି ସୁନ୍ଦର ଯାତ୍ରୀପଟି ଓ ଗଞ୍ଜପା ତିଆରି କରୁଥିବା ଗାଁର ବର୍ଷିୟାନ ଶିଳ୍ପୀ ଜୟଦେବ ମହାରଣାଙ୍କୁ ଭେଟିଲି । ଭେଟ ହେଲା ରବୀନ୍ଦ୍ର ମହାପାତ୍ର ଓ ବନମାଳୀ ମହାପାତ୍ର, ପ୍ରଭାକର ମହାରଣା ଆଦି ଶିଳ୍ପୀଙ୍କ ସହ ।
ଏକଦା ରଘୁରାଜପୁର ଠାରୁ ଅଧିକ ପରିଚିତ ଚିତ୍ରକାର ଗାଁ ଦାଣ୍ଡସାହିକୁ ପ୍ରାୟ ଅନେକ ଜାଣନ୍ତି ନାହିଁ । ସେମିତି ସାରା ଓଡ଼ିଶାରେ ପଟଚିତ୍ର ଆଙ୍କିବାର ପରମ୍ପରା ଥିଲେ ମଧ୍ୟ ଆଜି ଅନେକ ସ୍ଥାନରେ ତାହା ବନ୍ଦ ଅବା ମୁର୍ମୂଷ ଅବସ୍ଥାରେ । ଅନେକ ଯାଗାରେ ପରମ୍ପରା ମୃତ । ପର୍ଯ୍ୟବେକ୍ଷଣ କଲେ ଲାଗୁଛି ଯେମିତି ଐତିହ୍ୟ ଗ୍ରାମ, ପରମ୍ପରାର ଗ୍ରାମ ରଘୁରାଜପୁର ନାମକ ବୃହତ୍ ବରଗଛ ତଳେ ଆଉ କିଛି ଗଛ ଉଧେଇ ପାରୁନି । ରଘୁରାଜପୁର ଯିବା ଦିନ ଦାଣ୍ଡସାହିକୁ ଯିବାର ବି ଯୋଜନା ମୋର ଥିଲା କିନ୍ତୁ ସମୟ ଅଭାବରୁ ଯାଇହେଲାନି । କିଛି ସମୟ କଟିଲା ଅବସରପ୍ରାପ୍ତ ଶିକ୍ଷକ ଓ ଚିତ୍ରକାର ଭଗବାନ ସ୍ୱାଇଁଙ୍କ ପାଖରେ । ଲେଖକ ଓ ଚିତ୍ରଶିଳ୍ପୀ ଜାଣିଲା ପରେ ସେ ଗୋଟେ ମୁଣ୍ଡହଲା ପୋଲା ବାଘ ମୋତେ ଉପହାର ଭାବରେ ଦେଲେ । ତାଙ୍କ ଦ୍ୱାରା ଲିଖିତ ‘ଐତିହ୍ୟ ଗାଁ ରଘୁରାଜପୁର’ ନାମକ ବହି ଖଣ୍ଡେ ମଧ୍ୟ ଆଣିଲି । ୨୦୨୨ରେ ପ୍ରକାଶିତ ଓ ପରମ୍ପରା ଦ୍ୱାରା ମୁଦ୍ରିତ ପୁସ୍ତକରେ ରଘୁରାଜପୁର ବିଷୟରେ ଅନେକ ତଥ୍ୟ ରହିଛି ।
ଜେ.ପି ଦାସ ୧୯୭୯-୮୦ ମସିହା ବେଳକୁ ପଟଚିତ୍ର ସମ୍ପର୍କରେ ଗବେଷଣା କଲା ବେଳକୁ ହେଲିନା ଜିଲିଙ୍କର ଦେହାନ୍ତ ହେଇସାରିଥିଲା । ଚିତ୍ରକାରମାନେ ପ୍ରାୟ ତିରିଶ ବର୍ଷ ତଳର କାହାଣୀକୁ ନିଜ ବାଗରେ କହୁଥିଲେ ଓ ଅନେକ କଥା ଜାଣିବି ନଥିଲେ । ଜେ.ପି ଦାସ ଖୋଜା ଖୋଜି କରି ହେଲିନାଙ୍କ ସ୍ୱାମୀଙ୍କ ସହ ଯୋଗାଯୋଗ କଲାପରେ ସେ ଅନେକ ତଥ୍ୟ ଯୋଗାଇ ଦେଇଥିଲେ । ଜେ.ପି ଦାସଙ୍କ ଭିନ୍ନ ପଟଚିତ୍ର ସମ୍ପର୍କରେ ଗବେଷଣା କରିଥିବା ଏବଂ ରଘୁରଜାପୁର ଗାଁ ଓ ସେଠାର ଚିତ୍ରକାରମାନଙ୍କ ବିଷୟରେ ଲେଖାଲେଖି କରିଥିବା ଅନ୍ୟ ଗବେଷକ ହେଲେ ଡକ୍ଟର ଦିନନାଥ ପାଠୀ, ଜୋଏନ ଉଇଲିୟମସ୍ (Joanna Williams) ଓ ହେଲି ବଣ୍ଡଗଡଙ୍କ (Helle Bundgaard) ପରି ବିଦ୍ୱାନ ।
ହଜି ଯାଇଥିବା ଗୋଟେ ବିଶାଳ ପରମ୍ପରାକୁ ପୁର୍ନଃଜୀବନ ଦେଇଥିଲେ ହେଲିନା । ଆଜିର ଶିଳ୍ପୀଗ୍ରାମ ରଘୁରାଜପୁର ଯଦି ଏତେ ପ୍ରସିଦ୍ଧି ପାଇଛି ଓ ଅନେକ ଚିତ୍ରକାର ପରିଚିତି ତିଆରି କରିବା ସହ ଆତ୍ମନିର୍ଭରଶୀଳ ହେଇପାରିଛନ୍ତି, ତା’ ପଛରେ ହେଲିନାଙ୍କର ଏକନିଷ୍ଠ ପ୍ରଚେଷ୍ଠାକୁ ସ୍ୱୀକାର କରିବାକୁ ହେବ । ଏକଦା ଜଣେ ବିଦେଶିନୀ ଏକା ଏକା ଆମ ଚିତ୍ର ପରମ୍ପରା ପାଇଁ ଯାହା କରିପାରିଥିଲେ ଆଜି ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ରଘୁରାଜପୁର ଗାଁ ମୁଣ୍ଡରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ବିଶ୍ରାମଗୃହ ପରିସରରେ ଶିଳ୍ପୀଗୁରୁ ଜଗନ୍ନାଥ ମହାପାତ୍ର, ଗୋଟିପୁଅ ଗୁରୁ ମାଗୁଣୀ ଦାସ ଓ ବିଶିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେଇଥିବାର ଦେଖିଲି । ଭାବିଲି ସେଇ ପାଖରେ ହେଲିନା ଜିଲିଙ୍କ ପ୍ରତିମୂର୍ତ୍ତି ଗୋଟେ ଥିଲେ ଭଲହେଇଥା’ନ୍ତା ପରା ।

ଖରାବେଳ ଗଡି ଅପରାହଣ ହେବାକୁ ବସିଥାଏ । ଡେଙ୍ଗା ନଡ଼ିଆ ଗଛର ବାହୁଙ୍ଗାର ଛାଇ ସବୁ ଦାଣ୍ଡକୁ ଲମ୍ବି ଲମ୍ବି ଆସୁଥାନ୍ତି । ମଧ୍ୟାହ୍ନ ଭୋଜନର ସମୟ ଗଡ଼ି ସାରିଥାଏ । ମୋର ଭୋକରେ ହଂସା ବୁଡ଼ିବା ଅବସ୍ଥା । ତଥାପି ମନ ଛାଡୁନଥାଏ । ଲାଗୁଥାଏ ଆଉ ପଦେ କଥା ହେଇଯାଏ କାହା ସହ । ଆଉ ଦୁଇଟା ଦରକାରୀ ଫଟୋ ଉଠେଇ ନିଏ । ଆଉ ଥରେ ମନ ପୁରାଇ ଦେଖିନିଏ, ଦାଣ୍ଡ ପିଣ୍ଢାରେ ଏକାଗ୍ର ହୋଇ ପଟି ଉପରକୁ ଝୁଙ୍କି ପଡ଼ିଥିବା ଚିତ୍ରକାରମାନଙ୍କ ଅଧା ଅଙ୍କା ଚିତ୍ରସବୁକୁ । ବିଳମ୍ବିତ ମଧ୍ୟାହ୍ନ ଭୋଜନ ଭାବରେ ଚନ୍ଦନପୁର ବଜାରରେ ଚୁଡ଼ା କଦମା ଓ ଡାଲମା ଖାଇବାର ଯୋଜନା କରି ଶେଷକୁ ଆମେ ତରତରରେ ଗାଁରୁ ବାହାରି ଆସିଲୁ ।