ଜଣେ ଶିକ୍ଷକର ଗଳ୍ପ

ମୂଳ ଲେଖା : ଗୀତା ମେହେଟ୍ଟା || ଅନୁବାଦ : ଜ୍ୟୋତି ନନ୍ଦ

ସେମିତି ଅସନ୍ତୋଷର ମଣିଷ ନୁହଁନ୍ତି ମୋହନ ଗୁରୁଜୀ। ଯଦିଓ ସେ ଗୋଟିଏ ଦୁଃଖଭରା ଜୀବନ ଯାପନ କରୁଥିଲେ ତଥାପି ତାଙ୍କର ଶାନ୍ତ ଆଉ ଭଦ୍ର ପ୍ରକୃତି ତାଙ୍କୁ ଅନେକ ସମୟରେ ଛୋଟକାଟର ଦୟା ପ୍ରଦର୍ଶନ କରାଇବା ପାଇଁ ପ୍ରରୋଚିତ କରୁଥାଏ ; ଗୋଟିଏ ଅଜଣା ଲୋକକୁ ରିକ୍ସାରୁ ଓହ୍ଲାଇବା ବେଳେ ସାହାଯ୍ୟ କରିବା,ନିଜ ପକେଟରେ ହାତ ପୁରାଇ କେଉଁ ପିଲାଟି ପାଇଁ ଲଜେଞ୍ଜ ବାହାର କରିବା,ଆଉ ଯେତେବେଳେ ସରୁଗଳିଟି ଦେଇ  ସେସହରର ମୁଖ୍ୟ ରାସ୍ତାକୁ ଯାଆନ୍ତି ଯେଉଁଠୁ ସେ ଟ୍ରାମ ଧରି ତାଙ୍କର ସଂଗୀତ ଛାତ୍ରମାନଙ୍କ ପାଖରେ ଯାଇ ପହଞ୍ଚିଥାନ୍ତି , ତାଙ୍କୁ ସଭିଏଁ ସମ୍ମାନ ଜଣାଇଥାନ୍ତି,ଆଖ ପାଖର ସେଇ ଲୋକମାନେ ଯେଉଁମାନେ କି ନିଜର ଛୋଟଛୋଟ ବାରନ୍ଦାରେ ବସିଥାନ୍ତି ,ଆଶା ଦମକାଏ ସତେଜ ପବନ ।

“ଶୁଭ ସଂଧ୍ୟା,ମୋହନ ଗୁରୁଜୀ।”

” କ’ଣ ଡେରିରେ କ୍ଲାସ୍,ଆଜି ରାତିରେ ?”

“ଷ୍ଟ୍ରିଟ୍ ଲାଇଟ୍ ଦେଖି ଦେଖି ଘରକୁ ଯାଉଛନ୍ତି ମୋହନ ଗୁରୁଜୀ। ଆଜି କାଲିର ସମୟ ଭଲ ନୁହଁ।”

ଟ୍ରାମ୍ ର ରହଣୀ ପାଖ ,ପାନବାଲା  ପାନପତ୍ରରେ ଚୂନ ଲଗାଉ ଲଗାଉ  ସବୁବେଳେ ତାହାର ଗୁମୁଟି ଭିତରୁ ପାଟି କରି କହିଥାଏ।

“ଗୁରୁଜୀ ଗୁରୁଜୀ ,ମୁଁ ଆପଣଙ୍କୁ ଖଣ୍ଡେ ପାନ ଦେବି , ଯେତେବେଳେ ଆପଣ ପିଲାଙ୍କ ଗୀତ ଗାଇବାକୁ ଶୁଣୁଥିବେ ଦେଖିବେ ଏଇ ଛୋଟିଆ ପାନ ପତ୍ର  ଖଣ୍ଡିକ ଆପଣଙ୍କର ସବୁ ଦୁଃଖକୁ ଦୂର କରିଦେଇଛି ।”

ଯଦିଓ ଏହାର ଅର୍ଥ ହେଉଛି ମୋହନ ଗୁରୁଜୀ ଧାଡିରେ ତାଙ୍କର ଯେଉଁ ଜାଗାଟି ହେବ ତାହାକୁ ହରାଇ ବସିବେ ତଥାପି ମୋହନ ଗୁରୁଜୀ ପାନବାଲା ସହ ପଦେ କଥା ହେବା ପାଇଁ ଅଟକି ରହନ୍ତି ଆଉ ଯାହା ଯାହା ଗୁଜବ ଉଡିବୁଲୁଛି ଆଖପାଖରେ ସେଇକଥା ତାହାଠାରୁ ମନ ଦେଇ ଶୁଣିଥାନ୍ତି। ଏବଂ ସେହି କାରଣରୁ ସେ ହେଉଛନ୍ତି ପ୍ରଥମ ଲୋକ ଯିଏ ଜାଣିଥିଲା ଯେ ନିଜାମୁଦ୍ଦିନ ଇଲାକାରୁ ପ୍ରସିଦ୍ଧ କୱାଲୀ ଗାୟକମାନେ କଲିକତାକୁ ଆସୁଛନ୍ତି ।

“ଆପଣ ମହମ୍ମଦ ସାହେବଙ୍କୁ କହନ୍ତୁ ,ସେ ଆପଣଙ୍କ ସାଥିରେ ଯିବେ। ଆପଣ ଜଣେ ସଙ୍ଗୀତର ଗୁରୁ,ସେଜଣେ କବିତାର ସୌକିନ। ଆଉ ସେମାନେ ଏତେପାଖରେ ଜଲସା କରୁଛନ୍ତି , ବଜାର ଆରପଟ ସେଇ ମସଜିଦ୍ ପାଖରେ ।”

“ହେଲେ ମୋ ସ୍ତ୍ରୀ ତ ତାହାକୁ ଶୁଣିବା ପାଇଁ ଏତେ ଦୂରକୁ ଯାଇ ପାରିବ ନାହିଁ ।”

” ମାଈକିନା ! ମୋ ଆଗରେ ସେଇ ମାଈକିନାଙ୍କ କଥା କହିବେ ନାହିଁ। ମୁଁ ମୋ ମାଈକିନାକୁ କୁଆଡେ ନିଏ ନାହିଁ । ମଣିଷର ସବୁ ସୁଖକୁ ପାଣି ଫଟାଇଦିଅନ୍ତି ପରା ଏଇ ମାଈକିନା ସବୁ !”

ମୋହନ ଗୁରୁଜୀ ଜାଣନ୍ତି ପାନବାଲା ତାଙ୍କୁ  ଦୟା ଦେଖାଉଛି। ତାଙ୍କର ନିଜ’ ସ୍ତ୍ରୀ ପ୍ରତି ଯେଉଁ ବିଦ୍ୱେଷ ରହିଛି ସେକଥା ସେଇ ଷ୍ଟ୍ରୀଟ୍ ର ସଭିଏଁ ଜାଣନ୍ତି । ପାଖାପାଖି ଲଗାଲଗି ହୋଇ ସବୁତକ ଘର ଆଉ ତାଙ୍କର  ସ୍ତ୍ରୀ କେବେ ତାହାର ଗଳାକୁ ତଳକୁ କରେ ନାହିଁ । ସମସ୍ତେ ସେ ତାଙ୍କ ତୁଳନାରେ ଜଣେ ଥିଲାବାଲା ଘରର ଝିଅ ଆଉ ସେ  ସଂଗୀତ ଶିକ୍ଷା ଦେଇ ଯାହା ଆୟ କରନ୍ତି ସେଥିରେ କଷ୍ଟେମଷ୍ଟେ ସଂସାର ଚଳିଥାଏ।

“ମୁଁ ଆର ଜନ୍ମରେ କି ପାପ କରିଥିଲି କେଜାଣି ଯେ ଏଇ ଜନ୍ମରେ ମୋତେ  କହିବାକୁ ମଣିଷ ଏପରି ଏକ ଛାଞ୍ଚକୁ ସବୁବେଳେ ସାଥିରେ ବୋହି ଚାଲିବାକୁ ପଡୁଛି । ଦେଖ କେମିତି ତମକୁ ମୋହନ ଗୁରୁଜୀ ବୋଲି ଡକାହେଉଛି, ଯେପରିକି ତମର ବୟସ କେବଳ ଦଶବର୍ଷ । ତମକୁ ଗୁପ୍ତ -ସାହେବ ବୋଲି ଡକାହେବାର କଥା । ହେଲେ ତମକୁ କିଏ ଏମିତି ଛୋଟିଆ ସମ୍ମାନଟିଏ ବି କରିବ ଯେ !”

ତାହାର ଗଞ୍ଜଣାମାନ ଗୋଟିଏ କ୍ଷତକୁ ପୁଣି ଉଖାରି ବସେ ଯାହା ହୁଏତ ଶୁଖିଯିବ ଯଦି ମୋହନ ଗୁରୁଜୀଙ୍କ ପତ୍ନୀ ତାଙ୍କୁ ଏକେଲା ଛାଡି ଦିଅନ୍ତା ! ଏଇ ସଂଗୀତ ଶିକ୍ଷକ ଜଣକ ଜଣେ ବାଳ-ଗାୟକ ଆକାରରେ ଖ୍ୟାତି ଅର୍ଜନ କରିଥିଲେ ,ତାଙ୍କର ନିଖାଦ ସ୍ୱରର ଆକର୍ଷଣରେ ପ୍ରଶଂସକ ମାନେ ଜଲସାରେ ବେଶ୍  ଭିଡ କରୁଥିଲେ ଆଉ କରତାଳି ଦେଉଥିଲେ। ତାଙ୍କର ବାପା,ସେ ବି ଜଣେ ସଂଗୀତ ଶିକ୍ଷକ ,ତାଙ୍କର ଆୟର ପ୍ରତିଟି ପଇସାକୁ ପାହି ପାହି କରି ସଞ୍ଚୟ କରୁଥିଲେ ଯାହା ଫଳରେ ତାଙ୍କର ସମସ୍ତ ଅର୍ଜନ ମୋହନ ଗୁରୁଜୀଙ୍କ ସଂଗୀତ ପ୍ରଶିକ୍ଷଣରେ ଖର୍ଚ୍ଚ କରାଯାଇପାରିବ ,ତାଙ୍କର ଈଶ୍ୱରଙ୍କ ନିକଟରେ ସବୁବେଳେ ପ୍ରାର୍ଥନା ଥିଲା ଯେପରିକି ତାଙ୍କର ଏଇ ସନ୍ତାନର ଭବିଷ୍ୟତ  ରେକର୍ଡିଂ ର କଣ୍ଟ୍ରାକ୍ଟ ମାଧ୍ୟମରେ ସୁରକ୍ଷିତ ହୋଇ ରହୁ।

ହେଲେ ରେକର୍ଡିଙ୍ଗ୍ ଷ୍ଟୁଡିଓର ବର୍ତ୍ତାବ୍ୟକ୍ତିମାନଙ୍କ ସହିତ ସେମିତି ସୁସଂପର୍କ ସ୍ଥାପନ କରିବାକୁ ଏଇ ଦୁସ୍ଥ ସଂଗୀତ ଶିକ୍ଷକକୁ ଢେର୍ ଦିନ ଲାଗିଯାଏ। ଦୀର୍ଘ ଚାରିବର୍ଷ ଧରି ମୋହନଙ୍କ ପିତା ଥିଲାବାଲା ଲୋକଙ୍କର ଘରକୁ ଘର ଆର୍ଥିକ ସହାୟତାର ଆଶାରେ ଯାଇଛନ୍ତି, ବିବାହ କି ଜନ୍ମ  ଭଳି ଉତ୍ସବର ଉପଲକ୍ଷରେ ଯେଉଁମାନଙ୍କ ଘରେ  ତାଙ୍କର ପୁଅ ଗୀତ ଗାଇଅଛି ଆଉ ସେମାନେ ତାହାର ପ୍ରଶଂସା କରିଛନ୍ତି। ଚାରିବର୍ଷ ଧରି ସେ ରେକର୍ଡିଂ ଷ୍ଟୁଡିଓର ବାହାରେ ଛିଡା ହୋଇଛନ୍ତି ନିଜର ହୃଦୟକୁ କୋରି ଖାଇବାକୁ ବସିଥିବା ରାଜଯକ୍ଷ୍ମାର କାଶକୁ ଚାପିଧରି,ବଞ୍ଚିରହିବାକୁ ଚାହିଁଛନ୍ତି କେବଳ ନିଜ ଆଖିରେ ଯେମିତି ପୁଅର ପ୍ରତିଷ୍ଠାକୁ ଦେଖିଯିବା ପାଇଁ,ପୁଅକୁ ରିଆଜ୍ ଜାରି ରଖିବା ପାଇଁ ବାଧ୍ୟକରିଛନ୍ତି ପ୍ରଥମ ରେକର୍ଡିଂ ପାଇଁ ଯାହା ଏଇ ପୃଥିବୀକୁ ଅକସ୍ମାତ ଆଚମ୍ବିତ କରିଦେବ ବୋଲି ତାଙ୍କର ଦୃଢ ବିଶ୍ୱାସ।

ଯେତେବେଳେ ସେଇ ରେକର୍ଡିଙ୍ଗ୍ ର କଂଟ୍ରାକ୍ଟ ଟା ତାଙ୍କୁ ଶେଷରେ ମିଳିଥିଲା,ରେକର୍ଡିଙ୍ଗ୍ ହେବାକୁ ଆଉ କେତୋଟି ହପ୍ତା ବାକି ଅଛି,ମୋହନ ଗୁରୁଜୀଙ୍କ ଗଳା ବସିଯାଇଥିଲା।

ପ୍ରତିଟି ଦିନ ତାଙ୍କର ପତ୍ନୀ ଉଲୁଗୁଣା ଦେଇ ତାଙ୍କୁ କହୁଥାଏ ଯେ କେମିତି ତାଙ୍କର ଗଳା ସେବେଠାରୁ ଏଯାଏଁ ଆଉ ମଧୁର ହୋଇନାହିଁ । “ତମର ପରିବାରର ନଜର ହେଉଛି ଖଳନଜର। ତମେ ଯାହାକୁ  ଛୁଇଁବ ତାହା ଅଭିଶପ୍ତ ପାଲଟିଯିବ,ତମକୁ ଯାହା ଦିଆଯିବ ସବୁ କୁଆଡେ ଉଭେଇ ଯିବ।”

ବେଳେବେଳେ ମୋହନ ଗୁରୁଜୀ ଏସବୁ ପତ୍ନୀର ଗଞ୍ଜଣାରୁ ମୁକୁଳିଯିବା ପାଇଁ ମନେ ପକାଇଥାନ୍ତି  ତାଙ୍କର ସେହି ଚାରିବର୍ଷର ସେଇ ସୁଖସନ୍ତୋଷର ସମୟ,ଯାହା ତାଙ୍କର ସୁବର୍ଣ୍ଣ ଗଳାଟି ବସିଯିବା ପରର ଜୀବନ । ଆଉ ଯେତେବେଳେ ତାହାର ଅପମାନର ଏମିତି ଚିତ୍କାର ସବୁର ଧାତବଧ୍ୱନୀ ଅବ୍ୟାହତ ରହିଥାଏ, ତାହା ତାଙ୍କର ମସ୍ତିଷ୍କରେ ବିନ୍ଧ କରିଚାଲିଥାଏ ,ସେ କେବଳ ସେତେବେଳେ ମନେ ପକାଇଥାନ୍ତି ତାଙ୍କର ପିତାଙ୍କର ମାନସିକ ଯନ୍ତ୍ରଣା ଯେ ଏଥର ତାଙ୍କର ସନ୍ତାନ କୁ ଗାୟକ ହେବାର ଉଜ୍ଜଳ ଭବିଷ୍ୟତକୁ ପରିହାର କରିବାକୁ ହେବ,ତାଙ୍କପରି ଜଣେ ସଂଗୀତ ଶିକ୍ଷକ ହେବାକୁ ପଡିବ ।

ମୋହନ ଗୁରୁଜୀଙ୍କ ପିତା ନିଜ ପୁଅର ସାହାଯ୍ୟାର୍ଥେ  ଗୋଟିଏ ଶେଷ ଚେଷ୍ଟା କରିଥିଲେ। ବୈଦିକ ସଂଗୀତକୁ ଭଲ ପାଉଥିବା ଜଣେ ଧନୀ ଜମିଦାର ର କନ୍ୟା ସହିତ ତାଙ୍କର ପୁଅର ବିବାହର ନିର୍ବନ୍ଧ କରିଦେଇଥିଲେ । ସେହି ବିବାହ କାର୍ଯ୍ୟ ଅନୁଷ୍ଠିତ ହେବାଯାଏଁ ଦୀର୍ଘ ସମୟ ସେ ରହି ଥିଲେ ହେଲେ ଏତେ ଦୀର୍ଘ ସମୟ ସେ  ତାଙ୍କର ଦୁଇଟି ନାତିର ଜନ୍ମ ଉତ୍ସବକୁ ପାଳିବା ପାଇଁ କିନ୍ତୁ ବଞ୍ଚି ରହି ନଥିଲେ,ଅଥବା ସେ ଦେଖଯାଇନାହାଁନ୍ତି, ନିଜ ପିତାଙ୍କ ଦେହାନ୍ତ ସମୟରେ ତାଙ୍କର ବୋହୁର ଉତ୍କଟ ଅର୍ଥଲିପ୍ସା ଯେତେବେଳେ କି ତାହାର ଦୁଇଭାଇ ତାହାର ପିତାଙ୍କ ସମସ୍ତ ସମ୍ପତ୍ତିକୁ ମାଡିବସି ତାହାକୁ କେବଳ ମୋହନ ଗୁରୁଜୀଙ୍କ ଉପାର୍ଜନ ର ଉପରେ ନିର୍ଭରଶୀଳ କରିବାକୁ ଛାଡିଦେଇଛନ୍ତି ।

ନିଜର ପରିବାରର ଗର୍ବ ଯେମିତି କୌଣସି ଆଲୋଚନା ଦ୍ୱାରା କ୍ଷୁର୍ଣ୍ଣ ନହୁଏ ଆଉ ସେଇ ଭଳି ଆଲୋଚନାକୁ ପ୍ରତିହତ କରିବାପାଇଁ  ମୋହନଙ୍କ ପତ୍ନୀ  ତାହାର ଭାଇମାନଙ୍କର ଏପରି ବିଶ୍ୱାସଘାତ ପାଇଁ, ତାହାର ପତିକୁ ହିଁ କେବଳ ଦାୟୀ କରିଥାଏ।ନିଜ ପିଲାଙ୍କ ଭିତରେ ଏମିତି ବିଶ୍ୱାସ ଜନ୍ମାଇ ଥାଏ ଯେ ,ଏଇଟି କେବଳ ହିଁ ମୋହନ ଗୁରୁଜୀଙ୍କ ଦୁର୍ବଳତା ଆଉ ନିର୍ବୋଧତା ଯାହା ସେମାନଙ୍କ ନିକଟରୁ ତାଙ୍କର ଚାକରବାକର,କାର୍, ବିଦେଶରୁ ଆସିଥିବା ଦାମୀ ଲୁଗାପଟା ସବୁ ,ଯାହା ଅସଲରେ ସେମାନଙ୍କର ଅଧିକାର,ସେସବୁକୁ ଲୁଟି ନିଆ ଯାଇଅଛି ।

“କେମିତି ମୁଁ ନିଜକୁ କ୍ଷମା କରିପାରିବି ଯେ ଏପରି ଗୋଟାଏ ଅପଦାର୍ଥ ଲୋକକୁ ମୁଁ ତମମାନଙ୍କ ଉପରେ ବାପ ବୋଲି ଳଦି ଦେଇଛି ? ଆ ବାବଲୁ,ଆ ରେ ଡଲି । ଏଇ କିଛି ଫଳ ଅଛି ଖାଅ।ସେ ତାହାର ଚା’ ନିଜେ ତିଆରି କରୁ ।”

ଏପରି ଗୋଟିଏ ନିର୍ଭୁଲତାରେ  ସେ ତାହାର ନିଷ୍ଠୁରପଣକୁ ଶାଣ ଦେଇ ଚାଲିଥିଲା ଯେ ମୋହନ ଗୁରୁଜୀର ପିଲା ଦୁହେଁ ସେମାନଙ୍କର ପିତାଙ୍କ ସଂଗୀତ ଭଳି  ପିତାଙ୍କୁ ବି ଘୃଣା କରୁଥିଲେ ଆଉ ମାଆର ଅବହେଳା ସହିତ ନିଜକୁ ଯୋଡିଚାଲୁଥିଲେ।

ଛାତ୍ରଛାତ୍ରୀଙ୍କୁ ଦିନ ସାରା ସଂଗୀତ ପାଠପଢା ଆଉ ତାହା ସରିବା ପରେ ମୋହନ ଗୁରୁଜୀ ନିଜ ପାଇଁ ସାଧାସିଧା ଦୁଇମୁଠା ରୋଷେଇ କରିଥାନ୍ତି। ରୋଷେଇ ଶେଷ ହେଲେ ସେ ନିଜର ଖାଇବାକୁ ଧରି ଘରର ଛୋଟିଆ ଛାତ ଉପରକୁ ଚାଲିଯାଆନ୍ତି ,ଫଳରେ ଘର ଭିତରର ନିନ୍ଦା ଆଉ ପାଟିତୁଣ୍ଡରୁ ଘଡିଏ ରକ୍ଷା ମିଳିଯିବ। ହେଲେ ରେଡିଓରୁ ଆସୁଥିବା   ଉଚ୍ଚ ଭଲ୍ୟୁମ ର ସିନେମା ସଂଗୀତ ରୁ ତାଙ୍କର ରକ୍ଷା ନାହିଁ ଅଥବା  ବେଳେ ବେଳେ  ଉପରକୁ ଛୋଟ ସିଡି ବାଟ ଦେଇ ଗ୍ରାମଫୋନ ବାଜିବାର ପ୍ରତିଧ୍ୱନୀ ବି ଆସେ । ଏସବୁ ଫଳରେ ତାଙ୍କର କାଶ ହୁଏ,ଏତେ ଜୋର୍ ରେ କାଶ ହୁଏ ଯେ ତାଙ୍କର ପତ୍ନୀ,ଅବା ତାଙ୍କର ପୁଅ ଝିଅ ସିଡି ଦେଇ ଉପରକୁ ଦୌଡି ଆସନ୍ତି,ଚିତ୍କାର କରି ତାଙ୍କୁ ଚୁପ୍ ରହିବାକୁ କହିଥାନ୍ତି । ଯେତେ ଚେଷ୍ଟା କଲେ ବି ମୋହନ ଗୁରୁଜୀଙ୍କ କାଶ କମ୍ ହୁଏ ନାହିଁ । ଏହା କହିବାକୁଗଲେ  ହେଉଛି ଏକ ନର୍ଭସ୍ ହେବାର  ପ୍ରତିକ୍ରିୟା ଯାହା ନିଜର ପାରିବାରିକ ସୂତ୍ରରେ ଯାହା ସେ ଶୁଣିଥିଲେ ଆଉ ଯାହା ତାଙ୍କର ମଥାରେ ରହିଯାଇଛି ସେଇ ଭଳି ଅର୍ଜନ କରିଥିବା ସଂଗୀତ ମାନଙ୍କୁ ଚୁପ୍ କରିଦେବା ର ଉପାୟ।

ତେଣୁ ଯେତେବେଳେ ପାନବାଲା ସେହି କୱାଲି ଗାୟକ ମାନଙ୍କର ଆସିବାର କଥା କହିଥିଲା ତାହାକୁ ଶୁଣିବା ପରେ ମୋହନ ଗୁରୁଜୀଙ୍କ ଭିତରେ ଦିବାସ୍ୱପ୍ନର ଆରମ୍ଭ ହୋଇଯାଏ,ଟ୍ରାମ୍ ର ଭିତରେ । ସେ କେବେ ହେଲେ ନିଜାମୁଦ୍ଦିନ ର ସେହି କୱାଲି ଗାୟକଙ୍କୁ ଶୁଣିନାହାଁନ୍ତି ,ଯେଉଁଠି ସାତଶହ ବର୍ଷ ଆଗରୁ କୱାଲି ସଂଗୀତର ଜନ୍ମ ହୋଇଥିଲା। ମାତ୍ର ସେ ଜାଣିଛନ୍ତି ନିଜାମୁଦ୍ଦିନ ହେଉଛି ସେଇ ପ୍ରସ୍ରବଣ ଯେଉଁଠାରୁ ସୁମହାନ ମରମି ସୁଫି ସନ୍ଥମାନଙ୍କର ପଦ୍ୟ ଏବଂ ଗାୟନ ଭାରତର ସର୍ବତ୍ର ପ୍ରବାହିତ ହୋଇଅଛି ,ଏବଂ ଆଜି ଯାଏଁ ବି ଏହାର ଶିକ୍ଷକମାନେ ତଥାପି  ଉଚ୍ଚମାନର କୱାଲି ସଂଗୀତର ପ୍ରଶିକ୍ଷଣ ଦେଶ ସାରା ଦେଇଆସୁଛନ୍ତି । ସେ ନିଜର ଭାଗ୍ୟକୁ ବିଶ୍ୱାସ କରିପାରୁନଥିଲେ ,ସାତଟା ରାତି ନିଜ ସ୍ତ୍ରୀ ଆଉ ପିଲାମାନଙ୍କ ଠାରୁ ଦୂରରେ ରହିବା ଆଉ ତାହା ସହିତ ସେମାନଙ୍କର ସଂଗୀତ ଶୁଣିବା ଭଳି ସୌଭାଗ୍ୟ । ଆଉ ସବୁଠାରୁ ବଡ କଥା ଏସବୁ କୁ ଶୁଣିବା ପାଇଁ କୌଣସି ପ୍ରବେଶ ଦେୟ ନାହିଁ ।

ଘରକୁ ଆସିବା ବାଟରେ ସେଦିନ ସଂଜରେ ସେ ମହମ୍ମଦ ସାହେବଙ୍କ ଘରେ ଅଟକି ଯାଇଥିଲେ । ତାଙ୍କୁ ତାଙ୍କର ବାରନ୍ଦାରେ ବସିଥିବାର ଦେଖି ମୋହନ ଗୁରୁଜୀ ଲାଜ ଲାଜ ହୋଇ ପଚାରିଲେ ସେ କୱାଲୀ ଗାୟକମାନଙ୍କୁ ଶୁଣିବା ନିମନ୍ତେ ଯାଇ ପାରିବେ କି ନାହିଁ ।

” କେବଳ ତମେ ଯଦି ମୋ ସାଥିରେ ଯାଇପାରିବ ତାହାଲେ। ମୁଁ ଗୋଟିଏ ଦରିଦ୍ର ମୂର୍ଖ ଯିଏ କେବେ ହେଲେ ଜାଣିପାରିବ ନାହିଁ ଯେ ସେ ଅସଲରେ କ’ଣ ଶୁଣୁଛି ଯଦି ତାହାକୁ ଆଉ କିଏ ଜଣେ ସବୁକଥାକୁ ବୁଝାଇ ନକହେ ।”

ତେଣୁ ସେଇଠି ଏଇକଥା ସ୍ଥିର ହୋଇଗଲା ଆଉ ପରବର୍ତ୍ତି ସପ୍ତାହରେ ମୋହନ ଗୁରୁଜୀ ନିଜପାଇଁ  ସାଦାସିଧା କିଛି ରୋଷେଇ କରିବସିବା ବେଳେ ତାହାର ସ୍ତ୍ରୀ କି ପିଲାମାନଙ୍କର ତାହାର ଉଦ୍ଦେଶ୍ୟରେ  ପାଟିତୁଣ୍ଡଆଦିକୁ ଶୁଣିନଥିଲା,ନିଜର ଖାଇବାକୁ ସେ ବେଶ୍ ଉପଭୋଗ କରୁଥିଲା,  ସେତେବେଳେ   ଉଚ୍ଚ ସିନେମା ସଂଗୀତ ଶୁଣୁଥାନ୍ତି ସେମାନେ ।

“ଏକଥା ଆଗ ଠିକ୍ କର ଯେ ,ଗୀତ ଶୁଣି ସେଇଠୁ ଫେରିବା ପରେ ତମେ ସାରା ଘରକୁ ଆଉ ଉଠେଇବ ପକେଇବ ନାହିଁ ।” ପଛରୁ ପାଟି କରି ତାଙ୍କର ପତ୍ନୀ କହିଥିଲା ଯେତେବେଳେ ସେ ରାଜରାସ୍ତାରେ ପାଦ ଦେଲେଣି ।

ଯେତେବେଳେ ମହମ୍ମଦ ସାହେବ ଆଉ ମୋହନ ଗୁରୁଜୀ ମସଜିଦ କଡରେ ଟଙ୍ଗା ଯାଇଥିବା ସାମିଆନା ଭିତରକୁ ପ୍ରବେଶ କରିଥିଲେ ସେତେବେଳକୁ କୱାଲୀ ପ୍ରାୟ ଆରମ୍ଭ ହେଉଥାଏ ଆଉ ବଜାର ର କୌତୁହଳୀ ପିଲାଏ ସେଇଠି ଦ୍ୱାର ମୁହଁରେ ଭୀଡ କରିଥାନ୍ତି ।

ମହମ୍ମଦ ସାହେବ ତାହାରି ଭିତରେ ମୁଣ୍ଡ ଗଳାଇ ବେଶ୍ ହତାଶାରେ କହିଲେ,” ଆମମାନଙ୍କର ଆସିବାରେ ଡେରି ହୋଇଗଲା। ସେଇଠି ତ ବସିବା ପାଇଁ ଆଉ  ଜାଗା ନାହିଁ ।”

ମୋହନ ଗୁରୁଜୀ ଏତେ ସହଜରେ ଛାଡି ଦେବାର ଲୋକ ନୁହଁନ୍ତି । ସେ ସେଇ ରୁଣ୍ଡ ହୋଇଥିବା ପିଲାଙ୍କ ଭିତରେ ଚିପି ହୋଇ ଲୋକଭର୍ତ୍ତି ସେଇ  ସାମିଆନାର  ଭିତରେ ଗୋଟିଏ ଫାଙ୍କା ଜାଗା ର ତଲାସ କରିବାକୁ ଲାଗିଲେ । ଲୋକମାନେ ନିଶ୍ଚୁପ  ଆଉ ଏକାଗ୍ର ଭାବରେ ଅତ୍ୟନ୍ତ ଆବେଗପୂର୍ଣ୍ଣ ଭକ୍ତି ସଂଗୀତର ସେହି ଲହଡିକୁ ନିଜ ମଥାର ଉପରେ ଭାଙ୍ଗିବସୁଥାନ୍ତି ।

ଗୋଟିଏ ପରିଚିତ ଉଚ୍ଛ୍ୱାସ ସେ ଅନୁଭବ କରିଥିଲେ ଯେତେବେଳେ ସେ ତାଙ୍କର ବନ୍ଧୁଙ୍କୁ ଥାଟପଟ୍ଟାଳି ଭାଙ୍ଗୁଥିବା ଲୋକବାକଙ୍କ ଭିଡ ମଝିରେ ଥିବା ଟିକିଏ ଫାଙ୍କା ଜାଗା ଆଡକୁ କଢେଇ ନେଉଥାନ୍ତି । ସେତିକି ବେଳେ। ସାମିଆନାକୁ ଭାରା ଦେଇଥିବା ଖୁଣ୍ଟରୁ ଫ୍ଲୁରୋସେଣ୍ଟ ଆଲୁଅ ଉଙ୍କି ମାରୁଥାଏ । ଚଟାଣରେ ବିଛା ଯାଇଥିବା କପଡାର କାର୍ପେଟରୁ ଆସୁଥିବା ମଳିଛିଆ ଗନ୍ଧ ତାଙ୍କୁ ମନେପକାଇ ଦେଇଥିଲା ତାଙ୍କର ପିଲା ଦିନର ଜଲସାକୁ,ଆଉ ତାଙ୍କର ଭିତରେ ଥିବା ଗୋଟିଏ ଅବରୁଦ୍ଧ ଯେମିତି ହଠାତ୍ ଫିଟିଯାଇ ଢିଲା ହେବାକୁ ଲାଗିଲା।

ମଞ୍ଚ ଉପରେ ନଅ ଜଣ ଗାୟକ ଗୋଡକୁ ଛନ୍ଦି ଗୋଟିଏ ହାରମୋନିଅମ୍ ଆଉ କିଛି ତାବଲା କୁ ମଝିରେ ରଖି ଅର୍ଦ୍ଧଚନ୍ଦ୍ରାକାରରେ ବସିଥାଆନ୍ତି । ନିଜାମୁଦ୍ଦିନ ର ଜଣେ ବୟସ୍କ ଶେଖ ଗୋଟିଏ ପଟ କଡରେ ବସିଥାଆନ୍ତି ,ତାଙ୍କର ଧଳା ଦାଢୀ ସେ ପିନ୍ଧିଥିବା ପୋଷାକ ଭିତରେ ଲୁଚିଯାଇଥାଏ। ଥରକୁ ଥର କେହି ଜଣେ ଦର୍ଶକ ସଂଗୀତରେ ପ୍ରୀତ ହୋଇ ଶେଖ୍ ଙ୍କୁ କିଛି ଅର୍ଥ ସମ୍ମାନ ଆକାରରେ ଦେଉଥାନ୍ତି ଯାହାକୁ ସେ ଈଶ୍ୱରଙ୍କୁ ଅର୍ପଣ ବୋଲି ବିଚାର କରି ତାବଲା ପାଖରେ ତାହାକୁ ଥୋଇ ଦେଉଥାନ୍ତି ।

Illustration by Ramakanta Samantaray

ଗାୟକ ମାନେ ଯେତିକି ଯେତିକି ସଂଗୀତର ଗଭୀରକୁ ଯାଉଥାନ୍ତି ମୋହନ ଗୁରୁଜୀ ସେତିକି ସେତିକି ତାଙ୍କୁ ଅଣନିଃଶ୍ୱାସୀ କରିଦେଉଥିବା ଭାରା ରୁ ଚାପମୁକ୍ତ ହେବାରେ ଲାଗିଥାନ୍ତି ,ଯେପରିକି ସଂଗୀତର ଉଛ୍ୱାସ ଗୋଟିଏ ଗଳାରୁ ଆଉ ଗୋଟିଏ ଗଳା ଯାଏଁ ବିସ୍ତାରିତ ହୋଇଯାଉଥିବା ବେଳରେ ତାଙ୍କୁ ଉଠାଇ ନେଉଛି  ଏକ ଦୀର୍ଘ ଦିନରୁ ଭୁଲିହୋଇଯାଇଥିବା ନିଜର ଆନନ୍ଦର  ଉତ୍ସକୁ ।

ଦୁଇଥର ମହମ୍ମଦ ସାହେବ ଉଠିଛନ୍ତି ଶେଖ୍ ଙ୍କ ପାଦତଳରେ କିଛି ଅର୍ଥ ପ୍ରଦାନ କରିବା ନିମନ୍ତେ ।ମୋହନ ଗୁରୁଜୀ ତାଙ୍କୁ ନିଷ୍ଠାର ସହ ଲକ୍ଷ୍ୟ କରିଛନ୍ତି କେଉଁଭଳି ସେ ମଞ୍ଚ ଉପରକୁ ଉଠି ନିଜର ସମ୍ମାନ ପ୍ରଦାନ କରିଛନ୍ତି ଶେଖ୍ ଙ୍କ ପାଦତଳେ । ନିଜର ଦାରିଦ୍ର୍ୟ ପାଇଁ ସେ ଲଜ୍ଜିତ ଯାହା ତାଙ୍କୁ ସେହି ଗାୟକମାନଙ୍କୁ ସମ୍ମାନ କରିବା ଭଳି ସ୍ୱଚ୍ଛଳତାର ବାଧକ ହୋଇଛି ଯେତେବେଳେ ସେମାନେ ତାଙ୍କ ପାଇଁ ଏପରି ଏକ ଆବେଗର ଏଇଠି ପୁନଃସୃଜନ କରିପାରିଛନ୍ତି ଯାହା ତାଙ୍କ ପାଇଁ ଅନେକ ଦିନରୁ ମୃତ ବୋଲି ସେ ମନେ କରି ଆସୁଥିଲେ । 

ଦୁଇଘଣ୍ଟା ପରେ ମହମ୍ମଦ ସାହେବଙ୍କ ଅର୍ଥ ଏବଂ ଧୈର୍ଯ୍ୟ ଉଭୟ ତାହାର ଶେଷ ସୀମାରେ ପହଞ୍ଚିଯାଏ ଆଉ ସେ ଘରକୁ ଫେରିଆସନ୍ତି । କ୍ରମଶଃ ସାମିଆନାର ତଳ ଫାଙ୍କା ହେବାକୁ ଆରମ୍ଭ କରେ । ଶେଷରେ ରହିଯାଇଥାନ୍ତି ସେଇଠି ଆଉ କେତଜଣ ଭିକ୍ଷୁକ ସନ୍ତାନ,ତଳେ ପଡିଥିବା କନାର ଗାଲିଚା ଉପରେ ସେମାନେ ସେତେବେଳେ ନିଘୋଡ ନିଦରେ । ମୋହନ ଗୁରୁଜୀ ତାଙ୍କର ହାତଘଣ୍ଟାକୁ ଦେଖନ୍ତି । ସମୟ ତିନିଟା,ସକାଳ ହେବ ହେବ।

ମୋହନ ଗୁରୁଜୀଙ୍କ ସାମ୍ନାରେ ଗୋଟିଏ କମ୍ ବୟସର ସ୍ତ୍ରୀଲୋକ ଗୋଟିଏ  ପିଲାର ହାତକୁ ଧରି  ଆସେ ଆଉ ମଞ୍ଚ ଉପରକୁ ହଠାତ୍ ଏକା ଉଠିଯାଏ ଆଉ ଶେଖ୍ ଙ୍କୁ କିଛି କଥା ଫୁସଫୁସ କରି କହେ । ଶେଖ୍ ଅନ୍ୟ ଗାୟକମାନଙ୍କୁ ଟିକିଏ ଢଳି ଆସନ୍ତି ଆଉ ସେତେବେଳେ ସେମାନେ ନିଜର କପାଳରୁ ଝାଳ ପୋଛୁଥାନ୍ତି ।

ମୁଖ୍ୟ ଗାୟକ ଜଣକ କ୍ଳାନ୍ତ ଭାବରେ ସମର୍ଥନସୁଲଭ ମଥା ହଲାନ୍ତି ଆଉ ସେଇ କମ ବୟସର ମହିଳା ତାଙ୍କର ସାଥିରେ ଥିବା ପୁଅଟିକୁ ଆଗକୁ ଟାଣି ଆଣେ ତାହାପରେ । ପିଲାଟି ଟିକିଏ ଅସହଜ ହୁଏ,କୌଣସି ମତେ ନିଜର ସନ୍ତୁଳନକୁ ରକ୍ଷା କରି ସେ ପାହାଚକୁ ଚଢି ମଞ୍ଚ ଉପରକୁ ଯାଏ ,ତାହାର ହାତ ଦୁଇଟି ସେତେବେଳେ ଯୋଡହସ୍ତ। ମୋହନ ଗୁରୁଜୀ ଜାଣି ପାରନ୍ତି ଯେ ସେହି ପିଲାଟି ଦୃଷ୍ଟିହୀନ କାରଣ ତାହାକୁ ନେଇ ଗାୟକ ମାନଙ୍କ ଭିତରେ ବସାଇଦେବା ଭଳି ସବୁ କାମ କରିଛି ସେଇ କମ୍ ବୟସର ମହିଳା ଜଣକ।

ମୁଖ୍ୟ ଗାୟକ ପଦଟିଏ ଗାଇଲେ। ଅନ୍ୟ ଗାୟକମାନେ ତାହାର ପାଳି ଧରିଲେ। ମୁଖ୍ୟ ଗାୟକ ଆଉ ପଦେ ଗାଇଲେ ,ସେ ନିଜର ହାତକୁ ସେଇ ପିଲା ଆଡକୁ ବଢାଇ ନିର୍ଦ୍ଦେଶ ଦେଲେ ,ସେ କିନ୍ତୁ ଏହାକୁ ଦେଖି ପାରିବ ନାହିଁ । ଅନ୍ୟ ଗାୟକମାନେ ସେଇ ପିଲାକୁ ଉତ୍ସାହିତ କଲେ।  ଅନ୍ୟମାନଙ୍କ ଅପେକ୍ଷା ଦୁଇ ଅକ୍ଟେଭ୍ ର ଉପରେ ପିଲାଟି ଗାଇବାକୁ ଲାଗିଲା :

” ତବ କରବାଳ ତଳେ କରେ ମଥା ନତ ମୋର

ହେ ବିସ୍ମୟ ମୋର ମୋହର ସମର୍ପଣ

ହେ ବିସ୍ମୟ ମୋର ସୁରକ୍ଷାକରିଛ ଦାନ”

ସୁରଟି ଏଇଭଳି ଥିଲା ଯାହା ମୋହନ ଗୁରୁଜୀ କେବଳ ଶୁଣିଥିଲେ ନିଜର ସ୍ୱପ୍ନରେ ।

“ମରଣ ବେଳାରେ ମୋର ଦେଖୁଥାଏ ତବ ମୁଖ

ହେ ବିସ୍ମୟ ମୋର ସୁରକ୍ଷା କରିଛ ଦାନ

ହେ ବିସ୍ମୟ ମୋର ମୋହର ସମର୍ପଣ ।”

ଏହି ମୁହୂର୍ତ୍ତ ଯାଏଁ ସେ ବିଶ୍ୱାସ କରୁଥିଲେ ଯେ ଏଇ ଭଳି ଗୋଟିଏ ଶୁଦ୍ଧସ୍ୱର କୁ କେବଳ କଳ୍ପନା କରାଯାଇପାରେ ମାତ୍ର ଏହା ସ୍ୱର ଆକାରରେ କୌଣସି ମଣିଷର ହୋଇପାରିବା ସମ୍ଭବ ନୁହଁ ।

ସେ ସେହି ତରୁଣୀ ମହିଳା ନିକଟକୁ ଯାଇଥିଲେ।

“ଏଇ ପିଲାଟି କିଏ ?” ସେ ପଚାରିଲେ।

ତରୁଣୀ ଜଣକ ମୁହଁ ବୁଲାଇ ହସହସ ମୁହଁରେ କହିଲା,” ମୋ ଭାଇ, ଇମ୍ରାଟ୍ । ଏଇଟି ହେଉଛି ପ୍ରଥମ ଗୀତ ଯାହାକୁ ମୋ ବାପା ଇମ୍ରାଟ୍ କୁ ଶିଖାଇଥିଲେ -ଗୀତଟି ନିଜାମୁଦ୍ଦିନ କୱାଲ୍ ଙ୍କର ପିଲାମାନଙ୍କ ପାଇଁ ଗୀତ ।”

ତାହାର ବଡ ଗୋଲ ଆଖିରୁ ଲୁହ ଦିଧାର ଖସି ପଡିଲା । ଫ୍ଲୁରୋସେଣ୍ଟ ଆଲୋକର ଉଜ୍ଜଳତା ତରୁଣୀର ଆଖି ଦୁଇଟିକୁ ଯେମିତି ଦୁଇଟି ବଡ ଆକୃତିର ମୁକ୍ତା ପାଲଟିଯାଇଛି,ମୋହନ ଗୁରୁଜୀଙ୍କର ମନେ ହେଲା । ” ଗଲା ବର୍ଷ ଇମ୍ରାଟକୁ ସାଥିରେ ଧରି ମୁଁ ମୋର ଏମ୍ବ୍ରୋୟୋଡରୀ କାମକୁ ବିକ୍ରି କରିବା ପାଇଁ କଲିକତାକୁ ଆସିଥିଲି । ଆମେ ଦିଜଣ ଯେତେବେଳେ ଏଇଠି ସେତେବେଳେ କୁଆଡୁ ଆସିଥିଲା ସେଠିକି ସର୍ବଗ୍ରାସୀ ବନ୍ୟା,ଆମ ଗାଆଁକୁ ପୂରା ଭସାଇ ନେଲା। ମୋ ବାପା ,ମୋ ସ୍ୱାମୀ ଆଉ ସଭିଏଁ ସେଥିରେ କୁଆଡେ ଭାସିଗଲେ ତାହାର ପତ୍ତା ନାହିଁ ।”

ମୋହନ ଗୁରୁଜୀ ମଞ୍ଚକୁ ଦେଖୁଥାନ୍ତି । ଗାୟକ ମାନେ ସେମାନଙ୍କର ସମ୍ମିଳିତ ସୁରରେ ମତୁଆଲା,ତାହା ଭିତରୁ ଈଶ୍ୱରଙ୍କ ବନ୍ଦନା କରିଚାଲିଛି ଯେଉଁ ସ୍ୱରମାଳିକା ତାହାର ଭିତରୁ  ସେଇ ପିଲାର ଗଳାକୁ  ଅଲଗା କରି ଜାଣିବା ସମ୍ଭବପର ନୁହଁ।

” ଯେଉଁଠି ବିଶ୍ୱାସ ନାହିଁ ଦେଖାଇବ ନାହିଁ ସତ

ହେ ବିସ୍ମୟ ମୋର ରହସ୍ୟର ରତ୍ନାକର

ହେ ବିସ୍ମୟ ମୋର ଗୋପନ ଅମାର ଘର।”

*

ସେଇ କମ୍ ବୟସର ମହିଳା ଜଣକ ନିଜର ହାତରେ ମୁହଁ କୁ ଘୋଡାଇ ଦେଇଥାଏ।”ଜଣକ ଘରେ ଘରକାମ କରିବାପାଇଁ କଥା ଛିଡିଲା,ସେମାନେ ସେତେବେଳେ ଉତ୍ତରଭାରତକୁ ଯାଉଥାନ୍ତି । ସେମାନଙ୍କ ସହ ଯିବାର କଥା ହେଲା ପରେ ମୋତେ କୁହାଗଲା ଯେ ମୁଁ ସାଥିରେ ମୋର ଭାଇକୁ ନେଇ ଯାଇପାରିବି ନାହିଁ ,ସେ ଯେହେତୁ ଦୃଷ୍ଟିହୀନ । ମୁଁ ଭାବୁଛି ଶେଖ୍ ଇମ୍ରାଟ୍ କୁ ସାଥିରେ  ନିଜାମୁଦ୍ଦିନକୁ ନେଇ ଯିବେ,ମୋର ମାସିକିଆ ଦରମା ମିଳିଲେ ମୁଁ ସେଥିରୁ କିଛି ଇମ୍ରାଟ୍ ପାଇଁ ତାଙ୍କ ପାଖକୁ ପଠାଇ ଦେବି।”

ମୋହନ ଗୁରୁଜୀଙ୍କ ନିଜ ଆଖି ଲୁହରେ ଛଳଛଳ ,ସେ ସେହି ଉଚ୍ଚ ଗଳାକୁ ସେତେବେଳେ ଶୁଣୁଥାନ୍ତି ।

“ତବ କରବାଳ ତଳେ କରେ ମଥା ନତ ମୋର

ହେ  ବିସ୍ମୟ ମୋର  ସବୁ ପଥ ଅଗ୍ରପଥିକ 

ହେ ବିସ୍ମୟ ମୋର ମୋହର ସମର୍ପଣ ।”

ପରବର୍ତ୍ତି ସଞ୍ଜରେ ମହମ୍ମଦ ସାହେବ ସ୍ୱୀକାର କରି କହିଲେ,” ମୁଁ ଆପଣଙ୍କର ଭଳି ସଂଗୀତର ସମଝଦାର ନୁହଁ ,ଗୁରୁଜୀ। ମୁଁ ଆପଣଙ୍କ ସହିତ ଆଜି ରାତିରେ ସେଠିକୁ ଯାଇ ପାରିବି ନାହିଁ,ଆଲ୍ଲାତାଲ୍ଲା ମୋତେ ଏଇଥିପାଇଁ ମାଫ୍ କରିଦେବେ ।”

ତେଣୁ ମୋହନ ଗୁରୁଜୀ ସେଦିନ ଏକେଲା ସେଠିକୁ କୱାଲି ଶୁଣିବା ପାଇଁ ଯାଇଥିଲେ। ଅନ୍ୟ ଦର୍ଶକମାନଙ୍କର ଗହଳି ବେଶ୍ ଫାଙ୍କା ହୋଇ ଗଲାପରେ ବି ସେଇ ତରୁଣୀ ମହିଳା ଏବଂ ସେଇ ଦୃଷ୍ଟିହୀନ ବାଳକ ଦିଜଣଯାକ ମଞ୍ଚର ତଳେ ତଥାପି  ବସିରହିଥାନ୍ତି।

ମୋହନ ଗୁରୁଜୀ ସେଦିନ ଆୟୋଜନରେ ପୂରା ଅପେକ୍ଷା କରି ରହିଥିଲେ କେତେବେଳେ ସେଇ ପିଲାର ଶୁଦ୍ଧ ସ୍ୱର କୁ ସେ ଶୁଣିବାକୁ ପାଇବେ ,ହେଲେ ସେଦିନ ରାତିରେ ସେଇ ପିଲାଟି ମଞ୍ଚ ଉପରେ ଗାୟକମାନଙ୍କ ସହିତ ଯୋଗ ଦେଇ ନାହିଁ । ତାହା ପର ରାତି ଆଉ ତାହାର ପର ରାତି ବି ମୋହନ ଗୁରୁଜୀ ନିରାଶ ହୋଇଥିଲେ କାରଣ ସେ ସେଇ ତରୁଣୀ ମହିଳା ଆଉ ତାହା ସହ ସେଇ ଦୃଷ୍ଟିହୀନ ବାଳକକୁ ସାମିଆନା କି ମଞ୍ଚ କେଉଁଠି ହେଲେ କୱାଲି ଗାୟନ ବେଳେ ଦେଖିବାକୁ ପାଇ ନଥିଲେ । 

ଚତୁର୍ଥ ରାତ୍ରୀରେ ସେଇ ସାମିଆନା ଘେରା ସ୍ଥାନକୁ ଛାଡିବା ଭଳି ଶେଷ ଶ୍ରୋତା ଥିଲେ ସେ ନିଜେ,ମୋହନ ଗୁରୁଜୀ। ସେ ଯେତେବେଳେ ଦ୍ରୁତପାଦରେ ବଜାରର ସଂକୀର୍ଣ୍ଣ ଗଳି ଦେଇ ଅଂଧାରରେ ଯାଉଥାନ୍ତି ତାଙ୍କର ପଛରେ କେହିଜଣେ ଡାକିଲା,” ସାହେବ,ଟିକିଏ ଦୟା କରନ୍ତୁ ,ଆଲ୍ଲା ମେହେରବାନ ଆମର କଥା ଟିକିଏ ଶୁଣନ୍ତୁ ।”

ସେ ପଛକୁ ଚାହିଁ ଦେଖିଲେ। ବଜାରର ଶେଷ ଭାଗରେ ଏକେଲା ବତୀଟି ଜଳୁଥାଏ। ସଟର୍ ପଡିଥିବା ଗୋଟିଏ ଦୋକାନ ନିକଟରୁ ସେଇ ତରୁଣୀ ମହିଳା ଜଣକ ତାଙ୍କ ଆଡକୁ ଆଗେଇ ଆସୁଥାଏ ଆଉ ସାଥିରେ ଟାଣି ଆଣୁଥାଏ ସେଇ ଦୃଷ୍ଟିହୀନ ବାଳକକୁ।

“ଦୟା କରନ୍ତୁ ସାହେବ। ଏଇ କୱାଲି ଗାୟକ ମାନେ ଭାରତସାରା ବୁଲୁଛନ୍ତି । ସେମାନେ ମୋର ଏଇ ଭାଇକୁ ନିଜ ସାଥିରେ ନେଇ ପାରିବେ ନାହିଁ ,ଆଉ ଦୁଇ ଦିନ ଭିତରେ ମୁଁ କାମ ଆରମ୍ଭ କରିବି ବା କାମ ଛାଡିଦେବି। ଆପଣଙ୍କର ଦୟାବନ୍ତ ମୁହଁ,ସାହେବ। ଆପଣ ସାଥିରେ ଇମ୍ରାଟ୍ କୁ ରଖିପାରିବେ ? ସେ ସବୁକଥା ମାନିବ। ସେ ଆପଣଙ୍କ ଘର ଝାଡୁ କରିପାରିବ ,ପରିବା କାଟି ଦେଇ ପାରିବ । କେବଳ ତାହାକୁ ମୁଠାଏ ଖାଇବାକୁ ଦେବେ ,ଖଣ୍ଡିଏ ଜାଗା ଶୋଇବାକୁ ଦେବେ,ମୁଁ ଯେପର୍ଯ୍ୟନ୍ତ ତା’ ପାଇଁ ପଇସା କିଛି ନପଠାଇଛି  !”

ଜଣେ ମାତାଲି ସହରର ବତୀ ନିକଟରେ ଆସି ପହଞ୍ଚିଯାଏ । “ଆରେ ,ଏଇ ମାଈକିନା ର ରେଟ୍ କେତେ ରେ ? ମୋତେ ଠିକ୍ ଦର କହିବୁ । ଆଜି ରାତିରେ ସେ ତ ଆଉ ଗୋଟେ ଗରାଖ କେଉଁଠୁ ପାଇବ ନାହିଁ ।”

ତରୁଣୀଟି ଅଂଧାରରେ ଅଧିକ ସଂକୁଚିତ ହୋଇଯାଇ ସେଇ ପିଲାକୁ ଜୋର୍ ରେ ଜାବୁଡି ଧରିଲା।” ଆଲ୍ଲା ମେହେରବାନ୍,ସାହେବ। ଦୟା କରନ୍ତୁ ,ଆମର ଆଉ କେଉଁଠିକୁ ଯିବାର ବାଟ ନାହିଁ ।”

ମୋହନ ଗୁରୁଜୀଙ୍କ ର ତାହାପରେ ଏମିତି ଉତ୍ତର ତାଙ୍କର ନିଜର କାନକୁ  ବି ଆଶ୍ଚର୍ଯ୍ୟ ଶୁଭିଲା,” ମୁଁ ଜଣେ ସଂଗୀତ ଶିକ୍ଷକ।ମୁଁ ତୋ ଭାଇକୁ ମୋର ଶିଷ୍ୟ ଆକାରରେ ଗ୍ରହଣ କରି ନେଉଛି। ତୁ ଏବେ ମସଜିଦ୍ ର ସୁରକ୍ଷାକୁ ଫେରି ଯା ।”

ତରୁଣୀ ମହିଳା ଜଣକ ତାଙ୍କୁ ପଛ କରି ଅନ୍ଧାରରେ ଅନ୍ଧଗଳିରେ ହଜିଗଲା। ମୋହନ ଗୁରୁଜୀ କୃତଜ୍ଞ ଯେ ସେ ଯାହାହେଉ ଏଇ ଅଂଧାରରେ ତାଙ୍କର ମୁହଁର ଭାବଭଙ୍ଗୀକୁ ଦେଖିପାରିନାହିଁ, ନହେଲେ ସେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାର ପଛରେ ଥିବା ଭୟଟିକୁ ସେ ନିଶ୍ଚିତ ଭାବରେ ଦେଖିପାରିଥାଆନ୍ତା।

ସାମିଆନାର ମୁହଁରେ ଥାଇ ସେ କହିଲେ,” ମୁଁ ଆସନ୍ତା କାଲି ସଂଜରେ ଆସିବି ଆଉ ତାହାକୁ ସାଥିରେ ନେଇଯିବି ।”

ନିଜର କୃତଜ୍ଞତାକୁ ଲୁଚାଇବାକୁ ଯାଇ ସେଇ ତରୁଣୀ ମହିଳାଜଣକ ତାହାର ମୁହଁକୁ ବୁଲାଇ ନିଏ ଆଉ ଆସ୍ତେ କହେ,” ଦୟାକରନ୍ତୁ ସାହେବ,ମୋର ଗୋଟିଏ ଶେଷ ଅନୁରୋଧ। ଟିକିଏ ଦେଖିବେ ମୋ ଭାଇ ଯେମିତି ଇସଲାମ୍ ର ନିୟମମାନ ଠିକଠାକ୍ ପାଳନ କରେ ।”

ପରଦିନ ସକାଳେ ମୋହନ ଗୁରୁଜୀ ରାସ୍ତା କଡର ପାନଦୋକାନୀ ସହ ଏ ବିଷୟରେ ପରାମର୍ଶ କରିବା ପାଇଁ ଯାଇଥିଲେ ।

“ଇଏ କ’ଣ କରୁଛ ଗୁରୁଜୀ ? ତମର ସ୍ତ୍ରୀ ଆଉ ପିଲାମାନେ ଏଇ ପିଲା ସହ କେମିତି ବ୍ୟବହାର କରିବେ ଭାବିପାରୁଛ ?”

“ଗୋଟିଏ ନିରାଶ୍ରୟର ସେମାନେ  କ୍ଷତି  କରିବେ ନାହିଁ !”

” ତମର ପତ୍ନୀ ଗୋଟିଏ ପିଲାକୁ ରଖିବା ପାଇଁ କେବେ ବି ଅନୁମତି ଦେବେନାହିଁ । ଭଉଣୀ ଆଗରେ କୌଣସି ବାହାନା କର । ଯେମିତି ହେଉ ପଛକେ ଏଇ ଚକ୍କରରୁ ବାହାରି ଆସ।”

ସେମାନେ ଏମିତି କଥା କଟାକଟି ହେଉଥିବା ବେଳେ ମହମ୍ମଦ ସାହେବ ସେମାନଙ୍କ ସହ ଯୋଗ ଦିଅନ୍ତି ।

“ମୁଁ ନିଜକୁ ମାଫ୍ କରିପାରିବି ନାହିଁ ” ମୋହନ ଗୁରୁଜୀ ଯୁକ୍ତି କରନ୍ତି । “ଝିଅଟା କାନ୍ଦୁଥିଲା। ଯଦି ସେ ତାହାର ସେଇ କାମଟାକୁ ହରାଇବସିବ ତାହାହେଲେ ସେ ନିଜକୁ ଆଉ ଏଇ ଦୃଷ୍ଟିହୀନ ଭାଇକୁ ଖୁଆଇବ କ’ଣ ? ଗୋଟିଏ ଏକେଲା ତରୁଣୀ ପାଇ ଏଇ ସହର ଏବେ ନୁହଁ ।”

ମହମ୍ମଦ ସାହେବ ତାଙ୍କର ନିଶକୁ ଟିକିଏ ଆଉଁଷି ନେଲେ । “ତମେ ଗୋଟିଏ ଉତ୍ତମ କାର୍ଯ୍ୟ କରିଛ ବନ୍ଧୁବର । ତମ ସ୍ତ୍ରୀ ତମର କାମରେ ଯେମିତି ହସ୍ତକ୍ଷେପ ନକରେ ସେଥିପାଇଁ ସତର୍କ କର । ପରିବାର ତମେ ହେଉଛ ଏକମାତ୍ର ଲୋକ ଯିଏ ସମସ୍ତଙ୍କୁ ଖାଇବା ପିନ୍ଧିବା ଯୋଗାଇ ଦେଉଛି,ମଥା ଉପରେ ଛାତ ଦେଇଛି । ସେଇ ଛାତ ତଳେ କିଏ ଭାଗଭାଗ କରି ରହିବ ସେ ବ୍ୟାପାରରେ ତମର ନିଷ୍ପତ୍ତି ଚୂଡାନ୍ତ ଏବଂ ଅପ୍ରତିରୋଧ୍ୟ।” ସେ ମୋହନ ଗୁରୁଜୀଙ୍କ ପିଠିକୁ ସାବାସ୍ ଦେବା ଭଳି ଥାପୁଡାଇ ଦେଇ ଟ୍ରାମ୍ ଧରିବାପାଇଁ ଆଗେଇ ଯାଇଥିଲେ।

ପାନବାଲା ମଥା ହଲାଇଲା।”ଏଇ ଲୋକଟାର ମୟୁରପୁଚ୍ଛ। ବେଳ ଦେଖିକି ଫୁଲି ଉଠିବ। ଉପଦେଶ ଦେବା ଭାରି ସହଜ କାରଣ ଏଥିପାଇଁ କିଛି ପଇସା ଦେବାକୁ ପଡୁନି । ସେଇ ପିଲାକୁ ଆଣିବାକୁ ଯାଅନି ଗୁରୁଜୀ । ମୋ କଥା ମାନ ।”

ମାତ୍ର ମୋହନ ଗୁରୁଜୀ ସେଇ ତରୁଣୀ ମହିଳାର ବିଶ୍ୱାସରେ ଆଘାତ କରିନାହାଁନ୍ତି ,ଯେତେବେଳେ ସେ ସାମିଆନା ତଳେ ପହଞ୍ଚିଥିଲେ ସେତେବେଳକୁ ସେଇ ପିଲାଟି ତାହାର ଭଉଣୀର ଗୋଡକୁ ଜାବୁଡି ଧରି କାନ୍ଦୁଥାଏ । ମୋହନ ଗୁରୁଜୀ ସେଇ କାନ୍ଦୁରା ପିଲାକୁ ନିଜର ବାହୁରେ ଉଠାଇ ଆଣିଥିଲେ,ଭଉଣୀଟି ସେତେବେଳେ ତାହାର ଏଇ ଅସହାୟ ଭାଇଟିକୁ ପ୍ରବୋଧନା ଦେଉଥାଏ । “ମୁଁ ନିୟମିତ ଚିଠି ଲେଖିବି । ଗୁରୁଜୀଙ୍କ ପାଖରେ ମନଦେଇ ଭଲ କରି ପାଠ ପଢୁଥିବୁ।ମୁଁ ତତେ ନେବାକୁ ଆସିବି । ଆମେ ତାହାପରେ ଭାରି ମଜ୍ଜା କରିବା ।”

ପିଲାଟି ମୋହନ ଗୁରୁଜୀଙ୍କ ଘରେ ପହଞ୍ଚିଲା ବେଳକୁ ଶୋଇପଡିଥାଏ। ମୋହନ ଗୁରୁଜୀ ପାଦ ଚିପି ଚିପି ପଥରର ସିଡି ଦେଇ ଟେରାସ୍ ରେ ପହଞ୍ଚିଯାଆନ୍ତି ଆଉ ସେଇଠି କନ୍ଥା ଉପରେ ଶୁଆଇ ଦିଅନ୍ତି ଇମ୍ରାଟ୍ କୁ। ନିଦରେ ତାଙ୍କର ଛିଣ୍ଡା ଶାଲ୍ ଖଣ୍ଡିକ ଆଡକୁ ସେ ଆଉଜି ଆସିବାର ଦେଖି ମୋହନ ଗୁରୁଜୀ ଭାରି ଖୁସି ହୋଇଯାଆନ୍ତି। ଇମ୍ରାଟ ଶୋଇଛି ନିଶ୍ଚିନ୍ତରେ।

ଠିକ୍ ଅଛି,ତାଙ୍କର ପତ୍ନୀ ସକାଳ ରେ ଯେତେବେଳେ ଦେଖନ୍ତି ଯେ ମୋହନ ଗୁରୁଜୀ ଗଲା ରାତିରେ  କରିଛନ୍ତି କ’ଣ ଆଉ ତାହାକୁ ନେଇ ତାଙ୍କର ଚିତ୍କାରକୁ ଆପଣମାନେ ବେଶ୍ କଳ୍ପନା କରିପାରିବେ। ଦିନ ଯେତିକି ବିତିବାକୁ ଲାଗେ ତାଙ୍କର କ୍ରୋଧ ସେଇ ପରିମାଣରେ କମ୍ ହେଉ ନଥିଲା । ଅସଲରେ ଏହା ଦିନକୁ ଦିନ ଆହୁରି କୁତ୍ସିତ ହେବାକୁ ଲାଗିଲା। ପ୍ରତି ଦିନ ମୋହନ ଗୁରୁଜୀ ତାଙ୍କର ସଂଗୀତ ଟିଉସନ୍ ସାରି ସହରରୁ ଫେରିବା ବେଳେ ଘରେ କବାଟ ପାଖରେ ଛିଡା ହୋଇଥାନ୍ତି ତାଙ୍କର ପତ୍ନୀ ସାଥିରେ ଥାଏ ତାଙ୍କର ଏଇ ଦୃଷ୍ଟିହୀନ ବାଳକର ଔଦ୍ଧତ୍ୱ,ତାହାର ଅବାଗିଆ କାମ ଆଉ ତାହାର ଲୋଭ ର ମାଳେ ନୂଆ ଅଭିଯୋଗ । ତାଙ୍କର ସେଇ ଅଭିଯୋଗ ରୋଷେଇ ଘର ଯାଏଁ  ବି ଜାରି ରହିଥାଏ ଯେତେବେଳେ କି ମୋହନ ଗୁରୁଜୀ ତାଙ୍କର ନିଜପାଇଁ ଆଉ ଇମ୍ରାଟ୍ ପାଇଁ ରାତିର ଖାଇବାକୁ ଚୁପଚାପ ରୋଷେଇ କରୁଥାନ୍ତି। ତାଙ୍କର ପତ୍ନୀ କବାଟ ମୁହଁରୁ ପଥର ସିଡି ଦେଇ ତାଙ୍କ ପଛେପଛେ ରୋଷେଇଘର ଯାଏଁ ଆସି ଏଭଳି ଚିତ୍କାର କରି କହୁଥାନ୍ତି ଯେମିତି ଆଖପାଖରେ ସଭିଏଁ ତାହା ଶୁଣିପାରିବେ।

ଯେତେବେଳେ ମୋହନ ଗୁରୁଜୀ ତାଙ୍କ ପତ୍ନୀଙ୍କ କଥା ଅନୁସାରେ ଇମ୍ରାଟ୍ କୁ ଘରୁ ରାସ୍ତାକୁ ବାହାର କରିଦେବାପାଇଁ  ସ୍ପଷ୍ଟ ମନା କରିଦେଲେ,ଡଲି ଆଉ ବାବଲୁ ସଦର୍ପରେ ସେମାନଙ୍କ ମାଆର ପକ୍ଷରେ ଆସି ଛିଡା ହେଲେ,ସେମାନଙ୍କର ଅଭିଯୋଗ ଯେ ,ସେମାନଙ୍କୁ ଯଥେଷ୍ଟ ଖାଇବା ମିଳୁନାହିଁ ,ସେଥିରେ ପୁଣି ଆଉ ଅଧିକା ଗୋଟିଏ ପେଟ । ସଞ୍ଜ ହେଲେ ଟେରାସ୍ ର ବାହାରେ ସେମାନେ ଗ୍ରାମଫୋନ୍ କୁ ଏତେ ଜୋର୍ ରେ ବଜାଉଥାନ୍ତି ଯାହାଫଳରେ ସଂଗୀତ ଶିକ୍ଷା ବେଳେ ମୋହନ ଗୁରୁଜୀଙ୍କ ତାନପୁରାର ସୂକ୍ଷ୍ମ ଲୟକୁ ଧରିବା ପାଇଁ ଇମ୍ରାଟକୁ ଭାରି ଅସୁବିଧା ହେଉଥାଏ। ସେମାନେ ଇମ୍ରାଟ୍ କୁ ଟିହାଉଥାନ୍ତି,ତାହାର ଭଉଣୀର ଚିଠିକୁ ଲୁଚାଇଦେଉଥାନ୍ତି ,ମୋହନ ଗୁରୁଜୀ ଘରକୁ ଫେରିବା ପରେ ହିଁ  ସେଇ ସବୁ ଚିଠିକୁ ତାହାକୁ ପଢି ଶୁଣାଇଥାନ୍ତି ।

ବେଳେ ବେଳେ ମୋହନ ଗୁରୁଜୀ ନିଜ ପରିବାରର ଇମ୍ରାଟ ପ୍ରତି ନିଷ୍ଠୁରତା ସାମ୍ନାରେ ଏକ ପ୍ରକାରର ନିର୍ଦ୍ଦିଷ୍ଟ ଶକ୍ତି ଅନୁଭବ କରିଥାନ୍ତି । ଇମ୍ରାଟ ନିକଟକୁ ଆସୁଥିବା ଚିଠି ଗୁଡିକ ଯେମିତି ଆଗ ତାଙ୍କର ପରିଚିତ ସେଇ ପ୍ରିୟ ପାନବାଲା ପାଖରେ ଯେମିତି ଆଗ ପହଞ୍ଚିବ ତାହାର ବ୍ୟବସ୍ଥାରେ କରିଦେଲେ। ବେଳେ ବେଳେ ଯେତେବେଳେ ଘରେ ପହଞ୍ଚି ସେ ଦେଖନ୍ତି ଯେ ଘରେ ତାଙ୍କର ପତ୍ନୀକି ପିଲାଏ ବାହାରକୁ କୁଆଡେ ଯାଇଛନ୍ତି ସେତେବେଳେ  କାନ୍ଥ ପଟକୁ ମନ ଦୁଃଖରେ ବସିଥିବା ଇମ୍ରାଟକୁ  ପୁଣି ତାହାର ଶୈଶବକୁ ସେ ଫେରାଇ ନେଇଥାନ୍ତି। ତା’ ପାଇଁ ଭଲ କିଛି ରାନ୍ଧିଥାନ୍ତି,ବଳେଇ ବଳେଇ ପେଟ ପୂରିବା ଯାଏଁ ଖୁଆଇଥାନ୍ତି । ତାହାପରେ ସେ ତାହାକୁ ସାଥିରେ ଧରି ଛାତ ଉପର ଟେରାସ୍ କୁ ଯାଆନ୍ତି । ତାନପୂରାରେ ନିଜର ଆଙ୍ଗୁଳି ଚାଳନା କରନ୍ତି ଯେମିତି ଇମ୍ରାଟ୍ ପାଇଁ ଉଚିତ ଥିବା “ନୋଟ” ମିଳିଯିବ । ଆଉ ତାହାପରେ ଯାଇ ସେ ଇମ୍ରାଟ୍ କୁ କହିଥାନ୍ତି ,ଏଥର ତୁ ଗାନ ଆରମ୍ଭ କର ।

ସେଇ ସ୍ପଷ୍ଟ ସ୍ୱର ମନ୍ଦ୍ରକ ରାତିକୁ ଭେଦ କରୁଥାଏ ,ମୋହନ ଗୁରୁଜୀ ଅନୁଭବ କରନ୍ତି ପୃଥିବୀର ସ୍ୱତନ୍ତ୍ର କିଛି ର ସେ ଏଇଲେ ଅଭିବାବକ,ଯେପରି କି ତାଙ୍କର ନିଜ ଜୀବନ  ଏଇ ଭଳି ଗୋଟିଏ ସ୍ୱରର ଲାଳନପାଳନ କରି ତାହାକୁ ପୃଥିବୀକୁ ସମର୍ପଣ କରିବା ପାଇଁ କେବଳ ଏ ଯାଏଁ ପରିମାର୍ଜିତ ହୋଇ ଆସିଛି ।

ଦିନେ ମୋହନ ଗୁରୁଜୀ ସଂଗୀତ ଟିଉସନ୍ ସାରି ଫେରିବା ବେଳକୁ ଦେଖନ୍ତି ତାଙ୍କର ଝିଅ ଇମ୍ରାଟ୍ ର ହାତକୁ ଧରି ରଖିଛି ଆଉ ତାଙ୍କର ପୁଅ ହାତରେ ଗୋଟାଏ ଚିମୁଟା ଧରି ଇମ୍ରାଟ୍ ର ପାଟିରେ ଭର୍ତ୍ତି କରିବା ପାଇଁ ଯାଉଛି । ପିଲାଟିର ଦୃଷ୍ଟିବିହୀନ ଆଖି ଦୁଇଟି ଠିଆ ମେଲା ,ଗାଲ ଦେଇ ଲୁହ ଧାର ଧାର ପଡୁଛି ତଳକୁ । ମୋହନ ଗୁରୁଜୀ ନିଜ ଜୀବନରେ ପ୍ରଥମ ଥର ଚିତ୍କାର କରି ନିଜର ପିଲାମାନଙ୍କୁ କହିଲେ,” ତାହାର ବୟସ ମାତ୍ର ନଅ। ତମମାନଙ୍କ ଠାରୁ ସାତ ସାନ ଏମିତି କାହା ଉପରେ ତମେ ଏତେ ନିଷ୍ଠୁର ହୋଇ ପାରୁଛ କେମିତି ! ଯେ ପର୍ଯ୍ୟନ୍ତ ତମେମାନେ ସଭ୍ୟ ହୋଇ ନାହଁ ସେ ପର୍ଯ୍ୟନ୍ତ ଏଇଠୁ  ଏଇ ଘରୁ ବାହାରି ଯାଅ  “

ଏଇ ଶବ୍ଦ ସହିତ ମୋହନ ଗୁରୁଜୀଙ୍କ ଘରେ ଯୁଦ୍ଧର ଘୋଷଣା ହୋଇଯାଏ। ତାଙ୍କର ପତ୍ନୀ ନିଜର ପିଲାଙ୍କୁ ଅବହେଳା କରି ତାହା ବଦଳରେ ଗୋଟିଏ ଦୃଷ୍ଟିହୀନ ଭିକାରୀ ପିଲାକୁ ପାଳୁଛନ୍ତି ସେଇ କଥାକୁ ଚିତ୍କାର କରି କହୁଥାନ୍ତି ଆଉ ଏପରି ସବୁ ଧମକ ଦେଉଥାନ୍ତି ଯାହା ଫଳରେ କି ଇମ୍ରାଟ୍ କୁ ନେଇ ମୋହନ ଗୁରୁଜୀଙ୍କ ଭିତରେ ଡର ପଶିଯାଏ । ତାଙ୍କୁ ଲାଗେ ଏହା ଫଳରେ ଇମ୍ରାଟ୍ ଯେମିତି ଏଇଠୁ ଆଉ କୁଆଡେ ପଳାଇ ଯିବ।

ମହମ୍ମଦ ସାହେବ ତାଙ୍କ ନିଜ ଘରେ ଇମ୍ରାଟ୍ କୁ ରଖିବା ପାଇଁ ମୋହନ ଗୁରୁଜୀ ଯେତେ ଅନୁରୋଧ କଲେ ବି ସେ ସେଥିରେ ରାଜି ହେଲେ ନାହିଁ। ସେ ଏତେ ଏତେ ବାହାନା କରୁଥିଲେ ଯେ ମୋହନ ଗୁରୁଜୀ ଅନୁଭବ କରିପାରିଲେ ତାଙ୍କର ଏଇ ବନ୍ଧୁଙ୍କ ନିଜର ପତ୍ନୀଙ୍କ ଅସନ୍ତୋଷକୁ ସାମ୍ନା କରିବାପାଇଁ ଆଦୌ ପ୍ରସ୍ତୁତ ନୁହଁନ୍ତି ।

” ଗୁରୁଜୀ,ମୁଁ ଆପଣଙ୍କୁ ଆଗରୁ ସତର୍କ କରିଦେଇଥିଲି,” ମହମ୍ମଦ ସାହେବ ଙ୍କ ଅଭିମତ  କଥା ଶୁଣିବାପରେ ଟିକିଏ ସନ୍ତୋଷର ସହ ମୋହନ ଗୁରୁଜୀଙ୍କୁ କହିଥିଲା ପାନବାଲା ।” ସେଇ ଲୋକ ମାଗଣା ଊପଦେଶ ଦେବାପାଇଁ ସବୁବେଳେ ଚଇନି ଫିଟ୍। ବର୍ତ୍ତମାନ କେବଳ ଗୋଟିଏ କଥା କରିହେବ। ସକାଳୁ ପାର୍କକୁ ଯାଅ । ସେଇଠି ତମକୁ କେବଳ ଛେଳି ଆଉ ଛେଳି ଚରାଳୀମାନେ ବିରକ୍ତ କରିପାରନ୍ତି । ଲଢି ଚାଲ ଗୁରୁଜୀ। ଜମା ଛାଡ ନାହିଁ । ରିଆଜ୍ କରିବା ପାଇଁ ଏତେ ବଡ ପୃଥିବୀ ପଡିଛି ,ଘରର ପାଟିତୁଣ୍ଡ ଠୁ ମୁକ୍ତି ପାଇବା ପାଇଁ ଜାଗାର ଅଭାବ ହେବନାହିଁ ।”

ତେଣୁ ଏଇ ସଂଗୀତ ଶିକ୍ଷକ ନିଜର ଶିଷ୍ୟ କୁ ଭୋର୍ ହେବା ଆଗରୁ ନିଦରୁ ଉଠାଇଲେ  ଆଉ ସକାଳର ପ୍ରଥମ ଟ୍ରାମ୍ ରେ ତାହାକୁ ସାଥିରେ ଧରି କଲିକତା ସହରର ସବୁଠୁ ବଡ ପାର୍କ ନିକଟରେ ଯାଇ ପହଞ୍ଚିଗଲେ । 

ମୋହନ ଗୁରୁଜୀ ଇମ୍ରାଟର ହାତକୁ ଧରି ପାର୍କରେ ପହଞ୍ଚିଲା ବେଳକୁ ଛିଣ୍ଡା କନ୍ଥାରେ ଘୋଡିଘାଡି ହୋଇ ଗୋଟିଏ ବଡ ବରଗଛ ତଳେ ଗୃହହୀନ ନାରୀ ପୁରୁଷ ଦଳ ଦଳ ହୋଇ ଶୋଇ ରହିଥିଲେ। ନିଅନ ଆଲୁଅ ଉଜ୍ଜଳି ଉଠୁଥାଏ । ଛେଳିଚରାଳୀମାନେ ଗପସପ ରେ ମାତିଥାନ୍ତି। ଆଉ ଟିକିଏ ଆଲୁଅ ହେଲେ ସେମାନଙ୍କର ଛେଳିମାନଙ୍କର ଦୁଗ୍ଧ ଦୁହିଁବା କାମ ଆରମ୍ଭ ହେବ।ଛେଳିମାନେ ଚରୁଥାନ୍ତି । ଅଦୂରରେ ଖମ୍ବ ଭିତରେ ମାର୍ବଲ ର ପ୍ରସିଦ୍ଧ ସୌଧ ଭିକ୍ଟୋରିଆ ମେମୋରିଆଲ୍ ।

ଏଇ ସଂଗୀତ ଶିକ୍ଷକ ଭୂଇଁ ଉପରେ ନିଜର ଚଟାଇ କୁ ଆଉ ତାନପୂରାକୁ ତାହା ଉପରେ ରଖି ଭିକ୍ଟୋରିଆ ମେମୋରିଆଲ୍  ର ଖମ୍ବ ଉପର ଦେଇ ଆରପଟକୁ ନିଜେ ଆଉ ଇମ୍ରାଟ୍ କୁ ଡେଇଁ ପଡିଲେ।  ଗାର୍ଡ ତାହାର ସେଣ୍ଟ୍ରିବକ୍ସରେ ନିଦରେ ଶୋଇପଡିଥିଲା ,ଏହାର ଟେର୍ ପାଇ ନଥିଲା।

ତାହାପରେ ମୋହନ ଗୁରୁଜୀ ଚଟାଇଟିକୁ ବିଛାଇ ଦେଲେ ,ଚାରିଆଡୁ ସତେଜ ପବନ ଆସୁଥାଏ ,ତାଙ୍କ ପାଖରେ ଲାଗି ବସିଥାଏ ଇମ୍ରାଟ୍।

ତାହାପରେ ସେ ସକାଳର ପ୍ରଥମ ରାଗଟି ତାନପୂରାରେ ବଜାଇବାକୁ ଆରମ୍ଭ କଲେ। ଆଉ ତାଙ୍କ ପାଇଁ ବଡ ଆନନ୍ଦର କଥାରେ ନିର୍ଭୁଲ୍ ଭାବରେ ଇମ୍ରାଟ୍ ଏହାକୁ ଧରିପାରିଥିଲା।

ମୋହନ ଗୁରୁଜୀ ଏଇ ରାଗର ମହତ୍ତ୍ୱ ବିଷୟରେ ତାହାକୁ ବୁଝାଇବାକୁ ଲାଗିଲେ,ପୃଥିବୀରେ ଦ୍ୱିତୀୟ ଜନ୍ମର ଏଇ ରହସ୍ୟ ଭିତରେ ଇମ୍ରାଟକୁ ଦୀକ୍ଷିତ କରିବାରେ ଲାଗିଲେ ,ଏହା ହେଉଛି ସେଇ କଥା, ସେଇ ସମୟ  ଯେତେବେଳେ ଆଲୋକ ଅଂଧକାରକୁ ପରାଭୂତ କରୁଛି ଆଉ ବିଷ୍ଣୁ ସଦ୍ୟ ନିଜର ଯୋଗନିଦ୍ରାରୁ ଜାଗ୍ରତ ,ପୃଥିବୀକୁ ନେଇ ପୁନର୍ବାର ସ୍ୱପ୍ନ ନିର୍ମାଣର ସମୟ ।

ସେଇ ସ୍କେଲ୍ ରେ ଇମ୍ରାଟ୍ ଗାଇବାକୁ ଲାଗିଲା,ହେଲେ ତାହାର ଗଳାରେ ଏଇଲେ ଥିଲା ଗୋଟିଏ ନୂତନ ଅନୁରଣନ।  ଦୂରରେ ଥିବା ରେସକୋର୍ସ ର ବାଡକୁ ସେ ଟିକିଏ ହେଲେ ଦେଖିପାରୁନାହିଁ କି ବିନା ଅନୁମତିରେ ପସରା ମେଲାଇଥିବା ଅସ୍ଥାୟୀ ଦୋକାନୀମାନଙ୍କର ଚୁଲ୍ଲିରୁ ଉଠୁଥିବା ଧୂଆଁ କୁ ଦେଖିପାରୁନାହିଁ । ସେ ଦେଖିପାରୁନାହିଁ ସେଇ ଗାର୍ଡକୁ ଯିଏ ଏବେ ତାହାର ସେଣ୍ଟ୍ରିବକ୍ସ ଭିତରୁ ଜୁଳୁଜୁଳୁ କରି ଚାହୁଁଛି ,ତାହାର ହାତ ତାହାକୁ ସେଇଠୁ ପଳାଇଯିବା ପାଇଁ କହିବାକୁ ଅଧା ଉଠିଛି,ମାତ୍ର ଏଇ ସମସ୍ତ ଦୃଶ୍ୟ ଯେମିତି ଏଇ ପିଲାର ସ୍ୱର ଲହରୀରେ ସ୍ତବ୍ଧ,ଫ୍ରିଜ୍ ହୋଇ ଯାଇଛି । ସେ କେବଳ ଦେଖିପାରୁଛି ତାହାର ସେଇ ସକାଳର ରାଗର ପ୍ରଚଣ୍ଡ ଶକ୍ତି ଆଉ ସ୍ୱପ୍ନ ଆକାରରେ ଦେଖୁଛି ସେଇ ଆଲୋକ ଯାହା ତାହାର ଏଇ ସ୍ୱରକୁ ଲହରୀ ଭଳି ଭସାଇ ନେଉଛି କେଉଁ ସୁଦୂରକୁ,ବିଶ୍ୱାସ ହେଉଛି ସମସ୍ତ ଦୃଶ୍ୟ ଯେମିତି ଏଇ ତାହାର ନିକଟବର୍ତ୍ତୀ।

କାଳେ ଏଇ ରାଗ ତାହାର ଗଳାକୁ ପ୍ରଭାବିତ କରିବ ସେଇଥିପାଇଁ  ମୋହନ ଗୁରୁଜୀ ତାହାକୁ ଗୋଟିଏ ଭକ୍ତି ସଂଗୀତ ଗାନ କରିବାକୁ କହିଲେ । ପିଲାଟି ତାହାପରେ ସୂର୍ଯ୍ୟକିରଣର ପ୍ରଥମ ଉଷୁମ୍ ର ଛୁଆଁକୁ ମଥାରେ ଧରି ଗାଇଲା :

“ତମର ଉପସ୍ଥିତି ର ତାପ

ମୋର ଆଖିରୁ ଦୃଶ୍ୟ ହରି ନିଏ 

ଚେଙ୍କି ଦିଏ ତନ୍ତୁ ସକଳକୁ ମୋର

ହାଡ ମାଂସ ମୋ ହୁଏ କଂପମାନ

ମୋତେ ଘୃଣା କରି ହେ ଦୟାମୟ

ଅପସରି ଯାଅ ନାହିଁ 

ତମେ କ’ଣ ଦେଖିପାରୁନାହଁ 

କେବଳ ପ୍ରେମ ମୋତେ କଦାକାର କରେ।”

ମୋହନ ଗୁରୁଜୀ ତାହାର ମଥାକୁ ଆଉଁଷି ଦେଲେ।”ଏଇଟି ଗୋଟିଏ ସୁନ୍ଦର ବନ୍ଦନା। ତୁ ଏଇଟି ଶିଖିଲୁ କେମିତି ?”

ଧୂଆଁଳିଆ ଆଖିରେ ତା’ର ଲୁହ।”ଏଇଟି ଅମୀର ରୁମୀଙ୍କ ପଦ୍ୟ।ମୋ ଆବ୍ବା କହୁଥିଲେ ଦିନେ ସେ ଆଉ ମୁଁ ଆମେ ଦିଜଣ ଯାଇ ଅମୀର ରୁମୀଙ୍କ ସମାଧୀପୀଠରେ ଏହାକୁ ଗାଇବା ।”

ମୋହନ ଗୁରୁଜୀ ତାହାକୁ ନିଜର କୋଳକୁ ଆଉଜାଇ ନେଲେ ।” ତୁ ତଥାପି ଏହାକୁ ଅମୀର ରୁମୀଙ୍କ ସମାଧୀ ଆଗରେ ଗାଇ ପାରିବୁ ,ମୁଁ କଥା ଦେଉଛି । ଆଉ ତୋହର ଆବ୍ବା ନିଶ୍ଚୟ ଆକାଶରେ ଥାଇ ତୋହର ଗଳାକୁ ଶୁଣୁଥିବେ। ଆ,ଆଉ ଥରେ ଏହାକୁ ଗାଆ,ମୁଁ ଏହାକୁ ଏଥର ଭଲକରି ଥରେ ଶୁଣେ ।”

ପିଲାଟି ତାହାର ନାକକୁ ପରିଷ୍କାର କରି ଆଉଥରେ ତାହାର ଗଳାର ଯାଦୁରେ ନିଜର ଏଇ ଶିକ୍ଷକକୁ ବିସ୍ମିତ କରିଦେଲା ।

“ମୋତେ ଘୃଣା କରି ହେ ଦୟାମୟ

ଅପସରି ଯାଅ ନାହିଁ 

ତମେ କ’ଣ ଦେଖି ପାରୁନାହଁ

କେବଳ ପ୍ରେମ ମୋତେ କଦାକାର କରେ।”

ଏତିକି ବେଳେ ହଠାତ୍ ଗୋଟିଏ ବିଶ୍ୱାସ ମୋହନ ଗୁରୁଜୀଙ୍କ ମଥାରେ ପଶି ଯାଏ । ସେ ହଠାତ୍ ମନେ କରନ୍ତି ଈଶ୍ୱର ଯେମିତି ତାଙ୍କୁ ଏକ ଦ୍ୱିତୀୟ ସ୍ୱର ପ୍ରଦାନ କରିଛନ୍ତି, ସେ ଯେତେ ଯାହା ଗଳା ଶୁଣି ଆସିଛନ୍ତି ଏଯାଏଁ ତାହାଠୁ ଅଧିକ ପ୍ରଭାବୀ,ସେ ନିଜେ ଯେମିତି ଗଳାର ଅଧିକାରୀ ହେବାକୁ କାମନା କରୁଥିଲେ ତାହାଠାରୁ ଯଥେଷ୍ଟ ଉଚ୍ଚମାନର ହେଉଛି ଏ ସ୍ୱର। ଏମିତି ଗଳା

 କେବଳ ଈଶ୍ୱରଙ୍କର ବନ୍ଦନା ରେ ନିୟୋଜିତ ହେବା ଉଚିତ୍,ନହେଲେ ଭାଗ୍ୟ ତାହାର ଦ୍ୱିତୀୟ ପ୍ରତିଶୋଧ ନେବା ପାଇଁ ଏଇ ଗଳାକୁ ତାଙ୍କଠାରୁ ହୁଏତ ଛଡାଇ ନେଇପାରେ । 

ଜଣେ ଶିକ୍ଷକ ହିସାବରେ ନିଜର ଅଭିପ୍ରାୟକୁ ନେଇ ନିଶ୍ଚିତ ହେବାପରେ ଶେଷରେ ମୋହନ ଗୁରୁଜୀ ଇମ୍ରାଟ୍ କୁ ପଚାରିଲେ,” ତୋ ଆବ୍ବୁ ତୋତେ କ’ଣ କେବେ କବୀର ଙ୍କ ଭଜନ ଶିଖାଇଛନ୍ତି ? ତୁ କ’ଣ ଏଇ ଦୋହାଟି ଜାଣିଚୁ ?”

ସେ ତାଙ୍କର ତାନପୁରାରେ କିଛି ନୋଟ୍ କୁ ବଜାଇବାକୁ ଲାଗିଲେ ଆଉ ଇମ୍ରାଟ୍ ଏଥିରେ ଅତ୍ୟନ୍ତ ଉତ୍ସାହର ସହ ଯୋଗ ଦେବାକୁ ଲାଗିଲା,ନିଜର ଗଳାକୁ ପୂରା ଉନ୍ମୁକ୍ତ କରି ସେ ସେଥିରେ ଫୁଟାଇବାକୁ ଲାଗିଲା ଜଣେ ମରମିର ସମସ୍ତ ରହସ୍ୟ-ସୌନ୍ଦର୍ଯ୍ୟ।

” ହେ ଦାସ,ତମେ ମୋତେ ଖୋଜୁଛ କେଉଁଠି ?

ତମକୁ ମୁ ପ୍ରାପକ ହେବିନି ମନ୍ଦିର କି ମସଜିଦ୍ ରେ

କାବାରେ କି କୈଳାଶରେ,

ଯୋଗରେ କି ତ୍ୟାଗରେ ।

” କବୀର କହେ,ଶୁଣ ଭାଇ ସାଧୁ

ଈଶ୍ୱରଙ୍କୁ ଖୋଜିବାକୁ ହେଲେ 

ସମସ୍ତ ନିଃଶ୍ୱାସର ଶ୍ୱାସର ଭିତରକୁ ଯାଅ ।”

ଆଉ ତାହାପରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଗଲା। କାନ୍ଥ ଉପର ଦେଇ ବାହାରୁ କିଏ ଜଣେ ଗୋଟିଏ ମୁଦ୍ରା ଫୋପାଡିଥିଲା ଯାହା  ମୋହନ ଗୁରୁଜୀଙ୍କ ଠାରୁ ଅଳ୍ପ ଦୂରରେ ଆସି ପଡିଲା। ସଂଗୀତ ଶିକ୍ଷକ ଜଣକ ଉଠି ଛିଡା ହେଲେ । ପାଚେରୀ ଆରପଟେ ସକାଳର ପହିଲି କିରଣରେ ଦେଖିପାରିଲେ କେତେଜଣ ଛେଳି ଚରାଳୀ ଏପଟକୁ ଶୁଣିବା ପାଇଁ ପାଚେରୀକୁ ଆଉଜି ଛିଡା ହୋଇଛନ୍ତି ।

ପରବର୍ତ୍ତି ସକାଳରେ ସେ ଦୁହେଁ ଆସିବା ଆଗରୁ ସେମାନେ ସେଇଠି ଅପେକ୍ଷା ରେ ଛିଡାହୋଇଥାନ୍ତି।ଗୁରୁଜୀଙ୍କୁ ଦେଖିବାମାତ୍ରକେ ନମସ୍କାର କଲେ। ପାଚେରୀକୁ ଡେଇଁ ଆରପଟକୁ ଗଲା ବେଳେ ସେମାନେ ଏମାନଙ୍କୁ ସମ୍ମାନର ସହିତ ହାତ ହଲାଉଥାନ୍ତି ।  ଚାରି ଆଡେ ଖବର ବ୍ୟାପି ଯାଇଥାଏ ଯେ ଗୋଟିଏ ଦୃଷ୍ଟିହୀନ ବାଳକ ଭିକ୍ଟୋରିଆ ମେମୋରିଆଲ୍ ର ଉଦ୍ୟାନରେ ଗୀତ ଗାଉଛି ଆଉ ତାହାର ଗଳାର ସ୍ୱର କୌଣସି ସ୍ୱର୍ଗୀୟ କିନ୍ନରଠାରୁ କମ୍ ନୁହଁ । ରାତି ନପାହିଥିବା ବେଳର ଅଂଧାରରେ ଛେଳି ଚରାଳୀ,ରାସ୍ତାର ଫେରିବାଲା,ବାସ୍ତୁହରା ଆଉ ପିଲାଏ ସଭିଏଁ ସେଇଠି ତାହାକୁ ଶୁଣିବା ପାଇଁ ଭୀଡ କରିଥାନ୍ତି । ସେମାନେ ନୀରବରେ ଅପେକ୍ଷା କରିଥାନ୍ତି କେତେବେଳେ ସକାଳର ରାଗ ଗାଇବାର ଅଭ୍ୟାସ ଆରମ୍ଭ କରିବ ଇମ୍ରାଟ୍ ଆଉ କେତେବେଳେ ତାହାର ଏଇ ଗୁରୁଜୀ ଜଣକ ତାହାକୁ ଭକ୍ତି ସଂଗୀତ ଗାଇବାକୁ ଅନୁମତି ଦେବେ ଯାହା ବସ୍ତୁତଃ ସେମାନଙ୍କର ନିତିଦିନିଆ ଜୀବନର ସମସ୍ତ ବାଧାବିଘ୍ନକୁ ଆଉ ଗୋଟିଏ ଦିନ ସହିନେବାର ସାମର୍ଥ୍ୟ ପ୍ରଦାନ କରିବ।

ସକାଳ ପରେ ସକାଳ ସେମାନେ ଶୁଣିଛନ୍ତି ସେଇଠି ସଂଗୀତ ଗୁରୁଜୀ ଇମ୍ରାଟ୍ କୁ କବୀର,ମିରାବାଈ,ଖୁସ୍ରୁ ,ତୁଳସୀଦାସ ,ଚିସ୍ତି ଆଉ ଚଣ୍ଡିଦାସ ଙ୍କ ଗୀତ ସବୁକୁ ଶିଖାଇଚାଲିଛନ୍ତି  ଆଉ ଶିଖାଇଚାଲିଛନ୍ତି ସେଇ ସବୁ ମରମୀ, ଙ୍ଯାଯାବରମାନଙ୍କ ସଂଗୀତ ଯେଉଁଥିରେ ଭାରତକୁ ତାହାର ଆତ୍ମା ଦିଶିଥାଏ। ବେଳେବେଳେ ସେମାନେ ବାହାରେ ରହି ପିଲାକୁ କୌଣସି ଗୀତକୁ ଆଉଥରେ ଗାଇବାପାଇଁ ଅନୁରୋଧ କରିଛନ୍ତି ଆଉ ମୋହନ ଗୁରୁଜୀ ଦେଖିଛନ୍ତି ଯେ ସେମାନେ ଏଇ ଶୁଦ୍ଧ ଆଉ ନିରୀହ ଗଳାରେ ସେହି ସବୁ ରହସ୍ୟବାଦୀ ଗୀତର ଅନୁବାଦକୁ ବେଶ୍ ଉପଭୋଗ କରୁଛନ୍ତି ।

ନିଜର କୃତଜ୍ଞତା ର ପ୍ରକାଶ ପାଇଁ ପାଚେରୀ ଆରପଟେ ସେମାନେ ସାମାନ୍ୟ ଶ୍ରଦ୍ଧା ନିବେଦନ ବି କରୁଛନ୍ତି,ମୁଦ୍ରା ,ଫଳ, ଏପରିକି କିଛି ଲୁଚାକୋଚା ଟଙ୍କା ଆକାରରେ ଏକାଠି। ସଂଗୀତ ଶିକ୍ଷା ଶେଷ ହେଲେ ରାସ୍ତା କଡର ଗୋଟିଏ ଚା’ ଦୋକାନୀ ମୋହନ ଗୁରୁଜୀ ଆଉ ଇମ୍ରାଟ୍ ର ହାତକୁ ବଢେଇ ଦେଉଛି ଗରମାଗରମ କପେ କପେ ଚା,ବେଳେ ବେଳେ ତତଲା ତେଲର କରେଇରୁ ଗୋଟିଏ ଗୋଟିଏ ସମୋସା । 

ସପ୍ତାହକ ଭିତରେ ଇମ୍ରାଟ୍ ର ଦର୍ଶକଙ୍କ ସଂଖ୍ୟା ବେଶ୍ ବଢିବାକୁ ଲାଗିଥାଏ । ମର୍ଣ୍ଣିଙ୍ଗ୍ ୱାକ୍ କରିବା ପାଇଁ ଆସୁଥିବା ଧନୀକ ବ୍ୟକ୍ତି ମାନଙ୍କ ଭିତରୁ କେହି କେହି ତାହାକୁ ଶୁଣିବା ପାଇଁ ବି ଅପେକ୍ଷା କରିବାକୁ ଆରମ୍ଭ କରୁଥାନ୍ତି । 

“କିଏ ଈଶ୍ୱର ଖୋଜୁଛି ମକ୍କାରେ

କିଏ ଯାଏ ବାରାଣସୀ

ନିଜ ନିଜ ବାଟ ଖୋଜି  ଅଲଗା ପୂଜନ୍ତି ବସି

“କିଏ ଏବେ ଅଛି ମକ୍କା

କିଏ ଅଛି ବାରାଣସିରେ

ମୋହର ପୂଜନ କେନ୍ଦ୍ରିତ ଅଛି

ମୋ ପ୍ରିୟାର ଭ୍ରୂଲତାରେ ।”

ସପ୍ତାହ ସପ୍ତାହ ପରେ ଅଧିକରୁ ଅଧିକ ଲୋକ ଭିକ୍ଟୋରିଆ ମେମୋରିଆଲ୍ ର ସେଇ ଅଂଚଳକୁ ନିଜର ପ୍ରାତ୍ୟହିକ ଅଭ୍ୟାସ କରିନେଇଛନ୍ତି ,ମୋହନ ଗୁରୁଜୀ ଙ୍କ ସେହି ମୁହଁ ମାନଙ୍କ ଭିତରୁ କେହି କେହି ଚିହ୍ନା ହୋଇଯାଆନ୍ତି,ଆଉ ଜଣେ ତରୁଣୀ ମହିଳା ଆଡକୁ ସେ ସହାସ୍ୟ ବଦନରେ ଚାହିଁଥାନ୍ତି ଯିଏ ସବୁଦିନ ମୋଡିମାଡି ଗୋଟିଏ ଦଶଟଙ୍କାର ନୋଟ୍ ତାଙ୍କୁ ପ୍ରଦାନ କରିଥାଏ । ସେଇଟିକୁ ସେ କାନ୍ଥ ର ଉପରେ ରଖିଦେଇ ଥାଏ ।

Illustration by Ramakanta Samantaray

ଯେତେବେଳେ ସେ ଦିଜଣ ଟ୍ରାମରୁ ଓହ୍ଲାଇ ପଡନ୍ତି ପାଖର ସେଇ ପାନବାଲା ସେମାନଙ୍କୁ ବଡପାଟିରେ ଯେଉଁ ଅଭିନନ୍ଦନ ଜଣାଇଥାଏ ତାହା ଉଭୟଙ୍କ ଭିତରେ ଟିକିଏ ପରେ ମୋହନ ଗୁରୁଜୀଙ୍କ ଘରେ ଅପେକ୍ଷାରେ ଥିବା ତାଙ୍କର କ୍ରୋଧ ଜରଜର ପତ୍ନୀକୁ ସାମ୍ନା କରିବା ପାଇଁ ଯଥେଷ୍ଟ ଶକ୍ତି ଭରିଦେଇଥାଏ ।

“ବାଃ,ଛୋଟ ଗୁରୁଜୀ ଇମ୍ରାଟ୍। ତମର ଖ୍ୟାତି ଏଇଲେ  କଲିକତା ସାରା । ନିକଟରେ ତମେ ଧନୀ ହୋଇଯିବ । ଆଜି କେତେ ଆୟ ହେଲା ?”

“ତେର ଟଙ୍କା ।”

” ଆହୁରି ଲମ୍ବା ବାଟ ଯିବାର ଅଛି,ଇମ୍ରାଟ ଗୁରୁଜୀ।ହେଲେ ଆଜି ତମ ପାଇଁ ତମର ଦିଦି ର ଚିଠି ଖଣ୍ଡିଏ ଆସିଛି !”

ପାନବାଲା ଇମ୍ରାଟର ପଇସାକୁ ନିଜ ପାଖରେ ରଖିଥାଏ ନହେଲେ ସେତକ ଅର୍ଥ ମୋହନ ଗୁରୁଜୀଙ୍କ ପତ୍ନୀ ତା’ ପାଖରେ ରହିବାକୁ କଦାପି ଦେବ ନାହିଁ । ଇମ୍ରାଟ୍ ର ସ୍ୱପ୍ନ ଯେ ସେ ଗୀତ ଗାଇ ପ୍ରଚୁର ଅର୍ଥ ଉପାର୍ଜନ କରିବ ଆଉ ସେଥିରେ ସେ ଆଉ ତାହାର ଦିଦି ଏକାଠି ଭଲରେ ରହିପାରିବେ। ତେଣୁ ଦିଦିର ଗୋଟିଏ ଚିଠି ପାଇଲା ପରେ ସେ ଦ୍ୱିଗୁଣ ଉତ୍ସାହରେ ଗୀତ ଗାଇବାକୁ ଚେଷ୍ଟା କରିଥାଏ । 

ଦିଦିର ଚିଠି ପାଇବା ପରର ସମ୍ଭବତଃ ଏଇଟି ଥିଲା ଇମ୍ରାଟର ସେହି  ସକାଳବେଳାର  ଗଳାର ଅବିଶ୍ୱାସ୍ୟକର  ଯାଦୁ ଯାହା ଫଳରେ ସେହି ଅଲୌକିକ ଘଟଣାଟି ଘଟିଥିଲା।

ଇମ୍ରାଟ ତାହାର ଗାୟନର ଶେଷ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ଜଣେ ବ୍ୟକ୍ତି ଦେହରେ ତାଙ୍କର ଥାଏ ଗୋଟିଏ ବ୍ଲେଜର୍ ଚିତ୍କାର କରି କହିଲେ,” ବାଃ ବାଃ ଉସ୍ତାଦ୍ । ପାଖକୁ ଆସ । ତମେ କ’ଣ ଇଂରେଜୀ ପଢିପାର ?”

ମୋହନ ଗୁରୁଜୀ ନିଜର ତାନପୁରାକୁ ତଳେ ରଖି ସେଇ ଭଦ୍ରବ୍ୟକ୍ତିଙ୍କ ପାଖକୁ ଆଗେଇ ଗଲେ। ସେଇ ଭଦ୍ରବ୍ୟକ୍ତି ଜଣକ ତାଙ୍କ ଆଡକୁ ଦୃଷ୍ଟିପାତ ନକରି ତାଙ୍କ ହାତକୁ ଖଣ୍ଡିଏ କାଗଜ ବଢାଇ ଦେଲା ଆଉ ତାହାର ପାଖରେ ଛିଡା ହୋଇଥିବା ଭଦ୍ରମହିଳାକୁ କହିଥିଲା,” ଏଇ ପିଲାଟାର ନାଆଁ ଅଛି ନା ନାହିଁ ? ବିନା ନାଆଁରେ ତ ଗୋଟିଏ ରେକର୍ଡିଙ୍ଗ୍ କଂଟ୍ରାକ୍ଟ ରେ ସନ୍ତକ କରାଯାଇ ପାରିବ ନାହିଁ ।”

ମୋହନ ଗୁରୁଜୀ ଟିକିଏ ଶକ୍ତ ହୋଇ ଇମ୍ରାଟ୍ ର ସମ୍ମାନ ରକ୍ଷା କରିବା ପାଇଁ ଆଗଭର ହୋଇ ତାଙ୍କୁ ସେତେବେଳକୁ  ପଛ କରିଥିବା ସେଇ ବ୍ଲେଜର୍ ପିନ୍ଧା ଭଦ୍ରବ୍ୟକ୍ତିକୁ କହିଲେ,” ସେ ଦୃଷ୍ଟିହୀନ,ଲେଖା ପଢା ଜାଣିନାହିଁ । ମାତ୍ର ମୁଁ ତାହାର ଅଭିବାବକ । ମୁଁ ତାହାର ତରଫରୁ ସନ୍ତକ କରି ପାରିବି ।”

” ଉତ୍ତମ । ଆଜି ଅପରାହ୍ନରେ ଷ୍ଟୁଡିଓକୁ ଆସ ଯାହା ଫଳରେ ଆମର ଇଞ୍ଜିନିୟରମାନେ ଗୋଟିଏ ପ୍ରାଥମିକ ପରୀକ୍ଷା କରିପାରିବେ । ତୁ ଏମିତି କଥା ଚାହୁଁଥିଲୁ ତ ନୀନା ?”

ତାଙ୍କର ସାଥିରେ ଆସିଥିବା ସେଇ ଭଦ୍ରମହିଳା ଜଣକ ନିଜର ମୁହଁକୁ ଉପରକୁ କରିବା ପରେ ମୋହନ ଗୁରୁଜୀ ଜାଣିପାରିଲେ ଯେ ,ଇଏ ହେଉଛନ୍ତି ସେଇ ମହିଳା ଯିଏ ସବୁଦିନ ଇମ୍ରାଟ୍ ର ଗୀତ ଶୁଣିବା ପରେ ପାଚେରୀ ଉପରେ ଗୋଟିଏ ଦଶଟଂକାର ନୋଟ୍ କୁ ଭାଙ୍ଗି ରଖିଦେଇ ଯାଇଥାନ୍ତି ।

ଚିହ୍ନା  ମୁହଁ କାରଣରୁ ସେ ମୋହନ ଗୁରୁଜୀଙ୍କୁ ଅଭିବାଦନ ଜଣାଇଲେ। “ଏଇ ପ୍ରତିଭାବାନ ବାଳକଟି କ’ଣ ଆପଣଙ୍କର ସନ୍ତାନ ?”

ମୋହନ ଗୁରୁଜୀ ଟିକିଏ ସଂକୁଚିତ ହୋଇ ଯାଇ ସେହି ଭଦ୍ରମହିଳାଙ୍କ ଆଗରେ ଇମ୍ରାଟ ର ସବୁକଥା କହିବାକୁ ଲାଗିଲେ,ସେଥିରେ କେବଳ ଚାପି ରଖିଥିଲେ ନିଜ ସଂପର୍କରେ ଯେତେକ କଥା ,ସେ କେବଳ ଏଇ ପିଲାଟିର ପ୍ରତିଭାକୁ ପ୍ରଶଂସା କରି ଚାଲୁଥାନ୍ତି। ସେ ଦେଖିପାରୁଥିଲେ ଇମ୍ରାଟକୁ ନେଇ ସେ ଭଦ୍ରମହିଳାଙ୍କ ଆଖିରେ ଯଥେଷ୍ଟ କୌତୁହଳ ରହିଛି ମାତ୍ର ତାଙ୍କର ସାଥି ସେହି ବ୍ଲେଜର ପିନ୍ଧା ଭଦ୍ରଲୋକ ଜଣକ ତାଙ୍କର କହୁଣୀ କୁ ଧରି ମଝିରେ ମଝିରେ ଯିବାକୁ ଟାଣୁଥାନ୍ତି । “ଚମତ୍କାର ,ଚମତ୍କାର । ଷ୍ଟୁଡିଓ ରେ ଠିକ୍ ଚାରିଟାବେଳକୁ ପହଞ୍ଚିଯିବାକୁ ଚେଷ୍ଟା କରିବେ। କଣ୍ଟ୍ରାକ୍ଟ ଫର୍ମରେ ଠିକଣା ଲେଖା ହୋଇଛି ।”

ମୋହନ ଗୁରୁଜୀ ସେହି କାଗଜ ଖଣ୍ଡିକୁ ପଢିଲେ। “ଏଥିରେ ପାରିତୋଷିକର କୌଣସି କଥା ଲେଖା ନାହିଁ ।”

” ପେମେଣ୍ଟ ? ” ପ୍ରଥମ ଥର ପାଇଁ ସେଇ ଭଦ୍ରଲୋକ ଜଣକ ମୋହନ ଗୁରୁଜୀଙ୍କ ଆଡକୁ ସିଧା ଚାହିଁଥିଲା।” ପାର୍କରେ ବସି ପାହୁଲାଏ ପାଇଁ ଗୀତ ଗାଉଛି ଆଉ ସେଥିରେ ତମର ସାହସ କେମିତି ହୁଏ ପେମେଣ୍ଟ ପାଇଁ ?”

“ଆମେମାନେ ଭିଖାରୀ ନୁହଁ ।” ମୋହନ ଗୁରୁଜୀ ନିଜର ଏପରି ଦୁଃସାହସ କୁ ବିଶ୍ୱାସ କରି ପାରୁନଥିଲେ ।” ମୁଁ ଜଣେ ସଂଗୀତ ଶିକ୍ଷକ। ମୁଁ ଏଇଠି ଏଇ ପିଲାକୁ ସଂଗୀତ ଶିକ୍ଷା ଦେଉଛି ଯାହା ଫଳରେ ମୋ ଘରେ ଅନ୍ୟମାନଙ୍କ ଯେମିତି କିଛି  ଅସୁବିଧା  ହେବନାହିଁ ।”

ଭଦ୍ରମହିଳା ଜଣକ ସେହି ଭଦ୍ରଲୋକଙ୍କ କାନ୍ଧରେ ହାତ ପକାଇ କହିଲେ,” ଶାନ୍ତ ହ, ରଞ୍ଜିତ। ତାହାକୁ ହଜାରେ ଟଙ୍କା ଦେ । ଦେଖିବୁ,ଏହା ପରେ ନିଶ୍ଚିତ ଗୋଟିଏ ଭଲ ଇନଭେଷ୍ଟମେଣ୍ଟ ସାବ୍ୟସ୍ତ ହେବ !”

ଭଦ୍ରଲୋକ ଜଣକ କିଛି ସମୟ ଧରି ହସିଥିଲେ।”ତୁ ହେଉଛୁ ପୃଥିବୀର ସବୁଠୁ ବେଶି ଦାବୀ ଜାହିର୍ କରୁଥିବା ଗୋଟିଏ ଭଉଣୀ। ମୋତେ ଏବେ ସେ କାଗଜଟା ଦେଲ !” ନିଜର ପକେଟ୍ ରୁ ପେନ୍ ବାହାର କରି ସେ ସେଥିରେ ପରିମାଣର ଉଲ୍ଲେଖ କରି ତାହାର ତଳେ ନିଜର ସନ୍ତକ କରିଦେଇଥିଲେ।

ମୋହନ ଗୁରୁଜୀ ତାହାପରେ ସେଇ କାଗଜ ଖଣ୍ଡିକୁ ଭାଙ୍ଗ କରି ଅତି ଯତ୍ନରେ ନିଜର ପକେଟ୍ ରେ ରଖିଥିଲେ । ସେତେବେଳେ ସେ ଦେଖିଲେ ଆଉ ଦିଜଣ ପାଚେରୀ ଆରପଟୁ ସେମାନଙ୍କୁ ଦେଖୁଥାନ୍ତି । ସେମାନଙ୍କର ତେଲ ଜୁଡୁବୁଡୁ କେଶ ଆଉ ଦାନ୍ତର ମଳିଛିଆ ଦାଗକୁ ମୋହନ ଗୁରୁଜୀ ଭୟ ପାଇ ଯାଆନ୍ତି । ତାଙ୍କର ମନେପଡିଯାଏ ସେଇ ସମସ୍ତ ସଂଗୀତକାରମାନଙ୍କ କଥା ଯେଉଁମାନେ ଯେଉଁମାନେ ବଡବଡ ଲୋକଙ୍କର ଘରର ବାହାରେ ଛିଡା ହୋଇଥାନ୍ତି ଯେଉଁଠିକୁ ସେ ପିଲାଦିନେ ଗୀତ ଗାଇବାକୁ ଯାଉଥିଲେ,ଝିଅମାନେ ସଂଗୀତକାରମାନଙ୍କ ସହ ଭିତରେ ନୃତ୍ୟ କରିବାକୁ ଯାଇଥାନ୍ତି,ଆଉ ଯେଉଁମାନେ ନୃତ୍ୟ କରନ୍ତି ନାହିଁ ସେମାନଙ୍କୁ ଯିବାକୁ ହୋଇଥାଏ ଭିତରର ଶୟନକକ୍ଷକୁ ।

ଘରକୁ ଫେରିବା ବେଳେ ନିଜର ଦୃଷ୍ଟିବିହୀନ ଆଖିକୁ ଟିକିଏ ଟେକି ଇମ୍ରାଟ୍ ତାହାର ଗୁରୁଜୀଙ୍କୁ ଫୁସଫୁସ କରି ପଚାରିଥିଲା,” ହଜାରେ ଟଙ୍କା କହିଲେ କେତେ ହେବ ? ଏଥିରେ କ’ଣ ଆପଣଙ୍କ ସହିତ  ଆଉ  ଦିଦି ସହିତ ଆଉ କେଉଁଠି ରହିହେବ ?” 

ସଂଗୀତ ଶିକ୍ଷକ ଇମ୍ରାଟ କୁ ଟିକିଏ ଗେଲ କରି କହିଲେ,” ଯଦି ରେକର୍ଡ ଟା ହିଟ୍ ହୁଏ ତାହାଲେ ତୁ ଆଉ ତୋ ଦିଦି ଏକାଠି ରହିପାରିବ । ଏବେ ଚେଷ୍ଟା କର,ବିଶ୍ରାମ ନେ। ଅପରାହ୍ନ ବେଳକୁ ଯେମିତି ଥକାହରା ନଥାଉ ।”

ଟ୍ରାମ୍ ରୁ ଓହ୍ଲାଇବା ପରେ ପାନବାଲା କହିଲା,

” ଗଲା ରାତିରେ ଦି ଜଣ ସଂଗୀତଜ୍ଞ ଆପଣଙ୍କ ବିଷୟରେ ପଚାରୁଥିଲେ ଗୁରୁଜୀ। ସେମାନେ କ’ଣ ଇମ୍ରାଟ କୁ ଶୁଣିବାକୁ ଆସିଥିଲେ ?”

ପାନବାଲାର କଥା ର ମଝିରେ ଇମ୍ରାଟ କହିଉଠିଥିଲା,” ଆଜି ଉପରଓଳି ଆମର ରେକର୍ଡିଙ୍ଗ୍ ହେବ। ଆମକୁ ଗୁଡାଏ ପଇସା 

ମିଳିବ ।”

“ଗୋଟିଏ ରେକର୍ଡ,ଉସ୍ତାଦ ଇମ୍ରାଟ ! ତମେ ବହୁତ ଭଲ କରି ଗାଅ। ତାହାପରେ ମୁଁ ଗୋଟିଏ ଗ୍ରାମଫୋନ୍ କିଣି ତମ କୁ  ରେକର୍ଡରେ ଶୁଣିବି ।”

ମୋହନ ଗୁରୁଜୀଙ୍କ ପାଇଁ ଏଇଟି କିଛି ଆଶ୍ଚର୍ଯ୍ୟର କଥା ନଥିଲା, ସେଇ ଅପରାହ୍ନରେ ଇମ୍ରାଟ୍ ଗାଇଥିବା ଗୀତ । ଏଇ ପିଲାଟି ତାହାର ସାମ୍ନାରେ ତାରରୁ ଝୁଲୁଥିବା ମାଇକ୍ରୋଫୋନ୍ କୁ ଆଉ କାଚ ପ୍ୟାନେଲ୍ ର ପଛପଟେ ରହିଥିବା ମୁହଁ ମାନଙ୍କୁ ଦେଖିପାରୁନଥିଲା । ସେ କେବଳ ଦେଖିପାରୁଥିଲା ତାହାର ଦିଦିର ଆଲିଙ୍ଗନରେ କେବଳ ରହିଅଛି ସେ ଆଉ ରେକର୍ଡିଂ ଇଞ୍ଜିନିୟର ଯେତେବେଳେ ତାହାକୁ ଗାଇବା ପାଇଁ ନିର୍ଦ୍ଦେଶ ଦେଲେ ଷ୍ଟୁଡିଓ ସାରା ବିଛାଡି ପଡିଲା ସେଇ ଆନନ୍ଦ ।

” ଏଇ ବାଳକଟି ଗୋଟିଏ ରେକର୍ଡିଂ ଜିନିଅସ୍” ଜଣେ ଇଞ୍ଜିନିୟର ସ୍ୱୀକାର କରି କହିଥିଲେ,  ଇମ୍ରାଟ ତାହାର ଗୀତକୁ ସମାପ୍ତ କରିବା ପରେ ତାଙ୍କର  ପ୍ରତିକ୍ରୀୟାରେ। “ତାହାର ଟାଇମିଙ୍ଗ୍ ଏତେ ନିଖୁଣ ଯେ ଆମେ ତାହାକୁ ଛାପି ଦେଇ ପାରିବା ।”

“ରଞ୍ଜିତ ସାହେବ ଭାରି ଖୁସି ହେବେ । ମୁଁ ତାଙ୍କୁ ଡାକୁଛି ।”

କିଛି ସମୟ ପରେ ସେଇ ବ୍ଲେଜର ପରିହିତ ଭଦ୍ରଲୋକ ଜଣକ ତାଙ୍କର ଇଞ୍ଜିନିୟରମାନଙ୍କ ସହ ଆସିଲେ । ” ଖୁବ୍ ଭଲ ,ଚମତ୍କାର,ନୂତନ ଗାୟକ । ଯାହାହେଉ ଏହାପରେ ମୋତେ ମୋ ଭଉଣୀଠୁ ରକ୍ଷା ମିଳିଯିବ। ତାହାର ମୁହଁରେ ତ ସବୁବେଳେ ଖାଲି ଏଇ ନୂଆ ଗାୟକର କଥା !”

ସେ ଇମ୍ରାଟ ର ମୁଣ୍ଡକୁ ଟିକିଏ ଆଉଁଷି ଦେଲେ ।

” ଦଶ ଦିନ ପରେ ଆସ । ଯଦି ଆମ ଇଞ୍ଜିନିୟର

ମାନେ ସବୁ ଠିକ୍ ଅଛି ବୋଲି କହନ୍ତି ତେବେ ଆଉ ଏକ ରେକର୍ଡିଙ୍ଗ ର ଆବଶ୍ୟକତା ପଡିବ 

ନାହିଁ । ମୁଁ ସେତେବେଳେ ପ୍ରାପ୍ୟ ହଜାରେ ଟଂକା ର ହିସାବ ତୁଟାଇଦେବି । ଆଛା କହିଲ,ତମ ଭଳି ଗୋଟିଏ ଛୋଟ ପିଲା ଏତେ ଟଙ୍କାକୁ ନେଇ କରିବ କ’ଣ ?”

ଇମ୍ରାଟ କିଛି ଉତ୍ତର ଦେବାର ଆଗରୁ ସେ ସେଇ ଯାଗାକୁ ଛାଡି ଦେଇଥିଲେ।

ରେକର୍ଡ ଟା ବାହାରିବା ଯାଏଁ ମୋହନ ଗୁରୁଜୀଙ୍କ ଆଉ କିଛି ଅଲଗା କାମନା ନଥିଲା। ଖୁବ୍ ଶିଘ୍ର  ନିଜର ଦିଦି ସହିତ ରହିବା ଭଳି  ଇଚ୍ଛାଟି  ଯେମିତି ତାହା ଉପରେ ପୂରାପୁରି ସବାର ହୋଇ ନଯାଏ ସେଥିରୁ ତାହାକୁ ଅଲଗା କରି ରଖିବା ପାଇଁ ମୋହନ ଗୁରୁଜୀ ସେଇ ପାର୍କରେ ଇମ୍ରାଟର ସଂଗୀତ ଶିକ୍ଷାକୁ ଆଗ ଭଳି ଜାରି ରଖିଥିଲେ। ସେଇ ପୁରୁଣା ଦି ଜଣ ଲୋକ ଆଗ ଭଳି ସେ ଗାୟନ କଲାବେଳେ ଟିକିଏ ଦୂରରେ ଆସି ନିୟମିତ ଛିଡା ହେଉଥାନ୍ତି ,ତାହାକୁ ତାରିଫ କରୁଥାନ୍ତି, ଆଉ ମୋହନ ଗୁରୁଜୀ ଯଥା ସମ୍ଭବ ଚେଷ୍ଟା କରୁଥାନ୍ତି ଯେମିତି ସେ ଦିଜଣକୁ ଭୟ ପାଇବାର କିଛି ନାହିଁ ।

ଦିନେ ସେଇ ଦିଜଣ ମୋହନ ଗୁରୁଜୀ ଆଉ ଇମ୍ରାଟ ର ଟ୍ରାମରେ ଗଲାବେଳେ ପିଛା ନେଇଥିଲା। ଆଉ ଅପେକ୍ଷା କରିଥିଲା  କେତେବେଳେ ସେ ଦୁଇଜଣ ଙ୍କ ଆଖପାଖରେ କେହି ବସିନଥିବେ।ସେମାନେ ଏକେଲା ଥିବାର ଦେଖି ସେ ମୋହନ ଗୁରୁଜୀଙ୍କ ଖୁବ୍ ପାଖକୁ ଯାଇ ପହଞ୍ଚେ।

“ଜଣେ ବଡ ସାହେବ ଏଇ ପିଲାଟିର ଗୀତ ଶୁଣିବାକୁ ଚାହାଁନ୍ତି।”

“ନା,ନା ,ଆମେ ବ୍ୟସ୍ତ ଅଛୁ” ମୋହନ ଗୁରୁଜୀ କଥାରେ ପୂର୍ଣ୍ଣଚ୍ଛେଦ ପକାଇବା ଭଳି କହିଲେ।

 ” ପିଲାଟି ତାହାର ପ୍ରଥମ ରେକର୍ଡ କରୁଛି ।ତାହାକୁ ଆହୁରି ପ୍ରାକ୍ଟିସ୍ କରିବାର ଅଛି ।”

“ଭାଇ,ବୋକାଙ୍କ ଭଳି କୁହନାହିଁ । ସାହେବ ଗୀତ ଶୁଣିବା ପାଇଁ ଭଲ ପାରିଶ୍ରମିକ ଦେବେ ।”

“ପାଞ୍ଚ ହଜାର ଟଙ୍କା ! ଭାବି ପାରୁଚ ତ !”

“ହେଲେ ତମର ସାହେବ ତ ଏଇ ପିଲାକୁ ମାଗଣାରେ ପାର୍କରେ ଶୁଣି ପାରିବେ ?”

ସେମାନେ ଏଥିରେ ହସିଲେ ଆଉ ମୋହନ ଗୁରୁଜୀ ଙ୍କ ଭିତରେ ସେମାନଙ୍କର ଦାନ୍ତର କଳା ଛାପକୁ ଦେଖି ଡର ପଶିଯାଏ । “ବଡ ବଡ ଲୋକମାନେ ଭିଡ ଭିତରେ ଛିଡା ହୁଅନ୍ତି ନାହିଁ,ଭାଇ ଆମର,ସେମାନେ ବତାସରୁ ସେମାନଙ୍କର ବାସନାକୁ ଛଡାଇ ଆଣିଥାନ୍ତି ।ସେମାନଙ୍କର ସମସ୍ତ ବାସନା  ସେମାନଙ୍କ ଉଆସର ଚାରିକାନ୍ଥର ଭିତରେ,ଏକାନ୍ତରେ ।”

“ସେ ଆଗ ତାହାର ରେକର୍ଡିଙ୍ଗ ଟା ଶେଷ କରୁ !”

“ହଁ ଠିକ୍। ମାତ୍ର ତାହାପରେ..”

“ଆମେ ଏଇଠି ଏଇ ପାର୍କରେ ସବୁଦିନ ସକାଳେ ଥିବୁ ।”

“ତମେ ଆମଠୁ ପଳାଇଯାଇ ପାରିବ ନାହିଁ।”

ମୋହନ ଗୁରୁଜୀଙ୍କ ଅଶ୍ୱସ୍ତି ବଢି ଚାଲିଲା ଯେତେବେଳେ ସେ ଦେଖିଲେ ଯେ ପ୍ରତିଦିନ ଏଇ ଦିଜଣ ପାରାପେଟ୍ କୁ ଆଉଜି ଛିଡା ହୋଇ ରହୁଛନ୍ତି ଯେ ପର୍ଯ୍ୟନ୍ତ ଇମ୍ରାଟ ର ଶେଷ ପ୍ରଶଂସକ ଜଣକ ସେଇଠୁ ନଯାଇଛି ଆଉ ତାହାପରେ ସେମାନେ ସେଇ ଦୃଷ୍ଟିହୀନ ବାଳକ ର ପାଖକୁ ଆସୁଛନ୍ତି ।

“ଇମ୍ରାଟ୍ ,ଆମର ଛୋଟ ଓସ୍ତାଦ ,ସେଇ ଲୋକଟି ଉପରେ ଦୟା କରିବ ,ସେ ସଂଗୀତକୁ ପୂଜା କରେ।”

“ସାହେବଙ୍କ ପରିସ୍ଥିତି ତାଙ୍କୁ ବାଧ୍ୟ କଲା ପାରିବାରିକ ବ୍ୟବସାୟରେ ପଶିବାପାଇଁ ,ସେ ନିଜେ ଜଣେ ଗାୟକ ଆଉ ହୋଇ ପାରିଲେ ନାହିଁ ।”

“ସେ ଆପଣଙ୍କ ଭଳି ଜଣେ ମହାନ ଗାୟକ ହୋଇପାରିଥାନ୍ତେ ଇମ୍ରାଟ ଗୁରୁଜୀ । ଠିକ୍ ଆପଣଙ୍କ ଭଳି ।”

ମୋହନ ଗୁରୁଜୀ ଏଇ ଦିଜଣଙ୍କ ମୁହଁର ଭାବଭଂଗୀରୁ ଦେଖିପାରିଲେ ସେମାନଙ୍କ ଆତ୍ମ ସନ୍ତୋଷକୁ ଯାହା ଇମ୍ରାଟକୁ ତୋଷାମଦ କରିବା ଭଳି ପ୍ରଶଂସାରେ ଉକୁଟି ଉଠୁଛି।

“ତମେ ତାଙ୍କର ଆଗରେ ଗାଇଲେ ସେ ନିଜର ସବୁଦୁଃଖକୁ ଭୁଲିଯିବେ,ଜୀବନ  ତାଙ୍କଠାରୁ ଯେଉଁ ପ୍ରିୟତମ ବସ୍ତୁକୁ ଛଡାଇ ନେଇଛି ସେଇ ଭଳି ଦୁଃଖରୁ ସେ ଘଡିଏ ନିସ୍ତାର ପାଇବେ।”

“ତମେ ଯଦି ଭଲ ଗାଅ ତାହାହେଲେ ସେ ତମକୁ ତାନସେନଙ୍କ ର ସେହି ପ୍ରସିଦ୍ଧ ତେନ୍ତୁଳୀ ଗଛରୁ ତୋଳି କିଛି ପତ୍ର ତମକୁ ଦେବେ ଯାହା ତମର ସ୍ୱରକୁ ତାନସେନଙ୍କ ସ୍ୱର ପରି ଅମର କରିଦେବ।”

ମୋହନ ଗୁରୁଜୀ ଜାଣିପାରିଲେ ଏମାନେ ଏକଦା ଇମ୍ରାଟ ଭଳି ସଂଗୀତ ଶିଖୁଥିଲେ, ଯେଉଁପର୍ଯ୍ୟନ୍ତ ଦାରିଦ୍ର୍ୟ ସେମାନଙ୍କୁ ଧନୀଲୋକଙ୍କ ଖିଆଲ୍ ଆଉ ବିଳାସ ର ଆଖପାଖରେ ଘୁରାଫେରା କରିବା ପାଇଁ ପ୍ରବୃତ୍ତ କରି ନଥିଲା। ସେମାନଙ୍କ ପ୍ରତି ଘୃଣା ପୋଷଣ କରିବା ବେଳେ ତାଙ୍କର ମନକୁ ଏଇ କଥାଟି ବି ଆସିଥିଲା ଯେ , ରେକର୍ଡ ବାହାରିଗଲା ପରେ ଇମ୍ରାଟକୁ ଏଇ ଭଳି ଅବସ୍ଥା ଭୋଗ କରିବାକୁ ପଡିବ ନାହିଁ ।

ତାହାପରେ ସେମାନଙ୍କ ର ଦୃଷ୍ଟି ମୋହନ ଗୁରୁଜୀଙ୍କ ଉପରେ ଆସି ପଡିଲା।

“ଆମେ ବଡ ସାହେବଙ୍କୁ ଏଇ ପିଲାଟି ବିଷୟରେ କହିଛୁ,କହିଛୁ ପାଞ୍ଚଶ ବର୍ଷରେ ଥରେ ଏପରି ଗଳା ପୃଥିବୀରେ ଶୁଣିବାକୁ ମିଳିଥାଏ।”

” ଭାଇ,ସାହେବ ହେଉଛନ୍ତି ଜଣେ ଭାରି ଖାତିରଦାର୍ ମଣିଷ। ସେ ହୁଏତ ବ୍ୟବସ୍ଥା କରିପାରିବେ, ଏଇ ପିଲାଟି କ୍ୟାଲକାଟା ମ୍ୟୁଜିକ ଫେଷ୍ଟିଭାଲ୍ ରେ ହୁଏତ ଯୋଗ ଦେଇପାରିବ ।”

ମୋହନ ଗୁରୁଜୀଙ୍କ ମଥା ଏଥିରେ ଘୁରେଇବାକୁ ଲାଗିଲା ଯେତେବେଳେ ତାଙ୍କର ମନକୁ ଆସିଲା ଯେ ତାଙ୍କର ଏଇ ଦୃଷ୍ଟିହୀନ ଦାୟିତ୍ୱଟି, ଯିଏ ଏଇ ଆଠମାସ ଆଗରୁ ଗୋଟିଏ ଭିଖାରୀଠାରୁ ଆଉ ଅଧିକ କିଛି ନଥିଲା,ବଡ ବଡ ଗୁଣୀ ପଣ୍ଡିତମାନଙ୍କ ଆଗରେ ଗାୟନ କରିବା ଭଳି ସୁଯୋଗ ପାଇପାରେ। ସେଇ ଫେଷ୍ଟିଭାଲ୍ କୁ ମହାନ ସଂଗୀତଜ୍ଞ ମାନେ ଆସିଥାନ୍ତି। ସେମାନଙ୍କ ଭିତରୁ କିଏ ଜଣେ ଇମ୍ରାଟକୁ ସାଗିର୍ଦ କରି ତାହାର ସ୍ୱରକୁ ଶୁଦ୍ଧରୂପ ଦେବାପାଇଁ ପ୍ରଶିକ୍ଷିତ କରିବାକୁ ଆଗ୍ରହୀ ହୋଇପାରେ, ଏମିତି ଏକ ଶୁଦ୍ଧରୂପ ଯାହା ମହାନ ମୋଗଲ ଦରବାରରେ ତାନସେନ୍ ଙ୍କ ଗାୟନର ପରେ ଆଉ ଶୁଣାଯାଇନାହିଁ । ସେ ଏକପ୍ରକାରେ ରାଜି ହୋଇଯାଇଥିଲେ ମାତ୍ର ନିଜର ଉତ୍ସାହକୁ ସଞ୍ଜତ କରି କହିଥିଲେ,” ଆଗ ସେ ତାହାର ରେକର୍ଡ ଟା କରି ସାରୁ ।”

ସୌଭାଗ୍ୟବଶତଃ ସେଇ ଦିଜଣ ଏଇ ଭଳି ଯେଉଁ ପ୍ରଲୋଭନର ପ୍ରସ୍ତାବ  ଦେଇଥିଲେ ସେ ବିଷୟରେ ତାଙ୍କୁ ଆଉ ଭାବିବା ପାଇଁ ପଡିନଥିଲା।

ଯେଉଁ ଦିନ ସେ ଇମ୍ରାଟକୁ ସାଥିରେ ଧରି ରେକର୍ଡିଂ ଷ୍ଟୁଡିଓକୁ ଯାଆନ୍ତି ,ସେହି ତରୁଣୀ ମହିଳା ଜଣକ ଅଫିସରେ ଉପସ୍ଥିତ ଥିଲେ,ଭାଇର ଡେସ୍କ ର  ସାମ୍ନାରେ ଗୋଟିଏ ଆର୍ମଚେୟାର୍ ରେ ବସିଥାନ୍ତି ସେ।

” ମୁଁ ରେଡିଓ ଷ୍ଟେସନର ଡିରେକ୍ଟରଙ୍କୁ ଏଇ ରେକର୍ଡ ଟିକୁ ଶୁଣାଇଥିଲି। ତାଙ୍କର ଧାରଣା ଇମ୍ରାଟ୍ ର ଯଥେଷ୍ଟ ସମ୍ଭାବନା ରହିଛି ,ତେଣୁ ତାହାକୁ ସବୁଠାରୁ ଭଲ ଗୁରୁଜୀଙ୍କ ପାଖରେ ତାଲିମ ଦିଆଯିବା ଦରକାର । ଏଇ ଭଳି ଗୋଟିଏ ପ୍ରତିଭାକୁ ପାର୍କର ଧୂଳି ଆଉ ଜୀବାଣୁଙ୍କ ଆଗରେ ଖୋଲାମେଲା ଛାଡିଦେବା ଉଚିତ ନୁହଁ । ଆମ ଗ୍ୟାରେଜ୍ ର ଉପରମହଲା ରେ ଗୁଡାଏ ଘର ଫାଙ୍କା ରହିଛି । ସେ ସେଇଠି ଏବେ ରହୁ ।”

ମହିଳା ଜଣକ ଇମ୍ରାଟର ପିଠିକୁ ଟିକିଏ ଆଉଜାଇ ଆଣିଲେ।” ତୁ କ’ଣ ମୋ ପାଖରେ ରହିବାକୁ ଚାହିଁବୁ ନାହିଁ ? ତୋ ଦିଦି ମୋ ଘରେ କାମ କରିବ ଆଉ ତୋ ଗୁରୁଜୀ ତୋତେ ଦେଖିବା ପାଇଁ ସବୁଦିନ ଆସିବେ ।”

ଇମ୍ରାଟ ଖୁସିରେ ରାଜି ହୋଇ ନିଜର ମଥାକୁ ହଲାଇଲା ଆଉ ସେଇ ମହିଳା ଜଣକ  ରେକର୍ଡର ଦୁଇ କପି ଆଉ ଗୋଟିଏ ଖାମ୍ ରେ କିଛି ଅର୍ଥ ମୋହନ ଗୁରୁଜୀଙ୍କୁ ପ୍ରଦାନ କରିଥିଲେ। “ତାହାଲେ ଏଇଟା ସ୍ଥିର ହେଲା। ତାହାର ଭଉଣୀ କଲିକତାରେ ପହଞ୍ଚିବା ପରେ ଯଥାଶିଘ୍ର ଏଇ ଦୁଇଜଣ ମୋ ଘରକୁ ଆସି ପହଞ୍ଚିବେ ।”

ମୋହନ ଗୁରୁଜୀ ରେକର୍ଡ ଦୁଇଟି ହାତରେ ଧରିଲେ ମାତ୍ର ଅର୍ଥ ଭର୍ତ୍ତି ସେଇ ଖାମ୍ କୁ ସେହି ତରୁଣୀ ମହିଳାଙ୍କ ହାତକୁ ଫେରାଇ ଦେଇ ତାହାକୁ ଇମ୍ରାଟ ର ଦିଦି ପାଇଁ ରଖିବାକୁ କହିଥିଲେ।

“ଏଇ ଯେଉଁ ପଦାର୍ଥଟିକୁ ତମେ ସାଥିରେ ଧରି ଆସିଛ ତାହାର ଖାଇବା ପିନ୍ଧିବା ପାଇଁ ଆମକୁ କ’ଣ କିଛି ଖର୍ଚ୍ଚ ମିଳିବ ନାହିଁ ? ” ମୋହନ ଗୁରୁଜୀଙ୍କ ପତ୍ନୀ ଚିତ୍କାର କରି କହିଲେ ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ଏଇ ପତିଦେବ ପିଲାକୁ ମିଳିଥିବା ପଇସାକୁ ଷ୍ଟୁଡିଓ ମାଲିକ ର ପାଖରେ ଛାଡି ଦେଇ ଆସିଛନ୍ତି । “ଆମେ ବର୍ଷକ ଯାକ ତାହାକୁ ରଖିଛୁ,ସେ ବଡଲୋକ ହେବ ବୋଲି ଆମକୁ କ’ଣ କଷ୍ଟରେ ରହିବାକୁ ହେବ ? ତମର ନିଜ ପିଲାଏ କ’ଣ ସେଥିରୁ ପାହୁଲାଟେ ପାଇବେନାହିଁ,

ସେମାନଙ୍କ ପାଇଁ କ’ଣ ଖାଲି ଗାଳିମନ୍ଦ ?”

ତାଙ୍କର ରାଗ ବଢି ଚାଲିଥାଏ, ଇମ୍ରାଟ ର ଗୀତର ରେକର୍ଡ ଟି ବାହାରେ ଆଉ ସେଇ ରେକର୍ଡଟି ବଜାରକୁ ଆସୁ ଆସୁ ବେଶ୍ ଜନପ୍ରିୟ ହୋଇଯାଏ।

ତାହାର ପରବର୍ତ୍ତି ସପ୍ତାହ ମାନଙ୍କରେ ସେଇ ରେକର୍ଡଟି ଚାରିଆଡେ ବଜା ହୁଏ। ଶ୍ରୋତାଙ୍କ ଅନୁରୋଧ ଆସୁଥିବା କାରଣରୁ ତାହାକୁ ବାରଂବାର ରେଡିଓରେ ବଜାଇବାର ଦରକାର ପଡେ। ଇମ୍ରାଟ୍ ଯେତେବେଳେ ତାହାର ଦିଦିର ଆସିବାକୁ ଚାତକ ପରି ଚାହିଁ ରହିଥାଏ ସେତିକି ବେଳେ ମୋହନ ଗୁରୁଜୀ ରେକର୍ଡିଂ ଷ୍ଟୁଡିଓରୁ ଖବର ପାଆନ୍ତି ଯେ ବଜାରରେ  ଇମ୍ରାଟ ର ରେକର୍ଡ ରହୁନାହିଁ, ନୂଆ କପି ବାହାରିବା ମାତ୍ରକେ ସବୁତକ ବିକ୍ରି ହୋଇ ଯାଉଛି । 

ମୋହନ ଗୁରୁଜୀଙ୍କ ପତ୍ନୀର କ୍ରୋଧ ଏବେ ଈର୍ଷା ରେ ଦାଉଦାଉ ହୋଇ ଜଳୁଛି । ବଜାରରେ ସେଇ ରେକର୍ଡକୁ ତାଙ୍କୁ ବାରଂବାର ଶୁଣିବାକୁ ପଡୁଛି। ଏପରିକି ସେଇ ପାନବାଲା ଗୋଟିଏ ନୂଆ ଗ୍ରାମଫୋନ୍ କିଣିଛି ଆଉ ତାହାକୁ ସେ ତା’ର ଓଦା ପାନକଡାର ନିକଟରେ ନିଜ ପାଖାପାଖି ରଖିଛି । ଯେତେବେଳେ ପାନୁଆ କିଏ ପାନଖିଲିଏ ନେବାପାଇଁ ଆସୁଛନ୍ତି ସେ ଗ୍ରାମଫୋନ୍ ରେ ଦମ୍ ଦେଇ ସେଇ ରେକର୍ଡଟିକୁ ବଜାଏ ,ଆଉ ଗର୍ବର ସହିତ କହୁଥାଏ,” ମୁଁ ପରା ହେଉଛି ସେଇ ଲୋକ ଯିଏ ଏକା ଗୁରୁଜୀଙ୍କୁ କହିଥିଲା ଏଇ ପିଲାକୁ ଗ୍ରହଣ କର । ଯଦିଓ ସେଇ ପିଲାଟି କୁ କିଛି ଦେଖାଯାଏନି ଆଉ ସେ ତ ଗୋଟିଏ ଭିଖାରୀ ପିଲା,ମୁଁ ପରା ପ୍ରଥମେ ତାହାର ଗଳାକୁ ତୁରନ୍ତ ଚିହ୍ନିପାରିଥିଲି ଆଉ କହିଥିଲି, ଇଏ ବେଶ୍  ଆଗକୁ ଯିବ ।” 

ଇମ୍ରାଟର ଦିଦି କଲିକତାକୁ ଆସିବ ବୋଲି ଯେବେ କହିଥିଲା ତାହାର  ଗୋଟିଏ ସପ୍ତାହ ଆଗରୁ,ମୋହନ ଗୁରୁଜୀଙ୍କ ପତ୍ନୀ ମହମ୍ମଦ ସାହେବ ଙ୍କ ପାଖରୁ ଜାଣିବାକୁ ପାଇଲା ଯେ ତାହାର ପତିଦେବ ଇମ୍ରାଟକୁ ଜଣେ ବଡ ସାହେବଙ୍କ ଘରେ ଯାଇ ଗାୟନ କରିବାକୁ ସାଫ୍ ମନା କରିଦେଇଛନ୍ତି ।

“ସେ ତ  ଏଇ ଦୃଷ୍ଟିହୀନ ପିଲାର ଗାୟନ ଶୁଣିବା ପାଇଁ ପାଞ୍ଚହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ରାଜି ଅଛନ୍ତି”,ଏକଥା କହିବାବେଳେ ମହମ୍ମଦ ସାହେବଙ୍କ ଗଳାରେ ବିସ୍ମୟ ପରିଷ୍କାର ଦେଖାଯାଉଥାଏ ।

“ପାଞ୍ଚ ହଜାର ଟଙ୍କା ! ” ମୋହନ ଗୁରୁଜୀଙ୍କ ପତ୍ନୀ ଚମକି ପଡିଲେ।”ନିଜ ପିଲାଙ୍କ ପାଇଁ ପେଟକୁ ଯେତେବେଳେ ମୁଠାଏ ଦାନା ପିଠିକୁ ଖଣ୍ଡିଏ କନା ଠିକ୍ ରେ ମିଳୁନାହିଁ ,ଏଇ ଲୋକଟା ଆଶ୍ଚର୍ଯ୍ୟ ,ପାଞ୍ଚ ହଜାର ଟଙ୍କାକୁ ନାସ୍ତି କରିଦେଉଛୁ। ଏବେ କହିଲେ ,ସେଇ ଦିଜଣ ଲୋକଙ୍କୁ ମୁଁ କେଉଁଠି ପାଇବି ?”

ସେଦିନ ରାତିରେ ମୋହନ ଗୁରୁଜୀ ଯେତେବେଳେ ଇମ୍ରାଟକୁ ଗର ଭିତରକୁ ଯେମିତି ସେ ସୁବିଧାରେ ଯାଇ ପାରିବ ସେଥିରେ ସାହାଯ୍ୟ କରୁଥାନ୍ତି,ସେ ଦେଖିବାକୁ ପାଇଲେ ତାଙ୍କର ପତ୍ନୀ ପାର୍କରେ ସବୁଦିନ ଦେଖାଯାଉଥିବା  ସେଇ ଲୋକ ଦିଜଣଙ୍କ ଚର୍ଚ୍ଚାରେ ଲାଗିପଡିଛନ୍ତି । ମୋହନ ଗୁରୁଜୀ ଗୋଟିଏ ଦୀର୍ଘ ଶ୍ୱାସ ଛାଡିଲେ।

ସେ ପୁଳାଏ ନୋଟ୍ ଗୁରୁଜୀଙ୍କ ମୁହଁ ଆଗରେ ହଲାଇ କହିବାକୁ ଲାଗିଲେ ” ମୁଁ ରାଜି ହୋଇଯାଇଛି ,ଏଇ ପଦାର୍ଥ ଆଜି ରାତିରେ ବଡସାହେବଙ୍କ କୋଠିରେ ଗୀତ ଗାଇବ। ଦେଖ,ସେମାନେ ମୋତେ ସବୁ ପଇସା ପେମେଣ୍ଟ କରିଦେଇଛନ୍ତି । ଏଇ ଦୃଷ୍ଟିହୀନ ପିଲା ପାଇଁ ମୁଁ ଗଲା ବର୍ଷେ ହେଲା ଯାହା ଖର୍ଚ୍ଚ କରିଛି ଏଇ ଟଙ୍କା ପାଞ୍ଚହଜାର ତାହାର କଣିକାଏ ହେବ ।”

ମୋହନ ଗୁରୁଜୀ ତାଙ୍କୁ ଯୁକ୍ତିରେ  ବାଧା ଦେବାକୁ ଯାଉଥିବା ବେଳେ ସାମ୍ନାକୁ ଆଗେଇ ଆସେ ଇମ୍ରାଟ୍। ସେ କହେ,” ଗୁରୁଜୀ ,ମୋତେ ଥକ୍କା ଲାଗୁନାହିଁ ।”

“ପୂରା ଘର ତୋ ସେବାରେ ଅଛନ୍ତି । ତୋତେ କାହିଁକି ଥକ୍କା ଲାଗିବ ?” ପିଲାଟିର ବାହାକୁ ଗୁରୁଜୀଙ୍କ ପତ୍ନୀ ଜାବୁଡି ଧରିଲେ। ” ମୁଁ ସାଥିରେ ଯିବି ଦେଖିବି ଆମ ସାଥିରେ ବସି ଯାହା ଯାହା ଏଯାଏଁ ଗିଳି ଆସିଛୁ ତାହାର କଡାଗଣ୍ଡା ହିସାବ କରି ତୁ ଯେମିତି ଶୁଝିଦେଉ !”

ସେଇ ଦିଜଣ ଲୋକ ଗୁରୁଜୀଙ୍କ ଆଡକୁ ଚାହିଁ  ବିଜୟର ହସ ହସିଲେ । “ଆମର ରିକ୍ସା ଗୁଡିକ ଗଳିର ସେପଟରେ ରହିଛି।”

ରିକ୍ସାରେ ବସି ଗଲାବେଳେ ମୋହନ ଗୁରୁଜୀଙ୍କ ଗାଲ ଦେଇ ଲୁହର ଧାର ଝରିପଡୁଥାଏ। ଆଉ ସପ୍ତାହକ ପରେ ଇମ୍ରାଟ ଏଇଠୁ ଚାଲିଯିବ,ସେ ତାହାପରେ ଏଇ ଅସହ୍ୟ ଗୃହସ୍ଥାଳୀରେ ବଂଦୀ ହୋଇ ରହିଯିବେ। ସେ ଇମ୍ରାଟ୍ କୁ ନିଜର ଛାତି ଉପରକୁ ଆଉଜାଇ ଆଣିଲେ,ଧଇଁସଇଁ ହୋଇ କାଠର ପେଡାଲ୍ ମାରୁଥିବା ରିକ୍ସାଚାଳକ ର ଯାତନା ଭିତରେ ତାଙ୍କୁ ସବୁଆଡ ଝାପସା ଦିଶୁଥାଏ ।

କୋଠି ର ବିରାଟ ଲୁହା ଫାଟକ ଆଗରେ ରିକ୍ସା ଅଟକି ଗଲା। ଦ୍ୱାରରକ୍ଷୀ ସେଇ ଫାଟକକୁ ଖୋଲି ଦେଲା ।ମୋହନ ଗୁରୁଜୀଙ୍କ ପତ୍ନୀ ଇମ୍ରାଟ ର ହାତକୁ ଧରି  ତାଙ୍କର ପଛେ ପଛେ ତାହାକୁ ନେଇ ଗଲେ ଭିତରକୁ । ପରିଚାରକ ମାନେ ତାଙ୍କୁ ଏମିତି ଗୋଟିଏ ପ୍ରକୋଷ୍ଠ ଭିତରକୁ କଢାଇ ନେଲେ ଯେଉଁଠି ଆଲୁଅମାନ ଫିକା ଥିଲା, ଆସବାବ ପତ୍ର ରେ ଭରପୁର ଥିଲା ସେଇ ପ୍ରକୋଷ୍ଠଟି  ମାତ୍ର ଶୁନଶାନ ।

ସେଇ ରୁମର ସବୁ ଫରାସୀ କବାଟର କାଠର ସଟରମାନଙ୍କୁ ବନ୍ଦ କରିଦିଆହେଲା,କାନ୍ଥର କିଛି ରଙ୍ଗ ଦେଖାଯାଉଥାଏ। ଚଟାଣରେ ପଡିଛି ପାରସ୍ୟର ଗାଲିଚା,ସେଥିରେ ମଞ୍ଚ ପରି ଗୋଟିଏ ଯାଗା ଟିକିଏ ଉଚ୍ଚା,ତାହାର ଉପରେ ଦୁଇଟି ଝାଡ ଛାତରୁ ଝୁଲୁଛି ,ଯେମିତି ଦୁଇଟି ନିଷ୍ପ୍ରାଣ ଶରୀର।

ମଞ୍ଚ ଉପରେ ଜଣେ ବ୍ୟକ୍ତି ବସିଛନ୍ତି ,ତାଙ୍କର ଦୁଇପଟରେ ଯେଉଁ ଝାଡ ଦୁଇଟି ଝୁଲୁଛି ତାହାର ଆଲୁଅରେ ସେ ବେଶ୍ ପୃଥୁଳ ଦିଶୁଛନ୍ତି। ସାହେବ ସେମାନଙ୍କ ଆଡକୁ ଦୃଷ୍ଟିପାତ କରି ନାହାଁନ୍ତି। ତଥାପି ହସହସ ମୁହଁରେ ସବୁ ସଂଗତକାରୀ ମାନେ ମଞ୍ଚ ଉପରକୁ ଉଠି ଯାଇଛନ୍ତି ,ନିଜ ନିଜକୁ ପ୍ରସ୍ତୁତ କରିନେଇଛନ୍ତି । ଏବେ କେବଳ ଗାୟନ ଆରମ୍ଭ ହେବାର ସମୟ।

“ଛୋଟ ଉସ୍ତାଦ, ଏଠିକୁ ଆସ ” ବଡ ସାହେବ କହିଲେ। ” ମୁଁ ଶୁଣୁଛି ତମର କୁଆଡେ ଏମିତି ଗଳା ଯାହା ବିଗତ ଶହେ ବର୍ଷ ହେଲା ଭାରତ ଶୁଣିବାକୁ ପାଇନି !”

ମୋହନ ଗୁରୁଜୀଙ୍କ ପତ୍ନୀ ତାହାର ହାତକୁ ଛାଡିଦେଲେ ଆଉ ମୋହନ ଗୁରୁଜୀ ତାହାର ହାତକୁ ଧରି ମଞ୍ଚ ଉପରକୁ ନେଇଗଲେ। ତାଙ୍କର ମନେହେଲା ଇମ୍ରାଟ୍ ର ସୌଭାଗ୍ୟ ଯେ ସେ ଏଇ ବନ୍ଦ ପ୍ରକୋଷ୍ଠ ଆଉ ସମସ୍ତ ଶୂନ୍ୟତାକୁ ଦେଖି ପାରିବ ନାହିଁ ।

ମଞ୍ଚ ଉପରକୁ ତା’କୁ ନେଲାବେଳେ ଇମ୍ରାଟ ର କାନରେ ଫୁସଫୁସ କରି ମୋହନ ଗୁରୁଜୀ କହିଥିଲେ,”ରେକର୍ଡରେ ଥିବା ଦୁଇଟି ଗୀତ କେବଳ ଗାଇବୁ ଆଉ ତାହାପରେ ଆମେ ଘରକୁ ଯିବା ।”

“ନିକଟରେ ମୋ ଦିଦି ସହିତ ମୋର ଦେଖା ହୋଇଯିବ”,ଇମ୍ରାଟ ସେମିତି ଫୁସଫୁସ କରି କହିଲା ମୋହନ ଗୁରୁଜୀଙ୍କୁ । ଦୁଇ ଜଣ ବାଦକ ସଂଗତକାରୀଙ୍କ ମଝିରେ ତାହାକୁ ବସାଇ ଦେଲେ ମୋହନ ଗୁରୁଜୀ। “ଆଜି ରାତିରେ ମୁଁ ଆଲ୍ଲାତାଲ୍ଲାଙ୍କୁ ତାଙ୍କର ପରମ କରୁଣା ନିମନ୍ତେ ଧନ୍ୟବାଦ ଦେବି।”

କିଛି ସମୟ ଧରି ସେଇ ବନ୍ଦ ପ୍ରକୋଷ୍ଠ ଭିତରେ ହାରମୋନିଅମ୍ ର ଧ୍ୱନୀ ଗୁଞ୍ଜରୀ ଉଠିଲା।ନିଜର ପାଖକୁ ଲାଗି ବସିଥିବା ପତ୍ନୀଙ୍କ ଅସ୍ଥିରତାକୁ ଲକ୍ଷ୍ୟ କରି ପାରୁଥାନ୍ତି ମୋହନ ଗୁରୁଜୀ। ତାହାପରେ ଅଂଧାରକୁ ଚିରି ଇମ୍ରାଟ ର ଗଳା ପ୍ରତିଭାସିତ ହେବାକୁ ଲାଗିଲା :

” ତବ କରବାଳ ତଳେ କରେ ମଥା ନତ ମୋର

ହେ ବିସ୍ମୟ ମୋର,ମୋହର ସମର୍ପଣ

ହେ ବିସ୍ମୟ ମୋର,ସୁରକ୍ଷା କରିଛ ଦାନ।

” ଦ୍ରୋହ ଅଛି ଯେଉଁ ଜଗତେ ଖୋଲ ନାହିଁ ସତପେଡି,

ହେ ରହସ୍ୟର ଆଧାର ସର୍ବବ୍ୟାପି

ହେ ଗୋପନର ଚିର ଅଧିକାରୀ।”

ପିଲାଟିର ଦୃଷ୍ଟି ଅନନ୍ତ ଉପରେ ନିବଦ୍ଧ ଏବଂ ମୋହନ ଗୁରୁଜୀଙ୍କର ମନେ ହେଲା ଝାଡରେ ଥିବା  ମହମବତୀଗୁଡିକ ଯେମିତି ଜ୍ୱଳନକୁ ଲମ୍ପ ପ୍ରଦାନ କରୁଛନ୍ତି,ଇମ୍ରାଟ ର ଗାୟନର ନୀରୀହ ସମର୍ପଣ  ଯେମିତି ସେଥିରେ ଅଗ୍ନି ସଂଯୋଗ କରୁଛି।

“ସବୁ ମରଣର ବେଳାରେ ଦେଖୁଥାଏ ତବ ଆନନ

ହେ ବିସ୍ମୟ ମୋର ମୋହର ସମର୍ପଣ

ହେ ବିସ୍ମୟ ମୋର ସୁରକ୍ଷା କରିଛ ଦାନ।”

ପ୍ରତିଟି ନୋଟ୍ ର ଶୁଦ୍ଧତାକୁ ଶୁଣିବା ପରେ ମୋହନ ଗୁରୁଜୀ ଙ୍କୁ ଲାଗିଲା ସେ ଯେମିତି ଏକ ଭିନ୍ନ ମାତ୍ରାର ରାଜ୍ୟରେ ରହିଛନ୍ତି ,ସେଇ ମରମି ରାଜ୍ୟ, ଯେଉଁଠିକୁ ସୁଫି ସନ୍ଥମାନେ ସଂଗୀତ ରେ ନୃତ୍ୟରତ ହୋଇ ସେମିତି ଏକ ଆହ୍ଲାଦରେ ପହଞ୍ଚିଯାଇଥାନ୍ତି । ପ୍ରଥମଥର ପାଇଁ ସେ ବୁଝି ପାରିଲେ କାହିଁକି ସୁଫି ସନ୍ଥମାନେ ବିଶ୍ଵାସ କରନ୍ତି ଯେ,ଥରେ ଲୋକଟି ଯଦି ପରମାନନ୍ଦରେ ନୃତ୍ୟରତ ହେବାକୁ ଆରମ୍ଭ କରେ ତେବେ  ଗାୟକ ଜଣକ ତାହାର ସେହି ଗାୟନକୁ ସେ ଲୋକଟି ତାହାର ନୃତ୍ୟକୁ ସ୍ଥଗିତ ରଖିବା ଯାଏଁ ହିଁ ଜାରି ରଖିବାର  ଦରକାର ଅଛି ,ନହେଲେ ହଠାତ୍ ନୃତ୍ୟରତ ଆବେଶଟି ଭାଙ୍ଗିଗଲେ ସେଇ ଲୋକଟିର ମୃତ୍ୟୁ ହୋଇଯାଇପାରେ ।

“ତବ ଉପସ୍ଥିତି ର ଉତ୍ତାପ

ଆଖିରୁ ମୋ ଦୃଷ୍ଟିସବୁ ଯାଏ ଅପସରି 

ଦେହସାରା ଜଳା ପୋଡା ଦାଗ

ଅସ୍ତିମଜ୍ଛା ମୋ ପଡିଛି ଝାଉଁଳି । “

ବଡ ସାହେବ ଛିଡା ହୋଇ ପଡିଲେ । ମୋହନ ଗୁରୁଜୀ ଆଶ୍ଚର୍ଯ୍ୟ,ଏଇଲେ ତାହାହେଲେ ବଡ ସାହେବ ନାଚିବାକୁ ଯାଉଛନ୍ତି ,ଯେତେବେଳେ ଏଇ ବାଳକ ଗଳାରୁ ଝରି ଆସୁଛି ଏକ ଅଦ୍ଭୁତ ପ୍ରବାହ ଯାହା ସମସ୍ତଙ୍କୁ ଭସାଇ ନେଉଛି ପୃଥିବୀର ଏକ ଅନନୁଭୂତ ଜ୍ଞାନର ଗର୍ଭକୁ ।

” ତବ ଉପସ୍ଥିତିର ଉତ୍ତାପ

ଆଖିରୁ ମୋ ଦୃଷ୍ଟି ସବୁ ଯାଏ ଅପସରି

ଦେହ ସାରା ଜଳାପୋଡା ଦାଗ

ଅସ୍ତିମଜ୍ଜା ମୋ ପଡିଛି ଝାଉଁଳୀ ।

“ମୋତେ ଘୃଣାକରି ହେ ଦୟାମୟ 

ଅପସରି ଯାଅନାହିଁ

ତମେ କ’ଣ ଦେଖି ପାରୁନାହଁ

କେବଳ ପ୍ରେମ ମୋତେ କଦାକାର କରେ।”

ଇଲିବିଲି ହେଉଥିବା ଝାଡବତୀର ଆଲୁଅରେ ମୋହନ ଗୁରୁଜୀଙ୍କ ମନେହେଲା ସେ ଯେମିତି  ବଡ ସାହେବଙ୍କ ହାତରେ କିଛି ଝଲସି ଉଠିବାର ଦେଖୁଛନ୍ତି । ସଂଗତକାରୀ ମାନଙ୍କ ମୁହଁରେ ତୋଷାମଦର ହସ,ସମସ୍ତେ ଅପେକ୍ଷା କରୁଛନ୍ତି ବଡ ସାହେବ ପୁଳାଏ ଟଙ୍କାକୁ ସେଇ ପିଲାର ମଥା ର ଚାରିପଟେ ବୁଲାଇ ଆଣି ସେମାନଙ୍କ ଆଡକୁ ବିଛାଡି ଦେବେ । ବର୍ତ୍ତମାନ ମୋହନ ଗୁରୁଜୀ ଇମ୍ରାଟ୍ କୁ ଆଉ ଦେଖି ପାରୁନଥାନ୍ତି,ଛିଡା ହୋଇ ପଡିଥିବା ଏଇ ସବୁ ଲୋକଙ୍କର ଛାଇର ଗହଳିରେ ସେ ଏଇଲେ ନିହାତି ବାମନଟିଏ,ସେ କିନ୍ତୁ ଆଉ ଥରେ ଦୋହା ଜାରିରଖିଥାଏ,

” ତବ କରବାଳ ତଳେ କରେ ମଥାନତ ମୋର

ହେ ବିସ୍ମୟ ମୋର ,ମୋହର ସମର୍ପଣ

ହେ ବିସ୍ମୟ ମୋର, ସୁରକ୍ଷା କରିଛ ଦାନ।

“ଦ୍ରୋହ ଅଛି ଯେଉଁ ଜଗତେ ଖୋଲ ନାହିଁ

ସତପେଡି।

ହେ ରହସ୍ୟର ଆଧାର ସର୍ବବ୍ୟାପୀ

ହେ ଗୋପନର ଚିର ଅଧିକାରୀ ।”

ବଡ ସାହେବ ବୁଲି ପଡିଲେ ଆଉ ମୋହନ ଗୁରୁଜୀଙ୍କର ମନେହେଲା ସେ ଯେମିତି ତାଙ୍କର ଗାଲରେ ଲୁହ ଧାର ଚିକମିକ କରୁଥିବାର ଦେଖୁଛନ୍ତି । “ଏଇ ଭଳି ଗଳା ମଣିଷର ନୁହଁ । ସଂଗୀତର ଅବସ୍ଥା କ’ଣ ହେବ ଯଦି ଈଶ୍ୱର ଏଇ ଭଳି ଗୋଟିଏ ମାନଦଣ୍ଡରେ ଆମକୁ ବିଚାର କରିବାକୁ ଯାଆନ୍ତି ?”

ଇମ୍ରାଟ୍ କିଛି ଶୁଣୁନଥାଏ,ତାହାର ନିଜର ଗଳାରେ ସେ ନିଶାଗ୍ରସ୍ତ ।

“ସବୁ ମରଣର ବେଳାରେ ଦେଖୁଥାଏ ତବ ଆନନ

ହେ ବିସ୍ମୟ ମୋର,ମୋହର ସମର୍ପଣ

ହେ ବିସ୍ମୟ ମୋର,ସୁରକ୍ଷା କରିଛ ଦାନ… “

ମୋହନ ଗୁରୁଜୀ ଶୁଣିପାରୁଥିଲେ ତାଙ୍କର ପତ୍ନୀଙ୍କ ଅଭିସଂପାତ ମାନଙ୍କୁ । ସେ ଜାଣି ପାରିଲେ ନାହିଁ ତାଙ୍କର ନିଜ ଚିତ୍କାର ପ୍ରତିଧ୍ୱନୀତ ହେଉଛି ସେଇ ଦୃଷ୍ଟିହୀନ ବାଳକ ର ଚିତ୍କାର ରେ ଆଉ ସେ ଚିତ୍କାର ପରେ ଚିତ୍କାର କରିଚାଲିଛି ।

Gita Mehta (12 December 1943 – 16 September 2023) , Painting by Francesco Clemente

ପ୍ରଖ୍ୟାତ ଭାରତୀୟ ଲେଖିକା ଗୀତା ମେହେଟ୍ଟା ( ୧୯୪୩-୨୦୨୩) ଙ୍କର ଏଇଟି ହେଉଛି ଗୋଟିଏ କାହାଣୀ।

ଏହି କାହାଣୀ ସଂପର୍କରେ ଅଧିକ କିଛି ଲେଖୁନାହିଁ।

କାରଣ କାହାଣୀ ର ଶେଷରେ ଆପଣମାନେ ଯେଉଁ ଚିତ୍କାର ରେ ଅବଗାହନ କରୁଛନ୍ତି ସେହି ଚିତ୍କାର ସହିତ ଯେଉଁ ପରସ୍ତ ପରସ୍ତ ଭିନ୍ନ ଚିତ୍କାର ଏକାଠି ସମ୍ମିଳିତ ହୋଇ ଯାଇଛି ତାହାର ସେଇ କାହାଣୀକୁ ପାଠକ-ଧାରୀ କରୁଥିବା ନୀରବତାକୁ ମୁଁ ଅବିକଳ ଯେମିତି ଥାଏ ସେମିତି ରଖିବାକୁ ଚାହାଁନ୍ତି ।

ଏଇ କାହାଣୀର ସମସ୍ତ ଚରିତ୍ର ଯାହାର ଯେତିକି ଭୂମୀକା  କାହାଣୀ ଦୃଷ୍ଟିରୁ ନିର୍ଦ୍ଧାରିତ  ସମସ୍ତେ ତାହାକୁ ବସ୍ତୁତଃ ପାଳନ କରିଛନ୍ତି। କାହାଣୀର ଏଇ ସଂଯତ-ବିଭାବଟି ଯେ କୌଣସି କାହାଣୀର ରଚନା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ।

ଏହା ସହିତ ଗୀତା ମେହେଟ୍ଟାଙ୍କ ନିପୁଣ ବଖାଣ ଶୈଳୀକୁ ଆପଣମାନେ ଏଇଠି ନିଶ୍ଚୟ ପ୍ରତ୍ୟକ୍ଷ କରିପାରିବେ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →