ଆନିମେସନ୍ ଫିଲ୍ମକୁ ଅନେକ କାର୍ଟୁନ୍ ଫିଲ୍ମ ବୋଲି କୁହନ୍ତି । ଆମେ ସବୁ ପିଲାଦିନେ ଏ କାର୍ଟୁନ୍ ଫିଲ୍ମ କ’ଣ ଓ କେମିତିକା କିନ୍ତୁ ଜାଣିନଥିଲୁ । ବହୁତ ପରେ ଏସବୁ ବିଷୟରେ ଜାଣିଲୁ । ବିଭୂତି କାନୁନଗୋ କଳା ମହାବିଦ୍ୟାଳୟରେ ପାଠ ପଢୁଥିବା ବେଳେ କିଛି ସାଙ୍ଗ ମୋର ଆନିମେସନ୍ ଶିଖିବାକୁ ହାଇଦ୍ରାବାଦ ଗଲେ । ସେଠି ଜି କ୍ରିଏଟିଭ୍ ଆନିମେସନ୍ (ଜିକା) ନାମରେ ଏକ ସଂସ୍ଥା ପିଲାମାନଙ୍କୁ କ୍ଲାସିକାଲ୍ ଟୁ-ଡି ଆନିମେସନ୍ ଶିଖାଉଥା’ନ୍ତି । ସାଙ୍ଗମାନଙ୍କ ପରି ମୋର ଭାରି ଇଚ୍ଛା ଥାଏ ମୁଁ ବି ଆନିମେସନ୍ ଶିଖିବି । ଥରେ ହାଇଦ୍ରାବାଦରେ ଥିଲା ବେଳେ ବେଗମପେଟ୍ରେ ଥିବା ଜିକା ସଂସ୍ଥାକୁ ବୁଲିବାକୁ ଯାଇଥିଲି । ଜୀବନରେ ପ୍ରଥମ ଥର ପାଇଁ ଗୋଟି ଗୋଟି ଚିତ୍ର ଆଙ୍କି କେମିତି ତା’ର ଫଟୋ ନିଆଯାଇ ସିନେମା ତିଆରି କରାଯାଏ ସେଇଠି ଦେଖିଥିଲି । ଭାବିଲି ସମୟ ପାଇଲେ ଆନିମେସନ୍ ନିଶ୍ଚୟ ଶିଖିବି । ଆଜିକାଲି କ୍ଲାସିକାଲ୍ ଟୁ-ଡି ଆନିମେସନ୍ ଆଉ ଶିଖାଯାଉନି ଓ ଥ୍ରୀ-ଡି ଯୁଗରେ ଟୁ-ଡିର ଆଉ ଚାହିଦା ବି ନାହିଁ । ସମୟସାପେକ୍ଷ ଓ ବ୍ୟୟବହୁଳ ଟୁ-ଡି ଆନିମେସନ୍ ଠାରୁ ଥ୍ରୀ-ଡି ଆନିମେସନ୍ ସହଜ ହୋଇଛି । ମୋର ସବୁଠାରୁ ପ୍ରିୟ ଆନିମେସନ୍ ହେଲା ଟୁ-ଡିରେ ତିଆରି ‘ଟମ୍ ଏଣ୍ଡ ଜେରୀ’ । ସମୟ ପାଇଲେ ମୁଁ ଏବେବି ‘ଟମ୍ ଏଣ୍ଡ ଜେରୀ’ ଦେଖେ ଓ ଖୁସି ହୁଏ ।
ସେଥର ହାଇଦ୍ରାବାଦରୁ ଫେରିଆସିଲା ପରେ ଆନିମେଟର୍ ହେବା କଥା ମୁଁ କିନ୍ତୁ ଭୁଲିଗଲି । ବାଣୀବିହାରରେ ପି.ଜି ପଢ଼ା ସାରିଲା ପରେ ପୁଉଣି ଥରେ ଇଚ୍ଛା ହେଲା ଆନିମେସନ୍ ପଢ଼ିବି । କାରଣ ସେଥର କୋଉ ଗୋଟେ ଖବର କାଗଜରେ ଜିକା ଅନୁଷ୍ଠାନରେ ଆଡମିସନ୍ ବିଷୟରେ ଗୋଟେ ବିଜ୍ଞାପନ ବାହାରିଥାଏ । ମୁଁ ବି ଚାହୁଁଥାଏ ଓଡ଼ିଶା ଛାଡି ବାହାରକୁ ଯିବାକୁ । ଜିକା ସେତେବେଳକୁ ହାଇଦ୍ରାବାଦ ଛାଡ଼ି ମୁମ୍ବାଇରେ । ମୋର କିଛି ସାଙ୍ଗ ସେଠି ପାଠପଢ଼ା ସାରି ଚାକିରୀ କରୁଥା’ନ୍ତି ତ କିଛି ଅନ୍ୟ ସହରରେ ଥାଆନ୍ତି । ଆବେଦନର କିଛିଦିନ ପରେ ପ୍ରବେଶିକା ପରୀକ୍ଷା ପାଇଁ ଡାକରା ଆସିଲା ଓ ଜୀବନରେ ପ୍ରଥମ ଥର ପାଇଁ ମୁଁ ମୁମ୍ବାଇ ବାହାରିଲି । ବାଣୀବିହାରରେ ଥିବା ବେଳେ ମୋର ଜଣେ ରୁମ୍ ମେଟ୍ର ଗାଁ ପିଲା ସାଙ୍ଗ ମୁମ୍ବାଇରେ ଥାଏ । ତା’ ନାଁ ନିରାକାର । ସେ ମୋତେ ବି ଜାଣିଥାଏ । କାରଣ ମୁମ୍ବାଇ ଯିବା ଆସିବା ବେଳେ ସେ ଥରେ ଦୁଇ ଥର ଆମ ହଷ୍ଟେଲ୍ ରୁମ୍ରେ ରହିଥାଏ । ତାକୁ ଫୋନ୍ କରି ମୋ ଯିବା କଥା କହିଥାଏ । ସେଦିନ ଚର୍ଚ୍ଚଗେଟ୍ରେ ଟ୍ରେନ୍ ପହଂଚିଲା ବେଳକୁ ପ୍ରବଳ ବର୍ଷା । ନିରାକାର ବର୍ଷା ପାଇଁ ମୋ ପାଖରେ ଟିକେ ଡେରିରେ ପହଂଚିଲା ଓ ଆମେ ଟ୍ୟାକ୍ସି କରି ବାହାରିଲୁ ।
ନିରାକାର ଆଡ୍ ଫିଲ୍ମ ତିଆରି କରୁଥିବା ସୁବାଷ ଦେ ଓ ରାଣୀ ବୁରାଙ୍କ ଘରେ ରହୁଥାଏ ହାଉସ୍ ମ୍ୟାନେଜର୍ ଭାବରେ । ରାଣୀ ମ୍ୟାଡମ୍ କିଛି କମ୍ପାନୀଙ୍କ ଫ୍ୟାମିଲି ମ୍ୟାଗାଜିନ୍ର ଡିଜାଇନିଂ କାମ ବି ଧରିଥା’ନ୍ତି । ନିରାକାର ସେସବୁ କାମ ବୁଝାବୁଝି କରୁଥାଏ । ଘରର ରୋଷେଇ ବାସ ପାଇଁ ଗାଁରୁ ବି ଗୋଟେ ପିଲା ନେଇ ରଖିଥାଏ ସେ । ମେରାଇନ୍ ଡ୍ରାଇଭ୍ ପାଖରେ ଗଙ୍ଗା ବିହାରର ଚାରି ମହଲାରେ ସେମାନଙ୍କ ଫ୍ଲାଟ୍ । ବାଲକୋନିରୁ ଅନେଇଲେ ଆଗରେ ଦିଶେ ଆରବ ସାଗର । ରାଣୀ ମ୍ୟାଡମ୍ଙ୍କ ପରିବାର ସେ ଫ୍ଲାଟ୍ରେ ୧୯୩୯ରୁ ରହିଆସୁଥିଲେ । ବାପା ତାଙ୍କର ଏକଦା ଦକ୍ଷୀଣରୁ ଆସି ସେଇଠି ରହିଥିଲେ । ସେଇ ଘରେ ଆସି ସତୁରୀ- ଅଶୀ ଦଶକରେ ରହୁଥିଲେ ନିଜ ନିଜ କ୍ୟାରିଅର ପାଇଁ ସଙ୍ଘର୍ଷ କରୁଥିବା ଜାନୁ ବରୁଆ, ଗିରୀଶ କନ୍ନଡ ଓ ଓମ୍ ପୁରୀଙ୍କ ପରି ସିନେମା ବ୍ୟକ୍ତିତ୍ୱମାନେ । ସେଇ ଘରେ ରହୁଥିବା ବେଳେ ଓମ୍ ପୁରୀ ସତ୍ୟଜିତ ରାୟଙ୍କ “ସଦ୍ଗତୀ”ରେ ଅଭିନୟ ପାଇଁ ସାଇନ୍ କରିଥିଲେ । ମୁଁ ପରେ ଜାଣିଲି ସେ ଘରକୁ ଅନେକ ବଡ଼ ବଡ଼ ଲୋକଙ୍କ ଯିବା ଆସିବା ଥାଏ । ଆନନ୍ଦ ପଟ୍ଟବର୍ଦ୍ଧନ, ସତ୍ୟଦେବ ଦୁବେ, ଶ୍ୟାମ ବେନେଗଲ୍, କୁଲଭୂଷଣ ଖରବନ୍ଦା, ଅଦୁର ଗୋପାଳକୃଷ୍ଣ ଆଦି ଅନେକ ସେଠାକୁ ଆସୁଥିଲେ । ନିରାକାର ମୋତେ ଦେଖାଇ ଦେଇ କହିଥିଲା – ଦେଖ, ଏଇ ପାଖ ଫ୍ଲାଟ୍ରେ ଏକଦା ଅମିତାଭ ବଚ୍ଚନ ରହୁଥିଲେ ଓ ହେଇ ଆର ଫ୍ଲାଟ୍ରେ ରହୁଥିଲେ ତେନ୍ଦୁଲ୍କର । ୧୯୭୩ରେ ରାଣୀ ବୁରା ପୁନେ ଫିଲ୍ମ ଇନିଷ୍ଟିଚ୍ୟୁଟ୍ରୁ ସ୍କ୍ରିନ୍ ପ୍ଲେ ଲେଖାରେ ସ୍ନାତକ କରିଥିଲେ । ପରେ ସହପାଠୀ ସୁବାଷ ଦେ’ଙ୍କୁ ବିବାହ କରି ସେଇ ଫ୍ଲାଟ୍ରେ ରହିଲେ । ଆଗରୁ ମେସ୍ରେ ରହିଲା ପରି ସମସ୍ତେ ରହୁଥିଲେ ସେଇଠି । ଜଣକା ଚାରିଶ କରି ଟଙ୍କା ଦେବାକୁ ହେଉଥିଲା । ଦହି ଭାତ ଖିଆଯାଉଥିଲା ଓ ଶସ୍ତା ବୋଲି ଓଲ୍ଡମଙ୍କ୍ ପିଆଯାଉଥିଲା । କହିବା କଥା ହେଲା, ଅନ୍ୟ ସବୁକିଛି ମେସ୍ ପରି ଥିଲେ ମଧ୍ୟ ରାଣୀ ମ୍ୟାଡମ୍ଙ୍କ ଗୋଟେ ନିୟମ ସମସ୍ତଙ୍କୁ ମାନିବାକୁ ପଡୁଥିଲା । ନିୟମଟି ହେଲା, ଚପଲ ଘର ଭିତରକୁ ପଶିବନି । ଦୁଆରମୁହଁ ପାଖରେ ଚପଲ ରହିବ । ପରେ ନୀରଦ ବାବୁ ଯେବେ ଏନ୍.ଏଫ୍.ଡି.ସି.ର ଆର୍ଥିକ ସହଯୋଗରେ “ମାୟା ମିରିଗ” ତିଆରି କଲେ ସେତେବେଳେ, ସିନେମାରେ ଗୋଟେ ସିନ୍ ଅଛି ଯେଉଁଠି ଚପଲ କାଢ଼ି ପାଦ ଧୋଇ ଘରକୁ ଆସିବା କଥା ସଂଳାପରେ ଅଛି । ନୀରଦ ବାବୁ ଏ ବିଷୟରେ ଏକଦା ରାଣି ମ୍ୟାଡମ୍ଙ୍କୁ କହିଥିଲେ ଯେ, ସେ ଏଇ ଗଙ୍ଗାବିହାର ଘରର ନିୟମକୁ ମନେ ପକାଇ ଏମିତି ପରିବେଶଟିଏ ତିଆରି କରିଥିଲେ ।
ଏଇ ଅଳ୍ପଦିନ ତଳେ “ମାୟା ମିରିଗ” ସିନେମାର ବିଖ୍ୟାତ ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ଘରକୁ ଯାଇଥିଲି ସବିତା ମ୍ୟାଡମ୍ଙ୍କୁ ଭେଟିବାକୁ । କଥା ପ୍ରସଙ୍ଗରେ ସେ ସୁବାଷ ଦେ ଓ ରାଣୀ ବୁରାଙ୍କ କଥା କହିଲେ । ନିରାକାରର କଥା ବି ପଡିଲା । ସେମାନେ, ମାନେ ନୀରଦ ବାବୁ ଓ ସବିତା ମ୍ୟାଡମ୍ ବମ୍ବେ ଗଲେ ରାଣୀ ବୁରାଙ୍କ ଘରେ ରୁହନ୍ତି । ସେମାନେ ସବୁ ବହୁ ଦିନର ପୁରୁଣା ବନ୍ଧୁ । ସେ ହିଁ ମୋତେ କହିଲେ ସୁବାଷ ଦେ ଆଉ ନାହାଁନ୍ତି ଓ ରାଣୀ ମ୍ୟାଡମ୍ ତାଙ୍କର ସେ ଫ୍ଲାଟ୍ ବିକ୍ରୀ କରି ସାରିଛନ୍ତି ।
ଗୋଟେ ଦିନ ପରେ ନିରାକାର ପାଖରୁ ଭଲରେ ବାଟ ଘାଟ ବୁଝି ମୁଁ ଇସେଲ୍ ୱାର୍ଲଡରେ ଥିବା ଜିକା ଚାଲିଲି । ମୋ ପରି ଆହୁରି ଅନେକ ପିଲା ଆସିଥିଲେ । ମୋର କିଛି ପୁରୁଣା ସାଙ୍ଗମାନଙ୍କ ସହ ବି ଦେଖା ହେଲା । ପ୍ରବେଶିକା ପରୀକ୍ଷା ହେଲା ଓ ପରୀକ୍ଷା ପରେ ସାକ୍ଷାତ୍କାର ବି ହେଲା । ସାକ୍ଷାତ୍କାରରେ ମୁଁ ଚମକି ପଡ଼ିଲି । ପାଠ ପଢ଼ିବାକୁ ହେଲେ ମୋତେ ତିନି ଲକ୍ଷ ଟଙ୍କା ଦେବାକୁ ହେବ । ବିଜ୍ଞାପନରେ କିନ୍ତୁ ସେ ବିଷୟରେ କିଛି ଉଲ୍ଲେଖ କରାଯାଇନଥିଲା । ତାପରେ ତିନି ଲକ୍ଷ କିଏ ଆଉ ମୁଁ କିଏ? ଇଏ ୧୯୯୯ ମସିହାର କଥା ।
ନିରାକାର ପାଖକୁ ରାତିରେ ଫେରିଲା ପରେ ରାଣୀ ମ୍ୟାଡମ୍ ପଚାରିଲେ କ’ଣ ହେଲା । ମୁଁ ତିନି ଲକ୍ଷ ଡୋନେସନ୍ କଥା କହିଲି । ସେ ହସିଲେ ଓ ଜିକାର ନିର୍ଦ୍ଦେଶକଙ୍କ ଉପରେ ବିରକ୍ତ ବି ହେଲେ । ତାପରେ ସେ ତାଙ୍କର ଜଣେ ଆନିମେଟର୍ ବନ୍ଧୁଙ୍କୁ ଫୋନ୍ କଲେ ଓ ପରଦିନ ସକାଳୁ ଅନ୍ଧେରୀରେ ଥିବା ୟୁଟିଭି ଅଫିସ୍ କୁ ମୋତେ ଯିବାକୁ କହିଲେ । ଲୋକାଲ୍ ଟ୍ରେନ୍ରେ କେମିତି ଯିବାକୁ ହୁଏ ନିରାକାର ମୋତେ ବୁଝାଇଦେଲା । ପରଦିନ ମୁଁ ଟ୍ରେନ୍ ଧରି ଅନ୍ଧେରୀ ଯିବାକୁ ଚର୍ଚ୍ଚଗେଟ୍ ଚାଲିଲି । ବାଟ ପଚାରି ପଚାରି ୟୁଟିଭି ଅଫିସ୍ରେ ପହଂଚିଲା ପରେ ଜାଣିଲି ରାଣୀ ମ୍ୟାଡମ୍ ମୋତେ ଯାହାଙ୍କୁ ଭେଟିବାକୁ କହିଥିଲେ ସେ ଅଫିସ୍ରୁ ବାହାରି ଗଲେଣି । ମୁଁ ଅବଶ୍ୟ ନିର୍ଦ୍ଧାରିତ ସମୟ ଠାରୁ କିଞ୍ଚିତ୍ ବିଳମ୍ବରେ ପହଞ୍ଚିଥିଲି । ଫେରିଲା ପରେ ରାଣୀ ମ୍ୟାଡମ୍ ନିରାକାରକୁ କହିଲେ ମୋତେ ନେଇକି ତାଙ୍କ ସେଇ ବନ୍ଧୁଙ୍କ ଘରକୁ ଯିବାକୁ । ପରଦିନ ରବିବାର ଥିଲା । ନିରାକାର ସାଙ୍ଗରେ ମୁଁ ହାଜି ଅଲ୍ଲୀ ଅଞ୍ଚଳକୁ ଚାଲିଲି । ଯାହାଙ୍କୁ ଭେଟିଲି ସେ ଜଣେ ପତଳା ଗଢ଼ଣର ଗୋରା ରଙ୍ଗର ଡେଙ୍ଗା ବୟସ୍କ ଲୋକ ଥିଲେ । ତାଙ୍କ ନାଁ ହେଉଛି ରାମମୋହନ । ଚକଚକିଆ ଘର । ଝରକାରୁ ଦୁଶୁଥାଏ ଆରବ ସାଗର । ସେ ମୋ ସ୍କେଚ୍ ସବୁ ଦେଖିଲେ ଓ ତାଙ୍କ ଆଗରେ କିଛି ଗୋଟେ ଆଙ୍କିବାକୁ ବି କହିଲେ । ତାପରେ କହିଲେ ପନ୍ଦର ଦିନ ଆଗରୁ ଆସିଥିଲେ ଆରମ୍ଭ ହୋଇଥିବା ନୂଆ ବ୍ୟାଚ୍ରେ ସ୍ଥାନ ମିଳିଯାଇଥା’ନ୍ତା । ଏବେ ଆଉ କିଛି କରାଯାଇପାରିବନି । ପର ବ୍ୟାଚ୍ ଆରମ୍ଭ ହେଲେ ସେ ନିଶ୍ଚୟ ଖବର ଦେବେ । ଆମେ ଦୁହେଁ ଚା’ ଜଳଖିଆ ଖାଇ ସେଠୁ ବାହାରି ଆସିଲୁ । ଅଧିକା ଗୋଟେ ଦିନ ସେଠାରେ ରହି ମୁଁ ଓଡ଼ିଶା ପଳେଇ ଆସିଲି ଓ ନିରାକାରର ଫୋନ୍କୁ ଅପେକ୍ଷା କରି ରହିଲି ।
କିଛିଦିନ ପରେ ଓଡ଼ିଶା ଉପରକୁ ମାଡ଼ିଆସିଲା ପ୍ରଳୟଙ୍କରୀ ମହାବାତ୍ୟା । ଭୁବନେଶ୍ୱର ସହରର ଲ୍ୟାଣ୍ଡଲାଇନ୍ ଫୋନ୍ ସବୁ ଅନେକଦିନ ଧରି ଅଚଳ ହୋଇ ରହିଲେ । ପରେ ଜାଣିଲି ସେଇ ଭିତରେ ନିରାକାର ମୋ ସହ ଯୋଗାଯୋଗ କରିବାକୁ ବହୁତ ଚେଷ୍ଠା କରିଛି କିନ୍ତୁ ମୋର ଫୋନ୍ ଅଚଳ । ଫୋନ୍ ଠିକ୍ ହେଲା ପରେ ଓ ମୁଁ ନିରାକାର ପାଖରୁ ଖବର ପାଇଲାବେଳକୁ ରାମମୋହନଙ୍କର ଆଉ ଗୋଟେ ବ୍ୟାଚ୍ ଆରମ୍ଭ ହୋଇସାରିଥିଲା । ମୋର ଆଉ କିନ୍ତୁ ଆନିମେଟର୍ ହେବା ନୋହିଲା ।
ଅନେକ ବର୍ଷ ପରେ ଦିଲ୍ଲୀରେ ରହୁଥିବା ବେଳେ ଆନିମେସନ୍ କରୁଥିବା ଜଣେ ଓଡ଼ିଆ ପିଲାର ଘରକୁ ଯାଇଥାଏ । କଥା ପଡୁପଡୁ ମୁଁ ଆନିମେସନ୍ ପଢ଼ିବି ବୋଲି ଏକଦା ଯୋଜନା କରିଥିବା କଥା କହିଲି ଓ ରାମମୋହନଙ୍କ ସହ ମିଶିବା କଥା କହିଲି । ସେ ପିଲା ହିଁ ସେଦିନ କହିଥିଲା ଆନିମେସନ୍ ଜଗତରେ ରାମମୋହନ କିଏ । ସେ ପିଲା ରାମମୋହନଙ୍କୁ ଦେବତା ବୋଲି ଭାବୁଥିଲା ଓ ମୁଁ ଏମିତି ଏକ ସୁଯୋଗ ହାତ ଛଡ଼ା କରିଥିବା କଥା କହି ବିସ୍ତାପି ହେଲା । ମୁଁ ଅବଶ୍ୟ ଆଉ ଆନିମେସନ୍ କଲିନି କି ଆନିମେଟର୍ ହେଲିନି ବୋଲି ଦୁଃଖ କରୁନଥିଲି । ସେଦିନ କିନ୍ତୁ ଖୁସି ହୋଇଥିଲି ଯେ, ଭାରତୀୟ ଆନିମେସନ୍ର ପିତାଙ୍କ ସହ ମୁଁ ଏକଦା ମିଶି ପାରିଥିଲି ଓ ସେ ମୋତେ ମୋ କାମ ଦେଖି ଆନିମେସନ୍ ଶିଖାଇବାକୁ ରାଜି ହୋଇଥିଲେ । ତାପରେ ପୁଣି ବେଶ୍ କିଛି ବର୍ଷ ବିତିଗଲା । ପୁଣି ଥରେ ରାମମୋହନ ମନେପଡ଼ିଲେ । କାରଣ ୧୧ ଅକ୍ଟୋବର, ୨୦୧୯ ତାରିଖରେ ତାଙ୍କର ଦେହାନ୍ତ ଖବର ସୋସିଆଲ୍ ମିଡିଆରେ ଦେଖିଲି ।
ରାମମୋହନଙ୍କୁ ଫାଦର ଅଫ୍ ଭାରତୀୟ ଆନିମେସନ୍ କୁହାଯାଏ । ସେ କିନ୍ତୁ କୁହନ୍ତି ପ୍ରକୃତରେ ସେ ନୁହଁନ୍ତି ଦାଦା ସାହେବ ଫାଲ୍କେଙ୍କୁ ବରଂ ଫାଦର ଅଫ୍ ଭାରତୀୟ ଆନିମେସନ୍ କୁହାଯିବା ଉଚିତ । ରାମମୋହନଙ୍କ ଜନ୍ମ ୧୯୩୧ ମସିହା ଅଗଷ୍ଟ ୨୬ ତାରିଖରେ ହୋଇଥିଲା । ୮୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିଲା ୧୧ ଅକ୍ଟୋବର, ୨୦୧୯ରେ । ରାମମୋହନ ମାଡ୍ରାସ୍ ୟୁନିଭର୍ସିଟିରୁ ରସାୟନ ବିଜ୍ଞାନରେ ସ୍ନାତକ କରିଥିଲେ । ତାପରେ ଉଚ୍ଚଶିକ୍ଷା ପାଇଁ ବମ୍ବେ ବାହାରି ଆସିଥିଲେ । ପିଲାଦିନରୁ ତାଙ୍କର କାର୍ଟୁନ ଆଙ୍କିବାରେ ପ୍ରବଳ ସଉକ ଥିଲା । କିନ୍ତୁ ସେ ସମୟରେ ଭାରତରେ ଆନିମେସନ୍ ଶିଖିବାର କିଛି ସୁଯୋଗ ନଥିଲା । ସେତିକିବେଳେ ଫିଲ୍ମ ଡିଭିଜନ୍ ବିଜ୍ଞାପନ ଦେଲା ଯେ, ସେମାନେ ୟୁନାଇଟେଡ୍ ଷ୍ଟେଟ୍ ଟେକ୍ନିକାଲ୍ ଏଣ୍ଡ ପୋଗ୍ରାମ୍ରେ ଡିସ୍ନି ପାଖରୁ ଗୋଟେ ଆନିମେସନ୍ କ୍ୟାମେରା ପାଇଛନ୍ତି । ତା’ ସାଙ୍ଗରେ ଡିସ୍ନି ଷ୍ଟୁଡିଓର ଆନିମେଟର୍ ଜଣେ ବି ଆସି ପହଞ୍ଚିଛନ୍ତି ଉତ୍ସାହୀମାନଙ୍କୁ ଆନିମେସନ୍ ବିଷୟରେ ଶିକ୍ଷା ଦେବାକୁ । ରାମମୋହନ ଆଉ ବିଳମ୍ବ ନକରି ରସାୟନ ବିଜ୍ଞାନ ଛାଡ଼ି, ପାଠପଢ଼ା ଛାଡ଼ି ଫିଲ୍ମ ଡିଭିଜନ୍ରେ ପହଞ୍ଚିଗଲେ । ସେତେବେଳେ ଚେକୋସ୍ଲୋଭାକିଆରେ ଆନିମେସନ୍ ଶିଖିଥିବା ଆମ ଓଡ଼ିଆ ନିର୍ଦ୍ଦେଶକ ପ୍ରମୋଦ ପତି ମଧ୍ୟ ଫିଲ୍ମ ଡିଭିଜନ୍ରେ କାମ କରୁଥା’ନ୍ତି । ପ୍ରମୋଦ ପତିଙ୍କୁ ଆଜି ବି ଅନେକ ଓଡ଼ିଆ ଜାଣନ୍ତି ନାହିଁ । କିନ୍ତୁ ପରୀକ୍ଷାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ତାଙ୍କର ବିଶେଷ ପାରଦର୍ଶିତା ଥିଲା ।
ରାମମୋହନ ଜଣେ ଆନିମେଟର୍ ଭାବରେ ଫିଲ୍ମ ଡିଭିଜନ୍ରେ ୧୯୬୦ ପର୍ଯ୍ୟନ୍ତ କାମ କରିଥିଲେ । ତାପରେ ପ୍ରସାଦ ପ୍ରଡକ୍ସନ୍ରେ ମୂଖ୍ୟ ଆନିମେଟର୍ ଭାବରେ ଯୋଗ ଦେଇଥିଲେ । ୧୯୭୨ରେ ରାମମୋହନ ନିଜର ପ୍ରଯୋଜନା ସଂସ୍ଥା ରାମମୋହନ ବାୟୋଗ୍ରାଫିକ୍ସ ପ୍ରତିଷ୍ଠା କରିଥିଲେ । ତାଙ୍କ ସାଙ୍ଗରେ ଯୋଗ ଦେଇଥିଲେ ଏସ.ଜି.ନାଇକ୍-ସତାମ, ଏମ୍.ଆର୍.ପାରୁଲେକର୍ ଓ ଭୀମସେନ । ସେମାନେ ମିଶି ‘ବାପରେ ବାପ’, ‘ତରୁ’, ‘ସ୍ୱର ସଙ୍ଗମ’, ‘ୟୁ ସେଡ୍ ଇଟ୍’ ଆଦି ପୁରସ୍କାର ପ୍ରାପ୍ତ ଛୋଟ ସିନେମା ସବୁ ତିଆରି କରିଥିଲେ । ପରିବାର ନିୟନ୍ତ୍ରଣ ଉପରେ ତିଆରି ‘ବାପରେ ବାପ’ ସିନେମା ୧୯୬୯ରେ ଜାତୀୟ ପୁରସ୍କାର ପାଇଥିଲା । ‘ୟୁ ସେଡ୍ ଇଟ୍’ ୧୯୭୨ରେ ଶ୍ରେଷ୍ଠ ଆନିମେସନ୍ ସିନେମା ଭାବରେ ପୁରସ୍କାର ପାଇଥିଲା । ରାମମୋହନ କାର୍ଟୁନ୍ ଆଙ୍କିବା କାହାପାଖରୁ ଶିଖିନଥିଲେ । ସେ ଯାହା କରୁଥିଲେ ନିଜେ ନିଜେ ଶିଖିଥିଲେ । ରାମମୋହନ ପ୍ରଥମେ ‘ଇଲୁଷ୍ଟ୍ରେଟେଡ୍ ଉଇକ୍ଲି’ରେ କାର୍ଟୁନ୍ ଆଙ୍କି ଛାପୁଥିଲେ । ତାପରେ ସେ ‘ଜାତକ କଥା’କୁ ନେଇ ଡିସ୍ନି ଶୈଳୀରେ ‘ବାନିୟନ୍ ଟ୍ରି’ ନାମରେ ଏକ ଆନିମେସନ୍ ସିନେମା ତିଆରି କରିଥିଲେ । ଯେଉଁଥିରେ ସେ ଅଜନ୍ତା ଭିତ୍ତିଚିତ୍ରର ଚିତ୍ରଭାଷାକୁ ବ୍ୟବହାର କରିଥିଲେ ।
ତାଙ୍କ ବାୟୋଗ୍ରାଫିକ୍ ସଂସ୍ଥା ସତ୍ୟଜିତ ରାୟଙ୍କ ‘ସତରଞ୍ଜି କି ଖିଲାଡି’, ଗୁଲଜାରଙ୍କ ‘ଅଙ୍ଗୁର’, ବି.ଆର.ଚୋପ୍ରାଙ୍କ ‘ପତି ପତ୍ନୀ ଅର ୱ’ ଏବଂ ମୃଣାଳ ସେନ୍ଙ୍କ ‘ଭୂବନ ସୋମ’ ସିନେମାରେ ଥିବା ଆନିମେସନ୍ ଅଂଶଗୁଡ଼ିକୁ ତିଆରି କରିଥିଲା । ଫିଲ୍ମ ଡିଭିଜନ୍ରେ କାମ କଲାବେଳେ ରାମମୋହନ ଅନେକଗୁଡ଼େ ସିନେମା ପାଇଁ ସ୍କ୍ରିପ୍ଟ ଓ ଚରିତ୍ର ତିଆରି କରିଥିଲେ ।
ରାମମୋହନଙ୍କର ଭାରତୀୟ ବିଜ୍ଞାପନ ସିନେମାରେ ଆନିମେସନ୍ର ଅଧିକରୁ ଅଧିକ ବ୍ୟବହାର ପଛରେ ବିଶେଷ ଅବଦାନ ରହିଛି । ତାଙ୍କ ଯୋଗୁଁ ଭାରତୀୟ ବିଜ୍ଞାପନରେ ଆନିମେସନ୍ର ବ୍ୟବହାର ବଢ଼ିଛି । ୧୯୬୦ ରୁ ୧୯୯୦ ପର୍ଯ୍ୟନ୍ତ ଟି.ଭି ପରଦାରେ ବାରବାର ଦିଶୁଥିବା ନଟରାଜ ପେନସିଲ୍, ଏଭାରେଡି ବ୍ୟାଟେରୀ, ଅମୁଲ୍, ଟପ୍ ରେହେମାନ୍ ଓ ମ୍ୟାଗି ନୁଡୁଲ୍, ଷ୍ଟ୍ରେପ୍ସିଲ୍, ବାଟା ଚପଲ ଏବଂ କାଡବେରୀ ଜେମସ୍ ଆଦିର ବିଜ୍ଞାପନ ଅନେକଙ୍କର ମନେଥିବ । ସେ ସବୁର ଆନିମେସନ୍ ଭାଗଟି ରାମମୋହନ ତୁଲାଉଥିଲେ । ସେ ସମୟରେ ବେଶି କେହି ଆନିମେସନ୍କୁ କ୍ୟାରିୟର ଭାବରେ ଗ୍ରହଣ କରିବାକୁ ପସନ୍ଦ କରୁନଥିଲେ । ରାମମୋହନଙ୍କ କମ୍ପାନୀ ମାତ୍ର ୧୦ରୁ ୧୫ ଜଣଙ୍କୁ ନେଇ ଆରମ୍ଭ ହୋଇଥିଲା ଓ ଦୀର୍ଘ ପଚିଶ ବର୍ଷ ପରେ ବନ୍ଦ ହେଲାବେଳକୁ ସେଠି ମାତ୍ର ୨୫ ଜଣ ଲୋକ କାମ କରୁଥିଲେ ।
୧୯୮୪ରେ ରାମମୋହନ ଗୋଟିଏ ବଡ଼ କାମରେ ହାତ ଦେଲେ । କାମଟି ହେଲା, ଭାରତୀୟ ମହାକାବ୍ୟ ‘ରାମାୟଣ’କୁ ଆନିମେସନ୍ ରୂପ ଦେବା । ଜାପାନର ୟୁଗୋ ସାକୋ ନାମରେ ଜଣେ ଡକ୍ୟୁମେଣ୍ଟାରୀ ସିନେମା ନିର୍ମାତା ‘ରାମାୟଣ’ ପଢ଼ି ତାକୁ ଏକ ଆନିମେସନ୍ ସିନେମା କରିବାକୁ ଚାହିଁଲେ । ସେ ନିଜେ କିନ୍ତୁ ଆନିମେସନ୍ ଜାଣିନଥିଲେ ଓ ‘ରାମାୟଣ’କୁ ଠିକ୍ରେ ଉପସ୍ଥାପନା କରିବାକୁ ଜଣେ ଭାରତୀୟ ସହଯୋଗୀ ଖୋଜୁଥିଲେ । ସିନେମାର ନିର୍ଦ୍ଦେଶନା ଦେଉଥା’ନ୍ତି କୋଇଚି ସାସାକି । ୧୩୫ ମିନିଟ୍ ଅବଧିର ଏହି ସିନେମାର ନାମ ହେଲା ‘ରାମାୟଣ: ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ । ରାମମୋହନ ସେଥିରେ ସହଯୋଗୀ ନିର୍ଦ୍ଦେଶକ ଭାବରେ ଯୋଗ ଦେଲେ । ପ୍ରାଥମିକ ଯୋଜନା ହିସାବରେ ସିନେମା ଭାରତ ଓ ଜାପାନର ମିଳିତ ପ୍ରକଳ୍ପ ଭାବରେ ତିଆରି ହେବାର ଥିଲା । ରାମାୟଣର ଚରିତ୍ରମାନଙ୍କୁ କାର୍ଟୁନ୍ ଭାବରେ ଚିତ୍ରଣ କରିବାକୁ ହିନ୍ଦୁତ୍ୱବାଦୀମାନଙ୍କ ବିରୋଧକୁ ସରକାର ସମ୍ମାନ ଦେଇ ପ୍ରକଳ୍ପରେ ସାମିଲ୍ ହେଲେ ନାହିଁ । ରାମମୋହନଙ୍କର ଏଇଟି ଗୋଟେ ସ୍ୱପ୍ନର ପ୍ରକଳ୍ପ ଥିଲା କିନ୍ତୁ କିଛି ହିନ୍ଦୁତ୍ୱ ଗୋଷ୍ଠୀଙ୍କ ବିରୋଧ ଯୋଗୁଁ ସିନେମାଟି ଭାରତରେ ଠିକ୍ରେ ରିଲିଜ୍ ମଧ୍ୟ ହୋଇ ପାରିଲାନି । ମୁମ୍ବାଇରେ ସିନେମାର ପ୍ରିମିୟର୍ ସୋ ରେ ମାତ୍ର ଚାଳିଶରୁ ବି କମ୍ ଲୋକ ଯୋଗ ଦେଇଥିଲେ । ୧୯୯୨ରେ ଆରମ୍ଭ ହୋଇ ସିନେମା ୧୯୯୪ରେ ସରିଥିଲା । ଘଟଣାଟି ଦୁଃଖଦାୟକ ଥିଲା ଓ ଭାରତୀୟ ଆନିମେସନ୍ ବିଶ୍ୱ ଦରବାରରେ ଯେଉଁ ଦମ୍ଭ ପଣରେ ଠିଆ ହେବାର ସୁଯୋଗ ପାଇଥିଲା ସେଇଟି ହାତରୁ ଖସିଗଲା । ସିନେମାରେ ଅରୁଣ ଗୋଭିଲ୍ ଶ୍ରୀରାମଙ୍କ ସ୍ୱର ଦେଇଥିବା ବେଳେ ଲଙ୍କା ନରପତି ରାବଣ ପାଇଁ ସ୍ୱର ଦେଇଥିଲେ ଅମରେଶ ପୁରୀ । ସିନେମାରେ ଆହୁରି ଅନେକ ଭାରତୀୟ ଲୋକଙ୍କର ଭିନ୍ନ ଭିନ୍ନ ଯୋଗଦାନ ଥିଲା । ଭାରତରେ ନ ଚାଲିଲେ ମଧ୍ୟ ସିନେମାଟି ଜାପାନରେ ସଗୌରବେ ତା’ର ପଚିଶତମ ଜନ୍ମଦିନ ବେଶ ଧୂମ୍ଧାମ୍ରେ ପାଳନ କରିଥିଲା । ସିନେମା ହଲ୍ରେ ନଚାଲିଲେ ମଧ୍ୟ ପରେ ରାମାୟଣ ଦୂରଦର୍ଶନ ଓ କାର୍ଟୁନ୍ ନେଟୱର୍କରେ ପ୍ରଦର୍ଶିତ ହେଲା ଓ ସିଡି ଏବଂ ଡିଭିଡି ସବୁ ବଜାରକୁ ଆସିଲା ପରେ ଲୋକପ୍ରିୟ ହେଲା ।
୧୯୯୦ରେ ରାମମୋହନ ୟୁନିସେଫର ‘ମିନା’ ଚରିତ୍ରକୁ ନେଇ ଅନେକ ସିନେମା ତିଆରି କରିଥିଲେ । ‘ମିନା’ ଚରିତ୍ର ବିଷୟରେ ସେ ସମୟର ଲୋକେ ନିଶ୍ଚୟ ମନେ ରଖିଥିବେ । ‘ମିନା’ର ସିନେମାଗୁଡ଼ିକ କେବଳ ଭାରତ ନୁହେଁ ଆମ ପଡ଼ୋଶୀ ଦେଶ ବାଂଲାଦେଶ, ପାକିସ୍ଥାନ ଓ ନେପାଳରେ ମଧ୍ୟ ପ୍ରଦର୍ଶିତ ହେଇ ଲୋକପ୍ରିୟ ହୋଇଥିଲା । ପ୍ରକୃତରେ ‘ମିନା’ ତିଆରି ହୋଇଥିଲା ବାଂଲାଦେଶ ପାଇଁ । ସାମାଜିକ ସମସ୍ୟା, ବିଶେଷ କରି ଲିଙ୍ଗଗତ ବୈଷମ୍ୟକୁ ଆଧାର କରି କିଛି ଆନିମେସନ୍ ସିନେମା କରିବାକୁ ରାମମୋହନଙ୍କୁ ବଙ୍ଗଳାଦେଶର ୟୁନିସେଫ୍ ମୁଖ୍ୟ ଅନୁରୋଧ କରିଥିଲେ । ‘ମିନା’ ସେ ସମୟରେ ଏତେ ଲୋକପ୍ରିୟ ଓ ସଫଳ ଥିଲା ଯେ ୟୁନିସେଫ୍ ରାମମୋହନଙ୍କୁ ଆଫ୍ରିକା ମହାଦେଶ ପାଇଁ ସେମିତି ଏକ ସାନ ଝିଅର ଚରିତ୍ର ତିଆରି କରିବାକୁ ଅନୁରୋଧ କରିଥିଲେ ଓ ରାମମୋହନ ସେଥିପାଇଁ ‘ସାରା’ ଚରିତ୍ର ତିଆରି କରିଥିଲେ ।
ରାମମୋହନ ଦେଖିଲେ ତାଙ୍କ କମ୍ପାନୀ ଆଉ ବେଶି କିଛି ଆଗକୁ ବଢୁନି ଓ ଚାରି ପାଖରେ ଆନିମେସନ୍ ପ୍ରତି ଧିରେ ଧିରେ ଆଗ୍ରହ ବଢୁଛି । ଠିକ୍ ସେତିକିବେଳେ ୟୁଟିଭିର ରୋନି ସ୍କୃୱାଲା ରାମମୋହନଙ୍କୁ ମିଶି କିଛି ଗୋଟେ କରିବାକୁ ପ୍ରସ୍ଥାବ ଦେଲେ । ରାମମୋହନ ରାଜି ହେଲା ପରେ ଦୁହେଁ ଲସ୍ ଏଞ୍ଜେଲସ୍ ବାହାରିଗଲେ । ଉଦ୍ଦେଶ୍ୟ ଥିଲା ଡିସ୍ନି ଓ ଫକ୍ସ ଷ୍ଟୁଡିଓ ବୁଲିବା । ସେଠାର ଆନିମେସନ୍ର କ୍ୱାଲିଟି ବହୁତ ଭଲ ଥିଲା । ତେବେ ରାମମୋହନ ତାଙ୍କ ପୁରୁଣା ଆନିମେସନ୍ କିଛି ଦେଖାଇଲା ପରେ କାମ କିନ୍ତୁ ମିଳିଗଲା । ପ୍ରଥମ କାମ ମିଳିଲା ‘ଓଲିଭର୍ ଟୁଇଷ୍ଟ’ । ଯେଉଁଠି ଓଲିଭର ଗୋଟେ କୁକୁରର ନାଁ ଥିଲା । କାମ ତ ମିଳିଗଲା, ହେଲେ ଅଭାବ ଥିଲା ଆନିମେଟର୍ଙ୍କର । ୧୯୯୭ରେ ରାମମୋହନଙ୍କ କମ୍ପାନୀ ରାମମୋହନ ବାୟୋଗ୍ରାଫିକ୍ସ ୟୁଟିଭି ସହ ମିଶିଗଲା ଓ ତିଆରି ହେଲା ଆର.ଏମ୍-ୟୁ.ଏସ୍.ଏଲ୍ । ପରେ ତା’ ନାମ ହେଲା ୟୁଟିଭି ଟୁନ୍ସ । ସେ ସମୟରେ ସେଇଟି ଭାରତର ସବୁଠୁ ବଡ଼ ଆନିମେସନ୍ ଷ୍ଟୁଡିଓ ଥିଲା । ଭାରତ ଓ ଭାରତ ବାହାରର ଅନେକ ବରାଦି ଆନିମେସନ୍ କାମ ସେଠି କରାଯାଉଥିଲା । ମୁଁ ରାମମୋହନଙ୍କ ସହ ମିଶିଥିବା ବେଳେ ରାମମୋହନ ୟୁଟିଭି ବିଲ୍ଡିଙ୍ଗରେ ବସୁଥିଲେ । ୨୦୦୦ ମସିହା ବେଳକୁ ଭାରତରେ ଅନେକ ଆନିମେସନ୍ ଷ୍ଟୁଡିଓ ହୋଇସାରିଥିଲା ଓ ସେମାନେ ପରସ୍ପର ଭିତରେ ପ୍ରତିଯୋଗିତା କରି ଧିରେ ଧିରେ ଦର ଏତେ କମେଇଦେଲେ ଯେ ଆଉ ଭଲ କାମ କରିହେଲାନି । ଭାରତୀୟ ଆନିମଏସନ୍ ବଜାରର ଏପରି ଆତ୍ମଘାତୀ ବ୍ୟବହାରରେ ବିଦେଶର କାମ ସବୁ ବେଶୀ ଭାଗ ଚୀନ୍ ପଳେଇଲା । ଫଳରେ ରାମମୋହନ ଭାରତୀୟ ଆନିମେସନ୍ ଓ ନୂଆ ପିଢ଼ୀର ଆନିମେଟର୍ଙ୍କୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଅଧା ରହିଗଲା ।
ସେଇଠି ରାମମୋହନ ତାଙ୍କର ଶେଷ ସମୟର ଅନେକ ସିନେମା ତିଆରି କରିବା ସହ ନୂଆ ଯୁବ ଆନିମେଟର୍ଙ୍କୁ ପ୍ରଶିକ୍ଷଣ ବି ଦେଉଥିଲେ । ୨୦୧୪ରେ ଭାରତୀୟ ଆନିମେସନ୍ର ପିତା କୁହାଯାଉଥିବା ରାମମୋହନଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । ୨୦୦୬ରେ ମୁମ୍ବାଇ ଆର୍ନ୍ତଜାତିକ ଫିଲ୍ମ ଫେଷ୍ଟିଭାଲ୍ରେ ତାଙ୍କୁ ଜୀବନବ୍ୟାପି ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା ।