ଦଶରା’ର ଛବି – ଏକ

ଛବିଟି ଏକ ବିରଳ ଛବି।

ଏହି ଛବିରେ ମା ଦୁର୍ଗା ସାଧାରଣତଃ ଯେମିତି ଆମ ଆଗରେ ମହିଷମର୍ଦ୍ଦିନୀ ରୂପରେ ରହିଥାନ୍ତି,ସେମିତି ନାହାଁନ୍ତି।ଏଠାରେ ସମସ୍ତ ଦେବତାଙ୍କ ମେଳରେ ମାଆ ପ୍ରମୁଖତାର ସହ ଦଶଭୂଜା ଓ ସିଂହବାହିନୀ ଏବଂ ତାଙ୍କର କୋଳରେ ଅଛନ୍ତି ଶିଶୁକୃଷ୍ଣ।

ଛବିର ଶୀର୍ଷକ ହେଉଛି “ଦେବ ଗୋଷ୍ଠ”,
ଯାହାର ଅର୍ଥ ହେବ ସବୁ ଦେବତା ଏକତ୍ର।

ଆମର ଦେବ ଆରାଧନାରେ ସାଧାରଣତଃ ଅନେକ ବିରୋଧାଭାଷ ରହିଥାଏ।ଆମେ ଗୋଟିଏ ଦେବତାଙ୍କ ପ୍ରାଧାନ୍ୟକୁ ସ୍ୱୀକାର କରି ତାଙ୍କର ଅନୁଗାମୀ ହେବା ସହିତ ଅନ୍ୟଯେତେକ ଦେବତା ଅଛନ୍ତି ସେମାନଙ୍କୁ ସାମାନ୍ୟ ନିମ୍ନ ସ୍ଥାନରେ ରଖିଥାଉ।ତେଣୁ ଆମ ପ୍ରତ୍ୟେକଙ୍କ ଦେବବିଚାରରେ ସାର୍ବଭୌମ ଦେବତାଟି ଭିନ୍ନ ଭିନ୍ନ।ସେହି ଅନୁସାରେ ଆମର ପୁରାଣରେ ବି ଗୋଟିଏ ଗୋଟିଏ ଦେବତାଙ୍କୁ ପ୍ରମୁଖତା ପ୍ରଦାନ କରି ଅନ୍ୟ ଦେବତା ମାନଙ୍କୁ ତାଙ୍କର କର୍ତ୍ତୃତ୍ୱାଧୀନ କରି ରଖାଯାଇଥାଏ। ଅନ୍ୟଭାବରେ କହିଲେ ଆମ ବିଶ୍ୱାସରେ ଏକସମୟରେ,ଗୋଟିଏ ଦେବତା ସମସ୍ତ କାଳର ନିୟାମକ କର୍ତ୍ତା ହିସାବରେ ସମସ୍ତ ପାର୍ଥିବ ଘଟଣାର କାରକ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ଦେବତା ମାନେ ସେହି ସମୟରେ ପ୍ରାୟତଃ ସେହି ବର୍ଣ୍ଣିତ ଘଟଣାର ଏକ ଗୌଣଚରିତ୍ର ହିସାବରେ ନିଜର ଉପସ୍ଥିତି ସାବ୍ୟସ୍ତ କରୁଥିବାର ଦେଖାଯାଇଥାଏ।ପୁରାଣ ଭଳି ଆମର ଦେବତାମାନଙ୍କୁ ମୁଖ୍ୟ ଦେବତା ଆଉ ଗୌଣଦେବତା ହିସାବରେ ବାଣ୍ଟିବା କାମ ବି ଆମର ମାଆ ଭଉଣୀ ମାନେ ପାଳନ କରୁଥିବା ସମସ୍ତ ବ୍ରତକଥାରେ ଦେଖାଯାଏ।ଏଠାରେ ଏ ପ୍ରସଂଗଟି ଭିନ୍ନ ହେବ,ଆମର ସମସ୍ତ ବ୍ରତ କାହିଁକି ଯେ ସ୍ତ୍ରୀଲିଙ୍ଗୀ ସେ ବିଷୟରେ ସଠିକ ଶାସ୍ତ୍ରସମ୍ମତ ବ୍ୟାଖ୍ୟା,ଉପସ୍ଥିତ ଲେଖକ ପାଖରେ ନାହିଁ।ସ୍ତ୍ରୀଲୋକର ବାମବାହୁରେ ବ୍ରତଟିଏ ବଂଧା ହୋଇଥିବାର ଦେଖିଲେ ପୁରୁଷତନ୍ତ୍ରର ” ରେଡିଓ କଲାର୍”ଟିଏ ଯେମିତି ଆମର ସାତକୋଶିଆର ସୁଂଦରୀ ବାଘୁଣୀ ଦେହରେ ବଂଧା ହୋଇଛି,ସେମିତି ଭାରି ଦୃଷ୍ଟିକଟୁ ଲାଗେ।ସେ ପ୍ରସଂଗଟି ପରେ କେବେ।

ଏଇଠି ଗୌଣ ଓ ମୁଖ୍ୟ ଦେବତାଙ୍କ ପ୍ରସଂଗ।

ବିଶିଷ୍ଟ ଭାରତୀୟବିତ୍ ପ୍ରଫେସର ସୁକୁମାରୀ ଭଟ୍ଟାଚାର୍ଯ୍ୟଙ୍କ ମତ ଅନୁସାରେ ଆମର ହିନ୍ଦୁ ଚେତନାର ବିବର୍ତ୍ତନର ସାସ୍କୃତିକ ଇତିହାସରେ ଯେଉଁ ଦେବତା ମାନେ କ୍ରମଶଃ ଆମ ଆଗରେ ଐତିହାସିକ ଧାରା ଅନୁସାରେ କ୍ରମଶଃ ଉଦ୍ଭାସିତ ହୋଇଛନ୍ତି ସେମାନେ ବିଷ୍ଣୁଅଂଶୀ ବା ରୁଦ୍ରଅଂଶୀ।ଅର୍ଥାତ୍ ଆମର ଦେବତାମାନଙ୍କର ବର୍ଗ ବିଭାଜନରେ ବିଷ୍ଣୁ ଓ ରୁଦ୍ର ଙ୍କୁ ପ୍ରମୁଖ ଦେବତା ହିସାବରେ ଗ୍ରହଣ କରାଯାଇଛି।ସେଯାହାହେଉ ‘ଦେବତା’ ଶବ୍ଦଟି ସଂସ୍କୃତ ନିୟମଅନୁସାରେ ସ୍ତ୍ରୀଲିଙ୍ଗର ସମସ୍ତ ନିୟମ ଅନୁସରଣ କରୁଥିଲେ ହେଁ ଆମର ଶାସ୍ତ୍ରରେ ସ୍ତ୍ରୀଦେବ ମାନେ ପ୍ରାୟତଃ ଗୌଣ। ଆମେ ଯେଉଁ ଦେବୀମାନଙ୍କୁ ମୁଖ୍ୟାଂଶରେ ରଖିଥାଉ ସେମାନେ ଆମର କାହାଣୀରେ ପ୍ରାୟତଃ ଅଯୋନୀସଂଭୂତା।

ଅଯୋନୀସଂଭୂତା କହିବା ଅର୍ଥ ହେଉଛି ଆମର କଳ୍ପନା ଓ ଆମର ପ୍ରତୀକ ଓ ଆମର ଇଙ୍ଗିତାର୍ଥକୁ ସାବ୍ୟସ୍ତ କରିବା।ଆମର ଦେବତାସମୂହର ସମସ୍ତ ଶକ୍ତିର ଏକ ସମ୍ମିଳିତ ନାରୀରୂପ ହେଉଛନ୍ତି ଦୁର୍ଗା।ତାଙ୍କୁ ପ୍ରମୁଖତା ଦେବାକୁ ଯାଇ ଆମ ଭିତରୁ ଅନେକ ଶାକ୍ତ।ସେହିଭଳି ବିଭିନ୍ନ ଦେବତାକୁ ପ୍ରମୁଖତା ଦେଇ ଆମ ଭିତରୁ କିଏ ଶୈବ,କିଏ ବୈଷ୍ଣବ ତ କିଏ ଗାଣପତ୍ୟ।

ଏଇଠି ପ୍ରଶ୍ନ ଉଠିବ ଗୋଟିଏ ବିଶେଷ ଦେବତାର ପ୍ରାଧାନ୍ୟକୁ ସ୍ୱୀକାର କରୁଥିବା ମଣିଷଟି ଅନ୍ୟ ଦେବତାଙ୍କୁ ଯେମିତି ଗ୍ରହଣ କରୁଥାଏ, ଅର୍ଥାତ୍ ଜଣେ ଶିବଭକ୍ତର ବିଷ୍ଣୁ ତୁଳସୀକୁ ଯେଉଁପରି ସାଧାରଣତଃ ମାନ୍ୟକରେ ଓ ତାହା ପଛରେ ଯେଉଁ ସୂକ୍ଷ୍ମ ଅବଜ୍ଞାଟି ଥାଏ, ସେଥିରୁ ଅସୂୟା ଆସିବା ସ୍ୱାଭାବିକ ।ସାମାଜିକ ବିଘଟନକାରୀ ଦ୍ୱେଷ ବି ଆସିପାରେ।ତେଣୁ ସମସ୍ତ ମୁଖ୍ୟ ଓ ଗୌଣ ଦେବତାଙ୍କୁ ଏକସୂତ୍ରରେ ସମନ୍ୱୟବାଦରେ ବାନ୍ଧିବା ପାଇଁ ସମସ୍ତ ଧର୍ମାଚାରଣ ଉର୍ଦ୍ଧ୍ୱରେ ସଂପ୍ରୀତିର ପ୍ରୟୋଜନ ହୋଇଥାଏ।ସେଇଥିପାଇଁ ସବୁ ଦେବତାଙ୍କୁ ଏକାଠି ହେବାକୁ ପଡିପାରେ ଆମର ପୁରାଣର ପ୍ରଭାସ କ୍ଷେତ୍ରରେ। ସବୁ ଦେବତା ମାନେ କୌଣସି ଦେବକୃତକୁ ବଧେଇ ଜଣାନ୍ତି ଆକାଶରୁ ପୁଷ୍ପବୃଷ୍ଟି କରି।ଦେବହରଙ୍କର ଆଦୌ ନୁହଁ,ହରିଦେବଙ୍କର ସମସ୍ତ “ମିଁ ଠୁ” ସତ୍ତ୍ୱେ ହରିହର ଏକାଠି ହୋଇଯାଆନ୍ତି।ସବୁବେଳେ।

ଏଇଠି ସେମିତି ଏକ “ଦେବ ଗୋଷ୍ଠ”ରେ ମାଆ ଦୁର୍ଗା ଆଉ ତାଙ୍କ କୋଳରେ ଅପୂର୍ବ ଲାସ୍ୟରେ ଶିଶୁକୃଷ୍ଣ।ବୈଷ୍ଣବ ଓ ଶାକ୍ତ ଧର୍ମାଚାରଣର ଅପୂର୍ବ ସମନ୍ୱୟର ପ୍ରତୀକ।ଏ ପ୍ରସଂଗରେ କହିବା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଆମର ଊନବିଂଶ ଶତାବ୍ଦୀ ର ଶେଷ ଆଡକୁ ଆମର କାଲେଣ୍ଡର ଚିତ୍ରରେ ଏହି ପ୍ରକାର ସମନ୍ୱୟବାଦୀ ଦୃଷ୍ଟିଭଂଗୀର ପ୍ରତିଫଳନ ଘଟିଥିଲା।ଆମର କାଲେଣ୍ଡର ଚିତ୍ରକଳା କହିବାକୁଗଲେ ଆମର ତତ୍କାଳୀନ ସାମାଜିକ ମାନସିକତାର ଏକ ନିରବଚ୍ଛିନ୍ନ ଉଦଘୋଷକ ଥିଲା।ଉପସ୍ଥିତ ଲେଖକ ମହାତ୍ମାଗାନ୍ଧୀ ଙ୍କୁ ନିଜର ଛାତିଚିରି ଦେଖାଇବାର କାଲେଣ୍ଡରଟିର ପ୍ରତିଛବି ଟିଏ ଦେଖିଛି।ସେ ବିଷୟରେ ପରେ କେବେ।ଆପଣମାନେ ଆଶ୍ଚର୍ଯ୍ୟହେବେ ଗାନ୍ଧିଜୀ ନିଜର ଛାତି ଚିରି ଯାହାକୁ ଦେଖାଇଛନ୍ତି ସେ କାଲେଣ୍ଡର ଛବିରେ, ସେ ଆଉ କେହି ନୁହଁ।ସେ ଶହୀଦ ଭଗତ ସିଂ।କହିବା କଥା ହେଉଛି ଜନମାନସର ଧାରଣା ଗାନ୍ଧିଜୀ ଓ ଭଗତ ସିଂ କୁ ନେଇ ସେତେବେଳେ ଏହିଭଳି ରୂପ ନେଉଥିଲା।ଏଇ ପ୍ରସଂଗ ପରେ କେବେ।

“ଦେବ ଗୋଷ୍ଠ” ବୋଲି ଯେଉଁ ଛବିଟି ର ଊଲ୍ଲେଖ କରାଯାଉଛି ତାହା ବସ୍ତୁତଃ ଏକ
କାଲେଣ୍ଡର ଛବି ଏବଂ ଏକ ଲିଥୋଗ୍ରାଫ।

ଲିଥୋଗ୍ରାଫ୍ ସଂପର୍କରେ ମୋର ଧାରଣା ସେତେ ସ୍ପଷ୍ଟ ନୁହଁ।ଅନୁଜ ବିଶିଷ୍ଟ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କ ଠାରୁ ଏ ବିଷୟରେ ବୁଝିବାକାମଟି ନିଜର ଅବହେଳା ଯୋଗୁ ସ୍ଥଗିତ ଅଛି ।ଏଇ ଲିଥୋଗ୍ରାଫ୍(ଏଇଟି ଏକ ଲିଥୋଗ୍ରାଫ୍ ବୋଲି ମୁଁ ଗୋଟିଏ ସୂତ୍ରରୁ ପଢିଛି।ଯଦି ଏହା ଲିଥୋଗ୍ରାଫ୍ ହୋଇ ନଥିବ ତେବେ ଦୁଃଖିତ କାରଣ ସବୁ ସହାୟକ ତଥ୍ୟ ସଠିକ ହୋଇ ନଥାନ୍ତି)ଟି କଲିକତାର “ଚୋର୍ ବାଗାନ୍ ଆର୍ଟ ଷ୍ଟୁଡିଓ”ରେ ମୁଦ୍ରିତ ।

ଏହି ଛବିଟିର ମୁଦ୍ରଣ ସମୟ ୧୯୩୦ ଖ୍ରୀଷ୍ଟାବ୍ଦ।

ମାଆ ଦୁର୍ଗା କୋଳରେ ଶିଶୁକୃଷ୍ଣଙ୍କ ସହ ଆମର ସମସ୍ତ ସାମାଜିକ ବିଘଟନକାରୀଙ୍କୁ ପ୍ରତିହତ ପୂର୍ବକ ଆମକୁ ଏ ମହାପାର୍ବଣରେ ଆମର ଇଚ୍ଛାମୁତାବକ ଆନନ୍ଦ ପ୍ରଦାନ କରନ୍ତୁ।

ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →