ପତ୍ରିକା ସମ୍ପାଦନାର ପ୍ରଥମ ପ୍ରେରଣା ଓ ପାଢୀ ସାର୍

ସମ୍ପାଦନା ଅନୁଭୂତି-୧

ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ଅନ୍ତରଙ୍ଗତା ସ୍ଥାପନ କରିବାରେ ଯେଉ ଦୁଇଟି ଅଞ୍ଚଳ ମୋ ଜୀବନରେ ଗୁରୁତ୍ବ ବହନ କରି ଆସିଛି, ସେ ଦୁଇଟି ହେଲା, ଭଞ୍ଜନଗର ଓ ଭଞ୍ଜବିହାର।  ଭଞ୍ଜନଗରରେ ପଢିବା ମୋ ସାହିତ୍ୟିକ ଜୀବନ ପାଇ ଥିଲା ବରଦାନ ସଦୃଶ୍ୟ। ଇଣ୍ଟରମିଡିଏଟରେ ବିଜ୍ଞାନ ବିଷୟରେ ଉତ୍ତୀର୍ଣ୍ଣ ହେଲା ପରେ ଯେତେବେଳେ  ଓଡିଆ ପଢିବାକୁ ସ୍ଥିର କଲି, ସେତେବେଳେ ମୋତେ ପ୍ରେରଣା ଦେଇଥିଲେ ଡ. ନିଶାକର ପାଢୀ ।

ଦ୍ବିତୀୟ ବାର୍ଷିକ ବିଜ୍ଞାନ ପରୀକ୍ଷା ଦେଲାବେଳେ ପାଢୀସାର ପରୀକ୍ଷା ଡ୍ୟୁଟିରେ ଥାଇ ମୋର ହସ୍ତାକ୍ଷରକୁ ତାରିଫ୍ କରିଥିଲେ।  ସୁନ୍ଦର ହସ୍ତାକ୍ଷର ସହ ଚିତ୍ର ଆଙ୍କିବା ଓ ସାହିତ୍ୟ ପ୍ରତି ରୁଚି ଥିବା ଜାଣି ପରେ ସେ ମୋତେ ଘରକୁ ଡାକିଥିଲେ । ଲଣ୍ଡେଇ ସାହିରେ ରହୁଥିବା ପାଢୀ ସାର୍ ସେତେବେଳେ  ଭଞ୍ଜନଗରବାସୀଙ୍କର ଥିଲେ ଅତି ପ୍ରିୟ୍। ନିଜର ପାଠଦାନ ଶୈଳୀ, ଛାତ୍ର ବତ୍ସଳତା ଓ ‘ବହିତ୍ର’ ପତ୍ରିକାର ସମ୍ପାଦକ ଭାବରେ ସେ ଓଡିଶାର ସାହିତ୍ୟିକ ମହଲରେ ଥିଲେ ଚର୍ଚ୍ଚିତ ଓ ଲୋକପ୍ରିୟ। ମିଷ୍ଟଭାଷୀ ପାଢୀ ସାରଙ୍କର ସାହିତ୍ୟ, ରାଜନୀତି, ଧର୍ମ ଓ ସସ୍କୃତି ଆଦି ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହ ସୁସମ୍ପର୍କ ଥିଲା। ବହୁ ସାହିତ୍ୟିକ ଓ ସାହିତ୍ୟ ପତ୍ରିକାର ସେ ଥିଲେ ପ୍ରେରଣାର ଉତ୍ସ।

 ଦିନେ ସନ୍ଧ୍ୟାରେ ଅଗ୍ରଜ ବନ୍ଧୁ ଦିଲୀପ ନନ୍ଦ(ଏବେ ଦିବଙ୍ଗତ)ଙ୍କ ସହ ସାରଙ୍କ ଘରକୁ ଯାଇଥିଲି। ସାର୍ ତଳେ ବସି କିଛି ବହିର ପ୍ରୁଫ୍ କରେକସନ୍ କରୁଥିଲେ। ମୋର ସାହିତ୍ୟ ଓ ଚିତ୍ର ପ୍ରତି ରୁଚି ଥିବା ଜାଣି ବି.ଏ. ରେ ଓଡିଆ ଅନର୍ସ ରଖିବା ପାଇ ପରାମର୍ଶ ଦେଲେ। ସେତେବେଳେ କହିଥିଲେ ” ତମେ ଓଡିଆ ଅନର୍ସ ନେଇ ପଢିଲେ ନିଶ୍ଚୟ ଟପ୍ପର ହେବ। ” ସାରଙ୍କର ଅନେକ ପ୍ରେରଣାପ୍ରଦ କଥା ଭିତରେ ଏହି ବାକ୍ୟଟି ମୋତେ ବେଶ୍ ଛୁଇଁଥିଲା ଓ ମୁଁ ଓଡିଆ ଅନର୍ସ ନେଇ ବିଏ ପଢିଲି। ସେଇ ସ୍ବପ୍ନରେ ବିଭୋର ହୋଇ ମୁଁ ସାହିତ୍ୟକୁ ଭଲ ପାଇଲି ଓ ସାହିତ୍ୟମନସ୍କ ହେଲି।

ବିଏ ଓଡିଆ ଅନର୍ସରେ ଜଏନ୍ କରିବା ପରେ ମଝିରେ ମଝିରେ ସାରଙ୍କ ଘରକୁ ଯାଏ। ସେଇବର୍ଷ ସାରଙ୍କ ପ୍ରେରଣାରେ ଆରମ୍ଭ ହୋଇଥିଲା ହାତଲେଖା ୱାଲ୍ ମାଗାଜିନ୍ “ତଥାପି”। ଏ ଫୋର୍ ସାଇଜ୍ ଦୁଇପୃଷ୍ଠାରେ ପତ୍ରିକାଟି ପ୍ରକାଶ ପାଉଥିଲା। ପ୍ରଥମ ଦୁଇ ପୃଷ୍ଠାକୁ ଏକାଠି କରି ୨୦/୨୫ ଟି କପି ଜେରକ୍ସ କରି ଦିଆଯାଉଥିଲା। ସେଗୁଡିକ ଷ୍ଟାଫ୍ କମନ୍ ରୁମ୍,  ବୟେସ୍ କମନ୍ ରୁମ, ଲେଡିସ୍ କମନ୍ ରୁମ୍, ପାଠାଗାର, ଓଡିଆ ଓ ଅନ୍ୟାନ୍ୟ ବିଭାଗ ସଂଲଗ୍ନ କାନ୍ଥରେ ଲଗାଯାଉଥିଲା। ସେଥିରେ କେବଳ ଓଡିଆ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ କବିତା, ଗଳ୍ପ ସ୍ଥାନ ପାଉଥିଲା। କବିତା ଗୁଡିକରେ ଯୁବ ବୟସର ପ୍ରେମ, ସ୍ବପ୍ନ ଓ ସ୍ବପ୍ନଭଗ୍ନ ଆଦି ପ୍ରକାଶ ପାଉଥିବାରୁ ଉଭୟ ଛାତ୍ର ଓ ଛାତ୍ରୀମାନଙ୍କ ଦ୍ବାରା ବେଶ ଆଦୃତ ହେଉଥିଲା। କବିତା ଭିତରୁ ପୁଅଝିଅମାନେ ସେମାନଙ୍କ ପ୍ରେମଚର୍ଚ୍ଚା ଆରମ୍ଭ କରିଦେଉଥିଲେ।

‘ତଥାପି’ର ପ୍ରଥମ ସଖ୍ୟାଟି ସାର୍ ନିଜ ହାତରେ ଲେଖିଥିଲେ ଓ ଅଳଙ୍କରଣ କରିଥିଲେ। କବିତାର ଭାବକୁ ଆଧାର କରି ସେଥିରେ କିଭଳି ଚିତ୍ର ଦିଆଯିବ କହୁଥିଲେ । ବିଭିନ୍ନ ପୁରୁଣା ହିନ୍ଦୀ, ଇଂରାଜୀ ପତ୍ରିକା ଓ ରବିବାର ପୃଷ୍ଠାର ରଙ୍ଗୀନ୍ ଚିତ୍ର କାଟି କବିତା ମଝିରେ ଚୁଟକାଉଥିଲେ। ଏସବୁ କ୍ରାଫ୍ଟ କାରିଗରୀ ମୋ ଭିତରେ ପ୍ରେରଣା ଯୋଗାଇଥିଲା। ତାପରେ ପତ୍ରିକାରେ ମୋ ହାତଲେଖା ସ୍ଥାନ ପାଇଲା ଓ ମୁଁ ଅଳଙ୍କରଣ ବି କଲି। ଦୁଇ ତିନୋଟି ସଂଖ୍ୟା ପରେ ମୁଁ ସମ୍ପାଦକ ଦାୟିତ୍ବ ବି ବହନ କଲି। ତେଣୁ ମୋର ପ୍ରଥମ ହାତଲେଖା ସଂପାଦନା ପତ୍ରିକା ହେଉଛି “ତଥାପି”।

କ୍ରମଶ ସେଇ ପତ୍ରିକା ମାଧ୍ୟମରେ କଲେଜରେ ମୋର ଗୋଟିଏ ପରିଚୟ ସୃଷ୍ଟି ହେଲା। ‘ତଥାପି’ରେ ଚିତ୍ର କରିବା ପରେ ମୋତେ ‘ବହିତ୍ର’ ପତ୍ରିକାର ପ୍ରଛଦ କରିବା ପାଇଁ ସୁଯୋଗ ମିଳିଲା ଓ ତିନୋଟି ପତ୍ରିକାର ପ୍ରଛଦ ଆଙ୍କିଥିଲି। କଲେଜ ପଢିଲା ବେଳେ ମୋ ନାଁ ଯେତେବେଳେ ‘ବହିତ୍ର’ ପୃଷ୍ଠାରେ ବାହାରିଲା, ମନ କୁଣ୍ଢେ ମୋଟ ହୋଇଗଲା। ବହିତ୍ରର ସମ୍ପାଦକୀୟ ପୃଷ୍ଠାରେ ପାଢୀସାର ଯେତେବେଳେ ମୋତେ ଧନ୍ୟବାଦ ଦେଇଥିଲେ, ମତେ ଲାଗିଲା, ବିଜ୍ଞାନ ନ ପଢି ଓଡିଆ ପଢିଛି ଭଲ କରିଛି। ତା ପରଠୁ ଓଡିଆ ସାହିତ୍ୟ ଓ ପତ୍ରିକା ସମ୍ପାଦନା ପ୍ରତି ମୋର ରୁଚି ବଢିଯାଇଥିଲା।

‘ତଥାପି’ର ମୋଟ ବାରଟି ସଖ୍ୟା ପ୍ରକାଶ ପାଇଥିଲା। ସେଥିରୁ ମାତ୍ର ଚାରି ପାଞ୍ଚୋଟି କପି ଉପଲବ୍ଧ। ତେବେ ୧୯୯୩ ସେପ୍ଟେମ୍ବର ମାସରେ ପାଢୀସାରଙ୍କର ବାଙ୍କି ମହାବିଦ୍ୟାଳୟ ବଦଳି ହେଲା।ଏ ଖବର ଶୁଣି ସମଗ୍ର ଭଞ୍ଜନଗରରେ ଶୋକର ବାତାବରଣ ଖେଳି ଯାଇଥିଲା। ତତ୍କାଳୀନ ରାଜନେତା ସୋମନାଥ ରଥ, ଉମାକାନ୍ତ ମିଶ୍ରଙ୍କଠୁ ଆରମ୍ଭ କରି ବର୍ତ୍ତମାନର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପର୍ଯ୍ୟନ୍ତ, କବି ପ୍ରଶାନ୍ତ ମହାନ୍ତି, ଶୂଳପାଣି ଶତପଥୀ, ଦ୍ବିତୀକୃଷ୍ଣ ଚୌଧୁରୀ, ମୋତିଲାଲ ପତି, ସୋମନାଥ ନାୟକ, ଅରୁଣାଞ୍ଚଳ ପତି, ଅଶୋକ ସାହୁ, ଲମ୍ବୋଦର ପାଣିଗ୍ରାହୀ, ସଚ୍ଚିଭାଇ ପ୍ରମୁଖ ବହୁ ସାହିତ୍ୟିକ ପାଢୀସାରଙ୍କ ବଦଳିରେ ଆଖିରୁ ଲୁହ ଝରାଉଥାନ୍ତି। ସେତେବେଳେ ପାଢୀ ସାରଙ୍କ ଉଦ୍ଦେଶ୍ୟରେ ‘ଉତ୍ସର୍ଗ’ର ଏକ ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ ପାଇଥିଲା। ସେଥିରେ ମୋର ଗୋଟିଏ କବିତା ପ୍ରକାଶ ପାଇଥିଲା।

ପାଢୀ ସାରଙ୍କ ବଦଳି ପରେ ‘ତଥାପି’ର ପ୍ରକାଶନ ବନ୍ଦ ହେଲା। ସେତେବେଳକୁ ମାତ୍ର ବାରଟି ସଂଖ୍ୟା ପ୍ରକାଶ ପାଇଥିଲା। ପ୍ରଥମ ହାତଲେଖା ପତ୍ରିକା ସମ୍ପାଦନା କଲାବେଳେ ନିଶାକର ପାଢୀ ସାରଙ୍କ ଉତ୍ସାହ ଓ ଉଦ୍ଦୀପନା ମୋ ଭିତରେ ଭରି ଦେଇଥିଲା ଅସରନ୍ତି ପ୍ରେରଣା। ସେଇ ପ୍ରେରଣାରେ ପ୍ରେରିତ ହୋଇ ଏଯାବତ୍ ଅନନ୍ୟା, ବହିବିଚାର, ଚୁମା, ସାହିତ୍ୟ ଓ ଅନ୍ୟତ୍ର ଭଳି ବହୁ ପତ୍ରିକା ସମ୍ପାଦନା କରି ଆସିଛି।

ସତରେ, ପ୍ରଥମ ପ୍ରେରଣାର ପୁଲକ ବେଶ୍ ନିଆରା।

ପାଢୀସାରଙ୍କ ସ୍ମୃତି ଚିର ଅପାସୋରା।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →