ଶେଷ ଦୃଶ୍ୟ (ଭାଗ -୧)

।। ୧ ।।

ବହି ଥାକରୁ ଫୋନ୍ ନମ୍ବରଟା ଖୋଜୁଥିଲା ପ୍ରଲିସା । ସେ ଗଲାପରେ ବୋଧହୁଏ ଥାକଟାର କେହି ଯତ୍ନ ନେଉନଥିଲେ । ପୂରା ଗୋଟିଏ ବର୍ଷର ପରସ୍ତ ପରସ୍ତ ଧୂଳି ଗଛର ବକଳ ପରି ଆସର ଜମେଇଥିଲେ, ସେ ଖୋଜିଖାଜି ସଂଗ୍ରହ କରିଥିବା ମୂଲ୍ୟବାନ ବହିଗୁଡିକ ଉପରେ ।

ବହି ସବୁ ରଖିବାକୁ ଥାକରେ ଯେଉଁ ଖବର କାଗଜ ବିଛା ଯାଇଥିଲା, ତା’ରି ଉପରେ ସେ ଟିପିଥିଲା ଅଭିଳାଷର ବାଙ୍ଗାଲୋର ଫୋନ୍ ନମ୍ବରଟା । ସେତେବେଳକୁ ତା’ ବାହାଘର ଆଉ ମାତ୍ର କିଛିଦିନ ବାକି ଥିଲା । ନମ୍ବରଟା କୋଉଠୁ ପାଇଲା କେଜାଣି, ଦିନେ ଫୋନ୍‌ରେ ଗପୁ ଗପୁ ତାକୁ ସେଟା ଦେଇଥିଲା ମଧୁମିତା ।

କହିଥିଲା- “ଜାଣିଛୁ ପ୍ରଲିସା, ଅଭିଳାଷ ଏବେବି ତୋ ଫୋନ୍ ନମ୍ବର ରଖିଛି । ଆଉ ତତେ ସେ ଅପେକ୍ଷା ବି କରିଛି । ସେତେବେଳେ ଜୀବନର କୋଉ ମୋଡରେ ସେ ଥିଲା କେଜାଣି, ତୋ ସହ ସେଇ କେଇମାସର ସଂପର୍କକୁ, ଗୋଟେ ମୂଲ୍ୟବାନ ବହିକୁ ମଲାଟ ମଡେଇ ରଖିଲା ପରି ସେ ସଜେଇ ରଖିଛି ତା’ ବହିଥାକରେ । ତାକୁ କହିଲି- ଆଉ ମାତ୍ର ଦଶଦିନ ଭିତରେ ପ୍ରଲିସା ସହ କଥା ହେବ ଯଦି ହୁଅ, ନହେଲେ ତା’ ନମ୍ବର ଓ ଠିକଣା ବଦଳିଯିବ । ତା’ ବାହାଘର ଠିକ୍ ହୋଇଯାଇଛି ।’

ଶେଷ ପର୍ଯ୍ୟନ୍ତ ମଧୁମିତା ସହ କଂଟାକ୍ଟରେ ରହିଥିଲା ଅଭିଳାଷ । ତା’ଠାରୁ ପ୍ରଲିସା ବିଷୟରେ ସେ ସବୁ ଖବର ରଖୁଥିଲା । ତା’ ବାହାଘର କେବେ, କାର୍ଡ ଛପା ଗଲାଣି ନା ନାହିଁ, ପିଲାଟି କ’ଣ କରୁଛି, ସେ ସିଗାରେଟ୍ ଖାଏ କି, ସେମାନେ କେତେ ଭାଇଭଉଣୀ, କି ଚାକିରି କରୁଛି.. ଏମିତି କେତେକଥା ସେ ବୁଝାବୁଝି କରି ସଂଗ୍ରହ କରିଥିଲା । ଦିନେ ଫୋନ୍‌ରେ କଥା ହେଲାବେଳେ, ଅଭିଳାଷର ଫୋନ୍ ବିଷୟରେ କହିଥିଲା ମଧୁମିତା । ବାଙ୍ଗାଲୋର ଗଲାପରେ ସେ ତାକୁ କାଳେ ନିୟମିତ ଫୋନ୍ କରୁଥିଲା । ସେଠି କୋଉଗୋଟେ ବଡ କର୍ପୋରେଟ୍ ହାଉସ୍‌ରେ ସିନିୟର ପୋଷ୍ଟରେ ପୋଷ୍ଟିଂ ପାଇଥିଲା ଅଭିଳାଷ । ଘର ଲୋକଙ୍କର ସବୁ ଚାପ ସତ୍ୱେ ସେ କାଳେ ସେବେ ବି ଅବିବାହିତ ଥିଲା ।

ମଧୁମିତା କହିଥିଲା- “ପ୍ରଲିସା, ତୁ ତା’ ସହ ଅନ୍ତତଃ ଥରଟିଏ ହେଲେ କଥା ହୋଇଯା’ । ପ୍ରେମ ନ ରହିଲା ନାହିଁ, ବନ୍ଧୁତ୍ୱଟା ହେଲେ ରହିଥାଉ । ପିଲାଟା ଖୁବ୍ ଭଲ । ସେ ତତେ ତା’ ଅନ୍ତରରୁ ଚାହୁଁଥିଲା । ଫୁଲର ବାସ୍ନା ନପାଇଲା ନାହିଁ, ଚେହେରାଟା ହେଲେ ମନେ ରଖିଥାଉ ।’

ମଧୁମିତାର ସେଦିନର କଥା ଭାବିଲା ବେଳକୁ ପ୍ରଲିସା ଆଖିଲେ ଲୁହ ଜକେଇ ଆସୁଥିଲା । ଖୁବ୍ ଭଲ ହୋଇଥାନ୍ତା ସେଦିନ ତା କଥା ମାନିଥିଲେ । ହୁଏତ ଅଭିଳାଷ ସହ ଥରଟିଏ କଥା ହୋଇଯାଇଥିଲେ, ଜୀବନର ମୋଡ ଯେ ବଦଳି ଯାଇନଥାନ୍ତା, କିଏ ଜାଣିଥିଲା ! କିନ୍ତୁ ସେମିତି କିଛି ଆଶ୍ଚର୍ଯ୍ୟ ଘଟି ନଥିଲା । ଆଉ ଯାହାକିଛି ଘଟିଲା ତାହା ପ୍ରଥମରୁ ସେମିତି ଲାଗୁନଥିଲା । ଘାସଫୁଲ ପରି ଦିଶୁଥିବା ଛୋଟ ଛୋଟ ଗୁରୁତ୍ୱହୀନ ଘଟଣା, ବେଳେବେଳେ ଜୀବନର ମୋଡରେ ବଡ ଓ ଅତ୍ୟନ୍ତ ରୁକ୍ଷ ହୋଇ ଠିଆ ହୁ୍‌ଅନ୍ତି । ସବୁ ମଣିଷଙ୍କ ଜୀବନରେ ଏମିତି ଅନେକ ଘଟଣା ଘଟେ, ଯାହା ନଘଟିଥିଲେ ହୁଏତ କିଛି ଅସୁବିଧା ହୋଇନଥାନ୍ତା । ଲାଗେ ସେ ସବୁ ବେକାର ଘଟୁଛି, କେବଳ ସମୟ ଅପଚୟ । ସେଗୁଡିକୁ ମନେ ରଖିବାକୁ କେହି ଗୁରୁତ୍ୱ ଦିଅନ୍ତିନି । ସେସବୁ ଘଟେ ଓ ଶେଷ ହୋଇଯାଏ, ଛୋଟିଆ ଖଣ୍ଡିଆଭୁତଟିଏ ଆସି ଆପେ ଆପେ ଚାଲିଯିବା ପରି । କିନ୍ତୁ ବେଳେବେଳେ ପୁଣି ସେଇ ସବୁ ଘଟଣା ଘଟେ ଆପେଆପେ, ଆପଣ ନଚାହିଁଲେ ବି । ସେ ଘଟଣା ସହ ସଂପର୍କିତ ଲୋକମାନେ ଆଉଥରେ ଦେଖା ହୁଅନ୍ତି ଓ ମଣିଷ ଆଗରେ ବିରାଟ ହୋଇ ଠିଆ ହୁଅନ୍ତି । ଜୀବନ ସେତେବେଳେ ଲାଗେ ଏକ ବିରାଟ ଗୋଲେଇ ଛକ ପରି ।

ସେଦିନ ହାତରେ ମେହେନ୍ଦି କରିଥିଲା ପ୍ରଲିସା । ମୋବାଇଲ୍ ଫୋନ୍‌ଟାକୁ ଗୋଟେ କାନରେ ଜାକି, ମଧୁମିତା ସହ ଅନ୍ୟମନସ୍କରେ କଥା ହେଉ ହେଉ ଗୋଟେ ପେନ୍‌ସିଲ୍‌ରେ ବଙ୍କାତେଢା କରି ଏଇ ବହିଥାକରେ ପଡିଥିବା ଖବରକାଗଜ ଉପରେ ଅଭିଳାଷର ବାଙ୍ଗାଲୋର ଟେଲିଫୋନ୍ ନମ୍ବରଟା ଲେଖି ଦେଇଥିଲା । ପ୍ରଥମେ ଭାବିଥିଲା, ମଧୁମିତା କହିବା ମତେ ସେ ଅଭିଳାଷ ସହ ଥରଟିଏ କଥା ହେଇଯିବ ନିଶ୍ଚୟ । କିନ୍ତୁ ତା ପରେ ସେ ଆଉ ସମୟ ପାଇଲାନି । ବ୍ୟସ୍ତତା ଭିତରେ କଥାଟା ସେ ଏକବାରେ ଭୁଲି ଯାଇଥିଲା । ବାହାଘର ପାଖେଇ ଆସୁଥିଲା । କେତେବେଳେ ବିଉଟି ପାର୍ଲର, କେତେବେଳେ ଲୁଗା ଦୋକାନ, ପୁଣି କେତେବେଳେ ଗହଣା ଦୋକାନ । ତା ସହିତ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ଘରକୁ ଖାଇବାକୁ ଯିବା, ୟା ଭିତରେ ସେ ସତରେ ଅଭିଳାଷ କଥା ପୂରା ଭୂଲି ଯାଇଥିଲା ।

ପାହାଡିଆ ଘାଟି ରାସ୍ତା ପରି ଜୀବନ ଯେ ଏମିତି ହଠାତ୍ ମୋଡ ବଦଳାଏ, ସେତେବେଳେ ତାହା ସହଜରେ ଅନୁମାନ କରିପାରି ନଥିଲା ପଚିଶି ବର୍ଷୀୟା ପ୍ରଲିସା । ଗୋଟି ଗୋଟି କରି ସ୍ୱପ୍ନକୁ ସଜେଇ ତା ବାପା ତା ପାଇଁ ଅତି ଯତ୍ନରେ ତିଆରି କରିଥିବା ସ୍ୱପ୍ନର ତାସ୍‌ଘରଟି ହଠାତ୍ ଭୁଶୁଡି ପଡିଲା ଗୋଟିଏ ବର୍ଷରେ । ଏ ସବୁ ଭାବି ଖୁବ୍ ଅସହାୟ ଲାଗୁଥିଲା ପ୍ରଲିସାକୁ ।

– ଦିଦି ତମର ଫୋନ୍ ଆସିଛି । କୋଉ ଟିଭି ଚ୍ୟାନେଲ୍‌ରୁ କିଏ ଜଣେ ଫୋନ୍ କରିଛନ୍ତି । କହୁଛନ୍ତି ତମ ସହ କଥାହେବେ ।

କର୍ଡଲେସ୍ ରିସିଭର୍‌ଟା ଧରେଇ ଦେଇ ଚାଲିଗଲା ବେଳେ ସୁମି ପଚାରିଲା- “ଦିଦି ଚା’ ଆଣିବି ? ତମେ ସକାଳୁ ଆଜି ବେଶୀ କିଛି ଖାଇନ । ଜଳିଖିଆ ଟିକେ ବି ନେଇ ଆସୁଛି ।’

ପ୍ରଲିସାର କିଛି ଇଚ୍ଛା ନଥିଲା । ଗଲା ଦୁଇଦିନ ଧରି ସେ ଏମିତି ବଂଚିଛି । କେତେବେଳେ ଖାଉଛି, କେତେବେଳେ ଶୋଉଛି ସେ ନିଜେ ବି ମନେରଖି ପାରୁନି । ଦୁଇଦିନ କାହିଁକି, ଇଏ ପାଖାପାଖି ଗଲା ତିନିଚାରି ମାସର କଥା, ଯେବେଠାରୁ ସେ ଠିକ୍ କଲା, ଆଉ ସେ ସହିବ ନାହିଁ । ବାହାଘରଟା ତାକୁ ଲାଗୁଥିଲା, କଟକ ଦଶହରା ବଜାରର ଏକ ସୁଉଚ୍ଚ ଓ ସୁସଜ୍ଜିତ ଝଲମଲ ତୋରଣ ପରି । କିନ୍ତୁ ଏତେ ସୁନ୍ଦର ବୈବାହିକ ଜୀବନଟାକୁ ଯେଉଁ ଲୋକମାନେ ପିଲାଖେଳ ପରି ଭାଙ୍ଗିଦେଲେ, ସେମାନଙ୍କ ବିରୋଧରେ ସ୍ୱର ଉଠେଇବାକୁ ସେ ଏକପ୍ରକାର ନିଷ୍ପତ୍ତି ନେଇଥିଲା ଗଲା ମାସକ ତଳେ, ଯେତେବେଳେ ବାପା ତା କାନ୍ଦୁରା ମୁହଁକୁ ଦୁଇହାତରେ ତୋଳିଧରି କହିଥିଲେ- “ସବୁ ନିଷ୍ପତ୍ତି ତୋ ନିଜର । ପରିଣାମ ଯାହା ହେଉନା କାହିଁକି ମୁଁ ତୋ ପାଖରେ ଅଛି ।’

– ହ୍ୟାଲୋ, କିଏ କହୁଥିଲେ?

ସେତେବେଳୁ ଫୋନ୍‌ଟା ଧରି ଆଜିର ଖବର କାଗଜ ଉପରେ ପୁଣିଥରେ ଆଖି ବୁଲାଉଥିଲା ପ୍ରଲିସା । ଆଜି ସବୁ ଖବର କାଗଜର ପ୍ରଥମ ପୃଷ୍ଠାରେ ତା ଫଟୋ ବାହାରିଛି । ସବୁଥିରେ ପ୍ରଥମ ହେଡ୍‌ଲାଇନ୍‌- “କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ ।’

ଥାନାରେ ଏଫ୍‌ଆଇଆର୍ ଦେଲାବେଳେ ତାକୁ ଲାଗୁଥିଲା ଯେମିତି ସେ ଲଙ୍ଗଳା ହୋଇ ସମସ୍ତଙ୍କ ଆଗରେ ଠିଆ ହୋଇଛି । ଇସ୍ କେତେ ଲୋକ ! ମାଳ ମାଳ ଟିଭି କ୍ୟାମେରା, ପ୍ରେସ୍ ରିପୋର୍ଟର । ସେ କାହା ଘରର ଝିଅ କାହା ଘରର ବୋହୂ ! ସଂପର୍କ ବାନ୍ଧିବା ବେଳେ ଜୀବନଟା ଉତ୍ସବରେ ଭରିଯାଏ ବୋଲି ସେ ଜାଣିଥିଲା । କିନ୍ତୁ ସଂପର୍କ ଭାଙ୍ଗିବା ବେଳର ଦୃଶ୍ୟ ଏତେ ଯେ କୋଳାହଳମୟ ସେଦିନ ପ୍ରଥମ କରି ଅନୁଭବ କରିଥିଲା ପ୍ରଲିସା ।

– “ହଁ, ପ୍ରଲିସା କହୁଛି.. କିଏ କହୁଥିଲେ ? କ’ଣ କହିଲେ ? ଇଂଟରଭ୍ୟୁ ? ନା ନା ଏବେ ଦୟାକରି ମତେ ଟିକେ ଏକା ରହିବାକୁ ଦିଅନ୍ତୁ । ଆଇ ଆମ୍ ନଟ୍ ଇନ୍ ଏ ମେଂଟାଲ କଣ୍ଡିସନ୍ ଟୁ ରିଆକ୍ଟ ପ୍ରପର୍‌ଲି । ଆପଣ ଦୟାକରି ମୋ ବାପାଙ୍କ ସହ କଥା ହୁଅନ୍ତୁ ।’

ବେଳେବେଳେ ତା ବାପାଙ୍କ ପାଇଁ ଖୁବ୍ ଗର୍ବ କରେ ପ୍ରଲିସା । ଇଂଜିନିୟର ବିନୋଦ ଚୌଧୁରି କାହା ପାଇଁ କ’ଣ ହୋଇପାରନ୍ତି, କିନ୍ତୁ ପ୍ରଲିସା ପାଇଁ ଜୀବନର ପ୍ରଥମ ପୁରୁଷ । ସେ ତାକୁ ସବୁ ଶିଖାଇଛନ୍ତି, ହାତ ଧରି ରାସ୍ତା ଚଲେଇବାଠାରୁ ଆରମ୍ଭ କରି, ଜିନ୍ ପିନ୍ଧି କଲେଜ ଯିବା ପର୍ଯ୍ୟନ୍ତ । ମାଆ ନଥିବାର ଅନୁଭବ ସେ ତାକୁ କେବେ କରିବାକୁ ଦେଇନାହାଁନ୍ତି । ମାଆ ମଲା ପରେ ସେ ତାକୁ ଦେଇଛନ୍ତି ଉଭୟ ମାଆ ଓ ବାପାର ଶ୍ରଦ୍ଧା ।

ଯୋଉଦିନ ମଙ୍ଗୁଳୁ ଅଙ୍କଲ ମନ୍ତ୍ରୀଙ୍କ ପୁଅ ସହିତ ବାହାଘର ପ୍ରସ୍ତାବଟା ଧରିକି ଆସିଥିଲେ, ସେଦିନ ବେଶ୍ ରାତି ପର୍ଯ୍ୟନ୍ତ ଲନ୍‌ରେ ବସି ସମୟ କାଟିଥିଲେ ଦୁଇବନ୍ଧୁ । ବାପାଙ୍କ କଲେଜ ବନ୍ଧୁ ମଙ୍ଗୁଳୁ ଅଙ୍କଲ ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ଷ୍ଟେନୋ ଥିଲେ । ଦୁଇବନ୍ଧୁ ତିନିଚାରି କପ୍ ଚା’ ପିଇ ଦୀର୍ଘ ସମୟ ଧରି ଗପ କରିବା ଭିତରେ ବାପା କିଛି ସମୟ ମୁହଁକୁ ରୁମାଲରେ ଚାପି ଚାପି କାନ୍ଦିଥିଲେ । ତାଙ୍କୁ ବୋଧ ଦେଇଥିଲେ ମଙ୍ଗଳୁ ଅଙ୍କଲ । ସେଦିନର ସେ କାନ୍ଦ ଦୁଃଖର ଥିଲା ନା ଆନନ୍ଦର, ତାହା ଏବେବି ପ୍ରଲିସା ଜାଣିନଥିଲା । ବାହାବିଦା ବେଳେ ବାପାଙ୍କ ଅଥୟପଣ ଦେଖି ମନ୍ତ୍ରୀ କହିଥିଲେ- ‘ବ୍ୟସ୍ତ ହୁଅନ୍ତୁନି ସମୁଦି, ଆପଣଙ୍କ ଘରୁ ଝିଅଟିଏ ନେଲୁ, ତାକୁ ବୋହୂ ନୁହେଁ, ଝିଅଟିଏ ପରି ପାଳିବୁ ।’

ଝିଅ ନା ଗେଣ୍ଠାଗୁଡ ! ଶ୍ୱଶୁରଙ୍କର ସେଦିନର ସେ ପଦକ କଥା ମନେପଡିଲେ ଏବେ ପ୍ରଲିସାକୁ କାମୁଡା କୁତି ହେଇଯିବାକୁ ଇଚ୍ଛା ହୁଏ । ଇଚ୍ଛାହୁଏ କହିଦେବାକୁ- “ନିଜ ପରିବାର ଚଳେଇବାକୁ ତ ଅକ୍ଷମ, ଆପଣ ରାଜ୍ୟ କ’ଣ ଚଳେଇବେ ? ଛିଃ ! କେତେ ନିକୃଷ୍ଟ ଚିନ୍ତାଧାରାର ଲୋକ ଆପଣମାନେ ?’

ମାତ୍ର ମାସ କେଇଟାରେ ହିଁ ପୂର୍ଣ୍ଣମୀ ଜହ୍ନ ପରି ସବୁ ସଫା ଜଣା ପଡି ଯାଇଥିଲା ପ୍ରଲିସାକୁ । ଯେତେବେଳେ ସ୍ୱାମୀ ବାରମ୍ବାର ଯାଉଥିଲେ କଲିକତା । ଅଧିକ ମଦ ପିଉନଥିଲେ ବି, କେବେ କେମିତି ନିଶାସକ୍ତ ହେଲେ ତାଙ୍କ ବ୍ୟବହାର ରୁକ୍ଷ ହୋଇପଡୁଥିଲା । ସୋସିଆଲ୍ ସାଇନ୍ସରେ ଅଧ୍ୟାପିକା ଚାକିରି କରି ଭଲୁଂଟାରି ରିଟାୟାର୍ଡମେଂଟ୍ ନେଇଥିବା ଶାଶୂଙ୍କ ବ୍ୟବହାର ଦେଖିଲେ ପ୍ରଲିସାକୁ ଲାଗେ, ଇଏ କି ନୈତିକତା ଶିଖାଉଥିବେ ଛାତ୍ରଛାତ୍ରୀଙ୍କୁ ? ତାଙ୍କର ଅତ୍ୟଧିକ ରୁକ୍ଷ ଓ କଟୁ ବ୍ୟବହାରରେ ବେଳେବେଳେ ଘରର ଚାକର ବାକର ବି ବୀତସ୍ପୃହ ହୋଇପଡନ୍ତି । ଶ୍ୱଶୁର ଏକପ୍ରକାର ଚୁଟିଆ ମୂଷା ପାଲଟି ଯାଆନ୍ତି ତାଙ୍କ ପାଖରେ । କାରଣ ସେ ଜାଣନ୍ତି, ପାଟିରୁ କଥା ବାହାରିଲେ ଭୟଙ୍କର ରିଆକ୍ଟ କରନ୍ତି ଶାଶୂ ।

ଯୋଉଦିନ ପ୍ରଥମ କରି ସେ ଶାଶୂଙ୍କ ପାଖକୁ କ୍ଷୀର ନେଇକି ଯାଇଥିଲା ତାଙ୍କ ବେଡ୍‌ରୁମ୍‌କୁ, ସେଦିନର ଦୃଶ୍ୟ ପ୍ରଲିସାର ଏବେବି ମନେଅଛି । ବିଷ୍ଣୁଙ୍କ ଅନନ୍ତ ଶୟନ ମୁଦ୍ରାରେ ଚାରିପରସ୍ତ ଗଦି ଉପରେ ଶୋଇଥିଲେ ଶାଶୂ । ଆଉ ତାଙ୍କ କଡରେ ବସି ଗୋଡ ଘସୁଥିଲେ ନିଜେ ମନ୍ତ୍ରୀ । ବାଃ ! ଏମିତି ଏକ ଦୃଶ୍ୟ ପାଇଁ ପ୍ରଲିସା ପ୍ରସ୍ତୁତ ନଥିଲା । ତେଣୁ ସେ ମୁଣ୍ଡର ଓଢଣାଟା ଟିକେ ଅଧିକ କରି ଟାଣିଦେଲା, ଯେମିତି ସେମାନଙ୍କୁ ଲାଗିବ ସେ କିଛି ଦେଖିନି । ଶ୍ୱଶୁର ତଥା ମନ୍ତ୍ରୀ ମହାଶୟ ବି ଅପ୍ରସ୍ତୁତ ହୋଇଗଲେ ପ୍ରଲିସାର ଆଗମନରେ । ପ୍ରଲିସା ଆସି ଶାଶୂଙ୍କ ଗୋଡ ଘସିବା ଆରମ୍ଭ କଲା । ମନ୍ତ୍ରୀ ଝାଡିଝୁଡି ହୋଇ ଉଠିଲେ ଏବଂ କହିଲେ- ‘ମାଆ.. ଶାଶୂଙ୍କ ପଦସେବା କଲେ ତୋର କଲ୍ୟାଣ ହେବ । ସେଇଟା କେବେ ଭୁଲିବୁ ନାହିଁ ।’

ପ୍ରଲିସା ମନେମନେ ଭାବିଲା, ଭୁଲିବି କେମିତି ? ଏ ଦୃଶ୍ୟକୁ କ’ଣ କେହି ଭୁଲିପାରେ ? କି ଭୟଙ୍କର ମାନସିକତାର ଲୋକ ରହନ୍ତି ସେ ଘରେ ! ସେ ଏବେ ଭାବୁଛି, କେମିତି ସେ ଏତେମାସ ରହିଲା ସେ ଚିଡିଆଖାନାରେ ?

ଶାଶୂ କହିଲେ- ‘ଖାଲି ପଦସେବାରେ କିଛି ହୁଏନା । ତୋ ବାପାକୁ କହିବୁ ସ୍କର୍ପିଓ ଗାଡି କଥା ଯୋଉ କହିଥିଲି, ସେ କଥା ଟିକେ ଶୀଘ୍ର ବିଚାର କରିବେ । ଇଲେକ୍ସନ ଆଉ ବର୍ଷଟିଏ ବାକି । ଏଥର ବୁବୁନା ବି ଇଲେକ୍ସନ ଲଢିବ । ସେ ଏମ୍‌ଏଲ୍‌ଏ ହେଲେ ତୋ’ର ଏବଂ ତୋ ବୋପାର ସୁନାମ ହେବ କି ନାଇଁ ? ତୋ ବୋପା ସିନା ସୁପରକ୍ଲାସ୍ କଣ୍ଟ୍ରାକ୍ଟର, କିନ୍ତୁ ଏମ୍‌ଏଲ୍‌ଏ ଜୋଇଁ ପାଇବା ସ୍ୱପ୍ନରେ ସୁଦ୍ଧା ଭାବିନଥିବ । ସ୍କର୍ପିଓ ଗାଡି ସହିତ କିଛି ଟଙ୍କା ବି ଯୋଗାଡ କରିବାକୁ କହିବୁ । ମନ୍ତ୍ରୀ ଘରେ ବନ୍ଧୁ ବାନ୍ଧିବାକୁ ହେଲେ କିଛି ଇନ୍‌ଭେଷ୍ଟ ତ କରିବାକୁ ପଡିବ ।

ଇନ୍‌ଭେଷ୍ଟ !! କି ବିଚିତ୍ର ଚିନ୍ତାଧାରାର ଲୋକ ଏମାନେ ସତରେ ? ପଦସେବା କରୁ କରୁ ଓଢଣା ତଳୁ ଏ ସବୁ ଶୁଣୁଥିଲା ପ୍ରଲିସା । ସେତେବେଳକୁ ବାହାଘରର ପନ୍ଦର ଦିନ ହେଇଛି କି ନାହିଁ । ଘରକୋଣରେ ପଡିଥିବା ଏକ ଆରାମ ଚେୟାରରେ ବସି ଦୋଳାୟମାନ ସ୍ଥିତିରେ ପଙ୍ଖା ପବନ ଖାଉଖାଉ ଖବରକାଗଜ ଉପରେ ଆଖି ବୁଲଉଥିଲେ ଶ୍ୱଶୁର ତଥା ମନ୍ତ୍ରୀ ଦିନବନ୍ଧୁ ମହାନ୍ତି । ପାଟିରୁ ଉଁ କି ଚୁଁ କିଛି ବାହାରୁ ନଥିଲା । ତାଙ୍କୁ ଦେଖିଲେ ବେଳେବେଳେ ପ୍ରଲିସାର ମନେପଡନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯେମିତି ସିଂହାସନରେ ବସି ସେ କେବଳ ଅପକର୍ମ ହିଁ ଦେଖିବା ସାର । ହାତ ନାହିଁ କି ଗୋଡ ନାହିଁ । ଦାରୁ ଦେବତା ।

ପ୍ରଲିସାର ମନେହୁଏ ସ୍ୱାମୀ ରାଜା ମହାନ୍ତିଙ୍କର ତାଙ୍କର ଜଣେ ଦୂର ସଂପର୍କୀୟ ମାଉସୀ ଝିଅ ଭଉଣୀ ସହ ସଂପର୍କ ଅଛି । ସେଟା ଗୋଟେ ସୁର୍ପଣଖା ପରି ଦିଶେ ପ୍ରଲିସାକୁ । ଖୁବ୍ ବିରାଟ ଚେହେରା, ବାହାସାହା ହେଇ ପିଲାଟିଏ ବି ଅଛି, କିନ୍ତୁ ସ୍ୱାମୀଛଡା । ପିଲାଟିକୁ ବି କୋଉ ଗୋଟେ ବୋର୍ଡିଂ ସ୍କୁଲରେ ଛାଡି ଦେଇଛି । ଦିଲ୍ଲୀରେ ପାଇପ୍ କଂଟ୍ରାକ୍ଟର ଭାବେ କାମ କରୁଥିବା ସ୍ୱାମୀ ସହ ତା’ର ମତାନ୍ତର । ସିଏ ସ୍ୟାଡେ ବର୍ଷ ବଷ ଧର୍ରି ରହି କ’ଣ କରୁଛି ୟାକୁ ଜଣାନାହିଁ । ଇଏ ଏପଟେ ଗୋଟେ ପରେ ଗୋଟେ ଟୋକା ଧରିକି ଆରାମରେ ଅଛି । ତାଆରି ହାବୁଡରେ ପଡିଛନ୍ତି ସ୍ୱାମୀ ରାଜା ମହାନ୍ତି । ବାହାଘର ବେଳେ ସେ ସୁପର୍ଣଖା ଆସିକି ପନ୍ଦର ଦିନ ଖଣ୍ଡେ ଶାଶୂଘରେ ପଡିକି ଖାଉଥିଲା । ଏଡେ ଛୋପରି ସେ ଖଣ୍ଡକ ଯେ, ତା ସହ ସିଧା କଥାହେବାକୁ ପ୍ରଲିସାକୁ ଲାଜ ମାଡିବସେ । କଥାକଥାକେ କହିବ- “କେମିତି କଲୁ ? ସେ ଆଗ ନା ତୁ ଆଗ ? ତୋ ବେକରେ ଏତେ ଦାଗ କୋଉଠୁ ଆସିଲା ?’ ଏଡେବଡ ସ୍ତ୍ରୀ ଲୋକଟେ, କିନ୍ତୁ ଶାଢି ନପିନ୍ଧି ଡ୍ରେସ୍ ପିନ୍ଧେ । ସେତକ ପିନ୍ଧିବାର ବାଗ ବାଇଶ ବି ନଥାଏ ପୃଥୁଳି ଦେହକୁ ଚିପା ଡ୍ରେସ୍ । ଅଙ୍ଗସୌଷ୍ଟବ ସବୁ ଫୁଲିକି ବାହାରକୁ ବାହାରିଥିବ । ସେଥିରେ ଟଙ୍ଗ ଟଙ୍ଗା ହେଇକି ଚାଲୁଥିବ ଯେ, ଛାତିରେ ଓଢଣୀଟିଏ ପକାଇବାକୁ ଇଚ୍ଛା ନଥିବ । ଛି !

– ଦିଦି ଜଳଖିଆ ଟିକେ ଖାଇଦିଅ, ମୁଁ ଚା’ ଆଣୁଛି ।

ସୁମି ଟିଭି ଅନ୍ କରିଦେଇ ଚାଲିଗଲା ଚା’ ଆଣିବାକୁ । ପ୍ରଲିସାର ଜଳଖିଆ ଖାଇବାକୁ ଟିକିଏ ବି ଇଚ୍ଛା ନଥିଲା । ମଣିଷର ସାରା ଶରୀର ଏମିତି ତିଆରି ହୋଇଛି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମନ ଖରାପ ହେଲେ କିଛି ଖାଇବାକୁ ଇଚ୍ଛା ହୁଏନି, କିନ୍ତୁ ସେଇ ମନ ଖୁସି ହୋଇଗଲେ ନଖାଇବା ଜିନିଷ ବି ଖାଇ ହୋଇଯାଏ । ଇଏ ଏକ ବିଚିତ୍ର ସଫ୍ଟଓୟାର । ଯାହାର କୌଣସି ଲିମିଟେସନ୍ ନଥାଏ । ନିର୍ଦ୍ଦିଷ୍ଟ ସୀମା ନଥାଏ ।

ଟିଭିରେ ଏବେବି ଦିଶୁଛି ତା ଜୀବନରେ ଆସିଥିବା ସେଇ ଝଡର ଦୃଶ୍ୟ । ସେ ଦୃଶ୍ୟ ଦେଖି କାହାକୁ କେମିତି ଲାଗୁଥିବ କେଜାଣି, କିନ୍ତୁ ପ୍ରଲିସାର ଦେହ ଶୀତେଇ ଉଠୁଛି । ସେ ଥାନାରେ ବସି ଏଫ୍‌ଆଇଆର୍ ଦେବାର ଦୃଶ୍ୟ ବାରମ୍ବାର ଦିଶୁଛି ଟେଲିଭିଜନ ପରଦାରେ । ତା ସହିତ ବାପା, ମାମୁ ଓ ତା’ର କିଛି କଜନ୍ ଭାଇ ଭଉଣୀ । କେଶ୍ ଦେବାପରେ ରିପୋର୍ଟର ମାନେ ତା’ଠାରୁ ନେଇଥିବା ଇଂଟରଭ୍ୟୁଟି ବାରମ୍ବାର ବାଜୁଛି ଟିଭି ପରଦାରେ । ରିପୋର୍ଟର ମାନଙ୍କ ପ୍ରଶ୍ନରେ ବେଶୀକିଛି କହିପାରି ନଥିଲା ପ୍ରଲିସା ।

ଜଣେ ରିପୋର୍ଟର ପଚାରିଲେ- ଆପଣଙ୍କ ସ୍ୱାମୀଙ୍କର କ’ଣ ଏକ୍ସଟ୍ରା ମାରିଟାଲ୍ ଆଫେୟାର ଅଛି ବୋଲି ଆପଣ ଭାବୁଛନ୍ତି ? ଆପଣଙ୍କ ପାଖରେ ସେମିତି କିଛି ପ୍ରମାଣ ଅଛି କି ? ବର୍ଷକ ଭିତରେ ଆପଣଙ୍କ ସହ ସ୍ୱାମୀଙ୍କର ସହବାସ କେତେଥର ହୋଇଛି ?

ପ୍ରଶ୍ନଟି ଶୁଣି ପ୍ରଲିସାକୁ ଯେତିକି ଚିଡି ମାଡିଥିଲା, ସେତିକି କାନ୍ଦ ବି ମାଡିଥିଲା । ସେଇ ଦୁଃଖ ସମୟରେ ବି ତା ମୁହଁ ଲାଜରେ ସଂଧ୍ୟା ଆକାଶ ପରି ମଳିଣ ପଡିଗଲା । ତା ଚାରିକଡେ ଶହ ଶହ ଲୋକଙ୍କ ଭିଡ । ପଛରେ ଠିଆ ହୋଇଛନ୍ତି ତା ବାପା ଭାଇ । କୋଉ ନବ ବିବାହିତା ଝିଅ ତା ସ୍ୱାମୀର ଏକ୍ସଟ୍ରା ମାରିଟାଲ ଆଫେୟାର ବିଷୟରେ ଏମିତି ହାଟରେ ଗପେ ? ସିଏ କେମିତି କହିବ, ସେ ସୁପର୍ଣଖା ସହିତ ତା ସ୍ୱାମୀଙ୍କର ସଂପର୍କ ଅଛି ବୋଲି ? କେମିତି କହିବ, ଦିନେ ଗୋଟିଏ ବାଥ୍‌ରୁମ୍‌ରୁ ସେ ହିଁ ଦୁହିଁଙ୍କୁ ବାହାରିବାର ଦେଖିଥିଲା ହସି ହସି ଅବିନ୍ୟସ୍ତ ପୋଷାକପତ୍ରରେ ? କେମିତି କହିବ ତା ସ୍ୱାମୀ ବେଶ୍ୟାଶକ୍ତ ? କେମିତି କହିବ ସ୍ୱାମୀ ତା’ର ମାସରେ ଦୁଇଥର କଲିକତା ଯାଆନ୍ତି ଖାଲି ନୂଆ ନୂଆ କଲ୍‌ଗାର୍ଲଙ୍କୁ ଉପଭୋଗ କରିବାକୁ ? କେମିତି କହିବ, ଏସବୁ କଥା ତା ଶାଶୂ ଶ୍ୱଶୁର ଜାଣିଥିଲେ ବି ଚୁପ୍ ରହନ୍ତି ଓ ଚୁପ୍ ରହିବାକୁ ତାକୁ ପ୍ରବର୍ତ୍ତାନ୍ତି ବୋଲି ? ପ୍ରଶ୍ନଟିର ଉତ୍ତର କୋଉଠୁ ଆରମ୍ଭ କରିବ ପ୍ରଲିସା ଜାଣିପାରି ନଥିଲା । ପ୍ରଥମ ଧାଡି ଆରମ୍ଭ କରିଛି କି ନାହିଁ, କଇଁ କଇଁ ହୋଇ କାନ୍ଦି ପକାଇଥିଲା ସମସ୍ତଙ୍କ ଆଗରେ । ମୁହଁରେ ରୁମାଲ୍ ଘୋଡେଇ ସେ ନିଜକୁ ଚୁପ୍ ରଖିବାକୁ ଚେଷ୍ଟା କରିଥିଲା । କିନ୍ତୁ ମନର କୋହ ସେତେବେଳେ ଆଉ ବୋଲ ମାନିନଥିଲା । ସମସ୍ତଙ୍କୁ ଆଡେଇ ବାପା ତାକୁ ନେଇ ଆସିଥିଲେ ନିଜ କୋଳକୁ ।

ଛିଃ ! ସେ ସାମ୍ବାଦିକଟିକୁ କାହାକୁ କେମିତି ପ୍ରଶ୍ନ କରାଯାଏ ଜଣାନାହିଁ ବୋଧେ । ଏବେ ଟିଭିର ଘୋଷକ କୌଣସି ଜଣେ ସିନିୟର ଆଡଭୋକେଟ୍‌ଙ୍କ ଇଂଟରଭ୍ୟୁ ନେଉଛନ୍ତି । ଝିଅଟିଏର ସଂସାର ଭାଙ୍ଗିରୁଜି ଯିବାର ଶବ୍ଦ ସେମାନଙ୍କୁ ଛୁଇଁ ପାରିନି । ତାଙ୍କୁ ଚିନ୍ତା ପଡିଛି, ଏବେ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି କରିବେ କ’ଣ ? ତାଙ୍କୁ ମନ୍ତ୍ରିପଦରୁ ହଟେଇ ଦିଆଯିବ ନା ସେ ଇସ୍ତଫା ଦେବେ ?

ଘୋଷକ ପଚାରୁଛନ୍ତି- ଏବେ ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ଆଗରେ ଆଇନଗତ ବିକଳ୍ପ କ’ଣ ଅଛି ? ସେ କ’ଣ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ ? ଗିରଫଦାରି ଏଡେଇବାକୁ ସେ କି କି ପଦକ୍ଷେପ ନେଇପାରିବେ । ତାଙ୍କ ଦଳ ତାଙ୍କୁ ଆଉ ଟିକଟ ଦେବ ନା ନାହିଁ ?

ପ୍ରଲିସା ଟିଭି ବନ୍ଦ କଲା ଓ ବହିଥାକ ଖେଳେଇବାରେ ମନ ଦେଲା । କିନ୍ତୁ ଫୋନ୍ ନମ୍ବରଟା କାହିଁ କେଉଁଠି ହେଲେ ପାଇଲା ନାହିଁ ।

କ୍ରମଶଃ.. .. ..