ଦିଗବଳୟକୁ ଲମ୍ୱିଥିବା
ବାଟର ବି ଅଛି କିଛି ଇତିହାସ
କିଏ ଜାଣେ ଏ ଇତିହାସର
କିଏ ନାୟକ !
ବାଟର ପ୍ରଥମ ବାଟୋଇ
ନା'
ନିଜେ ବାଟ !!
ବାଟ ଫିଟିବା ପାଇଁ
କିଏ କେତେ ସଂଘର୍ଷ କରିଥିବ,
କିଏ ନିଜ ଜୀବନକୁ
ଲଗେଇ ଦେଇଥିବ ବାଜି
ସଂପ୍ରସାରିତ ହେବା ପୂର୍ବରୁ
ଦେଖିଥିବ କେତେ ଚୋରା ପ୍ରେମକାହାଣୀ
ଶୁଣିଥିବ ମୋକ୍ଷ ପାଇଁ
ମହାର୍ଘ୍ଯ ସ୍ତୋତ୍ର,ସ୍ତବ ॥
ବୋହୁଚୋରୀ ଖେଳୁଖେଳୁ
କନିଆଁ ସାଜୁଥିବା ଝିଅ,
ଖେଳସାଥିକୁ ପରକରି
ପରଗୋତ୍ରୀ ହେଇ ଗଲାବେଳେ
ସବାରୀବାହକ ପାଦର ତାଳେତାଳେ
ବୋଲୁଥିବେ,
ହାକୁମ ଧାବଲ ହାକୁମ ଧାବଲ
ଏଇଠି ଖାଲ
ଏଇଠି ଉଚ୍ଚ
ହାକୁମ ଧାବଲ ସ୍ୱର ଲହରିରେ
ଶୁଣାଉ ଦେଉଥିବ
ଶାଶୁଘର ଜୀବନର
ଉଠାଣି ଗଡାଣି ଗପ ॥
ଏ ଦୃଶ୍ୟକୁ ପଛକରି
ପ୍ରସାରିତ ହେଉଥିବ
ନିଜେନିଜେ
ବାଟ ॥
ଅଧାରୁ ପାଠଛାଡି
ଗାଁର ଯୁଆନ ଯାଇଥିବ ଦାଦନ
କୁଜିନେତାଙ୍କ ମିଛ
ପ୍ରତିଶୃତି ସତ୍ତ୍ବେ ,
ଫେରୁଥିବ ଗାଁକୁ ପୁଣି
ଭଙ୍ଗା ହୃଦୟ ଆଉ ଦେହକୁ ଧରି ।
ଗାଁରେ ପହଞ୍ଚି ଦେଖେ ତ
ଗାଁ ଆଉ ଗାଁ ହେଇ ନ ଥିବ
ରାଜନୀତିର ପଶାପାଲିରେ
ଦି' ହାତରେ ଘଷୁଥିବ ପଶାକାଠି
ବାଟ ମରି ମରି ଆସୁଥିବ ॥
କୋଉ ଦୂର ତାଳବଣ ଉହାଡରୁ
ଶୁଣୁଥିବ
ଶିଳ୍ପୀର ନିହାଣ ମୁଗୁର ଶବ୍ଦ
ସେଇ ଶବ୍ଦ ଭୋକ ହୋଇ
ଖେଦି ପକାଉଥିବ
ତା' ସାରା ଶରୀର
ଭୋକର ଡହକ ଲଗାଣରେ
ଦେହ ପାଲଟୁଥିବ
ବିଦେହ
ବିଚରା ବାଟ !
ରାମ ନାମ ସତ୍ୟ ହେ ଘୋଷି
ଚାଲିଥିବେ ଶବବାହକ
କିଏ ଜଣେ ଦୀପଟେ ଜାଳି
ଦଦରା କଣ୍ଠରେ ପଢୁଥିବ
ନମଇ ନୃସିଂହ ଚରଣ .....
ଗାଁ ଶୁଳିଆଣୀ ଲଗେଇଥିବା
ଅନ୍ତୁଡିନିଆଁରେ
ସେକି ହେଉଥିବ ଆଉ ଏକ ନୂଆ ଜୀବନ
ପ୍ରକାଶିତ ହେଉଥିବ ବାଟ
ନୂଆ ରୂପରେ
ନୂଆ ଢଙ୍ଗରେ ॥
ଏବେ ବାଟ, ଆଉ ଏକ ବାଟୋଇକୁ
ଅପେକ୍ଷାରେ ଥିବ
ଯାହାର ପଦରେଣୁରେ
ପାଇବାକୁ ମୋକ୍ଷ ॥
ଗୁଲନଗର,କେନ୍ଦ୍ରାପଡ଼ା
ଦୂରଭାଷ: ୯୦୯୦୫୮୪୧୩
One Comment on “ବାଟ”
Comments are closed.
ମନକୁ ଛୁଇଁଲା ଲେଖାଟି। ଧନ୍ୟବାଦ କବୀ।