ଶ୍ରୀ ମନ୍ଦିରେ ଶ୍ରୀ ନୃସିଂହନାଥ

“ତବକର କମଳବରେ ନଖମଦ୍ଭୁତ ଶୃଙ୍ଗମ୍

ଦଳିତ ହିରଣ୍ୟ କଶିପୁ ତନୁଭୃଙ୍ଗମ୍ ।।

କେଶବ ଧୃତ ନରହରି ରୂପ ଜୟ ଜଗଦୀଶ ହରେ ।

ସ୍ବାମୀ ଜୟ ଜଗଦୀଶ ହରେ ।।”

ନମୋ ନମୋ ନୃସିଂହ ନାରାୟଣାୟ ତୁଭ୍ଯମ୍ ନମାମି ।।ତୁଭ୍ଯମ୍ ନମାମି ।।

ଆମେ ସଭିଏଁ ଶ୍ରୀ ନୃସିଂହ ନାରାୟଣ ଙ୍କର ମହିମା ଗଳ୍ପ ,ପୁରାଣ ମାଧ୍ୟମ ରେ ଅଳ୍ପ ବହୁତେ ଜାଣିଛେ ।କିପରି ଭକ୍ତି ରେ ସର୍ବଦା ନତମସ୍ତକ ଭକ୍ତ ଶିରୋମଣି  ପ୍ରହ୍ଲାଦଙ୍କର ପ୍ରାର୍ଥନା ରେ ପ୍ରସନ୍ନ ହୋଇ ଓ ଦୈତ୍ୟ ଭକ୍ତି ର ପରାକାଷ୍ଠା ରେ କଠିନ ଦୈତ୍ୟରାଜ ହିରଣ୍ୟକଶ୍ଯପୁଙ୍କର ସମସ୍ତ ସର୍ତ୍ତକୁ ଅକ୍ଷୁର୍ଣ୍ଣ ରଖି ବିଦାରଣ ପୂର୍ବକ ମୁକ୍ତି ପ୍ରଦାନ କରିଥିଲେ ।

ଭକ୍ତି ଉକୃଷ୍ଟ ନିଦର୍ଶନ ଦେଇ ପ୍ରହ୍ଲାଦ ସେ ଦିନ ତାଙ୍କ ପିତା ଅସୁରରାଜ ଙ୍କ ପ୍ରଶ୍ନ ର ଉତ୍ତର ରେ କହିଥିଲେ

_ କାହିଁ କାହିଁ ତୋ ଈଶ୍ବର ??? କାହିଁ ତୋର ନାରାୟଣ ???? ଦେଖା ଦେଖା ।।।

_ “ଅତ୍ର ତତ୍ର ସର୍ବତ୍ର ଶ୍ରୀ ନାରାୟଣ ବିରାଜତେ “

ଭକ୍ତ ର ଯୁଗେ ଯୁଗେ ଭଗବାନ । ଭକ୍ତ ମୁଖନିସୃତ ବାକ୍ଯ ର ମାନ ରଖିବାକୁ, ଭକ୍ତି କୁ ପ୍ରତିଷ୍ଠା ଦେବାପାଇଁ ବୈଶାଖମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ଶନିବାର ଦିନ ଏକ ବିଶାଳକାୟ ସ୍ତମ୍ଭ କୁ ଭେଦନ କରି ପ୍ରଭୁ ଆର୍ବିଭୂତ ହୋଇଥିଲେ।

“ବୈଶାଖସ୍ଯ ଚତୁର୍ଦ୍ଦଶ୍ଯାଂ ସୌରିବାରେଅନିଲର୍ଲାକେ ।

ଆଦ୍ଯାବତାରଃ ସିଂହସ୍ଯ ପ୍ରଦୋଷ ସମୟେ ଦ୍ବିଜାଃ ।।” (ସ୍କନ୍ଦ ପୁରାଣ ୧୬୵୬୩)

ଆଜି ମୁଁ ଆପଣମାନଙ୍କୁ ଶ୍ରୀ ମନ୍ଦିର ମଧ୍ୟ ରେ ବିଜେ ମହାପ୍ରଭୁ ନୃସିଂହ ନାରାୟଣଙ୍କର ଦର୍ଶନ ପାଇଁ ନେଇଯିବି ।ଆଜି ପ୍ରଭୁଙ୍କର ସ୍ବନକ୍ଷତ୍ର ଦିବସ ରେ ଭକ୍ତି ପ୍ରଣତୀ ବାଢି ଆସିବା ।

୧।    ସିଂହଦ୍ବାର ଗୁମୁଟ ଘରେ ଶ୍ରୀ ପତିତପାବନ ଠାକୁରେ ରହିଲେ ଆମର ଦକ୍ଷିଣ ହସ୍ତ ପଟକୁ । କର ଅଞଳୀ ଜୋଡି ମଥାନତ କରି ଭକ୍ତି ପୁଷ୍ପାଞ୍ଜଳୀ ଅର୍ପଣ ପୂର୍ବକ ବାମ କୁ ବୁଲନ୍ତୁ ।

ସେଠି କୃପାପୂର୍ବକ ଦର୍ଶନ ଦେବେ ମହାବିରୀ ହନୁମାନ ଓ ହାତେ ଦେଉଳ ରେ ବାଇଶିହାତ ଦିଅଁ…… ବହୁଭୁଜ ବିଶିଷ୍ଟ ନୃସିଂହ ଠାକୁରେ।ମୁଣ୍ଡିଆ ମାରନ୍ତୁ ।ପ୍ରଥମ ନୃସିଂହ ଦର୍ଶନ ସରିଲା ।

୨।   ଏବେ ବାଇଶି ପାବଛ୍ଛ ଦେଇ ସେଇ  ବାମ ପଟରେ କାଶୀ ବିଶ୍ବନାଥ ଶିବଶମ୍ଭୁ ବିରାଜୁଛନ୍ତି ।ପ୍ରଣାମ ଜଣାଇ ବେଲପତ୍ର ପାଦୁକ ପାଇ ଆଉ ଗୋଟିଏ ପାହାଚ ଉପରକୁ ଶ୍ରୀ ଭଗବାନ ରାମ ଓ ନୃସିଂହନାଥ ଙ୍କୁ ଦର୍ଶନ କରନ୍ତୁ ।

୩। କୂର୍ମ ବେଢା ଆରମ୍ଭ ତୋରଣଠୁ ସିଧା ଅନେଇଲେ ଏକ ଅତିବ ସୁନ୍ଦର କ୍ଷୁଦ୍ର ପ୍ରସ୍ତର ନିର୍ମିତ ନରସିଂହ ପ୍ରତିମା ଦୃଷ୍ଟିଆକର୍ଷଣ କରନ୍ତି ।ତାଙ୍କରି ପାଦତଳେ ଅନେକ ସମୟରେ ଦୁଇ ଜଣ ସେବାଧାରି ମହାପ୍ରଭୁଙ୍କ ନିମନ୍ତେ ଚନ୍ଦନ ଘୋରୁଥିବାର ଦୃଶ୍ୟ ଦେଖିବାକୁ ମିଳେ ।ମତାମତ କରନ୍ତୁ ।

୪। ସେଇଠୁ ସତ୍ୟ ନାରାୟଣ ଙ୍କ ପଟକୁ ବେଢା ଦର୍ଶନ ଦିଗରେ ମଝି ତୋରଣଠି ଦୋଷ ଘରକୁ ବାଟ।ରୋଷଘରୁ ଭୋଗମଣ୍ଡପ ମଧ୍ୟକୁ ଭୋଗ ବୁହାହବା ବାଟରେ ଉପର ପାହାଚରେ ବାମ କାନ୍ଥ ମନ୍ଦିର ରେ ନୃସିଂହ ନାରାୟଣ ଅଛନ୍ତି ।

୫। ଭୋଗ ମଣ୍ଡପ ର ପୂର୍ବ ଦିଗକୁ ଥିବା ପାହାଚ ତଳେ ଠିକ୍ ଏକ କ୍ଷୁଦ୍ର ନରସିଂହ ଠାକୁରେ ପୂଜା ପାଆନ୍ତି ।ସେବାୟତମାନେ ଏଠାରେ ସେମାନଙ୍କର ଉପବୀତ ବଦଳାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତିଚିତ୍ତ ରେ ପ୍ରଣତୀ ବାଢିଥାନ୍ତି ।

୬। ସବୁ ଦିଅଁ ମାନଙ୍କୁ ଦର୍ଶନ ସାରି ମୁକ୍ତି ମଣ୍ଡପ ପାଖକୁ ଆସନ୍ତୁ ।ମୁକ୍ତି ମଣ୍ଡପ ର ପଶ୍ଚିମରେ ସ୍ଥିତ ଶ୍ରୀ ନୃସିଂହ ନାରାୟଣ ହେଉଛନ୍ତି ସର୍ବ ପୁରାତନ ।ସେ ହେଉଛନ୍ତି ମହାବିଷ୍ଣୁ ।ସର୍ବ ପୁରାତନ ମନ୍ଦିର ଏହା ।ଅତ୍ୟନ୍ତ ଦୁର୍ଲଭ ତଥା ସର୍ବ ପାପନାଶିନୀ ଏହି ମହାନୃସିଂହଙ୍କର ଦର୍ଶନ ବୋଲି ମାନ୍ଯତି ରହିଛି ।ଶିଳାଲେଖ ପାଠ ଅନୁଯାୟୀ ଶ୍ରୀ ଜଗନ୍ନାଥେ ମହାପ୍ରଭୁଙ୍କର ଆଦିରୂପ ଏହିଠାରେ ହିଁ ପ୍ରତିଷ୍ଠିତ ।ତାଙ୍କରି ଦ୍ବାର ଦେଶ ରେ ଖୋଦିତ ଶିଳାଲେଖା ଏହାର ପ୍ରମାଣ ଦିଏ ।ପୁରା ସାମ୍ନାକୁ ଠିଆ ହୋଇ ଦର୍ଶନ କରିବାର ବିଧି ନାହିଁ ,କାରଣ ସେଇ ଶିଳାଲେଖା ରେ ଖୋଦିତ ଯୋଡହସ୍ତ ମୁଦ୍ରା ର ମୂର୍ତ୍ତି ମାନେ ସଜୀବ ଓ ସଦା ଦର୍ଶନ ଅଭିଳାଷୀ ବୋଲି ମଧ୍ୟ ବିଶ୍ଵାସ ।ପତିମହାପାତ୍ର ସେବାୟତମହାଶୟ ବଡ ବାଡ ବଡଠାକୁରରଙ୍କର ମଧ୍ୟ ସେବାୟତ ଏବଂ ଅତ୍ୟନ୍ତ ସରଳ,ଆମାୟିକ,ସ୍ନେହୀ,ଭକ୍ତ ମଣିଷ ।ତାଙ୍କର ପୂଜା ଦେଖିଲେ ଆପଣ ଭାବବିହ୍ବଳ ହୋଇପଡିବା ସ୍ବଭାବିକ ।ଏଠି ମହାପ୍ରଭୁ ସଦାବେଳେ ଚନ୍ଦନ, କର୍ପୁର, ଜାଇଫଳ ରସ ଲଗେଇ ଗୋରା ଦିଶୁଥାନ୍ତି ।

ଏହି ମୁକ୍ତି ନୃସିଂହ ହିରଣ୍ୟକଶିପୁକୁ ବିଦାରଣ କରିବା ଭଙ୍ଗୀରେ ପୂଜା ପାଉଛନ୍ତି ।ଆଜି ମହାପ୍ରଭୁଙ୍କର ମୂଳ ପ୍ରତିମାଙ୍କର ଦର୍ଶନ ପୂଜା ସମୟରେ ମିଳିପାରିବ ବହୁ ଜନ୍ମ ପୂଣ୍ୟ ବଳରେ ।

୭। ମା ବିମଳା ଙ୍କୁ ଦର୍ଶନ ସାରି ମା ଭୂବନେଶ୍ବରୀ ମନ୍ଦିରରେ ମା ସରସ୍ବତୀଙ୍କର ବାମପାର୍ଶ୍ବ ରେ ଶ୍ରୀ  ନୃସିଂହ ସିଂହ ନାରାୟଣ ବିଜେ କରିଛନ୍ତି ।

୮। ଏବେ ମା ମହାଲକ୍ଷ୍ମୀ ଙ୍କ ମନ୍ଦିରରେ ପ୍ରବେଶ କଲେ ବାମହାତ ପଟେ କଳା ଚିକ୍କଣ ମୁଗୁନି ପ୍ରସ୍ତର ନିର୍ମିତ କେଡେ ସୁନ୍ଦର ନୃସିଂହ ନାରାୟଣ ତାଙ୍କ ବାମ ଜାନୁ ରେ ମା ମହାଲକ୍ଷ୍ମୀଙ୍କୁ ବସେଇ ଅବସ୍ଥାନ  ଥିବା ଅପୂର୍ବ ଦିବ୍ୟ ଦର୍ଶନ ପ୍ରାପ୍ତି ହୁଏ ।ଭାରି ସୁନ୍ଦର ଓ ଶାନ୍ତି ଲାଗେ ।

୯। ବାହାର ବେଢା ରେ ଦକ୍ଷିଣିଦୁଆର ପୂର୍ବକୁ ନୃସିଂହ ମନ୍ଦିର ଅଛନ୍ତି ।

୧୦। ଦକ୍ଷିଣ ଘରେ ବାଡି ନୃସିଂହ ଓ ପାତାଳ ନୃସିଂହ ପୂଜା ପାଉଛନ୍ତି ।

୧୧। ଦକ୍ଷିଣ ଦ୍ବାର ମା ବୁଢୀଠାକୁରାଣୀଙ୍କ ମନ୍ଦିରକୁ ଲାଗି ପୁରାଣ ନୃସିଂହ ନାରାୟଣ ବିଜେ କରିଥାନ୍ତି ,ଯାହାଙ୍କ ପାଖରେ ନୃସିଂହ ପୁରାଣ, ଭାଗବତ, ଓ ଅନ୍ୟାନ୍ୟ ପୁରାଣ ପାଠ କରାଯାନ୍ତି ଓ ସତ୍ସଙ୍ଗ ହୁଏ।

୧୨। ଏବେ ମହାପ୍ରଭୁଙ୍କ ନାଟମଣ୍ଡପ ଭିତରେ ଉପରକୁ ଲକ୍ଷ୍ଯ କଲେ ପୁରାତନ  ଭବ୍ଯ ନୃସିଂହନାଥ ଓଡିଶା ର ସ୍ବତନ୍ତ୍ର ପରିଚୟ ପଟଚିତ୍ର  କଳା ରେ ଅନନ୍ତ ନାଗ ଉପରେ ବସିଥିବା ,ଦୁଇହସ୍ତ ରେ ଚକ୍ର ଓ ଧନୁ ଶୋଭାୟମାନ ଭାବେ,ଦୁଇପାର୍ଶ୍ବ  ରେ ପିତାମହ ବ୍ରହ୍ମା ଏବଂ ମହାରାଜ ଇନ୍ଦ୍ରଦ୍ଯୁମ୍ନ କରଯୋଡ ଓ ଦଣ୍ଡାୟମାନ ଅବସ୍ଥା ରେ ଅଙ୍କିତ ହୋଇଛନ୍ତି । ବେଶ୍ ସୁନ୍ଦର କଳା।

୧୩। ଉପରୋକ୍ତ ଚିତ୍ରଙ୍କର ତଳ ଖୁମ୍ବର ଡାହାଣପଟେ ନୃସିଂହ ମହାପ୍ରଭୁଙ୍କ ମୂର୍ତ୍ତି ବିଦ୍ୟମାନ ।

୧୪। ଗରୁଡସ୍ତମ୍ଭ ର ବାମପାର୍ଶ୍ବରେ ଦକ୍ଷିଣିଦୁଆର ଆଡେ ଗଲାବେଳେ ସେଠି ନୃସିଂହ ନାରାୟଣ ଅଛନ୍ତି ।

୧୫। ପଶ୍ଚିମଦ୍ବାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କଲାବେଳେ ଉପବନ ଓ ନିଳାଦ୍ରୀ ବିହାର ମିୟୁଜୀୟମ ସାରି ସିଧା ଦେଉଳ ଭିତର ବେଢା ରେ ପଶି ଉପରକୁ ବେକଭାଙ୍ଗି ଚାହିଁଲେ ବିରାଟକାୟ ନୃସିଂହ ମହାପ୍ରଭୁ ଦର୍ଶନ ଦେଇଥାନ୍ତି ।ତାଙ୍କ ପାଖରେ ପହଞ୍ଚିବା ପାଇଁ ପାହାଚର ବ୍ଯବସ୍ଥା ରହିଛି ।

୧୬। କାଳିଆସାଆନ୍ତେ ଅଣସର ବେଳେ ୧୪ ଦିନ କାଳ ଜର ରେ ପଡିବାବେଳେ, ଅଣସର ତାଟି ବାହାରେ ପଟ୍ଟଚିତ୍ରରେ ଅଙ୍କା ଠାକୁରଙ୍କର ଦଶାବତାରଙ୍କ ମଧ୍ୟରେ ନୃସିଂହନାଥ ପୂଜା ପାଆନ୍ତି ।

ଏହା ହେଉଛନ୍ତି ଆମ ବଡଦେଉଳର ନୃସିଂହ ଦର୍ଶନ ।ହେଇପାରେ ମୁଁ ଆହୁରି କୋଉଠି ଥିବା ନୃସିଂହ ମହାପ୍ରଭୁଙ୍କୁ ଛାଡିଦେଇଥାଇ ପାରେ ।ସେଥିପାଇଁ କ୍ଷମା ।ଶ୍ରୀ ମନ୍ଦିର ଛଡା ଶ୍ରୀ କ୍ଷେତ୍ର ମଧ୍ୟରେ ମଧ୍ୟ ଅନେକ ପ୍ରସିଦ୍ଧ  ନୃସିଂହନାଥ ପୂଜିତ ।

ଶ୍ରୀ ଜଗନ୍ନାଥ ମନ୍ଦିର ର ପୂଜା ପଦ୍ଧତି ଓ ଶ୍ରୀ ନୃସିଂହ ଉପାସନା ପରମ୍ପରା ବହୁକାଳରୁ ବହୁଳ ଭାବେ ପ୍ରଚଳିତ ।

ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ନୃସିଂହ ନାରାୟଣ ଙ୍କର ଉପାସନା ଦେଖିବାକୁ ମିଳେ ।ପାତାଳ ନୃସିଂହ, ଉଗ୍ର ନୃସିଂହ, ଘୋର ନୃସିଂହ, ଆଦି ନୃସିଂହ, ଭଦ୍ର ନୃସିଂହ, ମୌନ ନୃସିଂହ, ମୂଷଳ ନୃସିଂହ, ସ୍ତମ୍ଭ ନୃସିଂହ, ଆଦି ଆଦି ଅନେକ ନାମ ଓ ଅନେକ ବିଧି ରେ ପୂଜିତ ।ସିମାନ୍ଚଳମ୍ ନୃସିଂହ ନାରାୟଣ ଙ୍କର ପ୍ରତ୍ୟକ୍ଷତା କିଏ ବା ନ ଜାଣେ ।

ଛବି ରେ ଦେଇଥିବା ଶ୍ରୀନୃସିଂହନାଥ ଠାକୁରେ ମୋ ମାମୁଁ ଘର ର ଇଷ୍ଟ ଅଟନ୍ତି ।ଆଜି ଦିନ ରେ ଘରେ ପୂଜା ଓ ହୋମ ପୂର୍ବକ ଆରାଧନା କରାଯାଏ ।

ଶେଷରେ ଆମ ମହାପୁରୁଷ ଅତିବଡି ଜଗନ୍ନାଥ ଦାସେଙ୍କ ମହାନ କୃତି ଶ୍ରୀ ମଦଭାଗବତ ରୁ ପଦେ……..

“ନମଇଁ ନୃସିଂହ ଚରଣ
ଅନାଦି ପରମ କାରଣ ।।”
ହରିବୋଲ!
-ଜୟ ଜଗନ୍ନାଥ