ଅଶୋକଙ୍କ ଶିଳାଲେଖ ନଂ ୧୩

ଦେବାନାଂ ପ୍ରିୟ ରାଜା ପ୍ରିୟଦର୍ଶୀ ତାଙ୍କ ରାଜ୍ୟାଭିଷେକର ଅଷ୍ଠମ ବର୍ଷରେ କଳିଙ୍ଗ ଜୟ କରିଥିଲେ।ଦେଢ ଲକ୍ଷ ଲୋକ ବଂଦୀ, ଲକ୍ଷେ ଲୋକ ନିହତ ଓ ଆହୁରି କେତେ ଅନ୍ୟ କାରଣରୁ ମୃତ୍ଯୁବରଣ କରିଥିଲେ। କଳିଙ୍ଗ ଜୟ ପରେ ଦେବାନାଂ ପ୍ରିୟ ଆସକ୍ତ ହୋଇଥିଲେ ଧର୍ମ ପ୍ରତି, ଯାହା ଥିଲା ଧର୍ମ ପ୍ରତି ପ୍ରେମ ଓ ଧର୍ମର ପ୍ରଚାର।ବର୍ତମାନ ଦେବାନାଂ ପ୍ରିୟ କଳିଙ୍ଗ ଜୟ କରିଥିବା କାରଣରୁ ଗଭୀର ବେଦନା ବୋଧ କରୁଛନ୍ତି।

ବାସ୍ତବରେ ଦେବାନାଂ ପ୍ରିୟ ଗୋଟିଏ ଅବିଜିତ ଦେଶ କୁ ଜୟ କରିବା କାରଣରୁ ଯେଉଁ ହତ୍ୟା, ମୃତ୍ୟୁ ଓ ବଂଦୀ ଘଟିଲା ସେଥିପାଇଁ ଗଭୀର କଷ୍ଟ ପାଉଛନ୍ତି।କିନ୍ତୁ ଦେବାନାଂ ପ୍ରିୟ ଅଧିକ କଷ୍ଟ ପାଉଛନ୍ତି ଯେ, ବ୍ରାହ୍ମଣ, ସାଧୁ ଏବଂ ଅନ୍ଯାନ୍ଯ ଧର୍ମାବଲଂବୀ ମାନେ ଯେଉଁମାନେ ଉପରିସ୍ଥ, ପିତା, ମାତା, ଗୁରୁଜନ ମାନଙ୍କୁ ଯଥୋଚିତ ସମ୍ମାନ ଏବଂ ବଂଧୁବାଂଧବ,ପରିଜନ, ଭୃତ୍ୟ ଓ କର୍ମଚାରୀଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରୁଥିଲେ,ସେମାନେ ସମସ୍ତେ ଏହାଦ୍ୱାରା ଆହତ, ନିହତ, ଅଥବା ନିଜର ପ୍ରିୟଜନଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି,ଏପରିକି ଯେଉଁମାନେ ଏହି ଯୁଦ୍ଧରେ ସଂପୃକ୍ତ ନଥିଲେ ସେମାନେ ନିଜର ବଂଧୁ, ପରିଚିତି, ସହଚର ଓ ସଂପର୍କୀୟ ମାନଙ୍କୁ ଯନ୍ତ୍ରଣା ପାଉଥିବାର ଦେଖି ନିଜେ ଯନ୍ତ୍ରଣାକ୍ତ।ଏହି ଦୁର୍ଭାଗ୍ୟ ପଡିଛି ସମସ୍ତଙ୍କ ଉପରେ(ଯୁଦ୍ଧ ଯୋଗୁ) ଏବଂ ଏହା କଷ୍ଟ ଦେଉଛି ଦେବାନାଂ ପ୍ରିୟଙ୍କୁ।

ଏମିତି ଦେଶ ନାହିଁ,ଗ୍ରୀକ୍ ମାନଙ୍କ ବ୍ୟତୀତ,ଯେଉଁଠି ଏହି ଦୁଇ ଦଳ, ବ୍ରାହ୍ମଣ ଓ ସାଧୁ,ଦେଖାଯାଆନ୍ତି ନାହିଁ,ଏବଂ ଏମିତି କୌଣସି ଦେଶ ନାହିଁ ଯେଉଁଠି ଅଧିବାସୀ ମାନେ ପରସ୍ପରର ଧର୍ମ ପ୍ରତି ଅନୁରକ୍ତ ନୁହଁନ୍ତି।ସେଇଥିପାଇଁ ହତ୍ୟା, ମୃତ୍ୟୁ ବା ଶହେ ଭାଗ ରୁ ଭାଗେ ବଂଦୀ ବା ହଜାରଭାଗରୁ ଭାଗେ ଲୋକଙ୍କର କଳିଙ୍ଗ ଯୁଦ୍ଧରେ ମୃତ୍ୟୁ, ଦେବାନାଂ ପ୍ରିୟ ଙ୍କୁ ବେଦନା ଦେଉଛି।ବର୍ତମାନ ଦେବାନାଂ ପ୍ରିୟ ବିଚାର କରନ୍ତି ଯେଉଁମାନେ ଭୁଲ କରିଛନ୍ତି ସେମାନଙ୍କୁ ଯଥା ସମ୍ଭବ କ୍ଷମା କରିଦେବା ଉଚିତ।

ଜଂଗଲର ଅଧିବାସୀମାନେ ଯେଉଁ ମାନେ ଦେବାନାଂ ପ୍ରିୟଙ୍କ ରାଜ୍ୟରେ ବସବାସ କରୁଛନ୍ତି,ସେମାନଙ୍କୁ ବିଚାରବନ୍ତ ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଉଛି।ସେମାନଙ୍କୁ କୁହାଯାଉଛି ଯେ ଅତ୍ୟନ୍ତ ଦୟା ପରବଶ ଦେବାନାଂ ପ୍ରିୟ ଆବଶ୍ଯକ ହେଲେ ଦଣ୍ଡ ବିଧାନ କରି ପାରନ୍ତି,ସେଥିପାଇଁ ସେମାନେ ନିଜର କୃତକର୍ମର ଭୁଲ୍ ପାଇଁ ଅନୁତପ୍ତ ହୋଇ ମୃତ୍ୟୁରୁ ରକ୍ଷା ପାଆନ୍ତୁ।ଦେବାନାଂ ପ୍ରିୟ ଇଚ୍ଛା କରନ୍ତି ଅନିଷ୍ଟ, ସଂଯମ ଓ ପକ୍ଷପାତହୀନ ବ୍ୟବହାର ସମସ୍ତଙ୍କ ପ୍ରତି, ଯେଉଁଠି ବି ଭୁଲ ହୋଇଛି ସେଠାରେ।

ବର୍ତ୍ତମାନ ଧର୍ମର ବିଜୟ ଦେବାନାଂ ପ୍ରିୟ ବିଚାର କରନ୍ତି ହେଉଛି ଶ୍ରେଷ୍ଠ ବିଜୟ।ଏବଂ ଏହା(ଧର୍ମ ବିଜୟ) ଏଠାରେ ଘଟିଛି, ସୀମାନ୍ତରେ, ଯେଉଁଠି ଗ୍ରୀକ୍ ସମ୍ରାଟ୍ ଆଣ୍ଟିଓକ ଶାସନ କରୁଛନ୍ତି,ତାହା ଛଡା ଯେଉଁଠି ଚାରିଜଣ ଅନ୍ୟ ସମ୍ରାଟ ଯଥା, ଟଲେମି, ଆଣ୍ଟିଗୋନୋସ୍, ମଗସ୍, ଏବଂ ଆଲେକ୍ଜାଣ୍ଡାର ଶାସନ କରୁଛନ୍ତି, ଯେଉଁ ପରି ଦକ୍ଷିଣରେ ଅଛନ୍ତି ଚୋଳ,ପାଣ୍ଡ୍ୟ, ଓ ତାମ୍ରପର୍ଣ୍ଣି ଯାଏଁ। ଏଠାରେ ସମ୍ରାଟ୍ ଙ୍କ ରାଜ୍ୟରେ ଗ୍ରୀକ୍, କଂବୋଜ, ନଭକ, ନଭପମକିତ, ଭୋଜ, ପିତିନିକ, ଆନ୍ଧ୍ର ଓ ପାଲିଦ, ସବୁଠାରେ ସମସ୍ତେ ଦେବାନାଂ ପ୍ରିୟଙ୍କ ଧର୍ମ ଅନଶାସନକୁ ଅନୁସରଣ କରୁଛନ୍ତି। ଏପରିକି ଯେଉଁଠାରେ ଦେବାନାଂ ପ୍ରିୟଙ୍କ ରାଜ ପ୍ରତିନିଧି ନାହାଁନ୍ତି ସେଠାରେ ଜନସାଧାରଣ ଦେବାନାଂ ପ୍ରିୟ ଙ୍କ ଧର୍ମ ଅନୁଶାସନ ଓ ନିର୍ଦ୍ଦେଶନାମା ବିଷୟରେ ଶୁଣି ତାହାକୁ ଅନୁସରଣ କରୁଛନ୍ତି ଆଉ କରିବେ ମଧ୍ୟ।ସବୁଠାରେ ଏହି ବିଜୟ ଘଟିଛି ଏବଂ ଏହା ଆନନ୍ଦ ପ୍ରଦାନ କରୁଛି ଯାହା କେବଳ ଧର୍ମ ବିଜୟ ହିଁ ଦେଇପାରେ।ଏହି ଆନନ୍ଦର ଫଳ ଖୁବ୍ କମ।ଦେବାନାଂ ପ୍ରିୟ ବିଚାର କରନ୍ତି ଯେ ଏହାର ସମସ୍ତ ଫଳ ପରବର୍ତ୍ତୀ ଜନ୍ମରେ ଅନୁଭୂତ ହୋଇପାରିବ ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ମୁଁ ଏହି ଧର୍ମ ସ୍ତଂଭକୁ ଲିପିବଦ୍ଧ କରିଯାଉଛି ଯାହାଦ୍ୱାରା ମୋର ପୁତ୍ର ପ୍ରପୌତ୍ର ମାନେ ପରବର୍ତ୍ତୀ କାଳରେ କୌଣସି ରାଜ୍ୟ ଜୟ କରିବାକୁ ଉଚିତ ମଣିବେ ନାହିଁ, କିମ୍ବା ଯଦି କେବେ ସାମରିକ ଯୁଦ୍ଧ ହୁଏ ତେବେ ତାହା ସହନଶୀଳତା ଆଉ ମୃଦୁ ଦଣ୍ଡ ଉପରେ ପର୍ଯ୍ୟବସିତ ହେବ,ଅଧିକ ଉଚିତ ହେବ ଯଦି ସେମାନେ ଧର୍ମ ବିଜୟରେ ବ୍ରତୀ ହୁଅନ୍ତି, ଯାହା ଏଇ ଲୋକ ଓ ପରଲୋକରେ ଫଳପ୍ରଦ ହୋଇପାରିବ।ସମସ୍ତେ ଏଥି ପ୍ରତି ନିଷ୍ଠାବାନ ହୋଇ ଏଇ ଲୋକ ଆଉ ପରଲୋକର ଉନ୍ନତି ବିଧାନ କରନ୍ତୁ।

¤¤¤¤¤

ନିଜେ ପାଠ ପଢିଲା ବେଳେ କି ପିଲାଙ୍କ ସହ ଇତିହାସ ପଢିଲା ବେଳେ ଏଇ ଟିକୁ ପୁରା ପଢି ନଥିଲି।ପରେ ପାଇଥିଲି ଆଉ ମନଯୋଗ ଦେଇ ପଢିଛି। ଆଉ ଏବେ ଏହାକୁ ଆପଣମାନଙ୍କ ସହ ବାଣ୍ଟିବା ପାଇଁ ଲୋଭକୁ ସଂଭାଳି ପାରିଲି ନାହିଁ।

ଏଇଟି ଅଶୋକଙ୍କ ଶିଳାଲେଖ ନଂବର ତେର ,ଯାହାକୁ ଖ୍ରୀପୂ ୨୬୯ରେ ଘଟିଥିବା କଳିଙ୍ଗ ଯୁଦ୍ଧର ଏକ ପ୍ରାମାଣିକ ଦଲିଲ୍ ବୋଲି ପିଲାଙ୍କୁ ସାଧାରଣତଃ ପଢାଯାଇଥାଏ।

ଆଜକୁ ପ୍ରାୟ ତେଇଶି ଶହ ବର୍ଷ ତଳେ ଅଶୋକ ହେଉଛନ୍ତି ପ୍ରଥମ ସାର୍ବଭୌମ ସମ୍ରାଟ ଯିଏ ଭାରତକୁ ଆଜିର ମାନଚିତ୍ରରେ ଯେତିକି ସ୍ୱାଧୀନ ଭାରତ ଦେଖୁଛୁ ପ୍ରାୟ ସେତିକି ଅଂଶକୁ ନିଜ ଶାସନ ଅଧୀନରେ ରଖିପାରିଥିଲେ।ରାଜ୍ୟର ପରିସୀମାଗତ ପରିସଂଖ୍ୟାନ ଦୃଷ୍ଟି ରୁ ଅଶୋକଙ୍କ ପରେ ଆକବର ଆଉ ତାହାପରେ ବ୍ରିଟିଶ ମାନେ ସ୍ୱାଧୀନ ଭାରତ ପୂର୍ବରୁ ଆସିବେ।ମହାତ୍ମା ଗାଂଧୀ ଙ୍କ ଅନେକ ପୂର୍ବରୁ ସେ ଅହିଂସାର ପ୍ରବର୍ତ୍ତକ।ସେ ଗୋଟିଏ ଜନମଂଗଳକାରୀ ରାଷ୍ଟ୍ର ର ନିର୍ମାତା ଯାହାର ଏକ ନିର୍ଦ୍ଦିଷ୍ଟ ଶାସନପଦ୍ଧତି ରହିଥିଲା।ଧାର୍ମିକ ସହିଷ୍ଣୁତା ର ସେ ଆଦ୍ୟ ପ୍ରବକ୍ତା।

କିନ୍ତୁ ଅଶୋକଙ୍କ ପରେ ମୋର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତର ଇତିହାସରେ ବ୍ରାହ୍ମଣ ଓ ବୌଦ୍ଧ ଧର୍ମ ମଧ୍ୟରେ ଯେଉଁ ସଂଘାତ ଓ ବ୍ରାହ୍ମଣଧର୍ମ ର ପୁନରୁତ୍ଥାନ ଘଟିଥିଲା ଯାହା ଅବ୍ୟାହତ ରହିଥିଲା ମୁସଲମାନଙ୍କ ଭାରତ ଆଗମନ ଯାଏଁ ଅର୍ଥାତ୍ ଏକହଜାର ଖ୍ରୀଷ୍ଟାବ୍ଦ ଯାଏଁ,ସେଇ ସମୟରେ ବ୍ରାହ୍ମଣ ମାନଙ୍କର ବୌଦ୍ଧ ବିଦ୍ୱେଷଟି ପ୍ରକାଶିତ ହୋଇଥିଲା ନୀରବରେ।ଏଇ ନୀରବ ବିଦ୍ୱେଷର କହିବାକୁ ଗଲେ ସବୁଠାରୁ ଅଧିକ ଶରବ୍ୟ ହୋଇଥିଲେ ବୌଦ୍ଧ ଧର୍ମର ସଶକ୍ତ ରାଜନୈତୀକ ପ୍ରତୀକ ମଗଧ ସମ୍ରାଟ୍ ଅଶୋକ।ଏଇ ରାଜନୈତୀକ ପ୍ରତୀକ ଟିକୁ ଇତିହାସରୁ ସଂପୂର୍ଣ୍ଣ ଲିଭାଇ ଦେବାର ପ୍ରଚେଷ୍ଟା କରାଯାଇଥିଲା।ଭାରତ ଇତିହାସରେ ଅଶୋକ ହେଉଛନ୍ତି ସର୍ବପ୍ରଥମ ସମ୍ରାଟ ଯିଏ ନିଜ ରାଜତ୍ୱର ବିବରଣୀକୁ ଶିଳାଲେଖ ଓ ସ୍ତମ୍ଭ ଲେଖ ମାଧ୍ୟମରେ ଲିପିବଦ୍ଧ କରି ଯାଇଛନ୍ତି।ନିଜର ପ୍ରଜାମାନଙ୍କୁ ଏଇ ଲେଖ ମାଧ୍ୟମରେ ସିଧା ସଳଖ ସଂବୋଧନ କରୁଥିବା ଏଇ ସମ୍ରାଟଙ୍କ ସମୟଟି ହେଉଛି ଭାରତ ଇତିହାସର ବିଦ୍ଧିବଧ ତଥ୍ୟାୟନର ଆରମ୍ଭର ସମୟ।ଆମେ ଇତିହାସରେ ତଥ୍ୟଦୃଷ୍ଟିରୁ ପୋଥିକୁ ଅଧିକ ଭରସା କରୁ।ସମସାମୟିକ ପୋଥି ଇତିହାସର ତଥ୍ୟ ଦୃଷ୍ଟିରୁ କେବଳ ବିଶ୍ୱାସ ଯୋଗ୍ୟ।ଏହି ସମସାମୟିକତା ପାଇଁ ଶିଳାଲେଖ ଅଧିକ ବିଶ୍ୱାସଯୋଗ୍ୟ।ଜଣେ ରାଜାତ ଆଉ ଦୁଇଶହ ବର୍ଷ ପୂର୍ବର ଆଉ ଜଣକ ପାଇଁ ଶିଳାଲେଖ ଲେଖିଯିବ ନାହିଁ।ସେଯାହାହେଉ ଅଶୋକଙ୍କର ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ବ୍ରାହ୍ଣଣ ରାଜନୈତିକ ପକ୍ଷଧର ମାନଙ୍କୁ ସୁହାଇଲା ନାହିଁ।କାରଣ ଅଶୋକ ବର୍ଣ୍ଣଭିତ୍ତିକ ବର୍ଗୀକରଣ ର ଆଧିପତ୍ୟକୁ ଅସ୍ୱୀକାର କରୁଥିଲେ।ତେଣୁ ମରଣୋପରାନ୍ତ ଅଶୋକଙ୍କୁ ସେଇ ସମୟରେ ଇତିହାସକେନ୍ଦ୍ରୀତ ହତ୍ୟା ର ଆୟୋଜନ ଚାଲିଲା।ଅଶୋକଙ୍କ ତଥ୍ୟାୟନକୁ ଯଥା ସମ୍ଭବ ଲିଭାଇ ଦିଆଗଲା।

ବ୍ରାହ୍ଣଣ ଧର୍ମର ବିଜୟ ସୂଚକ ପ୍ରତୀକ ସବୁଠି ଉପଲବ୍ଧ ହେଲା।ସିଂହ ହେଉଛି ବ୍ରାହ୍ଣଣ ଧର୍ମ ଆଉ ତାହାର ତଳେ ଭୂଲୁଂଠିତ ହୋଇ ରହିଛି ଗଜରାଜ ଯିଏ ବୋଦ୍ଧଧର୍ମର ପ୍ରତୀକ।ଆମର ଦେବତାଠାରୁ ଆରଂଭ କରି ସବୁ ପ୍ରବେଶ ଦ୍ୱାର ରେ ସେଇଦିନଠୁ ହାତୀ ପିଠିରେ ସିଂହ ଶୋଭା ପାଇଆସୁଛି।

ଇତିହାସରେ ଯେଉଁ ସତକୁ ହତ୍ୟା କରାଯାଇଥାଏ ସେଇ ସତକୁ ପୁନରୁଦ୍ଧାର କରିବା ସମୟ ସାପେକ୍ଷ।ସେଇ କଥା ଅଶୋକଙ୍କ କ୍ଷେତ୍ରରେ ଘଟିଛି।ଅଶୋକଙ୍କର ଜନ୍ମର ପ୍ରାୟ ଦୁଇହଜାର ବର୍ଷ ପରେ ଭାରତର ଇତିହାସରେ ସମସ୍ତେ ଜାଣିଲେ ଯେ ଅଶୋକ ବୋଲି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ରହିଛି।

ଆପଣ ମାନେ ଜାଣନ୍ତି ଅଶୋକ ଙ୍କ କଳିଙ୍ଗ ଯୁଦ୍ଧ ହୋଇଥିଲା ଖ୍ରୀପୂ ୨୬୧ ରେ ତାଙ୍କର ରାଜତ୍ବ ର ଅଷ୍ଠମ ବର୍ଷରେ କିନ୍ତୁ ଆମେ ଅଶୋକ ବୋଲି ଜଣେ ରାଜା ଥିଲେ ବୋଲି ଜାଣିଲୁ ୧୮୨୯ ଖ୍ରୀଷ୍ଟାବ୍ଦ ରେ।ତାହା ପୁଣି କୌଣସି ଭାରତୀୟ ଇତିହାସକାରଙ୍କ ସୌଜନ୍ୟ ରୁ ନୁହଁ,ସାର୍ ଜେମସ୍ ପ୍ରିନସେପ୍ ଙ୍କ ଭଳି ଜଣେ ବ୍ରିଟିଶ ପ୍ରାଚ୍ୟବିଦ୍ ଙ୍କ ଅକ୍ଳାନ୍ତ ଶ୍ରମ ଯୋଗୁ।ସେ ସେଇ ବର୍ଷ ଅଶୋକଙ୍କ ଶିଳାଲେଖର ପାଠୋଦ୍ଧାର କରିବାକୁ ସକ୍ଷମ ହେଲେ ଆଉ ଆମେ ଚିହ୍ନିଲୁ ଅଶୋକଙ୍କୁ।

୧୮୩୭ ଖ୍ରୀଷ୍ଟାବ୍ଦ ରେ ଅଶୋକଙ୍କର ଆଉ ଗୁଡିଏ ଶିଳାଲେଖର ଅଧ୍ୟୟନ ସେ କରିଥିଲେ ତାହା ମଧ୍ୟରୁ ଶିଳାଲେଖ ନଂବର ତେର ଅନ୍ୟତମ।

ସତ କହିଲେ ଆମେ ଯେଉଁମାନେ ଇତିହାସର ଛାତ୍ର ସେମାନେ ଆଜିର ନନ୍ଦିତ ରାଜନୈତିକ ଭୂଷଣ ମାନଙ୍କ ଭଳି ବା କିଛି ସଂବାଦପତ୍ରର ଚିନ୍ତକ ମାନଙ୍କ ଭଳି ଆବେଗାନ୍ୱିତ ନିଷ୍କର୍ଷ ରେ ପହଂଚି ଯାଇ ପାରିବୁ ନାହିଁ। ଇତିହାସ ସବୁବେଳେ ନିଷ୍ପକ୍ଷ ଏବଂ ଏହାର ଆଧାର ସବୁବେଳେ ଯୁକ୍ତି ଏବଂ ବିଚାର। ପ୍ରଚଳିତ ବିଶ୍ୱାସ ଏବଂ ଆବେଗକୁ ନେଇ ଆମେ କୌଣସି ତଥ୍ୟକୁ ଉପସ୍ଥାପନା କରିପାରୁ ମାତ୍ର ସେହି ତଥ୍ୟର ଐତିହାସିକତା ସେଇ ତଥ୍ୟ ବିଶେଷକୁ ବିନିର୍ମାଣ କରି ସେଥିରୁ ଯେଉଁ ଘଟଣାଟିକୁ ସେଥିରୁ ଉଦ୍ଧାର କରାଯାଇଛି ତାହାର ଉପରେ ନିର୍ଭର କରିଥାଏ।

ପ୍ରତ୍ୟେକ ଐତିହାସିକର ନିର୍ମାଣ-ଅସ୍ତ୍ର ହେଉଛି ପ୍ରଶ୍ନ,ପ୍ରତିପ୍ରଶ୍ନ ,ବିଚାର ଆଉ ଯୁକ୍ତି । କୌଣସି ସତ୍ୟନିଷ୍ଠର ଉଦ୍ଦେଶ୍ୟ ଯେମିତି ସତ୍ୟର ,କେବଳ ସତ୍ୟର ହିଁ ସଂଧାନ କରିବା ,ଐତିହାସିକର କର୍ତ୍ତବ୍ୟ କହିଲେ ଠିକ୍ସେ ଇ ଭଳି ନିହାତି ବୈଜ୍ଞାନିକ ଭାବରେ ସତ୍ୟର ଚାରିପଟେ ଯେଉଁ କୁହୁଡିର ଆଚ୍ଛାଦନଟି ରହିଯାଇଛି ତାହାକୁ ପରିସ୍କାର କରିଦେବା।

୧୮୨୯ ମସିହା ପୂର୍ବରୁ ଯଦି ଭାରତ ର ଇତିହାସ ଲେଖାହୋଇଥାନ୍ତା ଆଉ ତାହାକୁ ଧରି ଆମେ ଯଦି ଏବେ କହଂତେ ଯେ ଅଶୋକ ବୋଲି କେହି ଜଣେ ନଥିଲେ ତାହା ଯଦି ଆପଣ ମାନଙ୍କୁ ଠିକ୍ ଦିଶିଲା ତେବେ ବିନମ୍ରତାର ସହ ମୁଁ ସେଥିରେ ଅସହମତ ହେବି।ଅଶୋକ ଅଛନ୍ତି ବୋଲି ଜାଣିବାକୁ ଦୁଇହଜାର ବର୍ଷ ଲାଗିଗଲା, ସେମିତି ସେତେବେଳେ କଳିଙ୍ଗ ଯୁଦ୍ଧରେ କଳିଙ୍ଗର ରାଜା କିଏ ଥିଲେ ତାହା ଜାଣିବାକୁ କେତେ ଦିନ ଲାଗିବ କିଏ ଜାଣେ ?

ଏଇଠି ଯେଉଁ ଛବିଟିରେ ଲୋକଟିଏର ମୁହଁକୁ ବିବର୍ଣ୍ଣ କରିଦିଆଯାଇଛି ତାହା ସମ୍ରାଟ ଅଶୋକଙ୍କର।ବ୍ରାହ୍ମଣ ବିଦ୍ୱେଷକୁ ବହନ କରୁଥିବା ଅଶୋକଙ୍କର ଏଇ ଏକମାତ୍ର ରିଲିଫ୍ ଟି ମ୍ୟୁଜିୟମ ଅଫ୍ ପାରିସ୍ ରେ ରହିଅଛି। ଆଉ ଆର ଛବିଟି ହେଉଛି ଅଶୋକଙ୍କ ଶିଳାଲେଖ ତଳେ ଲେଖାଯାଇଥିବା “ଦେବାନାମପିୟା ପିୟଦଶୀ ଲଜା ହେଭାମ ଆହା” ବା “ଯାହା କହନ୍ତି ଦେବାନାଂ ପ୍ରିୟ ରାଜା ପ୍ରିୟଦର୍ଶୀ”।)

Leave a Reply

Your email address will not be published. Required fields are marked *