ଲେଖକ ବୋଲି କୁହାଯାଉଛି ଯେତେବେଳେ ସେ ତେଣୁ ଲେଖକ ହିସାବରେ ଅଧିକ ଚର୍ଚ୍ଚିତ,ଚିତ୍ରକର ହିସାବରେ ନୁହଁ । ତଥାପି ବେଳେବେଳେ ସେ
ଛବି ଆଙ୍କନ୍ତି ଆଉ ଚିତ୍ରକଳା ଉପରେ ନିଜର ବିଶ୍ଳେଷଣାତ୍ମକ ଲେଖା ଆଉ ବ୍ୟାଖ୍ୟାନ ପ୍ରଦାନ କରିଥାନ୍ତି ।
ସର୍ବମୋଟ କୋଡିଏ ଟି ଛବି। ଛବିଗୁଡିକ ଭିତରୁ କିଛି ତୈଳରଂଗର ଆଉ ଅଧିକ କିଛି ଜଳରଂଗର ଛବି।
ଛବି ଗୁଡିକ ଅଂକା ସରିବା ପରେ ଏଇ ଲେଖକ ଜଣକ ସ୍ଥିର କରିଥିଲେ ଯେ,୧୫ ଜୁନ୍୧୯୨୯ ମସିହା ଦିନ ସେଇ କୋଡିଏଟି ଛବିକୁ ନେଇ ଲଣ୍ଡନ ର ୱାରେନ୍ ଗାଲେରୀରେ ତାଙ୍କର ଗୋଟିଏ ଏକକ ଚିତ୍ର ପ୍ରଦର୍ଶନୀ ହେବ।
ଏହି ପ୍ରଖ୍ୟାତ ଲେଖକ ଜଣକ ନିଜର ଏମିତି ଗୋଟିଏ ଏକକ ଚିତ୍ର ପ୍ରଦର୍ଶନୀର କଥା କୁ ନିଜ ମନକୁ ଆଣିଥିବା ପଛରେ ତାଙ୍କର ଜଣେ ପୂର୍ବବର୍ତ୍ତି ସୂରୀ ଙ୍କ ପ୍ରଭାବ ତଥା ଅନୁପ୍ରେରଣା ଥିଲା। ସେଇ ପ୍ରେରଣାସ୍ରୋତ ର ଲେଖକ ଜଣକ ହେଉଛନ୍ତି ଉଇଲିଅମ ବ୍ଲେକ୍ । ଉଇଲିଅମ ବ୍ଳେକ୍ ଙ୍କର ସବୁ ବେଳେ ଭାରି ଇଛା ଥିଲା ଯେ ତାଙ୍କର ଲେଖାର ବିଶେଷ ଭ ” ଆନସିଏଣ୍ଟ ଡେୟଜ” ଏକ ଭବ୍ୟ ଚିତ୍ରରୂପ ଯେମିତି ଲଣ୍ଡନର ସେଣ୍ଟ ପଲ୍ କାଥେଡ୍ରାଲ୍ ରେ ସ୍ଥାନ ପାଏ। ତାଙ୍କର ଜୀବଦ୍ଦଶାରେ ତାହା ସମ୍ଭବପର ହୋଇ ପାରିଲା ନାହିଁ । ତାଙ୍କର ସ୍ମୃତିକୁ ସମ୍ମାନ ଜଣାଇ ତାଙ୍କର ଜନ୍ମଦିନ (୨୮ ନଭେମ୍ବର ୧୭୫୭ ଖ୍ରୀଅରେ ତାଙ୍କର ଜନ୍ମ) ଟେଟେ ବ୍ରିଟେନ୍ ବୋଲି ଜଣେ କଳାକାର ବ୍ଲେକ୍ ଙ୍କ ଲେଖାର ଚିତ୍ରରୂପ ଟିଏ ସେଣ୍ଟ ପଲ୍ କାଥେଡ୍ରାଲ୍ ର ଗମ୍ବୁଜରେ ଅଙ୍କନ କରିଥିଲେ।
ଆମର ପ୍ରସଂଗର ଏଇ ଲେଖକ ଜଣକ ବ୍ଲେକ ଙ୍କ ଲେଖାର ଭବ୍ୟ ଚିତ୍ରରୂପକୁ ଦେଖି ଭାରି ଉତ୍ସାହିତ ହୋଇ ପଡିଥିଲେ ଆଉ ନିଜର ଏକ ଏକକ ପ୍ରଦର୍ଶନୀ କରିବାପାଇଁ ଆବଶ୍ୟକୀୟ ଛବି (କୋଡିଏଟି) ଆଙ୍କି ଚାଲିଥିଲେ ।
ନିଜର ଏକକ ପ୍ରଦର୍ଶନୀର ସ୍ୱପ୍ନ ଦେଖୁଥିବା ଏହି ପ୍ରଖ୍ୟାତ ଲେଖକ ଜଣକ ହେଉଛନ୍ତି ଆମର ଚିହ୍ନା ଡି ଏଚ୍ ଲରେନ୍ସ (୧୮୮୫-୧୯୩୦)। ଲରେନ୍ସ ସେତେବେଳକୁ ସଦ୍ୟ ତାଙ୍କର ବିତର୍କିତ ଉପନ୍ୟାସ “ଲେଡି ଚାଟର୍ଲିଜ୍ ଲଭର” ଉପନ୍ୟାସକୁ ନେଇ ଅଶ୍ଳୀଳତା ର ବ୍ୟାପକ ଚର୍ଚ୍ଚା,ସାମାଜିକ ଅସୂୟା ଏବଂ ଉପନ୍ୟାସକୁ ପ୍ରତିବନ୍ଧିତ କରାଯିବା ଭଳି ଯାତନାକୁ ଅତିକ୍ରମ କରି ଉଠିଥାନ୍ତି।
ଡି ଏଚ୍ ଲରେନ୍ସଙ୍କର ଏଇ କୋଡିଏ ଟି ଛବିକୁ ଯେତେବେଳେ ଏକାଠି ଦେଖାଗଲା ରଂଗନୈପୁଣ୍ୟ ତଥା ଚିତ୍ରାଙ୍କନରେ ସେହି ଛବିଗୁଡିକ ଯଥେଷ୍ଟ ପ୍ରଭାବୀ ଥିଲା । କିନ୍ତୁ ତାଙ୍କର ଛବିର କଥ୍ୟବସ୍ତୁ କୁ ନେଇ କିଛି ବିବାଦ ଦେଖା ଦେଇଥିଲା। ଡି ଏଚ୍ ଲରେନ୍ସ ଙ୍କ ଛବିରେ ବିଷୟବସ୍ତୁ ଆକାରରେ ଉଲ୍ଲେଖଯୋଗ୍ୟ ଭାବରେ ରହିଥିଲା ନଗ୍ନତା,ନାରୀ ଆଉ ପୁରୁଷ ର ଯୌନତା ଏବଂ ସେହି ସବୁ ନଗ୍ନ ନାରୀପୁରଷ ମାନେ ବାଇବେଲ୍ ପୃଷ୍ଟାରୁ କାନଭାସ୍ ଉପରକୁ ଓହ୍ଲାଇ ଆସିଛନ୍ତି ,ବିଶେଷରେ ଚର୍ଚ୍ଚିତ ” ଲେଡା ଆଣ୍ଡ ଦି ସ୍ୱାନ” କାହାଣୀରୁ ।
ଲଣ୍ଡନର ୱାରେନ୍ ଗ୍ୟାଲେରୀରେ ୧୫ ଜୁନ୍ ୧୯୨୯ ରେ ଡି ଏଚ୍ ଲରେନ୍ସ ଙ୍କର ଏକକ ଚିତ୍ରପ୍ରଦର୍ଶନୀ ଉଦଘାଟିତ ହେବା ପରେ ତାହା ବ୍ୟାପକ ଦର୍ଶକଙ୍କ ଭିତରେ ପ୍ରବଳ ଆଲୋଡନ ତଥା ଆଗ୍ରହ ସୃଷ୍ଟି କରିପାରିଥିଲା । ମାତ୍ର କୋଡିଏ ଦିନ ଭିତରେ ଏହି ପ୍ରଦର୍ଶନୀକୁ ପ୍ରାୟ କୋଡିଏ ହଜାର ଦର୍ଶନ ଦେଖିବାକୁ ଆସିଥିଲେ। ସେସମୟରେ ଏତେ ଦର୍ଶକ ମାନଙ୍କର ଏତେ ବ୍ୟାପକତା କୁ ଆଧାରକୁ ନେଲେ ଏକଥା କୁହାଯାଇପାରିବ ଯେ ଡିଏଚ୍ ଲରେନ୍ସଙ୍କର ଏକକ ଚିତ୍ର ପ୍ରଦର୍ଶନୀ ଗୋଟିଏ ପ୍ରଦର୍ଶନୀ ହିସାବରେ ସଂପୂର୍ଣ୍ଣ ସଫଳ ହୋଇଛି।
କିନ୍ତୁ ଚିତ୍ରରେ ନଗ୍ନତା,ଯୌନତା ତଥା ବାଇବେଲ୍ ର କ୍ଲାସିକାଲ୍ ଚରିତ୍ରମାନଙ୍କର ଉପସ୍ଥିତି କୁ ନେଇ ସମୀକ୍ଷା କଲା ବେଳେ ସେ ସମୟର ବ୍ରିଟିଶ ସମ୍ବାଦପତ୍ର ମାନ ଲରେନ୍ସ ଙ୍କ ପ୍ରତି ସଂପୂର୍ଣ୍ଣ ଅନୁଦାର ଥିଲା। ସେ ସମୟର ସମସ୍ତ ବ୍ରିଟିଶ ସଂବାଦପତ୍ର ଏହି ଏକକ ଚିତ୍ର ପ୍ରଦର୍ଶନୀକୁ ନେଇ ନିଜର ନିଜର ସମୀକ୍ଷାରେ ପ୍ରାୟ ଗୋଟିଏ କଥା ଲେଖିଥିଲେ,ଏହା ଘୃଣାଯୋଗ୍ୟ, ଚରମ ବିରକ୍ତିକର ଆଉ ସଂପୂର୍ଣ୍ଣ ଅନୈତିକ ଏକ ଚିତ୍ର ପ୍ରଦର୍ଶନୀ।
ଏଇ ଏକକ ଚିତ୍ର ପ୍ରଦର୍ଶନୀରେ କୋଡିଏ ସମ୍ଭବତଃ ଏକ ରହସ୍ୟମୟ ସଂଖ୍ୟା ଥିଲା। କୋଡିଏ ଟି ଛବିକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ କୁ କୋଡିଏ ହଜାର ଦର୍ଶକ ଦେଖିବାପରେ ଏହାର ଆରମ୍ଭର କୋଡିଏ ଦିନ ପରେ ସେଇ ଆଶା କରାଯାଉଥିବା ଆତଙ୍କର ଘଟଣାଟି ଘଟିଥିଲା।
ପ୍ରଦର୍ଶନୀ ଆରମ୍ଭ ହେବାର କୋଡିଏ ଦିନ ପରେ ୫ ଜୁଲାଇ ୧୯୨୯ ଦିନ ବ୍ରିଟିଶ ପୁଲିସ୍ ପ୍ରଦର୍ଶନୀ ସ୍ଥଳକୁ ଧସେଇ ପସିଥିଲେ ଏବଂ ସେଇଠାରେ ପ୍ରଦର୍ଶିତ ହେଉଥିବା କୋଡିଏ ଟି ଛବିରୁ ତେର ଟି ଛବିକୁ ଜବତ କରିଥିଲେ ଆଉ ସେଇ ଜବତ ଛବିକୁ ଗୋଟିଏ ସିନ୍ଧୁକରେ ରଖି ଚାବି ପକାଇଦେଇଥିଲେ । ଲରେନ୍ସ ଏଥିରେ ଭୟଭୀତ ହୋଇଥିଲେ ସତ କିନ୍ତୁ ବ୍ରିଟିଶ ଚେତନାରେ କଳା ର ଅବଧାରଣା କ’ଣ ବୋଲି ତାଙ୍କର ଯାହା ଆଗରୁ ଅଭିମତ ରହିଥିଲା ତାହାକୁ ଏଇ ଭଳି ଛବିକୁ ଜବତ କରିବା ଘଟଣା ହିଁ କେବଳ ପରିପୁଷ୍ଟ କରୁଥିଲା।
ଏହି ଘଟଣା କୋର୍ଟର ବିଚାରର ପରିସରକୁ ଆସିଥିଲା। ଏଇ ଘଟଣାର ଶୁଣାଣୀରେ ଅଧ୍ୟକ୍ଷତା କରୁଥିବା ବିଚାରକ ଜଷ୍ଟିସ୍ ଫ୍ରେଡେରିକ ମିଡ ତାଙ୍କର ଅଭିମତ ଏହି ଭଳି ପ୍ରଦାନ କରିଥିଲେ :
” ଏହା କଳା କି ନୁହଁ ସେ କଥା ଏଠାରେ ବିଚାର୍ଯ୍ୟ ନୁହଁ ,ପୃଥିବୀର ସବୁଠାରୁ ଉତ୍କୃଷ୍ଟ କଳାକୃତିଟି ଅଶ୍ଳୀଳ ହୋଇପାରେ (ଆଉ ବିଶେଷ ଭାବରେ ଏହି କାରଣରୁ) ତାହାକୁ ନଷ୍ଟ କରିଦିଆଯିବା ଉଚିତ,ଯେପରି କୌଣସି ଏକ ଭୟଙ୍କର ହିଂସ୍ର ବଣ୍ୟ ଜନ୍ତୁ,ସେ ଯେତେ ସୁନ୍ଦର ହେଲେ ବି ତାହାକୁ ଆଗ ବଧ କରାଯିବା ଉଚିତ ।”
ଘଟଣାଟି ଅଧିକ ବିପଜ୍ଜନକ ମୋଡ ନେଉଥିବା ଦେଖି ଡିଏଚ୍ ଲରେନ୍ସ ବିଚାରାଳୟରେ କିଛି ଅର୍ଥ ଜୋରିମାନା ଦେଇ ସେହି ଜବତ ଛବି ଗୁଡିକୁ ନିଜର ଅଧିକାର କୁ ନେଇଥିଲେ ଆଉ ସେଇଥିପାଇଁ ତାଙ୍କୁ ଗୋଟିଏ ବ୍ୟକ୍ତିଗତ ମୂଚାଲିକା ପ୍ରଦାନ କରିବାକୁ ହୋଇଥିଲା। ସେହି ମୁଚାଲିକାରେ ଚିତ୍ରକର ଲେଖକ ଲରେନ୍ସ ସନ୍ତକ କରି ଅଂଗିକାର କରିଥିଲେ ଯେ,ଏଇ ଛବିଗୁଡିକ ଆଉ କେବେହେଲେ ବ୍ରିଟେନ୍ ରେ ପ୍ରଦର୍ଶିତ ହେବ ନାହିଁ ।
ଏହା ଫଳରେ ଡି ଏଚ୍ ଲରେନ୍ସଙ୍କର ସେଇ ଛବିଗୁଡିକ ଆଉ ବ୍ରିଟେନ୍ ରେ ରହିଲା ନାହିଁ ।ଚାରିଆଡେ କୁଆଡେ କେମିତି ବିଛାଡି ପଡିଲା ତାହାର କୌଣସି ସଠିକ ଖବର ନାହିଁ । ତଥାପି ଏବେ ସେଥିରୁ କେତୋଟି ଛବି ଦେଖିବାକୁ ମିଳେ।
ଶ୍ଳୀଳତାର ଦାୟରେ ସମାଜର ମିସପ୍ଲେସେଡ୍ ମେଟାଫର୍ ମାନେ ଚିନ୍ତକ ସାଜି ସାମାଜିକ ନୈତିକତାରେ ଏକ ନବ୍ୟନୈତିକତାର ପ୍ରବର୍ତ୍ତକ ତଥା “ମୋରାଲ୍ ପୁଲିସିଙ୍ଗ୍” କରିବା ବା କରିଆସୁଥିବା କଥା ଇତିହାସ ଦୃଷ୍ଟିରୁ ସେମିତି କିଛି ନୁଆଁ ନୁହଁ । କାହାର ଛବି ବାଜ୍ୟାପ୍ତ ହେବା ପଛରେ ,ଠିକ୍ ଲରେନ୍ସଙ୍କ ଚିତ୍ର ସମୂହର ଶ୍ଳୀଳ-ଅଶ୍ଳୀଳତାକୁ ବିଚାର କରୁଥିବା ବିଚାରପତି ଜଷ୍ଟିସ୍ ଫ୍ରେଡରିକ ମିଡ ଙ୍କ ଭଳି ବିଚାର ରହିଥାଏ,ଯେତେ ସୁନ୍ଦର ଦିଶିଲେ ବି ମଣିଷଖିଆ ବାଘକୁ ଗୁଳି କରିଦିଆଯିବା ଉଚିତ୍।
ତାହାହେଲେ ଚିତ୍ର କି ସାହିତ୍ୟ କ’ଣ ସମାଜର ପ୍ରଥାନୁଯାୟୀ ଆଳୁ,ବାଇଗଣ ପରି ନିତ୍ୟ ବ୍ୟବହାର୍ଯ୍ୟ ପରିବା ଆକାରରେ ଡ୍ରଇଂ ଖାତାରେ ଅଂକା ହେଉଥିବ ଆଉ ସେଇ ଖାତା ଉପରକୁ ଝୁଙ୍କି ପଡିଥିବା ସଭିଏଁ ନିଜ ହାତରେ ଗୋଟିଏ ଗୋଟିଏ ସୁନ୍ଦର ଇରେଜର୍ ଧରି ସେହି ଛବି ଗୁଡିକର ଟିକିଏ ଟିକିଏ ଲିଭାଇ ପରସ୍ପରକୁ କହୁଥିବେ,ଦେଖ ମୋ ଇରେଜର୍ କେମିତି ତୋ’ଠୁ ଅଧିକା ସୁନ୍ଦର ।
ସମାଜରେ କ’ଣ ଛବି ଅପେକ୍ଷା ଇରେଜର୍ ଅଧିକ ଗୁରୁତ୍ୱପୂର୍ଣ୍ଣ ?
ପ୍ରଖ୍ୟାତ ଲେଖକ ଡିଏଚ୍ ଲରେନ୍ସ କୋଡିଏ ଟି ଛବି ଆଙ୍କି ସାରିବା ପରେ ନିଜର ଏକକ ଚିତ୍ର ପ୍ରଦର୍ଶନୀ ର ପରିକଳ୍ପନା କରିସାରିବା ପରେ ସେହି ଚିତ୍ରଗୁଡିକ ସଂପର୍କରେ ଗୋଟିଏ ଉପକ୍ରମଣିକା ଲେଖିଥିଲେ । ୧୫୨୯ ଖ୍ରୀଷ୍ଟାବ୍ଦରେ ଲିଖିତ ଲରେନ୍ସଙ୍କର ସେହି ଉପକ୍ରମଣିକାର ନାଆଁ ଥିଲା,”ଇଣ୍ଟ୍ରୋଡକସନ୍ ଟୁ ଦିଜ୍ ପେଣ୍ଟିଙ୍ଗସ୍” । ସେଥିରୁ ଆମେ ତାଙ୍କର ଚିତ୍ର ବିଚାର ଆଉ ପାରିପାର୍ଶ୍ୱିକତାକୁ ବୁଝିପାରିବା।
ଏବଂ ଆମେ ତାଙ୍କର ସେହି ଉପକ୍ରମଣିକାକୁ ନିଜର ସର୍ଜନାର ସ୍ୱରୂପକୁ ବୁଝିବା ବେଳେ ହୁଏତ ନିଜେ ନିଜର ପ୍ରୟୋଗରେ ଅନୁବାଦ କରିବା ପାଇଁ ଆଗ୍ରହୀ ହେବା।
ଡିଏଚ୍ ଲରେନ୍ସଙ୍କ ସେହି ଚିତ୍ର-ଉପକ୍ରମଣିକାରୁ କିଛି, ଅନୁବାଦରେ ଏଇଠି :
“ଇଂଲଣ୍ଡ କାହିଁକି ଏତେ କମ୍ ଚିତ୍ରକରଙ୍କୁ ଜନ୍ମ ଦେଇଛି ,ତାହାର କାରଣ ଏହିପରି ନୁହଁ ଯେ ଗୋଟିଏ ରାଷ୍ଟ୍ର ଆକାରରେ ସେଇଠି ଦୃଶ୍ୟଚିତ୍ର ପ୍ରତି ଏକ ସ୍ୱତଃସ୍ଫୃର୍ତ୍ତ ଅନୁରାଗ ନାହିଁ ; ସେମାନଙ୍କର ଛବି ଅଂକନର ବହୁଳତାକୁ ଦେଖିଲେ ଏବଂ ସେମାନେ ଇଂଲଣ୍ଡର ଲାଣ୍ଡସ୍କେପ୍ ର ଯେମିତି ସତ୍ୟାନାଶ କରିଦେଇଛନ୍ତି ତାହାକୁ ଦେଖିଲେ,ଜଣେ ଏପରି ଏକ ଉପସଂହାର ରେ ନିଶ୍ଚିତ ପହଂଚିଯିବ ଯେ ସେମାନଙ୍କର ଠିକ୍ ସେତିକିରେ ହିଁ ଅଟକି ଯିବା ସର୍ବତ୍କୃଷ୍ଟ । ମାତ୍ର ଏହା ଆଦୌ ଈଶ୍ୱରଙ୍କ ତ୍ରୁଟି ନୁହଁ ଯାହା ସେମାନଙ୍କୁ ନିର୍ମାଣ କରିଛି । ସେମାନେ ଠିକ୍ ଅନ୍ୟତ୍ର ଥିବା ଅନ୍ୟମାନଙ୍କ ଭଳି ନାନ୍ଦନିକ ସୂକ୍ଷ୍ମାନୂଭବ ଦ୍ୱାରା ନିର୍ମିତ । ତ୍ରୁଟିଟି ରହିଛି କେବଳ ବ୍ରିଟିଶ ମାନଙ୍କ ଜୀବନବୋଧରେ ।
ବ୍ରିଟିଶ ,ଏବଂ ସେମାନଙ୍କୁ ଅନୁକରଣ କରୁଥିବା ଆମେରିକୀୟ,ଏମାନେ ଭୟ ର କାରଣରୁ ପକ୍ଷାଘାତ ଭୋଗୁଛନ୍ତି । ଏହା ମୂଳତଃ ଆଙ୍ଗଲୋ-ସାକ୍ସନ ଅସ୍ତିତ୍ୱକୁ ବିଲୋପ ଏବଂ ବିଭ୍ରାନ୍ତ କରୁଛି,ଗତି ପରିବର୍ତ୍ତନକ୍ଷମ ତାଡନା ଶକ୍ତିର ଗଳାକୁ ଦୃଢ ଭାବରେ ଚାପି ଧରୁଛି: ସେଇ ସର୍ବପ୍ରଭୂତ୍ୱସଂପନ୍ନକାରୀ ଭୟ । ଏବଂ କାହାର ସେ ଭୟ,ଯାହା ସ୍ୱର୍ଗର ନାଆଁ ? ଦୃଶ୍ୟଚିତ୍ରର କ୍ଷେତ୍ରରେ ବ୍ରିଟିଶ ବିଫଳତାକୁ ବୁଝିବା ଆଗରୁ ଆମକୁ ଏହାର ଉତ୍ତର ଦେବାକୁ ହେବ : ଯେହେତୁ,ସାମଗ୍ରିକ ଦୃଷ୍ଟିରେ ଦେଖିଲେ ,ଏହା ଏକ ବିଫଳତା ।”
ତେଣୁ ଉପସଂହାର ରେ କେବଳ ଦୁଇଟି ଶବ୍ଦ : ଡରୋ ମତ୍ ।