ଭ୍ୟାନଗୋଗଙ୍କ ଭାଇବୋହୂ

ଭିନସେଣ୍ଟ ଭ୍ୟାନଗୋଗଙ୍କୁ କିଏ ବା ନଜାଣେ ? କେହି କେହି ଭ୍ୟାନଗୋଗଙ୍କ ଭାଇ ଥିଓଙ୍କୁ ମଧ୍ୟ ଜାଣନ୍ତି । ଦୁଇ ଭାଇଙ୍କ ଅନାବିଳ ପ୍ରେମ ଆମ ଚିତ୍ରକଳା ଇତିହାସ ପାଠର ବିଷୟ ହୋଇସାରିଛି । କିନ୍ତୁ ଭ୍ୟାନଗୋଗଙ୍କୁ ବିଶ୍ୱ କଳା ଦରବାରରରେ ଜଣେ ଅପ୍ରତିଦ୍ୱନ୍ଦୀ ଚିତ୍ରଶିଳ୍ପୀ ଭାବରେ ଠିଆ କରାଇବାରେ ସବୁଠାରୁ ଅଧିକା ଭୂମିକା ଲିଭାଇଥିବା ଜଣେ ମହିଳାଙ୍କ ଅବଦାନ ବିଷୟରେ ଅନେକ ଜାଣନ୍ତି ନାହିଁ । ହୁଏତ ସେ ନଥିଲେ ଭିନସେଣ୍ଟ ଭ୍ୟାନଗୋଗ୍ ଓ ଥିଓ ଭ୍ୟାନଗୋଗଙ୍କୁ କେହି ଜାଣିନଥା’ନ୍ତେ । କେହି ଜାଣିନଥିଲେ ହୁଏତ ଏହା ଭିତରେ ଭ୍ୟାନଗୋଗଙ୍କ ଅଙ୍କିତ ଶହ ଶହ ଚିତ୍ର ଆଜି ଖତ ଖାଇ କାଳର କରାଳ ଗର୍ଭରେ ହଜିଯାଇସାରନ୍ତାଣି ।

ଭ୍ୟାନଗୋଗଙ୍କୁ ଚିହ୍ନା କରାଇଥିବା ମହିଳା ଜଣକ ହେଲେ ଭିନସେଣ୍ଟ ଭ୍ୟାନଗୋଗଙ୍କ ଭାଇବୋହୂ ତଥା ଥିଓ ଭ୍ୟାନଗୋଗଙ୍କ ପତ୍ନୀ ଜୋ ବୋଞ୍ଜେର ।

ଭ୍ୟାନଗୋଗଙ୍କୁ ପ୍ରସିଦ୍ଧ କରିବା ପଛରେ ଜୋ’ଙ୍କ ଅବାଦାନ ବିଷୟରେ ବିଶ୍ୱ ପାଖରେ ଏତେଟା ଖବର ପ୍ରଥମରୁ ନଥିଲା । ଜୋ ବୋଞ୍ଜେରଙ୍କ ଜୀବନୀ ପ୍ରଥମ ଥର ପାଇଁ ଡଚ୍ ଭାଷାରେ ପ୍ରକାଶ ପାଇଲା ପରେ ଅନ୍ୟମାନେ ଏ ବିଷୟରେ ଅବଗତ ହେଲେ । ତଥାପି ଜୋ’ଙ୍କୁ ଯେଉଁ କ୍ରେଡିଟ୍ ମିଳିବାର କଥା ତାହା ଆଜିବି ମିଳିନି । ଜଣେ ସ୍ତ୍ରୀ ଲୋକ ପାଇଁ ନା’ ଆଉ କିଛି କାରଣ ତାଙ୍କୁ କଣଠେସା କରିଛି ମୁଁ କହିପାରିବିନି । ଅନେକ ଗବେଷଣା କରିଲା ପରେ Hans Luijten ନାମକ ଜଣେ ଗବେଷକ ଜୋ’ଙ୍କ ଜୀବନୀ ବହିଟି ଲେଖି ପ୍ରକାଶ କରିଥିଲେ । ପ୍ରଥମେ ଡଚ୍ ଭାଷାରେ ଜୀବନୀଟି ପ୍ରକାଶ ପାଇଲାର ଦୁଇ ବର୍ଷ ପରେ ଯାଇଁ ‘ଜୋ ଭ୍ୟାନଗୋଗ୍- ବୋଞ୍ଜେର: ଦି ଓମ୍ୟାନ ହୁ ମେଡ୍ ଭିନସେଣ୍ଟ ଫେମସ୍’ ନାମରେ ଏହା ଇଂରାଜୀ ଭାଷାରେ ଇଂଲଣ୍ଡ ଓ ଆମେରିକାରେ ପ୍ରକାଶ ପାଇଲା । ଇଂରାଜୀ ବହି ବାହାରିଲା ପରେ ଜୋ’ଙ୍କ ବିଷୟରେ ବେଶୀ ଲୋକ ଜାଣିଲେ । ଜୋ ଙ୍କର ପୁରା ନାମଟି ହେଲା Johanna (Jo) Gezina van Gogh – Bonger । ଜୋ ବୋଞ୍ଜେରଙ୍କ ଜନ୍ମ ୪ ଅକ୍ଟୋବର ୧୮୬୨ରେ ଆମଷ୍ଟାରଡମସ୍ ଠାରେ ହୋଇଥିଲା । ବାପା ମା’ଙ୍କର ସାତୋଟି ସନ୍ତାନ ଭିତରେ ତାଙ୍କର ସ୍ଥାନ ଥିଲା ପାଞ୍ଚ । ସେ ଭଲ ପଢୁଥିଲେ ଓ ଇଂରାଜୀ ଭାଷାରେ ବେଶ୍ ଭଲ ଦକ୍ଷତା ହାସଲ କରିଥିଲେ । ସେ କିଛି ଦିନ ବ୍ରଟିଶ ମ୍ୟୁଜିୟମର ପାଠାଗାରାରେ କାମ ମଧ୍ୟ କରିଥିଲେ । ଜୋ ଙ୍କୁ ଯେତେବେଳେ ସତର ବର୍ଷ ବୟସ ସେତେବେଳେ ସେ ଗୋଟେ ଭଲ ଅଭ୍ୟାସ ଆରମ୍ଭ କରିଥିଲେ ଓ ସାରା ଜୀବନ ସେ ଅଭ୍ୟାସକୁ ବଞ୍ଚେଇ ରଖିଥିଲେ । ଅଭ୍ୟାସଟି ହେଲା ପ୍ରତିଦିନ ଦିନଲିପି ଲେଖିବା । ଖାସ୍ ସେହି ଦିିନଲିପି ଲେଖିବା ଅଭ୍ୟାସ ପାଇଁ ଆଜି ତାଙ୍କ ବିଷୟରେ ଓ ତାଙ୍କ ଅବଦାନ ବିଷୟରେ ଯାହା ଜଣାପଡୁଛି । ଜଣାପଡୁଛି ଭ୍ୟନଗୋଗଙ୍କ ପାଇଁ ସେ କ’ଣ କ’ଣ କରିଛନ୍ତି । ଜୋ’ଙ୍କର ସେହି ମୂଳ ଦିନଲିପି ସବୁକୁ ଆମଷ୍ଟାରଡମସ୍ ଭ୍ୟାନଗୋଗ୍ ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯାଇଛି ଓ ସେସବୁକୁ ପାଠ କରି Hans Luijten ଜୋ’ଙ୍କ ଜୀବନୀ ରଚନା କରିଛନ୍ତି ।

ଭିନସେଣ୍ଟ ଭ୍ୟାନଗୋଗ

୧୮୮୮ ମସିହାରେ ଭ୍ୟାନଗୋଗ୍ ପାଗଳାମି କରି ତାଙ୍କ ନିଜ କାନ କାଟିପକେଇଥିଲେ । ସେଇ ବର୍ଷ ହିଁ ଜୋ ଓ ଥିଓଙ୍କର ଦେଖା ହୋଇଥିଲା, ସମ୍ପର୍କ ଗଢିହୋଇଥିଲା ଓ କ୍ରମେ ପ୍ରେମ ବି ହୋଇଥିଲା । ଥିଓ ହିଁ ବିବାହ ପାଇଁ ଜୋଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ ଓ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଜୋ ରାଜି ହେଲାପରେ ପର ବର୍ଷ ଦୁହେଁ ଆମଷ୍ଟ୍ରାଡମ ଠାରେ ବିବାହ କରିଥିଲେ । ଦୁହେଁ ପ୍ୟାରିସରେ ରହିବାର ଯୋଜନା କଲାପରେ ଜାନୁଆରୀ ମାସ ୧୮୯୦ରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ଗ୍ରହଣ କରିଥିଲା । ନୂଆ ପୁଅଟିର ନାମ ଘରର ଚିତ୍ରଶିଳ୍ପୀ ନାମ ଅନୁସାରେ ଭିନସେଣ୍ଟ ଦେଇଥିଲେ । ସେଇ ୧୮୯୦ ମସିହାର ଜୁଲାଇ ମାସରେ ଭ୍ୟାନଗୋଗ୍ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ । ଭ୍ୟାନଗୋଗଙ୍କ ଆତ୍ମହତ୍ୟାର ଠିକ୍ ଛଅ ମାସ ପରେ ତାଙ୍କ ସାନଭାଇ ଥିଓ ସିଫିଲିସରେ ମୃତ୍ୟୁବରଣ କଲେ । ଥିଓ ଜଣେ ଆର୍ଟ ଡିଲର ଥିଲେ ଓ ବଡ ଭାଇ ଭ୍ୟାନଗୋଗଙ୍କ ଛବି ବିକିବାକୁ ଅନେକ ଚେଷ୍ଟା କରିଥିଲେ । ସେ ତାଙ୍କ ପାଗଳିଆ ବଡ ଭାଇଙ୍କୁ ଭୀଷଣ ଭଲ ପାଉଥିଲେ ଓ ସବୁମତେ ସାହାଯ୍ୟ କରୁଥିଲେ । ଭ୍ୟାନଗୋଗଙ୍କ ଆତ୍ମହତ୍ୟା ପରେ ଥିଓ ପ୍ୟାରିସରେ ସେ ରହୁଥିବା ଆପାର୍ଟମେଣ୍ଟରେ ଭ୍ୟାନଗୋଗଙ୍କ କିଛି ଛବିକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ ବି କରିଥିଲେ । ଥିଓଙ୍କ ସମସ୍ତ ଚେଷ୍ଟା ପରେ ବି ଭ୍ୟାନଗୋଗଙ୍କ ଜୀବନ କାଳରେ ତାଙ୍କ ଅଙ୍କିତ ଗୋଟିଏ ମାତ୍ର ଛବି ବିକ୍ରୀ ହୋଇଥିଲା । ଦୁଇ ଭାଇଙ୍କ ମୃତ୍ୟୁ ପରେ ଏଥର ଭ୍ୟାନଗୋଗଙ୍କ ସବୁତକ ଛବି ଥିଓଙ୍କ ବିଧବା ପତ୍ନୀ ଜୋ ଓ କୁନି ପୁଅ ଭିନସେଣ୍ଟଙ୍କ ମାଲିକାନାରେ ରହିଲା । ତା’ପରଠୁ ଜୋ’ଙ୍କ ଜୀବନରେ ଦୁଇ ଦୁଇ ଜଣ ଭିନସେଣ୍ଟ ରହିଲେ । ଜଣେ ତାଙ୍କ ପୁଅ ଓ ଅନ୍ୟ ଜଣକ ହେଲେ ତାଙ୍କ ଦେଢଶୁରଙ୍କ ସ୍ମୃତି ଏବଂ ତାଙ୍କ ଅଙ୍କିତ ପୁଳାଏ ଚିତ୍ର ।

ଥିଓଙ୍କର ମୃତ୍ୟୁ ପରେ ଜୋ’ଙ୍କ ପାଖରେ ତାଙ୍କ ସାନ ପୁଅ, ଗୋଟେ ଆପାର୍ଟମେଣ୍ଟ ଘର ଓ ଭ୍ୟାନଗୋଗଙ୍କ ପୁଳେ ଛବି କେବଳ ଥିଲା । ସେ ହୁଏତ ଦେଢଶୁରଙ୍କ ଛବିକୁ ପ୍ୟାରିସରେ ଛାଡିଦେଇ ଆପଣା ଦେଶ ନେଦରଲ୍ୟାଣ୍ଡକୁ ଫେରି ଆସିପାରିଥା’ନ୍ତେ । କିନ୍ତୁ ସେ ସେମିତି କରିନଥିଲେ, ବରଂ ଭ୍ୟାନଗୋଗଙ୍କ ସବୁଗୁଡା ଛବି ଓ ଚିଠିମାନଙ୍କୁ ଧରି ଦେଶକୁ ଫେରିଥିଲେ । ପ୍ୟାରିସରୁ ଫେରିଲା ପରେ ସେ ଆମଷ୍ଟାରଡମ ଠାରୁ ପଚିଶ କିଲୋମିଟର ଦୂରରେ ଏକ ବୋର୍ଡିଂ ହାଉସ୍ ଖୋଲିଥିଲେ ଓ ବିବାହ ପରେ ବନ୍ଦ କରିଦେଇଥିବା ଦିନଲିପି ଲେଖାକୁ ପୁଣି ଆରମ୍ଭ କରିଥିଲେ । ସେ ଭାବୁଥିଲେ ଅନ୍ତତଃ ପକ୍ଷେ ଦିନେ ତାଙ୍କ କୁନି ପୁଅ ବଡ଼ ହୋଇ ସେସବୁ ପଢିବ । ଅନ୍ୟାନ୍ୟ କାମ ସହ ଜୋ କିଛି ଅଧିକା ରୋଜଗାର ପାଇଁ ଫ୍ରେଞ୍ଚ ଓ ଇଂରାଜୀ ଗପ ସବୁ ଡଚ୍ ଭାଷାକୁ ଅନୁବାଦ ମଧ୍ୟ କରୁଥିଲେ । ନିଜ ଦେଶକୁ ଫେରିଲା ପରେ ଜୋ ଅଗଷ୍ଟ ୧୯୦୧ରେ Johan Cohen Gosschalk ନାମକ ଜଣେ ଡଚ୍ ଚିତ୍ରଶିଳ୍ପୀଙ୍କୁ ବିବାହ କରିଥିଲେ । କିନ୍ତୁ ଜୋ’ଙ୍କ ଭାଗ୍ୟରେ ସ୍ୱାମୀ ସୁଖ ନଥିଲା । ୧୯୧୨ରେ Gosschalkଙ୍କର ଦେହାନ୍ତ ହୋଇଥିଲା । ଏହାପରେ ଜୋ ଆଉ ବିବାହ କରିନଥିଲେ । ଏଇ ଦ୍ୱିତୀୟ ବିବାହ ସମୟରେ ଜୋ ଦେଶର ନାରୀମାନଙ୍କ ସମାଜବାଦୀ ଆନ୍ଦୋଳନ ସହ ଯୋଡି ହୋଇଥିଲେ । ସେମାନେ କର୍ମଜୀବୀ ମହିଳାମାନଙ୍କ ଶିକ୍ଷା ଓ କାମର ପରିବେଶର ଉନ୍ନତି ପାଇଁ କାମ କରୁଥିଲେ ।

ଏଥର ଜୋ ଭ୍ୟାନଗୋଗଙ୍କୁ କଳା ରାଜ୍ୟରେ ଅଧିକ ପରିଚିତ କରାଇବାକୁ ତାଙ୍କ ଛବି ସବୁ ବିଭିନ୍ନ କଳା ପ୍ରଦର୍ଶନୀକୁ ପଠାଇବା ଆରମ୍ଭ କଲେ ଓ ୧୯୦୫ ମସିହାରେ ଆମଷ୍ଟାରଡମ୍ ଠାରେ ଭ୍ୟାନଗୋଗଙ୍କ ୪୪୩ଟି ଛବିକୁ ନେଇ ଏକ ବିଶାଳ ସିଂହାବଲୋକନ ଚିତ୍ରପ୍ରଦର୍ଶନୀର ଆୟୋଜନ କଲେ । ଏମିତି ଦେଖିଲେ ଆଜିର ତାରିଖ ପର୍ଯ୍ୟନ୍ତ ଭ୍ୟାନଗୋଗଙ୍କ କୌଣସି ଚିତ୍ର ପ୍ରଦର୍ଶନୀରେ ତାଙ୍କର ଏତେ ସଂଖ୍ୟକ ଚିତ୍ର ସାମିଲ୍ ହୋଇନି । ଜୋ ବୋଞ୍ଜେର ତାଙ୍କ ଦିବଂଦତ ସ୍ୱାମୀ ଥିଓଙ୍କ ପାଖରୁ ଯାହାକିଛି ଛବି କିଣାବିକାର ଜ୍ଞାନ ଲାଭ କରିଥିଲେ ସେତିକିକୁ ସମ୍ବଳ କରି ଭ୍ୟାନଗୋଗଙ୍କ ଛବିକୁ ନେଇ ବେପାର ଆରମ୍ଭ କରିଥିଲେ । ପ୍ରଥମେ କିଛି କଳା ସଂଗ୍ରାହକ ଓ ଅଳ୍ପ କେତୋଟି ମ୍ୟୁଜିୟମକୁ ଭ୍ୟାନଗୋଗଙ୍କ ଛବି ବିକ୍ରୀ କରିଥିଲେ । ସେ ଜାଣିଥିଲେ ଭ୍ୟାନଗୋଗଙ୍କୁ ଠିଆ କରିବାକୁ ହେଲେ ତାଙ୍କୁ ଅନେକ କିଛି କରିବାକୁ ହେବ । ତାଙ୍କର ବ୍ୟକ୍ତିଗତ ଧାରଣା ଥିଲା କଳା ବିଷୟରେ ଜ୍ଞାନ ରଖିବା ଦ୍ୱାରା ସାଧାରଣ ଲୋକମାନଙ୍କ ଜୀବନରେ ଉନ୍ନତି ଆସିବ । ତାପରେ ସେ ତାଙ୍କ ମୃତ ସ୍ୱାମୀଙ୍କର ଭ୍ୟାନଗୋଗଙ୍କୁ ପରିଚୟ ଦେବାର ସ୍ୱପ୍ନ ବି ପୁରା କରିବାକୁ ଚାହୁଁଥିଲେ ।

ଥିଓ ଭ୍ୟାନଗୋଗ ଓ ଜୋ ବୋଞ୍ଜେର

ଭ୍ୟାନଗୋଗ୍ ଓ ତାଙ୍କ ସାନଭାଇ ଥିଓଙ୍କ ଭିତରେ ଅନେକଗୁଡେ଼ ଚିଠିର ଆଦାନ ପ୍ରଦାନ ହୋଇଥିଲା । ତା’ଛଡା ଅନ୍ୟମାନଙ୍କ ଚିଠି ବି ଥିଲା । ସେଇ ସବୁ ଚିଠିରେ ଭ୍ୟାନଗୋଗ୍ ତାଙ୍କ ଜୀବନ, କଳା ଦର୍ଶନ, ସେ ପଢୁଥିବା ବହି ସମ୍ପର୍କରେ ତାଙ୍କ ବକ୍ତବ୍ୟ ଓ ଅନ୍ୟ ସମସାମୟିକ କଳାକାରମାନଙ୍କ ସମ୍ପର୍କରେ ଅନେକ କଥା ସହ ଆହୁରି ଅନେକ କଥା ଲେଖିଛନ୍ତି । ଗୋଟେ ଦିଗରୁ କହିଲେ ଏ ଚିଠି ସବୁ ତାଙ୍କ ଆତ୍ମଜୀବନୀ ପରି ହିଁ ଥିଲା । ଭ୍ୟାନଗୋଗଙ୍କ ଚିଠି ମିଳିନଥିଲେ କିମ୍ବା ସେ ଏତେ ଭଲବାଗରେ ଚିଠି ଲେଖିନଥିଲେ ଆଜି ତାଙ୍କୁ ଯେତେ ପ୍ରାଞ୍ଜଳ ଭାବରେ ବୁଝିହେଉଛି ତାହା ହୁଏତ ଏତେ ସହଜ ହେଇନଥା’ନ୍ତା । ବଡ ଭାଇ ଭ୍ୟାନଗୋଗଙ୍କ ସବୁଗୁଡା ଚିଠି ଓ ଛୋଟିଆ ଚିଠାକୁ ବି ଥିଓ ବଡ ଯତ୍ନ ସହକାରେ ସାଇତିକରି ରଖୁଥିଲେ । କିନ୍ତୁ ବିଭିନ୍ନ ସୂତ୍ରରୁ ପାଇଥିବା ଚିଠିସବୁ ଭ୍ୟାନଗୋଗ୍ ସାଇତି ରଖିନଥିଲେ । ତାଙ୍କ ପାଖରେ ମାତ୍ର ୮୪ଟି ଚିଠି ବଞ୍ଚିକି ଥିଲା । ସେଥିରୁ ୩୯ଟି ଚିଠି ଥିଓଙ୍କର ଥିଲା । ଜୋ ଏକଦା ସେ ପ୍ୟାରିସରେ ରହୁଥିବା ଫ୍ଲାଟରୁ ଗୋଟେ ଟେବୁଲ ଡ୍ରୟାରରୁ ସେ ଚିଠି ସବୁ ଆବିଷ୍କାର କରିଥିଲେ । ସେତେବେଳକୁ ଭ୍ୟାନଗୋଗ୍ ଦୁଇ ଭାଇଙ୍କର ଦେହାନ୍ତ ହୋଇସାରିଲାଣି । ଜୋ’ଙ୍କୁ ମିଳିଥିବା ସମୁଦାୟ ୮୪୪ ଚିିଠିରୁ କେବଳ ୬୬୩ଟି ଚିଠି ହେଉଛି ଭ୍ୟାନଗୋଗ୍ ସାନ ଭାଇ ଥିଓଙ୍କୁ ଲେଖିଥିବା ଚିଠି । ଭ୍ୟାନଗୋଗ୍ ତାଙ୍କ ହାତ ଲେଖା ଚିଠିରେ କେବଳ ନିରୋଳା ଅକ୍ଷର ଲେଖୁନଥିଲେ ତା’ ପାଖକୁ ଚିତ୍ର ବି କରୁଥିଲେ । ସେଇଥିରୁ ତାଙ୍କର ଅନେକ ପରବର୍ତ୍ତୀ ଚିତ୍ରର ପ୍ରାରମ୍ଭିକ ଖସଡା ବି ଦେଖିବାକୁ ମିଳେ । ଜୋ ସେ ଚିଠିଗୁଡିକୁ ଅନେକ କଷ୍ଟ ସ୍ୱୀକାର କରି ଏକାଠି କରି ୧୯୧୪ ମସିହାରେ ତିନିଖଣ୍ଡରେ ପ୍ରକାଶ କରାଇଥିଲେ । ବହି ପ୍ରକାଶ ପାଇସାରିଲା ପରେ ଜୋ ଏଥର ଭ୍ୟାନଗୋଗଙ୍କ ଚିତ୍ର ସବୁକୁ ଆମେରିକା ଓ ବ୍ରିଟେନରେ ପହଞ୍ଚାଇବାକୁ ଚେଷ୍ଟା କଲେ ଓ ସେ ଚିଠି ସବୁର ଇଂରାଜୀ ଅନୁବାଦ କରି ବହି କରି ଛପାଇବାକୁ ନିଷ୍ପତ୍ତି ବି ନେଲେ ।

ଭ୍ୟାନଗୋଗଙ୍କ ଅନ୍ୟତମ ପ୍ରସିଦ୍ଧ ଛବିଟି ହେଲା ସୂର୍ଯ୍ୟମୂଖୀ ଫୁଲର ଛବି । ଭ୍ୟାନଗୋଗ୍ ଅନେକଗୁଡେ ସୂର୍ଯ୍ୟମୂଖୀ ଫୁଲର ଛବି ଆଙ୍କିଥିଲେ । କୁହାଯାଏ ସେ ତାଙ୍କ ଜୀବନ କାଳରେ ସମୁଦାୟ ଏଗାରଟି ସୂର୍ଯ୍ୟମୂଖୀ ଫୁଲର ଛବି ଆଙ୍କିଛନ୍ତି । ସେଥିରୁ ଚାରୋଟି ପ୍ୟାରିସରେ ଓ ସାତୋଟି ଆରଲେସ୍ ରେ ଆଙ୍କିଥିଲେ । ତେବେ ଫୁଲଦାନୀରେ ଥିବା ସୂର୍ଯ୍ୟମୂଖୀ ଫୁଲର ଛବି ସେ ପାଞ୍ଚଟି ଆଙ୍କିଥିଲେ । ସେସବୁ ଆଜି ପୃଥିବୀର ବିଭିନ୍ନ ମ୍ୟୁଜିୟମରେ ରହିଛି । ଏହାପରେ ବି ସେ ଆହୁରି ଦୁଇଟି କପି ଆଙ୍କିଥିଲେ । ଗୋଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନଷ୍ଟ ହୋଇଯାଇଛି ଓ ଅନ୍ୟଟି ବ୍ୟକ୍ତିଗତ ମାଲିକାନାରେ ରହିଛି । ସେ ସବୁ ସୂର୍ଯ୍ୟମୂଖୀ ଫୁଲର ଛବି ସବୁ ଜୋ’ଙ୍କର ମଧ୍ୟ ପ୍ରିୟ ଛବି ଥିଲେ । ସେଥିରୁ କେତୋଟି ଜୋ’ଙ୍କ ହେପାଜତକୁ ଆସିଲା ପରେ ସେ ତାକୁ ଆପଣା ଘରେ ଟଙ୍ଗାଇ ରଖିଥିଲେ ଓ ସବୁଦିନ ଦେଖୁଥିଲେ । ଭ୍ୟାନଗୋଗ୍ ଫୁଲଦାନୀରେ ଥିବା ତାଙ୍କର ସେଇ ସୂର୍ଯ୍ୟମୂଖୀ ଫୁଲର ଦୁଇଟି ଛବି ପଲ୍ ଗଗାଁଙ୍କ ଶୋଇବାଘର ପାଇଁ ଅଗଷ୍ଟ ୧୮୮୮ ରେ ଆଙ୍କିଥିଲେ । ତାପରେ ୧୮୮୯ରେ ସେଇ ଏକା ଛବିର କପି ଦୁଇଟି ବି ଆଙ୍କିଥିଲେ । ଜୋ ଏଇଠି ଗୋଟେ ନିଷ୍ପତ୍ତି ନେଲେ ଯେ ସେ ମୂଳ ଛବିଟିକୁ ଲଣ୍ଡନର ନ୍ୟାସନାଲ୍ ଗ୍ୟାଲେରୀକୁ ବିକ୍ରୀ କରିବେ । କାରଣ ସେ ଭାବୁଥିଲେ ଲଣ୍ଡନର ବିଖ୍ୟାତ ଗ୍ୟାଲେରୀରେ ଭ୍ୟାନଗୋଗଙ୍କ ଛବି ଗୋଟେ ସ୍ଥାନ ପାଇଲେ ସେ ଯେଉଁ ଚିଠିମାନଙ୍କର ବହିକୁ ଛପାଇବା ପାଇଁ ଭଲ ପ୍ରକାଶକ ଖୋଜୁଛନ୍ତି ତାହା ପାଇଯିବେ । ଭ୍ୟାନଗୋଗଙ୍କ ଦ୍ୱାରା କପି କରାଯାଇଥିବା ସୂର୍ଯ୍ୟମୂଖୀ ଫୁଲର ଛବିରୁ ଗୋଟେ ଏବେ ଆମଷ୍ଟାରଡମ୍ ରେ ଥିବା ଭ୍ୟାନଗୋଗ୍ ମ୍ୟୁଜିୟମରେ ଅଛି । ଜୋଙ୍କର ଶତଚେଷ୍ଟା ପରେ ବି ସେ ତାଙ୍କ ଜୀବଦଶାରେ ଭ୍ୟାନଗୋଗଙ୍କ ଚିଠିମାନଙ୍କର ଇଂରାଜୀ ଅନୁବାଦ ସଂକଳନ ପାଇଁ ପ୍ରକାଶକ ଯୋଗାଡ଼ କରିପାରିନଥିଲେ । ଜୋ’ଙ୍କର ବାଷଠି ବର୍ଷ ବୟସରେ ୧୯୨୫ ମସିହାରେ ଦେହାନ୍ତ ହୋଇଥିଲା । ସେତେବେଳକୁ ସେ ପାର୍କିଂନସନ୍ ଅସୁଖରେ ପୀଡିତା ଥିଲେ । ତାଙ୍କ ମୃତ୍ୟୁପରେ ଯାଇଁ ସେ ଅନୁବାଦ କରିଥିବା ଚିଠି ସବୁ ପ୍ରକାଶ ପାଇଥିଲା ।

ଭ୍ୟାନଗୋଗଙ୍କର ଅନେକ ଛବି ବିକ୍ରୀ ହେଲାପରେ ବି ଆହୁରି ଛବି ଥିଓ ଓ ଜୋ’ଙ୍କ ପୁଅ ଭିନସେଣ୍ଟଙ୍କ ପାଖରେ ଥିଲା । ୧୯୬୨ ମସିହାରେ ଡଚ୍ ସରକାର ଓ ଭିନସେଣ୍ଟଙ୍କ ଭିତରେ ଏକ ରାଜିନାମା ସ୍ୱାକ୍ଷରିତ ହେଇଥିଲା । ଫଳରେ ୧୯୭୩ରେ ଭ୍ୟାନଗୋଗ୍ ମ୍ୟୁଜିୟମ୍ ଖୋଲିବାର ବାଟ ଫିଟିଥିଲା । ତେବେ ସବୁଠରୁ ଆଶ୍ଚର୍ଯ୍ୟର କଥା ଥିଲା ଯେ, ନିଜର ପୁରା ଜୀବନ ଭ୍ୟାନଗୋଗଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ବି ଭିନସେଣ୍ଟ ଭ୍ୟାନଗୋଗ୍ ମ୍ୟୁଜିୟମର ଉଦ୍ଘାଟନ ଉତ୍ସବରେ ନିଜର ଭାଷଣରେ ଭିନସେଣ୍ଟ ତାଙ୍କ ମା ଜୋ’ଙ୍କର ନାମ ଆଦୌ ଉଲ୍ଲେଖ କରିନଥିଲେ ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →