ଦୁଇ ପ୍ୟାକେଟ୍ ମୁଗ

କୌଣସି ମଣିଷକୁ ଈଶ୍ୱର ଏତେ କାମ ନଦିଅନ୍ତୁ ଯେ, କୌଣସି କବିକୁ ଭେଟିବାକୁ ତା ପାଖରେ ସମୟ ନଥିବ। ହେ ଈଶ୍ୱର ! ତମେ ଆମକୁ ବ୍ୟସ୍ତ ରଖ, କିନ୍ତୁ ନିଜକୁ ନିଜ ସହ ଭେଟ ହେବାକୁ କୌଣସି କବିକୁ ବାରଣ କରନାହିଁ। ଘଟଣା ସବୁ ନିଷ୍କପଟ ଭାବରେ ଘଟୁ, ଜୀବନର ଜୁଇ ଜଳିବା ଯାଏ।

ଅଫିସରେ ଅନେକ ବ୍ୟସ୍ତତା ଥାଏ, ଯେଉଁଥିରେ ଆଦୌ ପ୍ରାଣ ନଥାଏ। ସେଦିନ ଅଫିସ୍ ବ୍ୟସ୍ତତା ଭିତରେ ମୋ ଭିତରେ ପ୍ରାଣ ଭରିଦେବାକୁ ଯେଉଁ ଫୋନ୍ କଲ୍‌ଟି ଆସିଥିଲା, ସେପଟରୁ ଫୋନ୍ କର୍ତ୍ତା ପିଲାସୁଲଭ କଣ୍ଠରେ କହିଲେ- ‘ଅମରେଶ, ମୁଁ କଟକରୁ ଜୟନ୍ତ ମହାପାତ୍ର କହୁଛି।’

ଏଇ ପଦକ କଥାରେ ମୁଁ ଉଲ୍ଲସିତ ହେଇଯିବା ସ୍ୱଭାବିକ ଥିଲା। ପୃଥିବୀରେ ଘଟିଥିବା କୌଣସି ଏକ ବଡ଼ ଘଟଣାକୁ ଅତି ସାଧାରଣ ଶୈଳୀରେ କ’ଣ କେହି କୁହେ? ସେ କିନ୍ତୁ କହନ୍ତି, ଯେମିତି ସିଏ ଭୂଇଁରେ ଶୋଇଥିବା ଘାସଗଛଟିଏ। ତାଙ୍କୁ ଦେଖିବାକୁ ଆପଣଙ୍କୁ ଉପରକୁ ଅନେଇବାକୁ ପଡିବ ନାହିଁ। ତଳକୁ ଅନେଇବାକୁ ପଡ଼େ। ଯେଉଁ ଲୋକଟିକୁ ଭେଟିବାକୁ ସାହିତ୍ୟର କୌଣସି ବି ବ୍ୟକ୍ତି ଉତ୍ସୁକତାର ସହ ଅନେଇ ବସିଥାଏ, ସେ ଯେତେବେଳେ ନିଜେ ତାଙ୍କ ତରଫରୁ ଫୋନ୍ କରିଛନ୍ତି, ତାଙ୍କ କଥା ସହ ତାଳ ଦେଇ କୃତଜ୍ଞତାର ପଦେ କିଛି କହିବାକୁ ମୋ ପାଖରେ ଭାଷା ନଥିଲା।

‘ସତରେ ମୁଁ କେଡ଼େ ଭାଗ୍ୟବାନ’ ବୋଲି ମୁଁ ଯେତେବେଳେ କହିଲି, ସେ ଓଲଟି କହିଲେ, ‘ତମେ କାହିଁକି ଭାଗ୍ୟବାନ? ବରଂ ମୁଁ ଭାଗ୍ୟବାନ ଯେ ମୁଁ ତମର ଏଡ଼େ ସୁନ୍ଦର ଗପଟିଏ ପଢ଼ିଲି।’

ମୋର ମନେହୁଏ, ସାଧାରଣ ହେବା ଯଦିଓ କଷ୍ଟକର, ଅତି ସାଧାରଣ ହେବା ଅସମ୍ଭବ। କବି ଜୟନ୍ତ ମହାପାତ୍ର ମୋର କେଉଁ ଗପ ବିଷୟରେ କହୁଥିଲେ ମୁଁ ଜାଣିପାରିଲି ନାହିଁ। ସେ ଯେ ପଢ଼ିଲେ ତାହା ମୋ ପାଇଁ ଅମୃତ। ଗଣ୍ଠିଧନ। ସେତେବେଳେ ମୋର କବି ଅମୀୟ ମହାପାତ୍ରଙ୍କ କଥା ମନେପଡ଼ିଲା, ଯିଏକି ଅଳ୍ପଦିନ ପୂର୍ବରୁ ମତେ ଫୋନ୍ କରି ପଚାରିଥିଲେ, ତମର ‘ସେବତୀ’ ବୋଲି କୌଣସି ଗପ ଅଛି କି, ଯେଉଁ ଗପ ପଢ଼ି ଜୟନ୍ତ ସାର୍ ଖୁବ୍ ଖୁସି ହେଇଛନ୍ତି।

କିନ୍ତୁ ସେପରି କୌଣସି ଗପ ମୋର ଥିବା ମନେପଡ଼ିଲା ନାହିଁ। ତ ମୁଁ କହିଲି, ଆଉ ଜଣେ ବୟସ୍କ ଅମରେଶ ବିଶ୍ୱାଳ ଅଛନ୍ତି, ସେ ମଧ୍ୟ ଲେଖାଲେଖି କରନ୍ତି, ହୁଏତ ଗପଟି ତାଙ୍କର ହେଇଥିବ। (ମୁଁ ଭାବେ, ମୋ ନାଁରେ ଏମିତି ଶହେଜଣ ଲେଖାଲେଖି କରନ୍ତେ କି, ମୁଁ ଆଉ ଲେଖନ୍ତି ନାହିଁ ଓ ସେମାନେ ଲେଖିଲେ ବି ମୋ ନାଁରେ ସବୁ ଶ୍ରେୟ ଚାଲି ଆସନ୍ତା। ହା ହା।) ଅମୀୟ ଭାଇ କହିଲେ, ତମେ ଜୟନ୍ତ ସାରଙ୍କୁ ଫୋନ୍ କରିବ କିମ୍ବା ତାଙ୍କୁ ଭେଟିବ। ସେ ତମ ଗପ ବିଷୟରେ କହୁଥିଲେଏ। ତମେ କଥାହେଲେ ସେ ଖୁସି ହେବେ।

ଜୟନ୍ତ ମହାପାତ୍ରଙ୍କ ପରି ଖୁବ୍ ଉଚ୍ଚରେ ଥିବା ମଣିଷ ସହ ମୁଁ କେବେ କଥା ହୋଇପାରିବିନି ବୋଲି ମନେକରିଥିଲି। କେମିତି ତାଙ୍କ ପାଖରେ ପହଞ୍ଚି ହେବ, ସେ ବାଟ ପାଉନଥିଲି। ସମସ୍ତଙ୍କୁ ପଚାରୁଥିଲି, କେତେବେଳେ ଫୋନ୍ କଲେ କମ୍ବା ତାଙ୍କ ପାଖକୁ ଗଲେ ତାଙ୍କ ଟିକେ ସମୟ କାଟିହେବ?

ମୋର ମନେହେଲା, ଜୀବନରେ ତମର ଯିଏ ବହୁ ଆକାଂ‍କ୍ଷିତ ମଣିଷ, ଦିନେନା ଦିନେ କୌଣସି ଗୋଟେ ଉପାୟରେ ତାଙ୍କ ସହ ସଂପର୍କ ସ୍ଥାପନ ହେଇଯିବ। ସେଦିନ ଖରାବେଳେ ଜୟନ୍ତ ସାର୍ ବହୁତ ସମୟ କଥା ହେଲେ। ମୁଁ କହିଲି, ‘ରେବତୀ ପତ୍ରିକାରେ କବି ମନୋଜ ମେହେର ଆପଣଙ୍କର କରିଥିବା ସଂପୂର୍ଣ୍ଣ ସାକ୍ଷାତକାରଟି ମୁଁ ପଢ଼ିଛି। ସେଥିରେ ଆପଣ କହିଥିବା ଗୋଟିଏ କଥା ମୋର ଭଲରେ ମନେ ରହିଯାଇଛି। ମନୋଜ ଆପଣଙ୍କୁ ଯେତେବେଳେ ପୁରସ୍କାର କଥା ପଚାରିଥିଲେ, ଆପଣ କହିଥିଲେ, ଆମେ ବନ୍ଧୁମାନେ ମିଶିକି ବେଳେବେଳେ ନରାଜ ଆଡ଼େ ବୁଲିଯାଉ। ସେଠି ଜଣେ ବୁଢ଼ାଲୋକ ଛୋଟ ଚାଳିଆଟିଏ କରି କୁନିକୁନି ବରା ଛାଣେ। ତାକୁ ଖାଇଲେ ଯୋଉ ମଜା ମିଳେ, ତାହା ପୁରସ୍କାରରେ କାହିଁ?’

ମୋ କଥା ଶୁଣି ସେ ବହୁତ ହସିଲେ। କହିଲେ, ‘ବେଶୀ ଗୁଡ଼ାଏ ପ୍ରଶଂସା ମୁଁ ସହିପାରେନି ଅମରେଶ। ଜୀବନ ଏତେ ସହଜ ଓ ସୁନ୍ଦର ଯେ ତାକୁ ଭୋଗିବାକୁ ସମୟ ନାହିଁ।’

ଜୟନ୍ତ ମହାପାତ୍ରଙ୍କ ଆତ୍ମଜୀବନ ପ୍ରଥମେ ‘ଭୋର୍ ମୋତିର କାନଫୁଲ’ ହୋଇ ପ୍ରକାଶ ପାଉଥିଲା, ପରେ ବହି ମଧ୍ୟ ହେଲା। ସେ ବହିଟି ପଢ଼ି ମତେ ଏତେ ଭଲ ଲାଗୁଥିଲା ଯେ, ମୁଁ ପ୍ରତିଟି ପାରା ବୋଧେ ଦୁଇ ଦୁଇଥର ପଢୁଥିଲି। ପୂରା କବିତା ପରି ଗଦ୍ୟ। ତାଙ୍କୁ ସେ ବିଷୟ କହିବାକୁ କିନ୍ତୁ ଭୁଲିଗଲି।

‘ଆପଣ ଗପଟି କୋଉଠି ପଢ଼ିଲେ?’ ମୁଁ ପଚାରିଲି।

‘ମୋର ଜଣେ ଜଜ୍ ବନ୍ଧୁ ପ୍ରଥମେ ଗପଟି ଗୋଟେ ପତ୍ରିକାରୁ ପଢ଼ିଲେ। ତା ପରେ ସେ ମତେ କହିଲେ, ଆଉ ପତ୍ରିକାଟି ଦେଲେ। ଗପଟିର ନାଁ ବୋଧେ ‘ପାର୍ବତୀ ଅପା’। ଜାତିଆଣ ବିବାହ ସଂପର୍କରେ।’

ଜଣେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କବିଙ୍କ ମୁହଁରୁ ପ୍ରଶଂସା ଶୁଣି ମୁଁ ସଙ୍କୁଚିତ ହୋଇଗଲି ଓ କଥା ବାଆଁରେଇଲି। କହିଲି, ‘ମୁଁ ଗଲେ ଆପଣଙ୍କୁ ଭେଟିବି ଓ ମୋର ସବୁ ବହି ଉପହାର ଦେବି। ମୁଁ କେତେବେଳେ ଗଲେ ଆପଣ ସହଜ ଅନୁଭବ କରିବେ?’

‘ଯେତେବେଳେ ଆସିବ ଅପରାହ୍ଣରେ ଆସ। ଦେଖାହେବ କଥାହେବା।’ ସେ କହିଲେ।

‘ଆପଣଙ୍କ ପାଇଁ କ’ଣ ନେଇକି ଯିବି?’ ମୁଁ ପଚାରିଲି କଥା ଲମ୍ବେଇବାକୁ। ଆମ କଥା ସରି ଆସୁଥିଲା ଓ ତାଙ୍କୁ ଛାଡ଼ିବାକୁ ମୋର ମନ ନଥିଲା।

ମୋ ପ୍ରଶ୍ନ ଶୁଣି ସେ ବହୁତ ଜୋରରେ ହସିଲେ ଓ କିଛି ସମୟ ଭାବିକି କହିଲେ- ‘ହଳଦିରାମର ଦୁଇ ପ୍ୟାକେଜ୍ ପାଞ୍ଚଟଙ୍କିଆ ମୁଗ ଧରିକି ଆସିବ, ପାଟିରେ ପକେଇବା।’

ଓଃ ! କେତେ ସରଳ ଓ ନିଷ୍କପଟ ହେଲେ ଜଣେ ପଞ୍ଚାନବେ ବର୍ଷ ବୟସ୍କ, ପୃଥିବୀଖ୍ୟାତ ମଣିଷ ଏମିତି ଉତ୍ତର ଦେଇପାରେ !! ଏତେ ଉଚ୍ଚତାରେ ଥିବା ମଣିଷଟିଏ କ’ଣ ଭୂଇଁରେ ଏମିତି ସହଜରେ ଲୋଟିଯାଇ ପାରେ? ସେ କେମିତି ଧୂଳିମଳି ହୋଇ ମାଟି ଉପରେ ବସିଥାନ୍ତି ଚକା ପକେଇ, କେମିତି ପବନକୁ ଛୁଅଁନ୍ତି ଓ ହସନ୍ତି?

ତାଙ୍କ ଫୋନ୍ କାଟିବାର ଅନେକ ସମୟ ଧରି, ମୁଁ ତାଙ୍କ ସହ ରହିଥିଲି ସେଦିନ। କେତେଜଣଙ୍କୁ ଏ କଥା ନକହିଚି ବୁଲିବୁଲି ଓ ଫୋନ୍ କରି। କିନ୍ତୁ ନିଜକୁ ଧିକ୍କାର କରୁଛି, ସେଇଦିନରୁ ସେ ଚାଲିଯିବା ଯାଏ, ଗୋଟିଏ ବି ଦିନ ମୁଁ ପାଇଲି ନାହିଁ ତାଙ୍କୁ ଭେଟିବାକୁ ଯିବାକୁ। ଏହାକୁ ମୁଁ ମୋର ବ୍ୟସ୍ତତା ବୋଲି ଆଦୌ କହିବି ନାହିଁ, ଅମନଯୋଗିତା ଓ ଅଳସୁଆମି ହିଁ କହିବି। ଭାବିଥିଲି, ତାଙ୍କୁ ଭେଟିଲେ ତାଙ୍କର ଗୋଟେ ଅନୌପଚାରିକ ସା‍କ୍ଷାତକାର ମଧ୍ୟ କରିବି। ଅନ୍ତତଃ ଜଣେ ଏତେବଡ଼ କବିଙ୍କୁ ଭେଟିବାର ଉଲ୍ଲସିତ ଅନୁଭବ ତ ଆଜୀବନ ରହିଥାନ୍ତା ନିଜ ଭିତରେ। ସେ କ’ଣ ଆଉ ଫେରିବେ ଆମ ପାଖକୁ? ଜୟନ୍ତ ସାରଙ୍କୁ ନଭେଟି ପାରିବାର ପଶ୍ଚାତାପ ଆଜୀବନ ମୋ ସହ ରହିଥାଉ ଓ ମତେ ସବୁ ମୁହୂର୍ତ୍ତରେ ଧିକ୍କାର କରୁଥାଉ ସବୁଦିନ।