କୁହନ୍ତି ‘ଶକ୍ତି’ ବିନା ‘ଶିବ’ ହେଉଛି ‘ଶବ’। ଅର୍ଥାତ ବ୍ରହ୍ମାଣ୍ଡରେ ଉଭୟ ତତ୍ତ୍ୱର ସମାନ ମହତ୍ତ୍ଵ ଓ ଆବଶ୍ୟକତା ରହିଛି। ଶକ୍ତି ତତ୍ତ୍ୱକୁ ସବୁବେଳେ ନାରୀ ଶକ୍ତି ବା ମାତୃଶକ୍ତି ସହ ଯୋଡା ଯାଇଛି। ଯେମିତି ମା’ ସବୁବେଳେ ତା’ ସନ୍ତାନମାନଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାଏ, ସବୁ ସଙ୍କଟରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଏ, ସେମିତି ଶକ୍ତି ତତ୍ତ୍ୱ ବା ମାତୃଶକ୍ତି ମଧ୍ୟ ଏ ସ°ସାରକୁ ଘଣ୍ଟ ଘୋଡାଇ ରଖିଥାନ୍ତି। ଏହି କଥାର ମହତ୍ତ୍ଵ ଆମ ପୂର୍ବପୁରୁଷ ବେସ୍ ଅନୁଭବ କରିଥିଲେ। ସେଥି ପାଇଁ ଆମ ଦେଶରେ ପ୍ରତ୍ୟେକ ଗାଁରେ ଜଣେ ଜଣେ ଗ୍ରାମ ଦେବତୀ ଥା’ନ୍ତି, ଜଙ୍ଗଲିଆ-ନିଚ୍ଛାଟିଆ ରାସ୍ତାରେ ଦେବୀଙ୍କ ପୂଜା ସ୍ଥଳୀ ଥାଏ, ପର୍ବତ ମଥାନରେ ଦେବୀ ପିଠ ରହିଥାଏ। ସେଇ ମାତୃଶକ୍ତି, ଶକ୍ତି ତତ୍ତ୍ୱ ଉପାସନା ଉପାୟରୁ ଭାରତର ବିଭିନ୍ନ ସ୍ଥାନରେ ଶକ୍ତିପିଠ ମାନ ରହିଛି।
ପୁରାଣ ଅନୁସାରେ ଯେତେବେଳେ ଦକ୍ଷ ପ୍ରଜାପତି, ଶିବଙ୍କୁ ଅପମାନିତ କରିବା ପାଇଁ ନିଜ ଦ୍ବାରା ଆୟୋଜିତ ଯଜ୍ଞରେ ତାଙ୍କୁ ନିମନ୍ତ୍ରଣ କରି ନଥିଲେ, ସେତେବେଳେ ମାତା ସତୀ ନିଜ ସ୍ବାମୀଙ୍କ ଅପମାନ ସହି ନପାରି ତାଙ୍କ ପିତାଙ୍କ ଯଜ୍ଞ ଆୟୋଜନକୁ ପଣ୍ଡ କରିବା ପାଇଁ ଯଜ୍ଞକୁଣ୍ଡରେ ଝାସ ଦେଇ ଥିଲେ। ପ୍ରାଣପ୍ରିୟା ସତୀଙ୍କ ବିୟୋଗରେ ଶିବଙ୍କ ବିଳାପ ଓ କ୍ରୋଧ ଦେଖି ସେଠି ଉପସ୍ଥିତ ସମସ୍ତ ଦେବତା, ଋଷି, ନର-ମାନବ ଛତ୍ରଭଙ୍ଗ ଦେଇଥିଲେ। ତାଙ୍କ କ୍ରୋଧରେ ଗଗନ-ପବନ କମ୍ପି ଉଠିଥିଲା। ସେ ସତୀଙ୍କ ଅଗ୍ନି ଦଗ୍ଧ ଶରୀରକୁ କାନ୍ଧରେ ପକାଇ ବ୍ରହ୍ମାଣ୍ଡସାରା ବୁଲିଲେ। ଶିବଙ୍କ ବିଳାପ, କ୍ରୋଧ ଓ ତାଣ୍ଡବରେ ସୃଷ୍ଟିରେ ଅନେକ ଅଶୁଭ ଘଟଣା ଘଟିଲା। ସୁର, ଅସୁର, ଦେବତା ସମସ୍ତେ ପ୍ରଳୟର ଆଶଙ୍କା କରି, ମହାପ୍ରଭୁ ବିଷ୍ଣୁଙ୍କୁ ଏ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ପ୍ରାର୍ଥନା କଲେ। ବିଷ୍ଣୁ ବ୍ରହ୍ମାଣ୍ଡକୁ ପ୍ରଳୟ ବା ଧ୍ବଂସରୁ ରକ୍ଷା କରିବା ପାଇଁ ନିଜର ସୁଦର୍ଶନ ଚକ୍ର ଚାଳନା କରି ଦେବୀ ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ।
ମାନ୍ୟତା ଅନୁସାରେ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ସତୀଙ୍କ ଶରୀରକୁ ସମୁଦାୟ ୫୧ ଖଣ୍ଡରେ କାଟିଥିଲା, ଆଉ କିଛି କିମ୍ବଦନ୍ତୀ ଅନୁସାରେ ୧୦୮ ଖଣ୍ଡ ମଧ୍ୟ ବର୍ଣ୍ଣନା ରହିଛି। ଦେବୀ ସତୀଙ୍କ ଶରୀରରୁ ଖଣ୍ଡିତ ୫୧ଟି ଅ°ଶ ଏବଂ ଆଭୁଷଣ ପୃଥିବୀ ପୃଷ୍ଠରେ ଯେଉଁଠି ପଡିଥିଲେ, ସେହି ସବୁ ସ୍ଥଳମାନଙ୍କୁ ପବିତ୍ର ଶକ୍ତିପିଠ କୁହାଯାଏ। ଏହି ୫୧ ଶକ୍ତିପିଠର ନାମକରଣ ସସ୍କୃତ ବର୍ଣ୍ଣମାଳାର ୫୧ଟି ଅକ୍ଷର ଅନୁସାରେ ହୋଇଛି। ଏହି ଶକ୍ତିପିଠ କେବଳ ବର୍ତ୍ତମାନ ଭାରତର ରାଜନୈତିକ ମାନଚିତ୍ରର ବିଭିନ୍ନ ଅ°ଶରେ ନୁହେଁ ବର° ନେପାଳ, ତିବ୍ବତ୍, ଶ୍ରୀଲଙ୍କା, ପାକିସ୍ତାନ, ବା°ଲାଦେଶ୍ ଆଦି ସ୍ଥାନରେ ମଧ୍ୟ ବିଦ୍ୟମାନ। ‘ଶିବ ପୁରାଣ’ ଓ ‘କାଳୀକା ପୁରାଣ’ ଅନୁସାରେ ୪ଟି ମୁଖ୍ୟ ଶକ୍ତିପିଠ ରହିଛି, ଯଥା ବିମଳା (ପୁରୀ, ଓଡିଶା), ତାରା-ତାରିଣୀ (ଗଞ୍ଜାମ, ଓଡିଶା), କାମାକ୍ଷା (ଗୁଆହାଟି, ଆସାମ୍) ଏବଂ ଦକ୍ଷିଣ କାଳୀକା (କୋଲକାତା, ପଶ୍ଚିମ ବଙ୍ଗ)। ଏହାକୁ ନେଇ କାଳୀକା ପୁରାଣରେ ବର୍ଣ୍ଣନା ରହିଛି ଯେ: “ବିମଳା ପାଦ ଖଣ୍ଡଚ, ସ୍ତନ ଖଣ୍ଡଚ ତାରିଣୀ (ତାରା-ତାରିଣୀ), କାମାକ୍ଷା ଯୋନୀ ଖଣ୍ଡଚ, ମୁଖ ଖଣ୍ଡଚ କାଳୀକା …..”। ପ୍ରତ୍ୟେକ ଶକ୍ତିପିଠରେ ମା’ ଶକ୍ତି ଏବଂ କାଳଭୈରଭ ମୂଖ୍ୟ ଆରାଧ୍ୟ ଭାବରେ ପୂଜା ପାଆନ୍ତି।
ଦେବୀ ବିମଳାଙ୍କ ମନ୍ଦିର, ପୁରୀ ଶ୍ରୀମନ୍ଦିର ପରିସର ଭିତରେ ଦକ୍ଷିଣ-ପଶ୍ଚିମ ଦିଗରେ ରୋହିଣୀ କୁଣ୍ଡ ପାଖରେ। ଏହି ସ୍ଥାନରେ ଦେବୀ ସତୀଙ୍କର ‘ପାଦ ଖଣ୍ଡ’ ପଡିଥିଲା। ଏହାର ଆକାର, ଉଚ୍ଚତା, ନିର୍ମାଣ ଶୈଳୀ ମୁକ୍ତି ମଣ୍ଡପ ନିକଟରେ ଥିବା ନବମ ଶତାବ୍ଦୀରେ ନିର୍ମିତ ନୃସିଂହ ମନ୍ଦିର ସହ ସମାନ। ମାଦଳାପାଞ୍ଜି ଏବଂ ରିପୋର୍ଟ ଅନୁସାରେ ୯୨୨ -୯୫୫ ମଧ୍ୟରେ ରାଜା ଯଯାତି କେଶରୀ (ଦକ୍ଷିଣ କୋଶଳୀର ସୋମବଂଶୀ ରାଜା) ଏହାକୁ ନିର୍ମାଣ କରାଇଥିଲେ। ଶ୍ରୀମନ୍ଦିର ନିର୍ମାଣ ଏବଂ ଜଗନ୍ନାଥଙ୍କ ଉପାସନା ପୂର୍ବରୁ ସେହି ସ୍ଥାନରେ ବିମଳା ଦେବୀଙ୍କର ଉପାସନା ହୋଇ ଆସୁଥିଲା। ଏହା ତନ୍ତ୍ରକ୍ଷେତ୍ର। ମା’ଙ୍କ ମୂର୍ତ୍ତି ଲାଖ ନିର୍ମିତ। ଦେବୀ ବିମଳା ଜଗନ୍ନାଥଙ୍କର ‘ତାନ୍ତ୍ରିକ ସହଧର୍ମିଣୀ’ ଏବଂ ଶ୍ରୀମନ୍ଦିରର ରକ୍ଷାକାରୀ ଦେବୀଙ୍କ ମଧ୍ୟରୁ ଦେବୀ ବିମଳ ଅନ୍ୟତମ। ଏହି ଶକ୍ତିପିଠରେ ସ୍ବୟଂ ଜଗନ୍ନାଥ ହିଁ କାଳଭୈରଭ। ବିମଳାଙ୍କ ପାଖରେ ଭୋଗ ନଲାଗିବା ଯାଏ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅନ୍ନ ପ୍ରସାଦ ଲାଗି ପାରେନି। ଦୁର୍ଗାପୂଜା ହେଉଛି ମା’ ବିମଳାଙ୍କର ସବୁଠାରୁ ବିଶେଷ ପର୍ବ। ଏହି ସମୟରେ ମା’ଙ୍କ ପିଠରେ “ଷୋଡ଼ଶ ପୂଜା” ହୁଏ, ଦଶମୀ ତିଥିରେ ‘ବିଜୟାଦଶମୀ’ ପାଳନ ହୁଏ। ଦେବୀ ବିମଳା ବର୍ଷ ତମାମ ‘ପରମବୈଷ୍ଣବୀ ଠାକୁରାଣୀ’। ତନ୍ତ୍ର କ୍ଷେତ୍ର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଆମିଷ ଭୋଗ ହୁଏ ନାହିଁ। କିନ୍ତୁ ଦୁର୍ଗାପୂଜା ସମୟରେ ତାନ୍ତ୍ରିକ ରିତିନୀତି ଅନୁସାରେ ଦେବୀ ବିମଳାଙ୍କ ପାଖରେ ଆମିଷ ଭୋଗ ହୁଏ। ପ୍ରତିଦିନ ମାର୍କଣ୍ଡ ମନ୍ଦିର ପୋଖରୀରୁ ମାଛ ଧରା ଯାଇ ବିମଳାଙ୍କ ପାଖରେ ଭୋଗ ଲାଗେ। ସପ୍ତମୀ, ଅଷ୍ଟମୀ ଏବଂ ନବମୀ ଏହି ତିନିଦିନ ଦେବୀଙ୍କ ପାଖରେ, ‘ବକୁଳ ପିଣ୍ଡି’ରେ ଦିନକୁ ଦୁଇଟି କରି ବୋଦା ବଳି ଦିଆଯାଏ। ଏହି ଭୋଗ ପ୍ରସ୍ତୁତ ହେବା ପାଇଁ ବିମଳା ମନ୍ଦିରର ଦକ୍ଷିଣ ପାର୍ଶ୍ଵ କାନ୍ଥକୁ ଲାଗି ଗୋଟିଏ ଅସ୍ଥାୟୀ ରୋଷେଇଷାଳ ପ୍ରସ୍ତୁତ କରାଯାଏ। ଏହି ରୀତିନୀତି ରାତ୍ରି ସମୟରେ, ଜଗନ୍ନାଥଙ୍କ ପହଡ ପଡିବା ପରେ ଏବଂ ଦୁର୍ଗାମାଧବଙ୍କ ଅନୁପସ୍ଥିତିରେ ପାଳନ କରାଯାଏ। ନବମୀ ତିଥିରେ ଜଗନ୍ନାଥଙ୍କ ‘ଚନ୍ଦନଲାଗି’ ନୀତି ପରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିସରକୁ ବିଶୁଦ୍ଧ କରାଯାଏ। ଏହି ସମୟରେ କେହି ଯଦି ମା’ଙ୍କ ପାଖରେ ବଳି ଦେବା ପାଇଁ ପଶୁ ଯାଚନ୍ତି ତା’ ହେଲେ ଶ୍ରୀମନ୍ଦିର ପରିସର ବାହାରେ ଦଶହରା ସମୟରେ ପୂଜା ପାଇବା ପାଇଁ ଗଢା ଯାଇଥିବା ମାଟି ମୂର୍ତ୍ତି ‘କାକୁଡିଖାଇ ଗୋସାଣୀ’ଙ୍କ ପାଖରେ ଯାଚି ପାରନ୍ତି, ଯିଏ ଶ୍ରୀମନ୍ଦିର ବାହାରେ ମା’ ବିମଳାଙ୍କ ପ୍ରତିନିଧି।
ଗଙ୍ଗାଙ୍କ ଜ୍ୟେଷ୍ଠ ଭଗିନୀ, ଋଷିକୂଲ୍ୟା ନଦୀ (ରିଗ୍ ବେଦରେ ଋଷିକୂଲ୍ୟାକୁ ‘ଗାଙ୍ଗେୟ ଜ୍ୟେଷ୍ଠ ଭଗିନୀ’ କୁହାଯାଇଛି) କୂଳରେ, କୁମାରୀ ପର୍ବତ (ଏହାକୁ ପୂର୍ଣ୍ଣଗିରି, ରତ୍ନଗିରି, ତାରିଣୀ ପର୍ବତ ମଧ୍ୟ କୁହନ୍ତି) ଉପରେ ରହିଛି ମା’ ଆଦିଶକ୍ତି, ମା’ ତାରା-ତାରିଣୀଙ୍କ ମନ୍ଦିର। ଏହା ଓଡିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ଅବସ୍ଥିତ। ଏହି ସ୍ଥାନରେ ଦେବୀ ସତୀଙ୍କର ‘ସ୍ତନ ଖଣ୍ଡ’ ପଡିଥିଲା। ଏହି ଶକ୍ତିପିଠ ପାଖରେ ଇତିହାସ ପ୍ରସିଦ୍ଧ ଅଶୋକଙ୍କ ଜଉଗଡ ଶିଳାଲେଖ ମଧ୍ୟ ରହିଛି। ୧୭ଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ପ୍ରାରମ୍ଭରୁ ଏକ ତାନ୍ତ୍ରିକ ଉପାସନା କ୍ଷେତ୍ର ରହି ଆସିଛି। ପର୍ବତ ଉପରେ ଥିବା ଏହି ମନ୍ଦିର ପାଖରେ ପହଞ୍ଚିବା ପାଇଁ ୯୯୯ଟି ପାହାଚ ଚଢିବାକୁ ପଡିଥାଏ। କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରର ନିର୍ମାଣ କୌଣସି ରାଜା କିମ୍ବା ଧନୀ ବ୍ୟକ୍ତିଙ୍କ ଦ୍ଵାରା ନୁହେଁ ବର° ବାସୁ ପ୍ରହରାଜ ନାମକ ଜଣେ ବ୍ରାହ୍ମଣଙ୍କ ଦ୍ବାରା ହୋଇଥିଲା। ଗର୍ଭଗୃହରେ ମା’ ତାରା-ତାରିଣୀଙ୍କର ସ୍ବର୍ଣ୍ଣ ଓ ରୂପା ଅଳଙ୍କାରରେ ସଜ୍ଜିତ ଦୁଇଟି ପଥର ନିର୍ମିତ ମୂର୍ତ୍ତି ପୂଜା ପାଏ। ଏହି ଦୁଇ ମୂର୍ତ୍ତିର ମଝିରେ, ପାଦ ପାଖରେ ବ୍ରାସ୍ ନିର୍ମିତ ଦୁଇଟି ମୁହଁ (ମୁଣ୍ଡ) ମା’ଙ୍କ ଚଳନ୍ତି ପ୍ରତିମା ହିସାବରେ ପୂଜା ପାଆନ୍ତି। ଏହି ଶକ୍ତିପିଠରେ ଦେବୀ ତାରାଙ୍କର କାଳଭୈରଭଙ୍କ ନାଁ ସୋମେଶ୍ବର/ ଟୁମକେଶ୍ବର ଏବଂ ଦେବୀ ତାରିଣୀଙ୍କ କାଳଭୈରଭଙ୍କ ନାଁ ଉଦୟେଶ୍ବର/ଉତ୍କେଶ୍ବର ଅଟେ। ପ୍ରତ୍ୟେକ ହିନ୍ଦୁ ମାସର ପ୍ରଥମ ଦିବସରେ ମା’ଙ୍କ ପିଠିରେ ବିଶେଷ ପୂଜା/ ଉପଚାର ହୁଏ। ଚୈତ୍ର ମାସରେ (ମାର୍ଚ୍ଚ- ଏପ୍ରିଲ) ଅନୁଷ୍ଠିତ ହେଉଥିବା ଚୈତ୍ର ପର୍ବ/ ଚୈତ୍ର ଯାତ୍ରା/ ଚୈତ୍ର ମେଳା ହେଉଛି ତାରାତାରିଣୀ ପିଠର ସବୁଠାରୁ ବିଶେଷ ପର୍ବ। ପ୍ରତ୍ୟେକ ଚୈତ୍ର ମଙ୍ଗଳବାରରେ ତାରାତାରିଣୀ ପିଠିରେ ମା’ଙ୍କ ବିଶେଷ ଉପଚାର ହୋଇଥାଏ। ମାନସିକ ରଖିଥିବା ଲକ୍ଷଲକ୍ଷ ଭକ୍ତ ମାସ ସାରା ଆସି ପିଠିରେ ଦର୍ଶନ ଓ ପୂଜା କରନ୍ତି କରନ୍ତି। ଏହି ସମୟରେ ଦର୍ଶନ ପାଇଁ ମା’ଙ୍କ ପହଡ ସୋମବାର ଗୁଡିକରେ ରାତି ୧ଟା ଏବଂ ମଙ୍ଗଳବାରରେ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରୁହେ ଏବଂ ଦିନରେ ମଧ୍ୟ ପହଡ ବନ୍ଦ ରୁହେ ନାହିଁ।
ଆସାମ୍, ଗୌହାଟୀର ନୀଳାଚଳ ପର୍ବତ ଉପରେ ରହିଛି ଭାରତର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ କାମାକ୍ଷା ମନ୍ଦିର। ଏଠି ଗର୍ଭଗୃହରେ କୌଣସି ମାନବ ନିର୍ମିତ ମୂର୍ତ୍ତି ନୁହେଁ ବର° ଆଦି କାଳରୁ ପାକୃତିକ ରୂପେରେ ଆକାର ନେଇଥିବା ଶିଳା “ଆଦି ଯୋନୀ” ଆକାରରେ ପୂଜା ପାଏ। ଇତିହାସକାରଙ୍କ ମତରେ ଏହା ବହୁ ପୁରାତନ କାଳରୁ ସ୍ଥାନୀୟ ଗାରୋ ଓ ଖାସି ଜନଜାତିଙ୍କ ପାଇଁ ଉପାସନା ଓ ବଳୀର ସ୍ଥାନ ଥିଲା ଏବଂ ଏହି ପିଠର ନାମ ସେହି ଜନଜାତିର ପୂଜ୍ୟ “କା ମୈଖା (ଅର୍ଥାତ ଆଦି ମାତା) ଦେବୀ”ଙ୍କ ନାମରୁ ଆସିଛି। ମ୍ଳେଚ୍ଛ ରାଜବ°ଶର ଶାସନ କାଳରେ କାମାକ୍ଷା ମନ୍ଦିର ପ୍ରଥମେ ‘କାମରୂପା’ ନାମରେ ଲୋକଲୋଚନକୁ ଆସିଥିଲା। ତା’ ପରେ ପାଳ, କୋଚ୍ ଏ ଅହୋମ ରାଜବଂଶର ଶାସନ ସମୟରେ ମଧ୍ୟ କାମାକ୍ଷା କୂଳଦେବୀ ଭାବରେ ପୂଜା ପାଉଥିଲେ। ଆମେ ଦେଖୁଥିବା କାମାକ୍ଷା ମନ୍ଦିର, ଅନ୍ୟ ମନ୍ଦିର ମାନଙ୍କ ପରି ଗୋଟିଏ ସମୟ ଖଣ୍ଡରେ ନିର୍ମିତ ନହୋଇ ୮ମ ରୁ ୧୭ଶ ଶତାବ୍ଦୀ ମଧ୍ୟରେ ବିଭିନ୍ନ ରାଜବଂଶର ରାଜାଙ୍କ ଦ୍ବାରା ନିର୍ମିତ ହୋଇଛି। ଏସବୁ ସମ୍ମିଳୀତ ମନ୍ଦିର ନିର୍ମାଣ ଶୈଳୀକୁ ନୀଳାଚଳ ଶୈଳୀ କୁହାଯାଏ। କାମାକ୍ଷା ହେଉଛି ଏକ ତନ୍ତ୍ରପୀଠ, ଏଠି କୁଳାଚାର ତନ୍ତ୍ର ମାର୍ଗରେ ଉପାସନା ହୁଏ। ଇତିହାସକାରଙ୍କ ଅନୁସାରେ ଆଦିମାତାଙ୍କ ଉପାସନା ଏହି ସ୍ଥାନରେ ତିନୋଟି ପର୍ଯ୍ୟାୟରେ ବିକଶିତ ହୋଇଛି, ମ୍ଳେଚ୍ଛ ସମୟରେ ଯୋନୀ, ପାଳ ସମୟରେ ଯୋଗିନୀ ଏବଂ କୋଚ ସମୟରେ ମହାବିଦ୍ୟା। ମନ୍ଦିର ପରିସର ମଧ୍ୟରେ ମୂଖ୍ୟ ମନ୍ଦିକୁ ବେଢି ଛୋଟ ଛୋଟ ମନ୍ଦିର ରହିଛି ଯାହା ଦେବୀଙ୍କର ସାତଟି ମହାବିଦ୍ୟା ରୂପ ଯଥା କାଳୀ, ତାରା, ଭୂବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୁମାବତୀ ଓ ବଗଳାମୂଖୀ ପାଇଁ ଉଦ୍ଦିଷ୍ଟ। ତ୍ରିପୁରା ସୁନ୍ଦରୀ, ମାତଙ୍ଗୀ ଓ କମଳାଙ୍କ ଆସ୍ଥାନ ମୂଖ୍ୟ ମନ୍ଦିର ଭିତରେ ରହିଛି। ଏହି ଶକ୍ତିପିଠର କାଳଭୈରଭଙ୍କ ନାଁ ଉମାନନ୍ଦ କାଳଭୈରଭ, ଯାହାଙ୍କ ମନ୍ଦିର କାମାକ୍ଷା ମନ୍ଦିରଠୁ ଅଳ୍ପ ଦୂର, ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ। ମା’ କାମାକ୍ଷାଙ୍କର ଗୋଟିଏ ମୂଖ୍ୟ ପର୍ବ ହେଉଛି “ଅମ୍ବୁବାଚି (ଆକ୍ଷରିକ ଅର୍ଥ, ଜଳ ସହ ବାର୍ତ୍ତାଳାପ)”। ଏହି ପର୍ବ ପ୍ରତି ବର୍ଷ ଜୁନ୍ ମାସର ୨୦ରୁ ୨୬ ଭିତରେ ତିନିଦିନ ପାଇଁ ପାଳନ କରାଯାଏ। ଏହି ଉତ୍ସବର ମହତ୍ତ୍ଵ ହେଉଛି, ଏହି ତିନିଦିନ ମା’ କାମାକ୍ଷାଙ୍କର ଋତୁସ୍ରାବ ହୁଏ ବୋଲି ବିଶ୍ବାସ କରାଯାଏ। ରଜସ୍ଵଳା ହେବାର ଅର୍ଥ ଏହା ଫର୍ଟିଲିଟିର ଚିହ୍ନ। ଏହି ମାସରେ ବର୍ଷାର ମଧ୍ୟ ଆଗମନ ହୁଏ, ଯାହା କୃଷି ପାଇଁ ମହତ୍ତ୍ୱପୂର୍ଣ୍ଣ। ଏହି ତିନିଦିନ ମା’ଙ୍କ ମନ୍ଦିର ଦ୍ବାର ବନ୍ଦ ରହିବା ସହ କୌଣସି ପୂଜାର୍ଚ୍ଚନା କିମ୍ବା ଉପଚାର ହୁଏ ନାହିଁ, କୃଷିକାର୍ଯ୍ୟ ମଧ୍ୟ ବନ୍ଦ ରୁହେ। ଏହି ସମୟରେ ବ୍ରହ୍ମପୁତ୍ର ନଦୀର ଜଳ ମଧ୍ୟ ରକ୍ତବର୍ଣ୍ଣ ଦିଶେ। ଯଦିଓ ନୀଳାଚଳ ପର୍ବତ ଓ ତାର ଆଖପାଖ ଅଞ୍ଚଳର ମାଟିରେ ଲୌହ କଣିକା ଅଧିକ ରହିବା କାରଣରୁ ଏବଂ ନୀଳାଚଳ ପର୍ବତ ମାଟିରେ ସିନାବାର୍ (ମରକ୍ବିରି ସଲଫାଇଡ୍) ଗଚ୍ଛିତ ରହିଥିବାରୁ ଏଥିରୁ ଧୋଇ ହୋଇ ଆସୁଥିବା ବର୍ଷାପାଣି ବ୍ରହ୍ମପୁତ୍ରରେ ମିଶିଲା ପରେ ଲାଲ୍ ଦିଶେ ବୋଲି ବୈଜ୍ଞାନିକ ମତ ପୋଷଣ କରା ଯାଏ କିନ୍ତୁ ବର୍ଷର ଅନ୍ୟ ସମୟରେ କାହିଁକି ବର୍ଷା ହେଲେ ବ୍ରହ୍ମପୁତ୍ରର ପାଣି ଲାଲ୍ ଦିଶେନି, ଏ ପ୍ରଶ୍ନ ଦୈବୀଶକ୍ତି ଉପରେ ଲୋକଙ୍କ ବିଶ୍ୱାସ ପ୍ରଗାଢ କରେ। ଏହା ‘କୁଳାଚାର ତନ୍ତ୍ର ମାର୍ଗ’ର ସାଧନା କ୍ଷେତ୍ର ଅଟେ।
ଦେବୀ ସତୀଙ୍କ ମୁଖ ଖଣ୍ଡ ପଡିଥିବା ସ୍ଥାନରେ କାଳୀଙ୍କ ପିଠ ରହିଛି। ଏହି ଶକ୍ତି ପିଠ ପଶ୍ଚିମ ବଙ୍ଗର କୋଲକାତା ସହରର କାଲିଘାଟ ଠାରେ ଅବସ୍ଥିତ। ବହୁ ପୁରାତନ କାଳରେ କାଲିଘାଟ ଗଙ୍ଗା (ସ୍ଥାନୀୟ ଭାଷାରେ ହୁଗଲି) ନଦୀର ଗୋଟିଏ ନୌକାଘାଟ ଥିଲା, ଯେଉଁଠି ମା’ କାଳୀ ପୂଜା ପାଉଥିଲେ। ମା’ କାଳୀଙ୍କ ନାମରୁ ହିଁ କୋଲକାତା ସହରର ନାଁ କାଲୀକାତାରୁ ଉତ୍ପନ୍ନ ହୋଇଛି ବୋଲି ବିଶ୍ବାସ କରାଯାଏ। ବର୍ତ୍ତମାନ କାଲୀଘାଟ ପାଖରେ ବୋହି ଯାଉଥିବା ନାଳ ସଦୃଶ୍ୟ ଜଳଧାର ପ୍ରକୃତରେ ଅତୀତରେ ଗଙ୍ଗାନଦୀର ପ୍ରବାହ ପଥ ଥିଲା। ସମୟକ୍ରମେ ଗଙ୍ଗା ନଦୀ ତାର ପଥ ପରିବର୍ତ୍ତନ କାରଣରୁ, ସେହି ସ୍ଥାନରେ ଏବେ ଗୋଟିଏ ନାଳ ହିଁ ରହି ଯାଇଛି, ତେଣୁ ଏହି ନାଳକୁ ଆଦି ଗଙ୍ଗା କୁହାଯାଏ, ଯାହା ଆଗକୁ ଯାଇ ହୁଗଲି ନଦୀରେ ମିଶିଛି। ଯଦିଓ ୧୫ଶ ଶତାବ୍ଦୀର ମାନସର୍ ଭାଷନ୍ ଏବଂ ୧୭ଶ ଶତାବ୍ଦୀରେ କବି କନକ ଚଣ୍ଡୀଙ୍କ ରଚନାରେ ଏହି ପିଠର ବର୍ଣ୍ଣନା ରହିଛି, କିନ୍ତୁ ଆମେ ବର୍ତ୍ତମାନ ଦେଖୁଥିବା ମନ୍ଦିରଟି ମାତ୍ର ୨୦୦ ବର୍ଷର। ବର୍ତ୍ତମାନ ଅବସ୍ଥିତ ମନ୍ଦିରର ନିର୍ମାଣ ୧୭୯୮ ମସିହାରେ ସନ୍ତୋଷ ରାୟ ଚୌଧୁରୀଙ୍କ ଦ୍ବାରା ଆରମ୍ଭ ହୋଇ ୧୮୦୯ ମସିହାରେ ତାଙ୍କରି ବ°ଶର ସବର୍ଣ୍ଣ ରାୟ ଚୌଧୁରୀଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଥିଲା (ଯଦିଓ ଏହି ତଥ୍ୟର ସତ୍ୟାସତ୍ୟ ବିବାଦୀୟ)। ପ୍ରତ୍ୟେକ ଦିନ ଭୋର ପାଞ୍ଚଟାରୁ ମା’ କାଳୀଙ୍କ ଆରତୀ ସହ ପହଡ ଖୋଲାହୁଏ। ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ଶନିବାର ମା’ଙ୍କର ବିଶେଷ ପୂଜା ହେବା ସହ ଖୁବ୍ ଭିଡ ହୁଏ। ସମସ୍ତ ପର୍ବପର୍ବାଣି ମଧ୍ୟରେ କାଳୀପୂଜା, ଦୁର୍ଗାପୂଜା ଏବଂ ଚରକପୂଜା ଏହି ପିଠର ମୂଖ୍ୟ ପର୍ବ। କାର୍ତ୍ତିକ ମାସର ଅମାବାସ୍ୟାରେ ପାଳନ କରାଯାଉଥିବା ଶ୍ୟାମାକାଳୀ ବା ମହାନିଶାପୂଜା, ଯାହାକୁ ସାଧାରଣତଃ ଆମେ କାଳୀ ପୂଜା କହିଥାଉ, ଏହି ପିଠ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ। କାଲୀଘାଟ ମନ୍ଦିରରେ ମା’ କାଳୀ ଏହି ସମୟରେ ମା’ ଲକ୍ଷ୍ମୀ ଭାବରେ ପୂଜା ପାଆନ୍ତି। ଏହି କାଳୀପୂଜାର ଇତିହାସ ଖୁବ୍ ପୁରୁଣା ନୁହେଁ। ୧୬ଶ ଶତାବ୍ଦୀରେ ପ୍ରଥମଥର ପାଇଁ କ୍ରିଷ୍ଣାନନ୍ଦ ଅଗମବାଗିଶଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ୧୭ଶ ଶତାବ୍ଦୀରେ ଲିଖିତ କାଳୀକା ମଙ୍ଗଳକାବ୍ୟରେ ମଧ୍ୟ ମା’ଙ୍କର ଏହି ବାର୍ଷିକ ଉତ୍ସବ ବିଷୟରେ ଲେଖା ଯାଇଛି। ୧୮ଶ ଶତାବ୍ଦୀରେ ନବଦ୍ବିପର ରାଜା କ୍ରିଷ୍ଣଚନ୍ଦ୍ର ଏହି ପୂଜାର ପ୍ରସାର ପାଇଁ ଖୁବ୍ ପ୍ରୟାସ କରିଥିଲେ। ପଶ୍ଚିମ ବଙ୍ଗରେ ୧୯ଶ ଶତାବ୍ଦୀ କାଳୀପୂଜା ଲୋକପ୍ରିୟ ହେବାର ସମସ୍ତ ଶ୍ରେୟ ସାଧକ ଶ୍ରୀ ରାମକୃଷ୍ଣ ପରମହଂକୁ ଦିଆଯାଇ ପାରିବ।
ଏହି ମୂଖ୍ୟ ଚାରୋଟି ଶକ୍ତିପିଠ ଛଡା ଅନ୍ୟ ୪୭ଟି ମୁଖ୍ୟ ଶକ୍ତିପିଠ ଗୁଡିକ ହେଲା (ସମୁଦାୟ ୧୦୮ ଶକ୍ତିପିଠ ରହିଛି ବୋଲି ମାନ୍ୟତା ରହିଛି):
୧. ଦେବୀ ବିରଜା: ଜାଜପୁର, ଓଡିଶା। ଶରୀରର ଅ°ଶ- ନାଭି। ଭୈରବ- ବରାହ।
୨. ଚାମୁଣ୍ଡେଶ୍ବରୀ ଦେବୀ: ଚାମୁଣ୍ଡା ହିଲ୍ସ, ମୟେସୁର, କର୍ଣ୍ଣାଟକ। ଶରୀରର ଅ°ଶ: ଉଭୟ କର୍ଣ୍ଣ ଓ କେଶର ଅ°ଶ। ଭୈରବ – କାଲ୍ ଭୈରବ।
୩. ଜ୍ବାଲାଜୀ ଶକ୍ତିପିଠ: କାଙ୍ଗରା, ହିମାଚଳ ପ୍ରଦେଶ। ଶରୀର ଅ°ଶ- ଜିହ୍ଵା। ଭୈରବ- ଉନ୍ମାତ୍ତା।
୪. ମହାମାୟା ଶକ୍ତିପିଠ: ଅମରନାଥ, ଜମ୍ମୁ କାଶ୍ମୀର। ଶରୀରର ଅ°ଶ- ଗଳା। ଭୈରଭ- ତ୍ରିସାନ୍ଧ୍ୟେଶ୍ବର।
୫. ମିଥିଳା ଶକ୍ତିପିଠ: ମିଥିଳା, ବିହାର। ଶରୀର ଅ°ଶ- ଡାହାଣ କାନ୍ଧ। ଭୈରବ – ମହୋଦରା / ମହେଶ୍ବର।
୬. ଦେବୀ ଜୟଦୁର୍ଗା: ଦେଓ୍ବଘର୍, ଝାରରଖଣ୍ଡ। ଶରୀରର ଅ°ଶ- ହୃତପିଣ୍ଡ। ଭୈରବ- ବୈଦ୍ୟନାଥ।
୭.ଦେବୀ ବରାହୀ: ପଞ୍ଚାସାଗର, ବାରାଣସୀ, ଉତ୍ତରପ୍ରଦେଶ। ଶରୀରର ଅ°ଶ – ତଳ ମାଢି। ଭୈରବ – ସମ୍ହାର / ମହା ରୁଦ୍ର।
୮. ଲଳିତା ଦେବୀ: ସୀତାପୁର, ଉତ୍ତରପ୍ରଦେଶ। ଶରୀରର ଅ°ଶ- ଆଙ୍ଗୁଠି। ଭୈରବ- ଭଓ୍ବ।
୯. ସାବିତ୍ରୀଦେବୀ: ଥାନେଶ୍ବର, କୁରୁକ୍ଷେତ୍ର, ହରିୟାଣା। ଶରୀରର ଅ°ଶ – ଗୋଇଠି। ଭୈରବ- ସ୍ଥାନୁ।
୧୦. ବିଶାଲାକ୍ଷୀ ଶକ୍ତିପିଠ: ବାରାଣସୀ, ଉତ୍ତରପ୍ରଦେଶ। ଶରୀରର ଅ°ଶ- କାନଫୁଲ। ଭୈରବ- କାଲା ଭୈରବ।
୧୧. ଦେବୀ କାତ୍ୟାୟିନୀ: ବୃନ୍ଦାବନ, ଉତ୍ତରପ୍ରଦେଶ। ଶରୀରର ଅ°ଶ – ବୃନ୍ଦାବନ, ଉତ୍ତରପ୍ରଦେଶ। ଶରୀରର ଅ°ଶ- କେଶ। ଭୈରବ – ଭୁତେଶା।
୧୨. ତ୍ରୀପୁରମାଲିନୀ ଦେବୀ: ଜଳନ୍ଧର, ପଞ୍ଜାବ। ଶରୀରର ଅ°ଶ – ବାମ ସ୍ତନ। ଭୈରବ- ଭିଷାନ୍।
୧୩.ମଙ୍ଗଲା ଗୌରୀ: ଗୟା, ବିହାର। ଶରୀରର ଅ°ଶ – ସ୍ତନ। ଭୈରବ – ଉମା ମହେଶ୍ବର।
୧୪. ବାର୍ଗଭୀମା ଦେବୀ: ପୂର୍ବ ମିଦନାପୁର, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- ବାମ ଗୋଇଠି। ଭୈରବ- ସର୍ବାନନ୍ଦ।
୧୫.ଦେବୀ ଗାୟତ୍ରୀ: ପୁଷ୍କର, ରାଜସ୍ଥାନ। ଶରୀରର ଅ°ଶ- ଉଭୟ ମଣିବନ୍ଧ। ଭୈରବ- ସର୍ବାନନ୍ଦ।
୧୬. ନନ୍ଦୀକେଶ୍ବରୀ: ସୈନିଥିଆ, ବୀରଭୂମ୍, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- ଗଳା ହାର। ଭୈରବ- ନନ୍ଦୀକେଶ୍ବର।
୧୭.ଜୟନ୍ତୀଦେବୀ: ଜୟନ୍ତିୟା ହିଲ୍ସ, ମେଘାଳୟ। ଶରୀରର ଅ°ଶ- ବାମ ଜାନୁ। ଭୈରବ – କ୍ରମାଧିଶ୍ବର।
୧୮.ଦେବୀ ତ୍ରିପୁରାସୁନ୍ଦରୀ: ଉଦୟପୁର, ତ୍ରିପୁରା। ଶରୀରର ଅ°ଶ – ଡାହାଣ ପାଦ। ଭୈରବ- ତ୍ରିପୁରେଶ।
୧୯.ଦେବୀ ଅବନ୍ତୀ: ଭୈରବ ପର୍ବତ, ଉଜ୍ଜୈନ, ମଧ୍ୟପ୍ରଦେଶ। ଶରୀରର ଅ°ଶ- କହୁଣୀ। ଭୈରବ- ଲମ୍ବକର୍ଣ୍ଣ।
୨୦. କାଲମାଧଓ୍ବ ଦେବୀ: ଅମରକଣ୍ଟକ, ସାହଡୋଲ, ମଧ୍ୟପ୍ରଦେଶ। ଶରୀରର ଅ°ଶ- ପଶ୍ଚାତଭାଗର ବାମ ପଟ। ଭୈରବ- ଅଶିତାଣ୍ଡ।
୨୧.ଶାରଦା ଦେବୀ: ମୈହାର, ସତନା, ମଧ୍ୟପ୍ରଦେଶ। ଶରୀରର ଅ°ଶ – ଗଳାହାର। ଭୈରବ- କାଲା ଭୈରଭ।
୨୨.ଦେବୀ ନର୍ମଦା: ସୋନ୍-ଦେଶ୍, ଅନୁପପୁର, ମଧ୍ୟପ୍ରଦେଶ। ଶରୀରର ଅ°ଶ- ପଶ୍ଚାତଭାଗର ଡାହାଣ ପଟ। ଭୈରବ- ଭଦ୍ରସେନ୍।
୨୩.ଦେବୀ ମଙ୍ଗଲ ଚଣ୍ଡିକା: ଉଜ୍ଜୈନ, ମଧ୍ୟପ୍ରଦେଶ। ଶରୀରର ଅ°ଶ- କହୁଣୀ। ଭୈରବ- କପିଳାମ୍ବର।
୨୪.ଦେବୀ ଦାନ୍ତେଶ୍ବରୀ: ବସ୍ତୁର, ଛତିଶଗଡ଼। ଶରୀରର ଅ°ଶ: ଦାନ୍ତ। ଭୈରବ- କପାଲ୍ ଭୈରବ।
୨୫. ଭ୍ରାମରୀ ଦେବୀ: ପଞ୍ଚବଟି, ନାସିକ୍, ମହାରାଷ୍ଟ୍ର। ଶରୀରର ଅ°ଶ- ଥୋଡି। ଭୈରବ- ଭିକ୍ରିତାକ୍ଷ।
୨୬. ଚନ୍ଦ୍ରଭାଗା: ପ୍ରଭାସ, ଗିରନା ହିଲ୍ସ, ଗୁଜରାଟ। ଶରୀରର ଅ°ଶ- ପାକସ୍ଥଳୀ। ଭୈରବ- ବକ୍ରତୁଣ୍ଡ।
୨୭. ଦେବୀ ଅମ୍ବାଜୀ: ବନସ୍କନ୍ଥ, ଗୁଜରାଟ। ଶରୀରର ଅ°ଶ- ହୃତପିଣ୍ଡର ଅ°ଶ। ଭୈରବ- ବଟୁକ୍ ଭୈରବ।
୨୮.କନ୍ୟାଶ୍ରମ: କନ୍ୟାକୁମାରୀ, ତାମିଲନାଡୁ। ଶରୀରର ଅ°ଶ- ମେରୁଦଣ୍ଡ। ଭୈରବ- ନିମିଷା।
୨୯. ଭ୍ରାମରୀ ଦେବୀ: ତ୍ରିସ୍ରୋତା, ଜଲପାଇଗୁଡି, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- ବାମ ଗୋଡ। ଭୈରବ- ଈଶ୍ୱର।
୩୦.ରତ୍ନାବଲ୍ଲୀ ଶକ୍ତିପିଠ: ହୁଗଲି, ପଶ୍ଚିମ ବଙ୍ଗ। ଶରୀରର ଅ°ଶ – ଡାହାଣ କାନ୍ଧ। ଭୈରବ- ଘଣ୍ଟେଶ୍ବର।
୩୧.କାମାକ୍ଷୀ ଆମ୍ମା: କାଞ୍ଚିପୁରମ୍, ତାମିଲନାଡୁ। ଶରୀରର ଅ°ଶ- ନାଭି। ଭୈରବ- ବିଶ୍ବେଶ।
୩୨.ରାକିନୀ ଦେବୀ: ରାଜମୁଣ୍ଡାରୀ, ଇଷ୍ଟ ଗୋଦାବରୀ, ଆନ୍ଧ୍ରପ୍ରଦେଶ। ଶରୀରର ଅ°ଶ- ଗାଲ। ଭୈରବ- ଦଣ୍ଡପାଣି।
୩୩.ଭ୍ରାମରାମ୍ବିକା ଦେବୀ: ଶ୍ରିକାକୁଲମ୍, ଆନ୍ଧ୍ରପ୍ରଦେଶ। ଶରୀରର ଅ°ଶ – ଗଳା। ଭୈରବ – ସମ୍ବରାନନ୍ଦ।
୩୪. ଅଟ୍ଟହାସ ଫୁଲ୍ଲାରା: ଲବପୁର, ବୀରଭୂମ୍, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- ତଳ ଓଠ। ଭୈରବ- ବିଶ୍ବେଶ।
୩୫.ବାହୁଲା ଶକ୍ତିପିଠ: କେତୁଗ୍ରାମ୍, କଟଓ୍ବା, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- ବାମ ବାହୁ। ଭୈରବ- ଭିରୁକ।
୩୬.ମହିଷାମର୍ଦ୍ଦିନୀ ଶକ୍ତିପିଠ: ବକ୍ରେଶ୍ବର, ବୀରଭୂମ୍, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- ଦୁଇ ଆଖିର ମଝି ଅ°ଶ। ଭୈରବ- ବକ୍ରନାଥ।
୩୭.କୀରିଟେଶ୍ବରୀ ଦେବୀ: ମୁର୍ସିଦାବାଦ୍, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- କପାଳ। ଭୈରବ- ସଙ୍ଗବର୍ତ୍ତ।
୩୮. କଙ୍କଲିତଲା ଦେବୀ: ବୋଲପୁର, ପଶ୍ଚିମ ବଙ୍ଗ। ଶରୀରର ଅ°ଶ- କଟୀ। ଭୈରବ- ଋଋ।
୩୯.ଦାକ୍ଷାୟିନୀ ଦେବୀ ଶକ୍ତିପିଠ: ମାନସା, ତିବ୍ବତ୍। ଶରୀରର ଅ°ଶ- ଡାହାଣ ହାତ। ଭୈରବ – ଅମର।
୪୦.ଗନ୍ଧକିଦେବୀ ଶକ୍ତିପିଠ: ମୁକ୍ତିନାଥ, ନେପାଳ। ଶରୀରର ଅ°ଶ: ଡାହାଣ ଗାଲ। ଭୈରବ- ଚକ୍ରପାଣି।
୪୧.ଗୁହେଶ୍ବରୀ ଶକ୍ତିପିଠ: କାଠମାଣ୍ଡୁ, ନେପାଳ। ଶରୀରର ଅ°ଶ- ଉଭୟ ଆଣ୍ଠୁ। ଭୈରବ – କପାଳୀ।
୪୨.ଶିବହରକାରାୟ: କରବିପୁର, କରାଚି, ପାକିସ୍ତାନ। ଶରୀରର ଅ°ଶ – ଆଖି। ଭୈରବ- କ୍ରୋଧିଶା।
୪୩.କୋଟାରୀ ଦେବୀ: ହିଙ୍ଗଲାଜ, ବଲୁଚିସ୍ଥାନ, ପାକିସ୍ତାନ। ଶରୀରର ଅ°ଶ- ମସ୍ତକ। ଭୈରବ- ଭୀମଲୋଚନ।
୪୪.ଯଶେଶ୍ବରୀ ଦେବୀ: ଜେଶୋର, ବାଙ୍ଗ୍ଲାଦେଶ୍। ଶରୀରର ଅ°ଶ – ପାପୁଲି ଓ ତଳିପା। ଭୈରବ- ଚଣ୍ଡ।
୪୫. ମା’ ଭବାନୀ: କାରାତୟା, ଭବାନୀପୁର, ବାଙ୍ଗ୍ଲାଦେଶ୍। ଶରୀରର ଅ°ଶ – ବାମ ପାଉଁଜି। ଭୈରବ- ବାମନ।
୪୬.ସୁଗନ୍ଧା ଦେବୀ: ସୈକାରପୁର, ବାଙ୍ଗ୍ଲାଦେଶ୍। ଶରୀରର ଅ°ଶ- ନାକ। ଭୈରବ- ତ୍ରୈମ୍ବକ୍।
୪୭. ଈନ୍ଦ୍ରାକ୍ଷୀ: ନୈନାତିଭ୍ବୁ, ମନିପାଲ୍ଲଓ୍ବମ୍, ଶ୍ରୀଲଙ୍କା। ଶରୀରର ଅ°ଶ: ପାଉଁଜି। ଭୈରବ- ରକ୍ଷେଶ୍ବର/ ନୈୟାର।
(ଲେଖାରେ ଦିଆ ଯାଇଥିବା ତଥ୍ୟ ବିଭିନ୍ନ ଆଲେଖ୍ୟ ଏବଂ ଲୋକକଥାରୁ ସ°ଗୃହିତ। ଦିଆ ଯାଇଥିବା କୌଣସି ତଥ୍ୟ ଉପରେ ମୋର ଦାବି ନାହିଁ। ଆହୁରି ତଥ୍ୟ ଏବଂ ପୌରାଣିକ କଥା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ପାରନ୍ତି।)
Excellent write up!
ଏହି ଉପାଦେୟ ଆଲେଖ୍ୟ ପାଇଁ ଧନ୍ୟବାଦ ।