ମୂଳ ଲେଖା : ଗୁଲଜାର୍ || ଅନୁବାଦ : ଜ୍ୟୋତି ନନ୍ଦ
ସେ ଖୁବ୍ ଚିନ୍ତାରେ।ତାହାର ଶରୀରରେ ଏବେ ଗର୍ଭଧାରଣର ଚିହ୍ନ ଅଳ୍ପ ଅଳ୍ପ କରି ଦେଖାଦେବାକୁ ଲାଗିଲାଣି।ଏହା ଭିତରେ ପୁଣି ପାଖେଇ ଆସୁଛି କାପ୍ପୁର ହଷ୍ଟେଲ୍ ରୁ ଘରକୁ ଆସିବାର ସମୟ।ସେ ଏବେ ଖୁବ୍ ଭୟରେ,କାପ୍ପୁ ଯଦି ତାହାକୁ ଏକଥା ପଚାରିବସେ, ସେତେବେଳେ କ’ଣ ହବ? ଯଦିଓ କାପ୍ପୁ ତାହାର ଗୋଟିଏ ବୋଲି ପୁଅ, ସ୍ୱାମୀ ହୋଇନି ଯେ ଜବାବଦେହୀ ପାଇଁ ସେମିତି କୌଣସି ଜୋର୍ ଖଟେଇବ।
ମହିଳା ମାନେ ଆଉ ଯାହା କିଛି କରନ୍ତୁନା କାହିଁକି,ସବୁବେଳେ ସେମାନଙ୍କୁ କାହାକୁ ନା କେଉଁ ପୁରୁଷକୁ ଜବାବ ଦେବାକୁ ପଡିଥାଏ। କେତେବେଳେ ବାପାଙ୍କୁ ତ ଆଉ ଅନ୍ୟ ସମୟରେ ସ୍ୱାମୀ କିମ୍ବା ପୁଅ କୁ। ସେ ଦେଖିଛି, କାନ୍ତା ସହିତ ପରିଚୟ ହେବା ଦିନଠାରୁ ବକ୍ସିକୁ ଆଉ ସେମିତି କୌଣସି ଜବାବଦିହି କରିବାକୁ ପଡିନାହିଁ। ସତ କହିଲେ,ଯଦି କେବେ ବି ବକ୍ସିକୁ ଏମିତି କିଛି ପଚରାଯାଆନ୍ତା ସେ ତାହାହେଲେ ଆଗ ଗିନାବାସନ ସବୁକୁ ଗୋଟିଗୋଟି କରି କଚାଡି ଭାଙ୍ଗିପକାନ୍ତା ।ଅନେକ ସମୟରେ ବକ୍ସି ବେଶ୍ ମାରଧର ବି କରିଛି।ଘଟଣାଟି ଘଟିଥିଲା ସେଇ ସମୟରେ,ଯେବେ ଘରେ ଗଣ୍ଡଗୋଳ ର ଉତ୍ତେଜନା ତୁଙ୍ଗରେ ଥିଲା।ସେମାନେ ଉଭୟ ଡିସିସନ୍ ନେଇଥିଲେ ଯେ କାପ୍ପୁକୁ ନୈନିତାଲ୍ ର ବୋର୍ଡିଙ୍ଗ୍ ସ୍କୁଲ୍ କୁ ପଠେଇଦେବେ ଆଉ ତାହା ଫଳରେ ସେ ଯେମିତି ଘର ଭିତରେ ଏଇ ସବୁ ଭଂଗା ବାସନକୁସନକୁ ଆଦୌ ଦେଖିନପାରେ, କହିବାକୁ ଗଲେ ସେମାନଙ୍କର ସଂସାର ଭାଙ୍ଗି ଟୁକୁରା ଟୁକୁରା ହୋଇଯାଇଛି ବୋଲି ଘଟଣାର ତ ଏସବୁ ବିଶ୍ୱସ୍ତ ଚିହ୍ନମାନ। ବକ୍ସିର ସହ କାନ୍ତାର ପରିଚୟ ହେବା ପରଠାରୁ ରମା ପ୍ରତି ବକ୍ସିର ଦୃଷ୍ଟିଭଂଗୀ ପୂରା ବଦଳି ଯାଇଛି।ରମା ଠିକ୍ ବୁଝିପାରୁଛି, ତାହା ସହ ବକ୍ସି ଆଉ ବେଶିଦିନ ଏକାଠି ରହିପାରିବ ନାହିଁ, ଆଉ ଅସଲରେ ଘଟଣା ତ ଠିକ୍ ଏମିତି ଘଟିଯାଇଛି। ତେଣୁ ଟେଲିଫୋନ୍ ବାଜେ ଆଉ ବାଜିବା ପରେ ତତକ୍ଷଣାତ୍ ଥମିଯାଏ। ବକ୍ସି ସଙ୍ଗେ ସଙ୍ଗେ ଫୋନ୍ କରେ। ହୁଏତ ଅଫିସ୍ ରେ ପ୍ରାୟତଃ ଅସମୟରେ କିଛି କିଛି ବିଶେଷ କାମ ପଡିଯାଏ।ରମା ପ୍ରତିଟି ସଂକେତକୁ ଧରିପାରେ, ବୁଝିପାରେ…।
ବକ୍ସି ଘରସଂସାରଠୁ ଦୂରରେ ରହିବାକୁ ଆରମ୍ଭ କରେ। ଅଫିସ୍ କାମରେ ବାହାରକୁ ଯିବା ତାହାର ଗୋଟିଏ ପ୍ରକାରର ବାହାନା ମାତ୍ର।ସବୁ ସମୟ ରମା ଜାଣେ, ବକ୍ସି କେଉଁଠି, କେତେବେଳେ ଆଉ କେଉଁ ହୋଟେଲ୍ ରେ ଅଛି।
ବର୍ଷେ ଭିତରେ ରମା ତାହାର ବ୍ୟାଙ୍କର ପୁରୁଣା ଚାକିରୀରେ ଯୋଗଦିଏ। କିନ୍ତୁ ତା’ପରେ ବି ତା’କୁ ଜବାବ ଦେବାକୁ ପଡେ ।ତାହାର ବାପାଙ୍କୁ ଆଉ ବକ୍ସିକୁ। ସତ କହିଲେ, ବାପାଙ୍କୁ ବୁଝାବୁଝି କରି ଶାନ୍ତ କରିବାରେ ବକ୍ସିର ଢେର୍ ସାହାଯ୍ୟ ରହିଛି।ସେ ଜାଣେ, କେବଳ ତାହାର ଏକେଲା ଦରମାର ଟଙ୍କାରେ ଦୁଇ ଦୁଇଟି ସଂସାର ଚଳାଇବା ସହଜ ନୁହଁ।
ଝିଅକୁ ଏକାନ୍ତକୁ ଡାକି ରମାର ବାପା ପଚାରିଲେ,”ତମ ଦିଜଣଙ୍କ ଭିତରେ କ’ଣ କିଛି ସମସ୍ୟା ହେଇଛି?”
ରମା ବେଶ୍ ଆତ୍ମପ୍ରତ୍ୟୟର ସହ କହିଛି, “ନାଁ ବାବା।ସବୁ ସଂସାରରେ କମବେଶି କିଚିରିମିଚିରି ହୁଏ।କିନ୍ତୁ କପିଳ ବୋର୍ଡିଙ୍ଗ ସ୍କୁଲକୁ ଗଲା ପରଠାରୁ ଆମର ଅନୁଭବ ହେଉଛି ଯେ ଆମ ଭିତରେ କିଛି ଗୋଟାଏ କୁଆଡେ ହଜିଯିବାକୁ ବସିଛି।”
ବାପା ଝିଅକୁ ଆଉ କିଛି ପଚାରି ନାହାଁନ୍ତି ।ଖାଲି କହିଛନ୍ତି, “ଆସିଲେ କପିଳକୁ ଏଠିକୁ ପଠେଇଦବୁ, ଅଜା ଆଈଙ୍କୁ ଟିକେ ଦେଖିଯିବ।”
ଉତ୍ତରରେ ଦିଜଣଯାକ କହିଛନ୍ତି, “ହଁ ହଁ, ନିଶ୍ଚୟ ପଠେଇଦେବୁ।”
ରମା ଆଉ ବକ୍ସି କାନପୁରରୁ ଫେରିଆସିଛନ୍ତି। ଉଭୟେ ଜବାବ ଦେବା ଆଉ ଚାହିଁବା ବିଷୟଟିକୁ ପରିତ୍ୟାଗ କରିନେଇଛନ୍ତି।ଘଟଣା ଯେତେବେଳେ ଘରର ଚାରିକାନ୍ଥର ବାହାରକୁ ଚାଲିଯାଏ,ସେତେବେଳେ ଜବାବଦେହିର ଆଉ କିଛି ପ୍ରୟୋଜନ ଅଛିକି ? ସେମାନେ ସିଦ୍ଧାନ୍ତ ନେଇଛନ୍ତି,ନିଜନିଜ ଭିତରେ ବୁଝାମଣା ଭିତ୍ତିରେ ଅଲଗା ହୋଇଯିବେ। ଯାହାହେଉ, କାପ୍ପୁ ହିଁ ଏଇଲେ ହେଉଛି ଗୋଟିଏ ବୋଲି ସମସ୍ୟା।କେମିତି ତା’କୁ କୁହାଯିବ ଦିଜଣଙ୍କ ଭିତରର ସମସ୍ୟାକୁ, ଯାହାକୁ ସେ ଠିକ୍ ରେ ବୁଝିନେଇ ପାରିବ। ଏବେବି ସେ ପିଲା,ବୟସ ମାତ୍ର ନଅ ବର୍ଷ।
ରମାର ବ୍ୟାଙ୍କ ମ୍ୟାନେଜର ରମଣକୁମାର ଦିଜଣଙ୍କ ମଧ୍ୟରେ ହସ୍ତକ୍ଷେପ କରିଛନ୍ତି ଏବଂ ଯୁକ୍ତିରେ ବୁଝେଇବାକୁ ଚେଷ୍ଟା କରିଛନ୍ତି।ସେ କହିଛନ୍ତି, ଉଭୟେ ଯେମିତି ସବୁ ପୁରୁଣା କଥାକୁ ଭୁଲି ଯାଆନ୍ତି।କିନ୍ତୁ ରମା ଜାଣେ ବକ୍ସିର ଆବେଗୀ ମନ।ଦିନେ ସେ ତ ପ୍ରଚଂଡ ଆବେଗରେ ତାହାକୁ ଗଭୀରଭାବରେ ଭଲପାଉଥିଲା।
ରମଣକୁମାର ଦିନେ ରମାକୁ କହିଥିଲେ, “ମୁଁ ବୁଝିପାରୁଛି ତମେ କାହିଁକି କାନ୍ଦୁଛ?କିନ୍ତୁ ମୁଁ ତାହାଠାରୁ ବେଶି ଆଶ୍ଚର୍ଯ୍ୟ ହୁଏ ଯେତେବେଳେ ଦେଖେ ତମ ବିଷୟରେ କଥାହେଲାବେଳେ ବକ୍ସିର ଆଖି ଲୁହ ଢଳଢଳ।ତମ ବିରୁଦ୍ଧରେ ସେ ପଦଟିଏ କଥା କହେନାହିଁ।ବରଂ ନିଜର ଭୁଲ୍ ମାନିନିଏ। ହୁଏତ ସେ ଖୁବ୍ ଇମୋସନାଲ୍।”
ରମା ଜାଣେ, ବକ୍ସି ମଝିରେ ମଝିରେ ଭୁଲ୍ କରେ।କିନ୍ତୁ ତାହାର ଆଖିର ଲୁହ ରେ ଭଣ୍ଡାମି ନାହିଁ। ଅସଲରେ ସେ ଭଣ୍ଡ ନୁହଁ।
ଅବଶେଷରେ ସେମାନେ ବିବାହବିଚ୍ଛେଦ ପାଇଁ ଅଦାଲତରେ ଆବେଦନ କରିଛନ୍ତି।ଏଇ ଭିତରେ ବିତିଯାଇଛି ବର୍ଷଟିଏ।
ଏହି ସମୟରେ କାପ୍ପୁକୁ ଦେଖିବା ପାଇଁ ସେମାନେ ଏକେଲା ବା ଏକାଠି ହଷ୍ଟେଲ୍ ଯାଇଛନ୍ତି।କାପ୍ପୁର ଛୁଟି ହେଲେ ସେମାନେ କେବେକେବେ କାପ୍ପୁକୁ ଦିଲ୍ଲୀର ବାହାରକୁ ବୁଲେଇବାକୁ ନେଇଛନ୍ତି,ଅଥବା କାପ୍ପୁ ରମା ପାଖରେ ରହିଛି,ଯେତେବେଳେ ବକ୍ସି ଅଫିସ୍ କାମରେ ଦିଲ୍ଲୀର ବାହାରେ ଅଛି ।
କପିଳ ଅବଶ୍ୟ ବୁଝି ପାରିଛି ଯେ କିଛି ଗୋଟାଏ ହିଁ ଘଟିଛି।କିନ୍ତୁ ସେ ଆଗ କହିବାକୁ ଚାହେଁନାହିଁ, “ପାପା ଆଗଭଳି ତମକୁ କି ମତେ ଭଲପାଏ ନାହିଁ।”
“ବାଜେ କଥା କହନି।ସେ ଅଫିସ୍ କାମରେ ଭାରି ବ୍ୟସ୍ତ।ଘଟଣାଟି ତାହା।”ଅସଲରେ ରମା ପୁଅର ନିଷ୍ପାପ ଚିନ୍ତାକୁ ନଷ୍ଠ କରିଦେବାକୁ ଚାହେଁ ନାହିଁ।” ତାହାଛଡା ମୁଁ ତ ଅଫିସ୍ ରେ ଜଏନ୍ କରିଛି ।”
ସେମାନଙ୍କର ବିବାହବିଚ୍ଛେଦର ପରେ ରମା ନିଜର ତତ୍ତ୍ୱାବଧାନରେ ପୁଅକୁ ରଖିବାକୁ ଚାହିଁଛି।ବକ୍ସି ମୋଟେ ଆପତ୍ତି କରିନି ବରଂ ବିନାବାକ୍ୟରେ ରାଜି ହୋଇଯାଇଛି।ସେ ଜାଣେ,ପୁଅର ସାମ୍ନାରେ କାନ୍ତାର ଉପସ୍ଥିତିକୁ ସେ କଦାପି ବୁଝାଇ କହି ପାରିବ ନାହିଁ। ଏମିତି ପରିସ୍ଥିତି ତା’କୁ ବେଶ୍ କ୍ଷତିଗ୍ରସ୍ତ କରିବ।ଯଦିଓ ସେ କାପ୍ପୁର ହଷ୍ଟେଲ୍ କୁ ଯାଏ ଏବଂ ନିୟମିତ ଦେଖାକରେ, କିନ୍ତୁ ରମା ବିବାହବିଚ୍ଛେଦର କଥା ପୁଅକୁ କହିନାହିଁ।
କାନ୍ତା ସହ ବକ୍ସିର ସଂପର୍କ ବେଶିଦିନ ସ୍ଥାୟୀ ହୋଇନାହିଁ।କିନ୍ତୁ ତାହାପରେ ରମା ବକ୍ସିକୁ ଫେରିପାଇବାକୁ ଚାହିଁନାହିଁ,ଏପରିକି ବକ୍ସି ବି ରମା ପାଖକୁ ଫେରି ଆସିବାକୁ ଚାହିଁନାହିଁ।ଏହା ଭିତରେ ସେମାନଙ୍କ ସଂପର୍କ ଭାଙ୍ଗିଯାଇଛି ।ଭଂଗା ସଂପର୍କର ମରାମତି କରିବା ବି ସମ୍ଭବ ନୁହଁ।ସେହି ବର୍ଷ ଯେତେବେଳେ ସ୍କୁଲ୍ ଛୁଟି ହେବାର ସମୟ ,କପିଳର ଘରକୁ ଆସିବାର ସମୟ ହେଲା ,ସେତେବେଳେ ବକ୍ସି ଦିଲ୍ଲୀଠାରୁ ହଜାର ହଜାର ମାଇଲ୍ ଦୂର ମାନ୍ଦ୍ରାଜକୁ ବଦଳିରେ ଗଲା।ହୁଏତ ବକ୍ସି ଭୁଲି ଯାଇଛି,ଏବଂ ପୁଅ ପାଖରେ ସତକୁ ଗୋପନକରି ରଖିବା ରମା ପକ୍ଷରେ ଅସମ୍ଭବ ହୋଇ ପଡୁଥିଲା।ରମା ତେଣୁ ସବୁକଥା ପୁଅକୁ ଖୋଲାଖୋଲି କହିଦେବ ବୋଲି ଶେଷରେ ନିଷ୍ପତ୍ତି ନିଏ।କିନ୍ତୁ ସେ ପୁଅକୁ ଧିରେ ଧିରେ ପ୍ରସ୍ତୁତ କରିବ ସେଥିପାଇଁ,ଦିନଟି ସାରା ତା’କୁ ତାହାର ପାପା ବିଷୟରେ ଗପ କରିବ ଏବଂ ଅବଶେଷରେ ରାତିରେ ପରିଣତିଟି ଯେତେବେଳେ କହିବ,କାପ୍ପୁ ସେତେବେଳେ କଇଁକଇଁ ହୋଇ କାନ୍ଦିବ।ପୁଅକୁ ସେ ସାନ୍ତ୍ୱନା ଦେବ।ଏବଂ ଗୋଟିଏ ସମୟରେ ପୁଅର ମୁଣ୍ଡକୁ ଥାପୁଡାଇ ଥାପୁଡାଇ ନିଦ ମଡେଇଦେବ ସେ।
“ମୁଁ ତୋ ସହିତ ଅଛି।ମୁଁ ତୋହର ମାଆ..”
ସେହି ମୁହୂର୍ତ୍ତରେ କାପ୍ପୁ ଘରକୁ ଫେରି ଆସେ,ପଚାରେ,”ମା,ପାପା କ’ଣ ଆମକୁ ଛାଡି ଚାଲିଯାଇଛି ?ଏଇଟା କ’ଣ ସତ ? କହ ?”
ରମା ନିଜକୁ ନିୟନ୍ତ୍ରଣରେ ରଖି ପାରେନି।ଭାଂଗିପଡେ କାନ୍ଦଣାରେ।କାପ୍ପୁ ଆଗେଇ ଆସି ମାଆକୁ ଜଡାଇ ଧରେ।”ମୁଁ ଏଇଠି ଅଛି ମା,ତୋ ପାଖରେ ଅଛି ।ତୋ ପୁଅ…।”
ରମା ଆଶ୍ଚର୍ଯ୍ୟ ହୁଏ।କିଛି ଏମିତି ଅନୁମାନ କରିବା ର ଅନେକ ଆଗରୁ କେମିତି ଏଇ ପୁଅଝିଅମାନେ ଅକସ୍ମାତ ବଡ ହୋଇ ଯାଆନ୍ତି।
ବର୍ଷେ ତଳେ ସ୍କୁଲ ଛୁଟି ବେଳେ କାପ୍ପୁ ସ୍କୁଲ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲା ଦାର୍ଜିଲିଙ୍ଗ।ରମା ବି ଦିନ କେତେଟା ବୁଲିବାକୁ ବାହାରକୁ ଯାଇଥିଲା ରମଣ ସହ।ଅନେକ ବର୍ଷ ପରେ ସେଇ ଯେ ଛୁଟି ନେଇଥିଲା ରମା। ତାହା ଆଗରୁ ହୋଲି ବେଳେ ଆଉ କେତେଦିନ ଛୁଟି ମିଶେଇ କାପ୍ପୁକୁ ଦେଖିବାକୁ ଯାଇଥିଲା ହଷ୍ଟେଲ୍ କୁ ସେ। ସେତେବେଳେ ପୁଅକୁ ରମଣ ବିଷୟରେ କହିବ ବୋଲି ଭାବିଥିଲା ।କିନ୍ତୁ କେଉଁଠୁ ଭୟଟିଏ ମାଡି ବସିଥିଲା।କିଛି କହି ପାରିନାହିଁ।ରମଣ ସଂପର୍କରେ ପୁଅର ମନରେ ଯେମିତି କିଛି ଭୁଲ୍ ବୁଝାମଣା ତିଆରି ହୋଇଯାଉ ସେଇକଥାକୁ ସେ ଚାହୁଁନଥିଲା।କାପ୍ପୁ ଏଯାଏଁ ପିଲାଲୋକ।
ଏପରିକି ସେଦିନ ସେ କଥାଟି କହିବା ପାଇଁ କେତେଥର ଚେଷ୍ଟା କରିଛି।ଏ କଥା ସତ,କାପ୍ପୁ ପୂର୍ଣ୍ଣ ବୟସ୍କ ହୋଇ ଉଠିନାହିଁ।ସେ ଏବେବି ପିଲା।ସେ ଯଦି ମାଆର ଫୁଲିଲା ପେଟ ଦେଖେ,ତାହାହେଲେ ବୁଝିବ ମାଆର ଓଜନ ବଢିଛି। କେମିତି ସେ ଏ କଥାକୁ ଅନୁମାନ କରିପାରିବ ?କିନ୍ତୁ ଏଥର ସବୁକଥା ରମଣ ବିଷୟରେ ସତସତ କହିଦେବ ସେ।ସମ୍ଭବ ହେଲେ ଏଇ କଥା କୁ ତା’କୁ ବୁଝେଇ କହିଦେବ ଯେ,ଗୋପନରେ ରମଣ ସହ ତାହାର ରେଜିଷ୍ଟ୍ରି ବାହାଘର ସରିଛି।
କାପ୍ପୁ ଯେତେବେଳେ ଘରକୁ ଆସିଲା,ରମା ସେତେବେଳେ ସାରାଦିନ ପୁଅର ଦୃଷ୍ଟିରୁ ନିଜ ଫୁଲିଲା ପେଟକୁ ଆଢୁଆଳ କରି ରଖିଛି। ବେଶ୍ ଢିଲା ପୋଷାକ ସେ ପିନ୍ଧିଛି ଆଉ ଥରେ ହେଲେବି ନିଜ ଶରୀରରୁ ଓଢଣାଟିକୁ ଖସିପଡିବାର ସୁଯୋଗ ସେ ଦେଇନାହିଁ।ପୁଅ ପାଇଁ ଖାଇବା ତିଆରି କରିଛି,ଠିକ୍ କରିଛି ରାତିରେ ଯେତେବେଳେ କାପ୍ପୁ ଶୋଇବାକୁ ଶେଜକୁ ଯିବ ସେତିକିବେଳେ ସେ ସବୁକଥା ଖୋଲି କହିବ।
ହଠାତ୍ ରମା ପାଖଘରୁ କାଚଗ୍ଲାସ୍ ଭାଙ୍ଗିବାର ଶବ୍ଦ ଶୁଣେ।ହଠାତ୍ ଦୌଡିଯାଇ ଦେଖେ କାପ୍ପୁର ହାତ କଟିଛି।ସାରା ଚଟାଣରେ ଛିଟକି ବିଛାଡି ପଡିଛି ଫୁଲଦାନୀର ଭଂଗା ଟୁକୁରା ସବୁ ।
“କାପ୍ପୁ …?”
ସେହି ମୁହୂର୍ତ୍ତରେ ରମା ପାଦଟିଏ ଆଗେଇଯାଏ,ସେତେବେଳେ ତା’କୁ ଧକ୍କା ଟିଏ ଦେଇ ନିଜଠୁ ଦୂରେଇଦିଏ କାପ୍ପୁ।”ମୋ ପାଖକୁ ଆସ୍ ନା …” ।
ରମା ଅଟକି ଯାଏ।କାପ୍ପୁର କଂଠସ୍ୱରରେ କାନ୍ଦଣାର ଗମକ ମିଶିଛି।
“ତୁମେ କ’ଣ ପ୍ରେଗନାଣ୍ଟ ?”
ରମାର ହାତ ପାଦ ଥଣ୍ଡା ହୋଇଯାଏ।ଛାତିର ଧକଧକ୍ ଏବେ ଯେମିତି କପାଳରେ ଫୁଟି ଉଠୁଛି।
“କା’ର ପିଲା ?ରମଣ ଅଙ୍କଲ୍ ? ବଦମାସ୍ !”
କିନ୍ତୁ ରମା ଯାହା ଶୁଣିଛି,ତାହା କାପ୍ପୁର କଂଠସ୍ୱର ନୁହଁ,ସେଇଟା ବକ୍ସିର।ସେ ଅନୁଭବ କରେ ,ଏବେ ଏତକ କଥା କହିଥିବା ପୁରୁଷଟି ତାହାର ନିଜ ପେଟର ପୁଅ ନୁହଁ,ବରଂ ତାହାର ସ୍ୱାମୀ।
•••••
ଚଳିତ ୨୦୨୪ ର ତଥା ୫୮ ତମ ଜ୍ଞାନପୀଠ ପୁରସ୍କାରର ପ୍ରାପକ ସେ। ଗୁଲଜାର।
୫ ସେପ୍ଟେମ୍ବର ୧୯୩୪ ମସିହାରେ ଦିନା,ପାକିସ୍ଥାନ ରେ ଜନ୍ମିତ ଏଇ ଲେଖକଙ୍କର ଅସଲ ନାଆଁ ହେଉଛି ସଂପୂରଣ ସିଂ କାଲରା।
ସୀମୀତ ଚରିତ୍ର କୁ ନେଇ ଜଟିଳ ମାର୍ମିକ କାହାଣୀ ରଚନା କରିବାରେ ସିଦ୍ଧହସ୍ତ ସେ।
ଜଣେ କୁଶଳୀ କଥାକାର ଚରିତ୍ର ଭିତରର ସଂପର୍କ ର ଜଟିଳତା ଆଉ କହିହେଉନଥିବା ଗୋପନତାକୁ ଏମିତି ପ୍ରକାଶ କରିବାକୁ ସମର୍ଥ ହୋଇଥାଏ ଯେ ତାହା ଆମକୁ ଏକ ଅକଳ୍ପନୀୟ ବୌଦ୍ଧିକ ସଂଘାତର ଆନନ୍ଦ ଦେଇଥାଏ ।
ଏଇ କାହାଣୀର ଚରିତ୍ର ରମା,ବକ୍ସି,କାପ୍ପୁ ଏବଂ କାନ୍ତା ଆଉ ରମଣ ପ୍ରତ୍ୟେକେ ନିଜନିଜର ଭୂମୀକାକୁ ସଠିକ ଅର୍ଥାତ୍ ଠିକ୍ ଯେତିକି ଦରକାର ସେତିକି ସଂପାଦନ କରିଛନ୍ତି।
ଗୁଲଜାର୍ ଙ୍କୁ ଅନେକ ଅନେକ ଅଭିନନ୍ଦନ।